Unknown

 

 

 

 

 

 

 

 

 

 

ମହାନଦୀ

ଡକ୍ଟର ହେମନ୍ତ କୁମାର ଦାସ

 

ସୂଚୀପତ୍ର

 

୧.

ପ୍ରଥମ ଅଧ୍ୟାୟ :–ଆଦ୍ୟ ଓଁକାର

 

 

ପୁରାଣ ପୃଷ୍ଠାରେ ଗଙ୍ଗା, ପୁରାଣରେ ବ୍ରହ୍ମପୂତ୍ର, ପୁରାଣରେ ମହାନଦୀ, ମହାନଦୀର ଭୌଗୋଳିକ ରୂପ, ନଦୀ ନୁହେଁ ମାଆ, ମହାନଦୀତୀରରେ ଆର୍ଯ୍ୟ ଏବଂ ଅନାର୍ଯ୍ୟ, ମହାମିଳନର ପୀଠ, ପ୍ରବହମାନ ସଂସ୍କୃତିର ଧାରା, ଭାଷା କ୍ଷେତ୍ରରେ ଆଦାନ ପ୍ରଦାନ, ଆଦିବାସୀଗୋଷ୍ଠୀ ଏବଂ ସେମାନଙ୍କର ସଂସ୍କୃତି, ଭିନ୍ନତା ମଧ୍ୟରେ ଏକତା, ଉପସଂହାର

୨.

ଦ୍ୱିତୀୟ ଅଧ୍ୟାୟ :–ଓଡ଼ିଆ ଭାଷା ଓ ଲିପି

୩.

ତୃତୀୟ ଅଧ୍ୟାୟ :–ଅବବାହିକାର ଜାତି ଓ ଧର୍ମ ତତ୍ତ୍ୱ

 

 

ଧର୍ମର ମହାପ୍ଲାବନରେ ଓଡ଼ିଶା, ପୂର୍ବାଞ୍ଚଳରେ ନାଗପୂଜା, ଓଡ଼ିଶାରେ ନାଥ ଧର୍ମ, ସମନ୍ୱୟର ଦେବତା ଶ୍ରୀ ଜଗନ୍ନାଥ, ପରିବର୍ତ୍ତନର ଆଦ୍ୟ ସଂକେତ, ଉପସଂହାର

୪.

ଚତୁର୍ଥ ଅଧ୍ୟାୟ :–ଇତିହାସର କବର ତଳେ

 

 

ଚୌହାନ ଶାସନରେ ସମ୍ବଲପୁର, ମୋଟେଙ୍କ ବିବରଣୀ, ସମ୍ବଲପୁରର ବାଣିଜ୍ୟ ବ୍ୟବସାୟ, ମରହଟ୍ଟା ଶାସନ ଓ ସମ୍ବଲପୁର, ଇଂରେଜ ଶାସନରେ ସମ୍ବଲପୁର, ବିଦ୍ରୋହୀ ସୁରେନ୍ଦ୍ର, ଅବବାହିକାରୁ ତ୍ରିକୋଣ ଭୂମି, ରାଜଶାସନରେ ଉପକୂଳ ଅଞ୍ଚଳ, ଇତିହାସର ପଞ୍ଚକଟକ, ଆଫଗାନ, ମୋଗଲ ଓ ମରହଟ୍ଟା ଶାସନରେ ଓଡ଼ିଶା, ଇଂରେଜମାନଙ୍କ କଟକ ଅଧିକାର, ଉପସଂହାର

 

 

୫.

ପଞ୍ଚମ ଅଧ୍ୟାୟ :–ତୀରେତୀରେ ତୀର୍ଥ

 

 

ସମଲାଇ, ଜଗନ୍ନାଥ, ହୁମା, ସୁବର୍ଣ୍ଣମେରୁ, ପାପକ୍ଷୟ ଘାଟ, ଚାରି ଶମ୍ଭୂ, ନୀଳମାଧବ, ସିଂହନାଥ, ଭଟ୍ଟାରିକା, ଚର୍ଚ୍ଚିକା, ସିଦ୍ଧେଶ୍ୱର, କପିଳେଶ୍ୱର, ଧବଳେଶ୍ୱର, ଉପସଂହାର

୬.

ଷଷ୍ଠ ଅଧ୍ୟାୟ :–ଐତିହାସିକ ଏ ରାଜ୍ୟ

 

 

ସୋନପୁର, ବୌଦ, କଣ୍ଟିଲୋ, ବାଙ୍କି, କଟକ, ତ୍ରିକୋଣଭୂମିର ସର୍ବେକ୍ଷଣ, ଦଶପଲ୍ଲା, ସୁବର୍ଣ୍ଣପୁର, ପାରାଦୀପ, ଉପସଂହାର

୭.

ସପ୍ତମ ଅଧ୍ୟାୟ :–ଆ କା ମା ଭୈଃ

 

 

ଦରିଆ ପାରିରେ ଓଡ଼ିଆ, ଉପସଂହାର

୮.

ଅଷ୍ଟମ ଅଧ୍ୟାୟ :–ନଦୀର ନାମ ମହାନଦୀ

 

 

ବାରମାସରେ ତେର ପର୍ବ, ଓଡ଼ିଆ ସଂସ୍କୃତି ଓ ମହାନଦୀ, କଳା ଓ ସ୍ଥାପତ୍ୟ, ନଦୀ ଉପତ୍ୟକାର ଖାଦ୍ୟ ବ୍ୟବସ୍ଥା, ପୋଷାକ ପରିଚ୍ଛଦ, ଚରିତ୍ର ନ ଥିଲେ ସବୁ ଅସାର, ସଂଗୀତ ଓ ନୃତ୍ୟ, ଉପସଂହାର

୯.

ନବମ ଅଧ୍ୟାୟ :–ମହାନଦୀର ଆହ୍ଵାନ

 

 

ଅରଣ୍ୟର ଆର୍ତ୍ତନାଦ, ମାଟିତଳର ସମ୍ପଦ, ଜଳରୁ ସମ୍ପଦ, ଜଳସମ୍ପଦର ସୁବିନିଯୋଗ, ଶିଳ୍ପାୟନ ପାଇଁ ସ୍ଵପ୍ନ, ଶିଳ୍ପ ପାଇଁ ଶକ୍ତି, ଉପସଂହାର

୧୦.

ଦଶମ ଅଧ୍ୟାୟ :–ଶେଷ କଥା

 

 

କବିକଣ୍ଠେ ମହାନଦୀ, ମହାନଦୀ ସୁଖରେ ଦୁଃଖରେ, ଭଣ୍ଡାର କୁବେରର, ଜୀବନ ଭିକ୍ଷାଶୀର, ଚାଷ ଅଛି ଯାହାର, ଶିଳ୍ପାୟନ ପଥରେ, ଉପସଂହାର

Image

 

ପ୍ରଥମ ଅଧ୍ୟାୟ

ଆଦ୍ୟ ଓଁକାର

 

ନଦୀ ଉପତ୍ୟକାରେ ଦିନେ ବିଶ୍ୱର ପ୍ରମୁଖ ସଭ୍ୟତାମାନ ଗଢ଼ିଉଠିଥିଲା । ନୀଳନଦୀ କୂଳରେ ପ୍ରାଚୀନ ମିଶରୀୟ ସଭ୍ୟତା, ୟୁଫ୍ରେଟିସ୍ ଓ ଟାଇଗ୍ରୀସ୍ ନଦୀ କୂଳରେ ବାବିଲୋନୀୟ ସଭ୍ୟତା, ହୋୟାଂ ହୋ କୂଳରେ ଚୀନ୍ ସଭ୍ୟତା, ଗଙ୍ଗା କୂଳରେ ଆର୍ଯ୍ୟ ସଭ୍ୟତା ଏବଂ ସିନ୍ଧୁ ନଦୀ ତୀରରେ ଦ୍ରାବିଡ଼ ସଭ୍ୟତାର ବିକାଶ ଏହି ମନ୍ତବ୍ୟର ଯଥାର୍ଥତା ପ୍ରତିପାଦନ କରେ । ଭାରତୀୟ ଆର୍ଯ୍ୟମାନେ ଗାଙ୍ଗେୟ ଅବବାହିକାରେ ପ୍ରବେଶ କଲାବେଳକୁ ପଶୁଜୀବୀ ଏବଂ କେତେକ ପରିମାଣରେ କୃଷି ନିର୍ଭର ହୋଇ ପଡ଼ିଥିବାରୁ ସେମାନଙ୍କ ପାଇଁ ଜଳ ଥିଲା ଏକ ଅପରିହାର୍ଯ୍ୟ ଆବଶ୍ୟକତା ଏବଂ ଗମନାଗମନର ଦ୍ରୁତ ମାଧ୍ୟମ । ତେଣୁ ସେମାନେ ନଦୀ ଉପତ୍ୟକାର ଶ୍ୟାମଳ ତୃଣଭୂମି ଏବଂ ଉର୍ବର ମୃତ୍ତିକାଞ୍ଚଳକୁ ହିଁ ବସବାସ ନିମନ୍ତେ ଅଧିକ ପସନ୍ଦ କରୁଥିଲେ । ପୁଣି ଥିଲେ ବୟସ୍କ ଆର୍ଯ୍ୟ ବୁଦ୍ଧିଜୀବୀମାନେ, ଯେଉଁମାନେ କି ସଂସାର ପ୍ରତି ବୀତସ୍ପୃହ ହୋଇ ଧ୍ୟାନଧାରଣା, ଜପତପ ମଧ୍ୟରେ ଗୋଷ୍ଠୀର ମଙ୍ଗଳକାମନା କରୁ କରୁ ଉତ୍ତର ଜୀବନ କଟାଇ ଦେଉଥିଲେ, ସେମାନଙ୍କ ଆଶ୍ରମ ଜୀବନ ପାଇଁ ଲୋଡ଼ା ହେଉଥିଲା ନିର୍ଜନ ବନପ୍ରଦେଶ, ଯାହା ଅବଶ୍ୟ ଜଳ ସେବିତ ହୋଇଥିବ । ସେମାନଙ୍କ ଦିନଚର୍ଯ୍ୟାରେ, ଆଶ୍ରମର ପରିଚାଳନାରେ, ବୃକ୍ଷଲତାର ପରିଚର୍ଯ୍ୟାରେ, ପଶୁ ଏବଂ କୃଷିସମ୍ପଦ ବୃଦ୍ଧିରେ ଜଳର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହୁଥିଲା । ନଦୀ-ମାତୃକ ଏହି ଦେଶରେ ଏଭଳି ସ୍ଥାନର ଅଭାବ ମଧ୍ୟ ନଥିଲା । ଜଳ ମଧ୍ୟରେ ସେମାନେ ଦେଖିବାକୁ ପାଇଥିଲେ, ଅଲୌକିକ ଦେବସତ୍ତାର ଉପସ୍ଥିତି । ତେଣୁ ସେମାନେ ଉଦାତ୍ତ କଣ୍ଠରେ ଜଳର ବନ୍ଦନା ଗାନକରି ଗାଇ ଉଠୁଥିଲେ,

 

ଓଁମ୍, ଗଙ୍ଗେ ଚ ଯମୁନେ ଚୈବ ଗୋଦାବରୀ ସରସ୍ୱତୀ,

ନର୍ମଦା ସିନ୍ଧୁ କାବେରୀ ଜଳେଽସ୍ମିନ୍ ସନ୍ମିଧିଂ କୁରୁ ।।

 

ହିମାଳୟ କନ୍ୟା ଜହ୍ନୁ ଦୁହିତା ଗଙ୍ଗା ସେମାନଙ୍କ ସମ୍ମୁଖରେ ଉଭା ହୋଇଥିଲେ ତ୍ରିଲୋକପାବନୀ ରୂପେ ଏବଂ ତାଙ୍କ ଉଦ୍ଦେଶ୍ୟରେ ସେମାନଙ୍କ କଣ୍ଠରୁ ଝରିପଡ଼ିଥିଲା,

 

ଦେବୀ ସୁରେଶ୍ୱରୀ ଭଗବତୀ ଗଙ୍ଗେ, ତ୍ରିଭୁବନ ତାରିଣୀ ତରଳ ତରଙ୍ଗେ ।

ଶଙ୍କର ମୌଳି ବିହାରିଣୀ ବିମଳେ, ମମଗତିରାସ୍ତାଂ ତବପଦ କମଳେ ।।

ପୁଣି ‘‘ନମାମି ଦେବୀ ପାପଘ୍ନୀଂ ଜାହ୍ନବୀଂ ଭକ୍ତ ବତ୍ସଳାମ୍,

ତ୍ରୈଲୋକ ପାବନୀ ତ୍ୱଂ ହି ରକ୍ଷମା ଶରଣାଗତମ୍ ।।

ସର୍ବପାପକ୍ଷୟକାରୀ ସର୍ବଲୋକାର୍ତ୍ତ ନାଶିନୀ,

ପୂଜ୍ୟା ତ୍ୱଂ ସର୍ବ ଦେବୈସ୍ତୁ ତ୍ୱାଂ ନତୋଽସ୍ମି ପୁନଃ ପୁନଃ ।।

 

ଜଳ ପ୍ରତି ଆର୍ଯ୍ୟମାନଙ୍କର ଏ ଯେଉଁ ମୁଗ୍ଧ ସମ୍ଭ୍ରମ, ତାହା ଅବଶ୍ୟ ଗୋଟିଏ ଦିନରେ ହୋଇନଥିଲା । ଏଇ ସ୍ଥିତିରେ ପହଞ୍ଚିବା ପାଇଁ ହୁଏତ ସେମାନଙ୍କୁ ଯୁଗ ଯୁଗ ସମୟ ଲାଗିଯାଇଥିଲା । ତେବେ ଆମର ଦୃଢ଼ବିଶ୍ୱାସ ଜଳ ହିଁ ସେମାନଙ୍କ ମନରେ ଆଧ୍ୟାତ୍ମିକତାର ଆଦ୍ୟ ସ୍ଫୁରଣ ଘଟାଇଥିଲା । ଜଳର ମହତ୍ତ୍ୱ ଉତ୍ତମ ରୂପେ ହୃଦୟଙ୍ଗମ କରିପାରୁଥିବାରୁ ହିଁ ସେମାନେ ଏହାର ପ୍ରଶଂସାରେ ଶତଜିହ୍ୱ ହୋଇ ପଡ଼ିଥିଲେ । ଏହାରି କୂଳରେ ହିଁ ଏକଦା ଗଢ଼ିଉଠିଥିଲା, ଭାରତର ଗୌରବାବହ ସୁପ୍ରାଚୀନ ତପୋବନ ସଂସ୍କୃତି, ଯେଉଁ ଅଞ୍ଚଳକୁ ରାଜାମହାରାଜା, ସାମନ୍ତ, ଜନପଦବାସୀ-ସମସ୍ତଙ୍କ ଧାଡ଼ି ଛୁଟୁଥିଲା । ଆର୍ଯ୍ୟମାନେ ଏହି ତପୋବନରେ ଋଷିମାନଙ୍କର ସୁରକ୍ଷା ବଳୟ ମଧ୍ୟରେ ନିଜର ଉତ୍ତର ପିଢ଼ିକୁ ଭବିଷ୍ୟତ ଜୀବନ ପାଇଁ ପ୍ରସ୍ତୁତ କରୁଥିଲେ । ଅବତାର ପୁରୁଷ ଶ୍ରୀକୃଷ୍ଣ ଏହିଭଳି ଏକ ଆଶ୍ରମ, ସାନ୍ଦିପନୀ ମୁନିଙ୍କ ଗୁରୁକୁଳରୁ ଶିକ୍ଷା ଲାଭ କରିଥିଲେ । ଜନପଦବାସୀଙ୍କର ଯେତେବେଳେ କୌଣସି ସମସ୍ୟା ଦେଖାଯାଉଥିଲା, ସେମାନେ ଆଶ୍ରମକୁ ଆସି ଏହି ମହାନ୍ ଗୁରୁମାନଙ୍କର ପରାମର୍ଶ ଗ୍ରହଣ କରୁଥିଲେ । ଦିବ୍ୟଦ୍ରଷ୍ଟା ଆର୍ଯ୍ୟ ଋଷିମାନେ ସେ କାଳର ରାଜବଂଶୀୟମାନଙ୍କର ଗୁରୁପଦ ମଣ୍ଡନ କରି ସେମାନଙ୍କୁ ଶାସନ ସଂକ୍ରାନ୍ତରେ ସର୍ବଦା ସତ୍ ପରାମର୍ଶ ଦେଉଥିଲେ । ସମାଜରେ ଏହି ଗୁରୁମଣ୍ଡଳୀ ପ୍ରତି ଅମାପ ଶ୍ରଦ୍ଧା ଓ ସମ୍ମାନ ରହିଥିଲା । ରାଜା-ସେ ଯେତେ ପରାକ୍ରମୀ ହୋଇଥିଲେ ମଧ୍ୟ ଆଶ୍ରମକୁ ପ୍ରବେଶ କରୁଥିଲେ, ବିନୀତ, ନମ୍ର ଭାବରେ । ପୌରବ ଦୁଷ୍ମନ୍ତ ମହର୍ଷି କଣ୍ୱଙ୍କ ଆଶ୍ରମରେ ପ୍ରବେଶ କଲାବେଳେ ଏହଭଳି ଭାବରେ ଯାଇଥିଲେ ବୋଲି ମହାକବି କାଳିଦାସ ତାଙ୍କର ପ୍ରଖ୍ୟାତ ନାଟକ ‘ଅଭିଜ୍ଞାନ ଶକୁନ୍ତଳା’ରେ ବର୍ଣ୍ଣନା କରିଛନ୍ତି । ତମସା ନଦୀ କୂଳରେ ଗୋଟିଏ ସାଧାରଣ ଘଟଣାରୁ ବିଶ୍ୱର ପ୍ରଥମ ମହାକାବ୍ୟ ରାମାୟଣରେ ସୃଷ୍ଟି ହୋଇଥିଲା । ମଣିଷର ଜୀବନଚର୍ଯ୍ୟା ସହିତ ଏବଂ ତାହାର ସଂସ୍କୃତି ନିର୍ମାଣରେ ନଦୀର ଭୂମିକା କିଭଳି ଥିଲା, ତାହା ପୂର୍ବୋକ୍ତ ଦୁଇ ଘଟଣାରୁ ବୁଝିହେଉଛି । ଗଙ୍ଗାନଦୀର ଅବବାହିକା ହିଁ ଆର୍ଯ୍ୟ ସଂସ୍କୃତିର ଆଦ୍ୟ ଉଚ୍ଚାରଣ ।

 

କେବଳ ଆର୍ଯ୍ୟମାନେ କାହିଁକି ଭାରତରେ ଦ୍ରାବିଡ଼ମାନେ ମଧ୍ୟ ନଦୀର ମହତ୍ତ୍ୱ ବେଶ୍ ଭଲ ଭାବରେ ବୁଝିଥିବାରୁ ହିଁ ସିନ୍ଧୁ ଉପତ୍ୟକାରେ ବସବାସ କରି ସେଠାରେ ଏକ ଉନ୍ନତ ସଭ୍ୟତା ପ୍ରତିଷ୍ଠା କରିପାରିଥିଲେ । ଜୀବନ ସହିତ ନଦୀର ସମ୍ପର୍କ କିଭଳି ଅନ୍ତରଙ୍ଗ ଏବଂ ନିବିଡ଼ ସେ କଥା ସୂଚାଇବାକୁ ଯାଇ ଖ୍ରୀଷ୍ଟଜନ୍ମର ଅନ୍ତତଃ ଚାରିଶହ ବର୍ଷ ପୂର୍ବରୁ ମୌର୍ଯ୍ୟ ସାମ୍ରାଜ୍ୟର ନିର୍ମାତା ଆଚାର୍ଯ୍ୟ ଚାଣକ୍ୟ କହିଥିଲେ,

 

ଧନିକଶ୍ରୋତ୍ରିୟ ରାଜା ନଦୀବୈଦ୍ୟସ୍ତୁ ପଞ୍ଚମଃ,

ପଞ୍ଚ ଯତ୍ର ନ ବିଦ୍ୟତେ ତତ୍ର ବାସଂ ନ କାରୟେତ୍ ।

 

ଅର୍ଥାତ୍ ଯେଉଁଠାରେ ଧନୀକ, ଜ୍ଞାନୀ, ରାଜା, ନଦୀ ଏବଂ ବୈଦ୍ୟ ନ ଥିବେ, ସେଠାରେ କଦାପି ବାସ କରିବା ଉଚିତ ନୁହେଁ । ଏହି ପଞ୍ଚତତ୍ତ୍ୱ ମଧ୍ୟରେ ନଦୀକୁ ଅନ୍ତର୍ଭୁକ୍ତ କରିବା ଦ୍ୱାରା, ଗୋଟିଏ ଅଞ୍ଚଳର ସମୃଦ୍ଧି ଯେ ନଦୀ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ, ଚାଣକ୍ୟ ତାହା ସ୍ପଷ୍ଟ କରିଦେଇଥିଲେ । ନଦୀ, ପର୍ବତ ପ୍ରଭୃତି ପ୍ରାକୃତିକ ଶକ୍ତି ବିଷୟରେ ଆମ ଦେଶରେ ଯେତେ ଅଲୌକିକ କାହାଣୀ, ଲୋକ କଥା ଏବଂ କିମ୍ବଦନ୍ତୀ ଇତ୍ୟାଦି ସୃଷ୍ଟି ହୋଇଛି, ତାହା ବୋଧହୁଏ ଅନ୍ୟ କୌଣସି କ୍ଷେତ୍ରରେ ହୋଇନାହିଁ ।

 

ପୁରାଣ ପୃଷ୍ଠାରେ ଗଙ୍ଗାନଦୀ :–ଗଙ୍ଗାନଦୀ ସୃଷ୍ଟି ସମ୍ପର୍କିତ ପୌରାଣିକ କାହାଣୀ ଏଠାରେ ଆଲୋଚନା କରାଯାଇପାରେ । ତାଙ୍କର ଧରାବତରଣର ବିବରଣୀ ବିଭିନ୍ନ ମହାଭାରତ/ପୁରାଣରେ କିଞ୍ଚିତ୍ ଭିନ୍ନ ଭିନ୍ନ ରୂପରେ ବର୍ଣ୍ଣିତ ହୋଇଛି । ସ୍ୱର୍ଗରୁ ସେ ପୃଥିବୀକୁ ଲକ୍ଷ୍ୟ କରି ଅବତରଣ କରୁଥିବା ସମୟରେ ହଠାତ୍ ତାଙ୍କର ଆଶଙ୍କା ହୋଇଛି ଯେ, ତାଙ୍କ ପ୍ରଚଣ୍ଡ ପତନର ବେଗକୁ ଧରିତ୍ରୀ ହୁଏତ ଧାରଣ କରିପାରିବ ନାହିଁ । ତେଣୁ ଶିବଙ୍କ ଭଳି ଜଣେ ପ୍ରଚଣ୍ଡ ଶକ୍ତିଧର ତାଙ୍କର ଭୂପତନର ପ୍ରଥମ ବେଗକୁ ସମ୍ଭାଳି ନେବା ପାଇଁ ଆବଶ୍ୟକ ହୋଇଛନ୍ତି । ତା’ପରେ ଭଗୀରଥ ତାଙ୍କୁ ବାଟ ଦେଖାଇ ଉତ୍ତର ତଥା ପୂର୍ବଭାରତର ବିସ୍ତୀର୍ଣ୍ଣ ଉଷର ଭୂମିକୁ ଶସ୍ୟଶ୍ୟାମଳା କରିବା ପାଇଁ ନେଇଯାଉଛନ୍ତି । ଆଞ୍ଚଳିକ କାହାଣୀରେ ଶିବଙ୍କର ଜରାଜୀର୍ଣ୍ଣ ବେଶ ଦେଖି ଗଙ୍ଗାଙ୍କ ମନରେ ତାଙ୍କର ଶକ୍ତି ପ୍ରତି ସନ୍ଦେହ ଜାତ ହେବା ଏବଂ ଶିବଙ୍କର ଗଙ୍ଗାକୁ ନିଜ ଜଟାମଧ୍ୟରେ ବନ୍ଦୀକରି ରଖିବା ପ୍ରଭୃତି ପ୍ରସଙ୍ଗ ବର୍ଣ୍ଣିତ ହୋଇଛି । କହିବାର କଥା ହେଉଛି, ଗୋଟିଏ ମୂଳ ସୂତ୍ରରୁ ପୁରାଣର କବିମାନେ କେତେ ଯେ ଉପକଥା ସୃଷ୍ଟି କରିପାରନ୍ତି, ଗଙ୍ଗାଙ୍କର ଧରାବତରଣ ବିବରଣୀରୁ ତାହା ଦେଖାଯାଇପାରେ । କାହାଣୀର ପୌରାଣିକ ଭିତ୍ତି ଯାହା ହେଉନା କାହିଁକି, ଭାଗୀରଥ ହେଉଛନ୍ତି ମାନବିକତାର ପ୍ରତୀକ ଏବଂ ଭୌଗଳିକ କାରଣରୁ ହିମାଳୟ ଅଞ୍ଚଳରେ ଯେଉଁ ଭୂତାତ୍ତ୍ୱିକ ପରିବର୍ତ୍ତନ ଘଟି ତହିଁରୁ ଏକ ସ୍ରୋତର ସୃଷ୍ଟି ହେଲା, ତାକୁ ନିମ୍ନ ଉଷର ଭୂମିକୁ ବାଟ ଦେଖାଇ ନେଇଯିବା ଭଳି ମହାନ୍ କାର୍ଯ୍ୟଟି ଏଇ ଦ୍ରଷ୍ଟାପୁରୁଷ ସମ୍ପାଦନ କରିଥିଲେ । ଗଙ୍ଗୋତ୍ରୀର କ୍ଷୀଣ ସ୍ରୋତ କ୍ରମଶଃ ଅନ୍ୟ ଜଳଧାରା ପୁଷ୍ଟ ହୋଇ ଯେତେବେଳେ ବିପୁଳାକାର ଧାରଣ କଲା, ତାକୁ ସ୍ୱ ବୁଦ୍ଧି ବଳରେ କୌଣସି ମତେ ନିୟନ୍ତ୍ରଣ କରି ସମତଳ ଅଞ୍ଚଳକୁ ସେ ହିଁ ନେଇଯାଇଥିଲେ । ଗଙ୍ଗାଙ୍କର ସୃଷ୍ଟି ଏକ ପ୍ରାକୃତିକ ପ୍ରକ୍ରିୟା ମାତ୍ର । ତହିଁରେ ଭଗୀରଥଙ୍କର କାହାଣୀଟିକୁ ଯୋଗ କରି ପୁରାଣକାର ଯେଉଁ କଲ୍ୟାଣଧର୍ମୀ ମାନବିକତାର ସ୍ପର୍ଶ ଦେଇଛନ୍ତି, ତାହାହିଁ ତାଙ୍କର ବୈଶିଷ୍ଟ୍ୟ ।

 

ପୁରାଣରେ ବ୍ରହ୍ମପୁତ୍ର :–ବ୍ରହ୍ମପୁତ୍ର ନଦୀ ସୃଷ୍ଟି (ସଂସ୍କୃତ ସାହିତ୍ୟରେ ସମୁଦ୍ର ସବୁବେଳେ ପୁଂଲିଙ୍ଗ, ଏବଂ ନଦୀ ସ୍ତ୍ରୀଲିଙ୍ଗ । ତେବେ ହିନ୍ଦୁ ବିଶ୍ୱାସରେ ଯେଉଁ ନଦୀଗୁଡ଼ିକ ପୂର୍ବରୁ ପଶ୍ଚିମକୁ ପ୍ରବାହିତ ହୁଅନ୍ତି ସେମାନେ ‘ନଦ’ ବୋଲାନ୍ତି । ଏହାର ବ୍ୟତିକ୍ରମ ବି ଅଛି । ଯଥା :–ନର୍ମଦା । ସେହିଭଳି ଯେଉଁମାନେ ପଶ୍ଚିମରୁ ପୂର୍ବକୁ ପ୍ରବାହିତ ହୁଅନ୍ତି, ସେ ସବୁ ନଦୀ) ସମ୍ପର୍କରେ ସେମିତି ଏକ ଅଦ୍ଭୁତ ପୌରାଣିକ ବିବରଣୀ ରହିଛି, ଯାହା ସ୍ୱୟଂ ବେଦବର ବ୍ରହ୍ମାଙ୍କର ଚାରିତ୍ରିକ ସ୍ଫଳନ ସହିତ ସମ୍ପୃକ୍ତ । କାଳିକା ପୁରାଣରେ ଏହି ସ୍ୱାଦ୍ୟ କାହାଣୀଟି ବର୍ଣ୍ଣିତ । ହରି ବର୍ଷରେ ବାସ କରୁଥିଲେ ଜଣେ ବ୍ରାହ୍ମଣ-ମହାନ୍ ତପସ୍ୱୀ-ନାମ ତାଙ୍କର ଶାନ୍ତନୁ । ତାଙ୍କର ପତ୍ନୀ ସତୀଶିରୋମଣି ଅମୋଘା । ଶାନ୍ତନୁଙ୍କର ଯାଯାବର ଜୀବନ । କେବେ ସେ କୈଳାସ ପର୍ବତରେ ତ କେବେ ଗନ୍ଧମାର୍ଦ୍ଦନରେ । ପୁଣି କେବେ ଅବା ଲୋହିତ ନାମକ କୁଣ୍ଡ ତୀରରେ ସେ ରହୁଥାଆନ୍ତି । ଥରେ ଗନ୍ଧମାର୍ଦ୍ଦନ ପର୍ବତରେ ରହୁଥିବାବେଳେ ଋଷି ଫଳମୂଳ ଆହରଣ ନିମନ୍ତେ ଆଶ୍ରମରୁ ବାହାରକୁ ଗଲେ । ଇତିମଧ୍ୟରେ ହଂସବାହନ ପିତାମହ ବ୍ରହ୍ମା ଆଶ୍ରମକୁ ଆସି ଅମୋଘାଙ୍କୁ ଦେଖିଲେ । ତାଙ୍କର ସୌନ୍ଦର୍ଯ୍ୟରେ ମୁଗ୍ଧ ହୋଇ ବ୍ରହ୍ମା ତାଙ୍କୁ କାମନା କଲେ । ମାତ୍ର ଅମୋଘା ତାଙ୍କୁ ଅଭିଶାପ ଦେବେ ବୋଲି ଭୟ ଦେଖାଇଲେ । ଭଗ୍ନ ମନୋରଥ ହୋଇ ବ୍ରହ୍ମା, ବ୍ରହ୍ମଲୋକକୁ ଫେରିଗଲେ ସତ୍ୟ, ତେବେ ଆଶ୍ରମରେ ଛାଡ଼ି ଦେଇଗଲେ ତାଙ୍କର ଅମୋଘ ରେତଃ । ଶାନ୍ତନୁ ଆଶ୍ରମକୁ ଫେରି ଅଗ୍ନିପିଣ୍ଡ ତୁଲ୍ୟ ସେହି ଜାଜ୍ଜ୍ୱଲ୍ୟମାନ ରେତଃ ପିଣ୍ଡକୁ ଦେଖି ବ୍ରହ୍ମାଙ୍କର ଆଗମନ ସମ୍ପର୍କରେ ଜାଣିଲେ । ଧ୍ୟାନବଳରେ ସେ ବ୍ରହ୍ମାଙ୍କ ପ୍ରକୃତ ଉଦ୍ଦେଶ୍ୟ ବଧ୍ୟ ବୁଝିପାରିଲେ । ତା’ପରେ ସେ ପତ୍ନୀଙ୍କୁ ସେହି ପବିତ୍ର ବସ୍ତୁଟିକୁ ପାନ କରିବା ନିମନ୍ତେ ନିବେଦନ କଲେ । ଅମୋଘା ଏଥିରେ ରାଜି ନହୋଇ ପ୍ରଥମେ ଶାନ୍ତନୁ ସେଇ ବସ୍ତୁକୁ ପାନ କରି ପରେ ତାଙ୍କୁ ତାଙ୍କ ଗର୍ଭରେ ସ୍ଥାପନ କରିବା ନିମନ୍ତେ ପ୍ରାର୍ଥନା କଲେ । ସେପରି କରାଯିବାରୁ ସେ ଗର୍ଭବତୀ ହେଲେ ଏବଂ ଯଥା ସମୟରେ ଏକ ଜଳମୟ ରୂପର ଜନ୍ମ ଦେଲେ, ଯାହା ଠିକ୍ ବ୍ରହ୍ମାଙ୍କ ଭଳି ତେଜସ୍ୱୀ ଦେଖାଯାଉଥିଲା । ଏହାଙ୍କର ନାମ ହେଲା ବ୍ରହ୍ମକୁଣ୍ଡ ଏବଂ ଶାନ୍ତନୁ ତାଙ୍କୁ ଚାରୋଟି ପର୍ବତ ମଧ୍ୟରେ ସ୍ଥାପନ କଲେ । ପର୍ବତମାନେ ହେଲେ କୈଳାସ, ଗନ୍ଧମାର୍ଦ୍ଦନ, ଜରୂଢ଼ି ଏବଂ ସମ୍ବର୍ତ୍ତକ । କାଳକ୍ରମେ ଏହି ଜଳାଧାର ଏକ ବିରାଟ ହ୍ରଦରେ ପରିଣତ ହେଲା ଏବଂ ଏକ ସମୁଦ୍ର ଭଳି ଦେଖାଲା । ବ୍ରହ୍ମା ସ୍ୱୟଂ ନିଜର ଏହି ତନୁଜାକୁ ଆଶୀର୍ବାଦ କରି ଏହାର ନାମ ରଖିଲେ ଲୌହିତ୍ୟ ଗଙ୍ଗା । ଦେବୀ ଦେବତାମାନେ ଏହି ପବିତ୍ର ଜଳଧାରାରେ ସ୍ନାନକରି ଏହାର ଜଳପାନ କଲେ । ଅନେକ ପରେ ପରଶୁରାମ ବ୍ରହ୍ମକୁଣ୍ଡର ତୀର କାଟି ଏହାକୁ ନଦୀ ରୂପରେ ବହିଯିବା ନିମନ୍ତେ ସାହାଯ୍ୟ କରିଥିଲେ । ଏହାହିଁ ବ୍ରହ୍ମପୁତ୍ର ନାମରେ ଲୋକରେ ପରିଚିତ ହେଲା ।

 

କାହାଣୀରେ ଆହୁରି ଅଛି ଯେ, ପରଶୁରାମଙ୍କ ପିତା ଯମଦଗ୍ନି କୌଣସି କାରଣରୁ ସ୍ୱପତ୍ନୀ ରେଣୁକାଙ୍କ ଉପରେ କ୍ରୁଦ୍ଧ ହୋଇ ତାଙ୍କୁ ହତ୍ୟା କରିବା ନିମନ୍ତେ ପୁତ୍ରମାନଙ୍କୁ ଆଦେଶ ଦେଲେ । ପାଞ୍ଚପୁତ୍ରଙ୍କ ମଧ୍ୟରୁ ପ୍ରଥମ ଚାରିଜଣ ମାତୃହତ୍ୟା ରୂପକ ଏହି ମହାପାପ କରିପାରିବେ ନାହିଁ ବୋଲି ଯମଦଗ୍ନିଙ୍କୁ ଜଣାଇ ଦେଲେ । ତେବେ କନିଷ୍ଠ ପରଶୁରାମ ନିର୍ବିକାର ଭାବେ ପିତୃ ଆଦେଶ ପାଳନ କରିଥିଲେ ନିଜ କୁଠାରରେ ମାତାଙ୍କର ଶିରଚ୍ଛେଦନ କରି । ଅସ୍ତ୍ରଟି କିନ୍ତୁ ଏହାପରେ ପରଶୁରାମଙ୍କ ହାତରେ ଲାଗି ରହିଲା । ତପୋବନ ଦ୍ୱାରା ଯମଦଗ୍ନି ରେଣୁକାଙ୍କୁ ବଞ୍ଚାଇ ଦେଇଥିଲେ ହେଁ ପରଶୁରାମଙ୍କୁ ପାପମୁକ୍ତ କରିପାରିଲେ ନାହିଁ । ତାହାପରେ ସେ କଠୋର ତପଶ୍ଚରଣ ପୂର୍ବକ ଭାରତର ସମସ୍ତ ତୀର୍ଥରେ ସ୍ନାନ କରିବା ନିମନ୍ତେ ପରଶୁରାମଙ୍କୁ ଆଦେଶ ଦେଲେ । ଆକୁମାରୀ ହିମାଚଳ ସମସ୍ତ ତୀର୍ଥ ପର୍ଯ୍ୟଟନ ସତ୍ତ୍ୱେ ପରଶୁରାମଙ୍କ ହାତରୁ କୁଠାର ଛାଡ଼ିଲା ନାହିଁ । ଶେଷରେ ଏହି ବ୍ରହ୍ମକୁଣ୍ଡରେ ସ୍ନାନ କରିବା ଫଳରେ ପରଶୁରାମ କୁଠାର ମୁକ୍ତ ହେଲେ । କୁଣ୍ଡର ଜଳରେ ନିଶ୍ଚୟ କୌଣସି ଦିବ୍ୟ ଶକ୍ତି ଅଛି ବୋଲି ତାଙ୍କର ଦୃଢ଼ ବିଶ୍ୱାସ ହେଲା । ସେ ଏହାର ଜଳକୁ ସମତଳ ଅଞ୍ଚଳରେ ପହଞ୍ଚାଇବା କଥା ଚିନ୍ତା କଲେ ।

 

କୁଣ୍ଡଠାରୁ ଗୋଟିଏ ନାଳ ଖୋଳିଦେବାରୁ ଜଳ ଲୋହିତ ସରୋବରରେ ପହଞ୍ଚିଗଲା । ତାହାପରେ ସେ ହେମଶୃଙ୍ଗ ପର୍ବତକୁ କାଟିଦେବାରୁ ଜଳ ସମତଳ ଅଞ୍ଚଳକୁ ବହିଯାଇ କାମରୂପକୁ ପ୍ଲାବିତ କଲା । ଲୋହିତ କୁଣ୍ଡରୁ ସୃଷ୍ଟି ହୋଇଥିବାରୁ ଏହାର ନାମ ହେଲା ଲୌହିତ୍ୟ । ବୌଦ୍ଧସାହିତ୍ୟର କାହାଣୀ ଅନୁସାରେ ମଞ୍ଜୁ ଗୋସାଇଁ ନାମକ ଜଣେ ସନ୍ନ୍ୟାସୀ ବ୍ରହ୍ମକୁଣ୍ଡରୁ ବ୍ରହ୍ମପୁତ୍ରକୁ ନିମ୍ନ ଭୂମିକୁ ଆଣିଥିଲେ ।

 

ପୁରାଣରେ ମହାନଦୀ :–ସେହିଭଳି ମହାନଦୀର ସୃଷ୍ଟି ସମ୍ପର୍କରେ ମଧ୍ୟ ଆଉ ଜଣେ ଭଗୀରଥଙ୍କର କଳ୍ପନା କରାଯାଇଛି । ସେ ହେଉଛନ୍ତି ପୁଲହ ପୁତ୍ର, ସୁବ୍ରାହ୍ମଣ-ସର୍ବଶାସ୍ତ୍ରଜ୍ଞ, ନୀତିବାନ୍ ସୁକାନ୍ତି । ସ୍କନ୍ଧପୁରାଣ, ବ୍ରହ୍ମପୁରାଣ, କପିଳସଂହିତା ଏବଂ ନୀଳାଦ୍ରି ମହୋଦୟ ପ୍ରଭୃତିରେ ମହାନଦୀର ଉଲ୍ଲେଖ ମିଳୁଛି । ସେହି ଗ୍ରନ୍ଥମାନଙ୍କରେ ସେ ସକଳ ପାପ ବିଧ୍ୱଂସିନୀ ଗଙ୍ଗା ରୂପରେ ବର୍ଣ୍ଣିତ । ତାଙ୍କର ଅନ୍ୟ ପୌରାଣିକ ନାମ ହେଉଛି ଚିତ୍ରୋତ୍ପଳା । ପୁରାଣରେ ସେ ପରିଚିତା ‘ସୁକାନ୍ତିତନୟା’ ନାମରେ । ସେହି ସୁକାନ୍ତି ବାସ କରୁଥିଲେ ମହେନ୍ଦ୍ର ପର୍ବତରେ । ଧ୍ୟାନଧାରଣା, ଜପତପରେ ତାଙ୍କର ସମୟ ସେଠାରେ ବେଶ୍ ଭଲରେ କଟିଯାଉଥିଲା । ତେବେ କାଳକ୍ରମେ ସେଇ ଅଞ୍ଚଳ ଜନାକୀର୍ଣ୍ଣ ହୋଇ ଉଠିବାରୁ ଋଷିଙ୍କର ଦିନଚର୍ଯ୍ୟାରେ ବ୍ୟାଘାତ ଘଟିଲା । ତେଣୁ ସେ ସ୍ଥାନାନ୍ତର ଗମନ ନିମନ୍ତେ ଚିନ୍ତା କରି ଏ ବିଷୟରେ ପିତାଙ୍କର ପରାମର୍ଶ ମାଗିଲେ । ପୁଲହ ପୁତ୍ରଙ୍କର ଅସୁବିଧା ବୁଝି ତାଙ୍କୁ ସ୍ଥାନ ତ୍ୟାଗ ନିମନ୍ତେ ଅନୁମତି ଦେଲେ ଏବଂ ତାଙ୍କ ନିମନ୍ତେ ନୂତନ ସ୍ଥାନ ନିର୍ବାଚନ ମଧ୍ୟ କରିଦେଇଥିଲେ । ଦାକ୍ଷିଣାତ୍ୟର ଜନମାନବ ଶୂନ୍ୟ ବିନ୍ଧ୍ୟଗିରି ହେଲା ସେହି ସ୍ଥାନ । ସୁକାନ୍ତି ବିନ୍ଧ୍ୟାଦ୍ରିରେ ଉପସ୍ଥିତ ହୋଇ ସ୍ଥାନର ନୈସର୍ଗିକ ସୁଷମାରେ ମୁଗ୍ଧ ହେଲେ ସତ୍ୟ, ତେବେ ସେଇ ଅଞ୍ଚଳର ଜଳଶୂନ୍ୟତା ତାଙ୍କୁ ଅହାରହ ପୀଡ଼ା ଦେବାକୁ ଲାଗିଲା । ଏଥିପାଇଁ ସେ ବହୁତ ଚିନ୍ତା କରିବାକୁ ଲାଗିଲେ ଏବଂ ଶେଷରେ ସରିତ୍‍ବରା ହର ମୌଳିମଣ୍ଡନା ତ୍ରିପଥଗା ଦେବୀ ଗଙ୍ଗାଙ୍କୁ ଆବାହନ କରିବାକୁ ସ୍ଥିର କଲେ ।

 

ଦୀର୍ଘକାଳର ତପସ୍ୟା ଫଳରେ ଗଙ୍ଗାଙ୍କର ଆସନ ଟଳିଲା ଏବଂ ସେ ସୁକାନ୍ତିଙ୍କ ସମ୍ମୁଖରେ ଆବିର୍ଭୂତା ହେଲେ । ତପସ୍ୟାରେ ସିଦ୍ଧି ଲାଭ କରିବା ପର୍ଯ୍ୟନ୍ତ ସେ ସୁକାନ୍ତିଙ୍କ ପାଖରେ ରହିବେ ବୋଲି ତାଙ୍କୁ ପ୍ରତିଶ୍ରୁତି ମଧ୍ୟ ଦେଲେ । ମାତ୍ର ସୁକାନ୍ତି ଏତିକିରେ ସନ୍ତୁଷ୍ଟ ହେଲେ ନାହିଁ । ସେ ଜଳଶୂନ୍ୟ ଏଇ ମହାକାନ୍ତାରକୁ ସବୁଜଶ୍ରୀ ମଣ୍ଡିତ ଦେଖିବାକୁ ଚାହୁଁଥିଲେ । ଲୋକକଲ୍ୟାଣ ନିମନ୍ତେ ଗଙ୍ଗା ଉତ୍କଳଖଣ୍ଡରେ ବହିଯିବା ଉଚିତ୍ ବୋଲି ତାଙ୍କର ଧାରଣା ହୋଇଥିଲା । ଗଙ୍ଗାଙ୍କ ନିକଟରେ ସେ ତାହାହିଁ ପ୍ରାର୍ଥନା କଲେ ଏବଂ ପୂର୍ବସାଗର ଲକ୍ଷ୍ୟ କରି ବହିଯିବା ନିମନ୍ତେ ତାଙ୍କୁ ଅନୁରୋଧ କରିଥିଲେ । ଜନହିତ ନିମନ୍ତେ ଋଷିଙ୍କର ବ୍ୟାକୁଳତା ଗଙ୍ଗାଙ୍କୁ ଏତେ ମୁଗ୍ଧ କଲା ଯେ, ସେ ତତ୍‍କ୍ଷଣାତ୍ ତାଙ୍କୁ ସେହି ପ୍ରତିଶ୍ରୁତି ଦେଇବସିଲେ । ତେବେ ସେ ନିମ୍ନଭୂମିରେ ସ୍ୱନାମରେ ପରିଚିତ ନ ହୋଇ ‘ମହାନଦୀ’ ନାମରେ ଏକ ନୂତନ ଅଭିଧାରେ ପରିଚିତ ହେବେ । ତାଙ୍କର ପାପାନାଶିନୀ ଶକ୍ତି ବହୁଗୁଣରେ ବର୍ଦ୍ଧିତ ହେବ । ମହାନଦୀର ସୃଷ୍ଟି ପଛରେ ଏହା ହିଁ ହେଉଛି ପୌରାଣିକ ବିବରଣୀ ।

 

ଲକ୍ଷ୍ୟ କରାଯାଇପାରେ ଯେ, ଏହା ଗଙ୍ଗାଙ୍କର ଧରାବତରଣର ପ୍ରାୟ ଏକ ସମାନ୍ତରାଳ ରୂପ । ଗଙ୍ଗା ଭୂପୃଷ୍ଠକୁ ଆସିଥିଲେ ଭଗୀରଥଙ୍କ ଷାଠିଏ ହଜାର ପତିତ ପୂର୍ବ ପୁରୁଷଙ୍କୁ ନିଜର ଦିବ୍ୟ ସ୍ପର୍ଶରେ ଉଦ୍ଧାର କରିବାକୁ । କାରଣଟି ଏଠାରେ ସମ୍ପୂର୍ଣ୍ଣ ବ୍ୟକ୍ତିଗତ । ତେବେ ସୁକାନ୍ତିଙ୍କ କ୍ଷେତ୍ରରେ ତାହା ଜନ ସମାଜର ସାର୍ବଜନୀନ ମୁକ୍ତି ନିମନ୍ତେ ପରିକଳ୍ପିତ, ପାର୍ଥକ୍ୟ ଏତିକି ମାତ୍ର ।

 

ଭାରତ ହେଉଛି ପୁରାଣ ଓ କିମ୍ବଦନ୍ତୀର ଦେଶ । ଗୋଟିଏ ଘଟଣା ବା ବିବରଣୀ ଏଠାରେ ବହୁରୂପରେ ପଲ୍ଲବିତ ହୋଇ ପ୍ରଚାରିତ ହେବାର ବହୁ ଦୃଷ୍ଟାନ୍ତ ରହିଛି ।

 

ମହାନଦୀର ଉତ୍ପତ୍ତି ବିଷୟରେ ଦ୍ୱିତୀୟ ବିବରଣୀଟି ହେଉଛି ରାମାୟଣର ଋଷ୍ୟଶୃଙ୍ଗ ମୁନିଙ୍କ ସମ୍ପର୍କିତ । ମହାନଦୀର ଉତ୍ପତ୍ତିସ୍ଥଳ ସିହୱାଠାରେ ଏବେ ମଧ୍ୟ ଋଷିଶୃଙ୍ଗଙ୍କ ଆଶ୍ରମ ରହିଛି । ସେଠାରେ ପିତା ପୁତ୍ର ବିଭାଣ୍ଡକ ଏବଂ ଋଷ୍ୟଶୃଙ୍ଗ ଆଶ୍ରମ ସ୍ଥାପନ କରି ରହୁଥିଲେ । ଅଙ୍ଗଦେଶରେ ଦ୍ୱାଦଶବର୍ଷର ଅନାବୃଷ୍ଟି, ରାଜା ଲୋମପାଦଙ୍କ ଅନୁରୋଧରେ ଜରତା ବେଶ୍ୟା ଆଶ୍ରମକୁ ଆସି ଋଷ୍ୟଶୃଙ୍ଗଙ୍କୁ ଅଙ୍ଗଦେଶକୁ ନେବା, ତାଙ୍କର ଦିବ୍ୟପ୍ରଭାବରେ ସେଠାରେ ବୃଷ୍ଟି ହେବା, କୃତଜ୍ଞ ଲୋମପାଦ ତାଙ୍କର ପାଳିତା କନ୍ୟା ଶାନ୍ତା (ଦଶରଥ ଓ ସୁମିତ୍ରାଙ୍କ କନ୍ୟା) ସହିତ ଋଷିଙ୍କର ବିବାହ କରାଇବା ପ୍ରଭୃତି ବିବରଣୀ ରାମାୟଣରେ ରହିଛି । କିଛିକାଳ ଗୃହସ୍ଥ ଜୀବନଯାପନ କରିବା ପରେ ଅନୁତପ୍ତ ଋଷ୍ୟଶୃଙ୍ଗ ପ୍ରାୟଶ୍ଚିତ ନିମନ୍ତେ ସିହାୱା ପର୍ବତକୁ ଚାଲିଯାଇ ସେଠାରେ ଧ୍ୟାନରତ ହୁଅନ୍ତି । ଇତିମଧ୍ୟରେ ଦକ୍ଷିଣ କୋଶଳରେ ମଧ୍ୟ ଅଙ୍ଗଦେଶ ତୁଲ୍ୟ ପରିସ୍ଥିତି ସୃଷ୍ଟି ହେବାରୁ ମୁନିଙ୍କୁ ସେଠାକୁ ଯିବାକୁ ନିମନ୍ତ୍ରଣ ଆସେ । ମାତ୍ର ସେ ସେଠାକୁ ନଯାଇ ନିଜର କମଣ୍ଡଳୁରୁ ଏକ ଅଭିମନ୍ତ୍ରିତ ଜଳଧାରା ଭୂପୃଷ୍ଠରେ ପ୍ରବାହତ କରାନ୍ତି । କମଣ୍ଡଳୁରୁ ଅର୍ଦ୍ଧେକ ଜଳ ନିଃଶେଷିତ ହେବାପୂର୍ବରୁ ସେଠାରେ ବର୍ଷା ଆରମ୍ଭ ହୋଇଯାଏ । ଅଚିରେ ବର୍ଷାଜଳ, କମଣ୍ଡଳୁ ଜଳ ତଥା ଅନ୍ୟାନ୍ୟ କ୍ଷୁଦ୍ର ଜଳଧାରା ଏକତ୍ରହୋଇ ସେଠାରେ ଏକ ନଦୀ ସୃଷ୍ଟି ହୁଏ ଏବଂ ଏହାର ନାମ ହୁଏ ‘ମହାନଦୀ’ । ଏହିଭଳି ଋଷ୍ୟଶୃଙ୍ଗ ହୁଅନ୍ତି ‘ମହାନଦୀ’ର ଜନକ । ଏହାର ଅତ୍ୟନ୍ତ ପବିତ୍ର । ସିହାୱା ପର୍ବତରେ ଏହାର ଉତ୍ପତ୍ତି ସ୍ଥଳରେ ଏକ କୁଣ୍ଡ ରହିଛି ଏବଂ ଏଥିରେ ସ୍ନାନ ତଥା ଏହାର ଜଳପାନ କଲେ କୁଷ୍ଠଭଳି ମାରାତ୍ମକ ବ୍ୟାଧିରୁ ମଧ୍ୟ ମୁକ୍ତି ମିଳେ ବୋଲି ଲୋକ ବିଶ୍ୱାସ ରହିଛି । ଏହି ବିଶ୍ୱାସର ପୃଷ୍ଟି ନିମନ୍ତେ ଆହୁରି ଏକ କିମ୍ବଦନ୍ତୀ ସୃଷ୍ଟି କରାଯାଇଛି । ତାହା ହେଉଛି ଏହିପରି–

 

ଏକଦା ଉତ୍କଳ ନରେଶ ସିଂହରାଜ କୁଷ୍ଠରୋଗଗ୍ରସ୍ତ ହୋଇପଡ଼ିବାରୁ ତାଙ୍କୁ ରାଜ୍ୟରୁ ନିର୍ବାସିତ କରାଯାଏ । ନାନା ତୀର୍ଥ ସ୍ଥାନ ପରିଭ୍ରମଣ କରି ରୋଗମୁକ୍ତ ହୋଇ ନପାରି ଶେଷରେ ସେ ଏହି ସ୍ଥାନରେ ଉପସ୍ଥିତ ହୁଅନ୍ତି ଏବଂ କୁଣ୍ଡର ପବିତ୍ର ଜଳ ବ୍ୟବହାର କରି ଅଳ୍ପଦିନରେ ରୋଗମୁକ୍ତ ହୁଅନ୍ତି । ଦକ୍ଷିଣ କୋଶଳ ତାଙ୍କୁ ଭଲ ଲାଗିବାରୁ ସେ ସେଇଠି ରହିଯିବାକୁ ସ୍ଥିର କରନ୍ତି ଏବଂ କାଙ୍କେର ନାମକ ରାଜ୍ୟ ସ୍ଥାପନ କରନ୍ତି । ସେହି ନାମରେ ଏକ ନଗର ମଧ୍ୟ ଗଢ଼ିଉଠେ । ସିହାୱା କୁଣ୍ଡଠାରେ ମହାଶିବରାତ୍ରି ପ୍ରଭୃତି କେତେକ ପର୍ବ ସମୟରେ ମେଳାମାନ ଅନୁଷ୍ଠିତ ହୁଏ । ଏ ଉଭୟ ବିବରଣୀ ସ୍ଥାନୀୟ ପୁରାଣରେ ଉପଲବ୍ଧ ବୋଲି କୁହାଯାଉଛି । ଡଃ ଶ୍ୟାମସୁନ୍ଦର ତ୍ରିପାଠୀ ନିଜର ‘ମଧ୍ୟପ୍ରଦେଶ କି ନଦୀୟାଁ’ ଗ୍ରନ୍ଥରେ ମହାନଦୀକୁ ମହାନଦୀ, ନୀଳୋତ୍ପଳା ଏବଂ ଚିତ୍ରୋତ୍ପଳା ପ୍ରଭୃତି ନାମରେ ସମ୍ବୋଧନ କରା ଯାଉଥିବା କଥା କହିଛନ୍ତି ।

 

ଛତିଶଗଡ଼ ଅଞ୍ଚଳରେ ପ୍ରଚଳିତ ଲୋକ ବିଶ୍ୱାସ ଅନୁସାରେ ବ୍ରହ୍ମର୍ଷି ନାରଦ-ପୈରୀ, ସୋଁଢ଼ୁର ତଥା ମହାନଦୀର ତ୍ରିବେଣୀ ସଂଗମରେ ସ୍ନାନ କରି ସେଠାରେ ପ୍ରତିଷ୍ଠିତ ରାଜୀବ ଲୋଚନଙ୍କର ନିତ୍ୟ ଦର୍ଶନ କରନ୍ତି । ‘ଶ୍ରୀମଦ୍ରାଜୀବ ଲୋଚନ ମାହାତ୍ମ୍ୟମ୍’ ଗ୍ରନ୍ଥରେ ବର୍ଣ୍ଣିତ ଅଛି ଯେ, ଏହି ତୀର୍ଥ କମଳକ୍ଷେତ୍ର ନାମରେ ତିନିଲୋକରେ ପ୍ରସିଦ୍ଧ ହେବ । ଏହାକୁ ସାକ୍ଷାତ୍ କାଶୀ ମନେକରି ଦେବତା, ଲୋକପାଳ, ପାର୍ବତୀ ଏବଂ ଗଣଙ୍କ ସହିତ ସ୍ୱୟଂ ଭୋଳାନାଥ ଏଠାରେ ବାସ କରିବେ । ଶ୍ୱେତାରୋହ ଭଗବାନ ଆହୁରି କହିଛନ୍ତି, ‘ମୋର ଚରଣୋଦକରୁ ଉତ୍ପନ୍ନ ଦେବୀ ଗଙ୍ଗା ଏହି ଅଞ୍ଚଳରେ ପ୍ରବାହିତ ହେବେ ଏବଂ ତାଙ୍କର ନାମ ହେବ ମହାନଦୀ । ଏହାଙ୍କର ଜଳଦ୍ୱାରା ବ୍ରହ୍ମହତ୍ୟା ଆଦି ମହାପାତକ ବିହରିତ ହେବ । ଏହି ତ୍ରିବେଣୀ ସ୍ନାନ କରି ଯେଉଁମାନଙ୍କ ମୃତ୍ୟୁ ହେବ ସେମାନଙ୍କର ବୈକୁଣ୍ଠ ପ୍ରାପ୍ତି ହେବ ।

 

ସେ ଅଞ୍ଚଳରେ ଏ ସମ୍ପର୍କରେ ଅନ୍ୟ ଏକ ପୌରାଣିକ କାହାଣୀ ମଧ୍ୟ ପ୍ରଚଳିତ, ତାହା ଏହିପରି । ପୂର୍ବେ ପ୍ରସ୍ଥାନ ନଗରୀରେ ରହୁଥାନ୍ତି ଅତିତାମସ ନାମକ ବ୍ରାହ୍ମଣ । ମଦ୍ୟ ଓ ମାଂସାଦି ବିକ୍ରୟ କରି ସେ ଅତ୍ୟନ୍ତ ଧନୀ ହୋଇଯାଆନ୍ତି । ପ୍ରକୃତିରେ ସେ ଥିଲେ ରାକ୍ଷସତୁଲ୍ୟ । ଗୋବ୍ରାହ୍ମଣ ପୀଡ଼କ, ସଦା କୁକର୍ମ ଲିପ୍ତ ଏବଂ ନିର୍ଦ୍ଦୟ । ଅତ୍ୟନ୍ତ କାମୁକ ଏହି ବ୍ୟକ୍ତି ଶେଷରେ ରାଜରୋଷର ଶିକାର ହୋଇ ରାଜ୍ୟରୁ ବିତାଡ଼ିତ ହୁଅନ୍ତି । ଅରଣ୍ୟରେ ଥାଇ ମଧ୍ୟ ସେ ଅକାରଣ ଜୀବହତ୍ୟା, ଦସ୍ୟୁ ବୃତ୍ତି ଇତ୍ୟାଦି ନିଷ୍ଠୁର କର୍ମ କରୁ କରୁ ଦିନେ ମୃତ୍ୟୁ ବରଣ କରନ୍ତି ଏବଂ ମୃତ୍ୟୁ ଲୋକର ଅଧିପତିଙ୍କ ନିର୍ଦ୍ଦେଶରେ ତାଙ୍କୁ ଗୌରବ ନର୍କରେ ପଡ଼ିବାକୁ ହୁଏ । ଦଶହଜାର ବର୍ଷ ସେଠାରେ ଯନ୍ତ୍ରଣାମୟ ଜୀବନ କଟାଇବା ପରେ ସେ ଏକ ବନ୍ୟ-ମଣିଷ ରୂପରେ ପୁନର୍ଜନ୍ମ ଲାଭ କରନ୍ତି ଏବଂ ପ୍ରକୃତିରେ ପୂର୍ବଭଳି ହିଂସ୍ର ହୁଅନ୍ତି । ଏକଦା ବନାଗ୍ନି ଦ୍ୱାରା ଅର୍ଦ୍ଧଦଗ୍ଧ ଅବସ୍ଥାରେ ଥାଇ ସେ ବହୁକଷ୍ଟ ଭୋଗନ୍ତି ଏବଂ ତାଙ୍କର କ୍ଷତ କୀଟଗ୍ରସ୍ତ ହୋଇଯାଏ । ଅକସ୍ମାତ୍ ସେ ଦିନେ ମକର ମାସରେ ଗ୍ରହଣ ଲାଗିଥିବା ସମୟରେ ମହାନଦୀରେ ଆସି ପଡ଼ିଯାଆନ୍ତି ଏବଂ ସେଇ ଅବସ୍ଥାରେ ତାଙ୍କର ମୃତ୍ୟୁ ହୁଏ । ହଠାତ୍ ସେ ଦିବ୍ୟରୂପ ଧାରଣ କରନ୍ତି ଏବଂ ଦେବରଥରେ ବସି ବୈକୁଣ୍ଠ ଧାମକୁ ଯାତ୍ରା କରନ୍ତି । ତାଙ୍କ ଶରୀରସ୍ଥ କୀଟ ମଧ୍ୟ ପବିତ୍ର ଜଳର ପ୍ରବାହରେ ଦେବତାମାନଙ୍କ ସହିତ ଆକାଶରେ ସ୍ଥାନ ପାଆନ୍ତି । ମହାନଦୀ ଜଳର ଏହିଭଳି ମହିମା ।

 

କିମ୍ବଦନ୍ତୀ, ଲୋକକଥାର ଶେଷ ନାହିଁ । ଧର୍ମଶାସ୍ତ୍ରରେ ନଦୀକୁ ପବିତ୍ରତାର ଜନନୀ, ଫଳଦାୟିନୀ ଏବଂ ମୋକ୍ଷଦାୟିନୀ ରୂପେ ବର୍ଣ୍ଣନା କରାଯାଇଛି । ଭାରତର ଅଧିକାଂଶ ତୀର୍ଥ କୌଣସି ନା କୌଣସି ନଦୀ କୂଳରେ କିମ୍ବା ସଂଗମ ସ୍ଥଳରେ ରହିଛି । ସେଠାରେ ସ୍ନାନ, ଦେବଦର୍ଶନ ତଥା ଦାନରେ ଅକ୍ଷୟ ପୁଣ୍ୟ ଲାଭ ହୁଏ ବୋଲି ଲୋକବିଶ୍ୱାସ ରହିଆସିଛି ଏବଂ ତହିଁରୁ ଏଇସବୁ କିମ୍ବଦନ୍ତୀର ସୃଷ୍ଟି । ଛତିଶଗଡ଼ ଭଳି ଓଡ଼ିଶାରେ ମଧ୍ୟ ମହାନଦୀ ସମ୍ପର୍କରେ ଧର୍ମଶାସ୍ତ୍ର, ପୁରାଣ ଏବଂ ଲୋକକଥାର ଏଭଳି ବିବରଣୀର ଅଭାବ ନାହିଁ । ବିଶେଷ କରି ଏହି ନଦୀର ଉତ୍ପତ୍ତି ସମ୍ପର୍କରେ କପିଳସଂହିତାରେ ବିସ୍ତୃତ ବର୍ଣ୍ଣନା ରହିଛି । ମହାମୁନି ଭରଦ୍ୱାଜ କହୁଛନ୍ତି-:–

 

ତତ୍ର ଦେଶେ (ଉତ୍କଳେ) ଦ୍ୱିଜଶ୍ରେଷ୍ଠା ନଦୀନାମୁତ୍ତମା ନଦୀ,

ମହାନଦୀତି ବିଖ୍ୟାତା ସର୍ବପାପପ୍ରଣାଶିନୀ ।

ତସ୍ୟାଃ ନଦ୍ୟାସ୍ତୁ ମାହାତ୍ମ୍ୟଂ କଥୟାମି ପୁନଃ ପୁନଃ,

ଯସ୍ୟାଂ ସ୍ନାତ୍ୱା ନରଃ ଶ୍ରେଷ୍ଠ ଦିବ୍ୟଲୋକମବାପ୍ନୁୟାତ୍ ।।

(କ . ସଂ :–୨/୪-୫)

 

ଏଥିରେ ନଦୀମାନଙ୍କ ମଧ୍ୟରେ ମହାନଦୀର ଶ୍ରେଷ୍ଠତା ଏବଂ ତହିଁରେ ସ୍ନାନଜନିତ ପୁଣ୍ୟବଳରେ ଦିବ୍ୟଲୋକ ପ୍ରାପ୍ତି ପ୍ରସଙ୍ଗ ବର୍ଣ୍ଣିତ ହୋଇଛି । ଏହାପରେ ସୁକାନ୍ତି ଋଷିଙ୍କର ତପସ୍ୟା ଫଳରେ ଗଙ୍ଗାଙ୍କର ଆବିର୍ଭାବ, ତଥା ପୂର୍ବତଟ ଅଭିମୁଖେ ତାଙ୍କର ଯାତ୍ରାର ବିବରଣୀ ଏଥିରେ ସ୍ଥାନ ପାଇଛି । ଭରଦ୍ୱାଜ ଗଙ୍ଗା ରୂପୀ ମହାନଦୀଙ୍କର ଜନ୍ମ କାହାଣୀ ବର୍ଣ୍ଣନା କରି ସାରିବା ପରେ ତାଙ୍କୁ ସ୍ତୁତି କରିଛନ୍ତି ଏଇଭଳି :–

 

ମହାନଦୀ ମହାପୁଣ୍ୟା ମହାଦେବ ପ୍ରିୟା ଶୁଭା,

ଦ୍ୱିତୀୟଂ ବିଗ୍ରହେ କୃତ୍ୱା ଆସ୍ତେ ଗଙ୍ଗା ତୁ ମାୟୟା ।

ଉତ୍ପଳେଶଂ ସମାସାଦ୍ୟ ଯାବଚ୍ଚିତ୍ରା ମାହେଶ୍ୱରୀ,

ତାବଚ୍ଚିତ୍ରୋତ୍ପଳା ଖ୍ୟାତା ସର୍ବପୁଣ୍ୟପ୍ରଦା ନଦୀ ।

ମହାନଦ୍ୟାଂ ନରଃ ସ୍ନାତ୍ୱା ଦୃଷ୍ଟାବୈ ପାର୍ବତୀ ହରମ୍

ସର୍ବପାପା ବିନିର୍ମୁକ୍ତୋ ଗଙ୍ଗାସ୍ନାନ ଫଳଂ ଲଭେତ୍ ।।

(କ. ସଂ. ୨/୩୬-୩୮)

 

କପିଳସଂହିତା ବର୍ଣ୍ଣନା ପ୍ରକାରେ ମହାନଦୀ ମହାଦେବ ପ୍ରିୟା (ଗଙ୍ଗାରୂପିଣୀ ହୋଇଥିବାରୁ) ତଥା ଶୁଭଫଳ ଦାୟିନୀ । ଉତ୍ପଳେଶଙ୍କ ପାଖରୁ ଚିତ୍ରା ଦେବୀଙ୍କ ମନ୍ଦିର ପର୍ଯ୍ୟନ୍ତ ତାଙ୍କର ନାମ ‘ଚିତ୍ରୋତ୍ପଳା’ ତହିଁରେ ସ୍ନାନ ଏବଂ ମହାଦେବ ଦର୍ଶନ ଦ୍ୱାରା ସର୍ବପାପରୁ ମୁକ୍ତି ମିଳେ ଏବଂ ଗଙ୍ଗାସ୍ନାନର ଫଳ ମଧ୍ୟ ମିଳିଥାଏ । ଐତିହାସିକମାନେ ଏହି ଉତ୍ପଳେଶ ଏବଂ ଚିତ୍ରାମାହେଶ୍ୱରୀଙ୍କୁ ମଧ୍ୟ ଚିହ୍ନିତ କରି ସାରିଛନ୍ତି ।

 

ତେବେ ସୁକାନ୍ତିଙ୍କ ସହିତ ମହାନଦୀର ସମ୍ପର୍କ ଯେଉଁଭଳି ବିସ୍ତୃତ ଭାବରେ ବର୍ଣ୍ଣିତ ହୋଇଛି ଋଷ୍ୟଶୃଙ୍ଗଙ୍କ କ୍ଷେତ୍ରରେ ତାହା ହୋଇନାହିଁ । ଋଷ୍ୟଶୃଙ୍ଗଙ୍କ ଭଳି ସୁକାନ୍ତି ନଦୀଟିଏ ସୃଷ୍ଟି କରିଦେଇ ଚୁପ୍‍ଚାପ୍ ଆଶ୍ରମରେ ବସି ରହିନାହାନ୍ତି । ବରଂ ତାଙ୍କୁ ବାଟଦେଖାଇ ପୂର୍ବ ସାଗର ପର୍ଯ୍ୟନ୍ତ ନେଇ ଯାଇଛନ୍ତି । ବାଟର ସବୁ ପ୍ରତିବନ୍ଧକକୁ ଦୂର କରିଛନ୍ତି । ଏହିଭଳି ଗୋଟିଏ ବଡ଼ ଅସୁବିଧା ହୋଇଛି, ମହାନଦୀ ନିଜର ଗତିପଥରେ ଯେତେବେଳେ ଦୁର୍ଲ୍ଲଂଘ୍ୟ ପ୍ରାଚୀରତୁଲ୍ୟ ଦଣ୍ଡାୟମାନ ପୂର୍ବଘାଟ ପର୍ବତମାଳାକୁ ଭେଟିଛନ୍ତି । ତାଙ୍କର ଗତି ସ୍ୱତଃ ରୁଦ୍ଧ ହୋଇଯାଇଛି । ପୁରାଣରେ ବର୍ଣ୍ଣିତ ଅଛି ଯେ, ପର୍ବତ ମଧ୍ୟରେ ବାଟ କରି ଦେବା ପାଇଁ ଇନ୍ଦ୍ରଙ୍କୁ ଅନୁରୋଧ ଜଣାଇ ସୁକାନ୍ତି କଠୋର ତପସ୍ୟା କରୁଛନ୍ତି ଏବଂ ଶେଷରେ ଇନ୍ଦ୍ରଙ୍କର ଆସନ ଟଳୁଛି । ଋଷିଙ୍କର କଥାରେ ସେ ନିଜର ବଜ୍ର ସାହାଯ୍ୟରେ ପର୍ବତକୁ ବିଦୀର୍ଣ୍ଣ କରି ନଦୀସ୍ରୋତ ପାଇଁ ବାଟ କରିଦେଉଛନ୍ତି । ଏହି ଭଳି ସୁକାନ୍ତିଙ୍କ ସହିତ ଏହି ନଦୀର ବିକାଶକ୍ରମ ଭାବରେ ଜଡ଼ିତ ହୋଇଯାଇଛି ।

 

‘ନୀଳାଦ୍ରି ମହୋଦୟ’ରେ ମଧ୍ୟ ‘କପିଳ ସଂହିତା’ର ପ୍ରତିଧ୍ୱନି ଶୁଣିବାକୁ ମିଳେ । ମହାନଦୀର ପାପବିନାଶିନୀ ଶକ୍ତି ସମ୍ପର୍କରେ ସୂଚାଇ ‘ନୀଳାଦ୍ରି ମହୋଦୟ’ କହନ୍ତି,

 

ମହାନଦୀତି ବିଖ୍ୟାତା ପୂର୍ବସାଗର ଗାମିନୀ, ବର୍ତ୍ତକେ ପୃଥିବୀନାଥ ଗଙ୍ଗେବ ମୁକ୍ତିଦାୟିନୀ

 

ତସ୍ମାତ୍ ପୁଣ୍ୟତମା ଭୂପ ନଦୀ ଚିତ୍ରୋତ୍ପଳାଭିଧା, ସ୍ନାନଂ ଯେ କୁରୁତେ ମର୍ତ୍ତ୍ୟା ଭକ୍ତ୍ୟାଶା ନିର୍ମଳେ ଜଳେ

 

ସପ୍ତ ଜନ୍ମାର୍ଜିତଂ ପାପା ନଶ୍ୟେତ୍ତଷାଂ ନ ସଂଶୟଃ-

 

ଭାରତୀୟ ପୁରାଣରେ ନଦୀଜଳକୁ ପ୍ରାୟ ପବିତ୍ର ଏବଂ ପାପନାଶକ ବୋଲି କୁହାଯାଇଥାଏ । ଗଙ୍ଗା, ଯମୁନା, ନର୍ମଦା, କାବେରୀ, ବ୍ରହ୍ମପୁତ୍ର, ସିନ୍ଧୁ ଏ ଦେଶର ପ୍ରାୟ ପ୍ରତ୍ୟେକ ନଦନଦୀ ସମ୍ପର୍କରେ ଏହି କଥା କୁହାଯାଏ । ଗଙ୍ଗାଜଳ ରୋଗାପହାରକ ଏବଂ ଜୀବାଣୁ ମୁକ୍ତ–ଏଭଳି ଏକ ବିଶ୍ୱାସ ଆମ ଦେଶରେ ଏବେ ମଧ୍ୟ ପ୍ରଚଳିତ । ଅପବିତ୍ରକୁ ପବିତ୍ର କରିବା ପାଇଁ ଗଙ୍ଗା ଜଳର ବ୍ୟବହାର ଭାରତରେ ଏକ ସାଧାରଣ କଥା । ବୈଜ୍ଞାନିକ ପରୀକ୍ଷଣ (ଗଙ୍ଗା ପ୍ରଦୂଷିତ ହେବା ପୂର୍ବରୁ) ସୁଦ୍ଧା କେତେକ ଦୃଷ୍ଟିରୁ ଏହି ବିଶ୍ୱାସର ସମର୍ଥକ ଥିଲା । ମହାନଦୀଙ୍କୁ ଗଙ୍ଗାଙ୍କର ଅବତାର ବୋଲି କଳ୍ପନା କରି ତାଙ୍କର ସମସ୍ତ ଗୁଣକୁ ମହାନଦୀ ଉପରେ ଏହି କାରଣରୁ ଆରୋପ କରାଯାଇଛି । ଏପରିକି ଗଙ୍ଗା କୂଳରେ ପିଣ୍ଡଦାନ ଦ୍ୱାରା ଯେଉଁଭଳି ମୋକ୍ଷପ୍ରାପ୍ତି ହୁଏ, ମହାନଦୀର କେତେକ ସ୍ଥାନରେ ମଧ୍ୟ ପିଣ୍ଡ ଦେଲେ ଅନୁରୂପ ଫଳ ମିଳେ ବୋଲି ଲୋକ ବିଶ୍ୱାସ ।

 

ଜଳକୁ କୁହାଯାଏ ଜୀବନ । କାରଣ ସ୍ୱଚ୍ଛଜଳ ହେଉଛି ମଣିଷର ଜୀବନିକା । ମହାନଦୀର ଜଳ ବ୍ୟବହାର କରି ଅତୀତରେ ତୀରବର୍ତ୍ତୀ ଲୋକେ ସୁସ୍ୱାସ୍ଥ୍ୟର ଅଧିକାରୀ ଥିଲେ । ରୋଗକୁ ଆମ ଶାସ୍ତ୍ର ପ୍ରକାରାନ୍ତରେ ପାପ ବୋଲି କହିଛି ଏବଂ ମହାନଦୀ ଜଳ ଏହି କାରଣରୁ ହିଁ ପାପନାଶକ । ବ୍ରହ୍ମପୁରାଣ ‘ମହାନଦୀ’ ସମ୍ପର୍କରେ କହନ୍ତି,

 

‘‘ନଦୀ ତତ୍ର ମହାପୁଣ୍ୟା ବିନ୍ଧ୍ୟପାଦ ବିନିର୍ଗତା,

 

ଚିତ୍ରୋତ୍ପଳେତି ବିଖ୍ୟାତା ସର୍ବପାପହରା ଶୁଭା’’–ଏଥିରେ ମଧ୍ୟ ପୂର୍ବୋକ୍ତ ମନ୍ତବ୍ୟର ସ୍ୱର ଅନୁରଣିତ । ଅଧିକାଂଶ ପୁରାଣ ମହାନଦୀକୁ -ବ୍ୟାପକ ଦୃଷ୍ଟିରୁ ବିଚାର କଲେ ପ୍ରତ୍ୟେକ ନଦୀକୁ ଏଇ ରୂପରେ ଦେଖିଛନ୍ତି । ନଦୀ ମାତ୍ରକେ ନିଜ ଅଞ୍ଚଳର ସମୃଦ୍ଧି ସହିତ ପ୍ରତ୍ୟକ୍ଷ ଭାବରେ ଜଡ଼ିତ । ମହାନଦୀ ସମ୍ପର୍କରେ ମଧ୍ୟ ସେଇକଥା କୁହାଯିବ । ଉତ୍କଳୀୟମାନେ ଏ ବିଷୟରେ ଅବହିତ ଥିବାରୁ ହିଁ-ଏ ନଦୀ ସମ୍ପର୍କରେ ଏତେ ଉଚ୍ଛ୍ୱସିତ । ଭାରତରେ ନଦୀ, ଗିରି, ବନ ହ୍ରଦଭଳି ପ୍ରାକୃତିକ ବସ୍ତୁର ମୂଳ ପୁରାଣ ଶାସ୍ତ୍ରରେ ଖୋଜାଯାଇଥାଏ ଏବଂ ଏମାନଙ୍କୁ ଏକ ଆଧ୍ୟାତ୍ମିକ ଶକ୍ତିର ରୂପାନ୍ତରିତ ବିକାଶର ମାନ୍ୟତା ଦିଆଯାଏ । ମହାନଦୀ ତାହାର ବ୍ୟତିକ୍ରମ ନୁହେଁ ।

 

ପୁରାଣ କାହାଣୀକୁ ବାଦ୍ ଦେଲେ ମହାନଦୀ-ସୃଷ୍ଟିର ଏକ ପ୍ରାକୃତିକ କାରଣ ମଧ୍ୟ ଗଙ୍ଗାନଦୀ ସୃଷ୍ଟିର ଅନୁରୂପ ହୋଇପାରେ । ସୁକାନ୍ତି ଋଷିଙ୍କର ପ୍ରାର୍ଥନାରେ ଏକ ପ୍ରଚଣ୍ଡ ବିସ୍ଫୋରଣ ମାଧ୍ୟମରେ ମହାନଦୀ ଆତ୍ମପ୍ରକାଶ କରିଥିବାର ବର୍ଣ୍ଣିତ ହୋଇଛି । ଏହା ହୋଇପାରେ ସେ କାଳର କୌଣସି ପ୍ରାକୃତିକ ଭୂସ୍ଫଳନ, ଯାହାଫଳରେ ଭୂଗର୍ଭସ୍ଥ ଜଳଧାରାର ଆତ୍ମପ୍ରକାଶ ସମ୍ଭବ ହେଲା । ସୁକାନ୍ତି ଏହି ଜଳଧାରାକୁ ଠିକ୍ ଭଗୀରଥଙ୍କ ଭଳି ନିମ୍ନସ୍ଥ ମାଳଭୂମିକୁ ଶସ୍ୟଶ୍ୟାମଳା କରିବା ଉଦ୍ଦେଶ୍ୟରେ ନେଇଯାଇ ପାରିଥାଆନ୍ତି । କାରଣ ଯାହା ହେଉନା କାହିଁକି, ମହାନଦୀ ପ୍ରତି ଏ ଦେଶୀୟମାନଙ୍କର ଯେଉଁ ଶ୍ରଦ୍ଧା ଓ ସମ୍ମାନ ରହିଛି, ତାହାହିଁ ପ୍ରୋକ୍ତ ପୁରାଣ କାହାଣୀ ଦ୍ୱାରା ପ୍ରକାଶ ପାଇଛି । ବସ୍ତୁତଃ, ଭାରତର ପ୍ରତ୍ୟେକ ନଦୀ ଓ ପର୍ବତର ସୃଷ୍ଟି ପଛରେ ଏହିଭଳି କିଛି ନା କିଛି ଅଲୌକିକ କାହାଣୀ ରହିଥିବାର ଦେଖାଯାଉଛି ।

 

ମାର୍କଣ୍ଡେୟ ପୁରାଣରେ କୁହାଯାଇଛି ଯେ ନଦୀ ମାତ୍ରେ ହିଁ ପବିତ୍ର । ସବୁ ନଦୀ ସମୁଦ୍ର ଲକ୍ଷ୍ୟରେ ବହିଯାଆନ୍ତି । ପୃଥିବୀ ପାଇଁ ସବୁ ନଦୀ ହେଉଛନ୍ତି ମାଆ ଭଳି । ସବୁ ନଦୀ ପାପନାଶ କରନ୍ତି । (୫୭/୩୦) ହିନ୍ଦୁ ଶାସ୍ତ୍ରରେ ପ୍ରତ୍ୟେକ ନଦୀକୁ ଜନନୀ ଏବଂ ପବିତ୍ର ବୋଲି କୁହାଯାଇଛି ।

 

ମହାନଦୀର ଭୌଗଳିକ ରୂପ :–ଛତିଶଗଡ଼ ସ୍ଥିତ ସିହାୱା ପର୍ବତରୁ ସୃଷ୍ଟି ହୋଇଥିବା ମହାନଦୀର ପୌରାଣିକ ନାମ ହେଉଛି ଚିତ୍ରୋତ୍ପଳା । ଏହି ସ୍ଥାନଟି ହେଉଛି ରାୟପୁର ଜିଲ୍ଲାର ନାଓରୀ ସହର ନିକଟସ୍ଥ ଫାରସିୟା ଗ୍ରାମଠାରୁ ପାଞ୍ଚ କି.ମି. ଦୂରରେ । ସମୁଦ୍ର ପତ୍ତନ ଠାରୁ ଏହାର ଉଚ୍ଚତା ହେଉଛି ୪୪୨ ମିଟର । ତ୍ରିକୋଣ ଭୂମି ପର୍ଯ୍ୟନ୍ତ ୮୫୨.୮କି.ମି. ପ୍ରବାହିତ ହେବାପରେ ସେଇଠୁ ଆଉ ୧୦୭କି.ମି ଯାଇ ଏହା ପାରାଦୀପଠାରେ ବଙ୍ଗୋପସାଗରରେ ମିଶିଯାଇଛି । ଓଡ଼ିଶାରେ ଏହା ପ୍ରବେଶ କରିଛି ସମ୍ବଲପୁର ଜିଲ୍ଲାର ପଡ଼ିଗାଁ’ ନିକଟରେ । ରାୟପୁର ଜିଲ୍ଲାରେ ଏହା ପଏରୀ-ସୋଁଢ଼ୁଇ, ଜୋଁକ ପ୍ରଭୃତି କେତୋଟି ନଦୀ ସହିତ ମିଳିତ ହେବାପରେ ଓଡ଼ିଶାରେ ପ୍ରଥମେ ଇବ୍ ନଦୀ ସହିତ ମିଳିତ ହୋଇଛି । ସମ୍ବଲପୁରଠାରୁ ଏହା ଦକ୍ଷିଣାଭିମୁଖୀ ହୋଇ ସୋନପୁରଠାରେ ତେଲନଦୀ ସହିତ ମିଶିଛି । ପୁଣି ସେଠାରୁ ପୂର୍ବମୁହାଁ ହୋଇ ବୌଦ, ଟିକରପଡ଼ା, ବରମୂଳ, କଣ୍ଟିଲୋ ଦେଇ ନରାଜ ଯାଏ ଯାଇ ତ୍ରିକୋଣ-ଭୂମି ସୃଷ୍ଟି କରିଛି । ପରେ ୮୦ କି.ମି. ଯାଏ ବହୁ ଶାଖା ପ୍ରଶାଖା ଯଥା :–କାଠଯୋଡ଼ି, ବିରୂପା, ଚିତ୍ରୋତ୍ପଳା, ଦେବୀ, କୁଆଖାଈ, କୁଶଭଦ୍ରା, ଭାର୍ଗବୀ, ଦୟା ପ୍ରଭୃତି ସୃଷ୍ଟି କରି ଶେଷରେ ସମୁଦ୍ରରେ ପଡ଼ିଛି । ଗତିପଥରେ ଏହା ସମ୍ବଲପୁର, ବଲାଙ୍ଗିର, ସୋନପୁର, ବୌଦ, ନୟାଗଡ଼, ଅନୁଗୁଳ ଏବଂ କଟକ ଜିଲ୍ଲାଗୁଡ଼ିକୁ ଛୁଇଁ ବହିଯାଇଛି । ହୀରାକୁଦ ଜଳଭଣ୍ଡାର ମଧ୍ୟରେ ପ୍ରବେଶ କଲା ପରେ ସ୍ୱାଭାବିକ କାରଣରୁ ନଦୀବନ୍ଧ ତଳକୁ ଏହାର ଜଳଧାରା ଶୀର୍ଣ୍ଣ ହୋଇ ଯାଇଛି । ତେବେ କ୍ରମଶଃ ବିଭିନ୍ନ ଜଳଧାରା ଦ୍ୱାରା ପୁଷ୍ଟ ହୋଇ ଏହାର ଶକ୍ତି ବୃଦ୍ଧି ପାଇଛି ଏବଂ ବିଭିନ୍ନ ଶାଖା ପ୍ରଶାଖାରେ ବିଭକ୍ତ ହୋଇ ଏହା ଓଡ଼ିଶାର ବିସ୍ତୃତ ଅଞ୍ଚଳକୁ ଜଳପ୍ଲାବିତ କରୁଛି । ସମ୍ବଲପୁରଠାରୁ ନରାଜ ପର୍ଯ୍ୟନ୍ତ ଏହା ମାଳଭୂମିରେ ପ୍ରବାହିତ ହେବାପରେ ଶେଷୋକ୍ତ ସ୍ଥାନଠାରୁ ହିଁ ସମତଳ ଭୂମିରେ ପ୍ରବେଶ କରିଛି ।

 

*

ଏହିଭଳି ଏହାର ମୋଟ ଦୀର୍ଘତା ହେଉଛି ୯୫୯.୮ କି.ମି-(Geography of Orissa–B.N.Sinha. N.B.T. Third Edition (Revised)-1999.

 

ଛତିଶଗଡ଼ରେ ଏହାର ଗତି ପ୍ରଧାନତଃ ଉତ୍ତର-ପଶ୍ଚିମ-ଉତ୍ତର ଆଡ଼ୁ ଦକ୍ଷିଣ-ପୂର୍ବ-ଦକ୍ଷିଣମୁଖୀ । ଏଠାରେ ତାହା ଛତିଶଗଡ଼ର ସମତଳ ଭୂମିକୁ ଜଳପ୍ଲାବିତ କରୁଛି ଏବଂ ଜଳସେଚନର ସୁବିଧା ତଥା ଉର୍ବର ଭୂମି ଯୋଗୁଁ ଏହି ଅଞ୍ଚଳ ଛତିଶଗଡ଼ର ‘ଭାତହାଣ୍ଡି’ର ମାନ୍ୟତା ପାଇଛି । ଓଡ଼ିଶାର ହୀରାକୁଦଠାରେ ମହାନଦୀ ଉପରେ ଦେଶର ଦୀର୍ଘତମ ନଦୀବନ୍ଧ ନିର୍ମାଣ କରାଯାଇଛି । ଏଠାରେ ଏକ କୃତ୍ରିମ ହ୍ରଦ ବା ଜଳ ଭଣ୍ଡାର ସୃଷ୍ଟି କରାଯାଇଛି ଏବଂ ହୀରାକୁଦଠାରୁ ଉପରଆଡ଼କୁ ୫୨.୮ କି.ମି ପର୍ଯ୍ୟନ୍ତ ବିସ୍ତୃତ ହୋଇଛି ।

 

ସମ୍ବଲପୁରଠାରୁ ସୋନପୁର ପର୍ଯ୍ୟନ୍ତ ମହାନଦୀର ଗତିପଥ ପ୍ରାୟ ଉତ୍ତର-ଦକ୍ଷିଣମୁଖୀ ହୋଇ ରହିଛି ଏବଂ ଏହି ଅଞ୍ଚଳରେ କିଛି ଉପନଦୀ ଆସି ଦକ୍ଷିଣତୀରରେ ମହାନଦୀ ସହିତ ମିଳିତ ହୋଇଛନ୍ତି । ଏହି ନଦୀମାନଙ୍କ ମଧ୍ୟରେ ଇବ୍, ଜୀରା ଏବଂ ଝାଉଁ ହେଉଛନ୍ତି ପ୍ରଧାନ ଝାଉଁ ନଦୀ ଦ୍ୱାରା ବରଗଡ଼ର ସମତଳ ଅଞ୍ଚଳ ଜଳପ୍ଲାବିତ ହେଉଛି । ସୋନପୁରଠାରେ ମହାନଦୀର ଏକ ମୁଖ୍ୟ ଉପନଦୀ ତେଲ ଦକ୍ଷିଣକୂଳରେ ଆସି ଏହା ସହିତ ମିଶିଛି । ଏଠାରୁ ବୌଦ ପର୍ଯ୍ୟନ୍ତ ମହାନଦୀର ଏକ ସ୍ପଷ୍ଟ ପଶ୍ଚିମ-ପୂର୍ବ ଗତି ରହିଛି । ବୌଦଠାରୁ ବାଙ୍କି ପର୍ଯ୍ୟନ୍ତ ଏହା ଉତ୍ତର-ପଶ୍ଚିମ-ଉତ୍ତରରୁ ଦକ୍ଷିଣ-ପୂର୍ବ-ଦକ୍ଷିଣ ଗତି ହୋଇଛି । ବୌଦଠାରୁ ମହାନଦୀ ପୂର୍ବଘାଟ ପର୍ବତମାଳା ଭେଦ କରି ସାତକୋଶିଆଠାରେ ଏକ ଗଣ୍ଡ ସୃଷ୍ଟି କରିଛି ଏବଂ ପୂର୍ବଘାଟର ଏକ ବିଶାଳକାୟ ପଥରକୁ କାଟି ବାହାରି ଯାଇଛି ।

 

ଓଡ଼ିଶାର ଏହି ଦୀର୍ଘତମ ନଦୀ ରାଜ୍ୟର ୧,୪୧,୬୦୦ ବର୍ଗ କି.ମି ଅଞ୍ଚଳକୁ ଜଳପ୍ଲାବିତ କରୁଛି । ସମ୍ବଲପୁରଠାରେ ଏହା ଓଡ଼ିଶାରେ ପ୍ରବେଶ କଲାପରେ ବଲାଙ୍ଗିର ଏବଂ ବୌଦ ଦେଇ କଟକ ଜିଲ୍ଲାର ନରସିଂହପୁର ତହସିଲ ପାଖରେ ପହଞ୍ଚିଛି । ଏହାପରେ କିଛିଦୂର ପର୍ଯ୍ୟନ୍ତ ଏହା କଟକ ଓ ନୟାଗଡ଼ ଜିଲ୍ଲାର ସୀମା ରୂପରେ ପ୍ରବାହିତ ହୋଇ ଶେଷରେ ବାଙ୍କିର ବୈଦ୍ୟେଶ୍ୱର ନିକଟରେ ପୁନର୍ବାର କଟକ ଜିଲ୍ଲାରେ ପ୍ରବେଶ କରିଛି । କଟକ ଜିଲ୍ଲାରେ ପଶ୍ଚିମ-ପୂର୍ବ ଗତି ହୋଇ ଏବଂ କେତେଗୁଡ଼ିଏ ଶାଖାନଦୀ, ଉପନଦୀ ସହିତ ଯୋଗସୂତ୍ର ରକ୍ଷାକରି ଶେଷରେ ପାରାଦୀପର ଫଲସ୍-ପଏଣ୍ଟଠାରେ ୮୫୧ କି.ମିର ଦୀର୍ଘଯାତ୍ରା ଶେଷ କରି ବଙ୍ଗୋପସାଗରରେ ମିଶିଯାଇଛି ।

 

ନ’ଅଙ୍କ ଦୁର୍ଭିକ୍ଷ ପରେ ନରାଜ ଏବଂ ଯୋବ୍ରାଠାରେ ଆନିକଟ୍ ନିର୍ମାଣ କରି ଜଳଭଣ୍ଡାର ସୃଷ୍ଟି କରାଯାଇ, କେନାଲ ଯୋଗେ ଜଳସେଚନର ସୁବ୍ୟବସ୍ଥା ନିମନ୍ତେ ଉଦ୍ୟମ ଆରମ୍ଭ ହୋଇଥିଲା । ସେଇ ଆନିକଟ ସହିତ ନିକଟ ଅତୀତରେ ନରାଜଠାରେ ବନ୍ୟା ନିୟନ୍ତ୍ରଣ ନିମନ୍ତେ ଏକ ଆଡ଼ିବନ୍ଧ ନିର୍ମିତ ହୋଇଛି । ଏହା ସହିତ ହୀରାକୁଦ ବନ୍ଧ ତ ଅଛି ହିଁ । ଏସବୁ ସତ୍ତ୍ୱେ ମହାନଦୀର ଦୁର୍ବାର ଗତିକୁ ନିୟନ୍ତ୍ରଣ କରାଯାଇ ପାରିନାହିଁ ଏବଂ କିଛିଦିନ ବ୍ୟବଧାନରେ ପ୍ରଳୟଙ୍କାରୀ ବନ୍ୟା ଆସି ଉପକୂଳ ଅଞ୍ଚଳକୁ ଧ୍ୱସ୍ତବିଧ୍ୱସ୍ତ କରିବା ଲକ୍ଷ୍ୟ କରାଯାଏ । ଏ ଦିଗରୁ ବିଜ୍ଞାନର ଅସହାୟତା ଏକ ପ୍ରମାଣିତ ସତ୍ୟ ।

 

ନରାଜର ମୁଣ୍ଡୁଳିଠାରୁ ପୁରୀର ମୁଖ୍ୟ କେନାଲ ବାହାରିଛି । କଟକ ଏବଂ ଜଗତପୁରଠାରେ ମହାନଦୀ ଏବଂ ବିରୂପା (ମହାନଦୀର ଶାଖା)ରୁ ମଧ୍ୟ ଆଉ କେତୋଟି କେନାଲ ବାହାରିଛି । ଏହା ଦ୍ୱାରା ବିସ୍ତୃତ ଅଞ୍ଚଳ ଜଳସେଚିତ ହୋଇପାରୁଛି । ପୂର୍ବରୁ ପାର୍ବତ୍ୟ ଇଲାକାରେ ମହାନଦୀରେ ଅନେକ ଉପନଦୀ, ଝରଣା ଆସି ମିଶିଛନ୍ତି । ମାତ୍ର ସମତଳ ଅଞ୍ଚଳରେ ଏହାର ପ୍ରକୃତି ବଦଳିଯାଇଛି । ଗ୍ରହୀତା ନଦୀ ଏଠାରେ ଆସି ଦାତାର ଭୂମିକାରେ ଅବତୀର୍ଣ୍ଣ ହୋଇଛି । ଏଥିରୁ ଅନେକ ଶାଖା ନଦୀ ସୃଷ୍ଟି ହୋଇ ମହାନଦୀ ଜଳକୁ ସୁଦୂରର ଅଭ୍ୟନ୍ତର ଅଞ୍ଚଳକୁ ନେଇ ଯାଇଛନ୍ତି । ନରାଜଠାରୁ ସୃଷ୍ଟି ହୋଇଛି ଏହାର ପ୍ରଧାନ ଶାଖା ନଦୀ–କାଠଯୋଡ଼ି ଏବଂ ଉଭୟ ମାତା, କନ୍ୟା ମିଶି ସୃଷ୍ଟି କରିଛନ୍ତି ମହାନଦୀର ବିଖ୍ୟାତ ତ୍ରିକୋଣ ଭୂମି । ନରାଜ ହେଉଛି ଏହାର ଶୀର୍ଷ ବିନ୍ଦୁ ଏବଂ କଟକ ସହର ହେଉଛି ଏହାର ସ୍କନ୍ଧ । ଏହି ସହରକୁ ମଝିରେ ରଖି ଦୁଇ ପଟରେ ବହିଯାଇଛନ୍ତି ଏବଂ ମାତା କନ୍ୟାଙ୍କର ମଧ୍ୟରେ ଆଉ ଭେଟ ହୋଇନାହିଁ ।

 

ମହାନଦୀର ତ୍ରିକୋଣଭୂମିର ଶାଖାନଦୀମାନଙ୍କରେ ଅନେକ ଦ୍ୱୀପ, ପଠା ରହିଛି । ଏହି ଦ୍ୱୀପମାନଙ୍କ ମଧ୍ୟରେ ସବୁଠାରୁ ବଡ଼ ହେଉଛି ବୟାଳିଶି ମୌଜା ଅର୍ଥାତ୍ ବୟାଳିଶିଟି ରାଜସ୍ୱ ଗ୍ରାମ ସଂଯୋଗରେ ଗଠିତ ଅଞ୍ଚଳ । ପ୍ରକୃତରେ ଏବେ ସେଠାରେ ୩୧ଟି ରାଜସ୍ୱ ଗ୍ରାମ ରହିଛି ଏବଂ ଅବଶିଷ୍ଟ ୧୧ଟି ଗ୍ରାମ ହୁଏତ ଇତି ମଧ୍ୟରେ ବିଲୁପ୍ତ ହୋଇଯାଇଛି । ଏହି ଅଞ୍ଚଳଟି ପ୍ରାୟ ଚାରିଆଡ଼ୁ କାଠଯୋଡ଼ି ଏବଂ ଏହାର ଶାଖା ସିଢ଼ୁଆ ଦ୍ୱାରା ପରିବୃତ୍ତ ।

 

ତ୍ରିକୋଣ ଭୂମିର ଶୀର୍ଷରେ ଅବସ୍ଥିତ କଟକ ହେଉଛି ମହାନଦୀ ଏବଂ କାଠଯୋଡ଼ି ଏ ଉଭୟର ବିଭାଜକ । କଟକର ବିପରୀତ ପାର୍ଶ୍ୱ ଅର୍ଥାତ୍ ଉତ୍ତରଦିଗରେ ମହାନଦୀରୁ ବିରୂପା ନାମକ ଆଉ ଏକ ଶାଖା ବାହାରିଛି । ମହାନଦୀ-ବିରୂପାର ବିଭାଜନର ଠିକ୍ ତଳେ ଦୁଇଟିଯାକ ନଦୀକୁ ଆନିକଟ୍ ଦ୍ୱାରା ବନ୍ଧାଯାଇଛି । ଏହି ସବୁ ଆନିକଟ ହାଇ ଲେଭେଲ୍, କେନ୍ଦ୍ରାପଡ଼ା, ତାଳଦଣ୍ଡା କେନାଲ୍ ଏହି ଆନିକଟରୁ ହିଁ ବହାରିଛନ୍ତି ।

 

କଟକ ଅତିକ୍ରମ କରିଯିବା ପରେ ମହାନଦୀ ତିନୋଟି ଶାଖାରେ ବିଭକ୍ତ ହୋଇଛି । ଉତ୍ତରରେ ଚିତ୍ରୋତ୍ପଳା, କେନ୍ଦ୍ରରେ ମୂଳଶାଖା-ମହାନଦୀ ଏବଂ ଦକ୍ଷିଣରେ ସୁକ୍-ପାଇକା । ଏହାହିଁ ହେଲା ମହାନଦୀର ବିଭକ୍ତ ରୂପ । ଚିତ୍ରୋତ୍ପଳାରୁ ବାହାରିଛି ଲୁଣା ଏବଂ ୩୦ କି.ମି ପର୍ଯ୍ୟନ୍ତ ଅଲଗା ହୋଇ ରହିବା ପରେ ପୁଣି ମାତା-କନ୍ୟାଙ୍କର ମିଳନ ହୋଇଛି । ଏହାପରେ ଚିତ୍ରୋତ୍ପଳା ନାମର ଅବଲୁପ୍ତି ଘଟିଛି । ଲୁଣା ନାମଧରି ଏହି ନଦୀ ପରାଦୀପଠାରେ ମହାନଦୀ ମୁହାଣରେ ସମୁଦ୍ରରେ ପଡ଼ିଛି । ଚିତ୍ରୋତ୍ପଳା-ମହାନଦୀ ଏହି ଉପାୟରେ ସାଗର ଗର୍ଭରେ ହିଁ ପୁନଃମିଳତ ହୋଇଛନ୍ତି । ବଡ଼ନଦୀ ନାମରେ ଲୁଣାର ଏକ ଶାଖା ମଧ୍ୟ ରହିଛି ।

 

ସେହିଭଳି ମହାନଦୀର ଅନ୍ୟତମ ଶାଖାନଦୀ ସୁକ-ପାଇକା-ବାହାରିଛି ଆଇତିପୁର ପାଖରୁ । ସ୍ୱାଧୀନତା ପରେ ପରେ ‘ସୁକ୍-ପାଇକା ଯୋଜନା’ ନାମରେ ଏହି ନଦୀକୁ ବନ୍ଦକରି ଦିଆଯାଇ, ଏହା ଦ୍ୱାରା ଜଳପ୍ଲାବିତ ଅଞ୍ଚଳକୁ କେନାଲ୍‍ ଦ୍ୱାରା ଜଳସେଚିତ କରାଯାଉଛି । ନଦୀର ଆଉ ସତ୍ତା ପ୍ରାୟ ନାହିଁ କହିଲେ ଚଳେ । ଏହି ଯୋଜନା ଦ୍ୱାରା ପ୍ରକୃତରେ ଲୋକଙ୍କର କେତେ ଉପକାର ହୋଇଛି, ତାହା ସମ୍ପୃକ୍ତ ଅଞ୍ଚଳର ଅଧିବାସୀମାନେ ହିଁ କହିପାରିବେ । ତେବେ ଏହା ଦ୍ୱାରା ସେଇ ଅଞ୍ଚଳର ପ୍ରାକୃତିକ ସ୍ଥିତି ବଦଳିଯାଇ ସମଗ୍ର କ୍ଷେତ୍ରଟି ଯେ, ଶ୍ରୀହୀନ ହୋଇ ପଡ଼ିଛି, ଏ ବିଷୟରେ ଆମେ ନିଃସନ୍ଦେହ । ଯାହା ହେଉ ସୁକ୍-ପାଇକାଠାରୁ ୫ କି.ମି ତଳକୁ ମହାନଦୀରୁ ବାହାରିଛି ପାଇକା ନାମକ ଆଉ ଏକ ଶାଖା । ତେବେ ଏହି ଶାଖା ମାର୍ଶାଘାଇର ବିପରୀତ ପାର୍ଶ୍ୱରେ ପୁନଶ୍ଚ ମୂଳ ପ୍ରବାହରେ ମିଶିଯାଇଛି । ତାଳଦଣ୍ଡାଠାରୁ ଫଲସ୍ ପଏଣ୍ଟଠାରେ ସମୁଦ୍ରରେ ମିଶବା ପର୍ଯ୍ୟନ୍ତ ମହାନଦୀ ପୂର୍ବମୁଖା ।

 

ନଦୀପର୍ବତ ଉପତ୍ୟକା ପ୍ରଭୃତି ସୃଷ୍ଟି ହେବା ସମ୍ପର୍କରେ ଅନେକ ବୈଜ୍ଞାନିକ କାରଣ ରହିଛି । ସେଥିରୁ ଗୋଟିଏ ବହୁ ପ୍ରଚାରିତ ମତ ହେଉଛି, ଦ୍ୱିତୀୟ ଭୂତାତ୍ତ୍ୱିକ କାଳର ଖଡ଼ି ପଥର ଯୁଗରେ ତିବ୍ୱତ ଏବଂ ଭାରତ ଭୂଖଣ୍ଡ ମଧ୍ୟରେ ଟେଥିସ୍ (Tethis) ନାମକ ଏକ ସମୁଦ୍ର ରହିଥିଲା-। ଭୂତାତ୍ତ୍ୱିକ କାରଣରୁ ଏହି ସମୁଦ୍ର କ୍ରମଶଃ ପୋତି ହୋଇଯିବାକୁ ଲାଗିଲା ଏବଂ ପୁନର୍ବାର ସେଇ କାରଣରୁ ସୂଚିତ ସମୁଦ୍ରଗର୍ଭରୁ ହିମାଳୟ ପର୍ବତମାଳାର ସୃଷ୍ଟି ହେଲା । କାଳକ୍ରମେ ଏହି ପର୍ବତ ବା ଉଚ୍ଚ ମାଳଭୂମିରୁ ନଦୀର ସୃଷ୍ଟି ହେଲା, ଜଳର ଧର୍ମ ରକ୍ଷାକରି ନିମ୍ନାଭିମୁଖୀ ହୋଇ ବହିଗଲା । ହୁଏତ ଏହି ପ୍ରକ୍ରିୟାରେ ମହାନଦୀ ମଧ୍ୟ ସିହାୱା ପର୍ବତରୁ ସୃଷ୍ଟି ହୋଇ ନିମ୍ନଭୂମିଆଡ଼େ ବହି ଆସିଛି-

 

ଉପନଦୀଗୁଡ଼ିକ ସାଧାରଣତଃ ମୂଳନଦୀକୁ ଜଳସମ୍ପଦରେ ପୁଷ୍ଟ କରୁଥିବା ବେଳେ ଶାଖାନଦୀଗୁଡ଼ିକ ମୂଳନଦୀରେ ପ୍ରବାହିତ ହେଉଥିବା ଅତିରିକ୍ତ ଜଳଚାପରୁ ତାକୁ ମୁକ୍ତି ଦେଇଥାଆନ୍ତି । କାଠଯୋଡ଼ି ହେଉଛି ମହାନଦୀର ମୁଖ୍ୟ ଶାଖାନଦୀ ଏବଂ ଏହା ପୂର୍ବୋକ୍ତ ଦାୟିତ୍ୱକୁ ବେଶ୍ ଭଲ ଭାବରେ ତୁଲାଉଛି । ନାମରୁ ଜଣାଯାଉଛି, ଅତୀତରେ ଏହି ନଦୀ ଭଳି କ୍ଷୀଣ ସ୍ରୋତା ଥିଲା ଯେ, କେତେ ଖଣ୍ଡ କାଠ-ପଟା ଯୋଡ଼ି ଏହା ଉପରେ ପକାଇ ଦେଲେ ଏ ଏହାକୁ ଅନାୟାସରେ ପାରିହୋଇ ହେଉଥିଲା । ମାତ୍ର ଆଜି ସେହି ନଦୀର ବିପୁଳ ବିସ୍ତୃତି ନିକଟରେ ଏହା ଅତୀତ ସ୍ମୃତିର ଏକ ଉପାଦାନ ମାତ୍ର ।

 

କାଠଯୋଡ଼ିକୁ ମହାନଦୀର ଏକ ବାହୁ ବୋଲି କୁହାଯାଏ । ନରାଜଠାରେ ଏହା ମହାନଦୀରୁ ବାହାରି ଅଳ୍ପବାଟ ଯିବାପରେ ଏହାର ଦକ୍ଷିଣ କୂଳରୁ କୁଆଖାଇ ନାମକ ଏକ ଶାଖା ସୃଷ୍ଟି କରିଛି । ଜଳଚାପର ଆତିଶଯ୍ୟ ହିଁ ଏହାର ସ୍ରଷ୍ଟା । କୁଆଖାଇ ପୁରୀ ଜିଲ୍ଲା ଭିତରେ ହିଁ ମୁଖ୍ୟତଃ ପ୍ରବାହିତ । ଏହାର ମୁହାଣକୁ ଏବେ ଏକ ଆଡ଼ିବନ୍ଧ (Bar) ଦ୍ୱାରା ବନ୍ଦ କରି ଦିଆଯିବା ଫଳରେ କେବଳମାତ୍ର ବନ୍ୟା ସମୟକୁ ଛାଡ଼ିଦେଲେ ଅନ୍ୟ ସମୟରେ ଏଥିରେ ପ୍ରବାହିତ ହେଉଥିବା ଜଳର ପରିମାଣ ନିତାନ୍ତ କମ୍ । କଟକଠାରୁ ତଳେ ମାତ୍ର ୫ କି.ମି. ଦୂରରେ ଝିଙ୍କିରିଆଠାରେ କାଠଯୋଡ଼ିରୁ ବାହାରିଛି ସିଢ଼ୁଆ ନାମକ ଶାଖା ଏବଂ ୧୬ କି.ମି ପରେ ବାରଦାଠାରେ ଏହା ପୁନର୍ବାର ମୂଳସ୍ରୋତ ସହିତ ମିଶିଯାଇଛି । ଗୋବିନ୍ଦପୁରଠାରେ କାଠଯୋଡ଼ି ଆଉଥରେ ଦୁଇଭାଗ ହୋଇଯାଇଛି । ଦକ୍ଷିଣ ଶାଖାଟିର ନାମ ଦେବୀ ହୋଇଥିବାବେଳେ ବାମ ଶାଖାଟି ପରିଚିତ ବିଲୁଆଖାଇ ନାମରେ । ମୁଖ୍ୟ ଶାଖା ଦେବୀରେ ହିଁ ଅଧିକ ଜଳ ପ୍ରବାହିତ ହୁଏ । ଏହି ନଦୀ ପୂର୍ବମୁହାଁ ହୋଇ ବିଲୁଆଖାଇ ସହିତ ମିଳିତ ହୋଇଛି । ସମୁଦ୍ରଗାମୀ ଏହି ନଦୀର ବେଶ୍ କିଛି ଶାଖା ନଦୀ ରହିଛି । ସେଗୁଡ଼ିକ ହେଲା କନ୍ଦଳ, ଖଣ୍ଡିଆ, ଦହିଖାଇ, ପୁରୁଣା ଦେବୀ ପ୍ରଭୃତି । ଏହାଛଡ଼ା କିଛି ଛୋଟ ଛୋଟ ଜୋର ମଧ୍ୟ ଏଥିରୁ ବାହାରି ପୁଣି ଏଥିରେ ମିଶିଛି । ଶେଷରେ ନଦୀଟି ଦେବୀ ନାମ ଧରି ପୁରୀଜିଲ୍ଲା ଭିତର ଦେଇ ସମୁଦ୍ର ଆଡ଼କୁ ବହିଯାଇଛି ।

 

ଉତ୍ତରମୁଖୀ କାଠଯୋଡ଼ିର ଅନ୍ୟ ଏକ ଶାଖା ହେଉଛି ଅଳକା । ତେବେ ଦେବୀ ନଦୀର ବାମପଟ ବନ୍ଧ ଦ୍ୱାରା ଏହାର ମୁହଁକୁ ଠିକ୍ ସୁକ୍ ପାଇକା ମୁହଁ ଭଳି ବନ୍ଦ କରି ଦିଆଯାଇଛି ଏବଂ ଏହି ନଦୀର ପାଣିକୁ ଦେବୀ ଏବଂ ତମ୍ପୁଆ ଭିତରକୁ ଛାଡ଼ି ଦିଆଯାଉଛି । କୁହାଯାଉଛି ଯେ, କାଠଯୋଡ଼ିର ମୁହଁ ମାତ୍ର ଊନବିଂଶ ଶତାବ୍ଦୀରେ ଚଉଡ଼ା ହୋଇ ମହାନଦୀର ବିପୁଳ ଜଳରାଶିର ଅନେକାଂଶକୁ ନିଜେ ଗ୍ରହଣ କରି ସ୍ଫୀତକାୟା ହୋଇଉଠିଲା । ଏହାର ଜଳ ପରିମାଣକୁ ନିୟନ୍ତ୍ରିତ କରି କିଛି ଜଳକୁ ମହାନଦୀର ଅନ୍ୟ ଶାଖାମାନଙ୍କ ଦ୍ୱାରା ନିଷ୍କାସିତ କରାଇବାର ଲକ୍ଷ୍ୟରେ ମୁଣ୍ଡଳିର ଘେରି ବନ୍ଧ ନିର୍ମିତ ହୋଇଛି । ବର୍ଷା ସମୟରେ ଦୁଇ ନଦୀରେ ପ୍ରଚୁର ପରିମାଣରେ ଜଳ ବହିଯାଏ ଏବଂ ବନ୍ୟା ବେଳେ କୂଳ ଲଙ୍ଘନ କରିବା ହେଉଛି ଏମାନଙ୍କ ପାଇଁ ଏକ ସାଧାରଣ କଥା-। ବନ୍ୟା ଦାଉରୁ ଲୋକଙ୍କୁ ଯଥାସମ୍ଭବ ସୁରକ୍ଷା ଯୋଗାଇଦେବା ପାଇଁ ଯେଉଁଠି ଦରକାର, ସେଠାରେ ନଦୀବନ୍ଧକୁ ଉଚ୍ଚା କରାଯାଇଛି ।

 

କାଠଯୋଡ଼ିର କୁଆଖାଇ ଶାଖାରୁ ବାହାରିଛି ଦୟା ଆଉ ଭାର୍ଗବୀ ନାମରେ ଆଉ ଦୁଇଟି ଶାଖା । ଏ ଦୁଇ ନଦୀ ମୁଖ୍ୟତଃ ପୁରୀ ଜିଲ୍ଲାରେ ପ୍ରବାହିତ ହୋଇ ଶେଷରେ ଚିଲିକା ହ୍ରଦରେ ପଡ଼ିଛନ୍ତି । ସେହିଭଳି କୁଆଖାଇର ଅନ୍ୟ ଏକ ଶାଖା ହେଉଛି କୁଶଭଦ୍ରା, ଯାହା ସମୁଦ୍ରରେ ପଡ଼ିଛି । କୁଶଭଦ୍ରାର ଏକ ଶାଖା ହେଉଛି ପୁରାଣ ପ୍ରସିଦ୍ଧ ପ୍ରାଚୀ । ଅନ୍ୟ ପକ୍ଷରେ ଭାର୍ଗବୀର କଇଁଚ ନାମରେ ଶାଖାଟିଏ ରହିଛି ।

 

ଏଥର ବିରୂପା ପ୍ରସଙ୍ଗ । ମହାନଦୀରୁ ବାହାରି କିଛିବାଟ ବହିଯିବା ପରେ ଏଥିରୁ ଛୋଟ ଗେଙ୍ଗୁଟି ଆଉ ବଡ଼ ଗେଙ୍ଗୁଟି ନାମକ ଦୁଇ ଶାଖାର ସୃଷ୍ଟି ହୋଇଛି । ଛୋଟ ଗେଙ୍ଗୁଟିର ମୁହଁକୁ ବାନ୍ଧିଦେବା ଫଳରେ ଏହାର ବିଷଦାନ୍ତ ଭାଙ୍ଗିଯାଇଛି । ବଡ଼ ଗେଙ୍ଗୁଟି ଆହୁରି ତଳକୁ ୩୦ କି.ମି ପର୍ଯ୍ୟନ୍ତ ବହିଯାଇ ବ୍ରାହ୍ମଣୀର ଏକ ଶାଖା କିମ୍ଭୀରିଆ ସହ ମିଳିତ ହୋଇଛି । ଆଉ ତିନି କି.ମି ପରେ ଏହି ନଦୀ ବ୍ରାହ୍ମଣୀର ଅନ୍ୟତମ ଶାଖା କେଳୁଅ ସହ ମିଶି କିଛି ବାଟ ଗଲାପରେ ଶେଷରେ ବିରୂପାରେ ମିଶିଯାଇଛି । ଏହିଭଳି ଜଳ ସମ୍ପଦରେ ସ୍ଫୀତ ବିରୂପା ଶେଷରେ ଇନ୍ଦୁପୁର ନିକଟରେ ବ୍ରାହ୍ମଣୀ ନଦୀରେ ମିଶିଯାଇଛି । ଏକାଠି କିଛିବାଟ ବହିଯିବା ପରେ ଖରସୁଆଁ ଆସି ଏଥିରେ ମିଶିଛି ଏବଂ ଶେଷରେ ଏହି ମିଳିତ ସ୍ରୋତ ଧାମରା ମୁହାଣରେ ବଙ୍ଗୋପସାଗରରେ ପଡ଼ିଛି ।

 

ପଶ୍ଚିମ ଓଡ଼ିଶାରେ ମହାନଦୀର ପ୍ରାୟ କୌଣସି ଶାଖା ନାହିଁ ଏବଂ ଇବ୍, ଜୀରା, ଝାଉଁ ତେଲ ପ୍ରଭୃତି ଏହାର କେତୋଟି ଉପନଦୀ ରହିଛି ବୋଲି ପୂର୍ବରୁ ସୂଚିତ ହୋଇଛି । ସଂକ୍ଷେପରେ ଏହା ହିଁ ହେଉଛି ପୁରାଣ-ବୃଦ୍ଧା ମହାନଦୀର ବିଶାଳ ପରିବାର । ଭୌଗଳିକ ସ୍ଥିତିରୁ ଯାହା ଦେଖାଯାଉଛି, ଏହାକୁ ପରିପୁଷ୍ଟ କରୁଥିବା ସନ୍ତାନମାନଙ୍କର ସଂଖ୍ୟା ଏହା ଉପରେ ନିର୍ଭରଶୀଳ ସନ୍ତାନମାନଙ୍କର ସଂଖ୍ୟା ଅପେକ୍ଷା ଯଥେଷ୍ଟ କମ୍ ।

 

ମୁହାଣଠାରେ ମହାନଦୀ ପ୍ରାୟ ୩୫ କି.ମି ପର୍ଯ୍ୟନ୍ତ ଭିତରକୁ ଜୁଆରିଆ ଥାଏ । ସେହିଭଳି କାଠଯୋଡ଼ିର ଶାଖା ଦେବୀ ୪୫କି.ମି ପର୍ଯ୍ୟନ୍ତ, ଅଳକା ୨୦ କି.ମି ପର୍ଯ୍ୟନ୍ତ ଏବଂ କାଦୁଆ ୨୫ କି.ମି. ପର୍ଯ୍ୟନ୍ତ ଜୁଆର ଦ୍ୱାରା ନିୟନ୍ତ୍ରିତ ହୁଏ । ଜୁଆର ବେଗରେ ହ୍ରାସ ବୃଦ୍ଧି ହେବାର କେତେକ କାରଣ ରହିଛି । ମୁହାଣର ଆକାର, ନଦୀର ଗଭୀରତା, ନଦୀ ମୁହାଣର ଆଖପାଖରେ ଥିବା ବାଲିବନ୍ତର ବିସ୍ତାର ପ୍ରଭୃତି କାରଣରୁ ଜୁଆର ବେଗରେ ହ୍ରାସ ବୃଦ୍ଧି ଘଟିଥାଏ । ଅତୀତ ଉତ୍କଳର ନୌବାଣିଜ୍ୟ ସହିତ ଏହି ଜୁଆରର ନିବିଡ଼ ସମ୍ପର୍କ ରହିଥିଲା । କାରଣ ଜୁଆର ସମୟରେ ସ୍ୱାଭାବିକ ଭାବରେ ନଦୀବକ୍ଷ ଫୁଲି ଉଠୁଥିବାରୁ ପୂର୍ବରୁ ନଙ୍ଗର ପକାଇଥିବା ବଡ଼ ବଡ଼ ବୋଇତ ସହଜରେ ନଦୀ ଭିତରକୁ ଭାସି ଆସୁଥିଲେ । ସେହିଭଳି ଭଟ୍ଟା ସମୟରେ ଅନାୟସରେ ସମୁଦ୍ର ଭିତରକୁ ଭାସିଯିବା ମଧ୍ୟ ବୋଇତ ପକ୍ଷରେ ସହଜ ଥିଲା ।

 

ଜଳ ବିଜ୍ଞାନ (Hydrology) ଦୃଷ୍ଟି ଓଡ଼ିଶାର ଏହି ଦୀର୍ଘତମ ନଦୀର ଜଳପରି ବହନ ଶକ୍ତି ଏବଂ ଅନ୍ୟାନ୍ୟ କ୍ଷମତାକୁ ଭୂଗୋଳତତ୍ତ୍ୱବିତ୍‍ମାନେ ନିମ୍ନଲିଖିତ ପରିସଂଖ୍ୟାନ ଦ୍ୱାରା ଚିହ୍ନିତ କରିଛନ୍ତି । ଏହାର ଦୈର୍ଘ୍ୟ ହେଉଛି ୮୫୨.୮ କି.ମି (୮୫୧ କି.ମି ବୋଲି ମଧ୍ୟ କୁହାଯାଇଛି) । ତ୍ରିକୋଣ ଭୂମି ଶୀର୍ଷରୁ ମୁହାଣ ପର୍ଯ୍ୟନ୍ତ ଏହାର ଦୂରତା ହେଉଛି ୧୦୭ କି.ମି । ଏହା ଦ୍ୱାରା ଅଧିକୃତ ଅଧିତ୍ୟକାର କ୍ଷେତ୍ରଫଳ ହେଉଛି ୧୩୦.୫୬୦ ବର୍ଗ କି.ମି । ତ୍ରିକୋଣ ଭୂମିରେ ବର୍ଷାର ପରିମାଣ ହେଉଛି ୭୫.୨୬’’ ସେହିଭଳି ଏଠାରେ ନିୟୁତ ଏକର ଫୁଟରେ ବର୍ଷାର ହାରାହାରି ପରିମାଣ ହେଉଛି ୫.୭୬’’ । ଏକର ଫୁଟ ପାଇ ବାର୍ଷିକ ସର୍ବନିମ୍ନ ବନ୍ୟାଜଳ ନିଷ୍କାସନର ପରିମାଣ ହେଉଛି ୫.୭୬’’ । ଏକର ଫୁଟ ପାଇଁ ସର୍ବନିମ୍ନ ବନ୍ୟାଜଳ ନିଷ୍କାସନର ପରିମାଣ ହେଉଛି ୫୭.୩୬ । ଏକର ଫୁଟ ପିଛା ବାର୍ଷିକ ସର୍ବନିମ୍ନ ଜଳ ନିଷ୍କାସନର ପରିମାଣ ହେଲା ୭୫.୨୫ ।

 

ମୋଟାମୋଟି ଭାବରେ ଏହାହିଁ ହେଉଛି ମହାନଦୀର ଭୌଗୋଳିକ ସ୍ଥିତି । ତେବେ ଓଡ଼ିଶା ଆଉ ଓଡ଼ିଆମାନଙ୍କ ପାଇଁ ଏହି ନଦୀ କେବଳ ଏକ ପ୍ରାକୃତିକ ସତ୍ତା ହୋଇ ରହିନାହିଁ । ଓଡ଼ିଶାର ଜନଜୀବନ, ତା’ର ସଂସ୍କୃତି ଚରିତ୍ର ଏବଂ ଦର୍ଶନ ପ୍ରସ୍ତୁତ କରିବାରେ ଏହାର ଅତୁଳନୀୟ ଭୂମିକା ରହିଛି । ଏହି ମାତୃସମା ପ୍ରାଣହୀନ ଶକ୍ତି ହିଁ ଓଡ଼ିଶାର ଇତିହାସ, ଭାଷାସାହିତ୍ୟ, କଳାସ୍ଥାପତ୍ୟ, ଶିଳ୍ପ ପ୍ରଭୃତି ସୃଷ୍ଟିରେ ମୁଖ୍ୟ ଭୂମିକା ଗ୍ରହଣ କରିଛି । କ୍ରମଶଃ ସେ ସମ୍ପର୍କରେ ଆଲୋଚନା କରାଯିବ ।

 

ନଦୀ ନୁହେଁ ସେ ମାଆ :–ଜାତୀୟ ଚରିତ୍ର ନିର୍ମାଣରେ ନଦୀ, ହ୍ରଦ, ଗିରିବନ, ପାଣିପବନ ପ୍ରଭୃତି ପ୍ରାକୃତିକ ସତ୍ୟ । ଶୀତ ପ୍ରଧାନ ଦେଶର ଲୋକଚରିତ୍ର ଗ୍ରୀଷ୍ମ ପ୍ରଧାନ ଦେଶର ଲୋକଚରିତ୍ର ଠାରୁ ସମ୍ପୂର୍ଣ୍ଣ ଭିନ୍ନ । ସେହିଭଳି ସମତଳ ଅଞ୍ଚଳର ଲୋକେ ମରୁ ଅଞ୍ଚଳର ଲୋକଙ୍କଠାରୁ ଆକୃତି ଏବଂ ପ୍ରକୃତିରେ ନିଆରା । ଓଡ଼ିଶା ଯଦି ତା’ର ପ୍ରାକୃତିକ ବୈଭବ ନିମନ୍ତେ ମାନଚିତ୍ରରେ ସ୍ଥାନ ପାଇବାର ଦାବୀ କରୁଛି, ତେବେ ଏଥିପାଇଁ ମହାନଦୀର ଅବଦାନକୁ ଅସ୍ୱୀକାର କରି ହେବ ନାହିଁ ।

 

ଲକ୍ଷ୍ୟ କରାଯାଇଛି ଯେ, ନଦୀ ଅଞ୍ଚଳରେ ଗଢ଼ିଉଠିଥିବା ଜନସମାଜ କେତେଗୁଡ଼ାଏ ବିଶେଷ ସୁବିଧା ପାଇଯିବା ଫଳରେ ଲୋକଚରିତ୍ରରେ କର୍ମତତ୍ପରତାର ଘୋର ଅଭାବ ଦେଖାଦେଇଥାଏ । ଲୋକେ କର୍ମକୁଣ୍ଠ ହୋଇ ପଡ଼ନ୍ତି । ତା’ସହିତ ଜୀବନ ପାଇଁ ସେମାନଙ୍କ ସଂଗ୍ରାମୀ ମନୋଭାବ ଦୁର୍ବଳ ହୋଇଯାଇ ସେମାନଙ୍କୁ ଶାନ୍ତ, ନିରୀହ ଏବଂ ଉଦ୍ୟମହୀନ କରି ଦେଇଥାଏ । ପ୍ରାତ୍ୟହିକ ପ୍ରୟୋଜନ ମେଣ୍ଟାଇବା ପାଇଁ ସମଜରେ ପ୍ରଚୁର ଜଳର ପ୍ରାପ୍ତି ଏବଂ ଉର୍ବର କୃଷିଭିତ୍ତିକ ଭୂମି ସଂସ୍କୃତିକୁ ଏକପ୍ରକାର ନୈଷ୍କର୍ମ ଏବଂ କର୍ମମାନ୍ଦ୍ୟ ଆଣି ଦେଇଥାଏ । ହୁଏତ ଏହା କେତେକ ପରିମାଣର ସତ୍ୟ । ଅତୀତରୁ ବର୍ତ୍ତମାନ ପର୍ଯ୍ୟନ୍ତ ଓଡ଼ିଆ ଚରିତ୍ରକୁ ଗଭୀର ଭାବରେ ଅନୁଧ୍ୟାନ କଲେ, ଆମେ ସାଧାରଣ ଭାବେ ଯେଉଁ ତତ୍ତ୍ୱ ନିକଟରେ ପହଞ୍ଚିଯାଉ ତାହା ହେଉଛି ଓଡ଼ିଆମାନଙ୍କର ଉଦ୍ୟମ ବିମୁଖତା । ଆଜିର କାମ ହୋଇଗଲେ ଓଡ଼ିଆ କାଲିର କଥା ଚିନ୍ତା କରେ ନାହିଁ ବୋଲି ବିଦେଶୀମାନେ ବାରମ୍ବାର କହିଯାଇଛନ୍ତି । ମାଆର ଅତିରିକ୍ତ ସ୍ନେହସରାଗ ସନ୍ତାନକୁ ଯେମିତି କର୍ମକୁଣ୍ଠ କରିଦିଏ, ତେବେ କ’ଣ ମହାନଦୀ ଓଡ଼ିଆମାନଙ୍କୁ ସେଇ ପର୍ଯ୍ୟାୟରେ ପହଞ୍ଚାଇ ଦେଇଛି ? ଏ ପ୍ରଶ୍ନର ଉତ୍ତର ପରେ ଦିଆଯିବ ।

 

ତେବେ ନଦୀ ଉପତ୍ୟକାର ସଭ୍ୟତା ଏହାର ଅଧିବାସୀମାନଙ୍କୁ ଅଳସୁଆ କରିଦିଏ, ଏହି ମନ୍ତବ୍ୟକୁ ସର୍ବାଂଶରେ ଗ୍ରହଣ କରିନେଲେ, ପଞ୍ଚନଦ ଅବବାହିକାର ଲୋକେ ହୁଅନ୍ତେ ଦେଶର ସବୁଠାରୁ କର୍ମକୁଣ୍ଠ ଜାତି । ମାତ୍ର କାର୍ଯ୍ୟତଃ, ତାହା ହୋଇ ନଥିବାରୁ, ପୂର୍ବୋକ୍ତ ମନ୍ତବ୍ୟକୁ ଗ୍ରହଣ କରିବାର କୌଣସି କାରଣ ନାହିଁ । ଇଂରେଜ ରାଜପୁରୁଷମାନେ ଓଡ଼ିଆ ଚରିତ୍ରର ବହୁ ଦୋଷ ଦୁର୍ବଳତା କଥା ପ୍ରକାଶ କରିଛନ୍ତି । ସେ ସବୁ ହୋଇଛି କେବଳ ଉତ୍ତମ ବୁଝାବଣାର ଅଭାବରୁ । ଶାସନ ପ୍ରତି ଓଡ଼ିଆମାନଙ୍କର ଘୋର ସନ୍ଦେହ ଥିଲା । ପୁଣି ଭାଷାର ପ୍ରତିବନ୍ଧକ ମଧ୍ୟ ରହିଥିଲା । ତେଣୁ ଦୁଇପକ୍ଷ କେହି କାହାରିକୁ ବୁଝୁନଥିଲେ । ତୃତୀୟପକ୍ଷ ଏହି ସୁଯୋଗରେ ଶାସିତ ଓ ଶାସକ ଗୋଷ୍ଠୀ ମଧ୍ୟରେ ଦୂରତ୍ୱ ବଢ଼ାଇ, ବିଶେଷ କରି ଓଡ଼ିଆମାନଙ୍କ ସମ୍ପର୍କରେ ବହୁ ଭୁଲ୍ ଧାରଣା ସୃଷ୍ଟି କରାଇ ଆପେ ତାହାର ଫାଇଦା ଉଠାଇବାରେ ଲାଗିଲେ । କ୍ରମେ ଇଂରେଜମାନେ ଓଡ଼ିଆମାନଙ୍କୁ ବୁଝିବାକୁ ଆରମ୍ଭ କରିଥିଲେ ଏବଂ ଅଳ୍ପ ହେଲେ ମଧ୍ୟ ଓଡ଼ିଆ ଚରିତ୍ରର ସହନଶୀଳତା, ସାଧୁତା, ଧୈର୍ଯ୍ୟ ଏବଂ କର୍ମନିଷ୍ଠା ସମ୍ପର୍କରେ ପ୍ରଶଂସା ମଧ୍ୟ କରିଯାଇଛନ୍ତି-। ୱାଲଟର ଇୟେରଖ (ପାଇକ ବିଦ୍ରୋହର କାରଣ ଜାଣିବା ନିମନ୍ତେ ସରକାର ୧୮୧୭ରେ ବସାଇଥିବା କମିଶନ୍‍ର ଅନ୍ୟତମ ସଦସ୍ୟ) ଓଡ଼ିଆମାନଙ୍କର ଦୁର୍ଦ୍ଦଶା ନିମନ୍ତେ ଶାସକଗୋଷ୍ଠୀର ଅପାରଗତା, ନିଷ୍ଠୁରତା, ସ୍ୱେଚ୍ଛାଚାରିତାର ଏବଂ ଅଣଓଡ଼ିଆ କର୍ମଚାରୀମାନଙ୍କର ସ୍ୱାର୍ଥପରତା, ହୀନଷଡ଼ଯନ୍ତ୍ର ପ୍ରଭୃତିର ଏକ ଖୋଲା ବିବରଣୀ ଦେଇଛନ୍ତି । ପରିସ୍ଥିତି ଯେ ଓଡ଼ିଆମାନଙ୍କୁ ଏଭଳି ଭୀରୁ ଏବଂ ସଶଙ୍କ ଅବସ୍ଥାକୁ ନେଇ ଆସିଥିଲା ଏଥିରୁ ତାହାର ପ୍ରମାଣ ମିଳିବ ।

 

ମହାନଦୀର ପବିତ୍ର ଜଳର ନିତ୍ୟ ବ୍ୟବହାର ଓଡ଼ିଆ ଚରିତ୍ରକୁ ଯେଉଁ ସ୍ୱତନ୍ତ୍ର ମହତ୍ତ୍ୱ ଦେଇଥିଲା, ତହିଁରେ ଭୀରୁତାର ସ୍ଥାନ ନଥିଲା । ଏହାରି ଜଳପୁଷ୍ଟ ଏ ରାଜ୍ୟର ଶସ୍ୟଶ୍ୟାମଳ କ୍ଷେତ୍ର, ଘଞ୍ଚ ସବୁଜ ଅରଣ୍ୟ, ଜଳସମ୍ପଦପୂର୍ଣ୍ଣ ହ୍ରଦ ଓଡ଼ିଆମାନଙ୍କୁ ସବୁଦିଗରୁ ପରିପୂର୍ଣ୍ଣ, ସଂତୃପ୍ତ ତଥା ସୁଖୀ କରି ରଖିଥିଲା । ଜୀବନ ଏତେ ଜଟିଳ ଏବଂ ପ୍ରତିଦ୍ୱନ୍ଦିତାପୂର୍ଣ୍ଣ ହୋଇ ନଥିବାରୁ ସୁଖର ସ୍ୱରୂପ ମଧ୍ୟ ଅଲଗା ଥିଲା । ଖାଇବା, ପିନ୍ଧିବା ଏବଂ ସ୍ୱାସ୍ଥ୍ୟଗତ ସମସ୍ୟା ନଥିବା ଜୀବନକୁ ହିଁ ସୁଖୀଜୀବନ କୁହାଯାଉଥିଲା । ମହାନଦୀ ଜଳପୁଷ୍ଟ, ଶସ୍ୟ କେଦାରରୁ ପ୍ରଚୁର ଶସ୍ୟ, ନଦୀ ହ୍ରଦଜଳରୁ ଯଥେଷ୍ଟ ମାଛ, ତୀରସ୍ଥ ଅରଣ୍ୟରୁ ପ୍ରଚୁର ପ୍ରୟୋଜନାତିରିକ୍ତ ମାଂସ ଏବଂ ତହିଁରୁ ପୁଣି ଅମାପ ଔଷଧୀୟ ଗୁଳ୍ମଲତା ସହଜରେ ମିଳିଯାଉଥିଲା । ଓଡ଼ିଆ ଚରିତ୍ରର ସାରଲ୍ୟ ପଶ୍ଚାତରେ ଏହାହିଁ ମୁଖ୍ୟ କାରଣ-। ସମସ୍ୟା ଥିଲେ ସଂଘର୍ଷର କାରଣ ଥାଏ । ଜୀବନର ମୁଖ୍ୟ ପ୍ରୟୋଜନ ଯାହା କାରଣରୁ ମେଣ୍ଟିଯାଉଥିଲା ତାକୁ ଦେବୀ ଜ୍ଞାନରେ ପୂଜାକରି ଭକ୍ତି କରିବା ତେଣୁ ସ୍ୱାଭାବିକ ଥିଲା । ତେବେ ଅବସ୍ଥା ସବୁଦିନ ଏହିଭଳି ରହିଲା ନାହିଁ । ଓଡ଼ିଆମାନେ ମଧ୍ୟ ଉଚ୍ଚାକାଂକ୍ଷୀ ହେଲେ । ହୁଏତ ବାହାର ସହିତ ଯୋଗାଯୋଗ ହେବାରୁ ନିଜର ଅବସ୍ଥାକୁ ଉନ୍ନତ କରିବା ସମ୍ପର୍କରେ ଚିନ୍ତା କଲେ । ତହିଁରୁ ଆରମ୍ଭ ହେଲା ଆଗକୁ ବଢ଼ିବାର ପ୍ରକ୍ରିୟା । ବାଣିଜ୍ୟ-ବ୍ୟବସାୟ, ନିର୍ମାଣକଳା, ସଂଗ୍ରହ ଓ ସଂଚୟ ପ୍ରଭୃତି ଆଡ଼େ ଦୃଷ୍ଟି ଦିଆଗଲା । ନଦୀ ହେଲା ଏସବୁ କାର୍ଯ୍ୟର ସହାୟକ ।

 

ଓଡ଼ିଶାର ଇତିହାସରୁ ସୂଚିତ ହୁଏ ଯେ, ଏହା ମୁଖ୍ୟତଃ ଏକ ଆଦିବାସୀ ଅଧ୍ୟୁଷିତ ରାଜ୍ୟ ଥିଲା । ପୁରାଣ, ଇତିହାସ ସବୁଥିରୁ ଏହାର ସୂଚନା ମିଳୁଛି । ଏବେ ମଧ୍ୟ ରାଜ୍ୟର ମୋଟ ଜନସଂଖ୍ୟାର ଶତକଡ଼ା ତେଇଶ ଭାଗ ଆଦିବାସୀ ରହିଛନ୍ତି । ଆର୍ଯ୍ୟମାନେ ସେମାନଙ୍କୁ ଦୂରକୁ ତଡ଼ି ଏଠାରେ ସାମ୍ରାଜ୍ୟ ସ୍ଥାପନ କରିଥିଲେ ଏବଂ ଖ୍ରୀ:-ପୂ ଆଠଶହଶତକ ବେଳକୁ କଳିଙ୍ଗ ସାମ୍ରାଜ୍ୟର ସ୍ଥିତି ସୂଚିତ ହେଉଛି । ଖ୍ରୀ:ପୂ ୪୭୭ରେ କଳିଙ୍ଗ ରାଜ୍ୟ ପବିତ୍ର ବୁଦ୍ଧଦନ୍ତ ଗ୍ରହଣ କରିଥିବାର ପ୍ରମାଣ ରହିଛି । ଓଡ଼ିଶାର ଆଦି-ଅଧିବାସୀ ଏବଂ ସେମାନଙ୍କ ଶାସକମାନଙ୍କ ମଧ୍ୟରେ ଯେଉଁ ରାଜନୈତିକ ସମ୍ପର୍କ ରହିଥିଲା, ସେ ବିଷୟ ଅନୁଧ୍ୟାନ କରି ଏସ୍.ସି.ମାକ୍‍ଫରସନ୍ (S.C. Macferson) ଲେଖିଛନ୍ତି, ‘‘ଓଡ଼ିଶାରେ ସେତେବେଳେ ଯେଉଁ ପ୍ରଶାସନ ବ୍ୟବସ୍ଥା ଥିଲା, ତାକୁ ଆମେ ‘ଏକଛତ୍ର ରାଜତନ୍ତ୍ର’ କହିବା । ଆଞ୍ଚଳିକ ସାମନ୍ତମାନେ ଥିଲେ ଅତ୍ୟନ୍ତ ଶକ୍ତିଶାଳୀ ଏବଂ ସମ୍ମାନିତ । ସେମାନଙ୍କୁ ରାଜା କୁହାଯାଉଥିଲା । ଆଦିମ-ଗୋଷ୍ଠୀ ସହିତ ସେମାନଙ୍କର ସୁସମ୍ପର୍କ ସେମାନଙ୍କୁ ଅଧିକ ଶକ୍ତି ଯୋଗାଉଥିଲା । ଏମାନେ ସେହି ସମୟରେ ଜାଗିର୍‍ର ବ୍ୟବସ୍ଥା କରି ପାଇକସେନା ଗଠନ କରିଥିଲେ । ପଦାତିକ ବାହିନୀରେ ଦେଢ଼ଲକ୍ଷରୁ ତିନିଲକ୍ଷ ଯାଏ ସୈନ୍ୟ ଥିଲେ ।

ଏହି ସାମନ୍ତମାନେ କୌଣସି ପ୍ରସିଦ୍ଧ ରାଜବଂଶରୁ କିମ୍ବା ରାଜପୁତନାର କୌଣସି ସୁପ୍ରସିଦ୍ଧ କ୍ଷତ୍ରିୟ ପରିବାରରୁ ସମ୍ଭୂତ ବୋଲି ଘୋଷଣା କରୁଥିଲେ । କେତେକ ପୁଣି ଚନ୍ଦ୍ର, ସୂର୍ଯ୍ୟ, ପଶୁପକ୍ଷୀମାନଙ୍କ ସହିତ ନିଜର ସମ୍ପର୍କ ଯୋଡ଼ିଥିଲେ । ଦୃଷ୍ଟାନ୍ତ ସ୍ୱରୂପ ଘୁମୁସର ରାଜବଂଶ ମୟୂର ଅଣ୍ଡାରୁ ଜନ୍ମଗ୍ରହଣ କରିଥିଲେ ବୋଲି ଉପେନ୍ଦ୍ର ଭଞ୍ଜ ଲେଖିଛନ୍ତି । ‘ଲାବଣ୍ୟବତୀ’ କାବ୍ୟରେ ସେ ବଂଶ ପରିଚୟ ଦେଇ ଲେଖିଛନ୍ତି,

ଯେ ବଂଶେ ଇଷ୍ଟ ଦୁର୍ଗା ଦେବୀ

ବରହି କୋଷରୁ ସମ୍ଭବି

ମନୁଷ୍ୟେ ଏହି ଅଦ୍ଭୁତ, ଭଞ୍ଜାନୁଭଞ୍ଜ ନାମ ସତ । ଘୁମୁସର ରାଜବଂଶ–‘ବରହି କୋଷ’ ଅର୍ଥାତ୍ ମୟୂର ଅଣ୍ଡାରୁ ସୃଷ୍ଟି ହୋଇଥିବା ଘଟଣା–ସାଧାରଣଙ୍କ ପାଇଁ ବିସ୍ମୟଜନକ ହୋଇପାରେ ବୋଲି ଜାଣି ମଧ୍ୟ ଭଞ୍ଜ-ତାଙ୍କ ବଂଶ ପାଇଁ ସତ୍ୟ ବୋଲି କହିଛନ୍ତି । ତେବେ ସେଇ କାବ୍ୟର ଅନ୍ୟତ୍ର ଘୁମୁସର ରାଜବଂଶର ସମ୍ପର୍କ ସ୍ଥାପନ କରିଛନ୍ତି ଅଯୋଧ୍ୟାର ପ୍ରସିଦ୍ଧ ରାଜବଂଶ ସହିତ । ସେ ଲେଖିଛନ୍ତି–

ବିଶିଷ୍ଟ ବିଶିଷ୍ଠ ପାଳକା, ଶ୍ରୀରାମେ ଦତ୍ତ ରାଜଟିକା ।

ସେ କୁଳେ ରାଜା ଧନଞ୍ଜୟ, ସକଳ ଗୁଣର ନିଳୟ ।

(ଲାବଣ୍ୟବତୀ –୧୬-୪୦)

 

ଏଥିରୁ ବଂଶର ପୂର୍ବ ମହତ୍ତ୍ୱ ପ୍ରକ୍ଷାପନର କାଳ୍ପନିକତା ହିଁ ପ୍ରମାଣିତ ହେଉଛି । କେହି ପଣ୍ଡିତ ଅବଶ୍ୟ ‘ବର୍ହିକୋଷ’ର ଅର୍ଥ ଦିବ୍ୟତେଜରୁ କିମ୍ବା ଖଣ୍ଡାଖୋଳରୁ ଭଞ୍ଜରାଜବଂଶର ସୃଷ୍ଟି ବୋଲି କହି ବ୍ୟାପାରକୁ ଅଧିକ ଜଟିଳ କରିଦେଉଛନ୍ତି । ମୟୂର କୋଷ ସଜୀବ । ସଜୀବରୁ ଜୀବର ସୃଷ୍ଟିକୁ ଅବା ଗ୍ରହଣ କରାଯାଇପାରେ । ନିର୍ଜୀବ ଖଣ୍ଡାଖୋଳରୁ ସଜୀବ ମଣିଷର ସୃଷ୍ଟି ଏକ ସୁଦୂରପ୍ରସାରୀ କଳ୍ପନା ମାତ୍ର । ପୁଣି ‘ଭଞ୍ଜବଂଶାନୁଚରିତ’ରେ ଘୁମୁସର ରାଜବଂଶର ପ୍ରଥମ ପୁରୁଷ ମୟୂର ଅଣ୍ଡାରୁ ଜନ୍ମ ହୋଇ ବଶିଷ୍ଠ ଋଷିଙ୍କ ଦ୍ୱାରା ପରିପାଳିତ ହୋଇଥିବା କଥା ବର୍ଣ୍ଣିତ ହୋଇଛି । ସେ କାଳର ରାଜବଂଶୀୟମାନେ ନିଜ କୁଳଗୌରବ ବୃଦ୍ଧି ନିମନ୍ତେ ନାନାପ୍ରକାର ସମ୍ଭବ ଅସମ୍ଭବ କଳ୍ପନାର ଆଶ୍ରୟ ନେଉଥିଲେ, ଏଥିରୁ ଏହାହିଁ ପ୍ରମାଣିତ ହେଉଛି ।

 

ସାରା ରାଜ୍ୟ ଏହି ଭଳି କ୍ଷୁଦ୍ର କ୍ଷୁଦ୍ର ସାମନ୍ତ ଗୋଷ୍ଠୀରେ ପୂର୍ଣ୍ଣ ଥିଲା ଏବଂ ସେମାନଙ୍କ ଉପରେ ଥିଲେ ଜଣେ ସମ୍ରାଟ । ବହିଃଶତ୍ରୁ ବିରୋଧରେ ପ୍ରତିରୋଧ ସ୍ୱରୂପ କେନ୍ଦ୍ରୀୟ ପ୍ରଶାସନ ଏହି ସାମନ୍ତମାନଙ୍କୁ ସୀମାନ୍ତ ଅଞ୍ଚଳରେ ଘାଟିମାନ ସ୍ଥାପନ କରି ସେଠାରେ ନିଯୁକ୍ତ କରିଥିଲେ । ସୀମାନ୍ତ ଅଞ୍ଚଳରେ ଯେତେ ରାଜବଂଶ-ସେମାନେ ଏହି ପ୍ରକ୍ରିୟାର ଅଂଶବିଶେଷ ମାତ୍ର । ପୁଣି କେତେକ ଅଞ୍ଚଳରେ ଛୋଟ ସାମନ୍ତମାନେ ଅପେକ୍ଷାକୃତ ଅଧିକ ଶକ୍ତିଶାଳୀ କୌଣସି ସାମନ୍ତଙ୍କୁ ସେମାନଙ୍କର ରାଜା ହେବାପାଇଁ ନିମନ୍ତ୍ରଣ ଜଣାଇ ରାଜପଦ ସୃଷ୍ଟି କରୁଥିଲେ । ଏହିଭଳି ଭାବରେ ଓଡ଼ିଶାରେ ଅସଂଖ୍ୟ ରାଜପଦ ସୃଷ୍ଟି ହୋଇଥିଲା ବୋଲି ମାକ୍‍ଫରସନ୍ କହିଛନ୍ତି ।

 

ଏହି ସାମନ୍ତମାନେ ନିଜକ୍ଷେତ୍ରରେ ନିରଙ୍କୁଶ ଥିଲେ । ଯୁଦ୍ଧ ବିଗ୍ରହ ସମୟରେ ଅବଶ୍ୟ ସେମାନେ ସମ୍ରାଟଙ୍କୁ ସାହାଯ୍ୟ କରୁଥିଲେ । ବିଦ୍ରୋହର ମଧ୍ୟ ଅଭାବ ନଥିଲା । ଏହିଭଳି ଭାବରେ ସେମାନେ କିଛି ବ୍ୟତିକ୍ରମକୁ ଛାଡ଼ିଦେଲେ ଅହଂକାରୀ ହୋଇଉଠିଥିଲେ । ନିଜରାଜ୍ୟର ସେଇମାନେ ହିଁ ଥିଲେ ସର୍ବମୟ କର୍ତ୍ତା । ରାଜ୍ୟର ଧନଜୀବନ-ସେମାନଙ୍କ ପାଦତଳେ ସମର୍ପିତ ଥିଲା । ଇଚ୍ଛାନୁସାରୀ କାର୍ଯ୍ୟ କରିବାରେ ସେମାନଙ୍କର କୌଣସି ଅସୁବିଧା ନଥିଲା । ଏହାର ବିବରଣୀ ବହୁ ସ୍ଥାନରୁ ଉପଲବ୍ଧ ହେଉଛି । ନିରୁଙ୍କୁଶତା ହେଉଛି ଅହଙ୍କାରର ସ୍ରଷ୍ଟା ଏବଂ ତାକୁହିଁ ସାଧୁଭାବରେ କୁହାଯାଏ ‘ସ୍ୱାଭିମାନ’ । ଏ ରାଜାମାନେ ସେହିଭଳି ଥିଲେ ।

 

ରାଜ୍ୟର ଆଦିମ-ଗୋଷ୍ଠୀ ଏମାନଙ୍କୁ ଶକ୍ତି ଯୋଗାଇ ଦେଉଥିଲେ । ମୁଖ୍ୟତଃ ଏମାନେ ରାଜସେବକ ରୂପର ପ୍ରଶାସନର ପାଖେ ପାଖେ ରହିଲେ । ଦୁର୍ଗମ ଅଞ୍ଚଳରେ ଯେଉଁମାନେ ରହିଲେ ସେମାନେ ଯଥାସମ୍ଭବ ସ୍ୱାଧୀନ ରହିଲେ କିମ୍ୱା କିଛି କର ଦେଲେ । ଦଶପଲ୍ଲାର କନ୍ଧପ୍ରଜାମାନେ କମିଶନର ରେଭେନ୍ସାଙ୍କ ଆଦେଶ ମତେ ରାଜାଙ୍କୁ କର ଦେବା ପାଇଁ ରାଜି ହୋଇଥିଲେ ବୋଲି ଫକୀର ମୋହନ ତାଙ୍କର ‘ଆତ୍ମଚରିତ’ ରେ ଲେଖିଛନ୍ତି । ଏଇ ଗୋଷ୍ଠୀରୁ ‘ବେଠିଆ’ ନାମକ ଏକ ନୂତନ ଗୋଷ୍ଠୀର ସୃଷ୍ଟି ହେଲା । ନିଜର ଶ୍ରମଉପରେ ବେଠିଆମାନଙ୍କର କିଛି ଅଧିକାର ରହିଲା ନାହିଁ । ସେମାନେ ହେଲେ ରାଜା ରାଜୁଡ଼ାଙ୍କର ସ୍ୱେଚ୍ଛା ଦାସ । ଗଡ଼ଜାତଗୁଡ଼ିକରେ ଏ ବ୍ୟବସ୍ଥା ପ୍ରଚଳିତ ରହିଲା ଦେଶ ସ୍ୱାଧୀନ ହେବା ପର୍ଯ୍ୟନ୍ତ । ଆଦିବାସୀ ଓ ଅଣ-ଆଦିବାସୀ ସମ୍ପ୍ରଦାୟ ମଧ୍ୟରେ ଏହିଭଳି ଯୋଗାଯୋଗ ବ୍ୟବସ୍ଥା ଦୃଢ଼ ହେବାରେ ଲାଗିଥିଲା । ତେବେ ଦୁଇଗୋଷ୍ଠୀ ମଧ୍ୟରେ ମିଶ୍ରଣ ସମ୍ଭବ ହୋଇନଥିଲା । ଏବେ ମଧ୍ୟ ହୋଇନାହିଁ । ଏଥିପାଇଁ ଉଦ୍ୟମ ଆରମ୍ଭ ହୋଇଥିଲା, ଇନ୍ଦ୍ରଦ୍ୟୁମ୍ନଙ୍କ କାଳରୁ । ତେବେ ବିଦ୍ୟାପତି, ଲଳିତା, ଏକ ବ୍ୟତିକ୍ରମ ଭାବରେ କେବଳ କିମ୍ୱଦନ୍ତୀର ନାୟକ ହୋଇ ରହିଯାଇଛନ୍ତି । ନିଜର ସ୍ୱାର୍ଥ ପାଇଁ କିନ୍ତୁ ପ୍ରଶାସନ ସବୁବେଳେ ଏମାନଙ୍କୁ ବ୍ୟବହାର କରିଆସିଛି ।

 

ଏ ତ ଗଲା ରାଜଶାସନ ସହିତ ଆଦିବାସୀ ସମ୍ପ୍ରଦାୟର ସମ୍ପର୍କ ବିଷୟକ ସ୍ଥିତି । ରାଜ୍ୟରେ ଥିବା ଜାତିଗୁଡ଼ିକ ମଧ୍ୟ ଯେ ଖୁବ୍‌ଭଲରେ ଥିଲେ ଏହା ନୁହେଁ । ସାଧାରଣ ପ୍ରଜା ଅଶିକ୍ଷିତ ଓ ଦରିଦ୍ର ଥିଲେ ଏବଂ ରାଜାଙ୍କ ଦ୍ୱାରା ବସାଯାଇଥିବା ଅତିରିକ୍ତ କରଭାରରେ ନିଷ୍ପୀଡ଼ିତ ଥିଲେ । ପ୍ରଜାର ପ୍ରଧାନ ସମ୍ୱଳ ଥିଲା ତା’ର ଶ୍ରମଶକ୍ତି । ରାଜା ଓ କର୍ମଚାରୀମାନେ ସେହି ସମ୍ୱଳକୁ ମାଗଣାରେ ନେଇ ଯାଉଥିଲେ, ଯାହା ଥିଲା ପୂର୍ବ ବର୍ଣ୍ଣିତ ବେଠି । ରାଜା ଥିଲେ ରାଜ୍ୟର ସମସ୍ତ ସମ୍ୱଳର ମାଲିକ । ‘‘ରାଜ୍ୟର ଜମି, ନନ୍ଦୀ, ପର୍ବତ, ଅରଣ୍ୟ ସବୁ ତାଙ୍କର । ପ୍ରଜାମାନେ ତାଙ୍କ ଅନୁମତିରେ ଏବଂ ତାଙ୍କୁ କର ଦେଇ ରାଜ୍ୟରେ ବାସ କରୁଛନ୍ତି ।’’ (ବିଂଶ ଶତାବ୍ଦୀର ଓଡ଼ିଶା :–ମୋ ଅନୁଭୂତି :–ପୃ-୧୧୮) ରାଜା ପ୍ରଜା ମଧ୍ୟରେ କୌଣସି ପ୍ରତ୍ୟକ୍ଷ ଯୋଗାଯୋଗ ନଥିଲା ।

 

ଖଚୁଆ ରାଜକର୍ମଚାରୀମାନଙ୍କ ଦ୍ୱାରା ପରିବୃତ୍ତ ହୋଇ ରାଜା ମୁଖ୍ୟତଃ ସେଇମାନଙ୍କ ଦ୍ୱାରା ପରିଚାଳିତ ହେଉଥିଲେ । ଏସବୁ କର୍ମଚାରୀମାନେ ପ୍ରାୟ ଦୁର୍ନୀତିଗ୍ରସ୍ତ ଥିଲେ ଏବଂ ନିଜର ସ୍ୱାର୍ଥପାଇଁ ପ୍ରଜାଙ୍କ ଉପରେ ଅନ୍ୟାୟ ଜୁଲମ୍‌ କରୁଥିଲେ । ଯିଏ ସେମାନଙ୍କ କଥାରେ ରାଜି ହେଉନଥିଲା, ରାଜାଙ୍କ ଆଗରେ ନାନା ସତ ମିଛ କହି ସେମାନଙ୍କୁ ତଳିତଳାନ୍ତ କରିଦେଉଥିଲେ । ଦଶପଲ୍ଲା ରାଜା ନିଜ ରାଜ୍ୟରେ ଜଣେ ପ୍ରଧାନ ତା କାନ୍ଥରେ ପଦ୍ମଫୁଲ ଚିତ୍ର ଆଙ୍କିଥିବାର ଶୁଣି ତାକୁ ଯେଉଁଭଳି ଅସୁବିଧାରେ ପକାଇଥିଲେ, ଫକୀରମୋହନ ତାଙ୍କର ‘ଆତ୍ମଚରିତ’ ରେ ଏହାର ବିସ୍ତୁତ ବିବରଣୀ ଦେଇଛନ୍ତି । ବ୍ରିଟିଶ୍‌ ରାଜତ୍ୱରେ ଏହା ଥିଲା ସାଧାରଣ ଲୋକର ଅବସ୍ଥା ।

 

ଆଫଗାନ-ମୋଗଲ-ମରହଟ୍ଟା ଶାସନରେ ସେମାନେ କିଭଳି ଥିଲେ ସେ କଥା ଇତିହାସରେ ସୂଚିତ ହୋଇଛି । ଏ କଥା ଅଧିକାଂଶ ଜାଣନ୍ତି । କହିବାର କଥା ହେଉଛି, ଦୀର୍ଘକାଳ ଏହି ଭଳି ଦୁର୍ଦ୍ଦଶା ଭିତରେ ଭୀତତ୍ରସ୍ତ ହୋଇ କାଳ କଟାଇବା ଫଳରେ, ଏଠାରେ ସାଧାରଣ ଲୋକର ଚିନ୍ତାଶକ୍ତି-ସ୍ତବ୍ଧ ହୋଇଯାଇଥିଲା, ପାଟିରୁ ଭାଷା ଉଭେଇ ଯାଇଥିଲା । ଯେଉଁମାନେ ଦୁର୍ଭାଗ୍ୟବଶତଃ ପ୍ରତିବାଦ କରୁଥିଲେ କିମ୍ୱା ମେଳି ଇତ୍ୟାଦିରେ ଭାଗ ନେଉଥିଲେ ସେମାନଙ୍କ ଚରମ ଦୁର୍ଦ୍ଦଶା ଦେଖି ଅନ୍ୟମାନେ ସତର୍କ ହୋଇ ଯାଉଥିଲେ । ଉନବିଂଶ ଶତକର ଶେଷ ପାଦରେ ମାଛ କାନ୍ଦଣା ଜୋର ଖୋଳାରେ ବେଠି କରୁଥିବା କିମ୍ୱା ଢେଙ୍କାନାଳର ଯତନ ନଗର ବିଳାସ ମହଲ ଗଢ଼ୁଥିବା (ବିଂଶ ଶତକର ପୂର୍ବାର୍ଦ୍ଧରେ) ବେଠିଆମାନଙ୍କର ଅବସ୍ଥା ଦେଖି ଅନ୍ୟମାନେ ବଞ୍ଚିବାଟାକୁ ନିତାନ୍ତ ଆକସ୍ମିକ ଏବଂ ଭାଗ୍ୟର କଥା ବୋଲି ବିଶ୍ୱାସ କରି ଯାଉଥିଲେ ।

 

ବିଦେଶୀ ଐତିହାସିକମାନେ ଏସବୁ ଜାଣିଥିଲେ । ସେମାନେ ପୁଣି ଥିଲେ ଗୋଟିଏ ସୁସଭ୍ୟ-ଜାତିର ପ୍ରତିନିଧି । ଓଡ଼ିଶାର ଚିର ବଞ୍ଚିତ, ଲାଞ୍ଚିତ ଓ ଶୋଷିତ ଜନତା ସେମାନଙ୍କଠାରୁ ଅନ୍ତତଃ କିଛି ନ୍ୟାୟ ବିଚାର ଆଶା କରୁଥିଲେ । ମାତ୍ର ସେମାନେ ବି ରାଜାର ଜ୍ଞାତି ଓ କାନକୁହାମାନଙ୍କ କଥାରେ ପରିଚାଳିତ । ସେମାନେ ଅନ୍ୟ କଥା ଲେଖିବେ କିପରି ? ସୁଯୋଗ୍ୟ ନେତୃତ୍ୱ ହିଁ ଗୋଟିଏ ସମୟରେ ଓଡ଼ିଆମାନଙ୍କର ଗୌରବ ବୃଦ୍ଧିର କାରଣ ହୋଇଥିଲା । ଖାରବେଳ, କପିଳେନ୍ଦ୍ର ପ୍ରଭୃତି ରାଜାମାନେ ଓଡ଼ିଶା ପାଇଁ ଏକଦା ‘ସୁବର୍ଣ୍ଣଯୁଗ’ ସୃଷ୍ଟି କରିଥିଲେ । ସାହିତ୍ୟ, କଳା ସ୍ଥାପତ୍ୟ, ସଂଗୀତ ପ୍ରଭୃତି ପ୍ରତ୍ୟେକ କ୍ଷେତ୍ରର ଓଡ଼ିଆମାନେ ନିଜର କୃତିତ୍ୱର ସ୍ୱାକ୍ଷର ରଖିବା ସହିତ ଏକ ଦୁର୍ଦ୍ଦଷ ସାମରିକ ଜାତି ରୂପରେ ଦେଶ ଆଗରେ ଉଭା ହୋଇଥିଲେ ।

 

ଦେଶର ସମୃଦ୍ଧି ନିର୍ଭର କରେ ମୁଖ୍ୟତଃ ଏହାର ଧନସମ୍ପଦ ଉପରେ । ରାଜ୍ୟ ଜୟ ଦ୍ୱାରା ଏହା ସଂଗୃହୀତ ହେବା ଏକ ସାଧାରଣ ଘଟଣା । ସେହିଭଳି ଏହାର ଅନ୍ୟ ଉପାୟ ହେଉଛି ବାଣିଜ୍ୟ-ବ୍ୟବସାୟ । ଯେଉଁ ସମୟରେ ଓଡ଼ିଶା ସମୃଦ୍ଧିର ଶୀର୍ଷରେ ପହଞ୍ଚିଥିଲା ସେତେବେଳେ ଏହି ଦିଗଟି ପ୍ରତି ନିଶ୍ଚୟ ଅଧିକ ଦୃଷ୍ଟି ଦିଆଯାଉଥିଲା । ବିଶେଷତଃ ଖାରବେଳଙ୍କ ସମୟରୁ ଓଡ଼ିଶାର ନୌବାଣିଜ୍ୟ ବେଶ୍‌ ବ୍ୟାପକ ଥିବାର ଐତିହାସିକ ପ୍ରମାଣ ମିଳୁଛି । ତେବେ ଆଭ୍ୟନ୍ତରୀଣ ନୌବାଣିଜ୍ୟର ଦକ୍ଷିଣ ସାଧନ ଥିଲା ନନ୍ଦୀ । ଏହି ପଥରେ ସୁଦୂର ପଶ୍ଚିମ ଓଡ଼ିଶାର ପଣ୍ୟ ଅନାୟାସରେ ଦକ୍ଷିଣ ଓଡ଼ିଶାରେ ପହଞ୍ଚି ଯାଉଥିଲା । ନୌବାଣିଜ୍ୟର ବିପର୍ଯ୍ୟୟ ନିଶ୍ଚିତ ଭାବରେ ଓଡ଼ିଶାର ଅଧୋଗତିର କାରଣ ହୋଇପାରେ । ମହାନଦୀ ଯେ ଏଠାରେ ନୌବାଣିଜ୍ୟରେ ପ୍ରଧାନ ଭୂମିକା ଗ୍ରହଣ କରିଥିଲା, ଏଥିରେ ସନ୍ଦେହ ନାହିଁ ।

 

ସ୍ଥଳପଥ ଅପେକ୍ଷା ପୂର୍ବେ ଜଳପଥ ହିଁ ଗମନାଗମନ ତଥା ବାଣିଜ୍ୟ-ବ୍ୟବସାୟ ନିମନ୍ତେ ଅଧିକ ନିର୍ଭରଯୋଗ୍ୟ ମାର୍ଗ ଥିଲା । ଓଡ଼ିଶାରେ ଯେଉଁ ଆର୍ଯ୍ୟମାନେ ସ୍ଥାୟୀଭାବରେ ବସବାସ କରିବାକୁ ଆସିଥିଲେ କିମ୍ୱା ଉପନିବେଶ ସ୍ଥାପନ କରିବାକୁ ଆସିଥିଲେ ସେମାନଙ୍କର ଗୋଟିଏ ମୁଖ୍ୟ ଅଂଶ ସାଗର ମାର୍ଗରେ ଓଡ଼ିଶା ଉପକୂଳରେ ପ୍ରବେଶ କରିଥିଲେ ବୋଲି କୁହାଯାଉଛି । ଏଠାକାର ଯେଉଁମାନେ ଆଦିମ ଅଧିବାସୀ ସେମାନେ ମଧ୍ୟ ସେହିଭଳି ଜଳପଥ ହେଉ କି ସ୍ଥଳପଥ ହେଉ, କେଉଁ ବାଟରେ ଏଠାକୁ ଆସିଥିବେ । ଓଡ଼ିଶାର ପୂର୍ବ ଦିଗରେ ସମୁଦ୍ର । ଉତ୍ତର, ଦକ୍ଷିଣ ଓ ପଶ୍ଚିମ–ଏ ତିନି ଦିଗ ଉଚ୍ଚପର୍ବତମାଳା, ଦୁର୍ଗମ ଅରଣ୍ୟ ଏବଂ ସୁଗଭୀର ହ୍ରଦଦ୍ୱାରା ପରିବୃତ୍ତ । ତିନି ଦିଗରେ ନଦୀମାର୍ଗରେ ଜଳପଥ ମଧ୍ୟ ରହିଛି । ତେଣୁ ଯାଯାବର ପ୍ରବେଶକାରୀମାନେ ଓଡ଼ିଶାରେ ପ୍ରବେଶ କରିବା ପାଇଁ ଉଭୟ ଜଳ ଓ ସ୍ଥଳପଥ ବ୍ୟବହାର କରିଥିବା ସମ୍ଭବପର । ଦୁର୍ଗମ ଅରଣ୍ୟ, ସନ୍ତସନ୍ତିଆ ପାଟଭୂମି ଅନ୍ତତଃ ଦକ୍ଷିଣ ଓ ଉତ୍ତର ଦିଗରେ ଓଡ଼ିଶା ପାଇଁ ସୁରକ୍ଷା କବଚ ଭଳି ଥିଲା । ଇତିହାସରୁ ପ୍ରମାଣ ମିଳେ ଯେ ସପ୍ତଦଶ ଶତକରେ ଜବଚାର୍ନକ ବାଣିଜ୍ୟ ନିମନ୍ତେ ଭାରତ ଆସି ପ୍ରଥମେ ଓଡ଼ିଶାର ବାଲେଶ୍ୱର ଉପଣ୍ଠରେ ଶିବିର ସ୍ଥାପନ କରିଥିଲେ । ବୁଢ଼ାବଳଙ୍ଗ ବାଟେ ସେମାନେ ବାଲେଶ୍ୱରରେ ପହଞ୍ଚି ଯାଇଥିଲେ । ସେଠାରେ ବାଣିଜ୍ୟ କୋଠି ସ୍ଥାପନ କରିବାର ଇଚ୍ଛା ମଧ୍ୟ ତାଙ୍କର ଥିଲା । ତେବେ ସନ୍ତସନ୍ତିଆ ଅସ୍ୱାସ୍ଥ୍ୟକର ସ୍ଥାନ, ମଶାମାନଙ୍କର ଉପଦ୍ରବ ଏବଂ ବାଲେଶ୍ୱରର କୁଖ୍ୟାତ ମାଲେରିଆ ଜ୍ୱର ଇଂରେଜଦଳକୁ ଅସ୍ତବ୍ୟସ୍ତ କରି ପକାଇଥିଲା । ଅଳ୍ପ ସମୟ ମଧ୍ୟରେ କିଛି ସହକର୍ମୀଙ୍କର ମୃତ୍ୟୁ ହୋଇଯିବାରୁ ଚାର୍ନକ ମନ ପରିବର୍ତ୍ତନ କରିବାକୁ ବାଧ୍ୟ ହୋଇ ସ୍ଥାନ ତ୍ୟାଗ କରିଥିଲେ । ଏହାପରେ ତାଙ୍କର ଶିବିର ପଡ଼ିଲା ପୂର୍ବ ଉପକୂଳର ଗୋବିନ୍ଦପୁର ଓ ସୂତାନଟୀ ଗ୍ରାମରେ । ଅଚିରେ ସେ ଅଞ୍ଚଳ ଏକ ସମୃଦ୍ଧ ବାଣିଜ୍ୟ ପେଣ୍ଠରେ ପରିଣତ ହେଲା ଏବଂ ପରେ ରାଜନୈତିକ ଭାରତର ଏହାହିଁ ହେଲା ପ୍ରଥମ ରାଜଧାନୀ । ନବ ଜାଗରଣର ଆଦ୍ୟ ସ୍ଫୁଲିଙ୍ଗ ପ୍ରଥମରୁ ଏହି ଅଞ୍ଚଳରେ ପ୍ରକାଶ ପାଇଥିଲା । ସ୍ୱାସ୍ଥ୍ୟଗତ କାରଣରୁ ଚାର୍ନକ ବାଲେଶ୍ୱର ଛାଡ଼ିନଥିଲେ, ସେଇ ଅଞ୍ଚଳ ହିଁ ଏସବୁ ସୁଯୋଗ ନିଶ୍ଚୟ ପାଇଥାଆନ୍ତା ।

 

ସେ କାଳରେ ଅନୁପ୍ରବେଶକାରୀମାନେ ଜଳପଥରେ ଆସି ଉପକୂଳର ଆଖପାଖରେ ହିଁ ବସତି ସ୍ଥାପନ କରୁଥିଲେ । କାରଣ ସେହି ସ୍ଥାନ ସେମାନଙ୍କୁ ବଞ୍ଚିବାର ନିମ୍ନତମ ସାଧନ ଜଳ, ଖାଦ୍ୟ ଏବଂ ନିରାପତ୍ତା ଏ ସବୁ ଯୋଗାଇ ଦେଉଥିଲା । ନୂତନ ଆଗନ୍ତୁକମାନେ ତଟବର୍ତ୍ତୀ ପ୍ରାଚୀନ ଅଧିବାସୀମାନଙ୍କୁ ପାର୍ବତ୍ୟାଞ୍ଚଳକୁ ତଡ଼ିଦେଇ ନିଜେ ଭଲ ସ୍ଥାନକୁ ଦଖଲ କରି ନେଇଥିଲେ ସୂଦୂର ଅତୀତରେ ବସତି ସ୍ଥାପନର ଏହି ଭଙ୍ଗାଗଢ଼ା ଖେଳ ଯେତେବେଳେ ଚାଲିଥିଲା ସେତେବେଳେ ମହାନଦୀ ଏବଂ ତା’ର ଶାଖା ତଥା ଉପନଦୀମାନେ ସୁନାବ୍ୟା ହୋଇଥିବାରୁ ଏହି କାର୍ଯ୍ୟରେ ଯେ ବିଶେଷ ଭୂମିକା ଗ୍ରହଣ କରିଥିବେ, ଏଥିରେ ସନ୍ଦେହ ନାହିଁ । ଏହିଭଳି ଭାବରେ ସଭ୍ୟତା ଓ ସଂସ୍କୃତିର ବିକାଶ ତଥା ପ୍ରସାରରେ ନଦୀର ଭୂମିକା ଗୁରୁତ୍ୱପୂର୍ଣ୍ଣ ହୋଇଛି ।

 

ଖାଦ୍ୟ, ବସ୍ତ୍ର ଏବଂ ସୁରକ୍ଷା ଯୋଗାଇଦେବାରେ ମହାନଦୀ ଯେ ଦୂର-ଅତୀତରେ ଏକ ପ୍ରଧାନ ଭୂମିକା ଗ୍ରହଣ କରିଥିବ, ଏହା ସତ୍ୟ । ପଶ୍ଚିମ ଓଡ଼ିଶାରେ ଯେ ଆର୍ଯ୍ୟ ତଥା ଅନାର୍ଯ୍ୟ ସଂସ୍କୃତିର ଏଭଳି ବିଚିତ୍ର ସମନ୍ୱୟ ଦେଖିବାକୁ ମିଳେ ତାହାର ପ୍ରଧାନ କାରଣ ହେଉଛି ମହାନଦୀ । ମାଆ ଭଳି ସେ ଏଠାର ଅଧିବାସୀମାନଙ୍କୁ ଆହାର ଯୋଗାଇଛି ଏବଂ ପ୍ରୟୋଜନ ସମୟରେ ସେମାନଙ୍କୁ ସୁରକ୍ଷା ମଧ୍ୟ ଯୋଗାଇ ଦେଇଛି । ତେଣୁ ସମ୍ୱଲପୁରର ଜଣେ ବିଶିଷ୍ଟ ବୁଦ୍ଧିଜୀବୀ ସ୍ୱର୍ଗତଃ ଶ୍ରଦ୍ଧାକର ସୂପକାର, ମହାନଦୀକୁ ଯଥାର୍ଥରେ ‘ଓଡ଼ିଶାର ମାଆ’ ବୋଲି କହିଛନ୍ତି ।

 

ମହାନଦୀ ତୀରରେ ଆର୍ଯ୍ୟ ଏବଂ ଅନାର୍ଯ୍ୟ :–ରାଜନୈତିକ ଦୃଷ୍ଟିରୁ ଭାରତର ପୂର୍ବାଞ୍ଚଳ ବର୍ତ୍ତମାନ ବହୁଭାଗରେ ବିଭକ୍ତ । ମଧ୍ୟ ଭାରତ ତଥା ଦକ୍ଷିଣ ଭାରତ ସହିତ ମଧ୍ୟ ପୂର୍ବାଞ୍ଚଳର ସମ୍ପର୍କ କ୍ରମଶଃ ସଂକୁଚିତ ହେବାରେ ଲାଗିଛି । ତେବେ ସାମାଜିକ ତଥା ନୃତାତ୍ତ୍ୱିକ ବିବର୍ତ୍ତନ ସମ୍ପର୍କରେ ବିଚାର କାଳରେ ସମଗ୍ର ଅଞ୍ଚଳକୁ ଗୋଟିଏ ଏକକଭାବରେ ଗ୍ରହଣ କରିନେବାକୁ ହେବ । ପୂର୍ବାଞ୍ଚଳର ବିଭିନ୍ନ ରାଜ୍ୟକୁ ଆମେ ପ୍ରାୟ ସମସାଂସ୍କୃତିକ ବିଚାରଧାରା ସମ୍ପନ୍ନ ଇତିହାସ ଓ ସାମାଜିକ କ୍ଷେତ୍ର ରୂପରେ ଗ୍ରହଣ କରିନେଇ ପାରିବା । ଏହାର ସାସ୍କୃତିକ ବିବର୍ତ୍ତନର ବିଶ୍ଳେଷଣ ଏସବୁ କ୍ଷେତ୍ରର ସାସ୍କୃତିକ ବିବର୍ତ୍ତନର ବିଶ୍ଳେଷଣ ଉପରେ ନିର୍ଭର କରେ । ତେବେ ଯାଯାବର ମଣିଷ ପ୍ରଥମେ କିଭଳି ଏଠାକୁ ଆସି ଏଠାରେ ବସତି ସ୍ଥାପନ କଲେ, ତାହା ଆଜି ଆଉ ଜାଣିବାର ଉପାୟ ନାହିଁ । ପୁଣି ନୃତାତ୍ତ୍ୱିକ ଏବଂ ପ୍ରତ୍ନତାତ୍ତ୍ୱିକ ଇତିହାସ ପ୍ରସ୍ତୁତି ତଥା ବିଶ୍ଳେଷଣ ନିମନ୍ତେ ଯେଉଁ ସବୁ ବୈଜ୍ଞାନିକ ପ୍ରମାଣ ଓ ଗବେଷଣା ଆବଶ୍ୟକ, ଏଠାରେ ତାହା ସମ୍ଭବ ହୋଇନାହିଁ । ଏ ପର୍ଯ୍ୟନ୍ତ ସମ୍ପର୍କରେ ସାମାନ୍ୟ ମାତ୍ର ନୃତାତ୍ତ୍ୱିକ ଗବେଷଣା କରାଯାଇଛି । ସ୍ୱାଧୀନତା ପୂର୍ବରୁ ଏ ବିଷୟରେ ସୌଖୀନ୍‌ ଗବେଷକମାନେ ସାମାନ୍ୟ ଗବେଷଣା ବ୍ୟକ୍ତିଗତ ଉଦ୍ୟମରେ କରିଛନ୍ତି । ଆଜି ଯେ ପରିସ୍ଥିତିର ସେଭଳି କୌଣସି ଉନ୍ନତି ହୋଇଛି, ତାହା ମଧ୍ୟ କୁହାଯାଇ ପାରୁନାହିଁ । ଫଳରେ ସଠିକ୍‌ ତଥ୍ୟ ଉପଲବ୍ଧ ହେବା ସମ୍ଭବ ହେଉନାହିଁ । ଏଠାର ସଂସ୍କୃତିର ଇତିହାସ ଜାଣିବାକୁ ହେଲେ ଆମକୁ ତେଣୁ ଇତସ୍ତତଃ ଭାବରେ ସଂଗୃହୀତ ତଥ୍ୟ, କିମ୍ୱଦନ୍ତୀ, ପୁରାବୃତ୍ତ, ଲୋକକଥା ଓ ଗୀତ, ସାମାଜିକ ରୀତି ନୀତି ଉପରେ ନିର୍ଭର କରିବାକୁ ପଡ଼ିବ ।

 

ନୃତତ୍ତ୍ୱବିତ୍‌ମାନେ ସଭ୍ୟତାର ବିବର୍ତ୍ତନ ସମ୍ପର୍କରେ ଅନୁସନ୍ଧାନ କରିବାକୁ ଯାଇ ଏହାକୁ ତିନୋଟି ସ୍ତରରେ ବିଭକ୍ତ କରିଛନ୍ତି । ପୁରାତନ ପ୍ରସ୍ତରଯୁଗ-ଯେଉଁଠି ମଣିଷ ମୁଖ୍ୟତଃ ଯାଯାବର ଥିଲା ଏବଂ ପଥର ସାହାଯ୍ୟରେ ଶିକାର କରି କୌଣସି ମତେ ନିଜର ଉଦର ପୂର୍ଣ୍ଣ କରୁଥିଲା । କଞ୍ଚାମାଂସ ଏବଂ ଫଳମୂଳ ଥିଲା ଏ ଯୁଗରେ ତା’ର ଆହାର । କୃଷି, ପଶୁପାଳନ କିମ୍ୱା ଗୃହ ନିର୍ମାଣ ପ୍ରଭୃତି ବ୍ୟବସ୍ଥା ତା’ର ନଥିଲା । ଆହାର ଅନ୍ୱେଷଣରେ ଦିନସାରା ଅରଣ୍ୟ ପରିକ୍ରମା ଏବଂ ରାତିରେ କୌଣସି ଗୁମ୍ପାରେ ଆଶ୍ରୟ ଗ୍ରହଣ ଏହା ହିଁ ଥିଲା ତା’ର ଦିନଚର୍ଯ୍ୟା । ଦ୍ୱିତୀୟ ପର୍ଯ୍ୟାୟରେ ସେ ପଥରରେ କୁରାଢ଼ି, ହାତୁଡ଼ି କୋଦାଳ ପ୍ରଭୃତି କିଛି ଅସ୍ତ୍ର ତିଆରି କରିବାକୁ ଶିଖିଲା । ଖାଦ୍ୟାନ୍ୱେଷଣରେ ଏହା ସହାୟକ ହେଲା । ଏହା ହେଉଛି ନୂତନ ପ୍ରସ୍ତର ଯୁଗ । ଏହା ପରେ ଆସିଲା ଲୌହଯୁଗ ଲୁହାରେ ନାନା ଉପକରଣ ପ୍ରସ୍ତୁତ ହେଲା । ଜୀବନ ଧାରଣର ମାନରେ କିଛି ଉନ୍ନତି ହେଲା ।

 

ପାହାଡ଼ ପର୍ବତରେ ଏଭଳି କିଛି ଗୁମ୍ପା ରହିଛି, ଯେଉଁଠି ଆଦିମାନବ ବସବାସ କରୁଥିବାର ପରିଚୟ ଛାଡ଼ିଯାଇଛି । ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଏ ଧରଣର କିଛି ଗୁମ୍ପା ରହିଛି । ମର୍ଟିମୋର ହୁଇଲର (Mortimer Wheeler) ଏବଂ ଇ.ସି. ଓରମାନ (E.C Woman) ପ୍ରଭୃତି ପ୍ରତ୍ନତତ୍ତ୍ୱବିତ୍‌ମାନେ ଭାରତରେ ନୂତନ ପ୍ରସ୍ତରଯୁଗର ସଂସ୍କୃତିର ସନ୍ଧାନ ପାଇଛନ୍ତି । ପୂର୍ବଭାରତରେ ଏହାର ଅବଶେଷ ଦେଖିବା ପରେ ସେମାନେ ସିଦ୍ଧାନ୍ତ କରିଛନ୍ତି ଯେ, ପଶ୍ଚିମ ୟୁରୋପୀୟ ରୀତିନୀତି ଏବଂ ନୂତନ ପ୍ରସ୍ତର ଯୁଗର ସଂସ୍କୃତି ଦୂର ପ୍ରାଚ୍ୟ ଏସିଆରୁ ବ୍ରହ୍ମପୁତ୍ର ଉପତ୍ୟକା ବାଟେ ଭାରତରେ ପ୍ରବେଶ କରିଛି । ଯଦିଓ ସେଠାରେ ପୁରାତନ ପ୍ରସ୍ତର ଯୁଗୀୟ ସଂସ୍କୃତିର ଚିହ୍ନମାନ ମିଳୁଛି ତେବେ ଏଠାରେ ସଠିକ୍ ଧରଣର ସଂସ୍କୃତି ପ୍ରଚଳିତ ଥିଲା, ତାହା ସଠିକ୍‌ ଭାବେ କହିବା ସମ୍ଭବ ହେଉନାହିଁ । ପୁଣି ବିଭିନ୍ନ ସମୟରେ ଏଠାରେ ବସବାସ କରିଥିବା ତାମ୍ର, ବ୍ରୋଞ୍ଜ ଓ ଲୌହଯୁଗର ଅଧିବାସୀମାନଙ୍କ ସମ୍ପର୍କରେ ପ୍ରାୟ କିଛି ବିବରଣୀ ଉପଲବ୍ଧ ହେଉ ନଥିବାରୁ ସେମାନଙ୍କର ସ୍ଥିତି ସମ୍ପର୍କରେ ମଧ୍ୟ ସନ୍ଦେହ ସୃଷ୍ଟି ହେଉଛି ।

 

ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳରୁ କେତେକ ପ୍ରସ୍ତର ନିର୍ମିତ ଉପକରଣର ସନ୍ଧାନ ମିଳିଥିବାରୁ ଏ ଅଞ୍ଚଳରେ ସେମାନେ ରହୁଥିବା କଥା ପ୍ରମାଣିତ ହେଉଛି । ବିଶେଷ କରି କଟକ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ନୂତନ ପ୍ରସ୍ତର ଯୁଗର କିଛି ଉପକରଣ ଉଦ୍ଧାର କରାଯାଇଛି ଅଥଚ ତାହା ପୂର୍ବର କଥା ଚିରକାଳ ପାଇଁ ଅଜ୍ଞାତ ରହିଯାଇଛି । ପୁରାତନ ପ୍ରସ୍ତରଯୁଗର ଶେଷ ଆଡ଼କୁ ମଣିଷ ପଥରରେ କଳାକୃତି ସୃଷ୍ଟି କରିବାର କୌଶଳ କିଛି ଶିଖିଯାଇଥିଲା । କଟକ ଜିଲ୍ଲାର ନରାଜ ଏବଂ ଝାରସୁଗୁଡ଼ାର ବିକ୍ରମଖୋଲ ପ୍ରଭୃତି ସ୍ଥାନରେ ଏହାର ଦୃଷ୍ଟାନ୍ତ ଦେଖିବାକୁ ମିଳୁଛି । ଏଥିରୁ ଅଙ୍କନ କଳାରେ ଆଦିମାନବର ରୁଚି ତଥା ପାରଦର୍ଶିତା ଏ ଉଭୟ ଜଣାଯାଇଥାଏ । ପ୍ରତ୍ନତତ୍ତ୍ୱବିତ୍‌ମାନେ ଦର୍ପଣୀ ତହସିଲ୍‌ ମହାବିନାୟକ ମନ୍ଦିର ନିକଟବର୍ତ୍ତୀ ବରୁଣିଆ ପାହାଡ଼ରୁ ପୁରାତନ ପ୍ରସ୍ତର ଯୁଗର କେତେକ ଅସ୍ତ୍ରଶସ୍ତ୍ର ଠାବ କରି ପାରିଛନ୍ତି । ତାହାର ଆଖପାଖ ଧାନମଣ୍ଡଳ, ସୁନାମୁଖୀ, ରାଣୀବଳି ପ୍ରଭୃତି ସ୍ଥାନରୁ ନୂତନ ପ୍ରସ୍ତଯୁଗର କେତେକ ଉପକରଣ ମିଳିଛି । ୧୮୭୬ରେ ଚୌଦ୍ୱାର ଅଞ୍ଚଳରୁ ଆଦିମଣିଷ ସେଠାରେ ବସବାସ କରୁଥିବାର କେତେକ ଉପକରଣ ଭି.ବଲ୍‌ (V. Ball) ନାମକ ଜଣେ ସୌଖୀନ୍‌ ଅନୁସନ୍ଧାନକାରୀଙ୍କ ଦ୍ୱାରା ଆବିଷ୍କୃତ ହୋଇଥିଲା । ଆଠଗଡ଼ ଅଞ୍ଚଳରୁ ମଧ୍ୟ ନୂତନ ପ୍ରସ୍ତରଯୁଗର କୁଠାର ମିଳିଛି ।

 

ମହାନଦୀ ଏବଂ ତାହାର ଶାଖାପ୍ରଶାଖାମାନେ ପଟୁ ବୋହିଆଣି ଏହାର ତ୍ରିକୋଣ ଭୂମି ନିର୍ମାଣ କରିଛନ୍ତି । ଏ ପର୍ଯ୍ୟନ୍ତ ଏ ଅଞ୍ଚଳରୁ ପ୍ରସ୍ତରଯୁଗୀୟ ଯେଉଁସବୁ ଉପକରଣ ମିଳିଛି, ତାହା ଏହି ଅଞ୍ଚଳର ବାହାରେ ହିଁ ମିଳିଛି । ପଟୁ ଅଞ୍ଚଳର ଠିକ୍‌ଧାରେ ଧାରେ ଧାରେ ଏସବୁ ମିଳିଛି । ହୁଏତ ନିକଟ ଭବିଷ୍ୟତ୍‌ରେ ପଟୁତଳୁ ଏ ସମ୍ପର୍କରେ ଅଧିକ ତଥ୍ୟ ମିଳି ଏ ଅଞ୍ଚଳର ଅଧିବାସୀଙ୍କ ସମ୍ପର୍କରେ ବିସ୍ତୃତ ଧାରଣା ଦେଇପାରିବ ।

 

ଦେଖିବାକୁ ଗଲେ ପ୍ରାଚୀନମୁଦ୍ରା, ଅଭିଲେଖ, ସ୍ତମ୍ଭ, ପ୍ରତିମା ପ୍ରଭୃତି ପ୍ରାଚୀନ ଦଲିଲ୍‌ ସବୁ ମଣିଷର ଇତିହାସ ଓ ତା’ର ସଂସ୍କୃତି ସମ୍ପର୍କରେ ଧାରଣା ଦେବା ପାଇଁ ପ୍ରଚୁର ପରିମାଣରେ ଉପାଦାନ ଧରିରଖିଛି । ଗଞ୍ଜାମ, ପୁରୀ, କଟକ, ବଲାଙ୍ଗୀର, କଳାହାଣ୍ଡି ଏବଂ ମୟୂରଭଞ୍ଜ ପ୍ରଭୃତି ଜିଲ୍ଲାରୁ ପ୍ରଚୁର ମୁଦ୍ରା ଆବିଷ୍କୃତ ହୋଇଛି । ଏସବୁ କନିଷ୍କ, ମୌର୍ଯ୍ୟ ଏବଂ କୁଷାଣ ଯୁଗର ବୋଲି ଚିହ୍ନିତ ହୋଇଛି । କୁଷାଣ ଏବଂ ଗୁପ୍ତମାନଙ୍କ ରାଜ୍ୟ ସହ ଓଡ଼ିଶାର ବାଣିଜ୍ୟିକ ସମ୍ପର୍କ ରହିଥିବା ବିଷୟ ଏଥିରୁ ଜଣାଯାଇଥାଏ । ଓଡ଼ିଶା କିନ୍ତୁ କୁଷାଣ କିମ୍ୱା ଗୁପ୍ତ ସାମ୍ରାଜ୍ୟର ଅନ୍ତର୍ଭୁକ୍ତ ହୋଇନଥିଲା । ସେହିଭଳି ଲଳିତଗିରି ଆଖପାଖରୁ ଖ୍ରୀଷ୍ଟଜନ୍ମର ନିକଟବର୍ତ୍ତୀ ସମୟର ଶିଳାଲେଖ ମିଳିଛି ।

 

ବିକ୍ରମଖୋଲ କଥା ପୂର୍ବରୁ ସୂଚିତ ହୋଇଛି । ତା’ନିକଟରେ ଅଛି ଉଲାପଗଡ଼ ନାମକ ଆଉ ଏକ ସ୍ଥାନ । ଏହାର ଗୁମ୍ଫା କାନ୍ଥରେ ଅଙ୍କିତ ଛବିଲିପି, ଛାପ ଓ ପ୍ରତିକୃତି ସହିତ ସୈନ୍ଧବ ଉପତ୍ୟକାର ହରପ୍ପା ଓ ମହେନ୍‌ଜୋଦାରୋ ଠାରେ ଭୂଗର୍ଭରୁ ଆବିଷ୍କୃତ ଛବିଲିପିଗୁଡ଼ିକର ସମ୍ପର୍କ ଅବଶ୍ୟ ଆବିଷ୍କୃତ ହୋଇ ପାରିନାହିଁ । ସିନ୍ଧୁସଭ୍ୟତା ଖ୍ରୀଷ୍ଟଜନ୍ମର ଅନ୍ତତଃ ସାତହଜାର ବର୍ଷ ପୂର୍ବର ବୋଲି ଅନୁମାନ କରାଯାଇଛି । ଏଠାରେ ଛବିଲିପି ସୁମେରିଆର ଛବିଲିପି ଓ କୀଳାଲିପି ଅପେକ୍ଷା ମଧ୍ୟ ପ୍ରାଚୀନ । ଏହି ଲିପିକୁ ସମସ୍ତ ଭାରତୀୟ ଲିପିର ଜନନୀ ବୋଲି କୁହାଯାଏ । ଏହାର ପରବର୍ତ୍ତୀ ଲିପି ହେଉଛି ଅଶୋକଙ୍କ ଅମଳର ଖରୋଷ୍ଠୀ ଏବଂ ବ୍ରାହ୍ମୀଲିପି । ମଧ୍ୟବର୍ତ୍ତୀ ପାଞ୍ଚ ସାତ ହଜାର ବର୍ଷର ଲିପିର ଇତିହାସ ପ୍ରାୟ ଅସ୍ୱଷ୍ଟ । ବିକ୍ରମଖୋଲର ଶିଳାଲିପି ଏହାର ଅନ୍ତବର୍ତ୍ତି ହୋଇପାରେ ।

 

ଝାରସୁଗୁଡ଼ାଠାରୁ ପ୍ରାୟ ୨୪କି.ମି ଦୂର ପଶ୍ଚିମରେ ଜଙ୍ଗଲ ମଧ୍ୟରେ ରହିଛି ବିକ୍ରମ ଆଧିପତ୍ୟ । ଏଠାରେ ଥିବା ପାହାଡ଼ର ନାମ ବିକ୍ରମଖୋଲ । ସେଠାରେ ଆଦିମାନବ ବସବାସ କରୁଥିବାର ପ୍ରମାଣ ମିଳୁଛି ଏବଂ ଏଠାରେ ୩୨ ଫୁଟ ଦୀର୍ଘ ଓ ୭ଫୁଟ ଓସାରର ଏକ ଶିଳାଲିପି ରହିଛି । ବିଶେଷଜ୍ଞମାନଙ୍କ ମତରେ ଏହା ଖ୍ରୀଷ୍ଟଜନ୍ମର ଅନ୍ତତଃ ଦୁଇ ତିନିହଜାର ବର୍ଷ ପୂର୍ବେ ଖୋଦିତ ହୋଇଥିଲା ଏବଂ ଏହି ଲିପିରୁ ବ୍ରାହ୍ମୀ ଓ ଫିନିସୀୟ ଲିପିର ଉଦ୍‌ଭବ ହୋଇଛି । ଏହାକୁ ସୈନ୍ଧବ ଓ ବ୍ରାହ୍ମୀ ଲିପିର ଅନ୍ତର୍ବର୍ତ୍ତୀ କାଳୀନ ବୋଲି କୁହାଯାଇପାରେ । ବିକ୍ରମଖୋଲଠାରୁ ପ୍ରାୟ ୧୬କି.ମି ଦୂରରେ ଅଛି ଉଲାପଗଡ଼ ନାମକ ଏକ ପାର୍ବତ୍ୟ ଦୁର୍ଗର ଭଗ୍ନାବଶେଷ ଏବଂ କେତେକ ପଥର କୁଣ୍ଡ ଆଉ ‘ଉଷାକୋଠି’ ନାମକ ଗୁମ୍ଫା । ଏ ଗୁମ୍ଫାରେ କେତେକ ଶିଳାଲିପି, ଶିଳାଚିତ୍ର ଏବଂ ହସ୍ତାଙ୍କ ଦେଖାଯାଏ । ଏହାର ସମୟ ଏ ପର୍ଯ୍ୟନ୍ତ ସ୍ଥିର ହୋଇନାହିଁ । ତେବେ ଏଥିରେ ସନ୍ଦେହ ନାହିଁ ଯେ, ଆଜିକୁ ଅନ୍ତତଃ ପାଞ୍ଚହଜାର ବର୍ଷ ପୂର୍ବେ ଏକ ସଭ୍ୟ ତଥା ଉନ୍ନତ ଜାତି ଏ ଅଞ୍ଚଳରେ ବସବାସ କରୁଥିଲେ । ସେମାନେ ଦୁର୍ଗନିର୍ମାଣ, ଯୁଦ୍ଧବିଦ୍ୟା ଓ ପଥରଖୋଦେଇ କାର୍ଯରେ ଧୁରନ୍ଧର ଥିଲେ । ସେମାନଙ୍କର ନିଜସ୍ୱ ଲିପି ଓ ଭାଷା ଥିଲା ଏବଂ ସେମାନେ ସୈନ୍ଧବ ଅବବାହିକାର ସଭ୍ୟ ଜାତିର ବଂଶଧର ଥିଲେ ।

 

ସେହିଭଳି ଅବିଭକ୍ତ ମଧ୍ୟପ୍ରଦେଶ, ଛତିଶଗଡ଼ର ରାୟଗଡ଼ ନିକଟସ୍ଥ ସିଂହନପୁର ଗ୍ରାମର ପାହାଡ଼ରେ ମନୁଷ୍ୟ, ପଶୁ ଓ ସରୀସୃପମାନଙ୍କର ବହୁ ଶିଳାଚିତ୍ର ଦେଖାଯାଏ । ଏଗୁଡ଼ିକ ପ୍ରାଚୀନ ପ୍ରସ୍ତର ଯୁଗର ଏବଂ ସିନ୍ଧୁ ସଭ୍ୟତା ତଥା ପ୍ରାଚୀନ କ୍ରୀଟ୍‌-ମେସୋପଟାମିଆ ସଭ୍ୟତା ସହ ସମ୍ପୃକ୍ତ । କେହି ଏହାକୁ ୫୦,୦୦୦ ବର୍ଷ ପୂର୍ବର ବୋଲି ମଧ୍ୟ କହନ୍ତି । କଳାହାଣ୍ଡି ଜିଲ୍ଲାର ଗୁଡ଼ହାଣ୍ଡି ପର୍ବତ ଦେହରେ ଥିବା ବିଶାଳ ଗରିଗହ୍ୱରରେ ଅଙ୍କିତ ଛବିଲିପିଗୁଡ଼ିକର ଐତିହାସିକ ଗୁରୁତ୍ୱ ଏ ପର୍ଯ୍ୟନ୍ତ ନିର୍ଦ୍ଧାରିତ ହୋଇପାରି ନାହିଁ । ତେବେ, ଏଥିରୁ ଗୋଟିଏ କଥା ଅତ୍ୟନ୍ତ ସ୍ପଷ୍ଟ ହେଉଛି, ମହାନଦୀ ଅବବାହିକା ଏବଂ ଏହାର ଆଖପାଖ ଅଞ୍ଚଳରେ ଅତୀତରେ ଏକ ଉନ୍ନତ ସଭ୍ୟତା ଗଢ଼ି ଉଠିଥିଲା । ହୁଏତ ନଦୀମାର୍ଗ ଦେଇ ଆଦିମ ମଣିଷ ଏ ଅଞ୍ଚଳକୁ ଆସି ବସବାସ କରିବାକୁ ଆରମ୍ଭ କରିଥିଲା ଏବଂ କ୍ରମେ ଏହାର ଆଖପାଖ ଅଞ୍ଚଳକୁ ନୂତନ ବସତି ସ୍ଥାପନ ଉଦ୍ଦେଶ୍ୟରେ ଯାଇଥିଲା ।

 

ଆହୁରି ତଳକୁ ମହାନଦୀ ଅବବାହିକାର ଶେଷପ୍ରାନ୍ତ ଅନୁଗୁଳ ନିକଟବର୍ତ୍ତୀ ଅଞ୍ଚଳରୁ ପ୍ରାଗୈତିହାସିକ ଯୁଗର ବହୁ ଉପାଦାନ ଭୂଗର୍ଭରୁ ଆବିଷ୍କୃତ ହୋଇ ମହାନଦୀ ତୀରେ ତୀରେ ଆଦିମାନବର ଉପକୂଳ ଅଞ୍ଚଳ ଆଡ଼କୁ ଯାତ୍ରା ସମ୍ପର୍କରେ ସୂଚନା ଦେଉଛି । ସେହିଭଳି ମହାନଦୀ ତ୍ରିକୋଣ ଭୂମିର ଶୀର୍ଷବିନ୍ଦୁ ନରାଜର ମଧ୍ୟ ପ୍ରତ୍ନତାତ୍ତ୍ୱିକ ମହତ୍ତ୍ୱ ରହିଛି । ମହାନଦୀ ଦକ୍ଷିଣ କୂଳର ପାହାଡ଼ ଉପରେ ସିଦ୍ଧେଶ୍ୱର ମହାଦେବଙ୍କର ଯେଉଁ ମନ୍ଦିର ରହିଛି, ତାହା ପ୍ରଥମେ ଏକ ଗୁମ୍ଫା ଥିଲା ବୋଲି ଜଣାଯାଉଛି । ମନ୍ଦିରଠାରୁ ମାତ୍ର କେଇ ମିଟର ଦୂରରେ ଗୋଟିଏ ଶିଳାଲେଖ ରହିଛି ଏବଂ ଏହା ଉପରେ ତିନୋଟି ପୂର୍ଣ୍ଣ ଅକ୍ଷର ତଥା ଗୋଟିଏ ଅର୍ଦ୍ଧାକ୍ଷର ଖୋଦିତ ହୋଇଛି । ଏ ସମ୍ପର୍କରେ ଲୋକମୁଖରେ ଶୁଣାଯାଏ ବେଶ୍‌ ଏକ ରୋମାଞ୍ଚକର କାହାଣୀ । ଅତୀତରେ ଏହିଠାରେ ମହାନଦୀରେ ସାତୋଟି ସୁନାବୋଝେଇ ନୌକା ବୁଡ଼ାଇ ଦିଆଯାଇଥିଲା ଏବଂ ଶିଳାଲେଖରେ ନୌକା ଡ଼ୁବୀର ପ୍ରକୃତସ୍ଥାନ ସମ୍ପର୍କରେ ସୂଚନା ରହିଛି । ଯେଉଁ ଲୋକ ଲିପିର ପାଠୋଦ୍ଧାର କରିପାରିବ, ସେ ହେବ ସାତଟି ସୁନାବୋଝେଇ ନୌକାର ଅଧିକାରୀ । କାହାଣୀର ବିବରଣୀରୁ ଏହା ସ୍ପଷ୍ଟ ହେଉଛି ଯେ, ଘଟଣାଟି ସଭ୍ୟତା ଓ ସଂସ୍କୃତିର ଅଗ୍ରଗତି ଘଟିସାରିବା ପରର ଏବଂ ଆଦି-ମାନବ ସହିତ ଏହାର କୌଣସି ସମ୍ପର୍କ ନାହିଁ । ତେବେ ସଂପୃକ୍ତ ଅଞ୍ଚଳଟି ଯେ ଦୂରଅତୀତରେ ସମୃଦ୍ଧିର ଚରମ ସୀମାରେ ପହଞ୍ଚିଥିଲା, ଏହି ବିଷୟ ସୂଚାଇବାକୁ କାହାଣୀଟିକୁ ଉଦ୍ଧାର କରାଗଲା । ମହାନଦୀ ତୀରେ ତୀରେ ସଭ୍ୟତା ଓ ସଂସ୍କୃତିର ଯେଉଁ ପ୍ରସାର ଘଟୁଥିଲା, ଘଟଣାଟି ତାହାର ମଧ୍ୟ ସୂଚକ ।

 

ମହାମିଳନର ପୀଠ :–ମହାନଦୀ ଅବବାହିକାରେ ଆର୍ଯ୍ୟମାନେ ପ୍ରବେଶ କରିବା ପୂର୍ବରୁ ଆଦିବାସୀମାନେ ସେଠାରେ ବସବାସ କରି ରହିଥିଲେ । ଛତିଶଗଡ଼ଆଡ଼ୁ ସେମାନଙ୍କର ଆଗମନ ହୋଇଥିବାର ଅନୁମାନ କରାଯାଇପାରେ । ତେବେ ସେମାନଙ୍କ ଆସିବାର ପ୍ରକୃତ ସମୟ ଜାଣିବାର ଏବେ ଆଉ କୌଣସି ଉପାୟ ନାହିଁ । ଆର୍ଯ୍ୟମାନେ ଏଠାକୁ ଆସିବା ପରେ ଅଣଆର୍ଯ୍ୟମାନେ ଦୂରକୁ ଅପସରି ଯାଇଥିଲେ ମଧ୍ୟ କ୍ରମଶଃ ଦୁଇଗୋଷ୍ଠୀ ମଧ୍ୟରେ ଯୋଗାଯୋଗ ସ୍ଥାପିତ ହୋଇଥିଲା । ଅନ୍ୟାନ୍ୟ-ନିର୍ଭରଶୀଳତା ମଧ୍ୟ ବଢ଼ିଥିଲା । ଆର୍ଯ୍ୟ ପ୍ରଭାବରେ ଆଦିବାସୀ ଜୀବନଧାରାର ପରିବର୍ତ୍ତନ ଘଟିଲା । ଉତ୍କଳଖଣ୍ଡର ଆର୍ଯ୍ୟୀକରଣ ସହିତ ଆଦିବାସୀମାନେ ମଧ୍ୟ ବଦଳୁଥିଲେ ।

 

ଗାଙ୍ଗେୟ ଉପତ୍ୟକାର ଆର୍ଯ୍ୟଗୋଷ୍ଠୀ ନୂତନ ଭୂଖଣ୍ଡର ଅନୁସନ୍ଧାନରେ ଅଥବା ନିଜର ଅଧିକାରକୁ ବିସ୍ତୃତ କରିବା ଲକ୍ଷ୍ୟରେ ଏହି ବ୍ରାତ୍ୟଭୂମିରେ ପ୍ରବେଶ କରିଥିଲେ । ଆଶା କରାଯାଉଛି ଯେ, ମନୁଙ୍କର ଘୋଷଣା ପୂର୍ବରୁ ହିଁ ସେମାନେ ଏଠାକୁ ଆସିଯାଇଥିଲେ । କିମ୍ବା ହୁଏତ ମନୁ-ବାଦୀ ବ୍ୟବସ୍ଥାର ବିରୁଦ୍ଧରେ ପ୍ରତିବାଦ ଜଣାଇ ସେମାନେ ଏଠାକୁ ଆସିଥିଲେ । ଆଦିବାସୀ ସଂସ୍କୃତି ସହ ପରିଚିତ ହେବା ଫଳରେ ଏହାର ଭିତ୍ତି ଉପରେ ହିଦୁଜାତିର ମହାନ୍‌ ସାଂସ୍କୃତିକ ସୌଧ ଗଢ଼ିଉଠିଲା-। ଉତ୍କଳ ହେଲା ଏଇ ମହାମିଳନର ମହାନ୍‌ କ୍ଷେତ୍ର । ରକ୍ତରେ ଯେ ମିଶ୍ରଣ ଘଟିଲା ନାହିଁ, ଏଭଳି ନୁହେଁ । ଏଭଳି ଘଟଣାକୁ ଏଡ଼୍‌ୱାର୍ଡ଼ ଗେଟ୍‌ (Adward) "Strain of Aryan blood" ବୋଲି କହିଛନ୍ତି । ନୃତାତ୍ତ୍ୱିକ ଦୃଷ୍ଟିରୁ ଘଟଣାଟି ଗୁରୁତ୍ୱପୂର୍ଣ୍ଣ । ଧର୍ମ ଓ ଭାଷା କ୍ଷେତ୍ରରେ ଯେଉଁ ଆଦାନ ପ୍ରଦାନ ଘଟିଲା ତାହା ସାଂସ୍କୃତିକ କ୍ଷେତ୍ରକୁ ବିଶେଷ ଭାବରେ ପ୍ରଭାବିତ କଲା ।

 

ସାନ୍ତାଳ ଭୂୟାଁ ପ୍ରଭୃତି କେତୋଟି ଶକ୍ତିଶାଳୀ ଗୋଷ୍ଠୀ ଆର୍ଯ୍ୟମାନଙ୍କ ଘନିଷ୍ଠ ସମ୍ପର୍କରେ ଆସି ଆର୍ଯ୍ୟ ସଂସ୍କୃତି ଦ୍ୱାରା ବିଶେଷ ଭାବରେ ପ୍ରଭାବିତ ହୋଇ ପଡ଼ିଲେ । ଉନବିଂଶ ଶତକରେ ଶେଷପାଦରେ କେନ୍ଦୁଝରରେ ହୋଇଥିବା ଭୂୟାଁ ମେଳିର ନେତା ଧରଣୀଧର ହେଉଛନ୍ତି ସେ ସମୟର ସର୍ଭେ ସ୍କୁଲର ଛାତ୍ର । ପରିବର୍ତ୍ତନ, ଆଦାନପ୍ରଦାନ କିନ୍ତୁ ଉଭୟମୁଖୀ ଥିଲା । ଆର୍ଯ୍ୟ ଗୋଷ୍ଠୀ ପ୍ରଥମେ ଦ୍ରାବିଡ଼ ଗୋଷ୍ଠୀର ଭାଷା ତଥା ସଂସ୍କୃତି ଦ୍ୱାରା ପ୍ରଭାବିତ ହୋଇ ସେମାନଙ୍କୁ ମଧ୍ୟ ପ୍ରଭାବିତ କଲେ । ଦୃଷ୍ଟାନ୍ତ ସ୍ୱରୂପ ଅଷ୍ଟ୍ରୋ-ଏସୀୟ ଗୋଷ୍ଠୀର ମାତୃପ୍ରଧାନ ସମାଜ ଯାହାକି କେତେକାଂଶରେ ଦ୍ରାବିଡ଼ ଗୋଷ୍ଠୀର ସାମାଜିକ ଚଳଣିର ଅନ୍ତର୍ଭୁକ୍ତ ଥିଲା ଏବଂ ବିଶେଷ ଭାବରେ ମଙ୍ଗୋଲୀୟମାନଙ୍କ ରୀତି ଥିଲା, ତହିଁରୁ ହିନ୍ଦୁ ଧର୍ମର ଶକ୍ତିପୂଜାର ସୃଷ୍ଟି ହେଲା ବୋଲି କୁହାଯାଇପାରେ । ସମଲାଈଙ୍କଠାରୁ ଆରମ୍ଭ କରି ମହାନଦୀର ଗତିପଥରେ ପାଟଣେଶ୍ୱରୀ, ବିନିକେଈ, ଭଟ୍ଟାରିକା, ଚର୍ଚ୍ଚିକା, ଚଣ୍ଡୀ ପ୍ରଭୃତି ଯେତେ ମାତୃଦେବୀଙ୍କର ପୂଜା ଅର୍ଚ୍ଚନା ଆରମ୍ଭ ହେଲା, ସେ ସବୁକୁ ଏହାରି ପ୍ରଭାବ ବୋଲି କୁହାଯାଇପାରେ । ସେମିତି ଶୈବଧର୍ମର ଲିଙ୍ଗ ପୂଜା ମଧ୍ୟ ଅଷ୍ଟ୍ରୀୟଗୋଷ୍ଠୀର ଲିଙ୍ଗ ଉପାସନା ରୀତି ଏବଂ ସ୍ମୃତିସ୍ତମ୍ଭ ରୂପେ ପଥରଖଣ୍ଡ ସ୍ଥାପନ ରୀତିଦ୍ୱାରା ପ୍ରଭାବିତ । ଓଡ଼ିଶାର କୋହ୍ଲ ଜାତି ଅଷ୍ଟ୍ରୀୟଗୋଷ୍ଠୀର ଅନ୍ତର୍ଭୁକ୍ତ ନହେଲେ ମଧ୍ୟ ମୃତ ଆତ୍ମୀୟଙ୍କ ସ୍ମୃତିଉଦ୍ଦେଶ୍ୟରେ ପଥରଖଣ୍ଡ ସ୍ଥାପନ କରିବାର ରୀତି ଅନୁସରଣ କରନ୍ତି । ଫକିରମୋହନ ସେନାପତି ତାଙ୍କର ଆତ୍ମଚରିତରେ ଏହି ଘଟଣାର ସ୍ମୃତି ବର୍ଣ୍ଣନା କରିଛନ୍ତି । କୋହ୍ଲମାନେ ମୃତ ଦେହକୁ ପୋତି ତା ଉପରେ ଖଣ୍ଡିଏ ପଥର ଖୁମ୍ବ ପୋତି ଦେଉଥିଲେ । ଉଦ୍ଦେଶ୍ୟ-ତା’ଉପରେ ବସି ପିତୃଲୋକ ଗ୍ରାମର ମଙ୍ଗଳ କାମନା କରିବେ । ଶ୍ରାଦ୍ଧ ଅବସରରେ ଏହି ପଥର ପୋତାଯାଏ ଏବଂ ହାତକୁ ପଇସା ଆସିଲେ ହିଁ ଶ୍ରାଦ୍ଧ ହୁଏ । ଏଥିପାଇଁ କୌଣସି ସମୟ ନିର୍ଦ୍ଦିଷ୍ଟ ନ ଥାଏ । ନୃତତ୍ତ୍ୱବିତ୍‌ ଜାଂ ରଜୀଲୁସ୍‌କି (Jean Przyluski) କହନ୍ତି । ‘‘The Phallic Cults of which we Know the importance in the ancient religions of Indo Chaina, are generally considered to have been derived from Indian Saivism. It is more Probable that the Aryans have borrowed from aborigines of India the Cult of Linga as well as the name of the idol.’’ ରଜୀଲୁସ୍‌କାଙ୍କ ମତରେ ଇଣ୍ଡୋଚୀନ ଗୋଷ୍ଠୀର ଶୈବ ଉପାସନା ଭାରତୀୟ ଶୈବ ଧର୍ମରୁ ଗୃହୀତ ଏବଂ ଆର୍ଯ୍ୟମାନେ ଏହାକୁ ଆଦିବାସୀମାନଙ୍କଠାରୁ ଗ୍ରହଣ କରିଛନ୍ତି । ଧର୍ମ କ୍ଷେତ୍ରର ଏହି ପ୍ରଭାବ କିଭଳି ଉଭୟମୁଖୀ ତାହା ଏଥିରୁ ପ୍ରମାଣିତ ।

 

ଗୋଡ଼ିପଥରରେ ଯେ କୌଣସି ଦୈବୀସତ୍ତା ଥାଇପାରେ, ଆର୍ଯ୍ୟମାନେ ଏହି ତତ୍ତ୍ୱରେ ବିଶ୍ୱାସ କରୁନଥିଲେ । ସେମାନେ ପ୍ରଥମରୁ ଅଗ୍ନି ଉପାସକ ଥିଲେ । ମାତ୍ର ପରବର୍ତ୍ତୀ କାଳରେ ଅଷ୍ଟ୍ରୋଏସୀୟମାନଙ୍କଠାରୁ ଏହି ପଦ୍ଧତିକୁ ଗ୍ରହଣ କରିନେଲେ । ପଥରକୁ କେନ୍ଦ୍ରକରି ପରେ ଯେଉଁ କର୍ମକର୍ମାଣି ସବୁ ପ୍ରଚଳିତ ହେଲା, ସେ ସବୁ ଭାରତୀୟ ସଂସ୍କୃତିକୁ ଏମାନଙ୍କର ଦାନ । ପଥରକୁ ପୋତିବାର ବା ସମାଧି ଦେବାର ଏକ ରୀତି ସେମାନଙ୍କର ଅଛି । ପରବର୍ତ୍ତୀକାଳରେ ହିନ୍ଦୁ ସମାଜର ମୃତ୍ୟୁପରେ ପିଣ୍ଡକୁ ନେଇ ଯେଉଁ କର୍ମବିଧି (Rituals)ର ପ୍ରଚଳନ ହେଲା ତା’ର ମୂଳ ଏଇଠି । ଅଷ୍ଟ୍ରୀକ୍‍ମାନେ ସେମାନଙ୍କ କପାଳରେ ବଳିର ରକ୍ତ ଲେପନ କରନ୍ତି । ହିନ୍ଦୁ ସମାଜର ସିନ୍ଦୂର ପିନ୍ଧିବା ପ୍ରଥା ଏହାରି ଅନୁସରଣରେ ସୃଷ୍ଟି ହୋଇଛି ବୋଲି ବିଶେଷଜ୍ଞମାନେ କହନ୍ତି । ପ୍ରଥା ବିନିମୟର ଏ ଯେଉଁ ଦୃଷ୍ଟାନ୍ତ ସବୁ ରହିଛି, ତହିଁରୁ ଏହା ପ୍ରମାଣିତ ହେବ ଯେ, ଗୋଟିଏ ସଂସ୍କୃତିର ବିଚାରକୁ ଅନ୍ୟ ଉପରେ ଲଦି ଦିଆଯିବାର ପ୍ରୟାସ କଦାପି କରାଯାଇନାହିଁ । ବରଂ ଏହା ଦୁଇ ତରଫର ଏକ ସମନ୍ୱୟାତ୍ମକ ପ୍ରଚେଷ୍ଟା ।

 

ମଙ୍ଗୋଲୀୟ ସଂସ୍କୃତିର ପ୍ରଭାବ ସମ୍ପର୍କରେ ଭାଷାତତ୍ତ୍ୱବିତ୍‌ ସୁନୀତି କୁମାର ଚାଟାର୍ଜୀ କହନ୍ତି, ପୌରାଣିକ ବିଶ୍ୱାସ, ଯୋଗ ଏବଂ କର୍ମ କାଣ୍ଡ (Rituals) ମଧ୍ୟରୁ ସୃଷ୍ଟ ହିନ୍ଦୁଧର୍ମର ତାନ୍ତ୍ରିକ ଧର୍ମଧାରା ମଙ୍ଗୋଲୀୟଧର୍ମ ବିଶ୍ୱାସ ମଧ୍ୟରୁ ଏହାର ଅନ୍ତିମ ପ୍ରେରଣା ଗ୍ରହଣ କରିଛି । ପୁଣି ମଙ୍ଗୋଲୀୟମାନଙ୍କର ବିବାହ, ଛାଡ଼ପତ୍ର ଇତ୍ୟାଦିରେ ରକ୍ଷଣଶୀଳ ହିନ୍ଦୁସମାଜ ଅପେକ୍ଷା ନାରୀମାନଙ୍କର ସ୍ୱାଧୀନତା ଅଧିକ ବାମାଚାର-ତାନ୍ତ୍ରିକତାର କେତେକ ଆଚାର-ବିଚାର ମୂଳ ଭାରତୀୟ-ମଙ୍ଗୋଲୀୟ ଜୀବନଧାରା ମଧ୍ୟରେ ରହିଛି । (ଅନୁବାଦ-The Cultural Heritage of India, Vol.I)

 

ପ୍ରବହମାନ ସଂସ୍କୃତିର ଧାରା :–ଏହିଭଳି ଦେଖିବାକୁ ଗଲେ ଜଣାଯିବ ଯେ, ସମନ୍ୱିତ ଉତ୍କଳୀୟ ସମାଜର ବିବର୍ତ୍ତନ ମହାନଦୀ ଏବଂ ତା’ର ଶାଖା ପ୍ରଶାଖାମାନଙ୍କୁ କେନ୍ଦ୍ରକରି ହିଁ ସଂଘଟିତ ହୋଇଛି । ଅବଶ୍ୟ ବିବର୍ତ୍ତନର ଏହି ପ୍ରକ୍ରିୟା ସାରା ଭାରତରେ ଚାଲିଥିଲା । ମଙ୍ଗୋଲୀୟ ଏବଂ ଆର୍ଯ୍ୟ ଗୋଷ୍ଠୀ ମଧ୍ୟରେ ଆଚାର-ବିଚାରଗତ ଯେଉଁ ସାମ୍ୟ ରହିଥିଲା, ତାହାର ଦୃଷ୍ଟାନ୍ତ ରୂପେ ଆସାମର ଲୋକଗୀତରୁ ଉପଲବ୍ଧ ନିମ୍ନ କାହାଣୀଟିକୁ ପରୀକ୍ଷା କରି ଦେଖାଯାଇପାରେ । ସେଥିରେ ଦୁଇ ବୋଡ଼ୋ ଆଦିବାସୀଗୋଷ୍ଠୀ ଦିମାସ୍‌ କାଚାରି ଏବଂ ବୋଡ଼ୋ କାଚାରି ପରସ୍ପରଠାରୁ କିଭଳି ପୃଥକ୍‌ହେଲେ ତାହାର ବିବରଣୀ ରହିଛି । ସେମାନଙ୍କ ରାଜା ଥରେ ଜଣେ ଶକ୍ତିଶାଳୀ ଆକ୍ରମଣକାରୀଠାରୁ ପରାସ୍ତ ହୋଇ ସୈନ୍ୟ ସାମନ୍ତ ନେଇ ପଳାଇଯାଉଥିବା ବେଳେ ହଠାତ୍‌ ମାର୍ଗରେ ଏକ ନଦୀ ଭେଟନ୍ତି । ତାକୁ ପାରିହେବା ସହଜ ନଥିଲା । ନିରୁପାୟ ରାଜା ସେଠାରେ ଜୀବନମରଣର ଶେଷ ସଂଗ୍ରାମରେ ଲିପ୍ତ ହେବା ନିମନ୍ତେ ନିଜକୁ ପ୍ରସ୍ତୁତ କରି ଅପେକ୍ଷା କରନ୍ତି । ସେଦିନ ରାତିରେ ଜଣେ ଦେବତା ତାଙ୍କୁ ସ୍ୱପ୍ନରେ ଦେଖାଦେଇ କହନ୍ତି ଯେ, ସେ ନଦୀର ଗୋଟିଏ ନିର୍ଦ୍ଦିଷ୍ଟ ସ୍ଥାନରେ ସୈନ୍ୟସାମନ୍ତ ନେଇ ନିରାପଦରେ ପାରି ହୋଇଯାଇ ପାରନ୍ତି । ଗୋଟିଏ ସାରସ ପକ୍ଷୀ ସେହି ସ୍ଥାନଟିକୁ ତାଙ୍କୁ ଚିହ୍ନାଇ ଦେବ । ତେବେ ସର୍ତ୍ତ ହେଲା, ପାଣିରେ ଥିଲାବେଳେ କେହି ଯେମିତି ପଛକୁ ନ ଅନାନ୍ତି । ପରଦିନ ସକାଳୁ ସ୍ୱପ୍ନର ନିର୍ଦ୍ଦେଶ ମତେ ସାରସ ଚିହ୍ନିତ ସ୍ଥାନରେ ସସୈନ୍ୟ ରାଜା ନଦୀ ପାର ହୋଇଯାଆନ୍ତି । ତେବେ ଜଣେ ସୈନ୍ୟ ତା’ର ପୁଅ ଠିକ୍‌ଭାବେ ନଦୀ ପାର ହେଉଛି କି ନାହିଁ, ଏହା ଜାଣିବାକୁ ପଛକୁ ଚାହିଁଦିଏ । ସେଇ ମୁହୂର୍ତ୍ତରେ ପ୍ରବଳ ବନ୍ୟା ଆସି ପାଣି ଭିତରର ସମସ୍ତ ସୈନ୍ୟଙ୍କୁ ଭସାଇନିଏ । ସୈନ୍ୟ ବାହିନୀର ଗୋଟିଏ ଅଂଶ ମଧ୍ୟ ନଦୀର ଆରକୂଳରେ ଅଟକି ଯାଆନ୍ତି । ଏହି ଭଳି ଯେଉଁମାନେ ନଦୀ ପାରି ହୋଇଗଲେ, ସେମାନେ ପରିଚିତ ହୁଅନ୍ତି ଦିମାସ୍‌ କାଚାରି ଗୋଷ୍ଠୀ ରୂପେ ।

 

ଆସାମର ଏହି ଲୋକକାହାଣୀ ସହିତ ତୁଳନା କରାଯାଇପାରେ ଓଡ଼ିଶାର ଏହି ଅତି ଜଣାଶୁଣା ଲୋକକାହାଣୀଟିକୁ । ସମୟ ହେଉଛି ଷୋଡ଼ଶ ଶତକ । କାଞ୍ଚିଯୁଦ୍ଧରେ ବିଜୟୀ ପୁରୁଷୋତ୍ତମ ଦେବ ନିଜ ସୈନ୍ୟସାମନ୍ତ ଏବଂ ପଦ୍ମାବତୀଙ୍କୁ ନେଇ ଫେରୁଛନ୍ତି । ହଠାତ୍‌ ସମ୍ବାଦ ମିଳିଲା କାଞ୍ଚିରାଜା ସାଲ୍ୱ ନରସିଂହ, ବିଶାଳ ଏକ ସୈନ୍ୟବାହିନୀ ନେଇ ଉତ୍କଳୀୟ ଗଜପତିଙ୍କ ସହିତ ଶେଷ ଯୁଦ୍ଧ କରିବାକୁ ଧାଇଁ ଆସୁଛନ୍ତି । ବିଜୟଗର୍ବରେ ଉତ୍‌ଫୁଲ୍ଲ ଗଜପତି ବାହିନୀକୁ ଶୃଙ୍ଖଳିତ କରି ଯୁଦ୍ଧ ନିମନ୍ତେ ପ୍ରସ୍ତୁତ କରିବା ପାଇଁ ସମୟ ନଥାଏ । ଗଜପତି କିଂକର୍ତ୍ତବ୍ୟବିମୂଢ଼ ହୋଇପଡ଼ନ୍ତି । ତେବେ ତାଙ୍କ ସହିତ ଥିଲେ ତାନ୍ତ୍ରିକ ପଣ୍ଡିତ ଗୋଦାବର ମିଶ୍ର । ସୈନ୍ୟବାହିନୀ ସେତେବେଳେ ଗୋଦାବରୀ ତୀରରେ । ପଣ୍ଡିତ ସସୈନ୍ୟ ଗଜପତିଙ୍କୁ ନଦୀ ଅତିକ୍ରମ କରିବା ନିମନ୍ତେ ଆଦେଶ ଦେଇ ନିଜେ ନଦୀ ଭିତରେ ମନ୍ତ୍ରଜପ ଆରମ୍ଭ କରନ୍ତି । ନଦୀ ସେତେବେଳେ ପ୍ରାୟ ଶୁଷ୍କ । ତେଣୁ ଅନତିବିଳମ୍ବେ ଗଜପତି ବାହିନୀ ନିରାପଦରେ ଅନ୍ୟ ତଟରେ ପହଞ୍ଚିଯାଆନ୍ତି । ଏତିକିବେଳେ ଦେଖା ଦିଅନ୍ତି କାଞ୍ଚିବାହିନୀ । ଉତ୍କଳୀୟ ସୈନ୍ୟଙ୍କୁ ଦେଖି ସେମାନେ ନଦୀ ଅତିକ୍ରମ କରିବ ନିମନ୍ତେ ତା’ଭିତରକୁ ପଶିଯାଆନ୍ତି । ଗୋଦାବରଙ୍କର ଜପ ଚାଲିଥାଏ । କାଞ୍ଚିବାହିନୀର ଶେଷ ସୈନ୍ୟଜଣକ ନଦୀଭିତରକୁ ପଶିଯିବା ମାତ୍ରେ ଅଚାନକ ନଦୀରେ ମାଡ଼ିଆସେ ପ୍ରଚଣ୍ଡ ବନ୍ୟା । କାଞ୍ଚି ସେନା ସେଇ ସ୍ରୋତରେ ଭାସିଯାଆନ୍ତି । ରାଜାଙ୍କ ଆଦେଶରେ ମିଶ୍ରଙ୍କୁ ପାଣି ଭିତରକୁ ଉଠାଇନେବା ମାତ୍ରକେ ବନ୍ୟା ବନ୍ଦ ହୋଇଯାଏ । ଗଜପତି ବାହିନୀ ଆକସ୍ମିକ ବିପଦରୁ ରକ୍ଷା ପାଇଯାଆନ୍ତି ।

 

ଉଭୟ କାହାଣୀର ସାମଞ୍ଜସ୍ୟ ଲକ୍ଷ୍ୟ କରାଯାଇପାରେ । ଆସାମ କାହାଣୀରେ ପଛକୁ ନ ଅନାଇବାରେ ଯେଉଁ ସର୍ତ୍ତ ରହିଛି, ତାହାର ସମାନ୍ତର ରୂପ ଏଠାରେ ସାକ୍ଷୀଗୋପାଳ କାହାଣୀରେ ମିଳିବ । ଦୈବୀକୃପା ଉଭୟ କ୍ଷେତ୍ରରେ ରାଜାଙ୍କର ସହାୟକ ହୋଇଛି । ଗୋଟିଏ ସ୍ଥାନରେ ଦେବତା ନିଜେ ସାହାଯ୍ୟ କରିଛନ୍ତି । ଅନ୍ୟତ୍ର ତନ୍ତ୍ରବିଦ୍ୟାର ସହୟତା ମିଳିଛି । ଭାରତୀୟ ସଂସ୍କୃତି ଯେ ଗୋଟିଏ ସମୟରେ ଜଳନିର୍ଭର (Hydrolic) ଥିଲା ଏଥିରୁ ତାହାର ପ୍ରମାଣ ମିଳୁଛି-

 

ଭାଷା କ୍ଷେତ୍ରରେ ଆଦାନ-ପ୍ରଦାନ :–ଉଭୟଗୋଷ୍ଠୀ ମଧ୍ୟରେ ଭାଷା କ୍ଷେତ୍ରରେ ଯେଉଁ ଦିଆନିଆ ହୋଇଥିଲା ଭାଷାତତ୍ତ୍ୱବିତ୍‌ମାନେ ତାହାର ସୂତ୍ର ମଧ୍ୟ ଖୋଜି ବାହାର କରିଛନ୍ତି । ଆଦିବାସୀ ଗୋଷ୍ଠୀର ଭାଷା ଦ୍ରାବିଡ଼ ଭାଷା ପ୍ରଭାବିତ ଥିଲା । ତେବେ ସେମାନଙ୍କର କୌଣସି ଗୋଷ୍ଠୀର ଲିପି ନଥିଲା । କିମ୍ବା ଯଦି ସେମାନେ କୌଣସି ଛବିଲିପି ବ୍ୟବହାର କରୁଥିବେ, ତାହା ବିଷୟରେ ଆଉ ଜାଣିବାର ବାଟ ନାହିଁ । ବିକ୍ରମ ଖୋଲ ଲିପିର ପାଠୋଦ୍ଧାର ହୋଇପାରିଲେ ହୁଏତ ଏ ବିଷୟରେ କିଛି ଜଣାଯାଆନ୍ତା । ଏବେ ଓଡ଼ିଶାର ଆଦିବାସୀମାନେ ଓଡ଼ିଆ ଭାଷାକୁ ଗ୍ରହଣ କରିନେବା ପାଇଁ ଆଗ୍ରହୀ । ନିଜଭାଷାରେ ଶିକ୍ଷାଦାନକୁ ମଧ୍ୟ ସେମାନେ ପ୍ରତ୍ୟାଖ୍ୟାନ କରୁଛନ୍ତି । ନିଜ ଭାଷାର ଶିକ୍ଷା ସେମାନଙ୍କୁ ପ୍ରଗତିର ମୂଳସ୍ରୋତ ପାଖରୁ ଦୂରେଇ ନେବ ବୋଲି ସେମାନଙ୍କର ଆଶଙ୍କା । ଅବଶ୍ୟ ଇତି ମଧ୍ୟରେ ସାନ୍ତାଳୀ ଭାଷା ପାଇଁ ଅଲ୍‌ଚିକି ନାମକ ଲିପିର ଉଦ୍ଭାବନ କରାଯାଇଛି, ରଘୁନାଥ ମୁର୍ମଙ୍କ ଦ୍ୱାରା । କନ୍ଧ (କୁଇ), ମୁଣ୍ଡା (ମୁଣ୍ଡାରୀ), ସାନ୍ତାଳ (ସାନ୍ତାଳୀ), ଗଣ୍ଡ (ଗୋଣ୍ଡୀ) ପ୍ରଭୃତି ଗୋଷ୍ଠୀର ଭାଷା ରହିଛି । ବଣ୍ଡା, ଗଦବା, ଶବର, ପରଜା ପ୍ରଭୃତିଙ୍କର ଭାଷାରେ ତେଲୁଗୁ ଭାଷାର ପ୍ରଭାବ ଅଧିକ । ଏହି ଭାଷା ମଧ୍ୟରୁ କେତେକ ଦ୍ରାବିଡ଼ଗୋଷ୍ଠୀର, ଆଉ କେତେକ ଅଷ୍ଟ୍ରୀୟଗୋଷ୍ଠୀର । ତେବେ ଏ ସବୁ ଭାଷାରେ ସ୍ଥାନୀୟ ଭାଷାର ଉଲ୍ଲେଖଯୋଗ୍ୟ ପ୍ରଭାବ ପଡ଼ିଥିବାର ଲକ୍ଷ୍ୟ କରାଯାଇପାରେ ।

 

ଏହି ପ୍ରସଙ୍ଗରେ ମହାନଦୀ ଅବବାହିକାରେ ବାସ କରୁଥିବା ଆଦିବାସୀ ଗୋଷ୍ଠୀମାନଙ୍କ ସମ୍ପର୍କରେ ସଂକ୍ଷେପରେ ଆଲୋଚନା କରାଯାଇପାରେ ।

 

ଆଦିବାସୀ ଗୋଷ୍ଠୀ ଏବଂ ସେମାନଙ୍କର ସଂସ୍କୃତି :–ଓଡ଼ିଶା ଏକ ଆଦିବାସୀ ବହୁଳ ରାଜ୍ୟ ହୋଇଥିବାରୁ ଆଚାର୍ଯ୍ୟ ମନୁ ଏହାକୁ ‘ବ୍ରାତ୍ୟଦେଶ’ ବୋଲି କହିଥିଲେ । ଦକ୍ଷିଣ ଓଡ଼ିଶାର ପରଜା, ବଣ୍ଡା ପ୍ରଭୃତି ମାତ୍ର କେତୋଟି ଗୋଷ୍ଠୀକୁ ଛାଡ଼ିଦେଲେ, ଏଠାରେ ଅଧିକାଂଶ ଆଦିବାସୀ ଗୋଷ୍ଠୀ ମହାଦନର ଅବବାହିକାରେ ହିଁ ବାସ କରନ୍ତି । ରାଜ୍ୟର ମୋଟ ଜନସଂଖ୍ୟାର ‘ଏକ ତୃତୀୟାଂଶ’ ଆଦିବାସୀ ଏଠାରେ ରହିଛନ୍ତି । ଶବର, କନ୍ଧ, ଗଣ୍ଡ, ବିଂଝାଳ, ଭୂୟାଁ, କୋହ୍ଳ, କିଷାନ୍‌, ଖଡ଼ିଆ, ଓରାଂ, ମୁଣ୍ଡା ପ୍ରଭୃତି ଗୋଷ୍ଠୀ ପଶ୍ଚିମ ଓଡ଼ିଶାରେ ଅଛନ୍ତି । କୋହ୍ଲ, କିଷାନ୍‌, ମୁଣ୍ଡା, ଓରାଂ ଆଦି ମୁଣ୍ଡା ସମ୍ପ୍ରଦାୟର ଏବଂ ଶବର, ଭୂୟାଁ, ଗଣ୍ଡ, କନ୍ଧ, ବିଂଝାଳ, ଖଡ଼ିଆ ଆଦି ଦ୍ରାବିଡ଼ ଗୋଷ୍ଠୀର-। ଏହି ଦ୍ରାବିଡ଼ଗୋଷ୍ଠୀ ଅଷ୍ଟ୍ରୋ-ଏସୀୟ ଗୋଷ୍ଠୀ ତୁଲ୍ୟ ପ୍ରାଚୀନ ଏବଂ ଏମାନେ ଆର୍ଯ୍ୟଜାତି ଉତ୍ତର ଭାରତରେ ପ୍ରବେଶ କରିବା ପୂର୍ବରୁ ସେଠାରେ ବସବାସ କରି ରହୁଥିବାର ଅନୁମାନ କରାଯାଏ । ଅଷ୍ଟ୍ରିକ୍‌ ଭାଷାଗୋଷ୍ଠୀକୁ ବହିଷ୍କାର କରି ସେମାନେ ସେଇ ଅଞ୍ଚଳ ଅଧିକାର କରିଥିଲେ । ସିନ୍ଧୁ ଉପତ୍ୟକାର ଉନ୍ନତ ସଭ୍ୟତା-ଯାହାକି ଖ୍ରୀ.ପୂ.୫/୭ ହଜାର ବର୍ଷର ବୋଲି କୁହାଯାଏ, ତାହା ଏଇମାନଙ୍କର । ଓଡ଼ିଶାର ଆଦିବାସୀଗୋଷ୍ଠୀର ବେଶ୍‌ କିଛି ଦ୍ରାବିଡ଼ଗୋଷ୍ଠୀର ହୋଇଥିବାରୁ ଅନୁମାନ କରାଯାଉଛି ଯେ, ପ୍ରତ୍ୟକ୍ଷ ଅବା ପରୋକ୍ଷ ଭାବେ ହେଉ, ଉତ୍କଳୀୟ ସଂସ୍କୃତି ଦ୍ରାବିଡ଼ ସଂସ୍କୃତି ଦ୍ୱାରା ପ୍ରଭାବିତ ହୋଇଛି । ବିଶେଷକରି ଏଠାରେ ଧର୍ମଧାରଣା ଦ୍ରାବିଡ଼ୀୟ ଧର୍ମ ଦ୍ୱାରା ପରୋକ୍ଷ ଭାବରେ ପ୍ରଭାବିତ ହୋଇଥିବାର ଅନୁମାନ କରାଯାଇଥାଏ ।

 

ଓଡ଼ିଆ ଭାଷାରେ ବହୁ ଦ୍ରାବିଡ଼ଶବ୍ଦ ଏବେ ମଧ୍ୟ ବ୍ୟବହୃତ ହେଉଛି । ଦୃଷ୍ଟାନ୍ତ ସ୍ୱରୂପ ‘‘ପୂଜା’’ ଶବ୍ଦଟି ଦ୍ରାବିଡ଼ମୂଳ । ଏହାର ପ୍ରକୃତି ପ୍ରତ୍ୟୟ ହେଉଛି ପୂ (ଫୁଲ)+ଚେଈ (କରିବା) ଅର୍ଥାତ୍‌ ଫୁଲକୁ ନେଇ କାର୍ଯ୍ୟନୁଷ୍ଠାନ କରିବା । ଲିଙ୍ଗ ଉପାସନା ପରମ୍ପରା ହେଉଛି ଦ୍ରାବିଡ଼ୀୟ ଏବଂ ଦ୍ରାବିଡ଼ୀୟ ଆଦିବାସୀମାନଙ୍କର ପଥର, ଖମ୍ବ, ଦଣ୍ଡ ପ୍ରଭୃତିର ଆରାଧନା ସହିତ ଏହାର ସମ୍ପର୍କ ରହିଛି । ଓଡ଼ିଶାରେ ଶିବପୂଜାର ଯେଉଁ ଆଧିକ୍ୟ ଦେଖିବାକୁ ମିଳେ ତାହା ଏହି ପ୍ରଭାବର ଫଳ । ଶିବଙ୍କୁ ଆରଣ୍ୟ ଦେବତା ଭାବରେ ଗ୍ରହଣ କରିନେବା ପଛରେ ଆରଣ୍ୟକମାନଙ୍କ ସହିତ ତାଙ୍କର ନିତ୍ୟ ସମ୍ପର୍କ ବ୍ୟାପାରଟି ରହିଛି ।

 

ଦ୍ରାବିଡ଼ଗୋଷ୍ଠୀ ଅନ୍ତର୍ଭୁକ୍ତ ଶବରମାନେ ଉତ୍ତର ଭାରତରୁ ବିତାଡ଼ିତ ହେବା ପରେ ହୁଏତ ଛତିଶଗଡ଼ ବାଟେ ମହାନଦୀ ଅବବାହିକାରେ ପ୍ରବେଶ କରିଥିବେ ଏବଂ କେନ୍ଦୁଝର, ମୟୂରଭଞ୍ଜ ପ୍ରଭୃତି ଓଡ଼ିଶାର ବିଭିନ୍ନ ଅଞ୍ଚଳକୁ ଯାଇଥିବେ । ବିଭିନ୍ନ ଅଞ୍ଚଳରେ ଏମାନଙ୍କର ଭିନ୍ନ ଭିନ୍ନ ନାମ । ‘ମଝିମ ନିକ୍କାୟ’ରେ ‘ଉକ୍‌କଳବସ୍‌ସ’ (ଉତ୍କଳବର୍ଷ)ର ଏହି ଗୋଷ୍ଠୀ ‘ଭୂୟାଁ’ ନାମରେ ପରିଚିତ ବୋଲି କୁହାଯାଇଛି । ‘ଭୂୟାଁ’ମାନଙ୍କ ସୃଷ୍ଟି ସମ୍ପର୍କରେ ଏକ ଲୋକକାହାଣୀ ପ୍ରଚଳିତ । ସେମାନେ ବିଶ୍ୱାସ କରନ୍ତି ‘ଭଗବାନ୍‌ଙ୍କର ବିନ୍ଦୁଏ ବୀର୍ଯ୍ୟ ସ୍ଫଳିତ ହୋଇ ପୃଥିବୀରେ ପଡ଼ିବାରୁ ତହିଁରୁ ସୃଷ୍ଟି ହେଲା ଏକ ମୟୂର ଡିମ୍ବ । ତାହାର ଶ୍ୱେତାଂଶରୁ ଭୂୟାଁ, ଜୀବାବରଣରୁ ଶବର, ଡିମ୍ବକୋଷରୁ ଖଡ଼ିଆ ଏବଂ ପୀତାଂଶରୁ ଭଞ୍ଜମାନେ ବାହାରିଛନ୍ତି ।’ (The Hill Bhuyans of Orrissa, P.25-S.C.Roy) ବ୍ରହ୍ମାଙ୍କ ରେତଃ ବିନ୍ଦୁରୁ ବ୍ରହ୍ମପୁତ୍ର ସୃଷ୍ଟି ହେବା ସମ୍ପର୍କରେ କାଳିକା ପୁରାଣରେ ଯେଉଁ ବିବରଣୀ ରହିଛି, ଏହି ବିବରଣୀ ସହ ତାହାର ସାମ୍ୟ ଲକ୍ଷ୍ୟଣୀୟ । ଆଦିବାସୀ କଥା କିଭଳି ଆର୍ଯ୍ୟ ପୁରାଣକାରଙ୍କୁ ପ୍ରଭାବିତ କରିଛି, ଏହା ହେଉଛି ତାହାର ଏକ ଚମତ୍କାର ଦୃଷ୍ଟାନ୍ତ । ଆଶ୍ଚର୍ଯ୍ୟର କଥା ଯେ, ଏଥିରେ ଆର୍ଯ୍ୟ ଏବଂ ଅନାର୍ଯ୍ୟ-ଦୁଇ ଗୋଷ୍ଠୀଙ୍କୁ ଗୋଟିଏ ଗୋଟିଏ ଉତ୍ସରୁ ସୃଷ୍ଟି ବୋଲି କଳ୍ପନା କରାଯାଇ-ଗୋଷ୍ଠୀ ସମନ୍ୱୟର ଏକ ଉଦାର ଭାବନା ପ୍ରଚାର କରାଯାଇଛି । ମୟୂରଭଞ୍ଜ, ବୌଦ, ଘୁମୁସର ପ୍ରଭୃତି ଅଞ୍ଚଳରେ ଯେଉଁ ଭଞ୍ଜମାନେ ରାଜତ୍ୱ କରୁଥିଲେ, ସେମାନେ ନିଜକୁ ଆଦିବାସୀମୂଳ ବୋଲି ସ୍ୱୀକାର କରିବେ କି ନାହିଁ, ତାହା ଜଣାନାହିଁ । ତେବେ ଭୂୟାଁମାନେ ଏହା ବିଶ୍ୱାସ କରନ୍ତି । ଭଞ୍ଜବଂଶୀୟମାନେ ତାମ୍ର ଶାସନରେ, କାବ୍ୟରେ ନିଜକୁ ‘ଅଣ୍ଡଜ ବଂଶ ପ୍ରଭବ’ ବୋଲି ଘୋଷଣା କରାଇଛନ୍ତି । ଉପେନ୍ଦ୍ର ଭଞ୍ଜ ନିଜ ବଂଶାନୁଚରିତରେ ଭଞ୍ଜକୁଳ ‘ବରହୀ-କୋଷ-ସମ୍ଭବ’ ବୋଲି କହିଛନ୍ତି । ଭଞ୍ଜବଂଶୀୟମାନେ କାଶ୍ୟପ ଗୋତ୍ରୀୟ କ୍ଷତ୍ରିୟ ରୂପରେ ଆର୍ଯ୍ୟ ଗୋଷ୍ଠୀ ସହିତ ସିଧାସଳଖ ସମ୍ପୃକ୍ତ ହୋଇଥିବା ବେଳେ, ସେମାନଙ୍କର ଆଦିବାସୀ ସମ୍ପର୍କ ବିଷୟକ ଏହି ସୂଚନା ବିସ୍ମୟଜନକ ।

 

ଶବରମାନେ ସେଇ ରାମାୟଣ କାଳରୁ ବେଶ୍‌ ସଭ୍ୟ ଓ ସୁସଂଗଠିତ ଥିବାର ଜଣାଯାଇଛି । ଗୁହକ ଶବର ଏକ ରାଜ୍ୟର ଅଧିପତି ଏବଂ ଶ୍ରୀରାମଙ୍କର ମିତ୍ର ଥିବାର ରାମାୟଣରେ ବର୍ଣ୍ଣିତ । ଦଳନେତା ହିଁ ଗୋଷ୍ଠୀର ପରିଚାଳକ ଥିଲେ । କୃଷି, ମୃଗୟା ଓ ବନଜାତ ଦ୍ରବ୍ୟ ସଂଗ୍ରହ ଦ୍ୱାରା ସେମାନେ ଜୀବିକା ନିର୍ବାହ କରୁଥିଲେ । ରାଜପୁତାନାର ‘ଭୀଲ୍‌’ମାନେ ଥିଲେ ଏହି ଶବରଗୋଷ୍ଠୀର ଏବଂ ସେମାନେ ଥିଲେ ଦୁର୍ଦ୍ଦାନ୍ତ ଏବଂ ଯୁଦ୍ଧପ୍ରିୟ । ସେମାନଙ୍କର ଦୁର୍ଗ ଥିଲା ଏବଂ ରାଜାମାନଙ୍କ ସହ ରାଜନୈତିକ ବନ୍ଧୁତା ସୂତ୍ରରେ ଆବଦ୍ଧ ଥିଲେ । ରାଣା ପ୍ରତାପ ଯେତେବେଳେ ମୋଗଲ ସମ୍ରାଟଙ୍କ ବିରୋଧରେ ଲଢ଼ୁଥିଲେ, ସେତେବେଳେ ତାଙ୍କର ଯୁଦ୍ଧସହାୟକ ଥିଲେ ଜଣେ ଭୀଲ୍‌ସର୍ଦ୍ଦାର । ଶବରମାନେ ବେଦ, ବ୍ରାହ୍ମଣରେ ମଧ୍ୟ ସ୍ଥାନ ପାଇଛନ୍ତି । ଓଡ଼ିଶାରେ ଏମାନେ ବେଶ୍‌ ପରିଚିତ ଗୋଷ୍ଠୀ ଥିବାର ଦଶକୁମାର ଚରିତ (ଦଣ୍ଡି) ଏବଂ କାଦମ୍ବରୀ (ବାଣଭଟ୍ଟ) ପ୍ରଭୃତି ଗ୍ରନ୍ଥରେ ବର୍ଣ୍ଣିତ ହୋଇଛି । ଏମାନେ ମନ୍ତ୍ର, ତନ୍ତ୍ର, ଯାଦୁ ବିଦ୍ୟାରେ ପାରଙ୍ଗମ ଥିବାରୁ ଆର୍ଯ୍ୟମାନେ ଏମାନଙ୍କୁ ଭୟ କରୁଥିଲେ । ଯାଦୁବିଦ୍ୟାର ଅନ୍ୟନାମ ଥିଲା ‘ଶାବରୀ ବିଦ୍ୟା’-

 

ଆର୍ଯ୍ୟମାନଙ୍କ ସଂସ୍ପର୍ଶରେ ଆସି ଏମାନେ କୃଷିଜୀବୀ ହୋଇ ପଡ଼ିଥିଲେ । ତେବେ ଶିକାର ଅଭ୍ୟାସ ବଳବତ୍ତର ଥିଲା । ମନୁ ଏମାନଙ୍କୁ ଅସ୍ପୃଶ୍ୟ ଘୋଷଣା କରି, ଏମାନଙ୍କ ନିବାସ ହେତୁ ଉତ୍କଳକୁ ପତିତ ଦେଶ ରୂପେ ପରିଚିତ କରାଇଥିଲେ ।

 

ଏମାନେ ନିଶା-ବ୍ୟସନୀ ଥିଲେ । ନାଚଗୀତ ପ୍ରିୟ ମଧ୍ୟ ଥିଲେ । ବିବାହ ପାତ୍ରପାତ୍ରୀଙ୍କ ନିଜସ୍ୱ ରୁଚିରେ ଏବଂ ପଦ୍ଧତିଟି ଥିଲା ଅତ୍ୟନ୍ତ ସରଳ । ମାଙ୍ଗଳିକ କାର୍ଯ୍ୟର ଦାୟିତ୍ୱ ପାଇଁ ଥାଆନ୍ତି ପୁରୋହିତ । କର୍ମକର୍ମାଣି ମଧ୍ୟ କିଛି ହୁଏ । ତେବେ ଖିଆପିଆ ନାଚଗୀତ ଆଦି ପ୍ରଧାନ । ଏମାନଙ୍କ ମଧ୍ୟରେ ନରବଳି ପ୍ରଥା ପ୍ରଚଳିତ ଥିଲା ।

 

କୋହ୍ଳ ହେଉଛନ୍ତି ଏ ରାଜ୍ୟର ଅନ୍ୟତମ ଆଦିବାସୀ ଗୋଷ୍ଠୀ । ମୁଣ୍ଡା, ସାନ୍ତାଳ, ଓରାଂ ପ୍ରଭୃତି ଏହି ଗୋଷ୍ଠୀର ଅନ୍ତର୍ଭୁକ୍ତ । ଶିକାର ଓ ବନଜାତ ଦ୍ରବ୍ୟ ସଂଗ୍ରହ ଦୀର୍ଘକାଳ ଧରି ଏମାନଙ୍କ ଜୀବିକା ନିର୍ବାହର ସାଧନା ହୋଇ ରହିବା ପରେ କ୍ରମଶଃ ସେମାନେ କୃଷିଜୀବୀ ହୋଇଛନ୍ତି । ଶବର ସମ୍ପ୍ରଦାୟ ଭଳି ଏମାନେ ମଧ୍ୟ ଆନନ୍ଦ ବିଳାସୀ । ଫକୀରମୋହନ ସେନାପତି ଲକ୍ଷ୍ୟ କରିଛନ୍ତି ଯେ, ଏମାନେ ମାଂସାହାରୀ ହେଲେ ମଧ୍ୟ ବାହାର ଚୂଲୀରେ ମାଂସ ରନ୍ଧାଯାଉଥିଲା । ହୁଏତ ଆର୍ଯ୍ୟ ସଂସର୍ଗରୁ ଏହି ରୀତିଟି ଗୃହୀତ ହୋଇଥିବ । କୋହ୍ଳୁଣୀମାନେ ସୁଗଠନା ଏବଂ ଗୌରବର୍ଣ୍ଣା । ପରିଧାନ ଅତ୍ୟନ୍ତ ସଂକ୍ଷିପ୍ତ-ନାଭିଠାରୁ ଆଣ୍ଠୁ ପର୍ଯ୍ୟନ୍ତ ଆବୃତ ଥାଏ ମାତ୍ର ।

 

କନ୍ଧମାନେ ପାଟଣା, ବୌଦ କନ୍ଧମାଳ ପ୍ରଭୃତି ସ୍ଥାନରେ ମୁଖ୍ୟତଃ ରହୁଥିଲେ ହେଁ କୋରାପୁଟ ପ୍ରଭୃତି ଜିଲ୍ଲାରେ ସେମାନଙ୍କୁ ଦେଖିବାକୁ ମିଳୁଛି । କନ୍ଧପଲ୍ଲୀର ମୁଖ୍ୟଙ୍କୁ କୁହାଯାଏ ସର୍ଦ୍ଦାର । ତାଙ୍କ ନିର୍ଦ୍ଦେଶ ସମସ୍ତେ ମାନିବାକୁ ବାଧ୍ୟ । ସେମାନଙ୍କ ସରଳତା ଏବଂ ନିରୀହତା ସମ୍ପର୍କରେ ଫକୀରମୋହନ ସେନାପତି ତାଙ୍କ ଆତ୍ମଚରିତରେ ଲେଖିଛନ୍ତି ଯେ, ସେମାନେ ମାଲିମକଦ୍ଦମାରେ ପଶନ୍ତି ନାହିଁ । ସେଭଳି ସ୍ଥିତିରେ ବାଦୀପ୍ରତିବାଦୀ ସତକଥା ହିଁ କହିଥାଆନ୍ତି । ଦଶପଲ୍ଲାର କୃଷିଜୀବୀ କନ୍ଧମାନେ ରାଜାଙ୍କୁ କର ଦେଉନଥିଲେ । କମିଶନର ରେଭେନ୍ସା ସେମାନଙ୍କୁ ହଳପିଛା ସେରେ ଧାନ କର ଦେବା ନିମନ୍ତେ କହିଥିଲେ । ସେରେ ଧାନର ପ୍ରକୃତ ପରିମାଣ ବୁଝି ନଥିବାରୁ ସେମାନେ ହଳପିଛା ତାମ୍ବିଏ (କଟକୀ ୩/୪ ସେର ବା ପ୍ରାୟ ଛଅ କେଜି) ଧାନ ଦେବା ନିମନ୍ତେ ପ୍ରସ୍ତାବ ଦେଇଥିଲେ । ସେମାନଙ୍କ ସାରଲ୍ୟର ଏହା ହେଉଛି ଏକ ଦୃଷ୍ଟାନ୍ତ । ତେବେ ଏମାନେ କିଛି କମ୍‌ ଦୁର୍ଦ୍ଦଷ ନଥିଲେ । ଗାଲେରୀ ମୁଠା ଓ ବାଣପୁରର କନ୍ଧମାନେ ମହାପ୍ରତାପଶାଳୀ ଇଂରେଜ ସରକାରଙ୍କୁ ଯେଉଁ ମରଣ କାମୁଡ଼ା ଦେଇଥିଲେ, ଇତିହାସରୁ ତାହାର ପ୍ରମାଣ ମିଳେ ।

 

 

ଦେବତା ଅର୍ଥରେ କନ୍ଧମାନେ ‘ପେନୁ’ ଶବ୍ଦର ବ୍ୟବହାର କରନ୍ତି ଏବଂ ପ୍ରକୃତିର ନାନା ରୂପ-ସୂର୍ଯ୍ୟ, ଚନ୍ଦ୍ର, ବଣପର୍ବତ, ନଦୀନାଳ, ଖରାବର୍ଷା, ମାଟିପବନ ଇତ୍ୟାଦିଙ୍କୁ ବିଭିନ୍ନ ନାମ ଦେଇ ପୂଜା କରନ୍ତି, ବସନ୍ତ ରୋଗ ପାଇଁ ମଧ୍ୟ ସେମାନଙ୍କର ଦେବତା ଅଛନ୍ତି । ଆର୍ଯ୍ୟମାନେ ବି ବସନ୍ତକୁ ଠାକୁରାଣୀ ରୂପେ ମାନନ୍ତି । ଏହା ଆଦିବାସୀ ପ୍ରଭାବ ହୋଇପାରେ । ଏହାଛଡ଼ା ସେମାନେ ପିତାବଲ୍‌ଦୀ, ମାଉଲୀ ଏବଂ କନକାଲୀ ପ୍ରଭୃତି ବିଭିନ୍ନ ନାମରେ ଶକ୍ତି ଉପାସନା ମଧ୍ୟ କରନ୍ତି । ସର୍ବଘଟରେ ଦୈବୀଶକ୍ତିର ମାନ୍ୟତା ହିଁ ଥିଲା ଏମାନଙ୍କର ଆଧ୍ୟାତ୍ମିକ ଦର୍ଶନ । ଆର୍ଯ୍ୟମାନେ ମଧ୍ୟ ଏହି ତତ୍ତ୍ୱରେ ବିଶ୍ୱାସୀ ।

 

ନରବଳି ନାମକ ଘୃଣ୍ୟ ପ୍ରଥା ଦୀର୍ଘକାଳ ଧରି ଏମାନଙ୍କ ମଧ୍ୟରେ ପ୍ରଚଳିତ ଥିଲା । ଅଧିକ ଶସ୍ୟ ପାଇଁ, ଯୁଦ୍ଧରେ ଜୟ ନିମନ୍ତେ, ରୋଗରୁ ମୁକ୍ତି ପାଇଁ ଏହି ଭଳି ବିଭିନ୍ନ ଉପଲକ୍ଷ୍ୟରେ ସେମାନେ ନରବଳି ଦେଉଥିଲେ । ଇଂରେଜମାନେ ବହୁ ଉଦ୍ୟମ କରି ଏହି ପ୍ରଥାକୁ ରଦ୍ଦ କରି ପାରିଥିଲେ । ବଳି ଉପଲକ୍ଷ୍ୟରେ ସେମାନଙ୍କର ନାନା କର୍ମକର୍ମାଣି ମଧ୍ୟ ଥାଏ । ସାଧାରଣତଃ ୧୨ରୁ୧୬ ବୟସର କିଶୋରକୁ ବୈଶାଖ/ଜ୍ୟେଷ୍ଠ ଶୁକ୍ଳପକ୍ଷ ମଙ୍ଗଳବାର ଦିନ ବଳି ଦିଆଯାଉଥିଲା ।

 

ବଳି ନିର୍ବାଚନ କ୍ଷେତ୍ରରେ ଜାତି ଦେଖାଯାଉଥିଲା । ବଳି ବ୍ୟଭିଚାରୀ ହୋଇ ପଡ଼ିଲେ ତାକୁ ଛାଡ଼ି ଦିଆଯାଉଥିଲା । ବେଦରୁ ‘ଶୁନଃଶେଫଙ୍କ’ ବଳି ପ୍ରସଙ୍ଗରୁ ଜଣାଯାଏ ଯେ, ଏକଦା ଆର୍ଯ୍ୟଜାତି ମଧ୍ୟରେ; ସୁଦ୍ଧା ଏହି ନିନ୍ଦନୀୟ ପ୍ରଥାଟି ପ୍ରଚଳିତ ଥିଲା । ଆଜି ଏକବିଂଶ ଶତାବ୍ଦୀରେ ମଧ୍ୟ ସମୟ ସମୟରେ ବଳିକଥା ଶୁଣାଯାଏ । ବଳିଦେବା ସମୟରେ ଜାନି (ପୁରୋହିତ) ନିମ୍ନ ମନ୍ତ୍ରଟି ପଢ଼େ :–

 

ଟୁକା କେନେଡ଼ା ଦୁଡ଼େ, ବେଡ଼ା କେନେଡ଼ା ଦୁଡ଼େ,

ମାଟେ ଭାତ ବିଡ଼େ, ଖୁଣ୍ଟ କାଟ ବିଡ଼େ’

 

ଅର୍ଥାତ୍‌ ଚାଉଳ ଓ ମାଣ୍ଡିଆରେ ଜାଉ ରାନ୍ଧି ଠାକୁରଙ୍କୁ ଦେଲେ, ସେ ତାକୁ ଗ୍ରହଣ କରି ଜମିରେ ଫସଲ ଆଉ ଜଙ୍ଗଲରେ କାଠ ପ୍ରଚୁର ପରିମାଣରେ ଦେବେ ।

 

ଗଣ୍ଡମାନେ ମୁଖ୍ୟତଃ ପଶ୍ଚିମ ଓଡ଼ିଶାର ଅଧିବାସୀ । ସେମାନେ ବିନ୍ଧ୍ୟସାତପୁରା ଅଞ୍ଚଳର ଆଦି ବାସିନ୍ଦା । କ୍ରମେ ଏମାନେ ଶକ୍ତିଶାଳୀ ହୋଇ କ୍ଷୁଦ୍ର ରାଜ୍ୟ ବା ଜମିଦାରୀ ସ୍ଥାପନ କରିଥିଲେ । ଶବରଗୋଷ୍ଠୀର ହୋଇଥିଲେ ମଧ୍ୟ ଏମାନଙ୍କର ସ୍ୱତନ୍ତ୍ର ଭାଷା ଅଛି । ସୁରେନ୍ଦ୍ର ସାଏଙ୍କୁ ଏମାନେ ବହୁ ସାହାଯ୍ୟ କରିଥିଲେ । ମୁଖ୍ୟତଃ ଲିଙ୍ଗ ଉପାସକ ହୋଇଥିଲେ ମଧ୍ୟ ପାହାଡ଼, ନଦୀ ପ୍ରଭୃତି ପ୍ରାକୃତିକ ଶକ୍ତିର ଉପାସନା ମଧ୍ୟ ଏମାନେ କରିଥାଆନ୍ତି । ଆର୍ଯ୍ୟମାନେ ଏମାନଙ୍କର କିଛି ଦେବାଦେବୀ, ପର୍ବପର୍ବାଣି, ରୀତିନୀତି, ଆଚାରବିଚାରକୁ ଗ୍ରହଣ କରି ନେଇଛନ୍ତି ।

 

ଭୂୟାଁ ସମ୍ପ୍ରଦାୟ ପ୍ରାଚୀନ ଆଦିବାସୀ ଗୋଷ୍ଠୀର ହୋଇଥିଲେ ମଧ୍ୟ ସ୍ଥାନୀୟ ଅଧିବାସୀ ହୋଇଥିବାରୁ ସେମାନଙ୍କ ନାମରୁ (ଭୂୟାଁ-ଭୂମିଜ) ଜଣାଯାଇଥାଏ । ଏମାନେ ଦ୍ରାବିଡ଼ ଗୋଷ୍ଠୀର । ପଶ୍ଚିମ ଓଡ଼ିଶାରୁ ଏମାନେ ଧୀରେ ଧୀରେ ଉପକୂଳ ଅଞ୍ଚଳ ଆଡ଼କୁ ଚାଲିଯାଇଥିଲେ । କେନ୍ଦୁଝର, ବଣାଇ ଓ ପାଲଲହଡ଼ା ପ୍ରଭୃତି ସେ କାଳର ଦେଶୀୟ ରାଜ୍ୟଗୁଡ଼ିକରେ ଭୂୟାଁମାନେ ଏପର୍ଯ୍ୟନ୍ତ ସେଠାକାର ରାଜ୍ୟାଭିଷେକ ବ୍ୟବସ୍ଥାକୁ ନିଜ ହାତରେ ରଖିଛନ୍ତି । ଏଥିରୁ ଶାସନବ୍ୟବସ୍ଥାରେ ସେମାନଙ୍କ ପ୍ରତିପତ୍ତି ବିଷୟ ଜଣାଯାଇଥାଏ । ଊନବିଂଶ ଶତକରେ ସେମାନେ କିଭଳି ଶକ୍ତିଶାଳୀ ଥିଲେ, ୧୮୯୧ର କେନ୍ଦୁଝର ଭୂୟାଁ ମେଳିରୁ ତାହା ଜଣାଯାଇଥାଏ । ଧରଣୀଧର ନାମକ ଜଣେ ଶିକ୍ଷିତ ଭୂୟାଁ ସେକାଳର କେନ୍ଦୁଝର ମହାରାଜା ଧନଞ୍ଜୟ ନାରାୟଣ ଭଞ୍ଜଙ୍କୁ ସିଂହସନଚ୍ୟୁତ କରିବାକୁ କିଭଳି ଏକ ବଡ଼ଧରଣର ମେଳିର ବ୍ୟବସ୍ଥା କରିଥିଲେ, ତାହାର ବିସ୍ତୃତ ବିବରଣୀ ଫକୀର ମୋହନଙ୍କ ଆତ୍ମଚରିତରେ ରହିଛି । କେନ୍ଦୁଝର ରାଜ୍ୟ ଭୂୟାଁମାନଙ୍କର ହୋଇଥିବାର ଦୃଢ଼ ବିଶ୍ୱାସ ହେତୁ ଭୂୟାଁମାନେ ରାଜା ବଦଳାଇବାର ଅଧିକାରୀ ବୋଲି ଭାବୁଥିଲେ । କାରଣ ହେଉଛି, ମୟୂରଭଞ୍ଜ ଓ କେନ୍ଦୁଝର ଗୋଟିଏ ରାଜ୍ୟ ହୋଇଥିବା ବେଳେ ଶାସନର କେନ୍ଦ୍ର ମୟୂରଭଞ୍ଜଠାରେ ଥିବାରୁ ପ୍ରଶାସନିକ ସୁବିଧା ନିମନ୍ତେ ଭୂୟାଁମାନେ ମୟୂରଭଞ୍ଜ ରାଜବଂଶରୁ ଜଣକୁ ଆଣି କେନ୍ଦୁଝରର ରାଜଗାଦିରେ ବସାଇଥିଲେ । ରାଜ୍ୟାଭିଷେକରେ ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା, ଯାହା ଏବେ ମଧ୍ୟ ପାଳିତ ହେଉଛି । ଐତିହାସିକ ଶରତ୍‌ ଚନ୍ଦ୍ର ରାୟ ଭୂୟାଁମାନଙ୍କ ସମ୍ପର୍କରେ କହନ୍ତି । ‘‘The Bhuiyans are one of the few tribes whose different branches represent various stages of cultural evolution from the more or less primitive culture of the hill Bhuiyans to the thoroughly Hinduised Zamindar families among the plains, Bhuiyans of Orissa and else where some of whom now put forward pretensions to Rajput Kstriya descent." (The Hill Bhuiyans of Orissa :–Preface) ରାୟ ମହାଶୟ ନିର୍ଦ୍ଦିଷ୍ଟ ଦୃଷ୍ଟାନ୍ତ ଦେଇ ଆହୁରି କହିଛନ୍ତି ଯେ, ହଜାରିବାଗର ଘଟୱାର, ସାନ୍ତାଳ ପ୍ରଗଣାର ଟୀକାଏତ୍‌ ପ୍ରଭୃତି କେତେକ ଜାତି ପ୍ରକୃତରେ ଭୂୟାଁ ଗୋଷ୍ଠୀର ହୋଇଥିଲେ ମଧ୍ୟ ବର୍ତ୍ତମାନ ତାହା ବାହାରେ ପ୍ରକାଶ କରନ୍ତି ନାହିଁ । ଭୂୟାଁମାନେ ଶବରଗୋଷ୍ଠୀର ଏବଂ ପ୍ରାକ୍‌-ଆର୍ଯ୍ୟକାଳୀନ ।

 

ଏହି କେତୋଟି ମୁଖ୍ୟ ସମ୍ପ୍ରଦାୟକୁ ଛାଡ଼ିଦେଲେ ପଶ୍ଚିମ ଓଡ଼ିଶାରେ ବିଂଝାଳ, କୁର୍ମୀ, କୁଲ୍‌ତା, ଡୁମ୍ବାଳ ପ୍ରଭୃତି ଆଉ କେତେକ ଗୌଣ ସମ୍ପ୍ରଦାୟ ମଧ୍ୟ ବସବାସ କରନ୍ତି ଯେଉଁମାନଙ୍କୁ ଆଦିବାସୀ ବୋଲି କୁହାଯାଇଥାଏ । ଶୁଣାଯାଏ ଯେ ସମ୍ବଲପୁରଠାରୁ କୁଲ୍‌ତାମାନେ ଆସାମ ଯାଇ ସେଠାରେ ବସବାସ କରି ରହିଯାଇଥିଲେ । ଆସାମ ଓ ସମ୍ବଲପୁରର କୁଲ୍‌ତା ଏହି ଭଳି ଏକ ବିଂଶ ବୃକ୍ଷ ଜାତ-(ସମାଜ:-୩/୨/୦୫) ସମୟର ପ୍ରଭାବରେ ଏମାନେ ସମ୍ପୂର୍ଣ୍ଣ ବଦଳିଗଲେଣି ଏବଂ ଆର୍ଯ୍ୟମାନେ ମଧ୍ୟ ଏମାନଙ୍କ ଜୀବନ ଶୈଳୀ ଦ୍ୱାରା ବହୁଭାବରେ ପ୍ରଭାବିତ ହୋଇଛନ୍ତି । ଦୃଷ୍ଟାନ୍ତ ସ୍ୱରୂପ-ବୌଦର କୁଲ୍‌ତାମାନେ ଥିଲେ ରାମଚଣ୍ଡୀଙ୍କର ଉପାସକ । ସେମାନଙ୍କ ବିସ୍ତାର ସହିତ ରାଜ୍ୟର ଅନ୍ୟାନ୍ୟ ପ୍ରାନ୍ତକୁ ମଧ୍ୟ ଏହି ଉପାସନା ରୀତିଟି ପ୍ରସାରିତ ହୋଇଛି । ଏବେ ରାମଚଣ୍ଡୀ ହେଉଛନ୍ତି ସମ୍ପୂର୍ଣ୍ଣ ଭାବରେ ଜଣେ ଆର୍ଯ୍ୟ ଦେବୀ । ସେହିଭଳି ବୌଦର ଡୁମ୍ବାଳମାନେ । କ୍ରମେ ସେମାନେ ଅନ୍ୟ ଅଞ୍ଚଳକୁ ମଧ୍ୟ ଯାଇଛନ୍ତି । ସେମାନେ ସ୍ତମ୍ଭେଶ୍ୱରୀଙ୍କର ଉପାସକ । ଏହି ଦେବୀ ଶବରଗୋଷ୍ଠୀର ଆରାଧ୍ୟା ରୂପେ ପରିଚିତା । କ୍ରମେ ଆର୍ଯ୍ୟଗୋଷ୍ଠୀ ଏହାକୁ ହିନ୍ଦୁଦେବୀ ରୂପରେ ଗ୍ରହଣ କରି ନେଇଛନ୍ତି ।

 

ବଣାଇ ଅଞ୍ଚଳରେ ଅଛନ୍ତି ଦ୍ରାବିଡ଼ଗୋଷ୍ଠୀର ‘ଶୁଦ୍‌’ ନାମକ ଆଦିବାସୀ ସମ୍ପ୍ରଦାୟ । ସେମାନେ ନିଜକୁ ରାଜବଂଶୀୟ ଓ ଖମ୍ବେଶ୍ୱରୀଙ୍କ ପୂଜକ ବୋଲି ଦାବୀ କରନ୍ତି । ବଣେଇ ଉଆସର କୁମାରୀ ପ୍ରସାଦ ନାମକ ଆଦିମପନ୍ଥୀ ଦେବୀଙ୍କର ଉପାସକ ହୋଇଥିବାରୁ ସେମାନଙ୍କୁ ଦ୍ରାବିଡ଼ଗୋଷ୍ଠୀର ବୋଲି କୁହାଯାଇପାରେ ।

 

ଦକ୍ଷିଣାଞ୍ଚଳରେ ଥିବା ଗୋଷ୍ଠୀର ପରଜା, ବଣ୍ଡା, କନ୍ଧ ଏବଂ କୋୟା ତଥା ମୟୂରଭଞ୍ଜ ଓ କେନ୍ଦୁଝରର ଭୂୟାଁ ଏବଂ ସାନ୍ତାଳମାନଙ୍କୁ ଧରିଲେ ଓଡ଼ିଶାରେ ପ୍ରାୟ ୬୨ପ୍ରକାରର ଆଦିବାସୀ ସମ୍ପ୍ରଦାୟ ବସବାସ କରନ୍ତି । ମାତ୍ର ବିଶେଷଜ୍ଞମାନେ ଏମାନଙ୍କୁ ଅଳ୍ପ କେତୋଟି ସମ୍ପ୍ରଦାୟରେ ବିଭକ୍ତ କରିଛନ୍ତି । ଅନ୍ୟ ଗୋଷ୍ଠୀଗୁଡ଼ିକ ମୁଖ୍ୟ ଗୋଷ୍ଠୀର ଉପବିଭାଗ ମାତ୍ର । ତେବେ ସାଂସ୍କୃତିକ କ୍ଷେତ୍ରରେ ଏମାନଙ୍କର ଦୂରତ୍ୱ କ୍ରମଶଃ ବଢ଼ିବାରେ ଲାଗିଛି ।

 

ଭିନ୍ନତା ମଧ୍ୟରେ ଏକତା :–ଆଦିବାସୀ ଗୋଷ୍ଠୀର ସାଂସ୍କୃତିକ ଜୀବନଧାରା ମଧ୍ୟରେ ଏବେ ସୁଦ୍ଧା ସାମଞ୍ଜସ୍ୟ ରହିଛି । ଶିଶୁପାଳନ, ଗୃହସଜ୍ଜା, ପୂର୍ବପୁରୁଷଙ୍କ ସ୍ମୃତିରକ୍ଷା, ପୂଜାଅର୍ଚ୍ଚନା, ଚାଷୋପକରଣର ବ୍ୟବହାର, ଦେବଦେବୀ ଆରାଧନା-ପ୍ରଭୃତି ବହୁ କ୍ଷେତ୍ରରେ ସାମ୍ୟ ରହିଛି । ଦୃଷ୍ଟାନ୍ତ ସ୍ୱରୂପ-ଯୁବଗୋଷ୍ଠୀ ନିମନ୍ତେ ସ୍ୱତନ୍ତ୍ର ସାଧାରଣ ଶୟନାଗାରର ନିର୍ମାଣ । ସଂସାର ଦାୟିତ୍ୱ ନେବା ପୂର୍ବରୁ ଆଦିବାସୀ ସମାଜରେ ଯୁବଗୋଷ୍ଠୀକୁ ସ୍ୱତନ୍ତ୍ର ତାଲିମ୍‌ ଦିଆଯିବାର ବ୍ୟବସ୍ଥା ଆବାହମାନ କାଳରୁ ରହିଛି । ଏଥିପାଇଁ ଗ୍ରାମ ଉପାନ୍ତରେ ଯୁବକ ଯୁବତୀମାନଙ୍କ ପାଇଁ ସ୍ୱତନ୍ତ୍ର ଶୟନାଗାର ନିର୍ମିତ ହୁଏ । ଏଗୁଡ଼ିକ ହେଉଛି ସଂସ୍କୃତିଶିକ୍ଷାର କେନ୍ଦ୍ର । ସେଠାରେ ସେମାନେ ନିଜ ସମାଜର ରୀତିନୀତି, ଆଚାର ବିଚାର, ପୂଜାଅର୍ଚ୍ଚନା, ସାମାଜିକ ବ୍ୟବହାର ଏବଂ ନାଚଗୀତ ସମ୍ପର୍କରେ ଶିକ୍ଷା ପାଇଥାଆନ୍ତି । ଏଇଠୁ ସେମାନେ ଶୃଙ୍ଖଳା, ମୈତ୍ରୀ, ପ୍ରୀତି ଓ ଐକ୍ୟ ପ୍ରଭୃତି ସମ୍ପର୍କରେ ତାଲିମ୍‌ ନିଅନ୍ତି । ଏହାଛଡ଼ା ଅସ୍ତ୍ରଶସ୍ତ୍ର ବ୍ୟବହାର ପାଇଁ ମଧ୍ୟ ଏଠାରୁ ପ୍ରଥମପାଠ ଗ୍ରହଣ କରନ୍ତି । ପ୍ରତ୍ୟେକ ଆଦିବାସୀ ଗୋଷ୍ଠୀର ଏହି ଅନୁଷ୍ଠାନଟି ରହିଛି, ଯଦିଓ ଗୋଷ୍ଠୀଭେଦରେ ଏହାର ନାମ ଅଲଗା । ମଣ୍ଡଘର, ଦରବାର ଘର, ଧାଙ୍ଗ୍‌ଡ଼ା ଘର, ଇଞ୍ଜରସିନ୍‌ ପ୍ରଭୃତି ଭିନ୍ନ ଭିନ୍ନ ନାମ ଏହାର ରହିଛି । ଯୌନ ଜୀବନ ସୁପରିଚାଳିତ କରିବାର ଏବଂ ଜୀବନସାଥୀ ବାଛିବାର ସୁଯୋଗ ତଥା ଶିକ୍ଷା-ସେମାନଙ୍କୁ ଏଇ ଅନୁଷ୍ଠାନ ହିଁ ଦେଇଥାଏ । ପ୍ରତ୍ୟେକ ଆଦିବାସୀ ଗୋଷ୍ଠୀର ବିବାହ ପ୍ରଣାଳୀ ସ୍ୱତନ୍ତ୍ର ହେଲେ ମଧ୍ୟ ପାତ୍ରପାତ୍ରୀଙ୍କର ମତାମତକୁ ହିଁ ପ୍ରତ୍ୟେକ ଗୋଷ୍ଠୀ ମାନ୍ୟତା ଦେଇଥାଆନ୍ତି । ବିବାହୋତ୍ତର ଜୀବନ ମଧ୍ୟ ପ୍ରତ୍ୟେକ କ୍ଷେତ୍ରରେ କଠୋର ଶୃଙ୍ଖଳା ମଧ୍ୟରେ ଆବଦ୍ଧ ଏବଂ ବିଚ୍ୟୁତି ପାଇଁ ଦଣ୍ଡର ବ୍ୟବସ୍ଥା ମଧ୍ୟ ସାର୍ବଜନୀନ ।

 

ସାଧାରଣତଃ ପ୍ରତ୍ୟେକ ଗୋଷ୍ଠୀ ପ୍ରାକୃତିକ ଶକ୍ତିର ଉପାସକ । ତଳେମାଟି (ଧର୍ତ୍ତନୀ), ଉପରେ ଆକାଶ (ଧର୍ମୁ) ପ୍ରତି ଏମାନଙ୍କର କୃତଜ୍ଞତାର ଶେଷ ନଥାଏ । ଭୂତ, ପ୍ରେତ, ଡାହାଣୀ ଚିର୍‌ଗୁଣୀ, ଜଡ଼ିବୁଟି, ଗୁଣିଗାରେଡ଼ି ପ୍ରଭୃତି ବ୍ୟବସ୍ଥାକୁ ପ୍ରତ୍ୟେକ ଆଦିବାସୀଗୋଷ୍ଠି ମାନି ନିଅନ୍ତି । ପ୍ରକୃତିରେ ପରିବର୍ତ୍ତନକୁ ନେଇ ଏମାନେ ଭିନ୍ନ ଭିନ୍ନ ପର୍ବପର୍ବାଣିର ଆୟୋଜନ କରିଥାଆନ୍ତି । ଚଇତପର୍ବ, ମାଘପର୍ବ, ପୁଷ୍‌ପୁନିଅଁ, ଆଷାଢ଼ୀ, ଦଶହରା, ମକର ପର୍ବ ପ୍ରଭୃତି ହେଉଛି ଏମାନଙ୍କର ବଡ଼ ପର୍ବ । ଏହାଛଡ଼ା ଦୀପାବଳୀ, ନୂଆଖିଆ, ଅକ୍ଷୟତୃତୀୟା ପ୍ରଭୃତି ଆର୍ଯ୍ୟ ପର୍ବଗୁଡ଼ିକୁ ମଧ୍ୟ ସେମାନେ ଧୀରେ ଧୀରେ ଗ୍ରହଣ କରି ନେଲେଣି ।

 

ପୁରୋହିତ ଭିନ୍ନ ଭିନ୍ନ ନାମରେ ପ୍ରତ୍ୟେକ ଆଦିବାସୀ ଗୋଷ୍ଠୀରେ ଅଛନ୍ତି, ଦିଶାରୀ, ଦେହୁରୀ, ନାଇକ, ଜାନି, ଗୁରୁ ପ୍ରଭୃତି ନାମ ପୁରୋହିତଙ୍କ ପାଇଁ ରହିଛି । ହିନ୍ଦୁମାନଙ୍କର କାଳିସୀ ଭଳି ପରଜାମାନଙ୍କର ବେଜୁଣୀ ରହିଛି । ସମାଜରେ ନାରୀ-ପୁରୁଷ ସମତାକୁ ପ୍ରତ୍ୟେକ ଗୋଷ୍ଠୀ ମାନନ୍ତି । ଗୋଷ୍ଠୀ ଶୃଙ୍ଖଳା ବଜାୟ ରଖିବା ପାଇଁ ପ୍ରତ୍ୟେକ ଆଦିବାସୀ ସମାଜର ପଞ୍ଚାଏତ୍‌ ଥାଏ । କନ୍ଧ ଓ ପରଜାସମାଜରେ ସମାଜମୁଖ୍ୟ ସାଓଁତା, ଶବରଗୋଷ୍ଠୀରେ ଗମାଙ୍ଗ, ଗଣ୍ଡସମାଜରେ ନାଇକ ମାହାତୋ, ଜୁଆଙ୍ଗ ଗୋଷ୍ଠୀରେ ବେହେରା ପ୍ରଭୃତି ନାମରେ ପରିଚିତ ହୁଅନ୍ତି । ସଭ୍ୟ ସମାଜର ସମ୍ପର୍କରେ ଆସିବା ଫଳରେ ଜୀବନ ପ୍ରତି ଏମାନଙ୍କର ଦୃଷ୍ଟିକୋଣ ତଥା ଜୀବନଧାରାରେ ବିପୁଳ ପରିବର୍ତ୍ତନ ଘଟୁଛି ।

 

ଉପସଂହାର :–ମହାନଦୀର ପୌରାଣିକ ତଥା ଭୌଗୋଳିକ ସ୍ଥିତି ସମ୍ପର୍କରେ ଆଲୋଚନା କରି ଏହି ଅଧ୍ୟାୟରେ ଓଡ଼ିଆ ଜନଜୀବନ ପାଇଁ ମାତୃରୂପିଣୀ ଏହି ନଦୀର ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ସୂଚନା ଦିଆଯାଇଛି ।

 

ପୁରାଣରେ ମାତୃରୂପିଣୀ ଏହି ନଦୀର ଯେଉଁ ବର୍ଣ୍ଣନା ରହିଛି, ଉଭୟ ଓଡ଼ିଶା ଏବଂ ଛତିଶଗଡ଼ ଅଞ୍ଚଳରେ ଏ ସମ୍ପର୍କରେ ଯେଉଁ ଲୋକକଥା ଏବଂ କିମ୍ବଦନ୍ତୀ ଅଦ୍ୟାବଧି ପ୍ରଚଳିତ ରହିଛି, ସେ ସବୁ ମଧ୍ୟ ଏହି ଅଧ୍ୟାୟରେ ଆଲୋଚିତ ହୋଇଛି । ସଭ୍ୟତା ଓ ସଂସ୍କୃତିର ବିକାଶରେ ଏହି ନଦୀର ଯେଉଁ ବଳିଷ୍ଠ ଭୂମିକା ରହିଛି, ସେ ବିଷୟରେ ସୂଚନା ଦିଆଯାଇଛି । ନଦୀ-ଅବବାହିକାର ସଂଘର୍ଷହୀନ ଜୀବନ ଜାତୀୟ ଜୀବନକୁ ଆଳସ୍ୟ ଏବଂ କର୍ମକୁଣ୍ଠତାରେ ଭରିଦିଏ-ଏହିଭଳି ଏକ ମନ୍ତବ୍ୟ ସମ୍ପର୍କରେ ସୂଚନା ଦିଆଯାଇ ଏହାର ଅସାରତା ଦେଖାଇ ଦିଆଯାଇଛି । ନଦୀ ଓଡ଼ିଆମାନଙ୍କୁ ଅଳସ କରିନାହିଁ । ଦୃଢ଼ ନେତୃତ୍ୱର ଅଭାବଜନିତ ରାଜନୈତିକ ଅସ୍ଥିରତା ହିଁ ଓଡ଼ିଆଙ୍କୁ ଭାଗ୍ୟବାଦୀ ଏବଂ କର୍ମ ବିମୁଖ କରିଛି । ସୁଯୋଗ ପାଇବା ମାତ୍ରେ ସେମାନେ ବହୁ କୃତି ଓ କୀର୍ତ୍ତି ସ୍ଥାପନ କରିଛନ୍ତି । ଭୌଗୋଳିକ ସ୍ଥିତି ଏବଂ ପ୍ରାକୃତିକ ପରିବେଶ ଅବଶ୍ୟ ମାନସିକତା ଗଠନରେ ଏକ ବିଶେଷ ଭୂମିକା ଗ୍ରହଣ କରେ । ନଦୀର ଭୌଗୋଳିକ ସ୍ଥିତି ଦୀର୍ଘକାଳ ଧରି ଓଡ଼ିଶାକୁ ଦୁର୍ଗମ କରି ଏହାର ନିଜସ୍ୱ ବିକାଶରେ ସହାୟକ ହୋଇଛି । ଏହାର ଅନବଦ୍ୟ ପ୍ରାକୃତିକ ପରିବେଶ ଜାତୀୟ ଜୀବନକୁ ସୁସ୍ଥ ଏବଂ ନିରୋଗ ରଖି ଏହାର ମାନସିକ ବିକାଶରେ ବରଂ ସହାୟକ ହୋଇଛି ।

 

ଅଧ୍ୟାୟରେ ଶେଷାର୍ଦ୍ଧରେ ନଦୀ ଅବବାହିକାରେ ଆଦିମ-ଅଧିବାସୀମାନଙ୍କ ସମ୍ପର୍କରେ ଆଲୋଚନା କରାଯାଇଛି । ପଶ୍ଚିମାଞ୍ଚଳରେ ଏହି ଗୋଷ୍ଠୀର ଅଧିକ୍ୟ ଏବଂ ସଂଖ୍ୟା ଗରିଷ୍ଠତାକୁ ଲକ୍ଷ୍ୟ କଲେ, ମନେହୁଏ ଯେ, ମଧ୍ୟ ଭାରତରୁ ମହାନଦୀର ତୀରେ ତୀରେ ନୂତନ ବାସ ଭୂମିର ସନ୍ଧାନରେ ସେମାନେ ଉତ୍କଳଖଣ୍ଡରେ ପ୍ରବେଶ କରିଥିଲେ । ସେତେବେଳେ ଏହି ଭୂମି ଆର୍ଯ୍ୟ ଅଧ୍ୟୁଷିତ ନଥିଲା । କ୍ରମଶଃ ଆର୍ଯ୍ୟମାନେ ଆସି ସେମାନଙ୍କୁ ସେମାନଙ୍କର ବାସ ସ୍ଥାନରୁ ତଡ଼ିଦେବାରୁ ସେମାନେ ଦୁର୍ଗମ ଅଞ୍ଚଳ ଆଡ଼କୁ ଚାଲି ଯାଇଛନ୍ତି ଏବଂ କ୍ରମଶଃ ସେମାନଙ୍କର ସଂଖ୍ୟାବୃଦ୍ଧି ଘଟିବାରୁ ସେମାନେ ବିଭିନ୍ନ ଅଞ୍ଚଳରେ ଖେଳାଇ ହୋଇଯାଇଛନ୍ତି । ଏହି ଦୃଷ୍ଟିରୁ ବିଚାର କରିବାକୁ ଗଲେ ପଶ୍ଚିମାଞ୍ଚଳ ହିଁ ସେମାନଙ୍କର ଆଦିଭୂମି ଥିଲା ବୋଲି କୁହାଯାଇପାରେ । ସେ ଅଞ୍ଚଳରେ ସେମାନଙ୍କର ଆଦି-ନିବାସର କିଛି ସ୍ମାରକୀ ଏବେ ମଧ୍ୟ ରହିଛି । ବିସ୍ତୃତ ପ୍ରତ୍ନତାତ୍ତ୍ୱିକ ଅନୁସନ୍ଧାନ କରାଗଲେ, ଆହୁରି ବହୁ ନୂତନ ତଥ୍ୟ ଲୋକଲୋଚନକୁ ଆସିପାରିବ । ଆଦିବାସୀ ଗୋଷ୍ଠୀ ସମ୍ପର୍କରେ ଆଲୋଚନା କଲାବେଳେ ସେମାନଙ୍କର ସାଂସ୍କୃତି, ଗୋଷ୍ଠୀଗତ ସାମ୍ୟ ତଥା ବୈଷମ୍ୟ ଏବଂ ଆର୍ଯ୍ୟଗୋଷ୍ଠୀ ସହିତ ସେମାନଙ୍କର ସାଂସ୍କୃତିକ ଭାବ ବିନିମୟ ସମ୍ପର୍କରେ ମଧ୍ୟ ଏଥିରେ ସୂଚନା ଦିଆଯାଇଛି । ନଦୀ ଅବବାହିକାରେ ଏହା ଦ୍ୱାରା ଓଡ଼ିଆ ସଂସ୍କୃତିର ଏକ ପୂର୍ଣ୍ଣରୂପ କିଭଳି ଧୀରେ ଧୀରେ ବିକଶିତ ହେଉଥିଲା, ଏହା ଫଳରେ ତାହାର ଏକ ସ୍ପଷ୍ଟ ଚିତ୍ର ଦେଖିବାକୁ ମିଳୁଛି । ମହାନଦୀ ଓଡ଼ିଆ ସଂସ୍କୃତି ଗଠନର ଯେଉଁ ବଳିଷ୍ଠ ଭୂମିକା ଗ୍ରହଣ କରିଛି, ତାହା ମଧ୍ୟ ପ୍ରମାଣ କରିବାକୁ ଚେଷ୍ଟା କରାଯାଇଛି ।

 

ଇଂରେଜ ଶାସନରେ ଓଡ଼ିଆମାନେ ଦୀର୍ଘକାଳ ଧରି ଉପେକ୍ଷିତ ଅବସ୍ଥାରେ ଥିଲେ । ଶାସନ ସହିତ ଅସହଯୋଗ କାରଣରୁ ଶାସକ ଗୋଷ୍ଠୀ ଏମାନଙ୍କୁ ଭଲ ଆଖିରେ ଦେଖୁ ନଥିଲେ । ପୁଣି ୧୮୦୩ରୁ ୧୮୫୭ ମସିହା ପର୍ଯ୍ୟନ୍ତ ଓଡ଼ିଆମାନଙ୍କର ପ୍ରଶାସନ ବିରୁଦ୍ଧରେ କ୍ରମାଗତ ବିଦ୍ରୋହ ଫଳରେ ଇଂରେଜମାନଙ୍କର କ୍ରୋଧ ବହୁଗୁଣିତ ହୋଇଥିଲା । ତେଣୁ ସେମାନେ ଓଡ଼ିଆମାନଙ୍କ ସମ୍ପର୍କରେ ବହୁ କଟୁ ମନ୍ତବ୍ୟ ଦେଇଛନ୍ତି । ଅବଶ୍ୟ ଏହାର କିଛି ବ୍ୟତିକ୍ରମ ମଧ୍ୟ ରହିଥିବା ଆଶ୍ୱାସନାର ବିଷୟ ।

Image

 

Unknown

ଦ୍ୱିତୀୟ ଅଧ୍ୟାୟ

ଓଡ଼ିଆ ଭାଷା ଓ ଲିପି

 

୧୮୭୨ ମସିହାରେ ଯେତେବେଳେ କାନ୍ତିଚନ୍ଦ୍ର ଭଟ୍ଟାଚାର୍ଯ୍ୟଙ୍କର ‘ଉଡ଼ିୟା ସ୍ୱତନ୍ତ୍ର ଭାଷା ନହେ’ ପ୍ରକାଶିତ ହୋଇ ଓଡ଼ିଆ ଭାଷାର ସ୍ଥିତିକୁ ବିପନ୍ନ କରିବା ନିମନ୍ତେ ଅପଚେଷ୍ଟା ଆରମ୍ଭ କଲା, ସେତେବେଳକୁ ପ୍ରକୃତରେ ଜନବୀମସ୍‌ଙ୍କର "Outlines of Indian Philology" (1867) ବହିଟିକୁ ଛାଡ଼ିଦେଲେ ଓଡ଼ିଆ ଭାଷା ସମ୍ପର୍କିତ ଆଲୋଚନା ଅନ୍ୟ କୌଣସି ଠାରେ ହୋଇ ନ ଥିଲା । କାନ୍ତିଚନ୍ଦ୍ରଙ୍କ ବହିଟି ପ୍ରକାଶିତ ହେଲାବେଳକୁ ବୀମସ୍‌ ବାଲେଶ୍ୱରର କଲେକ୍ଟର ଥିଲେ ଏବଂ ସେତେବେଳେ ସେ ତାଙ୍କ "Comparative Grammar of Modern Aryan Languages of India (1872-79) ପୁସ୍ତକ ରଚନାରେ ବ୍ୟସ୍ତ ଥିବାରୁ ଭାରତୀୟ ଭାଷାମାନଙ୍କର ବିକାଶ ସମ୍ପର୍କରେ ଏକ ସ୍ପଷ୍ଟ ଧାରଣା ରଖୁଥିଲେ । ଓଡ଼ିଆମାନଙ୍କର ପକ୍ଷ ସମର୍ଥନ କରି ସେ ଏକ ପୁସ୍ତିକା ରଚନା କରି ସରକାରଙ୍କୁ ପ୍ରେରଣ କରିଥିଲେ । ଏଥିରେ ସେ ସୂଚନା ଦେଇଥିଲେ ଯେ, ଓଡ଼ିଆ ଭାଷା ବଙ୍ଗଳା ଭାଷାଠାରୁ ସ୍ୱତନ୍ତ୍ର ଏବଂ ବହୁ ପ୍ରାଚୀନ । ଓଡ଼ିଆଭାଷା ପ୍ରତିଷ୍ଠା ଲାଭ କରିବାର ବହୁ ପରେ ବଙ୍ଗଳା ଭାଷାର ସୃଷ୍ଟି । ଓଡ଼ିଆମାନେ ବଙ୍ଗଳା ମାର୍ଗରେ ଓଡ଼ିଶାରେ ପ୍ରବେଶ କରି ନଥିଲେ । ସେମାନେ ପଶ୍ଚିମ ଦିଗରୁ ଏଠାକୁ ଆସିଥିଲେ । ବୀମସ୍‌ଙ୍କର ଏହି ମନ୍ତବ୍ୟ ଫଳରେ ଓଡ଼ିଆଭାଷା ଅବଲୁପ୍ତିରୁ ରକ୍ଷା ପାଇ ପାଇଥିଲା । ଆଲୋଚକ ମନମୋହନ ଚକ୍ରବର୍ତ୍ତୀ ପ୍ରମାଣ କଲେ ଯେ, ପଞ୍ଚମ-ଷଷ୍ଠ ଶତକ ବେଳକୁ ଓଡ଼ିଆ ସ୍ୱତନ୍ତ୍ର ଭାଷା ରୂପରେ ଆତ୍ମପ୍ରକାଶ କରି ସାରିଥିଲା । ଭାଷାତତ୍ତ୍ୱବିତ୍‌ ଗ୍ରୀଏରସନ୍‌ଙ୍କ ମତରେ ଓଡ଼ିଆ ପ୍ରାଚୀନ ସଂସ୍କୃତିଠାରୁ ଆହୁରି ପ୍ରାଚୀନତର ବ୍ୟାକରଣ ନିୟମରେ ପରିଚାଳିତ । ଏହାକୁ ବୈଦିକ ସଂସ୍କୃତିର ଅନ୍ତର୍ଭୁକ୍ତ କରାଯାଇପାରେ । ପଣ୍ଡିତ ବିନାୟକ ମିଶ୍ର ‘ଓଡ଼ିଆ ଭାଷାର ଇତିହାସ (୧୯୨୭) ବହିରେ ପ୍ରମାଣ କଲେ ଯେ, ହୁଏନ୍‌ସାଂ’ଙ୍କ ଭ୍ରମଣ ବୃତ୍ତାନ୍ତରୁ ମଧ୍ୟ ଏହାର ସତ୍ୟତା ପ୍ରମାଣିତ ହେଉଛି । ଡଃ କୁଞ୍ଜବିହାରୀ ତ୍ରିପାଠୀ ଖ୍ରୀଷ୍ଟପୂର୍ବ କାଳରୁ ଆର୍ଯ୍ୟମାନେ ଓଡ଼ିଶାରେ ପ୍ରବେଶ କରିସାରିଥିଲେ ବୋଲି କହିଛନ୍ତି ।

 

ରାମାୟଣ, ମହାଭାରତ, ବୌଦ୍ଧସାହିତ୍ୟ-ଏ ସବୁଥିରେ ଏକାଧିକବାର କଳିଙ୍ଗ ସମ୍ପର୍କରେ ଉଲ୍ଲେଖ ମିଳୁଥିବାରୁ ଏହାର ପ୍ରାଚୀନତା ପ୍ରମାଣିତ ହେଉଛି । କେଉଁ ସୂତ୍ରରୁ ଭାଷା ସୃଷ୍ଟି ହେଲା, ତାହା ଆମ ପାଇଁ ବଡ଼କଥା ନୁହେଁ । ମନୁଙ୍କୁ ଅନୁସରଣ କରି ଅନ୍ୟ କେତେକ ବିଦ୍ୱାନ୍‌ ଯେ ଏହି ଅଞ୍ଚଳକୁ ଅନାର୍ଯ୍ୟମାନଙ୍କର ବାସଭୂମି, ପକ୍ଷୀଧରାଳିଙ୍କ ବସତି, ଇତ୍ୟାଦି ବୋଲି କହୁଛନ୍ତି, ତାହା ପ୍ରକୃତରେ ଉଦ୍ଦେଶ୍ୟମୂଳକ ମନେ ହେଉଛି । ମଣିଷ ଯେତେବେଳେ ଥିଲେ, ତେବେ ଯୋଗାଯୋଗ ନିମନ୍ତେ ଭାଷା ଅବଶ୍ୟ ଥିବ । ଅଶୋକଙ୍କ ସମୟକୁ ତାହା ପାଲି ହୋଇଥିବାର ସମ୍ଭାବନା ରହୁଥିବା ବେଳେ ଖାରବେଳଙ୍କ ସମୟକୁ ତାହା ପ୍ରାକୃତରେ ପରିବର୍ତ୍ତତ ହୋଇଥିବାର ଐତିହାସିକ ପ୍ରମାଣକୁ ଅସ୍ୱୀକାର କରିହେବ ନାହିଁ । ଉଭୟ ପାଲି ଏବଂ ପ୍ରାକୃତରେ ପ୍ରତ୍ନଓଡ଼ିଆ ଭାଷାର ଅନେକ ଶବ୍ଦ ରହିଥିବାର ମଧ୍ୟ ପ୍ରମାଣିତ ହେଉଛି । ଧୀରେ ଧୀରେ ତହିଁରୁ ଓଡ଼ିଆ ଭାଷା ଏକ ନିର୍ଦ୍ଦିଷ୍ଟ ରୂପ ନେଇଥିବ । ନବମ-ଦଶମ ଶତକ ବେଳକୁ ଏହାର ରୂପ ଅଧିକ ସ୍ପଷ୍ଟ ହେଲାଣି ଏବଂ ପଞ୍ଚଦଶ ଶତକରେ ଯେତେବେଳେ ସେହି ଭାଷାର ସମୃଦ୍ଧ ସାହିତ୍ୟ ଉପଲବ୍ଧ ହେଉଛି । ଅନ୍ତବର୍ତ୍ତୀ ଚାରିପାଞ୍ଚଶହ ବର୍ଷ ମଧ୍ୟରେ ତାହା ନିଶ୍ଚୟ ପୂର୍ଣ୍ଣ ବିକଶିତ ରୂପ ଧାରଣ କରିଥିବା । ଭାଷାତତ୍ତ୍ୱବିତ୍‌ ଗ୍ରୀଏରସନ୍‌ ପୁଣି ‘ଉଡ୍ରୀ’କୁ ଓଡ଼ିଶାର ଏକ ପ୍ରାମାଣିକ ଉପଭାଷା ରୂପେ ସ୍ୱୀକୃତି ଦେଇଥିବା ବେଳେ, ଏହି ଭାଷାର ବିକାଶଧାରାଟିକୁ ଚିହ୍ନିବାରେ ଅସୁବିଧା ନ ରହିବା କଥା । ଊନବିଂଶ ଶତକର ଶେଷ ପାଦରେ ମନମୋହନ ଚକ୍ରବର୍ତ୍ତୀ ଓଡ଼ିଆ ଭାଷା ମାଗଧୀ ପ୍ରାକୃତରୁ ସୃଷ୍ଟି ହୋଇଥିବା ଏବଂ ଏଥିରେ ଦ୍ରାବିଡ଼ ତଥା ମୁଣ୍ଡା ଭାଷାର ପ୍ରଭାବ ରହିଥିବା କଥା କହିଛନ୍ତି । ବିଜୟ ଚନ୍ଦ୍ର ମଜୁମଦାର ଏହା ସହିତ ମରାଠୀ ଭାଷାକୁ ଯୋଡ଼ିଛନ୍ତି । ବିକଶିତ ହେଉଥିବା ଅବସ୍ଥାରେ ଗୋଟିଏ ଭାଷା ଅନ୍ୟ ଭାଷା ଦ୍ୱାରା ପ୍ରଭାବିତ ହେବା ଏକ ପ୍ରାମାଣିକ ସତ୍ୟ । ମାଗଧୀ-ପ୍ରାକୃତ ସହିତ ଓଡ଼ିଆ ଭାଷାର ସୃଷ୍ଟି ସମ୍ପର୍କିତ ମତଟି ଏ ପର୍ଯ୍ୟନ୍ତ ସର୍ବମାନ୍ୟ ଗୃହୀତ ମତ ହୋଇଥିବାରୁ ଏବଂ ଏ ସମ୍ପର୍କରେ ଅନ୍ୟ ଯୁକ୍ତିଯୁକ୍ତ ତଥ୍ୟ ଅଦ୍ୟାବଧି ଉପଲବ୍ଧ ହେଉ ନଥିବାରୁ ଆପାତତଃ, ସେଇ ମତଟିକୁ ହିଁ ଗ୍ରହଣ କରିନେବା ଉଚିତ୍‌ ହେବ । ମହାନଦୀର ଅବବାହିକା ଦେଇ ଆର୍ଯ୍ୟମାନେ ପ୍ରଥମେ ଓଡ଼ିଶାରେ ପ୍ରବେଶ କରିଥିଲେ, ଏହି ତଥ୍ୟଟି ମଧ୍ୟ ଇତିହାସ ସମର୍ଥିତ ହୋଇଥିବାରୁ ତାକୁ ମଧ୍ୟ ଗ୍ରହଣ କରି ନେବା ଠିକ୍‌ ହେବ ।

 

ଭାଷା ପରେ ଲିପିର ସୃଷ୍ଟି ସମ୍ପର୍କରେ ମଧ୍ୟ ଭିନ୍ନ ଭିନ୍ନ ମତ ରହିଛି । କେବଳ ଓଡ଼ିଆ ଲିପି ନୁହେଁ । ଆଧୁନିକ ଭାରତୀୟ ଆର୍ଯ୍ୟ ଭାଷାମାନଙ୍କ ପାଇଁ ଯେଉଁ ଲିପି ସବୁର ବ୍ୟବହାର କରାଯାଉଛି, ସେ ସବୁର ମୂଳ ବ୍ରାହ୍ମୀଲିପି ବୋଲି ଭାଷାତତ୍ତ୍ୱବିତ୍‌ମାନେ କହୁଛନ୍ତି । ତେବେ ଓଡ଼ିଆ ଲିପି ତାହାର ବର୍ତ୍ତମାନର ରୂପ ପାଇବା ପୂର୍ବରୁ ନିଶ୍ଚୟ କିଛି ପରିବର୍ତ୍ତନ ମଧ୍ୟ ଦେଇ ଆସିଥିବ । ସପ୍ତମ ଶତକ ବେଳକୁ ହୁଏନ୍‌ସାଂ ଓଡ଼ିଶା ଆସିଥିବାର ପ୍ରମାଣ ମିଳୁଛି । ତାଙ୍କର ଭ୍ରମଣ ବୃତ୍ତାନ୍ତରେ କଙ୍ଗୋଦ ଅଞ୍ଚଳରେ ଉତ୍ତର ଭାରତରେ ବ୍ୟବହାର କରାଯାଉଥିବା ଲିପି ସହିତ ସେ ଅଞ୍ଚଳର ଲିପିର ଅନେକ ସାମଞ୍ଜସ୍ୟ ଲକ୍ଷ୍ୟ କରିଥିବା କଥା କହିଛନ୍ତି । ତେବେ ଗଣ୍ଡିବେଢ଼ା (ଷଷ୍ଠ-ସପ୍ତମ ଶତକ) ଶିଳାଲେଖରେ ବ୍ୟବହୃତ ଲିପିରେ ପ୍ରତ୍ନଓଡ଼ିଆ ଲିପି ପ୍ରଥମ ଥର ପାଇଁ ନିଜସ୍ୱ ବିକଶିତ ରୂପରେ ଆତ୍ମପ୍ରକାଶ କରିଥିବାର ଡଃ ସତ୍ୟନାରାୟଣ ରାଜଗୁରୁ ପ୍ରକାଶ କରିଛନ୍ତି । ଡଃ କୁଞ୍ଜବିହାରୀ ତ୍ରିପାଠୀ ଚିକାକୋଲ୍‌ (ଆନ୍ଧ୍ରପ୍ରଦେଶ)ର ଉରଜାମ୍‌ ଗ୍ରାମରୁ ଆବିଷ୍କୃତ ଅନନ୍ତ ବର୍ମାଙ୍କ ଶିଳାଲେଖ (୧୦୫୧ ଖ୍ରୀ.ଅ)ର ପ୍ରତ୍ନଓଡ଼ିଆ ଲିପି ଓ ପରବର୍ତ୍ତୀ କଳିଙ୍ଗ ଲିପିର ସମନ୍ୱୟ ଲକ୍ଷ୍ୟ କରିଛନ୍ତି । ତେବେ ଚତୁର୍ଦ୍ଦଶ ଶତକ ପର୍ଯ୍ୟନ୍ତ ଏହା ତା’ର ନାଗରୀ-ଲିପି ସମ୍ପର୍କକୁ ସମ୍ପୂର୍ଣ୍ଣ ତ୍ୟାଗ କରି ପାରି ନଥିବା କେତୋଟି ଶିଳାଲେଖରୁ ପ୍ରମାଣିତ ହେଉଛି । ତାଳପତ୍ରରେ ଲୌହଲେଖନୀ ଦ୍ୱାରା ଲେଖାଯାଉଥିବା ହେତୁ ପରବର୍ତ୍ତୀ କାଳରେ ଏହା ତାମିଲ୍‌ ଲିପିର ବର୍ତ୍ତୁଳ-ରୂପକୁ ଗ୍ରହଣ କରିନେଇଛି ।

 

ବିବର୍ତ୍ତନ କ୍ରମରେ ଓଡ଼ିଆ ଲିପି ପ୍ରାଥମିକ ପର୍ଯ୍ୟାୟରେ ବ୍ରାହ୍ମୀ ଲିପିରୁ ସୃଷ୍ଟ ହୋଇଥିଲେ ମଧ୍ୟ ପରେ ବ୍ୟାବହାରିକ ପ୍ରୟୋଗର ସୁବିଧା ଦୃଷ୍ଟିରୁ ତେଲୁଗୁ-ତାମିଲ୍‌ ଲିପି ଦ୍ୱାରା ପ୍ରଭାବିତ ହୋଇଛି । ପ୍ରତ୍ନଓଡ଼ିଆ ଲିପି ବେଶ୍‌ କିଛିକାଳ ମୁଣ୍ଡ ଉପରେ ବାଡ଼ିର ବୋଝ ବୋହି ଚାଲୁଥିବାରୁ ନାଗରୀ ଲିପି ସହିତ ଏହାର ପ୍ରତ୍ୟକ୍ଷ ସମ୍ପର୍କକୁ ଗ୍ରୀୟର୍ସନ ଗ୍ରହଣ କରିନେଇ ଲେଖିଛନ୍ତି:–"The Oriya alphabet is on the Century derived from Nagari" (Indian Anitquary supplement :–1932) ତେବେ ଏହାର ବର୍ତ୍ତମାନ ରୂପ ପାଇଁ ଏହା ଯେ, ଦକ୍ଷିଣ ଭାରତୀୟ ଲିପି ଉପରେ ନିର୍ଭରଶୀଳ, ଏଥିରେ ସନ୍ଦେହ ନାହିଁ ।

 

ଭାଷା ହେଉଛି ଏକ ସଭ୍ୟ ଜାତିର ପରିଚୟ ଏବଂ ସଂସ୍କୃତିର ପ୍ରଧାନ ଅଙ୍ଗ । ଓଡ଼ିଶା ଏକ ପ୍ରାଚୀନ ରାଜ୍ୟ । କଳିଙ୍ଗ, କୋଶଳ, କୋଙ୍ଗଦ ପ୍ରଭୃତି ରାଜ୍ୟମାନଙ୍କର ସମଷ୍ଟିରେ ଏହାର ସୃଷ୍ଟି । ବିଦେଶୀ ଐତିହାସିକ (ଷ୍ଟର୍ଲିଂ, ହଣ୍ଟର, ମାକ୍‌ଫରସନ୍‌ଏବଂ ବିଗ୍ରସ୍‌ ପ୍ରଭୃତି) ମାନଙ୍କ ମତରେ ପଞ୍ଚମ ଶତକ ପୂର୍ବରୁ ଏ ରାଜ୍ୟରେ କେବଳ ଆଦିବାସୀମାନେ ବାସ କରୁଥିଲେ । ସେହି ସମୟରେ ହିଁ ହିନ୍ଦୁମାନେ ଏଠାକୁ ଆସିଛନ୍ତି । ଯଦି ଏହା ସତ୍ୟ ହୁଏ, ତେବେ ଆମକୁ ମହାଭାରତ, ଜୈନ ଓ ବୌଦ୍ଧ ସାହିତ୍ୟର ବିବରଣୀକୁ ଅସ୍ୱୀକାର କରିବାକୁ ହେବ । ହଣ୍ଟରଙ୍କ ମତରେ ସେତିକିବେଳେ ହିଁ ହିନ୍ଦୁମାନେ କଳିଙ୍ଗ ସାମ୍ରାଜ୍ୟର ଭିତ୍ତି ସ୍ଥାପନ କରିଥିଲେ । (Orissa, Vol. I. p. 188) ପାର୍ଜିଟରଙ୍କ ମତରେ ମଗଧ, ବିଦେହ, ଏବଂ ବୈଶାଳୀ ପ୍ରଭୃତି ଅଞ୍ଚଳରେ ଆର୍ଯ୍ୟମାନେ ପ୍ରଥମେ ଉପନିବେଶ ସ୍ଥାପନ କରିଥିଲେ । ଅଙ୍ଗ, ବଙ୍ଗ, ପୌଣ୍ଡ୍ର, ସୁହ୍ନ ଏବଂ ତାମ୍ରଲିପ୍ତର ଓଡ୍ର ଅଞ୍ଚଳ ଆର୍ଯ୍ୟମାନଙ୍କର ଅଧିକାର ଭୁକ୍ତ ନଥିଲା । ମନୁ ଏହି ସବୁ ଅଞ୍ଚଳକୁ ପତିତ ବୋଲି କହିଛନ୍ତି । ତେବେ କ୍ରମେ ଆର୍ଯ୍ୟ ପ୍ରଭାବରେ ଏହି ସବୁ ଅଞ୍ଚଳ ମଧ୍ୟ ଆର୍ଯ୍ୟ ହୋଇଯାଇଥିଲା । କେବଳ ସଂସର୍ଗ ମାତ୍ରେ କୌଣସି ଅନାର୍ଯ୍ୟ ଭୂମି ଆର୍ଯ୍ୟ ହୋଇଯାଇନାହିଁ । ଆର୍ଯ୍ୟମାନେ ସେଠାରେ ଆସି ବସବାସ କରି ରହିବା ପରେ ଏହା ସମ୍ଭବ ହୋଇଛି । ପାର୍ଜିଟର ଏହି ଦିଗଟି ବିଷୟରେ ହୁଏତ ଚିନ୍ତା କରି ନାହାନ୍ତି । ସେ କହିଛନ୍ତି, ଉତ୍କଳ କୋଳ ଜାତିର ଆଦିମ ଜାତି ଅଧ୍ୟୁଷିତ ଥିଲା ଏବଂ ସେମାନେ ପାର୍ବତ୍ୟାଞ୍ଚଳରେ ବାସ କରୁଥିଲେ । ପରବର୍ତ୍ତୀ କାଳରେ ଆର୍ଯ୍ୟମାନେ ଏଠାକୁ ଆସି ସେମାନଙ୍କୁ ଗଭୀର ବନାଞ୍ଚଳକୁ ତଡ଼ି ଦେଇଥିବାର ସମ୍ଭାବନା । ପାର୍ଜିଟର ଆହୁରି କହନ୍ତି ଯେ, କଳିଙ୍ଗ ଓ ଓଡ୍ରମାନେ ସମୁଦ୍ରବାଟେ ଏ ଅଞ୍ଚଳରେ ପ୍ରବେଶ କରିଥିଲେ । ଜେନେରାଲ୍‌ ବ୍ରିଗ୍‌ସ୍‌ଙ୍କ ମତରେ ହିନ୍ଦୁମାନେ ୪୭୩ ଖ୍ରୀ.ଅ ବେଳକୁ ଏଠାରେ ପ୍ରବେଶ କରିଥିଲେ । ପୂର୍ବରୁ ବସବାସ କରି ରହିଥିବା ଲୋକେ ହୁଏତ ସେମାନଙ୍କର ଦାସତ୍ୱ ବରଣ କରିନେଲେ କିମ୍ବା ଅସ୍ପୃଶ୍ୟ ହୋଇ ରହିଲେ-। ଖ୍ରୀଷ୍ଟଜନ୍ମର ଅନ୍ତତଃ ଚାରିଶହ ବର୍ଷ ପୂର୍ବରୁ ଓଡ଼ିଶାରେ ବୌଦ୍ଧଧର୍ମ ପ୍ରବେଶ କରିଥିଲା ଏବଂ ଏହା ଉତ୍ତର ଭାରତରୁ ହିଁ ଆସିଥିଲା । ବ୍ରିଗସ୍‌ ଏହା ମଧ୍ୟ କହିଛନ୍ତି ଯେ, ଓଡ଼ିଶାର ହିନ୍ଦୁମାନେ ଖ୍ରୀଷ୍ଟୀୟ ନବମ ଶତକ ପର୍ଯ୍ୟନ୍ତ ନିଜ ଶକ୍ତିର ପରାକାଷ୍ଠା ପ୍ରଦର୍ଶନ କରିପାରି ନଥିଲେ । ଏହି ମନ୍ତବ୍ୟକୁ ସମ୍ପୂର୍ଣ୍ଣ ସତ୍ୟ ବୋଲି ଗ୍ରହଣ କରାଯାଇ ପାରିବନାହିଁ । ଯଦି ପଞ୍ଚମ ଶତକ ବେଳକୁ ଆର୍ଯ୍ୟମାନେ ଏ ଅଞ୍ଚଳରେ ପ୍ରଥମେ ପ୍ରବେଶ କଲେ, ତେବେ ଅଶୋକ କେଉଁ ସାମ୍ରାଜ୍ୟ ବିରୁଦ୍ଧରେ ଲଢ଼ୁଥିଲେ ? କାଳିଦାସଙ୍କ ରଘୁ କେଉଁ କଳିଙ୍ଗ ସାମ୍ରାଜ୍ୟ ବିଜୟ କରିବା ନିମନ୍ତେ ଅଗ୍ରସର ହୋଇଥିଲେ ? କଳିଙ୍ଗର ତଦନୀନ୍ତନ ରାଜା କ’ଣ ତେବେ ଜଣେ ଆର୍ଯ୍ୟ ଦଳପତି ନଥିଲେ ? ଏହି ଅବସ୍ଥାରେ ବିଦେଶୀ ଐତିହାସିକମାନଙ୍କର ବିଭ୍ରାନ୍ତିକର ମତକୁ ଗ୍ରହଣ କରିନେବା ଅପେକ୍ଷା ସ୍ଥାନୀୟ ଉପଲବ୍ଧ ପ୍ରମାଣକୁ ବିଚାର ପୂର୍ବକ ଗ୍ରହଣ କରିବା ହିଁ ସବୁଆଡ଼ୁ ନିରାପଦ ।

 

ମହାଭାରତ ଯୁଗ କେବଳ ନୁହେଁ; ରାମାୟଣ ଯୁଗରେ ମଧ୍ୟ ଏ ସାମ୍ରାଜ୍ୟର ଅସ୍ତିତ୍ୱ କଥା ସୂଚିତ ହୋଇଛି । ମହାଭାରତ ଯୁଗରେ ତ ଏଠାରେ ରୀତିମତ ସଭ୍ୟ, ଶିକ୍ଷିତ ଆର୍ଯ୍ୟମାନେ ବାସ କରୁଥିବାର ପ୍ରମାଣିତ ହୋଇଛି । ବର୍ତ୍ତମାନ ପ୍ରଶ୍ନ ହୋଇପାରେ ସେମାନେ କେଉଁ ଭାଷା ବ୍ୟବହାର କରୁଥିଲେ ? ଏଠାରେ ଭାଷା, ସମ୍ପର୍କରେ ଉଇଲିୟମ୍‌ ଜୋନ୍‌ସ, ଜନ୍‌ ବୀମ୍‌ସ ଏବଂ ଉଇଲିୟମ୍‌ କୋଲ ବ୍ରୁକସ୍‌ ପ୍ରମୁଖ ପାଶ୍ଚାତ୍ୟ ଭାଷାତତ୍ତ୍ୱବିତ୍‌ମାନେ ସୂଚନା ଦେଇଛନ୍ତି । ସେମାନେ ଭାରତୀୟ ଭାଷା ସମୂହକୁ ଉତ୍ତରାଞ୍ଚଳୀୟ ତଥା ଦକ୍ଷିଣାଞ୍ଚଳୀୟ-ଏହିଭଳି ଦୁଇଭାଗରେ ବିଭକ୍ତ କରିଛନ୍ତି । ପ୍ରଥମ ବିଭାଗରେ ଦଶଭାଗରୁ ନଅଭାଗ ସଂସ୍କୃତ ପ୍ରଭାବ ଥିଲା ଏବଂ ଅନ୍ୟ ଭାଷାର ମୂଳ ସ୍ୱତନ୍ତ୍ର ଥିଲା । ଓଡ଼ିଶା ଭାଷାର ସୃଷ୍ଟି ଅର୍ଦ୍ଧମାଗଧୀ ଅପଭ୍ରଂଶରୁ । ଅସମୀୟାଁ, ବଙ୍ଗଳା ଏବଂ ମୈଥିଳୀ ସୃଷ୍ଟି ମଧ୍ୟ ସେଇଠୁ । ଉଡ୍ର ବା ଓଡ଼ମାନଙ୍କର ବସବାସ କରୁଥିବା ଭୂମିର ନାମ ଓଡ଼ିଶା ଏବଂ ସେଇ ଅନୁସାରେ ଭାଷାର ନାମ ମଧ୍ୟ ଓଡ଼ିଆ ହୋଇଛି । ଭରତମୁନି (ଖ୍ରୀ.ପୂ. ପଞ୍ଚମ ଶତକ)ଙ୍କ ‘ନାଟ୍ୟଶାସ୍ତ୍ର’ରେ ଓଡ୍ର ବିଭାଷାର ଉଲ୍ଲେଖ ରହିଛି । ଭରତ ଲେଖିଛନ୍ତି :––

 

ଶବରାଭୀର ଚଣ୍ଡାଳଶବର ଦ୍ରାବିଡ଼ୋଡ୍ରଜାଃ ।।

ହୀନା ବନେଚରଣାଂ ବିଭାଷା ନାଟକେ ସ୍ମୃତାଃ ।।

 

ନାଟକରେ ଭିନ୍ନ ଭିନ୍ନ ଚରିତ୍ର କେଉଁ କେଉଁ ଭାଷାରେ ସଂଳାପ ବ୍ୟବହାର କରିବେ, ଭରତ ତାହାର ନିର୍ଦ୍ଦେଶ ଦେଇଛନ୍ତି । ଆର୍ଯ୍ୟ ଚରିତ୍ର ସବୁ ସଂସ୍କୃତ ବ୍ୟବହାର କରୁଥିବା ସ୍ଥଳେ ଦ୍ରାବିଡ଼, ଶବର, ଆଭୀର, ଉଡ୍ର ପ୍ରଭୃତି ଚରିତ୍ରମାନେ ନିଜ ନିଜର ବିଭାଷା ବ୍ୟବହାର କରୁଥିଲେ । ଏହା ଦ୍ୱାରା ନାଟକ ଜୀବନର ଯଥାର୍ଥ ଅନୁକାରୀ ହେଉଥିଲା । ‘ଉଡ୍ର’କୁ ଭରତ ଯେହେତୁ ଏକ ବିଭାଷାର ମାନ୍ୟତା ଦେଇଛନ୍ତି, ସେଥିରୁ ଅନୁମିତ ହୁଏ ଯେ, ଖ୍ରୀଷ୍ଟଜନ୍ମର ଅନ୍ତତଃ ପାଞ୍ଚଶହ ବର୍ଷ ପୂର୍ବରୁ ଓଡ଼ିଶାରେ ଆଦିମ ଅଧିବାସୀମାନଙ୍କର ଲୋକକଥିତ ଭାଷାର ବ୍ୟବହାର କରାଯାଉଥିଲା । ଭରତ ପ୍ରାୟ ଅଧିକାଂଶ ଆଞ୍ଚଳିକ ଭାଷାକୁ ‘ବିଭାଷା’ କହିଛନ୍ତି । ସେତେବେଳେ ଏହି ‘ଉଡ୍ର’ ବିଭାଷାର ରୂପ କିଭଳି ଥିଲା, ତାହା ଜଣାଯାଏ ନାହିଁ । ଭରତ ଯେଉଁ ଅଞ୍ଚଳର ଲୋକ ହୁଅନ୍ତୁ, ଏହି ରାଜ୍ୟ ବିଷୟ ତାଙ୍କୁ ଜଣାଥିଲା ନିଶ୍ଚୟ । ଉଡ୍ର ବିଭାଷା ସମ୍ପର୍କରେ ବ୍ରିଗସ୍‌ (Briggs)ଙ୍କ ମନ୍ତବ୍ୟ ହେଉଛି, ଓଡ଼ିଶା ସମେତ ଅନ୍ୟ ଅଞ୍ଚଳର ଆଦିମ ଅଧିବାସୀମାନେ ‘are of Tibetan branch, probablly, northmen of the scythic stem’. ସେପୁଣି ଅସମୀୟା ଭାଷାର ମୂଳ ଚୀନୀଭାଷାରେ ଖୋଜି ପାଇଛନ୍ତି । ଏହା ତାଙ୍କର ଅନୁମାନ ହୋଇପାରେ । ମାତ୍ର ଏହାକୁ ଗ୍ରହଣ କରିବା କଷ୍ଟ ।

 

ଅଶୋକ ଓ ଖାରବେଳଙ୍କ ଶିଳାଲେଖରେ ଓଡ଼ିଆ ଭାଷାର ମୂଳ ଅନ୍ୱେଷଣ କରାଯାଇପାରେ । ଅଶୋକଙ୍କ ଶିଳାଲେଖର ଭାଷା ପାଲି ଏବଂ ଖାରବେଳଙ୍କ ଶିଳାଲେଖରେ ପ୍ରାକୃତ ଭାଷା ବ୍ୟବହୃତ । ତେବେ ସେଥିରୁ କଥିତ ଓଡ଼ିଆ ଭାଷାର କିଛି କିଛି ଶବ୍ଦ ବ୍ୟବହୃତ ହୋଇଥିବାର ଦେଖିବାକୁ ମିଳୁଛି । ଶିଳାଲେଖ ଲୋକେ ପଢ଼ି ବୁଝିପାରିବେ ବୋଲି ସେଇମାନଙ୍କ ଭାଷାରେ ଲେଖିବାକୁ ଅଶୋକ ନିର୍ଦ୍ଦେଶ ଦେଇଥିଲେ । ସେ ସମୟର କଥିତ ଭାଷା ତେଣୁ ପାଲି ହୋଇଥିବା ସମ୍ଭବପର । ଏଥିରେ କଳେ, ତିନି, ପଛା’, ସେ, ହାନି ପ୍ରଭୃତି ଓଡ଼ିଆ ଶବ୍ଦ ବ୍ୟବହୃତ ହୋଇଛି । ତେଣୁ ଅଶୋକଙ୍କ ସମୟକୁ ଓଡ଼ିଆଭାଷା ଏକ ଆକାର ଗ୍ରହଣ କରିସାରିଲାଣି ବୋଲି କୁହାଯାଇପାରେ । ଖାରବେଳଙ୍କ ପ୍ରାକୃତ ଭାଷାର ଲେଖରେ ସେହିଭଳି ଓଡ଼ିଆ ଶବ୍ଦର ପ୍ରୟୋଗ ଖୁବ୍‌ କମ୍‌ ନୁହେଁ । ଏଥିରେ ସବ୍‌ (ସବୁ), ସିରି (ଶ୍ରୀ), ପନ୍ଦର, ଠାପନ (ସ୍ଥାପନ), ପଛିମ (ପଶ୍ଚିମ), ଆଠ, ଘର, ତେରସ (ତେର), ଚକ, ଖମ୍ବ (ଖମ୍ବ) ପ୍ରଭୃତି ଅନେକ ଓଡ଼ିଆ ଶବ୍ଦର ବ୍ୟବହାର କରାଯାଇଛି । ଅଶୋକ ଓ ଖାରବେଳଙ୍କ ସମୟ ମଧ୍ୟରେ ଓଡ଼ିଆ ଭାଷା ଅଧିକ ବିକଶିତ ହୋଇଥିବାର ଲକ୍ଷ୍ୟ କରାଯାଉଛି । ତେବେ ଗଣ୍ଡିବେଢ଼ ଶିଳାଲେଖ (ଷଷ୍ଠ/ସପ୍ତମ ଶତକ) ଶୈଳୋଦ୍‌ଦ୍ଭବବଂଶୀୟରାଜା ଧର୍ମରାଜ ଦ୍ୱିତୀୟଙ୍କ ଅଭିଲେଖ, ଦେବଳ ଦେବଙ୍କ ନୃସିଂହ ମନ୍ଦିର ଶିଳାଲେଖରେ ମଧ୍ୟ ଓଡ଼ିଆ ଶବ୍ଦର ବ୍ୟବହାର କରାଯାଇଛି । ଅନନ୍ତ ବର୍ମାଙ୍କ ଶିଳାଲେଖ (ଏକାଦଶ ଶତକ) ଗଙ୍ଗବଂଶୀ ରାଜାମାନଙ୍କର ବିଭିନ୍ନ ଅଭିଲେଖରେ ଓଡ଼ିଆ ଶବ୍ଦ ପ୍ରୟୋଗ କରାଯାଇଛି । ଗଣ୍ଡିବେଢ଼ ଶିଳାଲେଖରେ ଓଡ଼ିଆ ଶବ୍ଦ ଓ କ୍ରିୟାର ବ୍ୟବହାର ବେଶ୍‌ ସ୍ପଷ୍ଟ । ଯଥା-:–ଦେବକହୀ (ହି) ଭଗତି କରୁଅଛନ୍ତି, ଭୋ କୁମାରସେଣ ।’’ ଦ୍ୱିତୀୟା ବିଭକ୍ତିରେ ‘କହି’ ବା ‘କଇ’ ଶବ୍ଦର ପ୍ରୟୋଗରେ ପୁରା ଶବ୍ଦଟ ହେବ ‘ଦେବକଇ’ ବା ‘ଦେବତାଙ୍କୁ’ । ‘ଭଗତି’ ଓ ‘କରୁଅଛନ୍ତି’ ଶବ୍ଦଦୁଇଟି ଓଡ଼ିଆ ଶବ୍ଦ । ଅନ୍ୟ ଶିଳାଲେଖରେ ମଧ୍ୟ କିଛି ଓଡ଼ିଆ ଶବ୍ଦର ପ୍ରୟୋଗ-ଦେଖିବାକୁ ମିଳିବ । ସମ୍ପୂର୍ଣ୍ଣ ଓଡ଼ିଆରେ ଲିଖିତ ଅଭିଲେଖ ହିସାବରେ ଗ୍ରହଣ କରାଯାଇଛି ‘ଉରଜାଂ’ (୧୦୫୧ଖ୍ରୀ.ଅ) ଶିଳାଲେଖକୁ । ଏ ସମ୍ପର୍କରେ ଆଲୋଚକ ସୁରେନ୍ଦ୍ର ମହାନ୍ତି ଲେଖିଛନ୍ତି, ‘‘କିନ୍ତୁ ନରସିଂହ ଦେବ (ତୃତୀୟ)ଙ୍କ ଶିଳାଲିପିରେ ଓଡ଼ିଆ ଭାଷା ଯେପରିକି ପ୍ରଥମଥର ପାଇଁ ନିଜର ଆତ୍ମପ୍ରତ୍ୟୟ ସମ୍ପନ୍ନ ଆତ୍ମପ୍ରକାଶ ଘୋଷଣା କରିଛି ।’’ ବସ୍ତୁତଃ ଗଙ୍ଗବଂଶ କାଳରେ ଓଡ଼ିଆ ଭାଷା ସୁପ୍ରତିଷ୍ଠିତ ହୋଇଥିଲା କହିଲେ ଅତ୍ୟୁକ୍ତ ହେବନାହିଁ । (ଓଡ଼ିଆ ସାହିତ୍ୟର କ୍ରମବିକାଶ :–ପୃ:-୪) ।

 

ଓଡ଼ିଆ ଭାଷାକୁ ମହାନଦୀର ପରୋକ୍ଷ ଅବଦାନ ବୋଲି କୁହାଯାଇପାରେ । ଏହାର ଶବ୍ଦଭଣ୍ଡାର ଏବଂ ସଂରଚନାକୌଶଳ ଲକ୍ଷ୍ୟ କଲେ, ଏହା ବିଭିନ୍ନ ଭାଷାଗୋଷ୍ଠୀର ଏକ ସମନ୍ୱିତ ରୂପ ବୋଲି ମନେହୁଏ । ଏହି ଭାଷା ଲୋକ ବ୍ୟବହାର ପାଇଁ କେବେଠୁ ଉପଯୁକ୍ତ ହେଲା, ତାହା ସଠିକ୍‌ ଭାବେ କୁହାଯାଇ ପାରିବ ନାହିଁ । ତେବେ ବୁଦ୍ଧିଜୀବୀ ଏବଂ ପୁରୋହିତ ଗୋଷ୍ଠୀର କ୍ରମାଗତ ଚାପ ଫଳରେ ଆର୍ଯ୍ୟଭାଷା ଏହାର ମୂଳରୂପରେ ଗୃହୀତ ହୋଇଛି । ମାଗଧୀ-ଅପଭ୍ରଂଶ ହୋଇଛି ଏହାର ଅବଲମ୍ବନ । ଭାଷାତତ୍ତ୍ୱବିତ୍‌ ଗ୍ରୀୟରସନ୍‌ଙ୍କ ମତରେ ‘‘Magadhi Apabhramsa, in fact may be considered as spreading out eastwards and southwards in three-directions. To the north-east it developed in to the northem Bengali and Assamese, to the south in to Oriya.’’ ଭାଷାବିତ୍‌ମାନଙ୍କ ମତରେ ଓଡ଼ିଆ କାହାରି ଉପଭାଷା ନୁହେଁ । ଏହାର ସ୍ୱାତନ୍ତ୍ର୍ୟ ରହିଛି । ତେବେ ବଙ୍ଗଳା, ଆସାମୀ ଏବଂ ମୈଥିଳୀ ପ୍ରଭୃତି ପୂର୍ବାଞ୍ଚଳୀୟ ଭାଷା ସହିତ ଏହାର କିଛି ସାଦୃଶ୍ୟଗତ ସମ୍ପର୍କ ଅବଶ୍ୟ ରହିଛି । ଦ୍ରାବିଡ଼, ପାର୍ସି ପ୍ରଭୃତି ଭାଷା ସହିତ ସମ୍ପର୍କ ସତ୍ତ୍ୱେ-ଏହାର ତା’ର ନିଜସ୍ୱ ବୈଶିଷ୍ଟ୍ୟ ବଜାୟ ରଖିଛି । ବସ୍ତୁତଃ ଭାରତୀୟ ଆର୍ଯ୍ୟ ଏବଂ ଦ୍ରାବିଡ଼ ଭାଷାର ସମନ୍ୱୟରେ ଏହା ଭାଷା ବିଭବ ବର୍ଣ୍ଣାଢ୍ୟ ତଥା ପୁଷ୍ପଳ ହୋଇଛି । ତେବେ ଗଜପତି କପିଳେନ୍ଦ୍ରଦେବଙ୍କ ରାଜତ୍ୱ କାଳକୁ ଓଡ଼ିଆ ଭାଷାର ପରିପୂର୍ଣ୍ଣ ବିକାଶ ସାଧିତ ହୋଇଥିବା ସାରଳାଦାସଙ୍କ ମହାଭାରତ, ଚଣ୍ଡୀପୁରାଣ, ବିଲାଙ୍କ ରାମାୟଣ ପ୍ରଭୃତି ଗ୍ରନ୍ଥରୁ ଜଣାଯାଏ । ତାହା ପୂର୍ବରୁ ‘ରୁଦ୍ର ସୁଧାନିଧି’, କଳସା ଚଉତିଶା, ସୋମନାଥ ବ୍ରତ କଥା ପ୍ରଭୃତି ଓଡ଼ିଆ ଭାଷାରେ ରଚିତ ହୋଇଥିଲା ଏବଂ ଚର୍ଯ୍ୟାପଦଗୁଡ଼ିକରେ ଓଡ଼ିଆ ଭାଷାର ନମୁନା କିଛି କମ୍‌ନୁହେଁ । ଓଡ଼ିଆ ଭାଷାରେ ଦ୍ରାବିଡ଼ଭାଷାର କିଛି ଶବ୍ଦ-ଆଦିବାସୀ ସମ୍ପ୍ରଦାୟ ସହ ଆର୍ଯ୍ୟମାନଙ୍କର ଯୋଗାଯୋଗର ସୂଚକ ହୋଇରହିଛି ।

 

ଓଡ଼ିମ ଲିପି ଉତ୍ତର ଓ ପୂର୍ବଭାରତୀୟ କେତୋଟି ଆଞ୍ଚଳିକ ଭାଷାର ଲିପିତୁଲ୍ୟ ଚତୁଷ୍କୋଣୀୟ ନହୋଇ ବର୍ତ୍ତୁଳାକାର । ଦକ୍ଷିଣାଞ୍ଚଳରେ ଲିପି ସମୂହ ମଧ୍ୟ ବର୍ତ୍ତୁଳ । ତେଲୁଗୁ ସହିତ ଓଡ଼ିଆର ସମ୍ପର୍କ ଥିବାରୁ ଏବଂ ତେଲୁଗୁ ଲିପି ବର୍ତ୍ତୁଳାକାର ହୋଇଥିବାରୁ ଏହାର ଅନୁକରଣରେ ଓଡ଼ିଆ ଲିପି ମଧ୍ୟ ବର୍ତ୍ତୁଳ ହୋଇଛି ବୋଲି ଅନୁମାନ କରାଯାଏ । ଏହାର ପ୍ରକୃତ ବ୍ୟାବହାରିକ କାରଣ ହେଲା, ପ୍ରୟୋଜନଭିତ୍ତିକ । ତାଳପତ୍ରରେ ଲୁହାର ଲେଖନୀରେ ଲେଖାଲେଖି କରାଯାଉଥିଲା । ଦେବନାଗରୀ ଲିପି ଭଳି ଲିପି ଉପରେ ଲମ୍ବାଗାର ଟାଣିଦେଲେ ପତର କଟିଯିବାର ସମ୍ଭାବନା ରହୁଥିଲା । ତେଣୁ ଲିପିକୁ ବର୍ତ୍ତୁଳରୂପ ଦିଆଗଲା । ତେଲୁଗୁ ଲିପିର ଅନୁକରଣ ବ୍ୟାପାରଟି ସମ୍ପୂର୍ଣ୍ଣ ସତ୍ୟ ନୁହେଁ । ହୁଏତ ଏଥିରୁ ପ୍ରେରଣା ଗ୍ରହଣ କରାଯାଇ ପାରିଥାଏ-

 

ଜଳବାୟୁ, ପ୍ରାକୃତିକ ପରିବେଶ, ଭୌଗୋଳିକ ସ୍ଥିତି ଭାଷାଗଠନରେ ଏକ ବିଶେଷ ଭୂମିକା ଗ୍ରହଣ କରିଥାଏ ବୋଲି ଭାଷାତତ୍ତ୍ୱବିତ୍‌ମାନଙ୍କର ମତ । ଏହି କାରଣରୁ ବିଭିନ୍ନ ଅଞ୍ଚଳର ବାଚନଭଙ୍ଗୀ, ଶବ୍ଦ ପ୍ରୟୋଗ କୌଶଳରେ ଭିନ୍ନତା ଦେଖାଦିଏ । ମହାନଦୀ ଅବବାହିକାର ଅଧିବାସୀମାନେ ଯେଉଁ ସ୍ୱତନ୍ତ୍ର ଭାଷା ସୃଷ୍ଟି କଲେ, ତାହାର ସୌକୁମାର୍ଯ୍ୟ ଏବଂ ଲାଳିତ୍ୟ ନିମନ୍ତେ ନଦୀର ଭୂମିକାକୁ ତେଣୁ ଅସ୍ୱୀକାର କରିହେବନାହିଁ ।

Image

 

ତୃତୀୟ ଅଧ୍ୟାୟ

ଅବବାହିକାର ଜାତି ଓ ଧର୍ମ ତତ୍ତ୍ୱ

 

ଆଦିବାସୀ ଗୋଷ୍ଠୀକୁ ଛାଡ଼ିଦେଲେ ରାଜ୍ୟରେ ବର୍ତ୍ତମାନ ସବର୍ଣ୍ଣ ଓ ଅସବର୍ଣ୍ଣ ଏ ଦୁଇ ଜାତିର ଲୋକେ ବାସ କରନ୍ତି । ଅସବର୍ଣ୍ଣମାନେ ଏବେବି ସବର୍ଣ୍ଣମାନଙ୍କର ଉପେକ୍ଷାର ତାଲିକାରେ ରହିଛନ୍ତି । ଆଦିବାସୀମାନେ ମଧ୍ୟ କେତେକ ଦୃଷ୍ଟିରୁ ତାହା ହିଁ । ତେବେ ସେମାନେ ଆରଣ୍ୟକ ହୋଇଥିବା ସ୍ଥଳେ ଅସବର୍ଣ୍ଣମାନେ ଜନପଦବାସୀ । ସବର୍ଣ୍ଣ ବସତିଠାରୁ ପୃଥକ୍‌ ଭାବରେ ରହିଲେ ମଧ୍ୟ ସେମାନେ ସେବାକାରୀ ଭାବେ ସେମାନଙ୍କର ପାଖେପାଖେ ରହି ଆସିଛନ୍ତି ।

 

ଏମାନଙ୍କ ସୃଷ୍ଟି କେଉଁଠୁ, ଏଭଳି ଏକ ପ୍ରଶ୍ନ ସ୍ୱତଃ ମନରେ ଦେଖାଦିଏ । ନଦୀ ଅବବାହିକାରେ ପ୍ରଥମେ ଅଣଆର୍ଯ୍ୟମାନେ । ପରେ ଆସିଲେ ଆର୍ଯ୍ୟମାନେ । ଏମାନେ ଏ ଦୁଇଗୋଷ୍ଠୀରୁ କୌଣସିଟି ନୁହନ୍ତି । ଏମାନେ ତେବେ କେଉଁଠୁ ଆସିଲେ ଏବଂ କେବେ ଆସିଲେ ? ବେଦ ସ୍ପଷ୍ଟଭାବରେ କହିଦେଲେ ‘ବ୍ରହ୍ମଣୋଽସ୍ୟ ମୁଖମାସୀତ୍ । ବାହୁରାଜନ୍ୟକୃତଃ । ଊରୁତଦ୍‌ବୈଶ୍ୟ ପଦ୍‌ଭ୍ୟାଂ ଶୂଦ୍ରୋ ଅଜାୟତ’ (ଯଜୁର୍ବେଦ-ଅ. ୩୧/୧୧) ସାଧାରଣ ଭାବରେ ଆମକୁ ଅର୍ଥ ବୁଝାଇ ଦିଆଯାଇଛି ଏହିପରି । ସେଇ ମହାନ୍‌ପୁରୁଷ ବ୍ରହ୍ମଙ୍କ ମୁଖରୁ ବ୍ରାହ୍ମଣ, ବାହୁରୁ କ୍ଷତ୍ରିୟ, ଊରୁରୁ ବୈଶ୍ୟ ଏବଂ ପାଦରୁ ଶୂଦ୍ରମାନେ ସୃଷ୍ଟି ହେଲେ । ଆପ୍ତବାକ୍ୟ କହୁଛି, ‘ଜନ୍ମନା୍‌ଜାୟତେ ଶୂଦ୍ରାଃ ସଂସ୍କାରାଦ୍ୱିଜ ମୁଚ୍ୟତେ ।’ ଅର୍ଥାତ୍ ଜନ୍ମ ସୂତ୍ରରୁ ପ୍ରତ୍ୟେକ ମଣିଷ ହେଉଛନ୍ତି ଶୂଦ୍ର ବିଶେଷ । ପରେ ନିଜର ଗୁଣ-କର୍ମ ଓ ସ୍ୱଭାବରୁ ବର୍ଣ୍ଣ ସ୍ଥିର କରାଯାଇଥାଏ । ସମାଜର ଶୃଙ୍ଖଳା ନିମନ୍ତେ ଏହା ମନୁଷ୍ୟକୃତ ଏକ ବ୍ୟବସ୍ଥା ମାତ୍ର । ‘ପୁରୁଷ ସୂକ୍ତ’ର ପୂର୍ବସୂଚିତ ଶ୍ଳୋକଟିର ଅର୍ଥ ବର୍ତ୍ତମାନ ପଣ୍ଡିତମାନେ କରୁଛନ୍ତି ଏହିଭଳି । ଯେ ସକଳ ସଦ୍‌ଗୁଣରେ ଶ୍ରେଷ୍ଠ ଯଜନଯାଜନ କର୍ମରେ ପାରଙ୍ଗମ, ଶାନ୍ତ, ସରଳ, ନମ୍ର ପ୍ରକୃତରେ ସେ ହିଁ ହେଉଛି ବ୍ରାହ୍ମଣ । ବାହୁବଳରେ ଯେ ଦେଶମାତୃକାକୁ ତଥା ଦୁର୍ବଳକୁ ପ୍ରବଳଠାରୁ ରକ୍ଷା କରିପାରେ, ସେ କ୍ଷତ୍ରିୟ । ବାଣିଜ୍ୟ ବ୍ୟବସାୟ ଦ୍ୱାରା ଯେ ଦେଶର ଆର୍ଥିକ ସ୍ଥିତିକୁ ଦୃଢ଼ କରେ, ସେ ବୈଶ୍ୟ ଏବଂ ଯେ ପୂର୍ବୋକ୍ତ ତିନି କର୍ମରେ ସହଯୋଗ କରି ସେବାଦ୍ୱାରା ଅର୍ଥ ଲାଭ କରେ ସେ ହିଁ ହେଉଛି ଶୂଦ୍ର । (ବେଦରେ ବର୍ଣ୍ଣ ବ୍ୟବସ୍ଥା :–ଆଚାର୍ଯ୍ୟ ଉମାକାନ୍ତ :–ସମାଜ, ୬ ଜୁନ୍‌ ୨୦୦୪ ପୃ.୭) ଗୁଣ ଏବଂ କର୍ମ ଦ୍ୱାରା ଶୂଦ୍ର ମଧ୍ୟ ବ୍ରାହ୍ମଣତ୍ୱ ପ୍ରାପ୍ତି ହୋଇପାରେ ବୋଲି ମନୁ କହନ୍ତି । ତାଙ୍କ ମତରେ, ‘‘ଶୂଦ୍ରୋ ବ୍ରାହ୍ମଣତ୍ୱ ମେତି ବ୍ରାହ୍ମଣ ଶ୍ଚୈତି ଶୂଦ୍ରତାମ୍‌ । କ୍ଷତ୍ରିୟାଜ୍ଜାତ ମେବନ୍ତୁ ବିଦ୍ୟାଦ୍ୱୈଶ୍ୱାତ୍ତର୍ଥବ ଚ ।’’ ଅର୍ଥାତ୍‌ ଶୂଦ୍ରକୂଳରେ ଜାତ ହେଲେ ମଧ୍ୟ ଯେ ଅନ୍ୟ ଯେଉଁ ବର୍ଣ୍ଣର କର୍ମ କରିବ, ସେ ସେଇ ବର୍ଣ୍ଣର ଅନ୍ତର୍ଭୁକ୍ତ ହେବ-। ଏହିଭଳି ବ୍ରାହ୍ମଣ ଶୂଦ୍ର କର୍ମ କଲେ ଶୂଦ୍ର ଭାବରେ ଗଣ୍ୟ ହେବ । ଗୀତା ମଧ୍ୟ ଜାତି ତତ୍ତ୍ୱ ବିଷୟରେ ଅତ୍ୟନ୍ତ ସ୍ପଷ୍ଟ । ଗୁଣ ଏବଂ କର୍ମ ଭିତ୍ତିରେ ଯେ ବର୍ଣ୍ଣ ବ୍ୟବସ୍ଥାର ସୃଷ୍ଟି ଏକଥା ସ୍ୱୟଂ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହିଦେଇଛନ୍ତି । ଜନ୍ମ ସୂତ୍ରରେ ଜାତି ଏହି ତତ୍ତ୍ୱଟି ହୁଏତ ଯଥେଷ୍ଟ ପରେ ବ୍ରାହ୍ମଣ୍ୟ ଧର୍ମର ସୁବର୍ଣ୍ଣ ଯୁଗରେ କେତେବେଳେ ସୃଷ୍ଟି କରାଯାଇ ସମାଜ ଉପରେ ଲଦି ଦିଆଯାଇଛି । ଏଠାରେ ତାହାର ମୂଳ ଖୋଜିବାକୁ ପ୍ରୟାସ ନକରି ଆଲୋଚନାର ମୂଳସ୍ରୋତ ନିକଟକୁ ଫେରିଯିବା । ବ୍ରାହ୍ମଣ, କ୍ଷତ୍ରିୟ ଏବଂ ବୈଶ୍ୟ-ଏ ତିନି ସମ୍ପ୍ରଦାୟ ନିମନ୍ତେ ଏକ ସେବାକାରୀ ଗୋଷ୍ଠୀ ପ୍ରୟୋଜନ । ହୁଏତ ସମାଜର ଦୁର୍ବଳ ବ୍ୟକ୍ତିଟିକୁ ହିଁ ପ୍ରଥମେ ଏଥିପାଇଁ ନିର୍ବାଚିତ କରାଯାଇଥିବ ଏବଂ ଯେହେତୁ ସେ ସେବାକାରୀ ତେଣୁ ତାକୁ ନ୍ୟୂନ ଦୃଷ୍ଟିରେ ଦେଖାଯାଉଥିବ । ଯାହା ଦେଖାଯାଉଛି ଚତୁବର୍ଣ୍ଣ-ବ୍ୟବସ୍ଥା ବେଦକାଳକୁ ସୃଷ୍ଟି ହୋଇଗଲାଣି । ଆର୍ଯ୍ୟମାନେ ଯଦି ତାହାପରେ ଆମ ରାଜ୍ୟକୁ ଆସିଥିବେ, ତେବେ ସେମାନେ ନିଜର ସେବାକାରୀ ଗୋଷ୍ଠୀକୁ ସାଙ୍ଗରେ ନେଇ ଆସିଥିବେ । ମାତ୍ର ତାହାର ସମ୍ଭାବନା ଖୁବ୍ କମ୍ । ତେଣୁ ସେବାକାରୀ ଗୋଷ୍ଠୀ ଯେ ଆର୍ଯ୍ୟମାନେ ନିଜଭିତରୁ ସୃଷ୍ଟି କରିଥିବେ, କିମ୍ବା ନିକଟସ୍ଥ ଆଦିବାସୀ ଗୋଷ୍ଠୀରୁ ବଳପୂର୍ବକ ସଂଗ୍ରହ କରି ଆଣିଥିବେ, ଏଥିରେ ସନ୍ଦେହ ନାହିଁ । କାର୍ଯ୍ୟ ଗୁଣରୁ ପରେ ହୁଏତ ସେମାନଙ୍କୁ ଅସ୍ପୃଶ୍ୟ ଘୋଷଣା କରିଦିଆଯାଇଛି ।

 

ମହାତ୍ମା ଗାନ୍ଧିଙ୍କ ପ୍ରଚେଷ୍ଟାରୁ ଅସବର୍ଣ୍ଣମାନେ ହରିଜନ ବୋଲାଇ ସଂରକ୍ଷଣ-ନୀତି କଲ୍ୟାଣରୁ ନିଜର ସାମାଜିକ ସ୍ଥିତିରେ ଯଥେଷ୍ଟ ଉନ୍ନତି ଘଟାଇଛନ୍ତି । ଅସ୍ପୃଶ୍ୟତା ମଧ୍ୟ ପୂର୍ବଭଳି ସମସ୍ୟା ଭୂମିକାରେ ନାହିଁ । ଏହି ସେବାକାରୀ ଗୋଷ୍ଠୀ ଆର୍ଯ୍ୟମାନଙ୍କ ପାଖେ ପାଖେ ରହିଥିବାରୁ ସେମାନଙ୍କ ଭାଷା କହୁଛନ୍ତି । ଏମାନଙ୍କ ମଧ୍ୟରେ ଅଛନ୍ତି ହାଡ଼ି, ବାଉରୀ, ପାଣ, କଣ୍ଡରା, ଘାସି, ଗଣ୍ଡା, ଡମ ପ୍ରଭୃତି । ଆଉ ଏକ ଗୋଷ୍ଠୀ ଅଛନ୍ତି, ଯେଉଁମାନେ ସାମାଜିକ ଦୃଷ୍ଟିରୁ ଅନୁନ୍ନତ ଏବଂ ଉଚ୍ଚବର୍ଗର ସେବାରେ ନିଯୁକ୍ତ । ସେମାନେ ହେଲେ ଗଉଡ଼, ଗୁଡ଼ିଆ, ଭଣ୍ଡାରି, ତେଲି, ବଢ଼େଇ, କମାର, କୁମ୍ଭାର, ତନ୍ତୀ, ଥଟାରି, କେଉଟ, ଧୋବା ପ୍ରଭୃତି । ପ୍ରଚଳିତ ଅର୍ଥରେ ଏମାନେ ଅସ୍ପୃଶ୍ୟ ନୁହନ୍ତି ।

 

ଆର୍ଯ୍ୟମାନେ ଯେତେବେଳେ ଏଠାକୁ ଆସିଲେ, ସେତେବେଳେ ସେମାନଙ୍କ ସହିତ ଶ୍ରୋତ୍ରୀୟ ବ୍ରାହ୍ମଣ ନଥିଲେ । ସୋମବଂଶୀ ଯଯାତି କେଶରୀ (ଦଶ ଶତକ)ଙ୍କ ସମୟରେ କାନ୍ୟ କୁବ୍‌ଜରୁ ୧୦,୦୦୦ ବ୍ରାହ୍ମଣ ଆମଦାନି କରାଯାଇଥିବାର ଏକ ଘଟଣା ଏଠାରେ ପ୍ରଚାରିତ । ବିରଜା କ୍ଷେତ୍ରରେ ହେଉଥିବା ଅଶ୍ୱମେଧ ଯଜ୍ଞ ନିମନ୍ତେ ଏହି ସବୁ ବେଦଜ୍ଞ ବ୍ରାହ୍ମଣମାନେ ଏଠାକୁ ଆସି ସ୍ଥାୟୀ ଭାବରେ ରହିଯାଇଛନ୍ତି । ଗଜପତିମାନେ ମଧ୍ୟ ସେମାନଙ୍କ ସମୟରେ ଏହି ପ୍ରକ୍ରିୟାରେ ବାହାରୁ ବ୍ରାହ୍ମଣ ଆଣି ବ୍ରାହ୍ମଣ ଶାସନ ବସାଇ ସେମାନଙ୍କୁ ଥଇଥାନ କରାଇଥିବା କଥା ଶୁଣାଯାଏ । ଏହିଭଳି ଭାବରେ ଏଠାର ବ୍ରାହ୍ମଣ ସମାଜ ପ୍ରାୟ ବହିରାଗତ । ରାଜଶାସନରେ ଏମାନେ ରାଜାଙ୍କର ଗୁରୁ ହେଉଥିଲେ । ମନ୍ତ୍ରୀ ହେଉଥିଲେ ଏବଂ ତାଙ୍କୁ ସୁପରାମର୍ଶ ଦେଉଥିଲେ । ଏମାନଙ୍କ ମଧ୍ୟରେ କେତେକ ଥିଲେ ଚାଣକ୍ୟଙ୍କ ଭଳି ଶକ୍ତିଶାଳୀ । ସେମାନେ ବୁଦ୍ଧିର ଚମତ୍କାର ଖେଳ ଦେଖାଇ ସାମ୍ରାଜ୍ୟ ଗଢ଼ୁଥିଲେ, ପୁଣି ଭାଙ୍ଗୁଥିଲେ ମଧ୍ୟ । କାଳକ୍ରମେ ଏମାନଙ୍କ ମଧ୍ୟରେ ସୁଦ୍ଧା ଶ୍ରେଶୀ ବିଭାଗ ଦେଖାଦେଇଛି । କେତୋଟି ଗୋଷ୍ଠୀ ଅନ୍ୟମାନଙ୍କଠାରୁ ନିଜକୁ ଶ୍ରେଷ୍ଠ ମନେକରନ୍ତି । ହଳୁଆ, ସାରୁଆ, ଦାନୁଆ, ମସ୍ତାନ୍‌, ଓଡ଼ିଆ, ପ୍ରଭୃତି ବ୍ରାହ୍ମଣ ଗୋଷ୍ଠୀର ଅନ୍ତ୍ୟଜ । ହୁଏତ ଏମାନଙ୍କ କାର୍ଯ୍ୟ ନିମନ୍ତେ ଏମାନେ ବେଦଜ୍ଞ ଗୋଷ୍ଠୀର ଉପେକ୍ଷାର ଶିକାର ହୋଇଛନ୍ତି । ଦୃଷ୍ଟାନ୍ତ ସ୍ୱରୂପ ଦାନୁଆ ବ୍ରାହ୍ମଣମାନେ ମୃତ୍ୟୁ ପଥଯାତ୍ରୀ ବ୍ୟକ୍ତିଙ୍କଠାରୁ ଦାନ ଗ୍ରହଣ କରି ବ୍ରାହ୍ମଣଗୋଷ୍ଠୀର ସାମାଜିକ ସ୍ଥିତିକୁ ଦୁର୍ବଳ କରି ଦେଉଥିବାରୁ ହେୟ ମନେ ହୁଅନ୍ତି । ତେବେ ଆମର ଏ ସଂକ୍ରାନ୍ତରେ ବିନୀତ ପ୍ରଶ୍ନଟିଏ ଅଛି । ଦଶଦାନରେ ମୋକ୍ଷ-ଏଇଭଳି ଏକ ପ୍ରଥାର ସ୍ରଷ୍ଟା ତ ସେଇ ବ୍ରାହ୍ମଣମାନେ । ଗ୍ରହୀତା ମଧ୍ୟ ସେଇ ବ୍ରାହ୍ମଣ ହେବେ ବୋଲି ମଧ୍ୟ ସେମାନଙ୍କର ବିଧାନ-। ତେବେ ଯେ ଗ୍ରହଣ କଲେ, ସେ ନିନ୍ଦନୀୟ ହେବେ କାହିଁକି ?

 

ବ୍ରାହ୍ମଣମାନେ ଚାରି ବେଦର ପ୍ରତିନିଧିତ୍ୱ କରିଥାଆନ୍ତି ଏବଂ ବିଭିନ୍ନ ଋଷିଙ୍କର ବଂଶଧର ରୂପେ ନିଜକୁ ପରିଚିତ କରାଇଥାଆନ୍ତି । ଉତ୍କଳଖଣ୍ଡର ବ୍ରାହ୍ମଣମାନଙ୍କୁ ଅଞ୍ଚଳ ଭେଦରେ ଉତ୍ତର ତଥା ଦକ୍ଷିଣ-ଏଇ ଦୁଇ ଭାଗରେ ବିଭକ୍ତ କରାଯାଇଥାଏ । ଶ୍ରୀଜୀଉଙ୍କ ମୁକ୍ତି ମଣ୍ଡପରେ ବସୁଥିବା ଏବଂ ଗଜପତି ପ୍ରତିଷ୍ଠିତ ଷୋହଳ ଶାସନ ଅଧିବାସୀ ପଞ୍ଚୁକୋଶୀ ବ୍ରାହ୍ମଣମାନେ କୌଳିନ୍ୟ ଦୃଷ୍ଟିରୁ ସାମନ୍ତ ଶ୍ରେଣୀୟ । ରାଜା, ସାମନ୍ତ, ଜମିଦାର ଏବଂ ଭୂମ୍ୟଧିକାରୀମାନେ ଥିଲେ ଏମାନଙ୍କର ପୃଷ୍ଠପୋଷକ । ବ୍ରାହ୍ମଣମାନଙ୍କର ଉପାଧି ଥିଲା କାର୍ଯ୍ୟଭିତ୍ତିକ । ରାଜଗୁରୁଙ୍କ ପୁତ୍ର ରାଜଗୁରୁ ହେଉନଥିଲେ କିମ୍ବା ସେଇ ଉପାଧି ବ୍ୟବହାର କରିପାରୁନଥିଲେ । ମାତ୍ର ଆଜିକାଲି ଉପାଧି ବ୍ୟବହାର ସମ୍ପୂର୍ଣ୍ଣ ରୂପେ କୌଳିକ ହୋଇପଡ଼ିଛି ।

 

ପଶ୍ଚିମ ଓଡ଼ିଶାକୁ ବ୍ରାହ୍ମଣ ଯାଉଥିଲେ ଉତ୍ତର ତଥା ପୂର୍ବ-ଦୁଇଭାଗରୁ । ସ୍ୱାଭାବିକ କାରଣରୁ ଉତ୍ତରାପଥର ବ୍ରାହ୍ମଣମାନେ ଥିଲେ ସଂଖ୍ୟାଗରିଷ୍ଠ । ଉପକୂଳ ଅଞ୍ଚଳର ବ୍ରାହ୍ମଣମାନେ ବହୁ ପରେ ସେ ଅଞ୍ଚଳକୁ ଗଲେ । ଉତ୍ତରା ପଥର ବ୍ରାହ୍ମଣମାନେ ଥିଲେ ଶ୍ରୋତ୍ରୀୟ । ସୋମବଂଶୀୟମାନେ ଏମାନଙ୍କୁ ଭୂମି ବୃତ୍ତି ଦେଇ ସେଠାରେ ରଖାଇଥିଲେ । କୋଶଳ (ପ୍ରାଚୀନ ସମ୍ବଲପୁର ଅଞ୍ଚଳ)ର ଅନ୍ୟ ନାମ ଥିଲା-ଝାଡ଼ଖଣ୍ଡ । ତେଣୁ ଏଠାରେ ବ୍ରାହ୍ମଣମାନଙ୍କୁ ଝାଡ଼ୁଆ (ଝାଡ଼ରେ ବାସ କରୁଥିବା) ବ୍ରାହ୍ମଣ କୁହାଯାଉଥିଲା । କ୍ରମଶଃ ଏହା ସେମାନଙ୍କର କୌଳିକ ପରିଚୟ ହୋଇଯାଇଛି । ଆଉ ଏକ ଗୋଷ୍ଠୀ ଥିଲେ, ଯେଉଁମାନଙ୍କୁ କୁହାଯାଉଥିଲା-ଓଡ଼ିଆ । ଗଞ୍ଜାମ ଅଞ୍ଚଳର ବଳରାମ ଗୋତ୍ରୀ ହଳୁଆ ଗୋଷ୍ଠୀର ବ୍ରାହ୍ମଣମାନେ ଏହି ଶ୍ରୋଣୀର ଥିଲେ । ଓଡ଼ିଆ ବ୍ରାହ୍ମଣମାନେ ରାଜସେବା କିମ୍ବା ଦେବସେବା ପ୍ରଭୃତି ସମ୍ମାନଜନକ ତଥା ଅର୍ଥକରୀ ବୃତ୍ତିରୁ ବଂଚିତ ଥିଲେ । ‘ଲରିଆ’ ନାମ-ଧ୍ୟେୟ ଛତିଶଗଡ଼ରୁ ଆଗତ ଆଉ ଏକ ବ୍ରାହ୍ମଣ ଗୋଷ୍ଠୀ ସେ ଅଞ୍ଚଳରେ ଥିଲେ । ଏମାନେ ମଧ୍ୟ ସମ୍ମାନିତ ନଥିଲେ । ପୂର୍ବେ ଝାଡ଼ୁଆ ଓ ଓଡ଼ିଆମାନଙ୍କ ମଧ୍ୟରେ ବୈବାହିକ ସମ୍ପର୍କ ଚଳୁନଥିଲା । ବର୍ତ୍ତମାନ ଏହା ଆଉ କଡ଼ା କଡ଼ି ଭାବରେ ପାଳିତ ହେଉନାହିଁ ।

 

କୌଳିକ ବୃତ୍ତି ଆଉ ବ୍ରାହ୍ମଣମାନଙ୍କ ପାଇଁ ପୂର୍ବ ଭଳି ସମ୍ମାନଜନକ ଏବଂ ଅର୍ଥକାରୀ ମନେ ହେଉନାହିଁ । ପୂର୍ବେ ରାଜା, ମହାରାଜା, ଜମିଦାର ସାମନ୍ତମାନେ ବ୍ରାହ୍ମଣମାନଙ୍କୁ ଯେଉଁ ପୃଷ୍ଠପୋଷକତା ଯୋଗାଇ ଦେଇଥିଲେ, ରାଜପଦ ଲୋକ ପାଇଯିବା ପରେ ସେ ସବୁ ଆଉ ନାହିଁ-। ଶିକ୍ଷା ବିସ୍ତାରର ସୁଯୋଗ ନେଇ ବ୍ରାହ୍ମଣମାନେ ତେଣୁ କୌଳିକ ବୃତ୍ତି ତ୍ୟାଗ କରି ଯେକୌଣସି ଅର୍ଥକରୀ ବୃତ୍ତି ଗ୍ରହଣ କରିନେବା ନିମନ୍ତେ ଆଗ୍ରହୀ । ତେବେ ବ୍ରାହ୍ମଣମାନେ ସାମାଜିକ ଦୃଷ୍ଟିରୁ ଏବେ ମଧ୍ୟ ରାଜ୍ୟର ପ୍ରମୁଖ ତଥା ସମ୍ମାନିତ ଗୋଷ୍ଠୀ ହୋଇ ରହିଛନ୍ତି ।

 

ଜାତି-ତତ୍ତ୍ୱର ସୂଚୀରେ ଦ୍ୱିତୀୟ ନାମ ହେଉଛି କ୍ଷତ୍ରିୟମାନଙ୍କର । ଏମାନେ ରାଜ୍ୟର ଅନ୍ୟତମ ଶ୍ରେଷ୍ଠ ଜାତି । ସମାଜରେ ଏମାନଙ୍କର ପ୍ରାଧାନ୍ୟ କିଛି କମ୍‌ ନୁହେଁ । ଦେଶକୁ ଶତ୍ରୁ ହାତରୁ ବଞ୍ଚାଇବା ଏବଂ ଅନ୍ତର୍ବିବାଦର ସମାଧାନ କରିବା ଥିଲା ଏମାନଙ୍କର ପ୍ରଧାନ କାର୍ଯ୍ୟ । ରାଜବଂଶୀୟମାନେ ପ୍ରାୟ ସମସ୍ତେ କ୍ଷତ୍ରିୟ । ଏହାଛଡ଼ା ରାଜକୀୟ ସୈନ୍ୟବାହିନୀରେ ଯୋଗଦେଇ ଯେଉଁମାନେ ଯୁଦ୍ଧ ସମୟରେ ରାଜା ଓ ରାଜ୍ୟ-ଉଭୟଙ୍କୁ ସୁରକ୍ଷା ଯୋଗାଇ ଦିଅନ୍ତି, ସେମାନେ ମଧ୍ୟ କ୍ଷତ୍ରିୟ । ନିଜର କାର୍ଯ୍ୟ ନିମନ୍ତେ ସେମାନେ ରାଜାଙ୍କ ଦ୍ୱାରା ବିଭିନ୍ନ ଉପାଧିରେ ଭୂଷିତ ହୁଅନ୍ତି ଏବଂ ରାଜାମାନଙ୍କ ଭଳି ଏମାନେ ମଧ୍ୟ କୌଣସି ଶକ୍ତିଧର ପ୍ରଖ୍ୟାତ ବ୍ୟକ୍ତି, ଜାତି ବା ଦେଶ ସହିତ ନିଜର ସମ୍ପର୍କ ଅନୁସାରେ ପରିଚିତ ହୁଅନ୍ତି । ଦୃଷ୍ଟାନ୍ତ ସ୍ୱରୂପ :–ସୂର୍ଯ୍ୟ ଓ ଚନ୍ଦ୍ରବଂଶ । ବର୍ଣ୍ଣନା ଅନୁସାରେ ଅଯୋଧ୍ୟାର ରାଜ ପରିବାର ଥିଲେ ସୂର୍ଯ୍ୟବଂଶୀୟ ଏବଂ ହସ୍ତିନାର ପାଣ୍ଡବ ଓ କୌରବମାନେ ଥିଲେ ଚନ୍ଦ୍ରବଂଶୀୟ । କୌଣସି ବିଖ୍ୟାତ ବଂଶ ବା କୁଳ ମଧ୍ୟ ଏମାନଙ୍କୁ ପରିଚୟ ଯୋଗାଇ ଦିଏ ।

 

ଓଡ଼ିଶାର ଖଣ୍ଡା କୁଶଳ-ଖଣ୍ଡାଏତ୍‌ମାନେ କ୍ଷତ୍ରିୟ କୁଳର । ଦୀର୍ଘକାଳଧରି ଏଇମାନଙ୍କ ବାହୁବଳରେ ହିଁ ଓଡ଼ିଶାର ରାଜାମାନେ ରାଜ୍ୟ ରକ୍ଷା ତଥା ବିସ୍ତାର କରୁଥିଲେ । ବିଶେଷରେ ସୀମାନ୍ତ ରକ୍ଷା ନିମନ୍ତେ ସେଠାରେ ଚଉପାଢ଼ିମାନ କରାଯାଇ ବୀର ଏବଂ ଦୁର୍ଦ୍ଧର୍ଷ ଖଣ୍ଡାଏତ୍‌ମାନଙ୍କୁ ତାହାର ମୁଖ୍ୟ ରୂପେ ନିଯୁକ୍ତ କରାଯାଇ ସେମାନଙ୍କ ଚଳାଚଳ ନିମନ୍ତେ ଭୂମିବୃତ୍ତି ଖଞ୍ଜି ଦିଆ ଯାଉଥିଲା । ଏସବୁ ଥିଲା ନିଷ୍କର । ଏମାନେ ଥିଲେ ରାଜାଙ୍କର ବାହୁସ୍ୱରୂପ । ଦଳପତିଙ୍କ ଅଧୀନରେ ପଦାତିକ ପାଇକମାନେ ରହୁଥିଲେ । ଏମାନଙ୍କୁ ମଧ୍ୟ ହେତା ବା ଜାଗିର ସ୍ୱରୂପ ଜମି-ବାଡ଼ି ଖଞ୍ଜି ଦିଆ ଯାଇଥିଲା । ଅଳ୍ପ କେତେକ ସ୍ଥାୟୀ ସୈନ୍ୟଙ୍କୁ ଛାଡ଼ିଦେଲେ ଅନ୍ୟମାନେ ନିଜର ଚାଷବାସ, ଘର ପରିବାର ନେଇ ବ୍ୟସ୍ତ ରହୁଥିଲେ ଏବଂ ଦରକାର ପଡ଼ିଲେ କିମ୍ବା ଗଣ୍ଠି ବୁଲିଲେ (ଖଣ୍ଡିଏ ଶିଆଳି ନଟିରେ ଗଣ୍ଠି ପକାଇ ତାକୁ ଦ୍ରୂତଗାମୀ ରାଜ କର୍ମଚାରୀମାନଙ୍କ ଦ୍ୱାରା ପାଇକାଳି ଗାଁମାନଙ୍କରେ ବୁଲାଇ ଦିଆ ଗଲେ ବୃତ୍ତିଭୋଗୀ ପାଇକମାନେ ତତ୍‌କ୍ଷଣାତ୍‌ଅସ୍ତ୍ର ଶସ୍ତ୍ର ନେଇ ଚଉପାଢ଼ିରେ ହାଜର ହୋଇଯାଉଥିଲେ) ରାଜାଙ୍କ ପତାକା ତଳେ ଏକତ୍ର ହେଉଥିଲେ । ଏହା କୌଣସି ଚାକିରି ନଥିଲା । ତେବେ ହେତା-ଜମିକୁ ପରିବାରରେ ରଖିବା ପାଇଁ ଯେମିତି ହେଲେ ଜଣେ ଲୋକ ରାଜାଙ୍କ ସୈନ୍ୟବାହିନୀରେ ଯୋଗ ଦେଉଥିଲା । ଏ ବୃତ୍ତି ତେଣୁ ବ୍ୟକ୍ତି ଅନୁସାରୀ ନ ହୋଇ ପରିବାର ଅନୁସାରୀ ହେଉଥିଲା ।

 

ଆସାମର ‘ଆହୋମ୍‌’ ରାଜାମାନେ ମଧ୍ୟ ଏହି ଉପାୟରେ ସୈନ୍ୟବାହିନୀ ଗଠନ କରୁଥିଲେ । ସେଠାରେ ବି ପଦାତିକ ସୈନ୍ୟମାନଙ୍କୁ ପାଏକ୍‌ ବା ପାଇକ୍‌ କୁହାଯାଉଥିଲା । ରାଜାଙ୍କର କୌଣସି ସ୍ଥାୟୀ ସୈନ୍ୟବାହିନୀ ନଥିଲା । ପ୍ରୟୋଜନ ସମୟରେ ରାଜ୍ୟର କୃଷିଜୀବୀ, ଶ୍ରମିକ, କାରିଗର ଇତ୍ୟାଦି ସୈନିକ ଦାୟିତ୍ୱ ତୁଲାଉଥିଲେ । ଏହିଭଳି ସମଗ୍ର ଜନତା ଏକ ବିରାଟ ସାମରିକ ଶକ୍ତିରେ ପରିଣତ ହୋଇଥିବାରୁ ଶାସକମାନଙ୍କୁ ବହୁତ ସୁବିଧା ହେଉଥିଲା । ସେଠାର ଲୋକେ ନୌଯୁଦ୍ଧରେ ପାରଙ୍ଗମ ହୋଇଉଠି ସବୁପ୍ରକାରର ନୌକା ପ୍ରସ୍ତୁତି, ମରାମତି ଏବଂ ଚାଳନାରେ ଦକ୍ଷ ହୋଇ ଉଠିଥିଲେ । ଏପରିକି ଭାରି ତୋପ ଏବଂ ଯୁଦ୍ଧସରଞ୍ଜାମ ବହନକ୍ଷମ ବିଶାଳକାୟ ଯୁଦ୍ଧ ପୋତ ସେମାନେ ପ୍ରସ୍ତୁତ କରିପାରୁଥିଲେ ।

 

ପାଇକମାନଙ୍କୁ ଚଉପାଢ଼ିକୁ ଆସି ନିୟମିତ ଭାବରେ ଶରୀର ଚର୍ଯ୍ୟା ତଥା ଯୁଦ୍ଧ ବିଦ୍ୟାର ଅଭ୍ୟାସ ଜାରି ରଖିବାକୁ ହେଉଥିଲା । ତେବେ ଏହି ତାତ୍‌କାଳିକ ସୈନ୍ୟବାହିନୀର ଗୋଟିଏ ବଡ଼ ଦୁର୍ବଳତା ଥିଲା ଏମାନଙ୍କର ସଂଗଠନହୀନତା । ଶୃଙ୍ଖଳିତ ଭାବରେ ଦଳପତିଙ୍କ ଅଧୀନରେ କାର୍ଯ୍ୟ କରିବାର ଶିକ୍ଷା ଏମାନଙ୍କର ନଥିଲା ଏବଂ ଯୁଦ୍ଧଜୟ ନିମନ୍ତେ ଏହା ହିଁ ଥିଲା ଏକ ପ୍ରାଥମିକ ଆବଶ୍ୟକତା । ନିୟମିତ ଅଭ୍ୟାସ ଅନେକ କ୍ଷେତ୍ରରେ କାଗଜପତ୍ରରେ ରହିଯାଉଥିବାରୁ ଏମାନେ ଯେ ଯୁଦ୍ଧ ବିଦ୍ୟାରେ ଖୁବ୍‌ପାରଙ୍ଗମ ହୋଇଥିବେ ଏଭଳି ମନେକରିବାର କୌଣସି କାରଣ ନାହିଁ । ଅନେକ ସମୟରେ ଏମାନେ ନିଜର ଦଳପତିଙ୍କୁ ସୁଦ୍ଧା ଚିହ୍ନୁ ନଥିବାରୁ ଦଳପ୍ରତି ଏମାନଙ୍କର କୌଣସି ଆନୁଗତ୍ୟ ରହୁନଥିଲା । ସାମାନ୍ୟ କିଛି ଅସୁବିଧା ସୃଷ୍ଟି ହେଲେ ଏମାନେ ପ୍ରଥମେ ବିଶୃଙ୍ଖଳିତ ହୋଇପଡ଼ି ଯୁଦ୍ଧକ୍ଷେତ୍ର ତ୍ୟାଗ କରୁଥିଲେ । ସୈନ୍ୟବାହିନୀର ସଂଖ୍ୟା ଯେ ଯୁଦ୍ଧର ନିୟାମକ ହୁଏନାହିଁ, ସେ କଥା ଅନେକ ଯୁଦ୍ଧର ପରାଜୟ ଦୃଷ୍ଟିରୁ ଏକ ପ୍ରମାଣିତ ସତ୍ୟ-। ବାବର, ମାମୁଦ ପ୍ରଭୃତି ଯୁଦ୍ଧ ଜିଣିଥିଲେ ଭାରତୀୟ ସୈନ୍ୟମାନଙ୍କର ବିଶୃଙ୍ଖଳିତ ଆଚରଣ ଯୋଗୁଁ । ସିରାଜଉଦ୍ଦୌଲା ପଲାସି ଯୁଦ୍ଧରେ ହାରିଥିଲେ ମଧ୍ୟ ଏହି କାରଣରୁ । ଲଣ୍ଡନରେ ବୋର୍ଡ ଅଫ୍‌ ଡାଇରେକ୍ଟରଙ୍କ ସଭାରେ ପଲାସି ଯୁଦ୍ଧର ନାୟକ କ୍ଲାଇବ ସ୍ୱୟଂ ଏ ବିଷୟ ସ୍ୱୀକାର କରି କହିଥିଲେ, ‘‘ସେଦିନ ପଲାସି ପ୍ରାନ୍ତରର ବିରୁଦ୍ଧପକ୍ଷ ସୈନ୍ୟଙ୍କ କଥା ବାଦ୍‌ଦେଲେ ମଧ୍ୟ ଯେତିକି ଦେଖଣାହାରୀ ସେଠାରେ ଏକତ୍ରିତ ହୋଇଥିଲେ, ସେମାନେ ଯଦି ହାତରେ କଣି ଖଣ୍ଡେ ଲେଖାଁ ଧରି ପ୍ରତିରୋଧ କରିଥାଆନ୍ତେ, ତେବେ ଯୁଦ୍ଧର ପରିଣତି ଅନ୍ୟପ୍ରକାର ହୋଇଥାଆନ୍ତା ।’’

 

ଓଡ଼ିଶାର ଗଜପତିମାନେ କିନ୍ତୁ ଏଇଭଳି ଅସଂଗଠିତ ପାଇକ ବାହିନୀ ନେଇ ଗଙ୍ଗାଠାରୁ ଗୋଦାବରୀ ପର୍ଯ୍ୟନ୍ତ ସାମ୍ରାଜ୍ୟ ବିସ୍ତାର କରିଥିଲେ । ଗଜପତିଙ୍କର ଦକ୍ଷ ନେତୃତ୍ୱ ତଥା ସାଂଗଠନିକ କୌଶଳ ଯେ ଏହାର କାରଣ ଥିଲା, ଏହା ନ କହିଲେ ମଧ୍ୟ ଚଳିବ । ଏହାର ଅଭାବରୁ ହିଁ ତ ପ୍ରତାପରୁଦ୍ର ବାହିନୀ ଯୁଦ୍ଧକ୍ଷେତ୍ରରେ ପରାଜୟ ବରଣ କରିଥିଲେ । ବ୍ରାହ୍ମଣମାନଙ୍କ ଭଳି ଖଣ୍ଡାଏତ୍‌ମାନଙ୍କୁ ମଧ୍ୟ ରାଜସରକାର ତରଫରୁ ବିଭିନ୍ନ ଉପାଧିରେ ମଣ୍ଡିତ କରାଯାଉଥିଲା । ଉପାଧି ମଧ୍ୟରେ ଥିଲା ଉତ୍ତର କବାଟ, ଦକ୍ଷିଣ କବାଟ, ପଶ୍ଚିମ ରାୟ, ସୁନ୍ଦର ରାୟ, ଜଗଦ୍ଦେବ, ଭ୍ରମରବର, ରାଉତରାୟ, ଷଣ୍ଢ, ଛଞ୍ଚାଣ, ଝପଟସିଂ, ଗଜନାୟକ, ସାହସମଲ୍ଲ, ଖଡ୍ଗରାୟ, ବୈରିଶଲ୍ୟ, ବୈରିଗଞ୍ଜନ, ମହାରଥୀ, ହରିଚନ୍ଦନ, ମାନସିଂହ, ମାନଧାତା ଇତ୍ୟାଦି । ଏମାନଙ୍କ ମନରେ ଉତ୍ସାହ ଓ ଉଦ୍ଦୀପନା ସୃଷ୍ଟି କରିବାକୁ ଏମାନଙ୍କୁ ସ୍ୱତନ୍ତ୍ର ପତାକା, ପଗଡ଼ି, ଆୟୁଧ ଓ ଲାଞ୍ଛନ ଇତ୍ୟାଦି ଦିଆଯାଉଥିଲା । ଏମାନେ ଗୋଟିଏ ସମୟରେ ରାଜ୍ୟର ମୋଟ ଜନସଂଖ୍ୟାର ଗରିଷ୍ଠଭାଗ ଅଧିକାର କରି ବସିଥିଲେ ।

 

ଓଡ଼ିଶାର କରଣମାନେ ହେଉଛନ୍ତି, ଏଠାର ଏକ ପ୍ରମୁଖ ଗୋଷ୍ଠୀ । କରଣ ହେଉଛି ଏକ ରାଜଦତ୍ତ ପଦବୀ ଏବଂ ଏମାନେ ରାଜସରକାରରେ ବିବରଣୀ ସଂରକ୍ଷକ (Recordkeeper) ଭାବରେ ଦାୟିତ୍ୱ ତୁଲାଉଥିଲେ । ଏମାନେ ହେଉଛନ୍ତି ବୁଦ୍ଧିଜୀବୀ ଗୋଷ୍ଠୀ । ଲେଖାପଢ଼ାରେ ଏମାନଙ୍କର ରୁଚି ଯୋଗୁଁ ଲୋକୋକ୍ତିରେ ‘ଲେଖୁ ଲେଖୁ କରଣ’ ପ୍ରୟୋଗଟି ସୃଷ୍ଟି ହୋଇଛି । ପୁଣି ବୁଦ୍ଧିର ଚାତୁରୀ ଦେଖାଇ ଏମାନେ ‘ସମୁଦ୍ର ଢେଉ ଗଣି ରୋଜଗାର କରିବା ଜାତି’ ଭାବରେ ମଧ୍ୟ ଓଡ଼ିଶାରେ ପରିଚିତ ହୋଇଛନ୍ତି । ଗୋଟିଏ ସମୟରେ ଏଇମାନେ ହିଁ ଥିଲେ ଏଠାର ସମୃଦ୍ଧ ଓ ପ୍ରତିପତ୍ତିଶାଳୀ ଗୋଷ୍ଠୀ । ବ୍ୟବସାୟ, ବାଣିଜ୍ୟ, ବୃତ୍ତି, ଅଧ୍ୟୟନ ଇତ୍ୟାଦି କ୍ଷେତ୍ରରେ ଏମାନେ ନିଜର କୃତିତ୍ୱର ସ୍ୱାକ୍ଷର ରଖୁଥିଲେ । ବ୍ରିଟିଶ୍ ଶାସନ ଅମଳରେ ଏମାନେ ହିଁ ପ୍ରଥମେ ଇଂରାଜୀ ଶିକ୍ଷା ପାଇଁ ଆଗେଇ ଆସିଥିଲେ ଏବଂ ପ୍ରଥମେ ସରକାରୀ ଚାକିରି କରିଥିଲେ । ଏମାନଙ୍କ ମଧ୍ୟରେ ଅନେକେ ଥିଲେ ଜମିଦାର, ପଟ୍ଟାଦାର, ମହାଜନ ପ୍ରଭୃତି ଏବଂ ଏହି ହେତୁରୁ ସମାଜର ଅନ୍ୟ ବର୍ଗ ଉପରେ ଏମାନଙ୍କର ଯଥେଷ୍ଟ ପ୍ରତିପତ୍ତି ଥିଲା । ଦାସ, ପଟ୍ଟନାୟକ, ମହାନ୍ତି, ଚୌଧୁରୀ, କାନୁନ୍‌ଗୋ ପ୍ରଭୃତି ଉପାଧିରୁ ଏମାନେ ସହଜରେ ଚିହ୍ନା ଯାଇଥାଆନ୍ତି । ଏ ଉପାଧି ମଧ୍ୟରୁ କେତେକକୁ ବ୍ରାହ୍ମଣ ଏବଂ ଖଣ୍ଡାଏତ୍‌ମାନେ ମଧ୍ୟ ବ୍ୟବହାର କରନ୍ତି । ବ୍ରାହ୍ମଣ ଦାସ ଏବଂ କରଣ ଦାସ ମଧ୍ୟରେ ବ୍ରାହ୍ମଣମାନଙ୍କ ପାଇଁ ‘ଶ’ର ବ୍ୟବହାର କରାଯାଇଥାଏ । ତେବେ ସତ୍ୟବାଦୀ ଗୋଷ୍ଠୀ ଏହି ବ୍ୟବସ୍ଥା ଗ୍ରହଣ ନ କରି ବ୍ରାହ୍ମଣ ହୋଇ ମଧ୍ୟ ‘ସ’ର ବ୍ୟବହାର କରିଛନ୍ତି । କରଣମାନଙ୍କ ଉପାଧି ମଧ୍ୟରୁ କେତେକ ଥିଲା ରାଜଦତ୍ତ ଏବଂ କିଛି ବୃତ୍ତିଭିତ୍ତିକ । କ୍ଷତ୍ରିୟ, ଖଣ୍ଡାଏତ୍‌ମାନଙ୍କ ସହିତ ଏମାନଙ୍କର ବୈବାହିକ ସମ୍ପର୍କ ଏବେ ଏକ ସାଧାରଣ କଥା ହୋଇଗଲାଣି-। ଏ ଜାତି କିଭଳି ସୃଷ୍ଟି ହେଲା ସେ ବିଷୟରେ ନାନା ମୁନିଙ୍କର ନାନା ମତ ରହିଛି । ତେବେ ଏମାନେ କୁଳଗୋତ୍ର ରୂପେ ପୁରାଣ ପ୍ରସିଦ୍ଧ ଋଷିମାନଙ୍କର ନାମ ବ୍ୟବହାର କରୁଥିବାରୁ ସେମାନଙ୍କର ଆଦି ପୁରୁଷ ଏହି ଋଷିମାନେ ଥିଲେ ବୋଲି କୁହାଯାଏ ।

 

ଏହାପରେ ଓଡ଼ିଶାର ବୈଶ୍ୟ ସମ୍ପ୍ରଦାୟର କଥା । ଏମାନେ ମୁଖ୍ୟତଃ ବ୍ୟବସାୟୀ ଜାତି-। ଓଡ଼ିଶା ଏକଦା ପ୍ରସିଦ୍ଧ ଥିଲା ନିଜର ବର୍ହିବାଣିଜ୍ୟ ବିଶେଷତଃ ନୌବାଣିଜ୍ୟ ନିମନ୍ତେ । ଓଡ଼ିଶାର ବାଣିଜ୍ୟ ତରୀମାନେ ଦେଶ ବିଦେଶର ସାଗରରେ ଭାସି ବୁଲୁଥିଲେ । ଉଭୟ ସ୍ଥଳ ଓ ଜଳପଥରେ ସେମାନେ ନିଜର ବାଣିଜ୍ୟିକ ସାମ୍ରାଜ୍ୟ ବିସ୍ତାର କରୁଥିଲେ । ଓଡ଼ିଶାରେ ଗୁପ୍ତ ତଥା କୁଷାଣଯୁଗର ମୁଦ୍ରା ଆବିଷ୍କୃତ ହୋଇଥିବାରୁ ଏବଂ ଓଡ଼ିଶା ଏ ସବୁ ସାମ୍ରାଜ୍ୟର ଅନ୍ତର୍ଭୁକ୍ତ ହୋଇନଥିବାରୁ ସେମାନଙ୍କ ସହିତ ଏଠାର ବାଣିଜ୍ୟିକ ସମ୍ପର୍କ ବିଷୟ ଜଣାଯାଇଥାଏ । ବୁଦ୍ଧତ୍ୱ ଲାଭ କଲାପରେ ଗୌତମ ଯେଉଁ ଦୁଇ ବ୍ୟବସାୟୀଙ୍କୁ ପ୍ରଥମେ ଭେଟି ସେମାନଙ୍କୁ ନିଜର ଶିଷ୍ୟ ରୂପରେ ଗ୍ରହଣ କରିଥିଲେ, ସେମାନଙ୍କର ନାମ ହେଉଛି ତପସୁ ଏବଂ ଭଲ୍ଲିକ ଏବଂ ସେମାନେ ହେଉଛନ୍ତି ଉତ୍କଳର ଦୁଇ ବଣିକ । ଗୋଶକଟ ଏବଂ ଥୋରି ବଳଦ ଦ୍ୱାରା ପଣ୍ୟ ସମ୍ଭାର ନେଇ ଉତ୍ତରାପଥ ଯାତ୍ରା କରୁଥିବା ବେଳେ ନିରଞ୍ଜନା ନଦୀ ତଟରେ ଏମାନଙ୍କ ସହ ତାଙ୍କର ସାକ୍ଷାତ୍‌ ହୋଇଥିଲା ।

 

ବର୍ହିବାଣିଜ୍ୟରେ ନିଯୁକ୍ତ ଥିବା ହେତୁ ନିଜର ନିରାପତ୍ତା ନିମନ୍ତେ ସେମାନଙ୍କୁ ଯୁଦ୍ଧବିଦ୍ୟା ମଧ୍ୟ ଶିକ୍ଷା କରିବାକୁ ପଡ଼ୁଥିଲା, ଏବଂ ଏମାନଙ୍କମଧ୍ୟରୁ କେହି କେହି କ୍ଷତ୍ରିୟରେ ପରିଣତ ହୋଇଯାଉଥିଲେ । ଓଡ଼ିଶାରେ ବୈଶ୍ୟମାନଙ୍କର ମଧ୍ୟ ଶ୍ରେଣୀ ବିଭାଗ ରହିଛି । ମଧୁବୈଶ୍ୟ, ତୈଳିକବୈଶ୍ୟ, ପଟ୍ଟବୈଶ୍ୟ, ବଣିକବୈଶ୍ୟ ଏବଂ ପାଟଳି ବୈଶ୍ୟ ପ୍ରଭୃତି ବିଭିନ୍ନ ଶ୍ରେଣୀରେ ଏମାନେ ବିଭକ୍ତ । ପଶୁପାଳନ, କୃଷି, ବାଣିଜ୍ୟ ପ୍ରଭୃତି ଭିନ୍ନ ଭିନ୍ନ ବୃତ୍ତିରେ ନିଯୁକ୍ତ ଥିଲେ ହେଁ ବାଣିଜ୍ୟ-ବ୍ୟବସାୟ ଦ୍ୱାରା ଦେଶର ଅର୍ଥନୀତିକୁ ଦୃଢ଼ କରିବା ହେଉଛି ଏମାନଙ୍କର ପ୍ରଧାନ କର୍ମ । ଏମାନେ ବଣିଆ, କଂସାରି, ପାଟରା, ତେଲି, ଗୁଡ଼ିଆ, ଥଟାରି, କମାର, କୁମ୍ଭାର, ତାମ୍ବୁଳି ପ୍ରଭୃତି ସୂଚିତ ବୃତ୍ତିକୁ ଗ୍ରହଣ କରିନେଇ ଗୋଟିଏ ଗୋଟିଏ ଜାତିରେ ପରିଣତ ହୋଇଯାଇଛନ୍ତି । ଶିଳ୍ପବିପ୍ଳବ ପରେ ଉତ୍ପାଦନ ଯନ୍ତ୍ର ନିର୍ଭର ହୋଇ ପଡ଼ିବା ପରେ କୌଣସି ବୃତ୍ତି ଆଉ ଜାତିଭିତ୍ତିକ ହୋଇ ରହିନାହିଁ । ତନ୍ତୀ ଆଜି ଲୁଗା ବୁଣୁନାହିଁ କିମ୍ବା ତେଲି ତେଲ ପେଡ଼ୁ ନାହିଁ । ମଧୁବୈଶ୍ୟ ଚମଡ଼ା ବ୍ୟବସାୟ ଖୋଲି ବସିଛନ୍ତି । କରଣ-ସାମନ୍ତ ଲୁହା ଲକ୍କଡ଼ ବେପାରରେ ଲାଗିଛନ୍ତି । କମାର ଖୋଲି ବସିଛନ୍ତି ମିଠା ଦୋକାନ । ତେଣୁ ଏହିସବୁ ଜାତି ତତ୍ତ୍ୱର ଆଉ କୌଣସି ଗୁରୁତ୍ୱ ନାହିଁ । ବର୍ତ୍ତମାନ ଓଡ଼ିଶାର ବାଣିଜ୍ୟ ବ୍ୟବସାୟ ମୁଖ୍ୟତଃ ଅଣଓଡ଼ିଆମାନଙ୍କ କବଳକୁ ଚାଲିଯିବାରୁ ଏଠାରେ ଏହି ଜାତିର କୌଣସି ଗୁରୁତ୍ୱ ମଧ୍ୟ ନାହିଁ ।

 

ବ୍ରାହ୍ମଣ, କ୍ଷତ୍ରିୟ ଓ ବୈଶ୍ୟ-ଏହି ତିନିଗୋଷ୍ଠୀର ଲୋକଙ୍କ ମଧ୍ୟରେ ଗୁଣ ଓ କର୍ମର ପାର୍ଥକ୍ୟ ଥିଲେ ମଧ୍ୟ ଛୁଆଁ ଛୁଇଁର ବାରଣ ନଥିଲା । ଯଥାସମ୍ଭବ ଏମାନଙ୍କ ମଧ୍ୟରେ ଆହାର ବିହାରାଦିର ବିନିମୟ ଚଳୁଥିଲା । ତେବେ ବ୍ରାହ୍ମଣ-ବୈଶ୍ୟ କିମ୍ବା କ୍ଷତ୍ରିୟ ଘରେ ସଙ୍ଖୁଡ଼ି ଭୋଜନ କରୁ ନଥିଲା । ମଧ୍ୟଯୁଗୀୟ କଠୋର ଶାସ୍ତ୍ରୀୟ ବ୍ୟବସ୍ଥାର ଚାପରେ ଏହିଭଳି ପାରସ୍ପରିକ ଦୂରତ୍ୱ ବୃଦ୍ଧି ପାଇଥିଲା । ଆହାର ବିହାରରେ ସାମାନ୍ୟତମ ବ୍ୟତିକ୍ରମକୁ କ୍ଷମା କରାଯାଉନଥିଲା । କଠୋର ଜାତି ବ୍ୟବସ୍ଥାରେ ଗୁଡ଼ିଆ ବା ମଧୁ ବୈଶ୍ୟମାନଙ୍କଠାରୁ ଜଳଗ୍ରହଣ କରାଯାଇପାରିବ ନାହିଁ ବୋଲି ବିଧାନ ଦିଆଗଲା । ଏମାନଙ୍କ ବ୍ୟବସାୟ ଏହାଫଳରେ ଗୁରୁତର ଭାବରେ କ୍ଷତିଗ୍ରସ୍ତ ହେବାରୁ ସମସ୍ୟାର ସମାଧାନ ନିମନ୍ତେ ଏକ ପୌରାଣିକ କାହାଣୀ (କିମ୍ବଦନ୍ତୀ କୁହାଯାଉ)ର ଅବତାରଣା କରାଗଲା । କାଞ୍ଚିଯାତ୍ରା କାଳରେ ସ୍ୱୟଂ ଜଗନ୍ନାଥ ଓ ବଳଭଦ୍ର କ୍ଷୁଧା ନିବାରଣ ନିମନ୍ତେ ଜନୈକ ସାହୁଠାରୁ ମିଷ୍ଟାନ୍ନ ଗ୍ରହଣ କରିଥିବାର କୁହାଯାଇ ସେମାନଙ୍କୁ ‘ଜଳଚକ୍ର’ ଗୋଷ୍ଠୀର ଅନ୍ତର୍ଭୁକ୍ତ କରି ନିଆଗଲା । ସେହି ଭଳି ଗୋପାଳୁଣୀ ମାଣିକ ପାଇଁ ସମଗ୍ର ଗୋପାଳ ଗୋଷ୍ଠୀ ଜାତିକୁ ଉଠିଗଲେ । ଉଚ୍ଚବର୍ଣ୍ଣର ପରିଧେୟକୁ ପରିଷ୍କାର କରି ସମସ୍ତଙ୍କୁ ମାଳିନ୍ୟମୁକ୍ତ କରୁଥିବା ରଜକ ଗୋଷ୍ଠୀ କିନ୍ତୁ ଅସ୍ପୃଶ୍ୟ ହୋଇ ରହିଗଲେ । ତେବେ ବ୍ୟାବହାରିକ କାରଣରୁ ଅପରାହ୍ନରେ ସେମାନଙ୍କୁ ଛୁଇଁଲେ ଦୋଷ ନାହିଁ ବୋଲି କହି, ଅଧାଅଧି ଭାବରେ ଏମାନଙ୍କୁ ଜାତିକୁ ଉଠାଇ ନିଆଗଲା ।

 

ଶେଷ ଶୂଦ୍ର ଗୋଷ୍ଠୀ ଅସ୍ପୃଶ୍ୟ ରୂପରେ ଗଣାହେଲେ ହୁଏତ ସେମାନଙ୍କର କାର୍ଯ୍ୟ ଲାଗି, ଯାହା ସେମାନେ କରନ୍ତି ସମାଜ ପାଇଁ । ଆହାର ବିହାର ତ ଦୂରର କଥା । ଏମାନଙ୍କ ହାତରୁ ଜଳ ଗ୍ରହଣକୁ ମଧ୍ୟ ବାରଣ କରିଦିଆଗଲା । ବାଘୁତି, ବାଉରି, କଣ୍ଡରା, ପାଣ, ଡମ, ଚମାର, ଧୋବା, ଘୁଷୁରିଆ, ଗୋଖା, ହାଡ଼ି, କେଳା, ମେହେନ୍ତର, ଶିଅଳ, ଡଅଁରା, ଗଣ୍ଡା, ଘାସି ପ୍ରଭୃତି ସେବକ ଗୋଷ୍ଠୀ ଏହି ଭଳି ଅସ୍ପୃଶ୍ୟ ହୋଇଗଲେ । ନିଷ୍ଠାବାନ୍‌ ବ୍ରାହ୍ମଣ ଏମାନଙ୍କ ଛାଇ ପଡ଼ିଗଲେ ସ୍ନାନ କରୁଥିଲେ । ଏଭଳିକି ଭୋଜନ ସମୟରେ ଦୂରରୁ ଏମାନଙ୍କ ପାଟି ଶୁଣାଗଲେ ମଧ୍ୟ ଏମାନେ ଆହାର ତ୍ୟାଗ କରୁଥିଲେ ।

 

ଏହି ସାମାଜିକ କଠୋରତା ସ୍ୱାଧୀନତା ଲାଭ ପର୍ଯ୍ୟନ୍ତ ରହିଲା । ଏ ଭିତରେ ମହାତ୍ମା ଗାନ୍ଧି ଅସ୍ପୃଶ୍ୟତା ବିରୋଧରେ ସ୍ୱର ଉଠାଇ ଅସବର୍ଣ୍ଣମାନଙ୍କୁ ମନ୍ଦିର ପ୍ରବେଶର ଅଧିକାର ଦେଇ ସମାଜର ମନୋଭାବକୁ ଅନେକ କୋମଳ କରି ଆଣିଥିଲେ । ରକ୍ଷଣଶୀଳ ଗୋଷ୍ଠୀ ଏତେ ସହଜରେ ଏହାକୁ ଗ୍ରହଣ କରି ନଥିଲେ । ତେବେ ଶିକ୍ଷାର ବିସ୍ତାର, ଅନ୍ୟ ବିକଶିତ ଦେଶମାନଙ୍କ ସହିତ ସମ୍ପର୍କ ବୃଦ୍ଧି ଏବଂ ସର୍ବୋପରି ଏହି ବ୍ୟବସ୍ଥାର କ୍ଷତିକାରକ ଦିଗ ସମ୍ପର୍କରେ ସଚେତନତା ସୃଷ୍ଟି ଫଳରେ ଯୁଗ ଯୁଗର ଏହି ସନାତନ ବ୍ୟବସ୍ଥା ଆଜି ଭାଙ୍ଗିପଡ଼ିଛି ।

 

କୁହାଯାଉଛି ଯେ, ଷୋଡ଼ଶ ଶତକରେ ଉତ୍କଳରେ ବୈଷ୍ଣବ ଧର୍ମର ପ୍ରଚାର, ରାଧାକୃଷ୍ଣ ଲୀଳାର ପ୍ରସାର ଏବଂ ଜାତିବର୍ଣ୍ଣ ନିର୍ବିଶେଷରେ ସବୁ ଶ୍ରେଣୀର ଲୋକଙ୍କର ଏଥିରେ ଯୋଗଦାନ ଫଳରେ ସ୍ପୃଶ୍ୟାସ୍ପୃଶ୍ୟ ଭାବ ଅନେକ ପରିମାଣରେ କୋହଳ ହୋଇଗଲା । ଲୋକୋକ୍ତି ସୃଷ୍ଟି ହେଲା–‘‘ବାର ଜାତି ତେର ଗୋଲା/ବୈଷ୍ଣବ ହେଲେ ସବୁ ଗଲା’’-ବୈଷ୍ଣବ ଧର୍ମର ଉଦାର ନୀତିକୁ ଏଥିରେ କଟାକ୍ଷ କରାଯାଇଥିଲେ ହେଁ ଧୀରେ ଧୀରେ ଏହାର ପ୍ରଭାବ ସମାଜ ଉପରେ ପଡ଼ିଲା । ଜଗାଇ ମାଧାଇଙ୍କୁ ଉଦ୍ଧାର କରି ଶ୍ରୀଚୈତନ୍ୟ ସମାଜ ଆଗରେ ଏହାର ଏକ ଦୃଷ୍ଟାନ୍ତ ସ୍ଥାପନ କଲେ-। ଏହାଛଡ଼ା ଜୈନ, ବୌଦ୍ଧ, ଶୈବ ଏବଂ ଶାକ୍ତ ପରମ୍ପରାରେ ମଧ୍ୟ ଅସ୍ପୃଶ୍ୟତାକୁ ଏକ ଅପରାଧ ବିବେଚନା କରାଯାଉଥିଲା । ଭୀମ ଭୋଇଙ୍କର ମହିମା ଧର୍ମ ଏ ବ୍ୟବସ୍ଥା ବିରୋଧରେ ଏକ ମୌନ ପ୍ରତିବାଦ ରୂପେ ଉଭା ହେଲା । ଏ ସବୁ ସତ୍ତ୍ୱେ ସମାଜର ମନୋଭାବ ଯେ ଏହି ଘୃଣ୍ୟ ପ୍ରଥା ପ୍ରତି ସମ୍ପୂର୍ଣ୍ଣ ରୂପେ କୋହଳ ହୋଇଯାଇଥିଲା ଏଭଳି ମନେ କରିବାର କୌଣସି କାରଣ ନାହିଁ-। ସ୍ୱାଧିନତାର ଅବ୍ୟବହିତ ପୂର୍ବରୁ ଏଠାରେ ସ୍ପୃଶ୍ୟାସ୍ପୃଶ୍ୟ ଭାବର କିଭଳି ସ୍ଥିତି ଥିଲା, ତାହା ଆମେ ନିଜ ଆଖିରେ ଦେଖିଛୁଁ । ସମାଜ ମନୋଭାବ କିଞ୍ଚିତ୍‌ କୋହଳ ହୋଇଥିଲା ସତ୍ୟ, ମାତ୍ର ପ୍ରଥା ତା’ସ୍ଥାନରେ ବଳବତ୍ତର ଥିଲା ।

 

ଧର୍ମ ପ୍ରଚାର ଓ ପରିବର୍ତ୍ତନର ମଧ୍ୟ ଏ କ୍ଷେତ୍ରରେ କିଛି ଅବଦାନ ରହିଛି । ଷୋଡ଼ଶ ଶତକ ପର୍ଯ୍ୟନ୍ତ ସନାତନ ହିନ୍ଦୁ ଧର୍ମର ନିରଙ୍କୁଶତା ସମ୍ପର୍କରେ କୌଣସି ଦ୍ୱନ୍ଦ୍ୱ ଦେଖାଦେଇ ନାହିଁ । ୧୫୬୮ରେ ଆଫ୍‌ଗାନ୍‌ମାନେ ଓଡ଼ିଶା ଅଧିକାର କରିନେବା ଫଳରେ ଏ କ୍ଷେତ୍ରରେ ପ୍ରଥମ ସଙ୍କଟ ଦେଖା ଦେଇଛି । ଶୁଣାଯାଏ ଯେ ସୁଲେମାନ୍‌ କର୍‌ରାଣିର ସେନାପତି କଳାପାହାଡ଼ ପ୍ରଥମେ ଥିଲା ଜଣେ ହିନ୍ଦୁ ଏବଂ କୌଣସି କାରଣରୁ ମୁସଲମାନ ହୋଇଗଲା ପରେ ଏଥିପାଇଁ ତା’ର ଅନୁତାପ ଦେଖା ଦେଇଥିଲା ତଥା ସେ ନିଜର ଧର୍ମକୁ ଫେରିଆସିବାକୁ ପୁରୀର ମୁକ୍ତି ମଣ୍ଡପ ପଣ୍ଡିତ ସଭାର ଦ୍ୱାରସ୍ଥ ହୋଇଥିଲା । ପାଣ୍ଡିତ୍ୟ କୌଣସିକାଳେ ହୃଦୟର ଆବେଗକୁ ବୁଝେନାହିଁ । ବୁଝିଥିଲେ, ସେମାନଙ୍କ ଦ୍ୱାରା ପ୍ରତ୍ୟାଖ୍ୟାତ ହୋଇ ସମଗ୍ର ହିନ୍ଦୁ ସମାଜ ଉପରେ କଠୋର ପ୍ରତିଶୋଧ ନେବାକୁ କଳାପାହାଡ଼ ଯେଉଁଭଳି ବଦ୍ଧପରିକର ହୋଇଉଠିଲା ଏବଂ ତାହାର ପରିଣାମ ଓଡ଼ିଶା ଯେପରି ଭୋଗିଲା, ତାହା ହୁଏତ ହୋଇନଥାନ୍ତା । ଇତିହାସର ରୂପ ହୋଇଥାଆନ୍ତା ସମ୍ପୂର୍ଣ୍ଣ ଅଲଗା । ଇସଲାମ୍‌ଧର୍ମ ଗ୍ରହଣ ପ୍ରକ୍ରିୟା ଓଡ଼ିଶାରେ ସେହି ସମୟରୁ ଆରମ୍ଭ ହୋଇଥିବାର ସମ୍ଭାବନା । ଏହା ପୂର୍ବରୁ ଯବନ ଶାସକଗଣ ଉତ୍କଳର ଉଭୟ ଉତ୍ତର ଏବଂ ଦକ୍ଷିଣ ସୀମାକୁ ଖର୍ବ କରିବା ନିମନ୍ତେ ଉଦ୍ୟମ କରି ତହିଁରେ ସଫଳ ହୋଇ ନଥିଲେ । ପ୍ରତାପରୁଦ୍ରଙ୍କ ସମୟରେ ବଙ୍ଗ ସୁଲତାନ୍‌ ହୁସେନ ସାହ ଗଜପତିବାହିନୀ ଦ୍ୱାରା ପରାସ୍ତ ହୋଇଥିଲେ ମଧ୍ୟ ଦକ୍ଷିଣରେ ଗୋଲକୁଣ୍ଡାର ସୁଲତାନ୍‌ କୁଲିକୁତବ ଗଜପତି ସାମ୍ରାଜ୍ୟର କିଛି ଅଂଶ ଅଧିକାର କରିନେଇଥିଲା । ଏହା ଦ୍ୱାରା କିନ୍ତୁ ଏଠାର ସାଂସ୍କୃତିକ ଅବସ୍ଥାର କୌଣସି ପରିବର୍ତ୍ତନ ହୋଇନଥିଲା । ୧୫୬୮ ପରେ ଯବନ ଏଠାରେ ସ୍ଥାୟୀ ହେବା ଫଳରେ ଏଠାର ସାମାଜିକ-ସାଂସ୍କୃତିକ ଅବସ୍ଥାରେ ଯବନ-ସଂସ୍କୃତିର ପ୍ରଭାବ ପଡ଼ିବା ସ୍ୱାଭାବିକ । ଗଜପତି ବାହିନୀ ଦ୍ୱାରା ଯୁଦ୍ଧ ବନ୍ଦୀ ଭାବରେ ଆନୀତ କିଛି ଯବନ ଏଠାରେ ପୂର୍ବରୁ ସ୍ଥାୟୀଭାବରେ ବାସବାସ କରୁଥିଲେ କିମ୍ବା ନାହିଁ, ତାହା ଜଣାଯାଏ ନାହିଁ । ତେବେ ଧର୍ମ ପରିବର୍ତ୍ତନ ଆରମ୍ଭ ହେଲା ୧୫୬୮ ପରେ । କଟକରେ ଆଫଗାନ୍‌ ପ୍ରତିନିଧି କଳାପାହାଡ଼ର ଅସମାପ୍ତ କାର୍ଯ୍ୟକୁ ବେଶ୍‌ ଭଲ ଭାବରେ ଆଗେଇନେଲା । ପରିସ୍ଥିତି ଖୋର୍ଦ୍ଧା ରାଜା ରାମଚନ୍ଦ୍ର ଦେବଙ୍କୁ ‘ହାଫିଜ କାଦର୍‌’ରେ ପରିଣତ କରିଦେଲା । ଗଜପତି ଧର୍ମାନ୍ତରିତ ହେବା ଦ୍ୱାରା ସମାଜରେ ଏହାର ପ୍ରତିକ୍ରିୟା ତ ନିଶ୍ଚୟ ଦେଖା ଦେଇଥିବ ।

 

ତେବେ ଏହା ଦ୍ୱାରା ସନାତନ ହିନ୍ଦୁଧର୍ମର ଯେ ବିଶେଷ କୌଣସି ପରିବର୍ତ୍ତନ ହେଲା ତାହା ନୁହେଁ । ଭାଷା ଭିତରକୁ ଅବଶ୍ୟ କେତେକ ଯାବନିକ ଶବ୍ଦ ପ୍ରବେଶ କରିଗଲା । ଉଭୟ ସଂସ୍କୃତି ମଧ୍ୟରେ ପାର୍ଥକ୍ୟ ଏତେ ଯେ, ତହିଁରୁ କିଛି ଗ୍ରହଣ କରିବା ହିନ୍ଦୁଧର୍ମ ପକ୍ଷରେ ସମ୍ଭବପର ହେଲା ନାହିଁ । ତେବେ ସମନ୍ୱୟବାଦୀ ଉତ୍କଳୀୟ ସଂସ୍କୃତି ଏ କ୍ଷେତ୍ରରେ ମଧ୍ୟ ତାହାର ଯାଦୁ ଦେଖାଇଲା । ଦୀର୍ଘକାଳ ପାଖାପାଖି ରହିଯିବା ଫଳରେ ମୁସଲମାନମାନେ ହିନ୍ଦୁସଂସ୍କୃତି ଦ୍ୱାରା ପ୍ରଭାବିତ ହେଲେ । ଦୋଳ ଦଶହରା ପର୍ବ ପାଳନରେ ସେମାନଙ୍କର ସହଯୋଗ ମିଳିଲା । ମାର୍ଗଶିର ମାସ ଗୁରୁବାରରେ ଲକ୍ଷ୍ମୀଚିତା ମୁସଲମାନ କାନ୍ଥ ମଣ୍ଡନ କଲା । ବୋଲଗଡ଼ ପାଖ ମାଣିକା ଗୋଡ଼ା ଗ୍ରାମରେ ଦୁର୍ଗା ପୂଜାରେ ମୁସଲମାନ ହୋତା ହୋଇ ବସିଲେ । ହିନ୍ଦୁମାନେ ମଧ୍ୟ ମହରମ୍‌, ଇଦ୍‌ପ୍ରଭୃତିରେ ମୁସଲମାନମାନଙ୍କୁ ସହଯୋଗ କଲେ । ଏସବୁ ସହିତ ଗୋଟିଏ ଉଲ୍ଲେଖଯୋଗ୍ୟ ବ୍ୟାପାର ହେଲା ଉଭୟ ଧର୍ମ ଦର୍ଶନର ସମନ୍ୱୟରେ ଏକ ସମନ୍ୱିତ ଦେବତାଙ୍କର ପରିକଳ୍ପନା । ସେ ହେଲେ ସତ୍ୟପୀର । ନାମକରଣ ପୂଜା ପଦ୍ଧତି, ପୂଜା ଉପକରଣ, ପ୍ରସାଦ ବ୍ୟବସ୍ଥା, ସର୍ବୋପରି ପାଲାକାରଙ୍କ ବେଶଭୂଷାରେ ଦୁଇଧର୍ମର ସମନ୍ୱୟ ଘଟାଇବାକୁ ଚେଷ୍ଟା କରାଗଲା । ଯେଉଁ ମହାତ୍ମା ଏହାର ପରିକଳ୍ପନା କଲେ, ତାଙ୍କର ଦୂରଦୃଷ୍ଟିକୁ ପ୍ରଶଂସା କରିବାକୁ ହେବ । ଦୁଇ ସଂସ୍କୃତି ମଧ୍ୟରେ ସତ୍ୟପୀର ଉପାସନା ହେଲା ପ୍ରଥମ ଦୃଢ଼ ସେତୁ । ମେଦିନୀପୁର ନିବାସୀ ଓଡ଼ିଆ କବି କର୍ଣ୍ଣ ଯଥାଶୀଘ୍ର ଏଥିପାଇଁ ଏକ ଶାସ୍ତ୍ର ପ୍ରସ୍ତୁତ କରିଦେଲେ । ଏହା ବେଶ୍‌ ଲୋକପ୍ରିୟ ହେଲା ମଧ୍ୟ । ହିନ୍ଦୁମାନେ ମୁସଲମାନ ପୀର, ଫକୀରଙ୍କ ପ୍ରତି ଭକ୍ତି ପ୍ରଦର୍ଶନ କରିବାକୁ ଆରମ୍ଭ କଲେ । ଯବନ ସାଲବେଗ ହିନ୍ଦୁଜଗତର ମଉଡ଼ମଣି ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଜଣାଣ, ଭଜନ ଲେଖିଲେ ଏବଂ ଅଜସ୍ର ହିନ୍ଦୁ ତାକୁ ଭକ୍ତିପୂତ ଚିତ୍ତରେ ଗାନ କରିବା ହେଉଛି ଉଭୟ ସଂସ୍କୃତି ସମନ୍ୱୟର ସର୍ବଶ୍ରେଷ୍ଠ ପରିଣତି ।

 

ଧର୍ମର ମହାପ୍ଳାବନରେ ଓଡ଼ିଶା :–ଓଡ଼ିଶାର ସଂସ୍କୃତି ପ୍ରସଙ୍ଗରେ ଚିନ୍ତା କଲେ, ପ୍ରଥମେ ଏଠାର ଧର୍ମଧାରଣା କଥା ମନକୁ ଆସେ । ଧର୍ମ କ୍ଷେତ୍ରରେ ଏଠାର ମୁଖ୍ୟ ହିନ୍ଦୁଧର୍ମ ଆଦିବାସୀ ଧର୍ମଧାରଣା ଦ୍ୱାରା ପ୍ରଭାବିତ ହୋଇଛି । ଓଡ଼ିଶାର ମଉଡ଼ମଣି ଶ୍ରୀଜଗନ୍ନାଥ ଯେ ଆଦିବାସୀ ଦେବତା, ଏଥିରେ କୌଣସି ସନ୍ଦେହ ନାହିଁ । ‘ଦେଉଳ ତୋଳା’ ନାମକ ପ୍ରାଚୀନ କାବ୍ୟରେ ଉଲ୍ଲେଖ ଅଛି ଯେ, ପୂର୍ବେ ଜଗନ୍ନାଥଙ୍କ ସ୍ଥାନରେ ‘ନୀଳମାଧବ’ ଉପାସିତ ହେଉଥିଲେ । ଏହି ନୀଳମାଧବ ‘କଳାମୁଗୁନିପଥର ଖଣ୍ଡ’ ବୋଲି ପଣ୍ଡିତ ନୀଳକଣ୍ଠ ଦାସ ଅନୁମାନ କରିଛନ୍ତି । କାରଣ ସ୍ୱରୂପ ସେ କହନ୍ତି ଯେ, ଓଡ଼ିଶାର ପାଲଲହଡ଼ା ଆଦି ଅଞ୍ଚଳରେ ଶବରମାନେ ଏବେ ମଧ୍ୟ ନୀଳମାଧବ ରୂପରେ କଳାପଥର ଖଣ୍ଡ ପୂଜା କରୁଛନ୍ତି । (ଭାରତୀୟ ସଂସ୍କୃତିକୁ ଉତ୍କଳର ଦାନ :–ରାଷ୍ଟ୍ରଭାଷା ରଜତ ଜୟନ୍ତୀ ଗ୍ରନ୍ଥ:-ପୃ:-୨୩୨) ଏ ଯେଉଁ କାଠ, ପଥର ପ୍ରଭୃତିର ପୂଜା-ଏହା ହେଉଛି ଅଣ-ଆର୍ଯ୍ୟ ସଂସ୍କୃତିର ଦାନ । ଆର୍ଯ୍ୟମାନେ ଏଠାରେ ପ୍ରବେଶ କରିବା ପରେ ଏହା ଦ୍ୱାରା ପ୍ରଭାବିତ ହୋଇଛନ୍ତି । ମହାଭାରତ ରଚିତ ହେଲା ବେଳକୁ ଏଠାର ‘ପତିତ’ ଅପବାଦ ଦୂର ହୋଇ ସାରିଥିଲା-। ଉତ୍ତରାପଥର କ୍ଷତ୍ରିୟମାନେ ବିନାଦ୍ୱିଧାରେ ଏଠା କ୍ଷତ୍ରିୟ ପରିବାର ସହିତ ବୈବାହିକ ସମ୍ପର୍କ ସ୍ଥାପନ କରୁଥିବାରୁ ଏହା କୁହାଯାଇପାରେ । ଖ୍ରୀ:-ପୂ:-୫ମ ଶତକ ବେଳକୁ ଏଠାରେ ବ୍ରାହ୍ମଣ୍ୟଧର୍ମର ପ୍ରଚାର ଘଟି ସାରିଲାଣି । ଅଶୋକଙ୍କ ସମୟରେ ଏଠାରେ ବହୁ ବ୍ରାହ୍ମଣ ବସବାସ କରୁଥିବା କଥା ତାଙ୍କ ତ୍ରୟୋଦଶ ଅନୁଶାସନରୁ ଜଣାଯାଇଥାଏ । ତାଙ୍କ ସମୟରେ ବୌଦ୍ଧଧର୍ମର ପ୍ରସାର ଘଟିଲା । ଖାରବେଳ ଜୈନ ଥିଲେ ମଧ୍ୟ ଅନ୍ୟ ଧର୍ମ ଉପରେ ହସ୍ତକ୍ଷେପ କରୁନଥିଲେ । କାଳକ୍ରମେ ବୌଦ୍ଧ ଓ ଜୈନଧର୍ମରେ ଅବକ୍ଷୟ ଆରମ୍ଭ ହୋଇଯାଇଥିଲା ଓ ଶେଷରେ ବ୍ରାହ୍ମଣ୍ୟଧର୍ମ ମଧ୍ୟରେ ଦୁଇ ଧର୍ମର ବିଲୟ ଘଟିଥିଲା । ଶୈବ, ସୌର, ଶାକ୍ତ, ଗାଣପତ୍ୟ ପ୍ରଭୃତି ଧର୍ମ ସୁଦ୍ଧା ଏହାର ଅଙ୍ଗୀଭୂତ ହେଲା । ବାସୁଦେବ ନାରାୟଣ, ଶିବ, ଦୁର୍ଗା, ଗଣେଶ ଓ ସୂର୍ଯ୍ୟ ଆଦି ଦେବତା ଏହି ଧର୍ମରେ ବିଶେଷ ସ୍ଥାନ ପାଇଲେ ।

 

ଖାରବେଳଙ୍କ ପରେ ଗୁପ୍ତ ଶାସକମାନଙ୍କ ସମୟରେ ଏଠାରେ ବିଷ୍ଣୁ ଉପାସନା ପ୍ରଚଳିତ ଥିଲା । ମାଠର ବଂଶୀୟ ରାଜା (ଚତୁର୍ଥ-ପଞ୍ଚମ ଶତକ)ମାନଙ୍କ ସମୟରେ ବ୍ରାହ୍ମଣ୍ୟଧର୍ମର ପୁନରଭ୍ୟୁତ୍ଥାନ ଘଟିଥିଲା । ପରବର୍ତ୍ତୀ ରାଜବଂଶ ଶୈଳୋଦ୍‌ଭବମାନେ ମଧ୍ୟ ଏହି ଧର୍ମର ସମର୍ଥକ ଥିଲେ । ବୈଦିକ ମତରେ ଯାଗଯଜ୍ଞାଦି କରୁଥିଲେ । ମାଧବ ବର୍ମା ଦ୍ୱିତୀୟ-ଏଠାରେ ପ୍ରଥମ ଅଶ୍ୱମେଧ ଯଜ୍ଞ କରିଥିଲେ । କେଶରୀମାନେ ଶୈବ ଥିଲେ । ଯଯାତି କେଶରୀ ବିରଜା କ୍ଷେତ୍ରକୁ ନିଜର ରାଜଧାନୀ କରି କାନ୍ୟକୁବ୍‌ଜରୁ ୧୦,୦୦୦ ବୈଦିକ ବ୍ରାହ୍ମଣ ଅଣାଇ ଏଠାରେ ଯଜ୍ଞ କରାଇଥିଲେ । ରାଜାଙ୍କ ଅନୁଗ୍ରହରୁ ଏମାନେ ଭୂମି ବୃତ୍ତିପାଇ ଶାସନମାନଙ୍କରେ ରହିଗଲେ । ଯଜ୍ଞସ୍ଥଳ କ୍ରମେ ଯଜ୍ଞପୁର ଏବଂ ଶେଷରେ ଯାଜପୁର ନାମରେ ପରିଚିତ ହେଲା । (ଓଡ଼ିଶାର ସାଂସ୍କୃତିକ ଇତିହାସ:- ପୃ:- ୬୫)

 

ଜଗନ୍ନାଥ ଧର୍ମରେ ଜୈନ ଧର୍ମର ପ୍ରଭାବ ରହିଛି ବୋଲି କିଛି ବିଦ୍ୱାନ କହନ୍ତି । ସେମାନଙ୍କ ମତରେ ଜଗନ୍ନାଥ ହେଉଛନ୍ତି ଜୀନ ଦେବ (ଜୀନନାଥ) ତଥା ରତ୍ନସିଂହାସନ ହେଉଛି ଜୀନାସନ । ମହାପଦ୍ମାନନ୍ଦ ଏହାକୁ ଅପହରଣ କରିଥିଲେ ଏବଂ ଖାରବେଳ ଫେରାଇ ଆଣିଥିଲେ-। ସେହିଭଳି ବୌଦ୍ଧଧର୍ମ ଏଠାରେ ଲୋକପ୍ରିୟ ହୋଇଥିଲା । ବୁଦ୍ଧଙ୍କ ପ୍ରଥମ ଶିଷ୍ୟ ଦୁଇଜଣ ଓଡ଼ିଆ ବଣିକ । ପଞ୍ଚମ ଶତକରେ ମହାନଦୀ ଅବବାହିକାରେ ବାସ କରୁଥିବା ‘ଭଞ୍ଜ’ ଏବଂ ବତ୍ସସ ମାନେ ପ୍ରଥମେ ଏହି ଧର୍ମକୁ ବିରୋଧ କରି ପରେ ସମର୍ଥନ କରିଥିବାର ବୌଦ୍ଧ ଗ୍ରନ୍ଥମାନଙ୍କରୁ ଜଣାଯାଇଥାଏ । ବୌଦ୍ଧ ଅଞ୍ଚଳର ବୌଦ୍ଧକୀର୍ତ୍ତି କଥା ସମସ୍ତେ ଜାଣନ୍ତି । ସେହିଭଳି ସୋମବଂଶୀୟ ବତ୍ସରାଜ (୨ୟ ରାଜା) ବୌଦ୍ଧଗ୍ରନ୍ଥ ସୂଚିତ ‘ବତ୍ସସ’ ଜାତିର ହୋଇପାରନ୍ତି । ତାଙ୍କର ରାଜଧାନୀ ଥିଲା ମହାନଦୀ କୂଳରେ ଶ୍ରୀପୁରନଗର । ହୁଏନ୍‌ସାଂ ନଦୀପଥରେ ବୌଦ୍ଧପୀଠ ଦର୍ଶନ ନିମନ୍ତେ ଏହି ଅଞ୍ଚଳକୁ ଯାଇଥିବା କଥା କହିଛନ୍ତି । ଅଶୋକଙ୍କ ସମୟରେ କଳିଙ୍ଗରେ ବୌଦ୍ଧଧର୍ମର ପ୍ରଭୂତ ପ୍ରସାର ହୋଇ ଏକ ହଜାର ବର୍ଷ ପର୍ଯ୍ୟନ୍ତ ଏହାର ପ୍ରଭାବ ରହିଲା । ଭୌମକର ବଂଶୀୟ (ଅଷ୍ଟମନବମଶତକ)ମାନଙ୍କର ରାଜତ୍ୱରେ ରତ୍ନଗିରି ବିହାରର ବହୁ ଉନ୍ନତି ହୋଇଥିଲା । ସେହି ବଂଶର ଶୁଭକର କେଶରୀ ଖଣ୍ଡବ୍ୟୂହ ଗ୍ରନ୍ଥ ସହିତ ଏକ ପତ୍ର ଚୀନ୍‌ସମ୍ରାଟ୍‌ଙ୍କୁ ପଠାଇଥିବାର ପ୍ରମାଣ ମିଳିଛି । ସେହି ସମୟରେ ରତ୍ନଗିରି ବିହାରରେ ଥିଲେ ଆଚାର୍ଯ୍ୟ ପିତୋପାଦ । ସେ ସମ୍ବଳ ବା ସମ୍ବଲପୁର ରାଜ୍ୟରୁ ତନ୍ତ୍ର ଶିକ୍ଷା କରି ବୌଦ୍ଧଧର୍ମର ଏକ ନୂତନ ଶାଖା ‘କାଳଚକ୍ର ଯାନ’ର ପ୍ରବର୍ତ୍ତନ କରିଥିଲେ । ଇନ୍ଦ୍ରଭୂତି ଓ ତାଙ୍କ ଭଉଣୀ ଲକ୍ଷ୍ମୀଙ୍କରାଙ୍କ ପ୍ରଚାରିତ ‘ବଜ୍ରଯାନ’ ଓ ‘ସହଜଯାନ’ ଏହା ପୂର୍ବର ଏବଂ ଏହା ମଧ୍ୟ ତନ୍ତ୍ର ଆଧାରିତ । ତନ୍ତ୍ରୋପାସନା ଅବବାହିକା ଅଞ୍ଚଳରୁ ହିଁ ତ୍ରିକୋଣି ଭୂମି ଅଞ୍ଚଳକୁ ଆସିଥିବାର ଏଥିରୁ ଅନୁମିତ ହୋଇଥାଏ । ଆଚାର୍ଯ୍ୟ ପିତୋପାଦ ହିଁ ଏହି କାର୍ଯ୍ୟଟି କରିଥିଲେ । ତାଙ୍କ ଉଦ୍ୟମରେ ରତ୍ନଗିରି ଏକ ପ୍ରସିଦ୍ଧ ତାନ୍ତ୍ରିକ ପୀଠରେ ପରିଣତ ହୋଇଥିଲା । ସୋନପୁରଠାରେ ଜୟଦ୍ରଥ ’ଚକ୍ରସମ୍ବର ତନ୍ତ୍ର’ର ବିକାଶ ଘଟାଇଥିଲା । ଲକ୍ଷ୍ମୀଙ୍କରା ଥିଲେ ସେ ସମୟର ଲଙ୍କା ବା ଆଧୁନିକ ସୋନପୁର ରାଜବଧୂ । ‘ଉଡ୍‌ଡୀୟାନପୀଠ’ ସେତେବେଳେ ପ୍ରସିଦ୍ଧ ତାନ୍ତ୍ରିକ ପୀଠର ମର୍ଯ୍ୟାଦା ଲାଭ କରିଥିଲା ଏବଂ ଉଭୟ ‘ସମ୍ବଳ’ ଏବଂ ‘ଲଙ୍କା’ ଏହାର ଅନ୍ତର୍ଭୁକ୍ତ ଥିଲେ । ତ୍ରିକୋଣଭୂମି ଅଞ୍ଚଳର ରତ୍ନଗିରି, ଉଦୟଗିରି, ଲଳିତଗିରି, ଯାଜପୁର, ଅଯୋଧ୍ୟା, ଖିଚିଂ, ଚୌଦ୍ୱାର, ପ୍ରାଚୀ ଅବବାହିକା ଓ ବାଣପୁର ପ୍ରଭୃତି ସ୍ଥାନରୁ ଅନେକ ବଜ୍ରଯାନୀ ମୂର୍ତ୍ତି ମିଳୁଥିବାରୁ ଏକଦା ଏହି ଧର୍ମ ଏ ସବୁ ଅଞ୍ଚଳକୁ ମଧ୍ୟ ବ୍ୟାପିଥିବାର ଅନୁମାନ କରାଯାଇଥାଏ । ଓଡ଼ିଶାରେ ଉପଲବ୍ଧ ବଜ୍ରସତ୍ତ୍ୱ, ପ୍ରଜ୍ଞାପାରମିତା, ବଜ୍ରପାଣି, ଅମୋଘସିଦ୍ଧି, ମଞ୍ଜୁଶ୍ରୀ, ତାରା, ମାରିଶ, ବଜ୍ରବାରାହୀ–ଏ ସମସ୍ତ ହେଉଛନ୍ତି ବୌଦ୍ଧ ତାନ୍ତ୍ରିକ ଦେବଦେବୀ ।

 

ଭୌମକର ଓ ସୋମବଂଶର ରାଜତ୍ୱରେ ପୃଷ୍ଠପୋଷକତାର ଅଭାବରୁ ତାନ୍ତ୍ରିକ ବୌଦ୍ଧଧର୍ମର ଦ୍ରୁତ ଅବକ୍ଷୟ ଘଟିଲା । ଇନ୍ଦ୍ରଭୂତି ଅବଶ୍ୟ ଜଗନ୍ନାଥଙ୍କୁ ବଜ୍ରପାଣି ବୁଦ୍ଧ ରୂପରେ କଳ୍ପନା କରି ଜଗନ୍ନାଥ ଧର୍ମ ମଧ୍ୟରେ ଆତ୍ମରକ୍ଷାର ଶେଷ ଚେଷ୍ଟା କରିଥିଲେ । ହୁଏତ ଏହି ସମୟରେ ବୈଷ୍ଣବ ଦେବତା ଶ୍ରୀ ଜଗନ୍ନାଥ ତାନ୍ତ୍ରିକ ପୂଜା ପଦ୍ଧତି ଗ୍ରହଣ କଲେ ।

 

ସେହିଭଳି ଦ୍ରାବିଡ଼ଦେବତା ଶିବଙ୍କର ଉପାସନା ମଧ୍ୟ ଏଠାରେ ବହୁ ପ୍ରାଚୀନ । ଅବବାହିକାରେ ଏହା ଅନେକ କାଳରୁ ପ୍ରଚଳିତ ଥିଲା । ମହାଭାରତର ଭୀଷ୍ମ ପର୍ବରେ ବର୍ଣ୍ଣିତ ଅଛି, ଉତ୍ପଳେଶଂ ସମାସାଦ୍ୟ ଯାବଚ୍ଚିତ୍ରା ମାହେଶ୍ୱରୀ ।

 

ଚିତ୍ରୋତ୍ପଳେତି କଥିତା ସର୍ବପାପ ପ୍ରଣାଶିନୀ ।। ୯ମ ଅଧ୍ୟାୟ

 

ମହାନଦୀର ପୌରାଣିକ ନାମ ହେଉଛି ଚିତ୍ରୋତ୍ପଳା । କଟକ ଜିଲ୍ଲାରେ ମହାନଦୀ ଏକ ଶାଖା ଏହି ନାମରେ ପରିଚିତ । ରାୟପୁର ଜିଲ୍ଲାରେ ମହାନଦୀ ତୀରସ୍ଥ ପ୍ରାଚୀନ ନଗର ‘ରାଜିମ୍‌’ ହେଉଛି ଏକ ତୀର୍ଥ କ୍ଷେତ୍ର ଏବଂ ଏଠାରେ ରାଜୀବଲୋଚନ (ବିଷ୍ଣୁ) ଏବଂ ଉତ୍ପଳେଶ (ଶିବ)ଙ୍କ ମନ୍ଦିର ରହିଛି । ଏହି ଅଞ୍ଚଳ କୋଶଳ ରାଜ୍ୟର ଅନ୍ତର୍ଭୁକ୍ତ ଥିଲା, ଚିତ୍ରାମାହେଶ୍ୱରୀ ଚିତ୍ରୋତ୍ପଳା ନଦୀକୂଳର ଚିତ୍ରାଭଗବତୀ । ସାଲେପୁରଠାରୁ ଦଶ କି:-ମି ଦୂରରେ ଚିତ୍ରୋତ୍ପଳାକୂଳରେ ଏହି ମନ୍ଦିର ରହିଛି । ‘ଭୀଷ୍ମପର୍ବ’ ବର୍ଣ୍ଣନାନୁସାରେ ଉତ୍ପଳେଶଙ୍କ ମନ୍ଦିରଙ୍କଠାରୁ ଚିତ୍ରାମାହେଶ୍ୱରୀ ମନ୍ଦିର ପର୍ଯ୍ୟନ୍ତ ଅନ୍ତର୍ବର୍ତ୍ତୀ ମହାନଦୀର ନାମ ହେଉଛି ଚିତ୍ରୋତ୍ପଳା । ଚିତ୍ରୋତ୍ପଳା ପାପନାଶିନୀ ଏବଂ କଳିଯୁଗର ଗଙ୍ଗା (କଳୌଚିତ୍ରୋତ୍ପଳା ଗଙ୍ଗା) କୋଶଳ ଓ କଳିଙ୍ଗ-ଏ ଦୁଇ ଦେଶରେ ଲୋକେ ଏହାକୁ ଗଙ୍ଗାନଦୀ ରୂପେ ଗ୍ରହଣ କରନ୍ତି ଏବଂ କେହି କେହି ଏହି ନଦୀରେ ଅସ୍ଥି ମଧ୍ୟ ବିସର୍ଜନ କରନ୍ତି । ମହାନଦୀ ତୀରରେ ଶୈବପୀଠର ସଂଖ୍ୟା ଖୁବ୍‌ କମ୍‌ ନୁହେଁ । ମାଠର ବଂଶୀମାନେ ଶୈବ ବିଦ୍ୱେଷୀ ନଥିଲେ । ଶୈଳୋଦ୍‌ଭବ (୭ମ ଶତକ)ମାନେ ଶୈବ ଧର୍ମର ପୃଷ୍ଠପୋଷକ ଥିଲେ ଏବଂ ବହୁ ଶିବ ମନ୍ଦିର ନିର୍ମାଣ କରାଇଥିଲେ । ଭୁବନେଶ୍ୱରର ଶତ୍ରୁଘ୍ନେଶ୍ୱର, ଲକ୍ଷ୍ମଣେଶ୍ୱର, ପରଶୁରାମେଶ୍ୱର ଓ ସ୍ୱର୍ଣ୍ଣଜାଳେଶ୍ୱର ଶିବ ମନ୍ଦିର ଏହି ବଂଶର କୀର୍ତ୍ତି । ଭୌମକରମାନେ ତାନ୍ତ୍ରିକ ବୌଦ୍ଧଧର୍ମର ପୃଷ୍ଠପୋଷକ ନଥିଲେ, ତେବେ ଏହି ସମୟରେ ଶୈବ ଧର୍ମରେ ତନ୍ତ୍ର ପ୍ରଭାବରେ କେତେକ ନୂତନତା ଦେଖା ଦେଇଥିଲା । ଶାକ୍ତ ଧର୍ମ ମଧ୍ୟ ଏତିକିବେଳେ ଏଠାରେ ପ୍ରବେଶ କରିଥିଲା । ଶୈବ, ଶାକ୍ତ ଓ ବୌଦ୍ଧ ଧର୍ମର କେନ୍ଦ୍ରରୂପେ ବୈତାଳ ମନ୍ଦିରର ପ୍ରତିଷ୍ଠା ମଧ୍ୟ ହୋଇଥିଲା । ଏହି ସମୟରେ ସେଠାର ଭାସ୍କର୍ଯ୍ୟରୁ ଧର୍ମୀୟ ସହାବସ୍ଥାନର ଏହି ସ୍ଥିତି ଲକ୍ଷ୍ୟ କରାଯାଏ । ଏହି ସମୟରେ ହିଁ ଶୈବଧର୍ମରେ ‘କାପାଳିକ ଶାଖା’ର ଅଭ୍ୟୁଦୟ ଘଟିଲା । ସେମାନେ ତନ୍ତ୍ର ମତରେ ଶରୀର ସାଧନା କରୁଥିଲେ ।

 

ଖ୍ରୀଷ୍ଟୀୟ ଦଶମ ଶତକରୁ ଓଡ଼ିଶାରେ ଶୈବ ଧର୍ମର ଦ୍ରୁତ ବିକାଶ ଘଟିବାକୁ ଲାଗିଗଲା । ରାଜ୍ୟସାରା ଶିବପୀଠ ପ୍ରତିଷ୍ଠିତ ହେଲା । ପ୍ରଥମ ଯଯାତି ମୁକ୍ତେଶ୍ୱର ମନ୍ଦିର ନିର୍ମାଣ କଲେ । ୨ୟ ଯଯାତି ଓ ତାଙ୍କ ପୁଅ ଉଦ୍ୟୋତ କେଶରୀ ନିର୍ମାଣ କଲେ ଲିଙ୍ଗରାଜ ମନ୍ଦିର । ପ୍ରାଚୀନ ନଦୀ ଅବବାହିକାରେ ସୋମବଂଶୀମାନେ ଅସଂଖ୍ୟ ଶିବମନ୍ଦିର ନିର୍ମାଣ କଲେ । ଏହି ସମୟରେ ତାନ୍ତ୍ରିକଦେବତା ଶିବଙ୍କ ସହିତ ‘ଈଶ୍ୱର’ ଶବ୍ଦଟି ଯୁକ୍ତ ହେଲା । ଭୁବନେଶ୍ୱର, କପିଳେଶ୍ୱର, ମୁକ୍ତେଶ୍ୱର, କପୋତେଶ୍ୱର ପ୍ରଭୃତି ନାମର ସୃଷ୍ଟି ଏହିଭଳି ।

 

ଦକ୍ଷିଣ କୋଶଳର ସୋମବଂଶୀମାନେ ବୌଦରେ ରାମେଶ୍ୱର, ଗନ୍ଧରାଡ଼ିଠାରେ ସିଦ୍ଧେଶ୍ୱର, ସୋନପୁରଠାରେ ସୁବର୍ଣ୍ଣମେରୁ, ପାଟଣାର ରାଣୀପୁର ଝରିଆଲ୍‌ରେ ଅନେକ ଶିବ ମନ୍ଦିର ସ୍ଥାପନ କଲେ । ଏହି ସମୟରେ ବ୍ରାହ୍ମଣମାନେ ବହୁ ବୌଦ୍ଧପୀଠ ଧ୍ୱଂସ କରି ସେଠାରେ ଶିବ ମନ୍ଦିର ସ୍ଥାପନ କରିଥିଲେ । ଅନେକ ବୌଦ୍ଧ ଦେବଦେବୀ ହିନ୍ଦୁଦେବତା ରୂପେ ପୂଜିତ ହେଲେ-। ଭୁବନେଶ୍ୱର ଭାସ୍କରେଶ୍ୱର ମନ୍ଦିରର ଶିବଲିଙ୍ଗ ଏକ ବୌଦ୍ଧସ୍ତମ୍ଭରୁ ରୂପାନ୍ତରିତ ବୋଲି ଡଃ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ପ୍ରଥମେ ପ୍ରମାଣ କରିଥିଲେ । ଶଙ୍କରାଚାର୍ଯ୍ୟ (ଅଷ୍ଟମ ଶତକ) ପୁରୀ ଆସି ଶୈବଧର୍ମର ପ୍ରଚାର କରିଥିଲେ । ବ୍ରାହ୍ମଣ ଓ ଶ୍ରମଣମାନଙ୍କ ବିବାଦ ଏହି ସମୟରେ ଚରମ ସୀମାରେ ପହଞ୍ଚିଥିଲା ଏବଂ ମାଦଳାପାଞ୍ଜିରେ ଏ ବିଷୟରେ ବର୍ଣ୍ଣନା ରହିଛି ।

 

ଶୈବଧର୍ମର ସୁବର୍ଣ୍ଣଯୁଗରେ ଅନ୍ୟଧର୍ମ ସବୁ ଉପେକ୍ଷିତ ନଥିଲେ । କେଶରୀମାନେ ଶୈବ ହୋଇ ମଧ୍ୟ ଜଗନ୍ନାଥଙ୍କୁ ଭୁଲି ନଥିଲେ । ଯଯାତି ଜଗନ୍ନାଥଙ୍କ ମନ୍ଦିର ନିର୍ମାଣ କରିଥିଲେ । ଭୁବନେଶ୍ୱରର ଗୌରୀମନ୍ଦିର ଓ ପୁରୀର ସପ୍ତମାତୃକା ଏହି କେଶରୀ ରାଜାଙ୍କର କୀର୍ତ୍ତି । ମତପାର୍ଥକ୍ୟ ଥିଲେ ମଧ୍ୟ ସେତେବେଳେ ବିଭିନ୍ନ ଧର୍ମ ମଧ୍ୟରେ ସୌହାର୍ଦ୍ଦ୍ୟର ଅଭାବ ନଥିଲା । ଗଙ୍ଗମାନେ ଜଗନ୍ନାଥଙ୍କର ଭକ୍ତ ଥାଇ ମଧ୍ୟ ଶୈବଧର୍ମ ପ୍ରତି ଅସହିଷ୍ଣୁ ନଥିଲେ । ସେମାନେ ଅନେକ ଶୈବପୀଠ ପ୍ରତିଷ୍ଠା କରିଛନ୍ତି । ଶିବ ମନ୍ଦିରକୁ ଦାନ ଦେଇଛନ୍ତି । ଏହି ସମୟରେ ହିଁ ଭୁବନେଶ୍ୱରର ଲିଙ୍ଗରାଜ ହରିହରଙ୍କର ଦ୍ୱୈତ ସତ୍ତାର ସମନ୍ୱୟ ରୂପେ ତୁଳସୀ ଓ ବେଲପତ୍ର ମାଧ୍ୟମରେ ଗରୁଡ଼ ସହ ବୃଷଭଙ୍କର ଯୁଗ୍ମାବସ୍ଥାନରେ ଏବଂ ଚକ୍ର ସହ ତ୍ରିଶୂଳର ସହାବସ୍ଥାନରେ ଧର୍ମ ସମନ୍ୱୟର ଏକ ଅପୂର୍ବ ଆଦର୍ଶର ପ୍ରତୀକ ହୋଇଉଠିଲେ । ମହାପ୍ରସାଦର ସର୍ତ୍ତମୂଳକ ପ୍ରଚଳନ ହେଲା ଜଗନ୍ନାଥଙ୍କ ପ୍ରାଧାନ୍ୟକୁ ଆଖିରେ ରଖି । ବେଢ଼ାରେ ଅନେକ ବିଷ୍ଣୁ ମନ୍ଦିର ନିର୍ମିତ ହେଲା । ଶ୍ରୀ ଜଗନ୍ନାଥଙ୍କର ସମନ୍ୱୟର ଆଦର୍ଶକୁ ଲିଙ୍ଗରାଜ ଗ୍ରହଣ କରିଦେଲେ ।

 

ସୂର୍ଯ୍ୟବଂଶୀୟ କପିଳେନ୍ଦ୍ର ଶ୍ରୀ ଜଗନ୍ନାଥଙ୍କୁ ନିଜର ଇଷ୍ଟ ଦେବ ରୂପେ ଗ୍ରହଣ କରି ମଧ୍ୟ ଶିବଙ୍କ ପ୍ରତି ଆନୁଗତ୍ୟ ରଖିଲେ । ସାରଳା ମହାଭାରତରେ ବହୁ ଶିବପୀଠର ବର୍ଣ୍ଣନା ସହିତ ପ୍ରାଚୀ ନଦୀ ତୀରରେ ଅଷ୍ଟଶମ୍ଭୁଙ୍କ ବିଷୟରେ ବର୍ଣ୍ଣନା ରହିଛି । ପୁରୁଷୋତ୍ତମ ଦେବ ଶିବପୀଠକୁ ଦାନ ଦେଇଥିବାର ଏବଂ ପ୍ରତାପରୁଦ୍ର ଦେବ କପିଳାସର ଚନ୍ଦ୍ରଶେଖର ମନ୍ଦିର ନିର୍ମାଣ କରାଇଥିବାର ପ୍ରମାଣ ରହିଛି ।

 

ଶିବଙ୍କ ତୁଲ୍ୟ ଶକ୍ତି ମଧ୍ୟ ଏ ରାଜ୍ୟରେ ବହୁ କାଳରୁ ଉପାସିତା । ମହାଭାରତରେ ସର୍ବପ୍ରାଚୀନ ଶକ୍ତିପୀଠ ବିରଜାକ୍ଷେତ୍ରର ବର୍ଣ୍ଣନା ରହିଛି । ପଶ୍ଚିମ ଓଡ଼ିଶାର ‘ସୁଲ୍‌କୀ ରାଜା’ (୫ମ ଶତକ) ନିଜକୁ ‘ସ୍ତମ୍ଭେଶ୍ୱରୀ ପାଦଭକ୍ତ’ ବୋଲି ଘୋଷଣା କରିଛନ୍ତି । ସୋନପୁର ସ୍ତମ୍ଭେଶ୍ୱରୀଙ୍କର ପ୍ରଧାନ ପୀଠ । ଏ ଅଞ୍ଚଳର ଭଞ୍ଜ ଏବଂ ତୁଙ୍ଗ ବଂଶୀୟ ରାଜାମାନେ ମଧ୍ୟ ସ୍ତମ୍ଭେଶ୍ୱରୀ ଭକ୍ତ ଥିଲେ । କ୍ରମେ ଏହି ପରମ୍ପରା ଉପକୂଳ-ଅଞ୍ଚଳକୁ ଆସିଥିଲା ଏବଂ ଷଷ୍ଠ ଶତକରେ ଭୁବନେଶ୍ୱରର କେତେକ ମନ୍ଦିରରେ ସପ୍ତମାତୃକା ତଥା ମହିଷ ମର୍ଦ୍ଦିନୀଙ୍କର ମୂର୍ତ୍ତି ସ୍ଥାପିତ ହୋଇଥିଲା । ଅଷ୍ଟମ-ନବମ ଶତକର ଭୌମ ଅଭିଲେଖଗୁଡ଼ିକରେ ଶକ୍ତିପୂଜା ସମ୍ପର୍କରେ ଯଥେଷ୍ଟ ସୂଚନା ରହିଛି । ଏହି ସମୟରେ ତାନ୍ତ୍ରିକ ବୌଦ୍ଧ ଧର୍ମ, ଶାକ୍ତ ଓ ଶୈବଧର୍ମ-ଏ ତିନି-ଶାଖାର ପ୍ରାୟ ସମାନ୍ତରାଳ ବିକାଶ ଚାଲିଥିଲା । ହୀରାପୁରର ଚୌଷଠୀଯୋଗିନୀ ମନ୍ଦିର ଭୌମମାନଙ୍କର କୀର୍ତ୍ତି । ତନ୍ତ୍ରର ପ୍ରସାର ଶାକ୍ତଧର୍ମର ବିସ୍ତାରକୁ ପ୍ରୋତ୍ସାହିତ କରିଥିଲା । ବୌଦ୍ଧ ଧର୍ମର ତାନ୍ତ୍ରିକଶାଖା ପରି ଶାକ୍ତ ଧର୍ମ ମଧ୍ୟ ଉଡ୍‌ଡୀୟାନରୁ ସୃଷ୍ଟିହୋଇ ଭାରତରେ ପରିବ୍ୟାପ୍ତ ହୋଇଥିଲା । (ଓଡ଼ିଶାର ସାଂସ୍କୃତିକ ଇତିହାସ-:–ପୃ :–୭୬) ସତ୍ୟ ହୋଇଥିଲେ, ଅଧ୍ୟାତ୍ମଜଗତକୁ ଏହା ହିଁ ହେବ ମହାନଦୀ ଅବବାହିକାର ସର୍ବଶ୍ରେଷ୍ଠ ଅବଦାନ ।

 

ଶ୍ରୀକ୍ଷେତ୍ରରେ ଶ୍ରୀ ଜଗନ୍ନାଥଙ୍କୁ ଭୈରବ ଏବଂ ବିମଳାଙ୍କୁ ତାଙ୍କର ଭୈରବୀ ରୂପରେ ପରିକଳ୍ପନା (ବିମଳା ଭୈରବୀ ଯତ୍ର ଜଗନ୍ନାଥ ସ୍ତୁ ଭୈରବ) କରିବା ହେଉଛି, ତାନ୍ତ୍ରିକ ଶାକ୍ତ ଶାଖାର ଚୂଡ଼ାନ୍ତ ବିକାଶ । ଝଙ୍କଡ଼ର ସାରଳା, କାକଟପୁରର ମଙ୍ଗଳା, ପୁରୀର ବିମଳା, ସମ୍ବଲପୁରର ସମଲାଇ, ବାଣପୁରର ଭଗବତୀ, ଭୂଷଣ୍ଡପୁରର ଉଗ୍ରତାରା, ଗଞ୍ଜାମର ତାରିଣୀ, ବାଙ୍କିର ଚର୍ଚ୍ଚିକା, ବଡ଼ାମ୍ବାର ଭଟ୍ଟାରିକା-ଏ ସବୁ ହେଉଛନ୍ତି ଓଡ଼ିଶାର ପ୍ରାଚୀନ ଶକ୍ତି ପୀଠ । ବଜ୍ରଯାନ, ସହଜଯାନ ଓ ଶାକ୍ତ ଧର୍ମ-ଏ ସବୁ ମିଶିଯାଇଥିବାର କୁହାଯାଏ । କେଶରୀ ବଂଶୀୟ ମହାଶିବଗୁପ୍ତ ଯଯାତି-ପାଟଣା-ସୋନପୁର ଅଞ୍ଚଳର ‘ପଞ୍ଚାମ୍ବରୀ ଭଦ୍ରାମ୍ବିକା’ଙ୍କର ପ୍ରଧାନ ଭକ୍ତରୂପେ ନିଜକୁ ଉପସ୍ଥାପିତ କରି ଶୈବ ଓ ଶାକ୍ତ ଧର୍ମର ସମନ୍ୱୟବାଦୀ ରୂପେ ନିଜକୁ ପରିଚିତ କରାଇଥିଲେ ।

 

ପୁରୀ ମନ୍ଦିରରେ ତାନ୍ତ୍ରିକ-ଶାକ୍ତ ଧର୍ମର ପ୍ରଭାବ ଏକ ଉଲ୍ଲେଖଯୋଗ୍ୟ ଘଟଣା । ବିମଳାଙ୍କୁ ଅର୍ପଣ କରାନଯିବା ପର୍ଯ୍ୟନ୍ତ କୌଣସି ଭୋଗ ମହାପ୍ରସାଦ ହୁଏନାହିଁ । ଆଶ୍ୱିନ ଶୁକ୍ଳପକ୍ଷ ମହାଷ୍ଟମୀ ରାତିରେ ଶ୍ରୀଜୀଉଙ୍କ ପହଡ଼ ପଡ଼ିଲା ପରେ ବିମଳାଙ୍କଠାରେ ଆମିଷ ଭୋଗ ହୁଏ । ଏ ସବୁ ତନ୍ତ୍ରର ପ୍ରଭାବରେ କରାଯାଇଛି ଏବଂ ଶକ୍ତି ଉପାସନା ଜଗନ୍ନାଥ ଧର୍ମର ଏକ ଅଙ୍ଗ ହୋଇଯାଇଛି ।

 

ଓଡ଼ିଶାରେ ବୈଷ୍ଣବ ଧର୍ମର ପ୍ରାଚୀନତା ଅବିସମ୍ବାଦିତ । ଇନ୍ଦ୍ରଦ୍ୟୁମ୍ନ ଶ୍ରୀକୃଷ୍ଣଙ୍କ ପୂର୍ବବର୍ତ୍ତୀ ଏବଂ ସେ ହିଁ ଶ୍ରୀକ୍ଷେତ୍ରରେ ବିଷ୍ଣୁ ଉପାସନାର ପ୍ରବର୍ତ୍ତକ । ପରେ ଶ୍ରୀ ଜଗନ୍ନାଥଙ୍କ ସହିତ ବାସୁଦେବ-କୃଷ୍ଣଙ୍କୁ ଯୋଡ଼ାଯାଇଛି । କୃଷ୍ଣଙ୍କ ସହିତ ରାଧା ଆସିଛନ୍ତି । ଆସିଛନ୍ତି ଅଷ୍ଟପାଟବଂଶୀ । ତେବେ ଓଡ଼ିଶାରେ ରାଧାଙ୍କୁ ଏତେ ଗୁରୁତ୍ୱ ଦିଆଯାଏ ନାହିଁ । ଶ୍ରୀଜଗନ୍ନାଥ ବଳଭଦ୍ର ଓ ସୁଭଦ୍ରା-ଏହି ତ୍ରିମୂର୍ତ୍ତିର ଆରାଧନା ହେଉଛି ଏଠାରେ ପ୍ରଧାନ । ବୈଷ୍ଣବକ୍ଷେତ୍ର ଓଡ଼ିଶାସାରା ପରିବ୍ୟାପ୍ତ । ପୁରୀର ଗୁଣ୍ଡିଚାମନ୍ଦିର ନିକଟରେ ନୃସିଂହନାଥ, ନୃସିଂହନାଥର ବିଡ଼ାଳ ନରସିଂହ, ରେମୁଣାର କ୍ଷୀରଚୋରା ଗୋପୀନାଥ, ନିଆଳୀମାଧବର ମାଧବ, କଣ୍ଟିଲୋର ନୀଳମାଧବ, ଓଡ଼ଗାଁର ରଘୁନାଥ, ଭୁବନେଶ୍ୱରର ଅନନ୍ତବାସୁଦେବ, ସତ୍ୟବାଦୀର ସାକ୍ଷୀଗୋପାଳ ଏବଂ ଏହିଭଳି ଆହୁରି ଅନେକ ବୈଷ୍ଣବ ଦେବତା ବହୁକାଳରୁ ଓଡ଼ିଶାର ବିଭିନ୍ନ ପ୍ରାନ୍ତରରେ ପୂଜା ପାଇଆସୁଛନ୍ତି । ଖାରବେଳଙ୍କ ସମୟରେ ବିଷ୍ଣୁ ଉପାସନା ପ୍ରଚଳିତଥିବାର ଅନନ୍ତଗୁମ୍ଫାର ଗଜଲକ୍ଷ୍ମୀ ମୂର୍ତ୍ତିରୁ ଅନୁମିତ ହୋଇଥାଏ । ଗୁପ୍ତମାନଙ୍କ ସମୟରେ ବୈଷ୍ଣବଧର୍ମ ବିଶେଷ ବିସ୍ତାର ଲାଭ କରିଥିଲା । ମାଠରମାନେ ମଧ୍ୟ ଏହାର ପୃଷ୍ଠପୋଷକ ଥିଲେ । ପ୍ରାଚୀତୀରର ଅନେକ ବିଷ୍ଣୁମୂର୍ତ୍ତି ଏବଂ କାକଟପୁରର ସୋମନାଥ ମନ୍ଦିରର ବିରାଟ ବିଷ୍ଣୁମୂର୍ତ୍ତି ଏହି ସମୟର ବୋଲି କୁହାଯାଏ । ଶୈଳୋଦ୍‌ଭବମାନଙ୍କ ସମୟରେ ମାଧବ ଉପାସନାର ପରମ୍ପରା ପ୍ରତିଷ୍ଠିତ ହୋଇଥିଲା । ଭୌମକରମାନେ ବିଷ୍ଣୁ ଉପାସନା ପ୍ରତି ଉଦାସୀନ ନଥିଲେ । କେଶରୀ ବଂଶୀୟମାନେ ଶୈବ ଥିଲେ ମଧ୍ୟ ବୌଦର ଗନ୍ଧରାଡ଼ିଠାରେ ଶିବ ଓ ବିଷ୍ଣୁଙ୍କ ଉପାସନା ଏକତ୍ର ହେଉଥିବାରୁ ସେମାନଙ୍କର ଧର୍ମୀୟ ଉଦାରତା ପ୍ରମାଣିତ ହୁଏ । ତେବେ ଗଙ୍ଗବଂଶୀୟମାନଙ୍କ ସମୟରେ ବିଷ୍ଣୁ ଉପାସନାର ପ୍ରଭୂତ ପ୍ରସାର ଘଟିଥିଲା । ଚୋଡ଼ଗଙ୍ଗଙ୍କ ସମୟରେ ରାମାନୁଜ ଓଡ଼ିଶା ଆସି ବୈଷ୍ଣବ ଧର୍ମର ପ୍ରଚାର କରିଥିଲେ । ଜଗନ୍ନାଥ ବିଷ୍ଣୁଙ୍କ ଅବତାର ରୂପେ ଗୃହୀତ ହେଲେ ଏବଂ ବର୍ତ୍ତମାନର ଶ୍ରୀମନ୍ଦିର ମଧ୍ୟ ଏହି ସମୟରେ ନିର୍ମିତ ହେଲା । ମନ୍ଦିର ଭିତରେ ମହାଲକ୍ଷ୍ମୀ ସ୍ଥାନ ପାଇଲେ । ଏହି ସମୟର ରଚନା ‘ଗୀତଗୋବିନ୍ଦ’ (ଦ୍ୱାଦଶ ଶତକ)ରେ ଶ୍ରୀରାଧା ସ୍ଥାନ ପାଇଥିବାରୁ ସେତିକିବେଳେ ରାଧାକୃଷ୍ଣ ପ୍ରେମତତ୍ତ୍ୱର ପ୍ରସାର ଘଟିଲା ଏବଂ ଏମାନଙ୍କୁ ନେଇ ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ବହୁ ମଠମନ୍ଦିର ଗଢ଼ି ଉଠିଲା । ଲିଙ୍ଗରାଜ ‘ହରିହର’ ହେଲେ ଏହି ସମୟରେ । ଏହା ପରର ସୂର୍ଯ୍ୟବଂଶୀୟମାନେ ଶ୍ରୀଜଗନ୍ନାଥଙ୍କର ଏକନିଷ୍ଠ ଭକ୍ତ ଥିଲେ । କପିଳେନ୍ଦ୍ର ସମଗ୍ର ରାଜ୍ୟକୁ ଜଗନ୍ନାଥଙ୍କୁ ସମର୍ପି ଦେଇ ନିଜକୁ ତାଙ୍କର ସେବକ ଘୋଷଣା କରିଥିଲେ ଏବଂ ରଥଯାତ୍ରାରେ ଛେରାପହଁରାର ପ୍ରବର୍ତ୍ତନ କରି ଏହାର ଯଥାର୍ଥତା ପ୍ରତିପାଦନ କରିଥିଲେ । ଶ୍ରୀମନ୍ଦିରରେ ଦକ୍ଷିଣୀ ପ୍ରଥାରେ ଦେବଦାସୀ ନୃତ୍ୟ ଓ ଗୀତଗୋବିନ୍ଦ ପାଠର ପ୍ରଚଳନ କରିଥିଲେ । ମାତ୍ର ଦେବଦାସୀ ପ୍ରଥା ଦକ୍ଷିଣରେ ଖୁବ୍‌ ଚଳୁଥିବାରୁ ଏବଂ ଗଙ୍ଗମାନେ ଦକ୍ଷିଣରୁ ଆସିଥିବାରୁ ଏହି ପ୍ରଥା ସେମାନଙ୍କ ସମୟରେ ହିଁ ଆରମ୍ଭ ହୋଇଥିବାର ସମ୍ଭାବନା । ଶ୍ରୀଜଗନ୍ନାଥ ଏହି ସମୟରେ ବିଷ୍ଣୁଙ୍କ ସହିତ ଏକାକାର ହୋଇଗଲେ । କାଞ୍ଚିଯୁଦ୍ଧ ପ୍ରସଙ୍ଗରୁ ପୁରୁଷୋତ୍ତମ ଦେବଙ୍କର ଜଗନ୍ନାଥ ନିର୍ଭରତା ପ୍ରମାଣିତ ହୁଏ । ସେ ପୁଣି ରେମୁଣାର ମଦନ ଗୋପାଳ ମନ୍ଦିରକୁ ଭୂସମ୍ପତ୍ତି ଦାନ କରିଥିଲେ ଏବଂ କାଞ୍ଚିରୁ ସାକ୍ଷୀଗୋପାଳଙ୍କୁ ଆଣି ତାଙ୍କର ସେବା ପୂଜାର ବ୍ୟବସ୍ଥା କରିଥିଲେ । ପ୍ରତାପରୁଦ୍ରଙ୍କ ସମୟରେ ବୈଷ୍ଣବ ଧର୍ମର ପ୍ରବାହ ଛୁଟିଥିଲା । ଜଗନ୍ନାଥ ଦାସ ଭାଗବତ ରଚନା କରି ଧର୍ମ କ୍ଷେତ୍ରରେ ଏକ ବିପ୍ଳବ ସୃଷ୍ଟି କରିଥିଲେ । ଶ୍ରୀଚୈତନ୍ୟଙ୍କର ଓଡ଼ିଶା ଆଗମନ (୧୫୧୦ ଖ୍ରୀ:ଅ) ଏବଂ ରାମାନନ୍ଦଙ୍କ ସହଯୋଗରେ ବୈଷ୍ଣବଧର୍ମ ପ୍ରଚାର ଏହି ସମୟର ଏକ ବିଶେଷ ଘଟଣା-। ଚୈତନ୍ୟ ଗଡ଼ଗଡ଼ିଆ ଘାଟରେ ମହାନଦୀ ପାରି ହୋଇ କଟକରେ ପାଦଦେଇଥିବାର ସ୍ମୃତି ସେଠାରେ ତାଙ୍କ ପାଦପଦ୍ମ ପୂଜାପାଉଥିବା ଘଟଣାରୁ ତଥା କାର୍ତ୍ତିକ ପୂର୍ଣ୍ଣିମା ଦିନ ଏକ ମେଳାର ଆୟୋଜନରୁ ଜଣାଯାଇଥାଏ ।

 

ସୂର୍ଯ୍ୟବଂଶର ପତନ ପରେ ଓଡ଼ିଶା ଯବନମାନଙ୍କ ହସ୍ତଗତ ହେଲା ଏବଂ ଏହି ସମୟରେ ଧର୍ମର ଅଧୋଗତି ଘଟିବା ସ୍ୱାଭାବିକ । ଆଫଗାନ ସେନାପତି କଳାପାହାଡ଼ ମନ୍ଦିର ଧ୍ୱଂସ କରିବାର ଏକ ପରମ୍ପରା ସୃଷ୍ଟିକଲା । ଶ୍ରୀ ଜଗନ୍ନାଥଙ୍କ ସ୍ଥିତି ବିପନ୍ନ ହୋଇପଡ଼ିଲା । ହିନ୍ଦୁ-ମୁସଲମାନ ସଂପ୍ରୀତି ନିମନ୍ତେ ‘ସତ୍ୟପୀର’ଙ୍କର ପରିକଳ୍ପନା ଏହା ପରର ଘଟଣା, ବିଭିନ୍ନ ସମୟରେ ଏଠାରେ ସୌର, ଗାଣପତ୍ୟ ଓ ନାଗପୂଜାର ବିକାଶ ଘଟିଥିଲା । ପ୍ରଥମ ଦୁଇଦେବତା ‘ପଞ୍ଚଦେବତା’ ଗୋଷ୍ଠୀର ଅନ୍ତର୍ଭୁକ୍ତ । କୋଣାର୍କର ସୂର୍ଯ୍ୟମନ୍ଦିର, ପାଳିଆ ଓ ବୁଗୁଡ଼ାର ବିରଞ୍ଚିମନ୍ଦିର ସୌରପୂଜାର ତଥା ଚଣ୍ଡୀଖୋଲର ମହା ବିନାୟକ ଗଣପତି ପୂଜାର ପୀଠ ରୂପେ ଖ୍ୟାତ । ତେବେ ସ୍ୱତନ୍ତ୍ର ଧର୍ମ ହିସାବରେ ଏ ଦୁଇଧର୍ମର କୌଣସି ବ୍ୟାକରଣ ନାହିଁ ।

 

ନାଗପୂଜା ୩ୟ-୪ର୍ଥ ଶତକରେ କଳିଙ୍ଗରେ ଖୁବ୍‌ଗୁରୁତ୍ୱ ପାଇଥିଲା । ରଣପୁରର ମଣିନାଗ ପାହାଡ଼ ନାଗପୂଜାର ପ୍ରତିଷ୍ଠିତ ପୀଠ ଥିଲା । ନାଗ ବିଗ୍ରହମାନ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ମିଳିଛି । ତେବେ କାଳକ୍ରମେ ଏହି ଧର୍ମ ଶୈବ ଓ ବୈଷ୍ଣବ (ଉଭୟ ଧର୍ମରେ ନାଗଥିବାରୁ) ଧର୍ମ ମଧ୍ୟରେ ଲୀନ ହୋଇଯାଇଥିବାର ଅନୁମାନ କରାଯାଏ । ପୂର୍ବାଞ୍ଚଳୀୟ ରାଜ୍ୟ- ବିଶେଷ କରି ବଙ୍ଗଳା ଓ ଆସାମରେ ନାଗପୂଜାର ବିଶେଷ ପ୍ରଚଳନ ଥିଲା ।

 

ପୂର୍ବାଞ୍ଚଳରେ ନାଗ ପୂଜା :–ଏହାର ଦେବୀ ହେଉଛନ୍ତି ମନସା । ବଙ୍ଗଦେଶରେ ଏ ବିଷୟରେ ଚାଁଦ ସୌଦାଗରର କାହାଣୀ ପ୍ରଚଳିତ । ସୌଦାଗରଙ୍କର ଦେବୀ ମନସାଙ୍କୁ ଉପେକ୍ଷା, ଦେବୀଙ୍କ ଦ୍ୱାରା ତାଙ୍କର ଛଅ ପୁତ୍ରଙ୍କୁ ହତ୍ୟା, ସାନ ପୁଅ ଲକ୍ଷ୍ମୀଧରର ବେଉଲାଙ୍କ ସହ ବିବାହ, ବିବାହ ରାତ୍ରିରେ ତା’ର ମୃତ୍ୟୁ, ଶବ ସହିତ ବେଉଲାର ନୌ ଯାତ୍ରା, ଦେବତାମାନଙ୍କୁ ସନ୍ତୁଷ୍ଟ କରି ପତି ଓ ତାଙ୍କର ଭାଇମାନଙ୍କର ପୁର୍ନଜୀବନ ପ୍ରାପ୍ତି ଏବଂ ଶେଷରେ ସୌଦାଗରଙ୍କର ମନସାଙ୍କୁ ଭକ୍ତି ପ୍ରଦର୍ଶନ ପ୍ରଭୃତି ବର୍ଣ୍ଣିତ । ଆସାମରେ ମୂଳ ଚରିତ୍ରଗୁଡ଼ିକର ନାମ ଠିକ୍‌ ଅଛି । ତେବେ ଦେବୀ ମନସା ଏଠାରେ ପଦ୍ମାବତୀ ନାମରେ ପରିଚିତା । ଘଟଣାର ସ୍ଥାନ ରୂପରେ ଆସାମର କେତେକ ଜଣାଶୁଣା ସ୍ଥାନର ନାମ ରହିଛି । ସତୀ ବେଉଲା ପତି ସହିତ ନିରୁଦ୍ଦିଷ୍ଟ ଜଳପଥରେ ଭାସି ଯାଉ ଯାଉ ବାଟରେ ନିତେଇ ଧୋବଣୀ ସହ ତା’ର ପରିଚୟ ହେଇଛି । ନିତେଇ କାର୍ଯ୍ୟ ସମୟରେ ତାକୁ ବିରକ୍ତ କରୁଥିବା ପୁଅଟିକୁ ମାରି କାମ ସାରୁଛି ଏବଂ ପରେ ତାକୁ ବଞ୍ଚାଇ ସାଙ୍ଗରେ ନେଇ ଯାଉଛି । ଏହାପରେ ବେଉଲା ନିତେଇ (ପ୍ରକୃତରେ ଦେବୀ ପଦ୍ମାବତୀଙ୍କର ଅଗ୍ରଜା) ସହ ବନ୍ଧୁତା ସ୍ଥାପନ କରି ତା’ ସହିତ ଦେବ ସଭାକୁ ଯାଉଛି ଏବଂ ସେଠାରେ ନୃତ୍ୟ ଦ୍ୱାରା ଦେବତାଙ୍କୁ ଖୁସି କରି ବର ପ୍ରାପ୍ତ ହେଉଛି । ଏହି ବର ଦ୍ୱାରା ସେ ତା’ର ସ୍ୱାମୀ, ତାଙ୍କ ଛଅଭାଇ ଏବଂ ପରିବାରର ହୃତ ସମ୍ପଦକୁ ଫେରାଇ ଆଣୁଛି । ସୌଦାଗର ମନସା ପୂଜା ନିମନ୍ତେ ରାଜି ହେଉଛନ୍ତି । (ପୂର୍ବ ଜନ୍ମରେ ସେ ଥିଲେ ଶୈବ ଋଷି ପଦ୍ମ-ଶଙ୍ଖ) କାହାଣୀ ଏଇଠି ଶେଷ ହେଉଛି । ଏହା ହେଉଛି ଅଣ-ଆର୍ଯ୍ୟ ଗୋଷ୍ଠୀଙ୍କର ସର୍ପପୂଜା ବିରୋଧରେ ଏକ ବିଦ୍ରୋହ ଏବଂ ପରାଜୟ । ଲୋକକଥାରେ ଏହା ଚମତ୍କାର ଭାବରେ ପ୍ରକାଶିତ । ଏ ଘଟଣାର ସ୍ମୃତିରେ ବ୍ରହ୍ମପୁତ୍ର ଅବବାହିକାରେ କେତୋଟି ମନ୍ଦିର ନିର୍ମିତ ହୋଇଛି । ଏହି କଥାର ପ୍ରଭାବରେ ଆସାମରେ ସର୍ପଦଂଷ୍ଟ ବ୍ୟକ୍ତିକୁ ଦାହ ନକରି କଦଳୀ-ଭେଳାରେ ବ୍ରହ୍ମପୁତ୍ରରେ ଭସାଇ ଦେବାର ଏକ ପରମ୍ପରା ସୃଷ୍ଟି ହୋଇଛି । ଓଡ଼ିଶାରେ ମଧ୍ୟ ଏହା କୌଣସି କୌଣସି ସ୍ଥାନରେ ପ୍ରଚଳିତ ।

 

ଓଡ଼ିଶାରେ ନାଗପୂଜା ନିମନ୍ତେ ‘ନାଗଲ ଚଉଠି’ ନାମକ ପୂଜା କରାଯାଏ ଏବଂ ସମାଜର ନିମ୍ନ ବର୍ଗ ମଧ୍ୟରେ ଏହା ପ୍ରଚଳିତ । ଆସାମ ଏବଂ ବଙ୍ଗଳାର ଚନ୍ଦ୍ରଧର ବଣିକର ଉପାଖ୍ୟାନଟି ଅବିକଳ ‘ନାଗଲ ଚଉଠି ବ୍ରତ କଥା’ ପୁସ୍ତକରେ ବର୍ଣ୍ଣିତ, ଯାହା ପୂଜା ବେଳେ ପଠିତ ହୁଏ । ଆସାମୀୟା କାହାଣୀର ନିତେଇ ଧୋବଣୀ ପ୍ରସଙ୍ଗ ଓଡ଼ିଶାର ତନ୍ତ୍ର ପରମ୍ପରା ଏବଂ ଲୋକକଥାରେ ବାରମ୍ବାର ଆସିଛି । ସେମାନେ ହୁଏତ ବଜ୍ରଯାନ, ସହଜଯାନ କିମ୍ବା ତନ୍ତ୍ରର କେଉଁ ଶାଖାରେ ବିଶ୍ୱାସୀ ଏବଂ ତାନ୍ତ୍ରିକା । ସଂଖ୍ୟାରେ ସେମାନେ ସାତଜଣ । ନିତେଇ ଧୋବଣୀ, ଗଙ୍ଗା ଗଉଡ଼ୁଣୀ, ଜ୍ଞାନଦେଈ ମାଲୁଣୀ, ଶୁଆ ତେଲୁଣୀ, ଲୁହାକୁଟୀ ଲୁହାରୁଣୀ, ଶୁକୁଟୀ ଚମାରୁଣୀ, ପତ୍ର ଶଉରୁଣୀ ପ୍ରଭୃତି । କିମ୍ବଦନ୍ତୀରେ ସେମାନେ ସାତ ସଙ୍ଗାତ ଏବଂ ମହାତାନ୍ତ୍ରିକା । ଏମାନେ ସମ୍ଭବତଃ କାହ୍ନୁପାଙ୍କ ସାଧନନାୟିକା ଡୋମ୍ବୀ ଓ ଶବରୁଣୀମାନଙ୍କର ପରବର୍ତ୍ତୀ ରୂପାନ୍ତର । ମାଦଳା ପାଞ୍ଚିରେ ‘ଚୋଡ଼ଗଙ୍ଗଙ୍କ’ ‘ସିଂହାସନ ଆରୋହଣ ପାଇଁ ଏହି ନିତେଇ ଧୋବଣୀର ସହାୟତା ନିଆଯିବା କଥା କୁହାଯାଇଛି । ସେ ଚୋଡ଼ଗଙ୍ଗ ଜନନୀଙ୍କ ସଙ୍ଗାତ । ନିତେଇ ନିଜର ପୁତ୍ରକୁ ଚୁଲିରେ ମୁହାଁଇ ସଙ୍ଗାତ ପୁତ୍ରକୁ ଆଶୀର୍ବାଦ ଜଣାଇଥିବାର ବର୍ଣ୍ଣିତ ହୋଇଛି ।

 

ଏହି ମହାତାନ୍ତ୍ରିକମାନେ ବଜ୍ରଯାନ ପନ୍ଥୀ ହୋଇଥିବାର ଅନୁମାନ କରାଯାଇପାରେ । ଏଇ ଅନ୍ତ୍ୟଜ ଜାତୀୟାମାନେ ଥିଲେ ବଜ୍ରଯାନୀ-ସିଦ୍ଧମାନଙ୍କର ସାଧନ ସଙ୍ଗିନୀ । ଓଡ଼ିଶାରେ ଯଦିଓ ‘ନାଗବଂଶ’ ନାମରେ ଗୋଟିଏ ରାଜବଂଶ କିଛି କାଳ ପାଇଁ ଶାସନ କରୁଥିବାର ଜଣାଯାଇଛି, ତଥାପି ନାଗପୂଜା ଏଠାରେ ବିଶେଷ ଲୋକପ୍ରିୟ ଥିବାର ଜଣାଯାଉ ନାହିଁ । ବଳରାମଙ୍କୁ ଶେଷନାଗଙ୍କର ଅବତାର ରୂପେ କଳ୍ପନା କରାଯାଇ ଏବଂ ତାଙ୍କୁ ଦଶାବତାର ମଧ୍ୟରେ ସ୍ଥାନଦେଇ ଶିବଙ୍କ ଭୂଷଣ ରୂପେ ନାଗକୁ କଳ୍ପନା କରି ତଥା ବିଷ୍ଣୁଙ୍କୁ ଶେଷନାଗଶାୟୀ ଏବଂ କାଳୀୟ ଦମନ ରୂପେ ବର୍ଣ୍ଣନା କରି ଶେଷରେ ନାଗ ଉପାସନାକୁ ହିନ୍ଦୁଧର୍ମ ମଧ୍ୟରେ ଲୀନ କରିଦିଆଯାଇଥିବାର ଅନୁମାନ କରାଯାଇଥାଏ ।

 

ଓଡ଼ିଶାରେ ନାଥଧର୍ମ :–ଦ୍ୱାଦଶ ଶତକରୁ ଶୈବଧର୍ମର ଏକ ବିପ୍ଳବୀ ଶାଖାରୂପେ ଏଠାରେ ନାଥଧର୍ମର ବିକାଶ ଘଟିଲା । ନାଥ ପନ୍ଥୀମାନେ ତନ୍ତ୍ରମନ୍ତ୍ରରେ ଧୁରୀଣ ଥିଲେ । ସାରଳା ଦାସଙ୍କ ସମୟକୁ ସମାଜରେ ଏମାନଙ୍କର ଯଥେଷ୍ଟ ପ୍ରଭାବ ରହିଥିବାର ଜଣାଯାଏ । ଗୋରେଖ ନାଥ, ମତ୍ସ୍ୟେନ୍ଦ୍ର ନାଥ, ସତ୍ୟ ନାଥ ପ୍ରଭୃତି ଏହି ସମ୍ପ୍ରଦାୟର ଚର୍ଚ୍ଚିତ ସାଧକ । ନାଥ ଯୋଗୀମାନେ କେନ୍ଦରା ବଜାଇ ବୋଲୁଥିବା ଯଶୋବନ୍ତ ଦାସଙ୍କ ‘ଗୋବିନ୍ଦଚନ୍ଦ୍ର’ ଗାଥା କାବ୍ୟଟିର ସମ୍ପର୍କ ରହିଛି ନାଥ ପରମ୍ପରାର ଏବଂ ଓଡ଼ିଶାରେ ଏମାନଙ୍କର ଦ୍ୱାଦଶ ପୀଠ ରହିଛି । ସମୟ କ୍ରମେ ଏମାନେ ଶୈବଧର୍ମ ମଧ୍ୟରେ ଲୀନ ହୋଇଯାଇଥିବାର ଅନୁମାନ କରାଯାଏ ।

 

ସମନ୍ୱୟର ଦେବତା ଶ୍ରୀଜଗନ୍ନାଥ :–ଶ୍ରୀକ୍ଷେତ୍ର ହେଉଛି ସମନ୍ୱୟର ମହାପୀଠ । ବୌଦ୍ଧ, ଜୈନ, ସୌର, ଗାଣପତ୍ୟ, ଶୈବ, ଶାକ୍ତ, ତନ୍ତ୍ର ପ୍ରଭୃତି ବିଭିନ୍ନ ଧର୍ମ ଭିନ୍ନ ଭିନ୍ନ ସମୟରେ ତାଙ୍କୁ ପ୍ରଭାବିତ କରିବାକୁ ଉଦ୍ୟମ କରିଛନ୍ତି । ମାତ୍ର କେହି ତାଙ୍କୁ ବଦଳାଇ ପାରିନାହାନ୍ତି । ସେ ନିଜ ମତ ଓ ପଥରେ ଅଟଳ ରହି ସମସ୍ତ ଧର୍ମର ସାର ଗ୍ରହଣ କରିନେଇଛନ୍ତି । ତାଙ୍କ ପ୍ରଭାବରେ ଓଡ଼ିଶାର ଅନ୍ୟ ଦେବତା ମଧ୍ୟ ସମନ୍ୱୟଧର୍ମୀ ହେବାକୁ ବାଧ୍ୟ ହୋଇଛନ୍ତି । ଭାରତର ଭିନ୍ନ ଭିନ୍ନ ପ୍ରାନ୍ତରୁ ବିଭିନ୍ନ ଧାର୍ମିକ ନେତା ଯଥା :–ଶଙ୍କର, ରାମାନୁଜ, ନିମ୍ବକାଚାର୍ଯ୍ୟ, କବୀର, ନାନକ, ଚୈତନ୍ୟ, ଶଙ୍କର ଦେବ ଏଭଳିକି ଯୀଶୁଖ୍ରୀଷ୍ଟ ମଧ୍ୟ ଏହି ଧାମକୁ ଆସିଥିବାର କୁହାଯାଇଛି । ଜଗନ୍ନାଥ ଅପରିବର୍ତ୍ତିତ ରହିଛନ୍ତି । ସବୁଧର୍ମ ତାଙ୍କର ମହାସତ୍ତାରେ ଲୀନ ହୋଇଯାଇଛନ୍ତି ।

 

ଜଗନ୍ନାଥଙ୍କ ସୃଷ୍ଟି ରହସ୍ୟ ଅଦ୍ୟାବଧି ଉନ୍ମୋଚିତ ହୋଇନାହିଁ । ଦଶାବତାରରେ ସେ ନବମ ଅବତାର ବୁଦ୍ଧ । ସାରଳା ଦାସ ତାଙ୍କୁ ବୁଦ୍ଧରୂପରେ ଦେଖିଛନ୍ତି । ସାଲବେଗ ‘ନୀଳାଚଳେ ବିଜେ କଲ ବଉଦ୍ଧ ଅବତାରେଣ’ ବୋଲି କହି ତାଙ୍କୁ ସମର୍ଥନ କରିଛନ୍ତି । ତେବେ ତାଙ୍କର ଶବର ସମ୍ପର୍କଟି ସ୍ଥାୟୀ ହୋଇ ରହିଯାଇଛି । ଶବରମାନେ ଦାରୁ ଉପାସକ ହୋଇଥିବାରୁ ଏହି ବିଶ୍ୱାସ ଦୃଢ଼ ହୋଇଛି । ନୀଳକଣ୍ଠ ଦାସ ‘ଅଦୋ ଯଦ୍ଦାରୁ ପ୍ଳବତେ ସିନ୍ଧୁପାରେ ଅପରୁଷମ୍‌’-ଏହି ବୈଦିକ ଶ୍ଳୋକର ଭିତ୍ତିରେ ତାଙ୍କୁ ବେଦ ପୂର୍ବର ବୋଲି କହିଛନ୍ତି । ଶ୍ରୀମନ୍ଦିର ସିଂହଦ୍ୱାର ଉପରେ ନବମ ଅବତାରର ବୁଦ୍ଧଙ୍କ ସ୍ଥାନରେ ତାଙ୍କୁ ରଖାଯିବା ଘଟଣାଟି ତାତ୍ପର୍ଯ୍ୟପୂର୍ଣ୍ଣ । ବୌଦ୍ଧଧର୍ମକୁ ବ୍ରାହ୍ମଣ୍ୟଧର୍ମ ମଧ୍ୟରେ ସମ୍ପୂର୍ଣ୍ଣ ରୂପେ ଲୀନ କରି ଦେବା ପାଇଁ ହୁଏତ ଏହାର ପରିକଳ୍ପନା କରାଯାଇଛି । ଜଗନ୍ନାଥ କିନ୍ତୁ ଯେମିତି ଥିଲେ ସେମିତି ଅଛନ୍ତି । ଅନାର୍ଯ୍ୟ-ଦେବତାରୁ ଆର୍ଯ୍ୟ ଦେବତା ରୂପରେ ରୂପାନ୍ତରିତ ହୋଇ ବିଶ୍ୱଧର୍ମ ଭାବନାର ସକଳ ସାରତତ୍ତ୍ୱକୁ ନିଜେ ଗ୍ରହଣ କରିନେଇ ଶତାବ୍ଦୀ ଶତାବ୍ଦୀ ଧରି ଓଡ଼ିଆ ଜାତିକୁ ପଥ-ଦେଖାଇ ଚାଲିଛନ୍ତି । ଜାତି ଏବଂ ଦେବତା ଏକ ଅଚ୍ଛେଦ୍ୟ ବନ୍ଧନରେ ବାନ୍ଧି ହୋଇଯାଇଛନ୍ତି । ଓଡ଼ିଆ ସଂସ୍କୃତିରେ ପ୍ରଦୂଷଣ ଘଟିସାରିଥିବା ବେଳେ ଶ୍ରୀଜଗନ୍ନାଥ କିନ୍ତୁ ପୂର୍ବଭଳି ଅପରିବର୍ତ୍ତିତ ରହିଛନ୍ତି ଏବଂ ସେହିଭଳି ରହିବେ ମଧ୍ୟ ।

 

ଶ୍ରୀଜୀଉଙ୍କୁ ସର୍ବଧର୍ମ ଏବଂ ବର୍ଣ୍ଣ ସମନ୍ୱୟର ଏକ ପ୍ରତୀକରୂପେ ପ୍ରତିଷ୍ଠିତ କରାଇବା ପାଇଁ ଦଶ ଅବତାରର ପରିକଳ୍ପନା କରାଗଲା । ବୁଦ୍ଧ ହେଲେ ତାଙ୍କର ନବମ ଅବତାର । କ୍ଷତ୍ରିୟମାନଙ୍କର ପ୍ରତିନିଧିତ୍ୱ କଲେ ସପ୍ତମ ଅବତାର ଶ୍ରୀରାମ । ଦୁଷ୍ଟ ଦମନ ନିମନ୍ତେ ଶ୍ରୀଜୀଉଙ୍କୁ ଗ୍ରହଣ କରିବାକୁ ପଡ଼ିଲା ପରଶୁରାମ ଅବତାର । ଜାତିଭିତ୍ତିକ ବୃତ୍ତି ଉପରେ ଏହା କୁଠାରାଘାତ କଲା । ଗୋପାଳମାନଙ୍କୁ ସନ୍ତୁଷ୍ଟ କରିବା ନିମନ୍ତେ ଜଗନ୍ନାଥ ଗ୍ରହଣ କଲେ ଯାଦବ-ବଳରାମ ଅବତାର । ସେ ଶ୍ରୀକୃଷ୍ଣଙ୍କର ଅଗ୍ରଜ ହୋଇଥିବାରୁ ଏବଂ ଶ୍ରୀକୃଷ୍ଣ ଗୋପାଳକ ହୋଇଥିବାରୁ ଗୋପାଳମାନଙ୍କ ଜାତୀୟ ଦେବତା ଆର୍ଯ୍ୟ ଦେବତାଙ୍କ ସହ ଅଭିନ୍ନ ରୂପରେ ଉପସ୍ଥାପିତ ହେଲେ ।

 

ଶ୍ରୀ ଜଗନ୍ନାଥ ପଶ୍ଚିମାଞ୍ଚଳରୁ ଉପକୂଳ ଅଞ୍ଚଳକୁ ଆସିଥିବାର ଏକ ମତ ପ୍ରଚାରିତ ହେଉଥିବାର ଦେଖାଯାଉଛି । ସେ ଯେ ଅଣ-ଆର୍ଯ୍ୟ ଦେବତା ଏଥିରେ କୌଣସି ସନ୍ଦେହ ରହୁନାହିଁ-। ପରେ ସେ ବୈଷ୍ଣବ ଦେବତା ହୋଇ ମହାସାମନ୍ତ ରୂପେ ପରିଚିତ ହୋଇଥିଲେ ହେଁ ପ୍ରଥମେ ଶବର ଦେବତା ରୂପରେ ‘ଝାଡ଼ଖଣ୍ଡ’ ବାସୀ ହିଁ ଥିଲେ । ‘ଝାଡ଼’ ଶବ୍ଦଟି ଅରଣ୍ୟର ପର୍ଯ୍ୟାୟବାଚୀ ଏବଂ ବନଖଣ୍ଡକୁ ଝାଡ଼ଖଣ୍ଡ ବୋଲି କୁହାଯାଉଥିଲା । ଜୟପୁର, ପାଟଣା, ଆଠଗଡ଼ ପ୍ରଭୃତି-ଗଡ଼ଜାତର ରାଜାମାନେ ନିଜକୁ ‘ଝାଡ଼ଖଣ୍ଡ ପତି’ ରୂପରେ ପରିଚିତ କରାଇଛନ୍ତି । ବନବାସୀ ଜଗନ୍ନାଥ ତେଣୁ ଝାଡ଼ଖଣ୍ତବାସୀ ହେବା କିଛି ବିଚିତ୍ର ନୁହେଁ । ବିପଦ ସମୟରେ ଶ୍ରୀଜୀଉ ଝାଡ଼ଜଙ୍ଗଲରେ ଆତ୍ମଗୋପନ କରି ରହିବା ତ ଇତିହାସର କଥା । ତେବେ ସେ ପ୍ରକୃତରେ ପଶ୍ଚିମ ଓଡ଼ିଶାରୁ ଆସିଛନ୍ତି କିମ୍ବା ନାହିଁ, ଏ ବିଷୟରେ ଆହୁରି ପ୍ରମାଣ ଖୋଜିବାକୁ ପଡ଼ିବ ।

 

ପରିବର୍ତ୍ତନର ଆଦ୍ୟସଂକେତ :–ମହାନଦୀ-ଅବବାହିକାର ଜାତି-ତତ୍ତ୍ୱ ସମ୍ପର୍କରେ ଆଲୋଚନା କରିବାକୁ ଗଲେ ଆମକୁ ଏହାର ଧର୍ମଧାରଣା ସମ୍ପର୍କରେ ମଧ୍ୟ ବିଶେଷ ଭାବରେ ଜାଣିବାକୁ ପଡ଼ିବ । କାରଣ ଏ ଉଭୟ ହେଉଛନ୍ତି ପରସ୍ପର ନିର୍ଭରଶୀଳ, ଠିକ୍‌ ଗୋଟିଏ ମୁଦ୍ରାର ଦୁଇପଟ ଭଳି । ଇସ୍‌ଲାମ୍‌ ଧର୍ମକୁ ଛାଡ଼ିଦେଲେ ଊନବିଂଶ ଶତକରେ ଏଠାରେ ଆଉ ତିନୋଟି ନୂଆ ଧର୍ମ ଆତ୍ମପ୍ରକାଶ କରେ, ଜାତିତତ୍ତ୍ୱ-ସହିତ ଯାହାର ପ୍ରତ୍ୟକ୍ଷ ସମ୍ପର୍କ ରହିଛି । ନୂଆଧର୍ମଗୁଡ଼ିକ ହେଲା ଖ୍ରୀଷ୍ଟଧର୍ମ, ବ୍ରାହ୍ମଧର୍ମ ଏବଂ ମହିମା ଧର୍ମ । ନୂତନ ଧର୍ମଗୁଡ଼ିକର ପ୍ରଚାର ପ୍ରସାର ଓ ଧର୍ମାନ୍ତରୀକରଣ ପ୍ରକ୍ରିୟା ଦ୍ୱାରା ଏଠାରେ ସାମାଜିକ ଜୀବନରେ ଯେଉଁ ପ୍ରତିକ୍ରିୟା ପ୍ରକାଶ ପାଇଥିଲା, ସେ ସମ୍ପର୍କରେ ସଂକ୍ଷେପରେ ଆଲୋଚନା କରାଯାଉଛି ।

 

ଇଂରେଜମାନେ ଓଡ଼ିଶା ଅଧିକାର କରନ୍ତି ୧୮୦୩ରେ ଏବଂ ଧର୍ମ ପ୍ରଚାର ତଥା ଧର୍ମାନ୍ତରୀକରଣର ଲକ୍ଷ୍ୟ ନେଇ ମିଶନାରୀମାନେ ପ୍ରଥମେ ଏଠାକୁ ଆସନ୍ତି ୧୮୨୨ ମସିହା ଫେବୃୟାରୀ ୧୨ ତାରିଖରେ । ଏଠାରେ ସମାଜିକ ଜୀବନର ଦୂରବସ୍ଥା ଦେଖି ସେମାନେ ଦୁଃଖିତ ହୁଅନ୍ତି । ପ୍ରତିମାପୂଜା, ବାଲ୍ୟ ବିବାହ, ଧର୍ମନାମରେ ଭଣ୍ଡାମି, ଶିଶୁ ହତ୍ୟା, ନରବଳି, ଜାତିପ୍ରଥା, ନାରୀ ନିର୍ଯ୍ୟାତନା ଅଶିକ୍ଷା ପ୍ରଭୃତି ସେମାନଙ୍କୁ ବିଚିତ୍ର କରିଥିଲା । ଶ୍ରୀ ଜଗନ୍ନାଥ ସେମାନଙ୍କ ଆଖିରେ ‘ଅପବିତ୍ର, ଘୃଣିତ ଓ ଅଶ୍ଳୀଳ’ ପ୍ରତୀୟମାନ ହୋଇଥିଲେ । ପାଦ୍ରୀ ଆମସ୍‌ସଟ୍ଟନ କହିଥିଲେ, ‘ଏଇ ବିରାଟ ଅଶ୍ଳୀଳ ଓ ଘୃଣିତ ଜଗନ୍ନାଥଙ୍କର ପତନ ସୁନିଶ୍ଚିତ । ହୁଏତ ଆମର ସଂଗ୍ରାମ ଦୀର୍ଘ ସମୟ ବ୍ୟାପୀ ଓ ସଂଘର୍ଷ ତୀବ୍ର ହୋଇପାରେ କିନ୍ତୁ ସେ ନିଶ୍ଚୟ ଧ୍ୱଂସ ପ୍ରାପ୍ତି ହେବେ । ଫଳରେ ଯେଉଁ ସ୍ଥାନ ତାଙ୍କ ପାଇଁ ଆଜି ପରିଚିତ ତାହା ଚିରଦିନ ପାଇଁ ତାଙ୍କୁ ମନେରଖିପାରିବ ନାହିଁ ।’ ଭାରତ ହେଉଛି ଦେବୀ ଦେବତାଙ୍କର ଦେଶ । ପାଦ୍ରୀମାନେ ଏହା ନିଶ୍ଚୟ ଜାଣିଥିବେ । ତେବେ ଶ୍ରୀ ଜଗନ୍ନାଥଙ୍କ ଉପରେ ଏ ଭଳି ଖଡ୍ଗହସ୍ତ ହେବାର କାରଣ ଅନୁମାନ କରିବା ବିଶେଷ କଷ୍ଟସାଧ୍ୟ ନୁହେଁ । ଶ୍ରୀ ଜଗନ୍ନାଥଙ୍କର ଏ ଜାତି ଉପରେ ଯେଉଁ ଅମାପ ପ୍ରଭାବ, ତାହା ଭାରତର ଅନ୍ୟ କୌଣସି ପ୍ରାନ୍ତର ଅନ୍ୟ କୌଣସି ଦେବତାଙ୍କର ସେମାନଙ୍କର ଭକ୍ତମାନଙ୍କ ଉପରେ ନାହିଁ । ଓଡ଼ିଆ ଜାତି ଆଖିରେ ଶ୍ରୀଜଗନ୍ନାଥଙ୍କୁ ହେୟ ପ୍ରତିପନ୍ନ କରି ନପାରିଲା ପର୍ଯ୍ୟନ୍ତ ଏଠାରେ ଯେ ଖ୍ରୀଷ୍ଟଧର୍ମ ପାଇଁ ବିଶେଷ ସୁଯୋଗ ନାହିଁ, ତାହା ସେମାନେ ବୁଝିପାରିଥିଲେ । ତେଣୁ ଏହି ଅହେତୁକ କ୍ରୋଧ । ସଟ୍ଟନ୍‌ଙ୍କର ଭବିଷ୍ୟତ୍‌ବାଣୀ କିନ୍ତୁ ସଫଳ ହୋଇନାହିଁ । ସେ ତ କାଳର ଗର୍ଭରେ କେଉଁ କାଳୁ କୁଆଡ଼େ ହଜିଗଲେଣି । ଜଗନ୍ନାଥ ଯେଉଁଠିଥିଲେ ସେଇଠି ଅଛନ୍ତି । ସଟ୍ଟନଙ୍କ ନିଜ ଜନ୍ମଭୂମିର ଛାତିରେ ମଧ୍ୟ ଶ୍ରୀଜଗନ୍ନାଥଙ୍କ ନୀଳଚକ୍ର ଶୋଭା ପାଇଲାଣି ।

 

ପାଦ୍ରୀମାନେ ଏଠାକୁ ଆସିବା ସଙ୍ଗେ ସଙ୍ଗେ ଧର୍ମପ୍ରଚାର ଆରମ୍ଭ କରିଦେଇଥିଲେ ଏବଂ ଏଥିରେ ସହାୟକ ହେବ ବୋଲି ଶିକ୍ଷାର ବିସ୍ତାର ପାଇଁ ମଧ୍ୟ ଉଦ୍ୟମ କଲେ । ତଥାପି ରାଜ୍ୟର ପ୍ରଥମ ଧର୍ମାନ୍ତରୀକରଣ ଦେଖିବାକୁ ସେମାନଙ୍କୁ ଅପେକ୍ଷା କରିବାକୁ ପଡ଼ିଲା ଦୀର୍ଘ ଛଅବର୍ଷ । ଗଙ୍ଗାଧର ଷଡ଼ଙ୍ଗୀ ପ୍ରଥମ ବ୍ୟକ୍ତି ହିସାବରେ ଖ୍ରୀଷ୍ଟଧର୍ମ ଗ୍ରହଣ କଲେ ୨୩.୦୩.୧୮୨୮ରେ । ଭାଗ୍ୟର ବିଡ଼ମ୍ବନା ଏହି ଯେ, ଧର୍ମ ଦିଗରୁ ଅତ୍ୟନ୍ତ ସ୍ପର୍ଶକାତର ଏବଂ ରକ୍ଷଣଶୀଳ ବ୍ରାହ୍ମଣ ଗୋଷ୍ଠୀର ସେ ଥିଲେ ପ୍ରତିନିଧି । କ୍ରମଶଃ ଧର୍ମାନ୍ତରୀକରଣ ନିମନ୍ତେ ଆଗ୍ରହ ବୃଦ୍ଧି ପାଇଲା । ତାହାର ଗୋଟିଏ ଆର୍ଥିକ ଦିଗ ତ ରହୁଥିଲା । ତାହାଛଡ଼ା ହିନ୍ଦୁଧର୍ମର ଅତିମାତ୍ରାର ରକ୍ଷଣଶୀଳତା ଥିଲା ଏହାର ଅନ୍ୟତମ କାରଣ । ଫକୀରମୋହନ ସେନାପତି ଏ ସମ୍ପର୍କରେ ଲେଖିଛନ୍ତି ଯେ, ନ’ଅଙ୍କ ଦୁର୍ଭିକ୍ଷ ପରେ ହିନ୍ଦୁସମାଜ ଯେଉଁମାନଙ୍କୁ ଛତ୍ରଖିଆ କହି ତଡ଼ିଦେଲା, ମିଶନାରୀମାନେ ସେମାନଙ୍କୁ ମଣିଷ କରି ନିଜ ଗୋଡ଼ରେ ଠିଆ ହେବାରେ ସାହାଯ୍ୟ କଲେ । ସେନାପତି ଏଥିପାଇଁ ମିଶନାରୀମାନଙ୍କୁ ଯଥାର୍ଥରେ ‘ପତିତ ପାବକ’ ବୋଲି କହିଛନ୍ତି । ଖ୍ରୀଷ୍ଟିଆନ୍‌ସଂଖ୍ୟାର ଦ୍ରୁତବୃଦ୍ଧି ନିମନ୍ତେ ସେ ହିନ୍ଦୁ ସମାଜର ନିଷ୍ଠୁରତାକୁ ଦାୟୀ କରି ଲେଖିଛନ୍ତି, ‘‘ପ୍ରଚ୍ଛନ୍ନ ଭାବରେ ହିନ୍ଦୁସମାଜ ଯେ ପ୍ରକାର ଧ୍ୱଂସ ମାର୍ଗରେ ଧାବିତ ହେଉଛି, କେତେକ ଶତାବ୍ଦୀ ଉତ୍ତାରେ ଏ ସମାଜର ଚିହ୍ନମାତ୍ର ରହିବ ନାହିଁ । ଏହା ନିଶ୍ଚୟ ଜାଣିବେ । ବେଳସୁଁ ଏଥିରେ ପ୍ରତିକାର ଲୋଡ଼ିବା ପ୍ରତ୍ୟେକ ଚିନ୍ତାଶୀଳ ହିନ୍ଦୁଙ୍କ ପକ୍ଷରେ କର୍ତ୍ତବ୍ୟ ଅଟେ । ପୃଥିବୀର ସର୍ବପ୍ରଥମ ଧର୍ମଗ୍ରନ୍ଥ ବେଦ, ଉପନିଷଦ୍‌ ଏବଂ ଜଗନ୍ମାନ୍ୟ ଗୀତାଶାସ୍ତ୍ର ଯେଉଁ ଜାତିର ମୂଳଧର୍ମ ଶାସ୍ତ୍ର ରୂପେ ଅବଲମ୍ବନ, ସେ ଜାତିର ଦୁର୍ଦ୍ଦଶା ଦେଖିଲେ, ସହଜରେ ଦାରୁଣ କଷ୍ଟ ମନରେ ଜାତ ହୁଏ ।’’ (ଆତ୍ମଚରିତ :- ପୃ :–୩୪) ସେନାପତି ହିନ୍ଦୁଧର୍ମ ସମ୍ପର୍କରେ ଯେଉଁ ଦୁଶ୍ଚିନ୍ତା ପ୍ରକଟ କରିଥିଲେ, ଏବେ ମଧ୍ୟ ସେଇ ସମସ୍ୟା ପୂର୍ବଭଳି ରହିଛି ।

 

ଆଜି ଏକବିଂଶ ଶତକରେ ପହଞ୍ଚି ଆମେ ଯେତେବେଳେ ଧର୍ମାନ୍ତରୀକରଣ ନାଟକ ଅଭିନୀତ ହେବା ସଙ୍ଗେ ସଙ୍ଗେ ତାହାର ଉଗ୍ରପ୍ରତିକ୍ରିୟା ପ୍ରକାଶ ପାଇବାର ଦେଖୁଛିୁଁ ଏବଂ ରାଜନୀତିର ହସ୍ତକ୍ଷେପ ଯୋଗୁଁ ବହୁ ନିରୀହ ଲୋକ ନିର୍ଯ୍ୟାତିତ ହେଉଥିବାର ଅନୁଭବ କରୁଛୁ, ସେତେବେଳେ ଫକୀରମୋହନଙ୍କ ଚେତାବନୀ ହିଁ ଆମର ପ୍ରଥମେ ମନେପଡ଼ୁଛି । ଦୁଇହଜାର ବର୍ଷର ପୁରୁଣା ଗୋଟିଏ ଧର୍ମ ଦୁଇଶହ ବର୍ଷ ଧରି ସନାତନ ହିନ୍ଦୁଧର୍ମକୁ ଦୋହଲାଇ ଦେବା ନିମନ୍ତେ ବାରମ୍ବାର ପ୍ରଯତ୍ନ କରି ସେଥିରେ କେତେ ସଫଳତା ପାଇଛି, ତାହା ଆଜି ଆଉ ଅଛପା ନାହିଁ । ଆଗାମୀ ଦିନମାନଙ୍କରେ ଏହି ପ୍ରଚେଷ୍ଟା ଜାରି ରହିଲେ ମଧ୍ୟ ଏଥିରେ ହିନ୍ଦୁଧର୍ମର ଯେ ବିଶେଷ କ୍ଷତି ହେବ, ଏ ଭଳି ସମ୍ଭାବନା ନଥିବା ହିଁ ବର୍ତ୍ତମାନ ପାଇଁ ଆଶ୍ୱସ୍ତିର କାରଣ ।

 

ବର୍ତ୍ତମାନ ବ୍ରାହ୍ମଧର୍ମ ପ୍ରସଙ୍ଗ । ଊନବିଂଶ ଶତକରେ ଏଠାକୁ ଆସିଥିବା ବଙ୍ଗୀୟମାନଙ୍କ ଉଦ୍ୟମରେ ସେ ଦେଶରେ ନୂତନ ଭାବରେ ସୃଷ୍ଟି ହୋଇଥିବା ବ୍ରାହ୍ମଧର୍ମ ଏ ରାଜ୍ୟକୁ ଆସିଥିଲା । ଏକେଶ୍ୱର ବାଦ, ପୌତ୍ତଳିକତା ବିରୋଧରେ ସ୍ୱର ଉତ୍ତୋଳନ ପ୍ରଭୃତି ଥିଲା ବ୍ରାହ୍ମଧର୍ମର ମୂଳନୀତି । ତାହା ସହିତ ବାଲ୍ୟ ବିବାହ, ବହୁ ବିବାହ, ସତୀପ୍ରଥା ପ୍ରଭୃତି ବିରୋଧରେ ମଧ୍ୟ ଏହି ଧର୍ମ ପ୍ରଚାର କରୁଥିଲା । ରାମମୋହନ ରାୟ ଏହି ଧର୍ମର ସ୍ରଷ୍ଟା ହେଲେ ମଧ୍ୟ ଏହାର ପ୍ରଚାର ଓ ପ୍ରସାର ନିମନ୍ତେ ବିଶେଷ ସମୟ ପାଇନାହାନ୍ତି । ୧୮୩୩ରେ ସେ ବିଲାତଯାଇ ବ୍ରିଷ୍ଟଲରେ ମୃତ୍ୟୁବରଣ କଲେ । ତେବେ ଇତିହାସମଧ୍ୟରେ ସେଇ ଧର୍ମର ସଂସ୍କାରବାଦୀ ଦୃଷ୍ଟିକୋଣ ବଙ୍ଗଦେଶର କେତେକ ପରିବର୍ତ୍ତନକାମୀ ସଂସ୍କାରକଙ୍କୁ ପ୍ରଭାବିତ କରିଥିଲା । ସେମାନଙ୍କ ମଧ୍ୟରୁ କେଶବଚନ୍ଦ୍ର ସେନ, ଦେବେନ୍ଦ୍ରନାଥ ଠାକୁର ପ୍ରମୁଖ ପ୍ରତିପତ୍ତିଶାଳୀ ବ୍ୟକ୍ତିମାନେ ସେହି ଧର୍ମର ପ୍ରଚାର ଓ ପ୍ରସାର ନିମନ୍ତେ ଆଗେଇ ଆସିଥିଲେ । ତେବେ ଏହା ବଙ୍ଗ ଦେଶର ସୀମା ପାରି ହୋଇ ଅନ୍ୟ ଆଡ଼କୁ ବିଶେଷ ଯାଇପାରିନାହିଁ । ଓଡ଼ିଶାରେ ଊନବିଂଶ ଶତକରେ ଏହାର କିଛି ପ୍ରଚାର ହୋଇଛି ଏବଂ ବଙ୍ଗ ପ୍ରଭାବିତ କେତେକ ସଂସ୍କାରବାଦୀ ଏହି ଧର୍ମପ୍ରତି ଆକୃଷ୍ଟ ହୋଇଛନ୍ତି । ଓଡ଼ିଶାର ସାଧାରଣ ଜୀବନରେ କିନ୍ତୁ ଏହାର ବିଶେଷ କୌଣସି ପ୍ରଭାବ ପରିଲକ୍ଷିତ ହୋଇ ନାହିଁ ।

 

ଡଃ ନଟବର ସାମନ୍ତରାୟଙ୍କ ମତରେ ଏହା ୧୮୭୦ ପରେ ଓଡ଼ିଶାକୁ ଆସିଛି । କଟକ ଏବଂ ବାଲେଶ୍ୱରକୁ ଛାଡ଼ିଦେଲେ ଓଡ଼ିଶାର ଅନ୍ୟତ୍ର ମଧ୍ୟ ଏହାର ସେଭଳି କୌଣସି ଚର୍ଚ୍ଚା ହୋଇଥିବାର ଦେଖାଯାଉନାହିଁ । ତେବେ ୧୮୬୯ ପୂର୍ବରୁ ବାଲେଶ୍ୱର ଓ କଟକରେ ଏହି ଧର୍ମ ପ୍ରଚାର ହୋଇଥିବାର କ୍ଷୀଣ ସୂଚନା ମିଳେ । ୧୮୫୫ ସାଲରେ ଆଦି ବ୍ରାହ୍ମସମାଜର ନେତା ଇଶାନଚନ୍ଦ୍ର ବସୁ ବାଲେଶ୍ୱର ଆସି ଧର୍ମପ୍ରଚାର ବଦଳରେ ଭାଷା ଚର୍ଚ୍ଚାକୁ ଗୁରୁତ୍ୱ ଦେଇ ଓଡ଼ିଶାଭାଷାର ନ୍ୟୁନତ୍ୱ ପ୍ରମାଣ କରିବାକୁ ଚେଷ୍ଟା କରିବାରରୁ ଫକୀରମୋହନ ତାଙ୍କ ସହ ସମ୍ପର୍କ ଚ୍ଛିନ୍ନ କରିଥିଲେ ବୋଲି ‘ଆତ୍ମଚରିତ’ରେ ବର୍ଣ୍ଣନା କରିଛନ୍ତି । ଏହାର କେତେକ ଦିନପରେ ନିମକମାହାଲର ଜଣେ କିରାଣୀ ପ୍ରସନ୍ନ କୁମାର ଚାଟାର୍ଜୀ ନିଜ ଗୃହରେ ବ୍ରହ୍ମୋପାସନା ଆରମ୍ଭ କରି ବାଲେଶ୍ୱରର ଶିକ୍ଷିତ ଗୋଷ୍ଠୀଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ । ଏହାପରେ ପ୍ରକାଶ୍ୟରେ ମୋତିଗଞ୍ଜ ବଜାରରେ ମୟୂରଭଞ୍ଜ ରାଜାଙ୍କ କୋଠାରେ ଉପାସନା ଆରମ୍ଭ ହୋଇଥିଲା । ଏଥିରେ ଦାମୋଦର ଦାସ, ଗୋବିନ୍ଦ ପ୍ରସାଦ ଦାସ, ଜୟକୃଷ୍ଣ ଚୌଧୁରୀ, ଭୋଳାନାଥ ବାବୁ ଓ ଫକୀରମୋହନ ପ୍ରମୁଖ ଯୋଗ ଦେଇଥିଲେ । ଏହାକୁ ନେଇ ସେ ସମୟରେ ବାଲେଶ୍ୱରର ଶିକ୍ଷିତ ହିନ୍ଦୁ ସମାଜରେ ଯେଉଁ ଆଲୋଡ଼ନ ସୃଷ୍ଟି ହୋଇଥିଲା, ତାହାର ବିସ୍ତୃତ ବିବରଣୀ ସେନାପତିଙ୍କ ଆତ୍ମଚରିତରେ ରହିଛି । ସେନାପତି ପ୍ରମୁଖ ସମ୍ଭବତଃ ସେହି ସମୟରେ ଏହି ନୂତନ ଧର୍ମରେ ଦୀକ୍ଷିତ ହୋଇଥିଲେ ।

 

କଟକର ଦେବେନ୍ଦ୍ରନାଥ ଠାକୁର ୧୮୬୪ରେ ଆଦିବ୍ରାହ୍ମ ସମାଜର ଶାଖା ପ୍ରତିଷ୍ଠା କରିଥିବାର କୁହାଯାଉଥିଲେ ମଧ୍ୟ ‘ଦୀପିକା’ର ସମ୍ବାଦ ଅନୁସାରେ ଏହାର ଅନ୍ତତଃ ୧୦ ବର୍ଷ ପୂର୍ବରୁ ଅର୍ଥାତ୍‌୧୮୫୫-୫୬ ମସିହା ବେଳକୁ ସେତେବେଳେର ମୁନସଫ୍‌ ମହେଶଚନ୍ଦ୍ର ରାୟ କଟକରେ ପ୍ରଥମ ବ୍ରାହ୍ମସମାଜ ସ୍ଥାପନ କରନ୍ତି । କ୍ରମେ ବାଲେଶ୍ୱର, କଟକ ଓ ପୁରୀ ଜିଲ୍ଲାର କେତେକ ସ୍ଥାନରେ ବ୍ରାହ୍ମସମାଜମାନ ସ୍ଥାପିତ ହୋଇଥିଲା ।

 

ବ୍ରାହ୍ମଧର୍ମରେ ହିନ୍ଦୁଧର୍ମ ଓ ଅନ୍ୟ ସମସ୍ତ ଧର୍ମର ସମସ୍ତ ସାରକୁ ଏକତ୍ରିତ କରାଯାଇଥିଲା-। ହିନ୍ଦୁଧର୍ମର କୁସଂସ୍କାରଗୁଡ଼ିକ ଯଥାସମ୍ଭବ ଏଥିରୁ ବାଦ୍‌ ଦିଆଯାଇଥିବାରୁ ନବଶିକ୍ଷିତମାନେ ଏଥିପ୍ରତି ଆକୃଷ୍ଟ ହୋଇପଡ଼ିଥିଲେ । ସ୍ୱୀକାର କରିବାକୁ ହେବ ଯେ, ଊନବିଂଶ ଶତକର ଶେଷ ପାଦରେ ଶିକ୍ଷା, ଧର୍ମ ସାମାଜିକ ରୀତିନୀତି ପ୍ରଭୃତି କ୍ଷେତ୍ରରେ ଯେତେ ପରିବର୍ତ୍ତନ ହେଇଛି କିମ୍ବା ଏଥିପାଇଁ ଚେଷ୍ଟା କରାଯାଇଛି, ସେ ସବୁ ଏଇ ବ୍ରାହ୍ମମାନଙ୍କ ନେତୃତ୍ୱରେ ହିଁ ହୋଇଛି-। କଟକରେ ସେ ସମୟରେ ପ୍ୟାରୀମୋହନ ଆଚାର୍ଯ୍ୟ, ଗୌରୀଶଙ୍କର ରାୟ, ଚତୁର୍ଭୁଜ ପଟ୍ଟନାୟକ, ରାମନାରାୟଣ ଲାଲା, ବିଶ୍ୱନାଥ କର, ମଧୁସୂଦନ ରାଓ ପ୍ରମୁଖ ସଂସ୍କାରକଗଣ ସମସ୍ତେ ବ୍ରାହ୍ମ ଥିଲେ । ସନାତନ ହିନ୍ଦୁଧର୍ମରେ ଥିବା କେତେକ କ୍ଷତିକାରକ ନୀତି ନିୟମ ବିରୋଧରେ ଏମାନେ ସ୍ୱର ଉଠାଇଥିଲେ ଏବଂ ଏଇମାନଙ୍କ ଉଦ୍ୟମରେ ହିଁ ସେତେବେଳେ ଓଡ଼ିଶାରେ ନବଜାଗରଣ ସହିତ ‘ସଂସ୍କାର ଯୁଗ’ର ଆଗମନ ହୋଇଥିଲା । ପ୍ରାଚୀନ ସାହିତ୍ୟ ବିରୋଧରେ ବିଶେଷ କରି ଉପେନ୍ଦ୍ର ଭଞ୍ଜଙ୍କ ସାହିତ୍ୟର ଅଶ୍ଳୀଳତା ବିପକ୍ଷରେ ସ୍ୱର ଉଠାଇ ଏମାନେ ସେତେବେଳେ ଏଠାରେ ସାମାଜିକ ଜୀବନରେ ଏକ ଆଲୋଡ଼ନ ସୃଷ୍ଟି କରିଥିଲେ । ସାହିତ୍ୟ ମାଧ୍ୟମରେ ସଂସ୍କାର ପ୍ରୟାସ ହେଉଛି, ଓଡ଼ିଶା ପାଇଁ ଏହି ଧର୍ମର ଏକମାତ୍ର ଅବଦାନ । ଗବେଷକ ଡଃ ଶୁଭେନ୍ଦ୍ର ମୋହନ ଶ୍ରୀ ଚନ୍ଦନ ସିଂହ ଓଡ଼ିଶାରେ ଏହାର ସ୍ଥିତି ସମ୍ପର୍କରେ ଯଥାର୍ଥରେ ଲେଖିଛନ୍ତି, ‘‘ବ୍ରାହ୍ମଧର୍ମ ଓଡ଼ିଶାରେ ଜନପ୍ରିୟ ନଥିଲା । ଏହା କେବଳ ନବଶିକ୍ଷିତ ଓ ସେମାନଙ୍କ ମଧ୍ୟରେ ଅଳ୍ପ ଲୋକଙ୍କ ଭିତରେ ସୀମାବଦ୍ଧ ଥିଲା ।’’ (ଶତାବ୍ଦୀ ପୁରୁଷ :–ପୃ:- ୩୩୧)

 

ଏହାପରେ ମହିମାଧର୍ମ ପ୍ରସଙ୍ଗ । ଏହି ସମ୍ପର୍କରେ ପ୍ରଥମେ ଶୁଣାଯାଏ ଊନବିଂଶ ଶତକରେ ଷଷ୍ଠ ଦଶକ ବେଳକୁ, ଢେଙ୍କାନାଳର କପିଳାସ ପର୍ବତର ଜଣେ ସନ୍ନ୍ୟାସୀମହିମା ଗୋସାଇଁ ହେଉଛନ୍ତି ଏହାର ପ୍ରବର୍ତ୍ତକ । ୧୮୬୬-୬୭ ବେଳକୁ ଏହି ଧର୍ମାବଲମ୍ବୀଙ୍କ ସଂଖ୍ୟା ପ୍ରାୟ ୨୦/୩୦ ହଜାର ହୋଇ ସାରିଥିଲା ବୋଲି ‘ଦୀପିକା’ଙ୍କ ବିବରଣୀରୁ ଜଣାଯାଏ । (୦୧,୦୬.୧୮୬୭) ଏହି ଧର୍ମ ସମ୍ପର୍କରେ ବସ୍ତୃତ ବିବରଣୀ ଦେଇ ‘ଦୀପିକା’ ଲେଖିଥିଲେ, ‘‘ଏ ଧର୍ମରେ ଜାତି ବିଚାର ନାହିଁ । ଶ୍ରାଦ୍ଧାଦି କ୍ରିୟା ଏବଂ ପିତୁଳା ପୂଜା ନିଷେଧ । କେବଳ ଏକମାତ୍ର ଈଶ୍ୱର ଏ ଧର୍ମାବଲମ୍ବୀମାନଙ୍କର ସେବ୍ୟ ଅଟନ୍ତି । ତାହାଙ୍କ ଶିଷ୍ୟମାନେ ଗୃହମଧ୍ୟରେ କିମ୍ବା କଂସା ପିତ୍ତଳାଦି କୌଣସି ପାତ୍ରରେ ଭୋଜନ କରନ୍ତି ନାହିଁ । ଦାଣ୍ଡ ମଧ୍ୟରେ ଭଙ୍ଗା ଖପରାରେ ଯେ କୌଣସି ଯାହା କିଛି ଖାଇବାକୁ ଦେଲେ ଆହାର କରନ୍ତି ।’’ (୧/୬/୧୮୬୭)

 

ମହିମାଧର୍ମୀମାନେ ହିନ୍ଦୁଧର୍ମ ବିରୋଧୀ ନୁହନ୍ତି । ହିନ୍ଦୁଧର୍ମ ତଥା ବୌଦ୍ଧଧର୍ମର କେତେକ ଦାର୍ଶନିକ ତତ୍ତ୍ୱକୁ ନେଇ ହିଁ ଏଇ ଧର୍ମରେ ସୃଷ୍ଟି । ଡଃ ଶ୍ରୀ ଚନ୍ଦନ ସିଂହଙ୍କ ମତରେ ‘‘ମହିମାଧର୍ମ ନିପୀଡ଼ିତ, ଅବହେଳିତର ଧର୍ମ । ଏକ ଶ୍ରେଣୀହୀନ ଜାତିହୀନ ସଂସ୍କୃତ ସାମାଜିକ ଲକ୍ଷ୍ୟ ନେଇ ଏହାର ସୃଷ୍ଟି ।’’ (ଶତାବ୍ଦୀ ପୁରୁଷ :–୩୩୨) ସେ ସମୟରେ ମହିମାବାଦୀମାନେ ସମାଜ ଜୀବନରେ ବେଶ୍‌ ଆଲୋଡ଼ନ ସୃଷ୍ଟି କରିଥିବାର ‘ଦୀପିକା’ର ସମ୍ବାଦରୁ ଜଣାଯାଇଥାଏ । ଲୋକଙ୍କ ଜାତି ନଷ୍ଟ କରିବାର ଚେଷ୍ଟା କରିବାରୁ ମଧୁପୁର ରାଜା ମହିମାବାଦୀମାନଙ୍କୁ ନିଜ ରାଜ୍ୟରୁ ବାହାର କରି ଦେଇଥିବା କଥା ଦୀପିକାରୁ ଜଣାଯାଏ । ଯାଜପୁରଠାରେ ମଧ୍ୟ ଏମାନଙ୍କ ବିରୁଦ୍ଧରେ ପଦକ୍ଷେପ ନିଆଯାଇଥିବାର ଦେଖାଯାଉଛି ।

 

ମହିମାବାଦୀମାନଙ୍କର ସବୁଠାରୁ ଅଧିକ ବୈପ୍ଳବାତ୍ମକ କାର୍ଯ୍ୟ ହେଉଛି ୧୮୮୧ରେ ପୁରୀ ମନ୍ଦିର ଆକ୍ରମଣ । ‘ଦୀପିକା’ (୨୬.୦୩.୧୮୮୧)ରେ ଏ ସମ୍ପର୍କରେ ବିସ୍ତୃତ ବିବରଣୀ ଛପା ଯାଇଅଛି । ପ୍ରାୟ ୧୬ ଜଣ ମହିମାଧର୍ମୀ ସେଇ ବର୍ଷ ମାର୍ଚ୍ଚ ମାସ ପହିଲାରେ ଭାତହାଣ୍ଡି ନେଇ ମନ୍ଦିର ମଧ୍ୟରେ ପ୍ରବେଶ କରିଥିଲେ ଏବଂ ଜଗନ୍ନାଥଙ୍କୁ ରତ୍ନସିଂହାସନରୁ ଘୋଷାଡ଼ି ଆଣି ବଡ଼ଦାଣ୍ଡରେ ପୋଡ଼ିଦେବାର ଅଭିପ୍ରାୟ ସେମାନଙ୍କର ଥିଲା । ବହୁ କଷ୍ଟରେ ସେମାନଙ୍କୁ ମଧ୍ୟରୁ ତଡ଼ି ଦିଆଯାଇ ପୁଲିସ୍‌କୁ ହସ୍ତାନ୍ତର କରାଯାଇଥିଲା ଏବଂ ଗଣ୍ଡଗୋଳରେ ଦଳର ସର୍ଦ୍ଦାର ଦଶାରାମର ମୃତ୍ୟୁ ଘଟିଥିଲା ।

 

ମାତ୍ର ଷୋହଳ ଜଣ ଲୋକ ସୁରକ୍ଷିତ ପୁରୀ ମନ୍ଦିର ଉପରେ ଆକ୍ରମଣ କରି ଜଗନ୍ନାଥଙ୍କୁ ଧ୍ୱଂସ କରିବାର ପ୍ରଚେଷ୍ଟା ନିଶ୍ଚୟ ଏକ ପାଗଳାମି । ଏଥିରୁ ଅନୁମାନ କରାଯାଇପାରେ ଯେ, ମହିମାଧର୍ମୀମାନେ କେବଳ ନିଜ ଧର୍ମର ପ୍ରଚାର ଏବଂ ଲୋକମାନଙ୍କ ଦୃଷ୍ଟି ନିଜ ଆଡ଼କୁ ଆକୃଷ୍ଟ କରାଇବା ଲକ୍ଷ୍ୟ ନେଇ ଏହିଭଳି ଉନ୍ମତ୍ତତା ପ୍ରଦର୍ଶନ କରିଥିଲେ । ଧର୍ମ ସହିତ ହିଂସାକୁ ଯୋଡ଼ି ଏମାନେ ସେଇ ଧର୍ମର ମୂଳନୀତି ଉପରେ କୁଠାରାଘାତ କରିଛନ୍ତି ବୋଲି ଆମର ମତ ।

 

ମହିମାଧର୍ମୀମାନେ କିଛି ନୂଆ କଥା କହୁ ନଥିଲେ । ଶୂନ୍ୟ ଉପାସନା ପ୍ରସଙ୍ଗ ବୌଦ୍ଧ ଯୁଗରୁ ଏଠାରେ ପ୍ରଚାରିତ ହୋଇ ଆସୁଥିଲା । ଚିକୋଗୋ ଧର୍ମ ମହାସଭାରେ ବିବେକାନନ୍ଦ ବୌଦ୍ଧଧର୍ମକୁ ହିନ୍ଦୁଧର୍ମର ‘ବିଦ୍ରୋହୀ ସନ୍ତାନ’ (Rebel-Child) ବୋଲି ଅଭିହିତ କରିଥିଲେ । ବେଶପୋଷାକ ଏବଂ ଆଚାରରେ କିଛି ସ୍ୱାତନ୍ତ୍ର୍ୟ ବ୍ୟତୀତ ବୌଦ୍ଧଧର୍ମ ଓ ମହିମା ଧର୍ମର ମୂଳ ନୀତି ମଧ୍ୟରେ କୌଣସି ପାର୍ଥକ୍ୟ ନଥିଲା । ସେଇ କଥା ଗବେଷକ ନଗେନ୍ଦ୍ରନାଥ ବୋଷ ମଧ୍ୟ କହିଛନ୍ତି । ‘ଦୀପିକା’ ଏହା ସ୍ୱୀକାର କରି ଲେଖିଥିଲେ, ‘‘ବାସ୍ତବରେ ବୌଦ୍ଧଧର୍ମ ସାଙ୍ଗରେ ଏହାର ବିଶେଷ ସୌସାଦୃଶ୍ୟ ଅଛି ।’’ (୧୦.୦୧.୧୯୧୪)

 

ଏହି ଧର୍ମ ସମାଜର ନିମ୍ନବର୍ଗରେ ବିଶେଷ ଲୋକପ୍ରିୟ ହୋଇଥିଲା ଏବଂ ଗ୍ରାମାଞ୍ଚଳର ଲୋକେ ଏଥିରେ ଦୀକ୍ଷିତ ହୋଇଥିଲେ ମଧ୍ୟ । ବଙ୍ଗଳା, ବିହାର, ମଧ୍ୟପ୍ରଦେଶ ପ୍ରଭୃତି ସହିତ ସୁଦୂର ବର୍ମା (ବର୍ତ୍ତମାନ ମିଆଁମାର) ପର୍ଯ୍ୟନ୍ତ ସୁଦ୍ଧା ଏହା ପ୍ରଚାରିତ ହୋଇଥିଲା ବୋଲି କୁହାଯାଉଚି । ଏବେ ଓଡ଼ିଶାରେ ଏହାର ଅନେକ ଅନୁଗାମୀ ଅଛନ୍ତି । ଗୋଟିଏ କଥା କିନ୍ତୁ ଏଠାରେ କୁହାଯାଇପାରେ । ଓଡ଼ିଶାର ସାଧାରଣ ଜୀବନରେ ଏହା କୌଣସି ପ୍ରତିକ୍ରିୟା ସୃଷ୍ଟି କରିପାରି ନଥିଲା ଏବଂ ଏହା ଆଦୌ ଏକ ଲୋକପ୍ରିୟ ଧର୍ମ ନଥିଲା ।

 

ଉପରେ ଆମେ ବ୍ରାହ୍ମଧର୍ମ ତଥା ମହିମା ଧର୍ମ ସମ୍ପର୍କରେ ଆଲୋଚନା କଲେ । ଗୋଟିଏ ସମାଜର ଉଚ୍ଚବର୍ଗକୁ ଆଶ୍ରୟ କରିଥିବା ବେଳେ ଅନ୍ୟଟି ଅବଲମ୍ବନ କରିଥିଲା ସମ୍ପୂର୍ଣ୍ଣଭାବେ ନିମ୍ନବର୍ଗକୁ । ଉଭୟ ଧର୍ମ ସାମାଜିକ ଜୀବନରେ ବିଶେଷ କୌଣସି ପ୍ରତିକ୍ରିୟା ସୃଷ୍ଟି କରିପାରିଥିଲେ ବୋଲି ଆମର ମନେ ହୁଏ ନାହିଁ । ଖ୍ରୀଷ୍ଟଧର୍ମ ଥିଲା ସମ୍ପୂର୍ଣ୍ଣ ରୂପେ ବିଦେଶୀ । ମାତ୍ର ପୂର୍ବୋକ୍ତ ଦୁଇଧର୍ମ ଏଠାରେ ପାଣିପବନରେ ହିଁ ସୃଷ୍ଟି ଏବଂ ହିନ୍ଦୁ ଧର୍ମର କ୍ଷତିକାରକ ଦିଗ ସମ୍ପର୍କରେ ପ୍ରତିବାଦ ଜଣାଇବା ହିଁ ଏହାର ସୃଷ୍ଟିର ମୂଳଲକ୍ଷ୍ୟ । ତେବେ କେହି ହିନ୍ଦୁଧର୍ମର ରକ୍ଷଣଶୀଳ ମନୋଭାବକୁ ସମ୍ପୂର୍ଣ୍ଣ ରୂପେ ବଦଳାଇ ଦେଇପାରି ନାହାନ୍ତି । ଅବଶ୍ୟ ସେଥିରେ କିଛି ପରିମାଣରେ ଶିଥିଳତା ଆସିଯାଇଛି । ଶିକ୍ଷାର ପ୍ରସାର ଫଳରେ ଜାତିପ୍ରଥା ଏବଂ ଧର୍ମ ପ୍ରତି ସେଇ ଅଟଳ ନିଷ୍ଠା ପୂର୍ବଭଳି ରହି ନାହିଁ । ତିନୋଟି ଯାକ ଧର୍ମର ଯେ ଏ ଦିଗରେ କିଛି କିଛି ଅବଦାନ ରହିଛି, ଏହା ସ୍ୱୀକାର କରିବାକୁ ହେବ ।

 

ବର୍ଣ୍ଣବୈଷମ୍ୟ ନୀତି ବା ଜାତିପ୍ରଥା ଯେ, ଆଦୌ ବୈଦିକ ନୁହେଁ, ଏ ବିଷୟ ପୂର୍ବରୁ ସୂଚିତ ହୋଇଛି । ମହାଭାରତ କାଳରେ ସୁଦ୍ଧା ଜାତିକୁ ଗୁଣ ଓ କର୍ମଭିତ୍ତିକ କରି ରଖାଯାଇଥିଲା । ତେବେ ଉଚ୍ଚ ଓ ନୀଚ୍ଚ ଜାତି ମଧ୍ୟରେ ସାମାଜିକ ଦୂରତ୍ୱକୁ ସ୍ୱୀକୃତି ଦିଆଯାଉଥିଲା । ଶବର ଏକଲବ୍ୟ ରାଜପୁତ୍ରମାନଙ୍କ ସହ ଶିକ୍ଷା ଲାଭର ସୁଯୋଗ ପାଇନଥିଲା ଏବଂ ତାହାର କୃତିତ୍ୱକୁ ମଧ୍ୟ ଷଡ଼ଯନ୍ତ୍ର ଦ୍ୱାରା ବ୍ୟର୍ଥ କରି ଦିଆଯାଇଥିଲା । ତେବେ ସୁଖର କଥା ଏଇ ଦୃଷ୍ଟିକୋଣ ଦ୍ରୁତଗତିରେ ବଦଳିବାରେ ଲାଗିଛି । ଏବେ ଆଉ କର୍ମାଶ୍ରୟୀ ଜାତିପ୍ରଥାର ସମାଜରେ କୌଣସି ସୁଯୋଗ ନାହିଁ । ବୃତ୍ତି ଏବେ ସ୍ୱାଭାବିକ କାରଣରୁ ଜାତିଭିତ୍ତିକ ନହୋଇ ରୁଚିଭିତ୍ତିକ ହୋଇଛି । ସନାତନ ଆର୍ଯ୍ୟ ଧର୍ମ ଏକଦା ଯେଉଁ ଜାତିପ୍ରଥାକୁ ନେଇ ଗର୍ବ କରୁଥିଲା, ତାହା ଆଜି ମୂଲ୍ୟହୀନ ହୋଇପଡ଼ିଛି ।

 

ମହାନଦୀ ଅବବାହିକାରେ ପ୍ରବେଶ କଲାବେଳକୁ ଆର୍ଯ୍ୟଜାତି ସୁସଙ୍ଗଠିତ ଏବଂ ସୁବ୍ୟବସ୍ଥିତ ହୋଇ ସାରିଥିଲେ ବୋଲି ଅନୁମାନ କରାଯାଇଥାଏ । ଜାତିପ୍ରଥା ସେମାନଙ୍କ ମଧ୍ୟରେ ଆକାର ପରିଗ୍ରହ କରିସାରିଥିଲା । ବ୍ରାହ୍ମଣ୍ୟ ଧର୍ମର ଶ୍ରେଷ୍ଠତାକୁ ସ୍ୱୀକାର କରିନେଇ ସମାଜ ଜୀବନରେ ଯେଉଁ ବିଭ୍ରାଟ ସୃଷ୍ଟି ହେଲା, ପରିବର୍ତ୍ତନର ସୂଚନା ହେଲା ତା’ର ଅବଶ୍ୟମ୍ଭାବୀ ପରିଣତି-। ଭାରତ ଏବେ ଏକ ଧର୍ମ ନିରପେକ୍ଷ ରାଷ୍ଟ୍ର । ଏଠାରେ ଜାତି, ଧର୍ମ, ବର୍ଣ୍ଣର କୌଣସି ଗୁରୁତ୍ୱ ନାହିଁ-। ବିଭିନ୍ନ ଧର୍ମାବଲମ୍ବୀ, ଭିନ୍ନ ଦେଶୀୟ, ସ୍ୱତନ୍ତ୍ର ରୁଚିର ବହୁଲୋକ ଏଠାରେ ଏକତ୍ର ବସବାସ କରୁଛନ୍ତି । କାହାରି ଧର୍ମ ବିଶ୍ୱାସ ଉପରେ ହସ୍ତକ୍ଷେପ କରିବାକୁ କାହାରିକୁ ସୁଯୋଗ ଦିଆଯାଉ ନାହିଁ । ଓଡ଼ିଶାର ଜଗନ୍ନାଥ ସଂସ୍କୃତି ଏଇ ସହନଶୀଳତା ଓ ସମନ୍ୱୟର କଥା କେବଳ ପ୍ରଚାର କରିଆସୁନାହିଁ, କାର୍ଯ୍ୟରେ ମଧ୍ୟ ପରିଣତ କରି ଦେଖାଇଦେଇଛି । ବିଚାର କରି ଦେଖିବାକୁ ଗଲେ ସହନଶୀଳତାର ଏଇ ତତ୍ତ୍ୱ ହେଉଛି, ଭାରତୀୟ ସଂସ୍କୃତିର ମୂଳଭିତ୍ତି । ଏଇକଥା ବିବେକାନନ୍ଦ ୧୮୯୩ ମସିହା ସେପ୍ଟେମ୍ବର ୧୧ ତାରିଖରେ ଚିକାଗୋ ଧର୍ମମହାସଭାରେ ମଧ୍ୟ କହିଥିଲେ । ତାଙ୍କ ମତରେ, ‘‘ମୁଁ ସେହି ଧର୍ମର ହୋଇଥିବାରୁ ଗର୍ବିତ, ଯେଉଁ ଧର୍ମ ସମଗ୍ର ବିଶ୍ୱକୁ ସହନଶୀଳତା ଏବଂ ସାର୍ବଜନୀନତା ଶିକ୍ଷା ଦେଇଛି ।’’

 

ପଶ୍ଚିମ ଓଡ଼ିଶାରେ ଆର୍ଯ୍ୟମାନେ ପ୍ରବେଶ କରିବା ପୂର୍ବରୁ ଯେଉଁ ଜନଜାତିମାନେ ବସବାସ କରି ରହୁଥିଲେ, ସେମାନେ କ୍ଷୁଦ୍ରକ୍ଷୁଦ୍ର ଉପନିବେଶ ସ୍ଥାପନ କରିଥିଲେ । ପରସ୍ପର ମଧ୍ୟରେ ଯୁଦ୍ଧ ଏବଂ ସଂଘର୍ଷ ଚଳାଇଥିଲେ ମଧ୍ୟ ସେମାନଙ୍କ ଭିତରେ ସାଂସ୍କୃତିକ ସମନ୍ୱୟର ଅଭାବ ନଥିଲା । ତାହା ହିଁ ପରବର୍ତ୍ତୀ କାଳରେ ସେ ଅଞ୍ଚଳର ସାମାଜିକ ଜୀବନକୁ ପ୍ରଭାବିତ କରିଥିଲା । ଜନଜାତିଙ୍କର ଦ୍ରାବିଡ଼ ସଂସ୍କୃତି ସହିତ ଆର୍ଯ୍ୟମାନଙ୍କର ଧର୍ମଭିତ୍ତିକ ସଂସ୍କୃତି ମିଶି ଏହାକୁ ପୂର୍ଣ୍ଣାଙ୍ଗ କରିଥିଲା । ସମୟ କ୍ରମେ ମହାନଦୀ କୂଳରେ ଶକ୍ତିଶାଳୀ ସାମ୍ରାଜ୍ୟ ଗଢ଼ିଉଠିଲା ଏବଂ ଏକ ଉନ୍ନତ ସଭ୍ୟତାର ବିକାଶ ଘଟିଲା । ଜନଜାତିମାନଙ୍କ ମଧ୍ୟରୁ କେଉଁମାନେ ଏଠାରେ ପ୍ରଥମରୁ ଥିଲେ, କେଉଁମାନେ ପରେ ଆସିଲେ, ତାହାର କୌଣସି ଐତିହାସିକ ପ୍ରମାଣ ଉପଲବ୍ଧ ନୁହେଁ । କୋହ୍ଲ, କନ୍ଧ, ଗଣ୍ଡ, ଭୂୟାଁ, କୁର୍ମୀ, ବିଂଝାଳ ପ୍ରଭୃତି ଗୋଷ୍ଠୀ-ଦୀର୍ଘକାଳ ଧରି ସେଠାରେ ବସବାସ କରୁଥିବାର ପ୍ରମାଣ ଅବଶ୍ୟ ମିଳୁଛି । ମାତ୍ର ସେମାନଙ୍କ ଆଗମନର ସମୟ ଜଣାଯାଉନାହିଁ । ବିକ୍ରମଖୋଲ ଏବଂ ଉଲାପଗଡ଼ର ଶିଳାଲେଖ ତଥା ପ୍ରାଚୀନତା ପ୍ରସଙ୍ଗ ଇତି ପୂର୍ବରୁ ସୂଚିତ ହୋଇଛି ଏବଂ ଏଠାରେ ପାଞ୍ଚହଜାର ବର୍ଷପୂର୍ବେ ଏକ ଉନ୍ନତ ସଭ୍ୟତା ବିଦ୍ୟମାନ ଥିଲା ବୋଲି ଐତିହାସିକମାନେ କହୁଛନ୍ତି । ଏ ଅଞ୍ଚଳରେ ତାହା ପୂର୍ବରୁ ଜନଜାତିମାନେ ବସବାସ କରୁଥିବାର ସମ୍ଭାବନା । ଜନଜାତି ଏବଂ ଆଗନ୍ତୁକ ସଭ୍ୟ ଜାତି-ଏ ଉଭୟ ଗୋଷ୍ଠୀ ମଧ୍ୟରେ କାଳକ୍ରମେ ସଦ୍‌ଭାବ ପ୍ରତିଷ୍ଠିତ ହୋଇଥିବାର ଅନୁମାନ । ନିଜ ପ୍ରୟୋଜନରେ ଦୁଇପକ୍ଷ ନିଶ୍ଚୟ ପରସ୍ପରକୁ ସାହାଯ୍ୟ କରୁଥିବେ ଏବଂ ଏହିଭଳି ଦୁଇପକ୍ଷ ମଧ୍ୟରେ ଧୀରେ ଧୀରେ ସାଂସ୍କୃତିକ ଐକ୍ୟ ପ୍ରତିଷ୍ଠିତ ହୋଇଥିବାର ଅନୁମାନ । ନିଜ ପ୍ରୟୋଜନରେ ଦୁଇପକ୍ଷ ନିଶ୍ଚୟ ପରସ୍ପରକୁ ସାହାଯ୍ୟ କରୁଥିବେ ଏବଂ ଏହିଭଳି ଦୁଇପକ୍ଷ ମଧ୍ୟରେ ଧୀରେ ଧୀରେ ସାଂସ୍କୃତିକ ଐକ ପ୍ରତିଷ୍ଠିତ ହୋଇଥିବାର ସମ୍ଭାବନା । ଧର୍ମ କ୍ଷେତ୍ରରେ ଦୁଇଗୋଷ୍ଠୀ ମଧ୍ୟରେ ଆଦାନପ୍ରଦାନ ଚାଲିଥିବାର ଯେଉଁ ପ୍ରମାଣ ସବୁ ମିଳୁଛି ତାହାରି ଭିତ୍ତିରେ ଏହା କୁହାଯାଉଛି ।

 

ପ୍ରକୃତରେ ଏଇ ଜନତାଗୁଡ଼ିକର ଧର୍ମ କ’ଣ ଥିଲା, ଏହା ଏକ ଅସମାହିତ ପ୍ରଶ୍ନ । ସେମାନେ କ’ଣ ହିନ୍ଦୁ ଥିଲେ ବା ହିନ୍ଦୁଧର୍ମକୁ ଗ୍ରହଣ କରିନେଇଥିଲେ ? ସମ୍ପ୍ରତି ଏ ନେଇ ବୁଦ୍ଧିଜୀବୀମାନଙ୍କ ମଧ୍ୟରେ ବେଶ୍‌ ବାକ୍‌ବିତଣ୍ଡା ଚାଲୁଥିବାର ଦେଖାଯାଉଛି । ସେମାନେ, ଯେ, ଆଦୌ ହିନ୍ଦୁ ନଥିଲେ, ଏଥିରେ ସନ୍ଦେହ ନାହିଁ । ଆର୍ଯ୍ୟମାନଙ୍କୁ ଛାଡ଼ିଦେଲେ, ସେତେବେଳେ ହିନ୍ଦୁଧର୍ମର ଦ୍ୱିତୀୟ ପୃଷ୍ଠପୋଷକ ନଥିଲେ । ପୁଣି ଆର୍ଯ୍ୟମାନେ ଏଠାକୁ ଆସିଥିଲେ, ସେମାନଙ୍କର ପ୍ରତିପକ୍ଷ ହୋଇ । ଗୋଷ୍ଠୀ ଭିତ୍ତିରେ ଧର୍ମାନ୍ତରଣର କୌଣସି ପ୍ରମାଣ ନାହିଁ । ଆର୍ଯ୍ୟମାନେ ମୁଖ୍ୟତଃ ପ୍ରକୃତିର ଉପାସକ ଥିଲେ ଏବଂ ସାକାର ଉପାସନା ପାଇଁ ଜଣେ ଦେବୀଦେବତାଙ୍କର ବିଗ୍ରହକୁ କୌଣସି ଏକ ପୀଠ ମଧ୍ୟରେ ବନ୍ଦୀକରି ରଖିବାର ଚିନ୍ତା ସେମାନଙ୍କର ଅନ୍ତତଃ ସେଇକାଳ ପର୍ଯ୍ୟନ୍ତ ନଥିଲା । ତେଣୁ ସେ କାଳର କୌଣସି ଧର୍ମପୀଠର ସନ୍ଧାନ ମିଳେ ନାହିଁ । ଅନ୍ୟପକ୍ଷରେ ଆଦିବାସୀ ମଧ୍ୟ ପ୍ରକୃତିର ଉପାସକ ଥିଲେ । ସୂର୍ଯ୍ୟ, ଚନ୍ଦ୍ର, ଆକାଶ, ମାଟି, ପାଣି, ପବନ-ଏ ସମସ୍ତ ଥିଲେ ସେମାନଙ୍କର ଉପାସ୍ୟ । ଅଧିକନ୍ତୁ ସେମାନେ କାଠ, ପଥରର ଉପାସନା ମାଧ୍ୟମରେ ସାକାର ଉପାସନାର ସୂତ୍ରପାତ କରିସାରିଥିଲେ । ଲିଙ୍ଗ ଓ ମାତୃ ପୂଜା ଆର୍ଯ୍ୟମାନେ ସେମାନଙ୍କଠାରୁ ଗ୍ରହଣ କରିଥିଲେ ବୋଲି ନୃତତ୍ତ୍ୱବିତ୍‌ମାନେ କହୁଛନ୍ତି । ଯଦି ଏହା ସତ୍ୟ, ତେବେ ସେ ଦିଗରୁ ଆର୍ଯ୍ୟମାନ ସେମାନଙ୍କୁ କିଛି ଦେଇନାହାନ୍ତି, ବରଂ ସେମାନଙ୍କଠାରୁ ଗ୍ରହଣ କରିଛନ୍ତି ବୋଲି ମାନିନେବାକୁ ପଡ଼ିବ । ହୁଏତ ପୂଜା ଉପାସନାର ଯେଉଁ କର୍ମକାଣ୍ଡ (Rituals) ଦିଗଟି, ତାହା ସେମାନେ ଆର୍ଯ୍ୟମାନଙ୍କଠାରୁ ଗ୍ରହଣ କରିଥାଇପାରନ୍ତି । ସିଦ୍ଧାନ୍ତ ହେଉଛି ସେମାନଙ୍କର ନିଜସ୍ୱ ଧର୍ମ ଥିଲା । ନିଜ ରୀତିରେ ସେମାନେ ପୂଜାଉପାସନା କରୁଥିଲେ । ବିଶ୍ୱାବସୁ ଶବର ଖଣ୍ଡପଡ଼ା ଜଙ୍ଗଲରେ ବୈଷ୍ଣବଦେବତା ନୀଳମାଧବଙ୍କୁ ମାଂସର ନୈବେଦ୍ୟ ଅର୍ପଣ କରୁଥିଲେ ବୋଲି କୁହାଯାଏ । ଏହା ସତ୍ୟ ହୋଇଥିଲେ ଧର୍ମ ଦୃଷ୍ଟିରୁ କେହି କାହାରିପାଖରେ ଆତ୍ମସମର୍ପଣ କରି ନଥିଲେ । ଆଦିବାସୀମାନେ ହିନ୍ଦୁ ନଥିଲେ କିମ୍ବା ହିନ୍ଦୁ ଧର୍ମର ପ୍ରତିପକ୍ଷ ମଧ୍ୟ ନଥିଲେ । ସେମାନଙ୍କର ନିଜସ୍ୱ ଏକ ଧର୍ମ ଥିଲା । ତାହାକୁ ହିଁ ସେମାନେ ପାଳନ କରୁଥିଲେ ।

 

ଏହିସବୁ ଜନଜାତି ମଧ୍ୟରେ ଜାତୀୟତା-ଭାବ ନଥିବା ସ୍ୱାଭାବିକ । ପରସ୍ପର ମଧ୍ୟରେ ସଦ୍‌ଭାବ ତଥା ଐକ୍ୟ ସ୍ଥାପନ ଦ୍ୱାରା ଯେ ସଂହତି ବୃଦ୍ଧିପାଏ, ଏହି ତତ୍ତ୍ୱଟି ସେମାନଙ୍କୁ ଜଣା ନଥିଲା-। ବିଚ୍ଛିନ୍ନ ଅବସ୍ଥାରେ ରହି ପରସ୍ପର ମଧ୍ୟରେ ଯେତିକି ସୌହାର୍ଦ୍ଦ୍ୟ ରକ୍ଷା କରିବା ଦରକାର, ତାହା ସେମାନେ କରୁଥିଲେ । କ୍ଷୁଦ୍ରଗୋଷ୍ଠୀରେ ବାଣ୍ଟିହୋଇ ପ୍ରତ୍ୟେକେ ନିଜ ନିଜର ଗୋଷ୍ଠୀ ମୁଖ୍ୟ ବା ସର୍ଦ୍ଦାରଙ୍କ ଅଧୀନରେ ବସବାସ କରୁଥିଲେ । ସେ ହିଁ ଥିଲେ ଗୋଷ୍ଠୀର ହର୍ତ୍ତାକର୍ତ୍ତା । ତାଙ୍କର ଇଚ୍ଛାକୁ ଅନ୍ୟମାନେ ସମ୍ମାନ ଜଣାଉଥିଲେ ଏବଂ ତାହାହିଁ ଥିଲା ସେମାନଙ୍କର ରୀତି । ଧର୍ମପାଳନ ଏବଂ ସୁରକ୍ଷାରେ ସେମାନଙ୍କୁ ସାହାଯ୍ୟ କରୁଥିଲେ, ସେମାନଙ୍କର ପୁରୋହିତ । ଏଇ ବ୍ୟବସ୍ଥା ସେମାନେ ଆର୍ଯ୍ୟମାନଙ୍କଠାରୁ ଗ୍ରହଣ କରିଥାଇପାରନ୍ତି ।

 

ଉପସଂହାର :–ନଦୀ-ଅବବାହିକାରେ ଜାତି ଓ ଧର୍ମତତ୍ତ୍ୱ ପ୍ରସଙ୍ଗରେ ଏହି ଅଧ୍ୟାୟରେ ଆଲୋଚନା କରାଯାଇଛି । ଆଦିବାସୀମାନଙ୍କୁ ଛାଡ଼ିଦେଲେ, ଆର୍ଯ୍ୟମାନେ ଯେ କାଳକ୍ରମେ ଚାରିବର୍ଣ୍ଣରେ ବିଭକ୍ତ ହୋଇ ଧୀରେ ଧୀରେ ଜାତିବିଭାଗର ଜଟିଳତା ମଧ୍ୟକୁ ପ୍ରବେଶ କରିଯାଇଛନ୍ତି, ତାହା ଏଥିରେ ଦେଖାଇଦିଆଯାଇଛି । ପଶ୍ଚିମ ଓଡ଼ିଶା ବହୁ ଗୋଷ୍ଠୀର ଆଦିବାସୀମାନଙ୍କ ଦ୍ୱାରା ଅଧ୍ୟୁଷିତ । ମୁଖ୍ୟତଃ ଏମାନେ ଦ୍ରାବିଡ଼ଗୋଷ୍ଠୀର । ଏମାନଙ୍କର ଭାଷା କିନ୍ତୁ ଗୋଷ୍ଠୀ ଭେଦରେ ସ୍ୱତନ୍ତ୍ର । ପ୍ରତ୍ୟେକ ଗୋଷ୍ଠୀର ସ୍ୱତନ୍ତ୍ର ସଂସ୍କୃତି ଥିଲେ ମଧ୍ୟ ଗୋଷ୍ଠୀ ଗୋଷ୍ଠୀ ମଧ୍ୟରେ ସମନ୍ୱୟର ଅଭାବ ନଥିଲା । ସେମାନଙ୍କ ମଧ୍ୟରେ ସାଂସ୍କୃତିକ ଆଦାନପ୍ରଦାନ ମଧ୍ୟ ଘଟୁଥିବାର ସମ୍ଭାବନା । କାରଣ ସାମାଜିକ ଚଳଣି ଦୃଷ୍ଟିରୁ ଗୋଷ୍ଠୀ ଗୋଷ୍ଠୀ ଭିତରେ ଅନେକ ସାମଞ୍ଜସ୍ୟ ରହୁଥିବାର ଲକ୍ଷ୍ୟ କରାଯାଉଛି । କିଛି ସ୍ୱାତନ୍ତ୍ର୍ୟ ରହିବାର କଥା, ତା’ ରହିଥିଲା ।

 

ସେହିଭଳି ଆର୍ଯ୍ୟ ଜାତିର କଥା । ସେମାନେ ଚାତୁର୍ବର୍ଣ୍ଣ୍ୟର ଗୁରୁତ୍ୱକୁ ଗ୍ରହଣ କରିନେଇଥିଲେ ମଧ୍ୟ ଜାତି ସମ୍ପର୍କରେ ଏତେ କଠୋର ନଥିଲେ । ଗୁଣ ଏବଂ କର୍ମ ହିଁ ଥିଲା ମୁଖ୍ୟତଃ ଜାତିତତ୍ତ୍ୱର ନିର୍ଦ୍ଧାରକ । ଆର୍ଯ୍ୟ ୠଷିମାନେ ଯେ ସମସ୍ତେ ବ୍ରାହ୍ମଣ ଥିଲେ, ଏହା ନୁହେଁ । କ୍ଷତ୍ରିୟ ବିଶ୍ୱାମିତ୍ର ମଧ୍ୟ ନିଜର କର୍ମ ଦ୍ୱାରା ମହର୍ଷିପଦକୁ ଉନ୍ନୀତ ହୋଇଥିଲେ । ଏ ସବୁ ସତ୍ତ୍ୱେ ସ୍ଥଳ ବିଶେଷରେ ଜାତିତତ୍ତ୍ୱ କିଭଳି ସମାଜକୁ ନିୟନ୍ତ୍ରିତ କରୁଥିଲା, ରାମାୟଣର ଶମ୍ବୁକ ବୃତ୍ତାନ୍ତ ହେଉଛି ତାହାର ଏକ କରୁଣ ଦୃଷ୍ଟାନ୍ତ । ଶମ୍ବୁକ ଥିଲେ ଜାତିରେ ଶୂଦ୍ର, କିନ୍ତୁ ସ୍ୱଭାବରେ ତପସ୍ୱୀ । ରାମାୟଣ କାଳକୁ ଶୂଦ୍ରମାନଙ୍କଠାରୁ ତପସ୍ୟାର ଅଧିକାର ଛଡ଼ାଇ ନିଆଗଲାଣି । ଶମ୍ବୁକ ତପସ୍ୟା କରୁଥିଲେ କିଛି ବ୍ୟକ୍ତିଗତ ଲାଭ ଉଦ୍ଦେଶ୍ୟରେ ନୁହେଁ । ସମାଜର ମଙ୍ଗଳ କାମନା ହିଁ ଥିଲା, ତାଙ୍କ ତପସ୍ୟାର ଏକମାତ୍ର ଲକ୍ଷ୍ୟ । ତଥାପି ତାଙ୍କ ନାମରେ ଅଭିଯୋଗ ହେଲା । ଦୁର୍ଭାଗ୍ୟକୁ ରାମରାଜ୍ୟରେ ଜଣେ ବ୍ରାହ୍ମଣ ସନ୍ତାନର ଅକାଳ ମୃତ୍ୟୁ ଘଟିଲା ଏବଂ ଶୂଦ୍ର ଶମ୍ବୁକଙ୍କର ତପସ୍ୟାକୁ ଏହାର କାରଣ ରୂପେ ନିର୍ଦ୍ଦେଶ କରାଗଲା । ମନେ ହେଉଛି, ଜାତିଭିତ୍ତିକ କର୍ମତତ୍ତ୍ୱ ସେ ସମୟକୁ ସ୍ୱୀକୃତି ପାଇଗଲାଣି ଏବଂ ସେଥିପାଇଁ ସମାଜଜୀବନରେ ବିଭ୍ରାଟ ମଧ୍ୟ ସୃଷ୍ଟି ହେଲାଣି । ତେଣୁ ମହାଭାରତରେ ଯୋଗେଶ୍ୱର କୃଷ୍ଣଙ୍କୁ ଏ ବିଷୟରେ ସ୍ପଷ୍ଟୀକରଣ ଦେବାକୁ ପଡ଼ିଛି ।

 

ଯାହା ହେଉ, ନିରପରାଧ ଶମ୍ବୁକ ଦଣ୍ଡାର୍ହ ବୋଲି ସ୍ଥିର ହୋଇଯାଉଛି । କୁଳଗୁରୁ ମହାପ୍ରାଜ୍ଞ ବଶିଷ୍ଠ ସୁଦ୍ଧା ଏହି ଅନ୍ୟାୟ କାର୍ଯ୍ୟରୁ ରାମଙ୍କୁ ନିବୃତ୍ତ କରି ନାହାନ୍ତି । ମର୍ଯ୍ୟାଦା ପୁରୁଷ ରାମ ନିଜ ହସ୍ତରେ ଶମ୍ବୁକର ଶିରଚ୍ଛେଦ କରୁଛନ୍ତି । ଯେଉଁ ତିନୋଟି ଅନୀତି ରାମଚନ୍ଦ୍ରଙ୍କ ଶୁଭ୍ରଯଶରେ କଳଙ୍କର ଛିଟା ଭଳି ଦୂରରୁ ଆଖିକୁ ପୀଡ଼ା ଦିଏ, ସେଗୁଡ଼ିକ ହେଲା ବାଳୀବଧ, ନିରପରାଧିନୀ ଗର୍ଭବତୀ ସୀତାଙ୍କର ଛଳନାପରକ ନିର୍ବାସନ ଏବଂ ଶେଷକୁ ଏଇ ଶମ୍ବୁକ ବଧ । ବାଳୀ ଅତ୍ୟାଚାରୀ ଥିଲା, ଯଦିଓ ରାମଙ୍କ ସହିତ ତା’ର କୌଣସି ବ୍ୟକ୍ତିଗତ ବୈର ନଥିଲା । ରାମ ତାକୁ ମାରିଛନ୍ତି ପୁଣି ଆଢ଼ୁଆଳରେ ଲୁଚିରହି । ଯାହାହେଉ, ସେ ଅନ୍ୟାୟ କରିଥିଲା, ତେଣୁ ମଲା । ଏଭଳି ଏକ ବୁଝାମଣା ନିଜ ସହିତ କରାଯାଇପାରେ । ତେବେ ସୀତା-ନିର୍ବାସନ ଏବଂ ଶମ୍ବୁକ ବଧ ସମ୍ପର୍କରେ କ’ଣ କୁହାଯିବ ? ଏ ପ୍ରଶ୍ନର ଉତ୍ତର ପ୍ରବଚନ ପ୍ରଦାନକାରୀମାନଙ୍କ ଠାରୁ ନିଶ୍ଚୟ ମିଳିବ-। ତେବେ ହତ୍ୟା ହିଁ ହତ୍ୟା-ତାକୁ ଯେତେ ଗାଢ଼ ରଙ୍ଗ ତଳେ ଲୁଚାଇବାକୁ ଚେଷ୍ଟା କଲେ, ତାହା ଲୁଚେ ନାହିଁ । ରାମାୟଣ କାଳକୁ ଆର୍ଯ୍ୟମାନଙ୍କର ଜାତିବ୍ୟବସ୍ଥାରେ ରୂପ କ’ଣ ଥିଲା, ତାହା ଜଣାଇବା ନିମନ୍ତେ ଏ ପ୍ରସଙ୍ଗରେ ଅବତାରଣା କରାଗଲା ।

 

ସେହିଭଳି ଧର୍ମ ପ୍ରସଙ୍ଗ । ଷୋଡ଼ଶ ଶତକ ପୂର୍ବରୁ ଏହାକୁ ନେଇ ଆର୍ଯ୍ୟ ସମାଜରେ କୌଣସି ସମସ୍ୟା ସୃଷ୍ଟି ହୋଇନାହିଁ । ରାଜା ହିଁ ହୋଇଛନ୍ତି ଧର୍ମର ନିୟାମକ । ହିନ୍ଦୁମାନ ହିଁ ଏକଦା ଥିଲେ ଆର୍ଯ୍ୟାବର୍ତ୍ତର ନିରଙ୍କୁଶ କ୍ଷମତାଧାରୀ ଜାତି । ସେମାନେ ଏଠାରେ ପ୍ରବେଶ କରିଥିଲେ ସ୍ୱୟଂ ଆକ୍ରମଣକାରୀ ରୂପେ । ଦଶମ ଶତକ ପର୍ଯ୍ୟନ୍ତ ସେମାନଙ୍କୁ ବହିଃଶତ୍ରୁର ଆକ୍ରମଣରେ ସମ୍ମୁଖୀନ ହେବାକୁ ପଡ଼ିନାହିଁ । ତା’ପରେ ଯବନମାନଙ୍କର ଆଗମନ ଓ ସ୍ଥାୟୀଭାବରେ ଏଠାରେ ବସବାସର ଆରମ୍ଭ ପର୍ବ, ଯୁଦ୍ଧ ଓ ଧର୍ମାନ୍ତରୀକରଣ ଜନିତ ସଙ୍କଟର ଏଇ ସମୟରୁ ଆରମ୍ଭ । ଓଡ଼ିଶା ପାଇଁ ଏହି ସଙ୍କଟ ଆସିଲା ଆହୁରି ଯଥେଷ୍ଟ ପରେ ଷୋଡ଼ଶ ଶତକରେ । ମୁସଲମାନ ଅଧ୍ୟାୟ ସମାପ୍ତ ହେବାପରେ ଇଂରେଜ ଅଧ୍ୟାୟର ଆରମ୍ଭ । ଇଂରେଜ ଶାସନରେ ଖ୍ରୀଷ୍ଟଧର୍ମର ପ୍ରସାର ହେଲା । ଓଡ଼ିଶାରେ ଏକ ନୂତନ ଧର୍ମର ଅଭ୍ୟୁଦୟ ଘଟିଲା । ବ୍ରାହ୍ମଧର୍ମ ଏବଂ ମହିମା ଧର୍ମ ହେଉଛି ଓଡ଼ିଶାର ଆଉ ଦୁଇଟି ନୂତନ ଧର୍ମ । ତେବେ ପ୍ରଧାନତଃ, ଏ ଉଭୟ ହେଉଛି, ହିନ୍ଦୁଧର୍ମର ସ୍ୱୈରାଚାର ବିରୋଧରେ ଗୋଟିଏ ଗୋଟିଏ ପ୍ରତିବାଦର ଝଲକ । ସମାଜ ଜୀବନରେ ଏହାର କୌଣସି ସ୍ଥାୟୀ ପ୍ରତିକ୍ରିୟା ସୃଷ୍ଟି ହୋଇଥିବାର ଲକ୍ଷ୍ୟ କରାଯାଉନାହିଁ ।

 

ବ୍ରାହ୍ମଧର୍ମ ଏଠାରେ ମୁଷ୍ଟିମେୟ ଶିକ୍ଷିତ ବୁଦ୍ଧିଜୀବୀଙ୍କ ଭିତରେ ଆବଦ୍ଧ ହୋଇ ରହିଯିବା ସ୍ଥଳେ ମହିମା ଧର୍ମର ବିସ୍ତାର ସମାଜର ନିମ୍ନବର୍ଗକୁ ନେଇ । ବ୍ରାହ୍ମ ସମାଜୀମାନେ ସ୍ମରଣୀୟ ସେମାନଙ୍କର ସଂସ୍କାରବାଦୀ ମନୋଭାବ ନିମନ୍ତେ । ରକ୍ଷଣଶୀଳ ଓଡ଼ିଶାରେ ସଂସ୍କାର ଯାହା କିଛି ହୋଇଥିଲା, ତାହା ଏମାନଙ୍କ ନିରବଚ୍ଛିନ୍ନ ଉଦ୍ୟମ ଯୋଗୁ ହିଁ ହୋଇଥିଲା । ପ୍ରାଚୀନ ନବୀନ ସଂଘର୍ଷ ଇନ୍ଦ୍ରଧନୁ ବିଜୁଳି ବିବାଦ ଉପେନ୍ଦ୍ର ଭଞ୍ଜ-ରାଧାନାଥ ରାୟଙ୍କ ମଧ୍ୟରେ ଶ୍ରେଷ୍ଠତ୍ୱକୁ ନେଇ ସେମାନଙ୍କ ଅନୁଗାମୀମାନଙ୍କ ମଧ୍ୟରେ କନ୍ଦଳ-ଏସବୁ ହେଉଛି, ଓଡ଼ିଶାରେ ବ୍ରାହ୍ମ ସମାଜୀମାନଙ୍କର ଏକ ସ୍ଥାୟୀ କାର୍ଯ୍ୟ । ଉପେନ୍ଦ୍ର-ରାଧାନାଥ ବିବାଦର ସ୍ରଷ୍ଟା ହେଉଛନ୍ତି ସେଇମାନେ ଏବଂ ଏ ବିବାଦରେ ସେମାନଙ୍କ ପରାଜୟ ବରଣ ହେଉଛି ସେ ଶତାବ୍ଦୀର ଏକ ଉଲ୍ଲେଖଯୋଗ୍ୟ ଘଟଣା । ପରମ୍ପରାକୁ ଅସ୍ୱୀକାର କରି କୌଣସି ଜାତି ଯେ କେବେ ବଡ଼ ହୋଇପାରେ ନାହିଁ, ଏ ଘଟଣା ହେଉଛି ତାହାର ଏକ ଜ୍ୱଳନ୍ତ ଉଦାହରଣ ।

 

ସେଇଭଳି ମହିମାବାଦୀମାନେ । ଏମାନେ ମଧ୍ୟ ହିନ୍ଦୁଧର୍ମ ବିପକ୍ଷରେ ବିପ୍ଳବ କରିବାକୁ ଚେଷ୍ଟା କରିଥିଲେ, ଭଙ୍ଗାରୁଜା ମାଧ୍ୟମରେ । ତେବେ ସେମାନଙ୍କର ସଙ୍ଗଠନ ନଥିଲା, ଶିକ୍ଷାଦୀକ୍ଷା ନଥିଲା । ଶକ୍ତି ବା ସାମର୍ଥ୍ୟ ମଧ୍ୟ ନଥିଲା । ଥିଲା କେବଳ ସମାଜକୁ ବଦଳାଇ ଦେବା ନିମନ୍ତେ କିଛି ଆବେଗ । ଏହାର ପରିଣାମ ଯାହା ହେବାର ହେଲା । ମହିମାଧର୍ମ ଏ ମାଟିର ଚେର ମେଲି ପାରିଲା ନାହିଁ । ଫଳକଥା ହେଉଛି, ଧର୍ମନାମରେ କିଛି ଆଦର୍ଶଗତ ଅଭିନବତା ଏ ମାଟିର ସନ୍ତାନମାନଙ୍କୁ ବିଶେଷ ଆକର୍ଷିତ କରିପାରିନାହିଁ । ସେମାନଙ୍କ ସମ୍ମୁଖରେ ବିଭିନ୍ନ ଧର୍ମଗତ ଓ ଭିନ୍ନ ଭିନ୍ନ ପଥର ଆକର୍ଷଣ ଦେଖାଦେଇଛି । ସେମାନେ ସବୁ ଦେଖିଛନ୍ତି, ପରଖିଛନ୍ତି, ବାଟ କିନ୍ତୁ ଚାଲିଛନ୍ତି ନିଜ ମତରେ । ନିଜର ପଥ ହିଁ ହୋଇଛି ତାଙ୍କର ଏକମାତ୍ର ପଥ । ଏ ଦେଶର ଜଗନ୍ନାଥ ଧର୍ମ ଓ ତା’ର ଦର୍ଶନ ମଧ୍ୟ ଅନେକ ଦୃଷ୍ଟିରୁ ସେଇଆ । ବହୁ ଧର୍ମ ଦର୍ଶନର ବର୍ଣ୍ଣାଢ଼୍ୟ ଶୋଭାଯାତ୍ରା ତା’ର ଆଗ ଦେଇ ବହିଯାଇଛି । ସେ ସବୁ ଦେଖିଛି । ଯାତ୍ରାର ଆଖିଝଲସା ଆଲୁଅ ତାକୁ ହୁଏତ କ୍ଷଣକ ପାଇଁ ମୁଗ୍ଧ କରିଛି, ମାତ୍ର ସେ ଲୁବ୍ଧ ହୋଇନାହିଁ । ଯାହା ତାକୁ ଭଲ ଲାଗିଛି, ସେଥିରୁ କିଛି କିଛି ଗ୍ରହଣ କରି ନେଇଛି । ଆହୃତ ଉପାଦାନକୁ ନିଜ ରଙ୍ଗରେ ରଙ୍ଗାଇ ତାକୁ ମୌଳିକ ତଥା ନିଜସ୍ୱ ରୂପ ଦେଇ ନିଜଭିତରେ ମିଶାଇ ନେଇଛି । ତାହାହିଁ ହୋଇଛି ଜଗନ୍ନାଥ ଧର୍ମର ଭିତ୍ତି । ତାହା ପୁଣି ବାଟ ଫିଟାଇଛି ଏକ ସମନ୍ୱୟାତ୍ମକ ଉତ୍କଳୀୟ ସଂସ୍କୃତି ପାଇଁ । ‘ନିଜକୁ ବିସର୍ଜନ ନଦେଇ ଅନ୍ୟ ଧର୍ମ ଓ ସଂସ୍କୃତି ପ୍ରତି ସମ୍ମାନ ପ୍ରଦର୍ଶନ’ ଏହାହିଁ ହୋଇଛି ଉତ୍କଳୀୟ ଧର୍ମ ଓ ଦର୍ଶନର ସାରକଥା । ତାହାହିଁ ହୋଇଛି ଜଗନ୍ନାଥ ଧର୍ମର ମୂଳନୀତି ।

 

ବିଦେଶୀ ଆଖିରେ ଜଡ଼ବୁଦ୍ଧି ସମ୍ପନ୍ନ, ଉଚ୍ଚକାଂକ୍ଷାହୀନ ଏବଂ ଆଳସ୍ୟପରାୟଣ ତଥା ‘ଏକ ଘୃଣିତ ଓ ଜଘନ୍ୟ ଦେବତାର ଉପାସକ’, ସ୍ୱଦେଶୀୟଙ୍କ ଆଖିରେ ‘ବ୍ରାତ୍ୟ ତଥା ପତିତ’-ଉତ୍କଳୀୟ ଏଭଳି ବିଶ୍ୱ ଦର୍ଶନର ମହାନ୍‌ବାଣୀ କାହାଠୁଁ ଶିଖିଲା, ଏହିଭଳି ଏକ ପ୍ରଶ୍ନର ଉତ୍ତରରେ କେବଳ ଏତିକିମାତ୍ର କୁହାଯାଇପାରେ ଯେ, ମହାନଦୀ ହିଁ ତାକୁ ଏହିଭଳି ସମନ୍ୱିତ ଦର୍ଶନର ଶିକ୍ଷା ଦେଇଛି । ନିଜକୁ ଦେଖାଇ ଏହି ଜନନୀ ସ୍ୱରୂପିଣୀ ନଦୀ ପ୍ରମାଣିତ କରିଛି ଯେ, ସମନ୍ୱୟରେ ନିହିତ ଥାଏ ଶକ୍ତି । ବିଭିନ୍ନ ମତ ଓ ପଥର ସାରତତ୍ତ୍ୱ ତିଳ ତିଳ କରି ସଂଗୃହୀତ ହୋଇ ଗଠିତ ହୁଏ ଯେଉଁ ସଂସ୍କୃତିର ଭିତ୍ତି ତାହାର ବିଲୟ ନାହିଁ । ସେଇ ତେଣୁ ଉତ୍କଳୀୟକୁ ଏକ ସମନ୍ୱିତ ସଂସ୍କୃତି ଗ୍ରହଣ କରି ନେବାକୁ ପ୍ରୋତ୍ସାହିତ କରିଛି । ବିଭିନ୍ନ ଧର୍ମ, ଭିନ୍ନ ଭିନ୍ନ ଜାତି, ସ୍ୱତନ୍ତ୍ର ରୁଚିର ଲୋକେ ଆବହମାନ କାଳରୁ ନଦୀ ଅବବାହିକାରେ ବସବାସ ରହିଛନ୍ତି । ସେମାନଙ୍କ ମଧ୍ୟରେ ଦୃଷ୍ଟି ଓ ଦର୍ଶନ, ଚାହାଣି ଓ ଚଳଣି, ଚିନ୍ତା ଓ ଚେତନାରେ ମତାନ୍ତର ହୁଏତ ଦେଖାଦେଇଛି, ମାତ୍ର ମନାନ୍ତର କଦାପି ହୋଇନାହିଁ । ଏହାହିଁ ନଦୀ ଅବବାହିକାରେ ସଂସ୍କୃତିର ବିଶେଷତ୍ୱ ।

 

ଓଡ଼ିଆ ଭାଷା ଓ ଲିପି ସୃଷ୍ଟିରେ ତଥା ଏହାର ଧର୍ମୀୟ ସ୍ଥିତି ନିରୂପଣରେ ନଦୀର ଅପ୍ରତିହତ ଭୂମିକା କଥା ଏହା ପୂର୍ବରୁ କୁହାଯାଇଛି । ନଦୀ, ଅରଣ୍ୟ, ପର୍ବତ ଇତ୍ୟାଦିର ସଭ୍ୟତା ତଥା ସଂସ୍କୃତିର ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ । ସ୍ୱାମୀ ବିବେକାନନ୍ଦ ଲକ୍ଷ୍ୟ କରିଥିଲେ ଯେ ତିନୋଟି ପର୍ବତ ଶ୍ରେଣୀ ତିନୋଟି ମହାନ୍‌ ସଭ୍ୟତାର ଉନ୍ନତିର ସ୍ମାରକ । ହିମାଳୟ ଭାରତୀୟ ଆର୍ଯ୍ୟ ସଭ୍ୟତାର, ସିନାଇ ହିବ୍ରୁ ସଭ୍ୟତାର ତଥା ଅଲିମ୍ପସ୍‌ ଗ୍ରୀକ୍‌ ସଭ୍ୟତାର ବିକାଶରେ ସ୍ମରଣୀୟ ଭୂମିକା ଗ୍ରହଣ କରିଛି । ହିମାଳୟ ପ୍ରଭାବରୁ ଭାରତବର୍ଷର ଜଳବାୟୁ ନିୟନ୍ତ୍ରିତ ହୋଇଛି ଏବଂ ଏହା ଫଳରେ ଏଠାର ଉଷ୍ଣ ପରିବେଶରେ ଆର୍ଯ୍ୟଜାତି ଅନ୍ତର୍ମୁଖୀ । ଏହି କାରଣରୁ ଗ୍ରୀକ୍‌ମାନେ ରାଜନୈତିକ ସ୍ୱାଧୀନତାର ସନ୍ଧାନରେ ସଦା ବ୍ୟସ୍ତ ବିବ୍ରତ ତଥା ଯୁଦ୍ଧରତ ହେଉଥିବା ବେଳେ ହିନ୍ଦୁମାନେ ନିଜର ଅନ୍ତର୍ମୁଖୀ ସ୍ୱଭାବ ହେତୁ ଆଧ୍ୟାତ୍ମିକ-ମୁକ୍ତିର ଅନ୍ୱେଷଣରେ ରତ ରହିଛନ୍ତି । ସ୍ୱାମୀଜୀଙ୍କ ମତରେ ଏ ଉଭୟ ଦୃଷ୍ଟିକୋଣ ହେଉଛି ଏକଦେଶଦର୍ଶୀ । ଭାରତୀୟମାନେ ସ୍ୱାଦେଶୀକତା ପ୍ରତି ଉଦାସୀନ ରହି ଧର୍ମରକ୍ଷା ପ୍ରତି ସତର୍କ ରହୁଥିବା ବେଳେ ଗ୍ରୀକ୍‌ମାନେ ସ୍ୱଦେଶପ୍ରେମୀ ହୋଇଛନ୍ତି । ତେବେ ସ୍ୱାମୀଜୀ ଉଭୟ ଆଧ୍ୟାତ୍ମିକ ତଥା ଆଧିଭୌତିକ ଉନ୍ମେଷ ନିମନ୍ତେ ପ୍ରଯତ୍ନ ହେବା ଆବଶ୍ୟକ ବୋଲି କହିଛନ୍ତି ।

 

ପର୍ବତ ଭଳି ନଦୀର ମଧ୍ୟ ସଭ୍ୟତା ତଥା ସଂସ୍କୃତିର ବିକାଶରେ ଲକ୍ଷ୍ୟଣୀୟ ଅବଦାନ ରହିଛି । ବିଶେଷ କରି ଜାତୀୟ ଚରିତ୍ର ଓ ପ୍ରକୃତି ନିର୍ଦ୍ଧାରଣରେ ଏହାର ଭୂମିକା ଯଥେଷ୍ଟ । ଜୀବନ ଯେଉଁଠି ସଂଘର୍ଷମୟ, ବଞ୍ଚିବା ନିମନ୍ତେ ମଣିଷ ଯେଉଁଠି ତୀବ୍ର ସଂଗ୍ରାମରତ, ସେଠାରେ ସ୍ୱାଭାବିକ କାରଣରୁ ତାହାର ପ୍ରକୃତି ରୁକ୍ଷ, କର୍କଶ ଏବଂ ଅନମନୀୟ ହୋଇଉଠେ । ଅନ୍ୟପକ୍ଷରେ ଜୀବନ ଯେଉଁଠି ଅପେକ୍ଷାକୃତ ସହଜ, ସେଠାରେ ମଣିଷ ଅନାୟାସରେ ଏକ ଅସ୍ୱାଭାବିକ ତୃପ୍ତିବୋଧରେ ଗ୍ରସ୍ତ ହୋଇପଡ଼େ । ସଂଘର୍ଷ ଜୀବନକୁ ଆଗକୁ ବଢ଼ିବାର ପ୍ରେରଣା ଯୋଗାଏ । ଯେଉଁଠି ତାହା ନାହିଁ, ସେଠି ମଣିଷ ଅଳସ ଏବଂ ଭାଗ୍ୟବାଦୀ ହୋଇପଡ଼େ । ସହନଶୀଳତା ଓ ଧୈର୍ଯ୍ୟର ହାତଧରି ବାଟ ଚାଲେ । ତହିଁରୁ ଆସେ ଧର୍ମ ଉପରେ ଅତୁଟ ବିଶ୍ୱାସ ଏବଂ ଆସ୍ତିକତା । ଏହା ପୁଣି ଆଶାବାଦର ସ୍ରଷ୍ଟା ।

 

ନଦୀ ଉପତ୍ୟକାର ଅଧିବାସୀମାନଙ୍କୁ ଯେ ଜୀବନ ପାଇଁ ସଂଘର୍ଷ କରିବାକୁ ପଡ଼ିନଥିବ, ଏଭଳି ମନେ କରିବାର କୌଣସି କାରଣ ନାହିଁ । ବିଶେଷ କରି ପ୍ରକୃତିର ରୁଦ୍ରରୋଷର ଶିକାର ହୋଇ ବାରମ୍ବାର ବନ୍ୟା କିମ୍ବା ମରୁଡ଼ିର ପ୍ରକୋପରେ ତା’ର ବଞ୍ଚିବାର ସ୍ୱପ୍ନ ବିକଳ ହୋଇଯାଇଥିବ-। ଆଶା ଥିବ, ନଦୀ ଯେତିକି କ୍ଷତି କରେ, ତା’ର ପରିପୂର୍ତ୍ତି କରେ ବହୁଗୁଣରେ ଫେରାଇ ଦେଇ । ସଂସାରରେ ଭଲ ଥାଏ, ମନ୍ଦ ବି ଥାଏ । ଉଭୟକୁ ଗ୍ରହଣ କରିନେବାକୁ ହୁଏ, ପ୍ରତ୍ୟୟର ସହିତ । ଓଡ଼ିଆମାନଙ୍କ କ୍ଷେତ୍ରରେ ଏହାହିଁ ହୋଇଛି ତା’ର ପ୍ରଗତିର ସୂତ୍ର । ଆଶାତୀତର ପ୍ରତିନିୟତ ପ୍ରତ୍ୟାଶାରେ ଯେ ସମାଜ ଆଗକୁ ବଢ଼େ, ଏହି ସତ୍ୟଟି ଧ୍ରୁବରୂପରେ ତା’ର ଚେତନାରେ ସ୍ଥାନ କରିନେଇଛି । ସମାଜଶାସ୍ତ୍ରୀ ମାକ୍ସୱେବର (Max Weber) କହନ୍ତି, ‘‘The historical experience confirms the truth that man would not have attained the possible unless time and again he had reached out for the impossible.’’ ଯାହା ଦୁର୍ଲଙ୍ଘ୍ୟ, ଅନତିକ୍ରମଣୀୟ ତାହାରି ଅତିକ୍ରମରେ ହିଁ ସଭ୍ୟତା ଓ ସଂସ୍କୃତିର ଉତ୍କର୍ଷ ସାଧିତ ହୁଏ । ହିମାଳୟ ଦୁର୍ଲଙ୍ଘ୍ୟ ହୋଇପାରେ । ମାତ୍ର ପ୍ରୟୋଜନରେ ଏଇ ମଣିଷ ବାରମ୍ବାର ତାକୁ ଲଙ୍ଘନ କରେ । ତେଣୁ କ୍ଳୀବତା କିମ୍ବା ନୈରାଶ୍ୟ ନୁହେଁ । ଆଶାର ଅସ୍ତ୍ରରେ ଏହା ସହିତ ଲଢ଼ିଯିବାକୁ ହେବ । ଅନ୍ତର୍ମୁଖୀ ଓଡ଼ିଆ ଚରିତ୍ରର ଏହା ହିଁ ହେଉଛି ବୈଶିଷ୍ଟ୍ୟ । ଏହାର ଗଠନରେ ନଦୀର ଏକ ବିଶେଷ ଅବଦାନ ରହୁଛି । କାରଣ ଓଡ଼ିଆର ଜୀବନଧାରା ମୁଖ୍ୟତଃ ଏହାରି ଦ୍ୱାରା ହିଁ ଗଠିତ ଏବଂ ନିୟନ୍ତ୍ରିତ । ଆଜି ଯେତେବେଳେ ସମାଜ କ୍ରମଶଃ ରୁଗ୍‌ଣ ଏବଂ ଅସୁସ୍ଥ ହୋଇପଡ଼ୁଛି, ଧ୍ୱଂସର ସମ୍ଭାବନା ସୃଷ୍ଟିର ସମ୍ଭାବନାକୁ ମ୍ଳାନକରି ଦେଉଛି, ଏବଂ ଆଧୁନିକ ଓଡ଼ିଆ ସମାଜ ଏହାର ପ୍ରଭାବରୁ ନିଜକୁ ମୁକ୍ତ ରଖିପାରୁ ନାହିଁ, ସେତେବେଳେ ପ୍ରତ୍ୟେକ ଓଡ଼ିଆର କର୍ତ୍ତବ୍ୟ ହେଉଛି, ନିଜକୁ ତଥା ନିଜର ପରିପାର୍ଶ୍ୱକୁ ବୁଝି ସମୟ ସହିତ ପାଦମିଳାଇ ଚାଲିବା ଏବଂ ଭିବଷ୍ୟତର ରୂପରେଖ ଚିନ୍ତାକରିବା । ତା’ର ଧର୍ମ, ସଂସ୍କୃତି ଏବଂ ଭାଷା ଓ ଲିପି ତାକୁ ଏହି ନିର୍ଦ୍ଦେଷ ଦେଉଛି । ଏଥିପାଇଁ ଓଡ଼ିଶାର ଜୀବନଧାରା ଜଳରୂପରେ ଏବେ ମଧ୍ୟ ଯେଉଁଠି ବହିଚାଲିଚି, ସେଇ ମହାନଦୀ ତାକୁ ଯୁଗେ ଯୁଗେ ପଥ ଦେଖାଇଛି, ଦେଖାଉଥିବ ମଧ୍ୟ ।

Image

 

Unknown

ଚତୁର୍ଥ ଅଧ୍ୟାୟ

ଇତିହାସର କବର ତଳେ

 

ମହାନଦୀ ହେଉଛି ଇତିହାସର ରଙ୍ଗସ୍ଥଳୀ । ମଧ୍ୟ ଭାରତରୁ ପୂର୍ବ ଉପକୂଳ ଅଞ୍ଚଳକୁ ପ୍ରବେଶର ଏକମାତ୍ର ପ୍ରବେଶ ପଥ ହୋଇଥିବାରୁ କାଳ କାଳରୁ ଏହାରି ତୀରରେ ଇତିହାସର ରୋମାଞ୍ଚକର ଅଧ୍ୟାୟ ସବୁ ଅଭିନୀତ ହୋଇଚାଲିଛି ଏବଂ ନଦୀ ହୋଇଛି ଏହାର ମୂକ ସାକ୍ଷୀ । ଏହାରି ତୀରରେ ସାମ୍ରାଜ୍ୟ ଗଢ଼ିଉଠିଛି, ପୁଣି ଭାଙ୍ଗିଯାଇଛି । ନଦୀ ତୀରରେ କୌଣସି ଉଚ୍ଚାକାଂକ୍ଷୀ ଆଦିବାସୀଗୋଷ୍ଠୀ କ୍ଷୁଦ୍ର ଉପନିବେଶ ସ୍ଥାପନ କରନ୍ତି । କୌଣସି କ୍ଷତ୍ରିୟ ଅଭିଯାନକାରୀ ଅନେକ ଛୋଟଛୋଟ ଉପନିବେଶକୁ ମିଶାଇ ଗୋଟିଏ ଅପେକ୍ଷାକୃତ ବଡ଼ ସାମ୍ରାଜ୍ୟ ସ୍ଥାପନ କରନ୍ତି । ଯେତେଦିନ ଯାଏ, କେନ୍ଦ୍ରୀୟ ଶାସନ ଦୃଢ଼ ଥାଏ, ସାମ୍ରାଜ୍ୟ ଥାଏ ଅତୁଟ । ତେବେ ଶାସନକୁ ଦୁର୍ବଳତା ଗ୍ରାସ କଲେ, ବିଶାଳ ସାମ୍ରାଜ୍ୟ ଭାଙ୍ଗିବାକୁ ଆରମ୍ଭ କରେ । ଉପନିବେଶବାଦୀମାନେ ନିଜର ସ୍ୱାଧୀନତା ଘୋଷଣା କରି ଦିଅନ୍ତି । ବିଶାଳ ସାମ୍ରାଜ୍ୟ ଭାଙ୍ଗି ଖଣ୍ଡଖଣ୍ଡ ହୋଇଯାଏ । ଯୁଗଯୁଗ ଧରି ଏହି ପ୍ରକ୍ରିୟାର ପୁନରାବୃତ୍ତି ଚାଲିଥାଏ ଏବଂ ଏହାହିଁ ହେଉଛି ଇତିହାସର ଅମୋଘ ନିର୍ଦ୍ଦେଶ । ଏହା ଫଳରେ ବାରମ୍ବାର ସାମ୍ରାଜ୍ୟର କ୍ଷୟ ବୃଦ୍ଧି ଘଟୁଥାଏ । ପ୍ରାଚୀନ କୋଶଳ ସାମ୍ରାଜ୍ୟର ସୃଷ୍ଟି ମଧ୍ୟ ଦିନେ ଏହି ଉପାୟରେ ହୋଇଥିଲା ।

 

ରାମାୟଣଠାରୁ ଆରମ୍ଭ କରି ଅନ୍ୟାନ୍ୟ ଇତିହାସ ପୁରାଣ ଶାସ୍ତ୍ରରେ ବାରମ୍ବାର କୋଶଳ ସାମ୍ରାଜ୍ୟର ଉଲ୍ଲେଖ ମିଳୁଥିବାରୁ ଏହାର ପ୍ରାଚୀନତା ପ୍ରମାଣ କରିହୁଏ । ରାମ ଜନନୀ କୌଶଲ୍ୟା ଥିଲେ କୋଶଳର ରାଜକନ୍ୟା ଏବଂ ସେତେବେଳେ ଉତ୍ତରଭାରତର ଉତ୍ତରକୋଶଳ ସାମ୍ରାଜ୍ୟ ସମୃଦ୍ଧିର ଚରମ ସୀମାରେ ଉପନୀତ ହୋଇଥିଲା ବୋଲି ମଧ୍ୟ ଜଣାଯାଏ । ସମ୍ବଲପୁର, ଛତିଶଗଡ଼ ଏବଂ ଏହାର ଆଖପାଖ ଅଞ୍ଚଳକୁ ନେଇ ଗଢ଼ିଉଠିଥିଲା ଦକ୍ଷିଣକୋଶଳ ସାମ୍ରାଜ୍ୟ । ଦୁଇକୋଶଳ ଏବଂ ମହାକୋଶଳ ସମ୍ରାଜ୍ୟ ଭିନ୍ନଭିନ୍ନ ଶାସନର ଅଧୀନ ଥିଲେ । ଦକ୍ଷିଣ କୋଶଳ ଥିଲା ସେ କାଳର ବିଦର୍ଭ ରାଜ୍ୟର ଅନ୍ତର୍ଗତ । ବରାହମିହିର ଯେ କି ବିକ୍ରମାଦିତ୍ୟଙ୍କ ନବରତ୍ନ ପଣ୍ଡିତ ମଣ୍ଡଳୀର ଅନ୍ୟତମ ସଦସ୍ୟ ଥିଲେ, ନିଜର ‘ବୃହତସଂହିତା’ ଗ୍ରନ୍ଥରେ ଆଗ୍ନେୟକୋଣ ସ୍ଥିତ ଦେଶମାନଙ୍କର ଯେଉଁ ତାଲିକା ପ୍ରସ୍ତୁତ କରିଛନ୍ତି, ତାହା ଏହିଭଳି ।

 

‘‘ଆଗ୍ନେୟାଂଦିଶି କୋଶଳ-କଳିଙ୍ଗ-ବଙ୍ଗୋପବଙ୍ଗ ଅପରାଙ୍ଗାଃ ।

ଶୌଳିକ ବିଦର୍ଭବତ୍ସାନ୍ଧ୍ର ଶ୍ଳେଦିକାଶ୍ଚୋର୍ଦ୍ଧ୍ୱକଣ୍ଠାଶ୍ଚ ।’’

 

ଏଠାରେ ରାଜ୍ୟମାନଙ୍କର ଯେଉଁ ସୂଚୀ ବରାହମିହିର ପ୍ରସ୍ତୁତ କରିଛନ୍ତି, ତହିଁରେ କୋଶଳ ଏବଂ ବିଦର୍ଭ ଦୁଇଟି ସ୍ୱତନ୍ତ୍ର ରାଜ୍ୟଭାବରେ ଚିହ୍ନିତ ହୋଇଛି । ଏଥିରେ ପୁଣି କଳିଙ୍ଗ, ବଙ୍ଗ, ଆନ୍ଧ୍ର, ଚେଦି ପ୍ରଭୃତି ରାଜ୍ୟର ନାମ ମଧ୍ୟ ରହିଛି । ବରାହମିହିରଙ୍କର ସମୟ ଯଦି ଖ୍ରୀ:ଅ :–୫ମ/୬ଷ୍ଠ ଶତକ ହୁଏ, ତେବେ ସେତେବେଳକୁ ଏହି ସବୁ ରାଜ୍ୟ ଆତ୍ମପ୍ରକାଶ କରି ସାରିଥିଲା ବୋଲି ସ୍ୱୀକାର କରିବାକୁ ହେବ । ନବରତ୍ନସଭାର ଅନ୍ୟତମ ସଦସ୍ୟ କାଳିଦାସ ମଧ୍ୟ ନିଜର ରଘୁବଂଶ କାବ୍ୟରେ ‘ଉତ୍କଳ’ ଓ ‘କଳିଙ୍ଗ’ ଦୁଇ ସ୍ୱତନ୍ତ୍ର ସାମ୍ରାଜ୍ୟର ଉଲ୍ଲେଖ କରିଛନ୍ତି । ଅର୍ଥାତ୍‌ ଖ୍ରୀ:ଅ :–୫ମ/୬ଷ୍ଠ ଶତକ ବେଳକୁ କୋଶଳ, କଳିଙ୍ଗ ଏବଂ ଉତ୍କଳ ପ୍ରଭୃତି ସାମ୍ରାଜ୍ୟ ପ୍ରତିଷ୍ଠା ଲାଭ କରିସାରିଲେଣି । ମାଳବଠାରୁ ଗୋଦାବରୀର ଉତ୍ପତ୍ତିସ୍ଥଳ (ଆଧୁନିକ ମହାରାଷ୍ଟ୍ରର ନାସିକ୍‌) ପର୍ଯ୍ୟନ୍ତ ବିଦର୍ଭ ସାମ୍ରାଜ୍ୟ ବିସ୍ତୃତ ଥିଲା । ଭୋଜବଂଶୀୟ ବିଦର୍ଭ ନିଜ ନାମାନୁସାରେ ଏହି ସାମ୍ରାଜ୍ୟ ସ୍ଥାପନ କରିଥିଲେ । ଦକ୍ଷିଣ କୋଶଳ, ବିଳାସପୁର, ରାୟପୁର, ସମ୍ବଲପୁର, ସୁନ୍ଦରଗଡ଼, ବଲାଙ୍ଗୀର ପାଟଣା, କଳାହାଣ୍ଡି, ବସ୍ତର, ବୌଦ, ଫୁଲବାଣୀ ପ୍ରଭୃତି ବିସ୍ତୃତ ଅଞ୍ଚଳକୁ ନେଇ ଏହି ସାମ୍ରାଜ୍ୟ ଗଢ଼ିଉଠିଥିଲା । ଏହି ଅଞ୍ଚଳ ଆର୍ଯ୍ୟାବର୍ତ୍ତର ପରିସୀମା ମଧ୍ୟରେ ରହୁଥିବାରୁ ମନୁଙ୍କ ନିର୍ଦ୍ଦେଶିତ ‘ବ୍ରାତ୍ୟଦେଶ’ ସୀମାର ବାହାରେ ଥିଲା । ଐତିହାସିକ ଶିବ ପ୍ରସାଦ ଦାଶଙ୍କ ମତରେ କଳିଙ୍ଗ, ଅଙ୍ଗ, ବଙ୍ଗ, ସୌରାଷ୍ଟ୍ର, ମଗଧ ପ୍ରଭୃତି ବ୍ରାତ୍ୟ ସୂଚୀରେ ଥିବାରୁ ଏବଂ କୋଶଳ ଏହାର ଅନ୍ତର୍ଭୁକ୍ତ ହୋଇ ନଥିବାରୁ ତାହା ଯଜ୍ଞୀୟ ଦେଶ ଥିଲା । ମନୁ ଅବଶ୍ୟ ବ୍ରାତ୍ୟ ଦେଶକୁ ତୀର୍ଥଯାତ୍ରାରେ ଯିବା ନିମନ୍ତେ ଅନୁମତି ଦେଇ ରଖିଥିଲେ । ଏସବୁ ଦେଶକୁ ମନୁ ଯେ ନିଜ ଆଖିରେ ଦେଖିଥିବେ, ଏଭଳି ମନେ କରିବାର କୌଣସି କାରଣ ନାହିଁ । ଶୁଣାକଥା ଉପରେ ନିର୍ଭର କରି ସେ ଏହି ସୂଚୀ ପ୍ରସ୍ତୁତ କରିଥିବାର ଅଧିକ ସମ୍ଭାବନା ।

 

ବିଦର୍ଭ କାଳକ୍ରମେ ତିନିଭାଗରେ ବିଭକ୍ତ ହୋଇ ମହାରାଷ୍ଟ୍ର, ମହାକୋଶଳ ଓ ମହାକାନ୍ତାରରେ ପରିଣତ ହୋଇଥିଲା । କୋଶଳର ଉଲ୍ଲେଖ ମହାଭାରତରେ ମିଳୁଛି-। (ବନପର୍ବ-:–ଅ.୮୪) ଦାକ୍ଷିଣାତ୍ୟର କୃଷ୍ଣା, ତୁଙ୍ଗଭଦ୍ରା ଓ ଭୀମା ପ୍ରଭୃତି ନଦୀମାନଙ୍କର ଅବବାହିକାରେ ଗଢ଼ିଉଠିଥିଲା, କାନ୍ତାରକ ରାଜ୍ୟ । ନିଘଞ୍ଚ ଅରଣ୍ୟ ଓ ଦୁର୍ଗମ ପାର୍ବତ୍ୟାଞ୍ଚଳ ହେତୁ ଏହି ରାଜ୍ୟକୁ ମହାକାନ୍ତାର କୁହାଯାଉଥିଲା । ସମୁଦ୍ର ଗୁପ୍ତଙ୍କ ସମୟରେ ବ୍ୟାଘ୍ରରାଜ ଥିଲେ ଏହି ଅଞ୍ଚଳର ଶାସକ-। ଟଲେମିଙ୍କ ବର୍ଣ୍ଣନାରୁ ଜଣାଯାଏ ଯେ, ଶବର (ଗଣ୍ଡ)ମାନେ ଥିଲେ ଏହି ଅଞ୍ଚଳର ଅଧିବାସୀ । ଏଣୁ ବ୍ୟାଘ୍ରରାଜ ଜଣେ ଗଣ୍ଡ ବା ଆଦିବାସୀ ରାଜା ଥିଲେ ବୋଲି ସିଦ୍ଧାନ୍ତ କରାଯାଇପାରେ । ଜନଜାତିର କୌଣସି କୌଣସି ଗୋଷ୍ଠୀ ଶକ୍ତିଶାଳୀ ହୋଇ ସାମ୍ରାଜ୍ୟ ସ୍ଥାପନ କରୁଥିବାର ଏହା ହେଉଛି ଏକ ଦୃଷ୍ଟାନ୍ତ ।

 

କାନ୍ତାର-ସାମ୍ରାଜ୍ୟ ପରବର୍ତ୍ତୀ ସମୟରେ ସୋମବଂଶୀୟ ରାଜାଙ୍କ ଦ୍ୱାରା କୋଶଳ ସହିତ ମିଶାଇ ଦିଆଯାଇଥିଲା । ଫଳରେ କୋଶଳର ପରିସର ବୃଦ୍ଧି ପାଇଥିଲା । ତେବେ ଅଗ୍ନିମିତ୍ର ସୁଙ୍ଗବିଦର୍ଭ ରାଜାଙ୍କୁ ପରାସ୍ତ କରି ମଗଧର ସୀମା ୱାର୍ଦ୍ଧା ପର୍ଯ୍ୟନ୍ତ ବିସ୍ତୃତ କରିଥିଲେ ଏବଂ ସେହି ସମୟରେ କୋଶଳ ଦୁଇଭାଗରେ ବିଭକ୍ତ ହୋଇଥିଲା । ଗଙ୍ଗାଠାରୁ ୱାର୍ଦ୍ଧା ପର୍ଯ୍ୟନ୍ତ ବିସ୍ତୃତ ଭୂଖଣ୍ଡକୁ ଦକ୍ଷିଣ କୋଶଳ କୁହାଗଲା । ଏହାର ରାଜା ଥିଲେ ମଗଧର ସାମନ୍ତ ।

 

ହୁଏନ୍‌ସାଂ (୭ମ ଶତକ) ତାଙ୍କ ଭ୍ରମଣ ବୃତ୍ତାନ୍ତରେ କୋଶଳ ସମ୍ପର୍କରେ ଉଲ୍ଲେଖ କରି କହିଛନ୍ତି ଯେ, ସେଠାରେ କ୍ଷତ୍ରିୟ ରାଜା ଶିଳ୍ପ ସାହିତ୍ୟର ଅନୁରାଗୀ ଥିଲେ । ତାହାର ବହୁପୂର୍ବରୁ କୋଶଳ ଏକ ସମୃଦ୍ଧ ଅଞ୍ଚଳରେ ପରିଣତ ହୋଇଥିବାର ଐତିହାସିକ ପ୍ରମାଣ ମିଳୁଛି । ଏହି ରାଜ୍ୟର ସୁରଗୁଜା ଅଞ୍ଚଳସ୍ଥ ରାମଗଡ଼ ପାହାଡ଼ରେ ଭରତ ମୁନିଙ୍କ ନାଟ୍ୟଶାସ୍ତ୍ର ନିର୍ଦ୍ଦେଶିତ ଏକ ଦରୀଗୃହ ମଞ୍ଚର ସନ୍ଧାନ ମିଳିଛି । ଏହି ପାହାଡ଼ ପାଖରେ ଏକ ଦୁର୍ଗର ଭଗ୍ନାବଶେଷ ମଧ୍ୟ ରହିଛି । ପାହଡ଼ରେ ରହିଛି ଅନେକ ଗୁମ୍ଫା । ତହିଁରୁ ଗୋଟିକର ନାମ ସୀତାବେଙ୍ଗା । ସେଥିରେ ରହିଛି ଏକ ଶିଳାଲେଖ । ତହିଁରେ ବ୍ରାହ୍ମୀଲିପିରେ ଉତ୍କୀର୍ଣ୍ଣ ହୋଇଛି, ‘‘ଆଦୀପୟନ୍ତି ହୃଦୟଂ ସ୍ୱଭାବଗୁରୁ କବୟଃ’-ଅର୍ଥାତ୍‌ ସମ୍ମାନନୀୟ କବିବର୍ଗ ସ୍ୱଭାବତଃ ହୃଦୟକୁ ଉଲ୍ଲସିତ କରନ୍ତି ।’’ ଏହି ଦରୀଗୃହ ମଞ୍ଚରେ ଦୋଳ ପୂର୍ଣ୍ଣିମାରେ ନୃତ୍ୟ, ଗୀତ, ନାଟ୍ୟାଦି ପ୍ରଦର୍ଶିତ ହେଉଥିଲା । ଗୁମ୍ଫାରେ ରହିଛି ଦୁଇଟି ପ୍ରକୋଷ୍ଠ । ତା’ ପଛକୁ ଅଛି 45' * 24'ର ଏକ ମଞ୍ଚ ଏବଂ ମଞ୍ଚର ଅପର ଦିଗରେ ଅଛି ଅର୍ଦ୍ଧଚନ୍ଦ୍ରାକାର ସୋପାନୀକୃତ ଆସନଶ୍ରେଣୀ । ପ୍ରାଚୀନ ଗ୍ରୀକ୍‌ମଞ୍ଚ (Amphi-Theatre)ରେ ଏହି ପ୍ରକାରର ଆସନ ବ୍ୟବସ୍ଥା ରହୁଥିଲା ।

 

ପାହାଡ଼ର ଅନ୍ୟ ଏକ ଗୁମ୍ଫାର ନାମ ଯୋଗିମାରା । ଏଠାରେ ମାଗଧୀଭାଷାର ଏକ ଶିଳା ଲିପି ରହିଛି । ତାହାର ପାଠ ହେଉଛି ‘‘ସୁତନୁକା ନାମ ଦେବଦାସୀକୟୀ ଦେବଦିନେ ନାମ ଲୁପ ଦଖେ ତମକମୈଥ ବଲାନସେୟୀ’’–ଅର୍ଥାତ୍‌ ବାରାଣସୀରୁ ଆଗତ ଦେବଦିନ୍‌ ନାମକ ରୂପଦକ୍ଷ (ବେଶକାରୀ) ସୁତନୁକା ନାମକ ଦେବଦାସୀଙ୍କର ପ୍ରଣୟାସିକ୍ତ ଥିଲେ । ଦୁଇ ପ୍ରଣୟୀ ହୁଏତ ସେଇଠାରେ ବସବାସ କରୁଥିଲେ । ଗୁମ୍ଫା ଭିତ୍ତିରେ ନଗ୍ନ ଜଟାଧର ଯୋଗୀ, ହାତୀ, ଘୋଡ଼ା, ରଥ, ନର୍ତ୍ତକୀ ଆଦିଙ୍କର ଖୋଦିତ ମୂର୍ତ୍ତି ରହିଛି । ଯୋଗୀ-ଆବାସଭୂମି ହୋଇଥିବାରୁ ସମ୍ଭବତଃ ଗୁମ୍ଫାର ଏହିଭଳି ନାମକରଣ କରାଯାଇଛି । ଶିଳାଲିପିର ସମୟ ଖ୍ରୀ:ପୂ: ତୃତୀୟ ଶତକ ଅର୍ଥାତ୍‌ ଅଶୋକ-ମୌର୍ଯ୍ୟଙ୍କ କାଳର ବୋଲି ଅନୁମାନ କରାଯାଇଥାଏ । ସେ ସମୟରେ କୋଶଳ ଏକ ଉନ୍ନତ ସଭ୍ୟତାର ଅଧିକାରୀ ଥିଲା ବୋଲି କୁହାଯାଇପାରିବ । ଦେବଦାସୀ ସୁତନୁକା ଓ ରୂପଦକ୍ଷ ଦେବଦିନ୍‌ ପ୍ରଣୟାସକ୍ତ ଥିଲେ । ତେବେ ନିଜ ପ୍ରଣୟ କାହାଣୀକୁ ପ୍ରକାଶ୍ୟ ସ୍ଥାନରେ ଖୋଳି ରଖିଯାଇଥିଲେ କାହିଁକି ?

 

ଯାହା ହେଉ, ରଙ୍ଗମଞ୍ଚ ସହିତ ଏକ ରାଷ୍ଟ୍ରର ସମୃଦ୍ଧି ଜଡ଼ିତଥିବାରୁ କୋଶଳର ଉନ୍ନତି ଏକ ପ୍ରମାଣସିଦ୍ଧ ବ୍ୟାପାର । କୋଶଳର ପ୍ରାଚୀନ ରାଜବଂଶ ଯାହାଙ୍କ ସମ୍ପର୍କରେ କିଛି ସୂଚନା ମିଳୁଛି, ତାହା ହେଉଛି ‘ମହାମେଘବାହନ ବଂଶ’ । ଏହି ବଂଶର ଏକ ଶାଖା ହିଁ କଳିଙ୍ଗରେ ରାଜତ୍ୱ କରୁଥିଲେ । କୋଶଳରୁ ଏକ ଶାଖା ମହାନଦୀ କୂଳେ କୂଳେ ପୂର୍ବଦିଗକୁ ଅଗ୍ରସର ହୋଇ ବିଶାଳ କଳିଙ୍ଗ ସାମ୍ରାଜ୍ୟ ସ୍ଥାପନ କରିଥିଲେ ଏବଂ ଖାରବେଳ ହେଉଛନ୍ତି ଏହି ବଂଶୀୟ । ଏହି ବିବରଣୀ ଠିକ୍‌ ଥିଲେ ଅଶୋକଙ୍କ ସମୟକୁ ଏହି ବଂଶ କଳିଙ୍ଗରେ ରାଜପଣ କରୁଥିବା କଥା । ବାୟୁପୁରାଣ କୋଶଳ ରାଜବଂଶୀୟମାନଙ୍କୁ ମହାବଳ, ବୁଦ୍ଧିମାନ୍‌ ଏବଂ ମେଘ ବଂଶଜ (ବା.ପୁ. ୯-୩୪୭) ବୋଲି କହିଛନ୍ତି । କଳିଙ୍ଗକୁ ଯାଇଥିବା ଶାଖାଟି କ୍ରମେ ପ୍ରବଳ ପରାକ୍ରାନ୍ତ ହୋଇଉଠି ଉତ୍ତର ଭାରତରେ ନିଜର ସାମ୍ରାଜ୍ୟ ବିସ୍ତାର କରିଥିଲା । ଅଶୋକ ଏହି ବଂଶର ରାଜାଙ୍କୁ ପରାସ୍ତ କରିବାରୁ ସେ କୋଶଳରେ ରାଜନୈତିକ ଆଶ୍ରୟ ଗ୍ରହଣ କରିଥିବାର କୁହାଯାଉଛି । କଳିଙ୍ଗ ରାଜ ତେବେ ନିଜର ତିନିଲକ୍ଷ ସୈନ୍ୟଙ୍କୁ ହାଣମୁହଁରେ ଦେଇ ଆପେ ଜୀବନ ବଞ୍ଚାଇ କୋଶଳରେ ଆତ୍ମଗୋପନ କରିଥିଲେ ବୋଲି ବିଶ୍ୱାସ କରିବାକୁ ହେବ ? କିମ୍ବା ଅଶୋକଙ୍କ ସହିତ ଲଢ଼େଇ କରିଥିବା କଳିଙ୍ଗ ରାଜ ଏ ନୁହନ୍ତି ?

 

ଖାରବେଳ ଅବଶ୍ୟ କଳିଙ୍ଗର ଏହି ଅପମାନର ପ୍ରତିଶୋଧ ନେଇଥିଲେ କେବଳ ମଗଧ ନୁହେଁ, ଉତ୍ତରା ପଥର ବହୁ ରାଜ୍ୟ ଅଧିକାର କରି । ଖାରବେଳଙ୍କ ସମୟକୁ ସମ୍ଭବତଃ କୋଶଳ କଳିଙ୍ଗର ସମାନ୍ତରାଜ୍ୟ ହୋଇଯାଇଥିଲା । କାରଣ ଖାରବେଳ ସେଇବାଟେ ମୂଷିକମାନଙ୍କ ଉପରେ ଆକ୍ରମଣ କରିଥିଲେ । ଅଶୋକ କୋଶଳୀମାନଙ୍କୁ ‘ଅପରାଜିତ ବନବାସୀ’ ବୋଲି ଉଲ୍ଲେଖ କରିଛନ୍ତି । ଆରଣ୍ୟକ ଏହାର ଅଧିବାସୀମାନେ ଦେବତାମାନଙ୍କର ପ୍ରିୟ ଥିଲେ ବୋଲି ସେ କହିଛନ୍ତି । ଖାରବେଳଙ୍କ ମୃତ୍ୟୁ ପରେ ଆନ୍ଧ୍ରମାନେ କଳିଙ୍ଗ ଅଧିକାର କରିନେବାର ସୁଯୋଗରେ କୋଶଳ ମଧ୍ୟ ନିଜର ସ୍ୱାଧୀନତା ଘୋଷଣା କରିଦେଇଥିଲା । ଆନ୍ଧ୍ରମାନେ ଏହି ଦୁର୍ଗମ ଅଞ୍ଚଳ ଆଡ଼େ ଆସି ନଥିଲେ । ହର୍ଷବର୍ଦ୍ଧନ (୭ମ ଶତକ)ଙ୍କ ସମୟକୁ କଳିଙ୍ଗ ଓ କୋଶଳ ଦୁଇ ସ୍ୱତନ୍ତ୍ର ରାଜ୍ୟ ଥିଲେ । ପରେ କୋଶଳର ସୋମବଂଶୀମାନେ ଉପକୂଳ ଅଞ୍ଚଳ ଜୟ କରିନେବାରୁ ପୁନର୍ବାର କଳିଙ୍ଗ ଓ କୋଶଳର ମିଶ୍ରଣ ହୋଇଥିଲା ।

 

ସୋମବଂଶୀମାନେ ମହାନଦୀ ତୀରବର୍ତ୍ତୀ ଶ୍ରୀପୁରରେ ରାଜତ୍ୱ କରୁଥିଲେ ଏବଂ କାଳକ୍ରମେ ମହାପରାକ୍ରମଶାଳୀ ହୋଇ ଉଠି ‘ସକଳ କୋଶଳାଧିପତି’ ଉପାଧି ଧାରଣ କରିଥିଲେ । ସମ୍ଭବତଃ ସେତେବେଳେ କୋଶଳ ବହୁ କ୍ଷୁଦ୍ର ରାଜ୍ୟରେ ବିଭକ୍ତ ଥିଲା । ସୋମବଂଶୀମାନେ ଧୀରେ ଧୀରେ ସେହି ସବୁ ଛୋଟ ଛୋଟ ରାଜ୍ୟକୁ ଜୟକରି କୋଶଳ ସାମ୍ରାଜ୍ୟ ଗଠନ କରିଥିଲେ-। ଏହା ହୁଏତ ଜଣେ ରାଜାଙ୍କ ଦ୍ୱାରା ସମ୍ଭବ ହୋଇ ନଥିଲା ।

 

ସୋମବଂଶୀମାନଙ୍କର ଶାସନରେ କୋଶଳର ଭାଗ୍ୟୋଦୟ ହୋଇଥିଲା । କାରଣ ଏହାଙ୍କ ରାଜତ୍ୱରେ ହିଁ କଳିଙ୍ଗ ସାମ୍ରାଜ୍ୟ କୋଶଳର ଅଙ୍ଗୀଭୂତ ହୋଇଥିଲା । ରାଜଧାନୀ ପଶ୍ଚିମାଞ୍ଚଳରୁ ଉଠିଆସିଥିଲା ବିରଜା କ୍ଷେତ୍ରକୁ । ଏହି ବଂଶରେ ବାଳାର୍ଜୁନ ମହାଶିବ ଗୁପ୍ତ (୬୧୫ ଖ୍ରୀ:ଅ) ଜନ୍ମେଜୟ ମହାଭବ ଗୁପ୍ତ (ତ୍ରିକଳିଙ୍ଗ କୋଶଳାଧିପତି), ଯଯାତି ମହାଶିବ ଗୁପ୍ତ, ଭୀମରଥ ମହାଭବ ଗୁପ୍ତ, ଉଦ୍ୟୋତ କେଶରୀ, ଲଳିତେନ୍ଦୁ କେଶରୀ ପ୍ରମୁଖ ମହାପ୍ରତାପୀ ରାଜାମାନେ ରାଜପଣ କରିଥିଲେ ।

 

ତେବେ ଚୌହାନ ବଂଶୀୟ ଶାସନରେ ସମ୍ବଲପୁରର ପ୍ରକୃତ ସମୃଦ୍ଧି ହୋଇଥିଲା ।

 

ଚୌହାନ ଶାସନରେ ସମ୍ବଲପୁର :–ବଳରାମ ଦେବ ହେଉଛନ୍ତି ଏହି ବଂଶର ପ୍ରଥମ ପରାକ୍ରମଶାଳୀ ରାଜା ଏବଂ ସେ ପାଟଣାଶାଖାର ରାଜପୁତ୍ର । ଭାତୃବିବାଦ ଏଡ଼ାଇବା ପାଇଁ ତାଙ୍କୁ ମାତୃ ନିର୍ଦ୍ଦେଶରେ ସମ୍ବଲପୁର ଆସିବାକୁ ପଡ଼ିଥିଲା । ଦଶମ ଶତକରେ ଯଯାତିଙ୍କ ଦ୍ୱାରା କୋଶଳ ସାମ୍ରାଜ୍ୟର ରାଜଧାନୀ ଉପକୂଳବର୍ତ୍ତୀ ଅଞ୍ଚଳକୁ ଉଠାଇ ଆଣିବା ଦ୍ୱାରା ବସ୍ତୁତଃ କୋଶଳ ସାମ୍ରାଜ୍ୟର ସ୍ୱାତନ୍ତ୍ର୍ୟ ଲୋପ ପାଇଲା ଏବଂ ଏହାପରେ କୋଶଳ ହୋଇଗଲା କଳିଙ୍ଗର ଏକ ଅବିଚ୍ଛିନ୍ନ ଅଙ୍ଗ । କଳିଙ୍ଗାଧିପତିଙ୍କର ପ୍ରତିନିଧି ହିଁ ସେ ଅଞ୍ଚଳ ଶାସନ କରୁଥିଲେ । ଷୋଡ଼ଶ ଶତକର ପାଟଣା ନରେଶ ନରସିଂହ ଦେବ ଥିଲେ ଏହିଭଳି ପ୍ରତିନିଧି । ସେ ଚୌହାନ୍‌ ବଂଶୀୟ ଥିଲେ । ତାଙ୍କର ଅନୁଜ କଳରାମ ଥିଲେ ପରାକ୍ରମୀ ଏବଂ ଉଚ୍ଚାକାଂକ୍ଷୀ । ସେ ଅଗ୍ରଜଙ୍କଠାରୁ ସମ୍ବଲପୁର ଅଞ୍ଚଳ ପ୍ରାପ୍ତ ହୋଇ ସେଠାରେ ଏକ ସ୍ୱତନ୍ତ୍ର ରାଜ୍ୟ ସ୍ଥାପନ କରିଥିଲେ । କୋଶଳାନନ୍ଦ କାବ୍ୟ ଏବଂ ପ୍ରହଲ୍ଲାଦ ଦୁବେଙ୍କ ରଚିତ ‘ଜୟ ଚନ୍ଦ୍ରିକା’ କାବ୍ୟରେ ଏହାଙ୍କ ସମ୍ପର୍କରେ ସବିଶେଷ ବିବରଣୀ ରହିଛି । ଜନଶ୍ରୁତିରେ ବଳରାମ ଦେବଙ୍କ ସମ୍ବଲପୁର ଅଞ୍ଚଳ ଉପଢ଼ୌକନ ରୂପେ ପ୍ରାପ୍ତି ସମ୍ପର୍କରେ ନିମ୍ନ କିମ୍ବଦନ୍ତୀ ପ୍ରଚଳିତ । ଏକଦା ଶ୍ରାବଣ ମାସ କୃଷ୍ଣପକ୍ଷ ରାତିରେ ନରସିଂହ ଦେବଙ୍କ ରାଣୀଙ୍କର ପ୍ରସବବେଦନା ଆରମ୍ଭ ହେଲା । ଗଡ଼ ସନ୍ନିହିତ ଖରସ୍ରୋତା ମାୟାବତୀ ନଦୀର ଅପର ପାର୍ଶ୍ୱରେ ଥିଲେ ଜଣେ ଅଭିଜ୍ଞାଧାତ୍ରୀ । ରାଣୀଙ୍କର ଜୀବନ ସଂଶୟ ଦେଖିସୁଦ୍ଧା ବର୍ଷଣ ମୁଖର ଅନ୍ଧାର ରାତିରେ ପୂର୍ଣ୍ଣଗର୍ଭା ନଦୀ ପାରିହୋଇ ଧାତ୍ରୀକୁ ଆଣିବା ନିମନ୍ତେ କେହି ରାଜି ହେଲେନାହିଁ-। ବଳରାମ ଦୁଃସାହସୀ ଥିଲେ । ନଦୀ ପାରି ହୋଇ ସେଇ ଦୁର୍ଯୋଗରେ ସେ ଧାତ୍ରୀକୁ ଆଣି ରାଣୀଙ୍କ ଜୀବନରକ୍ଷା କରି ପାରିଥିଲେ । କୃତଜ୍ଞ ନରସିଂହ ଅନୁଜକୁ ସମ୍ବଲପୁର ଅଞ୍ଚଳ ପୁରସ୍କାର ସ୍ୱରୂପ ଦେଇଥିଲେ । ଐତିହାସିକ ଶିବ ପ୍ରସାଦ ଏହି ବିବରଣୀକୁ ବିଶ୍ୱାସ ନକରି ‘ଜୟଚନ୍ଦ୍ରିକା’ରେ ନିମ୍ନ ବିବରଣୀଟି ଉପରେ ଅଧିକ ଗୁରୁତ୍ୱ ଦେଇଛନ୍ତି ।

 

‘ଜୟଚନ୍ଦ୍ରିକା’ ମତରେ ଭ୍ରାତୃବିବାଦ ଏଡ଼ାଇବା ପାଇଁ ସ୍ୱୟଂ ରାଜମାତା ବଳରାମ ଦେବଙ୍କୁ ନିଜ ବ୍ୟବସ୍ଥାରେ ହୁମା ଅଞ୍ଚଳ ବା ରାଜ୍ୟରୁ ଅଧେ ଭାଗ ଦେଇଥିଲେ । କିମ୍ବଦନ୍ତୀ ଅଛି ଯେ, ଦୁଇଭ୍ରାତା ମାତାଙ୍କ ସହିତ ଅଙ୍ଗନଦୀ ପର୍ଯ୍ୟନ୍ତ ଆସିଥିଲେ । ସେଠାରେ କଳାପଥର ନାମକ ସ୍ଥାନରେ ରାଜମାତା ନରସିଂହଙ୍କୁ ପାଟଣା ଆଡ଼େ ଏବଂ ବଳରାମଙ୍କୁ ହୁମା ଆଡ଼େ ମୁହଁ କରି ଛିଡ଼ା କରାଇ ମଝିରେ ଆପେ ଠିଆ ହେଲେ ଏବଂ ଅଙ୍ଗନଦୀକୁ ଦୁଇ ରାଜ୍ୟର ସୀମା ରୂପେ ନିର୍ଦ୍ଧାରଣ କରି ଭବିଷ୍ୟତରେ କେହି କାହାର ସୀମା ଲଙ୍ଘନ କରିବେ ନାହିଁ ବୋଲି ଉଭୟଙ୍କୁ ଶପଥ କରାଇନେଲେ । ଏ ସମ୍ପର୍କରେ ‘ଜୟଚନ୍ଦ୍ରିକା’ ଲେଖିଛନ୍ତି,

 

‘‘ନଦୀ ନାକି ଜୋ ସୀମା ଚପଲେ ଶୁଣେ ପୁତ୍ର ତୁମ ଦୋଇ,

ମେରା ହରନ୍‌ ଦୋଷ ସୋ ପୈହୈ ବଚନ ଡାଗ୍‌ଗିୟୈ ଜୋଇ-’’

 

ଶପଥ ଲଙ୍ଘି ଯେ ସୀମା ଅତିକ୍ରମ କରିବ, ତାକୁ ମାତୃହରଣ ଦୋଷ ଲାଗିବ । ଏହା ଦ୍ୱାରା ରାଜମାତା ଭବିଷ୍ୟତ୍‌ ଭ୍ରାତୃବିବାଦର ପଥରୋଧ କରିଥିଲେ । ତେବେ ଭାଗ୍ୟ ଦେବତା ବଳରାମ ଦେବଙ୍କ ନିରଙ୍କୁଶତା ସପକ୍ଷରେ ଥିଲେ । ଅଳ୍ପ ଦିନ ପରେ ନରସିଂହ ମୃତ୍ୟୁବରଣ କରିବାରୁ ଏବଂ ତା’ର ସ୍ୱଳ୍ପ ବ୍ୟବଧାନରେ ତାଙ୍କ ପୁତ୍ର ହମୀର ମଧ୍ୟ ଲୋକାନ୍ତରିତ ହେବାରୁ ହମୀରଙ୍କ ନାବାଳକ ପୁତ୍ର ପ୍ରତାପଙ୍କ ପକ୍ଷରୁ ପାଟଣା ଶାସନ କରିବାକୁ ଆସିଲେ ବଳରାମ ପୁତ୍ର ହୃଦୟ ନାରାୟଣ । ତାଙ୍କର ଶାସନରେ ଅତିଷ୍ଠ ହୋଇ ରାଜମାତା ସପୁତ୍ର ପିତୃରାଜ୍ୟ ନନ୍ଦପୁରକୁ ପଳାୟନ କଲେ । ହୃଦୟ ହେଲେ ପାଟଣାର ରାଜା । ତେବେ ଇତିମଧ୍ୟରେ ବଳରାମଙ୍କର ମୃତ୍ୟୁହେବାରୁ ହୃଦୟଙ୍କୁ ସମ୍ବଲପୁର ଫେରିବାକୁ ପଡ଼ିଲା । ତେଣୁ ସେ ପ୍ରତାପଙ୍କୁ ନନ୍ଦପୁରରୁ ଡକାଇ ତାଙ୍କ ହାତରେ ପିତୃରାଜ୍ୟର ଦାୟୀତ୍ୱ ଅର୍ପଣ କଲେ । ପାଟଣା ଏଣିକି ହେଲା ସମ୍ବଲପୁରର କରଦ ରାଜ୍ୟ ।

ବଳରାମ ସମଲାଇ ମନ୍ଦିରର ପ୍ରତିଷ୍ଠାତା ଏବଂ ଏହାଙ୍କ ନାମାନୁସାରେ ରାଜ୍ୟର ନାମ ସମ୍ବଲପୁର ହୋଇଥିବାର କୁହାଯାଏ । ଏ ସମ୍ପର୍କରେ ରାଜକବି ବାସୁଦେବ ସୁଢ଼ଳଦେବ ‘ଚିତ୍ରୋତ୍ପଳା’ କାବ୍ୟରେ ଲେଖିଛନ୍ତି,

ଦେବୀ ଅଭିଧାରେ ଖ୍ୟାତ ହୋଇଅଛି ସମ୍ବଲପୁର ସହର,

ଧନୁ ଆକାରରେ ଗବ୍ୟୁତି ପ୍ରମାଣେ ନଗର ଅତି ସୁନ୍ଦର । (ପୃ :–୧୮-୧୯)

ତେବେ ସମ୍ବଳକର ରାଜା ଇନ୍ଦ୍ରଭୂତି (୭ମ-୮ମ ଶତକ) ବଜ୍ରଯାନର ସୃଷ୍ଟି କରିଥିଲେ ଏବଂ ଏହି ‘ସମ୍ବଳକ’ରୁ ହିଁ ସମ୍ବଲପୁର ସହରର ନାମକରଣ କରାଯାଇଛି ବୋଲି ଏକ ମତ ମଧ୍ୟ ଏଠାରେ ପ୍ରଚାରିତ ।

ବଳରାମଙ୍କ ପରେ ତାଙ୍କ ପୁଅ ହୃଦୟ ନାରାୟଣ (୧୫୫୬-୧୫୬୧) ସମ୍ବଲପୁରର ରାଜା ହୋଇଥିଲେ ଏବଂ ତାଙ୍କ ପରେ ତାଙ୍କ ପୁଅ ବଳଭଦ୍ର (୧୫୬୧-୧୫୯୧) ରାଜଗାଦିରେ ବସିଥିଲେ । ସେ ଅତ୍ୟନ୍ତ ପ୍ରତାପୀ ରାଜା ଥିଲେ । ସମ୍ବଲପୁରର ବ୍ରହ୍ମପୁରା ମନ୍ଦିର (ଜଗନ୍ନାଥ-ବଳଭଦ୍ର-ସୁଭଦ୍ରାଙ୍କ ମନ୍ଦିର) ଏହାଙ୍କର କୀର୍ତ୍ତି । ସେ ବୌଦ ରାଜ୍ୟ ଜୟ କରିଥିଲେ । ତାଙ୍କର ବୌଦ ଅଧିକାର ସମ୍ପର୍କରେ ନିମ୍ନ କିମ୍ବଦନ୍ତୀଟି ପ୍ରଚଳିତ । ସମ୍ବଲପୁରର ଜଣେ ‘ଭାଟ’ ବୌଦବାଟେ ନଦୀପଥରେ ଶ୍ରୀକ୍ଷେତ୍ର ଯିବା ବାଟରେ ବୌଦରାଜା ସିଦ୍ଧଭଞ୍ଜଙ୍କ ନିକଟରେ ବଳଭଦ୍ରଙ୍କର ବିଶେଷ ପ୍ରଶଂସା କରିବାରୁ ଈର୍ଷାତୁର ଭଞ୍ଜ ନିଜ ପାଳିତ ଶ୍ୱାନକୁ ‘ବଳଭଦ୍ର’ ବୋଲି ସମ୍ବୋଧନ କରି ତାଙ୍କୁ ଉପହାସ କରିଥିଲେ । କଥା ଲୁଚି ରହିଲା ନାହିଁ । ସ୍ୱାଭିମାନୀ ବଳଭଦ୍ର ଏ ସମ୍ବାଦ ପାଇ ଯଥାରୀତି ବୌଦ ଅବରୋଧ କଲେ । ‘କୋଶଳାନନ୍ଦ’ କାବ୍ୟ ମଧ୍ୟ ଏହି ବିବାଦ ସମ୍ପର୍କରେ ସୂଚନା ଦେଇ କହନ୍ତି, ‘‘ନୃପ ପରିହାସ ଭରେଣ କୋପୟନ୍‌’’-ବୌଦ ଆକ୍ରମଣ କରି ତାହାକୁ ପଦାନତ କଲେ । ବୌଦ ଅବରୋଧ ଏବଂ ବିଜୟ ସମ୍ପର୍କରେ ମଧ୍ୟ ବିଭିନ୍ନ କାହାଣୀ ରହିଛି । ଶୁଣାଯାଏ ଯେ, ବଳଭଦ୍ର ଦୀର୍ଘ ୧୨ ବର୍ଷ କାଳ ଦୁର୍ଗ ଅବରୋଧ କରି ମଧ୍ୟ ତା’ଭିତରକୁ ପଶିପାରିଲେ ନାହିଁ । ସୈନିକମାନେ ପକାଇଥିବା ଆମ୍ବ ଟାକୁଆରୁ ଗଛ ହୋଇ ତହିଁରେ ଫଳ ଧରିଲା, ତଥାପି ବୌଦ ପଦାନତ ହେଲାନାହିଁ ।

 

ବୌଦର ଭଞ୍ଜମାନେ ବେଶ୍‌ ପ୍ରତାପୀ ଥିଲେ । ସେଇ ବୌଦ୍ଧଯୁଗରୁ ଏ ରାଜ୍ୟର ପ୍ରସିଦ୍ଧି-। ଫୁଲବାଣୀ ଏବଂ ଆଠମଲ୍ଲିକ ପ୍ରଭୃତି ଅଞ୍ଚଳ ମଧ୍ୟ ଏ ରାଜ୍ୟର ଅନ୍ତର୍ଭୁକ୍ତ ଥିଲା । ସିଦ୍ଧଭଞ୍ଜ ଯାହା କରିଥିଲେ ନିଜ ଶକ୍ତିର ଅହଙ୍କାରରେ ହିଁ କରିଥିଲେ । ବଳଭଦ୍ର ନିରୂପାୟ ହୋଇ ସାରଙ୍ଗଡ଼ ରାଜା ଭିଖ ରାୟଙ୍କୁ ସହାୟତା ନିମନ୍ତେ ଆହ୍ୱାନ ଜଣାଇଲେ । ସେ ଆସିବା ମାତ୍ରେ ଯୁଦ୍ଧର ଗତି ବଦଳିଗଲା । ରାୟ ବଳପୂର୍ବକ ଦୁର୍ଗମଧ୍ୟକୁ ପ୍ରବେଶ କରି ଭଞ୍ଜଙ୍କୁ ପରାଜିତ କଲେ । ବଳଭଦ୍ରଙ୍କର ମନୋକାମନା ପୂର୍ଣ୍ଣ ହେଲା । ବୌଦ ଏଥର ହେଲା ସମ୍ବଲପୁରର କରଦ ରାଜ୍ୟ ।

 

ବଳଭଦ୍ର ସମ୍ବଲପୁର ଦୁର୍ଗକୁ ଦୁର୍ଭେଦ୍ୟ ରୂପେ ଗଢ଼ିଥିଲେ । ଦୁର୍ଗର ତିନିପଟରେ ଖୋଳାଯାଇଥିଲା ଗଭୀର ଖାଇ । ଦକ୍ଷିଣ ପଟରେ ମହାନଦୀ ଥିଲା ପ୍ରାକୃତିକ ଖାଇତୁଲ୍ୟ । ସମଲାଈ ମନ୍ଦିରର ପଶ୍ଚିମକୁ ଏହି ଖାଇ ମହାନଦୀ ସହିତ ସଂଯୁକ୍ତ ହୋଇଥିଲା । ଖାଇର ଭିତର ପଟେ ଚାରିଆଡ଼େ ଘଞ୍ଚ କଣ୍ଟାବାଇଁଶୀ ବୁଦାର ଅରଣ୍ୟ ସୃଷ୍ଟି କରାଯାଇଥିଲା । ଦୁର୍ଗର ଛଅଟି ପ୍ରବେଶ ଦ୍ୱାର ବା ଦରଜା ଥିଲା । ଯଥା :–ମୋହନ ଦରଜା, ସୋନପୁର ଦରଜା, ସମଲାଈ ଦରଜା, ଜଳେଶ୍ୱର ଘାଟମୁହାଣ, ରାଜଘାଟ ମୁହାଣ ଏବଂ ଜଟିଆ ପିପ୍ପଳ ଦରଜା । ମୋହନ ଦରଜାଠାରୁ ସମଲାଈ ମନ୍ଦିର ପର୍ଯ୍ୟନ୍ତ ନଈକୂଳେ ଏକ ଦୀର୍ଘ ପାଚେରି ଦିଆଯାଇଥିଲା ଏବଂ ଏହାର ମଝିରେ ମଝିରେ ବୁରୁଜମାନ ନିର୍ମିତ ହୋଇଥିଲା । ଏଥିରେ ତୋପ ରଖିବା ଏବଂ ଗୋଳା ଚାଳନା କରିବା ପାଇଁ ଉପଯୁକ୍ତ ବ୍ୟବସ୍ଥାମାନ ଥିଲା । ଦୁର୍ଗଟିକୁ ସବୁ ଦିଗରୁ ଦୃଢ଼ ଏବଂ ନିରାପଦ ରଖିବା ନିମନ୍ତେ ବଳଭଦ୍ରଙ୍କର ଉଦ୍ୟମରେ ତ୍ରୁଟି ନଥିଲା ।

 

ବଳଭଦ୍ର ଯେତେବେଳେ ସମ୍ବଲପୁରରେ ଏହିଭଳି ଦୁର୍ଗ ପରେ ଦୁର୍ଗ ନିର୍ମାଣ କରି ନିଜର ଶକ୍ତି ବଢ଼ାଇ ଚାଲିଥିଲେ, ସେତେବଳେ ଉପକୂଳବର୍ତ୍ତୀ ଅଞ୍ଚଳରେ ମହା ବିପର୍ଯ୍ୟୟ ଉପସ୍ଥିତ ହୋଇଥିଲା । କଳାପାହାଡ଼ର ଆକ୍ରମଣ ଏବଂ ଗୃହ ଶତ୍ରୁମାନଙ୍କର ଷଡ଼ଯନ୍ତ୍ର ଫଳରେ ଉତ୍କଳର ଶେଷ ସ୍ୱାଧୀନ ନରପତି ମୁକୁନ୍ଦଦେବ ପ୍ରାଣ ହରାଇ ସାରିଥିଲେ । ଜଗନ୍ନାଥଙ୍କର ନିରାପତ୍ତା ବିପନ୍ନ ହୋଇ ପଡ଼ିଥିଲା । ସେବକମାନେ ଜଗନ୍ନାଥଙ୍କ ବିଗ୍ରହକୁ ଆଣି ସମ୍ବଲପୁରର ଦକ୍ଷିଣରେ ମହାନଦୀ କୂଳରେ ପାତାଳି କରି ରଖିଥିଲେ । କଳାପାହାଡ଼ ସେମାନଙ୍କୁ ଅନୁସରଣ କରି ଆସି ସମ୍ବଲପୁର ନିକଟବର୍ତ୍ତୀ ଶଙ୍କରବନ୍ଧଠାରେ ଶିବିର ସ୍ଥାପନ କରି ରହିଥିଲା । ସେ ସମ୍ବଲପୁର ଦୁର୍ଗ ଅବରୋଧ କରି ଦୁର୍ଗ ଜୟ କରିବାରେ ବିଫଳ ହୋଇଥିବାର ମଧ୍ୟ ଶୁଣାଯାଏ । କିମ୍ବଦନ୍ତୀ ରହିଛି ଯେ, ସ୍ୱୟଂ ସମଲାଈ ନିଜର ପ୍ରିୟ ଭକ୍ତକୁ ସାହାଯ୍ୟ କରିବା ନିମନ୍ତେ ମନ୍ଦିର ଛାଡ଼ି ବାହାରି ଆସିଥିଲେ ଏବଂ ଗୋପାଳୁଣୀ ବେଶରେ କଳାପାହାଡ଼ର ଶିବିରରେ ଦୁଧ ଦହି ବିକ୍ରି କରି ସୈନ୍ୟମାନଙ୍କୁ ଅସୁସ୍ଥ କରିପକାଇଥିଲେ । ସମ୍ବଲପୁରର ଅନ୍ୟତମା ଦେବୀ ପାଟଣେଶ୍ୱରୀ ମଧ୍ୟ ମାଲୁଣୀ ବେଶରେ ଫଳବିକ୍ରି କରି ଶତ୍ରୁ ଶିବିରରେ ରୋଗର ଜୀବାଣୁ ବିଞ୍ଚି ଦେଇଥିଲେ । ଏହା ଦ୍ୱାରା ସେନାବାହିନୀର ଯଥେଷ୍ଟ କ୍ଷତି ହେବାରୁ ସମ୍ବଲପୁର ସେନା ଯବନ ସୈନ୍ୟଙ୍କୁ ତଡ଼ି ଦେଇଥିଲେ ।

 

ଶୁଣାଯାଏ ଯେ, କଳାପାହାଡ଼ର ରଥଘୋଷ ଶୁଣିବାମାତ୍ରେ ଦେବଦେବୀମାନେ ସୁଦ୍ଧା ଏତେ ଭୟଭୀତ ହୋଇ ପଡ଼ୁଥିଲେ ଯେ, ସେମାନଙ୍କର ଅଙ୍ଗ ପ୍ରତ୍ୟଙ୍ଗ ସବୁ ଖସି ପଡ଼ୁଥିଲା । ତେବେ ସମ୍ବଲପୁର ରାଜା କଳାପାହାଡ଼ ଆକ୍ରମଣ କରିବା ପୂର୍ବରୁ ଏହାର ପ୍ରତିକାର ନିମନ୍ତେ ପଦକ୍ଷେପ ନେଇଥିଲେ । ନିଜ ସେନାବାହିନୀର ବିପର୍ଯ୍ୟୟ ଦେଖି କଳାପାହାଡ଼ ସମ୍ବଲପୁର ଆକ୍ରମଣ କରିବାର ଯୋଜନା ପରିତ୍ୟାଗ କରି ଯୁଦ୍ଧୋପକରଣମାନ ଛାଡ଼ି ପ୍ରାଣ ନେଇ ପଳାଇଯାଇଥିବାର ଶୁଣାଯାଏ । ସମଲାଈ ମନ୍ଦିରରେ ଅଦ୍ୟାବଧି ସେଇ ସବୁ ଭେରୀ, ତୂରୀ, ଘଣ୍ଟି ପ୍ରଭୃତି ସୁରକ୍ଷିତ ରହିଛି ଏବଂ ଶଙ୍କରବନ୍ଧଠାରେ କଳାପାହାଡ଼ର ବହୁ ସୈନିକଙ୍କର କବର ରହିଛି ବୋଲି ଐତିହାସିକ ଶିବପ୍ରସାଦ ଦାଶ ଲେଖିଛନ୍ତି ।

 

ପ୍ରକୃତରେ କଳାପାହାଡ଼ ପଶ୍ଚିମ ଓଡ଼ିଶା ଅଞ୍ଚଳକୁ ଯୁଦ୍ଧାଭିଯାନରେ ଯାଇଥିବାର କୌଣସି ଐତିହାସିକ ପ୍ରମାଣ ନାହିଁ । ପଶ୍ଚିମ ଓଡ଼ିଶାର କୌଣସି କୀର୍ତ୍ତି ତାହା ଦ୍ୱାରା ନଷ୍ଟ ହୋଇଥିବାର ବିବରଣୀ ମଧ୍ୟ ଉପଲବ୍ଧ ନୁହେଁ । ଏଭଳି ସ୍ଥିତିରେ କଳାପାହାଡ଼ ସୈନ୍ୟମାନଙ୍କର କବର ସମ୍ବଲପୁରଠାରେ କୁଆଡ଼ୁ ଆସିଲା ତାହା ଅନୁସନ୍ଧାନ ବିନା ଜାଣିବାର ଉପାୟ ନାହିଁ । କଳାପାହାଡ଼ର ରଣଘୋଷରେ ଦେବୀଦେବତାଙ୍କର ଅବୟବ ଖସିପଡ଼ୁଥିବା ବିବରଣୀ କେବଳ ସାହିତ୍ୟିଙ୍କ ଅତିଶୟୋକ୍ତି । ଯବନମାନେ ମୂର୍ତ୍ତିର ଅବୟବ ମାତ୍ର ଛେଦନ କରି ସେଗୁଡ଼ିକୁ ପୂଜାର ଅଯୋଗ୍ୟ କରି ଦେଉଥିଲେ । କାରଣ ସେମାନେ ଜାଣିଥିଲେ ହିନ୍ଦୁମାନେ ଭଙ୍ଗା ମୂର୍ତ୍ତିର ପୂଜା କରନ୍ତି ନାହିଁ । ଆଜି ଓଡ଼ିଶାରେ ଯେଉଁ ସବୁ ଖଣ୍ଡିତ ମୂର୍ତ୍ତି ରହିଛନ୍ତି, ସେସବୁ ଏହି ଘଟଣାର ମୂକସାକ୍ଷୀ ।

 

କଳାପାହାଡ଼ ଆକ୍ରମଣ ପ୍ରସଙ୍ଗ ପ୍ରହ୍ଲାଦ ଦୁବେଙ୍କ ‘ଜୟଚନ୍ଦ୍ରିକା’ରେ ସ୍ଥାନ ପାଇଛି ନିମ୍ନ ମତେ :–

 

‘‘ଜୟ ଜଗଦମ୍ବ ରାଜ ରାଜେଶ୍ୱରୀ ଭକ୍ତବଶ୍ୟ ଭବଭୟ ହରନୀ,

ଚିତ୍ରୋତ୍ପଳା ଗୋମ ଦହବାସିନୀ କଲାପାହାଡ଼ ବିଦ୍ରନ କରନୀ-’’

 

ତେବେ ‘ଜୟଚନ୍ଦ୍ରିକା’ ମୁଖ୍ୟତଃ ଏକ ରାଜପ୍ରଶସ୍ତିମୂଳକ କାବ୍ୟ ହୋଇଥିବାରୁ ଏହା କଳ୍ପନା ପ୍ରଧାନ ହେବା ସ୍ୱାଭାବିକ । ତେଣୁ ଏଥିରେ ବର୍ଣ୍ଣିତ ବିବରଣୀକୁ ଇତିହାସର ସତ୍ୟ ରୂପେ ମାନ୍ୟତା ଦେବାର କୌଣସି କାରଣ ନାହିଁ ।

 

ବଳଭଦ୍ର ଦେବଙ୍କ ପରେ ତାଙ୍କର ପୁତ୍ର ମଧୁକର ଦେବ (1591-1617) ସମ୍ବଲପୁରର ରାଜଗାଦିରେ ବସିଥିଲେ । ପିତାଙ୍କ ତୁଲ୍ୟ ସେ ମଧ୍ୟ ପରାକ୍ରମଶାଳୀ ଥିଲେ । ଏହାଙ୍କର ପାଞ୍ଚ ପୁତ୍ର । ଜ୍ୟେଷ୍ଠ ବଳିୟାର୍‌ ସମ୍ବଲପୁର ଗାଦି ଲାଭ କଲେ । ଦ୍ୱିତୀୟ ମଦନ ଗୋପାଳ ସୋନପୁର ସାମ୍ରାଜ୍ୟ ପ୍ରତିଷ୍ଠା କଲେ । ତେଲନଦୀର ପଶ୍ଚିମ ପଟରେ ଥିବା ଡମଝରିଆ ରାଜ୍ୟର ଗଣ୍ଡ ରାଜାଙ୍କୁ ତଡ଼ିଦେଇ ସେ ସମଗ୍ର ସୋନପୁରକୁ ପୂର୍ଣ୍ଣାଙ୍ଗ ରୂପ ଦେଇଥିଲେ । ମଧୁକର ଏହି ଅଞ୍ଚଳ ତାଙ୍କୁ ଅର୍ପଣ କରିଥିଲେ । ଏହିଭଳି ଚୌହାନ୍‌ ବଂଶୀୟ ମଦନ ଗୋପାଳଙ୍କ ଶାଖା ସୋନପୁରରେ ରାଜପଣ କଲେ ସମ୍ବଲପୁରର କରଦରାଜା ରୂପେ ।

 

ତୃତୀୟ ପୁତ୍ର ବଂଶ ଗୋପାଳ ସଂସାର ବିରାଗୀ ହୋଇ ସନ୍ନ୍ୟାସ ଗ୍ରହଣ କରିଥିଲେ ଏବଂ ସମ୍ବଲପୁରରେ ପ୍ରସିଦ୍ଧ ଗୋପାଳଜୀ ମଠ ସ୍ଥାପନ କରିଥିଲେ । ମଠ ପାଇଁ ଅନେକ ଭୂମିବାଡ଼ି ଖଞ୍ଜି ଦେଇଥିଲେ । ଜଣେ ମହନ୍ତ ଏହି ମଠର ପରିଚାଳନା କରନ୍ତି । ଚତୁର୍ଥ ପୁତ୍ର ଅନିରୁଦ୍ଧ ଖିଣ୍ଡା ପ୍ରଗଣା ବୃତ୍ତି ସ୍ୱରୂପ ପ୍ରାପ୍ତ ହୋଇଥିଲେ ଏବଂ ତାଙ୍କର ଷଷ୍ଠ ପୁରୁଷ ସୁରେନ୍ଦ୍ର ସାଏ ସମ୍ବଲପୁର ସିଂହାସନ ଦାବୀ କରି ଇଂରେଜମାନଙ୍କ ବିରୋଧରେ ବିଦ୍ରୋହ କରିଥିଲେ ।

 

ମଧୁକର ଦେବଙ୍କ ସମୟ ପର୍ଯ୍ୟନ୍ତ (ସପ୍ତଦଶ ଶତକର ପ୍ରଥମାର୍ଦ୍ଧଯାଏ) ସମଲେଶ୍ୱରୀ ମନ୍ଦିରରେ ନରବଳି ଦିଆଯାଉଥିବାର ଶୁଣାଯାଏ । ବଳିୟାର ସିଂଙ୍କ ଅମଳରେ ବଳି ନିମନ୍ତେ ରେଢ଼ାଖୋଲ ଆଡ଼ୁ ଜଣେ ବୈଷ୍ଣବଙ୍କୁ ଧରି ଅଣାଗଲା । ବୈଷ୍ଣବ ରାଜାଙ୍କୁ ଜଣାଇଲେ ଯେ ତାଙ୍କୁ ବଳିଦିଆ ନଯାଇ ଦେବୀ ମନ୍ଦିରରେ ବନ୍ଦ ରଖାଯାଉ । ଦେବୀ ଯଦି ପ୍ରକୃତରେ ନରବଳି ଗ୍ରହଣ କରୁଥାଆନ୍ତି, ତେବେ ସେ ନିଶ୍ଚୟ ତାଙ୍କୁ ମଧ୍ୟ ଗ୍ରହଣ କରିବେ । ତାହାହିଁ କରାଗଲା । ତେବେ ବୈଷ୍ଣବ ସକାଳେ ଅକ୍ଷତ ଶରୀରରେ ମନ୍ଦିର ମଧ୍ୟରୁ ବାହାରିଲେ । ରାଜାଦେଶରେ ସେହିଦିନଠାରୁ ମନ୍ଦିରରେ ନରବଳି ବନ୍ଦ କରାଯାଇ ମଇଁଷି ବଳି ଦିଆଯିବାର ପ୍ରଥା ଆରମ୍ଭ ହେଲା ।

 

ବଳିୟାର ସିଂ (1617-57)ଙ୍କର ପରାକ୍ରମ ରାଜ୍ୟ ବିଦିତ । ତାଙ୍କ ସମୟରେ ବଣେଇ ଓ ବାମଣ୍ଡା ରାଜ୍ୟ ସମ୍ବଲପୁରର କରଦ ରାଜ୍ୟ ହୋଇଥିଲେ ।

 

ମଧୁକରଙ୍କ ପଞ୍ଚମ ପୁତ୍ର ଦରିୟାର୍‌ ସରିଆ ପ୍ରଗଣା ଜାଗିର୍‌ ସ୍ୱରୂପ ପାଇଥିଲେ । ସେ ସରିଆ ଓ ଅମ୍ବାଭୋନାଠାରେ ଦୁଇଟି ଦୁର୍ଗ ନିର୍ମାଣ କରିଥିଲେ । ସରିଆ ନିକଟସ୍ଥ ପୂଜାରୀ ପାଲିଠାରେ ମହାନଦୀ କୂଳରେ ଭଗ୍ନ ମନ୍ଦିର, ଦୁର୍ଗର ଧ୍ୱଂସାବଶେଷ, ପ୍ରାଚୀର, ଖାଇ ଏବଂ ଶିଳାଲେଖ ପ୍ରଭୃତି ରହିଛି । ଦୁର୍ଗ ପାଖ ପଡ଼ିଆରୁ ଅଳଙ୍କାର, ବାସନ କୁସନ କିଛି ଅସ୍ତ୍ର ଶସ୍ତ୍ର ମଧ୍ୟ ମିଳିଛି । ଏଠାରେ ପୁଣି ରହିଛି ସୋମବଂଶୀମାନଙ୍କର ଆରାଧ୍ୟଦେବ ଶ୍ରୀ ଜଗନ୍ନାଥ ଓ ଶିବଙ୍କର ମନ୍ଦିର । ଏଥିରୁ ସପ୍ତଦଶ ଶତକରେ ଏ ଅଞ୍ଚଳରେ ଏକ ସମୃଦ୍ଧ ଜନପଦ ଗଢ଼ି ଉଠିଥିବାର ଅନୁମାନ କରାଯାଇଥାଏ । ଉଚ୍ଚାକାଂକ୍ଷୀ ଦରିୟାର ଦୁର୍ଗ ନିର୍ମାଣ କରି ହୁଏତ ଶତ୍ରୁ ଆକ୍ରମଣରୁ ନିଜକୁ ନିରାପଦରେ ରଖିବା ସହିତ ସାମ୍ରାଜ୍ୟ ବିସ୍ତାରର ସ୍ୱପ୍ନ ଦେଖୁଥିଲେ ।

 

ବଳିୟାର ସିଂଙ୍କ ପୁତ୍ର ବିକ୍ରମ ବରପାଲି ଅଞ୍ଚଳ ଲାଭ କଲେ । ସେଠାରେ ସେ ସମଲାଈ ମନ୍ଦିର ନିର୍ମାଣ କରିଥିଲେ । ସେଠାରେ ଜଗନ୍ନାଥ ମନ୍ଦିର ତାଙ୍କ ପୁତ୍ର ହୃଦୟଙ୍କର କୀର୍ତ୍ତି । ସମଲାଈ ଷୋଡ଼ଶ ଶତକର ଦେବୀ । ତାହା ପୂର୍ବର ସୋମବଂଶୀମାନେ ଜଗନ୍ନାଥ ଓ ଶିବଙ୍କର ଭକ୍ତ ଥିଲେ । ସମଲାଈ କିନ୍ତୁ ଅତି ଅଳ୍ପ ସମୟ ମଧ୍ୟରେ ପଶ୍ଚିମ ଓଡ଼ିଶାରେ ବେଶ୍‌ ଲୋକପ୍ରିୟତା ଲାଭ କଲେ । ହୁମାର ପ୍ରସିଦ୍ଧ ବିମଳେଶ୍ୱର ଶିବମନ୍ଦିର ହେଉଛି ବଳିୟାର ସିଂଙ୍କ କୀର୍ତ୍ତି । ଏହି ଶିବ ସେ ଅଞ୍ଚଳର ଅଷ୍ଟଶମ୍ଭୁଙ୍କ ମଧ୍ୟରେ ପ୍ରାଚୀନ ଏବଂ ଖ୍ୟାତ ମଧ୍ୟ । ମନ୍ଦିରର ସେବାପୂଜା ନିମନ୍ତେ ଛ’ଖଣ୍ଡି ଗ୍ରାମ ଖଞ୍ଜାଯାଇଛି ଏବଂ ବଳରାମ ଦେବଙ୍କ ଅମଳରୁ ଏହି ବ୍ୟବସ୍ଥା ରହିଥିବାର କୁହାଯାଉଥିଲେହେଁ ସ୍ୱପ୍ରତିଷ୍ଠିତ ସମଲାଈଙ୍କ ନିମନ୍ତେ ସେ କୌଣସି ଖଞ୍ଜାର ବ୍ୟବସ୍ଥା କରି ନଥିବାରୁ ତଥ୍ୟଟି ସନ୍ଦେହଜନକ ମନେ ହେଉଛି ।

 

ବଳିୟାରଙ୍କ ସମୟରେ ସମ୍ବଲପୁରରେ ରହୁଥିଲେ ଗଙ୍ଗାଧର ମିଶ୍ର । ତାଙ୍କ ରଚିତ ‘କୋଶଳାନନ୍ଦ’ କାବ୍ୟଟିର କିଛି ଐତିହାସିକ ଗୁରୁତ୍ୱ ରହିଛି । କବି ଏଥିରେ ଚୌହାନ୍‌ ବଂଶର ବଂଶଲତା ପ୍ରସ୍ତୁତ କରିଛନ୍ତି । ସେଇ ଅନୁସାରେ ଏ ବଂଶର ଆଦି ପୁରୁଷ ହେଉଛନ୍ତି ବ୍ରହ୍ମାଙ୍କର ମାନସପୁତ୍ର ଅତ୍ରିମୁନି । ସେତେବେଳର ରାଜବଂଶୀୟମାନେ ଏହିଭଳି ଭାବରେ ନିଜକୁ ପରିଚିତ କରାଉଥିବାର ଏକ ପରମ୍ପରା ଥିଲା । ତା’ପରେ ବିବରଣୀରେ ପୁରାଣ ପୁରୁଷ କ୍ଷେମଦେବ ଏବଂ ତାଙ୍କ ପୁତ୍ର ମାଣିକ୍ୟ ଚୌହାନ୍‌ ସ୍ଥାନ ପାଇଛନ୍ତି । ଦିଲ୍ଲୀର ଚୌହାନ୍‌ ସମ୍ରାଟ୍‌ ପୃଥ୍ୱୀରାଜ ଚୌହାନ୍‌ (ଦିଲ୍ଲୀର ଶେଷ ସ୍ୱାଧୀନ ହିନ୍ଦୁରାଜା)ଙ୍କ ପ୍ରସଙ୍ଗ ମଧ୍ୟ ଆସିଛି । ବଂଶଲତା ଶେଷ ହୋଇଛି ପାଟଣାର ଚୌହାନ୍‌ ରାଜା ରମଣୀୟ ଦେବଙ୍କ ପାଖରେ । ତାଙ୍କଠୁ ବଳିୟାର ସିଂଙ୍କ ପର୍ଯ୍ୟନ୍ତ ରାଜାମାନଙ୍କର କୀର୍ତ୍ତିକଳାପ ଏହାପରେ ବିସ୍ତୃତ ଭାବରେ ବର୍ଣ୍ଣିତ ହୋଇଛି । କାବ୍ୟର ନାୟକ ହେଉଛନ୍ତି ପ୍ରଥମ ରାଜା ରମଣୀୟ ଦେବ ରମାଇ । ବଂଶଲତା ପ୍ରସ୍ତୁତ ନିମନ୍ତେ କବିଙ୍କୁ ନିଶ୍ଚୟ ବହୁ ପରିଶ୍ରମ କରିବାକୁ ପଡ଼ିଥିବ । ରାଜବଂଶ-ସଞ୍ଚିତ ବଂଶଲତା ସହିତ ଜନଶ୍ରୁତି, କିମ୍ବଦନ୍ତୀ, ଲୋକକଥା ଏବଂ ସ୍ୱଉନ୍ମେଷଶାଳିନୀ ପ୍ରଜ୍ଞା ବା କଳ୍ପନା ଶକ୍ତିର ବ୍ୟବହାର କରି ସେ ଏହି ଦୁରୂହ କାର୍ଯ୍ୟଟିକୁ କରିଥିବେ । କାବ୍ୟଟି ସଂସ୍କୃତ ଭାଷାରେ ରଚିତ ଏବଂ ଏଥିରୁ କବି ପ୍ରତିଭା ତଥା ସେ ଅଞ୍ଚଳରେ ସଂସ୍କୃତ ଚର୍ଚ୍ଚାର ଚମତ୍କାର ପରିଚୟ ମିଳିଥାଏ ।

 

ବଳିୟାର ସିଂ ରାଜତ୍ୱ କଲେ ଦୀର୍ଘ ଚାଳିଶ ବର୍ଷ (1617-57) ତାଙ୍କ ରାଜତ୍ୱକାଳ ହେଉଛି ସମ୍ବଲପୁର ଇତିହାସର ଏକ ଉଲ୍ଲେଖଯୋଗ୍ୟ ସମୟ । ରାଜ୍ୟର ସମୃଦ୍ଧି ଥିଲା ସେ ସମୟରେ ତୁଙ୍ଗରେ । ଭାଟମାନେ ରାଜପ୍ରଶସ୍ତି ଗାନ କରୁଥିଲେ ଏହିଭଳି–

 

ବଳିୟାର ସିଂହ ନୃପତି, ହୀରାଖଣ୍ଡ ଛତ୍ରପତି ।

 

ଯହିଁ ଯହିଁ ପାଦ ପଡ଼େ, ତହିଁ ତହିଁ ପଦ୍ମ ଫୁଟେ । କୁହାଯାଏ ଯେ, ବଳିୟାର ସମ୍ବଲପୁର ସନ୍ନିକଟବର୍ତ୍ତୀ ଅଠରଟି ଗଡ଼ ଜୟକରି ‘ହୀରାଖଣ୍ଡ ଛତ୍ରପତି’ ଉପାଧି ଗ୍ରହଣ କରିଥିଲେ । ‘ଅଠରଗଡ଼ ମଉଡ଼ମଣି’ ଥିଲା ତାଙ୍କର ଅନ୍ୟ ଏକ ଉପାଧି ।

 

ଐତିହାସିକ ଶିବପ୍ରସାଦ ବଳିୟାରଙ୍କ ତୀର୍ଥଯାତ୍ରା ତଥା ଦୁଃସାହସିକ ପ୍ରକୃତି ସମ୍ପର୍କରେ ଏକ କୌତୁକାବହ କାହାଣୀ ବର୍ଣ୍ଣନା କରିଛନ୍ତି । ତାହା ଏହିଭଳି :–ତୀର୍ଥାଟନରେ ବାହାରି ବଳିୟାର ଥରେ ପୁରୀ ଗଲେ । ପୁରୀ ରାଜମାତା ଥିଲେ ତାଙ୍କର ମାତୃସ୍ୱଷା । ତାଙ୍କ ନିକଟରେ ବସି ଭୋଜନ କରୁଥିବା ସମୟରେ ମାତୃସ୍ୱଷା-ବଳିୟାରଙ୍କୁ ପଚାରିଲେ, ‘‘ବର୍ତ୍ତମାନ ଯଦି ଶତ୍ରୁ ତତେ ଆକ୍ରମଣ କରେ, ତେବେ ତୁ କିଭଳି ଆତ୍ମରକ୍ଷା କରିବୁ ?’’ ବଳିୟାର ଈଷତ୍‌ ହସି ଉତ୍ତର ଦେଲେ, ‘‘କ୍ଷତ୍ରିୟର ବଳ ହେଉଛି ଅସ୍ତ୍ର । ସେହି ଅସ୍ତ୍ର ହିଁ ମୋତେ ସୁରକ୍ଷା ଦେବ ।’’ ଏହା କହି ସେ ନିଜର ଅଙ୍ଗାଭରଣ ଓ ଶିରସ୍ତ୍ରାଣ ମଧ୍ୟରୁ କେତେକ ଅସୀ ଓ ଛୁରିକା ବାହାର କରି ଦେଖାଇଥିଲେ । ସେ ପୁଣି ନିଜର ନିରୀହ କମରପଟ୍ଟିକୁ ପରିଣତ କରିଥିଲେ ଏକ ଶାଣିତ ଖଡ୍ଗରେ । ରାଜମାତା ବଳୀୟାରଙ୍କର ପ୍ରସ୍ତୁତି ତଥା ପ୍ରତ୍ୟୁତ୍ପନ୍ନମତିତାରେ ସନ୍ତୁଷ୍ଟ ହୋଇ ନିଜର ପୁତ୍ର ଗଜପତିଙ୍କୁ କହି ତାଙ୍କୁ ‘‘ହୀରାଖଣ୍ଡ ଛତ୍ରପତି ମହାରାଜ’’ ଉପାଧି, ମେଘାଡ଼ମ୍ବର ଛତ୍ର ଓ ପାଟଖଣ୍ଡା ଉପହାର ଦିଆଇଥିଲେ ।

 

ବଳିୟାରଙ୍କ ପରେ ସେଇ ବଂଶର ଉଲ୍ଲେଖଯୋଗ୍ୟ ରାଜା ହେଉଛନ୍ତି ଛତ୍ର ସିଂ ଦେବ ବା ଛତ୍ରଶାହ (1657-1695) ତାଙ୍କ ରାଜତ୍ୱରେ ସମ୍ବଲପୁର ଉନ୍ନତି କରିଥିଲା ସତ୍ୟ, ତେବେ ତାଙ୍କର ଅଶାନ୍ତ ପାରିବାରିକ ଜୀବନ ବହୁ ଷଡ଼ଯନ୍ତ୍ରପୂର୍ଣ୍ଣ ଥିଲା । ତାଙ୍କର ଥିଲେ ବାରଜଣ ରାଣୀ । ଏମାନଙ୍କର ସନ୍ତାନକୁ ନେଇ ଉତ୍ତରାଧିକାର ସମ୍ପର୍କିତ ବିବାଦ ତ ହେବ ହିଁ । ରାଣୀମାନେ ରହୁଥିଲେ ଭିନ୍ନ ଭିନ୍ନ ଦୁର୍ଗରେ । ରତ୍ନପୁରର ହୈହୟ ବଂଶୀୟ ରାଜକନ୍ୟା ଥିଲେ ଏହାଙ୍କର ଅନ୍ୟତମା ରାଣୀ । ତାଙ୍କର ପୁତ୍ର ବୁଧା ରାୟ । ରତ୍ନପୁର ଜେମା ଦୁଇଜଣ ବ୍ୟବସାୟୀଙ୍କୁ ଅହେତୁକ ଅନୁଗ୍ରହ ଦେଖାଇବାରୁ ଅନ୍ୟ ବ୍ୟବସାୟୀମାନେ ଈର୍ଷାନ୍ୱିତ ହୋଇ ତାଙ୍କ ବିରୋଧରେ ଛତ୍ରଶାହଙ୍କ ନିକଟରେ ଅଭିଯୋଗ କଲେ । ରତ୍ନପୁର ଜେମା ନିଜପୁତ୍ର ବୁଧାଙ୍କୁ ସମ୍ବଲପୁର ସିଂହାସନରେ ବସାଇବା ନିମନ୍ତେ ସ୍ୱପିତା ରତ୍ନପୁର ରାଜଙ୍କ ସହିତ ମିଶି ଷଡ଼ଯନ୍ତ୍ର କରୁଛନ୍ତି ବୋଲି ସେମାନେ ରାଜାଙ୍କୁ ବୁଝାଇଲେ । ରାଜା ସତ୍ୟାସତ୍ୟ ବିଶେଷ ଅନୁସନ୍ଧାନ ନକରି ମାତା ପୁତ୍ରଙ୍କୁ ଜୀବନ୍ତସମାଧି ଦେଇ ଦେଲେ । ଭାଗ୍ୟର କି କ୍ରୁର ପରିଣତି !!

 

କ୍ରୁଦ୍ଧ ରତ୍ନପୁର ରାଜା ନାଗପୁର ଭୋନ୍‌ସ୍ଲାଙ୍କ ସହାୟତାରେ ରାଜାଙ୍କୁ ବନ୍ଦୀ କଲେ । ରାଜା ନିଜର ତ୍ରୁଟି ସ୍ୱୀକାର କରି ପ୍ରାୟଶ୍ଚିତ୍ତ କରିବାକୁ ଚାହିଁଲେ । ଶ୍ୱଶୁରଙ୍କ ନିକଟରେ କ୍ଷମା ପ୍ରାର୍ଥନା ମଧ୍ୟ କଲେ । ରତ୍ନପୁର ରାଜାଙ୍କର କ୍ରୋଧ ଶାନ୍ତ ହୋଇ ସାରିଥିଲା । ଜାମାତାଙ୍କୁ ବନ୍ଦୀ କରି ରଖିଲେ, ତାଙ୍କର କୌଣସି ଉପକାର ହେବାର ସମ୍ଭାବନା ନଥିବାରୁ ସେ ତାଙ୍କୁ ଛାଡ଼ି ଦେଇଥିଲେ-। ରାଜା ପ୍ରାୟଶ୍ଚିତ୍ତ ପାଇଁ ଶ୍ରୀକ୍ଷେତ୍ରକୁ ଗଲେ ଏବଂ ସେଇଠାରେ ତାଙ୍କର ମୃତ୍ୟୁ ହେଲା-। ନିଜର 38 ବର୍ଷର ଶାସନ ମଧ୍ୟରେ ସେ ସମ୍ବଲପୁର ହୋତା ପଡ଼ାରେ (ଲେଡ଼ି ଲୁଇସ୍‌ ବାଳିକା ବିଦ୍ୟାଳୟ ନିକଟ) ଥିବା ଜଗନ୍ନାଥ ମନ୍ଦିର ନିର୍ମାଣ କରି ଏହାର ସେବା ପୂଜା ନିମନ୍ତେ ଗୋଟିଏ ଗ୍ରାମ ଖଞ୍ଜି ଦେଇଥିଲେ ।

 

ଛତ୍ର ସାଏଙ୍କ ପୁତ୍ର ଅଜିତ୍‌ ସିଂ ରାଜତ୍ୱ କଲେ 1695-1766 ଅର୍ଥାତ୍‌ ଦୀର୍ଘ ବାସ୍ତରୀ ବର୍ଷ । ଏହାଙ୍କର ଦୀର୍ଘ ପ୍ରଶସ୍ତି ‘ଅଧ୍ୟାତ୍ମ ରାମାୟଣ’ ନାମକ ଏକ ଗ୍ରନ୍ଥରେ ବର୍ଣ୍ଣିତ ହୋଇଛି । ବର୍ଣ୍ଣନା ପ୍ରକାରେ ଅଜିତ୍‌ ସିଂ ଧର୍ମଜ୍ଞ, ଦେବଦ୍ୱିଜ ଭକ୍ତି ପରାୟଣ, ବୀର ଏବଂ ସୁଶାସକ ଥିଲେ । ତେବେ ରାଜ୍ୟ ଶାସନର ଭାର ମୁଖ୍ୟତଃ ମନ୍ତ୍ରୀ ଏବଂ ଦେବାନ୍‌ମାନଙ୍କ ହସ୍ତରେ ନ୍ୟସ୍ତ ଥିଲା । ରାଜା ନିଜେ ଦୀର୍ଘ କାଳ ରାଜଧାନୀରୁ ଅନୁପସ୍ଥିତ ରହୁଥିଲେ । ଏହାର ବିଷମୟ ପରିଣାମ ତାଙ୍କୁ ଭୋଗିବାକୁ ପଡ଼ିଥିଲା ।

 

ରାଜପ୍ରଶସ୍ତି ଗାଉଗାଉ ‘ଅଧ୍ୟାତ୍ମ ରାମାୟଣକାର’ ଲେଖିଛନ୍ତି ଯେ, ରାଜ ପ୍ରତାପରେ ମତ୍ତ ହସ୍ତୀ ତୁଲ୍ୟ ମରହଟ୍ଟାମାନେ ପୂର୍ବଖଣ୍ଡ ଧ୍ୱଂସ କରିଥିଲେ ହେଁ ସମ୍ବଲପୁରର ଘାସଟିଏ ମଧ୍ୟ ଛୁଉଁ ନଥିଲେ । ଗଜପତିମାନଙ୍କ ଅନୁକରଣରେ ଅଜିତ୍‌ ଶାସନ ରେଳଷ୍ଟେସନ ନିକଟସ୍ଥ ‘ଅଜିତ୍‌ପୁର ଶାସନ’ ବସାଇଥିଲେ ଏବଂ ପୁରୀରୁ ନୈଷ୍ଠିକ ବ୍ରାହ୍ମଣ ଅଣାଇ ସେମାନଙ୍କ ପାଇଁ ଭୂମିବୃତ୍ତି ଖଞ୍ଜି ଦେଇଥିଲେ । ରାଜା ଗୁଣଗ୍ରାହୀ ଥିଲେ ଏବଂ ପୁତ୍ର ପଦ୍ମନ୍‌ର ଅକ୍ଷମଣୀୟ ଅପରାଧକୁ କ୍ଷମା କରିଥିଲେ । ଦୀର୍ଘକାଳ ଶାସନରେ ରହିବାରୁ ଘର ବାହାର-ଚାରିଆଡ଼ୁ ବିଭିନ୍ନ କାରଣ ନେଇ ତାଙ୍କ ଉପରେ ଚାପ ବଢ଼ି ଯାଇଥିଲା ଏବଂ ଏହି କାରଣରୁ ଅସନ୍ତୋଷ ମଧ୍ୟ ବଢ଼ି ଚାଲିଥିଲା । ରାଜତ୍ୱର ଶେଷ ଭାଗରେ ସେ ଗୃହ ବିବାଦ ମଧ୍ୟକୁ ଟାଣିହୋଇ ଯାଇଥିଲେ । ଏଣେ ଶାସନ କାର୍ଯ୍ୟ ପାଇଁ ସମ୍ପୂର୍ଣ୍ଣ ଭାବେ ମନ୍ତ୍ରୀଦେୱାନ୍‌ ନିର୍ଭର ହୋଇ ପଡ଼ିଥିବାରୁ ସେଠାରେ ମଧ୍ୟ ସମସ୍ୟା ମୁଣ୍ଡ ଟେକୁଥିଲା-

 

ତାଙ୍କ ରାଜତ୍ୱର ସମାପ୍ତି ପରେ କ୍ଳାଇବ୍‌ଙ୍କ ନିର୍ଦ୍ଦେଶରେ ହୀରା କିଣିବାକୁ ସମ୍ବଲପୁର ଆସିଥିବା ଟି.ମୋଟେ ନାମକ ଜଣେ ଇଂରେଜ ତତ୍କାଳୀନ ଶାସନ ସମ୍ପର୍କରେ କିଛି ବିବରଣୀ ଛାଡ଼ି ଯାଇଛନ୍ତି । ଅଜିତ୍‌ଙ୍କ ମୃତ୍ୟୁପରେ ସମ୍ବଲପୁର ଦଖଲ କରିବାକୁ ସୁଯୋଗ ଖୋଜୁଥିବା ମରହଟ୍ଟାମାନେ ଆକ୍ରମଣ କରିଥିଲେ । ଉପକୂଳ ଅଭିଯାନ ନିମନ୍ତେ ମରହଟ୍ଟାମାନଙ୍କ ପାଇଁ ସମ୍ବଲପୁର ହିଁ ଥିଲା ଏକମାତ୍ର ମାର୍ଗ । ବିଶେଷତଃ, ମହାନଦୀ ପଥଟି ଥିଲା ସେମାନଙ୍କ ପାଇଁ ଅତ୍ୟନ୍ତ ସୁବିଧାଜନକ । ତେଣୁ ସେମାନେ ଅଜିତ୍‌ଙ୍କ ସହ ସୁସମ୍ପର୍କ ରଖିଥିଲେ । ଏପରିକି ଭାସ୍କର ପଣ୍ଡିତ (କୁଖ୍ୟାତ ମରହଟ୍ଟା ସେନାପତି–ଯାହା ସମ୍ପର୍କରେ ଫକୀରମୋହନଙ୍କ ‘ଲଛମା’ ଉପନ୍ୟାସରେ ସବିଶେଷ ବର୍ଣ୍ଣନା ରହିଛି) ଅଜିତ୍‌ଙ୍କୁ ହସ୍ତୀ ଇତ୍ୟାଦି ଉପହାର ଦେଇ ତାଙ୍କୁ ସନ୍ତୁଷ୍ଟ ରଖିଥିଲେ । ମାତ୍ର ବର୍ତ୍ତମାନ ପରିସ୍ଥିତି ସେମାନଙ୍କ ପାଇଁ ବିଶେଷ ସୁଯୋଗ ସୃଷ୍ଟି କରିଥିଲା । ଅଜିତ୍‌ଙ୍କ ରାଜତ୍ୱର ଶେଷ ତିନିବର୍ଷ (୧୭୬୩-୬୬) ହତ୍ୟା, ଚକ୍ରାନ୍ତ, ଷଡ଼ଯନ୍ତ୍ର, ଲୁଣ୍ଠନରେ ପୂର୍ଣ୍ଣ ଥିଲା । ରାଜା କେବଳ ଭାଗ୍ୟ ହାତର କ୍ରୀଡ଼ନକ ଭଳି ଯନ୍ତ୍ରବତ୍‌ ଅନ୍ୟମାନଙ୍କ ଦ୍ୱାରା ପରିଚାଳିତ ହେଉଥିଲେ । ୧୭୬୩ ରେ ସେ ପ୍ରଥମେ ରାଣୀଙ୍କ ପରାମର୍ଶରେ ଦେବାନ୍‌ ଦକ୍ଷିଣରାୟଙ୍କୁ ହତ୍ୟା କରାଇଲେ । ତା’ପରେ ମଧ୍ୟ କ୍ଷମତାର ବେଦୀରେ ଆଉ ଦୁଇଜଣ ଦେୱାନ ପ୍ରାଣବଳି ଦେଲେ । ରାଜାଙ୍କ ମୃତ୍ୟୁ ସମୟକୁ ସମସ୍ତ କ୍ଷମତା ଠୁଳ ହୋଇଥିଲା ଦେବାନ୍‌ ଆକବର ରାଏଙ୍କ ନିକଟରେ । ଅଜିତ୍‌ ଅସହାୟ ଭାବରେ ୧୭୬୬ ରେ ପ୍ରାଣତ୍ୟାଗ କଲେ ଏବଂ ତାଙ୍କୁ ବିଷପ୍ରୟୋଗ ଦ୍ୱାରା ହତ୍ୟା କରାଯାଇଥିଲା ବୋଲି ସନ୍ଦେହ କରାଯାଏ । ମୋଟେ ଲେଖିଛନ୍ତି ଯେ, ଦୁଷ୍ଟ ଦେବାନ୍‌ଙ୍କୁ କୌଣସି ମତେ ହତ୍ୟା କରିବା ପାଇଁ ସେ ନିଜ ପୁତ୍ରଙ୍କୁ ନିର୍ଦ୍ଦେଶ ଦେଇଯାଇଥିଲେ ।

 

ତାଙ୍କ ପୁତ୍ର ଅଭୟ ସିଂ ୧୭୬୬-୭୮ ଗୋଟିଏ ଯୁଗ ରାଜତ୍ୱ କରିଥିଲେ ମଧ୍ୟ ପ୍ରକୃତ କ୍ଷମତା ଥିଲା ଦେବାନ୍‌ ଆକବର ରାଏଙ୍କ ହାତରେ । ନାବାଳକ ରାଜା ଦେବାନ୍‌ଙ୍କର କିଛି କ୍ଷତି କରିପାରିଲେ ନାହିଁ ଏବଂ ଶେଷରେ ତାଙ୍କରି ହାତରେ ବନ୍ଦୀ ହେଲେ । ସେଇଠି ତାଙ୍କର ମୃତ୍ୟୁ ହେଲା । ସମ୍ବଲପୁରର ମର୍ଯ୍ୟାଦା ବୃଦ୍ଧି ନିମନ୍ତେ ରାଏ ଏହି ସମୟରେ ଏକ ଉଲ୍ଲେଖଯୋଗ୍ୟ କାର୍ଯ୍ୟ କରିଥିଲେ । ଭୋନସ୍ଲା ଜାନୁଜୀ କେତୋଟି ତୋପ ମହାନଦୀ ବାଟେ କଟକରୁ ନାଗପୁର ନେଉଥିଲେ । ଆକବର ନୌକାଗୁଡ଼ିକୁ ମହାନଦୀରେ ବୁଡ଼ାଇ ଦେଲେ ଏବଂ ଆକ୍ରମଣକାରୀ ମରହଟ୍ଟାମାନଙ୍କୁ ମଧ୍ୟ ପ୍ରତିହତ କରିଥିଲେ । ତେବେ ଆକବରଙ୍କୁ ହତ୍ୟା କଲେ ଅଜିତ୍‌ ସିଂଙ୍କର ତୃତୀୟ ପୁତ୍ର ଜୟନ୍ତ ୧୮୭୨ରେ । ଅଭୟ ସିଂଙ୍କ ମୃତ୍ୟୁର ଚାରିବର୍ଷ ପର୍ଯ୍ୟନ୍ତ ଆକବର କ୍ଷମତାକୁ ନିଜ ହାତରେ ରଖିଥିଲେ । ଜୟନ୍ତ ୧୮୦୦ ମସିହା ଯାଏ କ୍ଷମତାରେ ଥିଲେ ଏବଂ ସମ୍ବଲପୁର ମରହଟ୍ଟାମାନଙ୍କର ଆନୁଗତ୍ୟ ସ୍ୱୀକାର କରିବା ହେଉଛି, ତାଙ୍କ ସମୟର ବିଶେଷ ଘଟଣା ।

 

ମରହଟ୍ଟାମାନେ ବହୁ କାଳରୁ ଏହି ଅଞ୍ଚଳ ଦଖଲ କରିବା ନିମନ୍ତେ ଚେଷ୍ଟା କରି ସଫଳତା ପାଇ ନଥିଲେ । ସମ୍ବଲପୁର ସେମାନଙ୍କ ପାଇଁ ଅଜେୟ ହୋଇ ରହିଥିଲା । ତେବେ ବର୍ତ୍ତମାନ ସୁଯୋଗ ଦେଖି ସେମାନେ ବାରମ୍ବାର ସମ୍ବଲପୁର ଉପରେ ଆକ୍ରମଣ ଚଳାଇଲେ । ଏଥିରେ ବ୍ୟସ୍ତ ହୋଇ ଏବଂ ମରହଟ୍ଟାମାନଙ୍କୁ କୌଣସି ମତେ ବାଧା ଦେବାର ଉପାୟ ନଦେଖି ମନ୍ତ୍ରୀ ଗୋବିନ୍ଦ ଶେଷରେ ଚୌଥଦେବା ସର୍ତ୍ତରେ ରାଜି ହୋଇ ମରହଟ୍ଟାମାନଙ୍କ ସହିତ ସନ୍ଧି କଲେ-। ଚୌଥର ପରିମାଣ ସ୍ଥିର ହେଲା ବାର୍ଷିକ ୩୨,୦୦୦ଟଙ୍କା । ୧୭୯୯ ମସିହା ପର୍ଯ୍ୟନ୍ତ ଏହି ବ୍ୟବସ୍ଥା ଚାଲୁ ରହିଲା । ତେବେ କରଦ ରାଜ୍ୟଗୁଡ଼ିକ ଏଥିରୁ ମୁକ୍ତ ଥିଲେ । ୧୭୯୯ରେ ଏକ ସାମାନ୍ୟ କାରଣରୁ ଭୋନ୍‌ସ୍ଲା ଏବଂ ସମ୍ବଲପୁର ଦରବାର ମଧ୍ୟରେ ସଂଘର୍ଷ ଅନିବାର୍ଯ୍ୟ ହୋଇ ଉଠିଲା । ଭୋନ୍‌ସ୍ଲା ସମ୍ବଲପୁର ଆକ୍ରମଣ ପାଇଁ ସୈନ୍ୟ ପ୍ରେରଣ କଲେ । ପ୍ରଥମେ ବୌଦ ଓ ତା’ପରେ ସୋନପୁରର ରାଜାମାନେ ମରହଟ୍ଟାମାନଙ୍କ ଦ୍ୱାରା ପରାଜିତ ହେଲେ । ସମ୍ବଲପୁର ଦୁର୍ଗର ପତନ ହେଲା ୧୮୦୦ ମସିହା ଏପ୍ରିଲରେ । ଅବରୁଦ୍ଧ ଦୁର୍ଗର ପତନ ନିମନ୍ତେ ଦୀର୍ଘ ପାଞ୍ଚମାସ ଲାଗିଯାଇଥିଲା । ଜୟନ୍ତ ସିଂ ଓ ତାଙ୍କର ପୁତ୍ର ମହାରାଜ ସାଏ ବନ୍ଦୀ ହୋଇ ଚନ୍ଦ୍ରପୁର ବା ଚାନ୍ଦା ପ୍ରେରିତ ହେଲେ । ବନ୍ଦୀଭାବରେ ସମ୍ବଲପୁରର ଏହି ଶେଷ ସ୍ୱାଧୀନ ରାଜା ୧୭ ବର୍ଷ ବଞ୍ଚିଥିଲେ ।

 

ଚୌହାନ୍‌ ରାଜତ୍ୱ କାଳରେ ସମ୍ବଲପୁର ଏକ ସମୃଦ୍ଧ ଅଞ୍ଚଳରେ ପରିଣତ ହୋଇଥିଲା ଏବଂ ଏଥିପାଇଁ ବଳରାମ ଦେବଙ୍କଠାରୁ ଆରମ୍ଭ କରି ଜୟନ୍ତ ସିଂଙ୍କ ପର୍ଯ୍ୟନ୍ତ ପ୍ରତ୍ୟେକ ରାଜାଙ୍କର ଅବଦାନ ରହିଥିଲା । କେହି ମନ୍ଦିର ନିର୍ମାଣ କରିଛନ୍ତି ତ କିଏ ପୁଷ୍କରିଣୀ ଖୋଳିଛନ୍ତି । କେହି ବନସମ୍ପଦର ସୁରକ୍ଷା ଦିଗରେ ଦୃଷ୍ଟି ଦେଇଥିଲା ବେଳେ, ଆଉ କିଏ ଅବା ବାଣିଜ୍ୟ ବ୍ୟବସାୟକୁ ପ୍ରୋତ୍ସାହନ ଦେଇଛନ୍ତି । ଅଧ୍ୟାତ୍ମଭିତ୍ତିକ ଶିଳ୍ପ ସମୃଦ୍ଧ ଏକ ରାଜ୍ୟ ଗଢ଼ିବା ଥିଲା ଚୌହାନ୍‌ ବଂଶୀୟମାନଙ୍କର ପ୍ରଧାନ ଲକ୍ଷ୍ୟ ଏବଂ ଏଥିରେ ସେମାନେ ସଫଳ ହୋଇଥିଲେ ।

 

ଉପକୂଳବର୍ତ୍ତୀ ଓଡ଼ିଶା ୧୫୬୮ରୁ ଯବନ କରଗତ ହୋଇସାରିଥିଲେ ମଧ୍ୟ ତାହାର ପ୍ରାୟ ୧୩୨ ବର୍ଷ ପର୍ଯ୍ୟନ୍ତ ସମ୍ବଲପୁର ନିଜର ସ୍ୱାଧୀନତା ଅକ୍ଷୂର୍ଣ୍ଣ ରଖିପାରିଥିଲା । କେବଳ ସେତିକି ନୁହେଁ, ସମଗ୍ର ଭାରତ ମରହଟ୍ଟା ଅତ୍ୟାଚାରରେ ଥରହର ହେଉଥିବାବେଳେ ଏହି କ୍ଷୁଦ୍ରରାଜ୍ୟର ନଗଣ୍ୟ ଦେୱାନ ସେମାନଙ୍କ ଶକ୍ତିକୁ ଆହ୍ୱାନ ଜଣାଇଥିଲେ, ସେମାନଙ୍କ ନୌବହରକୁ ଧ୍ୱଂସ କରି । ଶେଷରେ ଭାଗ୍ୟର ପ୍ରତିକୂଳତାରେ ସମ୍ବଲପୁରର ଦୁର୍ଭେଦ୍ୟ ଦୁର୍ଗର ପତନ ଘଟିଲା ୧୮୦୦ ମସିହାରେ । ଇଂରେଜମାନେ କଟକ ଅଧିକାର କରି ଉପକୂଳବର୍ତ୍ତୀ ଅଞ୍ଚଳରେ ନିଜର ଆଧିପତ୍ୟ ବିସ୍ତାର କରିଥିଲେ ବାରବାଟୀ ଦୁର୍ଗଠାରେ ହୋଇଥିବା ମାତ୍ର ୫ଘଣ୍ଟା ବ୍ୟାପି ଯୁଦ୍ଧରେ । ଛୋଟ ସମ୍ବଲପୁର ସହରକୁ କରଗତ କରିବା ପାଇଁ ମରହଟ୍ଟା ସେନାପତିଙ୍କୁ ଲାଗିଯାଇଥିଲା ସୁଦୀର୍ଘ ୫ମାସ ।

 

ସମ୍ବଲପୁରର ପ୍ରଥମ ପାଞ୍ଚଜଣ ଚୌହାନ୍‌ ରାଜା ବଳରାମ, ହୃଦୟ ନାରାୟଣ, ବଳଭଦ୍ର, ମଧୁକର ଏବଂ ବଳିୟାର ଦେବଙ୍କ ରାଜତ୍ୱରେ ସମ୍ବଲପୁରର ଉତ୍ତରୋତ୍ତର ସମୃଦ୍ଧି ଘଟିଥିଲା ଏବଂ ଛତ୍ରସାଏଙ୍କ ଅମଳରୁ ଏହାର କ୍ରମାବନତି ଆରମ୍ଭ ହେଲା । ସମ୍ବଲପୁର ଏକ ଆଦିବାସୀ ବହୁଳ ଅଞ୍ଚଳ ହୋଇଥିଲେ ମଧ୍ୟ ଆର୍ଯ୍ୟବଂଶୀୟ ରାଜାମାନଙ୍କ ସହିତ ଏମାନଙ୍କର କ୍ୱଚିତ୍‌ ଅସଦ୍‌ଭାବ ସୃଷ୍ଟି ହୋଇଛି । ରାଜବଂଶ ସହିତ ଆଦିବାସୀମାନଙ୍କର ସଦ୍‌ଭାବ ଥିଲା ଯଥେଷ୍ଟ ।

 

ମୋଟେଙ୍କ ବିବରଣୀ :–କ୍ଳାଇବ୍‌ଙ୍କ ପ୍ରତିନିଧି ହିସାବରେ ମୋଟେ ସମ୍ବଲପୁର ଆସନ୍ତି ୧୭୭୬ରେ । ସେ ନିଜର ରହଣିକାଳର ବିବରଣୀରେ ଲେଖିଛନ୍ତି ଯେ, ସମ୍ବଲପୁର ଅଞ୍ଚଳରେ ପ୍ରଚୁର ହୀରା ଓ ସୁନା ମିଳେ । ଲୋକେ ଅଳସୁଆ ହୋଇଥିବାରୁ ଏବଂ ହୀରା ସୁନା ହାତରେ ଥିଲେ ସେମାନେ ମରହଟ୍ଟାମାନଙ୍କ ବିଷ ଦୃଷ୍ଟିରେ ପଡ଼ିବେ ବୋଲି ଭୟରେ ସେ ସବୁକୁ ଆହରଣ କରନ୍ତି ନାହିଁ । ଜଣେ ବିଦେଶୀ ରାଜପ୍ରତିନିଧିଙ୍କ ଦୃଷ୍ଟିରେ ପ୍ରଥମଥର ପାଇଁ ଓଡ଼ିଆମାନେ ଅଳସୁଆ ଅପବାଦ ପାଇଲେ, ଯାହା ପରବର୍ତ୍ତୀ କାଳରେ ସେମାନଙ୍କର ଉତ୍ତରାଧିକାରୀମାନଙ୍କ ଦ୍ୱାରା ଆହୁରି ପଲ୍ଲବିତ ହୋଇଛି । ହଣ୍ଟର, ଷ୍ଟର୍ଲିଂ, ବୀମ୍‌ସ୍‌ ପ୍ରମୁଖ ପ୍ରାୟ ଅଧିକାଂଶ ଇଂରେଜ ରାଜପୁରୁଷ ଓଡ଼ିଆମାନଙ୍କୁ ଏହି ଅପବାଦ ଦେଇଯାଇଛନ୍ତି ।

 

ଐତିହାସିକ ଶିବପ୍ରସାଦ ମୋଟେଙ୍କ ବିବରଣୀର ସତ୍ୟତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ତାଙ୍କ ମତରେ ମରହଟ୍ଟା ଅତ୍ୟାଚାର ସମ୍ବଲପୁରରେ ଆରମ୍ଭ ହୁଏ ଅଭୟ ସିଂହଙ୍କ ରାଜତ୍ୱ କାଳରେ-। ତା’ପୂର୍ବରୁ ଏଠାର ଲୋକେ ମରହଟ୍ଟା ଗୋଳ ସମ୍ପର୍କରେ ଶୁଣିଥିବେ । ମାତ୍ର ସେମାନଙ୍କର ପ୍ରତ୍ୟକ୍ଷ ଅନୁଭବ ନଥିଲା । ତେବେ ଅଭୟସିଂଙ୍କ ରାଜତ୍ୱ ପୂର୍ବରୁ ମରହଟ୍ଟାମାନେ ଉପକୂଳଆଡ଼େ ଧାଉଡ଼ି ଦେଲେଣି । ନାଗପୁର ଆଉ କଟକ ମଧ୍ୟରେ ଚଲାବାଟ ଥିଲା ମହାନଦୀ । ମରହଟ୍ଟାମାନେ ଆଦୌ ଧୁଆ ତୁଳସୀ ପତ୍ର ନଥିଲେ । ଉପରେ ଉପରେ ଚୌହାନ୍‌ ରାଜାମାନଙ୍କୁ ହାତୀଛତି (ଅଜିତ୍‌ ସିଂଙ୍କୁ ଭାସ୍କର ପଣ୍ଡିତ ହାତୀ ଦେବା କଥା ଦାଶ ମହାଶୟ ଉଦ୍ଧାର କରିଛନ୍ତି) ଉପହାର ଦେଇ ନିଜର କାର୍ଯ୍ୟ ଉଦ୍ଧାର କରୁଥିଲେ ହେଁ, ଅତର୍କିତ ଭାବରେ ସମ୍ବଲପୁରର ପ୍ରଜାମାନଙ୍କୁ ଲୁଟିନେବା ଏହି ପାର୍ବତ୍ୟ ମୂଷିକମାନଙ୍କ ପକ୍ଷରେ ଆଦୌ ଅସମ୍ଭବ ହୋଇ ନଥିବ । ଅବଶ୍ୟ ଆକବର ରାଏଙ୍କ ସମୟରେ ଏହି ବିବାଦ ଖୋଲା ହୋଇଗଲା । ତେବେ ଏହାକୁ କୌଣସି ଆକସ୍ମିକ ଘଟଣା ନକହି ପୂର୍ବ ଘଟଣାର ସର୍ବଶେଷ ପରିଚୟ ବୋଲି କୁହାଯାଇପାରେ ।

 

ସେହିଭଳି ହୀରା ଏବଂ ସୁନା ଉତ୍ପାଦନ ସମ୍ପର୍କରେ ଲୋକଙ୍କର ନିଷ୍କ୍ରିୟତାକୁ ଦେଖି ମୋଟେ ଦେଇଥିବା ମନ୍ତବ୍ୟ ମଧ୍ୟ କିଛିଟା ସତ୍ୟ । ଅବଶ୍ୟ ହୀରାସୁନା ଉତ୍ପାଦନକୁ ରାଜା ନିୟନ୍ତ୍ରଣ କରୁଥିଲେ ଏବଂ ଏଥିପାଇଁ ସେଠାରେ ‘ଝରା’ ନାମକ ଏକ ସ୍ୱତନ୍ତ୍ର ଗୋଷ୍ଠୀ ନିଯୁକ୍ତ ଥିଲେ । ରାଜା ଆଇନ୍‌ ଅନୁସାରେ ଯାହା କରିବାର କଥା, ତାହା କରିଦେଇ ନିଶ୍ଚିନ୍ତ ଥିବେ । ତାହା ବାହାରେ ଯେ ଆଉ କିଛି କାରବାର ହେଉନଥିବ, ଏଭଳି ମନେ କରିବାର କୌଣସି କାରଣ ନାହିଁ । ଆମର ମନେ ହୁଏ, ମୋଟେ ସେହି ପର୍ଦ୍ଦା ପଛର କାରବାର ସମ୍ପର୍କରେ ସଂକେତ ଦେଇଛନ୍ତି । ସେହିଭଳି ଖାଦ୍ୟଶସ୍ୟ ଉତ୍ପାଦନ ସମ୍ପର୍କରେ ମୋଟେଙ୍କ ବକ୍ତବ୍ୟକୁ ସାଧାରଣ ଭାବେ ଗ୍ରହଣ କରିନେଲେ ଦାଶ ମହାଶୟ ଏ ସମ୍ପର୍କରେ ଯେଉଁ ସନ୍ଦେହ ପ୍ରକାଶ କରିଛନ୍ତି, ତାହା ଦୂର ହେବ ।

 

ମୋଟେ ସମ୍ବଲପୁରର ଶାସନ ପ୍ରଣାଳୀ ସମ୍ପର୍କରେ ବିସ୍ତୃତ ବିବରଣୀ ଛାଡ଼ିଯାଇଛନ୍ତି । ତହିଁରୁ ଜଣାଯାଏ ଯେ ରାଜକର୍ମଚାରୀମାନେ ପ୍ରାୟ ସମସ୍ତେ ଜାଗିରୀ ଭୋଗୀ ଥିଲେ । ଚାକିରିରେ ଥିବା ପର୍ଯ୍ୟନ୍ତ ସେମାନେ ଏହାର ସ୍ୱତ୍ତ୍ୱଭୋଗ କରୁଥିଲେ । ତେବେ କାଳକ୍ରମେ ଏହି ଜାଗିରୀ ପୁରୁଷାନୁକ୍ରମିକ ହୋଇଗଲା । ଶେଷକୁ ଜାଗିରୀରୁ ଉଚ୍ଛେଦ କରିବାକୁ ଜାଗିରୀଦାର୍‌କୁ ହତ୍ୟା କରିବାଯାଏ କଥା ଯାଇଥିଲା । ବଳବାନ୍‌, ଅର୍ଥବାନ୍‌, ଜାଗିରୀଦାରମାନେ ରାଜାଙ୍କ ବିରୋଧରେ ବିଦ୍ରୋହ ମଧ୍ୟ କରୁଥିଲେ । ଆକବର ରାଏଙ୍କ ପ୍ରସଙ୍ଗ ଏଠାରେ ଦୃଷ୍ଟାନ୍ତ ସ୍ୱରୂପ ଦିଆଯାଇପାରେ । ସେ ଧନଶକ୍ତି ଓ ଜନଶକ୍ତି ବଳରେ ପ୍ରଚଣ୍ଡ ହୋଇ ଦୁଇଜଣ ରାଜାଙ୍କୁ ନିଜ ଆଙ୍ଗୁଠି ଅଗରେ ନଚାଉଥିଲେ ଏବଂ ଶେଷରେ ହାଣ ଖାଇବା ଯାଏ କଥା ଯାଇଥିଲା ।

 

ମୋଟେ ରାଜ୍ୟର ଶିଳ୍ପବ୍ୟବସ୍ଥାର ଭୂୟସୀ ପ୍ରଶଂସା କରିଥିଲେ । ନାଗପୁର ତଥା ଉପକୂଳ ଅଞ୍ଚଳ ସହିତ ସମ୍ବଲପୁରର ବାଣିଜ୍ୟିକ ସମ୍ପର୍କ ରହିଥିଲା ମହାନଦୀ ବାଟେ । ସ୍ଥଳପଥରେ ସୁଦ୍ଧା ବାଣିଜ୍ୟ ଅବ୍ୟାହତ ଥିଲା । ସମ୍ବଲପୁରରୁ ହୀରା, ସୁନା ସହିତ ଚାଉଳ, ରବିଶସ୍ୟ, ସୂକ୍ଷ୍ମବସ୍ତ୍ର, ବନଜାତ ଦ୍ରବ୍ୟ ପ୍ରଭୃତି ରପ୍ତାନି ହେଉଥିବା ବେଳେ ଉପକୂଳ ଅଞ୍ଚଳରୁ ଲୁଣ, ହଳଦୀ, ନଡ଼ିଆ ଶୁଖୁଆ ଓ ଅନ୍ୟାନ୍ୟ ଆବଶ୍ୟକୀୟ । ସାମଗ୍ରୀ ଆମଦାନି କରାଯାଉଥିଲା ।

 

ସମ୍ବଲପୁରରର ବାଣିଜ୍ୟ ବ୍ୟବସାୟ :–ସେ ପର୍ଯ୍ୟନ୍ତ ନୌବାଣିଜ୍ୟ ବଳବତ୍ତର ଥିବାରୁ ସମ୍ବଲପୁରର ପଣ୍ୟ (ବିଶେଷତଃ ହୀରା) ଚେଳିତାଳ, ତଥା ତାମ୍ରଲିପି ବନ୍ଦରବାଟେ ସୁଦୂର ରୋମ ପର୍ଯ୍ୟନ୍ତ ପ୍ରେରିତ ହେଉଥିଲା । ଐତିହାସିକ ଗିବନ୍‌ ତଥା ହୁଏନ୍‌ସାଂଙ୍କ ବିବରଣୀରୁ ଏହା ଜଣାଯାଇଥାଏ । ଟ୍ରାଭେର୍ଣ୍ଣିଆର ମଧ୍ୟ ହୀରା ବ୍ୟବସାୟ ଯୋଗୁଁ ସମ୍ବଲପୁର ବିଶେଷ ବର୍ତ୍ତିଶାଳୀ ଥିବାର ବର୍ଣ୍ଣନା କରିଛନ୍ତି । ସମ୍ବଲପୁର ହୀରା ଭାରତର ଅନ୍ୟାନ୍ୟ ଅଞ୍ଚଳ ତଥା ପାରସ୍ୟ, ଚୀନ ପ୍ରଭୃତି ଦେଶକୁ ପଠାଯାଉଥିଲା । ୧୮୦୬ ଖ୍ରୀଷ୍ଟାବ୍ଦରେ କ୍ୟାପ୍‌ଟେନ୍‌ ରଫ୍‌ସିଜ୍‌ ମାତ୍ର ତିନିସପ୍ତାହ ଚେଷ୍ଟାରେ ଟ ୨୫୦/- ମୂଲ୍ୟର ଦୁଇଖଣ୍ଡ ହୀରା ପାଇଥିଲେ ଏବଂ ସମ୍ବଲପୁର ଅଞ୍ଚଳରେ ବହୁ ଖଣିଜ ସମ୍ପଦ ରହିଥିବାର ଜାଣିପାରିଥିଲେ । (Nagpur Residency Records- Vol.I.p.83) ସମ୍ବଲପୁର ବିଭବଶାଳୀ ହେବାର ପ୍ରଧାନ କାରଣ ଥିଲା ହୀରା ।

 

ସ୍ଥଳ ଓ ଜଳ- ଉଭୟ ପଥରେ ବାଣିଜ୍ୟ ଚାଲୁଥିଲା । ସ୍ଥଳପଥରେ ଶଗଡ଼, ଥୋରିଆ ବଳଦ, ଗଧ ଏବଂ ଭାରୁଆମାନଙ୍କ ଦ୍ଵାରା ପଣ୍ୟଦ୍ରବ୍ୟ ଦୂରସ୍ଥାନକୁ ନିଆଯାଉଥିଲା । ଏଥି ନିମନ୍ତେ ପେଣ୍ଠ ସ୍ଥାନମାନଙ୍କରେ ବଜାର ହାଟ ରହିଥିଲା । ବଣିକମାନେ ସେହି ସ୍ଥାନରେ ବ୍ୟବସାୟ ସାରି ଆପଣା ସ୍ଥାନକୁ ବାହୁଡ଼ି ଯାଉଥିଲେ । ୧୦/୧୨ ହଜାର ବଳଦ ଏକତ୍ର ହୋଇ ବହୁ ପରିମାଣରେ ପଣ୍ୟ ସ୍ଥାନରୁ ସ୍ଥାନାନ୍ତରକୁ ବୋହି ନେଉଥିଲେ । ବଳଦ ପିଠିରେ ଦୁଇପଟେ ବଡ଼ ବଡ଼ ବସ୍ତାରେ ପଣ୍ୟ ଦ୍ରବ୍ୟ ଝୁଲାଇ ଦିଆ ଯାଉଥିଲା । ଜଣେ ଚାଳକ ୨୦/୨୫ ପଟ ବଳଦକୁ ପଛପଟରୁ ଅଡ଼ାଇ ନେଉଥିଲେ । ସାଙ୍ଗରେ ରହୁଥିଲେ ସ୍ୱୟଂ ମାଲିକ । ସେ ପଦବ୍ରଜରେ କିମ୍ବା ଗାଡ଼ି ଶଗଡ଼ରେ ଏମାନଙ୍କୁ ଅନୁସରଣ କରୁଥିଲେ । ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପୂର୍ବରୁ ଏମାନଙ୍କୁ ସ୍ଥାନେ ସ୍ଥାନେ ବିଶ୍ରାମ ନେବାକୁ ପଡୁଥିଲା । ବୁଦ୍ଧଦେବଙ୍କ ପ୍ରଥମ ଉତ୍କଳୀୟ ଶିଷ୍ୟ ଏହି ଭଳି ସାର୍ଥବାହ ଗୋଷ୍ଠୀର ପ୍ରତିନିଧି ଥିଲେ । ବୌଦ୍ଧସାହିତ୍ୟ, ଲୋକକଥା ଏବଂ ସେ କାଳର କାବ୍ୟ ନାଟକାଦିରେ ଏମାନଙ୍କର ବିବରଣୀ ରହିଛି । ସମ୍ବଲପୁର ଅଞ୍ଚଳରେ ଏଭଳି ଭ୍ରାମ୍ୟମାଣ ଦଳକୁ ‘ବନ୍‌ଜାରା’ କୁହାଯାଉଥିଲା ବୋଲି ଶିବପ୍ରସାଦ ଲେଖିଛନ୍ତି । ସେ ଆହୁରି ଲେଖିଛନ୍ତି ଯେ, ମାନ୍ଦ୍ରାଜ, ବଙ୍ଗଳା ଓ ମଧ୍ୟପ୍ରଦେଶ ସହିତ ବାଣିଜ୍ୟ ନିମନ୍ତେ ସମ୍ବଲପୁର ଥିଲା କେନ୍ଦ୍ରସ୍ଥଳ । ତିନିପ୍ରଦେଶର ମଝିରେ ଥିବାରୁ ଏଥିପାଇଁ ବେଶ୍‌ ସୁବିଧା ହେଉଥଲା ଏବଂ ସମ୍ବଲପୁରରେ ବହୁ ବାଣିଜ୍ୟ କୋଠି ଥିଲା । ନଦୀରେ ପାଣିଥିବା ପର୍ଯ୍ୟନ୍ତ ବାଣିଜ୍ୟ ଚଳୁଥିଲା ଜଳପଥରେ ଏବଂ ଏଥିରେ କୋଣାର୍କ-ପର୍ଯ୍ୟନ୍ତ ବେଶ୍‌ ସ୍ୱଚ୍ଛନ୍ଦରେ ଯାଇ ହେଉଥିବ ବୋଲି ଦାଶ ଅନୁମାନ କରିଛନ୍ତି ।

 

ବିନିମୟ କ୍ଷେତ୍ରରେ ମୁଦ୍ରାର କାରବାର ସେ ସମୟରେ ନଥିଲା । ବଦଳ ହିଁ ଥିଲା ମାଧ୍ୟମ । ଶସ୍ୟ ବଦଳରେ ଶସ୍ୟ ଗୃହୀତ ହେଉଥିଲା । ବିଚରା ପଶୁମାନେ ଶସ୍ୟ ଖାଲି କରି ଦେଇ ମଧ୍ୟ ନିସ୍ତାର ପାଉ ନଥିଲେ । ଫେରନ୍ତା ବାଟରେ ସେଇ ଶସ୍ୟ ଧରି ସେମାନଙ୍କୁ ଫେରିବାକୁ ପଡ଼ୁଥିଲା । ବଡ଼ ବଡ଼ ବଣିକ ନିଜ ନିଜର ପଣ୍ୟ ସମ୍ଭାର ବିନିମୟରେ ସୁନା କିମ୍ବା ଅନ୍ୟ ମୂଲ୍ୟବାନ୍‌ ରତ୍ନ ଗ୍ରହଣ କରୁଥିଲେ । ଗୋଟିଏ ଦେଶର ମୁଦ୍ରା ଅନ୍ୟଦେଶରେ ଚଳୁ ନଥିବାରୁ ତାହା ଗୃହୀତ ହେଉ ନଥିଲା । ତେବେ କେତେକ କ୍ଷେତ୍ରରେ ମୁଦ୍ରା ରୂପରେ ସୁନା, ରୂପା, ତଥା ତମ୍ବା ନିର୍ମିତ ମୁଦ୍ରା ଚଳଣିରେ ଥିଲା । କଉଡ଼ି ମଧ୍ୟ ବିନିମୟର ଅନ୍ୟ ଏକ ମାଧ୍ୟମ ଥିଲା । ଓଡ଼ିଶାର ଅନେକ ସ୍ଥାନରୁ ସେ କାଳର ମୁଦ୍ରାମାନ ମିଳୁଛି । ବହିରାଗତ ବଣିକମାନେ ସୁନା, ରୂପା ଓ ତମ୍ବାର ମୁଦ୍ରା ସମ୍ବଲପୁର ଆଣୁଥିଲେ । ସମ୍ବଲପୁରରେ ଏବେ ମଧ୍ୟ ବେଳେବେଳେ ପ୍ରାଚୀନ ମୁଦ୍ରାର ସନ୍ଧାନ ମିଳୁଛି । ଚୌହାନ୍‌ ରାଜତ୍ୱରେ ସମ୍ବଲପୁରରେ ସୁନା, ରୂପା ଓ ତମ୍ବା ମୁଦ୍ରାର ପ୍ରଚଳନ ଥିଲା । ସମ୍ବଲପୁର ଓ ତା’ର କରଦ ରାଜ୍ୟମାନଙ୍କରେ ଏହାର ପ୍ରଚଳନ ଥିଲା ବୋଲି ଦାଶ ମହାଶୟ ଲେଖିଛନ୍ତି ।

 

1806 ମସିହାରେ କ୍ୟାପ୍‌ଟେନ୍‌ ରଫ୍‌ସିଜ୍‌ (Capt, Roughsedge) ଲେଖିଥିବା ଏକ ପତ୍ରରୁ ସେ କାଳର ସମ୍ବଲପୁରର ଚିତ୍ର ଏହିଭଳି :–Minerals of every description it abounds and the water carriage to Cuttack, renders their sale easy and advantageous. I am persuaded also that diamond mines equal in value to those of Bundel Khand might with great facility be discovered. The only way the natives at present have of finding them is by washing the sand of Mahanadi and in employing a few men for the last three weeks in this manner. I have procured a couple, of them of about two-hundred and fifty rupees value" (Nagpur Records, Vol.I.p. 82.83–Letter from Capt.Roughsedge to M.Elphinstone, Resident at Nagpur–Dt 14.4.1806)

 

ମରହଟ୍ଟା ଶାସନ ଓ ସମ୍ବଲପୁର :–ରାଜ୍ୟ ଅଧିକାର କରିବାର ମରହଟ୍ଟାମାନଙ୍କର ଏକ ନିଜସ୍ଵ ଶୈଳୀ ଥିଲା । ବିରାଟ ବାହିନୀ ନେଇ ଯୁଦ୍ଧ କ୍ଷେତ୍ରରେ ପ୍ରତିପକ୍ଷଙ୍କୁ ଭେଟି ଏକାଥରକେ ଜୟ ପରାଜୟର ନିଷ୍ପତ୍ତି ସେମାନଙ୍କ ନୀତି ନଥିଲା । ସେମାନେ ପ୍ରଥମେ ଆସୁଥିଲେ କ୍ଷୁଦ୍ର କ୍ଷୁଦ୍ର ଦଳରେ-। ବାରମ୍ବାର ଆସ ଲୁଟ୍‌ପାଟ୍‌ ଦ୍ଵାରା ପ୍ରଶାସନକୁ ଅସ୍ତବ୍ୟସ୍ତ କରି ପକାଉଥିଲେ । ଶେଷରେ ଦିନେ ଜୟ ପରାଜୟର ନିଷ୍ପତ୍ତି ହେଇଯାଉଥିଲା । ମରହଟ୍ଟାଙ୍କର ଏହି ଧରଣର ଆକ୍ରମଣରେ ବ୍ୟସ୍ତ ହୋଇ ବଙ୍ଗ ନବବା ଆଲବର୍ଦ୍ଦି ରଘୁଜୀ ଭୋନ୍‌ସ୍ଲୀଙ୍କୁ କଟକ ଅଞ୍ଚଳ ଛାଡ଼ିଦେଇ ୧୭୫୧ରେ ତାଙ୍କ ସହିତ ସନ୍ଧି କରିଥିଲେ । ନାଗପୁର ସହିତ ଯୋଗାଯୋଗ ନିମନ୍ତେ ସମ୍ବଲପୁର ହିଁ ଥିଲା ଏକମାତ୍ର ବାଟ । ରଘୁଜୀ ରାଜାଙ୍କୁ ଉପଢ଼ୌକନାଦି ଦ୍ଵାରା ସନ୍ତୁଷ୍ଟ କରି ମହାନଦୀକୁ ବ୍ୟବହାର କରୁଥିଲେ । ପରବର୍ତ୍ତୀ ଶାସକ ଜାନୁଜୀ ଏତେ ସହନଶୀଳ ନଥିଲେ । ସେ ସମ୍ବଲପୁର ଆକ୍ରମଣ କରି ମଧ୍ୟ ତାକୁ ପରାସ୍ତ କରି ପାରିନଥିଲେ । ଦେୱାନ ଆକବର ରାଏ ମରହଟ୍ଟା ନୌବହର ବୁଡ଼ାଇଦେଲେ । ଜାନୁଜୀ ସମ୍ବଲପୁର ଆକ୍ରମଣ କଲେ । ଶତ୍ରୁତା ବଢ଼ିଚାଲିଲା । ରଘୁଜୀ- ୨ୟ ଭୋନ୍‌ସ୍ଲା ହେଲାପରେ ଲୁଟପାଟ୍‌ ଆରମ୍ଭ ହେଲା । ସେ ମହାନଦୀ ପଥ ବ୍ୟବହାର କରୁଥିବାବେଳେ ମାର୍ଗସ୍ଥ କରଦ ରାଜ୍ୟ ଗୁଡ଼ିକରୁ ଚୌଥ ଦାବୀ କଲେ । ରସଦ ପାଇଁ ଗାଁ ଗଣ୍ଡା ଲୁଟିଲେ । ଏହା ହିଁ ଥିଲା ମରହଟ୍ଟାମାନଙ୍କର ପୁରୁଣା ପଦ୍ଧତି । ଶେଷରେ ବାର୍ଷିକ ୩୨,୦୦୦ ଟଙ୍କା କର ଦେବାକୁ ରାଜି ହୋଇ ସମ୍ବଲପୁର ୧୭୯୪ରେ ନାଗପୁର ସହିତ ସନ୍ଧିକଲା । ୧୮୦୦ ମସିହାରେ ମରହଟ୍ଟା ସମ୍ବଲପୁର ଅଧିକାର କରିନେଲେ । ଭୋନ୍‌ସ୍ଲା ପ୍ରତିନିଧି ଭୂପସିଂ ସେଇ ବର୍ଷ ଏପ୍ରିଲ୍‌ରେ ଶାସନ ଦାୟିତ୍ୱ ଗ୍ରହଣ କଲେ ।

 

ଭୂପସିଂ ସମ୍ବଲପୁରରେ ଅତ୍ୟାଚାରର ସୁଅ ଛୁଟାଇଲେ । ଭୋନ୍‌ସ୍ଲାଙ୍କୁ ମାନିଲେ ନାହିଁ କିମ୍ବା କର ପୈଠ କଲେ ନାହିଁ । ଭୋନ୍‌ସ୍ଲା ସେନା ତାଙ୍କୁ, ନିୟନ୍ତ୍ରଣ କରି ପାରିଲେନାହିଁ । ତେବେ କିଛି ଦିନପରେ ଭୋନ୍‌ସ୍କା ବାହିନୀ ତାଙ୍କୁ ବିତାଡ଼ିତ କରିବାରେ ସଫଳ ହେବାରୁ ସେ ପଳାଇଯାଇ ଇଂରେଜମାନଙ୍କ ପକ୍ଷରେ ଯୋଗ ଦେଲେ । ତା’ପରେ ଆସିଲେ ତାନ୍ତିଆ ଫଡ୍‌ନାବିସ୍‌ ଏବଂ ସେ ପ୍ରାୟ ବର୍ଷେ କାଳ (୧୮୦୨-୦୩) ରହିଲେ । ୧୮୦୩, ଜାନୁୟାରୀ ୨୬ରେ ସମ୍ବଲପୁର ଇଂରେଜମାନଙ୍କ ହାତକୁ ଗଲା । ବାରବାଟୀ ଦୁର୍ଗର ପତନ ହେଲା ସେଇବର୍ଷ ଅକ୍ଟୋବର ୧୪ ରେ-। ପରିସ୍ଥିତିର ଚାପରେ ଇଂରେଜମାନେ ଭୋନ୍‌ସ୍ଲାଙ୍କୁ ସମ୍ବଲପୁର ଫେରାଇ ଦେଇଥିଲେ ହେଁ, ରାଜନୈତିକ କାରଣରୁ ତାଙ୍କୁ ହାତଛଡ଼ା କରିବାକୁ ଚାହୁଁ ନଥିଲେ । ଇତିମଧ୍ୟରେ ଭୋନ୍‌ସ୍ଲାଙ୍କ ଦିନ ଶେଷ ହୋଇ ଆସିଥିଲା । ଶେଷରେ ୧୮୧୭ରେ ସମ୍ବଲପୁର ଇଂରେଜମାନଙ୍କ ହାତକୁ ଗଲା । ୧୮୦୦ ରୁ ୧୮୧୭ ଏର ଦୀର୍ଘ ସତରବର୍ଷର ଇତିହାସ ହେଉଛି ସମ୍ବଲପୁର ପାଇଁ ଅତ୍ୟାଚାର, ପୀଡ଼ନ ଓ ଲୁଣ୍ଠନର ଇତିହାସ । ଦୁଇ ବିରାଡ଼ି ପିଠାବାଣ୍ଟିବା ଭଳି ଭୋନ୍‌ସ୍ଲା ଏବଂ ଇଂରେଜ-ସମ୍ବଲପୁରକୁ ନିଜ ନିଜ ଭିତରେ ବାଣ୍ଟୁଥିଲେ । ସାଧାରଣ ଲୋକଙ୍କର ଦୁର୍ଦ୍ଦଶା ବଢ଼ି ଚାଲିଥିଲା ।

 

ସେଇ ସମୟର ବର୍ଗୀ ଅତ୍ୟାଚାରର କାହାଣୀ ‘ଲୋହିତ’ (୧୯୫୮) ନାମକ କାବ୍ୟରେ ବର୍ଣ୍ଣିତ ହୋଇଛି । ଏହାର କବି ଯୁଧିଷ୍ଠିର ମିଶ୍ର । ମରହଟ୍ଟା ସମ୍ବଲପୁର ଶାସନ ଦାୟିତ୍ୱରେ ରହିଲେ ମୋଟ ଅଢ଼େଇରୁ ତିନିବର୍ଷ । ତା’ଭିତରେ ସେମାନେ ବିଦ୍ୟାଚର୍ଚ୍ଚା, ସାମରିକ ଶିକ୍ଷା, ବ୍ୟବସାୟ ବାଣିଜ୍ୟ ଇତ୍ୟାଦି ପ୍ରତି ସତର୍କ ଦୃଷ୍ଟି ରଖିଥିଲେ । ‘ବର୍ଗୀମାନେ ଦେଶ ଲୁଣ୍ଠନ କରୁଥିଲେ, ଗ୍ରାମମାନ ପୋଡ଼ି ଦେଉଥିଲେ, ଲୋକଙ୍କୁ ଯନ୍ତ୍ରଣା ଦେଉଥିଲେ ସତ୍ୟ କିନ୍ତୁ ମରହଟ୍ଟା ଲୁଣ୍ଠନର ଯେ ପ୍ରକାର ଚିତ୍ର ଇତିହାସରେ ଦେଖାଯାଏ, ପ୍ରକୃତରେ ତାହା ସେ ପ୍ରକାର ମାରାତ୍ମକ ନଥିଲା–‘‘(ସମ୍ବଲପୁର ଇତିହାସ :–ପୃ :–୩୩୨) ଦାଶ ମହାଶୟଙ୍କର ଏହି ମନ୍ତବ୍ୟକୁ ଦୁଃଖର ସହିତ ପ୍ରତ୍ୟାଖ୍ୟାନ କରିବାକୁ ପଡ଼ୁଛି । ସେ ନିଜେ ଭୁକ୍ତଭୋଗୀ ନଥିଲେ । ଏ ସମ୍ପର୍କରେ ଭୁକ୍ତଭୋଗୀମାନଙ୍କର ଅନୁଭବ ଯାହା, ତହିଁରେ ଶିବବାବୁଙ୍କର ମନ୍ତବ୍ୟର ଅସାରତା ସ୍ଵତଃ ପ୍ରମାଣିତ ହୁଏ । ଅତ୍ୟାଚାର ମାପିବାର କୌଣସି ଯନ୍ତ୍ର ନଥାଏ । ଦେଶର ଯେଉଁ କ୍ଷତି ସେମାନେ କରିଛନ୍ତି କେବଳ ଅତ୍ୟାଚାର ଏହା ତୁଳନାରେ ନସ୍ୟ ମାତ୍ର ।

 

ଇଂରେଜ ଶାସନରେ ସମ୍ବଲପୁର :–ମରହଟ୍ଟାମାନଙ୍କଠାରୁ ସମ୍ବଲପୁର ଗ୍ରହଣ କରି ଇଂରେଜମାନେ ଜୟନ୍ତ ସିଂଙ୍କୁ ରାଜା କଲେ । ମାତ୍ର ବର୍ଷକ ପରେ ୧୮୧୮ ରେ ତାଙ୍କର ମୃତ୍ୟୁ ହେବାରୁ ଏବଂ ତାଙ୍କ ପୁତ୍ର ମହାରାଜ ସାଏ ନାବାଳକ ହୋଇଥିବାରୁ ଇଂରେଜ ପ୍ରତିନିଧିଙ୍କ ହାତରେ ଶାସନ ରହିଲା ୧୮୨୦ ଯାଏ । ମହାରାଜ ସେଇ ବର୍ଷ ଗାଦିରେ ବସିଲେ । ସମ୍ବଲପୁରର ପୂର୍ବର ସେ ଗୌରବ ଆଉ ନଥିଲା । ଏହାକୁ ଖଣ୍ଡ ଖଣ୍ଡ କରି ବିଭିନ୍ନ ପ୍ରଦେଶ ସହ ମିଶାଇ ଦିଆଯାଇଥିଲା-। ମହାରାଜ ପାଇଲେ ମାତ୍ର ୩୪ ଖଣ୍ଡ ଗ୍ରାମର ମାଲିକାନା ଓ ହୀରା ଖଣିର ଅଧିକାର । ସମ୍ବଲପୁରରେ ଜଣେ ବ୍ରିଟିଶ୍‌ ଏଜେଣ୍ଟ ରହିଲେ । ଚୌହାନ୍‌-ଗୌରବ-ରବି ଅସ୍ତମିତ ହେଲେ ।

 

ଚୌହାନ୍‌ ବଂଶୀୟମାନେ ପ୍ରଜାପୀଡ଼କ ନଥିଲେ । ପ୍ରଜାମାନେ ମଧ୍ୟ ଧର୍ମ ବିଶ୍ଵାସୀ ଥିଲେ । ଜନମଙ୍ଗଳ କାର୍ଯ୍ୟରେ ସେମାନଙ୍କର ରୁଚିଥିଲା । ମାଣିକ୍ୟ ନାମକ ବଳିୟାର ସିଂଙ୍କର ଜଣେ ପରିଚାରିକା ସ୍ଵଅର୍ଥରେ ସମ୍ବଲପୁର ସହରରେ ଦୁଇଟି ପୁଷ୍କରିଣୀ ଖୋଳାଇଥିଲେ, ଯାହା ଏବେ ମଧ୍ୟ ଅଛି । ରାଜବଂଶରେ ଜ୍ଞାନର ଚର୍ଚ୍ଚା ଥିଲା । କବି, ପଣ୍ଡିତ, ଜ୍ଞାନୀ ରାଜସଭା ମଣ୍ଡନ କରୁଥିଲେ । ସେମାନଙ୍କ ମଧ୍ୟରୁ କେହି କେହି ମୁଲ୍ୟବାନ୍‌ କାବ୍ୟଶାସ୍ତ୍ର ବି ପ୍ରଣୟନ କରି ଯାଇଛନ୍ତି । ଚୌହାନ୍‌ ବଂର୍ଶୀୟମାନେ କାଳର ଗତିରେ ହଜି ଯାଇଛନ୍ତି, ଛାଡ଼ି ଯାଇଛନ୍ତି ସେମାନଙ୍କର କୀର୍ତ୍ତି । ମହାନଦୀ ଅବବାହିକାର ଏହି କୀର୍ତ୍ତିମାନ ରାଜବଂଶ ଏଥିପାଇଁ ଯୁଗଯୁଗକୁ ଅମର ରହିବେ ।

 

ଇଂରେଜଶାସନର ସବୁଠାରୁ ଉଲ୍ଲେଖଯୋଗ୍ୟ ଘଟଣା ହେଉଛି ସୁରେନ୍ଦ୍ର ସାଏଙ୍କ ବିଦ୍ରୋହ ବା ‘ଉଲ୍‌ଗୁଲାନ୍‌’ । ଦୁର୍ବଳ ମହାରାଜ ସାଏ ମୃତ୍ୟୁ ବରଣ କଲେ ୧୮୨୭ରେ । ଦୀର୍ଘ ଛଅବର୍ଷ ପର୍ଯ୍ୟନ୍ତ ସରକାର ତାଙ୍କ ମୃତ୍ୟୁ ସମ୍ବାଦ ଗୋପନ କରି ରଖିଲେ ଏବଂ ରାଣୀ ମୋହନ କୁମାରୀଙ୍କୁ ଆଗରେ ରଖି ଶାସନ ଚଳାଇଲେ । ତେବେ ମହାରାଜଙ୍କ ମୃତ୍ୟୁସମ୍ବାଦ ପ୍ରଚାରିତ ହୋଇଯିବାରୁ ସିଂହାସନ ନିମନ୍ତେ ରାଜବଂଶୀୟମାନଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଆରମ୍ଭ ହୋଇଗଲା । ଇଂରେଜମାନେ ଦମନ ନୀତି ପ୍ରୟୋଗ କରି ମଧ୍ୟ ବିପ୍ଲବକୁ ରୋକିପାରିଲେ ନାହିଁ । ମୋହନ ସିଂଙ୍କ ପରାମର୍ଶରେ ନାରାୟଣ ସିଂଙ୍କୁ ରାଜା କରାଗଲା । ବୃଦ୍ଧ ଏହି ବ୍ୟକ୍ତିଙ୍କ ସହିତ ରାଜବଂଶର ସମ୍ପର୍କ ବିବାଦାସ୍ପଦ ଥିଲା । ତେଣୁ ବିବାଦ ଲାଗିରହିଲା ସେ ଗଲେ; ଆଉ ଜଣେ ଆସିଲେ । ତାଙ୍କର ମୃତ୍ୟୁ ହେଲା ୧୮୪୯ରେ । ଡାଲ୍‌ହାଉସୀଙ୍କ ରାଜ୍ୟ ସ୍ଵତ୍ତ୍ୱ ଲୋପ ନୀତି ଅନୁସାରେ ଏହାପରେ ସମ୍ବଲପୁର ଖାସ୍‌ ହୋଇଗଲା, ବିଦ୍ରୋହ ପ୍ରଶମିତ ହେଲା ନାହିଁ ।

 

ବିଦ୍ରୋହୀ ସୁରେନ୍ଦ୍ର :–ସମ୍ବଲପୁର ସିଂହାସନର ଜଣେ ନ୍ୟାୟୋଚିତ ଦାବୀଦାର ଥିଲେ ଖିଣ୍ଡା-ରାଜବଂଶର ସୁରେନ୍ଦ୍ର ସାଏ । ସେ ଥିଲେ ଚୌହାନ୍‌ରାଜା ମଧୁକରଦେବ (୧୫୯୧-୧୬୧୭)ଙ୍କ ପୁତ୍ର ଅନିରୁଦ୍ଧଙ୍କର ପ୍ରତ୍ୟଷ ବଂଶଧର । ତେବେ ତାଙ୍କର ଦାବୀକୁ ସରକାର ପ୍ରତ୍ୟାଖ୍ୟାନ କରି ତାଙ୍କୁ ହତ୍ୟା ଅପରାଧରେ ହଜାରିବାଗରେ ବନ୍ଦୀ କରିଥିଲେ । ୧୮୫୭ର ସିପାହୀବିଦ୍ରୋହ ସମୟରେ ବିପ୍ଲବୀମାନେ ଜେଲ୍‌ଭାଙ୍ଗି କଏଦୀମାନଙ୍କୁ ମୁକ୍ତ କରି ଦେବାରୁ ସୁରେନ୍ଦ୍ର ମଧ୍ୟ ମୁକ୍ତି ଲାଭ କରି ସମ୍ବଲପୁର ବିଦ୍ରୋହର ନେତୃତ୍ଵ ନେଲେ ।

 

ଖିଣ୍ଡା ରାଜବଂଶର ପଞ୍ଚମ ପୃରୁଷ ସୁରେନ୍ଦ୍ରଙ୍କ ପିତା ଧର୍ମ ସିଂହଙ୍କ ଅଗ୍ରଜ ବଳରାମ, ସୁରେନ୍ଦ୍ରଙ୍କ ଭାଇ ଛବିଳ, ଉଦନ୍ତ ପ୍ରଭୃତି ସୁରେନ୍ଦ୍ରଙ୍କୁ ସମର୍ଥନ କରିଥିଲେ । କ୍ରମେ ଜିଲ୍ଲାର ଅନେକ ଜମିଦାର ଏବଂ ଗୌନ୍ତିଆ ସୁରେନ୍ଦ୍ରଙ୍କ ପକ୍ଷରେ ଯୋଗଦେଲେ । ସାମନ୍ତ ରାଜାମାନଙ୍କ ମଧ୍ୟରୁ ଅନେକ ସୁରେନ୍ଦ୍ରଙ୍କୁ ସମର୍ଥନ ଦେଲେ । ତେବେ ରାଜନୈତିକ କାରଣରୁ ଇଂରେଜମାନେ ଅନ୍ୟ କୌଣସି ରାଜାଙ୍କୁ ସମ୍ବଲପୁର ଗାଦିରେ ନ ବସାଇ ତାକୁ ଖାସ୍‌ ଦଖଲରେ ରଖିବାକୁ ଚାହୁଁଥିଲେ । ତେଣୁ ବିଦ୍ରୋହ ଅନିବାର୍ଯ୍ୟ ହୋଇଉଠିଲା ।

 

ସୁରେନ୍ଦ୍ର ଏକ ଆଦିବାସୀ ସେନା ପ୍ରସ୍ତୁତ କରି ସେମାନଙ୍କ ସାହାଯ୍ୟରେ ଯୁଦ୍ଧ ଚଳାଇ ରଖିଲେ । ବିଦ୍ରୋହ ସେ ଆରମ୍ଭ କରିଥିଲେ ମହାରାଜ ସାଏଙ୍କ ମୃତ୍ୟୁ ପରେ ୧୮୨୭ ମସିହାରେ ଏବଂ ଏହା ଶେଷ ହେଲା ୧୮୬୪ ରେ । ଏଇ ଦୀର୍ଘ ୩୭ ବର୍ଷକାଳ ସୁରେନ୍ଦ୍ର ପ୍ରବଳ ପରାକ୍ରାନ୍ତ ବ୍ରିଟିଶ୍‌ ସରକାରଙ୍କ ପାଇଁ ଏକ ଆହ୍ଵାନ ହୋଇ ରହିଲେ । ସରକାର ଦମନନୀତି ପ୍ରୟୋଗ କରି ବିଦ୍ରୋହୀମାନଙ୍କୁ ଧରିବାକୁ ଚେଷ୍ଟା କରୁଥିଲେ । ପୂର୍ବରୁ ୧୮୪୦ରେ ଆସିଷ୍ଟାଣ୍ଟ କମିଶନର ଓସ୍‌ଲେ ସୁରେନ୍ଦ୍ରଙ୍କ ସହ ଅନ୍ୟ ବିପ୍ଳବୀ ନେତାମାନଙ୍କୁ ବନ୍ଦୀକରି ସମ୍ବଲପୁର ଜେଲ୍‌ରେ ରଖିଥିଲେ-। ରାମପୁର ଜମିଦାର (ସରକାରଙ୍କ ଗୁପ୍ତଚର ହୋଇଥିବାରୁ ସୁରେନ୍ଦ୍ରଙ୍କ ଦ୍ୱାରା ନିହତ)ଙ୍କ ହତ୍ୟା ଅପରାଧରେ ସୁରେନ୍ଦ୍ରଙ୍କୁ ଯାବଜ୍ଜୀବନ କାରାବାସର ଦଣ୍ଡ ମିଳିଲା ଏବଂ ବନ୍ଦୀମାନଙ୍କୁ ହଜାରିବାଗ ପଠାଇ ଦିଆଗଲା । ସେଠାରେ ସୁରେନ୍ଦ୍ର ରହିଲେ ଦୀର୍ଘ ଷୋହଳ ବର୍ଷ ଏବଂ ଜେଲ୍‌ଭଙ୍ଗା ସୁଯୋଗରେ ମୁକ୍ତି ଲାଭ କରି ସମ୍ବଲପୁର ଫେରିଆସି ଅଭୂତପୂର୍ବ ଜନସମର୍ଥନ ଲାଭ କଲେ । ଅଳ୍ପଦିନରେ ସେ ପୁରୁଣା କିଲ୍ଲା ଅଧିକାର କରି ସେଠାରେ ଶିବିର ସ୍ଥାପନ କଲେ । ଆସିଷ୍ଟାଣ୍ଟ କମିଶନର ଓସ୍‌ଲେ ଅସହାୟ ହୋଇ ଶାନ୍ତିପ୍ରସ୍ତାବ ଦେଲେ ଏବଂ ତାଙ୍କ ସହ ଦେଖା କରିବାକୁ ସୁରେନ୍ଦ୍ରଙ୍କ ପାଖକୁ ଖବର ପଠାଇଲେ । ସରଳବିଶ୍ୱାସୀ ସୁରେନ୍ଦ୍ର ସମସ୍ୟାର ସମାଧାନ ହୋଇଯିବାର ବିଶ୍ୱାସରେ ଏକାକୀ ତାଙ୍କ ସହ ଦେଖା କରିବାକୁ ଯାଇ ବନ୍ଦୀ ହେଲେ । ଇଂରେଜଶାସନରେ କୂଟନୀତିର ଇଏ ହେଉଛି ଅନ୍ୟ ଏକ ଦୃଷ୍ଟାନ୍ତ, ଯାହା ପ୍ରତାରଣା, ଶଠତା, ମିଥ୍ୟାଚାର ଓ ଷଡ଼ଯନ୍ତ୍ର ଉପରେ ହିଁ ଦଣ୍ଡାୟମାନ ହୋଇଥିଲା । ଅଳ୍ପଦିନ ମଧ୍ୟରେ ସୁରେନ୍ଦ୍ର କିନ୍ତୁ କୌଶଳ କରି ବନ୍ଦୀଶାଳାରୁ ପଳାଇଗଲେ ଏବଂ ଦ୍ୱିଗୁଣ ଉତ୍ସାହରେ ଯୁଦ୍ଧ ଆରମ୍ଭ କଲେ ।

 

ଇଂରେଜମାନେ ବିଭିନ୍ନ ସ୍ଥାନରୁ ସୈନ୍ୟ ଏବଂ ଅସ୍ତ୍ରଶସ୍ତ୍ର ଅଣାଇ ସମ୍ବଲପୁରରେ ଦମନଲୀଳା ଆରମ୍ଭ କଲେ । ଇତି ମଧ୍ୟରେ ସିପାହୀ ବିଦ୍ରୋହ ଦମିତ ହୋଇଯାଇଥିବାରୁ ଇଂରେଜମାନଙ୍କର ସାହସ ବଢ଼ିଯାଇଥିଲା । ଗୃହଦାହ, ହତ୍ୟା, ଲୁଣ୍ଠନର ସୁଅ ଛୁଟିଲା । ସୁରେନ୍ଦ୍ର ମଧ୍ୟ ମଧ୍ୟ ନୀରବ ରହିଲେ ନାହିଁ । ସମ୍ବଲପୁର ସହର ମଧ୍ୟକୁ ପଶି ଇଂରେଜମାନଙ୍କୁ ଅସ୍ତବ୍ୟସ୍ତ କରି ପକାଇଲେ । ଯୁଦ୍ଧ ଚାଲୁ ରହିଲା ।

 

ସୁରେନ୍ଦ୍ର ଗରିଲା ଯୁଦ୍ଧରେ ଧୁରନ୍ଧର ଥିଲେ । ଲୁକ୍କାୟିତ ସ୍ଥାନରୁ ହଠାତ୍‌ ବାହାରି ଆସି ସେ ଇଂରେଜ ସେନାଙ୍କର କିଛି କ୍ଷୟକ୍ଷତି ଘଟାଇ ଅନ୍ତର୍ଦ୍ଧାନ ହୋଇ ଯାଉଥିଲେ । ଇତି ମଧ୍ୟରେ କୁଦୋପାଲି ଯୁଦ୍ଧରେ ଛବିଳ ପ୍ରାଣ ହରାଇଲେ । ସୁରେନ୍ଦ୍ର ଶୋକାହତ ହେଲେ, ମାତ୍ର ଅବଦମିତ ହେଲେ ନାହିଁ ।

 

୧୮୬୧ରେ ପୁଣି ଏକ ଶାନ୍ତି ପ୍ରସ୍ତାବ ଆସିଲା ଡେପୁଟି କମିଶନର ଇମ୍ପେଙ୍କ ପାଖରୁ । ଆତ୍ମସମର୍ପଣ କଲେ ସୁରେନ୍ଦ୍ରଙ୍କର ସମସ୍ତ ଦୋଷ କ୍ଷମା କରିଦିଆଯିବ ବୋଲି ସେ ଘୋଷଣା କଲେ-। ସୁରେନ୍ଦ୍ରଙ୍କ ପକ୍ଷ ସମର୍ଥନକାରୀ କେତେକ ଜମିଦାର ଓ ଗୌନ୍ତିଆ ଏହି ପ୍ରସ୍ତାବରେ ପ୍ରଲୋଭିତ ହୋଇ ତାଙ୍କର ପକ୍ଷ ତ୍ୟାଗ କଲେ । ସରକାର ମଧ୍ୟ ସେମାନଙ୍କର ବାଜ୍ୟାପ୍ତ ସମ୍ପତ୍ତି ଫେରାଇ ଦେଲେ । ଇମ୍ପେଙ୍କ କୂଟନୀତି ତା’ର କାମ ଆରମ୍ଭ କରିଦେଇଥିଲା ଏବଂ ସୁରେନ୍ଦ୍ର ପ୍ରକୃତରେ ଏକୁଟିଆ ହୋଇଯାଉଥିଲେ । ତଥାପି ତାଙ୍କ ପକ୍ଷରେ ଅଳ୍ପ କେଇଜଣ ଗୌନ୍ତିଆ ଓ ଜମିଦାର ଥିଲେ-। ସୁରେନ୍ଦ୍ର ଆତ୍ମସମର୍ପଣ କଲେ ନାହିଁ । ଇତିମଧ୍ୟରେ ପାଟଣା ରାଜାଙ୍କ ବିଶ୍ୱାସଘାତକତା ହେତୁ ସୁରେନ୍ଦ୍ରଙ୍କ ଅନ୍ୟତମ ଅନୁଜ ଉଜ୍ଜ୍ୱଳ ସାଏ ଧରାପଡ଼ି ଫାଶୀ ପାଇଲେ । ଉଦନ୍ତ ଏବଂ ଧ୍ରୁବ ସାଏ ମଧ୍ୟ ଆତ୍ମସମର୍ପଣ କଲେ । ଜଣକ ପରେ ଜଣେ ପ୍ରିୟ-ପରିଜନଙ୍କୁ ହରାଇ ସୁଦ୍ଧା ସୁରେନ୍ଦ୍ରଙ୍କର ମନୋବଳ ଅତୁଟ ରହିଥିଲା ।

 

ତେବେ ନିରୀହ ଲୋକଙ୍କର ହତ୍ୟା, ଲୁଣ୍ଠନ, ଗୃହଦାହ ପ୍ରଭୃତି ଅବିଚାରିତ ଦମନଲୀଳା ତାଙ୍କୁ ବାରମ୍ବାର ବିବ୍ରତ କରୁଥିଲା । ଇଂରେଜମାନେ ରକ୍ତମୁଖା ହୋଇ ଉଠିଥିଲେ । ଅଯଥା ରକ୍ତପାତ ଓ ଜନକ୍ଷୟ ବନ୍ଦ କରିବାକୁ ସୁରେନ୍ଦ୍ର ଶେଷରେ ଆତ୍ମସମର୍ପଣ କଲେ (୧୮୬୨ ମେ) । ଇମ୍ପେ ତାଙ୍କୁ ଓ ଉଦନ୍ତ ତଥା ଧ୍ରୁବ ସାଏଙ୍କୁ ଖିଣ୍ଡା ଗ୍ରାମରେ ବସବାସ କରି ରହିବାକୁ ଅନୁମତି ଦେଲେ । ବିପ୍ଳବ ଏହାପ୍ରକାର ଶେଷ ହେଲା । ତେବେ ଏହି ବିୟୋଗାନ୍ତ ନାଟକର ଶେଷ ଦୃଶ୍ୟ ତଥାପି ବାକି ରହିଥିଲା ।

 

ସୁରେନ୍ଦ୍ରଙ୍କୁ ସମ୍ବଲପୁର ଗାଦି ଫେରାଇଦେବା ନିମନ୍ତେ ବିଭିନ୍ନ ମହଲରୁ ଦାବି ଚାଲୁ ରହିଥିଲା । ଏହାକୁ ସୁରେନ୍ଦ୍ରଙ୍କ ପ୍ରରୋଚନାର ଫଳ ବୋଲି ଧରିନିଆଯାଇ ତାଙ୍କୁ ତାଗିଦ୍‌ କରି ଦିଆଗଲା । ବିପ୍ଳବ ପୁଣି କୁହୁଳିବାକୁ ଲାଗିଲା । ଲୁଣ୍ଠନ ଇତ୍ୟାଦି ଆରମ୍ଭ ହେଲା । ସୁରେନ୍ଦ୍ର ଏ ସବୁର କର୍ଣ୍ଣଧାର ବୋଲି ସ୍ୱାଭାବିକ କାରଣରୁ ବିଶ୍ୱାସ କରାଯାଇ ତାଙ୍କୁ ବନ୍ଦୀ କରିବାର ଏକ ଗୋପନ ସିଦ୍ଧାନ୍ତ ନିଆଗଲା । ଶୁଣାଯାଏ ଯେ ଏପରି ସିଦ୍ଧାନ୍ତରେ ଇମ୍ପେ ଅତ୍ୟନ୍ତ ଦୁଃଖିତ ହୋଇଥିଲେ । ଦୁର୍ଭାଗ୍ୟକୁ ୧୮୬୩, ଡିସେମ୍ବରରେ ତାଙ୍କର ମୃତ୍ୟୁ ହୋଇଗଲା । ତାଙ୍କ ସ୍ଥାନରେ କମ୍ବର୍ଲି ଯୋଗଦେଇ ସରକାରୀ ନିଷ୍ପତ୍ତିକୁ ତୁରନ୍ତ କାର୍ଯ୍ୟକାରୀ କରିବା ନିମନ୍ତେ ତତ୍‌ପର ହୋଇଉଠିଲେ । ମୋହନ ସିଂ ନାମକ ଜଣେ ସବ୍‌ଇନସ୍‌ପେକ୍ଟର ଏହି କାର୍ଯ୍ୟରେ ସରକାରଙ୍କୁ ସହଯୋଗ ଦେବାକୁ ଆଗେଇ ଆସିଲେ । ସେ ନିଯୁକ୍ତ କଲେ ଦୟାନିଧି ମେହେର୍‌ ନାମକ ଜଣେ ଭେଦିଆକୁ ସୁରେନ୍ଦ୍ରଙ୍କ ଗତିବିଧି ଉପରେ ସତର୍କ ଦୃଷ୍ଟି ରଖିବାକୁ । ୧୮୬୩ ଜାନୁୟାରୀ ୨୩ ପୁଷପୂର୍ଣ୍ଣିମା ଦିନ ଦୟାନିଧି ସୁରେନ୍ଦ୍ର ଏବଂ ତାଙ୍କର ସହଯୋଗୀମାନଙ୍କୁ ଅତ୍ୟଧିକ ନିଶା ଖୁଆଇ ଅଚେତ କରିଦେଲା । କମ୍ବର୍ଲି, କାଲ୍‌ମେନ୍‌ ପ୍ରଭୃତି ଧୁରନ୍ଧର ରାଜପୁରୁଷମାନେ ଦଳେ ସିପାହୀନେଇ ସେଇ ଅବସ୍ଥାରେ ସୁରେନ୍ଦ୍ର ଓ ତାଙ୍କର ଆତ୍ମୀୟମାନଙ୍କୁ ବନ୍ଦୀ କରିନେଲେ । ଖୁବ୍‌ଶୀଘ୍ର ଜିଲ୍ଲାର ଅନ୍ୟତ୍ର ସୁରେନ୍ଦ୍ରଙ୍କର ଯେଉଁ ସମର୍ଥକମାନେ ଥିଲେ, ସେମାନେ ମଧ୍ୟ ବନ୍ଦୀ ହେଲେ ।

 

ବନ୍ଦୀମାନଙ୍କୁ ରାୟପୁର ଜେଲ୍‌କୁ ପଠାଇ ଦିଆଯାଇ ବିଚାରର ଏକ ପ୍ରହସନ କରାଗଲା ଏବଂ ବନ୍ଦୀମାନଙ୍କୁ ଯାବଜ୍ଜୀବନ କାରାବାସର ଦଣ୍ଡ ଶୁଣାଇ ଦିଆଗଲା । ସେଠାରେ ଉଦନ୍ତ, ଲୋକନାଥ ଏବଂ ମୃତ୍ୟୁଞ୍ଜୟ ଜଣକପରେ ଜଣେ ମୃତ୍ୟୁବରଣ କରିଥିଲେ । ଧୃତରାଷ୍ଟ୍ରଙ୍କ ଭଳି ଏକାକୀ ସୁରେନ୍ଦ୍ର ଏହି ମୃତ୍ୟୁଲୀଳା ଦେଖୁଥିଲେ । ଅସୁରଗଡ଼ (ନାଗପୁର) ଜେଲ୍‌ରେ ଥିବାବେଳେ ସେ ପ୍ରାୟ ଅନ୍ଧ ହୋଇଯାଇଥିଲେ ଏବଂ ସେଇ ଅବସ୍ଥାରେ ୧୮୮୪ ମସିହାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଗୋଟିଏ ବିୟୋଗାନ୍ତ ନାଟକର ଏହାହିଁ ଥିଲା ଶେଷ ଦୃଶ୍ୟ ।

 

ଶିଖିମନାଇ, ଚରଣ ପଟ୍ଟନାୟକ, ଫତେ ମହମ୍ମଦ ଏବଂ କୃଷ୍ଣଚନ୍ଦ୍ରଙ୍କ ଦେଶରେ ଜଣେ ବିପ୍ଳବୀର ଏହା ଅପେକ୍ଷା ବା ଉତ୍ତମ ପରିଣତି କ’ଣ ଆଶା କରାଯାଇ ପାରିଥାନ୍ତା ? ଫତେ ମହମ୍ମଦ ଇଂରେଜମାନଙ୍କୁ ଚିଲିକା ଭିତରେ ବାଟ କଢ଼ାଇ ପାଇଥିଲା ନିମକହାରାମି ଜାଗିର୍‌ । ସେମିତି ଦୟାନିଧି ମେହେର ବି ସରକାରୀ ଭେଦିଆ ହୋଇ ନଗଦ ଅର୍ଥ ଓ ଜମିବାଡ଼ି ପୁରସ୍କାର ପାଇଥିଲା । ହୁଏତ ସେ ସବୁ ଏବେ ବି ତା’ର ଉତ୍ତରାଧିକାରୀମାନଙ୍କ ଭୋଗରେ ଲାଗୁଥିବ । ବିପ୍ଳବୀ ମରିଯାଏ, ବିପ୍ଳବ କିନ୍ତୁ ମରେ ନାହିଁ । ସୁଯୋଗ ପାଇବା ମାତ୍ରେ ତାହା ଶିଖା ବିସ୍ତାର କରେ-। ସୁରେନ୍ଦ୍ରଙ୍କର ଆତ୍ମଦାନ ବ୍ୟର୍ଥ ହୋଇନାହିଁ । ଯେଉଁ ସ୍ୱାଧୀନତା ପାଇଁ ସେ ଜୀବନ ଉତ୍ସର୍ଗ କଲେ, ତଥା ଯାହା ତାଙ୍କର ଉତ୍ତରାଧିକାରୀ ରୂପେ ସମଗ୍ର ଓଡ଼ିଆ ଜାତି ଭୋଗ କରୁଛି, ଆଜିର ସେଇ ସ୍ୱାଧୀନତା ସୁରେନ୍ଦ୍ରଙ୍କ ଭଳି ଅନେକଙ୍କ ରକ୍ତର ମୂଲ୍ୟରେ ହିଁ କ୍ରୀତ ହୋଇଛି ଏବଂ ସ୍ୱାଭିମାନର ଏକ ଅନିର୍ବାଣ ଦୀପ ଶିଖା ରୂପରେ ସୁରେନ୍ଦ୍ର ଆଜି ପ୍ରତ୍ୟେକ ଓଡ଼ିଆର ହୃଦୟରେ ଜଳୁଛନ୍ତି ।

 

ସମ୍ବଲପୁର ତାହା ପରେ ଇଂରେଜମାନଙ୍କ ଖାସ୍‌ ଦଖଲରେ ରହି ଶାସନଗତ ସୁବିଧା ପାଇଁ ମଧ୍ୟପ୍ରଦେଶ ସହିତ ମିଶିଯାଇଥିଲା । ୧୯୦୫ ରେ ତାହା ମଧ୍ୟପ୍ରଦେଶରୁ ଆସି ଓଡ଼ିଶା ସହ ମିଶିଛି ଏବଂ ୧୯୪୭ରେ ଭାରତର ସ୍ୱାଧୀନତା ସହିତ ସ୍ୱାଧୀନ ହୋଇଛି । ଏହାହିଁ ହେଉଛି ସମ୍ବଲପୁର ରାଜ୍ୟରେ ସଂକ୍ଷିପ୍ତ ଇତିହାସ । ଆଦିବାସୀମାନଙ୍କ ଉପରେ ଆଧିପତ୍ୟ ବିସ୍ତାର କରି କେଉଁ ଦୂର ଅତୀତରେ ଆର୍ଯ୍ୟମାନେ ଏଠାରେ ସାମ୍ରାଜ୍ୟ ସ୍ଥାପନ କରିଥିଲେ । ମେଘବଂଶ ବା ମହାମେଘ ବାହନ ବଂଶ ହେଉଛନ୍ତି ଏ ରାଜ୍ୟର ପ୍ରଥମ ରାଜବଂଶ, ଯାହାଙ୍କ ସମ୍ପର୍କରେ ଅଳ୍ପ କିଛି ବିବରଣୀ ଉପଲବ୍ଧ ହେଉଛି । ପରେ ସୋମବଂଶୀମାନେ ଏହି ଅଞ୍ଚଳରୁ ସାମ୍ରାଜ୍ୟ ବିସ୍ତାର କରି ବୃହତ୍ତର କଳିଙ୍ଗ ସାମ୍ରାଜ୍ୟ ଗଠନର ଅଙ୍ଗ ହୋଇଯାଇଥିଲେ । ଇତିମଧ୍ୟରେ ଚୌହାନ୍‌ ବଂଶର ଉଦୟ, ବିଶାଳ ସମ୍ବଲପୁର ସାମ୍ରାଜ୍ୟର ଗଠନ, ସେମାନଙ୍କଠାରୁ ମରହଟ୍ଟା ଏବଂ ମରାହଟ୍ଟାମାନଙ୍କଠାରୁ ଇଂରେଜ-୧୯୪୭ ମସିହା ମଧ୍ୟରେ ଏହାହିଁ ହେଉଛି ସମ୍ବଲପୁରର ଦୁଃଖଦାୟକ ଇତିହାସ ।

 

ଏ ଅଞ୍ଚଳର ଧର୍ମ, ସଂସ୍କୃତି, ଭାଷା, ସାହିତ୍ୟ, ବ୍ୟବସାୟ, ବାଣିଜ୍ୟ, ଏବଂ ସର୍ବୋପରି ରାଜନୈତିକ ସ୍ଥିତିକୁ ପ୍ରଭାବିତ କରିବାରେ ମହାନଦୀର ଏକ ବିଶେଷ ଭୂମିକା ରହିଛି । ଏହି ନଦୀ ହିଁ ହୋଇଛି ଅଞ୍ଚଳବାସୀମାନଙ୍କର ଜୀବନିକା ସଦୃଶ । ଏହାରି କୂଳରେ ଆର୍ଯ୍ୟ-ଅଣଆର୍ଯ୍ୟ ସଂସ୍କୃତିର ବିନିମୟ ଘଟିଛି । ଆର୍ଯ୍ୟମାନେ ଅଣ-ଆର୍ଯ୍ୟ ଦେବୀ-ଦେବତାଙ୍କୁ ନିଜର ଧର୍ମୀୟ ବ୍ୟବସ୍ଥାରେ ରୂପାନ୍ତରିତ କରି ନିଜର କରି ନେଇଛନ୍ତି । ଅଣଆର୍ଯ୍ୟମାନେ ଏମାନଙ୍କ ସମ୍ପର୍କରେ ଆସି ନିଜ ଜୀବନ ଶୈଳୀରେ ପରିବର୍ତ୍ତନ ଘଟାଇଛନ୍ତି । ସେମାନଙ୍କର ଯାଯାବର-ପ୍ରବୃତ୍ତି ଧୀରେ ଧୀରେ ସ୍ତିମିତ ହୋଇ ଅଧିକାରବୋଧ ଜାଗିଛି । ସେମାନେ ମଧ୍ୟ ସଂଚୟ ଏବଂ ସାମ୍ରାଜ୍ୟ ଗଠନରେ ଆଗ୍ରହୀ ହୋଇଉଠିଛନ୍ତି । ସଂଘର୍ଷ ମଧ୍ୟରେ ଦୁଇଗୋଷ୍ଠୀ ମଧ୍ୟରେ ଅନ୍ତରଙ୍ଗ ସମ୍ପର୍କ ମଧ୍ୟ ସ୍ଥାପିତ ହୋଇଛି । ସୁରେନ୍ଦ୍ର ସାଏଙ୍କ ସହିତ କାନ୍ଧକୁ କାନ୍ଧ ମିଳାଇ ସେମାନେ ବିଦେଶୀ ଶତ୍ରୁମାନଙ୍କ ସହିତ ଲଢ଼ିଛନ୍ତି । ସମନ୍ୱୟର ଏହି ବିରଳ ଘଟଣାରେ ମହାନଦୀ ହିଁ ହୋଇଛି ସମ୍ପର୍କର ସେତୁ ।

 

ଅବବାହିକାରୁ ତ୍ରିକୋଣଭୂମି :–ଓଡ଼ିଶା ଏକ ପ୍ରାଚୀନ ରାଜ୍ୟ ଏବଂ ଏହା କଳିଙ୍ଗ, ଉତ୍କଳ ଓ କୋଶଳ ନାମରେ ତିନିଭାଗରେ ବିଭକ୍ତ ଥିଲା । ‘କଳିଙ୍ଗ’ର ନାମ ମହାଭାରତରେ ଉଲ୍ଲିଖିତ ଥିବା ବେଳେ ‘ଉତ୍କଳ’ର ନାମ କାଳିଦାସଙ୍କର ‘ରଘୁବଂଶ’ରୁ ମିଳୁଛି । ଖ୍ରୀଷ୍ଟଜନ୍ମର ଅନ୍ତତଃ ହଜାରେ ବର୍ଷ ପୂର୍ବରୁ ଏବଂ ମହାଭାରତ ଯୁଦ୍ଧ ଆଗରୁ ଆର୍ଯ୍ୟମାନେ ପୂର୍ବ-ଉପକୂଳର ଏହି ଭୂଖଣ୍ଡ ପ୍ରତି ଆଗ୍ରହୀ ହୋଇଥିବାର ଜଣାଯାଉନାହିଁ । ବୈଦିକଯୁଗ–ଏଭଳିକି ସୂତ୍ରଯୁଗର ଆରମ୍ଭ ହେବା ପର୍ଯ୍ୟନ୍ତ ଏହି ରାଜ୍ୟ ଆର୍ଯ୍ୟମାନଙ୍କ ସହିତ କୌଣସି ଯୋଗାଯୋଗ ରଖିଥିବାର ପ୍ରମାଣ ନାହିଁ । ହୁଏତ ଏହି କାରଣରୁ ମହାଭାରତରେ କଳିଙ୍ଗୀମାନଙ୍କୁ ‘ଦୁଧର୍ମା’ (କର୍ଣ୍ଣପର୍ବ–୨୦୬୬) ବୋଲି କୁହାଯାଇଛି । ସମ୍ଭବତଃ ଏମାନେ ବୈଦିକ ଆଚରଣ ବିଧି ଗ୍ରହଣ କରୁ ନଥିବାରୁ ଧର୍ମଦ୍ୱେଷୀ ରୂପରେ ଚିତ୍ରିତ ହୋଇଛନ୍ତି । ବୈଦିକ ସାହିତ୍ୟରେ ଏ ଅଞ୍ଚଳ ସମ୍ପର୍କରେ ଯେଉଁ ସୂଚନା ମିଳୁଛି, ତାହା ହେଉଛି ଏହି ଯେ, ଏଠାର ଅରଣ୍ୟାଞ୍ଚଳ ଶବର ଜାତିର ବାସ ଭୂମି । ତେବେ ରାମାୟଣର ଅଯୋଧ୍ୟାକାଣ୍ଡରେ କଳିଙ୍ଗ ନଗରର ଶାଳ ଅରଣ୍ୟ ପ୍ରସଙ୍ଗ ବର୍ଣ୍ଣିତ ହୋଇଛି । ଭରତ ରାଜଗୃହରୁ ଫେରୁଥିବା ବେଳେ ଏହି ବାଟେ ଯାଇଥିଲେ । ମହାଭାରତର ଆଦି ପର୍ବରେ ଓଡ଼ିଶାରେ ଆର୍ଯ୍ୟପ୍ରଭାବ ସମ୍ପର୍କରେ ସୂଚିତ ହୋଇଛି । କଳିଙ୍ଗ ରାଜକନ୍ୟା କରମ୍ଭକଙ୍କ ସହିତ ପୌରବରାଜ ଅକ୍ରୋଧନଙ୍କର ବିବାହ ହୋଇଥିବା କଥା ଏଥିରେ କୁହାଯାଇଛି । ପୁଣି ଦୁଷ୍ମନ୍ତଙ୍କ ପିତାମହ ତମସୁ ମଧ୍ୟ ଜଣେ କଳିଙ୍ଗ ରାଜକନ୍ୟାଙ୍କୁ ବିବାହ କରିଥିବାର ସୂଚନା ଦିଆଯାଇଛି । କଳିଙ୍ଗ ରାଜପରିବାର ସହିତ ଉତ୍ତର ଭାରତର ପୁରୁବଂଶୀୟ କ୍ଷତ୍ରିୟମାନଙ୍କର ବୈବାହିକ ସମ୍ପର୍କ ସ୍ଥାପନ ଦ୍ୱାରା କଳିଙ୍ଗ ରାଜବଂଶ କ୍ଷତ୍ରିୟ-ପରମ୍ପରାରେ ଗୃହୀତ ହୋଇଥିବାର ଜଣାଯାଏ । ଆହୁରି ମଧ୍ୟ ଶାନ୍ତି ପର୍ବରେ କଳିଙ୍ଗ ରାଜକନ୍ୟାଙ୍କ ସ୍ୱୟମ୍ବର ପାଇଁ କଳିଙ୍ଗ ରାଜ ଚିତ୍ରାଙ୍ଗଦ, ଶିଶୁପାଳ, ଜରାସନ୍ଧ, ଭୀଷ୍ମକ, ଶତଧନ୍ୱା, ଭୋଜ, ଦୁର୍ଯ୍ୟୋଧନ ପ୍ରଭୃତି ଉତ୍ତରାପଥର ତାବତ୍ୟୟ ରାଜନ୍ୟ ମଣ୍ଡଳୀଙ୍କୁ ନିଜ ରାଜଧାନୀ ରାଜପୁରକୁ ନିମନ୍ତ୍ରଣ କରିଥିବା, ଦୁର୍ଯ୍ୟୋଧନ ବଳପୂର୍ବକ ରାଜକନ୍ୟାଙ୍କୁ ଅପହରଣ କରି ହସ୍ତିନା ନେଇଯିବା ତଥା କ୍ରୁଦ୍ଧ ରାଜାମାନଙ୍କ ସହିତ ଯୁଦ୍ଧ କରିବା ଓ କର୍ଣ୍ଣ ସେମାନଙ୍କୁ ପରାଜିତ କରିଥିବା ବିଷୟ ବର୍ଣ୍ଣିତ । ଆଦିପର୍ବରେ କଳିଙ୍ଗ ରାଜ ଶ୍ରୁତାୟୁଧ ଦୁର୍ଯ୍ୟୋଧନ ସହ ଦ୍ରୌପଦୀଙ୍କ ସ୍ୱୟମ୍ବରରେ ଯୋଗଦେବା ନିମନ୍ତେ ଯାଇଥିବାର କୁହାଯାଇଛି । ଶେଷ ସୂଚନା ମିଳୁଛି ତିନିପୁତ୍ର ଶକ୍ରଦେବ, ଭାନୁମାନ୍‌ ଏବଂ କେତମାନ୍‌ଙ୍କ ସହିତ ଶ୍ରୁତାୟୁଧଙ୍କର ମହାଭାରତ ଯୁଦ୍ଧରେ କୌରବ ଶିବିରରେ ଯୋଗଦେବା ସମ୍ପର୍କରେ । (ଭୀଷ୍ମପର୍ବ) ତାଙ୍କ ସହ ୬୦ ହଜାର ରଥ ଏବଂ ୧୦ ହଜାର ହସ୍ତୀ ଥିଲେ । ଯୁଦ୍ଧର ତୃତୀୟ ଦିନରେ ଭୀମଙ୍କ ସହ କଳିଙ୍ଗ ବାହିନୀର ଘୋରଯୁଦ୍ଧ ଏବଂ ପ୍ରଚଣ୍ଡ ବୀରତ୍ୱ ପ୍ରଦର୍ଶନ କରି ସପୁତ୍ର କଳିଙ୍ଗରାଜ ଭୀମଙ୍କ ଦ୍ୱାରା ନିହତ ହେବାର ବର୍ଣ୍ଣିତ ହୋଇଛି । ଏଥିରୁ ଏହାହିଁ ପ୍ରମାଣିତ ହେଉଛି ଯେ, ମହାଭାରତ କାଳକୁ କଳିଙ୍ଗ ଆର୍ଯ୍ୟାବର୍ତ୍ତର ଏକ ଅଶଂରେ ପରିଣତ ହୋଇସାରିଥିଲା ।

 

ମହାଭାରତ ଯୁଦ୍ଧ ପରେ କଳିଙ୍ଗରେ ଜଣକ ପରେ ଜଣେ ବତ୍ରିଶ ଜଣ ରାଜା ରାଜତ୍ୱ କରିଥିଲେ ବୋଲି ବାୟୁ, ମତ୍ସ୍ୟ ଏବଂ ବ୍ରହ୍ମାଣ୍ଡ ପୁରାଣରେ ବର୍ଣ୍ଣିତ ହୋଇଛି । (F.E.Pargiter, The Dynasties of the Kalinga pp.23 69) ତେବେ ଏମାନଙ୍କର ନାମ କିମ୍ବା ଅନ୍ୟ କିଛି ପରିଚୟ ଏଥିରେ ନାହିଁ । ବୌଦ୍ଧସାହିତ୍ୟ ‘ଦୀଘ୍‌ଘନିକାୟ’ ମହାଭାରତ ଯୁଦ୍ଧପରର ଭାରତୀୟ ରାଜପରିବାରର ଏକ ତାଲିକା ପ୍ରସ୍ତୁତ କଲାବେଳେ କଳିଙ୍ଗରାଜ ଶତଭୂଙ୍କ ନାମ ଉଲ୍ଲେଖ କରିଛନ୍ତି, ଯାହାଙ୍କର ରାଜଧାନୀ ଥିଲା ଦନ୍ତପୁର । (ଦୀ.ନି 11 .P 235) ସେହିଭଳି ଜୈନ ଉତ୍ତରାଧ୍ୟୟନ ସୂତ୍ର ତ୍ରୟୋବିଂଶ ତୀର୍ଥନାଥଙ୍କର ପାର୍ଶ୍ୱନାଥଙ୍କ ସେବାକାର୍ଯ୍ୟ ବର୍ଣ୍ଣନା ପ୍ରସଙ୍ଗରେ କଳିଙ୍ଗରାଜ କର୍କଣ୍ଡୁ ବା କରଣ୍ଡୁଙ୍କ ନାମ ଉଲ୍ଲେଖ କରିଛନ୍ତି । ସେ ଥିଲେ ଚମ୍ପାର ଦଧିବାହନଙ୍କ ପୁତ୍ର । (The Sacred book of the Easet XLV -p.87) ଅଭିଧାନ ରାଜେନ୍ଦ୍ରରୁ ଜଣାଯାଏ ଯେ, ଦଧିବାହନଙ୍କ ରାଣୀ ଗର୍ଭାବସ୍ଥାରେ ପ୍ରମୋଦ ଭ୍ରମଣରେ ଅରଣ୍ୟକୁ ଯାଇ ସ୍ୱବାହନ ହସ୍ତୀ ଦ୍ୱାରା ପରିତ୍ୟକ୍ତ ହେବାରୁ ଚମ୍ପା ଫେରି ନପାରି ପାଶ୍ୱବର୍ତ୍ତୀ କଳିଙ୍ଗ ରାଜ୍ୟର ଜଣେ ବ୍ରାହ୍ମଣଙ୍କ ଗୃହରେ ଆଶ୍ରୟ ନେଇଥିଲେ । ସେଇଠାରେ କର୍କଣ୍ଡୁଙ୍କର ଜନ୍ମ ହେଲା ଏବଂ ଶେଷରେ ନିଜର ଗୁଣ ଦ୍ୱାରା କଳିଙ୍ଗ ରାଜାଙ୍କୁ ପ୍ରଭାବିତ କରି ସେ ତାଙ୍କର ଉତ୍ତରାଧିକାରୀ ରୂପେ ନିର୍ବାଚିତ ହୋଇଥିଲେ । ପରେ ଦଧିବାହନ ମଧ୍ୟ ଚମ୍ପାର ଦାୟିତ୍ୱ ତାଙ୍କ ହସ୍ତରେ ଅର୍ପଣ କରିଥିଲେ-। ସେ ଜଣେ ନୈଷ୍ଠିକ ଜୈନ ଥିଲେ ଏବଂ ପାର୍ଶ୍ୱନାଥ ତାଙ୍କୁ ଦୀକ୍ଷା ଦେଇଥିବାର କୁହାଯାଏ । ଗୁରୁ ନିର୍ଦ୍ଦେଶରେ ସେ ‘କରଣ୍ଡକ ବିହାର’ ନାମକ ଜୈନ ଆଶ୍ରମର ସ୍ଥାପନ କରିଥିଲେ ଏବଂ ‘ରାଜର୍ଷି’ ଉପାଧି ଲାଭ କରି ସଂସାର ତ୍ୟାଗ କରିଥିଲେ । (ତୃତୀୟ ସର୍ଗ- କର୍କଣ୍ଡୁ ଚରିତ)

 

ଏହାପରେ ମହାକଳିଙ୍ଗ ନାମକ ଜଣେ ପରାକ୍ରମୀ ସମ୍ରାଟ କଳିଙ୍ଗରେ ରାଜା ହୋଇଥିଲେ ଏବଂ ସେ ଥିଲେ ପ୍ରଥମ କଳିଙ୍ଗଙ୍କର ପୁଅ । ତାଙ୍କ ଅନୁଜ ଚୂଲ୍ଲକଳିଙ୍ଗ ବିଦ୍ରୋହୀ ହେବାରୁ ତାଙ୍କୁ ସେ ରାଜ୍ୟରୁ ନିର୍ବାସିତ କରିଥିଲେ । ଚୂଲ୍ଲକଳିଙ୍ଗ ମଦ୍ରରାଜକୁମାରୀ ମଦ୍ର ଦେବୀଙ୍କୁ ବିବାହ କରିଥିଲେ । ତାଙ୍କର ପୁତ୍ର ଦ୍ୱିତୀୟ କଳିଙ୍ଗ ନିଃସନ୍ତାନ ମହାକଳିଙ୍ଗଙ୍କ ପରେ ସିଂହାସନରେ ବସିଥିଲେ । ଏ ରାଜା ଚକ୍ରବର୍ତ୍ତୀ ସମ୍ରାଟ ହୋଇଥିଲେ ଏବଂ ସ୍ୱୟଂ ଭରଦ୍ୱାଜ ଏହାଙ୍କୁ ଶାସନନୀତି ଶିକ୍ଷା ଦେଇଥିଲେ । ତାଙ୍କ ମୃତ୍ୟୁ ପରେ କଳିଙ୍ଗ ସାମ୍ରାଜ୍ୟର ପତନ ଘଟିଲା । ଖ୍ରୀ:ପୂ :–ଷଷ୍ଠ ଶତକ ବେଳକୁ କଳିଙ୍ଗ ସାମ୍ରାଜ୍ୟ ତାହାର ପୂର୍ବ ଗୌରବ ହଟାଇ ଏକ କ୍ଷୁଦ୍ର ରାଜ୍ୟରେ ପରିଣତ ହେଇଥିଲା । ତେଣୁ ଅଙ୍ଗୁତ୍ତର ନିକାୟ ଏବଂ ମହାବସ୍ତୁରେ ଯେଉଁ ଷୋହଳଟି ସାର୍ବଭୌମ ରାଷ୍ଟ୍ର ସମ୍ପର୍କରେ ସୂଚନା ରହିଛି, ତହିଁରେ କଳିଙ୍ଗର ନାମ ନାହିଁ ।

 

ଓଡ଼ିଶାର ଆଦିବାସୀମାନଙ୍କ ସମ୍ପର୍କରେ କହିବାକୁଯାଇ ଭୌଗୋଳିକ ପ୍ଲିନୀ (Pliny) ସେମାନଙ୍କୁ ‘ସୁଆରୀ’ (Suari) ଏବଂ ଟଲେମି (Ptolemy) ସେମାନଙ୍କୁ ‘ଶବରେ’ (Savarae) ବୋଲି କହିଛନ୍ତି, ଏ ଦୁଇ ଶବ୍ଦ ହେଉଛି ‘ଶବର’ ଶବ୍ଦର ଅପଭ୍ରଂଶ । ବିଦେଶୀ ଐତିହାସିକମାନେ ଓଡ଼ିଆମାନଙ୍କ ସମ୍ପର୍କରେ ଏକ ଚମକପ୍ରଦ ତଥ୍ୟ ପ୍ରଦାନ କରିଛନ୍ତି । ସେମାନଙ୍କ ମତରେ ଖ୍ରୀ:-ପୂ:- ୪୭୭ରୁ ୫୦୦ ଖ୍ରୀଷ୍ଠାବ୍ଦ (ପ୍ରାୟ ନଅଶହ ବର୍ଷ) ମଧ୍ୟରେ ଏଠାରେ ସମତଳ ଅଞ୍ଚଳରେ ବୌଦ୍ଧଧର୍ମାବଲମ୍ବୀମାନେ ବସବାସ କରୁଥିଲେ ହେଁ ହିନ୍ଦୁମାନଙ୍କ ସହିତ ସେମାନଙ୍କର କୌଣସି ସାମଞ୍ଜସ୍ୟ ନଥିଲା । ଏମାନଙ୍କର ସମୁଦ୍ରଯାତ୍ରାରେ ବିଶେଷ ରୁଚି ଥିଲା ।

 

କାଳିଦାସ (ଖ୍ରୀଷ୍ଟୀୟ ୪ର୍ଥ-୫ମ ଶତକ)ଙ୍କ ରଘୁବଂଶରେ ବର୍ଣ୍ଣିତ ଅଛି ଯେ, ଅଯୋଧ୍ୟା ନରେଶ ରଘୁ ଦିଗ୍‌ବିଜୟରେ ବାହାରି ବଙ୍ଗଦେଶକୁ ପଦାନତ କରିସାରିବା ପରେ କପିଶା ନଦୀ ପାର ହୋଇ କଳିଙ୍ଗ ଅଭିଯାନରେ ଯାଇଥିଲେ । ‘ରଘୁବଂଶ’ ବର୍ଣ୍ଣନା ପ୍ରକାରେ,

 

‘‘ସ ତୀର୍ତ୍ତ୍ୱା କପିଶାଂ ଗତଃ ବଦ୍ଧଦ୍ୱିରଦଃ ସେତୁଭିଃ

ଉତ୍କଳାଦର୍ଶିତଃ ପନ୍ଥା କଳିଙ୍ଗାଭିମୁଖୌ ଯଜୌ ।’’

 

ହସ୍ତୀଯୂଥ ସାହାଯ୍ୟରେ ସେତୁ ପ୍ରସ୍ତୁତ କରି ରଘୁ ପ୍ରଥମେ ଉତ୍କଳରେ ଉପସ୍ଥିତ ହେଲେ ଏବଂ ଉତ୍କଳୀମାନେ ତାଙ୍କୁ ବାଟ ଦେଖାଇବାରୁ ସେ କଳିଙ୍ଗ ଅଭିମୁଖରେ ଯାତ୍ରା କଲେ । (ବିନା ପ୍ରତିରୋଧରେ ଉତ୍କଳୀୟମାନେ ତାଙ୍କୁ ବାଟ ଛାଡ଼ିଦେବା କଥାଟି ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ) ଉତ୍କଳ କପିଶା ନଦୀ ଦକ୍ଷିଣରେ ଥିଲା, ଅର୍ଥାତ୍‌ ବର୍ତ୍ତମାନର ବାଲେଶ୍ୱରଠାରୁ ଏହାର ସୀମା ଆରମ୍ଭ ହେଉଥିଲା । ଦକ୍ଷିଣାଞ୍ଚଳ ଅର୍ଥାତ୍‌, ଗଞ୍ଜାମ, କୋରାପୁଟ ଇତ୍ୟାଦିକୁ ନେଇ ସେ କାଳର କଳିଙ୍ଗ ସାମ୍ରାଜ୍ୟ ଗଠିତ ହୋଇଥିଲା । ଭୂଗୋଳତତ୍ତ୍ୱବିତ୍‌ ପାର୍ଜିଟର (Pargiter) ମେଦିନୀପୁରରେ ପ୍ରବାହିତ କଂସାଇ ବା କୋଶୀ ନଦୀକୁ କପିଶା କହିଥିବା ବେଳେ ଲସେନ୍‌ (Lassen) ଏହାକୁ ଆଧୁନିକ ସୁବର୍ଣ୍ଣରେଖା ବୋଲି କହିଛନ୍ତି । ଗଭୀରତା ଏବଂ ବିସ୍ତୃତି ଦୃଷ୍ଟିରୁ ସୁବର୍ଣ୍ଣରେଖା କ୍ଷୁଦ୍ର କଂସାଇଠାରୁ ଶ୍ରେଷ୍ଠ ହୋଇଥିବାରୁ ଏବଂ ହସ୍ତୀସେତୁ ଦ୍ୱାରା ନଦୀ ଅତିକ୍ରମ କରାଯାଇଥିବାର ବର୍ଣ୍ଣନା କରାଯାଇଥିବାରୁ ସୁବର୍ଣ୍ଣରେଖା ହିଁ କପିଶା ବୋଲି ମନେ ହୁଏ ।

 

ଉତ୍କଳ ଏବଂ କଳିଙ୍ଗ ଦୁଇଟି ସ୍ୱତନ୍ତ୍ର ରାଜ୍ୟ ଥିବା ରାଜେନ୍ଦ୍ରଲାଲ ମିତ୍ର ସ୍ୱୀକାର କରିଛନ୍ତି-। ପାର୍ଜିଟର ଲକ୍ଷ୍ୟ କରିଛନ୍ତି ଯେ, କଂସାଇ ନଦୀର ଦକ୍ଷିଣରେ ଥିବା କଳିଙ୍ଗରେ ପହଞ୍ଚିବାକୁ ହେଲେ ଉତ୍କଳର ଗୋଟିଏ ଅଂଶ ଅତିକ୍ରମ କରିବାକୁ ପଡ଼ୁଥିଲା । ତାଙ୍କ ମତରେ କଳିଙ୍ଗ ସାମ୍ରାଜ୍ୟର ଉତ୍ତରସୀମା ଥିଲା ବୈତରଣୀ ନଦୀ । କାରଣ ମହାଭାରତରେ ବର୍ଣ୍ଣିତ ଅଛି ଯେ, ତୀର୍ଥାଟନରେ ବାହାରି ପାଣ୍ଡବମାନେ ଗଙ୍ଗାସାଗର ସଙ୍ଗମରେ ସ୍ନାନ କରିସାରିବା ପରେ ସମୁଦ୍ର କୂଳେ କୂଳେ କଳିଙ୍ଗ ଆଡ଼କୁ ଅଗ୍ରସର ହୋଇଥିଲେ ଏବଂ ବୈତରଣୀ ନଦୀ କୂଳରେ ଉପସ୍ଥିତ ହୋଇଥିଲେ । ଏହା କୂଳରେ ଥିଲା ବିରଜାକ୍ଷେତ୍ର । ତାଙ୍କ ମତରେ କଳିଙ୍ଗର ସୀମା ବାଲେଶ୍ୱର ଜିଲ୍ଲାର ଭଦ୍ରକ ପର୍ଯ୍ୟନ୍ତ ଏବଂ ଦକ୍ଷିଣରେ ବିଶାଖାପାଟଣା ପର୍ଯ୍ୟନ୍ତ ବିସ୍ତୃତ ଥିଲା । ଲସେନ୍‌ଏ ସମ୍ପର୍କରେ ଏକ ସ୍ପଷ୍ଟ ମତ ଦେଇ କହନ୍ତି ଯେ, କଳିଙ୍ଗ ସାମ୍ରାଜ୍ୟ ପୂର୍ବଘାଟ ପର୍ବତମାଳା ଅଭ୍ୟନ୍ତରସ୍ଥ ବିଶାଖାପାଟଣାରୁ ଆରମ୍ଭ କରି ଦକ୍ଷିଣ ପଶ୍ଚିମରେ କର୍ଣ୍ଣୁଲ ଜିଲ୍ଲା ପର୍ଯ୍ୟନ୍ତ ବ୍ୟାପିଥିଲା ।

 

ଉତ୍କଳ ଏବଂ କଳିଙ୍ଗର ସୀମା ସମ୍ପର୍କରେ କେବେ ଏତିକି ମାତ୍ର କୁହାଯାଇପାରିବ ଯେ କପିଶା ଥିଲା ଉତ୍କଳ ଓ ବଙ୍ଗର ସୀମା । ବାଲେଶ୍ୱରର ପାର୍ବତ୍ୟାଞ୍ଚଳଠାରୁ ଆରମ୍ଭ କରି ଏହା ଲୋହାରଡ଼ଗା ଏବଂ ସରଗୁଜା ପର୍ଯ୍ୟନ୍ତ ବ୍ୟାପିଥିଲା । ‘ଉତ୍କଳ’ ଶବ୍ଦ ସମ୍ପର୍କରେ ‘ରାଜେନ୍ଦ୍ରଲାଲ’ କହନ୍ତି, ‘ଓଡ଼୍ର’ ଶବ୍ଦଟି ସାଧାରଣତଃ ଓଡ଼ିଆମାନଙ୍କ ପାଇଁ ବ୍ୟବହାର କରାଯାଏ ଏବଂ ଏହା ‘ଓଡ଼୍‌’ ବା ‘ଉତ୍‌’ ପୂର୍ବ ପ୍ରତ୍ୟୟ ନିଷ୍ପନ୍ନ । ଏହା ସହିତ ଯୁକ୍ତ ହୋଇଛି ‘କୋଳ’ ଶବ୍ଦ, ଯାହା ଏକ ଆଦିମ ଜାତିର ବଂଶଗତ ନାମ । ଫଳରେ ଶବ୍ଦଟି ହେଲା ‘ଉଡ଼୍‌କୋଳ’ ବା ‘ଉଡ଼୍‌’ମାନଙ୍କର ଏକ ‘କୋଳ’ । କାଳକ୍ରମେ ‘ଉଡ଼୍‌’ ‘ଉତ୍‌’ରେ ପରିବର୍ତ୍ତିତ ହୋଇଛି ଏବଂ ‘କୋଳ’ ମଧ୍ୟ ଅପଭ୍ରଂଶରେ ‘କଳ’ ହୋଇ ‘ଉତ୍କଳ’ ଶବ୍ଦର ସୃଷ୍ଟି ହୋଇଛି । ଶବ୍ଦଟି ସଂସ୍କୃତ ଏବଂ ଏହାର ଅର୍ଥ ହେଉଛି ‘ପକ୍ଷୀଧରାଳି ।’ ଶବରଗୋଷ୍ଠୀ ପକ୍ଷୀ ଧରି ଜୀବିକା ନିର୍ବାହ କରୁଥିବାରୁ ସେମାନଙ୍କ ବାସଭୂମିକୁ ‘ଉତ୍କଳ’ କୁହାଯାଉଥିଲା । ମନୁଙ୍କ ବିଚାରରେ ଏହି ଦେଶ ‘ବ୍ରାତ୍ୟ’ ବା ‘ପତିତ’ ଥିଲା ବନେଚରମାନଙ୍କର ନିବାସ ଭୂମି ହୋଇଥିବାରୁ । ‘ମନୁସଂହିତା’ କହନ୍ତି,

 

‘‘ଅଙ୍ଗବଙ୍ଗ କଳିଙ୍ଗେଷୁ ସୌରାଷ୍ଟ୍ର ମଗଧେଷୁ ଚ,’’

ତୀର୍ଥଯାତ୍ରାଂ ବିନା ଯାତ୍ରା ପୁନଃ ସଂସ୍କାରମର୍ହତି ।।

 

ଅର୍ଥାତ୍‌ କେବଳ ତୀର୍ଥଯାତ୍ରା ବ୍ୟତୀତ ଅନ୍ୟ ଉଦ୍ଦେଶ୍ୟରେ ଅଙ୍ଗ, ବଙ୍ଗ, କଳିଙ୍ଗ ସୌରାଷ୍ଟ୍ର ବା ମଗଧକୁ ଗଲେ ପ୍ରାୟଶ୍ଚିତ୍ତ କରିବାକୁ ପଡ଼ିବ । (ମନୁଙ୍କ ସମୟକୁ କଳିଙ୍ଗ ତେବେ ଏକ ତୀର୍ଥକ୍ଷେତ୍ରର ମାନ୍ୟତା ପାଇସାରିଥିଲା । ତୀର୍ଥ କେଉଁଟି ? ଶ୍ରୀକ୍ଷେତ୍ର କି ?) ଯାହାହେଉ, ପ୍ରାଚୀନ ଓଡ଼ିଶାର ଇତିହାସ ଏ ପର୍ଯ୍ୟନ୍ତ ଅନ୍ଧକାରାଚ୍ଛନ୍ନ ହୋଇ ରହିଛି । ଅଭିଲେଖ, ମୁଦ୍ରା ଏବଂ ପ୍ରାଚୀନ କାବ୍ୟାଦିରୁ ଯେତିକି ଉପାଦାନ ମିଳୁଛି, ସେଥିରୁ ଓଡ଼ିଶା ସମ୍ପର୍କରେ ଏକ ଧାରଣା କରାଯାଇପାରେ । ପ୍ରତ୍ନତାତ୍ତ୍ୱିକ ଖୋଦନ ମଧ୍ୟ ଏଥିପାଇଁ ମୂଲ୍ୟବାନ୍‌ ଉପାଦାନ ଯୋଗାଇ ଦେଇଛି-। ଏସବୁର ଆଧାରରେ ଓଡ଼ିଶାର ଇତିହାସକୁ ମୁଖ୍ୟତଃ ତିନୋଟି ଭାଗରେ ବିଭକ୍ତ କରାଯାଇପାରେ । (କ) ପ୍ରାଚୀନ କାଳରୁ 1568 ଖ୍ରୀ:ଅ :–ପର୍ଯ୍ୟନ୍ତ । (ଖ) ଷୋଡ଼ଶରୁ ଅଷ୍ଟାଦଶ ଶତକ ପର୍ଯ୍ୟନ୍ତ (ଗ) 1803 ରୁ ଇଂରେଜ ଶାସନର ଆରମ୍ଭ ଏହିଠାରୁ ସ୍ୱାଧୀନତା ଲାଭ ପର୍ଯ୍ୟନ୍ତ ।

 

ଇତିହାସ ରଚନା ପାଇଁ ପ୍ରାଚୀନ ଅଭିଲେଖଗୁଡ଼ିକ ହେଉଛି ପାହାଚ ସଦୃଶ । ସେ ସମୟର ରାଜନୈତିକ, ପ୍ରଶାସନିକ, ସାମାଜିକ, ଧାର୍ମିକ ତଥା ଅର୍ଥନୈତିକ ଅବସ୍ଥା ସମ୍ପର୍କରେ ଜାଣିବାକୁ ଏହାଭଳି ଅବଲମ୍ବନ ଆଉ ନାହିଁ । ଅଭିଲେଖ ଦୁଇ ଶ୍ରେଣୀର । ପ୍ରଥମ ବିଭାଗର ଅଭିଲେଖ ହେଉଛି ପ୍ରଶାସନିକ । ରାଜା ମହାରାଜା ସାମନ୍ତ କିମ୍ବା ପ୍ରଶାସନିକ ଅଧିକାରୀ ଏଥିରେ ନିଜର ସଫଳତା ଏବଂ କୃତିତ୍ୱ ଘୋଷଣା କରିଥାଆନ୍ତି । ଏଥିରେ ମୁଖ୍ୟତଃ ଦାନ ପ୍ରଭୃତିର ଉଲ୍ଲେଖ ଥାଏ । ଦ୍ୱିତୀୟ ବିଭାଗରେ ବ୍ୟକ୍ତି ବିଶେଷଙ୍କର କୃତିତ୍ୱର ବିବରଣୀ ଉତ୍କୀର୍ଣ୍ଣ ହୋଇଥାଏ । ଏହିଭଳି ଆମେ ଅଶୋକଙ୍କର କଳିଙ୍ଗଯୁଦ୍ଧ, ଖାରବେଳଙ୍କ ରାଜ୍ୟଶାସନ ଓ ସଫଳତା, ସୋମବଂଶୀମାନଙ୍କର କାର୍ଯ୍ୟ, ଗଙ୍ଗ ଶାସନ ଏବଂ ଗଜପତି ରାଜାମାନଙ୍କର ଇତିହାସ ଜାଣିଥାଉଁ ।

 

ଜଉଗଡ଼ ଶିଳାଲେଖ (ଅଶୋକ-ତୃତୀୟ ଶତକ) ଆମକୁ ଜଣାଇଦିଏ କଳିଙ୍ଗ ଯୁଦ୍ଧର ଭୟାବହ ବିବରଣୀ, ଯେଉଁଥିରେ ଦେଢ଼ଲକ୍ଷ ବନ୍ଦୀ, ଲକ୍ଷେ ମୃତ୍ୟୁ ଏବଂ ପ୍ରାୟ ଆଉ ସେତିକିଙ୍କର ହତ୍ୟାର ସୂଚନା ରହିଛି । ଧଉଳି ଓ ଜଉଗଡ଼ ଶିଳାଲେଖରେ ଅଶୋକ ଘୋଷଣା କରିଛନ୍ତି, ‘‘ସବୁ ମନୁଷ୍ୟ ମୋର ପ୍ରଜା, ମୋ ନିଜ ସନ୍ତାନର ଐହ୍ୟିକ ଓ ପାରତ୍ରିକ ସୁଖ କାମନା କଲାଭଳି, ମୁଁ ସମସ୍ତଙ୍କର ମଙ୍ଗଳ କାମନା କରୁଛି ।’’ ଖାରବେଳ (ଖ୍ରୀ:-ପୂ:- ପ୍ରଥମ ଶତକ)ଙ୍କର ହାତୀଗୁମ୍ପା ଶିଳାଲେଖ ଅନ୍ୟଏକ ମୂଲ୍ୟବାନ୍‌ ଐତିହାସିକ ଦଲିଲ୍‌ । ଏଥିରେ ତାଙ୍କର ସଫଳତାର ଓ ଅଭିଯାନମାନଙ୍କ ସମ୍ପର୍କରେ ସୂଚନା ଦିଆଯାଇଛି । ଧର୍ମରେ ଜୈନ ହୋଇଥିଲେ ମଧ୍ୟ ସେ ସାମରିକ ଅଭିଯାନ ଦ୍ୱାରା ପୂର୍ବରୁ ପଶ୍ଚିମ ଉପକୂଳଯାଏ ଏବଂ ଉତ୍ତରରେ ମଥୁରାଠାରୁ ଦକ୍ଷିଣରେ ପାଣ୍ଡ୍ୟ ରାଜ୍ୟ ପର୍ଯ୍ୟନ୍ତ ନିଜର ବିଜୟ ଧ୍ୱଜା ଉଡ଼ାଇଥିଲେ । ଉଦୟଗିରିର ମଞ୍ଚପୁରୀ ଗୁମ୍ଫାରେ ତାଙ୍କର ପ୍ରଧାନ ମହିଷୀ କୁଦେପା ଏବଂ କୁମାର ବାଦୁଖଙ୍କର ଶିଳାଲେଖ ରହିଛି । ଆନ୍ଧ୍ରପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲ୍ଲାର ଗୁଣୁପାଲୀ ଅଭିଲେଖରୁ ‘ସଦା’ ନାମକ ଆଉ ଜଣେ ମହାମେଘବାହନ ବଂଶୀୟ ପ୍ରଶାସକଙ୍କ ନାମ ଜଣାଯାଇଥାଏ । ସେ ‘କଳିଙ୍ଗ’ ଏବଂ ‘ମହିଷକ’ର ପ୍ରଭୁ ଥିଲେ । ଖାରବେଳଙ୍କ ବଂଶପାଇଁ ଏହା ଏକ ମୂଲ୍ୟବାନ୍‌ ଐତିହାସିକ ଉପାଦାନ ।

 

ଖାରବେଳଙ୍କ ପରେ ଉତ୍କଳର ଇତିହାସ ଧୂମାଚ୍ଛନ୍ନ ହୋଇ ରହିଛି । ଭଦ୍ରକର ଏକ ଶିଳାଲେଖରୁ ଜଣାଯାଏ ଯେ, ମହାରାଜା ଗଣ ନାମକ ଜଣେ ରାଜା ତୃତୀୟ ଶତକରେ ଉତ୍କଳରେ ରାଜତ୍ୱ କରୁଥିଲେ । ସମୁଦ୍ରଗୁପ୍ତଙ୍କର ଆହ୍ଲାବାଦ ଶିଳାଲେଖରୁ ତତ୍କାଳୀନ ଉତ୍କଳର ରାଜନୈତିକ ସ୍ଥିତି ସମ୍ପର୍କରେ ସୂଚନା ମିଳିଥାଏ । କେନ୍ଦୁଝରର ଅସନପାଟ ଅଭିଲେଖରୁ ବିନ୍ଧ୍ୟାଟବୀ ପର୍ଯ୍ୟନ୍ତ ସାମ୍ରାଜ୍ୟ ବିସ୍ତାର କରିଥିବା ଶତ୍ରୁଭଞ୍ଜ (ଖ୍ରୀଷ୍ଟୀୟ ପଞ୍ଚମ-ଷଷ୍ଠ ଶତକ) ନାମକ ଜଣେ ରାଜାଙ୍କ ସମ୍ପର୍କରେ ଜଣାଯାଇଥାଏ । ମାଠର ବଂଶୀୟ ରାଜା ଶକ୍ତିବର୍ମନ୍‌ ଉତ୍ତରରେ ମହାନଦୀଠାରୁ ଦକ୍ଷିଣରେ କୃଷ୍ଣାନଦୀ ପର୍ଯ୍ୟନ୍ତ ସାମ୍ରାଜ୍ୟ ବିସ୍ତାର କରିଥିବା ତଥ୍ୟ ମଧ୍ୟ ଉପଲବ୍ଧ ହୁଏ । ସେହିଭଳି ମାନରାଜା ଶମ୍ଭୁନାଶ ଉତ୍ତର ତୋଷାଳି, ଦକ୍ଷିଣ ତୋଷାଳି ସହିତ ସମଗ୍ର ଉପକୂଳବର୍ତ୍ତୀ ଅଞ୍ଚଳର ଅଧୀଶ୍ୱର ଥିବା କଥା ମଧ୍ୟ ଏଥିରୁ ଜଣାଯାଇଥାଏ ।

 

ଶୈଳୋଦ୍‌ଭବ ରାଜାମାନଙ୍କର ଗଞ୍ଜାମ, ବୁଗୁଡ଼ା, ନିବିନ୍ନା, କୋଦିଣ୍ଡା, ଟିକାଲୀ, ପୁରୁଷୋତ୍ତମପୁର, ପାରିକୁଦ, ରଣପୁର, ବାଣପୁର, ପୁରୀ, କଟକ ପ୍ରଭୃତି ସ୍ଥାନରୁ ପ୍ରାୟ ପନ୍ଦରଟି ତମ୍ବାପଟ୍ଟା ମିଳିଛି । ଏମାନେ କଙ୍ଗୋଦ ମଣ୍ଡଳ (ଗଞ୍ଜାମ, ପୁରୀ)ର ଅଧୀଶ୍ୱର ଥିଲେ । ସେମାନଙ୍କ ସମୟ (ଷଷ୍ଠ-ସପ୍ତମ ଶତକ)ର ଅଶ୍ୱମେଧ ଯଜ୍ଞ, ଶୈବଧର୍ମର ପୃଷ୍ଠପୋଷକତା ଏବଂ ଜୈନଧର୍ମ ପ୍ରତି ସହନଶୀଳତା ପ୍ରଭୃତି ବହୁ କଥା ଏଥିରେ ଜାଣିବାକୁ ମିଳେ । ଭୌମକରମାନଙ୍କର ବହୁ ତମ୍ବାପଟ୍ଟା ଶାସନ ମିଳିଛି । ଏହି ବଂଶର ଅଠର ଜଣ ଶାସକଙ୍କ ମଧ୍ୟରୁ ଛଅଜଣ ଥିଲେ ନାରୀ । ଭାରତ ଇତିହାସରେ ଏହି ଘଟଣା ଅଭୂତପୂର୍ବ । ଏହି ବଂଶର ପ୍ରଥମ କେତେ ଜଣ ରାଜା ବୌଦ୍ଧ ଥିଲେ ମଧ୍ୟ ପରବର୍ତ୍ତୀ ରାଜାମାନେ ବ୍ରାହ୍ମଣ୍ୟ ଧର୍ମର ପୃଷ୍ଠପୋଷକ ହୋଇଥିଲେ । ଅନୁଶାସନରୁ ସେହିଭଳି ମଧ୍ୟଯୁଗର କେତେକ ଗୌଣ ରାଜବଂଶ ସମ୍ପର୍କରେ ମଧ୍ୟ ସୂଚନା ମିଳିଥାଏ । ଭଞ୍ଜମାନେ ବର୍ତ୍ତମାନର ମୟୂରଭଞ୍ଜ ଏବଂ କେନ୍ଦୁଝର ଅଞ୍ଚଳରେ ରାଜତ୍ୱ କରୁଥିଲେ ଏବଂ ସେମାନଙ୍କର ରାଜଧାନୀ ଥିଲା ଖିଜିଂକୋଟା (ଖିଚିଂ) । ଭଞ୍ଜବଂଶର ଅନ୍ୟଏକ ଶାଖା ଖିଞ୍ଜିଳି ମଣ୍ଡଳରେ ରାଜପଣ କରୁଥିଲେ । ସୋନପୁର, ବୌଦ, ଆଠମଲ୍ଲିକ ପ୍ରଭୃତି ଏହାର ଅନ୍ତର୍ଭୁକ୍ତ ଥିଲା-

 

ଗଙ୍ଗବଂଶୀୟମାନଙ୍କ ସମ୍ପର୍କରେ ସେହିଭଳି ବହୁ ତମ୍ବାପଟ୍ଟା ଅନୁଶାସନ ମିଳୁଛି । ସେଥିରୁ ଜଣାଯାଏ ଯେ, ଅନନ୍ତ ବର୍ମନ ଚୋଡ଼ଗଙ୍ଗଦେବ ଦ୍ୱାଦଶ ଶତକରେ ଉପକୂଳବର୍ତ୍ତୀ ଓଡ଼ିଶା ଅଧିକାର କରିଥିଲେ । ଏହି ବଂଶର ରାଜାମାନେ ପୁରୀ ଏବଂ କୋଣାର୍କଠାରେ ମନ୍ଦିର ନିର୍ମାଣ କରିଥିଲେ । ସୂର୍ଯ୍ୟବଂଶୀୟ ଗଜପତି କପିଳେନ୍ଦ୍ର, ପୁରୁଷୋତ୍ତମ ଏବଂ ପ୍ରତାପରୁଦ୍ରଙ୍କ ସମ୍ପର୍କରେ ସେମାନଙ୍କ ତମ୍ବାପଟ୍ଟା ଅନୁଶାସନରୁ ଅନେକ ତଥ୍ୟ ମିଳେ ।

 

ପ୍ରାଚୀନ ମୁଦ୍ରା ହେଉଛି ଇତିହାସର ମୂଲ୍ୟବାନ୍‌ ଉପାଦାନ । ଓଡ଼ିଶାରେ ରାଜତ୍ୱ କରିଥିବା ଶୈଳୋଦ୍‌ଭବ, ଭୌମକର ଏବଂ ସୋମବଂଶୀ ରାଜାମାନଙ୍କର କୌଣସି ମୁଦ୍ରା ଅବଶ୍ୟ ଏ ପର୍ଯ୍ୟନ୍ତ ଉପଲବ୍ଧ ହୋଇନାହିଁ । ଓଡ଼ିଶାରୁ ଭାରତର ଅନ୍ୟାନ୍ୟ ପ୍ରାନ୍ତର ଶାସକମାନଙ୍କର ପ୍ରାଚୀନ ମୁଦ୍ରା ମିଳୁଥିବାରୁ ସେ ସମୟରେ ସେମାନଙ୍କ ସହିତ ଓଡ଼ିଶାର ରାଜନୈତିକ, ସାଂସ୍କୃତିକ, ତଥା ଅର୍ଥନୈତିକ ସମ୍ପର୍କ ବିଷୟରେ ଅନେକ ବିବରଣୀ ମିଳିଥାଏ । ସେହିଭଳି ଓଡ଼ିଶାର ପ୍ରାଚୀନ ସ୍ଥାପତ୍ୟ ଗୁମ୍ଫା, ଦୁର୍ଗ ପ୍ରଭୃତିରୁ ପ୍ରାଚୀନ ଓଡ଼ିଶାର କଳା ଓ ସଂସ୍କୃତି ସମ୍ପର୍କରେ ଅନେକ କଥା ଜଣାଯାଇଥାଏ । ଓଡ଼ିଶାରେ ଷଷ୍ଠରୁ ଷୋଡ଼ଶ ଶତକ ମଧ୍ୟରେ ବହୁ ମନ୍ଦିର ନିର୍ମିତ ହୋଇଥିଲା । ତହିଁରୁ ଓଡ଼ିଶାର ସଂସ୍କୃତି, ଏଠାରେ ସମୃଦ୍ଧ ସ୍ଥାପତ୍ୟ କଳା ଏବଂ ବିଶେଷ କରି ଅର୍ଥନୈତିକ ସ୍ଥିତି ବିଷୟରେ ଜଣାଯାଇଥାଏ ।

 

ସାହିତ୍ୟ ହେଉଛି ଇତିହାସର ଅନ୍ୟତମ ଉପାଦାନ । ରାମାୟଣ, ମହାଭାରତ, ବୌଦ୍ଧସାହିତ୍ୟ ଏବଂ ପୁରାଣଗୁଡ଼ିକରେ ଏହି ରାଜ୍ୟ ସମ୍ପର୍କରେ ଅନେକ ବିବରଣୀ ରହିଛି । ପୁରାଣରେ ଓଡ଼୍ର, ଉତ୍କଳ ଏବଂ କଳିଙ୍ଗ ରହିଛି । ପୁରାଣରୁ ଜଣାଯାଏ ଯେ, ସୁଦ୍ୟୁମ୍ନଙ୍କ ତିନିପୁତ୍ର ମଧ୍ୟରୁ ଉତ୍କଳନାମକ ପୁତ୍ର ଉତ୍କଳର ରାଜା ହୋଇଥିଲେ । ପୁଣି ମହାରାଜା କଳିଙ୍ଗ ପତ୍ନୀ ସୁଦେଷ୍ଣାଙ୍କ ଗର୍ଭରୁ ଦୀର୍ଘତମା ଋଷିଙ୍କ ଔରସରେ କଳିଙ୍ଗ ନାମକ ପୁତ୍ର ଜନ୍ମ ହୋଇଥିଲେ ବୋଲି ମଧ୍ୟ ପୁରାଣରୁ ଜଣାଯାଏ । ବ୍ରହ୍ମପୁରାଣରେ ଓଡ଼ିଶାର ତୀର୍ଥକ୍ଷେତ୍ରମାନଙ୍କ ମଧ୍ୟରେ ବିରଜା, ପୁରୁଷୋତ୍ତମ, ଏକାମ୍ର ଏବଂ କୋଣାର୍କ ପ୍ରଭୃତିର ବର୍ଣ୍ଣନା ରହିଛି । ସ୍କନ୍ଦପୁରାଣର ପୁରୁଷୋତ୍ତମ ମାହାତ୍ମ୍ୟ ଖଣ୍ଡ କେବଳ ଶ୍ରୀକ୍ଷେତ୍ର ସମ୍ପର୍କରେ ବର୍ଣ୍ଣନା କରିଛି । ସ୍ୱର୍ଣ୍ଣାଦ୍ରି ମହୋଦୟ, ଏକାମ୍ର ପୁରାଣ, ଏକାମ୍ର ଚନ୍ଦ୍ରିକା ପ୍ରଭୃତି ଏକାମ୍ର କ୍ଷେତ୍ରର ମହିମା ଗାନରେ ମୁଖର । କପିଳସଂହିତା ଏବଂ ତୀର୍ଥ ଚିନ୍ତାମଣିରେ ଉପକୂଳବର୍ତ୍ତୀ ତୀର୍ଥମାନଙ୍କ ସମ୍ପର୍କରେ ବିସ୍ତୃତ ବର୍ଣ୍ଣନା ରହିଛି ।

 

ବୌଦ୍ଧସାହିତ୍ୟ ଏବଂ ଉତ୍କଳ ପ୍ରସଙ୍ଗ ପୂର୍ବରୁ ସୂଚିତ ହୋଇଛି । ଚାଣକ୍ୟଙ୍କ ‘ଅର୍ଥଶାସ୍ତ୍ର’ରେ କଳିଙ୍ଗର ହସ୍ତୀମାନଙ୍କ ସମ୍ପର୍କରେ ବିଶେଷ ପ୍ରଶଂସା ରହିଛି । ଶ୍ରୀହର୍ଷଙ୍କ ‘ରତ୍ନାବଳୀ’ ନାଟିକାରେ (ସପ୍ତମ ଶତକ) ଦକ୍ଷିଣ କୋଶଳ (ସମ୍ବଲପୁର ଅଞ୍ଚଳ) ସମ୍ପର୍କରେ ସୂଚନା ରହିଛି ଏବଂ ସମ୍ଭବତଃ ଓଡ଼ିଶା ଉପକୂଳରେ ଜାହାଜ ଭାଙ୍ଗିଯିବାରୁ ଜଣେ ସିଂହଳୀ ରାଜକନ୍ୟା କିଭଳି ଦୁର୍ଦ୍ଦଶାଗ୍ରସ୍ତ ହୋଇଥିଲେ ତାହାର ବର୍ଣ୍ଣନା ରହିଛି । ଏହାଛଡ଼ା ଶ୍ରୀମନ୍ଦିରରେ ଉପଲବ୍ଧ ମାଦଳାପାଞ୍ଜିରୁ ମଧ୍ୟ ଓଡ଼ିଶା ସମ୍ପର୍କରେ ଅନେକ ତଥ୍ୟ ମିଳିଥାଏ । ଅନେକେ ବୋଧହୁଏ ଜାଣିନଥିବେ ଯେ ମାଦଳା ପାଞ୍ଚିର ସଂସ୍କୃତ, ତେଲେଗୁ ଏବଂ ବଙ୍ଗଳା ପ୍ରତିଲିପି ମଧ୍ୟ ପ୍ରସ୍ତୁତ ହେଉଥିଲା ଏବଂ ସେଗୁଡ଼ିକର ନାମ ଥିଲା ଯଥା କ୍ରମେ ଓଡ଼୍ରଦେଶ-ରାଜବଂଶାବଳୀ, ଜଗନ୍ନାଥ କୈଫିୟତ୍‌ ଏବଂ ପୁରୁଷୋତ୍ତମ ଚନ୍ଦ୍ରିକା । ଏହାଛଡ଼ା ଅଷ୍ଟାଦଶ ଶତକରେ ରଚିତ ବାସୁଦେବ ରଥଙ୍କର ‘ଗଙ୍ଗାବଂଶାନୁ ଚରିତ’ରୁ ଗଙ୍ଗବଂଶୀରାଜାମାନଙ୍କ ସମ୍ପର୍କରେ ବହୁ ମଲ୍ୟବାନ୍‌ ତଥ୍ୟ ମିଳିଥାଏ । ସାରଳା ଦାସ, ବଳରାମ ଦାସ ତଥା ଅନ୍ୟ କବିମାନଙ୍କ ରଚନାରୁ ମଧ୍ୟ ଓଡ଼ିଶାର ଆଧ୍ୟାତ୍ମିକ ତଥା ସାମାଜିକ ସ୍ଥିତି ସମ୍ପର୍କରେ ଅନେକ କଥା ଜଣା ଯାଇଥାଏ । ସପ୍ତଦଶ ଶତକର କବି ଗଙ୍ଗାଧର ମିଶ୍ରଙ୍କ ରଚିତ ‘କୋଶଳାନନ୍ଦ’ ମହାକାବ୍ୟ ଏବଂ ଚୌହାନ ବଂଶର ଇତିହାସ ପାଇଁ ଏହାର ଅନିବାର୍ଯ୍ୟତା ପ୍ରସଙ୍ଗ ପୂର୍ବରୁ ସୂଚିତ ହୋଇଛି । ଏହାଛଡ଼ା ବିଦେଶୀ ଏବଂ ସ୍ୱଦେଶୀମାନେ ମଧ୍ୟ ଓଡ଼ିଶା ସମ୍ପର୍କରେ ଅନେକ କଥା ଲେଖିଯାଇଛନ୍ତି, ଯେଉଁଥିରେ ଇତିହାସର ବହୁ ତଥ୍ୟ ରହିଛି-

 

ରାଜଶାସନରେ ଉପକୂଳ ଅଞ୍ଚଳ :–କଳିଙ୍ଗରେ ମାଠରବଂଶୀୟ ରାଜାମାନେ (୩୫୦ ଖ୍ରୀ:ଅ :–୪୪୦ ଖ୍ରୀ:ଅ) ରାଜପଣ କରିଥିଲେ ପ୍ରାୟ ଶହେବର୍ଷ । ଏମାନଙ୍କର ସାମ୍ରାଜ୍ୟ ଋଷିକୂଲ୍ୟାଠାରୁ ଗୋଦାବରୀ ପର୍ଯ୍ୟନ୍ତ ବିସ୍ତୃତ ଥିଲା । ଶୈଳୋଦ୍‌ଭବ ବଂଶୀୟ (୫୭୦ ଖ୍ରୀ:ଅ :–୭୩୫ ଖ୍ରୀ:ଅ)ମାନେ ଏହାର ବିସ୍ତାର କରି ସାମ୍ରାଜ୍ୟକୁ ମହାନଦୀ ପର୍ଯ୍ୟନ୍ତ ଆଣିଥିଲେ । ଦକ୍ଷିଣର କିଛି ଅଂଶ ସେମାନଙ୍କ ସାମ୍ରାଜ୍ୟର ଅନ୍ତର୍ଭୁକ୍ତ ନଥିଲା । ସେମାନଙ୍କ ରାଜ୍ୟର ନାମ ଥିଲା କଙ୍ଗୋଦ । ଚୀନ୍‌ ପରିବ୍ରାଜକ ହୁଏନ୍‌ସାଂ ଆନୁମାନିକ ଖ୍ରୀ: ୬୩୮ ରେ ଉତ୍ତରଭାରତରୁ ଓଡ଼ିଶା ଆସି ଦକ୍ଷିଣ ଆଡ଼େ ଯାଇଥିଲେ । ଓଡ଼ିଶା ସେତେବେଳେ ଓଡ଼୍ର, କଙ୍ଗୋଦ, କଳିଙ୍ଗ ପ୍ରଭୃତି ରାଜ୍ୟରେ ବିଭକ୍ତ ଥିଲା । ହୁଏନ୍‌ସାଂ ତାଙ୍କ ବିବରଣୀରେ ଏଠାର ଲୋକ, ବୌଦ୍ଧ ବିହାର, ବନ୍ଦର ପ୍ରଭୃତି ବିଷୟରେ ବର୍ଣ୍ଣନା କରିଛନ୍ତି । କଳିଙ୍ଗର ରାଜଧାନୀ ଥିଲା କଳିଙ୍ଗ ନଗର । ଭୌମକର ବଂଶୀୟ ରାଜାମାନେ ୭୩୬-୯୩୬ ଖ୍ରୀ:ଅ ଅର୍ଥାତ୍‌ ଦୁଇଶହ ବର୍ଷଧରି ଓଡ଼ିଶାରେ ରାଜତ୍ୱ କରିଥିଲେ । ସେମାନଙ୍କ ରାଜଧାନୀ ଥିଲା ଗୁହେଶ୍ୱରପାଟକ (ଯାଜପୁର) । ଦଶମଶତକ ବେଳକୁ କୋଶଳର ସୋମବଂଶୀମାନେ ଉପକୂଳ ଅଞ୍ଚଳକୁ ସେମାନଙ୍କ ସାମ୍ରାଜ୍ୟ ବିସ୍ତାର କରିଥିଲେ । ସେମାନଙ୍କ ରାଜଧାନୀ ଥିଲା ଶ୍ରୀପୁର (ରାୟପୁରଠାରୁ ପ୍ରାୟ ୬୦ କି.ମି ଉତ୍ତର-ପୂର୍ବ ଦିଗରେ ମହାନଦୀ କୂଳରେ ଅବସ୍ଥିତ) ଏବଂ ଯଯାତିଙ୍କ ଅମଳରେ ଏହା ଯାଜପୁରକୁ ସ୍ଥାନାନ୍ତରିତ ହୋଇଥିଲା । ସୋମବଂଶୀମାନେ ନିଜକୁ ‘ତ୍ରିକଳିଙ୍ଗାଧିପତି’ ଏବଂ ‘କୋଶଳେନ୍ଦ୍ର’ ଉପାଧିରେ ଭୂଷିତ କରିଥିଲେ । ଯଯାତି ହେଉଛନ୍ତି ଏହି ବଂଶର ତୃତୀୟ ରାଜା । ସେ ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର, ଦେଓଗାଁର କୁଶଳେଶ୍ୱର ମନ୍ଦିର ଓ କୁଶଭଦ୍ରା ନଦୀର ପଥର ବନ୍ଧ ନିର୍ମାଣ କରାଇଥିଲେ । ଯଯାତି ବୈତରଣୀ କୂଳରେ ଏକ ଯଜ୍ଞ କରାଇ ଏଥିପାଇଁ କାନ୍ୟକୁବ୍‌ଜରୁ ୧୦,୦୦୦ ବୈଦିକ ବ୍ରାହ୍ମଣ ଅଣାଇ ଓଡ଼ିଶାରେ ସେମାନଙ୍କର ବସବାସ ପାଇଁ ସୁବିଧା କରି ଦେଇଥିଲେ ବେଲି କୁହାଯାଏ । ଶେଷ କେଶରୀ ରାଜା ସୁବର୍ଣ୍ଣ କେଶରୀଙ୍କୁ ପରାସ୍ତ କରି ଚୋଡ଼ଗଙ୍ଗ ଦେବ ଓଡ଼ିଶା ଅଧିକାର କରିଥିଲେ ।

 

ଭୌମକର ବଂଶୀୟମାନେ ଯାଜପୁରକୁ ନିଜର ରାଜଧାନୀ କରିଥିବାର ସୂଚିତ ହୋଇଛି-। ପବିତ୍ର ବୈତରଣୀ କୂଳରେ ଏହା ଅବସ୍ଥିତ ଥିଲା । ମହାଭାରତରେ ସୁଦ୍ଧା ଏହି ନଦୀ ସମ୍ପର୍କରେ ଉଲ୍ଲେଖ ରହିଛି । ‘ଏତେ କଳିଙ୍ଗାଃ କୌନ୍ତେୟ ଯତ୍ର ବୈତରଣୀ ନଦୀ’- ପୁଣି ବନପର୍ବରେ ଏକ ତୀର୍ଥ ରୂପରେ ବିରଜା କ୍ଷେତ୍ରର ବିଶେଷ ଉଲ୍ଲେଖ ରହିଛି ।

 

ତତୋ ବୈତରଣୀ ଗତ୍ୱା ସର୍ବପାପ ପ୍ରଣାଶିନିମ୍‌

 

ବିରଜା ତୀର୍ଥ ମାସାଦ୍ୟ ବିରାଜତେ ଯଥା ଶଶୀ । ତେବେ ଗଙ୍ଗମାନେ ରାଜଧାନୀ ପାଇଁ କେନ୍ଦ୍ରସ୍ଥଳ ହୋଇଥିବାରୁ କଟକକୁ ନିର୍ବାଚିତ କରିଥିଲେ । ଚୋଡ଼ଗଙ୍ଗ (୧୦୭୭-୧୧୪୭) କଳିଙ୍ଗ ସାମ୍ରାଜ୍ୟର ସୀମା ଗଙ୍ଗାଠାରୁ ଗୋଦାବରୀ ପର୍ଯ୍ୟନ୍ତ ବିସ୍ତୃତ କରିଥିଲେ । ଏହାଙ୍କ ପୂର୍ବରୁ ମର୍କତକେଶରୀ ଦଶମ ଶତକରେ ମହାନଦୀ ଏବଂ କାଠଯୋଡ଼ିର ପଥର ବନ୍ଧ ନିର୍ମାଣ କରାଇଥିବାର କିମ୍ବଦନ୍ତୀ ରହିଛି । ଚୋଡ଼ଗଙ୍ଗଙ୍କଠାରୁ ଚତୁର୍ଥ ଭାନୁଦେବ (୧୦୭୭-୧୪୩୫) ପର୍ଯ୍ୟନ୍ତ ପାଖାପାଖି ଚାରିଶହ ବର୍ଷ ମଧ୍ୟରେ ଏଠାରେ ପନ୍ଦରଜଣ ରାଜା ଶାସନ କରିଥିଲେ ।

 

ଚୋଡ଼ଗଙ୍ଗ ଶୈବ ଥିଲେ ହେଁ ବୈଷ୍ଣବଧର୍ମର ପୃଷ୍ଠପୋଷକ ଥିଲେ ଏବଂ ‘ପରମ ମାହେଶ୍ୱର’ ତଥା ‘ପରମବୈଷ୍ଣବ’ ଉପାଧି ଧାରଣ କରିଥିଲେ । ପରେ ସେ ନିଜକୁ କେବଳ ‘ପରମ ବୈଷ୍ଣବ’ ଉପାଧିରେ ପରିଚିତ କରାଉଥିଲେ । ଅର୍ଥାତ୍‌ ବୈଷ୍ଣବ ଧର୍ମ ପ୍ରତି ତାଙ୍କର ଆନୁଗତ୍ୟ ବୃଦ୍ଧି ପାଇଥିଲା । ପୁଣି ସେ ନିଜକୁ ଶ୍ରୀଜଗନ୍ନାଥଙ୍କ ଜଣେ ‘ରାଉତ’ ରୂପରେ ପରିଚିତ କରାଇଛନ୍ତି । (୧୧୩୯ ଖ୍ରୀ:-ଅରେ) ସେ ହିଁ ଶ୍ରୀମନ୍ଦିରର ନିର୍ମାତା ବୋଲି ତାଙ୍କର ଉତ୍ତରାଧିକାରୀମାନଙ୍କ ଦାନ ପତ୍ରରୁ ଜଣାଯାଇଥାଏ ।

 

ରାଜତ୍ୱର ପ୍ରଥମ ଭାଗରେ ତାଙ୍କ ରାଜଧାନୀ ଥିଲା ମୁଖଲିଙ୍ଗ । ପରେ ଉତ୍ତରକୁ ସାମ୍ରାଜ୍ୟ ବିସ୍ତୃତ ହେବାରୁ ସେ ରାଜଧାନୀ ମଧ୍ୟ ଓଡ଼ିଶାକୁ ଉଠାଇ ଆଣିଥିଲେ । ମାଦଳାପାଞ୍ଜିର ବିବରଣୀ ଅନୁସାରେ ସେ ‘ନାଟବେଶରେ’ ଅର୍ଥାତ୍‌ ଜଣେ ନର୍ତ୍ତକର ଛଦ୍ମବେଶରେ ଆସି କଟକ ଅଧିକାର କରିଥିଲେ । ସିଂହାଚଳ ମନ୍ଦିର (1113 A.D.) ର ଏକ ଅଭିଲେଖରୁ କଟକର ଗୁରୁତ୍ୱ ସମ୍ପର୍କରେ ଜଣାଯାଇଥାଏ । ଅନଙ୍ଗଭୀମ ଦେବ ବାରାଣସୀ କଟକଠାରେ (ଆଧୁନିକ ବିଡ଼ାନସୀ ଅଞ୍ଚଳ) ରାଜଧାନୀ ସ୍ଥାପନ କରିଥିବା ସମ୍ପର୍କରେ ଏକ ରୋଚକ ବିବରଣୀ ରହିଛି । ବିବରଣୀଟି ହେଲା–ଏକଦା ମୃଗୟା ଉଦ୍ଦେଶ୍ୟରେ ମହାନଦୀ କୂଳରେ ବୁଲୁବୁଲୁ ରାଜା ସେଠାରେ ଏକ ଶାମଳ ପକ୍ଷୀକୁ (ବାଜ ଜାତୀୟ ପକ୍ଷୀ ) ବଗଟିଏ ମାଡ଼ି ବସିଥିବାର ଦେଖିଲେ ଏବଂ ସ୍ଥାନର ନିଶ୍ଚୟ କିଛି ମାହାତ୍ମ୍ୟ ରହିଥିବା ବିଚାରି ରାଜଧାନୀକୁ ଚୌଦ୍ୱାର କଟକରୁ ସେଠାକୁ ଉଠାଇ ଆଣିଲେ । ମାଦଳାପାଞ୍ଜିରେ ସେହି ଘଟଣା ଏହିପରି ବର୍ଣ୍ଣିତ ହୋଇଛି :–‘‘ଏ ଉତାରୁ ଅନଙ୍ଗଭୀମ ଦେବଙ୍କ ସାନଭାଇ ଭୀମପରି ରାଏଙ୍କୁ ଭୀମନଗର ଦଣ୍ଡପାଟୁ’’ ଆଣି ରାଜା କଲେ । ୟେ ଦୁତୀ ଅନଙ୍ଗଭୀମ ଦେବ ହୋଇଲେ । ଏ ରାଜା ନଗର ଚଉଦ୍ୱାର କଟକେ ବିଜେ କରିଥା’ନ୍ତି । ୟେମନ୍ତରେ ପାର ହୋଇ ଏ ନଦୀରୁ ଦକ୍ଷିଣତୀରେ ଦେଖିଲେ କୋଦଣ୍ଡା ଦଣ୍ଡପାଟର ବାରବାଟି ଗ୍ରାମରେ ବିଶ୍ୱେଶ୍ୱର ଦେବଙ୍କ ସନିଧେ ଶାମଳ ପକ୍ଷୀ କି ବଗ ମାଡ଼ି ବସିଅଛି । ଏହା ଦେଖି ରାଜାଏ ବଡ଼ ଆଶ୍ଚର୍ଯ୍ୟ ପାଇ ଶୁଭଯୋଗ ଦିନରେ ଏ ବାରବାଟି ଗ୍ରାମରେ ଶୁଭଦେଇ ନଅର ତୋଳାଇ କଟକ କରି ଏ କଟକ ନାମ ବାରାଣସୀ କଟକ ବୋଲି ନାମ ଦେଇ ନଗର ଚଉଦ୍ୱାର କଟକ ଛାଡ଼ିଆସି କଟକ କରି ରହିଲେ ।’’ ମାଦଳା ପାଞ୍ଜିର ଏହି ବିବରଣୀ ସତ୍ୟ ହୋଇଥିଲେ, ଅନଙ୍ଗଭୀମଦେବ ହିଁ କଟକ ନଗରର ପ୍ରତିଷ୍ଠାତା ବୋଲି ଗ୍ରହଣ କରିନେବାକୁ ହେବ ।

 

ଅନଙ୍ଗଭୀମ ଦେବ ୩ୟ (1208-38 A.D.) ଙ୍କ ସମୟରେ ବଙ୍ଗଳାର ଶାସକ ଗିୟାସୁଦ୍ଦିନ୍‌ଇୟାଜ୍‌ ଓଡ଼ିଶା ଆକ୍ରମଣ କରି ପରାଜିତ ହୋଇଥିଲେ । କାଳାଚୁରୀମାନଙ୍କ ସହିତ ତାଙ୍କର ସଂଘର୍ଷ ହୋଇଥିଲେ ମଧ୍ୟ ପରବର୍ତ୍ତୀକାଳରେ ସେ ନିଜର କନ୍ୟାଚନ୍ଦ୍ରିକାଙ୍କୁ କାଳାଚୁରୀ ଶାସକ ପରମାର୍ଦ୍ଦି ଦେବଙ୍କ ସହ ବିବାହ କରାଇଥିଲେ । ଉଭୟ ରାଜବଂଶର ମିଳିତ ସେନା ଏହାପରେ ମୁସଲମାନମାନଙ୍କୁ ପ୍ରତିହତ କରିବାରେ ସଫଳ ହୋଇଥିଲେ । ଅନଙ୍ଗଭୀମ ବାରାଣସୀ କଟକଠାରେ ଶ୍ରୀଜଗନ୍ନାଥଙ୍କର ଏକ ବିରାଟ ମନ୍ଦିର ନିର୍ମାଣ କରାଇଥିଲେ, ଯାହା ପରବର୍ତ୍ତୀ କାଳରେ ଦିଲ୍ଲୀ ସୁଲତାନ୍‌ ଫିରୋଜ ଶାହ ତୋଗଲକ୍‌ କଟକ ଆକ୍ରମଣ ସମୟରେ (୧୩୬୦-୬୧) ଧ୍ୱଂସ କରିଥିଲେ ଏବଂ ସେଠାରେ କଦମ୍‌ରସୁଲ ନିର୍ମାଣ କରାଯାଇଥିଲା ବୋଲି ଅନୁମାନ କରାଯାଏ ।

 

ଚତୁର୍ଦ୍ଦଶ ଶତକ ବେଳକୁ ଗଙ୍ଗସାମ୍ରାଜ୍ୟର ଭିତ୍ତି ଦୁର୍ବଳ ହେବାକୁ ଆରମ୍ଭ କରିଥିଲା । ଦକ୍ଷିଣରୁ ରେଡ଼୍‌ଡ଼ୀମାନେ ବାରମ୍ବାର ଆକ୍ରମଣ କରି ଗଙ୍ଗସାମ୍ରାଜ୍ୟର କିଛି ଅଂଶ ଅଧିକାର କରି ନେଇଥିଲେ । ଚତୁର୍ଥ ଭାନୁଦେବ (୧୪୧୪-୧୪୩୫)ଙ୍କ ସମୟରେ ମାଲୱାର ସୁଲତାନ ହୁସାଙ୍ଗ୍‌ ଶାହ ୧୪୨୨ ରେ ଜଣେ ଘୋଡ଼ା ବେପାରୀର ଛଦ୍ମବେଶରେ ଓଡ଼ିଶା ଆକ୍ରମଣ କରିଥିଲେ । ବହୁତ ହାତୀ ଉତ୍କୋଚ ଦେଇ ଭାନୁଦେବ ତାଙ୍କଠାରୁ ମୁକୁଳିଥିଲେ । ତେବେ ଦକ୍ଷିଣରୁ ଆକ୍ରମଣ ତୀବ୍ର ହେଲା ଏବଂ ଭାନୁଦେବ ସେଠାରେ ଯୁଦ୍ଧରେ ବ୍ୟସ୍ତ ଥିବା ବେଳେ କପିଳେନ୍ଦ୍ର ସିଂହାସନ ଅଧିକାର କରିନେଲେ । ଏହିଭଳି ଦୀର୍ଘ ଚାରିଶହ ବର୍ଷର ଗଙ୍ଗବଂଶର ରାଜତ୍ୱ ଶେଷ ହେଲା ଏବଂ ସୂର୍ଯ୍ୟ ବଂଶର ରାଜତ୍ୱ ଆରମ୍ଭ ହେଲା ।

 

ଗଜପତି କପିଳେନ୍ଦ୍ର ଦେବ (୧୪୩୫-୧୪୬୬) ଜଣେ ଦୁର୍ଦ୍ଧର୍ଷ ଯୋଦ୍ଧା ତଥା ସୁସଙ୍ଗଚ ଥିଲେ । ତାଙ୍କ ସମୟରେ ଓଡ଼ିଶାର ସୀମା ଦକ୍ଷିଣରେ କାବେରୀ ନଦୀ ପର୍ଯ୍ୟନ୍ତ ବିସ୍ତୃତ ହୋଇଥିଲା-। ତାଙ୍କର ଦୁଇ ଉତ୍ତରାଧିକାରୀ ଏହାର ସୁରକ୍ଷା ନିମନ୍ତେ ଗଳଦ୍‌ଘର୍ମ ହୋଇ ପଡ଼ିଥିଲେ-। ତୃତୀୟ ପୁରୁଷ ପ୍ରତାପ ରୁଦ୍ରଙ୍କ ସମୟରେ ଏହି ସାମ୍ରାଜ୍ୟ ଭାଙ୍ଗି ଯାଇଥିଲା କହିଲେ ଚଳେ । ଓଡ଼ିଶାରେ ସୂର୍ଯ୍ୟବଂଶୀମାନଙ୍କ ଶାସନ ହେଉଛି ଏକ ଗୌରବୋଜ୍ଜ୍ୱଳ ଅଧ୍ୟାୟ । କେବଳ ରାଜନୈତିକ ଦୃଷ୍ଟିରୁ ନୁହେଁ, ଧର୍ମ, ଦର୍ଶନ, ସାହିତ୍ୟ ଓ କଳା-ପ୍ରତ୍ୟେକ କ୍ଷେତ୍ରରେ ଓଡ଼ିଶା ଆଶାତୀତ ଭାବରେ ଅଗ୍ରଗତି କରିପାରିଥିଲା । କପିଳେନ୍ଦ୍ର ପ୍ରଥମେ ନିଜ ସାମ୍ରାଜ୍ୟର ସୁରକ୍ଷା ଉପରେ ଗୁରୁତ୍ୱ ଦେଇ ବିଦ୍ରୋହୀମାନଙ୍କୁ ଦମନ କରିଥିଲେ । ମୁସଲମାନ ଆକ୍ରମଣକୁ ମଧ୍ୟ ପ୍ରତିହତ କରିଥିଲେ । ଉତ୍ତର ଏବଂ ଦକ୍ଷିଣ-ଦୁଇ କ୍ଷେତ୍ରକୁ ସେ ନିଜର ବଳିଷ୍ଠ ସଙ୍ଗଠନ ଶକ୍ତି ଦ୍ୱାରା ନିରାପଦ ରଖିପାରିଥିଲେ । ତାଙ୍କର ଉପାଧି ହେଲା ‘ଗଜପତି ଗୌଡ଼େଶ୍ୱର ନବକୋଟି କର୍ଣ୍ଣାଟ କଳବର୍ଗେଶ୍ୱର ।’ କଟକ ଥିଲା ତାଙ୍କର ରାଜଧାନୀ । କୋଣ୍ଡାବିଡ଼ୁର ଗଣଦେବଙ୍କୁ ଦିଆଯାଇଥିବା ତମ୍ବାପଟ୍ଟା ସନନ୍ଦ (1455 A.D.) ରେ ମହାନଦୀ ତୀରବର୍ତ୍ତୀ ରାଜଧାନୀ କଟକକୁ ‘ଇନ୍ଦ୍ରଙ୍କର ଅମରାବତୀ’ ସହିତ ତୁଳନା କରାଯାଇଛି । ଏଥିରୁ କଟକର ଗୁରୁତ୍ୱ ସହଜରେ ଅନୁଭୂତ ହୁଏ । କପିଳେନ୍ଦ୍ରଙ୍କ ମୃତ୍ୟୁ (1466 A.D.) ପରେ ତାଙ୍କ ପୁତ୍ର ସିଂହାସନରେ ବସିଲେ ଏବଂ ତାଙ୍କ ରାଜତ୍ୱର ପ୍ରଧାନ ଘଟଣା ହେଉଛି କାଞ୍ଚିଜୟ ଏବଂ ରୂପାମ୍ବିକା-ପଦ୍ମାବତୀଙ୍କ ସହିତ ତାଙ୍କର ବିବାହ-। ତାଙ୍କ ମୃତ୍ୟୁ ପରେ ତାଙ୍କ ପୁତ୍ର ପ୍ରତାପ ରୁଦ୍ର ଦେବ ସିଂହାସନରେ ବସିଲେ ୧୪୯୭ରେ-। ଉତ୍କଳ ଇତିହାସର ନିନ୍ଦିତ ଏଇ ଗଜପତିଙ୍କ ଅଧିକାଂଶ ସମୟ ଯୁଦ୍ଧ ବିଗ୍ରହରେ ହିଁ କଟିଯାଇଛି । ବିଜୟନଗରର କୃଷ୍ଣଦେବ ରାୟ ଏ ମଧ୍ୟରେ କ୍ଷମତା ବୃଦ୍ଧି କରି ତାଙ୍କର ପ୍ରତିସ୍ପର୍ଦ୍ଧୀ ହୋଇ ଉଠିଥିଲେ । ଉତ୍ତର ପଟେ ବଙ୍ଗଳାର ସୁଲତାନ୍‌ ମଧ୍ୟ ଓଡ଼ିଶା ପାଇଁ ଆତଙ୍କରେ ପରିଣତ ହୋଇଥିଲେ । ବିଶାଳ ସାମ୍ରାଜ୍ୟର ରକ୍ଷଣାବେକ୍ଷଣ କ୍ରମେ ପ୍ରତାପ ରୁଦ୍ରଙ୍କ ପାଇଁ କଷ୍ଟକର ହୋଇ ଉଠିଲା । ପ୍ରତାପରୁଦ୍ର ଦକ୍ଷିଣରେ ଯୁଦ୍ଧ ଲିପ୍ତ ଥିବା ବେଳେ ଉତ୍ତରରୁ ଇସ୍‌ମାଇଲ ଗାଜି ପୁରୀ ପର୍ଯ୍ୟନ୍ତ ମାଡ଼ି ଆସିଲେ । ପ୍ରତାପରୁଦ୍ର ତାଙ୍କୁ ତଡ଼ୁ ତଡ଼ୁ କୃଷ୍ଣଦେବ ରାୟ ଦକ୍ଷିଣରେ ଉତ୍କଳ ସାମ୍ରାଜ୍ୟର ବହୁ ଅଂଶ ଅଧିକାର କରିନେଲେ । ୧୫୧୯ ରେ ସେ କଟକ ଧ୍ୱଂସ କରିଦେଇଥିଲେ ବୋଲି କୁହାଯାଇଛି । ସେଇ ବର୍ଷ କୃଷ୍ଣଦେବଙ୍କ ସହ ସନ୍ଧି ହେଲା । ଅଧିକୃତ ଅଞ୍ଚଳ କୃଷ୍ଣଦେବ ଚିରଦିନ ପାଇଁ ଦଖଲ କରିଗଲେ ।

 

କିମ୍ବଦନ୍ତୀ ଅଛି ଯେ ସନ୍ଧିର ସର୍ତ୍ତ ସ୍ୱରୂପ ଉତ୍କଳଜେମା ଜଗନ୍ମୋହିନୀ ପ୍ରୌଢ଼ କୃଷ୍ଣଦେବଙ୍କ ଅନ୍ତଃପୁର ମଣ୍ଡନ କରିଥିଲେ ଏବଂ ସେଠାରେ ଉପେକ୍ଷିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ପୁଣି ଉତ୍କଳ ଯୁବରାଜ ବୀରଭଦ୍ର ଦେବ ରାୟଙ୍କ ଦ୍ୱାରା ବନ୍ଦୀ ହୋଇ ଏବଂ ତାଙ୍କର ଏକ ଅପମାନଜନକ ସର୍ତ୍ତରେ ରାଜି ନହୋଇ ଆତ୍ମହତ୍ୟା କରିଥିବା ଜନଶ୍ରୁତି ରହିଛି । ଦୁର୍ଭୋଗ ଏତିକିରେ ଶେଷ ହୋଇନଥିଲା । ସୁଯୋଗ ଦେଖି ଗୋଲକୁଣ୍ଡା ସୁଲତାନ୍‌ କୁଲି କୁତବ୍‌ କୋଣ୍ଡାପଲୀ ଅଧିକାର କରି ନେଲେ । କୌଣସି ମତେ ସାମ୍ରାଜ୍ୟର କେନ୍ଦ୍ରାଂଶଟି ରହିଯାଇଥିଲା ।

 

ସାମରିକ କ୍ଷେତ୍ରରେ ଅସଫଳ ହୋଇଥିଲେ ମଧ୍ୟ ଧର୍ମ ଓ ସାହିତ୍ୟ ପାଇଁ ପ୍ରତାପରୁଦ୍ରଙ୍କ ରାଜତ୍ୱ କାଳ ଉଲ୍ଲେଖଯୋଗ୍ୟ । ପ୍ରତାପରୁଦ୍ର ନିଜେ ‘ସରସ୍ୱତୀବିଳାସ’ କାବ୍ୟ ଲେଖିଥିଲେ । କବି ଡିଣ୍ଡିମ ଜୀବଦେବାଚାର୍ଯ୍ୟ ଭକ୍ତିବୈଭବ ନାଟିକା ଓ ‘ଭକ୍ତିଭାଗବତ’ କାବ୍ୟ ରଚନା କରିଥିଲେ । ବୈଷ୍ଣବ ସନ୍ଥ ପଞ୍ଚସଖା ଏହି ସମୟରେ ବହୁ ଗ୍ରନ୍ଥ ରଚନା କରିଥିଲେ । ବିଶେଷତଃ ଜଗନ୍ନାଥ ଦାସଙ୍କ ‘ଭାଗବତ’ ଏବଂ ବଳରାମଙ୍କ ‘ରାମାୟଣ’ ପ୍ରତ୍ୟେକ ଓଡ଼ିଆର ଅତ୍ୟନ୍ତ ପ୍ରିୟ । ଚୈତନ୍ୟଦେବ ଏହି ସମୟରେ ଓଡ଼ିଶା ଆସିଥିଲେ (1510 A.D.) ଏବଂ ଗଜପତି ତାଙ୍କର ଶିଷ୍ୟତ୍ୱ ଗ୍ରହଣ କରିଥିଲେ । ରାୟ ରାମାନନ୍ଦ ପ୍ରଶାସକ ଥିଲେ ମଧ୍ୟ ପରମବୈଷ୍ଣବ ହୋଇଥିବାରୁ ‘ଜଗନ୍ନାଥ ବଲ୍ଲଭ ନାଟକ’ ରଚନା କରିଥିଲେ । ଅନେକେ ଉତ୍କଳର ପତନପାଇଁ ଗଜପତିଙ୍କର ଆତ୍ୟନ୍ତିକ ଧର୍ମାନୁଗତ୍ୟକୁ ଦାୟୀ କରିଥାଆନ୍ତି । ୧୫୩୩ ରେ ପ୍ରତାପ ରୁଦ୍ରଙ୍କର ମୃତ୍ୟୁ ହେଲା ।

 

ପ୍ରତାପ ରୁଦ୍ରଙ୍କର ବହୁ ଦୋଷ ତ୍ରୁଟି ସତ୍ତ୍ୱେ ସୂର୍ଯ୍ୟବଂଶର ଶହେବର୍ଷର ରାଜତ୍ୱ ହେଉଛି ଓଡ଼ିଶା ପାଇଁ ଏକ ଗୌରବମୟ କାଳ । ବିଶେଷତଃ କପିଳେନ୍ଦ୍ର ଦେବ ରାଜ୍ୟର ସମ୍ମାନକୁ ନେଇ ତୁଙ୍ଗରେ ପହଞ୍ଚାଇ ଦେଇଥିଲେ । ତାଙ୍କ ସମୟରେ ଶୂଦ୍ରମୁନି ସାରଳା ଦାସ ‘ମହାଭାରତ’ ରଚନା କରିଥିଲେ । ପ୍ରତାପ ରୁଦ୍ରଙ୍କ ମୃତ୍ୟୁ ପରେ ତାଙ୍କର ଦୁଇ ଦୁର୍ବଳ ପୁତ୍ର କାଲୁୟ ଦେବ ଏବଂ କଖାରୁଆ ଦେବ ମାତ୍ର ଦୁଇବର୍ଷ ପାଇଁ ରାଜପଣ କରିଥିଲେ । ବିଶ୍ୱସ୍ତ ମନ୍ତ୍ରୀ ଗୋବିନ୍ଦ ବିଦ୍ୟାଧର ସେମାନଙ୍କୁ ହତ୍ୟାକରି ସିଂହାସନରେ ବସିଲେ ମାତ୍ର ଛ’ ବର୍ଷ ପାଇଁ । ତାଙ୍କର ମୃତ୍ୟୁ ହେଲା ୧୫୪୯ରେ । ତାଙ୍କର ଶାସନବେଳକୁ ରାଜନୈତିକ ଓଡ଼ିଶାର ଅବସ୍ଥା ସଙ୍କଟପୂର୍ଣ୍ଣ ହୋଇ ପଡ଼ିଥିଲା । ତାକୁ ସମ୍ଭାଳିବାର ଶକ୍ତି ବିଦ୍ୟାଧରଙ୍କର ନଥିଲା । ଯଥା ଶୀଘ୍ର ମୃତ୍ୟୁ ତାଙ୍କୁ ଏ ସ୍ଥିତିରୁ ମୁକ୍ତି ଦେଲା । ତାଙ୍କ ପରେ ତାଙ୍କ ପୁଅ ଶାସକ ହେଲେ ୧୫୫୭ ପର୍ଯ୍ୟନ୍ତ । ତାଙ୍କ ପୁଅ ନରସିଂହ ଜେନା ତାଙ୍କୁ ହତ୍ୟାକରି ସିଂହାସନ ଅଧିକାର କଲେ । ମାତ୍ର ବର୍ଷକ ପରେ ତାଙ୍କୁ ହତ୍ୟା କଲେ ସେନାପତି ମୁକୁନ୍ଦ ଶ୍ରୀଚନ୍ଦନ ଏବଂ ସିଂହାସନ ଅଧିକାର କଲେ । ଭୋଇବଂଶ ଶେଷ ହେଲା ।

 

ମୁକୁନ୍ଦ ଉଚ୍ଚାକାଂକ୍ଷୀ ଏବଂ ବୀର ଥିଲେ । ୧୫୬୦ ରେ ବଙ୍ଗ ସୁଲତାନ ଗିୟାସୁଦ୍ଦିନ୍‌ଙ୍କୁ ପରାସ୍ତ କରିଥିଲେ । ଇତି ମଧ୍ୟରେ ସୁଲେମାନ୍‌ କରରାନି ବଙ୍ଗର ସୁଲତାନ୍‌ ହେଲା । ରାଜନୈତିକ ସ୍ଥିରତା ପାଇଁ ମୁକୁନ୍ଦ ଏଥର ସନ୍ଧି କଲେ ମୋଗଲ ସମ୍ରାଟ୍‌ ଆକବରଙ୍କ ସହିତ । ଈର୍ଷାନ୍ୱିତ ସୁଲେମାନ୍‌ ୧୫୬୭ ରେ ଓଡ଼ିଶା ଆକ୍ରମଣ କଲେ । ଆକବର ଚିତୋର ଆକ୍ରମଣରେ ବ୍ୟସ୍ତ । ତେଣୁ ତାଙ୍କ ସାହାଯ୍ୟ ନପାଇ ମୁକୁନ୍ଦଙ୍କୁ ଏକାକୀ ଯୁଦ୍ଧ କରିବାକୁ ହେଲା । କଳାପାହାଡ଼ ନେତୃତ୍ୱରେ ସୁଲତାନବାହିନୀ କଟକଯାଏ ଆସିଗଲେ । ଏହା ମଧ୍ୟରେ ସାରଙ୍ଗଗଡ଼ ରାଜା ରାମଚନ୍ଦ୍ର ଭଞ୍ଜ ନିଜକୁ ଓଡ଼ିଶାର ରାଜା ଘୋଷଣା କଲେ । ମୁକୁନ୍ଦ ଦେବ ବାଧ୍ୟ ହୋଇ ସୁଲେମାନ ସହ ସନ୍ଧି କରି କଟକ ରକ୍ଷା ପାଇଁ ଆସିଲେ । ମାତ୍ର ଗୋହିରୀଟିକିରା ଠାରେ ରାମଚନ୍ଦ୍ରଙ୍କ ଚକ୍ରାନ୍ତରେ ନିହତ ହେଲେ (1568A.D) । ରାମଚନ୍ଦ୍ର ଦେବ ମଧ୍ୟ ସୁଲତାନ୍‌ ପୁତ୍ର ବାୟାଜିଦ୍‌ ହାତରେ ହାଣ ଖାଇଲେ । ଓଡ଼ିଶା ଚିରଦିନ ପାଇଁ ତା’ର ସ୍ୱାଧୀନତା ହରାଇ ଆଫଗାନ୍‌ମାନଙ୍କ ହାତକୁ ଗଲା ଏବଂ ଏମିତି ଭାବରେ ‘ଅନ୍ଧକାର ଯୁଗ’ର ଆରମ୍ଭ ହେଲା । ସ୍ୱାଧୀନତା ହରାଇବାରେ ଓଡ଼ିଶା ହେଉଛି ଶେଷ ହିନ୍ଦୁ ସାମ୍ରାଜ୍ୟ । ବହିରାକ୍ରମଣ, ଦୁର୍ବଳ ନେତୃତ୍ୱ, ଅନ୍ତର୍ବିପ୍ଳବ, ଚକ୍ରାନ୍ତ ହତ୍ୟା ଇତ୍ୟାଦି ହେଉଛି ଉତ୍କଳର ପତନର ପ୍ରଧାନ କାରଣ ।

 

କିମ୍ବଦନ୍ତୀ ରହିଛି, ମୁକୁନ୍ଦ ଦେବଙ୍କ ରାଣୀ କଟକ ରକ୍ଷା କରିବା ପାଇଁ କଳାପାହାଡ଼ ସହିତ ସନ୍ଧି କରି ତାକୁ ଉତ୍କୋଚ ଦେଇଥିଲେ । ଲୋକମୁଖରେ ତାହାର ସ୍ମୃତି ରହିଛି ଏହିଭଳି–

 

‘‘ଅଇଲା କଳାପାହାଡ଼, ଭାଙ୍ଗିଲା ଲୁହାର ବାଡ଼,

ପିଇଲା ମହାନଦୀ ପାଣି, ସୁବର୍ଣ୍ଣ ଥାଳିରେ

ହୀରା ପରଷିଲେ ମୁକୁନ୍ଦ ଦେବଙ୍କ ରାଣୀ-’’

 

ହିନ୍ଦୁରାଜତ୍ୱ ଶେଷ ହୋଇ ଏଥର ଆଫଗାନ ରାଜତ୍ୱ ଆରମ୍ଭ ହେଲା । ଏହି ଅବସରରେ ଇତିହାସରେ ‘ପଞ୍ଚକଟକ’ ନାମରେ ପରିଚିତ ଅଞ୍ଚଳ ସମ୍ପର୍କରେ ସଂକ୍ଷେପରେ ଆଲୋଚନା କରାଯାଇପାରେ । ରାଜ୍ୟ ବିସ୍ତାର ନିମନ୍ତେ କୋଶଳର ସୋମବଂଶୀମାନେ ମହାନଦୀର ତୀର ଧରି ଶେଷରେ ଯାଜପୁର ଠାରେ ପହଞ୍ଚିଯାଇଥିଲେ । ଏପଟେ ସମୁଦ୍ର ବାଟେ ମଧ୍ୟ ଉତ୍କଳ ଖଣ୍ଡକୁ ଆର୍ଯ୍ୟ ଜାତିର ଆଗମନ ଘଟିଥିଲା ଏବଂ ସେମାନେ ସାମାଜ୍ର୍ୟ ଗଢ଼ୁଥିଲେ ଋଷିକୂଲ୍ୟା ଠାରୁ ମହାନଦୀର ତ୍ରିକୋଣ ଭୂମି ପର୍ଯ୍ୟନ୍ତ । ଗୋଟିଏ ବିନ୍ଦୁରେ ଏ ଉଭୟ ଗୋଷ୍ଠୀର ସମ୍ପର୍କ ସ୍ଥାପିତ ହୋଇଯିବା ଫଳରେ ଉତ୍କଳୀୟ ସଂସ୍କୃତିର ପୂର୍ଣ୍ଣାଙ୍ଗ ରୂପ ପ୍ରକାଶ ପାଇଲା ।

 

ଇତିହାସର ପଞ୍ଚକଟକ :–ସୋମବଂଶୀୟ ଯଯାତି ଉପକୂଳ ଅଞ୍ଚଳକୁ ଆସିଲାବେଳକୁ ଏଠାରେ ଭୌମକର ବଂଶୀୟମାନେ ରାଜତ୍ୱ କରୁଥିଲେ । ବ୍ରହ୍ମେଶ୍ୱର ମନ୍ଦିର ଶିଳାଲେଖରୁ ଜଣାଯାଏ ଯେ, ସୋମବଂଶୀୟ ଜନମେଜୟ ଯାଜପୁରଠାରେ ଭୌମକର ବଂଶୀୟ କଙ୍ଗୋଦ ଉତ୍କଳର ରାଜାଙ୍କୁ ପରାସ୍ତ ପରିଥିଲେ । ଜନମେଜୟ ଶାସନର ସୁବ୍ୟବସ୍ଥା ନିମନ୍ତେ ଚୌଦ୍ୱାରଠାରେ ଏକ ଦୁର୍ଗସ୍ଥାପନ କରି ସେଠାରେ ନିଜର ପ୍ରତିନିଧି ରଖାଇଥିଲେ । ଭୌମକର ସାମନ୍ତ ଅପୁତ୍ରିକ ଥିଲେ ଏବଂ କନ୍ୟା ଦଣ୍ଡୀ ମହାଦେବୀ ଥିଲେ ସିଂହାସନର ଉତ୍ତରାଧିକାରିଣୀ । ତେଜସ୍ୱିନୀ ଏହି ମହିଳା ଯଯାତିଙ୍କ ନିକଟରେ ଆତ୍ମସମର୍ପଣ ନକରି ତାଙ୍କ ସହ ଯୁଦ୍ଧ କରିଥିଲେ । ତେବେ ପିତୃହତ୍ୟାର ପ୍ରତିଶୋଧ କିମ୍ବା ହୃତରାଜ୍ୟର ଉଦ୍ଧାର କେଉଁଥିରେ ସଫଳକାମ ହୋଇ ପାରି ନଥିଲେ-। ଶେଷରେ ସୋମବଂଶୀ ରାଜା ଯଯାତିଙ୍କୁ ବିବାହ କରି ଘଟଣାର ଏକ ରାଜନୈତିକ ସମାଧାନ କରିଥିଲେ ବୋଲି ଡଃ ହରେକୃଷ୍ଣ ମହତାବ ତାଙ୍କ ‘ଓଡ଼ିଶା ଇତିହାସ’ ରେ ଲେଖିଛନ୍ତି । ଏହିଭଳି କୋଶଳ ଓ ଉତ୍କଳର ମିଳନ ସମାହିତ ହୋଇଥିଲା । ଯଯାତି ଯାଜପୁରକୁ ରାଜଧାନୀ ଉଠାଇନେଲେ ଏବଂ ଏପର୍ଯ୍ୟନ୍ତ ସୋମବଂଶୀମାନଙ୍କର ରାଜଧାନୀ ବିନୀତପୁର (ବିନିକା) ତ୍ୟାଗ କରି ଯାଜପୁର ଠାରେ ସ୍ଥାୟୀ ଭାବରେ ବସବାସ କରିବାକୁ ଆରମ୍ଭ କଲେ । ତେବେ ତାଙ୍କ ରାଜତ୍ୱ କାଳରେ ରାଜଧାନୀ ପରିବର୍ତ୍ତିତ ହୋଇ ଏକାମ୍ର କ୍ଷେତ୍ରକୁ ଯାଇଥିଲା ।

 

କ୍ରମେ ମହାନଦୀର ତ୍ରିକୋଣଭୂମିରେ ‘ପଞ୍ଚକଟକ’ ଗଢ଼ି ଉଠିଥିଲା । ତାହା ହେଲା (କ) ଅଭିନବ ଯଯାତି ନଗର ବା ଯାଜପୁର କଟକ (ଖ) ଚୌଦ୍ୱାର କଟକ (ଗ) ବାରାଣସୀ କଟକ (ଘ) ଅମରାବତୀ କଟକ (ଙ) ଚୁଡ଼ଙ୍ଗ କଟକ (ସାରଙ୍ଗଗଡ଼) । ବିଭିନ୍ନ ସମୟରେ ତ୍ରିକୋଣଭୂମିର ଏହି ପାଞ୍ଚଟି ସ୍ଥାନରେ ଓଡ଼ିଶାର ରାଜଧାନୀ ସ୍ଥାପିତ ହୋଇଥିବାର ସମ୍ଭାବନା । ଏହା ମଧ୍ୟ ହୋଇପାରେ ଯେ, ଏହାର କେତୋଟି ସ୍ଥାନରେ ରାଜାମାନେ ସାମୟିକ ଭାବରେ ବିଶ୍ରାମ ନିମନ୍ତେ ଦୁର୍ଗ ତୋଳାଇଥିଲେ ।

 

ଯାଜପୁର-କଟକରେ ଭୌମକର ବଂଶୀୟମାନେ ପୂର୍ବରୁ ଅବସ୍ଥାନ କରୁଥିଲେ । ଯଯାତିଙ୍କ ଦ୍ୱାରା ଅଧିକୃତ ହେବାରୁ ଏହା ହେଲା ତାଙ୍କର ରାଜଧାନୀ । ଏହାର ନାମ ହେଲା ଅଭିନବ ଯଯାତି ନଗର । ସୋମବଂଶର ଶାସନ ଚାଲିଲା 1118 ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ଏବଂ ଏହି ବର୍ଷ ଶାସନ କ୍ଷମତା ଗଲା–ଗଙ୍ଗବଂଶୀୟ ଚୋଡ଼ଗଙ୍ଗ ଦେବଙ୍କ ହାତକୁ । ସେ ନିଜର ପୂର୍ବ ରାଜଧାନୀ କଳିଙ୍ଗ ନଗର ଛାଡ଼ି ପ୍ରଥମେ ଯାଜପୁରରେ ରହିଲେ ।

 

ସୋମବଂଶୀ ଜନମେଜୟ ମହାଭବ ଗୁପ୍ତ 850 ଖ୍ରୀ:-ଅ:-ରେ ଭୌମକର ରାଜାଙ୍କୁ ହତ୍ୟାକରି ଉତ୍କଳ ଅଧିକାର କରିଥିଲେ ଏବଂ ଚୌଦ୍ୱାରଠାରେ ରାଜଧାନୀ ସ୍ଥାପନ କରିଥିଲେ । ତାଙ୍କ ନିର୍ମିତ ଦୁର୍ଗର ଚାରୋଟି ଦ୍ୱାର ଥିବାରୁ ସ୍ଥାନର ନାମ ଚୌଦ୍ୱାର ହେଲା । ମତାନ୍ତରେ, ସେଠାରେ ଦୁର୍ଗ ଥିଲା, ମାତ୍ର ରାଜଧାନୀ ହୋଇ ନଥିଲା । ଗଙ୍ଗବଂଶୀ ତୃତୀୟ ଅନଙ୍ଗଭୀମ କିଛିକାଳ ପାଇଁ ଏହି ସ୍ଥାନକୁ ରାଜଧାନୀ କରିଥିଲେ ଶାସନଗତ ସୁବିଧା ପାଇଁ । ତାଙ୍କରି ସମୟରେ ରାଜଧାନୀ ଚୌଦ୍ୱାର-କଟକରୁ ଅଭିନବ ବାରାଣସୀ କଟକ ବା ବିଡ଼ାନସୀ କଟକକୁ ଉଠି ଆସିଥିଲା-

 

ପଞ୍ଚକଟକ ମଧ୍ୟରେ ଚୋଡ଼ଗଙ୍ଗ ପ୍ରତିଷ୍ଠିତ ଅମରାବତୀ କଟକର ନାମ ରହିଛି, ଯାହା ଏବର ଛତିଆ ଅଞ୍ଚଳରେ ଅବସ୍ଥିତ ଥିଲା ବୋଲି କୁହାଯାଉଛି । ଛତିଆ ବଟର ଅଦୂରରେ ଏକ ଦୁର୍ଗର ଭଗ୍ନାବଶେଷ ରହିଛି । ପୁଣି ଏ ଅଞ୍ଚଳରୁ ଉପଲବ୍ଧ ପ୍ରାଚୀନ କୀର୍ତ୍ତିର ଧ୍ୱଂସାବଶେଷରୁ ଅତୀତରେ ଏଠାରେ ଏକ ସମୃଦ୍ଧ ସଭ୍ୟତା ରହିଥିବାର ଅନୁମାନ କରାଯାଇଥାଏ । ତେବେ ଏହା ରାଜଧାନୀର ମାନ୍ୟତା ପାଇଥିବା ଭଳି ମନେହୁଏ ନାହିଁ । ସୁରକ୍ଷା କାରଣରୁ ଏଠାର ଦୁର୍ଗଟି ପ୍ରତିଷ୍ଠିତ ହୋଇଥାଇପାରେ । ଏହା ହୁଏତ ରାଜାଙ୍କର ଏକ ଅସ୍ଥାୟୀ ନିବାସ ଥିଲା ।

 

ଚତୁର୍ଥ କଟକର ନାମ ହେଉଛି ଚୁଡ଼ଙ୍ଗ କଟକ ବା ସାରଙ୍ଗ ଗଡ଼ । ନାମରୁ ଜଣାଯାଉଛି, ଏହାର ପ୍ରତିଷ୍ଠାତା ହୋଇଥିବେ ଚୋଡ଼ଗଙ୍ଗ ଦେବ । ସେଠାରେ ସେ ଦ୍ୱାଦଶ ଶତକର ଆରମ୍ଭରେ ଏକ ଦୁର୍ଗ ନିର୍ମାଣ କରିଥିଲେ ବୋଲି ଐତିହାସିକ ଡଃ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ମତ ଦିଅନ୍ତି । ତାଙ୍କ ମତରେ ସେହି ଅଞ୍ଚଳରେ ବାରଙ୍ଗ, ରେତାଙ୍ଗ ଡେଲାଙ୍ଗ ଆଦି ଶାବରିକ ନାମ ଥାଇ ସ୍ଥାନ ଥିବା ବେଳେ ସାରଙ୍ଗ ନାମକ ଏକ ସ୍ଥାନ ଥିଲା ଏବଂ ସେହି ସ୍ଥାନର ଗଡ଼ର ନାମ ହୋଇଛି ସାରଙ୍ଗ ଗଡ଼-। ଦୁର୍ଗର ଧ୍ୱଂସାବଶେଷ ମଧ୍ୟ ରହିଛି । ତେବେ ଏହା କେବେ କଳିଙ୍ଗର ରାଜଧାନୀ ହୋଇଥିବ, ଏହା କୁହାଯାଇ ପାରୁନାହିଁ । ହୁଏତ ରାଜ୍ୟର ଆଭ୍ୟନ୍ତରୀଣ ସୁରକ୍ଷା ନିମନ୍ତେ ସେଠାରେ ଦୁର୍ଗ ନିର୍ମାଣ କରାଯାଇଥିବ ଏବଂ ତାହା ରାଜାଙ୍କର ସାମୟିକ ରହଣି ନିମନ୍ତେ ମଧ୍ୟ ବ୍ୟବହାର କରାଯାଉଥିବ । ନିକଟରେ କାଶିଆଗଡ଼ ନାମକ ସ୍ଥାନରେ ଆଉ ଏକ ଦୁର୍ଗ ଥିବାର କୁହାଯାଉଛି ଏବଂ ଏହା ପ୍ରଥମ ଦୁର୍ଗର ସୁରକ୍ଷା ଦୁର୍ଗ ରୂପେ ପ୍ରତିଷ୍ଠିତ ହୋଇଥିବାର ଜଣାଯାଏ ।

 

ଶେଷ ବାରାଣସୀ-କଟକର ପ୍ରତିଷ୍ଠାତା ତୃତୀୟ ଅନଙ୍ଗଭୀମ ଦେବ । ସେ ପୁଣି ୧୨୩୦ ରେ ବାରବାଟୀ ଦୁର୍ଗ ନିର୍ମାଣ କରିଥିଲେ ବୋଲି କୁହାଯାଉଛି । ଏହି ଦୁର୍ଗଟି ରାଜପ୍ରାସାଦ ରୂପେ ବ୍ୟବହୃତ ହେଉଥିଲା । ତେବେ ବିଡ଼ାନସୀଦୁର୍ଗ କୌଣସି ସୋମବଂଶୀ ରାଜାଙ୍କର କୀର୍ତ୍ତି ବୋଲି କେହି ଐତିହାସିକ କହିଛନ୍ତି । ଚୋଡ଼ଗଙ୍ଗ ଦେବ କିନ୍ତୁ ମାଦଳା ପାଞ୍ଜି ମତରେ ପଞ୍ଚକଟକର ପ୍ରତିଷ୍ଠାତା । ପାଞ୍ଜି ମତରେ, ‘‘ଚୁଡ଼ଙ୍ଗ ଦେବ ଭୋଗକଲେ ୬୪ ବର୍ଷ । ଏ ରାଜା ପ୍ରଥମେ କଟକ କଲେ । ଦ୍ୱିତୀୟେ ଅମରାବତୀ କଲେ । ତୃତୀୟେ ଚାରିଦ୍ୱାର କଲେ । ଚତୁର୍ଥେ ବାରାଣସୀ କଟକ କଲେ । ପଞ୍ଚମେ ଅଙ୍ଗ ଦେଶ କଲେ । ଷଷ୍ଠେ କାଶୀକ୍ଷେତ୍ର କଲେ । ଏ ଗଙ୍ଗାଠାରୁ ଗୌତମୀ ପର୍ଯ୍ୟନ୍ତ ଏକଛତ୍ର କଲେ ।’’ (ମାଦଳା ପାଞ୍ଜି:-ପ୍ରାଚୀ) କାଶୀକ୍ଷେତ୍ର ଚୁଡ଼ଙ୍ଗଗଡ଼ ନିକଟବର୍ତ୍ତୀ କାଶିଆଗଡ଼ ହୋଇପାରେ । ଚୋଡ଼ଗଙ୍ଗ ଅଙ୍ଗଦେଶ ଜୟ କରିଥିବା କଥା ଇତିହାସରୁ ସ୍ପଷ୍ଟ ଭାବରେ ଜଣାଯାଉ ନାହିଁ । ସେହିଭଳି ଅନଙ୍ଗଭୀମ ଏବଂ ଚୋଡ଼ଗଙ୍ଗ-ଏ ଉଭୟଙ୍କ ମଧ୍ୟରେ ପ୍ରକୃତରେ ବାରାଣସୀ-କଟକର ପ୍ରତିଷ୍ଠାତା କିଏ-ସେ ବିଷୟରେ ମଧ୍ୟ ଐତିହାସିକମାନେ ଏକମତ ନୁହନ୍ତି ।

 

ଆଫଗାନ, ମୋଗଲ ଓ ମରହଟ୍ଟା ଶାସନରେ ଓଡ଼ିଶା :–ଆଫଗାନ୍‌ମାନେ କଟକକୁ ହିଁ ନିଜର ରାଜଧାନୀ କରିଥିଲେ । ତେବେ ସେମାନେ ଦୀର୍ଘକାଳ ଓଡ଼ିଶାକୁ ନିଜ ଅଧିକାରରେ ରଖିପାରିଲେ ନାହିଁ । 1575 ରେ, ମାତ୍ର ସାତବର୍ଷ ପରେ ସୁଲେମାନ୍‌ କର ରାଣୀଙ୍କ ପୁତ୍ର ଦାଉଦ୍‌ ଖାଁ ଆକବରଙ୍କ ସେନାପତି ମୁନିମ୍‌ ଖାଁଙ୍କ ଦ୍ୱାରା ପରାସ୍ତ ହୋଇ ବାରବାଟି ଦୁର୍ଗରେ ଆୟୋଜିତ ଦରବାରରେ ନିଜର ତରବାରୀ ସମର୍ପଣ କରିଥିଲେ । (O.H.R.J.Vol.V.p.128) ଓଡ଼ିଶା ମୋଗଲ ଅଧିକାରକୁ ଗଲା । ତେବେ ଆଫଗାନ୍‌ମାନେ ଆଶା ଛାଡ଼ିନଥିଲେ । ଗଣ୍ଡଗୋଳ ଲାଗି ରହିଥିବାରୁ ଶେଷରେ ୧୫୯୨ ରେ ମାନସିଂହ ଓଡ଼ିଶା ଆସି ଏହାର ଦାୟିତ୍ୱ ଗ୍ରହଣ କରିଥିଲେ ଏବଂ ବାରବାଟୀ ଦୁର୍ଗରେ ଅବସ୍ଥାନ କରିଥିଲେ । ଖୋର୍ଦ୍ଧାରାଜା ଆକବରଙ୍କ କର୍ତ୍ତୃତ୍ୱ ମାନିନେବାରୁ ନିଜର ଅଧିକାର ବଜାୟ ରଖି ପାରିଥିଲେ । ଜାହାଙ୍ଗୀରଙ୍କ ଅମଳରେ ୧୬୦୭ ରେ ଓଡ଼ିଶା ଏକ ସ୍ୱତନ୍ତ୍ର ସୁବା ବା ପ୍ରଦେଶ ହୋଇ ଜଣେ ସୁବାଦାରଙ୍କ ଅଧୀନରେ ରହିଲା । ଶାସନକେନ୍ଦ୍ର ପୂର୍ବଭଳି କଟକ ରହିଲା । ମାତ୍ର ମୋଗଲ ସୁବେଦାର ସହିତ ଏଠାକାର ରାଜାମାନଙ୍କର ମତାନ୍ତର ପ୍ରାୟ ଲାଗି ରହୁଥିଲା । ପ୍ରଶାସନ ଉପରେ ଏହାର ପ୍ରଭାବ ପଡ଼ିବା ସ୍ୱାଭାବିକ ।

 

ଦକ୍ଷିଣରୁ ଗୋଲକୁଣ୍ଡା ସୁଲତାନ୍‌ ଚିଲିକା ପର୍ଯ୍ୟନ୍ତ ଅଞ୍ଚଳ ଅଧିକାର କରି ସାରିଥିଲେ ଏବଂ ଉତ୍ତର ପଟୁ ଓଡ଼ିଶାର ସୀମା ସୁବର୍ଣ୍ଣ ରେଖା ନଦୀ ମଧ୍ୟରେ ସୀମିତ ଥିଲା । ୧୭୪୦ରେ ଆଲିବର୍ଦ୍ଦି ବଙ୍ଗ ବିହାର ଓଡ଼ିଶାର ଦାୟିତ୍ୱ ନେଇ ମୋଗଲ ସାମ୍ରାଜ୍ୟର ଦୁଃସ୍ଥିତି ଦେଖି ନିଜକୁ ସ୍ୱାଧୀନ ଘୋଷଣା କଲେ । ଓଡ଼ିଶାର ନାଏବ ନଜିମ୍‌ମୁର୍ଶିଦ କୁଲି ତାଙ୍କର କର୍ତ୍ତୃତ୍ୱ ନ ମାନିବାରୁ ଆଲିବର୍ଦ୍ଦି ଓଡ଼ିଶା ଆକ୍ରମଣ କଲେ । ତାଙ୍କୁ ପ୍ରତିହତ କରିବା ନିମନ୍ତେ ମୁର୍ଶିଦ କୁଲି ନାଗପୁରରୁ ରଘୁଜୀ ଭୋନସ୍ଳାଙ୍କୁ ଆମନ୍ତ୍ରଣ କଲେ । ଖାଇଖୋଳି ନିଜପାଇଁ କୁମ୍ଭୀରକୁ ଡାକି ଆଣିଲେ । ମଣ୍ଡୁକ କୃଷ୍ଣସର୍ପ ଉପାଖ୍ୟାନର ମଣ୍ଡୁକ-କୃଷ୍ଣସର୍ପକୁ ନିମନ୍ତ୍ରଣ କରି ଯେଉଁ ଅସୁବିଧାରେ ପଡ଼ିଥିଲା, ଏବେ କୁଲିଙ୍କର ଅବସ୍ଥା ହେଲା ଠିକ୍‌ ସେଇଆ । ମରହଟ୍ଟା ଶତ୍ରୁମିତ୍ର ନ ମାନି ଅବାଧରେ ବଙ୍ଗଳା ଓ ଓଡ଼ିଶାରେ ଲୁଟପାଟ ଚଳାଇଲେ । ବାଧ୍ୟହୋଇ ଆଲିବର୍ଦ୍ଦି ୧୭୫୧ ରେ ମରହଟ୍ଟାମାନଙ୍କ ସହିତ ସନ୍ଧି କଲେ । ସର୍ତ୍ତ ହେଲା ମରହଟ୍ଟାମାନେ ଆଲିବର୍ଦ୍ଦିଙ୍କ ଅଞ୍ଚଳରେ ପାଦ ଦେବେ ନାହିଁ କିମ୍ବା ମୁସଲମାନମାନେ ସୁବର୍ଣ୍ଣ ରେଖା ଡେଇଁବେ ନାହିଁ । ଓଡ଼ିଶାରେ ମରହଟ୍ଟା ଶାସନ ଆରମ୍ଭ ହେଲା ।

 

ରଘୁଜୀଙ୍କର ପ୍ରତିନିଧି ଜଣେ ସୁବାଦାର କଟକଠାରୁ ଓଡ଼ିଶା ଶାସନ କଲେ । ଶାସନ କେନ୍ଦ୍ର ହେଲା ବାରବାଟୀ ଦୁର୍ଗ । ଶାସନ ସୁବିଧା ପାଇଁ ଓଡ଼ିଶା ମୋଗଲବନ୍ଦୀ ଏବଂ ଗଡ଼ଜାତ ଏହିଭଳି ଦୁଇ ଭାଗରେ ବିଭକ୍ତ ହେଲା । ମୋଗଲବନ୍ଦୀ ଅଞ୍ଚଳରେ ରହିଲା ୧୫୦ ଟି ପ୍ରଗଣା । ରାଜସ୍ୱ ସିଧାସଳଖ ପ୍ରଜାମାନଙ୍କଠାରୁ ସଂଗୃହୀତ ହେଉଥିଲା । ତାଲୁକ୍‌ଦାର, କାନୁନ୍‌ଗୋ ଏବଂ ଚୌଧୁରୀମାନେ ଆଦାୟକାର୍ଯ୍ୟ ତଦାରଖ୍ କରୁଥିଲେ । ଗଡ଼ଜାତ ଅଞ୍ଚଳର ଶାସନ ସ୍ଥାନୀୟ ଶାସନ ମୁଖ୍ୟଙ୍କ ଦ୍ୱାରା ପରିଚାଳିତ ହେଉଥିଲା । କଟକଠାରେ ମରହଟ୍ଟାମାନେ ଏକ ବିଶାଳ ସୈନ୍ୟବାହିନୀ ରଖିଥିଲେ । ମରହଟ୍ଟା ଅମଳରେ ଓଡ଼ିଶାର ଶାସନର ଭୟାବହତା ଏବେ ମଧ୍ୟ ଜନଶ୍ରୁତିରେ ଉଜ୍ଜୀବିତ ରହିଛି ଏବଂ କାବ୍ୟନାଟକାଦିରେ ମଧ୍ୟ ତାହାର ପ୍ରମାଣ ରହିଛି । ତେବେ ଏବର ଐତିହାସିକମାନେ ମରହଟ୍ଟାମାନେ ଧର୍ମୀୟ ଅନୁଷ୍ଠାନକୁ ଅନୁଦାନ ଦେଉଥିବାର ଏବଂ ପୁରୀମନ୍ଦିରର ରକ୍ଷଣାବେକ୍ଷଣ ନିମନ୍ତେ ଯଥୋଚିତ ଧ୍ୟାନ ଦେଉଥିବା କଥା କହୁଛନ୍ତି । ଏଥିପାଇଁ ଆମେ ଗୋଟିଏ ଲୋକୋକ୍ତି ଉଦ୍ଧାର କରିବୁ । ତାହା ହେଉଛି-ଗୋରୁ ମାରି ଜୋତା ଦାନା ‘ମରହଟ୍ଟାମାନଙ୍କ ସେ କାଳର ଭୂମିକା ସହ ଏହି ଉକ୍ତିଟି ପୂରା ଖାପ୍‌ ଖାଇଯାଉଛି ।

 

ଇଂରେଜମାନଙ୍କର କଟକ ଅଧିକାର :–ଇଂରେଜମାନେ କଟକ ଅଧିକାର କଲେ ୧୮୦୩ ମସିହା ଅକ୍ଟୋବରରେ । ତାହା ପୂର୍ବରୁ ଓଡ଼ିଶାର ଦକ୍ଷିଣାଞ୍ଚଳ ସେମାନଙ୍କ ଅଧିକାରଭୁକ୍ତ ହୋଇସାରିଥିଲା । ପଶ୍ଚିମାଞ୍ଚଳ ଗ୍ରାସ କରିବାର ଯୋଜନା ହୁଏତ ସେତେବେଳକୁ ହୋଇ ସାରିଥିବ-। କାରଣ ସେଇବର୍ଷ ସେମାନେ ବିଦ୍ରୋହୀ ମରହଟ୍ଟା ପ୍ରତିନିଧି ଭୂପସିଂହଙ୍କ ସହିତ ହାତ ମିଳାଇ ସମ୍ବଲପୁରର ପ୍ରଶାସନିକ ବ୍ୟାପାରରେ ହସ୍ତକ୍ଷେପ କରିବାର ବିବରଣୀ ମିଳୁଛି । ତେବେ ସମ୍ବଲପୁରକୁ ପୂରାପୂରି ନିଜର ଅଧିକାରଭୁକ୍ତ କରିବାକୁ ସେମାନଙ୍କୁ ଆଉ କିଛି ବର୍ଷ ଅପେକ୍ଷା କରିବାକୁ ପଡ଼ିଲା ।

 

ଇଂରେଜମାନେ ପ୍ରଥମେ କଟକ ଆସନ୍ତି ୧୬୩୩ ମସିହାରେ ଏବଂ ଜଗତ୍‌ସିଂହପୁର ନିକଟସ୍ଥ ହରିହରପୁର ଠାରେ ଗୋଟିଏ କାରଖାନା ବସାନ୍ତି ସେ କାଳର ମୋଗଲ ପ୍ରଶାସନର ପ୍ରତିନିଧିଙ୍କଠାରୁ ଅନୁମତି ନେଇ । ଇଂରେଜଦଳରେ ଥିବା ବ୍ରୁଟନ୍‌ସାହେବ ସେଇ ସମୟର ବିବରଣୀ ଛାଡ଼ି ଯାଇଛନ୍ତି । ଆମେ ପରେ ସେ ବିଷୟରେ ଆଲୋଚନା କରିବା । ହରିହରପୁର ଠାରେ କାରଖାନା ଖୋଲିବା ପରେ ଧୀରେ ଧୀରେ ପିପିଲି ଏବଂ ବାଲେଶ୍ୱର ଠାରେ ମଧ୍ୟ ବାଣିଜ୍ୟ କୋଠିମାନ ସ୍ଥାପିତ ହେଲା । ୧୭୫୭ ମସିହାରେ ପଲାସୀ ଯୁଦ୍ଧ ପରେ ଇଂରେଜମାନେ ବଙ୍ଗଳାର ପ୍ରଭୁ ହୋଇଗଲେ ଏବଂ ଭାରତର ଅନ୍ୟାନ୍ୟ ଅଞ୍ଚଳ ଗ୍ରାସ କରିବାକୁ ଦ୍ରୁତ ପଦକ୍ଷେପ ମାନ ନେଲେ-। ମାନ୍ଦ୍ରାଜ ସେତେବେଳକୁ ତାଙ୍କ ଅଧିକାରଭୁକ୍ତ ହୋଇସାରିଥିବାରୁ ଏବଂ ସେଠାରେ ଇଂରେଜମାନଙ୍କ ମୁଖ୍ୟ ଦପ୍ତର ଥିବାରୁ ସ୍ଥଳପଥରେ କଲିକତା-ମାନ୍ଦ୍ରାଜ ମଧ୍ୟରେ ଯୋଗାଯୋଗ ରକ୍ଷା ଥିଲା ଏକ ରାଜନୈତିକ ଆବଶ୍ୟକତା । ବାଟରେ ବାଧା ସ୍ୱରୂପ ରହିଥିଲା ଓଡ଼ିଶାର ମୁଖ୍ୟ ଭୂଭାଗ । ଆନ୍ଧ୍ରପ୍ରଦେଶ ତ ସେତେବେଳେ ଗଠିତ ହୋଇ ନଥିଲା । ତେଣୁ ଓଡ଼ିଶା ସୀମା ଅତିକ୍ରମ କଲା ମାତ୍ରେ ମାନ୍ଦ୍ରାଜର ସୀମା ଆରମ୍ଭ ହୋଇ ଯାଉଥିଲା । ଏହି କାରଣରୁ ସେମାନେ ଓଡ଼ିଶା ଅଧିକାର ପାଇଁ ସୁଯୋଗ ଅପେକ୍ଷାରେ ଥିଲେ । ଅସୁବିଧା ମଧ୍ୟ ବିଶେଷ କିଛି ନଥିଲା । ଓଡ଼ିଶାର ପ୍ରଭୁ ମରହଟ୍ଟା ଶକ୍ତି ସେତେବେଳେ ଗୃହ କନ୍ଦଳ ହେତୁ ଦୁର୍ବଳ ହୋଇ ପଡ଼ିଥିଲେ । ଏହି ସୁଯୋଗରେ ତେଣୁ ଓଡ଼ିଶା ଅଧିକାର କରି ନେବା ପାଇଁ ଯୋଜନା କରାଗଲା । କ୍ଳାଇବ୍‌ଙ୍କ ଠାରୁ କର୍ଣ୍ଣୱାଲିସ୍‌ଙ୍କ ପର୍ଯ୍ୟନ୍ତ ଏଥିପାଇଁ ବହୁ କୂଟନୈତିକ ଉଦ୍ୟମ ହୋଇସାରିଥିଲା । ମାତ୍ର ତହିଁରେ ସଫଳତା ମିଳି ନଥିଲା । ଏଥର ତେଣୁ ବିଶେଷ ସତର୍କତା ଅବଲମ୍ବନ କରାଗଲା ।

 

ଇଂରେଜମାନେ ୧୮୦୩ ମସିହାରେ ସେପ୍ଟେମ୍ବର ୧୮ ତାରିଖରେ କର୍ଣ୍ଣେଲ ହାର୍କୋଟଙ୍କ ନେତୃତ୍ୱରେ ଦକ୍ଷିଣ ଦିଗରୁ ଆସି ପୁରୀଠାରେ ପହଞ୍ଚିଗଲେ । କଟକ ଅଧିକାର ଯୋଜନା ଥିଲା ଦ୍ୱିତୀୟ ମରହଟ୍ଟା ଯୁଦ୍ଧ (୧୮୦୩)ର ଏକ ଅଂଶ । ଏଥିପାଇଁ ଯେଉଁ ସୈନ୍ୟବାହିନୀ ପ୍ରସ୍ତୁତ କରାଯାଇଥିଲା, ସେଥିରେ ଥିଲେ ୫୭୩ ଜଣ ଇଂରେଜ, ୨୪୦୮ ଜଣ ସିପାହୀ ଏବଂ ୬୦ ଜଣ ଦେଶୀୟ ଅଶ୍ୱାରୋହୀ । ଅଭିଯାନର ପ୍ରକୃତ ନେତା ଥିଲେ ଲେଫ୍ଟନାଣ୍ଟ କର୍ଣ୍ଣେଲ କ୍ୟାମ୍ପ୍‌ବେଲ୍‌ । ତାଙ୍କୁ ସହଯୋଗ କରିଥିଲେ କ୍ୟାପ୍‌ଟେନ୍‌ ବ୍ଳଣ୍ଟ । ଓଡ଼ିଶା ସମ୍ପର୍କରେ ଏହାଙ୍କର ବିଶେଷ ଜ୍ଞାନ ଥିଲା । ଜନ୍‌ ମେଲ୍‌ଭିଲ୍‌ ମଧ୍ୟ ଏମାନଙ୍କ ସହ ଆସିଥିଲେ । ସେ ଥିଲେ ଜଣେ ସିଭିଲିୟାନ୍‌ ଏବଂ ଓଡ଼ିଶା ଅଧିକାର ପରେ ସେଠାରେ ଇଂରେଜ ପ୍ରଶାସନକୁ ବ୍ୟବସ୍ଥିତ କରି ରାଜ୍ୟରେ ଶାନ୍ତି ପ୍ରତିଷ୍ଠା କରିବା ଥିଲା ତାଙ୍କର ଦାୟିତ୍ୱ । ତେବେ ଅଭିଯାନ ପୂର୍ବରୁ କ୍ୟାମ୍ପବେଲ୍‌ ହଠାତ୍‌ ଅସୁସ୍ଥ ହୋଇପଡ଼ିଥିବାରୁ ତାଙ୍କ ସ୍ଥାନରେ ଦଳର ନେତା ରୂପେ ପଠାଗଲା କର୍ଣ୍ଣେଲ ହାର୍‌କୋଟଙ୍କୁ । ତାଙ୍କ ନେତୃତ୍ୱରେ ସେନାବାହିନୀ ଓଡ଼ିଶା ଅଧିକାର କରିବାକୁ ଏଗାର ସେପ୍ଟେମ୍ବର ୧୮୦୩ରେ ଯାତ୍ରା ଆରମ୍ଭ କଲେ । ସେମାନେ ସେପ୍ଟେମ୍ବର ଚୌଦ ତାରିଖରେ ମାଣିକପାଟଣା ଅଧିକାର କଲେ ଏବଂ ଅଠର ତାରିଖରେ ପୁରୀ ଦଖଲ କଲେ । ଏଥିପାଇଁ ସେମାନଙ୍କୁ ଦୁର୍ଗମ ଚିଲିକା ଅତିକ୍ରମ କରିବାକୁ ପଡ଼ିଥିଲା ଏବଂ ସ୍ଥାନୀୟ ସାହାଯ୍ୟ ବିନା ଏହି ଦୁରୂହ କାର୍ଯ୍ୟରେ ସଫଳତା ମିଳିବାର ସମ୍ଭାବନା ନଥିଲା । ତାହା ମଧ୍ୟ ସେମାନଙ୍କୁ ମିଳିଯାଇଥିଲା । ମାଲୁଦର ଜାଗିରଦାର ଫତେ ମହମ୍ମଦ ଏଥିପାଇଁ ସେମାନଙ୍କୁ ସାହାଯ୍ୟ କରି ପରବର୍ତ୍ତୀ କାଳରେ ‘ନିମକ୍‌ହାରାମ୍‌’ ଜାଗିରର ଅଧିକାରୀ ହେଲା । ଅକ୍ଟୋବର ଚାରି ତାରିଖରେ ମୁକୁନ୍ଦପୁରଠାରେ ମରହଟ୍ଟାମାନେ ପରାସ୍ତ ହେଲେ । ୨୪ ସେପ୍ଟେମ୍ବର ଦିନ କଟକ ଯାତ୍ରା ଆରମ୍ଭ ହୋଇଥିଲା । ପଛୁଆ ଆକ୍ରମଣ ରୋକିବା ପାଇଁ ମାଣିକପାଟଣାଠାରେ ଲେଃ ଓଗିଲ୍‌ଭି (Ogilvie) ଏବଂ ପୁରୀଠାରେ ମେଜର ଫ୍ଳେଚର (Flectcher)ଙ୍କୁ ମୁତୟନ କରି ହାର୍କୋଟ (Harcot) ଆଗେଇଲେ । ମରହଟ୍ଟା ବାହିନୀ ବାଧା ଦେଇ ପରାଜିତ ହୋଇଥିଲେ । ପାଗ ଖରାପ ଏବଂ କାଦୁଆ ରାସ୍ତା ଯୋଗୁଁ ଇଂରେଜ ବାହିନୀର ଗତି ଥିଲା ଅତି ମନ୍ଥର । ଶେଷରେ ଅକ୍ଟୋବର ଦଶ ତାରିଖରେ ହାର୍କୋଟ ବାହିନୀ କଟକଠାରେ ପହଞ୍ଚିଥିଲେ ।

 

ହଣ୍ଟରଙ୍କ ବିବରଣୀ ଅନୁସାରେ ବ୍ରିଟିଶ୍‌ ବାହିନୀ ଅକ୍ଟୋବର ଆଠ ତାରିଖରେ କଟକ ପହଞ୍ଚି ପ୍ରାୟ ବିନା ପ୍ରତିରୋଧରେ ସହର ଦଖଲ କରିନେଲେ । ମରହଟ୍ଟାବାହିନୀ ବାରବାଟୀ ଦୁର୍ଗ ମଧ୍ୟରେ ଆଶ୍ରୟ ନେଲେ । ସର୍ଜେଣ୍ଟ ପ୍ଳମର (Plummer) ଙ୍କ ମତରେ ଦୁର୍ଗଟି ଅତ୍ୟନ୍ତ ଦୃଢ଼ ଓ ମହାନଦୀର ଦୁଇଶାଖା ମଧ୍ୟରେ ଅବସ୍ଥିତ ଥିଲା । ଓଡ଼ିଶାର ଦୁର୍ଗମାନଙ୍କ ମଧ୍ୟରେ ଏହା ଥିଲା ସର୍ବାଧିକ ଦୁର୍ଗମ । ପ୍ରସ୍ତର ନିର୍ମିତ ଆଠଟି ଉଚ୍ଚ ଗମ୍ବୁଜ ଦ୍ୱାରା ସୁରକ୍ଷିତ ଏବଂ ଉଚ୍ଚପାଚିରୀ ପରିବୃତ୍ତ ଏହି ଦୁର୍ଗର ଚାରିପଟେ ୨୦’ରୁ ୩୦’ ଚଉଡ଼ା ଏକ ଗଭୀର ଖାଇ ଏବଂ ସ୍ଥାନେ ସ୍ଥାନେ ପୁଣି ଦୁଇଟି ପରିଖା ନିର୍ମାଣ କରାଯାଇଥିଲା । ଦୁର୍ଗର ଏକ ମାତ୍ର ଦୁର୍ବଳ ସ୍ଥାନ ଥିଲା ଗଡ଼ର ଆଖପାଖରେ ଥିବା ଗଭୀର ଖାତ । ଏଥିରେ ଆକ୍ରମଣକାରୀ ବେଶ୍‌ ଭଲ ଭାବରେ ନିଜକୁ ସୁରକ୍ଷିତ ରଖି ପାରିଥିଲେ ।

 

ହାର୍କୋଟ ପ୍ରଥମେ ମରହଟ୍ଟାମାନଙ୍କୁ ଲାଞ୍ଚ ଦ୍ୱାରା ବଶୀଭୂତ କରି ବିନା ରକ୍ତପାତରେ ଦୁର୍ଗ ଦଖଲ କରିବା ପାଇଁ ଉଦ୍ୟମ କରିଥିଲେ । ତେବେ ଏ ସମ୍ପର୍କିତ କଥାବାର୍ତ୍ତା ବିଫଳ ହେବାରୁ ବଳପୂର୍ବକ ଦୁର୍ଗ ଦଖଲ କରିବାକୁ ଅକ୍ଟୋବର ବାର ତାରିଖ ଦିନ ସ୍ଥିର କଲେ । ତେର ତାରିଖ ଦିନ ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହେଲା ଏବଂ ଦୁର୍ଗର ମୁଖ୍ୟ ପ୍ରବେଶଦ୍ୱାର ସମ୍ମୁଖରେ ପ୍ରାୟ 500 ଗଜ ମଧ୍ୟରେ ପାଞ୍ଚଟି ତୋପ ସଜାଇ ରଖାଗଲା । ଚୌଦ ତାରିଖ, ଦିନ ଦଶଟା ବେଳେ ତୋପରୁ ଗୋଳାବର୍ଷଣ ଆରମ୍ଭ ହେଲା ଏବଂ ଅଳ୍ପସମୟ ମଧ୍ୟରେ ଦୁର୍ଗର ବାହାର ପାଚେରିରେ ଫାଟ ଦେଖାଦେଲା । ଲେ.କ.କ୍ଳେଟନ୍‌ (Lt.Col.Clayton)ଙ୍କ ନେତୃତ୍ୱରେ ଦଳେ ସିପାହୀ ମରହଟ୍ଟାମାନଙ୍କ ଗୁଳିଗୋଳା ବର୍ଷଣ ଭିତରେ ଦୁର୍ଗ ମଧ୍ୟକୁ ପ୍ରବେଶ କଲେ ।

 

କ୍ଳେଟନ୍‌ଙ୍କ ବେକ ଓ ଗୋଡ଼ରେ ଗୁଳି ବାଜିବାରୁ ସେ ଆହତ ହେଲେ । ଦୁଇ ତିନିଜଣ ଇଂରେଜ ସୈନ୍ୟ ମଧ୍ୟ ମୃତ୍ୟୁବରଣ କଲେ । ଷୋହଳ ଜଣ ଇଂରେଜ ତଥା ତେରଜଣ ଭାରତୀୟ ସୈନ୍ୟ ଆହତ ହେଲେ । ମରହଟ୍ଟା ତରଫରୁ ମୃତ୍ୟୁ ସଂଖ୍ୟା ତିରିଶ । ଶତ୍ରୁ ଆକ୍ରମଣରୁ ପଳାୟନ ସମୟରେ ସେମାନଙ୍କ ମଧ୍ୟରୁ କେତେକ ଗଭୀର ଖାଇରେ ପଡ଼ି ମୃତ୍ୟୁବରଣ କଲେ । ମାତ୍ର ପାଞ୍ଚ ଘଣ୍ଟା ମଧ୍ୟରେ ଦୁର୍ଗର ପତନ ହେଲା ଏବଂ ଇଂରେଜମାନଙ୍କର କଟକ ବିଜୟ ସମ୍ପୂର୍ଣ୍ଣ ହେଲା ।

 

ହାର୍କୋଟ ଏହି ଅଭିଯାନର ଏକ ବୀରତ୍ୱପୂର୍ଣ୍ଣ ବିବରଣୀ ଦେଇଛନ୍ତି, ଯାହା ହେଉଛି ଏକ ସଫଳ ଯୋଜନାର କୃତିତ୍ୱପୂର୍ଣ୍ଣ କାହାଣୀ । ନିଜର ପାରଦର୍ଶିତା ଦେଖାଇବାକୁ ହେଲେ ସେସବୁ ଦରକାର ହୁଏ । ତେବେ ଏଥିରେ ସତ୍ୟ ଅପେକ୍ଷା କଳ୍ପନାର ମାତ୍ରା ଯେ ଯଥେଷ୍ଟ ଅଧିକ ଏହା କହିବା ବାହୁଲ୍ୟ ମାତ୍ର । ଅତି ସାମାନ୍ୟ କ୍ଷତି ସହି ଇଂରେଜମାନେ ନିଜସ୍ୱ ଲକ୍ଷ୍ୟ ହାସଲ କରିପାରିଥିଲେ । ଦୁର୍ବଳ ମରହଟ୍ଟା ନାମକୁ ମାତ୍ର ପ୍ରତିରୋଧ କରି ଆତ୍ମସମର୍ପଣ କରିଯାଇଥିଲେ । ମହାନଦୀ ତୀରର ଏହି ଯୁଦ୍ଧ ଓଡ଼ିଶାର ଭାଗ୍ୟ ନିର୍ଣ୍ଣୟ କ୍ଷେତ୍ରରେ ଏକ ବିଶେଷ ଭୂମିକା ଗ୍ରହଣ କରିଥିବାରୁ ଏହାର ଗୁରୁତ୍ୱ ମାନିନେବାକୁ ହେବା । ହାର୍କୋଟ ଥିଲେ ଅତ୍ୟନ୍ତ କରିତ୍‌କର୍ମା । ତେଣୁ ସେ ନିକଟବର୍ତ୍ତୀ ବିଦ୍ରୋହୀ କନିକା, କୁଜଙ୍ଗ ଓ ହରିହରପୁର ଦୁର୍ଗଗୁଡ଼ିକୁ ଯଥା ଶୀଘ୍ର ଅଧିକାର କରି ଧ୍ୱଂସ କରିଦେଲେ । ସତର ଡିସେମ୍ବର ୧୮୦୩ ରେ ଦେଓଗାଁ ସନ୍ଧିର ସର୍ତ୍ତାନୁସାରେ ରଘୁଜୀଭୋନ୍‌ସ୍ଳା କଟକ ଓ ବାଲେଶ୍ୱର ଇଷ୍ଟଇଣ୍ଡିଆ କମ୍ପାନୀ ସରକାରଙ୍କ ହାତରେ ଛାଡ଼ିଦେଲେ । ଓଡ଼ିଶାରେ କମ୍ପାନୀ ଶାସନର ଆରମ୍ଭ ହେଲା । ଶାସନର ସୁବିଧା ପାଇଁ କଟକ ପ୍ରଦେଶକୁ ଦୁଇ ଭାଗରେ ବିଭକ୍ତ କରାଗଲା । ମହାନଦୀର ଉତ୍ତର ଓ ଦକ୍ଷିଣପାର୍ଶ୍ୱ ହେଲା ଏହାର ସୀମା । ଦୁଇଜଣ ଜିଲ୍ଲାପାଳ ନିଯୁକ୍ତ ହେଲେ । ୧୮୧୬ ପର୍ଯ୍ୟନ୍ତ ପୁରୀ ଶାସନର ମୁଖ୍ୟକେନ୍ଦ୍ର ରହି, ସେଇବର୍ଷ ଏହା କଟକକୁ ସ୍ଥାନାନ୍ତରିତ ହେଲା । ଓଡ଼ିଶାରେ ନବଯୁଗର ଆରମ୍ଭ ହେଲା ।

 

ଉପସଂହାର :–ମହାନଦୀ ତୀରରେ ସଭ୍ୟତା ଓ ସଂସ୍କୃତିର ପ୍ରଥମ-ସକାଳଠାରୁ ଆରମ୍ଭ କରି ଏହି ବିସ୍ତୃତ ଅଞ୍ଚଳ ଇଂରେଜମାନଙ୍କ ଅଧିକାରକୁ ଯିବା ପର୍ଯ୍ୟନ୍ତ ଯେଉଁ ଉତ୍‍ଥାନ ଓ ପତନ ମଧ୍ୟ ଦେଇ ଗତି କରିଛି, ତାହା ଏହି ଅଧ୍ୟାୟରେ ସଂକ୍ଷେପରେ ବର୍ଣ୍ଣନା କରାଯାଇଛି । ଏହାର ତୀରରେ ବିଖ୍ୟାତ ଓ ବିରାଟ ସାମ୍ରାଜ୍ୟମାନ ଗଢ଼ିଉଠିଛି ଏବଂ ପୁଣି ଦିନେ କାଳର ଗର୍ଭରେ ଅନ୍ତର୍ହିତ ମଧ୍ୟ ହୋଇଯାଇଛି । ମହାନଦୀ ହୋଇଛି ଏହି ସାଂସ୍କୃତିକ ଓ ରାଜନୈତିକ ଉତ୍‍ଥାନ ପତନର ସାକ୍ଷୀ । ସୋମବଂଶୀମାନେ ପଶ୍ଚିମ ଓଡ଼ିଶାରୁ ସେମାନଙ୍କ ଜୟଯାତ୍ରା ଆରମ୍ଭ କରି ଉପକୂଳ ଅଞ୍ଚଳରେ ପହଞ୍ଚି ଯାଇଛନ୍ତି । ସେଠାରେ କୀର୍ତ୍ତି ସ୍ଥାପନ କରିଛନ୍ତି । ଲୋକଙ୍କୁ ସୁଶାସନ ଦେଇଛନ୍ତି ଏବଂ ଶେଷରେ ଉପକୂଳ ସହିତ ବୈବାହିକ ସମ୍ପର୍କ ସ୍ଥାପନ କରି ପୂର୍ବ ଓ ପଶ୍ଚିମ ସଂସ୍କୃତିର ମିଳନ ଘଟାଇଛନ୍ତି । ଧର୍ମ କ୍ଷେତ୍ରରେ ସୁଦ୍ଧା ପଶ୍ଚିମ ଓଡ଼ିଶା ନିଜର ବୈଶିଷ୍ଟ୍ୟର ସ୍ୱାକ୍ଷର ଛାଡ଼ିପାରିଛି । ମହାନଦୀ କୂଳରେ ଦିନେ ସମ୍ବଲପୁର ରାଜା ଇନ୍ଦ୍ରଭୂତି ଓ ତାଙ୍କ ଭଗିନୀ ଲକ୍ଷ୍ମୀଙ୍କରାଙ୍କର ମାନସ ସନ୍ତାନ ‘ବଜ୍ରଯାନ’ ଓ ‘ସହଜଯାନ’ ସୃଷ୍ଟି ହୋଇ ଉପକୂଳ ଅଞ୍ଚଳର ଯାଏ ପ୍ରସାରିତ ହୋଇଛି । ଏହାର ପ୍ରଭାବରେ ବୈଷ୍ଣବ ଦେବତା ଶ୍ରୀ ଜଗନ୍ନାଥ ବୌଦ୍ଧତନ୍ତ୍ରର ଦେବତା ରୂପେ ବନ୍ଦିତ ହୋଇଛନ୍ତି ଏହିଭଳି :–

 

ପ୍ରଣିପତ୍ୟ ଜଗନ୍ନାଥଂ ସର୍ବଜୀନ ବରାର୍ଚ୍ଚିତମ୍‌ ।।

ସର୍ବ ବୁଦ୍ଧମୟଂ ସିଦ୍ଧି ବ୍ୟାପିନଂ ଗଗନୋପମମ୍‌ ।।

 

ମହାନଦୀ ହିଁ ଏ ଜାତିକୁ ସମନ୍ୱୟ ମନ୍ତ୍ରରେ ଉଦ୍‌ବୁଦ୍ଧ କରିଛି । ସେହିଭଳି ମହାନ୍‌ ଚୌହାନ୍‌ ବଂଶର ଉଦୟ ଏହାରି କୂଳରେ ହୋଇ ଧର୍ମ, ରାଜନୀତି, ସମାଜନୀତି, ସାହିତ୍ୟ ସଂସ୍କୃତି, ବ୍ୟବସାୟ ବାଣିଜ୍ୟାଦି କ୍ଷେତ୍ରରେ ଇତିହାସ ସୃଷ୍ଟି କରିଛି । ବଳରାମ ଦେବଙ୍କଠାରୁ ଆରମ୍ଭ କରି ସୁରେନ୍ଦ୍ର ସାଏଙ୍କ ପର୍ଯ୍ୟନ୍ତ ଚୌହାନ୍‌ ବଂଶୀୟମାନଙ୍କ ଶୌର୍ଯ୍ୟ, ପରାକ୍ରମ, ସ୍ୱାଭିମାନ ପାଇଁ ମହାନଦୀର ଭୂମିକାକୁ ଅସ୍ୱୀକାର କରି ହେବ ନାହିଁ । କ୍ଷୁଦ୍ର ଏକ ରାଜ୍ୟର ନଗଣ୍ୟ ଏକ ସେନାପତି ଅତ୍ୟନ୍ତ ଶକ୍ତିଶାଳୀ ମୋଗଲ ସମ୍ରାଟଙ୍କ ହୃଦୟରେ ମଧ୍ୟ ହୃତ୍‌କମ୍ପ ସୃଷ୍ଟିକ୍ଷମ ମରହଟ୍ଟା ଶକ୍ତି ବିରୋଧରେ ଯେପରି ଛାତି ଫୁଲାଇ ଠିଆ ହୋଇପାରିଥିଲେ, ତାହାର ଦୃଷ୍ଟାନ୍ତ ଖୁବ୍‌ ବେଶି ମିଳିବ ନାହିଁ । ଏହା ହେଉଛି ଜାତୀୟ ଚରିତ୍ରର ଏକ ବିଶେଷ ଦିଗ । ମହାନଦୀ ହିଁ ଏହାର ନିର୍ମାଣ କରିଛି-

 

ସେହିଭଳି ଉପକୂଳବର୍ତ୍ତୀ ଅଞ୍ଚଳ କଥା । ଏଠାରେ ମଧ୍ୟ ମହାନଦୀକୁ କେନ୍ଦ୍ରକରି ସଭ୍ୟତାର ଉତ୍‍ଥାନ ପତନ ଘଟିଛି । ରାଜାମାନଙ୍କ କଥା ବାଦ୍‌ ଦିଆଯାଉ । ଆକ୍ରମଣକାରୀ ବିଦେଶୀମାନେ ମଧ୍ୟ ଏହାର କୂଳଛାଡ଼ି ଦୂରକୁ ଯିବାକୁ ଚାହିଁ ନାହାନ୍ତି । ସୋମବଂଶୀ, ଗଙ୍ଗବଂଶୀ, ସୂର୍ଯ୍ୟବଂଶୀ ରାଜାମାନେ ଆଫଗାନ୍‌, ମରହଟ୍ଟା ଏବଂ ଇଂରେଜ ପ୍ରଭୃତି ଆକ୍ରମଣକାରୀମାନେ ସମସ୍ତେ ଏହାର ତୀରକୁ ଆଶ୍ରୟ କରିଛନ୍ତି । ଇଂରେଜମାନେ ଓଡ଼ିଶା ଅଧିକାର କରିଛନ୍ତି, ଏହାରି କୂଳରେ । ଏହାରି କୂଳରେ ସେମାନେ ମୃଗୟା କରିଛନ୍ତି । ରାଜଧାନୀ ସ୍ଥାପନ କରିଛନ୍ତି ଏବଂ ଦୁର୍ଗ ମଧ୍ୟ ନିର୍ମାଣ କରିଛନ୍ତି । ନଦୀ ହୋଇଛି ଏ ସବୁର ସାକ୍ଷୀ ତଥା ସହାୟକ । ମହାନଦୀ ସ୍ୱୟଂ ଓଡ଼ିଶାର ଏକ ଇତିହାସ । ତେଣୁ ଏ ରାଜ୍ୟର ଇତିହାସ ଚର୍ଚ୍ଚା ତାହାର ଉଲ୍ଲେଖ ବିନା ଅସମ୍ପୂର୍ଣ୍ଣ ହୋଇଯିବ । ତାକୁ ଜାଣିବାକୁ ହେଲେ ଓଡ଼ିଶାର ଇତିହାସ ପ୍ରଥମେ ଜାଣିବାକୁ ହେବ । ସେଇଥିପାଇଁ ଏଠାରେ ଓଡ଼ିଶାର ଇତିହାସ ସମ୍ପର୍କରେ ସଂକ୍ଷେପରେ ସୂଚନା ଦିଆଗଲା । ବିଶେଷ କରି ଯେଉଁ ଅଞ୍ଚଳ ସହିତ ବା ଘଟଣା ସହିତ ମହାନଦୀର ପ୍ରତ୍ୟକ୍ଷ ସମ୍ପର୍କ ରହିଛି, ସେ ବିଷୟ ସବୁ ଏଠାରେ ଚର୍ଚ୍ଚିତ ହୋଇଛି । ଇତିହାସର ରଙ୍ଗସ୍ଥଳୀ ରୂପରେ ଏହି ନଦୀ ଓଡ଼ିଶା ପାଇଁ ଯେଉଁ ଅନନ୍ୟ ଭୂମିକା ଗ୍ରହଣ କରିଥିଲା, ତାହା ସୂଚାଇବା ହେଉଛି, ଏହି ଅଧ୍ୟାୟର ଲକ୍ଷ୍ୟ ।

Image

 

Unknown

ପଞ୍ଚମ ଅଧ୍ୟାୟ

ତୀରେ ତୀରେ ତୀର୍ଥ

 

ଉତ୍କଳରେ ଗଙ୍ଗାଙ୍କର ସ୍ନିଗ୍ଧ ପବିତ୍ର ଧାରା ରୂପେ ପ୍ରବାହିତ ମହାନଦୀକୁ ଓଡ଼ିଆମାନେ ଗ୍ରହଣ କରନ୍ତି ନଦୀ ରୂପରେ ନୁହେଁ, ଦେବୀ ରୂପରେ । ସଭ୍ୟତାର ବିକାଶକାଳରୁ ଏହାର ତୀରଭୂମି ତେଣୁ ହୋଇଛି ବହୁ ଦେବ ଦେବୀଙ୍କର ବିହାରସ୍ଥଳୀ । ମହାନଦୀର ପାବନଜଳରେ ସ୍ନାନ କରି ସେମାନେ ନିଜ ନିଜର ମହିମାରେ ଉତ୍କଳୀୟମାନଙ୍କୁ ଭାସ୍ୱର କରିଛନ୍ତି । ମହାନଦୀର କୃପାରୁ ହିଁ ଉତ୍କଳ ବହୁ ପ୍ରାଚୀନ କାଳରୁ ଦେବୀଦେବତାଙ୍କ ଦେଶ ରୂପରେ ବାହାରେ ଖ୍ୟାତି ଲାଭ କରିଛି । ହୁଏତ ଏହି କାରଣରୁ ଉତ୍କଳକୁ ବ୍ରାତ୍ୟଦେଶ ରୂପେ ଚିହ୍ନିତ କରିଥିଲେ ହେଁ ଆଚାର୍ଯ୍ୟ ମନୁ ଏହାର ତୀର୍ଥତ୍ୱକୁ ସମ୍ମାନ ଜଣାଇ ତୀର୍ଥ ଦର୍ଶନ ନିମନ୍ତେ ଏଠାକୁ ଆସିବା ପାଇଁ ଆର୍ଯ୍ୟମାନଙ୍କୁ ଅନୁମତି ଦେଇଥିଲେ । ଏହାର ମହିମାରେ ମୁଗ୍ଧ ହୋଇ ଛତ୍ରପତି ଶିବାଜୀ ଉତ୍କଳକୁ ଦେବୀଦେବତାଙ୍କ ବାସସ୍ଥଳୀର ମର୍ଯ୍ୟାଦା ଦେଇଥିଲେ । ଏହି ପବିତ୍ର ଭୂମି ହିଁ ଚଣ୍ଡାଶୋକଙ୍କ ହୃଦୟରେ ଭାବାନ୍ତର ସୃଷ୍ଟି କରାଇ ତାଙ୍କୁ ଧର୍ମାଶୋକରେ ପରିଣତ କରିଥିଲା । ଏ ସବୁ ହୋଇଥିଲା ମହାନଦୀର କଲ୍ୟାଣରୁ ।

 

ସୋନପୁର ଠାରୁ କଟକ ପର୍ଯ୍ୟନ୍ତ ବୌଦ, ଆଠମଲ୍ଲିକ, ଦଶପଲ୍ଲା, ନରସିଂହପୁର, ବଡ଼ାମ୍ବା, ଖଣ୍ଡପଡ଼ା, ତିଗିରିଆ, ବାଙ୍କି ଏବଂ ଆଠଗଡ଼ ପର୍ଯ୍ୟନ୍ତ ଗଡ଼ଜାତ ରାଜ୍ୟଗୁଡ଼ିକ ଅବସ୍ଥିତ । ମହାନଦୀର ଦକ୍ଷିଣକୂଳ ଐରାବତ ମଣ୍ଡଳ ଏବଂ ଉତ୍ତରସୀମା ହିନ୍ଦୋଳ କୋବଲ୍‌କ ମଣ୍ଡଳର ଅନ୍ତର୍ଭୁକ୍ତ ଥିଲା । ରଣପୁର ଏବଂ ନୟାଗଡ଼ ଦକ୍ଷିଣ ସୀମାରେ ଥିବା ପର୍ବତମାଳା ଐରାବତ ମଣ୍ଡଳର ପ୍ରାକୃତିକ ଦକ୍ଷିଣ ସୀମା ଥିଲା । ମହାନଦୀର ଉତ୍ତର କୂଳରେ ଥିବା ବାଙ୍କି ଅନ୍ତର୍ଭୁକ୍ତ ରଣଗଡ଼କୁ ଐରାବତ ଭାବରେ ଚିହ୍ନିତ କରାଯାଇଛି ।

 

ସୂଚିତ ଗଡ଼ଜାତଗୁଡ଼ିକରେ ଯେଉଁ ସବୁ ରାଜବଂଶ ରାଜପଣ କରୁଥିଲେ, ସେମାନେ ପ୍ରାୟ ସମସ୍ତେ କୌଣସି ନା କୌଣସି ପ୍ରଖ୍ୟାତ ସୂତ୍ରରୁ ସୃଷ୍ଟି ହୋଇଥିଲେ । ଏ ସବୁ ଇତିହାସରେ ସତ୍ୟ ଅପେକ୍ଷା କିମ୍ବଦନ୍ତୀର ମାତ୍ରା ଏତେ ଅଧିକ ଏବଂ ସେଗୁଡ଼ିକ ଏତେ କାଳ୍ପନିକ ଯେ, ତହିଁରୁ ସତ୍ୟ ଅନୁସନ୍ଧାନ କରିବା ଏକ ଜଟିଳ କାର୍ଯ୍ୟ । ଏ ରାଜବଂଶୀୟମାନ ଇଷ୍ଟଦେବୀ ରୂପରେ କୌଣସି ନା କୌଣସି ଠାକୁରାଣୀଙ୍କ ପୂଜା କରୁଥିଲେ । ଅଧିକାଂଶ ରାଜ୍ୟ ଜନଜାତି ଅଧ୍ୟୁଷିତ ହୋଇଥିବାରୁ ଏବଂ ଆରଣ୍ୟକମାନେ ଶକ୍ତିଉପାସକ ଥିବାରୁ ଶାସକ ସମ୍ପ୍ରଦାୟ ସେମାନଙ୍କଠାରୁ ଏହି ରୀତିଟିକୁ ଗ୍ରହଣ କରିନେଇଥିବାର ସମ୍ଭାବନା । ଇଷ୍ଟଦେବୀ ପ୍ରଚଣ୍ଡ ଶକ୍ତିଶାଳିନୀ ଥିଲେ ଏବଂ ରାଜ୍ୟରେ ସେମାନଙ୍କର ଅଖଣ୍ଡ ପ୍ରତାପ ଥିଲା । କାଳକ୍ରମେ ଇଷ୍ଟଦେବମାନେ ମଧ୍ୟ ସୃଷ୍ଟି ହେଲେ । ରାଜାମାନେ ଆଦିବାସୀ ଦେବୀମାନଙ୍କୁ ଆର୍ଯ୍ୟାଧାରାରେ ପକାଇ ନେବା ନିମନ୍ତେ ସେମାନଙ୍କର ବେଶ୍‌ ସମ୍ଭ୍ରାନ୍ତ ଇତିହାସମାନ ପ୍ରସ୍ତୁତ କରାଇନେଲେ । ବଡ଼ମ୍ବାର ଭଟ୍ଟାରିକା, ବାଙ୍କିର ଚର୍ଚ୍ଚିକା, ରଣପୁରର ମଣିନାଗେଶ୍ୱରୀ, ତିଗିରିଆର ରାମଚଣ୍ଡୀ ଓ ପନ୍ଥେଇ, ଏହିଭଳି ଅଣଆର୍ଯ୍ୟ ପରମ୍ପରାରୁ ଆସି ସମ୍ପୂର୍ଣ୍ଣ ରୂପେ ଆର୍ଯ୍ୟ ଦେବୀ ହୋଇଗଲେ । ଏହାଦ୍ୱାରା ସେମାନଙ୍କର ପୂର୍ବ ପରିଚୟ କେତେ ଦୂର ବଜାୟ ରହିଲା, ତାହା କହିହେବ ନାହିଁ । ତେବେ ଅଧିକାର ବଜାୟ ରହିଲା ଉଭୟ ଗୋଷ୍ଠୀର-। କର୍ମକର୍ମାଣିରେ ଦୁଇ ଗୋଷ୍ଠୀ ଅଂଶ ଗ୍ରହଣ କଲେ । ଦେବୀମାନେ ରାଜା ଓ ପ୍ରଜାଙ୍କ ମଧ୍ୟରେ ସେତୁ ସ୍ୱରୂପ ହେଲେ ଏବଂ ରାଜାମାନେ ଆଦିବାସୀ ଦେବୀଙ୍କୁ ଗ୍ରହଣ କରିନେବା ଦ୍ୱାରା ଆଦିବାସୀ ପ୍ରଜାଙ୍କର ବିଶ୍ୱାସଭାଜନ ହେବାର ବାଟ ଫିଟିଗଲା । ଦେବମାନେ କ୍ରମେ ରାଷ୍ଟ୍ରଦେବତା ରୂପରେ ଗୃହୀତ ହୋଇଯିବାରୁ ରାଜାଙ୍କର ରାଜ୍ୟ ଉପରେ ସାର୍ବଭୌମତା ସ୍ୱତଃ ପ୍ରତିଷ୍ଠିତ ହୋଇଗଲା ।

 

କ୍ରମେ ଆହୁରି ପରିବର୍ତ୍ତନ ଆସିଲା । ଜନଜାତିର ଧର୍ମବିଶ୍ୱାସ ଉପରେ ଜଗନ୍ନାଥ ଧର୍ମ ପ୍ରଭାବ ବିସ୍ତାର କରିବାରୁ ମହାନଦୀ ଦୁଇ ତୀରରେ ଥିବା ଗଡ଼ଜାତଗୁଡ଼ିକର ରାଜଧାନୀରେ ଜଗନ୍ନାଥ କ୍ରମେ ଗୁରୁତ୍ୱ ଲାଭ କଲେ । ସେଠାରେ ଜଗନ୍ନାଥ ମନ୍ଦିର ନିର୍ମାଣ ଆରମ୍ଭ ହେଲା । ଅଧିକାଂଶ ରାଜ୍ୟରେ ଏସବୁ ମନ୍ଦିର ଉନବିଂଶ ଶତକରେ ହିଁ ନିର୍ମିତ ହୋଇଛି । ଏହି କାରଣରୁ ତିଗିରିଆରେ ପ୍ରତିଷ୍ଠିତ ହେଲେ ପ୍ରସନ୍ନ ପୁରୁଷୋତ୍ତମ । ତେବେ ରାଜପରିବାରର ଏହି ନିର୍ମାଣ ପ୍ରୀତି ପ୍ରଜାମାନଙ୍କ ପାଇଁ ଭାର ହୋଇ ଉଠିଲା । କାରଣ ଏହା ହିଁ ପ୍ରକାରାନ୍ତରେ ଶୋଷଣ ପୀଡ଼ନକୁ ପ୍ରୋତ୍ସାହିତ କଲା ।

 

ତିଗିରିଆ କଥା ଧରାଯାଉ । ମହାନଦୀର ଉତ୍ତର କୂଳରେ ଏହି କ୍ଷୁଦ୍ରରାଜ୍ୟ ଅବସ୍ଥିତ । ତିଗିରିଆ ଅର୍ଥାତ୍‌ ତିନିପର୍ବତର ସମାହାର କ୍ଷେତ୍ରକୁ ତିଗିରିଆ କୁହାଗଲା କିମ୍ବା ତିନିଗଡ଼ (ତ୍ରିଗଡ଼) ଥିବାରୁ ରାଜ୍ୟର ଏଭଳି ନାମକରଣ କରାଗଲା, ତାହା ବୁଝାଯାଏ ନାହିଁ । ରାଜ୍ୟଟି ତିନିଗଡ଼, ମଧ୍ୟଖଣ୍ଡ ଏବଂ କୁଲ୍‌ତା–ଏହିଭଳି ତିନିଭାଗରେ ବିଭକ୍ତ । ଏହାର ପ୍ରତିଷ୍ଠାତା ଥିଲେ ନିତ୍ୟାନଦ ତୁଙ୍ଗ (୧୨୪୬ ଖ୍ରୀଷ୍ଟାବ୍ଦ) ଲାଙ୍ଗୁଳା ନରସିଂହଙ୍କ ଠାରୁ ସେ ସନନ୍ଦ ପାଇଥିଲେ । ପ୍ରସନ୍ନ ପୁରୁଷୋତ୍ତମଙ୍କ ମନ୍ଦିର ନିର୍ମିତ ହୋଇଥିଲା ଗୋପୀନାଥ ଚମ୍ପତି ସିଂ ମହାପାତ୍ର (୧୭୪୩-୯୭) ଙ୍କ ଦ୍ୱାରା-। କିମ୍ବଦନ୍ତୀ ସୃଷ୍ଟି ହେଲା ଯେ, ଜଗନ୍ନାଥ ସପରିବାର ତାଙ୍କ ରାଜ୍ୟକୁ ଆସିବାକୁ ଚାହାନ୍ତି । ସ୍ୱପ୍ନରେ ଏହି ଉଦନ୍ତ ପ୍ରାପ୍ତ ହୋଇ ମହାପାତ୍ର ମହାନଦୀ ତୀରରୁ ଶ୍ରୀଜୀଉଙ୍କ ତିନିପ୍ରତିମା ଆଣି ଗହ୍ନା ପୂର୍ଣ୍ଣିମାଦିନ ତାଙ୍କୁ ପ୍ରତିଷ୍ଠା କରିଥିଲେ । ଠାକୁରଙ୍କ ନାମ ହେଲା ପ୍ରସନ୍ନ-ପୁରୁଷୋତ୍ତମ ବା ପ୍ରସନ୍ନମଣି । ପରବର୍ତ୍ତୀ କାଳରେ ବନମାଳୀ ଚମ୍ପତ୍ତି ସିଂ ମହାପାତ୍ର ଠାକୁରଙ୍କ ପାଇଁ ପକ୍କା ଦେଉଳ ତୋଳାଇଲେ । ଅନ୍ୟାନ୍ୟ ରାଜ୍ୟରେ ମଧ୍ୟ ଦେଉଳତୋଳାର ଊଣା ଅଧିକେ ଏହିଭଳି ଇତିହାସ ରହିଛି ।

 

ମହାନଦୀ ଉପତ୍ୟକାରେ ଦେବ ଉପାସନା-ପରମ୍ପରା ସୃଷ୍ଟି ପଛରେ ରହିଥିଲା ରାଜାଙ୍କର ସ୍ୱାର୍ଥ । କ୍ଷୁଦ୍ରରାଜ୍ୟ ତିଗିରିଆ (କ୍ଷେତ୍ରଫଳ ମାତ୍ର 76 ବର୍ଗ କି:-ମି) ହେଉଛି ଏହାର ଏକ ଦୃଷ୍ଟାନ୍ତ । ପ୍ରଜାଙ୍କର ଧର୍ମବିଶ୍ୱାସର ସୁଯୋଗରୁ ରାଜ ଶାସନର ନିରଙ୍କୁଶତା ନିମନ୍ତେ କ୍ଷେତ୍ରପ୍ରସ୍ତୁତିରୁ ଏହି ପରମ୍ପରାର ସୃଷ୍ଟି । ଏଇଥିପାଇଁ ଅଣ-ଆର୍ଯ୍ୟ ଦେବତାମାନଙ୍କ ଆର୍ଯ୍ୟାୟନ । ମହାନଦୀ ଅବବାହିକାର ଆଧ୍ୟାତ୍ମିକ ଉତ୍ତରଣର ସ୍ୱରୂପକୁ ବିଶ୍ଳେଷଣ କଲେ ତହିଁରୁ ଏହି ସିଦ୍ଧାନ୍ତଟି ବାହାରି ଆସିଥାଏ । ତେବେ ଧର୍ମୀୟ ଉଦାରତା ଏବଂ ସମନ୍ୱୟ ଭାବନା ଏ ଉଭୟକୁ ଅବବାହିକା ସଂସ୍କୃତିର ଦାନ ବୋଲି କୁହାଯାଇପାରେ ।

 

ଏଥର ତୀର୍ଥ ପ୍ରସଙ୍ଗ । ପ୍ରଥମେ ସ୍ମରଣ କରାଯାଇପାରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ସମଲାଈଙ୍କୁ ଯେକି ଇତିମଧ୍ୟରେ ସମଗ୍ର ପଶ୍ଚିମ ଓଡ଼ିଶାର ଇଷ୍ଟଦେବୀର ମାନ୍ୟତା ଲାଭ କରିସାରିଛନ୍ତି । ମହାନଦୀ କୂଳରେ ଅବସ୍ଥିତ ଏହାଙ୍କ ପୀଠଟି ମାତ୍ର ଚାରିଶହ ବର୍ଷର ପୁରୁଣା ଏବଂ ଏହା ଚୌହାନ୍‌ ବଂଶ ପ୍ରତିଷ୍ଠାତା ରାଜା ବଳରାମ ଦେବଙ୍କ ଦ୍ୱାରା ପ୍ରତିଷ୍ଠିତ । ରାଜକବି ବାସୁଦେବ ସୁଢ଼ଳଦେବ ‘ଚିତ୍ରୋତ୍ପଳା’ କାବ୍ୟରେ ଏହାଙ୍କୁ ‘ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ସମଲାଈ ମହାମାୟୀ’ ବୋଲି କହି ତାଙ୍କରି ନାମରେ ସମ୍ବଲପୁର ସହର ନାମିତ ହୋଇଛି ବୋଲି କହିଛନ୍ତି । ସମଲେଶ୍ୱରୀଙ୍କ ଆବିର୍ଭାବ ପୂର୍ବରୁ ରାଜ୍ୟର ନାମ ସମ୍ବଳ ବା ସମ୍ବଳକ ଥିବାର ଏବଂ ଏଥିରୁ ‘ସମ୍ବଲପୁର’ ନାମ ଆସିଥିବାର କଥା ମଧ୍ୟ ଏହି ପ୍ରସଙ୍ଗରେ ଶୁଣାଯାଏ ।

 

ଦେବୀଙ୍କ ଆବିର୍ଭାବ ସମ୍ପର୍କରେ ଯଥାରୀତି ଏକ କିମ୍ବଦନ୍ତୀ ରହିଛି । ଶୁଣାଯାଏ ଯେ, ଏହାର ପ୍ରତିଷ୍ଠାତା ବଳରାମ ଦେବ, ଦୁର୍ଦ୍ଧଷ ଶିକାରୀ ଥିଲେ ଏବଂ ପ୍ରାୟ ପାରିଧିରେ ଯାଉଥିଲେ । ଥରେ ସେ ଏକ ଦୁର୍ଗ ସ୍ଥାପନ ନିମନ୍ତେ ସ୍ଥାନାନ୍ୱେଷଣ ତଥା ଶିକାର ସନ୍ଧାନରେ ହୁମାର ଦୁର୍ଗମ ଅରଣ୍ୟ ମଧ୍ୟରେ ମହାନଦୀ କୂଳସ୍ଥ ଚାଉଁରପୁରଠାରେ ଶିବିର ସ୍ଥାପନ କରି ରହିଥିଲେ । ସେଠାରେ ଏକ ଅଦ୍‌ଭୁତ ଘଟଣା ଘଟିଲା । ତାଙ୍କ ଆଗରେ ତାଙ୍କରି ଶିକାରୀ କୁକୁରମାନେ ଗୋଟିଏ ଠେକୁଆକୁ ଗୋଡ଼ାଇ ଆଣିଲେ । ଠେକୁଆ ଅଦୌ ଭୟଭୀତ ନହୋଇ କୁକୁରମାନଙ୍କୁ ଏଭଳି ବ୍ୟତିବ୍ୟସ୍ତ କରି ପକାଇଲା ଯେ, କୁକୁରମାନେ ଭୟରେ ଛତ୍ରଭଙ୍ଗ ଦେଲେ । ବଳରାମ ଏ ଦୃଶ୍ୟରେ ଚମକୃତ ହୋଇ ସ୍ଥାନର ମାହାତ୍ମ୍ୟ ସ୍ୱୀକାର କଲେ ଏବଂ ସେଇଠାରେ ଏକ ଦୁର୍ଗ ନିର୍ମାଣ ନିମନ୍ତେ ସିଦ୍ଧାନ୍ତ ନେଲେ । ଏଭଳି କାହାଣୀରେ କୌଣସି ସତ୍ୟତା ନଥାଏ । ମାଦଳାପାଞ୍ଜିରେ ଚୁଡ଼ଙ୍ଗ ଦେବଙ୍କ ବାରାଣସୀ କଟକଠାରେ ଗଡ଼ ନିର୍ମାଣ କରିବା ସମ୍ପର୍କରେ ମଧ୍ୟ ଏହିଭଳି ଏକ ବିବରଣୀ ଦିଆଯାଇଛି । ସେଠାରେ ଶାମଳପକ୍ଷୀ ବକ ଦ୍ୱାରା ଆକ୍ରାନ୍ତ ହୋଇଥିବାର ବର୍ଣ୍ଣିତ । ଖୋଜିଲେ ଭାରତର ଅନ୍ୟାନ୍ୟ ପ୍ରାନ୍ତରେ ମଧ୍ୟ ଏହାର ସମାନ୍ତରାଳ ରୂପ ଦେଖିବାକୁ ମିଳିବ ।

 

ବଳରାମ ଦେବଙ୍କ ପାଇଁ ଦ୍ୱିତୀୟ ଆକସ୍ମିକ ଘଟଣା ମଧ୍ୟ ଘଟିଲା ସେଇ ଶିବିରରେ । ସେ ସ୍ୱପ୍ନ ଦେଖିଲେ, ସ୍ୱୟଂ ଦେବୀ ସମଲାଇ ତାଙ୍କ ସମ୍ମୁଖରେ ଆବିର୍ଭୁତ ହୋଇ ତାଙ୍କୁ କହୁଛନ୍ତି, ‘‘ବତ୍ସ ମୁଁ ସମଲାଈ । ଏବେ ‘ଗୁମଦର୍ହ’ ନାମକ ସ୍ଥାନରେ ଜଳ ମଧ୍ୟରେ । ମୋ ପାଇଁ ମନ୍ଦିର ନିର୍ମାଣର ବ୍ୟବସ୍ଥା କର ।’’ ବଳରାମ ଦେବୀଙ୍କ ଆଦେଶ ମାନିଥିଲେ । ସୂଚିତ ସ୍ଥାନରେ ଦୁର୍ଗ ମଧ୍ୟ ନିର୍ମିତ ହୋଇଥିଲା । ପ୍ରହ୍ଲାଦ ଦୁବେ ତାଙ୍କର ‘ଜୟ ଚନ୍ଦ୍ରିକା’ କାବ୍ୟରେ ଏ ସମ୍ପର୍କରେ ବିସ୍ତୃତ ବର୍ଣ୍ଣନା ଦେଇ କହିଛନ୍ତି ।

 

ଥାନମେରୋ ଗୋମ୍‌ଦହ୍‌ କେ ଅନ୍ଦର ।

ସେମର୍‌ ପାଶ୍‌ ରଚୋ ଅବ ମନ୍ଦିର ।।

 

ଦୁବେଙ୍କ ସୂଚନା ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ ପ୍ରମାଣ ଭିତ୍ତିରେ ସମଲାଈ ଆର୍ଯ୍ୟଦେବୀ ନଥିଲେ ବୋଲି ଐତିହାସିକ ଶିବପ୍ରସାଦ ସ୍ଥିର କରିଛନ୍ତି । ତାଙ୍କ ମତରେ, ‘‘ମହାନଦୀର ଉତ୍ତର କୂଳରେ ବାସ କରୁଥିବା ଆଦିବାସୀମାନେ ଦେବୀଙ୍କୁ ସେହି ସ୍ଥାନରେ ଗୋଟିଏ ଶିମୁଳୀ ଗଛ ତଳେ ରଖି ପୂଜା କରୁଥିଲେ । ସେମାନଙ୍କ ପ୍ରୀତି ଓ ସହଯୋଗର ଆକର୍ଷଣ କରିବା ଉଦ୍ଦେଶ୍ୟରେ ବଳରାମଦେବ ସମଲାଇ ଦେବୀଙ୍କ ଉପାସ୍ୟ ଦେବୀ ରୂପେ ସ୍ୱୀକାର କଲେ । ସେ ଦେବୀଙ୍କ ନିମନ୍ତେ ଏକ ମନ୍ଦିର ମଧ୍ୟ ତୋଳାଇଲେ । କିଛି କାଳପରେ ଛତ୍ରଶାହ ସେହି ଦେଉଳ ପୁନଃ ନିର୍ମାଣ କରିଥିଲେ ।’’ (ସମ୍ବଲପୁର ଇତିହାସ:- ପୃ ୨୨୭) ମନ୍ତବ୍ୟଟି ଏକାନ୍ତ ସତ୍ୟ । ଅତୀତରେ ଅଣଆର୍ଯ୍ୟ ଦେବତା ନୀଳମାଧବଙ୍କୁ ଆର୍ଯ୍ୟଦେବତା ରୂପରେ ମାନ୍ୟତା ଦେବାପାଇଁ ଇନ୍ଦ୍ରଦ୍ୟୁମ୍ନ ମଧ୍ୟ ଏହି କୌଶଳ ଅବଲମ୍ବନ କରିଥିଲେ । ବସ୍ତୁତଃ, ଏହା ହେଉଛି ଏ ରାଜ୍ୟର ଏକ ପ୍ରତିଷ୍ଠିତ ପରମ୍ପରା-

 

ସମଲାଈ:- ସମଲାଈଙ୍କ ବର୍ତ୍ତମାନ ମନ୍ଦିର ରାଜା ଛତ୍ରଶାହ (୧୬୫୭-୯୫)ଙ୍କ ଦ୍ୱାରା ନିର୍ମିତ ହୋଇଥିଲା । ସେ ଦେବୀଙ୍କ ସେବାପୂଜା ନିମନ୍ତେ 40 ଖଣ୍ଡ ମୌଜା ଦାନ କରିଥିଲେ । ତେବେ ବର୍ତ୍ତମାନ ଦେବୀଙ୍କର କୌଣସି ଖଞ୍ଜା ସମ୍ପତ୍ତି ନାହିଁ । ସେବକମାନଙ୍କ ମହାକ୍ଷୁଧାର ଲେଲିହାନ୍‌ ଶିଖା ମଧ୍ୟରେ ତାହା ସ୍ୱାହା ହୋଇଯାଇଛି । କେବଳ କେତୋଟି ଗ୍ରାମର ଉଲ୍ଲେଖ ଲୋକ ମୁଖରୁ ଶୁଣିବାକୁ ମିଳୁଛି । ବଳରାମ ଦେବ ଦେବୀଙ୍କ ସେବାପୂଜାର କୌଣସି ସ୍ଥାୟୀ ବ୍ୟବସ୍ଥା କରିନଥିଲେ । ସମ୍ଭବତଃ, ଏ ସଂକ୍ରାନ୍ତ ବ୍ୟୟ ଭାର ସେ ନିଜେ ବହନ କରୁଥିଲେ ।

 

ସମ୍ବଲପୁର ଏବଂ ଆଖପାଖ ଅନ୍ୟ ଜିଲ୍ଲାମାନଙ୍କରେ ସମଲାଈ ବିରାଜିତା । ଦେବୀଙ୍କ ସେବାରେ ଆଦିମ ଜାତିର ଲୋକେ ନିଯୁକ୍ତ ଅଛନ୍ତି । ସେମାନେ ପୂର୍ବେ ଅସ୍ପୃଶ୍ୟ ଥିଲେ । ପୂର୍ବେ ମନ୍ଦିରରେ ମଇଁଷି ବଳି ଦିଆଯାଉଥିଲା । ପାଟଣାର ପାଟଣେଶ୍ୱରୀ ଏବଂ ସମ୍ବଲପୁରର ସମଲେଶ୍ୱରୀ ଚୌହାନ୍‌ ବଂଶର କୁଳଦେବୀ ରୂପେ ଗୃହୀତ । ଛତ୍ରଶାହା ଥିଲେ ଜଣେ ପରାକ୍ରମଶାଳୀ ରାଜା ଏବଂ ସମଲେଶ୍ୱରୀଙ୍କ ଭକ୍ତ । ତାଙ୍କର ପ୍ରତିପତ୍ତି ସମ୍ପର୍କରେ ତାଳଚେରରୁ ଲିଖିତ ଏକ ପତ୍ରରେ କୁହାଯାଇଛି,

 

ଚିତ୍ରୋତ୍ପଳା ନଦୀତୀରେ ଯା ପୁରୀ ସମ୍ବଳାଭିଧା,

ଶ୍ରୀମତା ଛତ୍ରଶାଲେନ ପାଳିତ ସର୍ବଦା ତଦା । –ଛତ୍ରଶାହାଙ୍କ

 

ରାଜବୈଦ୍ୟ ଗୋପୀନାଥ ଷଡ଼ଙ୍ଗୀ ‘ଚିକିତ୍ସାମଞ୍ଜରୀ’ ନାମକ ଗ୍ରନ୍ଥରେ ଲେଖିଛନ୍ତି,

 

ଉତ୍କଳ ଦେଶ ମହାନଦୀତୀରେ ।

ସମ୍ବଲପୁର ଅଭିଧା ଗ୍ରାମରେ ।

ଯହିଁ ଅଛନ୍ତି ଦେବୀ ସମଲାଈ ।

ସକଳ ଅର୍ଥ ସେବା କଲେ ଦେଇ ।

ଶ୍ରୀ ଛତ୍ରଶାହ ତହିଁରେ ରାଜନ ।

କ୍ଷତ୍ରିୟ କୁଳ କମଳ-ତପନ ।

 

ସମଲାଈଙ୍କ ପ୍ରତି ଛତ୍ର ସାହଙ୍କ ଯେଉଁ ଆନୁଗତ୍ୟ ଥିଲା, ତାହା ଏଥିରୁ ଜଣାଯାଇଥାଏ । ଦେବୀଙ୍କ ପ୍ରତିପତ୍ତି ଉପକୂଳ ଅଞ୍ଚଳରେ ଯେ ଆଦୌ ଊଣା ନୁହେଁ, ତାହା ପ୍ରସିଦ୍ଧ ଦେବୀ ସ୍ତୋତ୍ରରେ ତାଙ୍କର ନାମର ଅନ୍ତର୍ଭୁକ୍ତିରୁ ଜଣାଯାଇଥାଏ । ସମଲାଈଙ୍କ ବିଗ୍ରହ ବୃହତ୍‌ ପାଷାଣମୟ ଶିଳାଖଣ୍ଡ । ଏହାର ଠିକ୍‌ କେନ୍ଦ୍ରରେ ସାମାନ୍ୟ ନିମ୍ନ ସ୍ଥଳକୁ ଦେବୀଙ୍କ ମୁଖ କୁହାଯାଏ । ଏହାର ଉପରଭାଗରେ ଦୁଇପଟର ନିମ୍ନ ସ୍ଥାନକୁ ସୁନା ପତ୍ରରେ ଛାଆଣି କରିଦିଆ ଯାଇଛି ଏବଂ ଏହା ହୋଇଛି ଦେବୀଙ୍କ ଆଖି । ଦେବୀ ସିନ୍ଦୂର ବିଲୋପିତା ଏବଂ ତାଙ୍କର ଗଠନରୁ ସେ ଅଣ-ଆର୍ଯ୍ୟ ଦେବୀ ଥିବାର ସ୍ପଷ୍ଟ ସୂଚନା ମିଳେ । ଦେବୀ ମନ୍ଦିର ଚତୁଷ୍କୋଣ ଏବଂ ଗୋଟିଏ ଉଚ୍ଚଭୂମିରେ ନିର୍ମିତ । ମନ୍ଦିରର ଚାରିପଟରେ ବାରଣ୍ଡା ରହିଛି ଏବଂ ଚାରିକୋଣରେ ଚାରିଟି ଗମ୍ୱୁଜ ରହିଛି ।

 

ସମ୍ବଲପୁରର ବହୁ ପ୍ରାଚୀନ ମନ୍ଦିର ମଧ୍ୟରୁ ଜଗନ୍ନାଥ ମନ୍ଦିର ଅନ୍ୟତମ । ମଧୁକର ସାଏଙ୍କ ବୈରାଗୀ ପୁତ୍ର ବଂଶ ଗୋପାଳ ହେଉଛନ୍ତି ଏହାର ନିର୍ମାତା । ଅନ୍ୟତମ ପ୍ରାଚୀନ ବ୍ରହ୍ମପୁରା ମନ୍ଦିରରେ ତିନି ବିଗ୍ରହଙ୍କ କାଷ୍ଠମୟ ମୂର୍ତ୍ତି ରହିଛି । ସମ୍ବଲପୁର ଜିଲ୍ଲାରେ ଶ୍ରୀ ଜଗନ୍ନାଥଙ୍କ ପୂଜା ଉପାସନାର ଗୁରୁତ୍ୱ ଦୃଷ୍ଟିରୁ ଶ୍ରୀପୁର ଅଞ୍ଚଳରୁ ଶବରୀ-ନାରାୟଣ ଉପାସନା ମହାନଦୀ ବାଟେ ଉପକୂଳ ଅଞ୍ଚଳକୁ ଯାଇଥିବା ଯେଉଁ ମତ ପ୍ରଚାରିତ ତହିଁରେ ସତ୍ୟତା ଥାଇପାରେ । ଏହି ମତାନୁସାରେ ଶବରୀ ନାରାୟଣ କାଳକ୍ରମେ ନୀଳମାଧବ ଏବଂ ପରେ ଦାରୁଦେବତା ଶ୍ରୀଜଗନ୍ନାଥରେ ରୂପାନ୍ତରିତ ହୋଇଛନ୍ତି । ବାରପାହାଡ଼ ଅଞ୍ଚଳରେ ‘ରଥଯାତ୍ରା’ ଏବେ ମଧ୍ୟ ସେଠାର ଏକ ପ୍ରମୁଖ ପର୍ବ ରୂପରେ ପାଳିତ ହେଉଛି ଏବଂ ଏବେ ମଧ୍ୟ ଏହି ଉପଲକ୍ଷରେ ପ୍ରତି ପରିବାରରେ ନବବସ୍ତ୍ରର ବ୍ୟବସ୍ଥା କରାଯାଉଛି । ଏହି ପରମ୍ପରା ଉପକୂଳ ଅଞ୍ଚଳରେ ବିଶେଷ କରି ପୁରୀରେ ମଧ୍ୟ ନାହିଁ । ପଶ୍ଚିମାଞ୍ଚଳର ଅଧିକାଂଶ ଗ୍ରାମରେ ଶ୍ରୀଜୀଉଙ୍କର ଗୁଡ଼ି ବା ମନ୍ଦିର ଥିବା- ଶ୍ରୀଜଗନ୍ନାଥଙ୍କ ପ୍ରତି ଏ ଅଞ୍ଚଳର ଅଟଳ ଭକ୍ତିର ପରିଚାୟକ । ଇତି ମଧ୍ୟରେ ତେଲ ନଦୀ ଉପତ୍ୟକାରୁ ବହୁ ପ୍ରାଚୀନ ମୂର୍ତ୍ତିର ସନ୍ଧାନ ମିଳିବା ସହ ଶ୍ରୀଜଗନ୍ନାଥଙ୍କ ବିଗ୍ରହ ମଧ୍ୟ ଉଦ୍ଧାର କରାଯାଇଛି । ଆଦିବାସୀ ବହୁଳ ତେନ୍ତୁଳିଖୁଣ୍ଟି ଗ୍ରାମ ନିକଟରେ ବହୁବର୍ଷ ତଳେ ଜଗନ୍ନାଥ ସଂସ୍କୃତିର ବିକାଶ ଘଟିଥିବାର ଏଥିରୁ ପ୍ରମାଣିତ ହୁଏ । ତ୍ରିଲୋଚନ ଭୋଇ ନାମକ ଜଣେ କନ୍ଧ ସ୍ୱପ୍ନାଦେଶ ପାଇ ନଦୀ କୂଳକୁ ଆସି ଭୂଗର୍ଭରୁ ଶ୍ରୀଜଗନ୍ନାଥ, ଶ୍ରୀ ବଳଭ୍ରଦ, ଦେବୀ ସୁଭଦ୍ରା, ନୀଳଚକ୍ର, ଶିବଲିଙ୍ଗ, ନାଗ, କାଳିକା, ଅନନ୍ତଶୟନ ବିଷ୍ଣୁ, ରାମଚଣ୍ଡୀ ପ୍ରଭୃତି ବହୁ ମୂର୍ତ୍ତି ଉଦ୍ଧାର କରିଛନ୍ତି । ନବମ ଶତାଦ୍ଦୀ ପୂର୍ବରୁ ଏଠାରେ ଶ୍ରୀଜଗନ୍ନାଥଙ୍କ ମନ୍ଦିର ଥିଲା ବୋଲି ପ୍ରତ୍ନତତ୍ତ୍ୱବିତ୍‌ମାନଙ୍କର ମତ । ପୂର୍ବେ ଏହି ସ୍ଥାନରେ ଘୋର ଅରଣ୍ୟ ଥିଲା ଏବଂ ବର୍ତ୍ତମାନ ଶ୍ରୀଧର ଝାଙ୍କରଙ୍କ ଜମିରୁ ଏହିସବୁ ମୂର୍ତ୍ତି ଉଦ୍ଧାର କରାଯାଇଛି । ଭୁଆଁପଡ଼ାଠାରେ ଖାରବେଳଙ୍କର ଏକ ଗଡ଼ ଥିଲା ବୋଲି ଐତିହାସିକମାନେ କହନ୍ତି । (ସମାଜ-୩/୨/୦୫) ଏ ପ୍ରସଙ୍ଗରେ ଏତେ ସହଜରେ କୌଣସି ନିଷ୍ପତ୍ତିରେ ପହଞ୍ଚିବା ଉଚିତ୍‌ ନ ହୋଇଥିଲେ ହେଁ ଏ ଅଞ୍ଚଳରେ ଯେ ବହୁକାଳ ପୂର୍ବେ (ହୋଇପାରେ ତାହା ନବମ ଶତକରେ) ଜଗନ୍ନାଥ ଉପାସନାର ଏକ ପ୍ରତିଷ୍ଠିତ ପରମ୍ପରା ଥିଲା ଏବଂ ଶ୍ରୀଜୀଉ ସମ୍ଭବତଃ ପଶ୍ଚିମ ଓଡ଼ିଶାରୁ ମହାନଦୀ ପଥରେ ଉପକୂଳ ଅଞ୍ଚଳକୁ ଯାତ୍ରା କରିଥିଲେ–ଏଭଳି ଏକ ମନ୍ତବ୍ୟକୁ ହାଲ୍‌କା ଭାବେ ଗ୍ରହଣ କରାଯିବା ଉଚିତ ନୁହେଁ । ତେବେ ଯେଉଁ ସମୟ କଥା କୁହାଯାଉଛି, ସେ ବିଷୟରେ ଭଲ ଭାବରେ ଅନୁସନ୍ଧାନ କରିବାକୁ ହେବ । ଅନ୍ୟ ଯେଉଁ ଦେବତାମାନେ ଏଠାରୁ ବାହାରିଛନ୍ତି, ପ୍ରତ୍ୟେକଙ୍କ ସୃଷ୍ଟିର ନିର୍ଦ୍ଦିଷ୍ଟ ସମୟ ରହିଛି । ସେଇ ମାର୍ଗରେ ଅନୁସନ୍ଧାନ କଲେ, ହୁଏତ ପ୍ରକୃତ ସମୟଟି ଜଣାଯାଇ ପାରିବ ।

 

ଜଗନ୍ନାଥ :–ଖଡ଼ିଆଳ ରାଜା ଜିତାମିତ୍ର ସିଂଦେଓ (Origin Jagannath Deity), ଶ୍ରୀ ଯଜ୍ଞକୁମାର ସାହୁ ପ୍ରମୁଖ ଶ୍ରୀଜଗନ୍ନାଥଙ୍କ ଆଦିଭୂମି ପଶ୍ଚିମ ଓଡ଼ିଶା ବୋଲି ପ୍ରମାଣ କରିଛନ୍ତି । ବଳାଙ୍ଗୀରର ତେନ୍ତୁଳିଖୁଣ୍ଟି (ସ୍ଥାନୀୟ ଉଚ୍ଚାରଣ ତେନ୍ତେଲଖୁଣ୍ଟି) ଗ୍ରାମ ସୀମାରୁ ଉପଲବ୍ଧ ଜଗନ୍ନାଥ, ବଳଭ୍ରଦ ଏବଂ ସୁଭଦ୍ରାଙ୍କର ପାଷାଣ ବିଗ୍ରହରୁ ଏହା ପ୍ରମାଣିତ ହୁଏ । ମାଦଳାପାଞ୍ଜି ମତରେ ମୋଗଲ ଗୋଳ ହେତୁ ଶ୍ରୀଜୀଉଙ୍କୁ ସୁନୁପୁର (ସୋନପୁର)ର କୋଟ ସମଲାଇଠାରେ ପାତାଳି କରାଯାଇଥିଲା । ଯଯାତି ତାଙ୍କ ରାଜତ୍ୱର ଏଗାର ଅଙ୍କରେ ବିଗ୍ରହମାନଙ୍କୁ ଉଦ୍ଧାର କରି ପୁରୀଠାରେ ସ୍ଥାପନ କରିଥିଲେ । ପଶ୍ଚିମ ଓଡ଼ିଶାର ଲିଖିତ ସାହିତ୍ୟରେ ଶ୍ରୀଜଗନ୍ନାଥଙ୍କର ବିଶେଷ ବର୍ଣ୍ଣନା ରହିଛି । ସମ୍ବଳରାଜ ଇନ୍ଦ୍ରଭୂତି ଜ୍ଞାନସିଦ୍ଧି’ରେ ତାଙ୍କୁ ପ୍ରଥମେ ପ୍ରଣାମ କରିଛନ୍ତି । ଗଙ୍ଗାଧର ମିଶ୍ର (ସପ୍ତଦଶ ଶତକ) ତାଙ୍କର ‘କୋଶଳାନନ୍ଦ’ (ସଂ) କାବ୍ୟ (ଯାହା ସୋନପୁର ଷ୍ଟେଟ୍‌ ଦ୍ୱାରା ପ୍ରକାଶିତ)ରେ ଶ୍ରୀଜୀଉଙ୍କ ମହିମା ବର୍ଣ୍ଣନା ସହିତ ତେର ସର୍ଗରେ ରଥଯାତ୍ରାର ବର୍ଣ୍ଣନା କରିଛନ୍ତି । ନୀଳାଦ୍ରି ମହୋଦୟ ଅନୁସାରେ ଇନ୍ଦ୍ରଦ୍ୟୁମ୍ନ ଶ୍ରୀଜୀଉଙ୍କ ଦର୍ଶନ ପାଇଁ ଗଲାବେଳେ ସୋନପୁରଠାରେ ମହାନଦୀ ଓ ତେଲନଦୀ ସଙ୍ଗମ ସ୍ଥଳରେ ଥିବା ରାମେଶ୍ୱରଠାରେ କିଛିକ୍ଷଣ ଥିଲେ । ବଲାଙ୍ଗିରର କବି ନକୁଳାନନ୍ଦ ନାୟକ ‘ଶ୍ରୀଜଗନ୍ନାଥ ପୁରାଣ’ରେ ଜଗନ୍ନାଥ ତତ୍ତ୍ୱ ବର୍ଣ୍ଣନା କରିଛନ୍ତି । ଗଙ୍ଗାଧର ମେହେରଙ୍କ ‘ଉତ୍କଳଲକ୍ଷ୍ମୀ’, ‘ତପସ୍ୱିନୀ’ ଓ ‘ପ୍ରଣୟବଲ୍ଲରୀ’ରେ ନୀଳାଚଳଧାମର ବର୍ଣ୍ଣନା ରହିଛି ।

 

ପଶ୍ଚିମ ଓଡ଼ିଶାର ସହର ଓ ଗ୍ରାମରେ ବ୍ୟାପକ ଭାବରେ ରଥଯାତ୍ରା ପାଳିତ ହୁଏ ଏବଂ ଏହାକୁ କୁହାଯାଏ ‘ରଥ୍‌ ଦୁତିଆ’ । ପିଲାମାନଙ୍କୁ ଏହିଦିନ ନୂଆଲୁଗା ପିନ୍ଧାଯାଇ ‘ରଥଛୁଆଁ’ କରାଯାଏ । ଏହା ନହେବା ପର୍ଯ୍ୟନ୍ତ ତାହାର ଅନ୍ନପ୍ରାସନ କିମ୍ବା ବିଦ୍ୟାରମ୍ଭ ହୁଏ ନାହିଁ । ଜଗନ୍ନାଥଙ୍କର ଗୁଡ଼ି ବା ମନ୍ଦିର ଏ ଅଞ୍ଚଳରେ ଯଥେଷ୍ଟ । ମହାପ୍ରସାଦକୁ ସମ୍ମାନ ପ୍ରଦର୍ଶନ, ମୃତ୍ୟୁ ସମୟରେ ନିର୍ମାଲ୍ୟ ପ୍ରଦାନ, ରଥ ଦୁତିଆରେ ଦଉଡ଼ିର ସ୍ପର୍ଶରେ ମୋକ୍ଷଲାଭ ପ୍ରଭୃତି ଏବେ ମଧ୍ୟ ସେ ଅଞ୍ଚଳର ଲୋକ ବିଶ୍ୱାସରେ ରହିଛି । କୋଟସମଲାଇ ଅଞ୍ଚଳର ଦଇତାପତି ଓ ବଚ୍ଛସ ଗୋତ୍ରର ବ୍ରାହ୍ମଣମାନେ ଶ୍ରୀଜୀଉ ପାତାଳି ହୋଇଥିବା ସମୟରେ ତାଙ୍କର ପୂଜା ଅର୍ଚ୍ଚନା କରୁଥିବାର ଜଣାଯାଏ, (ଶରତ୍‌ ଚନ୍ଦ୍ର ମହାପାତ୍ର :–ସାପ୍ତାହିକ ସମୟ–୧୪-୨୪ ଜୁଲାଇ ୨୦୦୪) ବିରିବନ୍ଧରୁ ଭଲୁକ ଗୋତ୍ରର ଓ ରତନପୁରରୁ ପତିମାନଙ୍କୁ ଡକାଇ ଯଯାତି ସୁମୂର୍ତ୍ତି କରାଇଥିଲେ ବୋଲି ମାଦଳା ପାଞ୍ଜିରୁ ଜଣାଯାଇଥାଏ । ଏହି ସବୁ ସ୍ଥାନୀୟ ପ୍ରମାଣର ଆଧାରରେ ଶ୍ରୀଜଗନ୍ନାଥଙ୍କର ମୂଳ ଉତ୍ସ ପଶ୍ଚିମ ଓଡ଼ିଶାରେ ବୋଲି ଦାବି କରାଯାଉଛି । (ଶ୍ରୀ ନାରାୟଣ ପୃଷେ୍‌ଠ :–ପଶ୍ଚିମ ଓଡ଼ିଶା ଓ ଶ୍ରୀଜଗନ୍ନାଥ :–ସମାଜ :–୧୦/୭/୦୫ର ଆଧାରରେ)

 

ହିନ୍ଦୁ ବ୍ରାହ୍ମଣ୍ୟ ଧର୍ମର ପ୍ରସାର ହେବାରୁ ଆଦିବାସୀ ଗୋଷ୍ଠୀ ଦ୍ୱାରା ଅନୁସୃତ ହେଉଥିବା ବହୁ କର୍ମକର୍ମାଣି ଧୀରେ ଧୀରେ ଅବଲୁପ୍ତ ହୋଇଛି । ପୂର୍ବରୁ ପାଣି, ପଥର, ଗଛଲତା ଏବଂ ପ୍ରାକୃତିକ ଶକ୍ତିର ଉପାସନା କରାଯାଉଥିଲା ଏବଂ ଆଦିବାସୀମାନେ ନାନାପ୍ରକାର ଗୁଣି ଗାରେଡ଼ି କ୍ରିୟାରେ ଅଭ୍ୟସ୍ତ ଥିଲେ । ବୃକ୍ଷ, ପାହାଡ଼ ପର୍ବତ ଏବଂ ସର୍ପ (ପରବର୍ତ୍ତୀ କାଳର ସର୍ପଦେବୀ ମନସା ରୂପରେ ହିନ୍ଦୁ ସଂସ୍କୃତିର ଅନ୍ତର୍ଭୁକ୍ତ ହୋଇଛନ୍ତି), ଶୀତଳା(ବସନ୍ତ ଠାକୁରାଣୀ) ପ୍ରଭୃତି ହେଉଛି ଏହିଭଳି କେତେକ ଦୃଷ୍ଟାନ୍ତ ଯାହା ପରେ ହିନ୍ଦୁଧର୍ମରେ ଏକ ଏକ ସମ୍ପ୍ରଦାୟରେ ପରିଣତ ହୋଇଛି । ଏହି ଉପାସନା ସହିତ ନଦୀର ମଧ୍ୟ ସମ୍ପର୍କ ରହିଛି ଏବଂ ସେ ସମୟରେ ଏହାକୁ ମଧ୍ୟ ସମ୍ମାନର ସହିତ ପୂଜା କରାଯାଉଥିଲା । ଶ୍ରୀଜଗନ୍ନାଥ ଏହିଭଳି ହୁଏତ ଆଦିବାସୀମାନଙ୍କ ଦ୍ୱାରା ଉପାସିତ ହେବା ଅବସ୍ଥାରେ ସୁଦୂର ଅତୀତରେ କେବେ ହିନ୍ଦୁ ଦେବତା ରୂପରେ ଗୃହୀତ ହୋଇଥିବେ ଏବଂ ନଦୀ ପଥରେ ଉପକୂଳ ଅଞ୍ଚଳକୁ ଯାତ୍ରା କରିଥିବେ ।

 

ମହାନଦୀ–ଏହାର ଉତ୍ପତ୍ତି ସ୍ଥଳଠାରୁ କିଛି ଦୂରରେ ପଏରୀ ତଥା ସୋଂଢୁର ନଦୀ ସହିତ ମିଳିତ ହୋଇଛି ଏବଂ ଏହି ତିନିନଦୀର ସଙ୍ଗମ ସ୍ଥଳରେ ଅବସ୍ଥିତ ଛତିଶଗଡ଼ର ପ୍ରୟାଗ ରୂପରେ ସମ୍ମାନିତ ‘ରାଜିମ୍‌’ ନାମକ ସହର । ମନ୍ଦିରମାଳିନୀ ଏଇ ସହରରେ ଭଗବାନ୍ ବିଷ୍ଣୁଙ୍କର ଚତୁର୍ଭୁଜ ମୂର୍ତ୍ତି ଉପାସିତ ହୁଅନ୍ତି ‘ରାଜୀବଲୋଚନ’ ନାମରେ । ଏଠାରେ ଅନ୍ୟ ଦେବୀ ଦେବତାଙ୍କ ସହିତ ଶ୍ରୀଜଗନ୍ନାଥ ମଧ୍ୟ ପୂଜିତ ହୁଅନ୍ତି । ଉଲ୍ଲେଖଯୋଗ୍ୟ ଯେ ଏଠାରେ ମଧ୍ୟ ଆଷାଢ଼ ଶୁକ୍ଲ ଦ୍ୱିତୀୟାରେ ଭଗବାନ୍‌ ରାଜୀବଲୋଚନଙ୍କର ରଥଯାତ୍ରା ଉତ୍ସବ ପାଳିତ ହୁଏ । ପ୍ରଥମେ ଏହି ଉତ୍ସବ ସାତଦିନ ଧରି ପାଳିତ ହେଉଥିବା ବେଳେ ବର୍ତ୍ତମାନ ଏହା ତିନିଦିନ ହେଉଛି । ପ୍ରଥମ ଦିନ ଆଦିବାସୀ-ଶବରମାନେ ନିମନ୍ତ୍ରିତ ହୋଇ ଏହି ରଥ ଟାଣନ୍ତି ଏବଂ ରଥରେ ଆସୀନ ଥାଆନ୍ତି ବଳରାମ, ଶ୍ରୀକୃଷ୍ଣ ଏବଂ ସୁଭଦ୍ରା । ଏଥିରୁ ଏହା ସ୍ପଷ୍ଟ ହେଉଛି ଯେ, ଆର୍ଯ୍ୟ ଏବଂ ଅଣ-ଆର୍ଯ୍ୟ ଗୋଷ୍ଠୀର ସମନ୍ୱୟ ସ୍ଥାପନ ନିମନ୍ତେ ଏହାର ପରିକଳ୍ପନା । ଏହା ଜଗନ୍ନାଥ-ସଂସ୍କୃତିର ଏକ ବିଶେଷ ଦିଗ । ପୁଣି ପୁରୀ-ରଥଯାତ୍ରାର ତିଥି ସହିତ ଏହାର ସାମ୍ୟ ରହୁଛି । ତୃତୀୟରେ ରଥାସୀନ ଦେବତାମାନେ ମଧ୍ୟ ଶ୍ରୀଜଗନ୍ନାଥଙ୍କ ପରିବାର ସହ ସମ୍ପର୍କ ରଖନ୍ତି । ଏଥିରୁ ଏହା ହିଁ ସିଦ୍ଧାନ୍ତ କରାଯାଇପାରେ ଯେ, ଉପକୂଳ ଅଞ୍ଚଳରେ ଶ୍ରୀଜୀଉଙ୍କର ଯେଉଁ ପ୍ରଭାବ, ଏକଦା ପଶ୍ଚିମାଞ୍ଚଳ ଏଭଳି କି ଛତିଶଗଡ଼ ଅଞ୍ଚଳରେ ମଧ୍ୟ ତାଙ୍କର ସେହିଭଳି ସ୍ଥିତି ଥିଲା ଏବଂ ଶ୍ରୀଜୀଉ ହୁଏତ ପଶ୍ଚିମାଞ୍ଚଳରୁ ସମୁଦ୍ରତଟକୁ ଆସିଥାଇ ପାରନ୍ତି ।

 

ବର୍ତ୍ତମାନ ମୂଳ ପ୍ରସଙ୍ଗ । ଏକଦା ସମ୍ୱଲପୁରଠାରେ ମଧ୍ୟ ମହାନଦୀ ତୀରରେ ମନ୍ଦିର ଗଢ଼ି ଉଠିଥିଲା । ଏଥିରୁ ଅଧିକାଂଶ ଏବେ ମଧ୍ୟ ରହିଛି । ପବିତ୍ର ଏବଂ ମୁକ୍ତିଦାୟିନୀ ମହାନଦୀରେ ସ୍ନାନ ଏବଂ ଦେବ ଦର୍ଶନ ଭାରତୀୟ ସଂସ୍କୃତିରେ ଏକ ପରମ୍ପରାର ରୂପ ନେଉଛି । ତେଣୁ ନଦୀ ଏବଂ ତୀର୍ଥ ଏ ଉଭୟ ମଧ୍ୟରେ ଅନ୍ତରଙ୍ଗ ସମ୍ପର୍କ ରହିଛି । ମହାନଦୀ ଏହାର ବ୍ୟତିକ୍ରମ ନୁହେଁ । ଏ ନଦୀର ଦୁଇ ତୀରରେ ବହୁ ଦେବୀ ଦେବତାଙ୍କର ମନ୍ଦିର ଗଢ଼ି ଉଠିଛି । ସମ୍ୱଲପୁରଠାରେ ମଧ୍ୟ ତାହାହିଁ ହୋଇଛି ।

 

ମହାନଦୀ ପୂର୍ବ ତୀରସ୍ଥ ହୁମା ନାମକ ସ୍ଥାନ ପ୍ରସିଦ୍ଧ ଏହାର ବକ୍ର ଶିବ ମନ୍ଦିର ନିମନ୍ତେ । ବିମଳେଶ୍ୱର ଶିବ ହେଉଛନ୍ତି ଏହାର ଆରାଧ୍ୟ ଦେବ । ସମ୍ୱଲପୁର ସହରଠାରୁ ପ୍ରାୟ ୨୩ କି:-ମି ଦୂରରେ ହୁମା ଗ୍ରାମ ଏବଂ ନଦୀକୂଳରେ ହିଁ ଶିବମନ୍ଦିର । ଜଣେ ଗୋପାଳ ନିଜର ଗାଈ ପହ୍ନାରୁ ସ୍ୱତଃ କ୍ଷୀର ସ୍ରବିତ ହୋଇ ଲିଙ୍ଗାକୃତି ଏକ ପଥର ଖଣ୍ଡ ଉପରେ ପଡ଼ି ତତ୍‌କ୍ଷଣାତ୍‌ ଅଦୃଶ୍ୟ ହୋଇଯାଉଥିବାର ଦେଖିଲା । କ୍ରମେ ତାହାଠାରୁ ଏହି ଅଦ୍‌ଭୁତ ବ୍ୟାପାର ଶୁଣି ଏହାକୁ ଦେଖିବା ପାଇଁ ସେ ଅଞ୍ଚଳ ଲୋକାରଣ୍ୟ ହୋଇଉଠିଲା । ପଥରର କୌଣସି ଦୈବୀଶକ୍ତି ଅଛି ବୋଲି ବିଶ୍ୱାସ କରି ଲୋକେ ତାହାକୁ ପୂଜା ଅର୍ଚ୍ଚନା କରିବାକୁ ଆରମ୍ଭ କଲେ ଏବଂ ଧୀରେ ଧୀରେ ଦେବତାଙ୍କର ମହିମା ପ୍ରକଟିତ ହେବାରୁ ଯଥା ସମୟରେ ସେଠାରେ ମନ୍ଦିରଟିଏ ନିର୍ମାଣ କରାଗଲା ।

 

ପଣ୍ଡିତ କୁଳମଣି ଦାଶ ଏହି ମନ୍ଦିର ପ୍ରତିଷ୍ଠା ସମ୍ପର୍କରେ ଅନ୍ୟ ଏକ କିମ୍ୱଦନ୍ତୀ ପ୍ରଚଳିତ ଥିବାର ତାଙ୍କର ପଶ୍ଚିମାଂଚଳ ‘ଭ୍ରମଣ କାହାଣୀ’ରେ ଉଲ୍ଲେଖ କରିଛନ୍ତି । ପଣ୍ଡିତ ଦାଶ ଲେଖିଛନ୍ତି, ‘‘ଏକଦା ଜଣେ ଗୋପାଳ ଅରଣ୍ୟ ମଧ୍ୟରେ ଗୋଚାରଣ କରୁକରୁ ନିକଟବର୍ତ୍ତୀ ଗୋଟିଏ ପାହାଡ଼ର ବୃକ୍ଷଶୂନ୍ୟ ପ୍ରକାଣ୍ଡ ଶିଳା ଉପରେ ନିଦ୍ରାଭିଭୂତ ହୋଇପଡ଼ିଲା । ନିଦ୍ରିତାବସ୍ଥାରେ ସେ ବିଶ୍ୱ ବିଧ୍ୱଂସନୋଦ୍ୟତ ରୁଦ୍ରଙ୍କ ସଂହାର ମୂର୍ତ୍ତି ଦର୍ଶନ କରି ହଠାତ୍‌ ଜାଗ୍ରତ ହୋଇପଡ଼ିଲା ଓ ରୁଦ୍ରଙ୍କ ‘ମହଦ୍‌ ଭୟ ବଜ୍ରସମୁଦ୍ୟତ ରୂପ’ ଚତୁର୍ଦ୍ଦିଗରେ ନିରୀକ୍ଷଣ କରିବାକୁ ଲାଗିଲା । ପ୍ରଳୟକାରୀଙ୍କର କୋପ ଶାନ୍ତି ନିମିତ୍ତ ସେହିଦିନଠାରୁ ପ୍ରତ୍ୟହ ସେହି ପର୍ବତ ଗାତ୍ରରେ ଶିବଙ୍କର ଉପାସନା କଲା । ସେ ଗୋପାଳ ଗୃହୀ । ନଦୀର ଅପରତୀରରେ ଥିଲା ତା’ ଘର । ତେଣୁ ପ୍ରବଳ ବନ୍ୟା ସମୟରେ ମଧ୍ୟ ସେ ନଦୀ ଅତିକ୍ରମ କରି ସେହି ପର୍ବତକୁ ଆସୁଥିଲା । ଦିନେ ଆରାଧ୍ୟ ଦେବଙ୍କ ପ୍ରୀତିବିଧାନ ଉଦ୍ଦେଶ୍ୟରେ ସେହି ଗୋପାଳ ଗୋଟିଏ ପାତ୍ରରେ ଦୁଗ୍ଧ ନୈବେଦ୍ୟ ନେଇ ସେହି ପର୍ବତ ଗାତ୍ରରେ ତାହା ଢାଳି ଦିଅନ୍ତେ, ତତ୍‌କ୍ଷଣାତ୍‌ ତାହା ସେହିଠାରେ ଶୋଷିତ ହୋଇଗଲା । ଏହି ବିସ୍ମୟକର ଘଟଣା ଦେଖି ଶେଷରେ, ତା’ର ଭକ୍ତି ଦୃଢ଼ତର ହେଲା ଏବଂ ସେ ପ୍ରତ୍ୟହ ଦୁଗ୍ଧକୁ ପର୍ବତ ଗାତ୍ରରେ ଢାଳିବାକୁ ଲାଗିଲା ।’’ (ଉ:ସା :–୨୭/୧୦–ର ୩୮୦) ଏହି ଅଲୌକିକ ଘଟଣା କ୍ରମେ ତତ୍କାଳୀନ ସମ୍ୱଲପୁର ରାଜା ବଳରାମ ଦେବ (ପଞ୍ଚଦଶ ଶତକ)ଙ୍କର ଶ୍ରୁତିଗୋଚର ହୁଅନ୍ତେ, ସେ ନିଜେ ସେହି ପବିତ୍ର ସ୍ଥାନ ଦେଖି ଅତିଶୟ ଆନନ୍ଦିତ ହେଲେ ଏବଂ ଦେବତାଙ୍କ ସେବାପୂଜା ନିମନ୍ତେ ହୁମା ଓ ଛ’ଖଣ୍ଡି ଗ୍ରାମ ଖଞ୍ଜି ଦେଲେ । ଷୋଡ଼ଶ ଶତକରେ ଚୌହାନ୍‌ ବଂଶୀୟ ପଞ୍ଚମରାଜା ବଳିୟାର ସିଂ ବର୍ତ୍ତମାନର ମନ୍ଦିରଟି ନିର୍ମାଣ କରିଥିଲେ ବୋଲି ଦାଶ ମହୋଦୟ ଲେଖିଛନ୍ତି ।

 

ହୁମା :–ହୁମା ଏକ ପ୍ରସିଦ୍ଧ ତୀର୍ଥସ୍ଥାନ ଏବଂ ଶିବରାତ୍ରି ଦିନ ଏଠାରେ ଏକ ବିରାଟମେଳା ଅନୁଷ୍ଠିତ ହୁଏ । ପରମାର୍ଥୀ ଏବଂ ଅର୍ଥୀଙ୍କ ଗହଳରେ ସ୍ଥାନଟି ଉଛୁଳି ଉଠେ । କୁହାଯାଏ ଯେ, ଲିଙ୍ଗଠାରୁ ମନ୍ଦିରର ତଳବାଟେ ଏକ ସୁଡ଼ଙ୍ଗ ନଦୀଗର୍ଭ ପର୍ଯ୍ୟନ୍ତ ଯାଇଛି । ବକ୍ରମନ୍ଦିର ନଦୀ ଜଳର ଘାତ ପ୍ରତିଘାତରେ ଏହି ଅବସ୍ଥାପ୍ରାପ୍ତ ହୋଇଛି ବୋଲି ବିଶେଷଜ୍ଞମାନଙ୍କ ମତ । ମନ୍ଦିରରୁ ନଦୀ ଶଯ୍ୟା ପର୍ଯ୍ୟନ୍ତ ପାଚେରୀ ରହିଛି । ନଦୀ ଜଳରେ ଈଷିତ୍‌ ରକ୍ତାଭ ବଡ଼ ବଡ଼ ମାଛ ଦେଖାଯାଆନ୍ତି ଏବଂ ଏହାକୁ କୁହାଯାଏ ‘କୁଡ଼ୋ’ ମାଛ । ଏମାନେ ନିର୍ଭୟରେ ଲୋକଙ୍କ ହାତରୁ ଖାଦ୍ୟ ଗ୍ରହଣ କରନ୍ତି । ଧର୍ମବିଶ୍ୱାସୀ ଜନତା ଏମାନଙ୍କର କିଛି କ୍ଷତି କରନ୍ତି ନାହିଁ । ଋଷିକେଶର ଲଛମନଝୁଲା ପୋଲ ତଳେ ଏହିଭଳି ଅଜସ୍ର ମାଛ ଗଙ୍ଗା ବକ୍ଷରେ ଦେଖା ଦେଇ ପୋଲ ଉପରୁ ଧର୍ମାର୍ଥୀମାନଙ୍କଠାରୁ ଅଟାଗୁଳା ଖାଦ୍ୟ ରୂପରେ ଗ୍ରହଣ କରନ୍ତି । ସେଠାରେ ମଧ୍ୟ ନଦୀ ବକ୍ଷରୁ ମାଛ ଧରିବା ମନା । ଫୁଲବାଣୀ ଜିଲ୍ଲାର ଚକାପାଦ ନାମକ ସ୍ଥାନ (ଜି. ଉଦୟଗିରି ତହସିଲ)ରେ ବିରୂପାକ୍ଷ ଦେବଙ୍କର ଏକ ମନ୍ଦିର ରହିଛି । ଏହା ଦକ୍ଷିଣ ଆଡ଼କୁ ଈଷିତ୍‌ ଢଳିବା ଅବସ୍ଥାରେ ରହିଛି । ମନ୍ଦିରର ଶିବଲିଙ୍ଗ ଏବଂ ପାର୍ଶ୍ୱସ୍ଥ ବୃକ୍ଷରାଜି ସୁଦ୍ଧା ସେହିଭଳି ବକ୍ର ଅବସ୍ଥାରେ ଦଣ୍ଡାୟମାନ । କିମ୍ୱଦନ୍ତୀ ଅନୁସାରେ ଲଙ୍କା ରାଜା ରାବଣ ଶିବଙ୍କୁ କାନ୍ଧରେ ବହନ କରି ଲଙ୍କା ନେଇଯାଉଥିବା ବେଳେ ଶିବ ଏହି ସ୍ଥାନର ନୈସର୍ଗିକ ସୁଷମାରେ ମୁଗ୍ଧ ହୋଇ ଏଇଠି ରହିଯିବାକୁ ସ୍ଥିର କଲେ । ମନ୍ଦିର ବକ୍ର ହେବାର ରହସ୍ୟ କିନ୍ତୁ ଅଦ୍ୟାବଧି ଉନ୍ମୋଚିତ ହୋଇନାହିଁ । ହୁଏତ ଏହା ପଛରେ କୌଣସି ଭୂତାତ୍ତ୍ୱିକ କାରଣ ରହିଛି ।

 

ସମ୍ୱଲପୁର ସହରର ପ୍ରାୟ ୬ କି.ମି ଉପରକୁ ମହାନଦୀ ଶଯ୍ୟାରେ ରାମେଶ୍ୱର ନାମକ ତୀର୍ଥ ଅବସ୍ଥିତ । ଏହା ଏକ ବିରାଟ ପାହାଡ଼ । ପାହାଡ଼ ଉପରେ ରହିଛି କ୍ଷୁଦ୍ର ଶିବ ମନ୍ଦିରଟିଏ । ଏଠାରେ ରାମଚନ୍ଦ୍ରଙ୍କ ପାଦ ଚିହ୍ନ ବା ରାମପାଦ ଏବଂ ଏକ ଶିଳାଲିପି ରହିଛି । କାର୍ତ୍ତିକ ପୂର୍ଣ୍ଣିମାଦିନ ଲୋକେ ଶିବଦର୍ଶନ ନିମନ୍ତେ ଏଠାକୁ ବହୁ ସଂଖ୍ୟାରେ ଆସନ୍ତି । ରାମଙ୍କ ପାଦ ଚିହ୍ନକୁ ମଧ୍ୟ ଅତ୍ୟନ୍ତ ପବିତ୍ର ମନେ କରାଯାଏ । କବି ଗଙ୍ଗାଧର ତାଙ୍କର ‘ବଳରାମ ଦେବ’ କବିତାରେ ଏହି ତୀର୍ଥ ପ୍ରସଙ୍ଗରେ ଲେଖିଛନ୍ତି-

 

‘ବସାଇ ତୁମ୍ଭଙ୍କୁ ବନ ଦେବତା ପ୍ରତ୍ୟକ୍ଷେ

ଆଦ୍ୟ ଅଭିଷେକ ବିଧି କଲେ ସମ୍ପାଦନ

ଆଣି ରାମ-ପାଦ ପଦ୍ମ- ରଜ ପୂତ ନୀର

(ଗ୍ରନ୍ଥାବଳୀ :–ପୃ :–୨୯)

 

ବଳରାମ ଦେବଙ୍କ ଅଭିଷେକ ନିମନ୍ତେ ରାମ-ପାଦ-ଚିହ୍ନ ସ୍ପର୍ଶରେ ପବିତ୍ର ମହାନଦୀ ଜଳ ବ୍ୟବହୃତ ହୋଇଥିଲା ବୋଲି ଏଠାରେ ସୂଚିତ ହୋଇଛି । ପାଦଟୀକାରେ କବି ଲେଖିଛନ୍ତି ‘‘ସମ୍ୱଲପୁର ନଗରର ଦୁଇ ମାଇଲ ପଶ୍ଚିମରେ ମହାନଦୀ ଗର୍ଭସ୍ଥ ପ୍ରକାଣ୍ଡ ଶିଳାସ୍ତୂପରେ ଚାରିଟି ପାଦ ଚିହ୍ନ ଅଛି । ଲୋକେ ତାହାକୁ ରାମ ଲକ୍ଷ୍ମଣଙ୍କ ପାଦ ଚିହ୍ନ ବୋଲି କହନ୍ତି । (ତତୈବ)

 

ଏହା ପରେ ଆମେ ଆସିବା ମନ୍ଦିରମାଳିନୀ ସୋନପୁର ସହରକୁ । ମହାନଦୀ ଏବଂ ତେଲ ନଦୀର ମିଳନ ସ୍ଥଳରେ ଅବସ୍ଥିତ ଏହି ପ୍ରାଚୀନ ସହର ପ୍ରସିଦ୍ଧ ନିଜର ଅପୂର୍ବ ପ୍ରାକୃତିକ ଦୃଶ୍ୟ ନିମନ୍ତେ । ଏଠାରେ ଏତେ ମନ୍ଦିର ରହିଛି ଯେ ବୋଧହୁଏ ଅନ୍ୟତ୍ର ତାହା କ୍ୱଚିତ୍‌ ଦେଖିବାକୁ ମିଳିବ-। ଐତିହାସିକମାନେ ସୋନପୁରକୁ ରାମାୟଣ ବର୍ଣ୍ଣିତ ଲଙ୍କା ରୂପରେ ଉପସ୍ଥାପିତ କରିବା ନିମନ୍ତେ ଉଦ୍ୟମ କରିଛନ୍ତି । ଏ ସମ୍ପର୍କରେ କିଛି ଆଲୋଚନା ମଧ୍ୟ ହୋଇଛି । ମହାନଦୀ ଶଯ୍ୟାରେ ଥିବା ଛୋଟ ପାହାଡ଼ ଉପରେ ଥିବା ଲଙ୍କେଶ୍ୱରୀ ଦେବୀଙ୍କ ମନ୍ଦିରକୁ ନେଇ ଏହି ଆଲୋଚନାର ସୂତ୍ରପାତ-। ବୌଦ୍ଧସାହିତ୍ୟରେ ଏହି ଅଞ୍ଚଳ ଲଙ୍କା ରୂପରେ ପରିଚିତ । ଚୌହାନ୍ ରାଜାମାନଙ୍କ ନିର୍ମିତ ବହୁ ମନ୍ଦିର ଏଠାରେ ରହିଛି । ସୁବର୍ଣ୍ଣ ମେରୁ, ରାମେଶ୍ୱର, ଗୋକର୍ଣ୍ଣେଶ୍ୱର, ପଶ୍ଚିମ ସୋମନାଥ, ଲୋକନାଥ, ଖମ୍ୱେଶ୍ୱରୀ, ସୋମେଶ୍ୱରୀ, ମାଣିକେଶ୍ୱରୀ ପ୍ରଭୃତି ଦେବୀଦେବତାମାନେ ହେଉଛନ୍ତି ଏମାନଙ୍କ ମଧ୍ୟରେ ଜଣାଶୁଣା । ସୋନପୁରକୁ ରାମାୟଣ ବର୍ଣ୍ଣିତ ଲଙ୍କା କଳ୍ପନା କରିବା ଯୁକ୍ତିଟି ଏତେ ହାସ୍ୟାସ୍ପଦ ଯେ, ସେ ବିଷୟରେ ଆମର କହିବାର କିଛି ନାହିଁ । ବର୍ତ୍ତମାନ ସିଂହଳ ବା ଶ୍ରୀଲଙ୍କା ସମ୍ପର୍କରେ ଯେଉଁ ଅଜସ୍ର ଐତିହାସିକ ବିବରଣୀ ରହିଛି, ସେ ସବୁକୁ ତେବେ ଅସ୍ୱୀକାର କରିବାକୁ ହେବ ! କୌଣସି ଏକ ଐତିହାସିକ ବା ପୌରାଣିକ ସ୍ଥାନର ନାମାନୁସାରେ ନିଜ ଅଞ୍ଚଳରେ ନାମକରଣ, ଏ ଦେଶର ଏକ ବହୁ ପ୍ରାଚୀନ ପରମ୍ପରା । ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଅନ୍ତତଃ ତିନି ଚାରୋଟି ଅଯୋଧ୍ୟା ବାହାରିବ । ଶାକ୍ୟସିଂହଙ୍କ ଜନ୍ମସ୍ଥାନକୁ ନେଇ ଅତୀତରେ ଜଣେ ବିଦ୍ୱାନ ଲେଖିଥିବା ପୁସ୍ତକ ଏବେ ଆମର ଏକ ବୁଦ୍ଧିଜୀବି ଗୋଷ୍ଠୀକୁ ବେଶ୍ ଆଲୋଡ଼ିତ କରିଥିବାର ଦେଖିବାକୁ ମିଳୁଛି । ପୁରାଣ ପ୍ରସିଦ୍ଧ ଏକ ସ୍ଥାନର ନାମାନୁସାରେ ସୋନପୁରକୁ ଯଦି ଲଙ୍କା କୁହାଯାଉଥିବ ଏବଂ ପତିଆରା ପାଇଁ ନଈମଝିପଠାରେ ଲଙ୍କେଶ୍ୱରୀ ମନ୍ଦିରଟି ବସାଯାଇଥିବ, ତେବେ କେବଳ ଏହି କାରଣରୁ ତାକୁ ରାମାୟଣ ବର୍ଣ୍ଣିତ ଲଙ୍କା ବୋଲି ମନେ କରିବାର କୌଣସି କାରଣ ନାହିଁ । ଏ ଲଙ୍କା ହେଉ, ମାତ୍ର ତାହା ସହିତ ରାମାୟଣର ଲଙ୍କାକୁ ଯୋଡ଼ିଲେ ଆମର କୌଣସି ମହତ୍ତ୍ୱ ବଢ଼ିବ ନାହିଁ ।

 

ସୁବର୍ଣ୍ଣମେରୁ :–ସୋନପୁରର ଅଧିଷ୍ଠାତା-ଦେବତା ହେଉଛନ୍ତି ସୁବର୍ଣ୍ଣମେରୁ ମହାଦେବ-। ଶୈବ ପରମ୍ପରା, ଯେତେବେଳେ ପ୍ରସାରିତ ହେଉଥିଲା, ହୁଏତ ସେତିକିବେଳେ ଏହାଙ୍କର ପ୍ରତିଷ୍ଠା ହୋଇଥିବ । ତେବେ ଏହାଙ୍କ ଆବିର୍ଭାବ ସମ୍ପର୍କରେ ସେ ଅଞ୍ଚଳରେ ଏକ ଚିତ୍ତାକର୍ଷକ କାହାଣୀ ପ୍ରଚଳିତ । ତାହା ଏହି ଭଳି । ଏକଦା ନେଉଳମଶା ନାମକ ଜଣେ ବ୍ୟବସାୟୀ ତେଲ ନଦୀର ଦକ୍ଷିଣତୀରରେ ଥିବା ସୁବର୍ଣ୍ଣପାଲି ଗ୍ରାମ ଉପକଣ୍ଠରେ ବିଶ୍ରାମ କରୁଥିଲେ । ହାତରେ ସମୟ ଥିବାରୁ ଏବଂ ପଣ୍ୟ ସଂଗ୍ରହ ପାଇଁ ତାଙ୍କର ଅଖାପଟର ପ୍ରୟୋଜନ ହେଉଥିବାରୁ ସେ ଅଖା ସିଲେଇ କରିବାକୁ ବିଚାରି ଡାମ୍ପଣଟିଏ ବାହାର କଲେ । ଦୈବାତ୍‌ ସେଇଟି ମୁଣ୍ଡା ହୋଇଥିବାରୁ ତାକୁ ମୁନିଆଁ କରିବା ପାଇଁ ପାଖରେ ପଡ଼ିଥିବା ଖଣ୍ଡେ ପଥର ଉପରେ ଘଷିବାକୁ ଲାଗିଲେ ।

 

ଡାମ୍ଫଣ ପଥରକୁ ଛୁଇଁବା ମାତ୍ରେ ଅଲୌକିକ କାଣ୍ଡ ଘଟିଗଲା । ଲୌହ ନିର୍ମିତ ଡାମ୍ପଣଟି ସୁନାରେ ପରିଣତ ହୋଇଗଲା । ବ୍ୟବସାୟୀ ଚକିତ ହେଲେ ଠିକ୍‌ । ମାତ୍ର ବିଚଳିତ ହେଲେ ନାହିଁ । ସ୍ଥିର ବୁଦ୍ଧିରେ ବିଚାର କରି ଜାଣିଲେ ପଥରଟି ନିଶ୍ଚୟ ଦିବ୍ୟଶକ୍ତି ସମ୍ପନ୍ନ । ତାହା ପରେ ସେ ତାକୁ ନିଜ ସହିତ ନେଇଯିବାକୁ ଚିନ୍ତା କରି ଉଠାଇବାକୁ ଚେଷ୍ଟା କଲେ । ଇଚ୍ଛାଥିଲା ଗ୍ରାମରେ ମନ୍ଦିରଟିଏ ନିର୍ମାଣ କରି ଏହାଙ୍କର ପୁଜାର୍ଚ୍ଚନାର ବ୍ୟବସ୍ଥା କରିବେ । ମାତ୍ର ତାଙ୍କର ଶତଚେଷ୍ଟା ସତ୍ତ୍ୱେ ପଥର ଉଠିବା ତ ଦୂରର କଥା, ସାମାନ୍ୟ ରୂପେ ମଧ୍ୟ ହଲିଲା ନାହିଁ । ରାତି ନଇଁ ଆସୁଥିଲା । ପଥର ଉଠୁନଥିଲା କି ନେଉଳମଶା ତାକୁ ଛାଡ଼ିଯାଇ ପାରୁ ନଥିଲେ । ସକାଳେ ଯାହା ହେଲେ ଗୋଟାଏ କରିବେ, ଏଇଆ ଚିନ୍ତା କରି ସେ ସେଇଠି ନିଦ୍ରାଗଲେ । ରାତିରେ ସେ ଦେଖିଲେ ଏକ ବିଚିତ୍ର ସ୍ୱପ୍ନ-। ସେ ଦେଖିଲେ, ଜଟାଜୁଟମଣ୍ଡିତ, ସର୍ପାଭରଣ ଭୂଷିତ କର୍ପୂର ଧବଳାଙ୍ଗ କୈଳାସ ପତି ଶିବ ତାଙ୍କ ଆଗରେ ଉଭା ହୋଇଛନ୍ତି । ମସ୍ତକରେ ଚନ୍ଦ୍ର, ସ୍କନ୍ଧରେ ଗଙ୍ଗା ଉପବୀତ, ହସ୍ତରେ ତ୍ରିଶୂଳ ଏବଂ କଟିରେ ବ୍ୟାଘ୍ର ଚର୍ମାମ୍ୱର-ସ୍ୱୟଂ-ଦେବ ତାଙ୍କୁ ସମ୍ୱୋଧନ କରି କହୁଛନ୍ତି, ‘‘ବତ୍ସ, ତୋର ଗ୍ରାମକୁ ନେଇଯିବା ପାଇଁ ଉଦ୍ୟମ ମୋତେ ମୁଗ୍ଧ କରିଛି । ତୁ ମୋର ପରମ ଭକ୍ତ । ତେବେ ଏଇ ପ୍ରିୟ ସ୍ଥାନ ଛାଡ଼ି ଅନ୍ୟତ୍ର ଯିବା ପାଇଁ ମୋର ଆଗ୍ରହ ନାହିଁ । ମୋର ଆଦେଶ ତେଲ ନଦୀର ବାମ ତୀରରେ ମୋ’ ପାଇଁ ଏକ ସୁଦୃଶ୍ୟ ମନ୍ଦିର ନିର୍ମାଣ କରାଇଦେବୁ । ମୁଁ ସେଇଠି ରହିବି । ମନରେ ଦୁଃଖ କରନାହିଁ । ମୁଁ ସର୍ବବ୍ୟାପୀ । ଯେଉଁଠି ଖୋଜିବୁ ସେଠି ମୋତେ ପାଇବୁ । ମନ୍ଦିର ଶେଷ ହୋଇଗଲେ ମୁଁ ନିଜେ ସେଠାରେ ଆବିର୍ଭୂତ ହେବି । ମୋର ଉପସ୍ଥିତିର ସୂଚକ ହେବ ସେଠାରେ ଅଢ଼ାଇ ପ୍ରହର ପର୍ଯ୍ୟନ୍ତ ସୁବର୍ଣ୍ଣ ବୃଷ୍ଟି ।’’ ଏତିକି କହି ଦେବତା ଅଦୃଶ୍ୟ ହେଲେ । କୃତାର୍ଥ ବ୍ୟବସାୟୀ ନିର୍ଦ୍ଦିଷ୍ଟ ସ୍ଥାନରେ ମନ୍ଦିର ନିର୍ମାଣ କରାଇଥିଲେ ଏବଂ ପ୍ରତିଷ୍ଠା ଦିନ ପ୍ରକୃତରେ ଅଢ଼ାଇପ୍ରହର ପର୍ଯ୍ୟନ୍ତ ସୁବର୍ଣ୍ଣ ବୃଷ୍ଟି ହୋଇଥିଲା । ଦେବତା ନିଜର ପ୍ରତିଶ୍ରୁତି ରକ୍ଷା କରିଥିଲେ । ଏ ହେଉଛି ସୁବର୍ଣ୍ଣ ମେରୁଙ୍କ ପ୍ରତିଷ୍ଠା ସମ୍ପର୍କୀୟ କିମ୍ୱଦନ୍ତୀ । ପ୍ରତ୍ୟେକ ଦେବୀ ଦେବତାଙ୍କ ସମ୍ପର୍କରେ ଏଭଳି ବହୁ କିମ୍ୱଦନ୍ତୀ ରହିଥାଏ । ଏ ମଧ୍ୟ ସେହିଭଳି ।

 

ବୌଦ, ତେଲ ନଦୀ ଓ ସୁବର୍ଣ୍ଣମେରୁଙ୍କ ବର୍ଣ୍ଣନା ସହିତ ରାଜକବି ବାସୁଦେବ ସୁଢ଼ଳ ଦେବ ମହାନଦୀର ରୁଦ୍ର ସୁନ୍ଦର ରୂପର ବର୍ଣ୍ଣନା ଦେଇଛନ୍ତି ଏହି ଭଳି ।

 

‘‘ତେଲ ନଦୀ ତୀର ନିବାସୀ ସୁବର୍ଣ୍ଣମେରୁ ଶିବ ଲିଙ୍ଗ ସ୍ୱୟଂ,

ସ୍ୱର୍ଣ୍ଣପୁର ବାସୀ ମନୋରଥ ସିଦ୍ଧି କରୁଛନ୍ତି ଅହରହ ।

ବଉଦ ନିକଟ ଉପରେ ଅୟନ ଅତିଶୟ ଅସମାନ,

କୀଲାଳ ସରଣୀ ବିଷମ ପ୍ରସ୍ତର ରାଶିପରେ ବିଦ୍ୟମାନ ।

କାହାର ମସ୍ତକ ଉପରେ କାହାର ସ୍କନ୍ଧ ତଳେ ପାଦ ତଳେ ।

ପତନ ଉତ୍ପାତ ଧାତ୍କାର ଝାତ୍କାର ଛିତ୍କାର ଘୂତ୍କାରେ ଚଳେ ।

ଶିଳା ଗହ୍ୱରରେ ପଡ଼ି ଭ୍ରମୁଅଛି ଇତସ୍ତତେ ପୟସ୍ୱିନୀ ।

ନିରୁଦ୍ଧବେଗା ହେବାରୁ ପ୍ରଖରବେଗା ଭୈରବନାଦିନୀ ।

କାହିଁ ଘୁ ଘୁ କାହିଁ ଧୁ ଧୁ କାହିଁ ହୁ ହୁ କାହିଁ ବାରିବାହ ଧ୍ୱାନ

ବୌଦବାସୀମାନେ ଯେପରି ଭାବନ୍ତି ଶୁଣନ୍ତି ତଦ୍ରୁପ ତାନ ।’’

(ଚିତ୍ରୋତ୍ପଳା :–ପୃ :–୨୩)

 

ଉପଳ-ବିଷମ ମହାନଦୀ ବୌଦପ୍ରାନ୍ତରେ କିଭଳି ଭୈରବ ମୂର୍ତ୍ତି ଧାରିଣୀ ଏବଂ ତେଲ ନଦୀ ସହିତ ମିଳିତ ହେବା ଫଳରେ ଏହାର ଶକ୍ତି କିଭଳି ବୃଦ୍ଧି ପାଇଛି କବି ଏଠାରେ ତାହାହିଁ ବର୍ଣ୍ଣନା କରିଛନ୍ତି ।

 

ମାଦଳାପାଞ୍ଜି ବର୍ଣ୍ଣନା ପ୍ରକାରେ ସୋନପୁରଠାରେ ପାତାଳି ହୋଇଥିବା ଶ୍ରୀଜଗନ୍ନାଥଙ୍କୁ ଅଣାଇ ସୋମବଂଶୀୟ ଯଯାତି କେଶରୀ ମନ୍ଦିର ନିର୍ମାଣ କରାଇ ତହିଁରେ ସ୍ଥାପନ କରିଥିଲେ । ମନ୍ଦିରଟି ଦୁର୍ବଳ ହୋଇଯିବାରୁ ଗଙ୍ଗବଂଶୀ ଅନଙ୍ଗଭୀମ ବର୍ତ୍ତମାନର ମନ୍ଦିର ନିର୍ମାଣ କରାଇଥିଲେ । ସୋମବଂଶୀମାନେ ମହାନଦୀ ତୀରରେ ରାଜ୍ୟ ବିସ୍ତାର କରି ପ୍ରଥମେ ସୋନପୁର ଓ ପରେ ବିନିକାକୁ ରାଜଧାନୀ କରିଥିଲେ । କେତେକ ଐତିହାସିକ ଶ୍ରୀଜଗନ୍ନାଥଙ୍କ ଆଦି ନିବାସ ଶ୍ରୀପୁରଠାରେ ବୋଲି କହୁଛନ୍ତି । ଏହାର ଅନତି ଦୂରରେ ମହାନଦୀର ଉତ୍ପତ୍ତିସ୍ଥଳରେ ଶବରୀ ନାରାୟଣ ନୀଳମାଧବ ରୂପରେ ପୂଜିତ ହେଉଥିଲେ । ଏହି ନୀଳମାଧବ ପରେ ଶ୍ରୀଜଗନ୍ନାଥ ରୂପ ଗ୍ରହଣ କରିଛନ୍ତି । ଶ୍ରୀପୁର (ବର୍ତ୍ତମାନ ଶିରିପୁର)ର ନୂତନ ରୂପ ଶ୍ରୀକ୍ଷେତ୍ର । ସ୍କନ୍ଧପୁରାଣ ମତରେ ଶ୍ରୀଜଗନ୍ନାଥ ଶ୍ରୀପୁରରେ ଯଜ୍ଞନୃସିଂହ ରୂପରେ ଆତ୍ମପ୍ରକାଶ କରିଥିଲେ । ଏଠାରେ ଶିଳାଲେଖରେ ଏହାଙ୍କର ଆଶୀର୍ବାଦ କାମନା କରାଯାଇଛି । ଏହି ଯଜ୍ଞ ନୃସିଂହ ବା ପୁରୁଷୋତ୍ତମ ନୃସିଂହ ମହାନଦୀ-ଜଳପଥରେ ପୁରୁଷୋତ୍ତମ ଧାମକୁ ଆସି ନୂତନ ରୂପରେ ଆତ୍ମପ୍ରକାଶ କରିଥିବାର କୁହାଯାଏ । ମହାନଦୀ ଅବବାହିକାରୁ ତ୍ରିକୋଣଭୂମିର କାଠଯୋଡ଼ି, ତହିଁରୁ କୁଆଖାଇ ଏବଂ ଭାର୍ଗବୀ ନଦୀ ବାଟେ ଜଳପଥରେ ସିନ୍ଧୁ ତଟବର୍ତ୍ତୀ ପୁରୁଷୋତ୍ତମ ଧାମରେ ଶ୍ରୀଜଗନ୍ନାଥ ପହଞ୍ଚି ଯାଇଥିବାର ଅନୁମାନ କରାଯାଏ । ପୁଣି ଛତିଶଗଡ଼ର ଖାରୋଦ ନିକଟବର୍ତ୍ତୀ ଏକ ସ୍ଥାନରେ ଶବରୀ ନାରାୟଣ ନାମକ ଏକ ତୀର୍ଥସ୍ଥାନ ରହିଛି ଏବଂ ସେଠାରେ ଏବେ ମଧ୍ୟ ଶବରୀ ନାରାୟଣ ଉପାସିତ ହେଉଛନ୍ତି । (ରାଜିମ୍‌ ତକ ଦେବାଳୟ । ଛତିଶଗଡ଼ ପର୍ଯ୍ୟଟନ ବିଭାଗ) ଏହି ସ୍ଥାନ ଅବଶ୍ୟ ମହାନଦୀ ଉତ୍ପତ୍ତି ସ୍ଥାନରେ ନୁହେଁ । ତେବେ ଏହି ଶବରୀ ନାରାୟଣଙ୍କୁ ଯଦି ଶ୍ରୀଜଗନ୍ନାଥଙ୍କର ଆଦିରୂପର ମାନ୍ୟତା ଦିଆଯାଏ, ତେବେ ଏହା ତାଙ୍କର ଆଦିଭୂମି ହୋଇପାରେ ।

 

ସୋନପୁରଠାରେ ମହାନଦୀର ଲଙ୍କେଶ୍ୱରୀ ଗଣ୍ଡରେ ସନ୍ତରଣ, ନୌକାବିହାର ଏବଂ ମତ୍ସ୍ୟଶିକାର ଏକ ଅତ୍ୟନ୍ତ ସୁଖଦ ଅଭିଜ୍ଞତା । ଏଠାର ବୟନଶିଳ୍ପୀମାନଙ୍କର ପାଟମଠା ଦେଶ ବିଦେଶରେ ଅତ୍ୟନ୍ତ ଆଦୃତ । ସୋମବଂଶୀ ଏବଂ ଗଙ୍ଗବଂଶୀ ଶାସନରେ ଏହାର ସାଂସ୍କୃତିକ ପରମ୍ପରାର ଅଭ୍ୟୁଦୟ ହୋଇଥିଲା । ସମ୍ୱଲପୁରର ତୃତୀୟ ଚୌହାନ୍‌ ରାଜା ବଳଭଦ୍ର ଦେବ ୧୬୨୫ ଖ୍ରୀ:ଅରେ ବଉଦରାଜ ସିଦ୍ଧ ଭଞ୍ଜଙ୍କୁ ପରାସ୍ତ କରି ସୋନପୁର ରାଜ୍ୟକୁ ନିଜ ସାମ୍ରାଜ୍ୟ ସହିତ ମିଶାଇ ଦେଇଥିଲେ । ଚୌହାନ୍‌ ବଂଶର ଚତୁର୍ଥ ରାଜା ମଧୁକର ଦେବ ତାଙ୍କର ଦ୍ୱିତୀୟ ପୁତ୍ର ମଦନଗୋପାଳ ସିଂଦେଓଙ୍କୁ ସୋନପୁରର ରାଜ ସିଂହାସନରେ ବସାଇଲେ । ଚୌହାନ୍‌ ରାଜତ୍ୱରେ ଏଠାରେ ବହୁ ମନ୍ଦିର ନିର୍ମିତ ହୋଇଥିଲା । ମନ୍ଦିରମାଳିନୀ ଏହି ସହରରେ ଛୋଟ ବଡ଼ ପ୍ରାୟ ଶହେ ମନ୍ଦିର ରହିଛି । ଶ୍ରୀ ରାମେଶ୍ୱର, ଶ୍ରୀ ଗୋପାଳୁଣୀ ମନ୍ଦିର, ଶ୍ରୀ ଗୋପିନାଥ ମନ୍ଦିର, ଶ୍ରୀ ମାଣିକେଶ୍ୱରୀ ମନ୍ଦିର, ଶ୍ରୀ ଜଗନ୍ନାଥ ମନ୍ଦିର, ଶ୍ରୀ ଗୁଣ୍ଡିଚା ମନ୍ଦିର, ଶ୍ରୀ ସୁରେଶ୍ୱରୀ ମନ୍ଦିର, ଶ୍ରୀ ମାଣିକେଶ୍ୱରୀ ମନ୍ଦିର, ଶ୍ରୀ ଖମେଶ୍ୱରୀ ଏବଂ ଶ୍ରୀ ସମଲେଶ୍ୱରୀ ମନ୍ଦିର ହେଉଛି ଏଗୁଡ଼ିକ ମଧ୍ୟରେ ପ୍ରଧାନ । ଜିଲ୍ଲାର ଇଷ୍ଟଦେବ ହେଲେ ସୁବର୍ଣ୍ଣମେରୁ ମହାଦେବ । ଏହି ମନ୍ଦିରଟି ତେଲ ନଦୀର ବାମପାର୍ଶ୍ୱରେ ପ୍ରାକୃତିକ ପରିବେଶ ମଧ୍ୟରେ ଅବସ୍ଥିତ । ଏହା ଚୌହାନ୍‌ ବଂଶର ପ୍ରଥମ ରାଜା ପ୍ରଥମ ରାଜା ମଦନ ଗୋପାଳ ସିଂଦେଓ (୧୬୩୦-୧୬୬୦ ଖ୍ରୀ:-ଅ:-)ଙ୍କ ସମୟରେ ନିର୍ମିତ ବୋଲି ବିଜୟଚନ୍ଦ୍ର ମଜୁମଦାର (Orissa in Making)ଙ୍କର ମତ । ତେବେ ଏହି ମନ୍ତବ୍ୟର ସତ୍ୟତା ବିତର୍କିତ ।

 

ସୁରେଶ୍ୱରୀ ହେଉନ୍ତି ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ । ଏକଦା ଏହାଙ୍କ ନିକଟରେ ନରବଳି ଦିଆଯାଉଥିଲା । କୁହାଯାଏ ଯେ, ଏ ପ୍ରକୃତରେ ହେଉଛନ୍ତି ପରଶୁରାମଙ୍କର ମାତା ରେଣୁକା ଦେବୀ-। ପରଶୁରାମ ଏହି ପୀଠରେ ଯଜ୍ଞ କରିଥିବାର ପ୍ରମାଣ ରହିଛି । ଏଠାର ଶ୍ରୀଗୁଣ୍ଡିଚା ମନ୍ଦିର ହେଉଛି ପଶ୍ଚିମ ଓଡ଼ିଶାର ବୃହତ୍ତମ ମନ୍ଦିର । ଏହାର ଉଚ୍ଚତା ୩୪.୩୭ ମିଟର୍‌। ଦଶପଲ୍ଲା ରାଜକନ୍ୟା ଓ ପୃଥ୍ୱୀ ସିଂଦେଓଙ୍କ ପତ୍ନୀ ଗୁଣ୍ଡିଚା ନିଜ ପୁତ୍ର ନୀଳଧର ସିଂଦେଓଙ୍କ ଜନ୍ମସ୍ମୃତିରେ ନୃସିହଙ୍କୁ ଏ ମନ୍ଦିର ଉତ୍ସର୍ଗ କରିଥିଲେ । ମହାନଦୀ କୂଳରେ ଭଗ୍ନ ରାଜବାଟୀ ସମ୍ମୁଖରେ ରହିଛି ଶ୍ରୀଜଗନ୍ନାଥ ମନ୍ଦିର । ମହାନଦୀ ଓ ତେଲନଦୀର ସଂଗମ ସ୍ଥଳରେ ଅଛନ୍ତି ରାମେଶ୍ୱର ଶିବ । ଜନଶ୍ରୁତି କହେ ଯେ ସ୍ୱୟଂ ଶ୍ରୀରାମଚନ୍ଦ୍ର ହେଉଛନ୍ତି ଏହାର ପ୍ରତିଷ୍ଠାତା । ମହାନଦୀ ଗର୍ଭର ଏକ ଶିଳା ନାବିକ ପୂଜିତା ଦେବୀ ଲଙ୍କେଶ୍ୱରୀ ନାମରେ ଖ୍ୟାତ । ସମଲେଶ୍ୱରୀ ମନ୍ଦିର ମହାନଦୀର ଡାହାଣ ପାଖରେ । ଏ ହେଉଛନ୍ତି ରାଜବଂଶର ଇଷ୍ଟଦେବୀ । ମହାରାଜ ଶୋଭାସିଂ ଏହାର ନିର୍ମାତା-। ବସ୍‌ ରହଣି ସ୍ଥାନ ନିକଟରେ ରହିଛି ପଞ୍ଚରଥ ମନ୍ଦିର । ପାଞ୍ଚଟି ମନ୍ଦିରରେ ଶିବ ପରିବାର ପୂଜିତ । ଏହା ମହାରାଜା ବୀରମିତ୍ରୋଦୟ ସିଂଦେଓଙ୍କ ଦ୍ୱାରା ନିର୍ମିତ । ଶଶିସେଣା ମନ୍ଦିର ବଲାଙ୍ଗୀର ସୋନପୁର ରାସ୍ତା ବାମକଡ଼େ ରହିଛି । ଏହି ମନ୍ଦିରରେ କୌଣସି ଦେବତା ନାହାନ୍ତି । ଏହା ଏକ ଅମୁହାଁ ଦେଉଳ । ଦେଓ୍ୱାନ୍‌ପୁତ୍ର ଅହିମାଣିକ୍ୟ ଓ ରାଜକୁମାରୀ ଶଶିସେଣାର ପ୍ରଣୟ କାହାଣୀକୁ ନେଇ ଏ ମନ୍ଦିରର ପରିକଳ୍ପନା । ସୋନପୁର ଦରବାରର କବି ପ୍ରତାପ ରାୟ ଏହାକୁ ନେଇ ‘ଶଶିସେଣା’ କାବ୍ୟ ଲେଖିଛନ୍ତି । ବର୍ତ୍ତମାନର ମନ୍ଦିରଟି ଅର୍ବାଚୀନ ।

 

ପୁନେ ବିଶ୍ୱବିଦ୍ୟାଳୟର ପ୍ରତ୍ନତତ୍ତ୍ୱ ବିଭାଗ ଜିଲ୍ଲାର ଅସୁରଗଡ଼ଠାରେ ଯେଉଁ ଖନନ କାର୍ଯ୍ୟ ଚଳାଇଥିଲେ, ତହିଁରୁ ଗ୍ରୀସ୍‌ ଓ ରୋମୀୟ ସଭ୍ୟତାରେ ବ୍ୟବହୃତ ମାଟିପାତ୍ର ମିଳିଛି ଏବଂ ଏହାର ସମୟ ଖ୍ରୀ:ପୂ :–ଷଷ୍ଠ ଶତକ ବୋଲି କୁହାଯାଇଛି । ଅନୁମାନ କରାଯାଏ ଯେ, ସେହି ସବୁ ଅଞ୍ଚଳ ସହିତ ସୋନପୁରର ବାଣିଜ୍ୟକ ସମ୍ପର୍କ ରହିଥିଲା । ଏ ସବୁ ପାତ୍ର ସମ୍ୱଲପୁର ବିଶ୍ୱବିଦ୍ୟାଳୟରେ ସୁରକ୍ଷିତ ହୋଇଛି । ଏହାଛଡ଼ା ବୀରମହାରାଜପୁର ନିକଟସ୍ଥ ବେଲଗାଁରୁ ଗୋଟିଏ ତାମ୍ରଫଳକ ମିଳିଛି, ଯହିଁରେ ସୋନପୁରକୁ ପଶ୍ଚିମଲଙ୍କା ବୋଲି କୁହାଯାଇଛି । ଏହି ସବୁ ପ୍ରମାଣର ଭିତ୍ତିରେ ବହୁ ପ୍ରାଚୀନକାଳରୁ ଏହି ଅଞ୍ଚଳର ସମୃଦ୍ଧି ସମ୍ପର୍କରେ ଅନୁମାନ କରିହୁଏ ।

 

ଏହାଛଡ଼ା ଆଧ୍ୟାତ୍ମିକ କ୍ଷେତ୍ରରେ ସୁଦ୍ଧା ସୋନପୁରର ପ୍ରସିଦ୍ଧି ରହିଛି । ସମ୍ୱଲପୁର ରାଜା ଇନ୍ଦ୍ରଭୂତି ଅଷ୍ଟମ ଶତକରେ ‘ବଜ୍ରଯାନ’ ନାମକ ବୌଦ୍ଧଧର୍ମର ଏକ ନୂତନ ଶାଖା ସୃଷ୍ଟି କରନ୍ତି । ବୌଦ୍ଧଧର୍ମର ବିଲୟକାଳରେ ଏହା ତନ୍ତ୍ର ମାଧ୍ୟମରେ ବଞ୍ଚି ରହିବାକୁ ଚେଷ୍ଟା କରିଥିଲା ଏବଂ ବଜ୍ରଯାନ ହେଉଛି, ଏହାର ଏକ ରୂପାନ୍ତରିତ ସାଧନା ପଦ୍ଧତି । ଇନ୍ଦ୍ରଭୂତିଙ୍କର ଭଗ୍ନୀ ଲକ୍ଷ୍ମୀଙ୍କରା ହେଉଛନ୍ତି ତାଙ୍କର ପ୍ରଥମ ଶିଷ୍ୟା । ସେ ପୁଣି ସୋନପୁର ରାଜା ଜଳେନ୍ଦ୍ରଙ୍କର ପୁତ୍ରବଧୂ । କାଳକ୍ରମେ ଲକ୍ଷ୍ମୀଙ୍କରା ନିଜେ ‘ସହଜଯାନ’ ନାମରେ ବୌଦ୍ଧଧର୍ମର ଏକ ନୂତନ ଶାଖା ପ୍ରତିଷ୍ଠା କରନ୍ତି, ପିଣ୍ଡବ୍ରହ୍ମାଣ୍ଡବାଦ’ ହେଉଛି ଏହାର ଦର୍ଶନ । ପ୍ରବୃତ୍ତିର ବିନାଶରେ ହିଁ ନିର୍ବାଣ । ଚଉରାଅଶୀ ସିଦ୍ଧଙ୍କ ମଧ୍ୟରେ ଲକ୍ଷ୍ମୀଙ୍କରା ହେଉଛନ୍ତି ଏକମାତ୍ର ନାରୀ ।

 

ସୋନପୁର ଥିଲା ଏକ ପ୍ରସିଦ୍ଧ ତନ୍ତ୍ରପୀଠ । ଲକ୍ଷ୍ମୀଙ୍କରା-ପ୍ରତିଷ୍ଠିତ ସହଜଯାନର ଅନୁସରଣ କରି ନିତେଇ ଧୋବଣୀ, ଜ୍ଞାନ ଦେଇ ମାଲୁଣୀ, ଲୁହା କୁଟୀ-ଲୋହାରୁଣୀ, ଶୁଆ ତେଲୁଣୀ ପ୍ରଭୃତି ସାତଜଣ କୁମାରୀ ସିଦ୍ଧି ଲାଭ କରିଥିଲେ ବୋଲି କୁହାଯାଏ । ଏମାନଙ୍କ ନାମାନୁସାରେ ପାଟଣାର ନାମ ‘କାଉଁରୀ ବା କୁମାରୀ ପାଟଣା’ ହୋଇଛି । ମହିମା ଧର୍ମର କବି ଭୀମଭୋଇ ସୋନପୁର ନିକଟବର୍ତ୍ତୀ ଖଲିଆପାଲିଠାରେ ଆଶ୍ରମ ପ୍ରତିଷ୍ଠା କରିଥିଲେ ଏବଂ ଏଇଠାରେ ହିଁ ତାଙ୍କର ବହୁ ଚର୍ଚ୍ଚିତ ଗ୍ରନ୍ଥ ‘ସ୍ତୁତି-ଚିନ୍ତାମଣି’ ରଚିତ ହୋଇଥିଲା । ସାମ୍ପ୍ରତିକ କାଳରେ ଏଠାରେ ମହାରାଜା ବୀରମିତ୍ରୋଦୟ ସିଂ ସାହିତ୍ୟ ଓ ସଂସ୍ମୃତିର ପୃଷ୍ଠପୋଷକ ଥିଲେ । ବିଶେଷତଃ ଓଡ଼ିଶାର ଶିକ୍ଷା ଓ ସଂସ୍କୃତିର ପ୍ରସାର ନିମନ୍ତେ ତାଙ୍କର ଅବଦାନ ଅବିସ୍ମରଣୀୟ । ତାଙ୍କରି ଅନୁଦାନରେ କଲିକତା ବିଶ୍ୱବିଦ୍ୟାଳୟରେ ଓଡ଼ିଆା ବିଷୟରେ ଏମ୍‌.ଏ. ଏବଂ ରେଭେନ୍ସା କଲେଜ୍‌ରେ ଇଂରାଜୀରେ ଏମ୍.ଏ. ଖୋଲାଯାଇଥିଲା । ପରେ ଅବଶ୍ୟ କଲିକତାରେ ଓଡ଼ିଆ ଏମ୍.ଏ ପାଠ୍ୟକ୍ରମଟିକୁ ବନ୍ଦ କରିଦିଆଯାଇଥିଲା ଏବଂ ରେଭେନ୍ସା କଲେଜ୍‌ର ଇଂରାଜୀ ଏମ୍. ଏ ବିଭାଗର ପ୍ରଫେସର୍ ପଦବୀଟି ଏବେ ମଧ୍ୟ ‘ସୋନପୁର ଚେୟାର’ ନାମରେ ପରିଚିତ । (ସୋନପୁର :–ସ୍ୱର୍ଣ୍ଣାଭ ଅତୀତ ସମୃଦ୍ଧ ସଂସ୍କୃତି’–ପବିତ୍ର ମୋହନ ବାରିକ :–ସାପ୍ତାହିକୀ–ପ୍ରଜାତନ୍ତ୍ର–୨୨-୨୮ ଜାନୁୟାରୀ–୨୦୦୬ର ତଥ୍ୟାନୁସାରେ)

 

ଏଥିରୁ ଜଣାଯାଏ ଯେ, ସୋନପୁର ଏକ ଅତି ପ୍ରାଚୀନ ଭୂଖଣ୍ଡ । ମହାନଦୀ ଏବଂ ତେଲନଦୀର ସଂଗମ ସ୍ଥଳରେ ପ୍ରତିଷ୍ଠିତ ସୋନପୁର ସହର ନଦୀତଟୀୟ ସଂସ୍କୃତି ଦ୍ୱାରା ପ୍ରଭାବିତ-। ଧର୍ମ ଦୃଷ୍ଟିରୁ ଉଦାର, ପ୍ରକୃତି ଦୃଷ୍ଟିରୁ ସହନଶୀଳ ଏବଂ ଆଚରଣ ଦୃଷ୍ଟିରୁ ନମ୍ର । ଯେଉଁ ଭୂମିରୁ ‘ମୋ’ ଜୀବନ ପଛେ ନର୍କେ ପଡ଼ିଥାଉ, ଜଗତ ଉଦ୍ଧାର ହେଉ’ ବିଶ୍ୱଜନୀନତାର ସ୍ୱପ୍ନ ସୃଷ୍ଟି ହୋଇପାରେ, ସେ ଭୂମିର ମହତ୍ତ୍ୱ ଗୋଟିଏ ବାକ୍ୟରେ ପ୍ରକାଶ କରିହେବ ନାହିଁ । ନଦୀବନ୍ଧ ନିର୍ମାଣ ଯୋଜନା ନିମନ୍ତେ ମଝିରେ ଏହି ସହରଟିକୁ ଧ୍ୱଂସ କରିବା ନିମନ୍ତେ ଚିନ୍ତା କରାଯାଇଥିଲା । ମାତ୍ର ସୌଭାଗ୍ୟକୁ ସେହି ପ୍ରକଳ୍ପ ପରିତ୍ୟକ୍ତ ହେବାରୁ ଏହି ଐତିହ୍ୟପୂର୍ଣ୍ଣ ସହର ରକ୍ଷା ପାଇଯାଇଛି ।

 

ପାପକ୍ଷୟ ଘାଟ :–ସୋନପୁର ଜିଲ୍ଲାର ବିନିକା (ସୋମବଂଶୀମାନଙ୍କର ରାଜଧାନୀ ବିନୀତପୁର)ଠାରେ ମହାନଦୀ ତୀରରେ ରହିଛି ପାପକ୍ଷୟ ଘାଟ । କିମ୍ବଦନ୍ତୀରୁ ଜଣାଯାଏ ଯେ, ଅନଙ୍ଗ ଭୀମଦେବ- ଦ୍ୱିତୀୟ ଏହି ଘାଟରେ ସ୍ନାନ କରି ପାପମୁକ୍ତ ହୋଇଥିଲେ । ସେଥିପାଇଁ ଘାଟର ନାମ ଏହିଭଳି । ଚନ୍ଦ୍ରଗ୍ରହଣ, ସୂର୍ଯ୍ୟୋପରାଗ ଏବଂ ମହାବାରୁଣୀ ଯୋଗ ଉପଲକ୍ଷେ ଏହି ଘାଟରେ ଧର୍ମାର୍ଥୀମାନେ ବହୁ ସଂଖ୍ୟାରେ ବୁଡ଼ ପକାଇ ଦାନଧର୍ମାଦି କରିଥାଆନ୍ତି । ବିନିକାର ଦକ୍ଷିଣ ଦିଗକୁ ଯାଇଥିବା ରାସ୍ତାରେ କିଛି ଦୂର ଗଲେ ପଡ଼ିବ ଦୁଇମୁହାଣି ଛକ । ଏଠାରୁ ଡାହାଣ ପଟ ରାସ୍ତା ସୋନପୁର ଦିଗରେ ପ୍ରସାରିତ । ଅନ୍ୟ ରାସ୍ତାଟି ଠିକ୍ ପାପକ୍ଷୟ ଘାଟରେ ହିଁ ଶେଷ ହୋଇଛି । ବିନିକା ସହରରୁ ଏହି ସ୍ଥାନ ପ୍ରାୟ ଦୁଇ କି:- ମି:- ଦୂର ହେବ । ଏଠାରେ ବଡ଼ ବଡ଼ ବରଗଛ ଅଛି । ଏଠାରୁ ଦୁଇ କି:- ମି:- ଦୂରରେ ଅଛନ୍ତି କପିଳେଶ୍ୱର ମହାଦେବ । ଅନଙ୍ଗଭୀମ ହେଉଛନ୍ତି ଏହି ମନ୍ଦିରର ନିର୍ମାତା । ପାପକ୍ଷୟ ଘାଟରେ ସ୍ନାନ କରି କପିଳେଶ୍ୱର ମହାଦେବଙ୍କର ଦର୍ଶନ କଲେ ଅଶେଷ ପାପକ୍ଷୟ ହୁଏ ବୋଲି ଲୋକବିଶ୍ୱାସ ରହିଛି । ପାପକ୍ଷୟ ଘାଟରେ ରାମକୃଷ୍ଣ, ଶିବ ହନୁମାନ, ପାର୍ବତୀ ଆଦିଙ୍କ ମନ୍ଦିର ସହିତ ସୂର୍ଯ୍ୟଙ୍କ ନାମରେ ଉତ୍ସର୍ଗୀକୃତ ମଣ୍ଡପଟିଏ ଅଛି । ବରଗଛର ଓହଳ ସବୁ ଖୁମ୍ବରେ ପରିଣତ ହୋଇ ସ୍ଥାନଟିକୁ ବେଶ୍ ଛାୟାଶୀତଳ କରି ରଖିଛି । ମନ୍ଦିରଗୁଡ଼ିକ ସମ୍ପୂର୍ଣ୍ଣ ରୂପେ ଆଧୁନିକ ସଂଯୋଗ । ଶିବମନ୍ଦିରକୁ ଲାଗିଥିବା ଓହଳର ଅପ୍ରଶସ୍ତ ଫାଙ୍କ ଭିତରେ ଭକ୍ତମାନେ ଗଳିବାକୁ ଚେଷ୍ଟା କରନ୍ତି । ଲୋକବିଶ୍ୱାସ ଯେ, ଏହି ଫାଙ୍କଦ୍ୱାରା ପାପପୁଣ୍ୟର ବିଚାର ହୋଇଥାଏ । କୁତବ୍‌ମିନାର୍‌ଠାରୁ ଆରମ୍ଭ କରି ଶ୍ରୀଜଗନ୍ନାଥ ମନ୍ଦିର ଯାଏ- ଦେଶର ପ୍ରାୟ ପ୍ରତ୍ୟେକ ଐତିହାସିକ ସ୍ଥାନ ସହିତ ଏହିଭଳି ଅଜବ୍ ବିଶ୍ୱାସମାନ ଯୁକ୍ତ ହୋଇରହିଛି । ଘାଟ ପାଖରେ ନଦୀ ଶଯ୍ୟା ବେଶ୍ ପ୍ରଶସ୍ତ ଓ ପ୍ରସ୍ତରଶୂନ୍ୟ ହୋଇଥିବାରୁ ନୌକାବିହାର ନିମନ୍ତେ ଉପଯୋଗୀ । (ଏଠାରେ ନିକଟରେ ସରକାରଙ୍କ ଦ୍ୱାରା ଏକ ମତ୍ସ୍ୟ ପ୍ରକଳ୍ପ ସ୍ଥାପନ କରାଯାଇଛି ।) (ସାପ୍ତାହିକୀ :–୨୧- ୨୭ ମାର୍ଚ୍ଚ ୨୦୦୪ର ବିବରଣୀ ଅନୁସାରେ) କବି ଗଙ୍ଗାଧର ଏହି ଘାଟ ସମ୍ପର୍କରେ ବିଭିନ୍ନ ସ୍ଥାନରେ ବର୍ଣ୍ଣନା କରିବା ସହିତ ଏଥିପାଇଁ ଗୋଟିଏ ସ୍ୱତନ୍ତ୍ର କବିତା ଲେଖିଛନ୍ତି । ତାହାର କିଛି ଅଂଶ :–

 

ଏହି ସେହି ସୁପବିତ୍ର ପାପକ୍ଷୟ ଘାଟ

ଗଜପତିଙ୍କର ଯହିଁ ହେଲା ପାପକ୍ଷୟ ।

ନିଷ୍କଣ୍ଟକ ହୋଇଗଲା ସ୍ୱରଗର ବାଟ

ମହାବ୍ୟାଧି ମୁଞ୍ଚି ରାଜା ହେଲେ ନିରାମୟ ।

ବହୁଛି ନିର୍ମଳ ଜଳ ତଟର ନିକଟ

ଦେଖିଲା ମାତ୍ରକେ ଲୋକନେତ୍ର ପାପ ହରେ ।

ନିମଜ୍ଜିତ ହେଲେ ସୁଖଶାନ୍ତି ଲଭେ ଘଟ

ପବିତ୍ର ପ୍ରସାଦ ରାଶି ଜୀବନରେ ଭରେ ।

(ପାପକ୍ଷୟ :–ଗଙ୍ଗାଧର ଗ୍ରନ୍ଥାବଳୀ :–ଅର୍ଘ୍ୟଥାଳୀ :–ପୃ :–୫୧)

 

ଚାରି ଶମ୍ଭୁ :–ବୌଦ ସହରର ଏକ ଐତିହାସିକ ଗୁରୁତ୍ୱ ରହିଛି । ଅନେକ ବୌଦ୍ଧମୂର୍ତ୍ତି ତଥା କୀର୍ତ୍ତି କ୍ରମଶଃ ଆବିଷ୍କୃତ ହେଉଥିବାରୁ ଅତୀତରେ ଏହା ବୌଦ୍ଧଧର୍ମର ଏକ ପ୍ରମୁଖ ପୀଠ ଥିଲା ତଥା ଏହି କାରଣରୁ ସ୍ଥାନର ନାମ ‘ବୌଦ୍ଧ’ ବା ‘ବୌଦ’ ହୋଇଛି ବୋଲି ଅନୁମାନ କରାଯାଏ-। ବୌଦ ସହରରେ ଅନେକ ପ୍ରାଚୀନ ମନ୍ଦିର ରହିଛି । ତାହା ମଧ୍ୟରେ ନବଗ୍ରହ ମନ୍ଦିର ହେଉଛି ପ୍ରଧାନ । ବାଲିପଥରରେ ନିର୍ମିତ ଏହି ମନ୍ଦିରର କାରୁକାର୍ଯ୍ୟ ଚମତ୍କାର ଏବଂ ଏହା ସମ୍ଭବତଃ ନବମ ଶତକରେ ନିର୍ମିତ ହୋଇଥିଲା । ଏହାଛଡ଼ା ଏଠାରେ ରାମେଶ୍ୱରଙ୍କର ମନ୍ଦିର ମଧ୍ୟ ରହିଛି । ରାମେଶ୍ୱର ମନ୍ଦିର ବେଢ଼ାରେ ଶିବଲିଙ୍ଗ, ଶକ୍ତିପୀଠ, ଆମଳକ ଶିଳା, ବୃଷ, ନଟରାଜ, ବ୍ରହ୍ମା, ନବଗ୍ରହ ପ୍ରଭୃତି ଭଗ୍ନ ପ୍ରାସାଦ ସମ୍ମୁଖରେ ରହିଛନ୍ତି । ଏହାଛଡ଼ା ମହାନଦୀ କୂଳରେ ଜଗନ୍ନାଥ ମନ୍ଦିର ରହିଛି ଏବଂ ପ୍ରାସାଦ ସମ୍ମୁଖରେ ଅନ୍ୟ ଏକ ଜଗନ୍ନାଥ ମନ୍ଦିର ମଧ୍ୟ ବିଦ୍ୟମାନ । ମନେହୁଏ ବୌଦ୍ଧଧର୍ମ ପରେ ବୌଦ ରାଜ୍ୟ ଶୈବ ଧର୍ମ ଦ୍ୱାରା ଗଭୀର ଭାବରେ ପ୍ରଭାବିତ ହୋଇଥିଲା । ବୌଦରେ ପୁଣି ରହିଛି ଅଷ୍ଟମ / ନବମ ଶତକରେ ନିର୍ମିତ ଚାରିଶମ୍ଭୁ ବା ଗନ୍ଧରାଡ଼ିର ମନ୍ଦିର । ଗୋଟିଏ ପୀଠ ଉପରେ ନିର୍ମିତ ହୋଇଛି ନୀଳମାଧବ ଓ ସିଦ୍ଧେଶ୍ୱର (ଶିବ)ଙ୍କ ମନ୍ଦିର । ମନ୍ଦିରର ଦ୍ୱାର ପୂର୍ବମୁଖୀ । ସେହି ପୀଠରେ ଆଉ ଦୁଇଟି ଶିବଲିଙ୍ଗ ପୂଜିତ ହେଉଥିବାର ଏବଂ ସେହି ଲିଙ୍ଗଦ୍ୱୟ ବର୍ତ୍ତମାନ ସିଦ୍ଧେଶ୍ୱର ମନ୍ଦିର ମଧ୍ୟରେ ରହି ପୂଜିତ ହେଉଥିବାର ଜଣାଯାଏ । ଏକ ପୀଠରେ ସିଦ୍ଧେଶ୍ୱର, ଜାଗେଶ୍ୱର, କପିଳେଶ୍ୱର ଏବଂ ପଶ୍ଚିମ ସୋମନାଥ ପୂଜିତ ହେଉଥିବାରୁ ସେହି ପୀଠ ଚାରିଶମ୍ଭୁ ନାମରେ ଖ୍ୟାତ । ଗନ୍ଧରାଡ଼ି ନାମ ହେଉଛି ଏହାର ଅନ୍ୟ ଏକ ପରିଚୟ ଏବଂ ରାଜା ଗନ୍ଧମାର୍ଦ୍ଦନ ଦେବ ଏହାର ନିର୍ମାତା ବୋଲି କୁହାଯାଉଛି । ଆଖପାଖରେ ଅନେକ ଶୈବପୀଠ ଥିବାରୁ ଏକଦା ଏହି ଅଞ୍ଚଳରେ ଶୈବଧର୍ମର ପ୍ରାଧାନ୍ୟ ଥିବାର ଅନୁମାନ କରାଯାଇଥାଏ । ହରମନ୍ଦିର ଚୂଡ଼ାରେ ଶିବଲିଙ୍ଗ ଏବଂ ହରିମନ୍ଦିର ଚୂଡ଼ାରେ ଚକ୍ର ଶୋଭିତ । ଉଭୟ କଳାମୁଗୁନି ପଥରରେ ତିଆରି । ଏଠାରେ ମହାଶିବରାତ୍ରି ପଣାସଂକ୍ରାନ୍ତି ଦିନ ଝାମୁଯାତ୍ରା ପାଳିତ ହୋଇଥାଏ । ଚାରିଶମ୍ଭୁର ଦଣ୍ଡଯାତ୍ରା ଏ ଅଞ୍ଚଳରେ ପ୍ରସିଦ୍ଧ ।

 

ଏହାଛଡ଼ା ବୌଦରେ ଭୂମିସ୍ପର୍ଶ ମୁଦ୍ରାରେ ଆସୀନ ବୁଦ୍ଧମୂର୍ତ୍ତି, ଚନ୍ଦ୍ରଚୂଡ଼ା ମନ୍ଦିର, ରାମନାଥ ମନ୍ଦିର, ମହାନଦୀ ମଧ୍ୟସ୍ଥ ହନୁମାନ ମନ୍ଦିର, ପରଗଜ ପୁର ଓ ଶ୍ୟାମସୁନ୍ଦରପୁର ସ୍ଥିତ ବୁଦ୍ଧମୂର୍ତ୍ତି, ନାଏକପଡ଼ା ଗୁମ୍ଫା, ପୁରୁଣା କଟକରେ ଭରବୀ ମନ୍ଦିର ପ୍ରଭୃତି ଦର୍ଶନୀୟ ସ୍ଥାନ ମଧ୍ୟ ରହିଛି । (ବୌଦ ଓ ବୈଷ୍ଣବ ଧର୍ମର ପୀଠସ୍ଥଳୀ ଚାରିଶମ୍ଭୁ :–ସୌମିତ୍ରୀ କୁମାର ନାୟକ :–ସମାଜ-:–୧୬.୬.୦୦୪)

 

ବୌଦର ବିପରୀତ ପାର୍ଶ୍ୱରେ ମହାନଦୀ କୂଳରେ ଅବସ୍ଥିତ ପୂର୍ବତନ ଗଡ଼ଜାତ ଆଠମଲ୍ଲିକ । ଏଠାରେ ପ୍ରସିଦ୍ଧ ପର୍ବତ ‘ପଞ୍ଚଧାରା’ ପଞ୍ଚପାଣ୍ଡବଙ୍କ ଖଡ୍ଗଧାରରୁ ସମ୍ଭୂତ ବୋଲି ପ୍ରସିଦ୍ଧି ଅଛି । କଇଁତ୍ରାଗଡ଼ ଏହାର ସଦର ମହକୁମା । ଏଠାରୁ ୩୦ କି:ମି ପଶ୍ଚିମରେ ରହିଛି ଦେଉଳଝରି ଉଷ୍ଣପ୍ରସ୍ରବଣ । ଋଷି ବାଲ୍ମୀକିଙ୍କର ଆଶ୍ରମ ଏଠାରେ ଥିବାର କିମ୍ବଦନ୍ତୀ ଅଛି । ଏଠାରେ ସିଦ୍ଧେଶ୍ୱର ମହାଦେବଙ୍କ ମନ୍ଦିର ଅଛି । ଅତୀତରେ ଏଠାରେ ୮୪ଟି କୁଣ୍ଡରେ ଉଷ୍ଣ ତଥା ଶୀତଳ ଜଳ ଥିଲା । ତେଣୁ ଏ ପ୍ରଗଣାକୁ ଚୌରାଅଶୀ ପ୍ରଗଣା କୁହାଯାଏ । ସିଦ୍ଧେଶ୍ୱର ସୁବର୍ଣ୍ଣ କେଶରୀଙ୍କ ଦ୍ୱାରା ସ୍ଥାପିତ ବୋଲି କୁହାଯାଏ ।

 

ମହାନଦୀ ତୀର ଧରି ଆଉ ଟିକିଏ ତଳକୁ ଓହ୍ଲାଇଗଲେ ପଡ଼ିବ ପୂର୍ବତନ ଗଡ଼ଜାତ ରାଜ୍ୟ ଖଣ୍ଡପଡ଼ା ଓ ଏହାର ପ୍ରଧନା ତୀର୍ଥସ୍ଥାନ କଣ୍ଟିଲୋ । ଏଠାରେ ପୂଜା ପାଉଛନ୍ତି ଶ୍ରୀ ନୀଳମାଧବ ଜୀଉ ଏବଂ ସେ ଜଗନ୍ନାଥଙ୍କର ଆଦି ରୂପ ବୋଲି କୁହାଯାଉଛି । ଇତିପୂର୍ବରୁ ଶ୍ରୀପୂରର ଶବରୀନାରାୟଣଙ୍କ ସମ୍ପର୍କରେ ମଧ୍ୟ ସେଇ କଥା କୁହାଯାଉଥିବା ବିଷୟରେ ସୂଚନା ଦିଆଯାଇଛି । ଶବର ରାଜା ବିଶ୍ୱାବସୁ ଘନ ଅରଣ୍ୟ ମଧ୍ୟରେ ଯେଉଁ ନୀଳମାଧବଙ୍କୁ ପୂଜା କରୁଥିଲେ, କଣ୍ଟିଲୋର ନୀଳମାଧବ ସେଇ ବୋଲି କୁହାଯାଉଛି । ଏ ସମ୍ପର୍କରେ ଆହୁରି ଗୋଟିଏ ତୃତୀୟ ସମ୍ଭାବନା କଥା ମଧ୍ୟ ଶୁଣାଗଲାଣି । କାଠଯୋଡ଼ି ବା ଦେବୀ ନଦୀର ତୀରବର୍ତ୍ତୀ ପରମହଂସ ପୀଠରେ ନୀଳମାଧବଙ୍କର ମୂର୍ତ୍ତି ସ୍କନ୍ଦପୁରାଣ ସୂଚିତ ଇନ୍ଦ୍ରଦ୍ୟୁମ୍ନ ଦୂତ ବିଦ୍ୟାପତି ଓ ଶବର କନ୍ୟା ଲଳିତାଙ୍କ ପ୍ରସ୍ତର ମୂର୍ତ୍ତି, ସେହି ସ୍ଥାନ ନିକଟବର୍ତ୍ତୀ ଶବର ପଲ୍ଲୀ ଆଦି ଶ୍ରୀଜୀଉଙ୍କର ଆଦିଭୂମି ରୂପରେ ସେଠାକାର ଅଧିବାସୀମାନଙ୍କର ଦାବୀର ଯୌକ୍ତିକତାକୁ ମଧ୍ୟ ପ୍ରମାଣ କରେ । ଏ ସମ୍ପର୍କରେ କୌଣସି ନିଷ୍ପତି ନେବା ଏଡ଼େ ସହଜ ନୁହେଁ ।

 

ନୀଳମାଧବ :–କଣ୍ଟିଲୋର ଶ୍ରୀ ନୀଳମାଧବ ଜୀଉ ଅତି ପ୍ରାଚୀନ ଦେବତା । ଏଠାରେ ତାଙ୍କର ଯେଉଁ ମନ୍ଦିର ରହିଛି ତାହାର ଗଠନ ଶୈଳୀ ଠିକ୍ ଶ୍ରୀମନ୍ଦିରର ଗଠନଶୈଳୀ ଭଳି । ଏଠାରେ ପୂଜା ଅର୍ଚ୍ଚନା, ପର୍ବପର୍ବାଣି, ରୀତିନୀତି ସହିତ ଶ୍ରୀମନ୍ଦିରର ସେବାପୂଜାର ଯଥେଷ୍ଟ ସାମଞ୍ଜସ୍ୟ ରହିଛି । ମହାନଦୀ କୂଳରେ ଏକ ନାତ୍ୟୁଚ୍ଚ ପାହାଡ଼ ଉପରେ (ଶ୍ରୀ ମନ୍ଦିରର ସ୍ଥିତି ମଧ୍ୟ ସେଇୟା) ଶ୍ରୀ ନୀଳମାଧବଙ୍କ ପୀଠର ନିର୍ମାଣ କରାଯାଇଛି । ଏହାକୁ କୁହାଯାଏ ବ୍ରହ୍ମାଦି । ସୂଚନା ପ୍ରକାରେ ପାଣ୍ଡବମାନେ ଜାରାଶବର ଦ୍ୱାରା ନିହତ ଶ୍ରୀକୃଷ୍ଣଙ୍କର ମୃଣ୍ମୟ ପିଣ୍ଡକୁ ଦାହ କରିବା ନିମନ୍ତେ ବହୁ ପ୍ରକାରର ପ୍ରଯତ୍ନ କରି ତହିଁରେ ଅକୃତକାର୍ଯ୍ୟ ହୋଇଥିଲେ । ଶେଷରେ ଶୂନ୍ୟବାଣୀର ନିର୍ଦ୍ଦେଶରେ ସେହି ଅପୋଡ଼ା ପିଣ୍ଡକୁ ସମୁଦ୍ରରେ ମେଲି ଦେଇଥିଲେ । କବି ଲେଖୁଛନ୍ତି,

 

ଜଳମଧ୍ୟେ ପଡ଼ି ସେହି ପିଣ୍ଡ ଭାସୁଥିଲା ।

ବିଶ୍ୱାବସୁ ଶବରକୁ ଶୂନ୍ୟୁ ଆଜ୍ଞା ହେଲା ।

ହେ ଶବର ଏବେ ଯାଇ ସମୁଦ୍ର କୂଳକୁ ।

ଆଣି ପୂଜାକର ତୁହି ପ୍ରଭୁଙ୍କ ପିଣ୍ଡକୁ ।

ନୀଳମାଧବ ନାମଟି ତାଙ୍କର ହୋଇବ ।

ଏହା ଶୁଣି ଶବର ଯେ ଚଳିଗଲା ଜବ

ଜଳରୁ ସେ ପିଣ୍ଡଗୋଟି କୂଳକୁ ଆଣିଲା ।

ହସ୍ତପଦ ନାହିଁ ତାହା ମାଦଳ ଦେଖିଲା ।

 

ବିଶ୍ୱାବସୁର ନିବାସଥିଲା ଘଞ୍ଚଅରଣ୍ୟାନି ପରିବେଷ୍ଟିତ ମହାନଦୀ ତୀରସ୍ଥ ବ୍ରହ୍ମାଦି ପାହାଡ଼ । ସେ ସେଇଠାରେ ବ୍ୟାଘ୍ର ଗୁମ୍ଫାରେ ଦିବ୍ୟ କାନ୍ତି ଯୁକ୍ତ ଅକ୍ଷୁର୍ଣ୍ଣ ଦାରୁ ବ୍ରହ୍ମଙ୍କୁ ନୀଳମାଧବ ରୂପରେ ପୂଜା କରିବାକୁ ଲାଗିଲା । ନୀଳମାଧବ ପୂଜିତ ହେଉଥିଲେ ଶବରୀ ମନ୍ତ୍ରରେ ତଥା ଅରଣ୍ୟ ଫଳମୂଳ ସହିତ ଶବର ଭୋଜ୍ୟ ଆମିଷ ମଧ୍ୟ ତାଙ୍କର ନୈବେଦ୍ୟ ଥିଲା ବୋଲି କୁହାଯାଏ-। ତେବେ କଣ୍ଟିଲୋ ପାଖରେ ସମୁଦ୍ର ନାହିଁ । ଏଥିପାଇଁ ବିଶ୍ୱାବସୁକୁ ନିଶ୍ଚୟ ଉପକୂଳବର୍ତ୍ତୀ ଅଞ୍ଚଳକୁ ଯିବାକୁ ପଡ଼ିଥିବ । ପୁରୀ ହେଉ କି ପାରାଦୀପ ହେଉ କୌଣସି ଏକ ସ୍ଥାନରୁ ଦାରୁବ୍ରହ୍ମ ଉଦ୍ଧାର କରି କଣ୍ଟିଲୋ ଆଣିବାକୁ ପଡ଼ିଥିବ । କିମ୍ବଦନ୍ତୀ କହେ ଯେ ବ୍ୟାଘ୍ର ଗୁମ୍ଫାରୁ ଅଦୃଶ୍ୟ ହେଲା ପରେ ନୀଳମାଧବ ଦାରୁ ରୂପରେ ପୁରୀ ନିକଟସ୍ଥ ବାଙ୍କିମୁହାଣରେ ଭାସୁଥିଲେ । ସେଠାରୁ ତାଙ୍କୁ ଉଦ୍ଧାର କରି ଏବଂ ସେଇ ଦାରୁରେ ମୂର୍ତ୍ତିଗଢ଼ି ପୂଜା କରିବା ନିମନ୍ତେ ସ୍ୱୟଂ ନୀଳମାଧବ ସ୍ୱପ୍ନରେ ଇନ୍ଦ୍ରଦ୍ୟୁମ୍ନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସମୁଦ୍ରରୁ ସେଇ ଦାରୁ ଉଦ୍ଧାର କରିବା ପାଇଁ ପୁଣି ବିଶ୍ୱାବସୁର ସହାୟତା ଲୋଡ଼ାଯାଇଥିଲା । କେବଳ ଆର୍ଯ୍ୟମାନଙ୍କ ଦ୍ୱାରା ସମୁଦ୍ରରୁ ଉଠିବେ ନାହିଁ ବୋଲି ଦେବତା ଜିଦ୍ ଧରି ବସିଥିଲେ । ଏଇଥିପାଇଁ ତାଙ୍କର ଆଦି ପୂଜକଙ୍କର ସାହାଯ୍ୟ ଦରକାର ହୋଇଥିଲା । ତେବେ ବିଶ୍ୱାବସୁ କ’ଣ ଦୁଇଥର ଶ୍ରୀ ଜୀଉଙ୍କର ଦାରୁ ସମୁଦ୍ରରୁ ଉଦ୍ଧାର କରିଥିଲେ ? ଏହିଭଳି ଅନେକ ପ୍ରଶ୍ନ ଚିରକାଳ ପାଇଁ ଅନୁତ୍ତରିତ ରହିଯିବ ।

 

ଯାହାହେଉ, ନୀଳମାଧବ କଣ୍ଟିଲୋ ସନ୍ନିକଟ ଅରଣ୍ୟରେ ବିଶ୍ୱାବସୁ ଦ୍ୱାରା ପୂଜିତ ହେଉଥିଲେ । ବ୍ରହ୍ମାଦି କଣ୍ଟେଇ ଗଛର ଘଞ୍ଚ ଅରଣ୍ୟରେ ପୂର୍ଣ୍ଣ ହୋଇଥିବାରୁ ସ୍ଥାନର ନାମ କଣ୍ଟିଲୋ ହୋଇଛି ବୋଲି କୁହାଯାଉଛି । ସେଠାରେ କିଛି ଦିନ ପୂଜିତ ହେବା ପରେ ଦାରୁ ଦେବତା ଅବନ୍ତୀ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ ସ୍ୱପ୍ନରେ ଦେଖାଦେଇ କହିଲେ,

 

ବନଗିରି ଗୁହାରେ ମୁଁ ଏବେ ଅଛି ରହି

ଖରାବରଷା କାକର ଆଦି ସବୁ ଖାଇ ।

ଏଠାରେ ମନ୍ଦିର ଏକ କରିଣ ନିର୍ମାଣ

ବନୁଆଣି ତହିଁ ମୋତେ କରାଅ ସ୍ଥାପନ ।

(ଚିତ୍ତବିନୋଦ :–ପୃ :–୧୩)

 

ସେ ପଟେ ବିଶ୍ୱାବସୁ ମଧ୍ୟ ସ୍ୱପ୍ନରେ ପ୍ରଭୁଙ୍କ ଆଜ୍ଞା ଶୁଣିଲେ–

 

ଶୁଣରେ ଶବର । ତୋର ପତ୍ରପୁଷ୍ପ ଫଳେ

ମନ ନ ଭରିଲେ ଏବେ ଯିବା ନୀଳାଚଳେ

 

ଭକ୍ତ ଇନ୍ଦ୍ରଦ୍ୟୁମ୍ନ ଏହା ଜାଣି ଅଧୀର ହୋଇ ପଡ଼ିଲେ ଏବଂ ଯଥାଶୀଘ୍ର ବନଗୁହାରେ ପୂଜିତ ଶ୍ରୀଜୀଉଙ୍କୁ ଠାବକରି ନେଇ ଆସିବା ନିମନ୍ତେ ବିଦ୍ୟାପତିଙ୍କୁ ପଠାଇଲେ । ବିଦ୍ୟାପତି ବହୁ ଅଞ୍ଚଳ ଘୂରି ଶେଷରେ ନୀଳମାଧବଙ୍କର ସନ୍ଧାନ ପାଇଲେ ଏବଂ ଶବର ସାହାଯ୍ୟ ବିନା ତାଙ୍କର ଦର୍ଶନ ସମ୍ଭବ ନୁହେଁ ବୋଲି ହୃଦୟଙ୍ଗମ କଲେ । ଶବରମାନେ ଅବା ତାଙ୍କ ଭଳି ଅପରିଚିତ ଅନାତ୍ମୀୟଙ୍କୁ ସାହାଯ୍ୟ କରନ୍ତେ କାହିଁକି ?

 

ବିଦ୍ୟାପତି ଶବର ଗୋଷ୍ଠୀର ନିକଟାତ୍ମୀୟ ହୋଇଗଲେ ଶବର କନ୍ୟା ଲଳିତାଙ୍କୁ ବିବାହ କରି । ଏ ବିବାହର ପରିକଳ୍ପନା ଆର୍ଯ୍ୟ ଏବଂ ଅଣଆର୍ଯ୍ୟ ଗୋଷ୍ଠୀ ମଧ୍ୟରେ ଥିବା ଦୂରତ୍ୱକୁ ଦୂର କରି ଏକ ଜାତିହୀନ ସମାଜ ଗଠନ ନିମନ୍ତେ ପରିକଳ୍ପିତ । ବିଦ୍ୟାପତି ଶବରମାନଙ୍କର ସରଳ ବିଶ୍ୱାସର ସୁଯୋଗ ନେଇ ଗୋପନରେ ନୀଳମାଧବଙ୍କୁ ଅପହରଣ କରି ନେଇ ଆସୁଥିବା ବେଳେ, ସେ ଅନ୍ତର୍ଦ୍ଧାନ ହୋଇଗଲେ । ତା’ପରେ ବାଙ୍କି ମୁହାଣରେ ଦାରୁ ରୂପରେ ତାଙ୍କର ଆବିର୍ଭାବ । ବିଶ୍ୱାବସୁଙ୍କ ସାହାଯ୍ୟରେ ସମୁଦ୍ରରୁ ତାଙ୍କର ଉତ୍ତୋଳନ ବିଶ୍ୱକର୍ମା ସେଇ ଦାରୁରେ ମୂର୍ତ୍ତି ଗଠନ କରିବା ନିମନ୍ତେ ଉଦ୍ୟମ କରିବା, ଗୁଣ୍ଡିଚାଙ୍କ ଦ୍ୱାରା ଅସମୟରେ ରୁଦ୍ଧ ଦ୍ୱାର ଉନ୍ମୋଚନ ହେତୁ ଶ୍ରୀଜୀଉଙ୍କ ବିଗ୍ରହ ଅପୂର୍ଣ୍ଣ ରହିବା ଏବଂ ସେହିଭଳି ଅବସ୍ଥାରେ ତାଙ୍କର ପୂଜିତ ହେବା ନିମନ୍ତେ ଇଚ୍ଛା ପ୍ରକାଶ ପ୍ରଭୃତି ଅନେକ କଥା ଘଟିଥିଲା ।

 

ତଦ୍‌ବିଦ୍‌ମାନେ ନୀଳମାଧବଙ୍କ ମଧ୍ୟରେ ଜଗନ୍ନାଥ ପରିବାରର ଅଭେଦତ୍ୱ ପରିକଳ୍ପନା କରିଛନ୍ତି । ସେମାନଙ୍କ ମତରେ ନୀଳ ଅର୍ଥାତ୍ କୃଷ୍ଣବର୍ଣ୍ଣ ଶ୍ରୀଜଗନ୍ନାଥ । ମା’ ଅର୍ଥାତ୍ ସୁଭଦ୍ରା ଏବଂ ଧବ ଅର୍ଥାତ୍ ଧବଳବର୍ଣ୍ଣ ବଳଦେବ- ନୀଳମାଧବଙ୍କର ଏକକ ମୂର୍ତ୍ତିରେ ଏ ତିନିଦେବଙ୍କ ଅଧିଷ୍ଠାନ । ଏଣୁ ନୀଳମାଧବ ଏବଂ ଶ୍ରୀଜଗନ୍ନାଥ ହେଉଛନ୍ତି ଅଭିନ୍ନ । ଇନ୍ଦ୍ରଦ୍ୟୁମ୍ନ କିନ୍ତୁ ପ୍ରଥମେ ନୀଳମାଧବଙ୍କୁ ଆଣିବାରେ ଅସଫଳ ହୋଇଥିଲେ । କବି ଲେଖୁଛନ୍ତି–

 

ଏ ସମୟେ ଶୂନ୍ୟରୁ ଯେ ଶୁଣିଲା ଶବଦ

ହେ ନୃପତି ନ ବୁଝିଣ ବୃଥା କରୁ ଖେଦ

କଳିଯୁଗେ ଏ ରୂପରେ ଆଉ ନଦେଖିବ

ବୌଦ୍ଧ ରୂପ ଗୋଟିକ ଯେ ପ୍ରକାଶ ପାଇବ

ବାଙ୍କି ମୁହାଣରେ କାଲି ଲାଗିବୁ ଯାଇଣ

ଦାରୁ ବ୍ରହ୍ମ କାଷ୍ଠ ରୂପେ ତହିଁ ଥିବୁ ଜାଣ ।

(ଚିତ୍ତ ବିନୋଦ)

 

ଏହା ପରର ବିବରଣୀରେ ଆଉ କୌଣସି ପାର୍ଥକ୍ୟ ନାହିଁ । ନୀଳମାଧବ ଯେ ଦାରୁରୂପରେ ଶ୍ରୀକ୍ଷେତ୍ରରେ ପୂଜା ପାଇଛନ୍ତି, ଏଥିରୁ ଏହା ପ୍ରମାଣିତ ହେଉଛି । ଏଥର କଣ୍ଟିଲୋର ନୀଳମାଧବଙ୍କ କଥା । ତାଙ୍କର ଉପସ୍ଥିତି ହେତୁ ବ୍ରହ୍ମାଦିଙ୍କୁ ଅତ୍ୟନ୍ତ ପବିତ୍ର ମନେ କରାଯାଉଛି । ଏଭଳିକି ବିଷ୍ଣୁଙ୍କର ବାମପାଦର କନିଷ୍ଠାଙ୍ଗୁଳିରୁ ଯେଉଁ ପାପନାଶିନୀ ଗଙ୍ଗାଙ୍କର ଉତ୍ପତ୍ତି ସେ ମଧ୍ୟ କଣ୍ଟିଲୋରେ ପ୍ରତ୍ୟକ୍ଷ ରୂପରେ ଅଛନ୍ତି ବୋଲି କୁହାଯାଉଛି । ମହାନଦୀ ରୂପରେ ପାପନାଶିନୀ ଗଙ୍ଗା ଏଠାରେ ବିଦ୍ୟମାନ ।

 

ଏଠାରେ ନୀଳମାଧବ ହେଉଛନ୍ତି ବିଷ୍ଣୁମୂର୍ତ୍ତି । ହସ୍ତରେ ଶଙ୍ଖ, ଚକ୍ର, ଗଦା ଓ ଅଭୟବର ମୁଦ୍ରା । ପାର୍ଶ୍ୱବର୍ତ୍ତୀ ଦେବୀ ରୂପରେ ଦେବତାଙ୍କର ଦୁଇପାଖରେ ଶ୍ରୀ ଦେବୀ ତଥା ସ୍ୱଦେବୀ ରହିଛନ୍ତି-। ଦକ୍ଷିଣ ପାଖରେ ସିଦ୍ଧେଶ୍ୱର ମହାଦେବ ଏବଂ ଶକ୍ତି । ବେଢ଼ାରେ ପାର୍ଶ୍ୱଦେବତାଙ୍କର ଅନେକ ଛୋଟବଡ଼ ମନ୍ଦିର । ବ୍ରହ୍ମାଦ୍ରି ନିକଟରେ ପଦ୍ମାଦ୍ରି ପାହାଡ଼ । ସେଠାରେ ପୂଜିତ ମହାବୀର ହନୁମାନ । ଏହି ତୀର୍ଥରେ ଅନେକ ପର୍ବପର୍ବାଣିର ଆୟୋଜନ କରାଯାଇଥାଏ । ବିଶେଷ କରି ମାଘ ଶୁକ୍ଳ ଏକାଦଶୀଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ଆୟୋଜିତ ହେଉଥିବା ଶ୍ରୀଜୀଉଙ୍କର ମାଘୋତ୍ସବ ବା ମେଳା ହେଉଛି ଏସବୁ ମଧ୍ୟରେ ପ୍ରଧାନ । ପବିତ୍ର ମହାନଦୀରେ ସ୍ନାନ କରି ଶ୍ରୀଜୀଉଙ୍କୁ ଦର୍ଶନକଲେ ସକଳ ପ୍ରକାର ଯମଦଣ୍ଡରୁ ମୁକ୍ତି ମିଳେ । (ପ୍ରଭାକର ଶିରୋମଣି :–ସମାଜ :–୧୩.୩.୦୦୪ କଣ୍ଟିଲୋର ‘ଶ୍ରୀ ନୀଳମାଧବ’ ପ୍ରବନ୍ଧର ଆଧାରରେ) । ଗଡ଼ଜାତ ପରିଭ୍ରମଣରେ ବାହାରି କବିପୁତ୍ର ଶଶିଭୂଷଣ ରାୟ କଣ୍ଟିଲୋରେ ଉପସ୍ଥିତ ହୋଇ ଦୂରରୁ ନୀଳମାଧବ ମନ୍ଦିର ଦର୍ଶନ କରିଛନ୍ତି । ପ୍ରକୃତି ପ୍ରେମିକ ରାୟଙ୍କୁ ଦେବୀ ଦେବତା ପୀଠ ବିଶେଷ ଆକୃଷ୍ଟ କରିନାହିଁ । ମହାନଦୀ କୂଳରେ ଗୋଟିଏ ନାଚ୍ୟୁଚ୍ଚ ପାହାଡ଼ ଉପରେ ସ୍ଥିତ ନୀଳମାଧବଙ୍କର ପ୍ରାଚୀନ ମନ୍ଦିର କିନ୍ତୁ ତାଙ୍କୁ ମୁଗ୍ଧ କରିଛି-। ସେ ଲେଖିଛନ୍ତି, ‘‘Perched on a rock just on the Mahanadi and surrounded by several other temples with other walls this temple has a picturesque appearance, It is simply a work of admirable design to be found nowhere else even in Orissa which is famous for its temples and temple arts-’’ (Mahanadi Rambles :–Journal of B.S.E Orissa. April- june- 91 vol. 15. No.2)

 

ସିଂହନାଥ :–ମହାନଦୀ କୂଳରେ ବଡ଼ମ୍ବା ହେଉଛି ଏକ ପୂର୍ବତନ ଗଡ଼ଜାତ ରାଜ୍ୟ ଏହା ପ୍ରସିଦ୍ଧ ସିଂହନାଥ ଏବଂ ଭଟ୍ଟାରିକାଙ୍କ ମନ୍ଦିର ନିମନ୍ତେ । ଏହାଛଡ଼ା ଏଠାରେ ଆହୁରି ଅନେକ ଦେବୀ ଦେବତାଙ୍କ ପୀଠ ରହିଛି । ବଡ଼ମ୍ବା ନରସିଂହପୁର ରାସ୍ତାରେ ଚମ୍ପେଶ୍ୱର ନାମକ ଗ୍ରାମ ରହିଛି, ଯାହା ଇତିହାସ ଦୃଷ୍ଟିରୁ ବେଶ୍ ଗୁରୁତ୍ୱପୂର୍ଣ୍ଣ ମହାନଦୀ ଶଯ୍ୟାରେ ଅବସ୍ଥିତ ବାଣେଶ୍ୱର ନାସିରେ ସ୍ତୂପର ଧ୍ୱଂସାବଶେଷ, ଭଗ୍ନଇଷ୍ଟକ, ଶିବଲିଙ୍ଗ ଇତ୍ୟାଦି ଇତସ୍ତତଃ ବିକ୍ଷିପ୍ତ ହୋଇ ପଡ଼ିଥିବାର ଦେଖାଯାଏ । ଅନୁମାନ କରାଯାଏ ଯେ ମଧ୍ୟ ଯୁଗରେ ଏହା ଏକ ବିଶିଷ୍ଟ ବୌଦ୍ଧପୀଠ ଥିଲା । ବୁଦ୍ଧ ତଥା ପଦ୍ମପାଣି ଅବଲୋକିତେଶ୍ୱରଙ୍କର ମୂର୍ତ୍ତି ଏଠାରୁ ମିଳିଛି । ତାରାମୂର୍ତ୍ତି ମଧ୍ୟ ରହିଛି-। ଚମ୍ପାନାଥ-ଶିବ ହେଉଛନ୍ତି ଏହି ସ୍ଥାନର ଆରାଧ୍ୟ ଦେବତା । ଏହି ମନ୍ଦିରର ସ୍ଥାପତ୍ୟ କଳା ଉତ୍କଳୀୟ ସ୍ଥପତିମାନଙ୍କ କଳା ନୈପୁଣ୍ୟର ଏକ ଚମତ୍କାର ଦୃଷ୍ଟାନ୍ତ । ଦେବତାମାନଙ୍କ ମଧ୍ୟରେ ଏଠାରେ ଅଛନ୍ତି ଗଣେଶ (ପାଞ୍ଚଟି) କାର୍ତ୍ତିକେୟ (ଦୁଇଟି) ଉମାମହେଶ୍ୱର, ଆସ୍ତିକ ଜରତ୍ କାରୁ, କାଳୀ, ମଙ୍ଗଳା ଏବଂ ସୂର୍ଯ୍ୟ ପ୍ରଭୃତି । ସପ୍ତାଶ୍ୱ-ରଥ ବାହିତ ଅରୁଣ ସାରଥୀ ସୂର୍ଯ୍ୟଦେବ ଜଣାପଡ଼ୁଛନ୍ତି ଶକ୍ତି, ସାମର୍ଥ୍ୟ ଓ ଶୌର୍ଯ୍ୟର ପ୍ରତୀକ ଭଳି । ନବମ/ଦଶମ ଶତକରେ ଭୌମକରମାନଙ୍କ ସମୟରେ ଐରାବତମଣ୍ଡଳରେ ସାମନ୍ତରାଜା ଭାବରେ ରାଜତ୍ୱ କରୁଥିବା ନଳୋଦ୍‌ଭବବଂଶୀୟ ରାଜାମାନଙ୍କର ଅନେକ ତମ୍ବାପଟ୍ଟା ଅନୁଶାସନ ଏହି ଗ୍ରାମରୁ ମିଳିଛି ।

 

ମହାନଦୀର ବାମ କୂଳରେ ଅବସ୍ଥିତ ଗୋପୀନାଥପୁର ବଡ଼ମ୍ବା ତତହସିଲର ଅନ୍ତର୍ଗତ ଏବଂ ଏହା ବଡ଼ମ୍ବା ରାଜା ଗୋପୀନାଥ ମଙ୍ଗରାଜଙ୍କ ଦ୍ୱାରା ପ୍ରତିଷିତ ହୋଇଥିଲା । ଏହା ସିଂହନାଥଙ୍କ ପୀଠ ନିମନ୍ତେ ପ୍ରସିଦ୍ଧ । ଜନଶ୍ରୁତି ମତେ ରାମାୟଣର ନାୟକ ଶ୍ରୀରାମ ବନବାସ କାଳରେ ଏହି ଅଞ୍ଚଳରେ ରାମନାଥ ସିଂହନାଥ ଏବଂ ବୈଦ୍ୟନାଥ ନାମରେ ତିନୋଟି ଶିବଲିଙ୍ଗ ପ୍ରତିଷ୍ଠା କରିଥିଲେ । ମହାନଦୀର ଏକ ପଥୁରିଆ ଦ୍ୱୀପରେ ସିଂହନାଥଙ୍କ ପୀଠ ଅବସ୍ଥିତ । ଅନ୍ୟ ଦୁଇ ପୀଠ ମହାନଦୀର ଦକ୍ଷିଣ କୂଳରେ ରହିଛି । ସିଂହନାଥଙ୍କ ମନ୍ଦିର ବନମ ଶତାବ୍ଦୀର ଏବଂ ଏହା ତ୍ରିରଥ ରେଖ ଦେଉଳ ଶୈଳୀରେ ନିର୍ମିତ । ଏହାର ଜଗମୋହନ ସମତଳ ବିଶିଷ୍ଟ । ମନ୍ଦିର ବେଢ଼ାରେ ଜମ୍ବେଶ୍ୱର ଓ ଇଶାନେଶ୍ୱର ନାମରେ ଆଉ ଦୁଇ ଦେବତାଙ୍କ ମନ୍ଦିର ରହିଛି । ସିଂହନାଥ ଦେଉଳର ସ୍ଥାପତ୍ୟ ମନୋହର । ଏହି ପୀଠରେ ରାମାୟଣ, ମହାଭାରତ, ଶୈବ, ଶାକ୍ତ ଉପାସନାର ସ୍ଥାପତ୍ୟମାନ ରହିଛି । ଗଣେଶ, କାର୍ତ୍ତିକ, ଅର୍ଦ୍ଧନାରୀଶ୍ୱର, ହରିହର, ଗଙ୍ଗାଧର, ଏକପାଦ ଭୈରବ ପ୍ରଭୃତି ମଧ୍ୟ ଏଠାରେ ଅଛନ୍ତି । ଜଗମୋହନରେ ଅଛନ୍ତି, ବୀରଭଦ୍ର ମାହେଶ୍ୱରୀ, ବୈଷ୍ଣବ, ଇନ୍ଦ୍ରାଣୀ, ବ୍ରାହ୍ମୀ, କୌମାରୀ, ବାରାହୀ ଏବଂ ଚାମୁଣ୍ଡା ପ୍ରଭୃତି ମାତୃକାଗଣ । ପ୍ରବେଶ ଦ୍ୱାର ଉପରେ ରହିଛନ୍ତି ଅଷ୍ଟଗ୍ରହ- ଯାହା ଏହାର ପ୍ରାଚୀନତା ପ୍ରମାଣ କରେ ।

 

ବେଢ଼ା ବାହାରେ ରଘୁନାଥ ଏବଂ ଦକ୍ଷିଣକାଳୀଙ୍କ ମନ୍ଦିର ରହିଛି । ରଘୁନାଥ ମନ୍ଦିର ରାଜା ବଜ୍ରଧର ରାଉତ (୧୫୬୦-୧୫୮୪) ଏବଂ ଦକ୍ଷିଣକାଳୀ ମନ୍ଦିର ରାଜା ପଦ୍ମନାଭ ବୀରବର ମଙ୍ଗରାଜ ମହାପାତ୍ର (୧୭୪୮-୧୭୯୬)ଙ୍କ ଦ୍ୱାରା ନିର୍ମିତ ହୋଇଥିଲା । ଗୋପୀନାଥ ମଙ୍ଗରାଜ ‘ମହିମା ସାଗର’ ନାମକ ବିଗ୍ରହଙ୍କ ପାଇଁ ସେଠାରେ ଜଗନ୍ନାଥ ମନ୍ଦିର ନିର୍ମାଣ କରିଥିଲେ-

 

ଉଟ୍ଟାରିକା :–ମହାନଦୀ କୂଳରେ ସସାଙ୍ଗ ଗ୍ରାମ ବିଖ୍ୟାତ ଦେବୀ ଭଟ୍ଟାରିକାଙ୍କ ପୀଠ ନିମନ୍ତେ । ଏହା ବଡ଼ମ୍ବାଠାରୁ ପ୍ରାୟ ୧୦କି:ମି ଦୂର । ମହାନଦୀ ଏଠାରେ ବକ୍ରଗତି ହୋଇ ଅପୂର୍ବ ପ୍ରାକୃତିକ ଦୃଶ୍ୟ ସୃଷ୍ଟି କରିଛି ଏବଂ ତାହାର ଶଯ୍ୟା ବେଶ୍ ପ୍ରଶସ୍ତ ମଧ୍ୟ । ଆରକୂଳକୁ ଅନାଇଲେ ଦେଖାଯାଏ କଣ୍ଟିଲୋ ନୀଳମାଧବଙ୍କ ପୀଠ । ଏହି ସ୍ଥାନର ସମ୍ପର୍କ ପୁରାଣ ପୁରୁଷ ଚିରଜୀବୀ ପରଶୁରାମଙ୍କ ସହିତ ରହିଛି ବୋଲି କୁହାଯାଏ । ଏହିଠାରେ ହିଁ ଭଟ୍ଟାରିକାଙ୍କୁ ତପସ୍ୟାରେ ସନ୍ତୁଷ୍ଟ କରି ସେ ପୃଥିବୀକୁ ନିକ୍ଷତ୍ରିୟ କରିପାରିବାର ବର ପାଇଥିଲେ । ଭଟ୍ଟାରିକାଙ୍କର ଅନ୍ୟନାମ ହେଉଛି ‘ବୃହଦମ୍ବା’ (ବୃହତ୍+ଅମ୍ବା) ଅର୍ଥାତ୍ ବଡ଼ମାଆ । ‘ବଡ଼ମ୍ବା’ ନାମଟି ଏଇଥିରୁ ସୃଷ୍ଟି ହୋଇଛି ବୋଲି କୁହାଯାଇପାରେ । ଦେବୀଙ୍କ ପୀଠ ଚତୁର୍ଦ୍ଦଶ ଶତକରେ ରାଜା ମଲ୍ଲକେଶ୍ୱରଙ୍କ ଦ୍ୱାରା ନିର୍ମିତ ହୋଇଥିଲା । ଏହାର ଜଗମୋହନ ଅଂଶଟିକୁ ପୀଢ଼ ଶୈଳୀରେ ସପ୍ତଦଶ ଶତକରେ ରାଜା ବଳଭଦ୍ର ମଙ୍ଗରାଜ ନିର୍ମାଣ କରାଇଥିଲେ । ମନ୍ଦିରରୁ ନଦୀଗର୍ଭକୁ ଯିବା ପାଇଁ ପଥର ପାହାଚ ପଡ଼ିଛି । ସେସବୁକୁ ନିର୍ମାଣ କରାଇଥିଲେ ରାଜା ପିଣ୍ଡିକି ବୀରବର ମଙ୍ଗରାଜ ମହାପାତ୍ର । ମୂଳ ମନ୍ଦିରଟି ମଧ୍ୟ ପୀଢ଼ ଶୈଳୀର ଏବଂ ମୋଟା ଚୂନ ପ୍ରଲେପରେ ଆଚ୍ଛାଦିତ । ଦେବୀ ପାଦଛନ୍ଦି ଗୋଟିଏ ପଦ୍ମପୀଠ ଉପରେ ଆସୀନା- ବାମ ହାତରେ ପ୍ରସ୍ପୁଟିତ ପଦ୍ମ ଏବଂ ହାତରେ ବରଦମୁଦ୍ରା । ମନ୍ଦିରର ବାହାର କାନ୍ଥରେ ଗଣେଶ, କାର୍ତ୍ତିକ, ମହିଷ ମର୍ଦ୍ଦିନୀ ଦୁର୍ଗା ପ୍ରଭୃତି ପାର୍ଶ୍ୱଦେବତା ରହିଛନ୍ତି-। ଜଗମୋହନରେ ଅଛନ୍ତି ସୂର୍ଯ୍ୟ, କୁବେର ଏବଂ ଗଣେଶ । ଦେବୀଙ୍କୁ ବିରଜା କ୍ଷେତ୍ରର ଅଧିଷ୍ଠାତ୍ରୀ ଦ୍ୱିଭୁଜା ବିରଜାଙ୍କ ସହିତ ତୁଳନା କରାଯାଇପାରେ । ଦେବୀ ଦଶମହାବିଦ୍ୟାର ‘ତ୍ରିପୁରସୁନ୍ଦରୀ’ଙ୍କ ଭଳି ସମ୍ମାନିତା ଏବଂ ପ୍ରାର୍ଥନାରେ ତାଙ୍କୁ ‘ମାଆ ରାଜରାଜେଶ୍ୱରୀ’ ‘ମହାମାୟା’ ‘ତ୍ରିପୁରସୁନ୍ଦରୀ’ ‘ସିଦ୍ଧ ଭଟ୍ଟାରିକା’ ବୋଲି ସମ୍ବୋଧନ କରାଯାଏ । ମାତ୍ର ଗଠନ ରୀତିରେ ସେ ବୌଦ୍ଧଦେବୀ ତାରାଙ୍କ ସହ ତୁଳନୀୟା । ଯାହା ହେଲେ ମଧ୍ୟ ସେ ଯେ ଅଣ- ଆର୍ଯ୍ୟ ଦେବୀ ନୁହନ୍ତି ଏଥିରେ ସନ୍ଦେହ ନାହିଁ । ଅଞ୍ଚଳ ଲୋକେ ଭଟ୍ଟାରିକାଙ୍କ ପ୍ରତି ନିଜର ଅଚଳା ଭକ୍ତି ପ୍ରକାଶ କରିଥାନ୍ତି । ବାହାରେ ମଧ୍ୟ ଦେବୀଙ୍କର କମ୍ ପ୍ରତିପତ୍ତି ନାହିଁ ।

 

ଚର୍ଚ୍ଚିକା :–ମନ୍ଦିର ମହାନଦୀ କୂଳରେ ଏକ ରମଣୀୟ ପ୍ରାକୃତିକ ପରିବେଶରେ ଅବସ୍ଥିତ ଏବଂ ଏଠାରେ ବର୍ଷସାରା ଆନନ୍ଦଲୋଭୀ ମଣିଷର ମେଳା ଲାଗିଥାଏ । ବଣ ଭୋଜି ସହିତ ତୀର୍ଥ ଦର୍ଶନ ଓ ପୁଣ୍ୟ ଅର୍ଜନର ସୁଯୋଗ ପାଇଁ ଏଠାରେ ସେମାନେ ଭିଡ଼ କରନ୍ତି । ଦେବୀଙ୍କ ପୀଠରେ ଆମିଷ ପ୍ରବେଶ କରାଯାଉଥିବାରୁ ଏ ଦିଗରୁ ମଧ୍ୟ ସେମାନେ ବେଶ୍ ନିଶ୍ଚିନ୍ତ ଥାଆନ୍ତି । ପଣା ସଂକ୍ରାନ୍ତି, ଅକ୍ଷୟ ତୃତୀୟା, ଦେବୀ ସ୍ନାନୋତ୍ସବ, ଦୁର୍ଗାପୂଜା ଇତ୍ୟାଦି ହେଉଛି ଦେବୀଙ୍କର ପ୍ରଧାନ ପର୍ବ । ଦୁର୍ଗାପୂଜା ଏଠାରେ ଚାଲେ ଦଶଦିନଧରି । ଭଟ୍ଟାରିକା କେବଳ ବଡ଼ମ୍ବାରେ ନୁହନ୍ତି, ଓଡ଼ିଶାର ପ୍ରସିଦ୍ଧ ଦେବୀ । ଏଥର ମହାନଦୀ ଅବବାହିକାର ଶେଷ ଶକ୍ତିପୀଠ ଚର୍ଚ୍ଚିକାଙ୍କ ପ୍ରସଙ୍ଗ । ନଦୀତୀରରେ ଅବସ୍ଥିତ ବାଙ୍କି ଏକଦା ପ୍ରସିଦ୍ଧ ଥିଲା, ତାହାର ପ୍ରାକୃତିକ ସୌନ୍ଦର୍ଯ୍ୟ ନିମନ୍ତେ । ମାଳତୀ ପାହାଡ଼ ନିକଟରେ ବାଙ୍କି ରାଜାଙ୍କର ରାଜଧାନୀ ଥିଲା ଏବଂ ୧୮୩୯ରେ ରାଜା ଏକ ନରହତ୍ୟା ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇ ଦ୍ୱୀପାନ୍ତର ଦଣ୍ଡ ପାଇବାରୁ ରାଜ୍ୟ ଖାସ୍ ହୋଇଗଲା । ୧୮୮୨ରେ ଏହାକୁ କଟକ ଜିଲ୍ଲା ସହ ମିଶାଇ ଦିଆଗଲା । ଦେବୀ ଚର୍ଚ୍ଚିକାଙ୍କ ପାଇଁ ବାଙ୍କି ସାରାରାଜ୍ୟରେ ପ୍ରସିଦ୍ଧ ଏବଂ ରାଜ୍ୟର ଦେବୀ ମଣ୍ଡଳୀ ମଧ୍ୟରେ ଚର୍ଚ୍ଚିକାଙ୍କ ଏକ ସ୍ୱତନ୍ତ୍ର ସ୍ଥାନ ରହିଛି । ଏହି ପୀଠ ସହିତ ମଧ୍ୟ ପରଶୁରାମଙ୍କର ସମ୍ପର୍କ ରହିଛି । କୁହାଯାଏ ଯେ, ପିତାଙ୍କ ଆଦେଶରେ ମାତୃହତ୍ୟା କରିବା ପରେ ସେଇ ପାପରୁ ମୁକ୍ତିଲାଭ କରିବା ନିମନ୍ତେ ପରଶୁରାମ ଏହିପୀଠରେ ଦୀର୍ଘକାଳ ତପସ୍ୟା କରି ଶେଷରେ ପାପମୁକ୍ତ ହୋଇଥିଲେ । ସେହି କାଳରୁ ଏହି ପୀଠର ମହିମା ଚାରିଆଡ଼େ ପ୍ରଚାରିତ ହୋଇଛି । ଏହି ଭଳି ଏକ କାହାଣୀ ବ୍ରହ୍ମପୁତ୍ର ନଦୀର ଉତ୍ପତ୍ତି ସ୍ଥଳ ବ୍ରହ୍ମକୁଣ୍ଡର ପବିତ୍ରତା ସମ୍ପର୍କରେ ମଧ୍ୟ ପ୍ରଚାରିତ ହୋଇଛି । ଖୋଜିଲେ ଭାରତର ଅନ୍ୟ କେଉଁ ପ୍ରାନ୍ତରେ ମଧ୍ୟ ଆମେ ଏହାର ସନାତନ ରୂପ ଦେଖିପାରିବା । ଭାରତ ହେଉଛି ଉଦାର କଳ୍ପନାର ଦେଶ ।

 

ଯାହା ହେଉ, ବର୍ତ୍ତମାନ ଶୁଷ୍କ ରେଣୁକା ନଦୀ ତୀରରେ (ପ୍ରକୃତରେ ଏହା ମହାନଦୀରୁ ବାହାରି ଥିବା ଏକ ଯୋର, ଯାହା ମୁହାଣ ପୋତି ହୋଇଯିବାରୁ ଶୁଖିଯାଇଛି) ଏକ କ୍ଷୁଦ୍ର ମୁଣ୍ଡିଆ ଉପରେ ଦେବୀଙ୍କ ପୀଠ ରହିଛି । ପରଶୁରାମଙ୍କ ସହିତ ସମ୍ପର୍କ ଥିବାରୁ ଏହି ପୀଠକୁ ‘ପରଶୁରାମ ପୀଠ’ ବୋଲି ମଧ୍ୟ କୁହାଯାଏ ଏବଂ ତାଙ୍କର ମାତାଙ୍କ ନାମାନୁସାରେ ନଦୀର ନାମ ରେଣୁକା ରଖାଯାଇଛି । ଦେବୀଙ୍କ ମନ୍ଦିର ଧଳବଂଶର ଜଣେ ରାଜାଙ୍କ ଦ୍ୱାରା ନିର୍ମିତ । ମୂଳ ମନ୍ଦିରରେ ସେଭଳି କୌଣସି କଳାଗତ ବୈଶିଷ୍ଟ୍ୟ ନାହିଁ । ତେବେ ଏହାର ସମ୍ମୁଖସ୍ଥ ମଣ୍ଡପ ଉତ୍କଳୀୟ ଦାରୁଶିଳ୍ପୀର କଳାକୁଶଳତାର ଏକ ଅପୂର୍ବ ନିଦର୍ଶନ । ମଣ୍ଡପରେ ରାମାୟଣ, ମହାଭାରତର ଅନେକ ଆଖ୍ୟାନ ଚିତ୍ରିତ ହୋଇଛି । ତା ସହିତ ରହିଛି ପଶୁପକ୍ଷୀ, ବୃକ୍ଷଲତା, ପତ୍ରପୁଷ୍ପ ଇତ୍ୟାଦିର ବହୁ ସୁନ୍ଦର ଚିତ୍ର । ବିଶାଳକାୟ ସ୍ତମ୍ଭଦ୍ୱାରା ଏହାର ଛାତ ସୁରକ୍ଷିତ ହୋଇଛି । ଦେବୀ- ବିଗ୍ରହ ଜୀର୍ଣ୍ଣ ହୋଇଯିବାରୁ ବର୍ତ୍ତମାନ ତାକୁ ପଛରେ ରଖାଯାଇ ଆଗରେ ତାଙ୍କର ଏକ ପ୍ରତିରୂପ ରଖାଯାଇଛି । ଶବ ଆରୋହଣୀ ଏହି ଚାମୁଣ୍ଡା ନଗ୍ନିକା ଏବଂ ନର ଖର୍ପର ଧାରିଣୀ ଅଷ୍ଟଭୁଜା ଦେବୀ ଖଣ୍ଡା, ଖର୍ପର ତ୍ରିଶୁଳ, ସର୍ପ, ଗଦା, ରୁଦ୍ରାକ୍ଷମାଳ, ଡମ୍ବରୁ ପ୍ରଭୃତି ଆୟୁଧ ଧରି ଗୋଟିଏ ହାତରେ ଅଭୟ ମୁଦ୍ରା ପ୍ରଦର୍ଶନ କରୁଛନ୍ତି । ମନ୍ଦିର ବେଢ଼ାରେ ପଞ୍ଚମହାଦେବ, ଏବଂ ଶ୍ରୀମଙ୍ଗଳା ରହିଛନ୍ତି । ପଣାସଂକ୍ରାନ୍ତି, ଝାମୁଯାତ୍ରା, ଦୁର୍ଗାପୂଜା, କୁମାର ପୂର୍ଣ୍ଣିମା, ବାସନ୍ତୀ ପୂଜା ଏବଂ ଦୋଳଯାତ୍ରାଦି ଏହି ଶକ୍ତିପୀଠର ପ୍ରଧାନ ପର୍ବ । ତନ୍ତ୍ର ଦେବୀ ହୋଇଥିବାରୁ ଦେବୀ ଆମିଷାହାରୀ । ମୂର୍ତ୍ତିଗଠନ କଳା ଦୃଷ୍ଟିରୁ ସେ ଭୌମକରମାନଙ୍କ ସମସାମୟିକ ହୋଇପାରନ୍ତି ।

 

ସିଦ୍ଧେଶ୍ୱର:- ନରାଜ ହେଉଛି ମହାନଦୀ ତ୍ରିକୋଣଭୂମିର ଶୀର୍ଷ ବିନ୍ଦୁ ଏବଂ ଏକଦା ଏହାର ପ୍ରାକୃତିକ ଦୃଶ୍ୟ ଥିଲା ଅନବଦ୍ୟ । ଶିଳ୍ପ ସଂସ୍କୃତିର ପ୍ରସାର, ଲୋକ ସଂଖ୍ୟାର ଅହେତୁକ ବୃଦ୍ଧି ପ୍ରଭୃତି ବିଭିନ୍ନ କାରଣରୁ ଏହାର ଆକର୍ଷଣ ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଛି । ଏହିଠାରୁ ମହାନଦୀ ଦ୍ୱିଧା ବିଭକ୍ତ ହୋଇଛି । ଅରଣ୍ୟ ଏବଂ ପର୍ବତ ଏହାର ନୈସର୍ଗିକ ସୌନ୍ଦର୍ଯ୍ୟ ବୃଦ୍ଧିରେ ସହାୟକ । ମହାନଦୀର ଦକ୍ଷିଣ କୂଳରେ ଥିବା ପାହାଡ଼ ଉପରେ ରହିଛି ସିଦ୍ଧେଶ୍ୱର ମହାଦେବଙ୍କ ମନ୍ଦିର । ଗଠନ ଶୈଳୀ ଏବଂ ଆକୃତିରୁ ଜଣାଯାଉଛି ଯେ, ଏହା ପ୍ରଥମେ ଏକ ଗୁମ୍ଫା ଥିଲା ଏବଂ ପରେ ଏହାକୁ ମନ୍ଦିରର ରୂପ ଦିଆଯାଉଛି । ତେବେ ମନ୍ଦିର ନିର୍ମାଣର ଠିକ୍‌ ସମୟ ନିରୂପିତ ହୋଇନଥିଲେ ମଧ୍ୟ ଏହା ବେଶ୍‌ ପ୍ରାଚୀନ ଏବଂ ଉତ୍କଳୀୟ ‘ପଞ୍ଚରଥ’ ମନ୍ଦିର ନିର୍ମାଣ ଶୈଳୀରେ ନିର୍ମିତ । ଅତୀତରେ ଏହା ବୌଦ୍ଧଧର୍ମର ଏକ ପୀଠ ଥିଲା ବୋଲି କୁହାଯାଉଛି । ମାରଖମ୍‌ କିଟ୍ଟୋ (Markham Kittoe) ୧୮୩୭ ମସିହାରେ ନରାଜ ପରିଦର୍ଶନ କରି ସେ ଅଞ୍ଚଳରେ କୋଇଲା ଭଣ୍ଡାର ରହିଥିବା ବିଷୟରେ କୋଇଲା-କମିଟିର ସମ୍ପାଦକଙ୍କୁ ପତ୍ର ଲେଖନ୍ତି । ନରାଜର ଐତିହାସିକ ଗୁରୁତ୍ୱ ସମ୍ପର୍କରେ ସେ ଲେଖନ୍ତି ''The natives look on this curious rock as the work of Siva-under the denomination of Siddheswar to whom a temple of great antiquity is dedicated and situated at the top of the rock, the lower storey of it, as well as the enclosure or terraces are hewn out of the solid laterite rock on which there are (besides) several caves formerly in habited by the rishis (ascetics). The back rock is exported to pooree for the purpose of making the 'tilak' or frontal mark of the Hindus, and red, Yellow, Pink and C&C are used to paint the houses in the vicinity"

 

କପିଳେଶ୍ୱର :–ମହାନଦୀର ଶାଖା ବିରୂପା କୂଳରେ ଅବସ୍ଥିତ ଚୌଦ୍ୱାର, ଚୋଡ଼ଗଙ୍ଗ ପ୍ରତିଷ୍ଠିତ ପଞ୍ଚକଟକ ମଧ୍ୟରୁ ଅନ୍ୟତମ ଏବଂ ସୋମବଂଶୀୟ ଜନମେଜୟ ମହାଭବ ଗୁପ୍ତଙ୍କ ସମୟରୁ ଏହା ଖ୍ୟାତି ଲାଭ କରିଥିଲା । ଐତିହାସିକ ଗୁରୁତ୍ୱ ରହିଥିବା ସତ୍ତ୍ୱେ ଏହାର ତୀର୍ଥଗତ ପ୍ରାଧାନ୍ୟ ମଧ୍ୟ କିଛି କମ୍‌ ନୁହେଁ । ଅତୀତରେ ଏ ଅଞ୍ଚଳରେ ବହୁ ମନ୍ଦିର ରହିଥିଲା, ଯାହାର ଧ୍ୱଂସାବଶେଷ ଏବେ ମଧ୍ୟ ଦେଖିବାକୁ ମିଳୁଛି । କପିଳେଶ୍ୱର ମହାଦେବଙ୍କ ମନ୍ଦିରର ମୂର୍ତ୍ତି ଗଠନ କଳା ଦୃଷ୍ଟିରୁ ଏଠାରେ ଗଙ୍ଗ ସମୟର ଏକ ମନ୍ଦିର ପୂର୍ବରୁ ରହିଥିଲା ବୋଲି ଜଣାଯାଏ । ବୈଦ୍ୟେଶ୍ୱର ମନ୍ଦିରରେ ସୋମବଂଶୀ ରାଜତ୍ୱ କାଳରୁ ବହୁ ଭଗ୍ନ ସ୍ଥାପତ୍ୟ ବିଦ୍ୟମାନ । ଐତିହାସିକ ରମାପ୍ରସାଦ ଚନ୍ଦ ଏବଂ ପରମାନନ୍ଦ ଆଚାର୍ଯ୍ୟ ଏ ଅଞ୍ଚଳରେ ବହୁ ବୌଦ୍ଧ ଭାସ୍କର୍ଯ୍ୟର ସନ୍ଧାନ ପାଇଥିଲେ । ଏଠାରେ ବ୍ରୋଞ୍ଜ ନିର୍ମି‌ତ ବୁଦ୍ଧ ଏବଂ ପ୍ରଜ୍ଞାପାରମିତା ମୂର୍ତ୍ତିର ସନ୍ଧାନ ମିଳିଥିଲା । ବୈଷ୍ଣବ ମନ୍ଦିରରେ ମଧ୍ୟ ଖଦିର ବରଣୀ ତାରା ଓ ବଜ୍ରବାରାହୀଙ୍କ ମୂର୍ତ୍ତି ବିଦ୍ୟମାନ ଥିଲା । ଅବଲୋକିତେଶ୍ୱରଙ୍କ ମୂର୍ତ୍ତି ଏକଦା ବୌଦ୍ଧ ଅଧ୍ୟୁଷିତ ଥିବାର ପ୍ରମାଣ ଦେଉଛି । କେବଳ ସେତିକି ନୁହେଁ, ଏଠାରୁ ବହୁ ବୌଦ୍ଧ, ଜୈନ ଏବଂ ବ୍ରାହ୍ମଣ୍ୟ ମୂର୍ତ୍ତି ସଂଗ୍ରହୀତ ହୋଇ ଗୋଟିଏ ଶିବ ମନ୍ଦିରରେ ରଖାଯାଉଛି । ଏଥିରୁ ଏହାହିଁ ପ୍ରତିପାଦିତ ହେଉଛି ଯେ, ବିଭିନ୍ନ ସମୟରେ ଏ ଅଞ୍ଚଳରେ ଧର୍ମର ଭିନ୍ନ ଭିନ୍ନ ସ୍ରୋତ ବହୁଥିଲା ଏବଂ ଅତୀତରେ ଏହା ଏକ ତୀର୍ଥ ସ୍ଥାନ ମଧ୍ୟ ଥିଲା ।

 

ଧବଳେଶ୍ୱର :–କଟକରେ ମହାନଦୀର ଚହଟା ଘାଟରୁ ମାତ୍ର ୫ କି:ମି ଦୂରରେ ମହାନଦୀ ପଠାରେ ରହିଛି ପ୍ରାଚୀନ ଶୈବପୀଠ ଧବଳେଶ୍ୱର । ପଠାର କ୍ଷେତ୍ରଫଳ ହେଉଛି ୪୬ ଏକର ଏବଂ ପଠାଟି ବୁଦାଳିଆ ଜଙ୍ଗଲ ପୂର୍ଣ୍ଣ । ମହାନଦୀର ଗଭୀର ଜଳଦ୍ୱାରା ବେଷ୍ଟିତ ଏହି ପଠାର ଏକ ନୈସର୍ଗିକ ଆକର୍ଷଣ ରହିଛି । ପଦ୍ମପୁରାଣ ତଥା ଲିଙ୍ଗ ପୁରାଣରେ ଏହି ତୀର୍ଥର ଉଲ୍ଲେଖ ରହିଛି । ପଦ୍ମପୁରାଣ ବର୍ଣ୍ଣନା ଅନୁସାରେ ନମୁଚି ଦୈତ୍ୟକୁ ବଧ କରିସାରିବା ପରେ ଇନ୍ଦ୍ରଙ୍କୁ ଗୁରୁତର ବ୍ରହ୍ମହତ୍ୟା ପାପ ଲାଗିଲା । କାରଣ ନମୁଚି ଜଣେ ବ୍ରାହ୍ମଣ ଥିଲେ । ଏହି ସ୍ଥାନରେ ସ୍ନାନ କରି ସେ ପାପମୁକ୍ତ ହୋଇଥିଲେ ଏବଂ ଏହାର ପବିତ୍ରତା ହେତୁ ଏଠାରେ ଏକ ଶିବଲିଙ୍ଗ ସ୍ଥାପନ କରିଥିଲେ । ସେ ହେଉଛନ୍ତି ଧବଳେଶ୍ୱର । ଭାରତର ଅଧିକାଂଶ ତୀର୍ଥ ସମ୍ପର୍କରେ ଏହିଭଳି ବିବରଣୀମାନ ରହିଛି । ତେବେ ଲୋକମୁଖରେ ଏକ ବ୍ରାହ୍ମଣ ଜଣେ ଧନୀ ବ୍ୟକ୍ତିର କଳା ବଳଦଟିଏ ଚୋରି କରିନେଇ ପଳାଉଥିଲା । ଧନୀ କୌଣସି ମତେ ଏହା ଜାଣିପାରି ଚୋରକୁ ଅନୁଧାବନ କରିବାରୁ ଚୋର ଏ ବିପଦରୁ ଉଦ୍ଧାର କରିବା ନିମନ୍ତେ ଆର୍ତ୍ତ କଣ୍ଠରେ ଧବଳେଶ୍ୱରଙ୍କୁ ଡାକ ପକାଇଲା । ଦେବତା ସ୍ୱ ମହିମାରେ କଳାବଳଦକୁ ଧଳା କରିଦେବାରୁ ଚୋର ରକ୍ଷା ପାଇଯାଇଥିଲା ଏବଂ ଧନୀ ଅପ୍ରସ୍ତୁତ ହୋଇ ଫେରିଯାଇଥିଲା । ସେଇ ଦିନରୁ ଦେବତା ଧବଳେଶ୍ୱର ନାମରେ ଖ୍ୟାତ ହେଲେ । ଧବଳେଶ୍ୱର ଜଣାଣରେ ସେହି ସ୍ମୃତି କୀର୍ତ୍ତିତ ହୋଇଛି ‘କଳା ବଳଦକୁ ଧଳା କରିଲ ହେ, ଧବଳେଶ୍ୱର’ ପ୍ରଭୃତି ପଂକ୍ତିରେ ।

 

ଜନଶ୍ରୁତିର ଅନ୍ତ ନାହିଁ । ଆଉ ଏକ କାହାଣୀ ଅନୁସାରେ ସ୍ଥାନଟି ଧବଳମାଳତୀ ପୁଷ୍ପରେ ଆକୀର୍ଣ୍ଣ ହୋଇଥିବାରୁ ଏବଂ ପ୍ରତିଦିନ ଏକ ଧବଳବର୍ଣ୍ଣର ଗାଭୀ ଗୋଟିଏ ନିର୍ଦ୍ଦିଷ୍ଟ ସ୍ଥାନରେ ଠିଆ ହୋଇ ପହ୍ନାରୁ ସ୍ୱତଃ ନିଃସୃତ କ୍ଷୀରରେ ସେହି ସ୍ଥାନଟିକୁ ଆର୍ଦ୍ର କରୁଥିବାରୁ କ୍ରମେ ଏହି ଅଲୌକିକ ବିବରଣୀ ଲୋକ ମୁଖରେ ପ୍ରଚାରିତ ହେଲା । ଗଜପତି ଏହା ଶୁଣି ସେଇ ସ୍ଥାନଟିକୁ ଖୋଳାଇବାରୁ ଭିତରୁ ଏକ ଶିବଲିଙ୍ଗ ବାହାରିଲେ । ଗଜପତି ତାଙ୍କୁ ଧବଳେଶ୍ୱର ନାମରେ ନାମିତ କରାଇ ତାଙ୍କର ସେବା ପୂଜାର ବ୍ୟବସ୍ଥା କରି ଦେଇଥିଲେ । ଶେଷ କାହାଣୀଟି ପ୍ରସ୍ତୁତ କରାଯାଇଛି ଗଜପତି ପୁରୁଷୋତ୍ତମ ଦେବଙ୍କୁ କେନ୍ଦ୍ର କରି । ସେ ହିଁ କାଞ୍ଚିରାଜକନ୍ୟା ସ୍ୱମହିଷୀ ପଦ୍ମାବତୀଙ୍କର ଶିବପୂଜା ନିମନ୍ତେ ଏହି ଛବିଳ ଦ୍ୱୀପରେ ମନ୍ଦିର ନିର୍ମାଣ କରି ଦେବତାଙ୍କ ସେବା ପୂଜାର ବ୍ୟବସ୍ଥା କରିଥିଲେ ବୋଲି କୁହାଯାଇଛି ।

 

ତେବେ ଇତିହାସରୁ ଜଣାଯାଏ ଯେ, ମନ୍ଦିରଟି ଆଠଗଡ଼ରାଜାଙ୍କ ଦ୍ୱାରା ନିର୍ମିତ ହୋଇଥିଲା । ବର୍ତ୍ତମାନର ମନ୍ଦିର ଦ୍ୱୀପର ପଶ୍ଚିମାଂଶରେ ରହିଛି ଏବଂ ଏହାର ସଂସ୍କାର କରାଯାଇଛି । ମରହଟ୍ଟା ଶାସନ କାଳରେ ଏହି କାର୍ଯ୍ୟ ଆଠଗଡ଼ ରାଜାଙ୍କ ଦ୍ୱାରା ହୋଇଥିଲା । ମନ୍ଦିରର ବିମାନ ଅଂଶ ପଞ୍ଚରଥରେଖ ଶୈଳୀରେ ତଥା ସମ୍ମୁଖସ୍ଥ ଜଗମୋହନ ପିରାମିଡ଼ ଆକୃତିରେ ନିର୍ମିତ । ଗର୍ଭଗୃହରେ ଶିବଲିଙ୍ଗ ଭୂସ୍ତରର ବହୁ ନିମ୍ନରେ ଅଧିଷ୍ଠିତ । ତେଣୁ ବିମାନ ଓ ଜଗମୋହନର ବହୁ ଅଂଶ ମାଟିତଳେ ପୋତି ହୋଇ ରହିଛି । ଦେବତାଙ୍କ ପାଖରେ ପହଞ୍ଚିବାକୁ ହେଲେ ଗୁଡ଼ିଏ ପାହାଚ ଓହ୍ଲାଇବାକୁ ପଡ଼େ । ପକ୍ଷୀମାନଙ୍କ ଅତ୍ୟାଚାରରୁ ଦେବତାଙ୍କ ସୁରକ୍ଷା ଦେବା ପାଇଁ ତାଙ୍କ ଉପରେ ଏକ ଦାରୁମଣ୍ଡପ ନିର୍ମାଣ କରା ହୋଇଛି । ବିମାନ ଓ ଜଗମୋହନର ବାହାର କାନ୍ଥରେ ଜଗସିଂହ, ଗଜବିଡ଼ାଳ, ନୃତ୍ୟରତ ଦମ୍ପତି ଏବଂ ମିଥୁନ ମୂର୍ତ୍ତି ସବୁ ରହିଛି । ଏହି ଦ୍ୱୀପରୁ ଷଡ଼ବାହୁ, ତ୍ରିମସ୍ତକଧାରୀ କାର୍ତ୍ତିକେୟଙ୍କର ଯେଉଁ ବିଗ୍ରହ ଆବିଷ୍କୃତ ହୋଇଛି ତାହା ସୋମବଂଶୀୟ ସ୍ଥାପତ୍ୟ କଳାର ଏକ ଉତ୍କୃଷ୍ଟ ନମୁନା ଏବଂ ଏହି ତୀର୍ଥର ପ୍ରାଚୀନତା ମଧ୍ୟ ପ୍ରମାଣ କରୁଛି । କାର୍ତ୍ତିକମାସ ବଡ଼ଓଷା ଦିନ ଏହି ପୀଠରେ ଏକ ବିରାଟ ମେଳା ହୁଏ ଏବଂ ବହୁ ଜନସମାଗମ ହୁଏ । ତାହାଛଡ଼ା ଏଠାରେ ମକର ସଂକ୍ରାନ୍ତି, ଶିବରାତ୍ରି ଏବଂ ଶୀତଳଷଷ୍ଠୀ ପ୍ରଭୃତି ପର୍ବ ମଧ୍ୟ ଆଡ଼ମ୍ବରରେ ପାଳିତ ହୁଏ । କବିରାଧାନାଥ ଏହି ସ୍ଥାନର ନୈସର୍ଗିକ ସୌନ୍ଦର୍ଯ୍ୟରେ ମୁଗ୍ଧ ହୋଇ ଏଠାରେ ‘ନିଭୃତ ନିଳୟ’ ନାମକ ଏକ କ୍ଷୁଦ୍ର ଆବାସ ନିର୍ମାଣ କରିଥିଲେ ଏବଂ ବର୍ଷର କିଛି ଦିନ ଏଠାରେ କଟାଉଥିଲେ । ବର୍ତ୍ତମାନ ମୃତ୍ତିକା ସଂରକ୍ଷଣ ବିଭାଗ ଏହି ସ୍ଥାନର ଉନ୍ନତି ନିମନ୍ତେ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି ।

 

ଉପସଂହାର :–ମହାନଦୀ ଅବବାହିକା ଏବଂ ତ୍ରିକୋଣ ଭୂମିର କେତୋଟି ପ୍ରସିଦ୍ଧ ତୀର୍ଥ ସମ୍ପର୍କରେ ଏଠାରେ ସୂଚନା ଦିଆଗଲା । ମହାନଦୀ ପୁରାଣ ବର୍ଣ୍ଣନା ମତେ ସ୍ୱୟଂ ଦେବଅଂଶୀ । ଏହାଙ୍କର ଜଳରେ ପାପନାଶିନୀ ଶକ୍ତି ରହିଛି । ପୁରାଣର ଇନ୍ଦ୍ର, ପରଶୁରାମ ଏବଂ ଇତିହାସର ଅନଙ୍ଗଭୀମ ପ୍ରଭୃତି ଏହାର ଜଳରେ ସ୍ନାନ କରି କଳ୍ମୁଷମୁକ୍ତ ହୋଇଛନ୍ତି । ଏହାର ଦୁଇ ତୀର ଦେବୀ ଦେବତାଙ୍କ ବିହାରସ୍ଥଳୀ ରୂପରେ ଖ୍ୟାତ ହୋଇଛି । ସମ୍ବଲପୁରଠାରୁ ଆରମ୍ଭ କରି ପାରାଦୀପ ପର୍ଯ୍ୟନ୍ତ ଦୀର୍ଘ ୪୯୪ କି:ମି ଦୀର୍ଘ ଗତିପଥରେ ଅଗଣିତ ଦେବୀଦେବତାଙ୍କ ଆସ୍ଥାନ ରହିଛି । ତହିଁରୁ ଉତ୍କଳ ଖଣ୍ଡର ଆଧ୍ୟାତ୍ମିକ ବିବର୍ତ୍ତନର ଏକ ଚିତ୍ର ମଧ୍ୟ ଉପଲବ୍ଧ ହୁଏ । ଆଦିବାସୀ ଅଧ୍ୟୁଷିତ କୋଶଳ ରାଜ୍ୟରେ ଆର୍ଯ୍ୟ ତଥା ଅଣ-ଆର୍ଯ୍ୟଗୋଷ୍ଠୀ ମଧ୍ୟରେ ଅନ୍ତରଙ୍ଗ ଯୋଗାଯୋଗ ସ୍ଥାପିତ ହେବା ତଥା ଆଦିବାସୀମାନଙ୍କୁ ଆର୍ଯ୍ୟମାନେ ପରାସ୍ତ କରିବା ପରେ ସେମାନଙ୍କୁ ସନ୍ତୁଷ୍ଟ କରିବାପାଇଁ ସେମାନଙ୍କ ଦାରୁ ଉପାସନା, ଶକ୍ତି ଉପାସନା ତଥା ଲିଙ୍ଗ ଉପାସନା ପ୍ରଭୃତିକୁ ଗ୍ରହଣ କରି ନେଇଥିଲା । ସମଲାଈ ହେଉଛନ୍ତି ଏହାର ଏକ ଦୃଷ୍ଟାନ୍ତ । ସେହିଭଳି ଶୈବ ଧର୍ମ ମଧ୍ୟ ସେ ଅଞ୍ଚଳରେ ବେଶ୍ ଲୋକପ୍ରିୟ ହୋଇଥିଲା । ସମ୍ବଲପୁରଠାରୁ ଆରମ୍ଭ କରି ସୋନପୁର ବୌଦ ପର୍ଯ୍ୟନ୍ତ ଶିବଉପାସନାର ଯେଉଁ ବଳିଷ୍ଠ ପରମ୍ପରା ସୃଷ୍ଟି ହୋଇଥିଲା, ଏବେ ମଧ୍ୟ ତାହାର ପ୍ରମାଣ ଉପଲବ୍ଧ ହେଉଛି । ସେହିଭଳି ବୌଦ ଅଞ୍ଚଳରେ ଏକଦା ବୌଦ୍ଧଧର୍ମ ବିଶେଷ ଲୋକପ୍ରିୟ ହୋଇଥିଲା । ଏବେ ବି ତା’ର ଚିହ୍ନମାନ ସମ୍ପୂର୍ଣ୍ଣ ରୂପେ ଅପସୃତ ହୋଇ ନାହିଁ । ଊନବିଂଶ ଶତକର ଶେଷପାଦରେ କବିବର ରାଧାନାଥଙ୍କ ପୁତ୍ର ଶଶିଭୂଷଣ ଗଡ଼ଜାତ ଭ୍ରମଣରେ ଯାଇ ବୌଦ ଅଞ୍ଚଳରେ ଶାକ୍ୟ ସିଂହ ନାମକ ଏକ ଗ୍ରାମ ଦେଖିଥିଲେ ଏବଂ ଗୌତମ ସେ ଅଞ୍ଚଳକୁ ପ୍ରଚାରରେ ଆସି ସେଇ ଗ୍ରାମରେ ରାତ୍ରିବାସ କରିଥିଲେ ବୋଲି ମଧ୍ୟ ଶୁଣିଥିଲେ । ଆମେ ଏ ପ୍ରସଙ୍ଗ ଯଥା ସ୍ଥାନରେ ସୂଚାଇବୁ । ଏଠାରେ କେବଳ ଏତିକି କୁହାଯାଇପାରେ ଯେ, ଗୋଟିଏ ସମୟରେ ବୌଦ୍ଧଧର୍ମ ସେ ଅଞ୍ଚଳରେ ଖୁବ୍‌ ଲୋକପ୍ରିୟ ଥିଲା ।

 

ମହାନଦୀ ଅବବାହିକାରେ ଧର୍ମ ସମନ୍ୱୟର ଉଦ୍ୟମ ଆରମ୍ଭ ହୋଇଥିଲା, ଚୌହାନ ରାଜତ୍ୱ କାଳରୁ ସକ୍ରିୟ ଭାବରେ । ତା’ ପୂର୍ବରୁ ମଧ୍ୟ ଏହି ପ୍ରଚେଷ୍ଟା ଆରମ୍ଭ ହୋଇସାରିଥିଲା । ହରିହରଙ୍କୁ ଗୋଟିଏ ପୀଠରେ ସ୍ଥାପନ କରି ପ୍ରଶାସକମାନେ ଶୈବ ଓ ବୈଷ୍ଣବ ଧର୍ମ ମଧ୍ୟରେ ସୌହାର୍ଦ୍ଦ୍ୟ ସ୍ଥାପନ କରିବାକୁ ଉଦ୍ୟମ କରିଥିଲେ । ଉପକୂଳରେ ଏହି ଉଦ୍ୟମ ଆରମ୍ଭ ହୋଇଥିଲା ଗଙ୍ଗରାଜତ୍ୱ କାଳରୁ । ଶୈବପୀଠ ଏକ୍ରାମରେ ହରିହରଙ୍କର ଯୁଗ୍ମ ଉପାସନା ହେଉଛି ଏହାର ପ୍ରମାଣ । ଉତ୍କଳୀୟମାନେ ବହୁ ଦେବତା ବାଦର ସମର୍ଥକ ଥିଲେ । ତେତିଶ କୋଟି ଦେବାଦେବୀ ସମସ୍ତଙ୍କୁ ସନ୍ତୁଷ୍ଟ କରିବା ହୋଇପଡ଼ିଥିଲା ସେମାନଙ୍କ ଆଧ୍ୟତ୍ମିକ ଦର୍ଶନ ।

 

ମୈତ୍ରୀଦେବ ଶ୍ରୀ ଜଗନ୍ନାଥ ଓଡ଼ିଆ ଜାତିର ତ୍ରାଣକର୍ତ୍ତା ରୂପେ ଆବିର୍ଭୁତ ହୋଇଥିଲେ ଗଙ୍ଗମାନଙ୍କ ରାଜତ୍ୱ କାଳରୁ, ଯଦିଓ ସେମାନଙ୍କ ପୂର୍ବରୁ ମଧ୍ୟ ସେ ଥିଲେ । ବହୁ ଉତ୍ଥାନ ପତନ ମଧ୍ୟରେ ଗତିକରି ଏହି ଶବର ଦେବତା ଶେଷରେ ଆର୍ଯ୍ୟ ଜାତିର ହୋଇଯାଇଥିଲେ ଏବଂ ଅରଣ୍ୟ ବାସ ତ୍ୟାଗକରି ବିଶାଳ ପ୍ରାସାଦରେ ବିପୁଳ ରାଜକୀୟ ଆଡମ୍ବରେ ବସବାସ କରୁଥିଲେ । ତାଙ୍କଠାରେ ଭାରତର ଅଧିକାଂଶ ପ୍ରମୁଖ ଧର୍ମ ସମନ୍ୱିତ ହୋଇ ଯାଇଥିଲେ । ଜଗନ୍ନାଥ ଧର୍ମର ଏହି ସମନ୍ୱୟ ଭାବନା ଅବବାହିକାକୁ ମଧ୍ୟ ପ୍ରଭାବିତ କରିବାକୁ ଆରମ୍ଭ କରିଥିଲା । ଇତିହାସରୁ ତାହାର ପ୍ରମାଣ ମିଳେ । ଶେଷରେ ରହିଲା ତନ୍ତ୍ର ବିଦ୍ୟା । ବୌଦ୍ଧ ଧର୍ମର ବିଲୟ କାଳରେ ଏହାର ଏକ ଶାଖା ଏଠାରେ ସକ୍ରିୟ ହୋଇ ଉଠିଥିଲା । ତନ୍ତ୍ରବିଦ୍ୟାର ଗୋଟିଏ ନାମ ହେଉଛି ଶାବର ବିଦ୍ୟା । ଅନୁମାନ କରାଯାଏ ଯେ, ଆଦିବାସୀମାନେ, ଏଥିରେ ପ୍ରବୀଣ ଥିଲେ । ଏ ବିଦ୍ୟାର ମଧ୍ୟ ପ୍ରଚାର ହୋଇଥିଲା । ଗଡ଼ଜାତର କେତେକ ତାନ୍ତ୍ରିକ ଦେବୀ ହେଉଛନ୍ତି ଏହାର ଦୃଷ୍ଟାନ୍ତ ।

Image

 

Unknown

ଷଷ୍ଠ ଅଧ୍ୟାୟ

ଐତିହାସିକ ଏ ରାଜ୍ୟ

 

ମହାନଦୀ କୂଳରେ ଯେତେ ଗୁଡ଼ିଏ ନଗର / ସହର ବା ଦର୍ଶନୀୟ ସ୍ଥାନ ରହିଛି, ପ୍ରତ୍ୟେକର କିଛି ନା କିଛି ଐିତିହାସିକ ଗୁରୁତ୍ୱ ରହିଛି । ସମ୍ବଲପୁରଠାରୁ ପାରାଦୀପ ଯାଏ, ଯେତେକ ପ୍ରସିଦ୍ଧ ସ୍ଥାନ ରହିଛି, କେଉଁଠି ବାଣିଜ୍ୟ ବ୍ୟବସାୟର ପେଣ୍ଠ ରହିଛି ତ ଆଉ କେଉଁଠି ପ୍ରାଚୀନ କୀର୍ତ୍ତି ରହିଛି । କିଏ ଅବା ପ୍ରସିଦ୍ଧ ତାହାର ପ୍ରାକୃତିକ ସୌନ୍ଦର୍ଯ୍ୟ ନିମନ୍ତେ । ସେହିଭଳି କେତୋଟି ପ୍ରସିଦ୍ଧ ସ୍ଥାନ ସମ୍ପର୍କରେ ଏହି ଅଧ୍ୟାୟରେ ଆଲୋଚନା କରାଯିବ ।

 

ସମ୍ବଲପୁରକୁ ଛାଡ଼ିଦେଲେ ପଶ୍ଚିମ ଓଡ଼ିଶାର ଯେଉଁ ପ୍ରାଚୀନ ସହରଟି ପ୍ରଥମେ ମନକୁ ଟାଣେ, ତାହା ହେଉଛି ସୋନପୁର । ଏହା ହେଉଛି ଏକ ପ୍ରାଚୀନ ଗଡ଼ଜାତ ରାଜ୍ୟ ଏବଂ ଏହା ଏକ ପ୍ରାଚୀନ ରାଜବଂଶ ଦ୍ୱାରା ଶାସିତ ହେଉଥିଲା । ସହରଟି ମନ୍ଦିରମାଳିନୀ ଏବଂ ଏବେ ମଧ୍ୟ ଆଧୁନିକ ସହର ସୋନପୁର, ସନ୍ଧ୍ୟା ସମବେତ ଘଣ୍ଟଘଣ୍ଟାଶଙ୍ଖ ମହୁରୀର ଐକ୍ୟତାନ ଦ୍ୱାରା ଶ୍ରୋତାମନରେ ଏକ ଅପୂର୍ବ ଭାବ ସୃଷ୍ଟି କରିଥାଏ । ବଲାଙ୍ଗୀରଠାରୁ ୫୦ କିମି ଉତ୍ତର ପୂର୍ବ ଦିଗରେ ମହାନଦୀ ଏ ତେଲ ନଦୀର ସଂଗମ ସ୍ଥଳରେ ଏହି ସହରଟି ଅବସ୍ଥିତ । ସପ୍ତଦଶ ଶତକରେ ରଚିତ କୋଶଳାନନ୍ଦ କାବ୍ୟରେ ଏହାକୁ ଦ୍ୱିତୀୟ ବାରାଣାସୀ ବୋଲି କୁହାଯାଇଛି । ଏଠାରୁ ଖ୍ରୀ:ପୂ: ଚତୁର୍ଥ ଶତକରେ ରୌପ୍ୟ ମୁଦ୍ରା କାଳାଚୁରୀ ସୁବର୍ଣ୍ଣ ମୁଦ୍ରା ଏବଂ ଗଙ୍ଗକାଳୀନ ସୁବର୍ଣ୍ଣ ମୁଦ୍ରାମାନ ଆବିଷ୍କୃତ ହୋଇଛି । ସୁବର୍ଣ୍ଣପୁର କାଳକ୍ରମେ ଲୋକ ମୁଖରେ ସୋନପୁର ନାମରେ ପରିଚିତ ହୋଇଛି । ସୋମବଂଶୀ ରାଜାମାନଙ୍କ ରାଜତ୍ୱ କାଳରେ ଏହା ଦକ୍ଷିଣ କୋଶଳର ରାଜଧାନୀ ଥିଲା ଏବଂ ତେଲେଗୁ ଚୋଳମାନଙ୍କ ସମୟରେ ଏହାକୁ ପଶ୍ଚିମ ଲଙ୍କା କୁହାଯାଉଥିଲା ।

 

ସୋନପୁର :–ନିକଟ ଅତୀତରେ ଏହି ସହର ପ୍ରତି ବିପଦ ସୃଷ୍ଟି ହୋଇ ସେହି ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଗଲା । ଫଳରେ ଏଠାର ବୁଦ୍ଧିଜୀବୀ ଓ ବିତ୍ତଶାଳୀ ଲୋକ ସୋନପୁର ଛାଡ଼ି ଅନ୍ୟତ୍ର ବସବାସ କରିବାକୁ ଚାଲିଯାଇଥିଲେ ଏବଂ ସେମାନଙ୍କ ମଧ୍ୟରୁ ଅଧିକାଂଶ ଏ ପର୍ଯ୍ୟନ୍ତ ମଧ୍ୟ ଫେରି ନାହାନ୍ତି । ଘଟଣାଟି ଘଟିଥିଲା ଏହିଭଳି । ମହାନଦୀର ହୀରାକୁଦ ବନ୍ଧ ବନ୍ୟା ନିୟନ୍ତ୍ରଣରେ ସଫଳ ନ ହେବାରୁ ଟିକରପଡ଼ାଠାରେ ଦ୍ୱିତୀୟ ଏକ ବନ୍ଧ ନିର୍ମାଣ କରାଯିବା ସ୍ଥିର ହେଲା । ଏହାକୁ କୁହାଗଲା ଟିକରପଡ଼ା ଏବଂ ମଣିଭଦ୍ରା ବନ୍ଧ । ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଏହାର ଶିଳାନ୍ୟାସ କରିଥିଲେ ।

 

୧୯୫୫ ମସିହାରେ ଯେଉଁ ପ୍ରଚଣ୍ଡ ବନ୍ୟା ହୋଇ ଓଡ଼ିଶାର ପ୍ରଚୁର କ୍ଷୟକ୍ଷତି ଘଟାଇଲା ତାହା ସବୁ ଦିନ ପାଇଁ ଦୂର କରିବାର ଏକ ସଂକଳ୍ପ ନେଇ ଟିକରପଡ଼ା ବନ୍ଧ ଯୋଜନା କରାଯାଇଥିଲା । ସେହିଭଳି ୧୯୮୨ର ବନ୍ୟା ପାଇଁ ମଣିଭଦ୍ରା ବନ୍ଧଯୋଜନାର ପରିକଳ୍ପନା କରାଯାଇଥିଲା । ବନ୍ଧ ନିର୍ମିତ ହୋଇଥିଲେ ଆଠମଲ୍ଳିକ, ବୌଦ ସମେତ ସୋନପୁର ସହର ଜଳମଗ୍ନ ହୋଇ ଯାଇଥାନ୍ତା । ଆଶଙ୍କାରେ ସେ ସମୟରେ ଅନାଗତ ବିଧାତା ବୁଦ୍ଧିଜୀବି ଏବଂ ଧନଶାଳୀ ବ୍ୟକ୍ତିମାନେ ସୋନପୁର ଛାଡ଼ି ଅନ୍ୟତ୍ର ଉଠିଗଲେ । ମାତ୍ର ଏ ଭିତରେ ରାଜନୀତିର ପଶା ପାଲି ଓଲଟିଯିବା ଫଳରେ ନିମଜ୍ଜମାନ ସୋନପୁର ପରିଣତ ହୋଇଛି ଏକ ଜିଲ୍ଲାରେ । ୧୯୯୩ ମସିହା ଏପ୍ରିଲ୍‌ ୧ରେ ସୋନପୁର ଏକ ସ୍ୱତନ୍ତ୍ର ଜିଲ୍ଲାର ମାନ୍ୟତା ପାଇଲା । ୧୯୬୨ ମସିହାରେ ଟିକରପଡ଼ା ବନ୍ଧ ଯୋଜନାର ପ୍ରସ୍ତାବ ଦେଇଥିଲେ ବିଜୁ ପଟ୍ଟନାୟକ । ଭାଗ୍ୟର ବିଡ଼ମ୍ବନା ଏହି ଯେ, ତାଙ୍କରି ମୁଖ୍ୟମନ୍ତ୍ରିତ୍ୱ କାଳରେ ସୋନପୁର ଏକ ସ୍ୱତନ୍ତ୍ର ଜିଲ୍ଲାର ମାନ୍ୟତା ପାଇଲା । ସେ ସମୟରେ ସେ ସୋନପୁରରୁ ତାଙ୍କୁ ଭେଟିବାକୁ ଯାଇଥିବା ପ୍ରତିନିଧି ଦଳକୁ କହିଥିଲେ, ‘ଆରେ ତୁମ ଜନ୍ମମାଟିକୁ ସୋନପୁର ନୁହଁ, କୁହ ସୁବର୍ଣ୍ଣପୁର । (ଗୋରେଖନାଥ ସାହୁ ସମାଜ:- ୮.୫.୦୦୪) ପ୍ରାକୃତିକ ଦୃଶ୍ୟ ପରିପୂର୍ଣ୍ଣ ଏଭଳି ଏକ ସ୍ଥାନ ଭାରତରେ ଖୁବ୍‌ ବିରଳ । ଔପନ୍ୟାସିକ ଗୋପୀନାଥ ମହାନ୍ତି ତାଙ୍କ ବାଲ୍ୟକାଳର କିଛି ସମୟ ଏହି ସହରରେ କଟାଇଛନ୍ତି ଏବଂ ତାଙ୍କର ଆତ୍ମଜୀବନୀ ‘ସ୍ରୋତସ୍ୱତୀ’ ରେ ସେ ଏହି ଅଞ୍ଚଳ ସମ୍ପର୍କରେ ବେଶ୍‌ କିଛି କହିଛନ୍ତି ।

 

ସୋନପୁର ହେଉଛି ଏକ ବାଣିଜ୍ୟ ପେଣ୍ଠ ଏବଂ ଧାନଚାଉଳ ହେଉଛି ଏଠାର ପ୍ରଧାନ ଶସ୍ୟ । ସୋନପୁର ପାଟ / ମଠାର ଗୁରୁତ୍ୱ ଆଜି ମଧ୍ୟ ରହିଛି । ଇତିହାସରେ ସ୍ଥାନିତ ଏହି ସହରର ଆଧ୍ୟାତ୍ମିକ ମହତ୍ୱ ମଧ୍ୟ କମ୍‌ ନୁହେଁ ।

 

ବୌଦ :–ସେହିଭଳି ଆଉ ଏକ ସ୍ଥାନ ହେଉଛି ବୌଦ । ଏହା ମହାନଦୀର ଦକ୍ଷିଣ କୂଳରେ ଅବସ୍ଥିତ । ବୌଦ ଏକ ପ୍ରାକ୍ତନ ଗଡ଼ଜାତ ଏବଂ ସେତେବେଳେ ବୌଦ ହିଁ ଥିଲା ଏହି ରାଜ୍ୟର ରାଜଧାନୀ । ସ୍ଥାନଟିକୁ ବୌଦ ବା ବୌଦ୍ଧ କୁହାଯିବାର ଏକ କାରଣ ରହିଛି । ଅନୁମାନ କରାଯାଏ ଯେ ପୂର୍ବେ ଏହି ସ୍ଥାନ ବୌଦ୍ଧଧର୍ମର ଏକ ପ୍ରମୁଖ ପୀଠ ଥିଲା ଏବଂ ଏଠାରେ ବୁଦ୍ଧଙ୍କର ଏକ ବିରାଟ ପ୍ରତିମା ରହିଥିଲା । ସାଲୁକୀ ଏବଂ ମହାନଦୀର ସଂଗମ ସ୍ଥଳରେ ଇଟା ନିର୍ମିତ ଏକ- ବିହାରରେ ଏହି ମୂର୍ତ୍ତିଟି ରଖାଯାଇଥିଲା । ସେ ସମୟରେ ରାଜ୍ୟଟି ଥିଲା ଭୌମକରମାନଙ୍କ ଏକ କରଦରାଜ୍ୟ ଏବଂ ଭଞ୍ଜମାନେ ସେଠାରେ ରାଜତ୍ୱ କରୁଥିଲେ । ସେହି ମୂର୍ତ୍ତିଟି ଏବେ ରାଜପ୍ରସାଦ ସମ୍ମୁଖରେ ରଖାଯାଇଛି ଏବଂ ତଥାଗତ ଭୂମିଗତ ଭୂମି ସ୍ପର୍ଶ ମୁଦ୍ରାରେ ପଦ୍ମାସନରେ ବସିଥିବା ଦେଖାଯାଉଛି । ଏହାଙ୍କ ଉପରେ ଦୁଇଟି ପରୀ ହାତରେ ମାଳଧରି ଉଡ୍ଡୀୟମାନ ଅବସ୍ଥାରେ ରହିଛନ୍ତି । ଏହି ପ୍ରତିମା ଏ ଅଞ୍ଚଳର ଆଧ୍ୟତ୍ମିକ ଚେତନାକୁ ଗଭୀର ଭାବରେ ପ୍ରଭାବିତ କରିଥିବାର ଜଣାଯାଏ । ପ୍ରତ୍ୟେକ ଶୁଭ ଅବସରରେ ଏ ପ୍ରତିମା ବୁଦ୍ଧରାଜ ରୂପରେ ଉପାସିତ ହୁଅନ୍ତି । ଏହି ମୂର୍ତ୍ତି ସମ୍ପର୍କରେ ପଣ୍ଡିତ କୁଳମଣି ଦାଶ ଲେଖୁଛନ୍ତି, ‘‘ରାଜ ପ୍ରାସାଦର ଅଦୂରରେ ବୁଦ୍ଧଦେବଙ୍କର ଗୋଟିଏ ପ୍ରକାଣ୍ଡ ପ୍ରସ୍ତର ମୂର୍ତ୍ତିର ଭଗ୍ନାବଶେଷ ବିଦ୍ୟମାନ ଅଛି । ଏହାର ଉଚ୍ଚତା ପ୍ରାୟ ପାଞ୍ଚ ହାତ ହେବ । ଏହିପରି ଅନେକ ମୂର୍ତ୍ତି ଏଠାରେ ଥିଲା; କାଳକ୍ରମେ ସେ ଗୁଡ଼ିକ ସ୍ଥାନାନ୍ତରିତ ହୋଇଅଛି । ଏହି ବୌଦ୍ଧମୂର୍ତ୍ତି ନିରୀକ୍ଷଣ କରି ‘ବୌଦ’ ଶବ୍ଦର ଉତ୍ପତ୍ତି ବିଷୟରେ ଆମ୍ଭମାନଙ୍କର ଧାରଣା ଦୃଢ଼ୀଭୂତ ହେଲା । ଏହା ଯେ ଦିନେ ବୌଦ୍ଧଧର୍ମର ଗୋଟିଏ ପ୍ରଧାନ କେନ୍ଦ୍ର ସ୍ଥଳ ଥିଲା, ଏଥିରେ ସନ୍ଦେହ ନାହିଁ ।’’ (ଉ :–ସା:- ୨୮/୯-ପୃ :–୩୨୫) ବୁଦ୍ଧମୂର୍ତ୍ତି ଥିବା ଅଞ୍ଚଳକୁ ରାଜଶାସନ ସମୟରେ ପରିଷ୍କାର ରଖାଯାଉଥିଲା ଏବଂ ଏହି ସମୟରେ ବିହାର ପଥର ପାଚେରିର ସନ୍ଧାନ ମିଳିଥିଲା । ଏହା ସହିତ ବୌଦ୍ଧଧର୍ମ ସହ ସମ୍ପୃକ୍ତ କେତୋଟି ବ୍ରୋଞ୍ଜ ମୂର୍ତ୍ତି ଏଠାରୁ ଆବିଷ୍କୃତ ହୋଇଥିଲା । ଏମାନଙ୍କ ମଧ୍ୟରୁ ଗୋଟିଏ ହେଉଛି ମୈତ୍ରେୟଙ୍କର ଏବଂ ଅନ୍ୟଟି ହେଉଛି ଶଙ୍ଖନାଥ ଲୋକେଶ୍ୱରଙ୍କର । ମୂର୍ତ୍ତିକଳା ଦୃଷ୍ଟିରୁ ଏ ଉଭୟଙ୍କର ଗୁରୁତ୍ୱ ରହିଛି । ଷୋଡ଼ଶ ଶତକରେ ଚୌହାନ୍ ବଂଶୀୟ ବଳଭଦ୍ର ଦେବ (୧୫୬୧-୧୫୯୧) ବୌଦ ଆକ୍ରମଣ କରି ବୌଦ ରାଜା ସିଦ୍ଧଭଞ୍ଜଦେବଙ୍କୁ ପରାସ୍ତ କରିଥିଲେ ଏବଂ ଏହାପରେ ବୌଦ ସମ୍ବଲପୁରର କରଦ ରାଜ୍ୟରେ ପରିଣତ ହୋଇଥିଲା ।

 

୧୮୯୪ ମସିହାରେ ପ୍ରାବନ୍ଧିକ ଶଶିଭୂଷଣ ରାୟ ଗଡ଼ଜାତ ଭ୍ରମଣରେ ଯାଇ ବୌଦ ପରିଦର୍ଶନ କରିଥିଲେ । ସେଠାରେ ସେ ଏକ ଅଭିନବ କଥା ଦେଖି ବିସ୍ମୟାଭିଭୂତ ହୋଇ ପଡ଼ିଛନ୍ତି-। ଘଟଣାଟି ଐତିହାସିକମାନଙ୍କ ପାଇଁ ଚିନ୍ତାର ଖୋରାକ ଯୋଗାଇବ ଭାବି ଏଠାରେ ତାହାକୁ ଉଦ୍ଧାର କରାଯାଉଛି । ବୌଦ ଯିବା ବାଟରେ ହରଭଙ୍ଗା ପୂର୍ବରୁ ଶାକ୍ୟସିଂହ ନାମକ ଗାଁଟିଏ ଦେଖି ରାୟ ମହାଶୟ ଆଶ୍ଚର୍ଯ୍ୟ ହୋଇଛନ୍ତି । ଓଡ଼ିଶାର ଗଡ଼ଜାତ ଅଞ୍ଚଳରେ ବୁଦ୍ଧଦେବଙ୍କ ନାମରେ ଗାଆଁ-! ଏ ଗାଁ କେବେ ବସିଲା, କିଏ ଏହାର ଏଭଳି ନାମକରଣ କଲା, ସେ ବିଷୟରେ କୌଣସି ତଥ୍ୟ ମିଳେ ନାହିଁ । ତେବେ ଜନଶ୍ରୁତିରୁ ଶୁଣିବାକୁ ମିଳେ ଯେ, ଧର୍ମପ୍ରଚାର ଉଦ୍ଦେଶ୍ୟରେ ଗୌତମବୁଦ୍ଧ ଥରେ ଏ ଅଞ୍ଚଳକୁ ଆସିଥିଲେ । ସେତେବେଳେ ସେ ଏହି ସ୍ଥାନରେ କିଛି ଦିନ ବା ସମୟ କଟାଇ ଯାଇଥିଲେ । ସେଇ ଐତିହାସିକ ଘଟଣାକୁ ଚିରକାଳ ପାଇଁ ସ୍ମୃତି ପଥରେ ରଖିବାକୁ ଗ୍ରାମର ନାମ ଗୌତମଙ୍କର କୌଳିକ ନାମାନୁସାରେ ‘ଶାକ୍ୟସିଂହ’ ରଖାଯାଇଛି । ଏହା ଏକ ନିଚ୍ଛକ କିମ୍ବଦନ୍ତୀ ମଧ୍ୟ ନହୋଇ ପାରେ । କାରଣ ଏ ଅଞ୍ଚଳରେ ଏବେ ମଧ୍ୟ ବୌଦ୍ଧ କୀର୍ତ୍ତିର ଯେତିକି ଧ୍ୱଂସାବଶେଷ ଉପଲବ୍ଧ ହେଉଛି ତହିଁରୁ ଏ ଅଞ୍ଚଳ ଯେ ଅତୀତରେ ବୌଦ୍ଧଧର୍ମର ଏକ ପ୍ରଧାନ ପୀଠ ଥିଲା, ତାହା ପ୍ରମାଣ କରିବା କଷ୍ଟସାଧ୍ୟ ହେବ ନାହିଁ । ବିଶେଷତଃ ଅତୀତରେ ରାଜ୍ୟର ପ୍ରଧାନ ଧର୍ମ ବୌଦ୍ଧ ହୋଇଥିବାରୁ ହିଁ ରାଜ୍ୟର ଏଭଳି ନାମକରଣ କରାଯାଇଛି–ଏଭଳି ଏକ ମତ ଶୁଣିବାକୁ ମିଳେ । ଗ୍ରାମର ନାମକରଣ ସମ୍ପର୍କରେ କେବଳ ଏତିକି ମାତ୍ର କୁହାଯାଇ ପାରେ ଯେ, ଇତିହାସ ପ୍ରିୟ ଏବଂ ବୁଦ୍ଧ ଅନୁରାଗୀ କୌଣସି ପଣ୍ଡିତ ବ୍ୟକ୍ତିଙ୍କ ଖିଆଲ୍‌ରୁ ହୁଏତ ଏହି ନାମଟି ବାହାରିଛି । ଓଡ଼ିଶାରେ ଗ୍ରାମମାନଙ୍କର ନାମ ଯେଉଁଭଳି ଦିଆଯାଏ, ଏ ନାମ ତାହାର ଏକ ବ୍ୟତିକ୍ରମ ନିଶ୍ଚୟ ।

 

ବୌଦ ରାଜ୍ୟରେ ବହୁ ବୌଦ୍ଧପୀଠ ଥିବାର ଶୁଣାଯାଏ । ଜଣେ ବ୍ରାହ୍ମଣ ରାଜାଙ୍କ ଅମଳରେ ଏ ସବୁ ଭଙ୍ଗାଯାଇ ତା’ ଉପରେ ହିନ୍ଦୁ ମନ୍ଦିରମାନ ଗଢ଼ିଉଠିଲା । ଏ ମଧ୍ୟ କୌଣସି ନୂଆ କଥା ନୁହେଁ । ଏକଥା ମୁସଲମାନମାନେ କରିଛନ୍ତି । ବୌଦ୍ଧ ବ୍ରାହ୍ମଣ ବିବାଦ କାଳରେ ହିନ୍ଦୁମାନେ ମଧ୍ୟ କରିଛନ୍ତି । ଭୁବନେଶ୍ୱରର ଭାସ୍କରେଶ୍ୱର ମନ୍ଦିରର ଶିବଲିଙ୍ଗ ଏକଦା ଏକ ବୌଦ୍ଧ ସ୍ତମ୍ଭଥିବା କଥା ଐତିହାସିକ ଡଃ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ପ୍ରମାଣ କରିଛନ୍ତି ।

 

ବୌଦରେ ଗନ୍ଧରାଡ଼ି ନାମକ ଯେଉଁ ସ୍ଥାନ ରହିଛି, ଅତୀତରେ ତାହା ହିଁ ଥିଲା ବ୍ରାହ୍ମଣ ରାଜାଙ୍କର ରାଜଧାନୀ । ତାହା ବର୍ତ୍ତମାନ ଗଡ଼ଠାରୁ ୧୦ କି:ମି ଦକ୍ଷିଣରେ ଅବସ୍ଥିତ । ସେଠାରେ ବିଭିନ୍ନ ହିନ୍ଦୁ ଦେବ ଦେବୀଙ୍କ ପୀଠ ସହିତ ଗୋଟିଏ ବୌଦ୍ଧ ପୀଠ ମଧ୍ୟ ରହିଥିବା ପ୍ରାବନ୍ଧିକ ଶଶିଭୂଷଣ ରାୟ ମହାଶୟ ଲକ୍ଷ୍ୟ କରିଛନ୍ତି । ପୂର୍ବେ ଏହି ରାଜ୍ୟର ନାମ ‘ଝାଡ଼ଖଣ୍ଡ’ ଥିଲା ଏବଂ ବିରୁଦରେ ରାଜାଙ୍କର ଉପାଧିଥିଲା ‘ଝାଡ଼ଖଣ୍ଡ ବାଦଶା’ ଏ ସମ୍ପର୍କରେ ଏକ ତମ୍ବାପଟ୍ଟା ମିଳିଥିବାର ଐତିହାସିକ ଶିବପ୍ରଶାଦ ଦାଶ ଲେଖିଛନ୍ତି । ତେବେ ଏହା ହେଉଛି ଯଥେଷ୍ଟ ପରବର୍ତ୍ତୀ ସମୟର ଘଟଣା । ବୌଦ ଯେ ଅତୀତରେ ବୌଦ୍ଧ ଧର୍ମ ଦ୍ୱାରା ବିପୁଳ ଭାବରେ ପ୍ରଭାବିତ ହୋଇଥିଲା ଏଥିରେ ସନ୍ଦେହ ରହୁନାହିଁ । ବୌଦଠାରୁ ୧୩ କି:ମି ଦୂରରେ ରହିଛି ନାଏକ ପଡ଼ା ଗୁମ୍ଫା ଏବଂ ଏହାର ଅଭ୍ୟନ୍ତର ବେଶ୍ ପ୍ରଶସ୍ତ ।

 

ଆଧୁନିକ ବୌଦ ଏକ ପ୍ରମୁଖ ବାଣିଜ୍ୟ କେନ୍ଦ୍ର ରୂପରେ ଆତ୍ମପ୍ରକାଶ କରି ଆସୁଛି । ହସ୍ତତନ୍ତ ଜାତ ପ୍ରସ୍ତୁତି ଏଠାର ପ୍ରମୁଖ ପଣ୍ୟ ଏବଂ ଏବେ ଏହା ପ୍ରାୟ କୁଟୀର ଶିଳ୍ପ ପର୍ଯ୍ୟାୟରେ ରହିଛି ।

 

କଣ୍ଟିଲୋ :–ମହାନଦୀ ତୀରରେ ଅବସ୍ଥିତ ଖଣ୍ଡପଡ଼ା ନିକଟସ୍ଥ କଣ୍ଟିଲୋ ମଧ୍ୟ ଏକ ଐତିହାସିକ ସ୍ଥାନ । ଏହା ପ୍ରକୃତରେ ପ୍ରସିଦ୍ଧ ଏକ ତୀର୍ଥସ୍ଥାନ ରୂପରେ । ପୂର୍ବେ କଣ୍ଟିଲୋ ଅବିଭକ୍ତ ପୁରୀ ଜିଲ୍ଲାର ଅନ୍ତର୍ଭୁକ୍ତ ଥିଲା ଏବଂ ଏବେ ଏହା ନୟାଗଡ଼ ଜିଲ୍ଲାର ଅଂଶ ବିଶେଷ । ଖଣ୍ଡପଡ଼ାଠାରୁ ଏହି ସ୍ଥାନର ଦୂରତ୍ୱ ୧୫ କି:ମି ଏବଂ କଟକ ସୋନପୁର ରାସ୍ତା ମହାନଦୀର ଦକ୍ଷିଣ ତୀର ଦେଇ ଠିକ୍‌ ଏହାର ପାଖରେ ଯାଇଛି । ତୀର୍ଥକ୍ଷେତ୍ର ରୂପେ ଏହାର ପ୍ରସିଦ୍ଧିକୁ ଛାଡ଼ିଦେଲେ ବ୍ୟବସାୟ ଦୃଷ୍ଟିରୁ ସ୍ଥାନଟି ମଧ୍ୟ ବେଶ୍ ଗୁରୁତ୍ୱପୂର୍ଣ । ବହୁ କାଳରୁ ଏ ସ୍ଥାନ କଂସାପିତ୍ତଳ ବାସନ ପାଇଁ ଖ୍ୟତି ଲାଭ କରି ଆସିଛି ଏବଂ ସମ୍ପ୍ରତି ଏଠାରେ ଏଥିପାଇଁ ଏକ ସମବାୟ ସମିତି ମଧ୍ୟ ଗଠିତ ହୋଇଛି । ଅଦୂରରେ ଗଢ଼ିଉଠିଛି ଏକ ଆଲୁମିନିୟମ୍ କାରଖାନା । କଣ୍ଟିଲୋର ରୂପ ବଦଳୁଛି । ମହାନଦୀ କୂଳରେ ଠିଆ ହୋଇ ଆର କୂଳକୁ ଅନାଇଲେ ବଡ଼ମ୍ବା ଅଧିଷ୍ଠାତ୍ରୀ ଭଟ୍ଟାରିକାଙ୍କର ମନ୍ଦିର ଦେଖାଯାଏ । ଏବେ ଏଠାରେ ସ୍କୁଲ, କଲେଜ, ଡାକ୍ତରଖାନା ଇତ୍ୟାଦି ଅନୁଷ୍ଠାନ ଗଢ଼ିଉଠିଲାଣି ।

 

ବାଙ୍କି :–ବାଙ୍କି କିମ୍ବଦନ୍ତୀରେ ଅମର ହୋଇରହିଛି ଏହାର ପ୍ରଚଣ୍ଡ ଶକ୍ତିମୟୀ ସ୍ୱାଭିମାନିନୀ ରାଜବଧୂ ଶୁକ ଦେଈଙ୍କ ନିମନ୍ତେ । ଖୋର୍ଦ୍ଧା ରାଜାଙ୍କ ସହ ସୀମା ବିବାଦରେ ବାଙ୍କିରାଜା ଧନୁର୍ଜୟ ଶ୍ରୀଚନ୍ଦନ ମହାପାତ୍ର ପ୍ରାଣ ହରାଇବାରୁ (୧୭୧୨ ଖ୍ରୀ:ଅ) ବାଙ୍କି ଶାସକଶୂନ୍ୟ ହୋଇ ପଡ଼ିଥିଲା । ଏହି ସମୟରେ ଖୋର୍ଦ୍ଧା ସହ ସନ୍ଧିକରି ରାଜ୍ୟ ରକ୍ଷାର ଏକ ପ୍ରସ୍ତାବରେ ରାଜି ନହୋଇ ସ୍ୱାମୀହତ୍ୟାର ପ୍ରତିଶୋଧ ନେଇଥିଲେ, ରାଣୀ ସ୍ୱୟଂ ବାଙ୍କି ସେନାର ନେତୃତ୍ୱ ଗ୍ରହଣ କରି-। ପଞ୍ଚ କଲ୍ୟାଣୀ-ଘୋଡ଼ାରେ ଚଢ଼ି ସେ ପୁରୁଷ ବେଶରେ ଭୀଷଣ ସଂଗ୍ରାମ କରି ଶେଷରେ ଖୋର୍ଦ୍ଧାର ଦର୍ପିତ ମସ୍ତକକୁ ଭୂଲୁଣ୍ଠିତ କରିଥିଲେ । ଶତ୍ରୁସୈନ୍ୟଙ୍କ ମୁଣ୍ଡରେ ସେ ନିର୍ମାଣ କରିଥିଲେ ମୁଣ୍ଡମୁହାଣଠାରେ ମୁଣ୍ଡଦେଉଳ, ଯାହା ଲୋକ ସ୍ମୃତିରେ ଏବେ ମଧ୍ୟ ଉଜ୍ଜୀବିତ । ରାଣୀଙ୍କର ଏକମାତ୍ର କାମନା ଥିଲା ଶତ୍ରୁ ଶିବିରର ଶ୍ରେଷ୍ଠ ମୁଣ୍ଡଟି ଦ୍ୱାରା ଏ ଦେଉଳର ମୁଣ୍ଡି ମାରିବା । ତାହା ମଧ୍ୟ ଫଳବତୀ ହେବାର ସମ୍ଭାବନା ଦେଖାଗଲା, ଖୋର୍ଦ୍ଧାରାଜା ବନ୍ଦୀ ହେବାରୁ । ତେବେ ତାହା ହେଲାନାହିଁ । ରାଣୀଙ୍କର ବିପ୍ଳବିଣୀ ସତ୍ତା ଭିତରୁ ବାହାରି ଆସିଲା, ଚିରନ୍ତନ ମାତୃସତ୍ତା, ନିରପରାଧିନୀ ଖୋର୍ଦ୍ଧାରାଣୀଙ୍କର ଦୁର୍ଦ୍ଦଶା ସ୍ମରଣ କରି ବ୍ୟାକୁଳ ହୋଇଉଠିଲା । ଖୋର୍ଦ୍ଧାରାଜା ମୁକ୍ତ ହେଲେ ଏବଂ ସାମ୍ରାଜ୍ୟ ମଧ୍ୟ ଫେରିପାଇଲେ । ଉତ୍କଳୀୟ ନାରୀର ତ୍ୟାଗ ଓ ବୀରତ୍ୱର ଏହି ଅବିସ୍ମରଣୀୟ କାହାଣୀ ବାଙ୍କିକୁ ଉତ୍କଳ ଇତିହାସର ଏକ ଗୌରବୋଜ୍ଜ୍ୱଳ ଅଧ୍ୟାୟ ରୂପରେ ଚିହ୍ନିତ କରିଛି ।

 

ଏହା ପରର ପ୍ରସଙ୍ଗ ହେଉଛି କଟକ ନଗର । ତ୍ରିକୋଣ ଭୂମିର ପ୍ରାଚୀରତମ ସହର ହେଉଛି କଟକ । ଏହାର ବୟସ ହଜାରେ ବର୍ଷରୁ ଉର୍ଦ୍ଧ୍ୱ ବୋଲି କୁହାଯାଉଛି । ମହାନଦୀର ତ୍ରିକୋଣ ଭୂମିରେ ଅବସ୍ଥିତ ଏହି ନଗର ସମ୍ପର୍କରେ ଐତିହାସିକ ଷ୍ଟର୍ଲିଂ (Sterling) ମତ ଦିଅନ୍ତି, ‘‘Raja Nripakeshari, a martial and ambitious prince, who was always fighting witi neighbours is said to the have first planted a City on the site of the modern Cuttack, about 989 A.D. The reign of Markat keshari, was distinguished for the construction of a stone revelment or embankment faced with that meterial, probably the ancient one of which the remains are yet to be seen to protect the new capital from inundation in A.D 1006. (Sterling’s Orissa, p.70) ଐତିହାସିକ ପରମାନନ୍ଦ ଆଚାର୍ଯ୍ୟଙ୍କ ମତରେ, ‘ଅନଙ୍ଗଭୀମ ଦେବ ୧୨୧୧ ଖ୍ରୀ:ଅ:ରୁ ୧୨୩୮ ଖ୍ର:ଅ ପର୍ଯ୍ୟନ୍ତ ରାଜପଣ କରିଥିଲେ । ସେ ୧୨୩୦ ଖ୍ରୀ:ଅ:ରେ ଅଭିନବ ବାରଣାସୀ କଟକରୁ ତାମ୍ରଶାସନ ଦାନ କରିଛନ୍ତି । ତାଙ୍କ ରାଜତ୍ୱର ପ୍ରଥମ ଦଶବର୍ଷ ମଧ୍ୟରେ ଯେ ଅଭିନବ ବାରଣାସୀ କଟକ ସ୍ଥାପିତ ହୋଇଥିଲା ଏଥିରେ ସନ୍ଦେହ କରିବାର କିଛି ନାହିଁ । ଏଣୁ ଆଧୁନିକ କଟକ ଖ୍ରୀଷ୍ଟୀୟ ତ୍ରୟୋଦଶ ଶତକର ପ୍ରଥମ ପାଦରେ ସ୍ଥାପିତ ହୋଇଥିବାର ଲିଖିତ ପ୍ରମାଣ ଥିବାରୁ କଟକ ନଗରର ସ୍ଥାପନ ତ୍ରୟୋଦଶ ଶତକର ପ୍ରଥମ ପାଦ ବା ଖ୍ରୀ :–୧୨୧୧-୧୨୨୧ ଧରିବା ସମୀଚୀନ–’’ (କଟକର ଇତିହାସ ଝଙ୍କାର–୭୧୭) ।

 

ଐତିହାସିକ କୃଷ୍ଣଚନ୍ଦ୍ର ପାଣିଗ୍ରାହୀଙ୍କ ମତରେ ଗଙ୍ଗବଂଶ ପ୍ରତିଷ୍ଠାତା ଚୋଡ଼ଗଙ୍ଗ ଦେବ ୧୧୧୨ ଖ୍ରୀ:ଅ:ରେ ଓଡ଼ିଶା ଅଧିକାର କଲାବେଳେ ବାରାଣସୀ ଦୁର୍ଗ ଥିଲା ଏବଂ ଏହା ସୋମବଂଶ ରାଜାଙ୍କର କୀର୍ତ୍ତି । ଅନଙ୍ଗଭୀମଙ୍କ ତାମ୍ରଶାସନ ମଧ୍ୟ ଏହାକୁ ସମର୍ଥନ କରୁଛି । ୧୨୩୦ ରେ ବାରଣସୀ କଟକରୁ ଭୂମିଦାନ କଥା ଏଥିରେ ରହିଛି । ଏଣୁ ୧୨୨୯ ବେଳକୁ ବାରାଣସୀ କଟକ ଥିଲା । ଚୋଡ଼ଗଙ୍ଗ ଏହାକୁ ଅଧିକାର କରିଥିଲେ । କପିଳେନ୍ଦ୍ର ଦେବ ଏହି ଦୁର୍ଗରେ ରହିଥିବା ପ୍ରମାଣ ରହିଛି । ଏହି ଦୁର୍ଗରେ ୧୫୬୮ରେ ଓଡ଼ିଶାର ସ୍ୱାଧୀନତା ଅପହୃତ ହୋଇଥିଲା । ମୋଗଲ, ଆଫଗାନ, ମରହଟ୍ଟା ଏବଂ ଇଂରେଜ ରାଜତ୍ୱରେ କିଲ୍ଲାର ଐଶ୍ୱର୍ଯ୍ୟ ଲୋପ ପାଇଥିଲେ ମଧ୍ୟ କଟକ ଥିଲା ଓଡ଼ିଶାର ରାଜଧାନୀ । ‘‘ସ୍ୱାଧୀନତା ପରେ ମଧ୍ୟ କିଛିଦିନ ପାଇଁ କଟକ ରାଜଧାନୀ ଥିଲା । ଆକବରଙ୍କ ଐତିହାସିକ ଆବୁଲଫାଜଲ୍ ‘ଆଇନ୍-ଇ-ଆକ୍‌ବରୀ’ ରେ କଟକ ବିଷୟରେ ଲେଖିଥିଲେ–କଟକରେ ଗୋଟିଏ ପଥର ନିର୍ମିତ ଦୁର୍ଗ ଥିଲା ଏବଂ ଏହା ମହାନଦୀ-କାଠଯୋଡ଼ିର ତ୍ରିକୋଣ ଭୂମିରେ ଅବସ୍ଥିତ ଥିଲା । ଏଠାରେ କଟକର ଶାସକ ରହୁଥିଲେ ଏବଂ ଏଠି ଅନେକ ସୁନ୍ଦର କୋଠାବାଡ଼ି ଥିଲା । ବର୍ଷାଦିନେ ଦୁର୍ଗର ପାଞ୍ଚଛଅ କୋଶ ପର୍ଯ୍ୟନ୍ତ ଜଳମଗ୍ନ ହେଉଥିଲା । ରାଜା ମୁକୁନ୍ଦଦେବ ଏଠାରେ ନବତଳ ପ୍ରାସାଦ ନିର୍ମାଣ କରିଥିଲେ । ପ୍ରଥମ ମହଲରେ ହାତୀ ଘୋଡ଼ା, ଦ୍ୱିତୀୟ ମହଲରେ ଗୋଳାବାରୁଦ ଓ ପ୍ରହରୀ, ତୃତୀୟ ମହଲରେ ଜଗୁଆଳ ଓ ଦ୍ୱାରୀ, ଚତୁର୍ଥରେ କାରଖାନା, ପଞ୍ଚମରେ ରୋଷଘର ଜନସାଧାରଣଙ୍କ ସାକ୍ଷାତ୍‌କାର ବ୍ୟବସ୍ଥା, ସପ୍ତମରେ ଶାସକଙ୍କର ବ୍ୟକ୍ତିଗତ ବସବାସ, ଅଷ୍ଟମରେ ନାରୀ ମହଲ, ଏବଂ ନବମରେ ପ୍ରଶାସକଙ୍କର ଶୟନାଗାର ଥିଲା–’’ (Vol.II.p 126-127) ପରାଧୀନ ଓଡ଼ିଶାରେ ଏହି ଦୁର୍ଗ ଏକ ବନ୍ଦୀଶାଳା ହୋଇଥିଲା । ଏଥିରେ ୧୮୦୩ରେ କୁଜଙ୍ଗ ରାଜା, ୧୮୧୮ରେ ଖୋର୍ଦ୍ଧା ରାଜା, ୧୮୧୯ରେ ସୁରଗୁଜାରାଜାଙ୍କୁ ବନ୍ଦୀ କରାଯାଇଥିଲା । ବକ୍‌ସି ଜଗବନ୍ଧୁଙ୍କ ପରିବାର ମଧ୍ୟ କିଛି କାଳ ଏଠାରେ ଆବଦ୍ଧ ଥିଲେ । କମିଶନର୍ ପାକେନ୍‌ହାମ୍‌ଙ୍କ ନିର୍ଦ୍ଦେଶରେ ଏ ଦୁର୍ଗର ପଥରର ରାସ୍ତା, ନଦୀବନ୍ଧ ଏବଂ ବତୀଘର ନିର୍ମାଣ କରାଯାଇଥିଲା ।

 

ମାଦଳାପାଞ୍ଜିମତେ ଅନଙ୍ଗଭୀମ ୩ୟ ତାଙ୍କ ରାଜତ୍ୱର ୧୫ ଅଙ୍କରେ ବାରବାଟୀ ଦୁର୍ଗ ନିର୍ମାଣ କରାଇଥିଲେ । ନଗରୀ ତାମ୍ରଶାସନ ମତରେ ସେ ଏହାକୁ ‘ଅଭିନବ ବାରଣାସୀ କଟକ’ ନାମ ଦେଇ ସେଥିରେ ବାସ କରୁଥିଲେ । ତାଙ୍କ ପରବର୍ତ୍ତୀ ଗଙ୍ଗରାଜାମାନେ ମଧ୍ୟ ଏହିଠାରେ ବାସ କରୁଥିଲେ ଏବଂ ନରସିଂହ ଚତୁର୍ଥ ବାରଣାସୀ କଟକରୁ ତାମ୍ରଶାସନ ପ୍ରବର୍ତ୍ତନ କରିଥିଲେ । ୧୩୬୧ରେ ଫିରୋଜ ତୋଗଲକ୍‌ ବାରାଣସୀ କଟକରୁ ଆକ୍ରମଣ କରିଥିଲେ । କପିଳେନ୍ଦଙ୍କ ସମୟରେ କଟକ ଥିଲା ‘ଅମରବତୀ’ ପରି ସୁନ୍ଦର । ଏହି ସବୁ ପ୍ରମାଣର ଭିତ୍ତିରେ ଡଃ ହରେକୃଷ୍ଣ ମହାନ୍ତି କହନ୍ତି, ‘‘କଟକ ବା ଅଭିନବ ବାରାଣସୀ କଟକ ପୁରୁଷାନୁକ୍ରମେ ଗଙ୍ଗବଂଶୀ ରାଜାମାନଙ୍କର ଓ ସୂର୍ଯ୍ୟବଂଶୀ ରାଜାମାନଙ୍କର ରାଜଧାନୀ ରୂପେ ବ୍ୟବହୃତ ହୋଇଥିଲା ।’’ (ଓଡ଼ିଶା ଇତିହାସ-ପ୍ରଥମ ଭାଗ୨ୟ ସଂ-ପୃ :–୩୦୨) ଗଙ୍ଗ ଓ ସୂର୍ଯ୍ୟବଂଶୀମାନେ କଟକରେ ରାଜଧାନୀ କରି୍ଥିଲେ ସତ୍ୟ, ମାତ୍ର ଏମାନେ କେହି ଏହାର ପ୍ରତିଷ୍ଠାତା ନଥିଲେ । କଟକ ତାହା ପୂର୍ବରୁ ପ୍ରତିଷ୍ଠିତ ହୋଇ ସାରିଥିଲା ଏବଂ ଏମାନେ ରାଜନୈତିକ ଦୃଷ୍ଟିକୋଣରୁ ଏହାକୁ ରାଜଧାନୀ ରୂପରେ ବ୍ୟବହାର କରିଥିଲେ ମାତ୍ର ।

 

ଭାରତର ମାନଚିତ୍ରରେ ଅକ୍ଷାଂଶ ୨୦.୨୯ ଉତ୍ତରବର୍ତ୍ତୀ ଓ ଦ୍ରାଘ୍ୟାଂଶ ୮୭୫.୫୦ ପୂର୍ବବର୍ତ୍ତୀ ସ୍ଥିତିରେ ଅବସ୍ଥିତ ଏହି ପ୍ରାଚୀନ ସହରଟି ନିଜର ବର୍ତ୍ତମାନ ନାମରେ ସୂର୍ଯ୍ୟବଂଶୀୟ ଗଜପତି କପିଳେନ୍ଦ୍ର ଦେବଙ୍କ ସମସାମୟିକ କୋଣ୍ଡାବିଡ଼ୁର ଶାସକ ଗଣଦେବଙ୍କ ତମ୍ବାପଟ୍ଟାରେ ପ୍ରଥମ ଥର ପାଇଁ ଉଲ୍ଲଖିତ ହୋଇଛି । ତହିଁରେ ଥିବା ଶ୍ଲୋକଟି ହେଲା–

 

‘‘କଟକାସ୍ୟ ପୁରୀଯସ୍ୟ ରାଜଧାନୀ ବିରାଜତେ

ମହାନଦୀ ପରିସରେ ଶକ୍ରସ୍ୟେବାମରାବତୀ ।’’

(Vide- Intdian Antiquary-1891-p391)

 

ପ୍ରତାପରୁଦ୍ର ଦେବ ମଧ୍ୟ ତାଙ୍କର ‘ସରସ୍ୱତୀ ବିଳାସ’ ଗ୍ରନ୍ଥରେ କଟକରେ ନାମ ଉଲ୍ଲେଖ କରିଛନ୍ତି । ୧୬୩୩ ଖ୍ରୀ:ଅରେ କାର୍ଟରାଇଟଙ୍କ ନେତୃତ୍ୱରେ ଦଳେ ଇଂରେଜ ବଣିକ ମୁକ୍ତକର ବାଣିଜ୍ୟ ନିମନ୍ତେ ପ୍ରଶାସକଙ୍କ ଅନୁମତି ପାଇବା ପାଇଁ କଟକ ଆସି ମାଲକାଣ୍ଡି ଦୁର୍ଗ (ବର୍ତ୍ତମାନ ଭଗ୍ନ ବାରବାଟୀ ଦୁର୍ଗ)ରେ ସେ କାଳର ମୋଗଲ ପ୍ରଶାସକ ଆଗାମହମ୍ମଦ ଜମାଲଙ୍କୁ ସାକ୍ଷାତ୍ କରିଥିଲେ । ଦଳର ଅନ୍ୟତମ ସଦସ୍ୟ ବ୍ରୁଟନ୍ ସେ ସମୟର ବିବରଣୀ ଲିପିବଦ୍ଧ କରିଛନ୍ତି । ଦଳର ଅନ୍ୟ ସଦସ୍ୟମାନେ ହେଲେ–ଥମାତ୍ସକୋଲି, ଏଡ଼ୱାର୍ଡ଼ ପୋଟିଫୋର୍ଡ଼ ଇତ୍ୟାଦି । ସେମାନେ ୧୬୩୩ ଏପ୍ରିଲ୍ ୨୨ ତାରିଖରେ ବଙ୍ଗୋପସାଗର କୂଳରେ ଥିବା ହରିଶ୍‌ପୁର ବନ୍ଦରରେ ଓହ୍ଲାଇଥିଲେ ଏବଂ ବାଲିକୁଦା ଓ ହରିପୁର (ବର୍ତ୍ତମାନର ଜଗତ୍‌ସିଂହପୁର) ବାଟେ ଏପ୍ରିଲ୍‌ ୩୦ ତାରିଖ ରାତି ବାରଟାରେ କଟକରେ ପହଞ୍ଚିଥିଲେ । ମିର୍ଜାମୋମିନ୍‌ ନାମକ ଜଣେ ବ୍ୟକ୍ତି ସୁବେଦାରଙ୍କ ସହିତ ଏହି ବଣିକ ଦଳର ପରିଚୟ କରାଇ ଦେଇଥିଲେ ।

 

ମାଲକାଣ୍ଡି ଶବ୍ଦର ସୃଷ୍ଟି କିଭଳି ହେଲା, ଏ ବିଷୟରେ ବିଶେଷ ଆଲୋଚନା ହୋଇନାହିଁ-। ବ୍ରୁଟନ୍ ଏହି ଦୁର୍ଗ, କଟକ ସହର, ପ୍ରଶାସକଙ୍କ ଦରବାର ସେଠାରେ ଆଦବ୍‌କାଇଦା ଇତ୍ୟାଦି ସମ୍ପର୍କରେ ବିସ୍ତୃତ ବିବରଣୀ ଦେଇଛନ୍ତି । ଓଡ଼ିଶାର ଭାଗ୍ୟ ଦୁଇଥର ଏହି ଦୁର୍ଗରେ ନିଷ୍ପତ୍ତି ହୋଇଥିଲା । ଓଡ଼ିଶାର ଶେଷ ସ୍ୱାଧୀନ ରାଜା ମୁକୁନ୍ଦ ଦେବ (୧୫୬୮)ଙ୍କଠାରୁ ଆଫଗାନ ସେନାପତି କଳାପାହାଡ଼ କ୍ଷମତା ଗ୍ରହଣ କରିଥିଲା ଏହି ଦୁର୍ଗରେ । ଆଉ ଥରେ ଏହିଠାରେ ଇଂରେଜ ପ୍ରତିନିଧି ହାର୍କୋଟ୍ ମରହଟ୍ଟାମାନଙ୍କଠାରୁ ଶାସନ ଦାୟିତ୍ୱ ଗ୍ରହଣ କରିଥିଲେ ୧୮୦୩ରେ । ଇତିମଧ୍ୟରେ ଦୁର୍ଗର ସ୍ୱତ୍ତ୍ୱ ଅନେକଥର ହାତ ବଦଳ ହୋଇଥିଲା ।

 

କଟକ :–କଟକ ସମ୍ପର୍କରେ ବ୍ରୁଟନ୍ ଲେଖୁଛନ୍ତି ଯେ ଏହାର ପରିଧି ଥିଲା ସାତମାଇଲ୍ ଏବଂ ଏହା ମାଲକାଣ୍ଡି ଦରବାରଠାରୁ ଏକ ମାଇଲ୍ ଦୂର ଅର୍ଥାତ୍ ସହର ଦୁର୍ଗଠାରୁ ବେଶି ଦୂର ନଥିଲା । ଦରବାରରେ ବିଲାତି ବଣିକମାନଙ୍କ ଭବ୍ୟ ସ୍ୱାଗତ କରାଗଲା । ଦୁର୍ଗସ୍ଥିତ ଦରବାର ବେଶ୍ ଆଡ଼ମ୍ବର ପୂର୍ଣ୍ଣ ବୋଲି ବ୍ରୁଟନ୍ ଲେଖିଛନ୍ତି । ଅଧ୍ୟାପକ ମହେଶ୍ୱର ମହାନ୍ତି ମାଲକାଣ୍ଡି ଶବ୍ଦର ଉତ୍ପତ୍ତି ବିଷୟରେ ଦୁଇଟି ଯୁକ୍ତି ରଖିଛନ୍ତି । (କ) ମୁକୁନ୍ଦ ଦେବଙ୍କ ନାମସହିତ ଏହି ଦୁର୍ଗର ସମ୍ପର୍କ କଥା ଶୁଣି ସାହେବ ଭୁଲରେ ତାଙ୍କୁ ହିଁ ଦୁର୍ଗର ନାମ ବୋଲି ଗ୍ରହଣ କରିନେଇଛନ୍ତି । (ଖ) ମହାନଦୀ କୂଳ ସ୍ଥିତ ଏହି ଦୁର୍ଗକୁ ମହାନଦୀ ନାମରେ ଚିହ୍ନିତ କରିବାକୁ ଯାଇ ସାହେବ ପୁଣି ସେଇ ଭୁଲ କରିଛନ୍ତି । ମହାନଦୀ ତାଙ୍କ ତୁଣ୍ଡରେ ବା ସ୍ମୃତିରେ ହୋଇଛି ମାଲ୍‌କାଣ୍ଡି । (ବ୍ରୁଟନ୍‌ଙ୍କ ବିବରଣୀରେ ବାରବାଟୀ ଦୁର୍ଗ:- ବାଲିଯାତ୍ରା କଟକ ଉତ୍ସବ :–୨୦୦୩ ସ୍ମରଣିକା-ଜିଲ୍ଲା ସାଂସ୍କୃତିକ ପରିଷଦ, କଟକ, ପୃ:-୨୧) ବଣିକ ଦଳ କଟକ ଆସିଲା ବେଳକୁ ମୁକୁନ୍ଦ ଦେବଙ୍କ ତିରୋଧାନର ୬୫ବର୍ଷ ଅତିକ୍ରାନ୍ତ ହୋଇସାରିଥିଲା । ଓଡ଼ିଶା ଶାସନ ଆଫଗାନ ହାତରୁ ମୋଗଲ ହାତକୁ ଯାଇ ସାରିଥିଲା । ସେତେବେଳେ ଅବା ସେଠି ବ୍ରୁଟନ୍‌ଙ୍କୁ ମୁକୁନ୍ଦ ଦେବଙ୍କ କଥା କିଏ କାହିଁକି କହିବ ? ମୋଗଲ କ’ଣ ମୁକୁନ୍ଦ ଦେବଙ୍କୁ ଚିହ୍ନିଥିଲେ ? ଏ ପରିସ୍ଥିତିରେ ଡଃ ମହାନ୍ତିଙ୍କ ଦ୍ୱିତୀୟ ଯୁକ୍ତଟି ସୁଦୂରପ୍ରସାରୀ ତଥାପି ସେ ବିଷୟରେ ଚିନ୍ତା କରାଯାଇପାରେ । ବ୍ରୁଟନ୍‌ କିଛି ସାଙ୍ଗେ ସାଙ୍ଗେ ବିବରଣୀ ଲେଖି ନଥିଲେ । ସ୍ମୃତିରୁ ଉଦ୍ଧାର କରି ଲେଖୁ ଲେଖୁ ଯାହା ମନେ ପଡ଼ିଥିବ ସେଇଆ ଲେଖିଥିବା କଥା ଅସମ୍ଭବ ନୁହେଁ । ଶୂନ୍ୟତା ହିଁ ସର୍ବଦା କଳ୍ପନାର ଅବଲମ୍ବନ ହୋଇଥାଏ ।

 

ବ୍ରୁଟନ୍ ଏହାପରେ ଦୁର୍ଗ ଅଭ୍ୟନ୍ତରର ଭବ୍ୟ ବର୍ଣ୍ଣନା ଦେଇଛନ୍ତି । ପ୍ରଶାସକଙ୍କ ଦ୍ୱିତଳ ପ୍ରାସାଦରେ ନିକଟରେ ପହଞ୍ଚିବା ପୂର୍ବରୁ ବଣିକ ଦଳକୁ ଚାରିଟି ଫାଟକ ଅତିକ୍ରମ କରିବାକୁ ପଡ଼ିଥିଲା । ବାଟରେ ସେମାନେ ଦୁଇଟି ବଜାଇ ଏବଂ ଗୋଟିଏ ପାଗୋଡ଼ା (ମନ୍ଦିର ବା ମସ୍‌ଜିଦ୍) ଅତିକ୍ରମ କରିଥିଲେ । ପ୍ରଶାସକଙ୍କ ବାସଗୃହ ବେଶ୍ ରମଣୀୟ ଥିଲା । ମାର୍ବଲ ପଥରର ସ୍ଥାପତ୍ୟକଳା ଦୃଷ୍ଟି ଆକର୍ଷଣ କରୁଥିଲା । ଦରବାର ନିକଟରେ ପହଞ୍ଚିବା ପୂର୍ବରୁ ବ୍ରୁଟନ୍ ପ୍ରଶାସକଙ୍କ ବିରାଟ ଅଶ୍ୱବାହିନୀକୁ ଭେଟିଥିଲେ । ୧୦୦୦ ଘୋଡ଼ା ସୱାର ଏଠାରେ ସର୍ବଦା ପ୍ରସ୍ତୁତ ରହିଥାଆନ୍ତି ଏବଂ ମାତ୍ର ଘଣ୍ଟାକରେ ଆଉ ୩୦୦୦ ସୱାର ପ୍ରସ୍ତୁତ ହୋଇ ଯିବାର ସ୍ଥାୟୀ ଆଦେଶ ଦିଆଯାଇଥାଏ । ଏହାପରେ ବ୍ରୁଟନ୍ ଗୋଟିଏ ମଣ୍ଡପ କଥା କହିଛନ୍ତି, ଯେଉଁଠି ପ୍ରତ୍ୟହ ସକାଳ ଚାରିଟାରୁ ଦିନ ଆଠଟା ପର୍ଯ୍ୟନ୍ତ ବିଭିନ୍ନ ବାଦ୍ୟ ଯନ୍ତ୍ର ବଜାଯାଉଥାଏ । ବ୍ରୁଟନ୍ ଜାଣିନଥିଲେ ସମ୍ଭ୍ରାନ୍ତ ମୋଗଲ ଏବଂ ଅନ୍ୟାନ୍ୟ ଶାସକମାନଙ୍କର ପ୍ରାସାଦ ସମ୍ମୁଖରେ ନହବତ୍ ଖାନା ରହୁଥିଲା । ଅତି ପ୍ରତ୍ୟୁଷରୁ ବାଦ୍ୟ ବଜାଇ ସମୟ ସମ୍ପର୍କରେ ସୂଚନା ଦେବା ଥିଲା ଏହାର ଲକ୍ଷ୍ୟ ।

 

କ୍ରମେ ବ୍ରୁଟନ୍ ଦୁର୍ଗମଧ୍ୟସ୍ଥ ଅନ୍ୟ ସ୍ଥାପତ୍ୟ, କୋଠା ବାଡ଼ି ଏବଂ ପ୍ରତ୍ୟେକଟିର ଉପଯୋଗିତା ସମ୍ପର୍କରେ ସୂଚନା ଦେଇଛନ୍ତି ଏବଂ ଶେଷରେ ଦରବାରରେ ପହଞ୍ଚିବା କଥା କହିଛନ୍ତି-। ଦରବାରର ଆଡ଼ମ୍ବର, ସେଠାକାର ରୀତିନୀତି ଇତ୍ୟାଦିର ବିସ୍ତୃତ ବର୍ଣ୍ଣନା ଦେବାପରେ ସେମାନେ ଆଠ ଦିନ କ୍ରମାଗତ ଚେଷ୍ଟା କରିବା ପରେ କିପରି ଓଡ଼ିଶାରେ ଅବାଧ ବାଣିଜ୍ୟ ନିମନ୍ତେ ଅନୁମତି ପାଇଥିଲେ, ତାହା ବର୍ଣ୍ଣନା କରିଛନ୍ତି । ବ୍ରୁଟନ୍ ଦୁର୍ଗର ସ୍ଥାପତ୍ୟକଳା ସମ୍ପର୍କରେ ପ୍ରଶଂସା କରିଛନ୍ତି ସତ୍ୟ, ମାତ୍ର ସେଠାରେ ଏକ ନଅ ମହଲା ପ୍ରାସାଦ ଥିବା କଥା କେଉଁଠି କହିନାହାନ୍ତି । ସେତେବେଳକୁ ଏହା ଭାଙ୍ଗିଯାଇଥିବା ମଧ୍ୟ ସମ୍ଭବ ନୁହେଁ । ହୁଏତ ଏଭଳି ପ୍ରାସାଦ ସେଠାରେ ଆଦୌ ନଥିଲା । ପ୍ରଶାସକ କିନ୍ତୁ ଦୁର୍ଗ ମଧ୍ୟସ୍ଥ କୌଣସି ଘରେ ରହୁ ନଥିଲେ । ତମ୍ବୁ ହିଁ ଥିଲା ତାଙ୍କର ଶୟନାଗାର । ଅନ୍ୟ ନିର୍ମିତ ଗୃହରେ ଶୟନ କରିବା ଇସ୍‌ଲାମ୍ ଧର୍ମବିରୁଦ୍ଧ ଥିବାରୁ ଏହି ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । କଟକ ସହର ସେତେବେଳେ ବେଶ୍ ଜନାକୀର୍ଣ୍ଣ ଥିବାରୁ ଏହି ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । କଟକ ସହର ସେତେବେଳେ ବେଶ୍ ଜନାକୀର୍ଣ୍ଣ ଥିବାର ବ୍ରୁଟନ୍ କହିଛନ୍ତି । ସେଠାରେ ବିରାଟ ଦୈନିକ ବାଜାର ଥିଲା । ସବୁ ପ୍ରକାର ଜିନିଷର କିଣାବିକା ହେଉଥିଲା । ସହରରେ ଥିଲା ଦୁଇଟି ବିଶାଳ ଫାଟକ । ଗୋଟିଏ ଫାଟକରୁ ଅନ୍ୟ ଫାଟକର ଦୂରତ୍ୱ ଥିଲା ତିନିମାଇଲ । ବାରବାଟୀ ଦୁର୍ଗ ତଥା କଟକର ଏକ ପ୍ରାଚୀନ ବିବରଣୀ ରୂପରେ ଏହି ବର୍ଣ୍ଣନାର ଗୁରୁତ୍ୱ ରହିଛି ।

 

ମରହଟ୍ଟାମାନେ କଟକ ସହର ଓ ବାରବାଟୀ ଦୁର୍ଗର ବହୁ ଉନ୍ନତି କରିଥିବାର କୁହାଯାଉଛି । ସହରରେ ସେମାନଙ୍କର ପ୍ରତିଷ୍ଠିତ ବହୁ ମଠ ମନ୍ଦିର ମଧ୍ୟରୁ ଏବେ ମଧ୍ୟ କିଛି ରହିଛି-। ଇଂରେଜମାନେ ଏହାକୁ ଦଖଲ କରିଗଲା ପରେ ସେମାନେ ଓଡ଼ିଶାକୁ କଟକ ପ୍ରଦେଶ ନାମରେ ନାମିତ କରି ଏହାକୁ ଉତ୍ତରାଞ୍ଚଳ ଓ ଦକ୍ଷିଣାଞ୍ଚଳ–ଏହି ଭଳି ଦୁଇ ଭାଗରେ ବିଭକ୍ତ କରିଥିଲେ । ଦୁଇ ଅଞ୍ଚଳର ସୀମା ଥିଲା ମହାନଦୀ । ୧୮୧୬ ଖ୍ରୀ:ଅ:ରେ ସେମାନେ ପୁରୀଠାରୁ ରାଜଧାନୀ କଟକକୁ ଉଠାଇ ଆଣିଥିଲେ । କଟକ ପ୍ରଦେଶ କେବେ ଓଡ଼ିଶା ପ୍ରଦେଶରେ ପରିଣତ ହୋଇଗଲା ତାହା ଜଣାଯାଏ ନାହିଁ । ବିଂଶ ଶତକର ଦ୍ୱିତୀୟ ଦଶକରେ କଟକ ସହରର ବାଣିଜ୍ୟ ବ୍ୟବସାୟ ସମ୍ପର୍କରେ ବର୍ଣ୍ଣନା କରିଛନ୍ତି ‘ଶ୍ରୀପ୍ରବାସୀ’ (ଛଦ୍ମନାମ) । ‘ଉତ୍କଳ ସାହିତ୍ୟ’ (୨୦ଶ ଭାଗ–୧୧ସଂ–୧୯୧୭)ରେ ସେ ଲେଖୁଚନ୍ତି ‘‘କାଠଯୋଡ଼ି କୂଳଯାକ ନାନା ପଣ୍ୟ ଦ୍ରବ୍ୟର ଗୋଲାରେ ପୂର୍ଣ୍ଣ ଥିଲା-। ମଧ୍ୟପ୍ରଦେଶ ଓ ସମ୍ବଲପୁର ଅଞ୍ଚଳରୁ ଓଡ଼ିଶାର ଗଡ଼ଜାତମାନଙ୍କରୁ ଅସଂଖ୍ୟ ନୌକା ପଣ୍ୟଦ୍ରବ୍ୟ ଘେନି କାଠଯୋଡ଼ିରେ ରହୁଥିଲା । ଚାଉଳ, ରବି, ଗୁଡ଼, ଘିଅ, ତୈଳ ବୀଜ ଆଦି ଶସ୍ୟ ପ୍ରଧାନ ପଣ୍ୟ ଥିଲା । ଦକ୍ଷିଣରୁ ପୁରୀ ଜିଲ୍ଲାରୁ ପାରିକୁଦରୁ କନ୍ଦ, ଲୁଣ, ଶୁଖୁଆ, ଲଙ୍କାମରିଚ ପ୍ରଭୃତି କୁଆଖାଇ ବାଟେ ଆସୁଥିଲା । କଟକ ଓଡ଼ିଶାର ପ୍ରଧାନ ଅନ୍ତର୍ବାଣିଜ୍ୟସ୍ଥଳୀ ଥିଲା । ସେ ସମୟରେ ଚାଉଳ ସେର ପଇସାଏ, ଘିଅ ଟଙ୍କାରେ ଚାରିସେର । କନ୍ଦ ଆଠସେର, ଗୁଡ଼ ଷୋଳସେର, ତେଲ ଦଶସେର । ବିଡ଼ାନାସୀଠାରୁ ରାଜାବଗିଚା ଯାକେ ଚାଉଳ, ମୁଗ, ବିରି ହରଡ଼, କୋଳଥ, ତେଲ, ଘିଅ ଗୁଡ଼ଠାରୁ ଲୁଣ ପର୍ଯ୍ୟନ୍ତର ଗୋଦାମ ଥଲା । ମୁଁ ୧୮୮୪ରେ ଯେତେବେଳେ କଟକ ପଢ଼ିବାକୁ ଆସେ ସେତେବେଳେ ସୁଦ୍ଧା କଟକରେ ଟଙ୍କାକୁ ମୋଟା ଚାଉଳ ୨୦ ସେର ପର୍ଯ୍ୟନ୍ତ, ସରୁ ଚାଉଳ୧୪ ସେର । ମଧ୍ୟଭଳି ଚାଉଳ ୧୬ ସେର, ଘିଅ ସେରେ, ତେଲ ୪ସେର ମିଳୁଥିଲା । କାଳର ଗତି ଅନେକ ପରିବର୍ତ୍ତନ ହୋଇଛି ।’’ ପଢ଼ିବାକୁ ରୂପକଥା ଭଳି ଲାଗୁଥିଲେ ମଧ୍ୟ ଏହି ବର୍ଣ୍ଣନାରେ ଗୋଟିଏ ଅସଙ୍ଗତି ଆମ ଆଖିରେ ପଡ଼ୁଛି । ୧୯୧୭ ମସିହାରେ ମୂଲ୍ୟସୂଚୀ ୧୮୮୪ ମସିହାଠାରୁ ଯଥେଷ୍ଟ କମ୍ ଦେଖାଇ ଦିଆଯାଇଛି କେଉଁ ନିୟମରେ ? ଯାହା ହେଉ, ଫକୀର ମୋହନ ତାଙ୍କ ଯୌବନର ମୂଲ୍ୟସୂଚୀ ସମ୍ପର୍କରେ ଯେଉଁ ବିବରଣୀ ତାଙ୍କ ଆତ୍ମଚରିତରେ ଦେଇଛନ୍ତି, ଏହା ପ୍ରାୟ ତାହାର ପାଖାପାଖି ରହୁଛି ।

 

କଟକ ସହରକୁ ଭଲ ପାଉଥିବା ଉନବିଂଶ ଶତକର ଆଉ ଜଣେ ଇଂରେଜ ପ୍ରଶାସକଙ୍କର ଆତ୍ମଚରିତରୁ କଟକରୁ ଏଠାରେ ଉଦ୍ଧାର କରାଯାଉଛି । ସେ ହେଉଛନ୍ତି କଟକର କଲେକ୍ଟର / କମିଶନର ଜନ ବୀମ୍‌ସ୍‌ । ସେ ୧୮୭୩ ପର୍ଯ୍ୟନ୍ତ କଟକରେ ଥିଲେ । ସେ ସମୟରେ କଟକର ଚଉଡ଼ା ଛାୟା ଘେରା ରାସ୍ତା, ସବୁଜ ପାରେଡ଼୍‌ ପଡ଼ିଆ, ଛବିଳ ଘରଦ୍ୱାର, ସୁନୀଳ ପର୍ବତ ଘେରା ଦୁଇନଦୀର ମଧ୍ୟରେ ଥିବା କଟକ ସହର ବୀମ୍‌ସ୍‌ଙ୍କୁ ମୁଗ୍ଧ କରିଥିଲା । କଟକ ଏକ ବାଣିଜ୍ୟ ପେଣ୍ଠ ହୋଇଥିବାରୁ ପ୍ରତିଦିନ ବହୁ ଲୋକ ଏଠାକୁ ଆସୁଥିଲେ । ଏଭଳି ଦ୍ୱିତୀୟ ସହର ସେ ଭାରତରେ ଦେଖିନାହାନ୍ତି ବୋଲି ଲେଖିଛନ୍ତି । ବୀମ୍‌ସ୍‌ ରହୁଥିଲେ କାଡଯୋଡ଼ି କୂଳର କଚେରୀଠାରୁ ପ୍ରାୟ ୫ କି:ମି :–ଦୂର ଚାଉଳିଆଗଞ୍ଜର ଏକ ସୁନ୍ଦର ବଙ୍ଗଳାରେ । ଚାଉଳିଆଗଞ୍ଜ ଖୋଲା ପ୍ରଶସ୍ତ ଓ ନଦୀ ନିକଟବର୍ତ୍ତୀ ଏକ ସ୍ଥାନ ହୋଇଥିବାରୁ ସ୍ୱଚ୍ଛବାୟୁ ମିଳୁଥିଲା । ନିକଟରେ ଘୋଡ଼ାଦୌଡ଼ ପଡ଼ିଆ (ବର୍ତ୍ତମାନର ରେଭେନ୍ସା କଲେଜ ପରିସର) ଥିଲା । ତାଳଦଣ୍ଡା କେନାଲ ଥିଲା । ବିସ୍ତୃତ ପରିସର ବିଶିଷ୍ଟ ଧାଡ଼ିଧାଡ଼ି ଘର ସେ ଅଞ୍ଚଳରେ ବହୁତ ଥିଲା । ସହର ଭିତରେ ଏ ଅଞ୍ଚଳଟି ଥିଲା ବେଶ୍‌ ସ୍ୱାସ୍ଥ୍ୟକର ।

 

ମରହଟ୍ଟା ଅମଳରୁ କଟକରେ ସୈନ୍ୟ ଛାଉଣି ରହୁଥିଲା । ଇଂରେଜମାନେ ମଧ୍ୟ କ୍ୟାଣ୍ଟନ୍‌ମେଣ୍ଟ ରୋଡ଼ରେ ମାଡ଼୍ରାସ ରେଜିମେଣ୍ଟର ଏକ କମ୍ପାନୀକୁ ରଖିଥିଲେ । କଟକ ଥିଲା ଏକ ବ୍ୟସ୍ତ ଚଞ୍ଚଳ ସହର । ଲେଫ୍‌ଟେନାଣ୍ଟ ଗଭର୍ଣ୍ଣର ସାର୍‌ ଉଇଲିୟମ୍‌ ଥରେ କଥା ପ୍ରସଙ୍ଗରେ ବୀମ୍‌ସ୍‌ଙ୍କୁ କହିଥିଲେ ଯେ ଯୋଗାଯୋଗରେ ଅସୁବିଧା ହେଉଥିବାରୁ କୌଣସି ଅଫିସର୍‌ ଏଠାକୁ ଆସିବାକୁ ରାଜି ହୁଅନ୍ତି ନାହିଁ । ମାତ୍ର ଥରେ ଆସିଗଲେ, ଆଉ ସେଠୁ ଯିବାକୁ ଚାହାନ୍ତି ନାହିଁ ।

 

କଟକ ରାଜଧାନୀ ସହର ଥିଲା । ବହୁ ବିଚିତ୍ର ସଂସ୍କୃତିର ଲୋକ ସେଠାରେ ବସବାସ କରୁଥିଲେ । କେହି କାହାରିକୁ ବୁଝୁ ନଥିଲେ କିମ୍ବା କାହା ପ୍ରତି କାହାର ଶ୍ରଦ୍ଧା ନଥିଲା । ତଥାପି ଶାସନ ଗୁଣରୁ ସେମାନେ ଶାନ୍ତିରେ ଥିଲେ । ଏଠାରେ ଲୋକ ଚରିତ୍ର ସହିତ ଅଭ୍ୟସ୍ତ ନଥିବାରୁ ହିଁ ବୀମ୍‌ସ୍‌ ଏଭଳି ମନ୍ତବ୍ୟ ଦେଇଛନ୍ତି । କଟକର ଅବସ୍ଥିତିକୁ ପ୍ରଶଂସା କରି ପୁଣି କେଜାଣି କାହିଁକି ଏହାକୁ ଅସୁବିଧାଜନକ ବୋଲି କହିଛନ୍ତି । ରାଜନୈତିକ ତଥା ସାମରିକ ସୁରକ୍ଷା ଦୃଷ୍ଟିରୁ ଷୋଡ଼ଶ ଶତକରେ ଗଜପତି ଏଇ ସହର ବସାଇଥିଲେ ବୋଲି ସେ ଲେଖିଛନ୍ତି । ଷୋଡ଼ଶ ଶତକରେ ଓଡ଼ିଶାର ରାଜନୈତିକ ସ୍ଥିତି ବିଷୟ ଜାଣିଥିଲେ ବୀମ୍‌ସ୍‌ ଏକଥା ଲେଖି ନଥାନ୍ତେ । ଗଜପତି ଚୌଦ୍ୱାର କଟକ ଛାଡ଼ି (ଯେଉଁଠି ରାଜଧାନୀର ଧ୍ୱଂସାବଶେଷ ସେତେବେଳଯାଏ ଥିଲା) ଏଠାରେ ଛାଉଣି ପକାଇବାରୁ ସ୍ଥାନର ନାମ କଟକ ହେଲା ବୋଲି ଲେଖିଚନ୍ତି ।

 

ସହରକୁ ସୁରକ୍ଷିତ ରଖିବାପାଇଁ ଦୁଇନଦୀର କୂଳେ କୂଳେ ମରହଟ୍ଟାମାନେ ପଥର ବନ୍ଧ ତିଆରି କଲେ । ପଥର ବନ୍ଧର ମରାମତି, ବିସ୍ତାର ପ୍ରଭୃତି କାର୍ଯ୍ୟ ମରହଟ୍ଟାମାନଙ୍କ ଦ୍ୱାରା ହୋଇଥିଲେ ମଧ୍ୟ ଏହା ଯେ, ସେମାନଙ୍କର ଆଗମନର ବହୁ ପୂର୍ବରୁ ନିର୍ମିତ ହୋଇଥିଲା ବୀମ୍‌ସ୍‌ ଏହା ଜାଣି ନଥିଲେ । ନରାଜ ଆନିକଟ ହୋଇସାରିଥିବାରୁ ଏହାର ଗୋଟିଏ ପଟେ ବିପୁଳ ଜଳଭଣ୍ଡାର ଏବଂ ଅନ୍ୟପଟ ଶୁଖିଲା ରହୁଥିଲା । ବର୍ଷାକାଳରେ ସାଧାରଣ ବନ୍ୟାଜଳ ବନ୍ଧ ଦେଇ ବହି ଯାଉଥିଲା । ତେବେ ବନ୍ୟା ଅଧିକ ହେଲେ କଟକ ସହରକୁ ବଂଚାଇବା ପାଇଁ ଇଞ୍ଜିନିୟର୍‌ ମାନଙ୍କୁ ବହୁ ପରିଶ୍ରମ କରିବାକୁ ପଡ଼ୁଥିଲା । ରାଜଧାନୀ ସହର ବିପନ୍ନ ହେଲେ ଶାସନର ଅପାରଗତା ପ୍ରମାଣିତ ହୋଇପଡ଼ିବାର ଆଶଙ୍କାରେ ହିଁ ସେମାନେ ସତର୍କ ହୋଇ ଯାଉଥିଲେ । ଲୋକମାନଙ୍କ ମଧ୍ୟରେ ସେତେବେଳେ ଧ୍ରୁବ ବିଶ୍ୱାସ ଥିଲା ଯେ, କଟକକୁ ବନ୍ୟାଦାଉରୁ ରକ୍ଷା କରିବା ପାଇଁ ସାହେବମାନେ ପ୍ରାୟ ତଳମୁଣ୍ଡରେ ନଦୀ ବନ୍ଧ ହାଣି ଦେଉଥିଲେ । ଲୋକଗୀତରେ ତାହାର ସ୍ମୃତି ଏହିଭଳି :–

 

ସାହେବ ବିଚାରିଲା, କଟକ ଭାସିଗଲା

ନାବଚଢ଼ି ତେଣୁ ଉରାଳିରେ ମିଳିଲା ।

 

ବନ୍ଧ କଟାଇ ଦେଲା ସତ୍ୱର–‘‘ବୀମ୍‌ସ୍‌ ବଡ଼ ପ୍ରାଞ୍ଜଳ ଭାବରେ ବନ୍ୟାର ଦୃଶ୍ୟ ବର୍ଣ୍ଣନା କରିଛନ୍ତି । ଅଦୃଷ୍ଟ ପୂର୍ବ ବନ୍ୟାର ଦୃଶ୍ୟ ତାଙ୍କୁ ଅଭିନବ ମନେ ହୋଇଛି ।

 

ଲାଲବାଗ କୋଠି ବର୍ଣ୍ଣନାରେ ବୀମ୍‌ସ୍‌ ଉଚ୍ଛ୍ୱସିତ । ତାହା ସେ କାଳରେ କମିଶନରଙ୍କ କୋଠ ରୂପରେ ବ୍ୟବହୃତ ହେଉଥିଲା । ଏହି ପରିସରରେ ଥିଲା ଭବ୍ୟ ଉଦ୍ୟାନ ଏବଂ ତହିଁରେ ହରିଣ ଛଡ଼ାଯାଇଥିଲେ । ସହର ଥିଲା ଏହାଠାରୁ ଦୂରରେ । ସେଇ କୋଠି ଏବେ ହୋଇଛି ‘ସର୍ଦ୍ଦାର ବଲ୍ଲଭଭାଇ ପଟେଲ ସ୍ନାତକୋତ୍ତର ଶିଶୁ ଚିକିତ୍ସାଳୟ’ ଏହାପରେ ବିମ୍‌ସ୍‌ ସହରର ଅଫିସ୍‌, କଚେରୀ, ସ୍କୁଲ କଲେଜ୍‌ ସମ୍ପର୍କରେ ସୂଚନା ଦେଇ ଲେଖିଛନ୍ତି, ଯେ, ସେ ସମୟରେ କଟକରେ ବିଶେଷ କୋଠାବାଡ଼ି ନଥିଲା । କେତୋଟି ବଡ଼ ମନ୍ଦିର ଥିଲା । ଉତ୍ତରରେ ସେନାଛାଉଣି, ପରେଡ଼୍‌ ପଡ଼ିଆ (ବର୍ତ୍ତମାନର ଜିଲ୍ଲାପଡ଼ିଆ), ୟୁରୋପୀୟ କଲୋନୀ, ବାରବାଟୀ ଦୁର୍ଗ ମଧ୍ୟସ୍ଥ ସରକାରୀ ବାସଗୃହ–ଏ ସବୁ ଥିଲା । ଦୁଇ ନଦୀର ମଧ୍ୟବର୍ତ୍ତୀ ଅଞ୍ଚଳ ପାଞ୍ଚମାଇଲ ଲମ୍ୱ ଓ ଦୁଇମାଇଲ ଚଉଡ଼ା ଥିଲା । ମହାନଦୀ କୂଳରେ ସହରର ଦକ୍ଷିଣ ପୂର୍ବ ଅଞ୍ଚଳରେ ଥିଲା ଯୋବ୍ରାର କାରଖାନା ।

 

ଯୋବ୍ରା ସେ ସମୟରେ ଗୋଟିଏ ଛୋଟ ଗାଁ । ଜର୍ଜ ଫକନର୍‌ ଥିଲେ ସେଠାକାର କାରାଖାନାର ଦାୟିତ୍ୱରେ । ଶାସନ ଆଇନ୍‌ କାନୁନ୍‌ ସେ ଆଦୌ ମାନୁ ନଥିଲେ । ତେବେ ନିଜ କାମଟିକୁ ଭଲ ବୁଝିଥିଲେ । ତେଣୁ ଶାସନ ତାଙ୍କୁ କୌଣସିମତେ ସହ୍ୟ କରୁଥିଲା । ତାଙ୍କ ସହିତ ଗୋଦାବରୀ ଅଞ୍ଜଳରୁ ଆସିଥିଲେ ଦଳେ ତେଲେଙ୍ଗା ଶ୍ରମିକ । ସେମାନଙ୍କର ନାରୀ ଘଟିତ ବ୍ୟାପାରକୁ ନେଇ କାରଖାନ ଅଞ୍ଚଳ ପ୍ରାୟ ଅଶାନ୍ତ ରହୁଥିଲା । ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ଫକନର୍‌ ବାହାର କରିଥିଲେ ନିଜସ୍ୱ ଫର୍ମୁଲା । ଗୋଟିଏ ମୋଟ ଖାତାରେ ସେ ସ୍ତ୍ରୀ ପୁରୁଷଙ୍କ ନାମ ଦରଜ କରି ନିଜ ନିଜ ପାଇଁ ସ୍ଥାୟୀ ସାଥି ବାଛି ନେବାକୁ ସେମାନଙ୍କୁ ଆଦେଶ ଦେଇଥିଲେ । ଗୋଟିଏ ଟଙ୍କା ବିନିମୟରେ ସେ ସେମାନଙ୍କୁ ବିବାହିତ ଘୋଷଣା କରିଦେଉଥିଲେ । ପରେ ଯେଉଁମାନେ ଆସିଲେ ସେମାନେ ଏହି ନିୟମ ମାନିବାକୁ ବାଧ୍ୟ ରହିଲେ । ଯେ ସ୍ତ୍ରୀ ଛାଡ଼ି ପଳାଉଥିଲା, ତା’ ସ୍ତ୍ରୀକୁ ଅନ୍ୟଜଣଙ୍କ ସହିତ ବିବାହ କରି ଦିଆଯାଉଥିଲା । ଫଳରେ ସେ ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠିତ ହୋଇଥିଲା । ଫଜନର୍‌ଙ୍କର ଦୟା ଧର୍ମ ଥିଲା । ସେ ସେଠାରେ ପିଲାମାନଙ୍କ ପାଇଁ ପାଠଶାଳା ବସାଇଥିଲେ । ପିଲା ବଡ଼ ହେଲେ କାରଖାନାରେ ଚାକିରି ଦେଉଥିଲେ ।

 

ବୀମ୍‌ସ୍‌ ନିୟମିତ ଭାବରେ ଘୋଡ଼ାରେ ସହର ପରିକ୍ରମା କରି ଏହାର ସମସ୍ୟା ପ୍ରତି ଲକ୍ଷ ରଖୁଥିଲେ । ରାସ୍ତା ଘାଟର ସଂସ୍କାର କରାଉଥିଲେ । ଡାକ୍ତରଖାନା ଖୋଲିବା ପାଇଁ ପଦକ୍ଷେପ ନେଇଥିଲେ । ସହରର ସୌନ୍ଦର୍ଯ୍ୟ ନିମନ୍ତେ ଚିନ୍ତା କରୁଥିଲେ । ଦୁଇଟି କାରଣରୁ ସେ ଲାଲ୍‌ବାଗ୍‌ ଅଞ୍ଚଳରେ ଥିବା ପୁରୁଣା ହାଟକୁ ଅନ୍ୟତ୍ର ଉଠାଇନେବା କିମ୍ବା ତାକୁ ଭାଙ୍ଗି ନୂଆ ରୁପରେ ଗଢ଼ିବାର ଚେଷ୍ଟା କରିଥିଲେ । ହାଟ ଘରଗୁଡ଼ିକ ପୁରୁଣା ଏବଂ ଭଗ୍ନାବସ୍ଥାରେ ଥିବାରୁ ସେ ଅଞ୍ଚଳ ଅପରିଷ୍କାର ହେଉଥିଲା । ନୂଆ ଘର ତିଆରି ତେଣୁ ଥିଲା ଏକ ଅପରିହାର୍ଯ୍ୟ ଆବଶ୍ୟକତା । କୟାଳ (ମାପ / ଓଜନକାରୀ)ମାନେ ନିରଙ୍କୁଶ କ୍ଷମତାର ଅଧିକାରୀ ହୋଇ ବ୍ୟବସାୟୀ ଓ ଖାଉଟି-ଦୁଇପକ୍ଷକୁ ଠକୁଥିଲେ । ସେମାନଙ୍କ ବାହୁବଳ ନିକଟରେ ଅନ୍ୟମାନେ ଶଙ୍କି ରହିଥିଲେ ।

 

ବିମ୍‌ସ୍‌ ହାଟକୁ ନୂଆ ରୂପ ଦେବା ନିମନ୍ତେ ଚେଷ୍ଟା କରି ଅସଫଳ ହେଲେ । କୟାଳମାନେ ତାହା କରାଇ ଦେଲେ ନାହିଁ । ସେ କାଳର ଦାଦାମାନଙ୍କ ବିରୋଧରେ ପଦକ୍ଷେପ ନେବା ଭଳି ସାମର୍ଥ୍ୟ ଓ ମାନସିକତା ବୀମ୍‌ସ୍‌ଙ୍କର ଥିଲା । ତେବେ ସେ ଗଣ୍ଡଗୋଳ ଭିତରକୁ ଯିବାକୁ ଚାହୁଁ ନଥିଲେ । ନୂଆ ସ୍ଥାନରେ ନୂଆ ମାର୍କେଟଟିଏ ବସାଇବା ପାଇଁ ଶେଷରେ ସେ ବର୍ତ୍ତମାନର ମ୍ୟୁନିସିପାଲଟି ପରିସରରେ ଏଥିପାଇଁ ସ୍ଥାନ ପାଇଯାଇଥିଲେ । ହାଟ ପରିସରକୁ ସୁସଜ୍ଜିତ କରିବା ପାଇଁ ବୀମ୍‌ସ୍ ଯାହା କରିଥିଲେ, ଏହାପରେ ସବୁ କଥା ବିସ୍ତୃତ ଭାବରେ ବର୍ଣ୍ଣନା କରିଛନ୍ତି । ହାଟ ଅଳ୍ପ ଦିନ ଭିତରେ ଜମିଯାଇଥିଲା ଏବଂ କୟାଳମାନଙ୍କର ଏଠାକୁ ପ୍ରବେଶ କରିବା ଉପରେ ନିଷେଧାଦେଶ ଜାରି ହେଲା ।

 

ସାହେବ ସ୍ମୃତିକଥାରେ ଫଲସ୍‌ ପଏଣ୍ଟ / ବତୀଘର ଓ ହୁକିଟୋଲା କଥା, ବତୀଘର ଓ ହୁକିଟୋଲା ନାମକରଣର ଇତିହାସ ସମ୍ପର୍କରେ ବର୍ଣ୍ଣନା କରିଛନ୍ତି । ବାରବାଟି ଦୁର୍ଗର ପଥର ନିଆଯାଇ ବତୀଘର ନିର୍ମିତ ହୋଇଥିଲା । ବିମ୍‌ସ୍‌ ସେତେବେଳକୁ କଟକରେ । ଐତିହାସିକ ସ୍ମୃତିକୁ ଭଙ୍ଗାଯାଇ ଯେତେ ରାସ୍ତା, ହୁକିଟୋଲା, ବତୀଘର ପ୍ରଭୃତି ତିଆରି ହେଉଥିଲା ଜଣେ ସଂସ୍କୃତି ସଚେତନ ବ୍ୟକ୍ତି ହିସାବରେ ତାଙ୍କର ପ୍ରତିବାଦ କରିବାର ନଥିଲା କି ?

 

ଓଡ଼ିଆମାନେ ସ୍ୱଭାବତଃ ଅଳସୁଆ ଏବଂ ନିଷ୍କ୍ରିୟ ବୋଲି ବିମ୍‌ସ୍‌ ମନ୍ତବ୍ୟ ଦେଇଛନ୍ତି । ସେ କଟକରେ ଥିଲେ ପ୍ରାୟ ସାଢ଼େ ଚାରିବର୍ଷ । ଏଥିରୁ ଗୋଟିଏ ବର୍ଷ କମିଶନର ଏବଂ ଅନ୍ୟ ସମୟତକ କଲେକ୍ଟର ରୂପେ କାମ କରିଛନ୍ତି । କଲେକ୍ଟର ଥିବା ସମୟରେ ଲୋକଙ୍କ ଘନିଷ୍ଠ ସମ୍ପର୍କରେ ଆସିଛନ୍ତି । ସେମାନଙ୍କ ସମ୍ପର୍କରେ ତାଙ୍କର ଧାରଣା ଭଲ ନୁହେଁ । ତେବେ କଟକ ତାଙ୍କୁ ଭଲ ଲାଗିଛି ବୋଲି ଏକାଧିକବାର ଉଲ୍ଲେଖ କରିଛନ୍ତି । କଟକର କୌଣସି ମାନ୍ୟଗଣ୍ୟ ଲୋକଙ୍କ କଥା ବା ନାମ ତାଙ୍କ ଆତ୍ମକଥାରେ ନାହିଁ । ତେବେ ଏଠାର ଭୌଗୋଳିକ ସ୍ଥିତି ଜନଜୀବନ, ଶାସନ ବ୍ୟବସ୍ଥା, ଲୋକ ଚରିତ୍ର, ଆନନ୍ଦ ଉତ୍ସବ ପ୍ରଭୃତିର ବିବରଣୀ ଯଥାସମ୍ଭବ ସେ ତାଙ୍କ ଆତ୍ମକଥାରେ ଦେଇଛନ୍ତି । ୧୮୭୭ ମସିହାରେ ମହାରାଣୀଙ୍କୁ ଭାରତ ସାମ୍ରାଜ୍ଞୀ ରୂପରେ ଘୋଷଣା କରିବା ନିମନ୍ତେ କଟକରେ ଯେଉଁ ଦରବାର ହୋଇଥିଲା, ତାହାର ବ୍ୟବସ୍ଥା ତାଙ୍କୁ ନିଜକୁ କରିବାକୁ ପଡ଼ିଥିଲା । ସେ ସମୟରେ ଉତ୍ସବ ମୁଖରେ କଟକର ଏକ ବିସ୍ତୃତ ବର୍ଣ୍ଣନା ତାଙ୍କ ଜୀବନରେ ରହିଛି-। ପୁରୀ ଗଜପତି ସନ୍ୟାସୀ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ କିଭଳି କଳାପାଣି ଗଲେ, ତାହା ମଧ୍ୟ ଉଲ୍ଲେଖ କରିବାକୁ ସେ ଭୁଲିନାହାନ୍ତି । ୧୮୭୮, ଜାନୁୟାରୀ ୧୪ ତାରିଖରେ ବିମ୍‌ସ୍‌ ଚିଟାଗଙ୍ଗ ବଦଳି ହୋଇ କଟକ ଛାଡ଼ିଥିଲେ ।

 

କଟକର ହିନ୍ଦୁ ଓ ମୁସଲମାନ୍ କୀର୍ତ୍ତି ପ୍ରସଙ୍ଗରେ ଆଲୋଚନା ଆରମ୍ଭ କଲାବେଳକୁ ପ୍ରଥମେ ଆଖିଆଗକୁ ଆସେ ଏହାର ପଥର ବନ୍ଧ । ତିନିଆଡ଼ୁ ନଦୀଦ୍ୱରା ପରିବେଷ୍ଟିତ ଏହି ସହରକୁ ବଞ୍ଚାଇବା ପାଇଁ କୂଳକୁ ପଥର ଦ୍ୱାରା ବାନ୍ଧି ଦିଆଯାଇଛି ଏବଂ ଏହା ଦ୍ୱାରା ମୃତ୍ତିକା କ୍ଷୟ ବନ୍ଦ ହୋଇ ସହର ରକ୍ଷା ପାଇଯାଇଛି । ନଚେତ୍‌ ଏତେବେଳକୁ ଏହାର ସତ୍ତା ନଥା’ନ୍ତା । ଏହି ପଥର ବନ୍ଧ ନିର୍ମାଣ କରିଥିଲେ କଟକ ସହର ସ୍ଥାପୟିତା ନୃପକେଶରୀଙ୍କ ସୁଯୋଗ୍ୟ ପୁତ୍ର; ମର୍କତ କେଶରୀ । ତାଙ୍କ ରାଜତ୍ୱର ୧୬ ବର୍ଷରେ ଅର୍ଥାତ୍‌୧୦୦୬ ମସିହାରେ କାଠଯୋଡ଼ି ପଥର ବନ୍ଧ ନିର୍ମିତ ହୋଇଥିବାର କୁହାଯାଏ । ଚହଟା ଘାଟଠାରୁ ପୁରୀଘାଟ ପର୍ଯ୍ୟନ୍ତ ବନ୍ଧ ତାଙ୍କରି କୀର୍ତ୍ତି । ସେପଟେ ଚହଟାରୁ ଯୋବ୍ରାଯାଏ ମଧ୍ୟ ପଥର ବନ୍ଧ ତିଆରି କରାଯାଇଛି । ଏହି ପଥର ବନ୍ଧ ହେଉଛି କଟକର ପ୍ରଚୀନତମ କୀର୍ତ୍ତି । କଟକ ସୁରକ୍ଷା ନିମନ୍ତେ ଏହା ଏକ ପ୍ରଚୀର କହିଲେ ଚଳେ । ସହରରୁ ଯାନବାହନର ଚାପ କମାଇବା ପାଇଁ ଗତ ଶତକର ଅଷ୍ଟମ ଦଶକରେ ଏହା ଚାରିପଟେ ଦୁଇନଦୀର କୂଳେକୂଳେ ଏକ ରିଂବନ୍ଧ ପ୍ରସ୍ତୁତ କରାଯାଇଛି । ଏହି ବନ୍ଧ ଫଳରେ ହଜାର ବର୍ଷ ତଳର ସେହି ଐତିହାସିକ ପଥର ବନ୍ଧ ସମ୍ପୂର୍ଣ୍ଣ ନିଶ୍ଚିହ୍ନ ହୋଇଯାଇଛି ।

 

ପଥର ବନ୍ଧ ହେଉଛି ସେ ଯୁଗର କାରିଗରୀ-କୌଶଳର ଏକ ବିସ୍ମୟକର ଦୃଷ୍ଟାନ୍ତ । ପାଖରେ କୌଣସି ବଡ଼ ବା ସାନ ପାହାଡ଼ ପର୍ବତ ନାହିଁ । ଏତେ ସଂଖ୍ୟକ ପଥର କେଉଁଠୁ କିଭଳି ଅଣାଗଲା ତାହା ପ୍ରକୃତରେ ଆଶ୍ଚର୍ଯ୍ୟଜନକ । ସିମେଣ୍ଟ ସେ ଯୁଗରେ ନଥିଲା, ତେବେ ପଥର ଯୋଡ଼ାଗଲା କିପରି ? ଏହି ବନ୍ଧ ସମ୍ପର୍କରେ ଇଂରେଜ ଯନ୍ତ୍ରୀ ଲେଫ୍‌ଟେନାଣ୍ଟହାରିସ୍‌ ଲେଖୁଛନ୍ତି, ‘ପଥର ବନ୍ଧଟି କୌଣସି ଏକ ନିଦ୍ଦିଷ୍ଟ ଶୈଳୀ ବା ଶୃଙ୍ଖଳାରେ ନିର୍ମିତ ହୋଇନାହିଁ । କେଉଁଠି ଏହା କେବଳ କାନ୍ଥଭଳି ଠିଆ ହୋଇଛି ତ ଆଉ କେଉଁଠି ଏହା ବନ୍ଧ ଭଳି ନିର୍ମିତ ହୋଇଛି । ବଡ଼ ବଡ଼ ମାଙ୍କଡ଼ା ପଥର ଓ ବାଲିପଥର କାଦୁଅରେ ଯୋଡ଼ି ତା’ ଉପରେ ଚୂନପଲସ୍ତରା ମଡ଼ାଇ ଦିଆ ଯାଇଛି । ସ୍ଥାନେ ସ୍ଥାନେ ଏହା ୧୭’’ ରୁ ୩୬’’ ଉଚ୍ଚ । ଉପରର ଓସାର ତିନି ଫୁଟ ଓ ଓସାର ପାଞ୍ଚଫୁଟରୁ ଆଠ ଫୁଟ । ଏହି ବନ୍ଧର କୌଣସି ମୂଳଦୁଆ ଥିବା ପରି ଜଣାଯାଉନାହିଁ । ଅନୁମାନ କରାଯାଉଛି ଯେ, ମାଟି ଉପରେ ପ୍ରଥମେ କେବଳ ପଥର ବସାଇ ବନ୍ଧ ପ୍ରସ୍ତୁତ ହୋଇଥିଲା ଏବଂ କାଳକ୍ରମେ ତାହା ଆପେ ଆପେ ବସିଯାଇଛି ।’’ ହାରିସ୍‌ ସାହେବ ଜଣେ ପାସ୍‌କରା ବିଦେଶୀ ଇଞ୍ଜିନିୟର୍‌ । ତାଙ୍କ ମନ୍ତବ୍ୟକୁ ନିଶ୍ଚୟ ଗ୍ରହଣ କରିବାକୁ ହେବ । ତେବେ ବନ୍ଧର କୌଣସି ମୂଳଦୁଆ ନାହିଁ ବୋଲି ସେ ଲେଖିଛନ୍ତି । ୩୬’’ ଉଚ୍ଚର ଗୋଟିଏ ବନ୍ଧ ମୂଳଦୁଆ ନଥାଇ ପୁଣି କେବଳ କାଦୁଅରେ ଯୋଡ଼ା ଯାଇ ହଜାରେ ବର୍ଷ ଧରି ଠିଆ ହେବ–ଏ ବିଷୟରେ ଇଞ୍ଜିନିୟରିଂ ଶାସ୍ତ୍ର କ’ଣ କହୁଛି, ତାହା ଆମକୁ ଜଣାନାହିଁ । ସାଧାରଣ ବୁଦ୍ଧିରେ ଆମେ ଜାଣୁ, ଏହିଭଳି ବନ୍ଧ ଅଳ୍ପ କିଛି ଦିନପାଇଁ ହୁଏତ ଠିଆ ହୋଇପାରେ । ତେବେ ଅଚିରେ ଏହାର ପତନ ଅନିବାର୍ଯ୍ୟ । ତାହା ଯେତେବେଳେ ହୋଇନାହିଁ, ଆମକୁ ସେକାଳର ଓଡ଼ିଆ ସ୍ଥାପତିମାନଙ୍କୁ ଅଭିବାଦନ ଜଣାଇବାକୁ ପଡ଼ିବ ଏବଂ ସାହେବଙ୍କୁ ମନ୍ତବ୍ୟକୁ ଅଭିସିନ୍ଧି ମୂଳକ ବୋଲି କୁହାଯିବ । ସାହେବ ପଖାଳଖିଆ ମୂର୍ଖ ଓଡ଼ିଆଙ୍କୁ ଈର୍ଷା କରିଛନ୍ତି ।

 

ଐତିହାସିକ ମନ୍ମଥନାଥ ଦାସ ଏଥିପାଇଁ ଓଡ଼ିଆ ସ୍ଥପତିମାନଙ୍କ କାରିଗରୀ କୌଶଳ ସମ୍ପର୍କରେ ଉଚ୍ଚ ପ୍ରଶଂସା ସୂଚକ ମନ୍ତବ୍ୟ ଦେଇ ‘‘Glimpses of Kalinga History ରେ ଲଖିଛନ୍ତି,’’ But the Keshari King was too great an engineer to save his Capital from the threat of flood. Strong and huge stone embankments were raised on either side of Cuttack, facing river Mahanadi on the right and Kathjori on the left. The stone embannkmets of Cuttack are rarely aunique fact of the ancient engineering skill of Kalinga. Defyig the fury of flood year in and year out for hundred of years, these embankments protect the city of Cuttack from utter demolition uptill now.’’ ଏହାର ଦୃଷ୍ଟାନ୍ତ ଖୋଜିଲେ ଖୁବ୍‌ ବେଶି ମିଳିବ ନାହିଁ । ବିଭିନ୍ନ ସମୟରେ ଏହି ବନ୍ଧର ସଂସ୍କାର ଅବଶ୍ୟ ହୋଇଛି । ମରହଟ୍ଟାମାନେ କିଛି ମରାମତି କରିଥିଲେ । ଇଂରେଜମାନେ ଏହାର ଉଚ୍ଚତାକୁ ବଢ଼ାଇଥିଲେ ଏବଂ କାଠଯୋଡ଼ିରେ ପୁରୀଘାଟଠାରୁ ଏହାକୁ ଖାନ୍‌ନଗର ପର୍ଯ୍ୟନ୍ତ ବିସ୍ତୃତ କରିଥିଲେ-। ନଦୀ କୂଳେ କୁଳେ ଲୋକଙ୍କ ବ୍ୟବହାର ପାଇଁ ଅସଂଖ୍ୟ ଘାଟ ନିର୍ମାଣ କରିଥିଲେ । ଘାଟରେ ପ୍ରତିଷ୍ଠତ ଥିଲେ ବହୁ ଦେବଦେବୀ । କିଛି ଘାଟ ନୂଆ ରୂପରେ ପୁରୁଣା ନାମନେଇ ରହିଯାଇଛନ୍ତି । କାଠଯୋଡ଼ୀ ନଦୀରେ ହନୁମାନଘାଟ, ଗଣେଶଘାଟ, ହାତୀଗଡ଼ ଘାଟ, ଦେବୀଗଡ଼ା ବା ପୁରୀଘାଟ, ଖାନ୍‌ନଗର ଘାଟ ପ୍ରଭୃତି ଏବେ ବି ରହିଛି । ସେହିଭଳି ମହାନଦୀରେ ଫାଶୀଦିଆ ବର, ଗୋରାକବର, ଗଡ଼ଗଡ଼ିଆ, ମାତାମଠ, ଯୋବ୍ରା ପ୍ରଭୃତି ସ୍ଥାନରେ ଘାଟ ରହିଛି । ହରିହର ଘାଟ, ସତୀଚଉରା ଘାଟ ପ୍ରଭୃତି କେତେକ ଘାଟ ଆଉ ନାହିଁ । ନଦୀ ଶଯ୍ୟା ରିଂ ବନ୍ଧ ଯୋଗ ବହୁ ଦୂରକୁ ଘୁଞ୍ଚିଯାଇ ସେଠାରେ ସିଡ଼ିଏର ଘଞ୍ଚ ଜନବସତି ଗଢ଼ିଉଠିଛି ।

 

ଅଧିକାଂଶ ଘାଟର ନାମ ବ୍ୟବହାର ଭିତ୍ତିକ କିମ୍ୱା ଦେବୀଦେବତା ଭିତ୍ତିକ ଥିଲେ । ଯେତେବେଳେ କାଠଯୋଡ଼ି ନଦୀରେ ପୋଲ ହୋଇନଥିଲା ସେତେବେଳେ ପୁରୀ, ଭୁବନେଶ୍ୱର ଯାତ୍ରୀ ଯେଉଁଠି ନଦୀପାର ହୋଉଥିଲେ, ସେଠାରେ ଘାଟର ନାମ ଥିଲା ପୁରୀଘାଟ । ପ୍ରଶାସନର ବା ସାମନ୍ତମାନଙ୍କ ହାତୀ ଯେଉଁଠି ଗଳସ୍ନାନ ନିମନ୍ତେ ନଦୀଗର୍ଭକୁ ଗଡ଼ୁଥିଲେ, ସେ ସ୍ଥାନର ନାମ ଥିଲା, ହାତୀଗଡ଼ା ଘାଟ । ଦେବତାମାନଙ୍କ ନାମରେ ଥିଲା ଗଣେଶ ଘାଟ, ହନୁମାନ ଘାଟ, ହରିହର ଘାଟ, ଗଡ଼ଗଡ଼ିଆ ଘାଟ ପ୍ରଭୃତି । ସ୍ଥାନର ନାମାନୁସାରେ କିମ୍ବା ବିଶେଷ କୌଣସି ପରିଚିତ ବସ୍ତୁର ନାମାନୁସାରେ ମଧ୍ୟ କେତୋଟିର ନାମକରଣ କରାଯାଇଛି । ଇଂରେଜ ଅମଳରୁ କୁଖ୍ୟାତ ଫାଶୀଦିଆ ବରଗଛ ପାଖରେ ଘାଟ ଏହି ଭଳି ଭାବରେ ଫାଶୀଦିଆ ବରଘାଟ ନାମରେ ପରିଚିତ ଥିଲା । ଜଳସ୍ରୋତର ତୀବ୍ରତାକୁ ରୋକିବା ପାଇଁ ବନ୍ଧର କିଛିଅଂଶକୁ ନଦୀ ଭିତରକୁ ପ୍ରସାରିତ କରି ବୁରୁଜ ସୃଷ୍ଟି କରାଯାଇଥିଲା । ଏ ଭଳି ବୁରୁଜ ଏବେ ମଧ୍ୟ ରହିଛି । ଏ ସବୁ ସତ୍ତ୍ୱେ ଯଦି ଓଡ଼ିଆ ସ୍ଥାପତିମାନଙ୍କର ଉଚ୍ଚ କାରିଗରୀ ଜ୍ଞାନ ଉପରେ ପ୍ରଶ୍ନଚିହ୍ନ ଲଗାଇ ଦିଆଯିବ, ତେବେ ଆମେ ନାଚାର ।

 

ପ୍ରତ୍ୟେକ କୀର୍ତ୍ତି ସହିତ କିଛି ନା କିଛି ଜନଶ୍ରୁତି ବା କିମ୍ବଦନ୍ତୀ ଜଡ଼ିତ ଥାଏ । ପଥର ବନ୍ଧ ନିର୍ମାଣ ସମ୍ପର୍କରେ ମଧ୍ୟ ସେଭଳି ଏକ କିମ୍ବଦନ୍ତୀ ପ୍ରଚଳିତ । ଆତ୍ମତ୍ୟାଗ ଓ ନିଃସ୍ୱାର୍ଥ ଭାବନା ଏକ ଦୃଷ୍ଟାନ୍ତ ରୂପରେ ତାହା ଏବେ ମଧ୍ୟ ଆମ ପାଖରେ ରହିଛି । କିମ୍ୱଦନ୍ତୀଟି ଏହିଭଳି । କଟକ ଅନ୍ତଃପାତି ବିଡ଼ାନାସୀ ଗ୍ରାମରେ ଥିଲେ ମର୍କତ କେଶରୀଙ୍କ ସମୟରେ ଜଣେ ମହାରଣା । ନାମ ବାଇମୁଣ୍ଡି । ବନ୍ୟା ଉତ୍ପତିରେ ପ୍ରତ୍ୟେକ ବର୍ଷ କଟକର ଯେଉଁ କ୍ଷୟକ୍ଷତି ହୋଉଥିଲା ଏବଂ କୂଳଖାଇ କଟକର କ୍ଷେତ୍ରଫଳ ଯେଉଁଭଳି ନିୟମିତ ଭାବରେ ହ୍ରାସ ପାଇବାର ଲାଗିଥିଲା, ମହାରଣା ଥିଲେ ତାହାର ଭୁକ୍ତଭୋଗୀ । ଏହାକୁ କିଭଳି ସବୁଦିନ ପାଇଁ ବନ୍ଦ କରାଯାଇପାରିବ, ସେଥିପାଇଁ ଉପାୟ ଚିନ୍ତା କରୁଥିଲେ । ମାତ୍ର ନଥିଲା ତାଙ୍କର ଜନବଳ ନା ଧନବଳ । ସେ ବା କ’ଣ କରିପାରିବେ ?

 

ଗଭୀର ଏବଂ ଏକାଗ୍ର ଚିନ୍ତା ଫଳରେ ଉପାୟଟିଏ କିନ୍ତୁ ତାଙ୍କମୁଣ୍ଡରୁ ବାହାରିଥିଲା । ନଈକୁ ପଥରରେ ବାନ୍ଧି ତା’ ବିଷଦାନ୍ତକୁ ଭାଙ୍ଗିବାକୁ ପଡ଼ିବ । ଏ କାମ କେବଳ ଦେଶର ରାଜା ହିଁ କରିପାରିବେ । ତାଙ୍କ ପାଖରେ ପହଞ୍ଚି କୌଣସି ମତେ ସମସ୍ୟାଟି ବୁଝାଇ ଏଇ କାମ ପାଇଁ ତାଙ୍କୁ ପ୍ରଭାବିତ କରିବାକୁ ପଡ଼ିବ । କେଉଁ ଉପାୟରେ ଜଣେ ସହାୟ ସମ୍ବଳହୀନ ମହାପରାକ୍ରାନ୍ତ କେଶରୀ ସମ୍ରାଟ ମର୍କତ କେଶରୀଙ୍କ ପାଖରେ ପହଞ୍ଚି ତାଙ୍କୁ ସମସ୍ୟାର ଗୁରୁତ୍ୱ ସମ୍ପର୍କରେ ବିଶ୍ୱାସ କରାଇ ପାରିଥିଲେ ସେ ଅନ୍ୟ ଏକ କାହାଣୀ, ତେବେ ରାଜା ତାଙ୍କ ଦ୍ୱାରା ଅନୁପ୍ରାଣିତ ହୋଇଥିଲେ ଏବଂ ଉଭୟ ନଦୀର ତୀରକୁ ପଥରରେ ବାନ୍ଧିଦେବା ନିମନ୍ତେ ନିଜର ସିଦ୍ଧାନ୍ତ ଘୋଷଣା କରିଥିଲେ-

 

ରାଜାମାନେ ରାଜ୍ୟଜୟ ଏବଂ ଳୁଟପାଟରୁ ପ୍ରାପ୍ତ ସମ୍ପତ୍ତିକୁ ସ୍ଥାୟୀ ନିର୍ମାଣରେ ଲଗାଇ ଇତିହାସ ପୃଷ୍ଠାରେ କାଳକାଳକୁ ଅମର ହୋଇରହିଛନ୍ତି ବୋଲି ସେମାନଙ୍କୁ ସମାଲୋଚନା କରାଯାଏ । ତେବେ ସେଇ କୀର୍ତ୍ତି ଯେ ଛତ୍ତର- ପିଢ଼ି ପାଇଁ ପ୍ରେରଣାଦାୟକ ତଥା ଗର୍ବ ଓ ଗୌରବର ବିଷୟ ହୋଇଯାଏ–ଏ କଥା ସେତେବେଳେ ବିଚାରକୁ ନିଆଯାଏ ନାହିଁ । ଜାତିର ଐତିହ ସହିତ ଏହି ସବୁ ଲୁଟାର୍ଜିତ ସମ୍ପତି ଦ୍ୱରା ନିର୍ମିତ କୀର୍ତ୍ତିର ସମ୍ପର୍କ କିଭଳି ଥାଏ ଏବଂ ତାହା କିଭଳି ଜାତିର ପରିଚୟ ହୋଇଯାଏ, ଏହା କାହାରିକୁ ଅଜଣା ନାହିଁ । କୋଣାର୍କ, ପୁରୀ ଏବଂ ଭୁବନେଶ୍ୱରର ତିନୋଟି ମନ୍ଦିର ଯଦି ନଥାନ୍ତା ତେବେ ଆଜି ବିଶ୍ୱ ଦରବାରରେ ଓଡ଼ିଆର ପରିଚୟ କିଭଳି ହୁଅନ୍ତା ?

 

ତା’ ପରେ ସେଇ ପଥର ବନ୍ଧ ହେଲା । କଟକ ସହର ଧ୍ୱଂସ ମୁଖରୁ କାଳକାଳକୁ ରକ୍ଷା ପାଇଗଲା । ମର୍କତ କେଶରୀ ଏବଂ ତାଙ୍କର ପରିଚୟହୀନ ପ୍ରଜା ବାଇମୁଣ୍ଡି ଜନଶ୍ରୁତିରେ ଅମର ହୋଇଗଲେ । ମହାନଦୀ କୂଳରେ ଯେଉଁ ରାଜଧାନୀ ସହରକୁ ନେଇ ଗଜପତି କପିଳେନ୍ଦ୍ର ପଞ୍ଚଦଶ ଶତକରେ ତମ୍ୱାପଟ୍ଟା ଅନୁଶାସନରେ ସ୍ତାବକମାନଙ୍କ ଦ୍ୱାରା ଲିପିବନ୍ଧ କରାଇଲେ ‘ଶକ୍ରସ୍ୟେବାମରାବତୀ’–‘ଇନ୍ଦ୍ରଙ୍କର ଅମରାବତୀତୁଲ୍ୟ ଶୋଭାବନ୍ତ’–ତାହାର ଆଉ ଅବକାଶ ଥାଆନ୍ତା କି ?

 

ହୁଏତ ‘ବାଇମୁଣ୍ଡି’ ଏକ ନିଚ୍ଛକ କିମ୍ବଦନ୍ତୀ । ସେଇକାଳରୁ ଲୋକମୁଖରେ କଥାଟି ଚଳି ଆସୁଛୁ ‘କଟକ ଚିନ୍ତା ବାଇମୁଣ୍ଡି କି ।’ ବାଇମୁଣ୍ଡି ଲୋକ ତୁଣ୍ଡକୁ କେଉଁଠୁ ଆସିଲେ, ଚିନ୍ତା କରିବାର କଥା । କିମ୍ବଦନ୍ତୀ ହିଁ ତ ଇତିହାସ ତିଆରି କରେ । ଏଇ କିମ୍ବଦନ୍ତୀରେ ଯେ ଇତିହାସ ନାହିଁ, ଏ କଥା କିଏ କହିବ ?

 

କଟକ ସହରର ମୁସଲମାନ କୀର୍ତ୍ତି ସମ୍ପର୍କରେ ଏଠାରେ ସଂକ୍ଷିପ୍ତ ଆଲୋଚନା କରାଯାଉଛି । ୧୫୬୮ ଖ୍ରୀ:-ଅ:-ରେ ଆଫଗାନମାନେ କଟକ ଅଧିକାର କରନ୍ତି ଏବଂ ୧୭୫୧ ଖ୍ରୀ:ଅରେ ଏହା ମରହଟ୍ଟାମାନଙ୍କ ହାତକୁ ଯାଏ । ଅର୍ଥାତ୍ ପାଖାପାଖି ଦୁଇଶହ ବର୍ଷ କଟକ ଯବନମାନଙ୍କ ଶାସନରେ ରହେ । ମସ୍‍ଜିଦ, ମିନାର୍, ଦୁର୍ଗ, କବରଖାନା, ଦରଗାହ, ଯାହା ସବୁ କୀର୍ତ୍ତି -ମୁସଲମାନମାନେ ପ୍ରାୟ ଏହି ସମୟ ମଧ୍ୟରେ ହିଁ ନିର୍ମାଣ କରିଛନ୍ତି । ଦେୱାନ ବଜାର ଭଳି କେତେକ ସାହି ମୁସଲମାନ ଶାସକମାନଙ୍କ ନାମରେ ଏହି ସମୟରେ ହିଁ ନାମିତ ହୋଇଛି । ଏହି ବଜାରର ମସ୍‍ଜିଦ୍‍ଟି ହେଉଛି ସହରର ସବୁଠାରୁ ପୁରୁଣା ମସଜିଦ୍ । ୧୬୬୬ ଖ୍ରୀ:ଅରେ ମୋଗଲ ସମ୍ରାଟ ଆକବରଙ୍କ ଦେୱାନ୍ ମୁର୍ସିଦ୍‍କୁଲି ଜାଟର ଖାଁଙ୍କ ଦ୍ୱାରା ଏହି ମସଜିଦ୍‌ ନିର୍ମିତ ହୋଇଥିଲା ଏବଂ ସାହିର ନାମ ମଧ୍ୟ ତାଙ୍କରି ପଦବୀକୁ ନେଇ ଦିଆଯାଇଥିଲା । ବାଲୁବଜାରର ଜୁମା ମସଜିଦ୍ ତୋଳାଇଥିଲେ ନବାବ୍‍ ନାଜିମ୍ ଇକ୍ରାମ୍ ଖାଁ ୧୬୮୯ ରେ ଆଉରାଙ୍ଗଜେବଙ୍କ ରାଜତ୍ୱ କାଳରେ । ସେହିଭଳି କଟକର ପ୍ରସିଦ୍ଧ କଦମରସୁଲ ନିର୍ମିତ ହୋଇଛି ଡେପୁଟି ନାଜିମ୍ ସୁଜାଉଦ୍ଦିନ୍‌ଙ୍କ ଦ୍ୱାରା ୧୭୧୫ ଖ୍ରୀ:ଅ:ରେ । ଏଠାରେ ମହମ୍ମଦ ଟୀକା ଖାଁଙ୍କ କବର ଅଛି । ସେ ଡେପୁଟି ନାଜିମ୍ ଥାଇ ମୃତ୍ୟୁବରଣ କରିଥିଲେ ୧୭୩୫ ଖ୍ରୀ:ଅ:ରେ କଦମ୍ ରସୁଲରେ ଫତେ ଖାଁ ଓ ଆଜମ୍ ଖାଁ (ଉଭୟ ମରହଟ୍ଟା ଶାସନ ସେନାଧ୍ୟକ୍ଷ) ପ୍ରଭୃତି ବହୁ ପ୍ରସିଦ୍ଧ ବ୍ୟକ୍ତିଙ୍କର କବର ରହିଛି । କଦମ୍‍ରସୁଲ ମଧ୍ୟସ୍ଥ ମସଜିଦ୍ ନିର୍ମିତ ହୋଇଥିଲା ୧୭୧୮ ଖ୍ରୀ:ଅ:ରେ । ୧୭୧୬ରେ ନିର୍ମିତ ମହମ୍ମଦିଆବଜାର ମସଜିଦ୍ । ବାରବାଟି ଦୁର୍ଗସ୍ଥ ମସଜିଦ୍ ଓ କଦମ୍‌ରସୁଲ୍ ମସଜିଦ–ତିନୋଟି ଯାକର ଗଠନ ଶୈଳୀ ଓ କାରୁକାର୍ଯ୍ୟ ପ୍ରାୟ ଏକଧରଣର । ଗୋଟିଏ ପ୍ରକାରର ପଥରରେ ମଧ୍ୟ ନିର୍ମିତ । ଡେପୁଟି ନାଜିମ୍ ସୁଜାଉଦ୍ଦିନ୍‍ ଏହାର ନିର୍ମାତା । କବରଖାନା ଚାରିପଟେ ଉଚ୍ଚପାଚିରି ରହିଛି । କବରଖାନାର ପରିସର ସତାବନ ଏକର ଏଥିପାଇଁ ନବାବ୍ ସୁଜାଉଦ୍ଦିନ୍ ୫୦ ବାଟି ଏବଂ ଆର୍ଲି ବର୍ଦ୍ଦି ଖାଁ ୯୦ ବାଟି, ବେରାରପତି ଜୋନାଲି ଭୋନ୍‌ସ୍କେ ୩୧ ବାଟି ଏବଂ ଫାରୁକ୍ଲିଶିୟାର୍ ଖାଁ ୭୦ ବାଟି ଜମି ଦାନ କରିଥିଲେ । ଏହାର ପ୍ରବେଶ ପଥରେ ରହିଛି ନହରାତ୍ ଖାନା–ଅର୍ଥାତ୍ ସଙ୍ଗୀତ ଗାଲେରୀ । ନବାବ୍ ଟିକା ଖାଁଙ୍କ ପୁଅ ମସାଲହେଉଦ୍ଦୀନ୍ ୧୭୫୭ ଖ୍ରୀ:ଅ:ରେ ଏହା ନିର୍ମାଣ କରିଥିଲେ । ନବାବ୍ ସୁଜାଉଦ୍ଦୀନ୍‍ କଦମ୍ ରସୁଲ ଭିତରେ ଆଗନ୍ତୁକମାନଙ୍କ ପାଇଁ ବିଶ୍ରାମାଗାର (ସରାଇଖାନା) ଟିଏ ନିର୍ମାଣ କରାଇଥିଲେ । କଦମ୍ ରସୁଲ୍‍ର କେନ୍ଦ୍ରରେ ରହିଛି ଭବ୍ୟ ପ୍ରାସାଦଟିଏ ଏବଂ ଏଥିରେ ବିଭିନ୍ନ ରଙ୍ନଗର ମର୍ମର ପ୍ରସ୍ତର ବ୍ୟବହୃତ ହୋଇଛି । ଏଠାରେ ମହମ୍ମଦଙ୍କର ପାଦଚିହ୍ନ ମଧ୍ୟ ରହିଛି-।ଏହି ପୀଠ ଉଭୟ ହିନ୍ଦୁ ଓ ମୁସଲମାନ୍ଦୁଇ ସମ୍ପ୍ରଦାୟ ପାଇଁ ପବିତ୍ର ।

 

କଟକର ଲାଲବାଗ୍‌ପ୍ରାସାଦ (ସମ୍ପ୍ରତି ବଲ୍ଲଭଭାଇ ଶିଶୁ ଚିକିତ୍ସାକେନ୍ଦ୍ର) ମୁସଲମାନ୍ ଶାସକମାନଙ୍କର ଏକ ଚମତ୍କାର କୀର୍ତ୍ତି । ୧୬୩୩ରେ କାର୍ଟରାଇଟଙ୍କ ନେତୃତ୍ୱରେ ଯେଉଁ ବ୍ରିଟିଶ୍ ବ୍ୟବସାୟୀ ଦଳ କଟକ ଆସିଥିଲେ, ସେତେବେଳେ ନବାବ ନିଜ ରହିବା ପାଇଁ ଗୋଟିଏ ଘର ତିଆରି କରୁଥିବାର ଲକ୍ଷ୍ୟ କରିଥିଲେ । ପ୍ରାସାଦଟି ସେତେବେଳେ ବାକିର ଖାଁଙ୍କ ଦ୍ୱାରା ନିର୍ମିତ ହେଉଥିଲା ଏବଂ ସମ୍ଭବତଃ କଟକର ବାଖରାବାଦ ଅଞ୍ଚଳ ତାଙ୍କରି ନାମାନୁସାରେ ନାମିତ ହୋଇଛି ବୋଲି ଐତିହାସିକମାନଙ୍କର ଅନୁମାନ । ଲାଲ୍‌ବେଗ୍ ସାଲାଉଦ୍ଦିନ ଜଙ୍ଗ ଥିଲେ ଆଲିବର୍ଦ୍ଦି ଖାଁଙ୍କ ପୁତୁରା ଏବଂ ତାଙ୍କରି ନାମାନୁସାରେ କଟକର ଏହି ଅଞ୍ଚଳକୁ ଲାଲ୍‌ବାଗ୍ କୁହାଯାଉଛି । ସେ ବୈଷ୍ଣବ କବି ସାଲବେଗଙ୍କ ପିତା ଥିଲେ କି ?

ମୁସଲମାନ ସମ୍ପ୍ରଦାୟର ଅନେକ ସାଧୁସନ୍ଥଙ୍କ କବର କଟକରେ ରହିଛି । ଓଡ଼ିଆ ବଜାରର ପଞ୍ଚସାହଙ୍କ କବର କିଲ୍ଲାରେ ଥିବା ବୁଖାରୀବାବାଙ୍କ କବର, ଜିପିଓ ପରିସରରେ ଥିବା ମାଲାଙ୍ଗ ସାହାଙ୍କ କବର ତଥା କାଣ୍ଟନମେଣ୍ଟରାସ୍ତାରେ ଥିବା ମାସ୍ତୁନ ସାହାଙ୍କ କବର ଏଗୁଡ଼ିକ ମଧ୍ୟରେ ଉଲ୍ଲେଖଯୋଗ୍ୟ–ଏହି ସନ୍ଥମାନେ ସେମାନଙ୍କର ନୀତିଗତ ଧାର୍ମିକ ଓ ନିରାଡ଼ମ୍ବର ଜୀବନ ଶୈଳୀ ନିମନ୍ତେ ଉଭୟ ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟର ପ୍ରୀତି ତଥା ସମ୍ମାନଭାଜନ ହୋଇ ପାରିଥିଲେ । ଓଡ଼ିଆ ବଜାର ଓ ଶେଖ୍ ବଜାରରେ ଦୁଇଟି ମସ୍‌ଜିଦକୁ ନିର୍ମାଣ କରିଥିଲେ ଯଥାକ୍ରମେ ରୋଶନ ମହମ୍ମଦ ଓ ସରଦାର ଖାଁ । ମୋଟାମୋଟି ଭାବରେ ଏହା ହିଁ ହେଉଛି କଟକର ମୁସଲମାନ୍ ସ୍ଥାପତ୍ୟର ବିବରଣୀ ।

ଭଗ୍ନ-ବାରବାଟୀ ଦୁର୍ଗକୁ ଛାଡ଼ିଦେଲେ କଟକରେ ଅନ୍ୟ ରାଜବଂଶୀୟମାନଙ୍କର କୌଣସି କୀର୍ତ୍ତି ନାହିଁ । ଯାହା ବା ଥିଲା, ସେ ସବୁ କାଳକ୍ରମେ ବା ମୁସଲମାନମାନଙ୍କର ଦ୍ୱାରା ଧ୍ୱଂସ ପାଇଯାଇଛି । ଜନବୀମ୍‌ସ୍ ତାଙ୍କ ସମୟରେ କଟକରେ ସେ ଭଳି କୌଣସି ସ୍ଥାପତ୍ୟ ଥିବାର ଲକ୍ଷ୍ୟ କରି ନାହାନ୍ତି । ତେବେ ମନ୍ଦିର କିଛି ଥିବା କଥା ଅବଶ୍ୟ କହିଛନ୍ତି । ଡଗରପଡ଼ା ଅଞ୍ଚଳର ବନ୍ଧ ବାସେଳୀ ନାବିକମାନଙ୍କର ଦେବୀ, ବାସେଳୀ ସାଧାରଣତଃ କୈବର୍ତ୍ତ ସମ୍ପ୍ରଦାୟର ଦେବୀ ରୂପରେ ଉପାସିତା ହୁଅନ୍ତି । ନୌଚାଳନା କୈବର୍ତ୍ତମାନଙ୍କର ଅଧୀନ ଥିବାରୁ ଏବଂ ହରହରି ଘାଟ ନୌବାଣିଜ୍ୟର ଏକ ପ୍ରଧାନ ପେଣ୍ଠ ଥିବାରୁ ଏ ଦେବୀ ସମ୍ଭବତଃ ସେଇ ସମ୍ପ୍ରଦାୟ ଦ୍ୱାରା ପ୍ରତିଷ୍ଠିତା-। ତଳ ତେଲେଙ୍ଗା ବଜାରର ରଘୁନାଥ ଜୀଉ, ବକ୍‌ସି ବଜାରର ଅମରେଶ୍ୱର ମରହଟ୍ଟାମାନଙ୍କ ଶାସନକାଳରେ ପ୍ରତିଷ୍ଠିତ । ସେହି ଭଳି ମାନସିଂ ପାଟଣାର ମସ୍ତରାମ ମଠ ମଧ୍ୟ ସେଇମାନଙ୍କ ଦ୍ୱାରା ପ୍ରତିଷ୍ଠିତ । କଟକ ଚଣ୍ଡି ମନ୍ଦିର ୧୮୯୩ ପରେ ନିର୍ମିତ ହୋଇଛି ଏବଂ ପୂର୍ବେ ଦେବୀ ଏକ ଚାଳଘରେ ପୂଜିତା ହେଉଥିଲେ । ସେହି ସମୟରେ ଜଣେ ଅନ୍ଧ ସାଧୁଙ୍କ ଉଦ୍ୟମରେ ଏବଂ ଜନସାଧାରଣଙ୍କ ଦାନରେ ଏହି ନିର୍ମିତ ହୋଇଥିଲା । ପରେ କନିକା ପାଟମହାଦେଈ କୃଷ୍ଣପ୍ରିୟା ନାଟମନ୍ଦିର ଓ ଭୋଗମଣ୍ଡପ ନିର୍ମାଣ କରାଇଥିଲେ ।

ମହାନଦୀ ତ୍ରିକୋଣ ଭୂମିର ମୁକୁଟ ହେଉଛି ଏହି କଟକ ସହର । ମହାନଦୀ ହିଁ ଏହାର ସଂସ୍କୃତିକୁ ଗଢ଼ିଛି । ସହର ଆଫଗାନ, ମୋଗଲ, ମରହଟ୍ଟା, ଇଂରେଜ ଆଦି ବିଦେଶୀ ଆକ୍ରମଣକାରୀଙ୍କ ଦ୍ୱାରା ବିଧ୍ୱସ୍ତ ହୋଇଛି । ମାତ୍ର ଆଶ୍ଚର୍ଯ୍ୟ ଏହାର ଜୀବନୀଶକ୍ତି । ‘କାଳର କପୋଳ ତଳେ ଶୁଭ୍ର ସମୁଜ୍ଜ୍ୱଳ’ ହୀରାକଖଣ୍ଡ ଭଳି ଏହା ଏବେ ମଧ୍ୟ ଦେବୀପ୍ୟମାନ । କଳାପାହାଡ଼ ଆସିଲା–ମହାନଦୀ ପାରି ହୋଇ । ମୁକୁନ୍ଦ ଦେବଙ୍କ ରାଣୀ ତା’ ସହିତ ସନ୍ଧି କରି କଟକ ବଞ୍ଚାଇବାକୁ ଉଦ୍ୟମ କଲେ । କିଛି ଭଙ୍ଗାରୁଜା କରି ସେ ବାହୁଡ଼ିଲା । ତା’ପୂର୍ବରୁ ଆସିଥିଲେ ଚୈତନ୍ୟ । ଗଡ଼ଗଡ଼ିଆଠାରେ ମହାନଦୀ ପାରି ହୋଇ କଟକରେ ପ୍ରବେଶ କଲେ । କଟକିଆମାନେ ତାଙ୍କର ଆଗମନର ସ୍ମୃତିକୁ କାଳକାଳକୁ ଧରି ରଖିଲେ । ଚୈତନ୍ୟ ଚରିତାମୃତ ମଧ୍ୟ ଲୀଳା ପଞ୍ଚମ ପରିଚ୍ଛେଦରେ ଚୈତନ୍ୟଙ୍କର କଟକ ପର୍ଯ୍ୟଟନର ବର୍ଣ୍ଣନା ଏହି ଭଳି :–

କଟକେ ଆଇଲା ସାକ୍ଷୀ ଗୋପାଲ ଦେଖିତେ ।

ଗୋପାଲ ସୌନ୍ଦର୍ଯ୍ୟ ଦେଖି ହେଲା ଆନନ୍ଦିତେ ।

ପ୍ରେମାବେଶେ ନୃତ୍ୟଗୀତ କୈଲ କତକ୍ଷନ ।

ଆବିଷ୍ଟ ହଇଁୟା କୈଲ ଗୋପାଲ ସ୍ତବନ ।

 

ସାକ୍ଷୀ ଗୋପାଳଙ୍କ ପ୍ରସଙ୍ଗରେ ଡଃ ହରେକୃଷ୍ଣ ମହାତାବ ଲେଖିଛନ୍ତି, ‘‘ଏହି ଦୁର୍ଗ ମଧ୍ୟରେ ପୁରୁଷୋତ୍ତମ କାଞ୍ଚିଜୟ କରି ସାକ୍ଷୀଗୋପାଳ ମୂର୍ତ୍ତି ସ୍ଥାପନ କରିଥିଲେ । ଚୈତନ୍ୟ ଦେବ ୧୫୧୦ ଖ୍ରୀ:ଅ:ରେ ଉକ୍ତ ସାକ୍ଷୀଗୋପାଳ ମୂର୍ତ୍ତିଙ୍କୁ ବାରବାଟୀ ଦୁର୍ଗ ମଧ୍ୟରେ ଦର୍ଶନ କରିଥିଲେ । ୧୫୬୮ ଖ୍ରୀଷ୍ଟାବ୍ଦରେ କଳାପାହାଡ଼ ବରବାଟୀ ଦୁର୍ଗରେ ସାକ୍ଷୀଗୋପାଳଙ୍କ ମନ୍ଦିର ଧ୍ୱଂସ କରିବା ପୂର୍ବରୁ ଗୋପାଳ ମୂର୍ତ୍ତି ଅନ୍ୟତ୍ର ଅପସାରିତ ହୋଇଥିଲେ । ପରବର୍ତ୍ତୀ କାଳରେ ଏହି ମୂର୍ତ୍ତି ବରୁଣାଇ ପାହାଡ଼ରେ, ରଥିପୁରଗ୍ରାମରେ, କନ୍ତଳବା ଗ୍ରାମରେ ଅବସ୍ଥାପିତ ହୋଇ ଶେଷରେ ବାବା ବହ୍ମଚାରୀ ନାମକ ମରହଟ୍ଟା ସନ୍ନ୍ୟାସୀଙ୍କ ଦ୍ୱାରା ସତ୍ୟବାଦୀଠାରେ ସ୍ଥାପିତ ହେଲେ । ଏହି ମୂର୍ତ୍ତି ଓଡ଼ିଶାରେ ପ୍ରଚଳିତ କାରୁକାର୍ଯ୍ୟ ଶୈଳୀରେ ହୋଇ ନାହିଁ । ଏହା ଦକ୍ଷିଣ ଭାରତର ଶୈଳୀରେ ନିର୍ମିତ ।’’ (ଓଡ଼ିଶା ଇତିହାସ :–୧ମ ଭାଗ ପୃ:–୩୦୫) ।

 

କଟକ ଏକ ମହାଜାତି ସମନ୍ୱୟ ସଦନ । ଏଠାରେ ହିନ୍ଦୁ ମୁସଲମାନ ଜୈନ ଖ୍ରୀଷ୍ଟିୟାନ୍, ଶିଖ୍‌, ପାରସୀ ପ୍ରଭୃତି ବିଭିନ୍ନ ଜାତିର ବହୁ ଧର୍ମର ଲୋକେ ପାଖାପାଖି ହୋଇ ବହୁ କାଳରୁ ରହିଛନ୍ତି । ଏମାନଙ୍କ ପାରସ୍ପରିକ ସୌହାର୍ଦ୍ଦ୍ୟ ରାଜନୀତିର ବିଷମଞ୍ଜି ବୁଣାଯିବା ସତ୍ତ୍ୱେ କ୍ୱଚିତ୍ କ୍ଷୁଣ୍ଣ ହୋଇଛି । ଊନବିଂଶ ଶତାବ୍ଦୀରେ କଟକର ଏହି ପାରସ୍ପରିକ ସୌହାର୍ଦ୍ଦ୍ୟ ଜନବୀମସ୍‌ଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲା । ଏତେ ଜାତି, ଭିନ୍ନ ଭାଷା ସ୍ୱତନ୍ତ୍ର ସଂସ୍କୃତି । ତଥାପି କାଳକାଳରୁ ଏମାନେ ପାଖାପାଖି ରହିପାରିଛନ୍ତି କିପରି ଏହାହିଁ ତାଙ୍କୁ ଚକିତ କରିଥିଲା । ଏ କଥା ସେ ତାଙ୍କ ଆତ୍ମ ଜୀବନୀରେ ଉଲ୍ଲେଖ କରିଛନ୍ତି ମଧ୍ୟ । ଗୋଟିଏ କଥା ବୀମସ୍ ଜାଣି ନଥିଲେ । ସହିଷ୍ଣୁତା ରୂପକ ଯେଉଁ ଗୁଣ ଏ ଦେଶର ମାଟିରେ ଥାଏ, ତାହା ସହିତ ତାଙ୍କର ପରିଚୟ ନଥିବା କଥା । କଟକ ସହରର ଭାଷା, ସଂସ୍କୃତି, ଖାଦ୍ୟପେୟ ଓ ବେଶପୋଷାକକୁ ଅନୁଧ୍ୟାନ କରିଥିଲେ, ଏଥିରେ ଏହି ସମନ୍ୱୟର ବାର୍ତ୍ତା କିଭଳି ସକ୍ରିୟ ହୋଇଛି ତାହା ସେ ଆପେ ଜାଣି ପାରିଥାଆନ୍ତେ । ତାଙ୍କ ସମୟରେ ମହରମ୍‌ ପର୍ବରେ ମଧ୍ୟ ତାଜିଆ ବାହାରୁଥିଲା । ତାଜିଆ ଶୋଭାଯାତ୍ରାର ପୁରୋଭାଗରେ କଟକ ସାହିବସ୍ତିର ମୁରବୀମାନଙ୍କୁ ଛାତିଫୁଲେଇ ଚାଲୁଥିବାର ଦେଖିଥିଲେ ସେ ଏହି ପ୍ରାଚୀନ ସହରର ସଂସ୍କୃତିକୁ ଅନ୍ତତଃ କିଛି ବୁଝି ପାରିଥଆନ୍ତେ । ମହାନଦୀ ହିଁ କଟକିଆମାନଙ୍କୁ ଏହି ଦୀକ୍ଷା ଦେଇଛି ।

 

ତ୍ରିକୋଣଭୂମିର ସର୍ବେକ୍ଷଣ :–ଏକ ନୂତନ ଦୃଷ୍ଟିପାତ :–କଟକ ସହର ପ୍ରତିଷ୍ଠା ସମ୍ପର୍କରେ ଯେଉଁ ସବୁ ମତ ଏପର୍ଯ୍ୟନ୍ତ ଉପସ୍ଥାପିତ ହୋଇଛି, ଏଠାରେ ସେ ସମସ୍ତ ପ୍ରସଙ୍ଗ ଉଲ୍ଲଖିତ ହୋଇଛି । ଗଙ୍ଗବଂଶୀୟ ତୃତୀୟ ଅନଙ୍ଗଭୀମ ଦେବ (୧୨୧୧ରୁ ୩୮ ଖ୍ରୀ:ଅ) ବାରବାଟୀଠାରେ ଏକ ଦୁର୍ଗ ନିର୍ମାଣ କରି ସେଠାରେ ଏକ ପୁରୁଷୋତ୍ତମ ମନ୍ଦିର ନିର୍ମାଣ କରିଥିଲେ-। ୧୯୮୯ ମସିହାରେ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ଦ୍ୱାରା ବାରବାଟୀ ଦୁର୍ଗ ପରିସର ଖୋଦନ ଦ୍ୱାରା ଏହି ମନ୍ଦିରର ଧ୍ୱଂସାବଶେଷ ଆବିଷୃତ ହୋଇଛି ଏବଂ ଏହି ଅବଶେଷ ତ୍ରୟୋଦଶ ଶତକର ବୋଲି ମଧ୍ୟ ପ୍ରମାଣିତ ହୋଇଛି ।

 

ଇତିମଧ୍ୟରେ ତ୍ରିକୋଣ ଭୂମିର ଏହି ଶୀର୍ଷବିନ୍ଦୁରେ ପ୍ରାଚୀନ ସଭ୍ୟତାର ସ୍ଥିତି ସମ୍ପର୍କରେ କେତେକ ନୂତନ ତଥ୍ୟ ଉପଲବ୍ଧ ହୋଇଛି । କାଠଯୋଡ଼ି ନଦୀର ଅପର ପାର୍ଶ୍ୱରେ ଅବସ୍ଥିତ ବିଦ୍ୟାଧରପୁର ଗ୍ରାମାଞ୍ଚଳ ନଦୀତଟରୁ ୨୦୦୨ ମସିହାରେ ଗୋପାଳ ଚନ୍ଦ୍ର ପ୍ରାଧାନଙ୍କ ଦ୍ୱାରା କେତେକ ପ୍ରତ୍ନତାତ୍ତ୍ୱିକ ଅବଶେଷ ଆବିଷୃତ ହୋଇଛି । ଏଠାରୁ ଯେଉଁ ମାଟିପାତ୍ର ଓ ଅନ୍ୟାନ୍ୟ ବସ୍ତୁ ମିଳିଛି, ତାହା ଅନ୍ତତଃ ଖ୍ରୀଷ୍ଟୀୟ ପ୍ରଥମ ଶତକ କିମ୍ୱା ତାହା ପୂର୍ବର ବୋଲି କୁହାଯାଉଛି । ଅନ୍ୟବସ୍ତୁ ମଧ୍ୟରେ କୂଅ ନନ୍ଦ, ମାଟି ଓ ପଥରମାଳି, ମାଟି ଚକ ଇତ୍ୟାଦି ରହିଛି । ଏଥି ମଧ୍ୟରେ ପୁରାତନ ମଧ୍ୟ ପ୍ରସ୍ତର ଯୁଗୀୟ (Middle Paleolithic) ପ୍ରସ୍ତର ନିର୍ମିତ ବସ୍ତୁ ମଧ୍ୟ ରହିଛି ।

 

ମହାନଦୀ-କାଠଯୋଡ଼ି ଓ ପ୍ରାଚୀ ନଦୀର ସଂଗମ ସ୍ଥଳ ପ୍ରାଚୀ ଅବବାହିକାର ଶୀର୍ଷ ବିନ୍ଦୁ ନରାଜଠାରୁ ପ୍ରାଗ୍-ଐତିହାସିକ ଯୁଗର ଚିତ୍ରକଳାରୁ ସେ ସମୟର ଶାସନ ବ୍ୟବସ୍ଥା ଓ ନୌବାଣିଜ୍ୟ ସମ୍ପର୍କରେ ସୂଚନା ମିଳିଥାଏ । ଚିତ୍ରରେ ଜଣେ ରାଜପୁରୁଷ, ଜଣେ ସାମରିକ ବ୍ୟକ୍ତି ଓ ଜଣେ ନୌଚାଳକ ରହିଛନ୍ତି । ନିମ୍ନରେ ରହିଛି ଏକ ମାଛର ଚିତ୍ର । ଏହି ଅଞ୍ଚଳରେ ପ୍ରାଗୈତିହାସିକ ଯୁଗର ସଭ୍ୟତା ଥିବାର ଏହି ଚିତ୍ର ତଥା ଆବିଷୃତ ମଧ୍ୟ ପ୍ରସ୍ତର ଯୁଗୀୟ ବସ୍ତୁ ସମୂହରୁ ଜଣାଯାଏ । ନୌବାଣିଜ୍ୟ ସମ୍ପର୍କରେ ମଧ୍ୟ ଏ ଚିତ୍ରରୁ ସୂଚନା ମିଳୁଛି । ଅତୀତରେ ଅବସ୍ଥିତି ଦୃଷ୍ଟିରୁ ନରାଜ ଏକ ବାଣିଜ୍ୟପେଣ୍ଠ ହୋଇଥିବାର ସମ୍ଭାବନା । ଏହି ବାଟେ ପଶ୍ଚିମ ଓଡ଼ିଶାର ପଣ୍ୟ ପୁରୀ ଏବଂ ଗଞ୍ଜାମ ପ୍ରଭୃତି ଅଞ୍ଚଳକୁ ଯାଉଥିବାର ବିଶେଷ ସମ୍ଭାବନା । ପ୍ରଥମ ଶତାବ୍ଦୀର ଭୌଗୋଳିକ ଗଲେମି (Ptolemi) ତାଙ୍କ ଭୂଗୋଳରେ ଓଡ଼ିଶା ଉପକୂଳର କେତେକ ବନ୍ଦରର ନାମ ଉଲ୍ଲେଖ କରିଛନ୍ତି-। ସେଗୁଡ଼ିକ ମଧ୍ୟରୁ ଗଞ୍ଜାମର ପାଲୁର (ପାଲୁରା), କୋଣାର୍କ (କନ୍ନଗରା) ପ୍ରଭୃତି ଚିହ୍ନାଯାଉଛି । ସେଥିରେ ପୁଣି ମନ୍ନଦ (ମହାନଦୀ) ନଦୀର ମୁହାଣ ଓ ‘କଟିକର୍ଦ୍ଦମ’ ନାମକ ସ୍ଥାନରେ ଉଲ୍ଲେଖ ରହିଛି । ପ୍ରଶ୍ନ ଉଠୁଛି ଏହି ‘କଟିକର୍ଦ୍ଦମ’ କ’ଣ କଟକ ? ୧୭୯୦ ମସିହାରେ ମହାନଦୀରେ ଯାଉଥିବା ଜଣେ ଇଂରେଜ ଲେକ୍କିଙ୍କ ବର୍ଣ୍ଣନା ଅନୁସାରେ କଟକଠାରୁ ୨ ମାଇଲ ଦୂରରେ ଏକ ହିନ୍ଦୁ ମନ୍ଦିରର ପାଦ ଦେଶରୁ କାଠଯୋଡ଼ି ମହାନଦୀରୁ ସ୍ୱତନ୍ତ୍ର ହୋଇ ଦକ୍ଷିଣ ମୁହାଁ ହୋଇ ବହିଯାଉଥିଲା-। ନରାଜ ଏବଂ ବିଦ୍ୟାଧରପୁରକୁ ମିଶାଇ ଏହି ବିସ୍ତୀର୍ଣ୍ଣ ଅଞ୍ଚଳରେ ଏକ ପ୍ରାଗୈତିହାସିକ ଯୁଗୀୟ ସଭ୍ୟତା ଥାଇପାରେ ବୋଲି ଶ୍ରୀ ପ୍ରଧାନ ମନେ କରନ୍ତି । କଟକରେ ବାରବାଟୀ ଦୁର୍ଗର ନିର୍ମାଣ କରାଯାଇଥିଲା । କଟକକୁ ଏକ ସେନା ଛାଉଣି ରୂପେ ବ୍ୟବହାର କରାଯାଉଥିଲା ଏବଂ ବାରାଣସୀ ଶବ୍ଦଟି ବିଡ଼ାନସୀର ପୂର୍ବରୂପ । କଟକ ନିଶ୍ଚୟ କଲିକତା ଭଳି କେତୋଟି ଗ୍ରାମକୁ ନେଇ ଗଠିତ ହୋଇଥିବ । ଏଥି ମଧ୍ୟରୁ ବିଡ଼ାନସୀ ଅନ୍ୟତମ ହୋଇପାରେ ।

 

ଅନଙ୍ଗଭୀମ ଦେବଙ୍କ ନଗରୀ ତାମ୍ରଶାସନରେ ବର୍ଣ୍ଣିତ ବିଳାସପୁର ଗ୍ରାମ ଏ ପର୍ଯ୍ୟନ୍ତ ଚିହ୍ନିତ ହୋଇନାହିଁ । ସେ କୋଦିଣ୍ଡା ଦଣ୍ଡପାଟରେ ବାରବାଟୀ ଦୁର୍ଗ ପ୍ରତିଷ୍ଠା କରିଥିବା କଥା ଉଲ୍ଲେଖ କରିଛନ୍ତି । ୧୧୫୨ ଶକାବ୍ଦ (୧୨୩୧ ଖ୍ରୀ:ଅ :–ଜାନୁୟାରୀ ୫) ରେ ସେ କୋଦିଣ୍ଡା ବିଷୟରେ ବିଳାସପୁର ଗ୍ରାମର ଏକ ବ୍ରାହ୍ମଣକୁ ଜମିଦାନ କରିଥିବା କଥା କହିଛନ୍ତି । ବିଦ୍ୟାଧରପୁର ସହିତ ଏହି ନାମର ସମ୍ପର୍କ ଖୋଜା ଯାଇପାରେ । ଏ ତଥ୍ୟ ମଧ୍ୟରୁ ଗୋଟିଏ କଥା ମନକୁ ଆସୁଛି । ଦ୍ୱିତୀୟ ଶତକ ବେଳକୁ କଟକ ଆଖପାଖରେ ଏକ ଉନ୍ନତ ସଂସ୍କୃତି ବିଦ୍ୟମାନ ଥିଲା । ଅଞ୍ଚଳଟି ସମ୍ଭବତଃ ‘କଟିକର୍ଦ୍ଦମ’ (ଯାହା ଟଲେମିଙ୍କ ଉଚ୍ଚାରଣ) ନାମରେ ପରିଚିତ ଥିଲା । ବାରବାଟୀ ଦୁର୍ଗ ଯଦି ମାଲକାଣ୍ଡି ହୋଇପାରିଲା ତେବେ କଟିକର୍ଦ୍ଦମ କଟକ ହେବାରେ ଆଶ୍ଚର୍ଯ୍ୟର କିଛି ନାହିଁ । ତେବେ ବର୍ତ୍ତମାନର କଟକ ତାହା ପରର । ପୁରାତନ କଟକ କାଠଯାଡ଼ି ଗର୍ଭରେ ଲୀନ ହୋଇଯାଇଛି । ଏ ସବୁ ଶ୍ରୀଯୁକ୍ତ ପ୍ରଧାନଙ୍କର ମତ । କୌଣସି ସିଦ୍ଧାନ୍ତ ଗ୍ରହଣ ପୂର୍ବରୁ ଅଧିକ ତଥ୍ୟ ପ୍ରମାଣ ଭିତ୍ତିକ ଗବେଷଣା ଆବଶ୍ୟକତା ରହିଛି ।

 

ଦଶପଲ୍ଲା :–ଏହାପରେ ଓଡ଼ିଶାର ଆଉ କେତୋଟି ସ୍ଥାନ ସମ୍ପର୍କରେ ଆଲୋଚନା କରାଯିବ, ଇତିହାସ ପୃଷ୍ଠାରେ କୌଣସି ନା କୌଣସି କାରଣରୁ ଯାହାର ନାମ ଉଜ୍ଜ୍ୱଳ ହୋଇ ରହିଛି ଏ ପ୍ରସଙ୍ଗରେ ପ୍ରଥମେ ଆମେ ଦଶପଲ୍ଲା ବିଷୟରେ ସଂକ୍ଷେପରେ ଆଲୋଚନା କରିବା । ଓଡ଼ିଶାର ପୂର୍ବତନ ଗଡ଼ଜାତ ରାଜ୍ୟ ଦଶପଲ୍ଲାର ଐତିହାସିକ ଗୁରୁତ୍ୱ ମହାନଦୀର ସାତକୋଶିଆ ଗଣ୍ଡ ଯୋଗୁଁ । ରାଜ୍ୟର ଅବସ୍ଥିତ ୨୦ ୧୧' ଓ ୨୦ ୩୫' ଉତ୍ତର ଅକ୍ଷାଂଶ ଏବଂ ୮୪ ୨୯' ଓ ୮୫ ୩୭' ପୂର୍ବ ଦ୍ରାଘୀମା ମଧ୍ୟରେ । ପୂର୍ବେ ଏହା ପୁରୀ ଜିଲ୍ଲାର ଅନ୍ତର୍ଗତ ଥିଲା ଏବଂ ବର୍ତ୍ତମାନ ଏହା ନୟାଗଡ଼ ଜିଲ୍ଲାରେ ରହିଛି । ମହାନଦୀ ଏହି ରାଜ୍ୟର ଉତ୍ତର ସୀମାରେ ପ୍ରବାହିତ । କେତେଗୁଡ଼ିଏ ପଲ୍ଲା ବା ଗ୍ରାମ ଜିଣି ଯଶସ୍ଥାପନ କରିଥିବାରୁ ଏହି ରାଜ୍ୟର ନାମ ହୋଇଥିଲା ଯଶପଲ୍ଲା, ଯାହା ପରବର୍ତ୍ତୀ କାଳରେ ‘ଦଶପଲ୍ଲା’ ନାମରେ ପରିଚିତ ହୋଇଛି । (ଜ୍ଞାନକୋଷ :–୩ୟ :–ଉତ୍କଳ ବିଶ୍ୱବିଦ୍ୟାଳୟ) ରାଜ୍ୟଟି ଏକଦା ଘୋର ଅରଣ୍ୟାକୀର୍ଣ୍ଣ ଥିଲା ଏବଂ ଶାଳଭଞ୍ଜ ଥିଲେ ଏହାର ପ୍ରଥମ ରାଜା । ମୁଖତଃ ଆଦିବାସୀ (କନ୍ଧ) ଅଧ୍ୟୁଷିତ ଏହି ରାଜ୍ୟର ପ୍ରଧାନ ଆୟ ବନଜାତ ଦ୍ରବ୍ୟରୁ । ପୁରୀ ଗଜପତିଙ୍କ ସହିତ ବୁଝାମଣା ହେତୁ ଏବଂ ଗଜପତି ସାମ୍ରାଜ୍ୟର କରଦ ରାଜ୍ୟ ହୋଇଥିବାରୁ ଏହା ଏବେ ମଧ୍ୟ ଶ୍ରୀଜଗନ୍ନାଥଙ୍କ ରଥ ନିର୍ମାଣ ନିମନ୍ତେ ପ୍ରତ୍ୟେକ ବର୍ଷ କାଠ ଯୋଗାଇ ଆସୁଛି । ବଡ଼ମୂଳ ହେଉଛି ଦଶପଲ୍ଲା ତହସିଲର ଏକ ଗ୍ରାମ । ମହାନଦୀ କୂଳରେ ଏହି ଗ୍ରାମଟି ଅବସ୍ଥିତ । ମହାନଦୀର ପ୍ରଖ୍ୟାତ ସାତକୋଶିଆ ଗଣ୍ଡ ଏହିଠାରୁ ଶେଷ ହେଉଛି । ପୂର୍ବଘାଟ ପର୍ବତମାଳା ମଧ୍ୟ ଦେଇ ବହି ଯାଉଯାଉ ମହାନଦୀ ଗୋଟିଏ ପାର୍ବତ୍ୟ ଘାଟି ମଧ୍ୟରେ ପଶିଯାଇଛି । ଏହି ଘାଟି ବୌଦର ଶୀତଳପାଣିଠାରୁ ଆରମ୍ଭ ହୋଇ ବଡ଼ମ୍ବାଠାରେ ଶେଷ ହୋଇଛି । ଗୋଆଲ୍‌ଦେଓ ପର୍ବତ ଖଣ୍ଡର ଦକ୍ଷିଣ ଭାଗରେ ଏବଂ ବାମରେ ବାଇଗଣିଆ ପର୍ବତ । ଏହାର ପାଦ ଦେଶରେ କମଳାଡ଼ିହ ଗ୍ରାମ । ଉଭୟ ପର୍ବତର ଉଚ୍ଚତା ସମୁଦ୍ର ପତ୍ତନରୁ ୩୦୦୦’ ଭୌଗୋଳିକ ସ୍ଥିତି ଦୃଷ୍ଟିରୁ ସାତକୋଶିଆ ୨୦.୬ ଉତ୍ତର ଅକ୍ଷାଂଶ ଏବଂ ୮୪.୮ ପୂର୍ବଦ୍ରାଘିମାରେ ଅବସ୍ଥିତ । ମହାନଦୀ ଏଠାରେ ଚାରୋଟି ଜିଲ୍ଲାର ପ୍ରାକୃତିକ ସୀମା । ଡାହାଣ ପଟେ ବୌଦ ଓ ନୟାଗଡ଼ ଏବଂ ବାମ ପଟେ ଅନୁଗୁଳ ଓ କଟକ ଜିଲ୍ଲା ବାମ ପଟେ ୫୩୦ ବର୍ଗ କି:ମି ବ୍ୟାପି ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ଓ ଦକ୍ଷିଣ ପଟେ ୨୬୫ ବର୍ଗ କି:ମି ବ୍ୟାପି ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ଅଛି । ଏ ଉଭୟ ଅଭୟାରଣ୍ୟ । ବିସ୍ତୃତ ନଦୀ ଶର୍ଯ୍ୟା ବ୍ୟାପି ଘାଟି ମଧ୍ୟରେ ପ୍ରବାହିତ ହେବାରୁ ସଂକୀର୍ଣ୍ଣ ହୋଇଯାଇଛି । ସୁନାଖଣିଠାରୁ ବଡ଼ମୂଳ ପର୍ଯ୍ୟନ୍ତ ନଦୀ ଶଯ୍ୟାକୁ କୁହାଯାଏ ସାତକୋଶିଆ ଗଣ୍ଡ । ଟିକରପଡ଼ା ଠିକ୍‌ ଏହି ଗଣ୍ଡ ଅଞ୍ଚଳର ମଧ୍ୟଭାବରେ ରହିଛି । ବଡ଼ମୂଳ ଘାଟି ପ୍ରସିଦ୍ଧ ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ନିମନ୍ତେ । ଏହା ନିକଟରେ ମଣିଭଦ୍ରା ଅଭୟାରଣ୍ୟ ମଧ୍ୟ ରହିଛି ।

 

ମହାନଦୀ ସୁନାଖଣିଆ ପାଖରୁ ପ୍ରାୟ ସାତକୋଶ ଅର୍ଥାତ୍‌ ୨୨.୫ କି:ମି ପର୍ଯ୍ୟନ୍ତ ଅତ୍ୟନ୍ତ ସଂକୀର୍ଣ୍ଣ ପଥରେ ଦୁଇ ପାହଡ଼ ମଝିରେ ବହି ଯାଉଛି । ଏହି ଅଂଶଟି ବେଶ୍‌ ଗଭୀର ଏବଂ ନଦୀ ଶଯ୍ୟାର ସଂକୀର୍ଣ୍ଣତା ହିଁ ହେଉଛି ଏହାର କାରଣ । ଶୀତଳ ପାଣିଠାରୁ ନଦୀର ଦୁଇପଟରେ ପାହାଡ଼ ପାଚେରି ଭଳି ଠିଆ ହୋଇଛି । ନଦୀ ଶଯ୍ୟା ଗୋଟିଏ ସ୍ଥାନରେ ଫର୍ଲଂକରୁ ମଧ୍ୟ କମ୍‌ ହେବ । ନଦୀର ଦକ୍ଷିଣ ଦିଗରେ ଉଚ୍ଚ ପର୍ବତମାଳା ଏବଂ ଉତ୍ତରରେ ଆଠମଲ୍ଲିକ ଅନଗୁଳର ପାର୍ବତ୍ୟାଞ୍ଚଳ । ମଝିରେ ରହିଛି ଟିକରପଡ଼ା, ଯାହା ପୁରୁଣାକୋଟ ଥାନାର ଅନ୍ତର୍ଭୁକ୍ତ । ମହାନଦୀର ବାମ କୂଳରେ ସ୍ଥିତ ଏହି ସ୍ଥାନର ପ୍ରାକୃତିକ ଦୃଶ୍ୟ ଅତ୍ୟନ୍ତ ରମଣୀୟ ।

 

ଏହି ଗଣ୍ଡର ସୃଷ୍ଟି ସମ୍ପର୍କରେ ଯଥାରୀତ ରହିଛି ଏକ ପୌରାଣିକ ଆଖ୍ୟାନ । ସୁକାନ୍ତି ଋଷିଙ୍କୁ ଅନୁସରଣ କରି ଆସୁ ଆସୁ ଗଙ୍ଗା ଏକ ଦୁର୍ଲଂଘ୍ୟ ପର୍ବତ ମାଳାରେ ବାଧା ପାଇଁ ହଠାତ୍‌ ଅଟକି ଯାଆନ୍ତି । ସୁକାନ୍ତି ଦେବୀଙ୍କ ଅସହାୟତା ବୁଝି ତାଙ୍କୁ ଏହାର ପ୍ରତିକାର ସମ୍ପର୍କରେ ଜିଜ୍ଞାସା କରନ୍ତି । ଋଷିଙ୍କ ବିନୟରେ ସନ୍ତୁଷ୍ଟ ହୋଇ ଦେବୀ ତାଙ୍କୁ ଇନ୍ଦ୍ରଙ୍କୁ ପ୍ରାର୍ଥନା କରିବା ନିମନ୍ତେ ନିର୍ଦ୍ଦେଶ ଦିଅନ୍ତି । ସେ ହି କେବଳ ଏହି ଗିରିବର୍ତ୍ମ ମଧ୍ୟରେ ତାଙ୍କ ପାଇଁ ବାଟ କରିଦେଇ ପାରିବେ । ସୁକାନ୍ତି ଇନ୍ଦ୍ରଙ୍କୁ ତପସ୍ୟା କଲେ ଏବଂ ଗଙ୍ଗା ସେଇଠି ଅଟକି ରହିଲେ । ଶେଷରେ ଇନ୍ଦ୍ରଙ୍କ ଆସନ ଟଳିଲା ଏବଂ ସେ ସୁକାନ୍ତିଙ୍କ ପାଖକୁ ଆସି ଇପ୍‌ସିତ ପ୍ରାର୍ଥନା କରିବା ପାଇଁ ଆଦେଶ ଦେଲେ । ସୁକାନ୍ତି ଦେବୀଙ୍କ ପାଇଁ ଏହି ଦୁର୍ଭେଦ୍ୟ ଗିରିମାଳା ମଧ୍ୟରେ ମାର୍ଗ ପ୍ରସ୍ତୁତ କରିବା ପାଇଁ ନିବେଦନ କରିବାରୁ ଇନ୍ଦ୍ର ନିଜ ଆୟୁଧ ବଜ୍ର ସାହାର୍ଯ୍ୟରେ ସେହି ଗିରିମାଳା ମଧ୍ୟରେ ଏକ ସଂକୀର୍ଣ୍ଣ ବାଟ ଫିଟାଇ ଦେଲେ । ଉତ୍କଳ ଗଙ୍ଗା ମହାନଦୀ ସେହି ବାଟ ଦେଇ ବହି ଚାଲିଲେ ଏବଂ ସୁକାନ୍ତିଙ୍କ ସ୍ୱପ୍ନ ସଫଳ ହେଲା ।

 

ସାତକୋଶିଆ ସମ୍ପର୍କରେ ପଣ୍ଡିତ କୁଳମଣି ଦାଶ ତାଙ୍କ ଭ୍ରମଣ କାହାଣୀରେ ବିସ୍ତୃତ ବର୍ଣ୍ଣନା ଦେଇଛନ୍ତି । ତାଙ୍କ ମତରେ ‘‘ବୌଦର ସୁନାଖଣିଆ ପାହାଡ଼ରୁ ସାତକୋଶିଆ ଆରମ୍ଭ । ଦୂରରୁ ସାତକୋଶିଆର ମଧ୍ୟବର୍ତ୍ତୀ ମହାନଦୀର ଓସାର ଗୋଟିଏ କେନାଲର ଓସାରଠାରୁ ଅଧିକ ବୋଧ ହେଉନଥିଲା ଏବଂ ଦିଗ୍‌ବଳୟରେ ସେହି ପ୍ରଶସ୍ତତା କ୍ରମେ ସଂକୀର୍ଣ୍ଣ ହୋଇଯାଇ ଜଣାଯାଉଥିଲା ସତେ ଯେପରି ସେହିଠାରେ ନଦୀର ଗତି ରୁଦ୍ଧ ହୋଇଥିଲା । ଏଠାରେ ସପତକୋଶିଆର ଆରମ୍ଭରେ ‘ବିନିକାଇ’ ନାମ୍ନୀ ଦେବୀ ପ୍ରତିଷ୍ଠିତ ଅଛନ୍ତି । ଏଠାରେ ମହାନଦୀର ଦକ୍ଷିଣ ତୀରବର୍ତ୍ତୀ ବୌଦରାଜ୍ୟ ଅନ୍ତର୍ଗତ ପର୍ବତର ନାମ ସାତକୋଶିଆ । ଏହା ଘନବନ ସମାଚ୍ଛାଦିତ ଗୋଟିଏ ନିରବଚ୍ଛିନ୍ନ ନୀରନ୍ଧ୍ର ପ୍ରଚୀରାକୃତ ପର୍ବତମାଳା । ଅପର ତୀରରେ ମଧ୍ୟ ସେହିପରି ଆଉ ଗୋଟିଏ ପର୍ବତ ଶ୍ରେଣୀ ଦଣ୍ଡାୟମାନ । ଏହି ପର୍ବତଶ୍ରେଣୀ ଦ୍ୱୟ ମଧ୍ୟରେ ମହାନଦୀ ସ୍ୱୀୟ ସୁବିପୁଳ ବପୁକୁ ସଂକୁଚିତ କରି ଧୀର ପ୍ରବାହରେ ପ୍ରବାହିତ ହୋଇ ଚାଲିଛି । ଏ ସ୍ଥାନରେ ସ୍ରୋତର ଗତି ଆଦୌ ଅନୁଭୂତ ହୁଏ ନାହିଁ ଏହି ସପ୍ତକ୍ରୋଶ ବ୍ୟାପି ନଦୀ ତୀରରେ ଗ୍ରାମର ଅସ୍ତିତ୍ୱ ନାହିଁ । ଜଳ ଅତିଗଭୀର । ତୀର ପ୍ରଦେଶ ନୌକାର ଆଶ୍ରୟ ନିମିତ୍ତ ସମ୍ପୂର୍ଣ୍ଣ ଅନୁପଯୁକ୍ତ । ସ୍ରୋତ ନଥିବାରୁ ନୌକା କେବଳ ଆହୁଲାର ଗତିରେ ଚାଲେ ।’’ (ଉ:ସା :–୨୮/୧୨ ପୃ :–୪୭୯) ସାତକୋଶିଆର ଭୀମକାନ୍ତ ସୌନ୍ଦର୍ଯ୍ୟ ସମ୍ପର୍କରେ ଦାଶ ମହୋଦୟ ଆହୁରି ଲେଖିଛନ୍ତି, ‘‘ଊର୍ଦ୍ଧ୍ୱରେ ଅଭ୍ରଂକଷ ପର୍ବତ ଶିଖର, ନିମ୍ନରେ ଅତଳ ସ୍ୱର୍ଶୀ ଗଭୀର ଜଳଭାଗ, ପର୍ବତ ଗାତ୍ର ଘନସନ୍ନିବିଷ୍ଟ ମହା ମହାରୁହ ଶ୍ରେଣୀ ଦ୍ୱାରା ସମାଚ୍ଛାଦିତ । ନଦୀଗର୍ଭ ଭୀଷଣାକୃତି କୁଭୀରାଦି ଜଳ ଜୀବରେ ପୂର୍ଣ୍ଣ–‘‘(ଉ:ସା :୨୮/୯ ପୃ :–୪୨୧)

 

ସାତକୋଶିଆର ରୁଦ୍ର ସୁନ୍ଦର ରୂପ ଆଉ ଜଣେ ପ୍ରକୃତି ପ୍ରେମୀ ବ୍ୟକ୍ତିଙ୍କୁ ମଧ୍ୟ ଅଭିଭୂତ କରିଛି । ସେ ହେଉଛନ୍ତି କବି ରାଧାନାଥଙ୍କ ପୁତ୍ର ଶଶିଭୂଷଣ ରାୟ । ୧୮୯୪ ମସିହାରେ ଗଡ଼ଜାତ ଭ୍ରମଣରେ ବାହାରି ସେ ଏହି–‘ଶୋକପାଶୋରା ଅପ୍‌ସରା ଭୁବନ’ର ନୈସର୍ଗିକ ରୂପରେ ମୁଗ୍ଧ ହୋଇ ପଡ଼ିଥିଲେ । ଏହି ଅଞ୍ଚଳର ପ୍ରକୃତି, ଜଳଚର ଓ ସ୍ଥଳଚର ହିଂସ୍ର ପଶୁପକ୍ଷୀ, ସରୀସୃପ ପ୍ରଭୃତି କରିଛନ୍ତି । ସେ ଲେଖିଛନ୍ତି, ବଡ଼ମୂଳ ଘାଟିଠାରେ ମହାନଦୀର ଓସାର ୪୦୦ ରୁ ୭୦୦ କ୍ୟୁବିଟ୍‌ ମଧ୍ୟରେ । ନଦୀର ଗଭୀରତା ୨୫’’ ରୁ ୩୦’’ ମଧ୍ୟରେ । ନଦୀଖଣ୍ଡି ଉପରର ପାର୍ବତ୍ୟ ଅଣଚଉଡ଼ା ରାସ୍ତାଠାରୁ ନଦୀଶଯ୍ୟା ପ୍ରାୟ ୬୦’’ ତଳେ । ଉପର ରାସ୍ତାରେ ଗୋ-ଯାନରେ ଯାଉଥିବା ବେଳେ ଅସାବଧାନତାବଶତଃ ଯାନ ଯଦି ନିମ୍ନଗାମୀ ହୁଏ ତେବେ ତାଙ୍କର ଦଶା କ’ଣ ହେବ ଏହା ଭାବି ରାୟ ମହାଶୟ ଅସ୍ଥିର ହେଉଥିବା ବେଳେ ସାତକୋଶିଆର ପ୍ରାକୃତିକ ସୌନ୍ଦର୍ଯ୍ୟ ହିଁ ତାଙ୍କ ମନକୁ ଅପୂର୍ବ ପ୍ରଶାନ୍ତିରେ ଭରି ଦେଇଛି । ଏହା ସମ୍ପର୍କରେ ସେ ଲେଖିଛନ୍ତି । ‘‘The Natural beauty of Saptakos equals, if not surpasses most of the famous sylvan hill of Great Britain’’ ସାତ କୋଶିଆର ଜଳ ସ୍ରୋତ ସମ୍ପର୍କରେ ତାଙ୍କର ମନ୍ତବ୍ୟ, ‘‘The water there is of extra ordinary force, it rages, foams and dashes in the wildest and most horrible manner through out the whole Saptakros-gorge measuring from 80’ to 100.’’ (Mahanadi Rambles :–Journal of B.S.E Orissa Oct- Dec’ 90- Vol. 14.-No.4) ପ୍ରଚଣ୍ଡ ବେଗରେ ବହିଯାଉ ଯାଉ ନଦୀଗର୍ଭସ୍ଥ ପ୍ରସ୍ତର ଖଣ୍ତମାନଙ୍କରେ ବାଡ଼େଇ ହୋଇ ଜଳସ୍ରୋତ ସେଠାରେ ଭୟଙ୍କର ଶବ୍ଦ କରେ ଏବଂ ସମୟ ସମୟରେ ଏତେ ଏତେ ଫେଣ ସୃଷ୍ଟି କରେ ଯେ, ନଦୀ ଶଯ୍ୟା ସ୍ଵାଭାବିକ ହେବା ପର୍ଯ୍ୟନ୍ତ ଜଳପଥ କିଛି ଦିନ ବନ୍ଦ ହୋଇଯାଏ । ପ୍ରକୃତିର ରୁଦ୍ର ରୋଷ ନିକଟରେ ମଣିଷ କେତେ ଅସହାୟ ଲେଖକ ତାହା ବିସ୍ମୟରେ ଲକ୍ଷ୍ୟ କରିଛନ୍ତି ।

 

ବଡ଼ମୂଳ ଘାଟିର ପ୍ରାକୃତିକ ସୌନ୍ଦର୍ଯ୍ୟରେ ମୁଗ୍ଧ ହୋଇ ରେଭରେଣ୍ଡ ଡବ୍ଲ୍ୟୁ ଉର ଉଇକ୍‌(Rev, W. Ur Wick) ଲେଖିଛନ୍ତି, "The scenary of Barmul pass is said some what to resemble the Lower Danube" (Ibid). ଗଣ୍ତ ଦୁଇ ପାର୍ଶ୍ଵରେ ଯେଉଁ ଘଞ୍ଚ ବନାନୀ ଶୋଭିତ ଗିରିମାଳା ରହିଛି, ଏହାର ଉଚ୍ଚତା ୧୫୦୦’ ରୁ ୨୫୦୦’-। ସ୍ଥାନେସ୍ଥାନେ ପର୍ବତ ଶୃଙ୍ଗ ନଦୀଗର୍ଭକୁ ନଇଁ ପଡ଼ି ନଦୀ ପଥକୁ ଗୋଟିଏ ଦିଗରେ ଯେତିକି ବିପଦସଙ୍କୁଳ କରିଛି, ଏହାର ସୌନ୍ଦର୍ଯ୍ୟକୁ ମଧ୍ୟ ସେହିଭଳି ବଢ଼ାଇ ଦେଇଛି । ଏକଦା ଦୁଇତୀରର ଅରଣ୍ୟରେ ବହୁ ପଶୁ ଓ ପକ୍ଷୀ ଥିଲେ । ବ୍ୟାଘ୍ର, ହସ୍ତୀ, ଭଲ୍ଲୁକ ଆଦି ହିଂସ୍ର ପଶୁଙ୍କ ସହିତ ହରିଣ, ସମ୍ବର ଆଦି ବିଭିନ୍ନ ପଶୁ ଏଠାରେ ରହୁଥିଲେ । ଏହାଛଡ଼ା ଅରଣ୍ୟ ଥିଲା ବିଷଧର ସର୍ପଙ୍କ ନିତ୍ୟ ବିହାର ସ୍ଥଳୀ । ସମ୍ପ୍ରତି ଏହାର ଭୌଗୋଳିକ ରୂପ ଦ୍ରୁତ ଗତିରେ ବଦଳିବାରେ ଲାଗିଛି-। ମନୁଷ୍ୟର ଉଦଗ୍ର କ୍ଷୁଧା ନିକଟରେ ଏହାର ଉଭୟ ବନ ସମ୍ପଦ ତଥା ପଶୁ ସମ୍ପଦ ବଳିପଡ଼ିବାରେ ଲାଗିଛି । ଦିନେ ସାତକୋଶିଆରେ ଥିଲେ ଅଜସ୍ର କୁମ୍ଭୀର । ଏବେ ସରକାରୀ ଉଦ୍ୟମରେ ଟିକର ପଡ଼ାଠାରେ ଏକ କୁମ୍ଭୀର ଗବେଷଣା ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି । ସାତକୋଶିଆ ହେଉଛି, ଓଡ଼ିଶାକୁ ପ୍ରକୃତିର ଏକ ଅନନ୍ୟ ଉପହାର ।

 

ସୁବର୍ଣ୍ଣପୁର:–ମହାନଦୀ କୂଳରେ ଅବସ୍ଥିତ ସୁବର୍ଣ୍ଣପୁର ପ୍ରସିଦ୍ଧ ଏହାର ପ୍ରତ୍ନତାତ୍ତ୍ୱିକ ବିଭବ ନିମନ୍ତେ । ଏହା ନିକଟରେ ରହିଛି ରତାଗଡ଼ର ଧ୍ଵଂସାବଶେଷ । ଅତୀତରେ ସରଣ୍ଡା ନାମରେ ପରିଚିତ ଏହି ଅଞ୍ଚଳରେ ବାଙ୍କି ରାଜବଂଶର ଜଣେ ପ୍ରତିନିଧି ଶାସନ କରୁଥିଲେ । ଦୁର୍ଗର ମାଟି ନିର୍ମିତ ପାଚେରୀ ଧ୍ଵଂସ ପାଇଯାଇଛି । ସ୍ଵପ୍ନେଶ୍ଵର ମହାଦେବ, ପଶ୍ଚିମେଶ୍ୱର ମହାଦେବ (କନ୍ଦରପୁର ପାଖରେ) ଏବଂ ସରଣ୍ଡାର ଭଗ୍ନଗୁମ୍ଫା ପ୍ରଭୃତି ଏହି ଦୁର୍ଗଟିକୁ ଏକ ଐତିହାସିକ ଗୁରୁତ୍ୱ ଦେଇଥାଏ । ସମ୍ଭବତଃ ଏଠାରେ ନଳୋଦ୍‌ଭବ ରାଜା (ଅଷ୍ଟମ/ ନବମ ଶତକ) ମାନେ ରାଜପଣ କରୁଥିଲେ । ଏହି ଅଞ୍ଚଳରୁ ସେମାନଙ୍କ ତମ୍ବାପଟ୍ଟା ଦାନପତ୍ର ମଧ୍ୟ ମିଳିଛି । ଅମଙ୍ଗେଇ ପାହାଡ଼ ଉପରେ ଥିବା ଭଗ୍ନ ଶିବ ମନ୍ଦିରର ପ୍ରତ୍ନତାତ୍ତ୍ୱିକ ଗୁରୁତ୍ୱ ରହିଛି । ମହାନଦୀ ଉପରୁ ଦେଖିଲେ ଅନ୍ୟ ଏକ ପାହାଡ଼ରେ ଡମପଡ଼ା ଗଡ଼ର ଧ୍ଵଂସାବଶେଷ ଦେଖିବାକୁ ମିଳେ । ଏଠାରୁ ପ୍ରାୟ ୬ କି:ମି ଦୂରରେ ମାଧିଆବର ରହିଛି ରାଜଧାନୀର ସୁରକ୍ଷାରେ ଯାହାର ଯଥେଷ୍ଟ ସାମରିକ ଗୁରୁତ୍ୱ ଥିଲା । ପାଣ୍ଡବ ବଖରା ନାମକ ଏକ ଗୁମ୍ଫା-ପାଥପୁର ନିକଟସ୍ଥ ଏକ ପାହାଡ଼ ଉପରେ ରହିଛି । ପଥର କାଟି ଏକଦା ଏହାକୁ ପ୍ରସ୍ତୁତ କରାଯାଇଥିଲା । ସୁବର୍ଣ୍ଣପୁର ଦୁର୍ଗର ନିର୍ମାତା ଥିଲେ କେଶରୀ ବଂଶର ଶେଷ ରାଜା ସୁବର୍ଣ୍ଣ କେଶରୀ । ସମ୍ଭବତଃ ୧୧୧୨ ଖ୍ରା:ଅରେ ଗଙ୍ଗବଂଶୀୟ ଚୋଡ଼ଗଙ୍ଗ ଦେବ ତାଙ୍କୁ ପରାସ୍ତ ଓ ହତ୍ୟା କରି ଓଡ଼ିଶା ଅଧିକାର କରିଥିଲେ । ସୁବର୍ଣ୍ଣପୁର ଗ୍ରାମ ସୁବର୍ଣ୍ଣ କେଶରୀଙ୍କ ନାମାନୁସାରେ ପ୍ରତିଷ୍ଠିତ ହୋଇଥିବାର ଶୁଣାଯାଏ ।

 

ଓଡ଼ିଶାର ଏକମାତ୍ର ମଧୁର ଜଳ ହ୍ରଦ ‘ଅଂଶୁପା’ ସୁବର୍ଣ୍ଣପୁର ନିକଟରେ ଅବସ୍ଥିତ । ମହାନଦୀ କଟକ ଜିଲ୍ଲାରେ ପ୍ରବେଶ କରି ସୁବର୍ଣ୍ଣପୁର ନିକଟରେ ଅବସ୍ଥିତ ଯେଉଁ ଏକ ବିରାଟ ପାଟ ବା ଜଳଭୁମି ସୃଷ୍ଟି କରିଥିଲା ତାହା ହିଁ ହେଉଛି ଅଂଶୁପା ଏବଂ ଏହା ମହାନଦୀର ଏକ ଅଂଶ । ଅଂଶ+ପାଟ=ଅଂଶପାଟ ବା ଅଂଶୁପା ଏବଂ ଶେଷରେ ଅଂଶୁପା ନାମରେ ପରିଚିତ ହୋଇଥିବାର ଅନୁମାନ କରାଯାଏ । ଏହାର କ୍ଷେତ୍ରଫଳ ୩୫୭ ରୁ ୩୮୫ ଏକର ମଧ୍ୟରେ । ଏକଦା ଏହା ହଂସମାନଙ୍କ ଆବାସ ସ୍ଥଳୀ ଥିଲା ଏବଂ ଏହାର ନାମ ଥିଲା ହାଂସପାଟ–ଯେଉଁଥିରୁ ଅଂଶୁପା ନାମଟି ଆସିଛି ବୋଲି ଅନ୍ୟ ଏକ ମତ ଶୁଣାଯାଏ । ସୁବର୍ଣ୍ଣପୁର ଗ୍ରାମ ପାଖରେ ମହାନଦୀର ବାମ କୂଳରେ ଏହା ଅବସ୍ଥିତ । ହ୍ରଦର ପଶ୍ଚିମ ପାଖେ ସରଣ୍ଡା ପର୍ବତ ଓ ଉତ୍ତର ପୂର୍ବ ପାଖରେ ବିଷ୍ଣୁପୁର ପାହାଡ଼ । ଦକ୍ଷିଣ ପୂର୍ବ ପଟେ ଏହା କାବୁଲା ନଳା ନାମକ ଏକ ନାଳ ଦ୍ଵାରା ମହାନଦୀ ସହିତ ସମ୍ପୃକ୍ତ । ଏହି ବାଟେ ମହାନଦୀ ପାଣି ହ୍ରଦରେ ପ୍ରବେଶ କରୁଥିଲା । ହୁଳହୁଳା ନାଳ ବୋଲି ଗୋଟିଏ ଝରଣା ମହାନଦୀରେ ପଡ଼ିଛି । ନଦୀବନ୍ଧ ଉଚ୍ଚା ହେବା ପୂର୍ବରୁ ବଢ଼ିପାଣି ଏଇବାଟେ ମଧ୍ୟ ଅଂଶୁପାରେ ପଶୁଥିଲା । ତେବେ ଏହାର ସମସ୍ତ ଆବର୍ଜନା ସାଥିରେ ନେଇ ହୁଳହୁଳା ନାଳ ବାଟେ ବାହାରି ଯାଉଥିଲା । ବନ୍ଧ ଉଚ୍ଚା ହୋଇଯିବାରୁ ପାଣି ଆଉ ସେ ବାଟେ ଯାଇପାରୁନାହିଁ । ଅଂଶୁପା ପଟୁ ମୃତ୍ତିକା କ୍ଷୟ ହେତୁ ପୋତି ହୋଇ ପଡ଼ିଲାଣି । ଏକଦା ଯେଉଁଠି ୩୦’-୪୦’ ପାଣି ରହୁଥିଲା ଏବେ ସେଠାରେ କ୍ୱଚିତ୍‌୧୦’ରୁ ପାଣି ରହୁଛି । ଦିନେ ଏହି ହ୍ରଦ ଥିଲା ରମଣୀୟ ପ୍ରାକୃତିକ ସୌନ୍ଦର୍ଯ୍ୟରେ ପୂର୍ଣ୍ଣ ସ୍ଥାନ । କବି ଏହାକୁ ଦେଖି କାବ୍ୟ ଲେଖୁଥିଲେ, (ଅଂଶୁପା-ଜୟକୃଷ ମିଶ୍ର) ପାହାଡ଼ର ସବୁଜ ଶ୍ରୀ ବିଲୁପ୍ତ ହେବା ଫଳରେ ସେଇ ସୌନ୍ଦର୍ଯ୍ୟ ଚିରତରେ ଅବଲୁପ୍ତ । ଅଂଶୁପା ଥିଲା ଏହାର ମତ୍ସ୍ୟ ସମ୍ପଦ ପାଇଁ ଖ୍ୟାତ । ପ୍ରଚୁର ପଦ୍ମ ମଧ୍ୟ ଫୁଟୁଥିଲା । ଆଜି ତାହା ଦଳପୂର୍ଣ୍ଣ । ଦୂର୍ଦ୍ଦିନରେ ଏହାର ପ୍ରିୟ ବନ୍ଧୁ ଭ୍ରାମ୍ୟମାଣ ପକ୍ଷୀଦଳ ମଧ୍ୟ ଏହାକୁ ଛାଡ଼ିଯାଇଛନ୍ତି । ଏହାର ହୃତଶ୍ରୀକୁ ଫେରାଇ ଆଣିବା ନିମନ୍ତେ ସରକାରୀ ସ୍ତରରେ ଉଦ୍ୟମ ହେଉଛି ବୋଲି ଶୁଣାଯାଏ ।

 

ପାରାଦୀପ :–ଏଥର ପ୍ରସଙ୍ଗ ପାରାଦୀପ । ମହାନଦୀ ମୁହାଣରେ ଅବସ୍ଥିତ ଏହି ସ୍ଥାନ କଟକଠାରୁ ୯୫ କ:ମି ଦୂର । ଐତିହାସିକ ଓ ପୌରାଣିକ ଦୃଷ୍ଟିରୁ ଏହି ସ୍ଥାନର ଗୁରୁତ୍ୱ ରହିଛି । ଜନଶ୍ରୁତିରୁ ଜଣାଯାଏ ଯେ, ମହାଭାରତର ପ୍ରଣେତା ବ୍ୟାସଦେବଙ୍କ ପିତା ଋଷିପରାଶର ଏଠାରେ ବାସୁଦେବ-ପୂଜା ପ୍ରଚଳନ କରିଥିଲେ । ସେଇ ମୂର୍ତ୍ତିଟି ପ୍ରକୃତରେ ହେଉଛି ଏକ ଅବଲୋକିତେଶ୍ଵର ମୂର୍ତ୍ତି । ଗଠନକଳା ଦୃଷ୍ଟିରୁ ଏହା ଦଶମ ଶତକର ହୋଇପାରେ ବୋଲି ଅନୁମାନ କରାଯାଉଛି । ମଧ୍ୟଯୁଗରେ ଷଣ୍ଢ ରାଜାମାନେ ଏଠାରେ ରାଜତ୍ୱ କରୁଥିଲେ ଏବଂ ସେମାନଙ୍କ ରାଜଧାନୀ ଥିଲା ପାରାଦୀପ ଗଡ଼ । ବନ୍ଦରଠାରୁ ଆଠ କି:-ମି ଦୂରରେ ଗଡ଼ର ଧ୍ଵଂସାବଶେଷ ରହିଛି । ଏବର ଷଣ୍ଢ ରାଜପ୍ରାସାଦରେ କେତେକ ପ୍ରାଚୀନ ପ୍ରସ୍ତର କଳା, ପିତ୍ତଳ ମୂର୍ତ୍ତି, ପୁରୁଣା ଇଟା, ତୋପ ଇତ୍ୟାଦି ରଖାଯାଇଛି ସମୃଦ୍ଧ ଅତୀତର ସ୍ମୃତି ଚିହ୍ନ ରୂପେ । ରାଜ ପରିବାର ସେମାନଙ୍କ କୁଳଦେବୀ କନକ ଦୁର୍ଗାଙ୍କ ଉପାସନା ନିମନ୍ତେ ଏଠାରେ ଏକ ମନ୍ଦିର ନିର୍ମାଣ କରିଥିଲେ । ଗଡ଼ ବାହାରେ ପରାଶର ମୁନିଙ୍କ ମନ୍ଦିର ରହିଛି । ପାରାଦୀପ ଆଖପାଖ ଅଞ୍ଚଳରେ ବୌଦ୍ଧଧର୍ମର ଯେତିକି ଧ୍ୱଂସାବଶେଷ ରହିଛି, ତହିଁରୁ ଏହି ଧର୍ମ ଏକଦା ଏଠାରେ ବେଶ୍‌ ପ୍ରସାର ଲାଭ କରିଥିବା ଅନୁମାନ କରାଯାଇଥାଏ-। ୧୯୬୦ ମସିହାରେ ଏଠାରେ ଏକ ବନ୍ଦର ନିର୍ମାଣ କରାଯିବା ପ୍ରସ୍ତାବ ଅନୁମୋଦିତ ହୋଇ ୧୯୬୧ ମସିହାରେ କାର୍ଯ୍ୟ ଆରମ୍ଭ କରାଯାଇଥିଲା । ବର୍ତ୍ତମାନ ଏହା ଏକ କର୍ମ ଚଞ୍ଚଳ ବନ୍ଦର । ଏହି ବାଟେ ଲୁହା ପଥର, କ୍ରୋମପଥର, ପିଗ୍‌ ଲୁହା, କୋଇଲା, ଫେରୋକ୍ରୋମ୍‌, ଫେରୋମାଙ୍ଗାନିଜ, ତମ୍ବା, ଅଗ୍ନି ନିରୋଧକ ଇଟା, ଇସ୍ପାତ୍‌ ଦ୍ରବ୍ୟ, ମ୍ୟାଗ୍‌ନେସାଇଟ୍‌, ସିମେଣ୍ଟ ବନଜୀତ ଦ୍ରବ୍ୟ ସାର, ଚିନି, କାଜୁ ଏବଂ ଅନ୍ୟାନ୍ୟ ଖାଦ୍ୟ ଶସ୍ୟ ରପ୍ତାନି କରାଯାଉଛି । ଏହି ଗଭୀର ଜଳ ପୋତାଶ୍ରୟର ବାର୍ଷିକ ୭୦୧୮୦ ଲକ୍ଷ ଟନ୍‌ ମାଲ୍‌ ବୋଝାଇ କ୍ଷମତା ରହିଛି । ପାରାଦୀପ ବର୍ତ୍ତମାନ ଭାରତର ଅଷ୍ଟମ ବୃହତ୍ତମ ବନ୍ଦର ।

 

ବନ୍ଦରର ଆଖପାଖରେ ବହୁ ସହାୟକ ଶିଳ୍ପ ଗଢ଼ି ଉଠିଛି । ପାରାଦୀପ ଫସ୍‌ପେଟସ୍‌, ଡାଇମୋନିଆ ଫସ୍‌ଫୋଟସ ପ୍ଲାଣ୍ଟ ଓସଓ୍ୱାଲ ସାର କାରଖାନା ପ୍ରଭୃତି ଏହି ଭଳି କେତୋଟି ଶିଳ୍ପ । ବର୍ତ୍ତମାନ ଏଠାରେ ନିର୍ମିତ ହେବାକୁ ଯାଉଛି ଏକ ତୈଳ ବିଶୋଧନାଗାର । ଆଉ ଏକ ଇସ୍ପାତ୍‌ କାରଖାନା ଏବଂ ସିମେଣ୍ଟ କାରଖାନା ବସାଯିବା ପ୍ରସ୍ତାବ ମଧ୍ୟ ରହିଛି । ଏଠାରେ ଗଭୀର ସମୁଦ୍ରରୁ ମାଛ ଧରାଯାଉଛି ଏବଂ କ୍ରମେ ଏହି ବ୍ୟବସାୟ ବୃଦ୍ଧି ପାଇବାରେ ଲାଗିଛି । ଏଠାରେ ବହୁକାଳରୁ ବସବାସ କରି ରହି ଆସୁଥିବା କୈବର୍ତ୍ତ ସମାଜର ଆର୍ଥ–ସାମାଜିକ ସ୍ଥିତିର ଏହାଦ୍ଵାରା ଦ୍ରୁତ ପରିବର୍ତ୍ତନ ଘଟୁଛି । ଏହିଠାରେ ହିଁ ମହାନଦୀ ତା’ର ଦୀର୍ଘ ଯାତ୍ରା ଶେଷ କରି ସମୁଦ୍ର ମଧ୍ୟରେ ଚିରବିଶ୍ରାମ ଲାଭ କରିଛି । ମୁହାଣର ପାକୃତିକ ଦୃଶ୍ୟ ଏକାଧାରରେ ରୁଦ୍ର ତଥା ସୁନ୍ଦର । ପାରାଦୀପ ବନ୍ଦର ଓଡ଼ିଶାର ଅର୍ଥନୈତିକ ବିକାଶରେ ଏକ ଉଜ୍ଜ୍ୱଳ ସହାୟକ ବିନ୍ଦୁ ।

 

ହୁକିଟୋଲା ବଙ୍ଗୋପସାଗରର ଏକ ଦ୍ଵୀପ । ଏହା କଟକଠାରୁ ୯୪ କି:ମି ଦୂର ଏବଂ ପାରାଦୀପଠାରୁ ମହାନଦୀ ବାଟେ ମାତ୍ର ୧୦ କି:-ମି । ଅତୀତରେ ଏଠାରେ ଏକ ବନ୍ଦର ଥିଲା । ସମୁଦ୍ରର ସ୍ଥିତି ପରିବର୍ତ୍ତନ ହେତୁ ଏହା ବନ୍ଦର ନିମନ୍ତେ ଅନୁପଯୁକ୍ତ ହୋଇପଡ଼ିଲା ଏବଂ ୧୯୨୪ରେ ଏହାକୁ ବନ୍ଦ କରିଦିଆଗଲା । କେବଳ ସେଠାରେ ଥିବା କୋଠାବାଡ଼ିର ରକ୍ଷଣାବେକ୍ଷଣ ନିମନ୍ତେ ଜଣେ ମାତ୍ର ଜଗୁଆଳ ରହିଲା । ସେଠାରେ ଘରର ଛାତ ଏ ଭଳି ଭାବରେ ତିଆରି ହୋଇଛି ଯେ, ଛାତରୁ ବର୍ଷା ପାଣି ଗଡ଼ିଯାଇ କୋଠାଦୁଇ ପଟରେ ଥିବା ଦୁଇଟି କୂପରେ ସଂଚିତ ହୋଇ ପେୟଜଳ ରୂପରେ ବ୍ୟବହୃତ ହୁଏ । ମଧୁର ଜଳ ମିଳିବାରେ ସମସ୍ୟା ରହିଥିବାରୁ ଏହି ବ୍ୟବସ୍ଥା କରାଯାଇଛି । ଦ୍ଵୀପର ପ୍ରାକୃତିକ ସୌନ୍ଦର୍ଯ୍ୟ ଅପୂର୍ବ । ତେବେ ଦ୍ରୁତ ମୃତ୍ତିକା କ୍ଷୟହେତୁ ଏହାର କ୍ଷେତ୍ରଫଳ ହ୍ରାସ ପାଇବାରେ ଲାଗିଛି । ୧୯୮୧ରେ ଏହାର ଆୟତନ ଥିଲା ୫୫୬.୮୫ ଏକର । ଏହାର ଲୁଣ । ଜଙ୍ଗଲକୁ ସଂରକ୍ଷିତ ଘୋଷିତ କରାଯାଇଛି ଏବଂ ଏଠାର ଜନବସତି ମଧ୍ୟ ବଢ଼ିବାରେ ଲାଗିଛି ।

 

ଜନବୀମ୍‌ସ୍‌ ତାଙ୍କ ସ୍ମୃତି କଥାରେ ଫଲସ୍‌ ପଏଣ୍ଟ ବତୀଘର ଓ ହୁକିଟୋଲା ସମ୍ପର୍କରେ ଲେଖିଛନ୍ତି । ଏହାର ନିର୍ମାଣ କାର୍ଯ୍ୟ ୧୮୬୬-୬୭ ମସିହାରୁ ଆରମ୍ଭ ହୋଇଥିବା ସେ କହିଛନ୍ତି । ୧୮୭୫-୭୬ ବେଳକୁ ଓଡ଼ିଶାରେ ଏକ ବନ୍ଦର ସ୍ଥାପନର ଆବଶ୍ୟକତା ଅନୁଭୂତ ହୋଇଥିଲା । ରେଭେନ୍ସା ସାହେବ (କମିଶନର), ଓ୍ୱାକର (ବାରିକ ମିସ୍ତ୍ରୀ ବିଭାଗର ଅଧୀକ୍ଷଣଯନ୍ତ୍ରୀ) ଏବଂ ମାକ୍‌ଫର୍ସନ୍‌ (କଲେକ୍ଟର) ପ୍ରଭୃତି ବର୍ତ୍ତମାନର ଫଲସ୍‌ ପଏଣ୍ଟ ପର୍ଯ୍ୟନ୍ତ ଯାଇଁ ଏଥିଲାଗି ଗୋଟିଏ ସ୍ଥାନ ବାଛିଥିଲେ । ସେ ଜାଗାଟିର କୌଣସି ନାମ ନଥିଲା । ମାକ୍‌ଫରସନ୍‌ଙ୍କ ପ୍ରସ୍ତାବ ଅନୁସାରେ ଇଞ୍ଜନିୟର୍‌ଙ୍କ ନାମ (ହୁକିୱାକର) ଅନୁସାରେ ସ୍ଥାନର ନାମ ରଖାଗଲା ହୁକିଟୋଲା । ମନେରଖିବାକୁ ସହଜ ହେବାରୁ ସ୍ଥାନୀୟ ଲୋକେ ମଧ୍ୟ ଶବ୍ଦଟିକୁ ଏକ ଦେଶୀୟ ଶବ୍ଦରୂପେ ଶୀଘ୍ର ଗ୍ରହଣ କରିନେଲେ । ଐତିହାସିକ ହଣ୍ଟର ନାମର ପ୍ରକୃତ କାରଣ ସମ୍ପର୍କରେ ଜାଣିନଥିବାରୁ ଏହାର ଏକ ବିଚିତ୍ର ବ୍ୟାଖ୍ୟା କରିଛନ୍ତି । ତାଙ୍କ ମତରେ ‘ହୁକି’ ଅର୍ଥ ‘ହୁଙ୍କା’ ଏବଂ ‘ଟୋଲା’ ଅର୍ଥ ହେଉଛି ତୋଳା ବା ଓଜନର ଏକ ପରିମାଣ । ମାକ୍‌ଫର୍‌ସନ୍‌ ବାରବାଟୀ ଦୁର୍ଗରୁ ପଥର ନେଇ ବତୀଘର ତିଆରି କରିଥିଲେ । ଡଃ ହରେକୃଷ୍ଣ ମହତାବ୍‌ ମଧ୍ୟ ତାଙ୍କ ‘ଓଡ଼ିଶା ଇତିହାସ’ରେ ଏ ବିଷୟରେ ଲେଖିଛନ୍ତି ‘‘ପଥରଗୁଡ଼ିକୁ ସେଠାକୁ ନିଆ ହୋଇ ଫଲସ୍‌ ପଏଣ୍ଟଠାରେ ଆଲୋକସ୍ତମ୍ଭ (Light House) ନିର୍ମିତ ହେଲା । (୧ମ ଭାଗ : ପୃ :–୩୦୩)

 

‘ହୁକିଟୋଲା’ର ପେୟଜଳ ବ୍ୟବସ୍ଥା ସମ୍ପର୍କରେ ନାଟ୍ୟକାର ମନୋରଞ୍ଜନ ଦାସ ଯେଉଁ ବିବରଣୀ ଦେଇଛନ୍ତି ତାହା ଏହିଭଳି । ‘‘ଏକ ଉଚ୍ଚ ଢିଅ ଉପରେ ରହିଥିବା ‘ହୋକିଟୋଲା କୋଠା’ଟି ସେତେବେଳେ ବ୍ୟବହୃତ ହେଉଥିଲା ଗେଷ୍ଟହାଉସ୍‌ ଭାବେ । ସେହ କୋଠା-ଗଠନର ଏକ ସ୍ଵାତନ୍ତ୍ର୍ୟ ଥିଲା । କୋଠାର ମେଜିଆ ତଳେ ରହିଥିଲା ଆଉ ଗୋଟଏ ନିବୁଜ ମହଲା । ହୁକିଟୋଲାର ପାନୀୟ ଜଳଭଣ୍ଡାର ରୂପେ ତାହା ବ୍ୟବହୃତ ହେଉଥିଲା । ପାଖଆଖରେ କୂଅ-ପୋଖରୀରେ ମିଠାପାଣି ମିଳିବା ସେଠିଥିଲା ଅସମ୍ଭବ । ଚାରିଆଡ଼େ ଘେରି ରହିଥିବା ଜୁଆରିଆ ନଈଗୁଡ଼ିକର ପାଣି ରହୁଥିଲା ଲୁଣିଆ । ପିଇବା ପାଣି ରୂପେ ବର୍ଷା ଦିନେ ଛାତ ଉପରେ ବର୍ଷା ହେଉଥିବା ପାଣିକୁ ପାଇପ୍‌ରେ ତଳକୁ ଖସାଇ ସଂରକ୍ଷଣ କରାଯାଉଥିଲା ମାଟି ତଳ ଏକ ଜଳଭଣ୍ଡାରରେ ।’’ (ସ୍କୃତିସଂଳାପ : ପୃ :–୮୭-୮୮)

 

ଫଲସ୍‌ ପଏଣ୍ଟ ଅଥବା ବତୀଘର କଟକଠାରୁ ୮୫ କି:ମି; ଦୂର । ପାରାଦୀପର ଜଳପଥରେ ଏହାର ଦୂରତ୍ୱ ମାତ୍ର ୬ କି:ମି । ଏଠାରେ ରହିଛି ବତୀଘର । ସମୁଦ୍ରରେ ଯାତ୍ରା କରୁଥିବା ଜାହାଜମାନେ ଏହାକୁ ଏକ ବନ୍ଦର ମନେ କରି ଏଠାକୁ ଚାଲିଆସି ବିପଦରେ ପଡ଼ୁଥିବାରୁ ସେମାନଙ୍କୁ ସତର୍କ କରାଇ ଦେବାକୁ ଏଠାରେ ଏକ ବତୀଘର ନିର୍ମାଣ କରାଗଲା ଏବଂ ସେହିଦିନଠାରୁ ସ୍ଥାନର ନାମ ହେଲା ଫଲସ୍‌ ପଏଣ୍ଟ । ଏହା ଏକ ଜଙ୍ଗଲୀ ସନ୍ତସନ୍ତିଆ ସ୍ଥାନ । ସମୁଦ୍ରବେଳାରେ ଟାପୁପରି ଗୋଟିଏ ସ୍ଥାନକୁ ଏଥିପାଇଁ ବଛା ଯାଇଥିଲା । ଏହାର ଉତ୍ତରରୁ ଜମ୍ବୁ ଏବଂ ଦକ୍ଷିଣରୁ ବକୁଳ ନାମକ ମହାନଦୀର ଦୁଇଟି ଶାଖାନଦୀ ବହି ଆସିଛନ୍ତି । ନଦୀ ଦୁଇଟି ଜୁଆରିଆ । ପୂର୍ଣ୍ଣ ଜୁଆର ସମୟରେ ମାଲବାହୀ ନୌକା ଓ ଷ୍ଚିମର୍‌ ଏହି ବାଟେ ଯିବା ଆସିବା କରୁଥିଲା । ଧାମରା, ବ୍ରାହ୍ମଣୀ ଏବଂ ଦେବୀ ପ୍ରଭୃତି ନଦୀ ସହିତ ଏହାର ସମ୍ପର୍କ ରହୁଥିଲା । ୧୮୭୯ ମସିହାରେ ସରକାର ବର୍ଦ୍ଧମାନ ମହାରାଣୀଙ୍କଠାରୁ (ସେତେବେଳେ କୁଜଙ୍ଗ ଅଞ୍ଚଳଥିଲା ବର୍ଦ୍ଧମାନ ରାଜାଙ୍କ ସମ୍ପତ୍ତି) ୫୪୧୧. ୨୫ ଏକର ଜମି ଦାନ ସୂତ୍ରରେ ପାଇଲେ । ରାଣୀଙ୍କ ସର୍ତ୍ତଥିଲା, ଫଲସ୍‌ ପଏଣ୍ଟ ସହିତ ଯୋଗାଯୋଗ ବ୍ୟବସ୍ଥାର ଉନ୍ନତି ସାଧନ ଏବଂ ଏଠାରେ ଥିବା ବନ୍ଦରର, ସଂସ୍କାର । ତେବେ ନଦୀ-ବାହିତ ବାଲି ଓ ପଟୁମାଟି ଦ୍ଵାରା ବନ୍ଦରଟି ଦ୍ରୁତ ଗତିରେ ପୋତି ହୋଇ ପଡ଼ୁଥିଲା । ବନ୍ଦରକୁ ଖୋଲା ରଖିବା ପ୍ରାୟ ଅସମ୍ଭବ ହୋଇ ପଡ଼ିବାରୁ ୧୯୨୪ରେ ଏହାକୁ ବନ୍ଦର ରୂପେ ବଞ୍ଚାଇ ରଖିବାର ଚିନ୍ତା ପରିତ୍ୟାଗ କରାଗଲା । ଏଠାର ବତୀଘର ନିର୍ମିତ ହୋଇଥିଲା ୧୮୩୬ରେ ଏବଂ ଏଥିରେ ୧୮୫୩ ମାର୍ଚ୍ଚ ପହିଲାରୁ ବତି ଜଳିଲା । ଏହାର ଉଚ୍ଚତା ୧୨୫’ ଏବଂ ଭିତରର ବ୍ୟାସ ହେଉଛି ତଳେ ୨୧’ ଏବଂ ଉପରରେ ୫’ । ୨୧ ଏକର ଜମିରେ ଏହା ଦଣ୍ଡାୟମାନ । ୧୯୫୭ ପର୍ଯନ୍ତ ଏହାକୁ ପେଟ୍ରୋଲିୟମ୍‌ ଗ୍ୟାସ୍‌ ଦ୍ୱାରା ଆଲୋକିତ କରାଯାଉଥିଲା । ତାହା ପରେ ଜେନେରେଟର୍‌ ଦ୍ଵାରା ବିଦ୍ୟୁତ୍‌ ଉତ୍ପାଦନ କରାଯାଇ ଏହାକୁ ଆଲୋକିତ କରାଗଲା । ବତୀଘର ଆଖପାଖରେ କିଛି ସମାଧି ରହିଛି । ସମ୍ଭବତଃ ଏଗୁଡ଼ିକ ସେ ସମୟର ବିଦେଶୀ କମଚାରୀମାନଙ୍କର । ସମୁଦ୍ର ଦ୍ଵାରା ଏହି ଅଞ୍ଚଳର ମୃତ୍ତିକାକ୍ଷୟ ହେବାରୁ ଏହାର ଆୟତନ କମିବାରେ ଲାଗିଛି । ବାରବାଟୀ ଦୁର୍ଗର ପଥରରେ ଏହା ତିଆରି । ଜନବସତି ଧୀରେ ଧୀରେ ବଢ଼ୁଛି । ‘ବତୀଘର’ର ଆଲୋକ ବ୍ୟବସ୍ଥା ସମ୍ପର୍କରେ ମନୋରଞ୍ଜନ ଦାସଙ୍କ ଚିତ୍ତାକର୍ଷକ ବର୍ଣ୍ଣନା ଏହିଭଳି । ‘‘ସବୁଦିନେ ସେଠି ଆଲୁଅ ଜଳୁଥିଲା । ଆଲୁଅର ଚାରିପାଖରେ ବୃତ୍ତାକାରରେ ଖଞ୍ଜାଯାଇଥିଲା ପ୍ରିଜିମ୍‌ (Prism) ବହୁ ଦୂରକୁ ତାହା ଆଲୋକ ବିଛୁରିତ କରୁଥିଲା । ‘ଲାଇଟ୍‌ହାଉସ୍‌’ର ସଭା ଉପର ମହଲାରେ ଜଳୁଥିବା ସେଇ ଗ୍ୟାସ୍‌ ଆଲୁଅର ଚାରିପାଖରେ ଅର୍ଦ୍ଧବୃତ୍ତ ଆକାରରେ ଏକ ଢାଙ୍କୁଣୀ ଘୂରି ବୁଲୁଥିଲା । ସାରାରାତି । ସମୁଦ୍ର ବକ୍ଷରୁ ଏଇ ଆଲୋକକୁ ଦିଗ୍‌ବଳୟର ଏକ ତାରା ବୋଲି ଭ୍ରମ ନହେବା ପାଇଁ ଢାଙ୍କୁଣୀ ଘୂରିବା ଦ୍ଵାରା ଆଲୁଅ ଜଳି ଉଠୁଥିଲା ଓ ଲିଭିଯାଉଥିଲା । ଏହା ସମୁଦ୍ର ବକ୍ଷର ନାବିକକୁ କୂଳକୁ ନଆସିବାକୁ ନିର୍ଦ୍ଦେଶ ଦେଉଥିଲା’’ (ସ୍କୃତି ସଂଳାପ :–ପୃ :–୮୭)

 

ଉପସଂହାର :–ଇତିହାସ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ କୋତୋଟି ସ୍ଥାନ ସମ୍ପର୍କରେ ଏହି ଅଧ୍ୟାୟରେ ଆଲୋଚନା କରାଯାଇଛି । ବସ୍ତୁତଃ ଓଡ଼ିଶା ଇତିହାସର ଏକ ସର୍ବମାନ୍ୟ ଓ ବିଶ୍ଵାସ ଯୋଗ୍ୟ ରୂପ ଏ ପର୍ଯ୍ୟନ୍ତ ଉପଲବ୍ଧ ହୋଇନଥିବାରୁ ଏଥିରେ ଯଥାସମ୍ଭବ ବହୁ ଐତିହାସିକଙ୍କ ମତକୁ ଉଦ୍ଧାର କରାଯାଇ ନିଜସ୍ଵ ଏକ ସିଦ୍ଧାନ୍ତ ଦିଆଯାଇଛି । ଦୃଷ୍ଟାନ୍ତ ସ୍ଵରୂପ ବାରବାଟୀ ଦୁର୍ଗର ନିର୍ମାତାଙ୍କ ସମ୍ପର୍କରେ ଏ ପର୍ଯ୍ୟନ୍ତ ମଧ୍ୟ ଆମେ ଏକ ଅଭ୍ରାନ୍ତ ତଥ୍ୟ ପାଇନାହୁଁ । ସେହି ଭଳି ବାରାଣସୀ କଟକର ସ୍ଥାପୟିତା ଚୋଡ଼ଗଙ୍ଗ ଦେବ ଥିଲେ କିମ୍ବା ଅନଙ୍ଗ ଭୀମ ଥିଲେ, ତାହା ମଧ୍ୟ ସ୍ଥିର କରାଯାଇପାରି ନାହିଁ । ହଜାରେ ବର୍ଷର ନଗର କଟକ କେବେ ସ୍ଥାପିତ ହେଲା- ତାହା ମଧ୍ୟ ଆମକୁ ନିର୍ଦ୍ଦିଷ୍ଟ ଭାବେ କୁହାଯାଇ ନାହିଁ । ଯାହାହେଉ ଏହି ପୁସ୍ତକଟି ମୁଖ୍ୟତଃ ଓଡ଼ିଶାର ଜୀବନରେଖା ମହାନଦୀ ସମ୍ପର୍କିତ ହୋଇଥିବାରୁ ଇତିହାସ ନିର୍ମାଣରେ ନଦୀର ଭୂମିକାକୁ ମାତ୍ର ଆଖିରେ ରଖି ଏଥିରେ ଇତିହାସକୁ ବ୍ୟବହାର କରାଯାଇଛି । ଇତିହାସ ପ୍ରସ୍ତୁତିରେ କିମ୍ବଦନ୍ତୀର ଭୂମିକା ମଧ୍ୟ ଅପରିହାର୍ଯ୍ୟ । ତେଣୁ ଯେଉଁଠି କିମ୍ବଦନ୍ତୀ ଲୋକକଥା ବା ଜନଶ୍ରୁତି ଉପଲବ୍ଧ ହୋଇଚି, ସେ ସବୁକୁ ମଧ୍ୟ ଯଥାସ୍ଥାନରେ ଲିପିବଦ୍ଧ କରାଯାଇଛି । ଦୃଷ୍ଟାନ୍ତ ସ୍ୱରୂପ ବୌଦ ଅଞ୍ଚଳର ଶାକ୍ୟସିଂହ ଗ୍ରାମର ନାମକରଣ ବିଷୟକ କିମ୍ବଦନ୍ତୀ । ଗୌତମ ବୁଦ୍ଧ ସେ ଅଞ୍ଚଳକୁ ଆସିଥିଲେ କିମ୍ବା ନାହିଁ ସେ ଏକ ଜଟିଳ ପ୍ରଶ୍ନ । ବସ୍ତୁତଃ ବୁଦ୍ଧଦେବ ଓଡ଼ିଶା ଆସିଥିବାର କୌଣସି ବିଶ୍ୱାସ ଯୋଗ୍ୟ ପ୍ରମାଣ ନଥିବା ବେଳେ, ତାଙ୍କ ଜନ୍ମସ୍ଥାନ ଓଡ଼ିଶାରେ ବୋଲି ଆମେ ଇତିହାସ ଲେଖିବାକୁ ଆରମ୍ଭ କଲୁଣି । ଅବଶ୍ୟ ଏଥିରେ ଅସ୍ଵାଭାବିକତା କିଛି ନାହିଁ । ଅତୀତର ଇତିହାସ ସବୁବେଳେ ଧୂମାଚ୍ଛନ୍ନ । ବିବିଧ ପ୍ରାମାଣିକ ତଥ୍ୟ ବିଶ୍ୱସ୍ତ ଭାବରେ ଉପସ୍ଥାପିତ ହେଲେ, ଇତିହାସ ରୂପେ ସିଦ୍ଧ ହୋଇଯାଏ । ଆଉ ବିଶ୍ୱାସ ସୃଷ୍ଟି କରାଯାଏ ଉପଲବ୍ଧ ତଥ୍ୟର ଆଧାରରେ । ତଥ୍ୟ କେମିତି ମିଳେ, ତାହା ଆମକୁ ଜୟଦେବଙ୍କ ଜନ୍ମସ୍ଥାନ ମାଧ୍ୟମରେ ଦେଖାଇ ଦଆଯାଇଛି । ସେଇଥିପାଇଁ ହୁଏତ କୁହାଯାଇଛି । "History is a bundle of lies, mutually agreed upon."

Image

 

Unknown

ସପ୍ତମ ଅଧ୍ୟାୟ

ଆ କା ମା ଭୈଃ

 

ଦରିଆ ପାରିରେ ଓଡ଼ିଆ :–ରାମାୟଣ, ମହାଭାରତ ଏବଂ ବୌଦ୍ଧ ସାହିତ୍ୟ ପ୍ରକୃତି ପ୍ରାଚୀନ ସାହିତ୍ୟରେ କଳିଙ୍ଗ ସମ୍ପର୍କରେ ଉଲ୍ଲେଖ ମିଳୁଥିବାରୁ ଏହି ରାଜ୍ୟ ଯେ ଏକ ପ୍ରାଚୀନ ଏବଂ ସଭ୍ୟରାଜ୍ୟ ଏ ବିଷୟରେ ଅନ୍ତତଃ ସନ୍ଦେହ ରହେ ନାହିଁ । କଳିଙ୍ଗ ରାଜା ମହାଭାରତ ଯୁଦ୍ଧରେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ଦୁର୍ଯ୍ୟୋଧନ କଳିଙ୍ଗ ରାଜାଙ୍କ କନ୍ୟା ସ୍ଵୟମ୍ବରରେ ଯୋଗଦେଇ ସେ କନ୍ୟାକୁ ଅପହରଣ କରି ବିବାହ କରିଥିଲେ।–ଏହି ସବୁ ଘଟଣାର ଉଲ୍ଲେଖରୁ ଜଣାଯାଏ ଯେ, ଆର୍ଯ୍ୟାବର୍ତ୍ତର ରାଜନ୍ୟ ମଣ୍ଡଳୀରେ କଳିଙ୍ଗ ରାଜ ନିତାନ୍ତ ଅପରିଚିତ ନଥିଲେ ।

 

କଳିଙ୍ଗର ଅଧିବାସୀ–ଅତୀତରେ ଦୀର୍ଘ ସମୁଦ୍ରପଥ ଅତିକ୍ରମ କରି କେବଳ ଯେ, ପୂର୍ବଭାରତୀୟ ଦ୍ଵୀପପୁଞ୍ଜରେ ଉପନିବେଶ ସ୍ଥାପନ କରିଥଲେ, କିମ୍ବା ସେ ସବୁ ରାଜ୍ୟରେ ବାଣିଜ୍ୟ ବ୍ୟବସାୟ କରୁଥିଲେ, ଏହା ନୁହେଁ, ସେମାନଙ୍କର ବୋଇତ ସୁଦୂର ଚୀନ୍‌ ଏବଂ ଆଫ୍ରିକା ପ୍ରଭୃତି ଅଞ୍ଚଳ ପର୍ଯ୍ୟନ୍ତ ମଧ୍ୟ ଯାଇପାରୁଥିଲା । କଳିଙ୍ଗ ଉପକୂଳରେ ବେଶ୍‌ କିଛି ବନ୍ଦର ଥିଲା । ଟଲେମିଙ୍କ ଭୂଗୋଳରେ ପାଲୁର୍‌ ଏବଂ କୋଣାର୍କ ବନ୍ଦର ସମ୍ପର୍କରେ ଉଲ୍ଲେଖ ଥିବା କଥା ପୂର୍ବରୁ ସୂଚିତ ହୋଇଛି । ଏହି ପାଲୁର ବନ୍ଦର ରଷିକୂଲ୍ୟା ନଦୀ ମୁହାଣରେ ଅବସ୍ଥିତ ଥିଲା । ଏହିଠାରୁ ମାଳୟ ଦ୍ଵୀପପୁଞ୍ଜକୁ ଜାହାଜ ସବୁ ଯାଉଥିଲା ବୋଲି ଟଲେମି ଲେଖିଛନ୍ତି । ପଞ୍ଚଦଶ ଶତକ ପର୍ଯ୍ୟନ୍ତ ଅର୍ଥାତ୍‌ ଓଡ଼ିଶାରେ ସୂର୍ଯ୍ୟବଂଶର ରାଜତ୍ୱ‌ ଆରମ୍ଭ ପର୍ଯ୍ୟନ୍ତ ଏହି ପାଲୁର ବନ୍ଦର କାର୍ଯ୍ୟକ୍ଷମ ହୋଇ ରହିଥିଲା ବୋଲି ଡଃ ହରେକୃଷ୍ଣ ମହତାବ୍‌ ଲେଖିଛନ୍ତି । ଏହାଛଡ଼ା ବନ୍ଦର ଦନ୍ତପୁର ପ୍ରସଙ୍ଗ ମଧ୍ୟ ମିଳୁଛି । ଏହା ଏବର ଏରଣ୍ଡପଲ୍ଲୀ ନିକଟସ୍ଥ ଦଣ୍ଡଗୁଳ ବୋଲି ଚିହ୍ନିତ ହୋଇଛି । ଡଃ ମହତାବ୍‌ଙ୍କ ବିବରଣୀ ଅନୁସାରେ, ପାଲୁରଠାରୁ ଅଳ୍ପ ଦୂରରେ ଥିଲା ଗଞ୍ଜାମ ବନ୍ଦର । ଗଞ୍ଜାମର ଅର୍ଥ ପଣ୍ୟଭୂମି, ଅର୍ଥାତ୍‌ ଏହିଠାରେ ପଣ୍ୟ ଦ୍ରବ୍ୟର ବିଶେଷ କାରବାର ହେଉଥିଲା । ଚୀନ୍‌ପରିବ୍ରାଜକ ହୁଏନ୍‌ସାଂ (ସପ୍ତମ ଶତକ) ପୂର୍ବ ଉପକୂଳର ‘ଚରିତ୍ର’ ବନ୍ଦର ସମ୍ପର୍କରେ ବିଶେଷ ଭାବରେ ଉଲ୍ଲେଖ କରିଛନ୍ତି । ଐତିହାସିକମାନେ ଏହାକୁ ‘ପୁରୀ’ ବା ‘କୋଣାର୍କ’ ଯେ କୌଣସି ଗୋଟିଏ ସ୍ଥାନର ବନ୍ଦର ବୋଲି ଅନୁମାନ କରୁଛନ୍ତି । ଟଲେମି ‘କୋନ୍ନଗର’ ବନ୍ଦର କଥା କହିଛନ୍ତି, ଯାହାକି ‘କୋଣାର୍କ’ର ବିଦେଶୀ ଉଚ୍ଚାରଣ ବୋଲି ଐତିହାସିକମାନେ ମନେ କରନ୍ତି । ଏହି ସବୁ ବନ୍ଦର ମଧ୍ୟରେ ‘ପାଲୁର’ ବନ୍ଦର ଥିଲା ସବୁଠାରୁ ବଡ଼ ଏବଂ ସ୍ଥାନଟି କଙ୍ଗୋଦ ରାଜ୍ୟର ରାଜଧାନୀ ମଧ୍ୟ ଥିଲା । ଯେଉଁ ରାଜ୍ୟରେ ଏତେଗୁଡ଼ିଏ ପୁରୁଣା ଓ ବଡ଼ ବନ୍ଦର ଥିଲା, ସେଠାର ଅଧିବାସୀମାନେ ଯେ, ନୌବାଣିଜ୍ୟରେ ସୁନିପୁଣ ଓ ଅଭ୍ୟସ୍ତ ଥିବେ, ଏହି ଭଳି ଅନୁମାନ କରିବା ଅଯୌକ୍ତିକ ନୁହେଁ । ପୂର୍ବ ସମୁଦ୍ରରେ ବୋଇତ ଭସାଇ ସେମାନେ ଜବ ବା ଜାଭା, ସୁମାତ୍ରା, ବୋର୍ଣ୍ଣିଓ, ବାଲି ଓ ମାଲୟ ପ୍ରଭୃତି ରାଜ୍ୟକୁ ଯାଇ ସେଠାରେ ବାଣିଜ୍ୟ ବ୍ୟବସାୟ କରୁଥିଲେ । ଯେଉଁ ସ୍ଥାନକୁ ବ୍ୟବସାୟୀମାନେ ଘନଘନ ଯାଆନ୍ତି, ସେଠାର ସେମାନଙ୍କୁ ରହିବା ପାଇଁ ଏକ ସ୍ଥାୟୀ ବ୍ୟବସ୍ଥା ରଖିବାକୁ ପଡ଼େ । ରହୁ ରହୁ ସେମାନେ ସେଠାରେ ସ୍ଥାୟୀ ହୋଇଯାଆନ୍ତି । କ୍ରମଶଃ ଏଇ ସୂତ୍ରଧରି ଏମାନେ ସେଠାରେ ରାଜନୀତି, ସମାଜନୀତି ପ୍ରଭୃତିର ଅଙ୍ଗ ହୋଇଯାଆନ୍ତି ଏବଂ ହୁଏତ ବାହୁବଳରେ ହିଁ ସେଠାରେ ସ୍ଥାପନ କରନ୍ତି ନିଜର ଉପନିବେଶ । ଏହାହିଁ ହେଉଛି ଉପନିବେଶ ସ୍ଥାପନର ଧାରା । ଇଂରେଜମାନେ ଆମଦେଶରେ ଏହି ଉପାୟରେ ନିଜର ଉପନିବେଶ ସ୍ଥାପନ କରିଥିଲେ, କଳିଙ୍ଗୀମାନେ ମଧ୍ୟ ସେଠାରେ ସେହିଭଳି ରାଜ୍ୟ ଗଢ଼ିଥିବେ । ଆଧୁନିକ ମାଲୟେସିଆ ହିଁ ହେଉଛି ସେ କାଳର ‘ସୁବର୍ଣ୍ଣ ଦ୍ୱ‌ୀପ’ ଏବଂ ସେଠାରେ କଳିଙ୍ଗୀମାନେ ସାମ୍ରାଜ୍ୟ ବିସ୍ତାର କରି ଦୀର୍ଘ ୩୦୦ ବର୍ଷ କାଳ ରାଜ୍ୟ ଶାସନ କରିଥିବା ଜଣାଯାଉଛି । ବାଣିଜ୍ୟ ବ୍ୟବସାୟ ପ୍ରସଙ୍ଗରେ ଅବଶ୍ୟ ମୂଳ ଭୂଖଣ୍ଡ ସହିତ ସେମାନଙ୍କ ଯୋଗାଯୋଗ ଥିବ । ତେବେ ଏଠା ସହିତ ସେଠାର ରାଜନୈତିକ ସମ୍ପର୍କ କିଭଳି ଥିଲା, କିମ୍ୱା ଆଦୌ ନଥିଲା, ସେ ବିଷୟରେ ଇତିହାସ ନୀରବ ।

 

ଇତିହାସର ଆଧାର ହେଉଛି କିମ୍ବଦନ୍ତୀ । କଳିଙ୍ଗ ରାଜ କୋଡ଼ିଏ ହଜାର ପରିବାରକୁ ଜାଭା ପଠାଇଥିବା ବିଷୟକ ଗୋଟିଏ କିମ୍ବଦନ୍ତୀ ସେଠାରେ ପ୍ରଚଳିତ ଅଛି । ସେମାନେ କାଳର ନିୟମରେ ସଂଖ୍ୟାରେ ବଢ଼ିଥିଲେ ମଧ୍ୟ ୩୬୭ ଖ୍ରୀ:ଅ :–ପର୍ଯ୍ୟନ୍ତ ସେଠାରେ କୌଣସି ରାଜନୈତିକ ପରିଚୟ ସୃଷ୍ଟି କରିପାରି ନଥିଲେ । ଶେଷରେ ସେଇ ବର୍ଷ ସେମାନେ ‘କାନୁ’ ନାମକ ରାଜ୍ୟ ପ୍ରତିଷ୍ଠା କରିଥିଲେ । ଏହି ରାଜ୍ୟର ରାଜା ତିନିପୁରୁଷ ପର୍ଯ୍ୟନ୍ତ ରାଜତ୍ୱ କରିଥିଲେ । କିମ୍ବଦନ୍ତୀ ଅନୁସାରେ ଏହି ସମୟରେ ‘ଅସ୍ତୀନ(ହସ୍ତୀନା) ନାମକ ଆଉ ଏକ ରାଜବଂଶର ଉଦ୍‌ଭବ ହେଲା । ଏହାର ରାଜାଙ୍କ ନାମ ‘ପୁଲସର’ (ପରାଶର) । ତାଙ୍କ ପୁଅ ‘ଅବ୍ୟାସ’ (ବ୍ୟାସ) ଓ ତାଙ୍କ ପୁଅ ହେଲେ ‘ପାଣ୍ଡୁଦେବନାଥ’ ଏମାନେ ଶହେ ବର୍ଷ ପର୍ଯ୍ୟନ୍ତ ରାଜପଣ କରିଥିଲେ । ଚତୁର୍ଥ ପୁରୁଷ ‘ଜୟବୟ’ (୧୨ଶ ଶତକ) ଥିଲେ ଜାଭାର ଜଣେ ପ୍ରସିଦ୍ଧ ରାଜା ଓ ‘ଭାରତଯୁଦ୍ଧ’ ନାମକ କାବ୍ୟର ପୃଷ୍ଠପୋଷକ । ମନେ ହେଉଛି ଏହି ରାଜବଂଶ ଭାରତୀୟ ହୋଇଥିଲେ ହେଁ କଳିଙ୍ଗୀ ନଥିଲେ । କଳିଙ୍ଗର ହୋଇଥିଲେ, ସେମାନେ ନିଜ ଦେଶର ନାମ ଗ୍ରହଣ ନକରି ମହାଭାରତର ନାମଗୁଡ଼ିଏ ନିଜ ପାଇଁ ବାଛିଥାଆନ୍ତେ କାହିଁକି କିମ୍ବା ସେ ବଂଶର ରାଜା ‘ଭାରତ ଯୁଦ୍ଧ’ (ହୁଏତ ମହାଭାରତ ଯୁଦ୍ଧର ବିବରଣୀ ଦିଆଯାଇଥିବ) ନାମକ କାବ୍ୟକୁ ପ୍ରୋତ୍ସାହନ ଦେଇଥାଆନ୍ତେ କାହିଁକି ?

 

ତେବେ ଜାଭା ସହିତ କଳିଙ୍ଗର ସମ୍ପର୍କ ବିଷୟରେ ଯେଉଁ ବହୁ ଚର୍ଚ୍ଚିତ ଐତିହାସିକ ତଥ୍ୟଟି ଉପଲବ୍ଧ, ତାହା ହେଉଛି ଏହି ଯେ ଚୀନ୍‌ରେ ‘ଟାଙ୍ଗ୍’ ରାଜବଂଶ ରାଜତ୍ୱ କରୁଥିବା ବେଳେ (୬୧୮-୯୦୬ ଖ୍ରୀ:ଅ) ଜାଭା ରାଜ୍ୟକୁ ‘ହୋ-ଲିଙ୍ଗ’ ବୋଲି କୁହାଯାଉଥିଲା । ଏହା ହେଉଛି ‘କଳିଙ୍ଗ’ର ଚୀନ୍‌ ଭାଷାର ଉଚ୍ଚାରଣ । ହୁଏତ ଜାଭାର କୌଣସି ଅଞ୍ଚଳର ନାମ ‘କଳିଙ୍ଗ’ ହୋଇଥିବ ଏବଂ ତାହାରି ଅନୁସାରେ ସମଗ୍ର ଅଞ୍ଚଳକୁ ଏହି ନାମରେ ପରିଚୟ କରାଇ ଦିଆଯାଉଥିବ । ତେବେ ଏଥିରେ ସନ୍ଦେହ ନାହିଁ ଯେ, ‘ଟାଙ୍ଗ୍’ ରାଜବଂଶ ରାଜତ୍ୱ ଆରମ୍ଭ କରିବା ପୂର୍ବରୁ ‘ଜାଭା’ ‘କଳିଙ୍ଗ’ ନାମରେ ପରିଚିତ ହୋଇସାରିଥିଲା ଏବଂ ଚୀନ୍‌ରାଜାଙ୍କ ସହିତ ଏହି କଳିଙ୍ଗର ଦୂତସ୍ତରୀୟ ଆଦାନ-ପ୍ରଦାନ ସମ୍ପର୍କ ରହିଥିଲା । ଟାଙ୍ଗ ରାଜବଂଶର ଇତିହାସରେ କଳିଙ୍ଗ (ଜାଭା)ର ଜଣେ ‘ରାଣୀ’ ସିମା (ସପ୍ତମ ଶତକ)ଙ୍କ ସମ୍ପର୍କରେ ବର୍ଣ୍ଣିତ ଅଛି, ଯିଏକି ପ୍ରଜାଙ୍କ ସମ୍ମୁଖରେ ନୈତିକତାର ଆଦର୍ଶ ସ୍ଥାପନ କରିବା ପାଇଁ ନିଜପୁତ୍ରର ପାଦର ଦୁଇଚୁଢ଼ା ଆଙ୍ଗୁଠି କାଟି ତାଙ୍କୁ ତାଙ୍କ ଅପରାଧ ନିମନ୍ତେ ଦଣ୍ଡ ଦେଇଥିଲେ । ଅତ୍ୟନ୍ତ ସୁଶାସିକା ଏବଂ ପ୍ରଜାବତ୍ସଳା ଏହି ରାଣୀ ଆଦର୍ଶକୁ ବ୍ୟକ୍ତି ସମ୍ପର୍କ ଅପେକ୍ଷା ଅଧିକ ମର୍ଯ୍ୟାଦା ଦେଉଥିଲେ ।

 

ଅଷ୍ଟମ ଶତକ ହେଉଛି ଶୈଳେନ୍ଦ୍ର–ରାଜବଂଶର ରାଜତ୍ୱ ସମୟ । ଏହି ବଂଶ ସମ୍ପର୍କରେ ସୁବର୍ଣ୍ଣ ଦ୍ଵୀପ ତଥା ଭାରତର ବିଭିନ୍ନ ପ୍ରାନ୍ତରୁ କିଛି ଶିଳାଲିପି ଓ ତାମ୍ର ଶାସନ ମିଳିଛି । ସୁମାତ୍ରା, ଜାଭା ଓ ମାଳୟ ଦ୍ଵୀପପୁଞ୍ଜର ସମସ୍ତ ହିନ୍ଦୁରାଜା ଏହି ରାଜବଂଶର ଅତ୍ୟନ୍ତ ଅନୁଗତ ଥିବା ଏ ସବୁରୁ ଜଣାଯାଏ । ଶୈଳେନ୍ଦ୍ରମାନେ ବୌଦ୍ଧଥିଲେ ଏବଂ ଏମାନଙ୍କ ସମୟରେ ‘ସୁବର୍ଣ୍ଣ ଦ୍ଵୀପ’ର ସ୍ଥାପତ୍ୟ କଳାରେ ଚରମ ବିକାଶ ସାଧିତ ହୋଇଥିଲା । ‘ବୋରବୁଦ୍ଦର’ ନାମକ ସ୍ଥାନରେ ଯେଉଁ ବୌଦ୍ଧମନ୍ଦିର ଅଛି, ତାହା ଶୈଳେନ୍ଦ୍ର ରାଜବଂଶର ପୃଷ୍ଠପୋଷକତାରେ ଅଷ୍ଟମ ଶତାବ୍ଦୀର ମଧ୍ୟଭାଗରେ ନିର୍ମିତ ହୋଇଛି । ସ୍ଥାପତ୍ୟ କଳାର ଏହା ହେଉଛି ଏକ ବିରଳ ଆଦର୍ଶ ।

 

ସାଗର ପାରିରେ ବିକ୍ଷିପ୍ତ ଦ୍ଵୀପମାନଙ୍କ ମଧ୍ୟରେ ରାଜନୈତିକ ସଂହତି ସ୍ଥାପନ, ଶାସନ କ୍ଷେତ୍ରରେ ସଂସ୍କାର ଏବଂ କଳାକ୍ଷେତ୍ରରେ ଏକ ଅନନ୍ୟ ଆଦର୍ଶ ସୃଷ୍ଟି କରିବା ନିମନ୍ତେ ଶୈଳେନ୍ଦ୍ରମାନଙ୍କୁ ଯେ କିଭଳି ପରିଶ୍ରମ କରିବାକୁ ହୋଇଥିବ, ତାହା ଅନୁମାନ ସାପେକ୍ଷ । ବିରାଟ ନୌବହର ସାହାଯ୍ୟରେ ଏଠାରୁ ବିଶେଷଜ୍ଞ ନେଇ ସେଠାର ଶାସନ, କଳା କ୍ଷେତ୍ରରେ ବିପ୍ଲବ ସୃଷ୍ଟି କରିବା କିଛି ସାଧାରଣ କଥା ନଥିଲା । ତଥାପି ଶୈଳେନ୍ଦ୍ରମାନେ ତାହା କରିପାରିଥିଲେ । ମୂଳଭୂଖଣ୍ତରୁ ଯେ ଏଥିପାଇଁ ବିଶେଷଜ୍ଞମାନଙ୍କ ସାହାଯ୍ୟ ଦରକାର ହୋଇଥିବ, ଏହା ଅନୁମାନ କରାଯାଇପାରେ । ଦକ୍ଷିଣର ଚୋଳବଂଶୀୟମାନଙ୍କ ସହିତ ଶୈଳେଦ୍ରମାନଙ୍କର ପ୍ରଥମେ ଭଲ ସମ୍ପର୍କ ଥିଲେ ମଧ୍ୟ ପରେ ଏହା ତିକ୍ତ ହୋଇଥିଲା । ରାଜେନ୍ଦ୍ର ଚୋଳ (୧୦୧୦-୧୦୪୦) ସୁବର୍ଣ୍ଣ ଦ୍ଵୀପ ଆକ୍ରମଣ କରି ଶୈଳେନ୍ଦ୍ରମାନଙ୍କୁ ପରାସ୍ତ କରିଥିଲେ । ଏତେ ବେଳକୁ ରାଜେନ୍ଦ୍ର ଚୋଳ କଳିଙ୍ଗ ବିଜୟ କରିସାରିଥିଲେ ଏବଂ ସୁବର୍ଣ୍ଣ ଦ୍ଵୀପ ବିଜୟରେ କଳିଙ୍ଗର ସୁଶିକ୍ଷିତ ନୌସେନା ତଥା ବନ୍ଦରଗୁଡ଼ିକ, ଏଥିପାଇଁ ତାଙ୍କୁ ଯଥେଷ୍ଟ ସାହାଯ୍ୟ କରିଥିଲେ । ତେବେ ରାଜେନ୍ଦ୍ରଙ୍କ ମୃତ୍ୟୁପରେ ଶୈଳେନ୍ଦ୍ରମାନେ ସ୍ଵାଧୀନ ହେବା ନିମନ୍ତେ ଉଦ୍ୟମ କରିଥିଲେ । ବିଦ୍ରୋହୀମାନଙ୍କୁ ଦମନ କରିବା ପାଇଁ ବୀର ରାଜେନ୍ଦ୍ର (୧୦୬୩-୧୦୭୦)–ବିରାଟ ନୌ-ବାହିନୀ ପଠାଇଥିଲେ । ବିଦ୍ରୋହୀମାନେ ପରାଜୟ ବରଣ କରିବାଫଳରେ ‘ସୁବର୍ଣ୍ଣ ଦ୍ୱୀପ’ ଚୋଳବଂଶର ଉପନିବେଶରେ ପରିଣତ ହୋଇଥିଲା ।

 

ଉତ୍‌ଥାନ ପତନ ହେଉଛି ଜଗତ୍‌ର ନିୟମ । ଶୈଳେନ୍ଦ୍ର ଓ ଚୋଳମାନଙ୍କ ମଧ୍ୟରେ ଦୀର୍ଘକାଳ ବିବାଦ ଚାଲିବା ପରେ ଅନ୍ତିମ ବିଜୟ ଶୈଳେନ୍ଦ୍ରମାନଙ୍କର ହିଁ ହୋଇଥିଲା । ମୂଳ ଭୂଖଣ୍ଡଠାରୁ ଏତେ ଦୂରରେ ପୁଣି ସମୁଦ୍ର ମଝିରେ ଗୋଟିଏ ସାମ୍ରାଜ୍ୟ ରଖିବା କିଛି ସହଜ କାମ ନଥିଲା । ଚୋଳମାନେ ପରାଜୟ ସ୍ଵୀକାର କରିନେଲେ । ଡଃ ମହତାବ୍‌ ଏହି ଶୈଳେନ୍ଦ୍ର ବଂଶକୁ କଙ୍ଗାଦର ଶୈଲୋଦ୍‌ଭବ ବଂଶ(ଅଷ୍ଟମ ଶତକ)ର ଏକ ଶାଖା ମନେ କରିଛନ୍ତି । (ଓଡ଼ିଶା ଇତିହାସ-:–ପ୍ରଥମ ଭାଗ : ପୃ :–୬୨) ଉତ୍ତର ଓ ଦକ୍ଷିଣ ଉଭୟ ଦିଗର ରାଜନୈତିକ ଚାପର ସମ୍ମୁଖୀନ ହୋଇ ନପାରି ଏମାନେ ସମ୍ଭବତଃ ପାଲୁର ବନ୍ଦରରୁ ଭାଗ୍ୟାନ୍ୱ‌େଷଣ ନିମନ୍ତେ ସମୁଦ୍ରରେ ପାଲ ମେଲି ଦେଇଥିଲେ । ସେମାନେ ସେଠାରେ ପହଞ୍ଚି ନିଜର ନୂତନ ବାସସ୍ଥାନକୁ ‘କଳିଙ୍ଗ’ ନାମରେ ନାମିତ କରିଥିବା ସମ୍ଭାବନା । ଅବଶ୍ୟ ତାହା ପୂର୍ବରୁ କଳିଙ୍ଗୀମାନେ ସୁବର୍ଣ୍ଣ ଦ୍ୱୀପରେ ବସବାସ କରିବାକୁ ଆରମ୍ଭ କରିସାରିଥିଲେ ଏବଂ ଏଥିରେ ହୁଏତ କୋଙ୍ଗଦ ଅଞ୍ଚଳର ଲୋକ ଅଧିକ ଥିଲେ । ନେତୃତ୍ୱ ପାଇଯିବାରୁ ଏମାନେହିଁ ସେଠାରେ ନୂତନ କଳିଙ୍ଗର ଉପନିବେଶ ସ୍ଥାପନ କରିଥିଲେ । କ୍ରମେ ମୂଳଭୂଖଣ୍ଡ ସହିତ ଏମାନଙ୍କ ସମ୍ପର୍କ ଦୁର୍ବଳ ହୋଇଯାଇ ଶେଷରେ ସମ୍ପୂର୍ଣ୍ଣ ରୂପେ କଟିଯାଇଥିଲା । ଦୂରରେ ରହିଲେ ସମ୍ପର୍କର ସେତୁ ଧୀରେ ଧୀରେ ଭାଙ୍ଗିବାକୁ ଆରମ୍ଭ କରେ-। ଏ କ୍ଷେତ୍ରରେ ସେ ଦେଶର ପାଣି ପବନ, ରୀତି ନୀତି, ଆଚାର ବ୍ୟବହାର, ଧର୍ମ ସଂସ୍କୃତି ଓ ଭାଷା ପ୍ରଭୃତିକୁ ଗ୍ରହଣ କରିନେବା ସ୍ଵାଭାବିକ । ତାହାହିଁ ହୋଇଥିଲା । ମୂଳଭୂଖଣ୍ଡ ସହିତ ସେମାନଙ୍କ ସମ୍ପର୍କର ଏବେ କୌଣସି ସୂଚନା ପ୍ରାୟ ନାହିଁ । ଏଥିପାଇଁ ଆମକୁ ଇତିହାସର ସୂତ୍ର ଖୋଜିବାକୁ ପଡ଼ୁଛି ।

 

ଗୋଟିଏ କଥା ଏଥିରୁ ସ୍ପଷ୍ଟ ହେଉଛି । ଘର ପଶା ବୋଲି ଓଡ଼ିଆମାନଙ୍କର ଯେଉଁ ଅପବାଦ କଥା ଏବେ ବି ରହିଛି (ଆବୁଲ ଫାଜଲ୍‌ଙ୍କ ଅମଳରୁ ଏମିତି ଅପବାଦ ଓଡ଼ିଆମାନଙ୍କୁ ମୁଣ୍ଡାଇବାକୁ ପଡ଼ୁଛି) ସୁଦୂର ଅତୀତରେ ସେମାନେ ତାହା ନଥିଲେ । ନିଃଶଙ୍କ ଚିତ୍ତରେ ସାଗରରୁ ସୀଗରାନ୍ତରକୁ ଭାସି ବୁଲୁଥିଲେ । ପଣ୍ୟ ନେଉଥିଲେ । ପଣ୍ୟ ଆଣୁଥିଲେ ଦେଶଭ ଅର୍ଥନୈତିକ ସ୍ଥିତି ଦୃଢ଼ କରୁଥିଲେ । ନୌବାଣିଜ୍ୟରେ ସେମାନଙ୍କ ଧୁରୀଣତା ଅନ୍ତତଃ ବିଶ୍ଵଦରବାରରେ ସ୍ଵୀକୃତ ଥିଲା ।

 

ପ୍ରାଚୀନ କଳିଙ୍ଗର ନୌବାଣିଜ୍ୟ ସମ୍ପର୍କରେ ଗ୍ରୀକ୍‌ ପରିବ୍ରାଜକ ମେଘାସ୍ଥନିସ୍‌, ଚୀନ୍‌ ପରିବ୍ରାଜକ ହୁଏନ୍‌ସାଂ ଓ ଫା-ହିୟାନ୍‌ ପ୍ରଭୃତିଙ୍କ ବିବରଣୀ ସହିତ ବୌଦ୍ଧ ସାହିତ୍ୟରୁ ମଧ୍ୟ ସୂଚନା ମିଳୁଛି । ହୁଏନ୍‌ସାଂ (୭ମ ଶତକ) ଚେଳିତାଳୋ ବନ୍ଦର କଥା କହିଛନ୍ତି । ଏହାର ସ୍ଥିତି ନିରୂପଣ ସମ୍ପର୍କରେ ମତଦ୍ଵୈଧ ରହିଛି । ମାତ୍ର ବନ୍ଦରର ଅସ୍ତିତ୍ୱ ସମ୍ପର୍କରେ ସମସ୍ତେ ନିଃସନ୍ଦେହ । ବର୍ଣ୍ଣନାରୁ ଜଣାପଡ଼ୁଛି ଯେ, ପୂର୍ବ ଉପକୂଳର ଏହା ଏକ ପ୍ରଧାନ ବନ୍ଦର ଥିଲା । ସେ ସ୍ପଷ୍ଟ ଲେଖିଛନ୍ତି ଯେ, ଏହି ସ୍ଥାନଟି ସମୁଦ୍ର ଯାତ୍ରୀ-ବ୍ୟବସାୟୀ ଓ ଦୂରାଗତମାନଙ୍କ ଗତାୟତର ବାଟ ତଥା ବିଶ୍ରାମସ୍ଥଳୀ ଥିଲା । ଏଠାରୁ ବୋଇତ ସବୁ ସିଂହଳ ଓ ସୁବର୍ଣ୍ଣ ଦ୍ୱୀପ ଯାଉଥିଲା । ଏହି ବନ୍ଦର ସ୍ଥଳ ସହିତ ଭଲଭାବରେ ଯୁକ୍ତ ହୋଇଥିବାରୁ ମାଲ୍‌ ପରିବହନରେ କୌଣସି ଅସୁବିଧା ହୋଉ ନଥିଲା । ଏହି ସ୍ଥାନରେ ବୌଦ୍ଧସ୍ତୁପ ଥିବା ସୂଚନାରୁ ଜଣାପଡ଼ୁଛି ଯେ, ଏହା ରତ୍ନଗିରି, ଲଳିତଗିରି ଓ ଉଦୟଗିରି ବୌଦ୍ଧ ବିହାରର ସନ୍ନିକଟବର୍ତ୍ତୀ କୋଣସି ସ୍ଥାନ ହୋଇଥିବ । ମାତ୍ର ସେଠାରେ ଅତୀତରେ ଗୋଟିଏ ବନ୍ଦର ଥିବାର ତାହାର ସାମ୍ପ୍ରତିକ ସ୍ଥିତିର ପରିପ୍ରେକ୍ଷୀରେ ସ୍ଵୀକାର କରି ହେଉନାହିଁ । ତେଣୁ ଏହାର ସ୍ଥାନ ସମ୍ପର୍କିତ ନିଷ୍ପତ୍ତି ନେବାରେ ଅସୁବିଧା ହେଉଛି ।

 

କଳିଙ୍ଗର ତାମ୍ର ଲିପି (ପଶ୍ଚିମବଙ୍ଗର ମେଦିନିପୁର ଜିଲ୍ଲାର ତମଲୁକ୍‌) ବନ୍ଦର ମଧ୍ୟ ପୂର୍ବଭାରତର ନୌବାଣିଜ୍ୟ ନିମନ୍ତେ ଏକ ପ୍ରଧାନ ବନ୍ଦର ଥିଲା । ଏଠାରୁ ବୋଇତ ସିଂହଳ ବାଟେ ଜାଭା ପର୍ଯ୍ୟନ୍ତ ଯାଉଥିଲା । ଏହି ସମୁଦ୍ର ପଥ ଚୀନ୍‌ର କାଣ୍ଟନ୍‌ ପର୍ଯ୍ୟନ୍ତ ଲମ୍ବିଥିଲା । ଉତ୍ତର ଓଡ଼ିଶାର ପଣ୍ୟଦ୍ରବ୍ୟ ସ୍ଥଳପଥରେ ଏଠାକୁ ଅଣାଯାଇ ବୋଇତରେ ବାହାରକୁ ପଠାଯାଉଥିଲା । କଳିଙ୍ଗର ଦକ୍ଷିଣାଂଶରେ ଥିବା ପାଲୁର ବନ୍ଦର ବିଷୟ ପୂର୍ବରୁ କୁହାଯାଇଛି । ତେବେ ଏହାହିଁ ଯେ ଦନ୍ତପୁର ଥିଲା, ଏ ବିଷୟରେ ଐତିହାସିକମାନଙ୍କର ସନ୍ଦେହ ରହିଛି । ଏଠାର ବଣିକମାନେ ନୌବାଣିଜ୍ୟରୁ ପ୍ରଚୁର ଉପାର୍ଜନ କରୁଥିଲେ । କଳିଙ୍ଗର ଅନ୍ୟ ଏକ ବନ୍ଦର ଥିଲା ପିଥୁଣ୍ଡା । ଖାରବେଳ ଏହାର ସମୃଦ୍ଧିରେ ଆକୃଷ୍ଟ ହୋଇ ଏହାକୁ ନିଜସାମ୍ରାଜ୍ୟର ଅନ୍ତର୍ଭୁକ୍ତ କରିଥିଲେ । ଏହି ସ୍ଥାନଟିକୁ ଏ ପର୍ଯ୍ୟନ୍ତ ଚିହ୍ନଟ କରାଯାଇପାରିନାହଁ ।

 

ଅତୀତରେ ଚିଲିକା ଥିଲା କଳିଙ୍ଗ ନୌବାଣିଜ୍ୟର ପ୍ରଧାନ ମାଧ୍ୟମ । ମାଣିକପାଟଣା ଏକ ବନ୍ଦର ରୂପେ ଖ୍ୟାତ ହୋଇଥିଲା । ସାତ କି:ମି ଦୀର୍ଘ ଏକ ଜଳପ୍ରଣାଳୀ ଦ୍ଵାରା ଚିଲିକା ସହିତ ବଙ୍ଗାପସାଗରର ଯୋଗାଯୋଗ ରହିଛି । ପୂର୍ବେ ଏହିବାଟେ ବୋଇତ ସବୁ ଚିଲିକା ଭିତରକୁ ଆସୁଥିଲା ଏବଂ ମାଣିକପାଟଣା ବନ୍ଦରରେ ପହଞ୍ଚୁଥିଲା । ଏହି ସ୍ଥାନର ପ୍ରତ୍ନତାତ୍ତ୍ୱିକ ଖୋଦନ ଦ୍ଵାରା ଓଡ଼ିଶାର ଅତୀତ ନୌବାଣିଜ୍ୟ ସମ୍ପର୍କରେ ଅନେକ ମୂଲ୍ୟବାନ୍‌ ତଥ୍ୟ ହସ୍ତଗତ ହୋଇଛି । ଖୋଦନ ଦ୍ଵାରା ଏଠାରୁ ରୋମର ପାତ୍ର, ଚୀନା ପାତ୍ର ତଥା ମୁଦ୍ରା, ଇଣ୍ଡୋନେସିଆର ମାଟିକାମ ସିଂହଳର ମୁକ୍ତା, ଶ୍ୟାମଦେଶର ପାତ୍ର ଏବଂ ଆରବ୍‌ ଦେଶର ଶଙ୍ଖଧବଳ ପାତ୍ର ଇତ୍ୟାଦି ଆବିଷ୍କୃତ ହୋଇଛି । ଏପରି କି ମୋଗଲ ଏବଂ ବ୍ରିଟିଶ୍‌ କାଳୀନ ମୁଦ୍ରା ସବୁ ବି ମିଳିଛି । ଏଥିରୁ ଏହାହିଁ ପ୍ରମାଣିତ ହେଉଛି ଯେ, ଅତିପ୍ରାଚୀନ କାଳରୁ ଆଧୁନିକ ସମୟ ପର୍ଯ୍ୟନ୍ତ ପୂର୍ବୋକ୍ତ ଦେଶଗୁଡ଼ିକ ସହିତ ଓଡ଼ିଶାର ବାଣିଜ୍ୟିକ ସମ୍ପର୍କ ରହିଥିଲା । ମୁହାଣ ପୋତି ହୋଇଯିବାରୁ ଚିଲିକା ଭିତରକୁ ବୋଇତ ସବୁ ଆସି ପାରିଲା ନାହିଁ ଏବଂ ନୌବାଣିଜ୍ୟ ବାଧାପ୍ରାପ୍ତ ହେଲା । ପୁଣି ଶିଶୁପାଳଗଡ଼ଠାରୁ ଭୂଖୋଦନ ଦ୍ଵାରା ରୋମର ଦ୍ରବ୍ୟ ସବୁ ମିଳିଥିବାରୁ ଏହି ଦେଶ ସହିତ ଓଡ଼ିଶାର ବାଣିଜ୍ୟିକ ସମ୍ପର୍କ ଥିବାର ପ୍ରମାଣିତ ହେଉଛି ।

 

କୋଣାର୍କ ଏକ ବନ୍ଦର ଥିବାର ଟଲେମି ସୂଚନା ଦେଇଛନ୍ତି । ଏହା ପାଖରେ ଥିବା ଖାଇକାଟିପାଟଣାରେ ଏହି ବନ୍ଦର ଥିବା ସୁଚନା ମିଳୁଛି । ଏହି ସ୍ଥାନର ଭୁଖୋଦନ ଦ୍ଵାରା ଏଠାର କୁଶଭଦ୍ରା ନଦୀ ମୁହାଣରେ ଏକ ନଦୀ ବନ୍ଦର ଥିବାର ପ୍ରମାଣ ଉପଲବ୍ଧ ହେଉଛି । ଏଠାରେ ଇଟା ତିଆରି ଏକ ମଣ୍ଡପର ସନ୍ଧାନ ମିଳିଛି । ଯେଉଁଠୁ ସମ୍ଭବତଃ ଜାହାଜରେ ପଣ୍ୟ ବୋଝାଇ ଏବଂ ଖଲାସ୍‌ କରାଯାଉଥିଲା । ଚୀନା ପାତ୍ର ଓ ମୁଦ୍ରା ତଥା ଆରବୀୟ ପାତ୍ର ଇତ୍ୟାଦି ମଧ୍ୟ ଏଠାରୁ ମିଳିଛି-। ପ୍ରାକ୍‌-ମଧ୍ୟଯୁଗ ପର୍ଯ୍ୟନ୍ତ ଏହି ବନ୍ଦର ସକ୍ରିୟ ଥିବାର ଅନୁମାନ କରାଯାଉଛି । ଏଥିରୁ ଏହାହିଁ ପ୍ରମାଣିତ ହେଉଛି ଯେ, ଓଡ଼ିଆମାନେ ସାମୁଦ୍ରିକ ବାଣିଜ୍ୟରେ ବେଶ୍‌ କୁଶଳୀ ଥିଲେ ଏବଂ ଓଡ଼ିଶାର ଅର୍ଥନୈତିକ ସମୃଦ୍ଧିର ଏହାହିଁ ଥିଲା ମୁଖ୍ୟ କାରଣ । ହୁଏତ ଉପକୂଳରେ ଆହୁରି ଅଧିକ ବନ୍ଦର ଥାଇପାରେ ଏବଂ ଅଧିକ ଅନୁସନ୍ଧାନ ଦ୍ଵାରା ନିର୍ଦ୍ଦିଷ୍ଟ ତଥ୍ୟ ହସ୍ତଗତ ହୋଇପାରେ ।

 

ବିଦେଶୀ ଐତିହାସିକମାନେ ଓଡ଼ିଶାର ଗୋଟିଏ ଗୋଷ୍ଠୀ ସମୁଦ୍ର ଯାତ୍ରାରେ ବିଶେଷ ରୁଚି ରଖୁଥିବାରୁ କିଭଳି ଜାଭା ଏବଂ ବାଲି ପ୍ରଭୃତି ଅଞ୍ଚଳରେ ଉପନିବେଶମାନ ସ୍ଥାପନ କରିବା ନିମନ୍ତେ ଆଗ୍ରହୀ ହୋଇଥିଲେ, ତାହାର ବିବରଣୀ ଦେଇଛନ୍ତି । ସେମାନଙ୍କ ମତରେ ଖ୍ରୀ:ପୂ ୪୭୭ରୁ ୫୦୦ ଖ୍ରୀ:ଅ :–(ପ୍ରାୟ ଆଠ ଶହ ବର୍ଷ) ମଧ୍ୟରେ ଓଡ଼ିଶାର ସମତଳ ଅଞ୍ଚଳରେ ଏଭଳି ଏକ ଗୋଷ୍ଠୀ ବାସ କରୁଥିଲେ, ଯେଉଁମାନେ କି ବୌଦ୍ଧ ଥିଲେ ଏବଂ ହିନ୍ଦୁମାନଙ୍କ ସହ ବିଶେଷ କୌଣସି ସମ୍ପର୍କ ରଖୁ ନଥିଲେ । ଉଭୟ ଗୋଷ୍ଠୀର ରୀତିନୀତି, ଆଚାର ବ୍ୟବହାର ମଧ୍ୟରେ କୌଣସି ସାମଞ୍ଜସ୍ୟ ନଥିଲା । ସମୁଦ୍ରଯାତ୍ରାରେ ପାରଙ୍ଗମ ଥିବାରୁ ଏମାନେ ହିଁ ତମଲୁକ୍‌ ଏବଂ ଚିଲିକା ପ୍ରଭୃତି ସ୍ଥାନରେ ବନ୍ଦରମାନ ସ୍ଥାପନ କରିଥିଲେ । ଜାଭା ପ୍ରଭୃତିଠାରେ ଏଇମାନେ ହିଁ ଉପନିବେଶ ସ୍ଥାପନ କରିଥିଲେ ଏବଂ ଦୀର୍ଘକାଳ ପର୍ଯ୍ୟନ୍ତ ମୂଳ ଭୂଖଣ୍ଡ ସହିତ ଯୋଗାଯୋଗ ଜାରି ରଖିଥିଲେ । ସେ ଯୁଗରେ ଜାଭାର ଗ୍ରାମୀଣ କର୍ମଚାରୀ ଏବଂ ଗ୍ରାମବାସୀମାନଙ୍କ ମଧ୍ୟରେ ଆଦାନ-ପ୍ରଦାନର ଯେଉଁ ବ୍ୟବସ୍ଥା ଥିଲା, ତାହା ଭାରତର ଏହି ଅଞ୍ଚଳରେ ପ୍ରାୟ ସେହି ଭଳି ଦେଖାଯାଉଥିଲା । (ଦେଖ :–ଫିଲିପ୍‌ଙ୍କ ଟାଗୋର ବକ୍ତୃତାମାଳା:- ଏମ୍‌.ଡି ଲଭେଲେର୍‌(M.D. Lave lrye) ଙ୍କ ଉଦ୍ଧୃତି) ମନେରଖିବାକୁ ହେବ ଯେ ଖ୍ରୀଷ୍ଟାବ୍ଦର ଆରମ୍ଭରେ ସମୁଦ୍ର ଆଡ଼ୁ ବହୁ ଆକ୍ରମଣକାରୀ ଏ ରାଜ୍ୟରେ ପ୍ରବେଶ କରିଥିଲେ । ‘ମାଦଳା ପାଞ୍ଜି’ ରେ ଏମାନଙ୍କୁ ‘ଯବନ’ କୁହାଯାଇଛି ଏବଂ ଏମାନଙ୍କ ମଧ୍ୟରେ ସିଂହଳୀ ଜଳଦସ୍ୟୁ ପ୍ରଧାନ ଥିଲେ । ଚିଲିକା ବାଟେ ଶ୍ରୀମନ୍ଦିର ଲୁଣ୍ଠନ କରିବାକୁ ଆସିଥିବା ‘ରକ୍ତବାହୁ’ ମଧ୍ୟ ଏହି ଯବନ ଗୋଷ୍ଠୀର ଥିଲା ।

 

ଓଡ଼ିଆମାନେ ନୌବାଣିଜ୍ୟ ପାଇଁ ସମୁଦ୍ରରେ ଯେଉଁ ଭଳି ଦୂରଦୂରାନ୍ତକୁ ଯାତ୍ରା କରୁଥିଲେ, ରାଜ୍ୟଭିତରେ ବାଣିଜ୍ୟ ପାଇଁ ନଦୀପଥକୁ ସେହିଭଳି ବ୍ୟବହାର କରୁଥିଲେ । ନୌବାଣିଜ୍ୟର ସମୃଦ୍ଧିରେ ନଦୀଗୁଡ଼ିକର ବିଶେଷ କରି ମହାନଦୀର ଏକ ବିଶେଷ ଭୂମିକା ରହିଥିଲା । ପ୍ରାଚୀନ ଓଡ଼ିଶାର ସମୁଦ୍ର ସମ୍ପର୍କ, ଓଡ଼ିଆମାନଙ୍କର ବୋଇତ ଦ୍ୱାରା ବାଣିଜ୍ୟ ନିମନ୍ତେ ଦୁରଦେଶକୁ ଯାତ୍ର। ଏହି ହେତୁରୁ ହିଁ ସମ୍ଭବ ହୋଇଥିଲା । ସେତେବେଳେ ଓଡ଼ିଶାର ନଦୀଗୁଡ଼ିକର ମୁହାଣ ଚଉଡ଼ା ଓ ଗଭୀର ଥିବାରୁ ଏବଂ ବଡ଼ ନଦୀଗୁଡ଼ିକ ପ୍ରାୟ ପୂର୍ବ ସମୁଦ୍ରରେ ପଡ଼ିଥିବାରୁ ବୋଇତ ହେଉ ବା ନୌବହର ହେଉ ଖୁବ୍‌ ସହଜରେ ନଦୀ ପଥରେ ଆଭ୍ୟନ୍ତରୀଣ ଅଞ୍ଚଳକୁ ଯାଇଆସି ପାରୁଥିଲେ । ମହାନଦୀ ଏବଂ ତା’ର ଶାଖାନଦୀଗୁଡ଼ିକ ଏ ଦିଗରେ ଉଲ୍ଲେଖଯୋଗ୍ୟ ଭୂମିକା ଗ୍ରହଣ କରୁଥିଲେ । ଯାତ୍ରୀ ଏବଂ ପଣ୍ୟ ବିପୁଳ ପରିମାଣରେ ଏହି ସବୁ ନଦୀ ପଥରେ ହିଁ ଦୂରଦୂରାନ୍ତକୁ ପଠାଇ ଦିଆଯାଇ ପାରୁଥିଲା ।

 

ଦେଶୀ ଡଙ୍ଗାରେ ଯାତ୍ରୀ ଏବଂ ପଣ୍ୟ-ଉଭୟ ଉପକୂଳବର୍ତ୍ତୀ ନଗରମାନଙ୍କୁ ପଠାଇ ଦିଆଯାଉଥିଲା । ପଣ୍ୟ ସବୁ ଠୁଳ କରି ରଖାଯାଉଥିଲା । ଏଇ ଭଳି ବିଭିନ୍ନ ପ୍ରାନ୍ତରୁ ବାଣିଜ୍ୟ ଦ୍ରବ୍ୟମାନ ଆସି ଗୋଟିଏ ସ୍ଥାନରେ ଠୁଳ ହୋଇ ଗୋଦାମ ପୂର୍ଣ୍ଣ ହୋଇଗଲେ ପାଲଟଣା ବୋଇତରେ ସେ ସବୁ ଦୂର ଦୂରାନ୍ତରକୁ ପଠାଇ ଦିଆଯାଉଥିଲା । କଟକ ଥିଲା ଏହିଭଳି ଏକ ନୌ-ବାଣିଜ୍ୟର କେନ୍ଦ୍ରସ୍ଥଳ ଏବଂ ଏଠାରୁ ପଣ୍ୟ ସୁବର୍ଣ୍ଣ ଦ୍ଵୀପ, ଦକ୍ଷିଣ ଆମେରିକା, ରୋମ୍‌ ପ୍ରଭୃତି ସ୍ଥାନମାନଙ୍କୁ ପଠାଯାଉଥିଲା । ଶୁଣାଯାଏ ଯେ, କାର୍ଲମାକ୍ସଙ୍କ ‘Notes on India History’ରେ ‘କଟକ’ ସମ୍ପର୍କରେ ସୂଚନା ରହିଛି (ଯଦିଓ ବିଶ୍ଵାସ କରିବା କଷ୍ଟ) । ନୌବାଣିଜ୍ୟର ପେଣ୍ଠ ରୂପରେ କଟକର ଗୁରୁତ୍ୱ କେତେ ଥିଲା, ତାହା ଏଥିରୁ ଅନୁମାନ କରାଯାଇ ପାରିବ ।

 

ଓଡ଼ିଶାର ପାଇକମାନେ ଯୁଦ୍ଧକ୍ଷେତ୍ରରେ ପାଇକ କୁହାଟ ଛାଡ଼ି ଯେଉଁ ଭଳି ଶତ୍ରୁ ହୃଦୟରେ ହୃତ୍‌କମ୍ପ ସୃଷ୍ଟି କରୁଥିଲେ, ଓଡ଼ିଶାର ସାଧବମାନେ ମଧ୍ୟ ବୋଇତ ବାଣିଜ୍ୟରେ ଦୂରଦେଶ ଯାଇ ଅମାପ ଧନସମ୍ପଦ ବୋହି ଆଣିବା ଦ୍ଵାରା ଶତ୍ରୁ ହୃଦୟରେ ଈର୍ଷା ସୃଷ୍ଟି କରୁଥିଲେ । ଅଶୋକଙ୍କ କଳିଙ୍ଗ ଆକ୍ରମଣର ଯେଉଁ ସବୁ କାରଣ ଥିଲା, ଏହାର ଆର୍ଥିକ ସମୃଦ୍ଧିକୁ ନଷ୍ଟ କରିବାର କାମନା ଥିଲା ତହିଁରୁ ଅନ୍ୟତମ ପ୍ରମୁଖ କାରଣ । ପ୍ରାଚୀନ ଓଡ଼ିଆ ସାହିତ୍ୟରେ ଓଡ଼ିଶାର ସମ୍ପୃଦ୍ଧ ନୌବାଣିଜ୍ୟ ସମ୍ପର୍କରେ ବହୁ ବର୍ଣ୍ଣନା ରହିଛି । ପୁଣି ଓଡ଼ିଶାର ଲୋକକଥାଗୁଡ଼ିକରେ ସାଧବପୁଅ ଏବଂ ସେମାନଙ୍କ ଦୁଃସାହସିକ ଅଭିଯାନର ବିବରଣୀ ଭରପୁର ରହିଛି । ବିଶେଷ ଭାବରେ ଓଡ଼ିଶାର ବ୍ରତକଥା ଗୁଡ଼ିକରେ ଏ ସମ୍ପର୍କରେ ଅନେକ ସୂଚନା ଅଛି । ଦୃଷ୍ଟାନ୍ତ ସ୍ଵରୂପ ‘ସଙ୍କଟେଇ ବ୍ରତକଥା’ର ସାଧବ ନୌବାଣିଜ୍ୟ ନିମନ୍ତେ ବିଦେଶ ଯାତ୍ରା କରିବା ପୂର୍ବରୁ ସାଧବାଣୀ ମାଆ ମଙ୍ଗଳାଙ୍କ ପୂଜା କରି ପତିପୁତ୍ରଙ୍କ ହାତରେ ତାରିଣୀ ବ୍ରତ ବାନ୍ଧି ଦେଉଥିବା ଏବଂ ପତିପୁତ୍ରଙ୍କ ଆଶୁ ପ୍ରତ୍ୟାବର୍ତ୍ତନ ନିମନ୍ତେ ମଙ୍ଗଳାଙ୍କୁ ପ୍ରାର୍ଥନା କରୁଥିବା ବର୍ଣ୍ଣିତ ହୋଇଛି । ଦେବୀ କୃପାରୁ ବାରବର୍ଷରେ ବାହୁଡ଼ିବା ବୋଇତ ବର୍ଷକ ଭିତରେ ସର୍ବଶୁଭରେ ବାହୁଡ଼ିଆସିବା ମଧ୍ୟ ବର୍ଣ୍ଣନା କରାଯାଇଛି । ସେହିଭଳି ‘ପଞ୍ଚମାସୀ ବ୍ରତ କଥା’ ରେ ଲକ୍ଷ୍ୟଶ୍ରୀସାଧବ ବୋଇତ ନେଇ ସିଂହଳ ଦ୍ଵୀପକୁ ଯାଇଥିବା କଥା କୁହାଯାଇଛି । ‘ଖୁଦୁରୁକୁଣୀ ଓଷା’ର ତନୟବନ୍ତ ସାଧବ ଓ ତା’ର ଏକମାତ୍ର କନ୍ୟା ତଅପୋଈର କାହାଣୀ ଓଡ଼ିଶାର ଘରେ ଘରେ ପରିଚିତ । ସାଧବର ସାତପୁଅ ବୋଇତ ନେଇ ଦୀର୍ଘକାଳ ବିଦେଶରେ ରହିଯିବାରୁ ତଅପୋଈର ଭାଗ୍ୟ ବିପର୍ଯ୍ୟୟ ଏବଂ ବୋଇତରେ ଧନରତ୍ନ ଭରି ଫେରି ଆସିବାରୁ ତାହାର ସମସ୍ତ ଦୁଃଖର ଅବସାନ ଘଟିଥିବା ଏଥିରେ ବର୍ଣ୍ଣିତ । ସେଇପରି ଓଡ଼ିଶାର ଆଦିବାସୀ ସମ୍ପ୍ରଦାୟଙ୍କ ପାଳିତ ‘କରମା’ ପର୍ବରେ ସାଧବ ବୁଢ଼ାର କାହାଣୀ ନିହିତ ଥିବା ଉତ୍କଳୀୟ ନୌବାଣିଜ୍ୟର ସ୍ପଷ୍ଟ ଚିତ୍ର ଦେଇଥାଏ ।

 

ଏହାଛଡ଼ା ‘ସତ୍ୟନାରାୟଣ ବ୍ରତ, ଭୋଦୁଅଭୋଦେଇ ବ୍ରତ, ମହା ଦୁଃଖମଙ୍ଗଳବାର ଓଷା’ ପ୍ରଭୃତି ବ୍ରତକଥାରେ ମଧ୍ୟ ନୌବାଣିଜ୍ୟ ପ୍ରସଙ୍ଗ ଉଲ୍ଲିଖିତ ହୋଇଛି । ସତ୍ୟନାରାୟଣ ବ୍ରତରେ ଓଡ଼ିଆ ସାଧବ ସିନ୍ଧୁନଦୀ ତୀରରେ ଉପସ୍ଥିତ ହୋଇଯାଇଥିବା କଥା ବର୍ଣ୍ଣିତ ହୋଇଛି । ଯଦି ଏହା କେବଳ କବିଙ୍କର କଳ୍ପନା ନହୋଇ (କଳ୍ପନା ବୋଲି ଅବା କୁହାଯିବ କାହିଁକି, ଯଦି ଓଡ଼ିଆମାନେ ରୋମ, ଆଫ୍ରିକା, ଚୀନ୍‌ ପ୍ରଭୃତି ସୁଦୂର ଦେଶରେ ପହଞ୍ଚି ପାରିଥିଲେ, ତେବେ ସିନ୍ଧୁ ନଦୀ ଅବା କେତେ ବାଟ ?) ସତ୍ୟ ହୋଇଥାଏ, ତେବେ ସାଧବକୁ ଅନ୍ତତଃ ତିନୋଟି ସାଗର ଅତିକ୍ରମ କରି ଯିବାକୁ, ହୋଇଥିବ । ବ୍ରତକଥା ଅନୁସାରେ ସାଧବମାନେ ସାତ, ଚୌଦ କିମ୍ବା ତତୋଧିକ ସଂଖ୍ୟା ବିଶିଷ୍ଟ ନୌବହର ନେଇ ବିଦେଶ ଯାତ୍ରା କରୁଥିଲେ । ବୋଇତ ଭର୍ତ୍ତି ହୋଇଯାଉଥିଲା ଏ ଦେଶର ଦୁର୍ଲଭ ପଣ୍ୟ । କେବଳ ରାଜ୍ୟରୁ ନୁହେଁ ସମଗ୍ର ଦେଶରୁ ପଣ୍ୟ ଠୁଳ କରି ସାଧବମାନେ ବୋଇତ ପୂର୍ଣ୍ଣ କରୁଥିଲେ ଏବଂ ଫେରିବା ବେଳେ ବିଦେଶୀ ପଣ୍ୟରେ ବୋଇତ ଭରି ଆଣୁଥିଲେ । ଏଠାରୁ ଯାତ୍ରାକାଳରେ ଅଳ୍ପ ସଂଖ୍ୟକ ବୋଇତ ନେଇ, ଫେରିବା ବେଳେ ବହୁ ସଂଖ୍ୟକ ବୋଇତ ନେଇ ବାହୁଡ଼ିବା ଭଳି ଘଟଣା ମଧ୍ୟ ସେ କାଳରେ ଘଟୁଥିଲା । ବ୍ରତ କଥାରେ ଏହାର ଉଲ୍ଲେଖ ଅଛି । ବୋଇତର ସଂଖ୍ୟା ହିଁ ସାଧବର ସାମାଜିକ ସ୍ଥିତି ନିରୂପଣ କରୁଥିଲା ।

 

ଗୌତମଙ୍କ ଜନ୍ମର ବହୁ ପୂର୍ବରୁ କଳିଙ୍ଗ ନୌବାଣିଜ୍ୟରେ ନିଜର ସାମର୍ଥ୍ୟ ଦେଖାଇ ସାରିଥିଲା । ଖ୍ରୀ:ପୂ ପଞ୍ଚମ ଓ ଷଷ୍ଠ ଶତକ ବେଳକୁ ଓଡ଼ିଶା ଏକ ସମୃଦ୍ଧ ଅଞ୍ଚଳରେ ପରିଣତ ହୋଇସାରିଥିଲା । ମେଘାସ୍ଥନିସ୍‌ଙ୍କ ବିବରଣୀରୁ ଜଣାଯାଏ ଯେ, କଳିଙ୍ଗ ସେତେବେଳେ ସିଂହଳ ସହିତ ହାତୀ କାରବାର କରୁଥିଲା ସିଂହଳ ସହିତ କଳିଙ୍ଗର ସମ୍ପର୍କ ବିଷୟରେ କବି ସଚ୍ଚି ରାଉତରାୟ ଲେଖିଛନ୍ତି, ‘‘ଏହି ସିଂହଳବାସୀମାନେ ଆମ କଳିଙ୍ଗର ଉତ୍ତର ଦାୟାଦ । କଳିଙ୍ଗ ରାଜବଂଶର ଜଣେ ରାଜପୁତ୍ର ଗଞ୍ଜାମ ଜିଲ୍ଲା ସିଂହପୁରରୁ ସୈନ୍ୟ-ସୀମନ୍ତଙ୍କୁ ନେଇ ସିଂହଳ ଅଧିକାର କରିଥିଲେ । ତାଙ୍କ ନାମ ନିଃଶଙ୍କ ମଲ୍ଲ । ଏହା ୧୧୦୦ ଶତାଦ୍ଦୀର କଥା । କଲମ୍ବୋ ନଗରୀର ଆମ୍ବଲତୋଟା ଡାକବଙ୍ଗଳା ନିକଟରେ ତାଙ୍କର ଶିଳାଲିପି ଏବେ ରହିଛି । ସେ ଶିଳାଲିପିରେ ବହୁ ପ୍ରାଚୀନ ଓଡ଼ିଆ ଓ ସିଂହଳୀ ଶବ୍ଦ ରହିଛି । ସେଥିରେ ନିଶଙ୍କ ମଲ୍ଲ କଳିଙ୍ଗ ‘ରାଜଚକ୍ରବର୍ତ୍ତୀ’ ବଂଶୀୟ ବୋଲି ଉଲ୍ଲିଖିତ ଅଛି । ଏଥିରୁ ସେ କଳିଙ୍ଗ ବଂଶୋଦ୍‌ଭବ ବୋଲି ସ୍ପଷ୍ଟ ପ୍ରମାଣ ମିଳେ-’’ (ଉତ୍ତର କକ୍ଷ-ଉତ୍ତରାର୍ଦ୍ଧ–ପୃ :–୪୨୩) ଏହି ତଥ୍ୟଟି ଅନ୍ୟ କେଉଁଠି ବ୍ୟବହୃତ ହୋଇଥିବାର ମୋ’ ଆଖିରେ ପଡ଼ିନାହିଁ । ହାତୀ ଗୁମ୍ଫା ଶିଳାଲେଖରେ ଖାରବେଳ ପାଣ୍ଡ୍ୟ ରାଜାଙ୍କଠାରୁ ହାତୀ ପରିବହନ କ୍ଷମ ବୋଇତ ଗ୍ରହଣ କରିଥିବା ବିଷୟ ଉଲ୍ଲିଖିତ ହୋଇଛି । ହୁଏନ୍‌ସାଂଙ୍କ (୬୩୯ ଖ୍ରୀ:ଅ) ବିବରଣୀରେ ନଗର ବନ୍ଦର ‘ଚେଳିତାଳୋ’ର ଉଲ୍ଲେଖ ରହିଥିବାରୁ ତାଙ୍କ ସମୟ ବେଳକୁ ଏଠାରେ ନୌବାଣିଜ୍ୟର ଯଥେଷ୍ଟ ପ୍ରସାର ଥିଲା ବୋଲି ମାନିନେବାକୁ ହେଉଛି । ନୌବାଣିଜ୍ୟର ଏହି ସମ୍ପୃଦ୍ଧିର ଚିତ୍ର ଓଡ଼ିଶାର ସ୍ଥାପତ୍ୟ କଳାରେ ମଧ୍ୟ ସ୍ଥାନ ପାଇଛି । ଷଷ୍ଠ ଶତକରେ ଭୁବନେଶ୍ଵରରେ ନିର୍ମିତ ବୈତାଳ ଦେଉଳ ହେଉଛି ଏହାର ଦୃଷ୍ଟାନ୍ତ । ଏହାର ଉର୍ଦ୍ଧ୍ୱାଂଶ ବୋଇତ ଆକାରରେ ନିର୍ମିତ । ଖ୍ରୀଷ୍ଟୀୟ ପଞ୍ଚମ ଶତକରେ ଚୀନ୍‌ ଓ ଉତ୍କଳ ନରେଶଙ୍କ ମଧ୍ୟରେ ଉପଢ଼ୌକନ ବିନିମୟ ହୋଇଥିବା କଥା ବୌଦ୍ଧସାହିତ୍ୟ ‘ଦତ୍ତବଂଶ’ ତଥା ‘ଲଳିତ ବିସ୍ତର’ରେ ଉଲ୍ଲିଖିତ ହୋଇଛି । ତ୍ରୟୋଦଶ ଶତକରେ ନିର୍ମିତ କୋଣାର୍କ ମନ୍ଦିରରେ ଜିରାଫ୍‌ଟିଏର ଚିତ୍ର ହୁଏତ ଅନେକ ଦେଖିଥିବେ । ଜିରାଫ୍‌ ଭଳି ଦୀର୍ଘଗ୍ରୀବାଯୁକ୍ତ ଭାରି ଜନ୍ତୁକୁ ଓଡ଼ିଆମାନେ ସୁଦୂର ଆଫ୍ରିକାରୁ ବୋଇତରେ କିଭଳି ଆଣିଥିଲେ, ତାହା ଅନୁମାନ କରାଯାଇପାରେ । ପୁଣି ଜିରାଫ୍‌ଟିଏ ଆଣିବାକୁ ତ ସେମାନେ ସେଠାକୁ ଯାଇନଥିବେ । ନିଶ୍ଚୟ ସେ ଦେଶ ସହିତ ଓଡ଼ିଶାର ବାଣିଜ୍ୟିକ ସମ୍ପର୍କ ରହିଥିଲା । କଟକର ବାଲିଯାତ୍ରାରେ ବୋଇତ ବାଣିଜ୍ୟର ସ୍ମୃତି ଏବେ ମଧ୍ୟ ଉଜ୍ଜୀବିତ ରହିଛି ।

 

ପ୍ରାକୃତିକ କାରଣରୁ ଓଡ଼ିଶା ଦୀର୍ଘକାଳଧରି ବାହ୍ୟଜଗତଠାରୁ ବିଛିନ୍ନ ଥିଲା । ହୁଏତ ଏହି କାରଣରୁ ସମାଜପତି ମନୁ ଏହାକୁ ବ୍ରାତ୍ୟ ଦେଶ ବୋଲି ଘୋଷଣା କରିଥିଲେ । ସଡ଼କ ପଥ ତ ନଥିଲା । ଶେରସାହାଙ୍କ ଦ୍ଵାରା ଜଗନ୍ନାଥ ସଡ଼କ ନିର୍ମିତ ହେବା ପର୍ଯ୍ୟନ୍ତ ବାହାର କଥା ତ ଦୂର, ରାଜ୍ୟର ଆଭ୍ୟନ୍ତରୀଣ ଅଞ୍ଚଳମାନଙ୍କ ମଧ୍ୟରେ ସୁଦ୍ଧା ଯୋଗାଯୋଗ ବ୍ୟବସ୍ଥା ପ୍ରାୟ ନଥିଲା । ସଡ଼କ ହେବା ପରେ ସୁଦ୍ଧା ନିରାପତ୍ତା କାରଣରୁ ଯାତ୍ରୀମାନେ ଜଳପଥକୁ ହିଁ ଅଧିକ ପସନ୍ଦ କରୁଥିଲେ । ଉନବିଂଶ ଶତକର ଶେଷପାଦରେ ଓଡ଼ିଶାରେ ରେଳ-ସେବାର ପ୍ରଚଳନ ହେବା ପର୍ଯ୍ୟନ୍ତ ନଦୀ ପଥ ହିଁ ଥିଲା ପରିବହନର ମୁଖ୍ୟ ସାଧନ । ଫକୀର ମୋହନ ସେନାପତି ତାଙ୍କ ଆତ୍ମଚରିତରେ ‘ମହାନଦୀ’ ପଥ-ରେ କଟକରୁ ଦଶପଲ୍ଲା ଯାତ୍ରାର ବିବରଣୀ ଦେଇଛନ୍ତି । ଏହି ନଦୀ ବାଣିଜ୍ୟ ବ୍ୟବସାୟର ପ୍ରସାରରେ କିଭଳି ମୁଖ୍ୟ ଭୂମିକା ଗ୍ରହଣ କରୁଥିଲା ତାହା ଏଥିରୁ ଜଣାଯାଏ । ସେ ଲେଖିଛନ୍ତି, ‘‘ଗଡ଼ଜାତ ଭିତରୁ ସରକ (ପଣ୍ୟଦ୍ରବ୍ୟ) ବୋଝାଇ ନାଆ କଟକରେ ମାଲ ଓଜାଡ଼ିଦେଇ ଖାଲି ବାହୁଡ଼ିଯାଏ । ଗଡ଼ଜାତ କାରବାରିଆ ମହାଜନମାନଙ୍କର ଏହି ନାଆଗୁଡ଼ିକ ପ୍ରଧାନ ଅବଲମ୍ବନ । ପାଠକ ଆପଣେ, କଟକ ସହର ବାରବାଟୀ କିଲ୍ଲା ନିକଟ ମହାନଦୀ କୂଳରେ ଗଡ଼ଗଡ଼ିଆ ମହାଦେବ ତୋଠ ଠାରୁ ଉପରକୁ ଅନେକ ଦୂର ପର୍ଯ୍ୟନ୍ତ ବୃଷ୍ଟିକାଳରେ ଏହିପରି ଶତ ଶତ ନାଆ ଖଟା ହୋଇଥିବାର ଦେଖିପାରିବେ । ସମ୍ବଲପୁର ରେଳଲାଇନ ଫିଟିବା ଦିନଠାରୁ ଏହି ନାଆ ସଂଖ୍ୟା ଅନେକ ଉଣା ପଡ଼ିଗଲାଣି ।’’ (ଆତ୍ମଚରିତ :–ପୃ :–୧୬୦) ଏହା ପରେ ସେ ନୌକାର ଆକାର ସମ୍ପର୍କରେ ସୂଚନା ଦେଇ ଆହୁରି ଲେଖିଛନ୍ତି, ‘‘ନାଆଗୁଡ଼ିକ ଲମ୍ବରେ ଷୋଳ ଗୋଡ଼ିଆ ଠାରୁ ପଚିଶ ଗୋଡ଼ିଆ (ଅର୍ଥାତ୍‌ ଷୋଳରୁ ପଚିଶ ହାତ) ଓସାର ଲମ୍ବ ଅନୁପାତରେ ପାଞ୍ଚ ଛ’ହାତ, ଉତ୍ସର୍ଗ ତିନିଚାରି ହାତ ମଧ୍ୟରେ । ଜଳମାର୍ଗର ଅବସ୍ଥା ଦୃଷ୍ଟିରେ ନାଆ ପ୍ରସ୍ତୁତ ହୋଇଅଛି । ନାଆ ଓସାର ବେଶି ହେଲେ ସ୍ରୋତ ଉପରକୁ ଉଠିବା କିମ୍ବା ଭୀଷ୍ମମୟ ବାଟରେ ସର୍ପ ପରି କୁଟିଳ ଗତିରେ ସ୍ରୋତ ତଳକୁ ଆସିବା ପକ୍ଷରେ ନିତାନ୍ତ ଅସୁବିଧା ହୋଇପଡ଼ନ୍ତା ।’’ (ତତ୍ରୈବ :–ପୃ :–୧୬୦) ନୌକା ନିର୍ମାଣ କଳାରେ ଓଡ଼ିଆମାନେ କିଭଳି ପାରଙ୍ଗମ ଥିଲେ, ଏଥିରୁ ତାହା ଜଣାଯାଇଥାଏ ।

 

ମହାନଦୀର ଜଳପଥ ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧିରେ ଏକ ବିଶେଷ ଭୂମିକା ଗ୍ରହଣ କରୁଥିଲା । ଊନବିଂଶ ଶତକରେ ଓଡ଼ିଶାରେ କମିଶନର ଥିବା ଆର୍‌. ଏନ୍‌. ଶୋରେ (R.N. Shorey) ସୋନପୁରଠାରୁ କଟକ ମଧ୍ୟରେ ବସବାସ କରୁଥିବା ଲୋକଙ୍କ ଅର୍ଥନୈତିକ ସମୃଦ୍ଧିରେ ମହାନଦୀ କିଭଳି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିଲା, ତାହାର ଏକ ସୂଚନା ଦେଇଛନ୍ତି-। ତାଙ୍କ ମତରେ ଟିକିଏ କଷ୍ଟକର ହେଲେ ହେଁ ମହାନଦୀର ଏହି ଅଂଶରେ ଛୋଟ କୋଶଳୀ ଡଙ୍ଗାରେ ଖରାଦିନ ଆରମ୍ଭ ହେବା ପର୍ଯ୍ୟନ୍ତ ଯାତାୟାତରେ ଅସୁବିଧା କିଛି ନାହିଁ । ଡିସେମ୍ବର ମାସ ପର୍ଯ୍ୟନ୍ତ ଦୁଇଶହ ମହଣ ଯାଏ ପଣ୍ୟ ବହନ କରୁଥିବା ନୌକା ସ୍ଵଚ୍ଛନ୍ଦରେ ଯାଇ ପାରିବ । ଏଭଳି ଡଙ୍ଗାରେ ମାଲପତ୍ର ସହ ୨୦/୩୦ ଜଣ ଲୋକ ଯାଇପାରିବେ ଏବଂ କଟକରେ ଆଠ / ଦଶ ଦିନରେ ପହଞ୍ଚି ଯିବେ । ତେବେ ପାଣି ଶୁଖିଆସିଲେ, ୫୦-ମହଣ ପର୍ଯ୍ୟନ୍ତ ପଣ୍ୟ ନେଇଥିବା ଡଙ୍ଗା କେବଳ ଯାଇପାରିବ ଏବଂ ପହଞ୍ଚିବାକୁ ଅଧିକ ସମୟ ମଧ୍ୟ ଲାଗିବ । ଗୋଟିଏ ଡଙ୍ଗା ଭଡ଼ା କଲେ ଶହେ ମହଣ ମାଲ୍‌ପାଇଁ ପଚିଶ ଟଙ୍କା ଏବଂ ଜଣେ ଯାତ୍ରୀ ପାଇଁ ବାରଅଣା ଭଡ଼ା ଲାଗିବ । ଫକୀରମୋହନ ଆଠଦିନରେ ନଦୀ ପଥରେ କଟକରୁ ଦଶପଲ୍ଲାରେ ପହଞ୍ଚିଥିଲେ ବୋଲି ଲେଖିଛନ୍ତି । ତେବେ ସ୍ରୋତର ଅନୁକୂଳରେ ଗଲେ ସମୟ ଅନେକ କମିଯାଏ ।

 

ଅତି ପ୍ରାଚୀନକାଳରୁ କଳିଙ୍ଗ ଅଧିବାସୀମାନେ ପୋତ ଓ ନୌକା ନିର୍ମାଣରେ ଧୁରନ୍ଧର ଥିଲେ । ବିଦର୍ଭର ଆର୍ଯ୍ୟମାନେ କଳିଙ୍ଗ ଆସି ଏଠାରେ ମହାନଦୀ ଓ ସମୁଦ୍ର ଦେଖିବାକୁ ପାଇଥିଲେ-। ସ୍ଥଳ ପଥ ଅପେକ୍ଷା ନଦୀ ଓ ସମୁଦ୍ର ପଥରେ ଯାତ୍ରା ସେମାନଙ୍କୁ ଅପେକ୍ଷାକୃତ କମ୍‌ କଷ୍ଟଦାୟକ ହୋଇଥିଲା । କଳିଙ୍ଗରୁ ଜଳପଥରେ କ୍ରମେ ସେମାନେ ଅଙ୍ଗ, ବଙ୍ଗ, ପୁଣ୍ତ୍ର, ସୁମ୍‌ହ ଆଡ଼କୁ ଅଗ୍ରସର ହୋଇ ଶେଷରେ ପୂର୍ବଭାରତୀୟ ଦ୍ଵୀପ ପୁଞ୍ଜରେ ପହଞ୍ଚି ଯାଇଥିଲେ । ଏଥିପାଇଁ ସେମାନେ ଯଥା ସମ୍ଭବ ମହାନଦୀ ଓ ସମୁଦ୍ରର ବ୍ୟବହାର କରିଥିଲେ ।

 

ମେଘସ୍ଥାନିସ୍‌ଙ୍କ ବର୍ଣ୍ଣନାନୁସାରେ କଳିଙ୍ଗର ଦୀର୍ଘ ୭୦୦ ମାଇଲ୍‌ ସମୁଦ୍ରବେଳା ଥିଲା ଏବଂ ପୂର୍ବ ସାଗରର ନାମ ଥିଲା କଳିଙ୍ଗସାଗର ସେ ସମୟର ମୁଖ୍ୟ ପୋତାଶ୍ରୟ ମଧ୍ୟରେ ତାମ୍ରଲିପ୍ତି, ଧାମରା, ଚିତ୍ରୋତ୍ପଳା ନଦୀ ମୁହାଣ, କୋଣାର୍କ, ଚିଲିକା, ମାଣିକପାଟଣା, ପାଲୁର୍‌, କଳିଙ୍ଗ ପାଟଣା ଓ ଗୋଦାବରୀ ମୁହାଣ ଥିଲା ଉଲ୍ଲେଖଯୋଗ୍ୟ । କଳିଙ୍ଗର ସାଧବମାନେ ନିଜ ଦେଶର ସୂକ୍ଷ୍ମବସ୍ତ୍ର, ରତ୍ନପଥର, ହାତୀ ଦାନ୍ତ ଓ ହାତୀ ଇତ୍ୟାଦି ସିଂହଳ; ମାଳୟ, ବାଲି, ଜାଭା, ସୁମାତ୍ରା ପ୍ରଭୃତି ଦ୍ୱୀପକୁ ନେଉଥିଲେ । କୋଣାର୍କ ମନ୍ଦିରରେ ଏକ ବିଶାଳ ନୌକାରେ ହସ୍ତୀ ପରିବହନ କରାଯାଉଥିବାର ଚିତ୍ର ଉତ୍‌କୀର୍ଣ୍ଣ ହୋଇଛି । ରାଜ୍ୟ ସଂଗ୍ରହାଳୟରେ ମଧ୍ୟ ଦୁଇଟି ଡଙ୍ଗାରେ ଜଣେ ସାଧବ ରପ୍ତାନି ନିମନ୍ତେ ସମୁଦ୍ର ମଧ୍ୟରେ ଥିବା ଏକ ବୋଇତକୁ ହସ୍ତୀଟିଏ ନେଇ ଯାଉଥିବାର ଏକ ଉତ୍‌କୀର୍ଣ୍ଣ ଦୃଶ୍ୟ ରହିଛି । ଏହା କୌଣସ ଭଗ୍ନ ମନ୍ଦିରରୁ ସଂଗୃହୀତ । ଶ୍ରୀ ଜଗନ୍ନାଥ ମନ୍ଦିରର ଭୋଗମଣ୍ଡପରେ ଏକ ପ୍ରମୋଦ ତରଣୀର ଚିତ୍ର ଉତ୍କୀର୍ଣ୍ଣ ହୋଇଛି । ଏ ସବୁ ଅତୀତ ଉତ୍କଳର ସମୃଦ୍ଧ ନୌବାଣିଜ୍ୟର ପରିଚୟ ଦେଉଛି ।

 

ଓଡ଼ିଆ ସାଧବମାନେ ମଣିମୁକ୍ତାର ସନ୍ଧାନରେ ସିଂହଳ ଯାଉଥିଲେ ଏବଂ କ୍ରମେ ଉଭୟ ଦେଶର ରାଜବଂଶର ମଧ୍ୟରେ ମୈତ୍ରୀ ସ୍ଥାପିତ ହୋଇଥିଲା । ଅଶୋକ ପୁତ୍ର ମହେନ୍ଦ୍ର ଓ କନ୍ୟା ସଂଘମିତ୍ରା କଳିଙ୍ଗର ତାମ୍ରଲିପ୍ତ ବନ୍ଦରରୁ ସିଂହଳ ଯାତ୍ରା କରିଥିବାର ବିବରଣୀ ‘ମହାବଂଶ’ ରେ ଉପଲବ୍ଧ । ପୁଣି ତୃତୀୟ ଶତକରେ କଳିଙ୍ଗ ସମ୍ରାଟ୍‌ ଗୁହଶିବଙ୍କର କନ୍ୟା ହେମମାଳା ଓ ଜାମାତା ଦନ୍ତକୁମାର ଦନ୍ତପୁର ବନ୍ଦରରୁ ପବିତ୍ର ବୁଦ୍ଧଦନ୍ତ ଦେଇ ସିଂହଳ ଯାତ୍ରା କରିଥିବା ଦାଠାଧାତୁ ବଂଶରେ ଉଲ୍ଲେଖ ରହିଛି । ଫାହିୟାନ୍‌ ତାମ୍ରଲିପ୍ତଠାରୁ ପୋତରେ ସିଂହଳ ଯାତ୍ରା କରିଥିବା କଥା କହିଛନ୍ତି । ଦୁଇ ଦେଶ ମଧ୍ୟରେ ବୈବାହିକ ସମ୍ପର୍କ ସ୍ଥାପିତ ହେବାରୁ ନୌବାଣିଜ୍ୟ କ୍ଷେତ୍ରରେ ବହୁ ଉନ୍ନତି ହୋଇଥିଲା । ମଣିମୁକ୍ତା, ଧାନ, ଯବ, ଅଦା ମଧ୍ୟ ସିଂହଳରୁ ଆମଦାନି ହେଉଥିବା କଥା ଜଣାଯାଏ ।

 

ଭାରତୀୟ ଆର୍ଯ୍ୟମାନେ ପୋତ ନିର୍ମାଣ କଳାରେ ବେଶ୍‌ ଧୁରୀଣ ଥିବାର ଜଣାଯାଇଥାଏ । ସେମାନେ ସମୁଦ୍ର ପଥରେ ଦୂରଦେଶକୁ ଯାଇ ବାଣିଜ୍ୟ କରୁଥିବାର ମଧ୍ୟ ‘ଋକ୍‌ଦେବ’ରୁ (ପ୍ରଥମ ମଣ୍ଡଳ–୧୧୬ ଏବଂ ଚତୁର୍ଥ ମଣ୍ତଳ–୫୫ ସୂକ୍ତ) ଜଣାଯାଇଥାଏ । ପୋତ ନିର୍ମାଣ ଓ ଚାଳନା ପ୍ରସଙ୍ଗ ମହାଭାରତରେ (ଆଦିପର୍ବ :–୧୫୪ଅ :–୫-୭) ଚର୍ଚ୍ଚିତ ହୋଇଛି । କୌଟିଲ୍ୟଙ୍କ ‘ଅର୍ଥଶାସ୍ତ୍ର’ରେ ପୋତ ନିର୍ମାଣ ଓ ସମୁଦ୍ରଯାତ୍ରା ସମ୍ପର୍କରେ ବର୍ଣ୍ଣନା ରହିଛି । କଳିଙ୍ଗ ଅଧିବାସୀମାନେ ମଧ୍ୟ ଏହି କଳା ଓ ନୌବାଣିଜ୍ୟରେ ପାରଦର୍ଶିତା ଲାଭ କରିଥିଲେ । କଳିଙ୍ଗ ଉପକୂଳରେ ବହୁ ବନ୍ଦର ଥିବାର ପ୍ରମାଣ ମିଳୁଛି ଓ ବିଶେଷ ଭାବରେ ଚିଲିକା ବନ୍ଦର ବିଷୟରେ ଉଲ୍ଲେଖ ରହିଛି । ବ୍ରହ୍ମାଣ୍ଡ ପୁରାଣ କହନ୍ତି–

 

 

ଚିଲିକା ହ୍ରଦେ ସହସ୍ରା ଶ୍ଚ ସୁପୋତାଃ ଜଳଗାମିନଃ

ତାମ୍ରଚ୍ଛାଦିତା ବୈଦ୍ରୁତାଃ ସହସ୍ର ଜଳଧାରକାଃ ।।

ବହୁ ଚକ୍ରାନ୍ୱିତାଃ ଶୀଘ୍ରାଃ ଯନ୍ତ୍ର ଗାଶ୍ଚାଳକାଶ୍ରିତାଃ ।

ବାଣିଜ୍ୟ କରଣେ ଶକ୍ତାସ୍ତ୍ରିପଞ୍ଚଶିଖରାନ୍ୱିତାଃ ।

ଦ୍ଵୀପାନ୍ତର ଗତାୟାତାଃ ଜାଭା ମଳୟ ସିଂହଳ ।

ଗଙ୍ଗା ସାଗର ଚୀନେଷୁ ଯଦୃଚ୍ଛାୟା ତଥାଗତିଃ ।।

 

ଦେଶଦେଶାନ୍ତ ଦ୍ରବ୍ୟାଣି ବହନ୍ତୋ ଯାତି କେଽପିବା ।। (The Prachi Vol.I. Pt II-1931-Maritime Activities in Ancient Utkal-p.7) ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି, ସହସ୍ର ଜନଧାରଣକ୍ଷମ ବିରାଟକାୟ ପୋତ ଦେଶଦେଶାନ୍ତରରୁ ଆସି ଚିଲିକାରେ ଆଶ୍ରୟ ନେଉଥିଲା ଏବଂ ଏଥିରେ ବିଦେଶରୁ ପଣ୍ୟ ସମ୍ଭାର କଳିଙ୍ଗକୁ ଆସୁଥିଲା । ଚୀନ୍‌, ଶ୍ୟାମ, ବ୍ରହ୍ମ, ମାଳୟ, ସୁବର୍ଣ୍ଣ ଦ୍ୱୀପ (ବାଲି, ଜାଭା, ବୋର୍ଣ୍ଣିଓ, ସୁମାତ୍ରା) ଓ ସିଂହଳ ଥିଲା ବାଣିଜ୍ୟର ପେଣ୍ଠ ସ୍ଥଳ । ‘ବ୍ରହ୍ମାଣ୍ତ ପୁରାଣ’ ଆହୁରି କହନ୍ତି,

 

ଜଳନିମ୍ନେ ତୁ କା କେଚିତ୍‌ ମଦୁଳେଗୁପ୍ତ କୌଶଳୈଃ ॥

ଲୁକ୍କାୟିତା ଭୂତପୂର୍ବଂ ମହାଶ୍ଚର୍ଯ୍ୟଂ ପରଂଗତାଃ ॥

କୂର୍ମଯନ୍ତ୍ରଂ ଲାବଯନ୍ତ୍ରଂ ମତ୍ସ୍ୟରୂପଂ ତୁ ପକ୍ଷିଙ୍କ ॥

ହ୍ରସ୍ଵଂ କାଷ୍ଠମୟଂ ଦେହଂ ତାମ୍ରପଟ୍ଟ ସୁରକ୍ଷିତଂ ॥

ଲୌହଚକ୍ର ଗତଂ ନିମ୍ନେ ଚକ୍ରବ୍ୟୂହ ସମନ୍ଵିତଂ ।।

ବାୟୁନାଙ୍କ ପରିଣଦ୍ଧଂ ସଂକୋଚ ବିସ୍ତାର କରଂ ॥

 

ଏହା ସତ୍ୟ ହୋଇଥିଲେ, ଓଡ଼ିଆ କାରିଗରମାନେ ସବ୍‌ମେରିନ୍‌ ନିର୍ମାଣ କଳାରେ ମଧ୍ୟ ପାରଦର୍ଶୀ ଥିଲେ ବୋଲି ସ୍ଵୀକାର କରିବାକୁ ହେବ । ପୋତ ନିର୍ମାଣ ନିମନ୍ତେ ସେ କାଳରେ ଏଠାରେ ବିଭିନ୍ନ ଶାସ୍ତ୍ର ମଧ୍ୟ ଲେଖାଯାଇଥିଲା । ଏଥିରେ ପୋତମାନଙ୍କର ପ୍ରକାର ଭେଦ, ପରିବହନ କ୍ଷମତା, ଗତି ବେଗ ନିର୍ମାଣ କୌଶଳ ସମ୍ପର୍କରେ ବିଶେଷ ଭାବରେ ଆଲୋଚନା କରାଯାଇଥିଲା । ସ୍ୱର୍ଗତଃ ବିଚ୍ଛନ୍ଦ ଚରଣ ପଟ୍ଟନାୟକ ‘‘ମୋ ଦୃଷ୍ଟିରେ କଳିଙ୍ଗ’ ନାମକ ପ୍ରବନ୍ଧରେ ପୁରୀ ଜିଲ୍ଲାର ମାଣିକପାଟଣାଠାରୁ ମିଳିଥିବା ଖଣ୍ଡିଏ ତମ୍ବାପଟ୍ଟାର ଉଲ୍ଲେଖ କରିଛନ୍ତି । ତହିଁରେ ଚିଲିକାରେ ମଣିଷ, ବିଭିନ୍ନ ପଶୁ ତଥା ମାଲପତ୍ର ପରିବହନ ନିମନ୍ତେ ଧାର୍ଯ୍ୟ ମାହାସୁଲ ବିଷୟରେ ଲେଖାଯାଇଛି । ତହିଁରୁ ସେ ସମୟରେ ଚିଲିକାରେ ମଣିଷ ସହିତ ସବାରୀ, ପାଲିଙ୍କି, ଘୋଡ଼ା, ବଳଦଗାଡ଼ି, ବଳଦ, ଗଧ, ମେଣ୍ଢା, ଛେଳି ଏବଂ ଓଟ ପ୍ରଭୃତି ପାରି ହେଉଥିବାର ସୂଚନା ମିଳୁଛି । ପ୍ରତିଘୋଡ଼ା ଓ ଘୋଡ଼ା ସୱାର ପାଇଁ ଛଅ ଅଣା ଏବଂ ପ୍ରତି ଓଟ ଓ ତା’ର ଆରୋହୀ ପାଇଁ ଦଶ ଅଣା ଭଡ଼ା ନିଆଯିବ ବୋଲି ସେଥିରେ କୁହାଯାଇଛି । ଓଟ ଭଳି ବିଶାଳକାୟ ପ୍ରାଣୀ ପାରି ହେଉଥିବା ଆଧାରଟି ନିଶ୍ଚୟ ସେହିଭଳି ବିଶାଳ ହୋଇଥିବ । ସିଦ୍ଧାନ୍ତ ହେଉଛି, ଗୋଟିଏ ସମୟରେ ଚିଲିକାରେ ବିରାଟ ବିରାଟ ପୋତ ଚଳପ୍ରଚଳ ହେଉଥିଲା । ହେଉଥିଲା ଯେ, ଏଥିରେ ସନ୍ଦେହ ନାହିଁ । ସୂର୍ଯ୍ୟବଂଶୀୟ ଗଜପତିମାନେ ଦାକ୍ଷିଣାତ୍ୟ ବିଜୟ ନିମନ୍ତେ ଚିଲିକାକୁ ହିଁ ପ୍ରଧାନ ମାର୍ଗ ରୂପରେ ବ୍ୟବହାର କରୁଥିଲେ । ସେମାନେ ନିଶ୍ଚୟ ବଡ଼ ବଡ଼ ପୋତ ଏଥିନିମନ୍ତେ ବ୍ୟବହାର କରୁଥିବେ । ଏ ଧରଣର ବ୍ୟବହାର ଯେ, କେବଳ ଚିଲିକା ମଧ୍ୟରେ ସୀମିତ ନଥିଲା, ଏହା କହିବା ବାହୁଲ୍ୟ ମାତ୍ର । ବାଣିଜ୍ୟ ବ୍ୟବସାୟ ସହିତ କଳିଙ୍ଗୀମାନେ କ୍ରମେ ସେଠାରେ ଉପନିବେଶ ସ୍ଥାପନ କରିଥିଲେ ଏବଂ କଳିଙ୍ଗ ସଂସ୍କୃତିର ପ୍ରସାର ଘଟାଇଥିଲେ । ଟଲେମି (୧ମ–୨ୟ ଶତକରେ ଗ୍ରୀକ୍‌ ପର୍ଯ୍ୟଟକ ପାଲୁରଠାରୁ ମାଳୟ ଯାତ୍ରା କରିଥିବାର ଲେଖିଛନ୍ତି । ମହାନଦୀର ଏକ ପ୍ରଶାଖା ଚନ୍ଦ୍ରଭାଗା କୋଣାର୍କ ପାଖରେ ସମୁଦ୍ରରେ ପଡ଼ିଥିଲା । କୋଣାର୍କ ସେତେବେଳେ ଏକ ବଡ଼ ବନ୍ଦର ଥିଲା ଏବଂ ତାକୁ କେନ୍ଦ୍ର କରି ସେଠାରେ ଏକ ବିରାଟ ନଗର ଗଢ଼ି ଉଠିଥିଲା । ଟଲେମିଙ୍କ ବର୍ଣ୍ଣନାରୁ କଳିଙ୍ଗ ଉପକୂଳର ଅନ୍ୟ ଏକ ପ୍ରମୁଖ ବନ୍ଦର ‘ଆଦାମସ୍‌’ ସମ୍ପର୍କରେ ସୂଚନା ମିଳୁଛି । ଏହା ‘ପୁରୁଷୋତ୍ତମଧାମ’ (ପୁରୀ) କିମ୍ବା ‘ଧାମରା’ ହୋଇପାରେ ବୋଲି ପଣ୍ଡିତମାନେ ମନେ କରନ୍ତି । ତାମ୍ରଲିପ୍ତିକୁ ଟଲେମି ‘ତାମଲିତିସ୍‌’ ବୋଲି କହିଛନ୍ତି । ତାଙ୍କ ଭାଷାରେ ମହାନଦୀ ହୋଇଛି ‘ମନଦ’ ବା ‘ମଆନନ୍ଦ’ । ସମ୍ବଳକ ବା ସମ୍ବଲପୁରର ଉଲ୍ଲେଖ ମଧ୍ୟ ତାଙ୍କ ରଚନାରେ ରହିଛ । ସେ ‘ଦୋସରା’ ନାମକ ଏକ ନଗରର ନାମ ଉଲ୍ଲେଖ କରିଛନ୍ତି, ଯାହାକୁ ୟଲ (Yule) ନାମକ ଆଉ ଜଣେ ପଣ୍ଡିତ ମହାନଦୀ ନିକଟସ୍ଥ କୋଶଳର ଏକ ନଗର ବୋଲି କହିଛନ୍ତି । ଏହା ତେଲନଦୀ କୂଳବର୍ତ୍ତୀ ବଲାଙ୍ଗିରର ତୋଷରା ।

 

ଏତେଗୁଡ଼ିଏ ବନ୍ଦର ଥିବାରୁ ବର୍ହିବାଣିଜ୍ୟ ତଥା ସୁନାବ୍ୟା ନଦୀମାନଙ୍କ ଦ୍ୱାରା ଅନ୍ତର୍ବାଣିଜ୍ୟ ହେତୁ ହିଁ କଳିଙ୍ଗ ଏକ ସମୃଦ୍ଧ ରାଜ୍ୟରେ ପରିଣତ ହୋଇଥିଲା । କୋଶଳରୁ ପଣ୍ୟ ପ୍ରେରିତ ହେଉଥିଲା ମହାନଦୀ ଦ୍ୱାରା । ଏପରିକି ସପ୍ତଦଶ / ଅଷ୍ଟାଦଶ ଶତକରେ ମରହଟ୍ଟାମାନେ ଏହି ନଦୀ ପଥରେ ସୈନ୍ୟତଥା ଯୁଦ୍ଧସାମଗ୍ରୀର ଚଳାଚଳ କରାଉଥିଲେ । ରାଜା ଅଭୟ ସିଂଙ୍କ ଦେୱାନ ଆକବର ରାୟ ଏହିଭଳି ଏକ ନୌବହର ବୁଡ଼ାଇ ଦେଇ ମରହଟ୍ଟମାନଙ୍କ କ୍ରୋଧର ଶରବ୍ୟ ହୋଇଥିଲେ । ମହାନଦୀ କୂଳେ ବଡ଼ ବଡ଼ ବାଣିଜ୍ୟ ପେଣ୍ଠ ଥିବା ସହର ଥିଲା ବା ରହିଛି-। ସେଗୁଡ଼ିକ ମଧ୍ୟରେ ଶିରିପୁର, ରାଜିମ୍‌ ଶବରୀ ନାରାୟଣ, ଚନ୍ଦ୍ରପୁର, ପଦ୍ମପୁର ସମ୍ବଲପୁର, ସୋନପୁର, ବୌଦ, ପଦ୍ମାବତୀ ବୈଦ୍ୟେଶ୍ୱର, କଣ୍ଟିଲୋ, କଟକ ପ୍ରଭୃତି ବାଣିଜ୍ୟ ପେଣ୍ଠ ଥିଲା । ସୋନପୁରଠାରୁ ତେଲନଦୀ ବାଟେ ପ୍ରଥମେ ତୋଷରା ପର୍ଯ୍ୟନ୍ତ ଏବଂ ସେଠାରୁ ହସ୍ତୀ ନଦୀ ବାଟେ ଆହୁରି ଭିତରକୁ କଳାହାଣ୍ଡି ଜିଲ୍ଲାକୁ ପଠାଇ ଦିଆଯାଉଥିଲା । ସମ୍ବଲପୁରରୁ କଟକ ଏବଂ ବିନିକାରୁ କଟକ ତଥା ସମ୍ବଲପୁର ପର୍ଯ୍ୟନ୍ତ ନୌକା ଯୋଗେ ପଣ୍ୟ ପଠାଯାଉଥିଲା । ବିନିକାରୁ ପୁରୀଯାତ୍ରୀମାନେ ମଧ୍ୟ ସମ୍ବଲପୁରଠାରୁ କଟକ ଯାଏ ଆସୁଥିଲେ । ନଦୀରୁ ପାଣି ଶୁଖିଗଲେ, ପଣ୍ୟ ଯେତେ ବେଳେ ସ୍ଥଳପଥରେ ଆସୁଥିଲା, ସେତେବେଳେ ସେସବୁ ପୂର୍ବୋକ୍ତ ପେଣ୍ଠସ୍ଥଳ ଦେଇ ଆସୁଥିଲା ।

 

ନରାଜଠାରେ କାଠଯୋଡ଼ିରୁ ଦଧିଭଦ୍ରା (ଦୟା) ଏବଂ ଦୟାର ଶାଖା ପ୍ରାଚୀ ତଥା କୁଶଭଦ୍ରାର ଶାଖା ଭାର୍ଗବୀ ପ୍ରଭୃତି ବାହାରିଛି । ପୂର୍ବେ ଏହିସବୁ ନଦୀ ବେଶ୍‌ ଗଭୀର ଥିବାର ଜଣାଯାଏ । ଦୟା ଚିଲିକାରେ ଏବଂ ଭାର୍ଗବୀ ପୁରୀ ନିକଟରେ ସମୁଦ୍ରରେ ପଡ଼ିଥିଲା । ତେଣୁ ଦକ୍ଷିଣକୁ ଏହି ନଦୀ ସାହାଯ୍ୟରେ ଅନାୟାସରେ ପଣ୍ୟ ପଠାଯାଇପାରୁଥିଲା । ସମ୍ବଲପୁରଠାରୁ ବାଣିଜ୍ୟ ମହାନଦୀ, ଇବ୍‌, ତେଲ ପ୍ରଭୃତି ନଦୀ ଦ୍ୱାରା ହିଁ ଚାଲୁଥିଲା ଏବଂ ଜଳପଥରେ ପଣ୍ୟ ସିଧା ଚିଲିକା, କୋଣାର୍କ ଏବଂ ପୁରୀ ପର୍ଯ୍ୟନ୍ତ ଚାଲିଯାଉଥିଲା । ଦକ୍ଷିଣରେ ଚିଲିକା, ପାଲୁର ପ୍ରଭୃତି ବନ୍ଦର ଥିବାରୁ ବିଦେଶକୁ ସହଜରେ ପଣ୍ୟ ପଠାଯାଇପାରୁଥିଲା ।

 

ସଂସ୍କୃତ କାବ୍ୟ ନାଟକାଦିରେ ବଣିକମାନଙ୍କୁ ‘ସାର୍ଥବାହ’ ବୋଲି କୁହାଯାଉଥିଲା ଏବଂ ଓଡ଼ିଶାରେ ଏମାନେ ପରିଚିତ ଥିଲେ ‘ସାଧବ’ ନାମରେ । ଓଡ଼ିଆ ସାଧବମାନେ ନୌବଣିଜ୍ୟ ପ୍ରସାଦରୁ ବେଶ୍‌ ଧନୀ ଥିଲେ । କଳିଙ୍ଗ ସାଧବମାନେ ରାଜପୃଷ୍ଠପୋଷକତା ମଧ୍ୟ ଲାଭ କରିଥିଲେ-। ଚେଦିବଂଶ ଏହି ବାଣିଜ୍ୟ ବ୍ୟବସାୟ କାରଣରୁ ପ୍ରାଚୀ କଳିଙ୍ଗ, ଗଙ୍ଗାରାଇଡ଼ କଳିଙ୍ଗ ଓ ମଗ–କଳିଙ୍ଗକୁ ନେଇ ତ୍ରିକଳିଙ୍କ ସାମ୍ରାଜ୍ୟ ସ୍ଥାପନ କରିଥିବା କୁହାଯାଉଛି । ଶୈଳୋଦ୍‌ଭବ ବଂଶୀୟମାନେ ସେହିଭଳି ପୂର୍ବ ଭାରତୀୟ ଦ୍ୱୀପପୁଞ୍ଜକୁ ବାଣିଜ୍ୟ ନିମନ୍ତେ ଯାଇ ସେଠାରେ ଶୈଳେନ୍ଦ୍ର ସାମ୍ରାଜ୍ୟ ସ୍ଥାପନ କରିଥିବା ପୂର୍ବରୁ ସୂଚିତ ହୋଇଛି । ପୂର୍ବସାଗର ପରିଚିତ ଥିଲା ‘କଳିଙ୍ଗ’ ସାଗର ନାମରେ । ଇଂରେଜମାନଙ୍କ ଅମଳରେ ହିଁ ଏହା ବଙ୍ଗୋପସାଗର ନାମରେ ଉଲ୍ଲିଖିତ ହୋଇଛି ।

 

କାର୍ତ୍ତିକମାସ ପର୍ଯ୍ୟନ୍ତ ବଣିକମାନେ ପଣ୍ୟ ସଂଗ୍ରହ କାର୍ଯ୍ୟରେ ବ୍ୟସ୍ତ ରହୁଥିଲେ ଏବଂ କାର୍ତ୍ତିକ ପୂର୍ଣ୍ଣିମାଠାରୁ ସେମାନଙ୍କ ବିଦେଶ ଯାତ୍ରା ଆରମ୍ଭ ହେଉଥିଲା । ଏହି ସମୟରେ ଅନୁକୂଳ ଉତ୍ତରା ପବନ ବୋଇତ ଚାଳନରେ ସହାୟକ ହେଉଥିଲା । ଟଲେମି ଲେଖିଛନ୍ତି ଯେ, ବଣିକମାନେ ଚୈତ୍ରମାସ ପର୍ଯ୍ୟନ୍ତ ବ୍ୟବସାୟ କରି ଦକ୍ଷିଣା ପବନ ପ୍ରବାହିତ ହେବାକୁ ଆରମ୍ଭ କଲାମାତ୍ରେ ଘରବାହୁଡ଼ା ପର୍ବ ଆରମ୍ଭ କରୁଥିଲେ । ପଣାସଂକ୍ରାନ୍ତି ସୁଦ୍ଧା ବୋଇତଗୁଡ଼ିକ ଫେରି ଆସୁଥିଲେ । ଏହି ଦିନ ସାଧବବାଣୀମାନେ ବୋଇତ ବନ୍ଦାଇ ନିଜର ଆତ୍ମୀୟମାନଙ୍କୁ ସ୍ୱାଗତ କରୁଥିଲେ । କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ‘ଲାବଣ୍ୟବତୀ’ କାବ୍ୟରେ ତାହାର ସୂଚନା ଏହିଭଳି ରହିଛି :–

 

‘‘ବହିତ୍ର ଲାଗିଲାଯାଇ ସିଂହଳ ଦ୍ୱୀପରେ,

ସାଧବ ଯୁବତୀମାନେ ଅତି ପ୍ରମୋଦରେ

ଗଲେ ବହିତ୍ର ବନ୍ଦାଇ,

ଅର୍ଘ୍ୟଥାଳିମାନ କରେ ହୁଳହୁଳି ଦେଇ-’’

 

କାର୍ତ୍ତିକ ପୂର୍ଣ୍ଣିମାର ପ୍ରତ୍ୟୁଷରେ ଏବେ ଯେଉଁ କଦଳୀ ଗଛ ଖୋଳପା ପ୍ରସ୍ତୁତ ଡଙ୍ଗାଭସାଣ ଉତ୍ସବ ଓଡ଼ିଆମାନେ କରୁଛନ୍ତି, ତାହା ହିଁ ସେଦନିର ବୋଇତ ଯାତ୍ରାର ଅଭୁଲା ସ୍ମୃତିର ସ୍ମାରକୀ । ତା’ ସହିତ ଉଚ୍ଚାରିତ ହୁଏ ‘ଆ-କା-ମା-ଭୈଃ-’ ଯାହାକୁ ଅର୍ଥ କରାଯାଇଛି ଏହି ଭଳି :–ବୋଇତ-ଆରୋହୀ ସାଧବ ନିଜର ନିଜର ଆତ୍ମୀୟମାନଙ୍କୁ ଯିବାପୂର୍ବରୁ ସାନ୍ତ୍ୱନା ଦେଇ କହିଯାଉଛି ‘ଆଷାଢ଼ଠାରୁ କାର୍ତ୍ତିକ ମାସ ମଧ୍ୟରେ ଫେରି ଆସିବି । ଭୟ କର ନାହିଁ । ଚୈତ୍ରମାସଠାରୁ ବାହୁଡ଼ା ପର୍ବର ଉଦ୍‌ଯୋଗ କରି ସାଧବମାନେ ଆଷାଢ଼ମାସ ବେଳକୁ ଘରକୁ ଫେରି ଆସୁଥିଲେ । ତେବେ କେଜାଣି କିଭଳି ଏହି ଅଭୟବାଣୀ ସହିତ ‘ପାନଗୁଆ ତୋ’ର ମାସକ ଯାକ ଧର୍ମ ମୋର’ ବୋଲି କୁହାଯାଇ ବ୍ୟାପାରଟିକୁ ଏକ ଆଧ୍ୟାତ୍ମିକ ରଙ୍ଗ ଦେବା ନିମନ୍ତେ ଉଦ୍ୟମ କରାଯାଇଛି । ଅବଲୋକିତେଶ୍ୱର’ ‘କୁତାମଚଣ୍ଡୀ’ ନାମଗ୍ରହଣ କରି ବଳି ଭୋଜ୍ୟ ଗ୍ରହଣ କରୁଥିବା ଭଳି କେଉଁ ଏକ ଅଜ୍ଞ୍ୟାତ ‘ଅକାମାବଇ ଦେବୀଙ୍କୁ ପାନଗୁଆ ଲାଞ୍ଚ ଦିଆଯାଇ କାର୍ତ୍ତିକ ମାସର ଧର୍ମର ଅଧିକାର ତାଙ୍କଠାରୁ ଦାବୀ କରାଯାଉଛି ବୋଲି ମଧ୍ୟ ଅର୍ଥ କରାଯାଉଛି ।

 

ଫକୀରମୋହନ ସେନାପତି ବାଲ୍ୟକାଳରେ ଅର୍ଥାତ୍‌ ଉନବିଂଶ ଶତକର ମଧ୍ୟଭାଗରେ ବାଲେଶ୍ୱରରେ ଜାହଜାତି କାରବାରର ଯେଉଁ ସମୃଦ୍ଧି ଦେଖିଥିଲେ, ତାହା ବର୍ଣ୍ଣନା କରିଛନ୍ତି ଏହିଭଳି-:–‘ଭାରତବର୍ଷର ପୂର୍ବ ଉପକୂଳସ୍ଥ ବନ୍ଦରମାନଙ୍କ ମଧ୍ୟରେ ଅତିପୂର୍ବକାଳରୁ ବାଲେଶ୍ୱର ପ୍ରସିଦ୍ଧି ଲାଭ କରିଥିଲା । ସମୁଦ୍ରଗାମୀ ସହସ୍ରାଧିକ ଜାହାଜ ନଦୀଜଳକୁ ଆଚ୍ଛାଦନ କରି ମଉସୁମ ସମୟରେ ବାଲେଶ୍ୱର ବନ୍ଦର ଘାଟରେ ଭାସୁଥିଲେ । ରେଙ୍ଗୁନ, ଜାଭା, ବୋର୍ଣ୍ଣିଓ, ବିଶାଖାପତ୍ତନ, ଚିନାପାଟଣା, ସିଂହଳ, ମାଳଦ୍ୱୀପ, ଲାକ୍ଷାଦ୍ୱୀପ ଅଭିମୁଖରେ ଯାଉଥିବା ଶତଶତ ଜାହାଜ ସମୁଦ୍ର ମଧ୍ୟରେ ହେରିଆ (ସମ୍ମୁଖକୁ ପବନ ଠେଲି ସର୍ପାକାରର ଗତି) ଖେଳୁଥିଲେ । ସେ ସମୟରେ ରେଳ ବା ଷ୍ଟିମରର ନାମ ଶୁଣା ନଥିଲା । ସମସ୍ତ ଉତ୍କଳର ବିଦେଶୀମାଲ ଆମଦାନି ରପ୍ତାନି ବାଲେଶ୍ୱର ବନ୍ଦର ବାଟେ ହେଉଥିଲା । ବଙ୍ଗଳାଦେଶର ପ୍ରାୟ ଅର୍ଦ୍ଧାଂଶ ଜିଲ୍ଲାଲୋକଙ୍କ ଖୋରାକୀ ଲୁଣ ବାଲେଶ୍ୱରୀ ଜାହାଜ ବହନ କରୁଥିଲେ । ବଙ୍ଗ ଦେଶ ନାମ ଜାଣିବା ପୂର୍ବରେ ପାଶ୍ଚାତ୍ୟ ଜାତି ଦିନାମାର, ଓଲନ୍ଦାଜ, ଫରାସୀ, ଇଂରେଜ ବେପାରୀମାନେ ବାଲେଶ୍ୱର ବନ୍ଦରରେ ଦୋକାନ ମେଲିଥିଲେ ।’’ (ଫ :–ମୋ :–ଗ୍ରନ୍ଥାବଳୀ :–ପୃ :–୬୨୧-୨୨) ଫକୀରମୋହନ ସେ ସମୟରେ ନିର୍ମିତ ହେଉଥିବା ଜାହାଜଗୁଡ଼ିକୁ ତିନିଶ୍ରେଣୀରେ ବିଭକ୍ତ କରିଛନ୍ତି । (୧) ସୁଲୁପ (୨) ଗୋରାପ (୩) ଦୁଉଣୀ । ଏଥିରୁ ମଧ୍ୟଭଳି ଓ କ୍ଷୁଦ୍ର ଜାହାଜ ସୁଲୁପ ଓ ଦୁଉଣୀ ମୁଖ୍ୟତଃ କଲିକତା ଯାତାୟତ କରୁଥିଲେ ଏବଂ ଗୋରାପ ସବୁ ଦୂରଦେଶକୁ ଯାଉଥିଲେ । ‘ଆତ୍ମଚରିତ’ର ‘ଅଝାଲ ସିଲାଇ’ ଅଧ୍ୟାୟରେ ମଧ୍ୟ ସେନାପତି ଜାହାଜାତି କର୍ମର ବିସ୍ତୃତ ବର୍ଣ୍ଣନା ଦେଇଛନ୍ତି । ଏହା ସମ୍ପୂର୍ଣ୍ଣରୂପେ ବନ୍ଦ ହୋଇଯିବାର କାରଣ ସ୍ୱରୂପ ସେ ଯାହା ଲେଖିଛନ୍ତି, ତାହା ହେଉଛି (୧) ନଦୀ ମୁହାଣଗୁଡ଼ିକ ପୋତି ହୋଇଯିବା (୨) ଷ୍ଟିମର ଓ ରେଳ ଚଳାଚଳ (୩) ଜଳଦସ୍ୟୁମାନଙ୍କ ଉତ୍ପାତ । (୪) ଲବଣ କାରବାରକୁ ସରକାର ନିଜ ଅଧିକାରକୁ ନେଇ ଲିଭରପୁଲରୁ ଲୁଣ ଆମଦାନି କରିବା ।

 

ଅତୀତରେ କଳିଙ୍ଗ ଅଧିବାସୀମାନେ ଯେ, ନୌବାଣିଜ୍ୟରେ ଏହି କାରଣରୁ ବାରମ୍ବାର ଲାଭ କରିଥିଲେ, ଇତିହାସ ପୃଷ୍ଠାରୁ ତାହାର ପ୍ରମାଣ ମିଳୁଛି । ଏହି କାରଣରୁ ବାରମ୍ବାର ବାହାରକୁ ଯିବାକୁ ପଡ଼ୁଥିବାରୁ ସେମାନେ ବେଶ ଦୁଃସାହସୀ ହୋଇ ଉଠିଥିଲେ ଏବଂ ପତଞ୍ଜଳିଙ୍କର ‘କଳିଙ୍ଗାଃ ସାହସିକାଃ’ ହେଉଛି ଏହାର ଅକାଟ୍ୟ ପ୍ରମାଣ । ନଦୀଗୁଡ଼ିକ ଯେପର୍ଯ୍ୟନ୍ତ ସୁନାବ୍ୟା ଥିଲେ ଏବଂ ପରିବହନରେ ଅନ୍ୟସାଧନ ଉପଲବ୍ଧ ନଥିଲା, ସେ ପର୍ଯ୍ୟନ୍ତ ଜଳପଥର ବ୍ୟବହାର କରାଯାଉଥିଲା-। ଏହାଦ୍ୱାରା ରାଜ୍ୟ ଭିତରେ ଏବଂ ବାହାରେ ବାଣିଜ୍ୟ ବ୍ୟବସାୟ ବେଶ୍‌ ଭଲ ଭାବରେ ଚାଲିଥିଲା-। ଜଳପଥ ଦ୍ୱାରା ଗୋଟିଏ ଅଞ୍ଚଳର ବଳକାଦ୍ରବ୍ୟକୁ ପଣ୍ୟ ରୂପେ ଅନ୍ୟ ଅଞ୍ଚଳକୁ ପଠାଯାଇ ପାରୁଥିଲା ଏବଂ ସେହି ଅଞ୍ଚଳର ମିଳୁଥିବା ଦ୍ରବ୍ୟକୁ ଅନ୍ୟ ଆଡ଼କୁ ଅଣାଯାଇପାରୁଥିଲା । ଏହା ଫଳରେ ପଶ୍ଚିମ ଓଡ଼ିଶା ଉପକୂଳ ଅଞ୍ଚଳରୁ ଦୁଇଟି ଅତିଆବଶ୍ୟକ ପଦାର୍ଥ ପାଇପାରୁଥିଲା । ଗୋଟିଏ ହେଉଛି ଲୁଣ ଏବଂ ଅନ୍ୟଟି ହେଉଛି ନଡ଼ିଆ । ଏ ଦୁଇଟି ବସ୍ତୁ ପଶ୍ଚିମ ଓଡ଼ଶାରେ ଅନୁପଲବ୍ଧ । ପଶ୍ଚିମ ଓଡ଼ିଶାବାସୀ ଶୁଖୁଆ ନିମନ୍ତେ ମଧ୍ୟ ଉପକୂଳ ଅଞ୍ଚଳ ଉପରେ ନିର୍ଭର କରୁଥିଲେ । ପୁଣି ନୌବାଣିଜ୍ୟ ଅଞ୍ଚଳ ଅଞ୍ଚଳ ମଧ୍ୟରେ ଭାବ ବିନିମୟ ତଥା ସଂସ୍କୃତିର ପ୍ରସାରରେ ସହାୟକ ହେଉଥିଲା । ମୋଟାମୋଟି ଭାବରେ ଓଡ଼ିଶାର ନଦୀଗୁଡ଼ିକ ବାଣିଜ୍ୟ ପ୍ରସାରରେ ତିନିପ୍ରକାର ସହାୟତା ପ୍ରଦାନ କରୁଥିଲେ ବୋଲି କୁହାଯାଇପାରେ । (୧) ଅଞ୍ଚଳ ଭିତରେ ବାଣିଜ୍ୟ ପ୍ରସାର (୨) ସୁଦୂର ପାର୍ବତ୍ୟାଞ୍ଚଳ ସହିତ ବାଣିଜ୍ୟ ପ୍ରସାରରେ ସହାୟତା (୩) ରାଜ୍ୟ ବାହାର ଅଞ୍ଚଳ ସହିତ ବାଣିଜ୍ୟ ବ୍ୟବସାୟରେ ସାହାଯ୍ୟ । ପ୍ରମୁଖ ନଦୀ ହିସାବରେ ଏ ଦିଗରେ ମହାନଦୀର ଭୂମିକା ଥିଲା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

 

କେବଳ ରାଜନୈତିକ ଏବଂ ସାମାଜିକ ସ୍ଥିତି ଯେ, ଗୋଟିଏ ଅଞ୍ଚଳର ଅର୍ଥନୈତିକ ସମୃଦ୍ଧିର କାରଣ ହୁଏ ତାହା ନୁହେଁ । ବାଣିଜ୍ୟ ବ୍ୟବସାୟର ଏଥିରେ ମୁଖ୍ୟ ଯୋଗଦାନ ଥାଏ । ଅବଶ୍ୟ ରାଜନୈତିକ ସ୍ଥିରତା ବ୍ୟବସାୟକୁ ପ୍ରୋତ୍ସାହନ ଯୋଗାଏ । ବ୍ୟବସାୟ ପାଇଁ ମହାନଦୀର ସହାୟତା ଗୋଟିଏ ସମୟରେ ଅପରିହାର୍ଯ୍ୟ ଥିଲା । ବିଶେଷତଃ ପଶ୍ଚିମାଞ୍ଚଳ ସହିତ ଉପକୂଳ ଅଞ୍ଚଳର ଯୋଗାଯୋଗ ସ୍ଥାପନ କରିବାରେ ଏହି ନଦୀର ଭୂମିକା ଥିଲା ଅତୁଳନୀୟ । କେବଳ ପଶ୍ଚିମ ଓଡ଼ିଶା ନୁହେଁ, ମଧ୍ୟଭାରତ, ମହାରାଷ୍ଟ୍ର ପ୍ରଭୃତି ଅଞ୍ଚଳରୁ ତୀର୍ଥଯାତ୍ରୀମାନେ ଜଗନ୍ନାଥ ଦର୍ଶନ ନିମନ୍ତେ ଆସୁଥିଲେ, ସେମାନେ ମଧ୍ୟ ଜଳପଥକୁ ଅଧିକ ପସନ୍ଦ କରୁଥିଲେ । ରେଳପଥ ଖୋଲିବା ପରେ ଦୀର୍ଘକାଳ ଯାଏଁ ଏହି ନଦୀ ପଥର ଚାହିଦା ହ୍ରାସପାଇ ନଥିଲା । ସମ୍ବଲପୁରଠାରୁ ଅନଗୁଳଯାଏ ନଦୀଗର୍ଭ ବିଶାଳକାୟ ପଥର ଦ୍ୱାରା ପରିପୂର୍ଣ୍ଣ । ଟିକିଏ ଅସାବଧାନ ହେଲେ ପଥରରେ ନୌକା ପିଟି ହୋଇ ଧନ ଜୀବନ ହାନିର ସମ୍ଭାବନା ଥିଲା । ଏଭଳି ବିପଦର ପ୍ରତିକାର ପାଇଁ ମଧ୍ୟ ଉପାୟ ବାହାର କରାଯାଇଥିଲା । ଜୀବିକା ପାଇଁ, ଜୀବନପାଇଁ ଜଳପଥ ଉପରେ ଯେତେବେଳେ ଅବଶ୍ୟ ନିର୍ଭର କରିବାକୁ ପଡ଼ିବ, ସେତେବେଳେ ବିପଦ ପାଇଁ ପ୍ରତିକାର ଉପାୟ ଚିନ୍ତା ନ କଲେ ମଧ୍ୟ ଚଳେ ନାହିଁ । ବର୍ଷାଦିନେ ପାଣି ଯେତେବେଳେ ପଥର ଉପର ଦେଇ ବହିଯାଉଥାଏ, ସେତେବେଳେ ନୌକା ତା’ ଉପରେ ଭାସିଯାଏ । ସେଥିପାଇଁ ନୌକାଗୁଡ଼ିକର ଗଭୀରତା ବହୁତ ହିସାବ କରି ପ୍ରସ୍ତୁତ କରାଯାଇଥାଏ । ନୌକାର ଅଧିକାଂଶ ପାଣି ଭିତରେ ବୁଡ଼ି ରହିଲେ ପଥରରେ ବାଜି ବିପଦ ସୃଷ୍ଟି ହେବାର ସମ୍ଭାବନା ।

 

ନୌକାଯାତ୍ରା ପାଇଁ କି ଧରଣର ବିପଦ ଥିଲା ଏବଂ ତାହାର ପ୍ରତିକାର କିଭଳି କରାଯାଉଥିଲା,, ସେନାପତିଙ୍କ ‘ଆତ୍ମଚରିତ’ରୁ ତାହାର ବିବରଣୀ ଏଠାରେ ଉଦ୍ଧାର କରାଯାଉଛି । ସେ ଲେଖିଛନ୍ତି, ‘‘ଆଠମଲ୍ଲିକ ଉପରକୁ ମୁଣ୍ଡାପଡ଼ା ଗାଁଠାରୁ କଇଁତ୍ରାଗଡ଼ଯାଏ ଷୋଳ ସତର ମାଇଲ ଭିତରେ ଭୀଷ୍ମ (ପଥର) ପଡ଼େ । ବଡ଼ ବଡ଼ ପଥର ସବୁ ମୁଣ୍ଡଟେକି ନଦୀ ମଧ୍ୟରେ ସଭା କରିଲା ପରି ବସିଛନ୍ତି । ବଢ଼ିପାଣିରେ ସେହି ସବୁ ପଥର ବୁଡ଼ିଗଲେ ତା’ ଉପର ଦେଇ ନାଆ ସବୁ ଭାସିଯାଏ । କେତେ ପଥର ବୁଡ଼େ ନାହିଁ । ଗୁଡ଼ାଏ ପଥର ଉପରେ ଚାଖଣ୍ଡେ ଚାରିଆଙ୍ଗୁଳ ଜଳ । ନାଉରିକୁ ପଥର ଦିଶେ ନାହିଁ । ଏ ଭୀଷ୍ମ ଜାଗାଟାରେ ନଈ କମ୍‌ ଓସାର ଯୋଗୁଁ ପାଣିର ଭାରି ତୋଡ଼, ଘଣ୍ଟାକ ମଧ୍ୟରେ କୋଡ଼ିଏ ମାଇଲ ବାଟ ନାଆ ଭାସିଯାଏ । ସେହି ଭୀଷ୍ମ ମଧ୍ୟରେ ଅଙ୍କା ବଙ୍କା ସାପଚଳପରି ବାଟ । ନାଆ ସେହି ବାଟେଯାଏ । ସେ ବାଟଟା କଢ଼ାଣିଆକୁ ଜଣା । (ଜଣା ଅଭିଜ୍ଞ ଲୋକ, ନଦୀପଥ ଯାହାର ନଖଦର୍ପଣରେ ରହୁଥିଲା, ତାକୁ ସାଙ୍ଗରେ ନ ଧରିଲେ ନାଉରିମାନେ ଡଙ୍ଗା ମେଲୁ ନଥିଲେ) ସେ ଜାଗାରେ ପାଣିର ଭାରି ତୋଡ଼, ପଥରରେ ବାଜି ଏପରି ଶବ୍ଦ କରେ ଯେ, କଢ଼ାଣିଆ କଥା ପଛ ମଙ୍ଗଧରାକୁ ଶୁଭେ ନାହିଁ । କଢ଼ାଣିଆ ଦୁଇହାତରେ ବାଟଠାରି ଦେଉଥାଏ । ଭୀଷ୍ମପରି କରିଦେଇ ବାଟକଢ଼ା କଇଁତ୍ରାଗଡ଼ଠାରେ ନାଆରୁ ଓହ୍ଲାଇପଡ଼େ । ତା’ କାମ ଛିଡ଼ିଲା-’’ (ଅଧର୍ମବିତ୍ତ:- ଗ୍ରନ୍ଥାବଳୀ :–ପୃ :–୫୧୮-୧୯) ସେହିଭଳି ନଈରୁ ପାଣି ଶୁଖିଗଲେ ଅର୍ଥାତ୍‌ ଚୈତ୍ରମାସଠାରୁ ଆଷାଢ଼ ପର୍ଯ୍ୟନ୍ତ ନୌଯାତ୍ରା ପ୍ରାୟ ସ୍ଥଗିତ ରଖାଯାଏ । ତେବେ ପ୍ରୟୋଜନ ହେଲେ ଯିବାକୁ ନିଶ୍ଚୟ ପଡ଼େ । ଯେଉଁଠି ପାଣି ନଥାଏ, ସେଠାରେ ବାଲିଖୋଳି ଡଙ୍ଗା ପାଇଁ ବଟ କରିଦେବାକୁ ପଡ଼େ । ଏହି ଖୋଳାଖୋଳି କାମ ପାଇଁ ଏକ ବିଶେଷ ଧରଣର ଯନ୍ତ୍ର ବ୍ୟବହୃତ ହୁଏ । ତା’ର ନାମ ହେଉଛି ହରିଣୀ । ଏହାଦ୍ୱାରା ଅପେକ୍ଷାକୃତ ସହଜ ଉପାୟରେ ନଦୀଗର୍ଭକୁ ଖୋଳି ଦିଆଗଲା ପରେ ଡଙ୍ଗା ସେଇବାଟେ ଯାଏ । ଏ କାମ ପାଇଁ ନାଉରିମାନେ ସମୟ ଦେଇପାରିବେ ନାହିଁ । ତେଣୁ ଏଥିପାଇଁ ସାଙ୍ଗରେ କିଛି ମୂଲିଆ ନେବାକୁ ପଡ଼େ ।

 

ବର୍ଷକାଳରେ ମହାନଦୀ ନୌକାଯାତ୍ରାର ବର୍ଣ୍ଣନା ଫକୀରମୋହନଙ୍କ ‘ଆତ୍ମଚରିତ’ରେ ଏହିଭଳି ଦିଆଯାଉଛି । ନଈ (ମହାନଦୀ) ଭିତରେ ଅକାତ ପାଣି । ପୁଣି ସୁଅତୋଡ଼ ନାଆ ସମ୍ଭାଳି ପାରିବ ନାହିଁ । ଏଥିପାଇଁ କୂଳଠାରୁ ଚରିପାଞ୍ଚ ହାତ ଦୂର ବା କୂଳ ଲଗାଲଗି ତିନିବାର ହାତ ଦୂରରେ ନାଆ ଉପରକୁ ଉଠୁଥାଏ । କୌଣସି ସ୍ଥାନରେ ବହୂଦୂରଯାଏ ଫରଚା ବାଲିଆଡ଼ିଆ କୂଳ ମିଳିଗଲେ ନାଆରେ ଯେ ତିରିଶ କି ଚାଳିଶ ହାତ ଲମ୍ବା ଖଣ୍ଡେ ଦଉଡ଼ି ଥାଏ ସେହି ଦଉଡ଼ି ଖଣ୍ଡ ନାଆ ଆଗ ମଙ୍ଗରେ ବାନ୍ଧିଦେଇ ବାହାଣିଆ ନାଉରିମାନେ କାତ ଥୋଇ ଦେଇ ସେହି ଦଉଡ଼ି ମୁଣ୍ଡ ଧରି କୂଳ ବୋଲି ଉପରେ ଚାଲି ଚାଲି ନାଆକୁ ଭିଡ଼ି ନିଅନ୍ତି । ସ୍ଥାନେ ସ୍ଥାନେ ବଣ ଭିତରେ ବାଟେ ନାଆକୁ ନେବାକୁ ହୁଏ । ସେ ସମୟରେ ଆଗ ମଙ୍ଗୁଆ ଗଛ ଡାଳରେ ଆଙ୍କୁଶିଟା (କାତ ଆଗରେ ଶକ୍ତ ରୂପରେ ଆଙ୍କୁଶି ବନ୍ଧା ହୋଇଥାଏ ଏବଂ ଡଙ୍ଗା ବଣ ଭିତର ଦେଇ ଗଲାବେଳେ ସେ ଆଙ୍କୁଶିରେ ଗଛ ଡାଳ ଧରି ନାଆ ମଙ୍ଗାଏ) ଲଗାଇ ଲଗାଇ ନାଆକୁ ମଙ୍ଗାଏ । କାଦାଚିତ୍‌ କେତେଜଣ ବାହାଣିଆ ମଧ୍ୟ ଗଛଡ଼ାଳ ଭିଡ଼ିଭିଡ଼ି ଗଛଡ଼ାଳ ଆଡ଼େଇ ଆଡ଼େଇ ନାଆକୁ ଉଠାନ୍ତି ।’’ (ଆତ୍ମଚରିତ :–ପୃ :–୧୬୨) ଗୋଟିଏ ଡଙ୍ଗାରେ ପ୍ରାୟ ଛଅଜଣ ନାଉରି ଥାଆନ୍ତି ଏବଂ ତା’ ଭିତରୁ ଜଣେ ମଙ୍ଗୁଆ–ଯେ କି ଆଗମଙ୍ଗରେ ଠିଆ ହେଇ କାତମାରି ଡଙ୍ଗାକୁ ବାଟ ଦେଖାଏ । ବାକି ନାଉରିଆମାନେ ଡଙ୍ଗାଉପରେ ଥିବା ଘରର ଛାତ ଉପରେ ଧାଡ଼ବାନ୍ଧି ଠିଆ ହୋଇ ଏକା ସାଙ୍ଗରେ କାତ ପକାନ୍ତି । କାତ ମୁଣ୍ଡଟାକୁ କାନ୍ଧ ଉପରେ ଥୋଇ ଦୁଇ ହାତରେ ତାକୁ ଖୁବ୍‌ ଭଲଭାବରେ ଧରି ପଛ ମଙ୍ଗଯାଏ ପେଲି ନେଇଯାଆନ୍ତି । ଏ କାମରେ ଟିକିଏ ଢିଲା ରହିଗଲେ ସୁଅରେ ତଳକୁ ଠେଲି ଯିବାର ସମ୍ଭାବନା ଥାଏ । ତେଣୁ ପଛ ମଙ୍ଗ ପାଖରୁ କାତ ପାଣିରୁ ଉଠାଇବା ମାତ୍ରେ ନାଉରିମାନେ ତୁରନ୍ତ ଆଗମଙ୍ଗଯାଏ ଦଉଡ଼ିଯାଇ ପାଣିରେ କାତପକାଇ ନାଆକୁ ପ୍ରଥମେ ଅଟକାଇ ରଖନ୍ତି ଏବଂ ପୁଣି କାତର ବଳରେ ତାକୁ ଆଗକୁ ଠେଲି ଠେଲି ପଛମଙ୍ଗ ଯାଏ ଚାଲିଯାଆନ୍ତି । ଏହି କାର୍ଯ୍ୟଟି ଯେପରି ପରିଶ୍ରମ ସାପେକ୍ଷ, ସେହିଭଳି ଅଭ୍ୟାସ ନିର୍ଭର ମଧ୍ୟ ।

 

ଏହି ବର୍ଣ୍ଣନାରୁ ଜଣାଯିବ, ନୌକାଯାତ୍ରା ନିମନ୍ତେ ସେ କାଳରେ କିଭଳି ପରିଶ୍ରମ କରିବାକୁ ପଡ଼ୁଥିଲା ଏବଂ କିଭଳି ବିପଦକୁ ସାଥିରେ ନେଇ ଯାତ୍ରା କରିବାକୁ ପଡ଼ୁଥିଲା । ମଣିଷ ପାଇଁ ଏହା ଏକ ଆହ୍ୱାନ ଥିଲା ସତ୍ୟ, ତେବେ ଯୁଗେ ଯୁଗେ ମଣିଷ ଏହି ଭଳି ଦୁଃସାହସିକ ଅଭିଯାନର ଆହ୍ୱାନକୁ ଗ୍ରହଣ କରି ଆସିଛି ଏବଂ ପ୍ରକୃତିକୁ ହାର୍‌ ମନାଇବାକୁ ଉଦ୍ୟମ କରିଛି । କେଉଁଠି ସେ ଜିତିଛି, କେଉଁଠି ଅବା ତାକୁ ପରାଜୟ ବରଣ କରିବାକୁ ପଡ଼ିଛି । ତଥାପି ଉଦ୍ୟମ ଜାରିରହିଛି । ଏମିତି କଲମ୍ବସ୍‌ ଭାରତ ଆବିଷ୍କାର କରିବାକୁ ଆସି ଆମେରିକାରେ ପହଞ୍ଚି ଯାଇଥିଲେ ଏବଂ ଭାସ୍କୋଡାଗାମା ଭାରତରେ ଆସି ପହଞ୍ଚିଯାଇଥିଲେ । ଏହିଭଳି ଆହ୍ୱାନ ମୁକାବିଲା କରିବାକୁ ମଣିଷ ଏଭରେଷ୍ଟର ତୁଙ୍ଗଶିଖର ଆରୋହଣ କରେ । ଉତ୍ତର ମେରୁର ହିମାକ୍ତ ଇଲାକାରେ ବିଜୟ ବୈଜୟନ୍ତୀ ଉଡ଼ାଏ ଏବଂ ଚନ୍ଦ୍ର ଆଉ ମଙ୍ଗଳଗ୍ରହରେ ମଧ୍ୟ ପହଞ୍ଚିଯାଏ । ଦୁଃସାହସିକତାର ଅନ୍ୟ ନାମ ହେଉଛି ମଣିଷ ।

 

ନୌକାଯାତ୍ରା ପ୍ରସଙ୍ଗରେ ଫକୀରମୋହନ ମହାନଦୀର ପ୍ରାକୃତିକ ସୌନ୍ଦର୍ଯ୍ୟ କଥା ମଧ୍ୟ କହଛନ୍ତି । ଦଶପଲ୍ଲା ଯାତ୍ରା ସମୟରେ ସେ ନୌକା ଉପରୁ ନଦୀର ଯେଉଁ ନୈସର୍ଗିକ ସୁଷମା ଦେଖିଥିଲେ ତାହା ଉଦ୍ଧାର କରାଯାଉଛି :–‘‘କଦାଚିତ୍‌ ଅପରାହ୍ନ ସମୟରେ ଅତି ସୁନ୍ଦର ମନୋହର ସ୍ଥାନରେ ନାଆ ଭିଡ଼େ । କୂଳଟା ବହୁ ଦୂର ବିସ୍ତୃତ ଉଚ୍ଚନୀଚ ସିକତା ସ୍ତୂପମୟ; ଉତ୍ତର ଦକ୍ଷିଣ ପଶ୍ଚିମ ତିନି ଦିଗରେ ବିଶାଳ ପ୍ରାଚୀର ପରି ଗିରିଶ୍ରେଣୀ ଦଣ୍ଡାୟମାନ, ପଶ୍ଚିମ ପର୍ବତ ଶୃଙ୍ଗରେ ଜ୍ୱଳନ୍ତ ସୁବର୍ଣ୍ଣ ପିଣ୍ଡବତ୍‌ ସୂର୍ଯ୍ୟଦେବ ଅସ୍ତ ଗମନୋନ୍ମୁଖ; ମସ୍ତକ ଉପରେ ଆକାଶରେ ଦଳବଦ୍ଧ ନାନାଜାତୀୟ ପକ୍ଷୀ କଳରବ କରି ପଶ୍ଚିମ ପର୍ବତ ଦିଗକୁ ଉଡ଼ି ଯାଉଥାନ୍ତି । ବୋଧହୁଏ ପଶ୍ଚିମ ଦିଗସ୍ଥ ପର୍ବତ ପ୍ରାଚୀର ମୂଳରେ ଯେମନ୍ତ ମହାନଦୀ ସ୍ରୋତ ଶେଷ ହୋଇଅଛି - ନିର୍ଜନ, ନିସ୍ତବ୍ଧ ଗ୍ରାମ ସମସ୍ତ ପ୍ରକାର ପ୍ରଣୀମାନଙ୍କଠାରୁ ସମ୍ପୂର୍ଣ୍ଣ ଶୂନ୍ୟ । ସେହିପରି ସ୍ଥାନରେ ଠିକ୍‌ ସନ୍ଧ୍ୟା ସମୟରେ ସିକତା ସ୍ତୂପ ଉପରେ ବସି ପଶ୍ଚିମ ଦିଗକୁ ଅନାଇଲେ ମନ ମଧ୍ୟରେ କି ପ୍ରକାର ଗୋଟିଏ ଅନାବିଳ ପବିତ୍ର ଗମ୍ଭୀର ଭାବର ଉଦୟ ହୁଏ, ତାହା ବର୍ଣ୍ଣନାତୀତ’’ (ଆତ୍ମଚରିତ :–ପୃ ୧୬୨-୬୩)ବାସ୍ତବିକ ପ୍ରକୃତିର ଏହି ରୁଦ୍ର ସୁନ୍ଦର ରୂପ ଦର୍ଶନରେ ମନର ପ୍ରତିକ୍ରିୟାକୁ ଭାଷାରେ ପ୍ରକାଶ କରିହେବ ନାହିଁ । ଏହା କେବଳ ଅନୁଭବର ବିଷୟ । ଏହାକୁ ହିଁ ଲକ୍ଷ୍ୟ କରି କବି ଲେଖିଛନ୍ତି,

 

‘ବଚନ ବିଷୟ ନୁହଁଇ ସେ ଛବି, ହୃଦ ସେ କେବଳ ପାରେ ଅନୁଭବୀ’’

 

ସେ ସମୟରେ (ଉନବିଂଶ ଶତକର ସପ୍ତମ ଦଶକ) ଗୋଟିଏ ସଡ଼କ ସମ୍ବଲପୁରଠାରୁ ବାହାରି ମହାନଦୀ କୂଳେ କୂଳେ ପୁରୀ ପର୍ଯ୍ୟନ୍ତ ଯାଇଥିଲା ଏବଂ କେବଳ ବର୍ଷାଦିନେ ବ୍ୟତୀତ ଯାତ୍ରୀମାନେ ଏହାକୁ ବ୍ୟବହାର କରୁଥିଲେ । ଫକୀରମୋହନ ଆହୁରି ଲେଖିଛନ୍ତି, ‘‘ବେଲପଡ଼ା (ଦଶପଲ୍ଲାର ଗୋଟିଏ ଗ୍ରାମ) ଗ୍ରାମର ପଶ୍ଚିମ ଦିଗକୁ ପ୍ରାୟ ଆଠ କୋଶ ଦୂରରେ ସୁବିଖ୍ୟାତ ବଡ଼ମୂଳ ଘାଟି । ମହାନଦୀ ଉତ୍ତର ଦକ୍ଷିଣ ଦୁଇକୂଳରେ ନଦୀସ୍ରୋତ ଭିତରୁ ଉଠି ବିଶାଳ ପର୍ବତ ପ୍ରାଚୀର ଦଣ୍ଡାୟମାନ । ମଧ୍ୟରେ ଅତିଗଭୀର ଅପ୍ରଶସ୍ତ ମହାନଦୀ ସ୍ରୋତ ପ୍ରବାହିତ । ଏହା ଗୋଟିଏ ଅପୂର୍ବ ବିଚିତ୍ର ଦୃଶ୍ୟ,’’ (ଆତ୍ମଚରିତ :–ପୃ :–୧୬୩) ସେ ସମୟରେ ସୁଦ୍ଧା ଭୟଙ୍କର ସର୍ପ, ହିଂସ୍ରଜନ୍ତୁ, କୁମ୍ଭୀର ସଙ୍କୁଳ ଏହି ନଦୀପଥ ବ୍ୟବହାର କରି ଓଡ଼ିଶାର ନାଉରିଆମାନେ ଅତୀତ ନୌଯାତ୍ରା ପରମ୍ପରାକୁ କିଭଳି ବଜାୟ ରଖିଥିଲେ, ଏହା ହେଉଛି ତାହାର ଏକ ଦୃଷ୍ଟାନ୍ତ । ଗୋଟିଏ ସମୟରେ ମହାନଦୀର ବିପଦ ସଙ୍କୁଳ ଜଳପଥ ମଧ୍ୟଭାରତ ଏବଂ ଉପକୂଳବର୍ତ୍ତୀ ଅଞ୍ଚଳ ମଧ୍ୟରେ ଯୋଗାଯୋଗ ନିମନ୍ତେ କିଭଳି ଅପରିହାର୍ଯ୍ୟ ଥିଲା, ସେ ବିଷୟଟିକୁ ବୁଝାଇବା ପାଇଁ ଆମେ ଏତେ କଥା ଲେଖିଲୁ । ତିନିଶ୍ରେଣୀର ଲୋକେ ସାଧାରଣତଃ ଏହି ପଥକୁ ବ୍ୟବହାର କରୁଥିଲେ । ସେମାନେ ହେଲେ ବ୍ୟବସାୟୀ, ପର୍ଯ୍ୟଟକ ତୀର୍ଥଯାତ୍ରୀ ଏବଂ ବୃତ୍ତଧାରୀ । ରେଳଲାଇନ୍‌ ଖୋଲିଯିବା ପରେ ସୁଦ୍ଧା ପଶ୍ଚିମ ଓଡ଼ିଶାକୁ ସିଧା ସଳଖ ଯୋଗାଯୋଗ ହୋଇ ନଥିବାରୁ ଏହି ଅବସ୍ଥା ଅପରିବର୍ତ୍ତିତ ଥିଲା । ସ୍ଥଳ ପଥରେ ଉପକୂଳର ପଶ୍ଚିମ ଓଡ଼ିଶା ଯିବାକୁ ହେଲେ ବଙ୍ଗଳାର ଖଡ଼ଗ୍‌ପୁର ପର୍ଯ୍ୟନ୍ତ ରେଳରେ ଆସି ସେଠାରେ ଗାଡ଼ି ବଦଳାଇ ଝାରସୁଗୁଡ଼ା ଯାଏ ଯିବାକୁ ହେଉଥିଲା ଏବଂ ସେଠାରୁ ପୁଣି ସମ୍ବଲପୁର ଯାଇ ହେଉଥିଲା । ସମ୍ବଲପୁରଠାରୁ ଅନ୍ୟତ୍ର ଆଭ୍ୟନ୍ତରୀଣ ଅଞ୍ଚଳକୁ ଯିବାକୁ ହେଲେ ଏହି ଜଳପଥ ହିଁ ଥିଲା ପ୍ରଧାନ ଅବଲମ୍ବନ । ଔପନ୍ୟାସିକ ଗୋପୀନାଥ ମହାନ୍ତି ତାଙ୍କ ବାଲ୍ୟକାଳରେ ଏହି ଭଳି ଜଳପଥରେ ସମ୍ବଲପୁରଠାରୁ ସୋନପୁର ପର୍ଯ୍ୟନ୍ତ ଯାଇଥିବାର ବର୍ଣ୍ଣନା ତାଙ୍କର ଆତ୍ମକାହାଣୀ ‘ସ୍ରୋତସ୍ୱତୀ’ରେ ଦେଇଛନ୍ତି । ଏହି ମହାନଦୀର ଦୁର୍ଗମତା ହେତୁ କବି ଗଙ୍ଗାଧର ମେହେର ବରପାଲିରୁ ସମ୍ବଲପୁର ଆସି ନପାରି ପରୀକ୍ଷା ଦେଇ ପାରିନଥିଲେ । ତଥାପି ଲୋକେ ସେ ସମୟରେ ସ୍ଥଳପଥ ଅପେକ୍ଷା ଜଳ ପଥକୁ ଅଧିକ ପସନ୍ଦ କରୁଥିଲେ । ଜଳପଥରେ ମନୁଷ୍ୟକୃତ ବିପଦର ସମ୍ଭାବନା କମ୍‌ ଥିବାରୁ ବ୍ୟବସାୟ ବାଣିଜ୍ୟର ମୁଖ୍ୟ ଅଂଶ ଜଳପଥରେ ହିଁ ହେଉଥିଲା ଏବଂ ଏଥିପାଇଁ ମହାନଦୀ ଥିଲା ଅପରିହାର୍ଯ୍ୟ-

 

ଉପସଂହାର :–ସୁଦୂର ଅତୀତରୁ ଓଡ଼ିଆମାନେ କିଭଳି ଜଳପଥ ବ୍ୟବହାରରେ ଅଭ୍ୟସ୍ତ ହୋଇପଡ଼ିଥିଲେ ଏବଂ ବ୍ୟବସାୟ ବାଣିଜ୍ୟ ନିମନ୍ତେ କେବଳ ରାଜ୍ୟ ଭିତରେ ନୁହେଁ, ରାଜ୍ୟ ବାହାରକୁ ମଧ୍ୟ ଯାଉଥିଲେ, ତାହା ଏହି ଅଧ୍ୟାୟରେ ଆଲୋଚିତ ହୋଇଛି । ଓଡ଼ିଆମାନଙ୍କ ସମୁଦ୍ରଯାତ୍ରା ବିବରଣୀ ଲୋକକଥା, କିମ୍ବଦନ୍ତୀ, ଜନଶ୍ରୁତି, କାବ୍ୟସାହିତ୍ୟ ତଥା ଇତିହାସରେ ଲିପିବଦ୍ଧ ହୋଇଛି । ସେ ସବୁକୁ ଯଥାସମ୍ଭବ ଏଠାରେ ବିଶ୍ଳେଷଣ କରାଯାଇଛି । ପୂର୍ବଭାରତୀୟ ଦ୍ୱୀପପୁଞ୍ଜରେ ଓଡ଼ିଆମାନେ ଉପନିବେଶ ସ୍ଥାପନ କରିଥିବାର ବିବରଣୀ ମିଳୁଛି । ସୁବର୍ଣ୍ଣ ଦ୍ୱୀପର ଶୈଳନ୍ଦ୍ରମାନେ ଏଠାର ଶୈଳୋଦ୍‌ଭବବଂଶୀମାନଙ୍କର ଏକ ଶାଖା ଥିଲେ ବୋଲି କେତେକ ଐତିହାସିକ କହୁଥିଲା ବେଳେ ଆଉ କେତେକ ସେମାନଙ୍କୁ ବୌଦ୍ଧଧର୍ମାବଲମ୍ବୀ ଏକ ସ୍ୱତନ୍ତ୍ର ଜାତି ବୋଲି କହୁଛନ୍ତି । ସେମାନେ ସମୁଦ୍ର ଯାତ୍ରାରେ କୁଶଳୀ ଥିଲେ ଏବଂ ଏଠାର ହିନ୍ଦୁମାନଙ୍କ ସହୀତ ସେମାନଙ୍କ ବିଶେଷ ଯୋଗାଯୋଗ ନଥିଲା । ସେଇମାନେ ହିଁ ସୁବର୍ଣ୍ଣ ଦ୍ୱୀପରେ ଉପନିବେଶ ସ୍ଥାପନ କରିଥିଲେ । ତେବେ ସେମାନଙ୍କ ଦ୍ୱାରା ଏଠାର ଭାଷା ଓ ସଂସ୍କୃତି କେତେ ଦୂର ପର୍ଯ୍ୟନ୍ତ ସେଠାରେ ପ୍ରଚାରିତ ହୋଇଥିଲା ଏବଂ କେବେ ସେମାନେ ସେଇ ଅଞ୍ଚଳର ସଂସ୍କୃତିକୁ ସମ୍ପୂର୍ଣ୍ଣ ରୂପେ ଗ୍ରହଣ କରିନେଇ, ମୂଳଭୂଖଣ୍ଡ ସହିତ ସମ୍ପର୍କ ଛିନ୍ନ କରିଥିଲେ ଇତିହାସ ଏ ବିଷୟରେ ନୀରବ ।

 

ମହାନଦୀ କିଭଳି ଗୋଟିଏ ସମୟରେ ବ୍ୟବସାୟ ବାଣିଜ୍ୟ ତଥା ସ୍ଥାନାନ୍ତର ଗମନ ନିମନ୍ତେ ଅପରିହାର୍ଯ୍ୟ ଥିଲା, ତାହା ମଧ୍ୟ ଏହି ଅଧ୍ୟାୟରେ ଆଲୋଚିତ ହୋଇଛି । ନଦୀ ଗର୍ଭସ୍ଥ ବିଶାଳକାୟ ଶିଳାଖଣ୍ଡ (ଭୀଷ୍ମ) ଏବଂ ବିଶେଷ କରି ସାତକୋଶିଆ ଗଣ୍ଡ ନିମନ୍ତେ ଏହି ପଥ ବିପଦସଙ୍କୁଳ ହୋଇଥିଲେ ହେଁ ଯାତ୍ରୀମାନେ ଏହାକୁ ଆଦରି ନେଉଥିଲେ । ଅବଶ୍ୟ ଏଥିପାଇଁ ଯାହା ଯାହା ସତର୍କ ମୂଳକ ବ୍ୟବସ୍ଥା ସେ ଯୁଗରେ ସମ୍ଭବ, ତାହା ସେମାନେ କରୁଥିଲେ । ନୌକାପଥରେ ବ୍ୟବସାୟ ବାଣିଜ୍ୟ ଓ ଯାତ୍ରୀ ପରିବହନ ନିୟମିତ ଭାବରେ ଚାଲୁଥିଲା । ନଦୀ ହେଉ କି ସମୁଦ୍ର ହେଉ- ଉଭୟ- ବାଣିଜ୍ୟ ହିଁ ଥିଲା ଓଡ଼ିଶାର ସମୃଦ୍ଧିର ହେତୁ । ଇଂରେଜମାନେ ଏଠାକୁ ଆସି ବ୍ୟବସାୟ ବାଣିଜ୍ୟକୁ ଏକଚାଟିଆ କରିବା ପାଇଁ ତହିଁରେ ନାନା କାଏଦା-କାନୁନ୍‌ ଲାଗୁ କରିବାରୁ ଏଠାର ବ୍ୟବସାୟ ବାଣିଜ୍ୟ ଧୀରେ ଧୀରେ ସେମାନଙ୍କ ହାତକୁ ଚାଲିଗଲା । ଓଡ଼ିଶାର ଦାରିଦ୍ର୍ୟ ଆରମ୍ଭ ହେଲା । .

 

ଅତୀତର ସମୁଦ୍ରବାଣିଜ୍ୟର ସ୍ମୃତି ଜନଶ୍ରୁତିର ‘ଆକାମାଭୈଃ’ର ମନ୍ତ୍ରରେ ଉଜ୍ଜୀବିତ ହୋଇ ରହିଛି । ଯାହାର ଅନ୍ତନିର୍ହିତ ଅର୍ଥ ନ ବୁଝି ଆମେ ଏହାକୁ ଏକ ପ୍ରଥାରେ ପରିଣତ କରିଦେଉଛୁ । ଏହି କୋତୋଟି ଅକ୍ଷର ମଧ୍ୟରେ ସେ କାଳର ସମୃଦ୍ଧ ନୌବାଣିଜ୍ୟ ସମ୍ପର୍କରେ ଯେଉଁ ସୂକ୍ଷ୍ମ ସୂଚନା ରହିଛି ପାଠକମାନଙ୍କ ଗୋଚରାର୍ଥେ ତାହା ମଧ୍ୟ ଏଠାରେ ଉଲ୍ଲେଖ କରାଯାଇଛି । ସିଦ୍ଧାନ୍ତ କରାହୋଇଛି ଓଡ଼ିଆମାନେ ଉଭୟ ନଦୀ ଏବଂ ସମୁଦ୍ର ବାଣିଜ୍ୟରେ କୁଶଳ ଥିଲେ । ସପ୍ତମ ଶତକରେ ନୌବାଣିଜ୍ୟ ହ୍ରାସପାଇ ଶେଷରେ ସମ୍ପୂର୍ଣ୍ଣ ରୂପେ ବନ୍ଦ ହୋଇଯାଇଛି ।

Image

 

Unknown

ଅଷ୍ଟମ ଅଧ୍ୟାୟ

ନଦୀର ନାମ ମହାନଦୀ

 

ଖ୍ରୀଷ୍ଟଜନ୍ମର ପ୍ରାୟ ଏକ ହଜାର ବର୍ଷ ପୂର୍ବରୁ ମହାନଦୀ ଅବବାହିକାରେ ଏକର ଉନ୍ନତ ସଭ୍ୟତାର ବିକାଶ ହୋଇଥଲା ଏବଂ କାଳକ୍ରମେ ତାହାର ବିସ୍ତାର ମଧ୍ୟ ହୋଇଥିଲା । ମହାନଦୀ ଏହାର ବିକାଶ ଓ ବିସ୍ତାରରେ ଏକ ବିଶେଷ ଭୂମିକା ଗ୍ରହଣ କରିଥିଲା । ଏ ସବୁ ବିଷୟ ଇତିହାସର ତଥ୍ୟ ସାହଯ୍ୟରେ ପ୍ରମାଣ କରାଯାଇପାରିବ । ତେବେ ଏଠାରେ ଗୋଟିଏ ପଶ୍ନ ଉଠୁଛି । ଖୀ:-ପୂ:- ଏକ ହଜାର ବର୍ଷ ପୂର୍ବରୁ ଖୀ:ପୂ ଛଅଶହ ବର୍ଷ ଅର୍ଥାତ୍‌ ଦୀର୍ଘ ଚାରିଶହ ବର୍ଷଧରି କଳିଙ୍ଗରେ ଏକ ବିକଶିତ ସଭ୍ୟତା ରହିଲା । ସାମ୍ରାଜ୍ୟ ସ୍ଥାପିତ ହେଲା । ଯୁଦ୍ଧ ବିଗ୍ରହ ଚାଲିଲା । ଅଥଚ ଏହି ସମୟରେ କୌଣସି ସ୍ଥାନୀୟ ସାହିତ୍ୟ ସୃଷ୍ଟି ହେଲା ନାହିଁ କାହିଁକି ? ଯଦିବା ହୋଇଥିଲା, ତେବେ ତାହା ସମ୍ପୂର୍ଣ୍ଣ ରୂପେ ନଷ୍ଟ ହୋଇଗଲା କିପରି ? ଓଡ଼ିଆ ଭାଷାର ପୂର୍ଣ୍ଣ ବିକଶିତ ରୂପ ଆମେ ଦେଖୁଛୁ ପଞ୍ଚଦଶ ଶତକରେ । ବୌଦ୍ଧ ସହଜଯାନୀମାନଙ୍କ ଦୋହା (ଅଷ୍ଟମ / ନବମ ଶତକ)ରେ ଏହା ସୂଚନାତ୍ମକ ରୂପରେ ଅଛି ମାତ୍ର । ତେବେ ସୂଚିତ ସମୟରେ ଏଠାରେ ଭାଷା କିଭଳି ଥିଲା ?

 

ଓଡ଼ିଶା ହେଉଛି ଏକ କୃଷିପ୍ରଧାନ ରାଜ୍ୟ ଏବଂ ଏହାର ସଂସ୍କୃତି ହେଉଛି କୃଷି ସଂସ୍କୃତି । ଓଡ୍ର ଦେଶରେ ବାସ କରୁଥିବା ‘ଓଡ୍ର’ ମାନଙ୍କ ବୃତ୍ତିଥିଲା କୃଷି ଏବଂ ସେମାନଙ୍କ ସହିତ ‘ଚଷା’ ଶବ୍ଦଟିଏ ଯୋଡ଼ାଯାଇ ବହୁକାଳରୁ ସେମାନଙ୍କୁ ବ୍ୟଙ୍ଗ କରାଯାଉଛି । ତେବେ ସେ ଯାହାହେଉ, ଏ ରାଜ୍ୟର ସଂସ୍କୃତି ନିର୍ମାଣରେ ମହାନଦୀର ଅପରିହାର୍ଯ୍ୟ ଭୂମିକା ରହିଛି । ନଦୀ ତୀରରେ ଜୀବନ ସୃଷ୍ଟି କରିଛି ଓଡ଼ିଆର ଚାଷୀ ସଂସ୍କୃତିକୁ । ଏହି ଚାଷୀ ପ୍ରୟୋଜନ ସମୟରେ ପାଞ୍ଚଣ ଛଡ଼ା ବର୍ଚ୍ଛାଧରି ଓଡ଼ିଆ ରାଜାଙ୍କର ସାମ୍ରାଜ୍ୟ ବିସ୍ତାରରେ ସହାୟକ ହୋଇଛି । ଭାଷାସାହିତ୍ୟ, ଧର୍ମଧାରଣା, ଖାଦ୍ୟପେୟ, ବେଶପୋଷାକ, ଆଚାରବ୍ୟବହାର, ପର୍ବପର୍ବାଣି, କଳାସ୍ଥାପତ୍ୟ, ଏ ସମସ୍ତକୁ ନେଇ ପ୍ରସ୍ତୁତ ହୋଇଛି ଓଡ଼ିଆ ସଂସ୍କୃତିର ପୂର୍ଣାଙ୍ଗରୂପ । ଓଡ଼ିଆ ଚରିତ୍ରର ଗଭୀର ପ୍ରଭାବ ତାହାର ସଂସ୍କୃତି ଉପରେ ପଡ଼ିଛି । ଏହା ନିୟନ୍ତ୍ରିତ ହୋଇଛି ନଦୀ ଅବବାହିକାର ଜୀବନ ଶୈଳୀ ଦ୍ଵାରା । ତେଣୁ ପ୍ରକାରାନ୍ତରେ ମହାନଦୀ ହିଁ ଓଡ଼ିଆ ସଂସ୍କୃତି ପ୍ରସ୍ତୁତ କରିଛି ବୋଲି କୁହାଯାଇପାରେ-। ନଦୀ ଅବବାହିକାର ଜୀବନରେ ସାରଲ୍ୟ ସହିତ ସ୍ଵାଭିମାନ କଠିନ ପରିଶ୍ରମ (ଏ ସମ୍ପର୍କରେ ବିଦେଶୀମାନଙ୍କ ଘୋର ଆପତ୍ତି) ସହିତ କଠୋର ଜୀବନ ସଂଗ୍ରାମ ଏବଂ କଳାର ଚର୍ଚ୍ଚା ସହିତ କାରିଗରୀର ଯାଦୁକରୀ ପ୍ରଦର୍ଶନ, ଉଦାରତା ସହିତ ଚାରିତ୍ରିକ ଦୃଢ଼ତା ସହନଶୀଳତା ସହିତ ରକ୍ଷଣାଶୀଳତା ପ୍ରଭୃତିର ଯେଉଁ ସମନ୍ଵିତ ରୂପ ଦେଖାଯାଏ, ଏଥିପାଇଁ ମହାନଦୀର ଭୂମିକାକୁ ବିଚାର କରିବାକୁ ହେବ । ବେଲୁଚିସ୍ତାନ ଏବଂ ସୀମାନ୍ତ ପ୍ରଦେଶର ରୁକ୍ଷ, ନୀରସ ପ୍ରାକୃତିକ ପରିବେଶ ଯେଉଁ ଭଳି ସେଠାକାର ଅଧିବାସୀମାନଙ୍କ ଚରିତ୍ରରେ ପ୍ରତିଫଳିତ ହୋଇଥାଏ ନଦୀଉପତ୍ୟକାର ସଜଳ ପ୍ରକୃତି, ସେଠାର ଜନସମାଜର ଚରିତ୍ରକୁ ସେଇଭଳି ପ୍ରଭାବିତ କରିବା ସ୍ଵାଭାବିକ ।

 

ତଥାପି ହଣ୍ଟର, ଷ୍ଟର୍ଲିଂ ପ୍ରଭୃତି ବିଦେଶୀ ଐତିହାସିକମାନେ ଓଡ଼ିଆମାନଙ୍କ ଭିତରେ କୌଣସି ସଦ୍‌ଗୁଣ ଦେଖିବାକୁ ପାଇନାହାନ୍ତି । ସମସ୍ତେ ଯେ, ଏଇମାନଙ୍କ ଭଳି ଥଲେ, ତାହା ନୁହେଁ-। କେହି କେହି ଓଡ଼ିଆମାନଙ୍କୁ ବିଚାର କରିଛନ୍ତି, ସେମାନଙ୍କୁ ଭଲଭାବରେ ପାଖରୁ ଦେଖିସାରିବା ପରେ । ୧୮୬୬ର ଦୁର୍ଭିକ୍ଷ କମିଶନ୍‌ ଓଡ଼ିଆମାନଙ୍କ ସମ୍ପର୍କ କହନ୍ତି, "they seem to be certainly lessquick and pushing then the benglis,' ଏହାଛଡ଼ା ଓଡ଼ିଆମାନେ 'less skilled in fraud, more realiabke bear a good character'. ମାଡ଼କ୍‌ଙ୍କ ମତରେ 'the people are kindly and good humoured. remarkably law abiding and giving only to the commiting of the pettiest of crimes. ଐତିହାସିକ ଷ୍ଟର୍ଲିଂ ମଧ୍ୟ ଏମାନଙ୍କ ସମ୍ପର୍କରେ ନିଜର ପୂର୍ବମତ ବଦଳାଇ କହିଛନ୍ତି 'they are most mild, quite inoffensive ଏବଂ eassily managed in the company's provinces-' ଏହିଭଳି ଆଉ କିଛି ମନ୍ତବ୍ୟ ମଧ୍ୟ ଦେଖିବାକୁ ମିଳିବ, ଯହିଁରୁ ଓଡ଼ିଆ ଚରିତ୍ରର ବୈଶିଷ୍ଟ୍ୟ ପ୍ରମାଣିତ ହେବ ।

 

ପ୍ରଥମରୁ କୁହାଯାଇଛି ଯେ, ନଦୀ-ମାତୃକ ଦେଶର ସଂସ୍କୃତିର କିଛି ବୈଶିଷ୍ଟ୍ୟ ଥାଏ । ସେ ଦେଶର ଲୋକଙ୍କୁ ବୁଝିବାକୁ ହେଲେ, ସେମାନଙ୍କ ସଂସ୍କୃତିକୁ ମଧ୍ୟ ବୁଝିବାକୁ ହୋଇଥାଏ । ଯେଉଁ ସାହେବମାନେ ଶ୍ରୀଜଗନ୍ନଥଙ୍କଠାରେ ଅଶ୍ଳୀଳତାର ଚୂଡ଼ାନ୍ତ ରୂପ ଦେଖିବାକୁ ପାଇଥିଲେ, ସେମାନେ ଅବା ଓଡ଼ିଆଙ୍କୁ ବୁଝନ୍ତେ କ'ଣ ? ଯାହା ହେଉ, ଏବେ ଓଡ଼ିଆ ସଂସ୍କୃତିର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରାଯାଉ । ସଂସ୍କୃତିର ଏକ ବିଶେଷ ରୂପ ଧର୍ମ ବିଷୟରେ ଆଲୋଚନା କରି ପୂର୍ବରୁ ଦେଖାଇ ଦିଆଯାଇଛି ଯେ, ସମନ୍ୱୟ ହେଉଛି ଓଡ଼ିଆମାନଙ୍କ ଧର୍ମ ଧାରଣାର ଏକ ବିଶେଷ ଦିଗ । ସମନ୍ଵୟ ଦୁର୍ବଳତାର ପରିଚାୟକ ନୁହେଁ, ମହାନ୍‌ ଉଦାରତା ଓ ସହନଶୀଳତାର ଚୂଡ଼ାନ୍ତ ରୂପ । ସେତିକି ଉଦାର ନ ହେଲେ ଜଣେ ଅନ୍ୟ ଜଣକ ନିକଟରେ ମଥାନୁଆଁଇବାର ମହାନତା ଦେଖାଇ ପାରିବ ନାହିଁ । ଓଡ଼ିଆମାନେ ସେହିପରି ଥିଲେ ।

 

ବାରମାସରେ ତେର ପର୍ବ :–ଓଡ଼ିଆ ସଂସ୍କୃତିର ଦିଗ ହେଉଛି ଏଠା ଲୋକଙ୍କ ଧର୍ମ ବିଶ୍ଵାସ । ଏହା ଥାଏ ସେମାନଙ୍କ ରକ୍ତରେ । ଏଥିପାଇଁ ସେମାନେ ସୃଷ୍ଟି କରିଛନ୍ତି ତେତ୍ରିଶକୋଟି ଦେବଦେବୀ ଏବଂ ସମସ୍ତଙ୍କ ଉପରେ ବସାଇଛନ୍ତି ଜଗନ୍ନାଥଙ୍କୁ । ଜଗନ୍ନାଥଙ୍କର ବାରମାସରେ ତେର ପର୍ବ । ତାକୁ ଆଧାର କରି ଓଡ଼ିଆ ସମାଜ ମଧ୍ୟ ନିଜ ପାଇଁ ବହୁ ସଂଖ୍ୟକ ପର୍ବପର୍ବାଣି ସୃଷ୍ଟି କରିଛି । ଏହାର ଦୁଇଟି ଉଦ୍ଦେଶ୍ୟ । ଗୋଟିଏ ହେଉଛି ଦେବୀ ଦେବତାଙ୍କୁ ସ୍ମରଣ କରି ଐହ୍ୟିକସୁଖ ସମୃଦ୍ଧିର କାମନା କରିବା ଏବଂ ଅନ୍ୟ ଉଦ୍ଦେଶ୍ୟ ହେଉଛି ଜୀବନର ନିତ୍ୟ ଏବଂ ଅଜସ୍ର ଦୁଃଖଯନ୍ତ୍ରଣା ମଧ୍ୟରୁ ସାମୟିକ ଭାବରେ ମୁକ୍ତି ଲାଭ କରିବା ।

 

ଓଡ଼ିଶା ଏକ କୃଷିଭିତ୍ତିକ ରାଜ୍ୟ ଏବଂ ନଦୀନାଳ ପାଟଜୋର ପ୍ରଭୃତି ତାକୁ ଏଥିପାଇଁ ସାହାଯ୍ୟ କରନ୍ତି । ଏଠାରେ ତେଣୁ ଯେଉଁ ସବୁ ପର୍ବ ପାଳିତ ହୁଏ, ତହିଁର ଅଧିକାଂଶ ସହିତ କୃଷିର ସମ୍ପର୍କ ଥାଏ । ପର୍ବ ହେଉଛି ଲୋକ ସଂସ୍କୃତିର ଏକ ବିଶେଷ ଦିଗ । ଏଥିରୁ ସାମାଜିକ ଓ ଆଧ୍ୟାମ୍ବିକ ଜୀବନ ଧାରାର ମୂଲ୍ୟାୟନ ନିମନ୍ତେ ବହୁ ଉପାଦେୟ ତଥ୍ୟ ମିଳିଥାଏ । ଓଡ଼ିଶାର ପର୍ବ ମଧ୍ୟରୁ କେତେକ ସର୍ବ ଭାରତୀୟ ପର୍ବ ପରମ୍ପରା ସହିତ ପ୍ରତ୍ୟକ୍ଷ ସମ୍ପର୍କ ରଖୁଥିବା ବେଳେ କେତେକ ଏହାର ସମ୍ପୂର୍ଣ୍ଣ ନିଜସ୍ଵ । ଏଥିରେ ଦ୍ରାବିଡ଼, ଆଦିବାସୀ ତଥା ଆର୍ଯ୍ୟ ସଂସ୍କୃତିର ସମନ୍ଵୟ ଘଟିଥିବା ଏହାର ଅନ୍ୟ ଏକ ବିଶେଷ ମହତ୍ତ୍ୱ । ପ୍ରାଚୀନକାଳରୁ ଲୋକପରମ୍ପରାରେ ଯେଉଁ ସବୁ ପର୍ବ ଏଠାରେ ପାଳିତ ହେଉଥିଲା, କାଳକ୍ରମେ ଆର୍ଯ୍ୟ ପରମ୍ପରା ସହିତ ମିଶି ତାହା ଶାସ୍ତ୍ରୀୟତା ଲାଭ କରିଛି ।

 

ଭିନ୍ନ ଭିନ୍ନ ଦେବତାଙ୍କ ନିମନ୍ତେ ଏଠାରେ ସ୍ଵତନ୍ତ୍ର ବ୍ରତ, ଓଷା ଏବଂ ଉପବାସ ପ୍ରଭୃତିର ଆୟୋଜନ କରାଯାଏ । ବିଷ୍ଣୁଙ୍କ ପାଇଁ କାର୍ତ୍ତିକବ୍ରତ, ଅନନ୍ତବ୍ରତ, ଏକାଦଶୀ, କୃଷ୍ଣଙ୍କ ପାଇଁ ଜନ୍ମାଷ୍ଟମୀ, ରାସ ପୂର୍ଣ୍ଣିମା, ନୃସିଂହଙ୍କ ପାଇଁ ନୃସିଂହ ଚତୁର୍ଦ୍ଦଶୀ, ରାମଙ୍କ ପାଇଁ ରାମ ନବମୀ, ଅଶୋକାଷ୍ଟମୀ, ଶିବଙ୍କ ପାଇଁ ଶିବରାତ୍ରି, ସୋମନାଥବ୍ରତ, ଶୀତଳଷଷ୍ଠୀ, ଗଣେଶଙ୍କ ପାଇଁ ଗଣେଶ ଚତୁର୍ଥୀ, ସୂର୍ଯ୍ୟଙ୍କ ପାଇଁ ରବିନାରାୟଣ ବ୍ରତ, ବାଲି ରବିବାର, ଶାମ୍ବ-ଦଶମୀ, ଚନ୍ଦ୍ରଙ୍କ ପାଇଁ କୁମାର ପୁର୍ଣ୍ଣମୀ, ଅଗ୍ନିଙ୍କ ପାଇଁ ଅଗିରା ପୂର୍ଣ୍ଣମୀ, ଲକ୍ଷ୍ମୀଙ୍କ ପାଇଁ ଗୁରୁବାର ଓଷା, ସୁଦଶା ବ୍ରତ, ଦୁର୍ଗାଙ୍କ ପାଇଁ ମହାଷ୍ଟମୀ, ସରସ୍ୱତୀଙ୍କ ପାଇଁ ବସନ୍ତ ପଞ୍ଚମୀ ପ୍ରଭୃତିର ଆୟୋଜନ କରାଯାଏ । ଏହାଛଡ଼ା ରଜ, ନୂଆଖିଆ, ମକର ସଂକ୍ରାନ୍ତି, ସାବିତ୍ରୀ ବ୍ରତ, ପଣା ସଂକ୍ରାନ୍ତି ପ୍ରଭୃତି ଆହୁରି ଅନେକ ପର୍ବ ମଧ୍ୟ ଏଠାରେ ପାଳିତ ହୁଏ ।

 

ସାଧାରଣତଃ ପ୍ରତ୍ୟେକ ଓଷାବ୍ରତ ନିମନ୍ତେ କର୍ମ କାଣ୍ଡର ସହାୟତା ନିଆଯାଏ । ଦେବଦର୍ଶନରେ ଚିତ୍ତଶୁଦ୍ଧି ଉପବାସରେ ଶରୀର ଶୁଦ୍ଧି ସଂଯମ, ସ୍ଥିରତା ଇତ୍ୟାଦି ହେଉଛି ଏହାର ତାତ୍‌କ୍ଷଣିକ ଲାଭ ।

 

ପୂର୍ବେ ପ୍ରାୟ ପ୍ରତ୍ୟେକ ମଧ୍ୟବର୍ଗୀୟ ହିନ୍ଦୁ ଗୃହସ୍ଥଙ୍କ ଘରେ ଶାଳଗ୍ରାମ ଶିଳା ବିରାଜୁ ଥିଲେ । ଦୁଇଓଳି ଏହାଙ୍କ ନିତ୍ୟ ପୂଜାର ବ୍ୟବସ୍ଥା ଥିଲା । ଠାକୁରଘରେ ଭାଗବତ ପୋଥି ସହିତ ଅନ୍ୟାନ୍ୟ ପୁରାଣ ପୋଥି ରଖାଯାଉଥିଲେ ଏବଂ କେତେକ ପରିବାରରେ ନିତ୍ୟ ପୁରାଣ ପାଠର ବ୍ୟବସ୍ଥା ମଧ୍ୟ ଥିଲା । ବୃଦ୍ଧବୃଦ୍ଧାମାନେ ତ୍ରି ସନ୍ଧ୍ୟାର ମାଳା ଜପିବା, କୋଥଳି ସେବା କରିବା ଏକ ପ୍ରାତ୍ୟହିକ ବ୍ୟାପାର ଥିଲା, ପ୍ରତ୍ୟେକ ଗ୍ରାମରେ ଭାଗବତ ଘର ବା ଟୁଙ୍ଗି ଥିଲା, ଯେଉଁଠି ଶାସ୍ତ୍ରାଲୋଚନା ସହିତ ଗ୍ରାମ ସମସ୍ୟା ସମ୍ପର୍କରେ ବିଚାର କରାଯାଉଥିଲା । ପ୍ରତି ପରିବାରରେ ତୁଳସୀ ଚଉରା ରହୁଥିଲା ଏବଂ ଚଉରା ସେବାଥିଲା ବୟସ୍କମାନଙ୍କ ନିତ୍ୟ କର୍ମ । କାର୍ତ୍ତିକମାସରେ ଚଉରାକୁ ନାନାବର୍ଣ୍ଣର ମୁରୁଜରେ ଶୋଭିତ କରାଯାଉଥିଲା ଏବଂ କାର୍ତ୍ତିକ ମାସ ସାରା ଅଭାବରେ ଅନ୍ତତଃ ପାଞ୍ଚଦିନ ସେଠାରେ ଆକାଶଦୀପର ବ୍ୟବସ୍ଥା କରାଯାଉଥିଲା । ଏହି ମାସରେ ବିଦେଶଗାମୀ ବୋଇତ ସବୁ ପ୍ରତ୍ୟାବର୍ତ୍ତନ କରୁଥିବାରୁ ଏବଂ ସେ ସମୟରେ ଆଲୋକ ସ୍ତମ୍ଭର ଅନ୍ୟବ୍ୟବସ୍ଥା ନଥିବାରୁ ପ୍ରତିଗ୍ରାମରେ ଏହି ବ୍ୟବସ୍ଥା କରାଯାଉଥିବାର ଅନୁମାନ କରାଯାଇପାରେ-। ସେହିଭଳି ମାର୍ଗଶିର ମାସରେ ଗୃହକୁ ଗୋମୟ ଦ୍ଵାରା ଶୁଦ୍ଧ କରାଯାଇ ଗ୍ରୃହର ଭିତ୍ତି ତଥା ଚଟାଣକୁ ନାନା ପ୍ରକାର ଚିତା ଓ ଲକ୍ଷ୍ମୀ ପାଦପଦ୍ମ ଦ୍ଵାରା ସୁଶୋଭିତ କରାଯାଇ ମହାଲକ୍ଷ୍ମୀଙ୍କ ଆବାହନ କରାଯାଉଥିଲା । ନୂଆ ଧାନ ଶୀଁଷା (କେଣ୍ଡା)ରେ ମେଣ୍ଟ ପ୍ରସ୍ତୁତ କରାଯାଇ ଅନ୍ନଲକ୍ଷ୍ମୀଙ୍କୁ ସ୍ଵାଗତ କରାଯାଉଥିଲା । ଶାମ୍ବଦଶମୀରେ ସୂର୍ଯ୍ୟ ପୂଜାର ଆୟୋଜନ କରାଯାଉଥିଲା ଅତି ପ୍ରତ୍ୟୁଷରୁ । ରଜପର୍ବରେ ରଜସ୍ଵଳା ବସୁମତୀଙ୍କୁ ବିଶ୍ରାମ ଦିଆଯାଇ ସମସ୍ତପ୍ରକାର କାର୍ଯ୍ୟ ବନ୍ଦ କରି ଦିଆଯାଉଥିଲା । ତିନିଦିନ ଅନ୍ତେ ତାଙ୍କୁ ଶୁଦ୍ଧସ୍ନାନ କରାଇ ପୁନର୍ବାର ଦୈନନ୍ଦିନ କାର୍ଯ୍ୟକ୍ରମର ଆରମ୍ଭ କରାଯାଉଥଲା । ଭୂମିପୂଜାର ଏହି ଅଭିନବ ବ୍ୟବସ୍ଥା ଭାରତରେ ଅନ୍ୟତ୍ର ନାହିଁ । ଆସାମର ଦେବୀ କାମାଖ୍ୟା ଅବଶ୍ୟ ରଜସ୍ୱଳା ହୁଅନ୍ତି ଏବଂ ସେ ସମୟରେ ତାଙ୍କର ପୂଜା ବନ୍ଦ ରହେ । ତେବେ ଭୂମିପୂଜାର ଏହି ବ୍ୟବସ୍ଥା ଓଡ଼ିଆ ସଂସ୍କୃତିର ଏକ ବିଶେଷ ଦିଗ । କୁମାର ପୂର୍ଣ୍ଣିମାରେ ଚନ୍ଦ୍ର ପୂଜାର ବ୍ୟବସ୍ଥା କରାଯାଉଥିଲା ଚନ୍ଦ୍ର ଉଦୟ ହେବା ମାତ୍ରେ । ଏହାର ବ୍ୟତିକ୍ରମରେ ନାନା ଦୁର୍ଯ୍ୟୋଗ ଘଟିବାର ସମ୍ଭାବନା ଥିବାରୁ ସାବଧାନ ହେବାକୁ ପଡ଼ୁଥିଲା । ଏ ସବୁ ଥିଲା କର୍ମ କର୍ମାଣିର ଅଧୀନ ।

 

ଗୋଟିଏ ପୂଜା ନସରୁଣୁ ଆଉ ଏକ ପୂଜା ଆସି ଯାଉଥିଲା । ଧାନକୁଟା, ଚାଉଳ ବଛା, ଚୂନାକୁଟା, ଲିପାପୋଛା, ନୈବେଦ୍ୟ ପ୍ରସ୍ତୁତି- ଏସବୁ କରାଯାଉଥିଲା ଅତ୍ୟନ୍ତ ଶୁଦ୍ଧାଚାରରେ । ପୂଜା ସମୟରେ ଧୂପ, ଦୀପ, ଝୁଣା, ଗୋଗୁଳ, ଶଙ୍ଖ, ଘଣ୍ଟ, ହୁଳହୁଳି ଧ୍ଵନିରେ ଗ୍ରାମ ଉଛୁଳିପଡ଼ି ଏକ ସାତ୍ତ୍ୱିକ ପରିବେଶ ସୃଷ୍ଟି ହେଉଥିଲା । ଗ୍ରାମ ଜୀବନକୁ ଏଭଳି ଶୁଦ୍ଧାଚାରରେ ବାନ୍ଧି ରଖିବା ଦ୍ଵାରା ସେଠାର ସାମାଜିକ ଜୀବନ କଳଙ୍କ ମୁକ୍ତ ରହି ଲୋକମାନଙ୍କ ମାନସିକ ସୁସ୍ଥତା ବଜାୟ ରହୁଥିଲା । ଏ ସବୁ କାମ କରିବା ନିମନ୍ତେ କେହି କାହାରିକୁ ବାଧ୍ୟ କରୁ ନଥିଲେ । ଜୀବନର ଏକ ଅପରିହାର୍ଯ୍ୟ ଅଂଶ ରୂପରେ ଏହାକୁ ଗ୍ରହଣ କରି ନିଆଯାଇଥିଲା । ସମାଜ ଥିଲା କର୍ମ ସଂସ୍କୃତିରେ ସଦାଚଞ୍ଚଳ ।

 

ପର୍ବପର୍ବାଣି ହିଁ ସମାଜଜୁ ସଂହତ ତଥା ସଂଯତ କରି ରଖିଥିଲା । ବହୁ ମନୋମାଳିନ୍ୟ, କଳିତକରାଳ ଏହି ଅବସରରେ ଦୂର ହେଉଥିଲା । ଆଦାନ ପ୍ରଦାନ ପାରସ୍ପରିକ ଐକ୍ୟ ତଥା ସଂପ୍ରୀତି ବଢ଼ାଉଥିଲା । ନିଜେ ଅନ୍ୟ ପାଇଁ ଏହି ଧାରଣା ସୃଷ୍ଟି ହେଉଥିଲା । ସମାଜର ଅନ୍ତ୍ୟଜ ବର୍ଗ ସୁଦ୍ଧା ଆନନ୍ଦର ଏହି ମହାଭୋଜରୁ ବଞ୍ଚିତ ହେଉ ନଥିଲେ । ଓଷା ବ୍ରତ ପୂଜାପାଠରେ ସେମାନଙ୍କର ଭାଗ ନଥିଲା ସତ୍ୟ, ତେବେ ଉସୂବରେ ସେମାନେ ଅଂଶଗ୍ରହଣ କରିବାରେ କୌଣସି ଅସୁବିଧା ନଥିଲା । ନୈବେଦ୍ୟ ପ୍ରସ୍ତୁତି ସମୟରେ ଗୃହିଣୀ ସେମାନଙ୍କୁ ଭୁଲୁ ନଥିଲେ । ପ୍ରଚୁର ପରିମାଣରେ ପିଠାପଣା ସେମାନଙ୍କୁ ଦିଆଯାଉଥିଲା । ଜାତିପ୍ରଥାର ଅନ୍ଧକାର ଦିଗଟିକୁ ଦୂର କରିବା ନିମନ୍ତେ ବଳରାମ ଦାସ ଲେଖିଥିଲେ ‘ଲକ୍ଷ୍ମୀପୁରାଣ’ । ଏଥିରେ ଦୁଇଟି ବିଷୟ ଉପରେ ଗୁରୁତ୍ୱ ଦିଆଯାଇଛି-। ଚଣ୍ଡାଳୁଣୀ ଶ୍ରୀୟାକୁ ମହାଲକ୍ଷ୍ମୀଙ୍କର ଶ୍ରେଷ୍ଠ ଭକ୍ତ ରୂପରେ ଉପସ୍ଥାପିତ କରାଇ ସମାଜରୁ ଜାତି ଭେଦ ଚେତନାର ବିଷମଞ୍ଜଟିକୁ ସମୂଳେ ବିନାଶ କରିବା ସହିତ ପାରିବାରିକ ଜୀବନରେ ପରିଷ୍କାର ପରିଚ୍ଛନ୍ନତାର ପ୍ରୟୋଜନୀୟତା ସୃଷ୍ଟି କରାଇବା । ଜଗନ୍ନାଥଙ୍କୁ ସେ ଏହି ଲକ୍ଷ୍ୟରେ ମହାଲକ୍ଷ୍ମୀଙ୍କ ନିକଟରେ କ୍ଷମାପ୍ରାର୍ଥନା କରାଇଛନ୍ତି । ପ୍ରତ୍ୟେକ ଓଷାବ୍ରତ ପଛରେ ଏହି ଭଳି କିଛି ନା କିଛି ଉଦେଶ୍ୟ ରହିବାର ଜଣାଯାଏ ।

 

ପରିବାର ବାହାରେ କିଛି ସାଧାରଣ ମେଳା ମହୋତ୍ସବର ଆୟୋଜନ କରାଯାଉଥିଲା, ଯେଉଁଥିରେ ଗ୍ରାମବାସୀମାନ ପୂର୍ଣ୍ଣପ୍ରାଣରେ ସହଯୋଗ କରୁଥିଲେ । ଅଷ୍ଟପ୍ରହରୀ, ଚବିଶ ପ୍ରହରୀ, ହରିହାଟ, ସଂକୀର୍ତ୍ତନ, ଯଜ୍ଞ, ଦୋଳଯାତ୍ରା, ରାହାସଯାତ୍ରା ପ୍ରଭୃତି ଏହିଭଳି ଅନେକ ଉତ୍ସବ ଥିଲା, ଯାହା ଗ୍ରାମବାସୀମାନଙ୍କୁ ଗୋଟିଏ ପତାକା ତଳକୁ ଆକୃଷ୍ଟ କରି ସାମ୍ୟ, ମୈତ୍ରୀ ଓ ପ୍ରୀତିର ଆଦର୍ଶରେ ଦୀକ୍ଷିତ କରୁଥିଲା । ସେକାଳର ସମାଜ ପତିମାନେ ମାର୍କସ୍‌, ସୋଫେନ୍‌ ହାୱାର, ଲାସ୍କି କିମ୍ବା କାଣ୍ଡଙ୍କୁ ପଢ଼ି ନଥିଲେ । ଜୀବନ ବିଦ୍ୟାଳୟ ସେମାନଙ୍କୁ ଏହି ପାଠ ପଢ଼ାଉଥିଲା ଏବଂ ଓଷାବ୍ରତ, ପର୍ବପର୍ବାଣି ଏହାର ସହାୟକ ଥଲା ମାତ୍ର ।

 

ଓଷାବ୍ରତର କର୍ମକାଣ୍ଡ ଦିଗ ଜୀବନକୁ ଶୃଙ୍ଖଳିତ କରିବା ନିମନ୍ତେ ଉର୍ଦ୍ଦିଷ୍ଟ । ଜାଗର ଅମାବାସ୍ୟାର ରାତ୍ରି ଜାଗରଣ, ତିଥି ନକ୍ଷତ୍ର ଅନୁସାରେ ବିଭିନ୍ନ ପୂଜାବ୍ରତର ଆୟୋଜନ ଏହି ଲକ୍ଷ୍ୟରେ କରାଯାଏ ବୋଲି କୁହାଯାଇପାରେ । ପୁଣି ପ୍ରତ୍ୟେକ ପୂଜା ପାଇଁ କେତୋଟି ସାମାନ୍ୟ କିନ୍ତୁ ନିର୍ଦ୍ଦିଷ୍ଟ ଉପକରଣର ପ୍ରୟୋଜନ ହୁଏ । କାର୍ତ୍ତିକବ୍ରତ ପାଇଁ ଅଁଳାକୋଳି, ଅଗସ୍ତି ଶାଗ, ଗୁରୁବାର ଓଷା ପାଇଁ ନୂଆ ଧାନ, ସୋରିଷ ଶାଗ, ଆଖୁ, ମୂଳା, କାଞ୍ଜିଅଁଳା ଓଷା ପାଇଁ କାଞ୍ଜି, ଶୁଖୁଆ ପ୍ରଭୃତି ହେଉଛି ଏହାର ଦୃଷ୍ଟାନ୍ତ । ଆହରଣ ଦ୍ଵାରା ମାନସିକ ସନ୍ତୋଷ ମିଳିବା ସହିତ ବୁଦ୍ଧିମାର୍ଜିତ ହୁଏ ଏବଂ ଏ ସବୁର ଏକ ସ୍ଵାସ୍ଥ୍ୟଗତ ଉପଯୋଗିତା ମଧ୍ୟ ରହିଥାଏ । ବ୍ରତପାଳନରେ କିଏ କ’ଣ ପାଇଥିଲେ ଏବଂ କ’ଣ ହରାଇଥିଲେ, ତାହା ବ୍ରତାର୍ଥୀମାନଙ୍କୁ ବାରମ୍ବାର ଜଣାଇ ଦିଆଯାଇ ସତର୍କ କରାଇ ଦିଆଯାଏ । ଶାରଦୀୟ ଦୁର୍ଗାପୂଜାର ଆୟୋଜନ କରି ସମାଧି ବୈଶ୍ୟ ନିଜର ହୃତ ସମ୍ପତ୍ତି ଏବଂ ରାଜା ସୁରଥ ନିଜର ଅପହୃତ ସାମ୍ରାଜ୍ୟ ଫେରି ପାଇବା କଥା ପ୍ରଥମରୁ ବର୍ଣ୍ଣନା କରାଯାଇ ସଚେତନତା ସୃଷ୍ଟି କରାଯାଏ । ଦେବତାମାନଙ୍କ ଆଗରେ ବ୍ରତର ମାହାତ୍ମ୍ୟ ବର୍ଣ୍ଣନା କରି ସ୍ୱୟଂ ସୃଷ୍ଟିକର୍ତ୍ତା ବ୍ରହ୍ମା କହୁଛନ୍ତି ଯେ ଏକାଦଶୀବ୍ରତ କରିବ, ସେ ବୈକୁଣ୍ଠେ ବସିବ । ଯେ ଷଡ଼ଜୟନ୍ତୀ କରିବ ସେ ଦେବତାଙ୍କ ସାଙ୍ଗେ ପୂଜା ପାଇବ । ଯେ ଦୁର୍ଗାଷ୍ଟମୀ କରିବ ସେ ଦୁର୍ଗା ଭୁବନେ ବସିବ । ଶିବ ଚତୁର୍ଦ୍ଦଶୀ କଲେ ଶିବଲୋକରେ ସ୍ଥାନ ପାଇବ । ଏହା ଶୁଣି ଦେବତାମାନେ ପ୍ରତ୍ୟେକେ ବ୍ରତ କରିବେ ବୋଲି ସ୍ଵୀକୃତ ହେଉଛନ୍ତି ଏବଂ ସ୍ୱୟଂ ଦୁର୍ଗା ଦୁର୍ଗାଷ୍ଟମୀ ପାଳନ କରିବେ ବୋଲି କହୁଛନ୍ତି । ଏ ଏକ ବିଚିତ୍ର ସ୍ଥିତି । ଦେବୀ ସ୍ୱୟଂ ଉପାସନା କରିବାର ବ୍ୟବସ୍ଥା ଦେଇ ପଣ୍ଡିତମାନେ ସମାଜକୁ କି ବାର୍ତ୍ତା ଦେଉଛନ୍ତି, ତାହା ବୁଝିବା କଷ୍ଟ । ତେବେ ଅବିଶ୍ୱାସ କରିବାର କିଛି ନାହିଁ । ବ୍ରହ୍ମାଣ୍ଡ ପୁରାଣରେ ସ୍ୱୟଂ ଅଗସ୍ତି ମୁନିଙ୍କଠାରୁ ବୈବସ୍ଵତ ମନୁ ଏହା ଶୁଣୁଥିବା ବର୍ଣ୍ଣିତ ହୋଇଛି ।

 

ପର୍ବପର୍ବାଣି ଗୋଷ୍ଠୀଜୀବନର ଆନନ୍ଦ, ଶୁଚିତା, ମାନସିକ ଶାନ୍ତି ସଂହତି ଏବଂ ଏକ୍ୟ ପ୍ରତିଷ୍ଠା ପ୍ରଭୃତି ପାଇଁ ସୁଯୋଗ ତ ସୃଷ୍ଟି କରିଥାଏ । ତା’ଛଡ଼ା ଏ ସବୁର ବୈଜ୍ଞାନିକ ଭିତ୍ତି ମଧ୍ୟ ରହିଛି । ଦିନଚର୍ଯ୍ୟା, ଆହାର ବିହାର, ଚିନ୍ତନ ମନନ ପାଇଁ ଏ ସବୁ ପର୍ବପର୍ବାଣି ଯେଉଁ ନିୟମ ବାନ୍ଧି ଦିଏ ଦେହ ଆଉ ମନ ଉପରେ ତାହାର ସୁପ୍ରଭାବ ପଡ଼େ । ବିଶେଷତଃ ଋତୁଉପଯୋଗୀ ଖାଦ୍ୟ ବ୍ୟବସ୍ଥାର ଯେ ଏକ ସୁଚିନ୍ତିତ ବୈଜ୍ଞାନିକ ପୁଷ୍ଠଭୂମି ଥାଏ, ତାହା ଆଜିର ବୈଜ୍ଞାନିକ ମଧ୍ୟ ସ୍ଵୀକାର କଲେଣି । କୁସଂସ୍କାର କହି ଏହାକୁ ଏଡ଼ାଇ ଯିବା ଅନୁଚିତ ।

 

ଆମ ରାଜ୍ୟର ଆଦିବାସୀମାନେ ଜୀବନର ଆନନ୍ଦ ଉଲ୍ଲାସ ପୂର୍ଣ୍ଣ ଦିଗଟିକୁ ସବୁବେଳେ ଉଜ୍ଜୀବିତ ରଖିବାକୁ ଚେଷ୍ଟା କରନ୍ତି, ବିଭିନ୍ନ ପର୍ବପର୍ବାଣି ମାଧ୍ୟମରେ ଏବଂ ଏଥିପାଇଁ ନାଚଗୀତ ହେଉଛି ଅବଶ୍ୟ କରଣୀୟ । ପୂଜା, ବଳି, ମଦ୍ୟପାନ, ଭୋଜି ଭାତ, ଗୀତବାଦ୍ୟ ନୃତ୍ୟ–ଏ ସବୁ ପର୍ବପର୍ବାଣିର ଅଂଶ । କେତେକ ପର୍ବ ତିଥି ନକ୍ଷତ୍ର ଧରି ପାଳିତ ହେଉଥିବା ବେଳେ ଆଉ କିଛି ପାଳିତ ହୁଏ ନିଜର ସୁବିଧା ଅନୁସାରେ । କୃଷି କାର୍ଯ୍ୟର ପ୍ରତିଟି ସ୍ତର ପାଇଁ ସେମାନଙ୍କର ସ୍ଵତନ୍ତ୍ର ପର୍ବ ରହିଛି । ବର୍ଷର ଆରମ୍ଭ ହୁଏ ଚଇତି ପର୍ବରୁ । ଫସଲ କଟା ପରେ ସେମାନଙ୍କୁ ଯେଉଁ ୩/୪ ମାସ ଅବକାଶ ମିଳିଥାଏ, ତାହା ଏହିଠାରୁ ଶେଷ ହୁଏ ଶାଳଗଛରେ ଫୁଲ ଆସିଲେ ଏଥିପାଇଁ ଗୋଟିଏ ଉତ୍ସବର ଆୟୋଜନ କରାଯାଏ ଏବଂ ତା’ପରେ ବିଲକୁ ହଳଯାଏ ଆମର ଅକ୍ଷୟ ତୃତୀୟା ଭଳି ସେମାନଙ୍କର ମଧ୍ୟ ଏହିଭଳି ସ୍ଵତନ୍ତ୍ର ଉତ୍ସବ ପାଳିତ ହୁଏ । ତେବେ ଦିନକ୍ଷଣ କିଛି ନିର୍ଦ୍ଦିଷ୍ଟ ନଥାଏ । ଅକ୍ଷୟ ତୃତୀୟା ବି ହୋଇପାରେ ବର୍ଷକୁ ସ୍ଵାଗତ ଜଣାଇ ମୁଣ୍ଡାମାନେ ପାଳନ କରନ୍ତି କରମସାନିଙ୍କ ପୂଜା ।

 

ନୂଆଖିଆ କୃଷି ସଂସ୍କୃତିର ଏକ ବିଶେଷ ଉତ୍ସବ । ଏହି ଦିନ ବର୍ଷର ପ୍ରଥମ ଶସ୍ୟକୁ ଦେବତାଙ୍କୁ ଅର୍ପଣ କରାଯାଇ, ତା'ପରେ ଗ୍ରହଣ କରାଯାଏ । ପଶ୍ଚିମ ଓଡ଼ିଶାରେ ଏହା ଏକ ପ୍ରଧାନ ପର୍ବ ଏବଂ ଏବେ ଏହା ଭାଦ୍ରଶୁକ୍ଳ ପଞ୍ଚମୀ ତିଥିରେ ସେଠାରେ ପାଳିତ ହେଉଛି । ଉପକୂଳ ଅଞ୍ଚଳରେ ମଧ୍ୟ ଏହା ପାଳିତ ହୁଏ । ଆଦିବାସୀମାନେ ବି ଏହା ପାଳନ କରନ୍ତି । ତେବେ ସେମାନଙ୍କର ଏଥିପାଇଁ ନିର୍ଦ୍ଦିଷ୍ଟ କୌଣସି ଦିନ ନଥାଏ । ସୁବିଧା ଅନୁସାରେ, ତେବେ ଯଥା ସମ୍ଭବ ଭାଦ୍ରମାସରେ ହିଁ ଏହା ପାଳିତ ହୁଏ । ଏହାଛଡ଼ା ମାଘପରବ, ପୁଷପୁନିଅ, ମକରପର୍ବ ପ୍ରଭୃତି ଆହୁରିଗୁଡ଼ିଏ ସାମୂହିକ ପର୍ବ ସେମାନେ ପାଳନ୍ତି । ନୃତ୍ୟଗୀତ, ମଦ୍ୟପାନ, ଶିକାର ପ୍ରଭୃତି ଏହାର ଅଂଶ । ବନ୍ୟଜନ୍ତୁ ସଂରକ୍ଷଣ ଆଇନ୍‍ ଲାଗୁ ହୋଇଯିବା ପରେ, ଶିକାର ପ୍ରକ୍ରିୟାରେ ବାଧା ଆସୁଛି । ତେବେ ଏହା ସମ୍ପୂର୍ଣ୍ଣ ବନ୍ଦ ହୋଇନାହିଁ ।

 

ଆନନ୍ଦ ଲୋଭୀ ଆଦିବାସୀ ଗୋଷ୍ଠୀ ଜୀବନର ପ୍ରତ୍ୟେକ ମୁହୂର୍ତ୍ତକୁ ଏଥିପାଇଁ ଉପଯୋଗ କରିବାକୁ ଚାହାନ୍ତି । ପୁର୍ନଜନ୍ମ ବାଦୀ ହୋଇଥିଲେ ମଧ୍ୟ ଏମାନେ ଚାର୍ବାକ୍‌ ଦର୍ଶନରେ ବିଶ୍ଵାସୀ । ଅନାଗତ କାଲି ତୁଳନାରେ ଉପସ୍ଥିତ ବର୍ତ୍ତମାନ ହିଁ ସେମାନଙ୍କ ପାଇଁ ମୂଲ୍ୟବାନ୍‌ । ତେବେ ସମୟ ସହିତ ସେମାନଙ୍କ ଦୃଷ୍ଟିଭଙ୍ଗୀ ମଧ୍ୟ ବଦଳି ଯାଉଛି ।

 

କୃଷି ଭିତ୍ତିକ ଓଡ଼ିଆ ସମାଜ ଜଳ ନିର୍ଭର ହୋଇଥିବାରୁ ଏଥିପାଇଁ ମହାନଦୀ ଏବଂ ତାହାର ଉପଶାଖା ନଦୀମାନେ ଆଶା ଭରସାର ସ୍ଥଳୀ ହୋଇ ରହିଛନ୍ତି । ଏହାଛଡ଼ା ସାମାଜିକ ଜୀବନର ବହୁ ପ୍ରୟୋଜନ ହିଁ ଏଇ ନଦୀମାନେ ମେଣ୍ଟାଇ ଆସୁଛନ୍ତି । ଏଠାର କେତେକ ଗୋଷ୍ଠୀର ବିବାହ କାର୍ଯ୍ୟରେ ‘ପାଣି ତୋଳା’ ନାମକ କର୍ମର ବ୍ୟବସ୍ଥା ଅଛି । ନଦୀ ପୁଷ୍କରିଣୀରୁ ଏକ ବିଶେଷ ଉତ୍ସବରେ ଅଣାଯାଇଥିବା ପାଣିରେ କନ୍ୟାକୁ ଗାଧୋଇ ଦିଆଯାଏ । ପୁଣି ଏହି ସବୁ ନଦୀ କଲ୍ୟାଣରୁ ଓଡ଼ିଶା ‘ମତ୍ସ୍ୟଦେଶ’ ନାମରେ ବହୁକାଳରୁ ପରିଚିତ । ଭାତ ଆଉ ମାଛ ହେଉଛି ଏଠାର ପ୍ରଧାନ ଆହାର । ସେଇ ମାଛ ଓଡ଼ିଆ ସଂସ୍କୃତିରେ ଏପରି ଭୂମିକା ନେଇଛି ଯେ, ଲୋକସଙ୍ଗୀତରେ, ପୂଜା ଅର୍ଚ୍ଚନାରେ, ଜୀବନଚର୍ଯ୍ୟାରେ ଏହା ଅପରିହାର୍ଯ୍ୟ ହୋଇପଡ଼ିଛି । ବାଟଓଷା ନାମକ ପୂଜାରେ ଗାଁ ଦାଣ୍ଡରେ ପନ୍ଥେଇ ଖୋଳି ତହିଁରେ ପାଣି ଭର୍ତ୍ତିକରି ଜୀଅନ୍ତା ମାଛଟିଏ ଛଡ଼ା ଯିବାର ଏକ ବିଧି ରହିଛି । ସେହି ଭଳି କାଞ୍ଜିଅଁଳା ଓଷାରେ ଶୁଖୁଆମାନେ ଚନ୍ଦନ, ସିନ୍ଦୂର ପିନ୍ଧି ବୋହୂ ହୋଇ ପୂଜା ସ୍ଥାନରେ ବସନ୍ତି । ମାଛ ମାରିବା ପାଇଁ ଓଡ଼ିଆମାନେ ବଜା, ଅନ୍ଧୁଳି, ପୋଳୁହ, ଖେପାଜାଲ, ଭଉଁରୀଜାଲ, ବଡ଼ଜାଲ ପ୍ରଭୃତି ବହୁପ୍ରକାର ଯାନ୍ତ୍ରିକ ବ୍ୟବସ୍ଥା କରି ରଖିଛନ୍ତି । ଅଧିକାଂଶ ପରିବାରରେ ଦୈନିକ ଆହାର ତାଲିକାରେ ମାଛ ହେଉଛି ଏକ ସ୍ଥାୟୀ ବ୍ୟବସ୍ଥା । ତେବେ ପୂଜା ପାର୍ବଣରେ କିମ୍ବା ଅଶୌଚରେ ମାଛ ଖିଆଯାଏ ନାହିଁ ଏବଂ ମୃତବ୍ୟକ୍ତିଙ୍କର ଦ୍ଵାଦଶାହ ଦିନ ପ୍ରଥମେ ମାଛ ଖିଆଯାଏ । ମାଛ ଶୁଭ ସୂଚକ ହୋଇଥିବାରୁ ବିବାହରେ ବରପକ୍ଷରୁ କନ୍ୟା ଘରକୁ ପ୍ରଥମେ ଦହି ସହିତ ମାଛ ପଠା ଯିବାର ଏକ ପରମ୍ପରା ବହୁକାଳରୁ ଏଠାରେ ପ୍ରଚଳିତ । ଭାରତର ଅନ୍ୟ ଅଞ୍ଚଳରେ ବିଶେଷ କରି ଆସାମରେ ଏହି ପ୍ରଥାର ପ୍ରଚଳନ ରହିଛି । କାର୍ଯ୍ୟରେ ବାହାରିବା ପୂର୍ବରୁ ମାଛ ମୁହଁ ଦେଖି ବାହାରିଲେ କାର୍ଯ୍ୟ ନିଶ୍ଚୟ ହାସଲ ହୁଏ ଏହିଭଳି ଏକ ବିଶ୍ୱାସ ଏବେ ମଧ୍ୟ ଏଠାରେ ରହିଛି । ‘ଦହି ମାଛ’ ଦେଖି ଯାତ୍ରା କଲେ ଶୁଭ ହୁଏ । ତେଣୁ ଯାତ୍ରାକୁ ଲୋକଭାଷାରେ ‘ଦହିମାଛ’ କରିଯାଆ’ ବୋଲି କୁହାଯାଏ । ହିନ୍ଦୁ ସାମନ୍ତମାନେ ନିଜର ଦ୍ଵାର ବନ୍ଧରେ, ଶେଣୀ, ଓରା ଦାଣ୍ଡ ପିଣ୍ଡା କାନ୍ଥ କିମ୍ବା ଖୁମ୍ବମାନଙ୍କରେ ମାଛର ଚିତ୍ର ଖୋଳାଇ ଥାଆନ୍ତି କିମ୍ବା ଅଙ୍କାଇ ଥାଆନ୍ତି । ଯିବା-ଆସିବା ବେଳେ ଚିତ୍ର ହେଉ ପଛେ -ମାଛ ଆଖିରେ ପଡ଼ିଲେ କିମ୍ବା ସବୁବେଳେ ମାଛ ସହିତ ରହିଲେ ପରିବାରର ମଙ୍ଗଳ ହେବ । ଏହି ଭଳି ଦୃଢ଼ ବିଶ୍ଵାସରୁ ଏସବୁ କରାଯାଏ । ‘ଯୋଗିନୀ ତନ୍ତ୍ର’ ଅନୁସାରେ ମାଛ ଦେବୀ ଦେବତାଙ୍କୁ ନୈବେଦ୍ୟ ରୂପେ ଅର୍ପଣ କରାଯାଇ ପାରିବ ଏବଂ ଏହା ବିଷ୍ଣୁଙ୍କର ବଡ଼ ପ୍ରିୟ । ତନ୍ତର ଦେବୀମାନେ ଆମିଷ ପ୍ରିୟ ହୋଇଥିବାରୁ ‘ବଡ଼ମ୍ବାର ଭଟ୍ଟାରିକା, ବାଙ୍କିର ଚର୍ଚ୍ଚିକାଙ୍କ ଭଳି କେତେକ ଦେବୀ ପୀଠରେ ମାଛ ପ୍ରସ୍ତୁତ ନୈବେଦ୍ୟ ଅର୍ପଣ କରାଯାଏ । ମହାଷ୍ଟମୀରେ ଦୁର୍ଗାପୂଜା ଅବସରରେ କେତେକ ପରିବାରରେ ଏବେ ମଧ୍ୟ ଦେବୀଙ୍କୁ ମାଛ ବଳି ଦେବାର ପ୍ରଥା ରହିଛି । ଏହି ଭଳି ମାଛ ଓଡ଼ିଆ ସଂସ୍କୃତିର ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇଯାଇଛି ଏବଂ ଏହାର ମୁଖ୍ୟ ଉତ୍ପାଦନ କ୍ଷେତ୍ର ହେଉଛି ମହାନଦୀ ଏବଂ ତାହାର ଶାଖା-ପ୍ରଶାଖାଗୁଡ଼ିକ । ଏମାନେ ଓଡ଼ିଆମାନଙ୍କୁ ମାଛ ଖାଇବା ଶିଖାଇଛନ୍ତି ।

 

ନଦୀ ପ୍ରତି ଶ୍ରଦ୍ଧା ଓ ସମ୍ମାନ ଜଣାଇବା ହୁଏତ ଏହି କାରଣରୁ ଆମ ସଂସ୍କୃତିର ଏକ ଅଙ୍ଗ ହୋଇଛି । ନୌକାଯାତ୍ରା କରିବା ସମୟରେ ଆରୋହୀମାନେ ସମବେତ ସ୍ଵରରେ ଯେଉଁ ଭଳି ‘ଜେ ଜେ ଗଙ୍ଗାମାତା କୀ’ ବୋଲି ଉଚ୍ଚାରଣ କରି ହରିବୋଲ, ହୁଳହୁଳି ଧ୍ଵନିରେ ପରିବେଶ ପ୍ରକମ୍ପିତ କରିଦିଅନ୍ତି, ତହିଁରୁ ନଦୀ ପ୍ରତି ସେମାନଙ୍କର ଶ୍ରଦ୍ଧା ଓ ସମ୍ମାନ ଦେଖି ଏହି ବିଜ୍ଞାନଯୁଗରେ ସୁଦ୍ଧା ପୁଲକ ଓ ବିସ୍ମୟ ସୃଷ୍ଟି ହୁଏ । ଗୋଟିଏ କଥାରେ କହିବାକୁ ଗଲେ ଏଠାର ସଂସ୍କୃତି-ଲୋକଗୀତ, ସାମାଜିକ ରୀତି ନୀତି ଓ ବିଶ୍ଵାସ ଜୀବନଧାରା, ରଜ, ଅକ୍ଷିତୃତୀୟା ଭଳି ପର୍ବପର୍ବାଣି, ନୃତ୍ୟ, ସଙ୍ଗୀତ, ବେଶଭୂଷା, ଖାଇବା ପିଇବା, ବିଭିନ୍ନ କୁଟୀରଶିଳ୍ପ ବିଶେଷ କରି ବୟନକଳା, ଭାଷା ସାହିତ୍ୟ- ସାଧାରଣ ଭାବରେ ଏହାର ପରିବେଶ ସହିତ ମାତା-ମହାନଦୀ ଏବଂ ତାଙ୍କର ପରିଜନମାନେ ଆବହମାନକାଳରୁ ଯୋଡ଼ି ହୋଇ ରହିଛନ୍ତି । ନଦୀ-ଆଧାରିତ ଜୀବନଚର୍ଯ୍ୟାଠାରୁ ବିଛିନ୍ନ କରି ଓଡ଼ିଆ ସଂସ୍କୃତିର ଆକଳନ ଏକ ଅସମ୍ଭବ କଳ୍ପନା ।

 

ବିଭିନ୍ନ ଗୋଷ୍ଠୀ ସହିତ ସମ୍ପର୍କ ସ୍ଥାପିତ ହେବା ଫଳରେ ବିଶେଷ କରି ଏ ଭୂଖଣ୍ଡର ମୂଳ ଅଧିବାସୀ ଜନଜାତି ଗୋଷ୍ଠୀ ସମ୍ପର୍କରେ ଆସିବା ଫଳରେ ଏଠାରେ ସଂସ୍କୃତି ଏକ ମିଶ୍ର ସଂସ୍କୃତି ରୂପ ନେଇଛି । ଅବଶ୍ୟ ଏଥିପାଇଁ ଉଭୟେ ଉଭୟଙ୍କୁ ପ୍ରଭାବିତ କରିଛନ୍ତି । ଆଦିବାସୀ ଗୋଷ୍ଠୀର ବହୁ ଧର୍ମୀୟ ବିଶ୍ଵାସ ଏବଂ କୁସଂସ୍କାର ଆର୍ଯ୍ୟଗୋଷ୍ଠୀରେ ପ୍ରବେଶ କରିଛି । ସେହିଭଳି ସେମାନେ ମଧ୍ୟ ଆର୍ଯ୍ୟମାନଙ୍କ ସହିତ ଅଧିକ ସଂଘର୍ଷ ନକରି ନିଜକୁ ବ୍ୟକ୍ତ କରିବା ପାଇଁ ନାନା ସାଂସ୍କୃତିକ ଧାରା ଯଥା :–ଉତ୍ସବ, ସଙ୍ଗୀତ, ନୃତ୍ୟ, ବିଭିନ୍ନ କର୍ମ କର୍ମାଣି ବାଛି ନେଇଛନ୍ତି । ଓଡ଼ିଶାର ଜାତୀୟ ପର୍ବ ‘ରଜ’ ସହିତ ବ୍ରାହ୍ମଣ୍ୟ ଧର୍ମର କର୍ମ-କର୍ମାଣି ଅପେକ୍ଷା ଆଦିମ-ପ୍ରଜନନ ସମ୍ପର୍କିତ ପୂଜାର ସମ୍ପର୍କ ରହିଛି । ଆସାମର ‘ରଙ୍ଗୋଲି ବିହୁ' ଉତ୍ସବ ଏହି ପର୍ଯ୍ୟାୟର । ଏଥିରେ ସଙ୍ଗୀତ ଥାଏ, ସାମାନ୍ୟ ହେଲେ ବି ଯୌନତାର ଇଂଗିତ ଥାଏ । କହିବାକୁ ଗଲେ ପ୍ରକୃତିର ପ୍ରଜନନ କ୍ରିୟାର ସ୍ମରଣରେ ଏ ଉତ୍ସବ । ଏହାକୁ କୁହାଯାଇପାରେ ଆର୍ଯ୍ୟ ଏବଂ ଅଣଆର୍ଯ୍ୟ ସଂସ୍କୃତି ମଧ୍ୟରେ ଏକ ତିଳତଣ୍ଡୁଳିତ ମିଶ୍ରଣ । ଦୁଇଗୋଷ୍ଠୀର ମହାମିଳନ । ସଂସ୍କୃତି ଏହାଫଳରେ ଜଟିଳ ହୋଇଛି ଠିକ୍‌ ମାତ୍ର ଏହା ହେଉଛି ପ୍ରତ୍ୟେକ ସଂସ୍କୃତିର ନିଜସ୍ଵ ଧର୍ମ । ସରଳ ଭାଷାରେ ଏହାକୁ ବ୍ୟାଖ୍ୟା କରିବା ବଡ଼ କଷ୍ଟ ।

 

ମହାନଦୀ ଉପତ୍ୟକାର ସଂସ୍କୃତି କ୍ଷେତ୍ରରେ ଏହା ଅଧିକ ପ୍ରଯୁଜ୍ୟ । ଏଥିରେ ନଦୀର ଭୂମିକା ଏକ ରାଜପଥର ଏବଂ ଉପତ୍ୟକା ହେଉଛି ନିକଟବର୍ତ୍ତୀ ଅଳିନ୍ଦ । ଏ ଉଭୟ ଏଠାର ବିଷମ ଅଧ୍ୟାତ୍ମ-ସାଂସ୍କୃତିକ ସ୍ଥିତିର ବିକାଶରେ ସହାୟକ ହୋଇଛନ୍ତି । ଦୃଷ୍ଟାନ୍ତ ସ୍ଵରୂପ ଓଡ଼ିଶାର ପର୍ବପର୍ବାଣି, ଶୁଭକାମ ଏବଂ ବିଭିନ୍ନ କର୍ମ କର୍ମାଣିରେ ‘ଗୁଆ’ର ଯେଉଁ ବ୍ୟବହାର ହୁଏ, ତାହା ଦେଶରେ ଆସାମ ଏବଂ ବିଦେଶରେ ବର୍ମା ଯଥା ଲଣ୍ଡୋଚୀନ୍‌ର ରାଜ୍ୟଗୁଡ଼ିକରେ ଦେଖାଯାଏ । ବିବାହ ନିମନ୍ତ୍ରଣରେ ଗୁଆ ନ ଚଳିଲେ ଏଠାରେ ବନ୍ଧୁବାନ୍ଧବ ଆସନ୍ତି ନାହିଁ । ଗୁଆ ନିମନ୍ତ୍ରଣ ନ ମିଳିଲେ, ବନ୍ଧୁ କାଟି ଦିଆଗଲା’ ବୋଲି ଧରି ନିଆଯାଏ । ବ୍ୟକ୍ତି ବା ପରିବାରର ମଙ୍ଗଳ କାମନା କରି ଦେବୀ ଦେବତାଙ୍କ ନିକଟରେ ଗୁଆ ବସାଯାଏ । ସତ୍ୟନାରାୟଣ ପୂଜା ଆସ୍ଥାନ ଉପରେ ପାନ-ଗୁଆ ରଖିବା ଏକ ଅପରିହାର୍ଯ୍ୟ ପ୍ରଥା । ମଙ୍ଗଳ କାର୍ଯ୍ୟରେ କଳସ ଉପରେ ନଡ଼ିଆ ସହିତ ଗୁଆ ମଧ୍ୟ ରଖାଯାଏ । ବିଦେଶ ଯାତ୍ରୀ ଆତ୍ମୀୟଙ୍କ ମୁଣ୍ଡରେ ଗୁଆ ଛୁଆଁଇ ତାକୁ ବ୍ରାହ୍ମଣଙ୍କ ହାତକୁ ଟେକି ଦିଆଯାଏ ଏବଂ ବ୍ରାହ୍ମଣ ସେଇ ବ୍ୟକ୍ତିଙ୍କର ‘କା’ ରୂପରେ ଗୁଆଟିକୁ ଗ୍ରହଣ କରି ତା’ ପାଇଁ ପୂଜା କରନ୍ତି । ସବୁଠାରୁ ବଡ଼ କଥା, ଦ୍ଵାରକୁ ଅତିଥି ଆସିଲେ ତାଙ୍କୁ ପ୍ରଥମେ ପାନଗୁଆ ଦିଆଯାଇ ସ୍ଵାଗତ ଜଣାଯାଏ । ଏ ପ୍ରଥା ଏବେ ମଧ୍ୟ ବହୁ ଓଡ଼ିଆ ପରିବାରରେ ରହିଛି । ଏହି ସବୁ ଦୃଷ୍ଟାନ୍ତରୁ ଆମ ସଂସ୍କୃତିରେ ଗୁଆର ସ୍ଥାନ କେଉଁଠି ତାହାର ସୂଚନା ମିଳେ । ଆମେ ହୁଏତ ଏହାକୁ ବିଦେଶରୁ ଗ୍ରହଣ କରି ନାହୁଁ । ଟିକିଏ ଗଭୀର ଭାବରେ ବିଚାର କଲେ ଆମେ ଜାଣିପାରିବା ଯେ, ମାନବ ସଂସ୍କୃତି ପ୍ରକୃତରେ ଗୋଟିଏ ସୂତାରେ ଗୁନ୍ଥା ।

 

ଏ ପ୍ରସଙ୍ଗରେ ଚୀନ୍‌ର ‘ବସନ୍ତ ଉତ୍ସବ’ କଥା ଉଲ୍ଲେଖ କରାଯାଇପାରେ । ଏହି ସମୟରେ ଯୁବକ-ଯୁବତୀମାନେ ନଈ କୂଳରେ ଏକାଠି ହୋଇ ନିଜନିଜ ଭିତରେ ଫୁଲ ତୋଡ଼ା ବଦଳା ବଦଳି କରନ୍ତି । ତା’ ଭିତରେ ମନଦିଆ ନିଆ ବି ଚାଲେ । ଚଢ଼ାଉତରା ଗୀତରେ ଯୋଗ୍ୟତା ବି ପରଖା ଯାଏ । ଆସାମର ‘ବିହୁ’ରେ ଠିକ୍‌ ଏହି ରୀତିଟି ଚାଲୁଅଛି । ଏହା ଛଡ଼ା କେତେକ ଦକ୍ଷିଣ-ଏସୀୟ ଦେଶରେ ମଧ୍ୟ ଏହା ରହିଛି । ଭାରତର ଆଦିବାସୀ ସମାଜରେ ବିଭିନ୍ନ ଉତ୍ସବ ମାଧ୍ୟମରେ ଏହା ଅନୁସୃତ ହୁଏ । ସଭ୍ୟ-ସମାଜରେ ମଧ୍ୟ କେବେ କେବେ ବିଭିନ୍ନ ଉତ୍ସବ ଅବସରରେ ଏହା ଘଟିଯାଉ ଥିଲେ ହେଁ ଏକ ପ୍ରଥା ରୂପରେ ସମ୍ପର୍କ ଯୋଗୁଁ ହୋଇପାରେ ବୋଲି ସମାଜ ତତ୍ତ୍ଵବିତ୍‌ମାନେ ମନେ କରନ୍ତି । ଆମ ରାଜ୍ୟର ସାଂସ୍କୃତିକ-ଐକ୍ୟ ପ୍ରତିଷ୍ଠାରେ ମହାନଦୀ ଏବଂ ତା’ର ସନ୍ତାନ ସନ୍ତତିମାନଙ୍କର ଭୂମିକାକୁ ଏଡ଼ାଇ ହେବ ନାହିଁ । ଏହି ନଦୀବ୍ୟବସ୍ଥା ଦ୍ଵାରା ଯେଉଁ ସ୍ଵାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଛି ତାହା ବିଭିନ୍ନ ସଂସ୍କୃତି ମଧ୍ୟରେ ଥିବା ବିଷମତାକୁ ହଟାଇ ଏହାକୁ ଗୋଟିଏ ପତାକାତଳକୁ ନେଇ ଆସିଛି ଏବଂ ଏହାକୁ ପୂର୍ଣ୍ଣତାର ରୂପ ଦେଇ ଓଡ଼ିଆ ଜାତିର ପରିଚୟ ସୃଷ୍ଟି କରିବାରେ ସହାୟକ ହୋଇଛି । ସମାଜ ମାନସିକତାରେ ସମଭାବ ଆଣିଛି-। ପରିବେଶବିତ୍‌ମାନେ ମହାନଦୀ ଏବଂ ତାହାର ଶାଖା ପ୍ରଶାଖାମାନେ ଏହି ଅଞ୍ଚଳର ଜଳବାୟୁର ଭାରସାମ୍ୟ ବଜାୟ ରଖି ଏହାର ତାପମାତ୍ରାକୁ ନିୟନ୍ତ୍ରଣ କରିବାରେ, ତଥା ଦିଗନ୍ତ ବିସ୍ତାରୀ ସବୁଜିମା ସୃଷ୍ଟି କରିବାରେ ଯେଉଁ ଭୂମିକା ଗ୍ରହଣ କରିଛନ୍ତି, ସେ ବିଷୟରେ ଆଲୋଚନା କରିଛନ୍ତି । ନଦୀମାନେ ପ୍ରତିବର୍ଷ ପ୍ରଚୁର ପଟୁ ବୋହିଆଣି ରାଜ୍ୟକୁ ଉର୍ବର କରିବା ଫଳରେ କମ୍‌ ପରିଶ୍ରମରେ ଯଥେଷ୍ଟ ଫସଲ ଉପୁଜାଯାଇ ପାରୁଚି । ନଦୀ ଅବବାହିକାରେ ‘ଫାଳେ ପକାଇଲେ ଗୋଟିଏ ଫେରିଆସେ’–‘ମାଟି–କାହାରି ଋଣ ରଖେ ନାହିଁ ପ୍ରଭୃତି ଲୋକୋକ୍ତି ବହୁକାଳ ଧରି ପ୍ରଚଳିତ । ଏଇ ମାଟି ହେଉଛି ମହାନଦୀ ତଥା ତା’ର ସନ୍ତାନମାନଙ୍କର ଦାନ । ନଦୀ ଝରଣା, ବିଲ ପାଟଜୋର ନଳା, ମାଛରେ ଭର୍ତ୍ତି । ଗହନ ଅରଣ୍ୟ, ବନପ୍ରାନ୍ତ ବହୁ ଆହାର ଯୋଗ୍ୟ ଜୀବଜନ୍ତୁରେ ପୂର୍ଣ୍ଣ । ବନ ସମ୍ପଦ ରାଜ୍ୟର ଅର୍ଥନୈତିକ ମାନଦଣ୍ଡକୁ ଦୃଢ଼ କରୁଛି । ଓଡ଼ିଆ ଚରିତ୍ରର ଦୁର୍ଦ୍ଦଷତା ସହିତ ନମନୀୟତା, ଅତିଥି ବତ୍ସଳତା ସହିତ ସୌଜନ୍ୟ ଯାହା ଦେଶର ଅନ୍ୟପ୍ରାନ୍ତ ଅପେକ୍ଷା ସ୍ଵତନ୍ତ୍ର ଉଲ୍ଲେଖର ଦାବୀ ରଖେ–ତାହାର ଗଠନରେ ଏଠାର ଜଳବାୟୁର ଅବଦାନ କିଛି କମ୍‌ ନୁହେଁ ।

 

ଅନ୍ୟପକ୍ଷରେ ଅନୁକୂଳ ପରିବେଶ ଏଠାର ଜୀବନ ଧାରାରେ ଯେଉଁ ସୁଖ ଲଭ୍ୟତା ଆଣିଦେଇଛି ତାହା ଓଡ଼ିଆମାନଙ୍କୁ ପ୍ରାୟ କଠିନ ପରିଶ୍ରମ ବିମୁଖୀ କରିଛି । ସଂଚୟ ଏବଂ ସଂଗ୍ରହ ପ୍ରବୃତ୍ତିର ଘୋର ଅଭାବ ଏମାନଙ୍କୁ ଉଦ୍ୟମ ହୀନ କରୁଛି । ପ୍ରକୃତିରେ ଅନ୍ଧରେ ସନ୍ତୁଷ୍ଟ ହେବା ଏବଂ ବ୍ୟାବସାୟିକ ଦୃଷ୍ଟି କୋଣରୁ ଉଚ୍ଚାକାଂକ୍ଷା ନଥିବା ଏହି ଜାତି ନିକଟରେ ସାମ୍ପ୍ରତିକ ସମୟର ପ୍ରତିଦ୍ୱନ୍ଦିତା ମନୋବୃତ୍ତି, ଉପଭୋକ୍ତା ମନୋଭାବ, ଏବଂ ବୈଷୟିକତାର ସମ୍ମୁଖୀନ ହେବା ନିମନ୍ତେ କୌଣସି ସାଧନ ନଥିବାରୁ ଏହା ଏବେ ମଧ୍ୟ ଅର୍ଥନୈତିକ ତଥା ଶୈଳ୍ପିକ କ୍ଷେତ୍ରରେ ପଛୁଆ ହୋଇରହିଛି । ତାହା ସହିତ ସରଳ, ସହନଶୀଳ ଏବଂ ଉଦାର ହୋଇଥିବାରୁ ଏଠାର ନଦୀ ଉପତ୍ୟକାର ଜୀବନ ଏବେ ମଧ୍ୟ ଏକପ୍ରକାର ଶାନ୍ତ ତଥା ନିରୁଦ୍‌ବିଗ୍ନ ହୋଇ ରହିଛି । ବହୁ ଜାତି, ଧର୍ମ, ରୁଚି ଏବଂ ସମ୍ପଦାୟର ଲୋକ ଏଠାରେ ନିରୁପଦ୍ରବ ଜୀବନଯାପନ କରୁଛନ୍ତି । ସମ୍ପ୍ରଦାୟଗୁଡ଼ିକ ମଧ୍ୟରେ ସେଭଳି କୌଣସି ଅସଦ୍‌ଭାବ ନାହିଁ । ଦେଶର ଅନ୍ୟ ଆଡ଼େ ଯେଉଁ କେତେକ ନୈରାଶ୍ୟବାଦୀ ତତ୍ତ୍ୱ ସମାଜଜୀବନକୁ ରୁଗ୍‌ଣ କରି ଦେଉଛି, ଯଥା :–ଜାତିଆଣ ଭାବ, ଅସ୍ପୃଶ୍ୟତା, ଧର୍ମ ମତପତି ଅସହିଷ୍ଣୁତା- ସେ ସବୁ ଏଠାରେ ପ୍ରାୟ ନାହିଁ ।

 

ଓଡ଼ିଆ ଚରିତ୍ରର ଏହି ଉଦାରତା ଗଠନରେ ନଦୀ-ସଂସ୍କୃତିର ଅବଦାନ ସ୍ମରଣୀୟ । ଏଠାରେ ଆର୍ଯ୍ୟ ସଂସ୍କୃତିର ପ୍ରସାର ଘଟିଛି ବିଳମ୍ୱରେ । ଏଠାର କବି, ଲେଖକ, ଭାବୁକ ଏବଂ ଆଧ୍ୟାତ୍ମିକ-ବିଶ୍ଵମୟତାର ପ୍ରଚାର କରିଛନ୍ତି, ତା’ଫଳରେ ଜାତିଆଣ ମନୋଭାବ ଏବଂ ଅସ୍ପୃଶ୍ୟତା ପ୍ରଭୃତି ବିନାଶକାରୀ ତତ୍ତ୍ୱ ଏଠାରେ କୌଣସି ସମସ୍ୟା ସୃଷ୍ଟି କରିନାହିଁ । ଏଥିସହ ଗୋଷ୍ଠୀ ମନୋଭାବରେ ଉଦାରତା, ଶାନ୍ତ ନିରୁପଦ୍ରବ ପରିବେଶ ଏବଂ ଅନ୍ୟ ମତ ପ୍ରତି ସହନଶୀଳତା ପ୍ରଭୃତି କାରଣରୁ ଏଠାରେ ଧର୍ମର ସୌଖ୍ୟ ତଥା ସହନଶୀଳତା ବଜାୟରଖି ସଂସ୍କୃତିକୁ ଏକ ସ୍ୱତନ୍ତ୍ର ମର୍ଯ୍ୟଦା ଦେଇଛି । ଏଠାରେ ମୁସଲମାନ ସମ୍ପ୍ରଦାୟ ନିଜସ୍ୱ ପରିଚୟରେ ପ୍ରାୟ ୫୦୦ବର୍ଷ ଧରି ଅନ୍ୟମାନଙ୍କ ସହିତ ମିଳିମିଶି ରହିଛନ୍ତି । ଏମାନଙ୍କର ସ୍ୱତନ୍ତ୍ର ସାଂସ୍କୃତିକ ପରିଚୟ ଅଛି । ରାଜ୍ୟ ପାଇଁ ବିଶେଷକରି ଏହାର ସାହିତ୍ୟ ତଥା ସ୍ଥାପତ୍ୟ ପାଇଁ ସାମାନ୍ୟ ହେଲେ ମଧ୍ୟ ଏମାନଙ୍କର କିଛି ଅବଦାନ ରହିଛି । ସାମ୍ପ୍ରଦାୟିକ ଅସଦ୍‌ଭାବ ଏଠାର କୌଣସି ସମସ୍ୟା ହୋଇ ନାହିଁ । ବାଂଲାଦେଶ ଅନୁପ୍ରବେଶକାରୀମାନଙ୍କ ଆଗମନରେ ଏହି ସ୍ଥିତି ବିପନ୍ନ ହେବାର ଆଶଙ୍କା ଦେଖା ଦେଇଥିଲେ ହେଁ, ମୁସଲମାନ ଭାଇମାନେ ଏ ପର୍ଯ୍ୟନ୍ତ ମଧ୍ୟ ସେମାନଙ୍କୁ କୌଣସି ପ୍ରକାର ସମର୍ଥନ ଦେଇନାହାନ୍ତି । ତେବେ ଏହି ସ୍ଥିତିରେ ଦ୍ରୁତ ପରିବର୍ତ୍ତନ ଘଟିବାରେ ଲାଗିଛି ।

 

ପରମ୍ପରାକୁ ଉପେକ୍ଷା କରିବା ହେତୁ ସମାଜରୁ ବହୁ ପର୍ବପର୍ବାଣି ଲୋପ ପାଇଗଲାଣି । ଯାହା ବା ପାଳିତ ହେଉଛି ତହିଁରେ ନିଷ୍ଠା ଅପେକ୍ଷା ଆଡ଼ମ୍ବର ଅଧିକ । କର୍ମ କାଣ୍ଡକୁ ପ୍ରୟୋଜନାନୁସାରୀ ରୂପ ଦିଆଯାଇଛି । ସଂସ୍କୃତିର ନିଜସ୍ୱ ରୂପ ଅନେକ ଦିନରୁ ଲୁପ୍ତ । ଭାରତର ଅନ୍ୟାନ୍ୟ ପ୍ରାନ୍ତରେ ଏହା ହେଉନାହିଁ । ଆହୃତ ଏକ ସହଜିଆ ସଂସ୍କୃତିର ଭଉଁରୀ ମଧ୍ୟରେ ଓଡ଼ିଆ ଜାତି ଆଜି ନିମଜ୍ଜମାନ । ଉଦ୍ଧାର ପାଇବାର ସମ୍ଭାବନା ନାହିଁ । ଜଗତୀକରଣର ଏହା ହେଉଛି ଚରମ ଲାଭ । କାବ୍ୟ ନାଟକାଦିରେ ବିଶ୍ୱସଂସ୍କୃତି ସହିତ ଓଡ଼ିଆ ସଂସ୍କୃତିକୁ ମିଶାଇ ଦେବାର ଉଦ୍ୟମ ଆରମ୍ଭ ହୋଇଥିଲା ଗତ ଶତକର ପଞ୍ଚମ ଦଶକରୁ । ସାହିତ୍ୟିକମାନେ କେବଳ ଆଙ୍ଗୁଠି ଦେଖାଇଥିଲେ । ବାହାଗିଳି ପକାଇବାକୁ ଓଡ଼ିଆ ଜାତି ବିଶେଷ ସମୟନେଇ ନାହିଁ ଏବଂ ନିଜର ‘ଦେଖାଶିଖା ଓଡ଼ିଶା’ ଅପବାଦକୁ ମଧ୍ୟ ଅତିଅଳ୍ପ ସମୟ ମଧ୍ୟରେ ସାର୍ଥକ କରି ଦେଇଛି । ଐତିହାସିକ ହଣ୍ଟର ସେଦିନ ଓଡ଼ିଶାର ସବୁଥାଇ ମଧ୍ୟ ଏହାକୁ ଏକ ବ୍ୟକ୍ତିତ୍ୱହୀନ ପରିବର୍ତ୍ତନଶୀଳ ଜାତି ରୂପରେ ପରିଚିତ କରାଇଥିଲେ । ମାତ୍ର ଆଜିର ସ୍ଥିତିରୁ ଜଣାଯାଉଛି, ସାହେବଙ୍କର ଦୂର ଦୃଷ୍ଟି ଥିଲା । ଜାତିର ଅନ୍ତଃସ୍ଥଳକୁ ଚାହିଁ ସେ ଭବିଷ୍ୟତକୁ ଠିକ୍ ଦେଖିପାରିଥିଲେ । ଭାରତ ଖଣ୍ଡରେ ଆଜି ଓଡ଼ିଆର ନିଜସ୍ୱ ପରିଚୟ କିଛି ନାହିଁ ।

 

ଓଡ଼ିଆ ସଂସ୍କୃତି ମହାନଦୀ :–ଓଡ଼ିଶାର ଧର୍ମ ବିଶ୍ୱାସ ଏବଂ ପର୍ବପର୍ବାଣି ସୃଷ୍ଟିରେ ମହାନଦୀର ଭୂମିକା ସମ୍ପର୍କରେ ଏକ ପ୍ରଶ୍ନ ସ୍ୱତଃ ମନରେ ଦେଖାଦିଏ । ସଭ୍ୟତା ଓ ସଂସ୍କୃତିର ଆଦ୍ୟ ଝଲକ ମହାନଦୀର ଅବବାହିକା ବାଟେ ହିଁ ଏକଦା ବ୍ରାତ୍ୟ ଭୂମି ଭାବରେ କଥିତ ଏହି ଅଞ୍ଚଳରେ ପ୍ରବେଶ କରିଥିଲେ । ମହାନଦୀର ଜଳ ପଥ ହିଁ ଥିଲା ଏହାର ପ୍ରଧାନ ମାଧ୍ୟମ । ବିଭିନ୍ନ ଧର୍ମର ଯେଉଁ ସ୍ରୋତ ଏଠାକୁ ପ୍ରବେଶ କରିଥିଲା ତାହାର ପ୍ରତ୍ୟେକର ସ୍ୱାକ୍ଷର ଏବେ ମଧ୍ୟ ମହାନଦୀ ତୀରରେ ରହିଛି । ସେଥିପାଇଁ ଏହି ନଦୀର ଦୁଇ ତୀର ଏବେ ମଧ୍ୟ ବିଭିନ୍ନ ଜାତିର ସଂପ୍ରୀତି ଓ ସହାବସ୍ଥାନର କ୍ଷେତ୍ର ହୋଇ ରହିଛି । ସମ୍ବଲପୁରର ଡାଲଖାଇ, କରମା ନାଚ, ବୌଦ ଫୁଲବାଣୀ, ବଲାଙ୍ଗିର, ଦଶପଲ୍ଲା ପ୍ରଭୃତିର ଦଣ୍ଡନାଚ ଏବଂ ଉପକୂଳ ଅଞ୍ଚଳର ଚଇତି ଘୋଡ଼ା ନାଚ ଭିନ୍ନତା ମଧ୍ୟରେ ଏକତା ପ୍ରତିଷ୍ଠାର ଉଦ୍ୟମ କରିଛନ୍ତି ବା କରୁଛନ୍ତି । ଓଡ଼ିଶାର ପ୍ରମୁଖ ସହର, ପ୍ରସିଦ୍ଧ ବାଣିଜ୍ୟ କେନ୍ଦ୍ର, ଶକ୍ତି ଉତ୍ପାଦନ କେନ୍ଦ୍ର, କଳକାରଖାନା, ଶିକ୍ଷାନୁଷ୍ଠାନ ସବୁ ଏହାରି କୂଳରେ ଅବସ୍ଥିତ । ଜାଲ ଭଳି ଛନ୍ଦି ହୋଇଯାଇ ଏହାର ଶାଖାପ୍ରଶାଖାଗୁଡ଼ିକ ରାଜ୍ୟର ଆଭ୍ୟନ୍ତରୀଣ ଅଞ୍ଚଳ ସହିତ ଯୋଗାଯୋଗର ଭୂମିକା ତୁଲାଉଛନ୍ତି ଏଇମାନଙ୍କଠାରୁ ଜାତି, ବର୍ଣ୍ଣ, ଧର୍ମ ନିର୍ବିଶେଷରେ ମଣିଷକୁ ମଣିଷ ସହିତ ଯୋଡ଼ିବାର କଳାଟି ଓଡ଼ିଆମାନେ ଆୟତ୍ତ କରିଛନ୍ତି । ତେଣୁ ଓଡ଼ିଶାର ଉଦାର ସଂସ୍କୃତିର ବିକାଶରେ ନଦୀର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ।

 

ମହାନଦୀ ତୀରରେ କଣ୍ଟିଲୋରେ ପୂଜିତ ଆର୍ଯ୍ୟ ଏବଂ ଅନାର୍ଯ୍ୟ ସଂସ୍କୃତିର ସମନ୍ୱୟ ଦେବତା ନୀଳମାଧବ । ମହାନଦୀ କୂଳରୁ ହିଁ ଏହା ଆରମ୍ଭ ହୋଇଥିଲା । ସମନ୍ୱୟ ମନ୍ତ୍ର ପ୍ରଚାର କରିବା ନିମନ୍ତେ ନଦୀ ତୀରରେ କେତେ ଯେ, ପୀଠ ପ୍ରତିଷ୍ଠିତ ହୋଇଥିଲା ତାହାର ସୁମାରି ନାହିଁ । କଳାପାହାଡ଼ ଏବଂ ଅନ୍ୟ ଯବନମାନେ ଏଥିରୁ ଅଧିକାଂଶକୁ ଧ୍ୱଂସ କରିଛନ୍ତି । ରାଜାମାନେ ଏ ସବୁ ନିଜର ପ୍ରତିଷ୍ଠା ପାଇଁ ନିର୍ମାଣ କରିଥିଲେ ହେଁ, ତାହା ଦ୍ୱାରା ସଂସ୍କୃତି ସମନ୍ୱୟର କାର୍ଯ୍ୟଟି ହେଉଥିଲା-। ହିନ୍ଦୁ ଶାସ୍ତ୍ରାନୁସାରେ ମନ୍ଦିର ସବୁ ନଦୀ କିମ୍ବା ସମୁଦ୍ର କୂଳରେ ପ୍ରତିଷ୍ଠିତ ହେବା ବିଧେୟ । ବାତାବରଣରେ ଶୁଚିତାରକ୍ଷା ଏହା ଦ୍ୱାରା ହୁଏ ।

 

ମହାନଦୀ ତୀରରେ ସାଗର ପାରିର ସଂସ୍କୃତି ଏ ରାଜ୍ୟରେ ପ୍ରବେଶ କରିଥିଲା । ଇଂରେଜ ଓଡ଼ିଶା ଅଧିକାର ପର୍ଯ୍ୟନ୍ତ ଓଡ଼ିଆମାନେ ନିଜର ସ୍ୱାତନ୍ତ୍ର୍ୟ କୌଣସି ମତେ ବଜାୟ ରଖିଥିଲେ । ପ୍ରଥମେ ଦକ୍ଷିଣାଞ୍ଚଳ, କ୍ରମେ ପୂର୍ବ ଭୂଖଣ୍ଡ ଏବଂ ଶେଷରେ ପଶ୍ଚିମାଞ୍ଚଳ ଇଂରେଜମାନଙ୍କ ଅଧିକାର ଭୁକ୍ତ ହେଲା । ଉତ୍ତରାଞ୍ଚଳ ମଧ୍ୟ ସେମାନଙ୍କ ହାତକୁ ଗଲା । ସମଗ୍ର ରାଜ୍ୟ ପାଇଁ ଗୋଟିଏ ପ୍ରଶାସନ ଯୋଗାଇ ଦିଆଗଲା । ରାଜନୈତିକ ଦୃଷ୍ଟିରୁ ରାଜ୍ୟର ଏକୀକରଣ ହେଲା । ତେବେ ସାମ୍ରାଜ୍ୟବାଦୀ ସରକାର ଲୋକହିତ ପାଇଁ ଆଦୌ ଉଦ୍ୟମ ନକରି ରାଜ୍ୟକୁ ଯଥାସମ୍ଭବ ଲୁଟ କରିବା ଚେଷ୍ଟାରେ ରହିଲେ । ଅର୍ଥନୈତିକ ଶୋଷଣ ହିଁ ଥିଲା ତାଙ୍କର ମୂଳନୀତି । ପୁରୀର ବନ୍ଦୋବସ୍ତ ଅଫିସର୍ ଇୱେର୍ (Ewer) ସାହେବ ଠିକ୍ ଏଇ କଥା କହିଛନ୍ତି, ତାଙ୍କର ‘Correspondence of the settlement of Khoordoh in pooree (1818) ବିବରଣୀରେ । ତାଙ୍କ ମତରେ, ରାଜଶାସନରେ ଲୋକେ ଖୁସିରେ ଥିଲେ ଏବଂ ଶାସନର କୌଣସି ପରିବର୍ତ୍ତନ ଚାହୁଁ ନଥିଲେ । ଇଂରେଜ ଶାସନ ଅତି ଅଳ୍ପ ଦିନରେ ଲୋକଙ୍କ ଆର୍ଥିକ ମାନଦଣ୍ଡ ଦୁର୍ବଳ କରି ଦେଇଥିଲା । ବିଦ୍ରୋହ, ବିପ୍ଳବ ଇତିଭୟ, ଦୁର୍ଭିକ୍ଷ, ମହାମାରୀ ଏବଂ ଦମନ ନୀତିର ପ୍ରୟୋଗ ଫଳରେ ଏଥର ଏକ ନୂତନ ଉପନିବେଶ ବାଦୀ ସଂସ୍କୃତିର ଅଭ୍ୟୁଦୟ ହେଲା । ଇଂରେଜ ଶିକ୍ଷାର ପ୍ରଚଳଳନ ହେଲା । ଲକ୍ଷ୍ୟ ରହିଲା ଶାସନ ପାଇ କିରାଣି ସଂଗ୍ରହ । ରାସ୍ତା ଘାଟ, ଯୋଗାଯୋଗ ବ୍ୟବସ୍ଥାର ଯେତିକି ଉନ୍ନତି ହେଲା, ତାହା କର ସଂଗ୍ରହ ନିମନ୍ତେ ସରକାରଙ୍କ ସହାୟତା ପାଇଁ କିମ୍ବା ବିଦ୍ରୋହ ଦମନ ନିମନ୍ତେ ସେମାନଙ୍କ ସୁବିଧା ପାଇଁ । ଦୀର୍ଘ ୨୩୫ ବର୍ଷ ନିତ୍ୟ ଅସ୍ଥିରତା ମଧ୍ୟରେ କାଳ କଟାଇ ଓଡ଼ିଆମାନେ ଇଂରେଜମାନଙ୍କ ପ୍ରାଥମିକ ଆଶ୍ୱାସନାରେ ଯେତିକି ଆନନ୍ଦିତ ହୋଇଥିଲେ, ତାହା ଥିଲା କ୍ଷଣିକ । ଅଶାନ୍ତ ଲୋକ ଚିତ୍ତ ଏଥିରୁ ମୁକ୍ତି ପାଇଁ ଉଦ୍ୟମ ଆରମ୍ଭ କଲା । ମହାନଦୀର ଦୀର୍ଘ ତଟଦେଶର ସ୍ଥାନେ ସ୍ଥାନେ ବିପ୍ଳବର ଅଗ୍ନିଶିଖା ଜଳି ଉଠିଲା । ପଶୁ ବଳ ପ୍ରୟୋଗ କରି ଏ ସବୁର ଦମନ କରାଗଲା, କୁଶାସନକୁ ଇୱେର (Ewer) ଜନ ବିଦ୍ରୋହର ପ୍ରଧାନ କାରଣ ବୋଲି କହିଛନ୍ତି ।

 

ତେବେ ଇଂରେଜ ଶାସନରେ ଥାଇ ସୁଦ୍ଧା ଓଡ଼ିଆ ନିଜର ରାଜନୈତିକ ସ୍ୱତନ୍ତ୍ର ପରିଚୟ ବଜାୟ ରଖିଥିଲା । ଏହି ଅଞ୍ଚଳକୁ ଗୋଟିଏ ସାଧାରଣ ଶାସନ ବ୍ୟବସ୍ଥାର ଅଧୀନକୁ ଆଣି ଗୋଟିଏ ଆଇନ୍ ବ୍ୟବସ୍ଥା ଦ୍ୱାରା ପରିଚାଳିତ ହେବାର ଯୋଗାଡ଼ ହୋଇଯିବା ପରେ ଶାସକମାନେ ଭାରତ ସହିତ ଏହାର ରାଜନୈତିକ ଏକୀକରଣ ବିଷୟ ଚିନ୍ତା କଲେ । ଫଳରେ ଶାସିତ ଓ ଶାସକଙ୍କ ମଧ୍ୟରେ ସଂଘର୍ଷ ହେଲା ଏବଂ ଏହାକୁ ଦମନ ମଧ୍ୟ କରାଗଲା । ଓଡ଼ିଆଙ୍କ ଭିତରେ ଆଧୁନିକତା, ବୈଜ୍ଞାନିକଚିନ୍ତା, ଉନ୍ନତଶିକ୍ଷା ବ୍ୟବସ୍ଥା, ଗମନାଗମନ ପଦ୍ଧତିର ଉନ୍ନତି ପ୍ରଭୃତି ଆଳରେ ଆତ୍ମୋନ୍ନତିର ଦୁର୍ବାର କାମନା ସୃଷ୍ଟି କରିଦିଆଗଲା । ଅର୍ଥନୀତି କ୍ଷେତ୍ରରେ ଉପନିବେଶବାଦୀମାନେ ସେମାନଙ୍କର ନିଜସ୍ୱ ପଦ୍ଧତି ପ୍ରୟୋଗ କଲେ । ଓଡ଼ିଶାର ପ୍ରାକୃତିକ ସମ୍ପଦ ଉପରେ ସେମାନଙ୍କର ପ୍ରଥମ ଲୋଲୁପ ଦୃଷ୍ଟି ପଡ଼ିଲା । ଲୋକଙ୍କ ସ୍ୱାର୍ଥରକ୍ଷା ପାଇଁ ବ୍ୟୟ ପଇସାଟିଏ ନଥାଇ, ଆୟର ବିଭିନ୍ନପନ୍ଥା ଖୋଜାଗଲା ।

 

ବହୁ ପ୍ରତ୍ୟାଶା ନେଇ ୧୮୦୩ ମସିହାରେ ଓଡ଼ିଆମାନେ ଏହି ବିଦେଶୀମାନଙ୍କୁ ସ୍ୱାଗତ ଜଣାଇଥିଲେ । ଅନ୍ତତଃ ୨୩୫ ବର୍ଷର କଠୋର ସଂଘର୍ଷ ପରେ ସେମାନଙ୍କୁ ଶାନ୍ତି ମିଳିବ ବୋଲି ଆଶା କରିଥିଲେ । ତାହା ସେମାନଙ୍କୁ ମିଳିଲା । ମାତ୍ର ତାହା ଶ୍ମଶାନର ଶାନ୍ତି । ମହର୍ଗରୁ ଯାଇ କାନ୍ତାରରେ ପଡ଼ିବା ଭଳି ଏ ଅବସ୍ଥା କିଛି ଦିନ ରହିବାପରେ ପୁଣି ବିପର୍ଯ୍ୟସ୍ତ ଏକ ଜାତି ଶେଷରେ ୧୮୫୭ରେ ପରାଜୟ ଗ୍ଲାନିରେ ଚିରକାଳ ପାଇଁ ଶୋଇପଡ଼ିଲା । ପୁଣି ଭାରତ ଯେତେ ବେଳେ ବିଦେଶୀ ଶାସନରୁ ମୁକ୍ତି ପାଇଁ ସ୍ୱାଧୀନତା ସଂଗ୍ରାମ କଲା, ତହିଁରେ ଓଡ଼ିଆମାନଙ୍କର ଯୋଗଦାନ କମ୍ ନୁହେଁ । ମହାନଦୀ ଜଳପୁଷ୍ଟ ଓଡ଼ିଆ ଜାତି ଧନରେ, ମନରେ ଏବଂ ପ୍ରାଣରେ ସ୍ୱାଧୀନତାର ଏଇ ଭାରତବ୍ୟାପି ମହାଯଜ୍ଞରେ ନିଜକୁ ଆହୁତି ରୂପରେ ଉତ୍ସର୍ଗ କରିଦେଲା । ପରାଧୀନତାର ଯନ୍ତ୍ରଣା ସେମାନେ ବୁଝିଥିବାରୁ ସ୍ୱାଧୀନତା ପାଇଁ ନିଜକୁ ଏଇଭଳି ସର୍ବତୋ ଭାବରେ ଉଜାଡ଼ି ଦେଇଥିଲେ । ମୁକ୍ତ ଏବଂ ସ୍ୱାଚ୍ଛନ୍ଦ ଜୀବନ ଯାପନ ପାଇଁ ଏ ଯେଉଁ ପିପାସା ତାହା ସେମାନଙ୍କୁ ମହାନଦୀର ମୁକ୍ତ ଜଳବେଣୀରୁ ମିଳିଥିଲା ।

 

କଳା ଓ ସ୍ଥାପତ୍ୟ :–କଳା ଓ ସ୍ଥାପତ୍ୟ ମାଧ୍ୟମରେ ପ୍ରକାଶ ପାଏ ଗୋଟିଏ ସଂସ୍କୃତିବନ୍ତ ଜାତିର ପରିଚୟ । ଉତ୍କଳ, କଳିଙ୍ଗ ଏବଂ କୋଶଳ ସମଗ୍ର ଏଇଥିପାଇଁ ପରିଚିତ । କଳାପ୍ରାଣତାରୁ ରାଜ୍ୟର ନାମ ଉତ୍କଳ । ସାମାନ୍ୟ କାଠ ବା ପଥରରେ କଳିଙ୍ଗ ଶିଳ୍ପୀ ନିଜର କଳା- ପାଟବର ସ୍ୱାକ୍ଷର ରଖିଯାଏ । କାନ୍ଥରେ, ବାଡ଼ରେ ମଠରେ ମନ୍ଦିରରେ, ରାସ୍ତାରେ ଘାଟରେ ପ୍ରତ୍ୟେକ କ୍ଷେତ୍ରରେ ଉତ୍କଳୀୟ କଳା ପ୍ରାଣତାର ନମୁନା ଦେଖିବାକୁ ମିଳେ । ଜୀବନର ପ୍ରତ୍ୟେକ କ୍ଷେତ୍ର ତା’ର କଳାପ୍ରାଣତାର ସୁରଭିରେ ମହକି ଉଠେ । ହଜାର ହଜାର ବର୍ଷ ପୂର୍ବେ ଓଡ଼ିଆ ଶିଳ୍ପୀମାନେ ପାଷାଣ ଗାତ୍ରରେ ଯେଉଁ କବିତା ଲେଖିଯାଇଥିଲେ, ସେ ସବୁ ଦେଖି ସମଗ୍ର ବିଶ୍ୱ ଏବେ ମଧ୍ୟ ସ୍ତମ୍ଭୀଭୂତ । ପୁରୀ, ଭୁବନେଶ୍ୱର, କୋଣାର୍କ, ଧଉଳି, ଖଣ୍ଡଗିରି, ରତ୍ନଗିରି, ଉଦୟଗିରି, ଲଳିତଗିରି–କାହିଁ କେଉଁ ଦୂରବର୍ତ୍ତୀ ପାହାଡ଼ର ଖୋଲା ପ୍ରଭୃତିରେ ଶିଳ୍ପୀ ତା’ର ନିହଣ ମୁନର କଳାର ଅମରାବତୀ ସୃଷ୍ଟି କରିଛି । ଏଠାରେ ଯେଉଁ ବଢ଼େଇ, କମାର, କୁମ୍ଭାର, ତନ୍ତୀ, ବଣିଆ ପ୍ରଭୃତି ଅଛନ୍ତି, ନିଜର ପଣ୍ୟ ସାମଗ୍ରୀକୁ ଏଭଳି ରୂପ ଦିଅନ୍ତି, ଯାହା ଦର୍ଶକକୁ ମୁଗ୍ଧ କରେ । ସୁନାରୂପା ତାରକସି କାମରେ କଟକର ଶିଳ୍ପୀମାନଙ୍କ କଳାପାଟବ ସମଗ୍ର ବିଶ୍ୱରେ ଅତୁଳନୀୟ । ଲୁପ୍ତପ୍ରାୟ ଏହି ଶିଳ୍ପର ପୁନରୁଦ୍ଧାର କରିଥିଲେ ଉତ୍କଳ ଗୌରବ ମଧୁସୂଦନ ‘ଉତ୍କଳ ଆର୍ଟ ୱେୟାର’ ନାମକ ସଂସ୍ଥା ସାହାଯ୍ୟରେ ଯେଉଁଠି ତାରକସି କାମର ଉତ୍କୃଷ୍ଟ ନମୁନା ପ୍ରସ୍ତୁତ ହେଉଥିଲା । ବୟନଶିଳ୍ପରେ ଉତ୍କଳ ଏକଦା ଖ୍ୟାତି ଲାଭ କରିଥିଲା । ବାଉଁଶ ନଳୀରେ ରହିପାରୁଥିବା ଭଳି ସୂକ୍ଷ୍ମ ବସ୍ତ୍ର ଓଡ଼ିଶାରେ ପ୍ରସ୍ତୁତ ହୋଇ ସୁଦୂର ଚୀନ୍ ଓ ରୋମର ରାଜପରିବାର ବ୍ୟବହାର ପାଇଁ ପଠାଯାଉଥିଲା । କବି ଉପେନ୍ଦ୍ର କଳିଙ୍ଗର ସୂକ୍ଷ୍ମ ବୟନ କଳାର ସୂଚନା ଦେଇଛନ୍ତି ତାଙ୍କର ‘ବୈଦେହୀଶ ବିଳାସ’ କାବ୍ୟରେ-। ସେ ଲେଖିଛନ୍ତି,

 

ବେଢ଼ରେ ପାଦରେ ଲେଖିଲେ ଲାକ୍ଷା,

ବାରି ହେଲା ବେନି ରାଙ୍ଗ ଦକ୍ଷା,

ବିକଶିତ କୋକନନ୍ଦ ମଧ୍ୟର,

ବେଢ଼ି ଭ୍ରମେ କି ସରସ୍ୱତୀନୀର

ବଂଶନଳୀରେ ଥିବାର ଯେ,

ବାଛି ପିନ୍ଧି ଦୂର୍ବାଦଳ ନୀଳଚେଳ

 

କୋଳେ ଇଚ୍ଛି ଶ୍ରୀରାମର ଯେ–‘‘ବାନ୍ଧକଳାର ଯେଉଁ ଉତ୍କୃଷ୍ଟ କାରିଗରୀ କୌଶଳ ଆଜି ସମଗ୍ର ବିଶ୍ୱରେ ଚର୍ଚ୍ଚିତ, ତାହା ଅତୀତ ଉତ୍କଳର କଳା କୁଶଳତାର ସାମାନ୍ୟ ଝଲକଟିଏ ମାତ୍ର । ପୁରୀ ଜିଲ୍ଲା କେନ୍ଦୁଲୀରେ ‘ଗୀତଗୋବିନ୍ଦ’ର ପଂକ୍ତିମାନ ବୟାନ କରାଯାଇ ଶ୍ରୀଜୀଉଙ୍କ ନିମନ୍ତେ ପ୍ରସ୍ତୁତ କରାଯାଏ ‘ଗୀତଗୋବିନ୍ଦ’ ଖଣ୍ଡୁଆ, ସମ୍ବଲପୁର, ସୋନପୁର, ବରପାଲି, ନୂଆପାଟଣା ବୌଦ ପ୍ରଭୃତି ଅଞ୍ଚଳରେ ଏବେ ମଧ୍ୟ ପ୍ରାଚୀନ ଉତ୍କଳ ବୟନ କଳାର ବୈଶିଷ୍ଟ୍ୟ ଦେଖିବାକୁ ମିଳିବ-। ଉତ୍କଳ ଯେତେବେଳେ ଲୁଗା ଖଣ୍ଡିଏ ପାଇଁ ବିଦେଶ ଆଡ଼କୁ ଚାହିଁ ବସି ନଥିଲା, ବିଦେଶୀବଣିକମାନେ ମାଞ୍ଚେଷ୍ଟରୀ ଲୁଗାର ବ୍ୟବସ୍ୟାୟିକ ସାଫଲ୍ୟ ନିମନ୍ତେ ତଥାପି ଓଡ଼ିଆ ବୁଣାକାରମାନଙ୍କ ହାତ କାଟି ଦେଇ ନଥିଲେ ସେତେବେଳେ ଗୁଲ୍‌ନଗର, ବାଲି ବିଶି, ମାଣିଆବନ୍ଧ, ବରଗଡ଼, ଖୋର୍ଦ୍ଧା ପ୍ରଭୃତି ଅଞ୍ଚଳରେ ବୟନ ଶିଳ୍ପର ନିୟମିତ ଚର୍ଚ୍ଚା ଚାଲିଥିଲା । ମୟୁରଭଞ୍ଜର ଏଣ୍ଡି, ଟସର, ସିଲ୍‌କ ବସ୍ତ୍ର ଥିଲା ସମଗ୍ର ବିଶ୍ୱର ଆକର୍ଷଣ ।

 

ଓଡ଼ିଶାର ପ୍ରତ୍ୟେକ ଅଞ୍ଚଳ କଳାର ନିର୍ଦ୍ଦିଷ୍ଟ ବିଭାଗ ପାଇଁ ଖ୍ୟାତ ଥିଲା । ପୁରୀ ଅଞ୍ଚଳର ପଥର କାମ- ନିହାଣ ମୁନରେ ପାଷାଣର କଠିନ ବୁକୁରେ କଳାର ଯାଦୁ ସୃଷ୍ଟି କରି ଦର୍ଶକର ଆଖିରେ ମୁଗ୍ଧତାର ମୋହାଞ୍ଜନ ମାଖି ଦେଉଥିଲା । କୋଣାର୍କ, ଭୁବନେଶ୍ୱର, ପୁରୀଠାରେ ଯେଉଁମାନେ ପଥରରେ ଫୁଲ ଫୁଟାଇ ଯୁଗଯୁଗକୁ କଳିଙ୍ଗ ଶିଳ୍ପୀର କଳା କୁଶଳତାର ସ୍ୱାକ୍ଷାର ରଖିଯାଇଛନ୍ତି, ଏବେ ମଧ୍ୟ ସେମାନଙ୍କ ବଂଶଧର କଳା ସାଧନାରେ ମଗ୍ନ । ପୁରୀର ରଘୁରାଜପୁର ଗ୍ରାମ ହେଉଛି ପାରମ୍ପରିକ ପଟ୍ଟଚିତ୍ର କଳାର ଅନ୍ତୁଡ଼ିଶାଳ । ଚିତ୍ରକଳାର ଏହି ଅଦ୍‌ଭୁତ ବିଭାଗଟି ସମଗ୍ର ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି । ଗଞ୍ଜାମ ଜିଲ୍ଲାର ଶିଳ୍ପୀ ତାଳପତ୍ରରେ ଏବେ ମଧ୍ୟ ଚିତ୍ର କଳାର ଉତ୍କୃଷ୍ଟ ରୂପ ସୃଷ୍ଟି କରୁଛନ୍ତି ।

 

ଶିଳ୍ପ ଏକ ସାଧନା-ଜୀବନ ବ୍ୟାପି ତପସ୍ୟା । ଏଥିରେ ସିଦ୍ଧି ମିଳେ ନାହିଁ । ସାର୍ଥକତାର ଏହି ଚରମ ବିନ୍ଦୁରେ ପହଞ୍ଚିବାପାଇଁ କଳିଙ୍ଗ ଶିଳ୍ପୀର ଯାତ୍ରା ଆରମ୍ଭ ହୋଇଥିଲା କେଉଁ ପ୍ରାଗୈତିହାସକାଳରୁ–ଯାହାର ନମୁନା ଆମେ ଝାରସୁଗୁଡ଼ାର ବିକ୍ରମ ଖୋଲ ଏବଂ ଉଲାପଗଡ଼ର ଭିତ୍ତିରେ ଦେଖିବା । କୋଣାର୍କ ହେଉଛି ଏହି ସାଧନାର ଚରମ ଓ ସର୍ବୋତ୍କୃଷ୍ଟ ନିଦର୍ଶନ । ଶାସକୀୟ ପୃଷ୍ଠପୋଷକତା ହେଲା ଶିଳ୍ପର ଭିତ୍ତି । ତାହା ଏଠାରେ ମିଳୁଥିଲା । ସୁନ୍ଦରଗଡ଼, ମୟୁରଭଞ୍ଜ, କଳାହାଣ୍ଡି ଜିଲ୍ଲାର ବଣ ପାହାଡ଼ ଘେରା ଅଗମ୍ୟ ଅଞ୍ଚଳରେ ସେ ଯୁଗର ଶିଳ୍ପୀକୁଳ ପାହାଡ଼ କାନ୍ଥରେ ପ୍ରାକୃତିକ ରଙ୍ଗ ଦ୍ୱାରା ଭିତ୍ତିଚିତ୍ରର ଯେଉଁ ଅପୂର୍ବ ନମୁନା ଛାଡ଼ି ଦେଇଯାଇଛନ୍ତି ତାହା ହେଉଛି କଳିଙ୍ଗ ଶିଳ୍ପୀର ଅତୀତ- । ଏ ସବୁ ଚିତ୍ରରେ ଷଣ୍ଡ, ଝିଟିପିଟି, ବେଙ୍ଗ, ସାପ, କଇଁଛ ପ୍ରଭୃତି ହରେକରକମର ଜୀବଜନ୍ତୁ ସ୍ଥାନ ପାଇଥିଲେ ହେଁ, ମଣିଷର ଅନୁପସ୍ଥିତି ତାତ୍ପର୍ଯ୍ୟପୂର୍ଣ୍ଣ । ଏସବୁ ଚିତ୍ର ହଜାର ହଜାର ବର୍ଷର ପୁରୁଣା । ପୁରାତନ ପ୍ରସ୍ତର ଯୁଗରୁ ଆରମ୍ଭ କରି ଲୌହଯୁଗ ପର୍ଯ୍ୟନ୍ତ ସମୟର ପଟ୍ଟଭୂମିରେ ଏ ସବୁ ଚିତ୍ରିତ । କେଉଁଝର ଜିଲ୍ଲାର ସୀତାବିଞ୍ଜିଠାରେ ଥିବା ‘ରାବଣଛାୟା’ ଭିତ୍ତିଚିତ୍ର ହୁଏତ ଭଞ୍ଜରାଜବଂଶର ‘ଦିଶଭଞ୍ଜ’ଙ୍କ ସମୟରେ କରାଯାଇଥିଲା । ଏଥିରେ ଗଜଅଶ୍ୱ ପଟୁଆରରେ ଜଣେ ରାଜପୁରୁଷ ଯାଉଥିବାର ଦେଖା ଯାଉଛି । ରଙ୍ଗ ବିନ୍ୟାସ କଳାତ୍ମକ । ପଶୁ ତଥା ମନୁଷ୍ୟ ଚିତ୍ରଗୁଡ଼ିକ ଭାବବ୍ୟଞ୍ଜକ । ପୁରୀ ମନ୍ଦିର ଭିତ୍ତିରେ ମଧ୍ୟ ପାରମ୍ପରିକ ଶୈଳୀରେ କେତେକ ଚିତ୍ର ରହିଛି, ଯାହା ଇତିହାସ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ । ରାମାନୁଜଙ୍କ ବୌଦ୍ଧ ବିଜୟ, ଏବଂ କାଞ୍ଚି କାହାଣୀର ଚିତ୍ରରୂପ ଆକର୍ଷଣୀୟ, ସତ୍ୟ, ମାତ୍ର ବାରମ୍ବାର ରଙ୍ଗ ଦିଆଯାଇ ଏହାର ଐତିହାସିକ ମହତ୍ତ୍ୱ ହ୍ରାସପାଉଛି । ଏହାଛଡ଼ା ଗଞ୍ଜପାଖେଳରେ ବ୍ୟବହୃତ ପଟଗୁଡ଼ିକୁ ଚିତ୍ରିତ କରିବାର ଏକ ଅଭିନବ ପରମ୍ପରା ଏଠାରେ ଥିଲା । ବର୍ତ୍ତମାନ ଅବଶ୍ୟ ଏହି ଖେଳ ଆଉ ଚଳଣିରେ ନାହିଁ ।

 

ମାଟି ଓ କାଠ କଣ୍ଢେଇ, ପିପିଲିର ଚାନ୍ଦୁଆ କାମ, ଶିଙ୍ଗରେ ନାନାପ୍ରକାରର ବ୍ୟବହାର୍ଯ୍ୟ ଦ୍ରବ୍ୟର ପ୍ରସ୍ତୁତି, ବେଲଗୁଣ୍ଠ । ପିତ୍ତଳ ମାଛ, ବାଉଁଶ, ବେତ ଓ ଲାଖ ଦ୍ୱାରା ପ୍ରସ୍ତୁତ ନାନା ଦ୍ରବ୍ୟ ଓଡ଼ିଆ ଶିଳ୍ପୀକୁ ବିଦେଶରେ ମଧ୍ୟ ପରିଚିତ କରାଉଛି । ଏହାଛଡ଼ା ଏଠାରେ ବ୍ରୋଞ୍ଜ, ହାତୀ ଦାନ୍ତ ଓ କାଠରେ ମୂର୍ତ୍ତି ତିଆରି କରାଯାଉଥିଲା । ବାଣପୁରରୁ ନବମ ଶତାବ୍ଦୀର ଅନେକ ବ୍ରୋଞ୍ଜ ମୂର୍ତ୍ତି ମିଳିଛି । କାଠର ମୂର୍ତ୍ତି କାରୁକାମ ନିମନ୍ତେ ଓଡ଼ିଶା ବିଶେଷ ଭାବରେ ପ୍ରସିଦ୍ଧ । ବୁଗୁଡ଼ା ବିରଞ୍ଚି ନାରାୟଣ ମନ୍ଦିରର କାଠକାମ ଭାରତରେ କେଉଁଠି ଅଛି ବୋଲି ଆମର ମନେ ହୁଏ ନାହିଁ । ଗୃହୋପକରଣ ପ୍ରସ୍ତୁତିରେ ଓଡ଼ିଆ ଦାରୁ ଶିଳ୍ପୀର କଳାପାଟବର ନମୁନା ହୁଏତ ଏବେ ମଧ୍ୟ କୌଣସି କୌଣସି ପରିବାରରେ ଥାଇପାରେ ।

 

ମହାନଦୀ ଅବବାହିକାର ଆଦିବାସୀମାନେ ମଧ୍ୟ କମ୍ କଳାନୁରାଗୀ ନୁହନ୍ତି । ସେମାନଙ୍କ ଘରଦ୍ୱାର, ଆସବାବପତ୍ର, ଏପରିକି ଦେହର ଚିତାରୁ ଏହାର ପରିଚୟ ମିଳେ । ସେମାନଙ୍କ ହାଣ୍ଡିମାଠିଆ ଏବଂ କଣ୍ଢେଇ ପ୍ରଭୃତି ସହିତ ବିଶେଷଜ୍ଞମାନେ ସିନ୍ଧୁ ଉପତ୍ୟକାର ଏହି ଶିଳ୍ପ ନିର୍ମାଣ କଳାର ସାମଞ୍ଜସ୍ୟ ପାଉଛନ୍ତି । ଓଡ଼ିଶାର ଗ୍ରାମ୍ୟ ଜୀବନ ଧାରାରେ କଳାଚର୍ଚ୍ଚାର ଉପାଦାନ ଏବେ ମଧ୍ୟ ପୂରି ରହିଛି । ପଲ୍ଲୀରମଣୀ ଆଶ୍ୱିନ ମାସରେ ଘର କାନ୍ଥରେ ପିଠୋଉ ପାଣି, ଢାଉ, ହାଣ୍ଡିକଳା ଆଉ ଅନ୍ୟ କିଛି ପ୍ରାକୃତିକ ରଙ୍ଗ ସାହାଯ୍ୟରେ ଯେଉଁ ଝୋଟି ଆଙ୍କେ କାର୍ତ୍ତିକ ମାସରେ ଚଉରାମୂଳେ ଯେଉଁ ମୁରୁଜ ପକାଏ କିମ୍ବା ମାର୍ଗଶିର ମାସରେ କାନ୍ଥରେ, ଚଟାଣରେ ଯେଉଁ ଚିତା ପକାଏ, ସେ ସବୁର ଶିକ୍ଷା ତାକୁ ମିଳେ ପରମ୍ପରାରୁ । ଅବସର ସମୟରେ ସାମାନ୍ୟରୁ ଅସାମାନ୍ୟ କଳାକୃତି ସୃଷ୍ଟି କରିବା ହେଉଛି ଉତ୍କଳୀୟ ନାରୀର ବହୁକାଳର ଅଭ୍ୟାସ । କାଇଁଚରୁ ବିଞ୍ଚଣା, ପେଡ଼ି, ଡାଲା ପ୍ରସ୍ତୁତ କରିବା କଳା ଏବେ ମଧ୍ୟ ଲୋପପାଇ ନାହିଁ ।

 

ପଥରରୁ ମୂର୍ତ୍ତି ନିର୍ମାଣ କଳାରେ ଓଡ଼ିଆ ଶିଳ୍ପୀର ଦକ୍ଷତାର ନମୁନା ଦେଖିବାକୁ ମିଳିବ ଧଉଳିପାହାଡ଼ ଅଶୋକଙ୍କର ଅନୁଶାସନ ନିକଟସ୍ଥ ହାତୀର ମୂର୍ତ୍ତିରେ । ବିଶେଷଜ୍ଞମାନଙ୍କ ମଧ୍ୟରେ ଏହା ଓଡ଼ିଶାର ଭାସ୍କର୍ଯ୍ୟ ମଧ୍ୟରେ ପ୍ରାଚୀନତମ । ହାତୀର ଗରିମା ମଣ୍ଡିତ ରୂପ, ପୌରୁଷଦୀପ୍ତ ରାଜକୀୟ ଠାଣି-ଏହାକୁ କଳାର ଏକ ଉକୃଷ୍ଟ ନମୁନାର ରୂପ ଦେଇଛି । ଅଶୋକଙ୍କ ସମୟର କିଛି ସ୍ତମ୍ଭ ଓ ସ୍ତୂପ ପ୍ରଭୃତିର ନମୁନା ମଧ୍ୟ ଏଠାରେ ରହିଛି ।

 

ମନ୍ଦିରର ନିର୍ମାଣ ପାଇଁ ପ୍ରଶାସକୀୟ ପୃଷ୍ଠପୋଷକତା ମିଳୁଥିଲା । ଫଳରେ ଏଥିରେ ଓଡ଼ିଶା ବେଶ୍ ଆଗେଇ ଯାଇ ପାରିଥିଲା । କୋଣାର୍କ ହେଉଛି- ଓଡ଼ିଶା-ସ୍ଥାପତ୍ୟ କଳାର ଶୀର୍ଷ ବିନ୍ଦୁ-। ପର୍ବତ ଗାତ୍ରରେ ଗୁମ୍ଫା ନିର୍ମାଣ ବା ଖନନ ହେଉଛି ଓଡ଼ିଶୀସ୍ଥାପତ୍ୟ କଳାର ଅନ୍ୟତମ ଦିଗ । ଖଣ୍ଡଗିରି, ଉଦୟଗିରିକୁ ଛାଡ଼ିଦେଲେ ଏବେବି ଓଡ଼ିଶାର ବଣପାହାଡ଼ ମଧ୍ୟରେ ଏଭଳି ଅନେକ ଗୁମ୍ଫା ରହିଛି, ଯାହାର ସ୍ୱାତନ୍ତ୍ର୍ୟ ଅଛି । ଉଦୟଗିରିର ଦ୍ୱିତଳଗୁମ୍ଫାରେ ପ୍ରକୋଷ୍ଠ ସମ୍ମୁଖରେ ବାରଣ୍ଡା ରହିଛି । ରାଣୀଗୁମ୍ଫା, ମଞ୍ଚପୁରୀ, ସ୍ୱର୍ଗପୁରୀ ପ୍ରଭୃତି ଗୁମ୍ଫାଗୁଡ଼ିକ ଦ୍ୱିତଳ ଏବଂ ଏସବୁ ଖାରବେଳଙ୍କ ଦ୍ୱାରା ଅର୍ହତମାନଙ୍କ ନିମନ୍ତେ ନିର୍ମିତ । ରାଣୀଗୁମ୍ଫାରେ ଏକ ଦରୀଗୃହ ମଞ୍ଚ ଅଛି ଯେଉଁଠି ଏକଦା ନୃତ୍ୟ, ନାଟକାଦି ମଞ୍ଚସ୍ଥ ହେଉଥିଲା । ଖଣ୍ଡଗିରି ଗୁମ୍ଫାରେ କିଛି ଖୋଦିତ ଚିତ୍ର ରହିଛି, ଯେଉଁଥିରେ ରାମାୟଣର ଦୃଶ୍ୟ, ବାସବଦତ୍ତା କାହାଣୀ ହାତୀ ଖେଦା, ଯୁଦ୍ଧ, ନୃତ୍ୟଗୀତ, ଲତାପୁଷ୍ପ ଇତ୍ୟାଦି ଦୃଶ୍ୟ ଖୋଦିତ ହୋଇଛି । ବିଶେଷଜ୍ଞମାନେ ଏହାକୁ ତିର୍‌ହୁତ୍, ସାଞ୍ଚି ଏବଂ ବୋଧଗୟାର ଭାସ୍କର୍ଯ୍ୟ ସହ ତୁଳନା କରି ଏହା ସହିତ ଏ ସବୁର ସାମଞ୍ଜସ୍ୟ ଖୋଜି ପାଇଛନ୍ତି । ଓଡ଼ିଶାର କେତେକ ମୂର୍ତ୍ତିରେ ଗୁପ୍ତଯୁଗୀୟ କଳାର ପ୍ରଭାବ ଦେଖିବାକୁ ମିଳେ । ଏଥିରେ ଲଳିତଗିରି ଓ ରତ୍ନଗିରିର କେତେକ ବୁଦ୍ଧ ଓ ବୋଧିସତ୍ତ୍ୱ ମୂର୍ତ୍ତି ଅନ୍ତର୍ଗତ ।

 

ଓଡ଼ିଆମାନେ ଏକଦା ଦୁର୍ଗନିର୍ମାଣ କଳାରେ ମଧ୍ୟ ଧୁରନ୍ଧର ଥିଲେ । ଚୌଦ୍ୱାର, ବାରବାଟୀ, ଶିଶୁପାଳ ଗଡ଼, ବରୁଣେଇ ଗଡ଼ ପ୍ରଭୃତି ହେଉଛି ସେ କାଳର ଗଡ଼ ନିର୍ମାଣ କଳାର କିଛି ଦୃଷ୍ଟାନ୍ତ । ଏ ସବୁର ଧ୍ୱଂସାବଶେଷ ରହିଛି । ବାରବାଟୀ ଦୁର୍ଗ ଶତ୍ରୁ ହୃଦୟରେ ତ୍ରାସ ସୃଷ୍ଟିକ୍ଷମ- ଏକ ଦୁର୍ଭେଦ୍ୟ ଗଡ଼ ଥିଲା ବୋଲି ବିଦେଶୀମାନଙ୍କ ବିବରଣୀ ରହିଛି ।

 

ଏଠାରେ ମନ୍ଦିର ନିର୍ମାଣର ତିନି ପ୍ରକାର ପଦ୍ଧତି ଥିଲା । (୧) ନାଗର (୨) ଦ୍ରାବିଡ଼ (୩) କଳିଙ୍ଗ । ସପ୍ତମଠାରୁ ତ୍ରୟୋଦଶ ଶତକ ମଧ୍ୟରେ କେବଳ ମୁଖ୍ୟାଂଶଟି ହିଁ ନିର୍ମିତ ହେଉଥିଲା-। ଦ୍ୱିତୀୟାବସ୍ଥାରେ ଏଥିରେ ସଂଯୁକ୍ତ ହେଲା ଜଗମୋହନ । ତୃତୀୟରେ ଏଥି ସହିତ ଭୋଗମଣ୍ଡପ ଏବଂ ନାଟମନ୍ଦିର ଯୋଗ କରାଯାଇଥିଲା । ଭୁବନେଶ୍ୱରର ଲକ୍ଷ୍ମଣେଶ୍ୱର ଏବଂ ଭରତେଶ୍ୱର ହେଉଛନ୍ତି ପ୍ରଥମ ପର୍ଯ୍ୟାୟ, ମୋହିନୀ ମନ୍ଦିର ହେଉଛି ଦ୍ୱିତୀୟ ପର୍ଯ୍ୟାୟ ତଥା ଲିଙ୍ଗରାଜ, ପୁରୀର ଜଗନ୍ନାଥ ମନ୍ଦିର ହେଉଛି ଶେଷ ପର୍ଯ୍ୟାୟର ମନ୍ଦିର । ମନ୍ଦିରର ବିଭିନ୍ନ ଅଂଶର ଭିନ୍ନ ଭିନ୍ନ ନାମ ରହିଛି ଏବଂ ନିର୍ମାଣ କଳା ସମ୍ପର୍କରେ ବେଶ୍ କିଛି ‘ଶିଳ୍ପଶାସ୍ତ୍ର’ ମଧ୍ୟ ଏଠାରେ ରଚିତ ହୋଇଛି । ଏଠାରେ ସ୍ଥାପତ୍ୟକଳାର ବ୍ୟାପକ ଚର୍ଚ୍ଚାରେ ଏହା ହେଉଛି ଏକ ଅଗ୍ରାନ୍ତ ପ୍ରମାଣ ।

 

ପୂଜା ଉଦ୍ଦେଶ୍ୟରେ ତଥା ଅଳଙ୍କରଣ ନିମନ୍ତେ ବ୍ୟବହୃତ- ଓଡ଼ିଶାର ମୂର୍ତ୍ତିଗୁଡ଼ିକୁ ସାଧାରଣତଃ ଏ ଦୁଇ ଶ୍ରେଣୀରେ ବିଭକ୍ତ କରାଯାଇଥାଏ । ଦ୍ୱିତୀୟ ବିଭାଗର ପରିସର ବେଶ୍ ବ୍ୟାପକ । ଏଥିରେ ଜୀବନଚର୍ଯ୍ୟାର ଭିନ୍ନ ଭିନ୍ନ ରୂପ ପ୍ରଦର୍ଶିତ ହୋଇଛି । ପ୍ରଣୟ ମୁଗ୍ଧା ପ୍ରଣୟିନୀଠାରୁ ବାତ୍ସଲ୍ୟ ମୁଗ୍ଧ ଜନନୀ ପର୍ଯ୍ୟନ୍ତ- ସମସ୍ତେ କଳାକାରର ସୂକ୍ଷ୍ମ କଳାବୋଧ ନିକଟରେ ଧରା ଦେଇଛନ୍ତି । ଅଳଙ୍କାର ଶାସ୍ତ୍ରୋକ୍ତ ବିଭିନ୍ନ ଶ୍ରେଣୀର ନାୟିକା, ଗଜସିଂହ, ନାଗକନ୍ୟା, ଦଶାବତାର, ରାମାୟଣ, ମହାଭାରତର ଦୃଶ୍ୟ, ଓଡ଼ିଶୀ ନୃତ୍ୟର ବିଭିନ୍ନ ମୁଦ୍ରା, ଛାତ୍ର ଅଧ୍ୟାପକ, ବୃକ୍ଷଲତା ମୃଗୟା, ଯୁଦ୍ଧ, ଯାନିଯାତ୍ରା, ବାଦକ ଗାୟକ, ପାତ୍ର ମନ୍ତ୍ରୀ, ମୁନିଋଷି, ହାତୀ ଓଟ, ମାଙ୍କଡ଼ ଘୋଡ଼ା, ମୃଗମୟୂର, ଶୁଆ ହଂସ- ପ୍ରଭୃତିର ଦୃଶ୍ୟ ଚିତ୍ତାକର୍ଷକ । ବୋଇତରେ ହାତୀ ତଥା ଲମ୍ବଗ୍ରୀବ ଜିରାଫ୍‌ର ଚାଲାଣ ଦୃଶ୍ୟ ଆମୋଦ ଜନକ ।

 

ଓଡ଼ିଶାର ମନ୍ଦିର ଗାତ୍ରର ମିଥୁନମୂର୍ତ୍ତି ବିଷୟରେ ତିନୋଟି କଥା କୁହାଯାଏ (୧) ଏହା ମନ୍ଦିରକୁ ବଜ୍ରପାତରୁ ରକ୍ଷାକରେ । (୨) ଶୃଙ୍ଗାର ଓ ଭକ୍ତିରସର ଦ୍ୱନ୍ଦ ସୃଷ୍ଟି କରାଇ ଭକ୍ତ ହୃଦୟର ପରୀକ୍ଷା କରିଥାଏ । (୩) ଅଷ୍ଟମ- ନବମ ଶତକରେ କାୟା ସାଧନା ନାମରେ ଏଠାରେ ଦେହବାଦରେ ଯେଉଁ ନଗ୍ନ ନିରାଜନା ତାନ୍ତ୍ରିକ- ସାଧକମାନଙ୍କ ଦ୍ୱାରା ଚାଲିଥିଲା ମିଥୁନ ମୂର୍ତ୍ତି ତାହାରି ଏକ ରୂପାନ୍ତରିତ ପ୍ରକାଶ । ତହିଁରେ ମୋକ୍ଷ କେତେ ମିଳୁଥିଲା ତାହା ଭକ୍ତମାନେ ଜାଣୁଥିବେ । ତେବେ ଦେହର ଦାହ ଅବଶ୍ୟ ଶାନ୍ତ ହେଉଥିବ । ଧର୍ମାଚରଣ ଓ ସାଧନାର ଏଭଳି ସହଜିଆ ପନ୍ଥା, ସାଧାରଣଙ୍କ ପାଇଁ ଯେ ବେଶ୍ ସ୍ୱାଦ୍ୟ ମନେ ହେବ, ଏଥିରେ ସନ୍ଦେହ କ’ଣ ?

 

ଭାରତର ଚାରୋଟି ତନ୍ତ୍ରପୀଠ ମଧ୍ୟରେ ଉଡ଼୍‌ଡ଼ୀୟାନ ପୀଠ ଅନ୍ୟତମ । ବଜ୍ରଯାନ ଓ ସହଜଯାନର ସୃଷ୍ଟି ହୋଇଛି ଏଇଠି । ଏହା ସହିତ ସମାନ୍ତରାଳ ଭାବରେ ଚାଲିଥିଲା ତନ୍ତ୍ରଯାନ । ଏହାର ପ୍ରଭାବରେ ଶୈବ ଓ ନାଥ ପନ୍ଥୀମାନଙ୍କ ମଧ୍ୟରେ ସୁଦ୍ଧା ତାନ୍ତ୍ରୀକତା ପ୍ରବେଶ କରିଥିଲା । ରାଣୀପୁର ଝରିଆଲ୍‌ର ଚୌଷଠୀ ଯୋଗିନୀ ମନ୍ଦିର, ହୀରାପୁରର ଚୌଷଠୀ ଯୋଗିନୀ ପୀଠ, ରତ୍ନଗିରିର ପୀତୋପାଦଙ୍କର କାଳଚକ୍ରଯାନ ଏ ସବୁ ଗୋଟିଏ ସମୟରେ ଉଡ଼୍‌ଡ଼ୀୟାନ ପୀଠକୁ ତାନ୍ତ୍ରୀକ ପ୍ରଭାବ ଗ୍ରସ୍ତ କରି ରଖିଥିଲା । ଏହାରି ପ୍ରଭାବରେ ଓଡ଼ିଶାରେ ବହୁ ଦେବୀଙ୍କ ଆବିର୍ଭାବ ହୋଇଥିଲା ଏବଂ ମନ୍ଦିରର ମିଥୁନ ମୂର୍ତ୍ତି ମଧ୍ୟ ଏହାରି ପ୍ରଭାବଜ ।

 

ଓଡ଼ିଶାର ମନ୍ଦିରର ଗଠନ ଶୈଳୀ ସ୍ୱତନ୍ତ୍ର ଶ୍ରେଣୀର । ଏଥିରେ ବିଭିନ୍ନ ପ୍ରକାରର ପଥର ବ୍ୟବହୃତ ହୋଇଛି । ସ୍ଥାନୀୟ ସୁଲଭତା ଉପରେ ଗୁରୁତ୍ୱ ଦେଇ ମନ୍ଦିରରେ ମୁଗୁନି, କଳା, ରଙ୍ଗଡାଳିମା, ରାଜରାଣିଆ ଓ ମାଙ୍କଡ଼ା ପଥରର ପ୍ରଭୃତି ବ୍ୟବହାର ହେଉଥିଲା । ତେବେ ଏଥିପାଇଁ ପଥର କିଭଳି, କେଉଁଠୁ ସଂଗୃହୀତ ହେଉଥିଲା, ତାହା ଏବେ ମଧ୍ୟ ଗବେଷକମାନଙ୍କ ଚିନ୍ତାର ବିଷୟ ହୋଇ ରହିଛି । ବିଶେଷତଃ, କୋଣାର୍କ ତ୍ରିସୀମାରେ କୌଣସି ପାହାଡ଼ ନଥିବାରୁ ତହିଁରେ ବ୍ୟବହୃତ ପ୍ରଚୁର ତଥା ବିଶାଳକାୟ ପଥର ସବୁ କେଉଁଠୁ କିପରି ଆସିଲା, ତାହା ଏପର୍ଯ୍ୟନ୍ତ ଜଣାଯାଇନାହିଁ । ଜଳପଥ ପରିବହନ ନିମନ୍ତେ ବିଶେଷ ସାହାଯ୍ୟ କରିଥିବ । ପଥର ଯୋଡ଼େଇ ପାଇଁ ସିମେଣ୍ଟ ନଥିଲା । ଚୁନ ମଧ୍ୟ ବ୍ୟବହୃତ ହୋଇନାହିଁ । କେବଳ ପଥରକୁ ଘଷି, ଗୋଟିକ ଉପରେ ଗୋଟିଏ ଥୋଇ ଏହି ସବୁ ବିଶାଳକାୟ ମନ୍ଦିରମାନ ନିର୍ମିତ ହୋଇଛି । ଲକ୍ଷ୍ୟ କରିବା କଥା ଯେ, ମହାନଦୀ ଅବବାହିକାରେ ପୁରୀ, କୋଣାର୍କ ପରି ବିଶାଳକାୟ ମନ୍ଦିର ନିର୍ମିତ ହୋଇନାହିଁ । ସେଠାରେ ଶାସକମାନେ ଯେ ମନ୍ଦିର ନିର୍ମାଣ କରି ନାହାନ୍ତି ଏହା ନୁହେଁ । ସେ ଅଞ୍ଚଳର ଭୂତାତ୍ତ୍ୱିକ ସ୍ଥିତି ଏ ଧରଣର ଉଚ୍ଚ ମନ୍ଦିର ପାଇଁ ଉପଯୁକ୍ତ ନଥିବାହିଁ ହେଉଛି ଏହାର ଏକମାତ୍ର ଯୁକ୍ତିଯୁକ୍ତ କାରଣ ।

 

ନଦୀ ଉପତ୍ୟକାର ଖାଦ୍ୟ ବ୍ୟବସ୍ଥା :–ମହାନଦୀ ଅବବାହିକା ଓ ତ୍ରିକୋଣ ଭୂମିର ବାସିନ୍ଦାମାନେ ସାଧାରଣତଃ ଗୋଟିଏ ପ୍ରକାର ଖାଦ୍ୟାଭାସ ଓ ପୋଷାକ ବ୍ୟବହାରରେ ଅଭ୍ୟସ୍ତ । ଆବାହମାନକାଳରୁ ଓଡ଼ିଶା ଏକ କୃଷି ନିର୍ଭର ରାଜ୍ୟ ଥିବାରୁ ଏବଂ ଧାନ ଏଠାର ପ୍ରଧାନ ଫସଲ ହୋଇଥିବାରୁ ଭାତ ଏମାନଙ୍କ ପ୍ରଧାନ ଖାଦ୍ୟରେ ସ୍ଥାନ ପାଇଥାଏ । ପୁଣି ମାଛ ସୁଲଭ ହୋଇଥିବାରୁ ତାହା ମଧ୍ୟ ଖାଦ୍ୟରେ ସ୍ଥାନ ପାଇଥାଏ । ତାହା ସହିତ ଋତୁକାଳୀନ ପନିପରିବା ବ୍ୟବହାର ମଧ୍ୟ କରାଯାଏ । ‘ମୁଠାଏ ଶାଗ ଭାତ’ ପାଇବା ହେଉଛି ପ୍ରତ୍ୟେକ ଗ୍ରାମୀଣ ଓଡ଼ିଆର ଜୀବନବ୍ୟାପି ସ୍ୱପ୍ନ । ଯକ୍ଷ ଯୁଧିଷ୍ଠିରଙ୍କୁ ସୁଖୀ ମଣିଷର ସଂଜ୍ଞା ପଚାରିବାରୁ ଅନ୍ୟାନ୍ୟ ବିଷୟସହ ଯୁଧିଷ୍ଠିର ତାଙ୍କୁ କହିଥିଲେ, ଯାହାର ପରିବାରରେ ନିତ୍ୟ ଶାକାନ୍ନର ବ୍ୟବସ୍ଥା ହୋଇଥାଏ, ସେହି ଗୃହସ୍ଥ ହେଉଛି ସୁଖୀ । ଏହି ପାରମ୍ପରିକ ବିଶ୍ୱାସଟି ଓଡ଼ିଆ ସଂସ୍କୃତି ଭିତରକୁ ପଶି ଆସିଛି । ଝିଅ ବିବାହ ଦେବା ବେଳେ ପ୍ରଥମେ ଏହି ପ୍ରଶ୍ନଟି ଉଠେ । ବିଲରୁ ଭାତ, ବାଡ଼ିରୁ ଶାଗ ଏବଂ ନଈପୋଖରୀରୁ ମାଛ ଜୀବନ ପାଇଁ ଓଡ଼ିଆର ଏହାହିଁ ହେଉଛି ସର୍ବ ନିମ୍ନ ପ୍ରୟୋଜନ । ଏହାର ଏକମାତ୍ର ନକାରାତ୍ମକ ଦିଗ ହେଉଚି ଯେ, ଏହା ମଣିଷକୁ ଉଚ୍ଚଆକାଂକ୍ଷାହୀନ କରିଦିଏ । ଜୀବନକୁ ଆଗକୁ ବଢ଼ିବାକୁ ଦିଏ ନାହିଁ । ଏହି କାରଣରୁ ଭାରତର ଅନ୍ୟାନ୍ୟ ରାଜ୍ୟ ତୁଳନାରେ ଓଡ଼ିଶା ଅନଗ୍ରସର ।

 

ପଖାଳ ଆଉ କାଞ୍ଜି ହେଉଛି ଓଡ଼ିଆର ଅତି ପ୍ରିୟ ଖାଦ୍ୟ । ପଖାଳର ପ୍ରସ୍ତୁତି ଦୁଇପ୍ରକାରେ । ସଦ୍ୟ ଭାତ ରାନ୍ଧି ତହିଁରେ ପାଣି ପୂରାଇ ଗ୍ରୀଷ୍ମ କାଳରେ ତାହାର ବ୍ୟବହାର କରାଯାଏ । ପଶ୍ଚିମ ଓଡ଼ିଶାରେ ଏଭଳି ରୀତିରେ ପଖାଳ ପ୍ରସ୍ତୁତ କରାଯାଇ, ଉଲି (ଓଲି) ପିଆଜ ସହିତ ତୃପ୍ତିରେ ଖିଆଯାଏ । ଶ୍ରମଜୀବୀମାନଙ୍କର ଏହା ବିଶେଷ ପସନ୍ଦ । ଉପକୂଳବର୍ତ୍ତୀଅଞ୍ଚଳରେ ପୂର୍ବରାତିରୁ ରାନ୍ଧି ଭାତରେ ବାସି ତୋରାଣି ମିଶାଇ ଏହା ପ୍ରସ୍ତୁତ ହୁଏ । ଧନୀ କିମ୍ବା ଭୋଜନ ବିଳାସୀ ପରିବାରରେ ଏହା ଏକ ଆଡ଼ମ୍ବରୀ ବ୍ୟାପାର । ପଖାଳ ପ୍ରସ୍ତୁତଠାରୁ ଆନୁଷଙ୍ଗିକ ବ୍ୟଞ୍ଜନ ତିଆରି ଏବଂ ତାକୁ କଳାତ୍ମକ ରୂପଦେବା- ହେଉଛି ଗୃହିଣୀମାନଙ୍କ ଦାୟିତ୍ୱ । ଖରାକାଳରେ ଏହାକୁ ଉପଭୋଗ କରାଯାଏ । ଶ୍ରମଜୀବୀ ପରିବାରରେ ଏଥିପାଇଁ ବିଶେଷ ବ୍ୟଞ୍ଜନ ଲୋଡ଼ା ହୁଏ ନାହିଁ । ବିଚାର କରି ଦେଖିଲେ, ପଖାଳ ହେଉଛି ଓଡ଼ିଶାର ଧନୀ, ଦରିଦ୍ର ଉଭୟ ଗୋଷ୍ଠୀର ଖାଦ୍ୟ, ଓଡ଼ିଶାର ଜାତୀୟ ଖାଦ୍ୟ ।

 

ଓଡ଼ିଶାର ଜଳବାୟୁ ହିଁ ହେଉଛି ଏହି ଖାଦ୍ୟାଭ୍ୟାସ ପାଇଁ ଦାୟୀ । ରାଜ୍ୟଟି ପୂର୍ବ ସମୁଦ୍ର ଉପକୂଳରେ ଅବସ୍ଥିତ ହୋଇଥିବାରୁ ବିଷୁବ ମଣ୍ଡଳୀୟ ମୌସୁମୀ ପ୍ରବାହର ଅନ୍ତର୍ଭୁକ୍ତ । ଏହାର ବାର୍ଷିକ ହାରାହାରି ବୃଷ୍ଟିପାତର ପରିମାଣ ହେଉଛି ୨୦୦ ସେ:ମି । ରାଜ୍ୟର ଉତ୍ତର ଏବଂ ପୂର୍ବାଞ୍ଚଳରେ ସାଧାରଣତଃ ଏହାର ୧୫ ଭାଗ କମ୍ ବେଶି ହୋଇଥାଏ । ସେହିଭଳି ଦକ୍ଷିଣ, ଦକ୍ଷିଣ-ପଶ୍ଚିମ ଓ ପଶ୍ଚିମାଞ୍ଚଳରେ ଏହି ପରିମାଣ ୧୫ ରୁ ୨୦ ଭାଗ ଯାଏ କମ୍ ବେଶି ହୁଏ । ସମ୍ବଲପୁରର ଦକ୍ଷିଣାଂଶ, ବଲାଙ୍ଗିର ଉତ୍ତର ପଶ୍ଚିମାଂଶ ଏବଂ କଳାହାଣ୍ଡିର ଉତ୍ତରାଂଶ ପ୍ରାୟ କମ୍ ବୃଷ୍ଟି ହେତୁ ମରୁଡ଼ିଗ୍ରସ୍ତ ହୁଏ । ମହାନଦୀର ତ୍ରିକୋଣ ଭୂମି ଅଞ୍ଚଳକୁ ଛାଡ଼ିଦେଲେ ଫୁଲବାଣୀ ମାଳଅଞ୍ଚଳ, ସମ୍ପୂର୍ଣ୍ଣ ମହାନଦୀ ଅବବାହିକା, ତେଲ ନଦୀ ଅବବାହିକା ଏବଂ ଋଷିକୂଲ୍ୟା ଅବବାହିକାରେ ମଧ୍ୟ ଉତ୍ତର ତଥା ଦକ୍ଷିଣ-ପଶ୍ଚିମ ଓଡ଼ିଶା ଅପେକ୍ଷା କମ୍ ବୃଷ୍ଟିପାତ ହୁଏ । ଶୀତଦିନରେ କେବଳ ଉତ୍ତର ଓଡ଼ିଶାକୁ ଛାଡ଼ି ଦେଲେ ଓଡ଼ିଶାର ସମସ୍ତ ଅଞ୍ଚଳ ପ୍ରାୟ ଶୁଖିଲା ରହେ-। ସାଧାରଣ ଭାବରେ ଦେଖିବାକୁ ଗଲେ ଆଶ୍ୱିନ ମାସଠାରୁ ଆଷାଢ଼ ମାସ ପର୍ଯ୍ୟନ୍ତ ଓଡ଼ିଶାରେ ପ୍ରାୟ ବୃଷ୍ଟି ହୁଏ ନାହିଁ । ପୁଣି ଅରଣ୍ୟ ଲୋପ ପାଇବାରୁ ବୃଷ୍ଟିପାତର ପରିମାଣ କମି ଯାଇ ଉତ୍ତାପ ବଢ଼ିବାରେ ଲାଗିଛି । ଗ୍ରୀଷ୍ମ ଋତୁରେ ଅଂଶୁଘାତ ମୃତ୍ୟୁ ମଧ୍ୟ ଏକ ନୈମିତ୍ତିକ ବ୍ୟାପାର ହେବାରେ ଲାଗିଛି ।

 

ବୃଷ୍ଟିପାତ ଦୃଷ୍ଟିରୁ ଏହାକୁ ପ୍ରାୟ ଏକ ସମଶୀତୋଷ୍ଣ ଅଞ୍ଚଳ ବୋଲି କୁହାଯାଉଥିଲେ ହେଁ ଏଠାରେ ଉଷ୍ଣତାର ପରିମାଣ ଅଧିକ । ପୁଣି ଶ୍ରମଜୀବୀମାନେ ଦିନକୁ ପ୍ରାୟ ୮ / ୧୦ ଘଣ୍ଟା କଠୋର ଶାରୀରିକ ପରିଶ୍ରମ କରୁଥିବାରୁ ସେମାନଙ୍କ ଦେହର ତାପ ବୃଦ୍ଧି ପାଇଥାଏ । ଏହାକୁ ଶୀତଳ କରିବାକୁ ପଖାଳ ସଞ୍ଜୀବନୀ ତୁଲ୍ୟ କାର୍ଯ୍ୟ କରେ । ଜଳବାୟୁ ହିଁ ଓଡ଼ିଆମାନଙ୍କୁ ପଖାଳଖିଆ ହେବାକୁ ବାଧ୍ୟ କରିଛି । ପଖାଳ ହେଉଛି ଓଡ଼ିଆ ଜାତିର ‘ମାଆଦୁଧ’ । ପଖାଳ ଖିଆ ଓଡ଼ିଆ ଦିନେ ପାଞ୍ଚଣ ମୁଠିରେ ବିଶାଳ ସାମ୍ରାଜ୍ୟର ପ୍ରତିଷ୍ଠା କରିଥିଲେ । କାଳଜୟୀ କୀର୍ତ୍ତି ସ୍ଥାପନ କରିଥିଲେ । ପଖାଳ ହେଉଛି ଓଡ଼ିଶାର ଗୌରବ ।

 

ସେହିଭଳି କାଞ୍ଜି ହେଉଛି ଓଡ଼ିଶାର ଅନ୍ୟତମ ନିଜସ୍ୱ ଖାଦ୍ୟ । ଓଡ଼ିଆମାନେ ଏହାକୁ ଖାଦ୍ୟ ରୂପରେ ହିଁ ବ୍ୟବହାର କରନ୍ତି । ମାର୍ଗଶିର ମାସ ପ୍ରଥମାଷ୍ଟମୀ ଦିନ କାଞ୍ଜି ଅଁଳା ଓଷାରେ କାଞ୍ଜି ଏବଂ ଛୋଟ ମାଛର ଶୁଖୁଆ ନୈବେଦ୍ୟ ରୂପରେ ଅର୍ପଣ କରାଯାଏ ଏବଂ ସେଇ ଦିନଠୁ ଏହାର ଖିଆ ଆରମ୍ଭ କରାଯାଏ । ଖାଦ୍ୟ ଯେତେ ନଗଣ୍ୟ ହେଲେ ମଧ୍ୟ ତାକୁ ଖାଇବା ପୂର୍ବରୁ ପ୍ରଥମେ ଦେବତାଙ୍କୁ ଅର୍ପଣ କରିବାର ପରମ୍ପରା ଓଡ଼ିଶାରେ ରହିଛି । କାଞ୍ଜି ଓ ଶୁଖୁଆ ପାଇଁ ତେଣୁ ଏକ ସ୍ୱତନ୍ତ୍ର ପୂଜାର ବ୍ୟବସ୍ଥା କରାଯାଇଛି ।

 

ଏ ଉଭୟ ବସ୍ତୁର ସ୍ୱାସ୍ଥ୍ୟଗତ ଉପଯୋଗିତା ମଧ୍ୟ ରହିଛି । କାଞ୍ଜି ପିତ୍ତନାଶକ ଏବଂ ଶୀତଦିନେ ପିତ୍ତ ପ୍ରକୋପ ବୃଦ୍ଧି ପାଉଥିବାରୁ ତାହାର ପ୍ରତିକାର ନିମନ୍ତେ ଏହି ବ୍ୟବସ୍ଥା । ସାନଶୁଖୁଆରେ କ୍ୟାଲ୍‌ସିୟମ୍‌ ଯଥେଷ୍ଟ ଥିବାରୁ ଏବଂ ଶୀତ ଋତୁରେ ଶରୀର ପାଇଁ ଏଇ ଦ୍ରବ୍ୟର ଯଥେଷ୍ଟ ଆବଶ୍ୟକତା ଅନୁଭୂତ ହେଉଥିବାରୁ ଏହାର ବ୍ୟବହାର ନିମନ୍ତେ ଶାସ୍ତ୍ରୀୟ ସମର୍ଥନ ଲୋଡ଼ା ଯାଇଛି । ଭୃସଙ୍ଗପତ୍ର, ହେଙ୍ଗୁ, ରସୁଣରେ ପରଜା (ବଘରା) ଯାଇଥିବା ତଥା ମୂଳା ପଡ଼ିଥିବା କାଞ୍ଜି ଭଳି ସୁଖାଦ୍ୟ ଓଡ଼ିଆମାନଙ୍କ ପାଇଁ କମ୍‌ ଅଛି । ପୁରୀର ଓଡ଼ିଆ ମଠ (ଜଗନ୍ନାଥ ଦାସଙ୍କ ସାଧନା ପୀଠ)ରେ ବହୁକାଳରୁ ସଂଚିତ କାଞ୍ଜି ଭକ୍ତମାନଙ୍କୁ ଦିଆଯାଏ । ପୁରୁଣା ଜର ଉପଶମ ନିମନ୍ତେ ଏହା ଅମୃତ ମହୌଷଧି ଭଳି କାର୍ଯ୍ୟ କରେ ।

 

ଏହାର ପ୍ରସ୍ତୁତି ସେଭଳି କିଛି କଷ୍ଟକର କିମ୍ବା ବ୍ୟୟ ବହୁଳ ବ୍ୟାପାର ନୁହେଁ । ଶରୀରକୁ ନୀରୋଗ ରଖିବା ପାଇଁ ଏହା ଏକ ଫଳପ୍ରଦ ପାରମ୍ପରିକ ବ୍ୟବସ୍ଥା ।

 

ଓଡ଼ିଆ ଏକ ଖାଦ୍ୟ ରସିକ ଜାତି ଏବଂ ଏହାର ଇଷ୍ଟଦେବ ଶ୍ରୀଜଗନ୍ନାଥଙ୍କ ଖାଦ୍ୟ ବ୍ୟବସ୍ଥା ଲକ୍ଷ୍ୟ କଲେ ଆମେ ଏହାର ପରିଚୟ ପାଇଯିବା । ଶ୍ରୀଜଗନ୍ନାଥଙ୍କ ପାଇଁ ଷାଠିଏ ପଉଟି ଭୋଗର ବ୍ୟବସ୍ଥା କରାଯାଏ ବୋଲି ଜନଶ୍ରୁତିରେ ରହିଛି । ଏହା ପୁଣି ଋତୁ ଅନୁସାରୀ ଏବଂ ବିଜ୍ଞାନ ସମ୍ମତ ମଧ୍ୟ । କେବଳ ସାତ ପ୍ରକାର ଖେଚୁଡ଼ି ଶ୍ରୀଜୀଉଙ୍କୁ ଅର୍ପଣ କରାଯାଏ । ଓଡ଼ିଆମାନଙ୍କ ପ୍ରିୟ ଦହିପଖାଳ, ରାଇତା, ଶାଗ, ସନ୍ତୁଳା, ବେଶର, ମହୁର, ଡାଲ୍‌ମା ସହିତ ପୋଡ଼ପିଠା, ମଣ୍ଡା, ଗଇଁଠା, ଏଣ୍ଡୁରି, ଖିରିସା, ଆରିଷା, କାକରା, ଚକୁଳି ଏ ସମସ୍ତ ଶ୍ରୀଜୀଉଙ୍କ ମଣୋହି ତାଲିକାରେ ରହିଛି । ଓଡ଼ିଆ ଘରଣୀର ଆଦର୍ଶ ହେଉଛି, ଲକ୍ଷ୍ମୀଙ୍କ ରୋଷଘର । ଖାଦ୍ୟକୁ ସୁସ୍ୱାଦୁ ଏବଂ ସ୍ୱାସ୍ଥ୍ୟ ସମ୍ମତ କରିବା ପାଇଁ ସମସ୍ତ ପ୍ରକାର ପ୍ରଯତ୍ନ କରାଯାଇଥାଏ ।

 

ଓଡ଼ିଆ ଘରେ ଯେତେ ପିଠାପଣା ହୁଏ, ଭାରତର ଅନ୍ୟପ୍ରାନ୍ତରେ ତାହା ହୁଏ ବୋଲି ଆମର ବିଶ୍ୱାସ ଆସେ ନାହିଁ । ଚକୁଳି, ବୁଢ଼ାଚକୁଳି, ଛୁଞ୍ଚିପତ୍ର, ଚିତୋଉ, ମଣ୍ଡା, ଗଇଁଠା, ଏଣ୍ଡୁରି, କାକରା, ଆରିଷା, ମୁଆଁପିଠା ପ୍ରଭୃତି ହେଉଛି ଓଡ଼ିଶାର ନିଜସ୍ୱ ପିଠା । ଆଜି ‘ଇଡ଼୍‌ଲି’ ପିଠା ଦକ୍ଷିଣ ଭାରତରୁ ବିଶ୍ୱଜୟ କରିସାରିଲାଣି । ମାତ୍ର ତାହାର ବଡ଼ଭାଇ ମୁଆଁ ପିଠା ବିଚରା ସୁବର୍ଣ୍ଣରେଖା ଡେଇଁ ପାରିନାହିଁ । ପିଠା ପ୍ରସ୍ତୁତ କରାଯାଏ, ଯଥା–ସମ୍ଭବ ସ୍ଥାନୀୟ ଉପକରଣରେ । ଗହମ ସ୍ଥାନୀୟ ଶସ୍ୟ ନୁହେଁ । ତେଣୁ ଓଡ଼ିଆର ଖାଦ୍ୟ ତାଲିକାରେ ଏହାର ବ୍ୟବହାର ନଥିଲା । ସ୍ୱାଧୀନତା ପରେ ବିଦେଶୀ ଗହମ କଲ୍ୟାଣରୁ ଓଡ଼ିଆମାନେ ଏହା ସହିତ ପରିଚିତ ହେଲେ । ତେବେ ସାଧାରଣ ଓଡ଼ିଆର ମନ ଏବେ ମଧ୍ୟ ପଖାଳ କଂସାରେ ଅଟକି ରହିଛି ।

 

ଓଡ଼ିଆମାନଙ୍କ ମତ୍ସ୍ୟପ୍ରୀତି ସମ୍ପର୍କରେ ପୂର୍ବରୁ ସୂଚନା ଦିଆଯାଇଛି । ମାଛର ସୁଲଭତା ହିଁ ହେଉଛି ଏହାର ପ୍ରଧାନ କାରଣ । ଉତ୍କଳକୁ ମତ୍ସ୍ୟ ଦେଶ ବୋଲି ଏହି କାରଣରୁ କୁହାଯାଏ । ମାଛ ଏବଂ ଶୁଖୁଆ–ଏ ଉଭୟ ଓଡ଼ିଆମାନଙ୍କ ପ୍ରିୟ । ଲୋକଗୀତରେ ଓଡ଼ିଆମାନଙ୍କର ଶୁଖୁଆ ପ୍ରୀତିର ଝଲକ ଦେଖିବାକୁ ମିଳେ । ଯଥା :–

 

ମଦରଙ୍ଗା ଶାଗ ରାଇ,

ପଖାଳ ଭାତକୁ ଚିଲିକା ଶୁଖୁଆ ମାଣିକପାଟଣା ଦହି ।।

 

ଏହି ଶୁଖୁଆ ଓଡ଼ିଆମାନଙ୍କ ପାଇଁ ସୁଲଭ ଏଠାରେ ନଦୀ, ହ୍ରଦ, ବିଲପାଟ, ନାଳଯୋର, ସମୁଦ୍ର ପ୍ରଭୃତିର ସ୍ଥିତି ହେତୁ ପ୍ରଚୁର ମାଛ ଏଠାରୁ ମିଳନ୍ତି (ବା ଅତୀତରେ ମିଳୁ ଥିଲା ବୋଲି କୁହାଯିବା ଠିକ୍‌ ହେବ !) ନିତିଦିନିଆ ପ୍ରୟୋଜନ ମେଣ୍ଟିଯିବା ପରେ ବଳକା ମାଛକୁ ଖରାରେ ଶୁଖାଇ ଭବିଷ୍ୟତ ପାଇଁ ରଖାଯାଏ କିମ୍ବା ବିକ୍ରି ପାଇଁ ପଠାଯାଏ । ପଶ୍ଚିମ ଓଡ଼ିଶା ଉପକୂଳ ଓଡ଼ିଶାରୁ ଯେଉଁ ପ୍ରଧାନ କେତୋଟି ପଦାର୍ଥ କିଣୁଥିଲା, ତହିଁରେ ଶୁଖୁଆ ଥିଲା ଅନ୍ୟତମ । ଖରାରେ ଶୁଖାଯାଇ ଏହା ପ୍ରସ୍ତୁତ କରାଯାଉଥିବାରୁ ଏହା ସ୍ୱାସ୍ଥ୍ୟ ସମ୍ମତ । କାରଣ ଦେହ ପାଇଁ ଦରକାରୀ ଏକାଧିକ ଭିଟାମିନ୍‌ ଏଥିରୁ ମିଳିଥାଏ । ବିଶେଷ କରି ଗ୍ରାମାଞ୍ଚଳର ଶ୍ରମଜୀବୀ ପରିବାର ପାଇଁ ଏହି ଦ୍ରବ୍ୟଟି ଜୀବନିକାର କାମ ତୁଲାଏ । ବେଲାଏ ପଖାଳ ସାଙ୍ଗକୁ ଶୁଖୁଆ ପୋଡ଼ା ମେଞ୍ଚାଏ ତା’ ପାଇଁ ଅମୃତମଣୋହି ହୋଇଯାଏ । ବିଭିନ୍ନ ଶୁଖୁଆରେ ଓଡ଼ିଆ ଘରଣୀ ଭିନ୍ନ ଭିନ୍ନ ବ୍ୟଞ୍ଜନ ତିଆରିରେ ସିଦ୍ଧହସ୍ତ ।

 

ଗୋଟିଏ ଅଞ୍ଚଳର ଖାଦ୍ୟାଭ୍ୟାସ ପ୍ରସ୍ତୁତ ହୁଏ, ସେଠାର ଜଳବାୟୁ ଏବଂ ଲୋକଙ୍କର ପ୍ରକୃତିକୁ ନେଇ । ଓଡ଼ିଶାର ଉଷ୍ଣ ଜଳବାୟୁ ପଖାଳ ପାଇଁ ଯେଉଁ ଭଳି ଉପଯୁକ୍ତ ବାତାବରଣ ସୃଷ୍ଟି କରିଥିଲା, ସହଜଲଭ୍ୟ ଶୁଖୁଆ ମଧ୍ୟ ଏହାର ଉପଯୁକ୍ତ ସଖା ଭାବରେ ଗୃହୀତ ହୋଇଥିଲା ।

 

ଓଡ଼ିଆମାନଙ୍କ ଖାଦ୍ୟ ବ୍ୟବସ୍ଥା ଅତ୍ୟନ୍ତ ସରଳ । ରାଜସିକ ଖାଦ୍ୟ, ପ୍ରାୟ ତା’ର ଦୈନନ୍ଦିନ ସୂଚୀରେ ନଥାଏ । ଭାତ, ଡାଲି, ତରକାରୀ ହିଁ ହେଉଛି ଦୈନନ୍ଦିନ ଖାଦ୍ୟ । ଉତ୍ସବ ବିଶେଷରେ ପିଠାପଣାର ବ୍ୟବସ୍ଥା ହୁଏ ଏବଂ ଏଥିରେ ଫୁଟିଉଠେ ଓଡ଼ିଆ ଗୃହିଣୀର କଳାପାଟବ । ପିଠାପଣା ଋତୁଭିତ୍ତିକ ଏବଂ ଏହା ପୁଣି କୌଣସି ନା କୌଣସି ପର୍ବପର୍ବାଣି ସହିତ ସମ୍ପୃକ୍ତ । ଚିତୋଉ ପିଠା ପାଇଁ ଗୋଟିଏ ଅମାବାସ୍ୟା, ହଳଦି ପତ୍ରରେ ବାମ୍ଫ ସାହାଯ୍ୟରେ ପ୍ରସ୍ତୁତ ହେଉଥିବା ଏଣ୍ଡୁରି ପାଇଁ ଗୋଟିଏ ଅଷ୍ଟମୀ ନିର୍ଦ୍ଦିଷ୍ଟ ଥାଏ । ସେହିଭଳି ମଣ୍ଡା (ଦଶହରା), ବୁଢ଼ାଚକୁଳି, କାକରା ଆରିଷା (ଶାମ୍ବ ଦଶମୀ) ପ୍ରଭୃତି ମଧ୍ୟ ନିର୍ଦ୍ଦିଷ୍ଟ ପର୍ବ ଭିତ୍ତିକ । ସ୍ୱାସ୍ଥ୍ୟ ସହିତ ଏହାର ନିଗୂଢ଼ ସମ୍ପର୍କ ରହିଥାଏ ।

 

ଚୁଡ଼ା, ମୁଢ଼ି, ହୁଡ଼ୁମ, ମୁଆଁ ପ୍ରଭୃତି ଏଠାରେ ବ୍ୟାପକ ଭାବରେ ବ୍ୟବହାର କରାଯାଏ ଏବଂ ଗୋଟିଏ ଗୋଟିଏ ନିର୍ଦ୍ଦିଷ୍ଟ ଅଞ୍ଚଳର ଏଥିରୁ ଗୋଟିଏ ନିର୍ଦ୍ଦିଷ୍ଟ ବସ୍ତୁ ପାଇଁ ଖ୍ୟାତି ମଧ୍ୟ ରହିଛି । ବାରିପଦାର ଗରମ ମୁଢ଼ି, ଧାମନଗର ଚୁଡ଼ାର ସୁଖ୍ୟାତି ଶୁଣାଯାଏ । ମୁଢ଼ି ଉତ୍ତର ଓଡ଼ିଶାର ଏକ ଅତି ଲୋକପ୍ରିୟ ଖାଦ୍ୟ । ସମୟ ସହିତ ଓଡ଼ିଆର ଖାଦ୍ୟ ରୁଚିରେ ଲକ୍ଷ୍ୟଣୀୟ ପରିବର୍ତ୍ତନ ଘଟୁଛି । ଆବହମାନ କାଳରୁ ଓଡ଼ିଶାର ପାରମ୍ପରିକ ଖାଦ୍ୟ ବ୍ୟବସ୍ଥା ପ୍ରସ୍ତୁତ ହେଉଥିଲା ସ୍ଥାନୀୟ ଜଳବାୟୁ, ଉପଲବ୍ଧ ଖାଦ୍ୟୋପକରଣ ଏବଂ ସ୍ୱାସ୍ଥ୍ୟର ଅନୁକୂଳତାକୁ ଆଖିରେ ରଖି । ଏବେ କିନ୍ତୁ ଅନେକ ପାରମ୍ପରିକ ଖାଦ୍ୟ-ଏଠାର ଖାଦ୍ୟ ସୂଚୀରୁ ଦ୍ରୁତବିଦାୟ ନେବାରେ ଲାଗିଛି ।

 

ପୋଷାକ ପରିଚ୍ଛଦ :–ଖାଦ୍ୟ ଭଳି ଓଡ଼ିଆର ପୋଷାକ ମଧ୍ୟ ବେଶ୍‌ ସରଳ । ଉଷ୍ଣ ଜଳବାୟୁରେ ରହୁଥିବାରୁ ଏଠାରେ ବିଶେଷ ଲୁଗାପଟା ଦରକାର ହୁଏ ନାହିଁ । ଖଣ୍ଡିଏ ଧୋତି ଆଉ ଗାମୁଛା ଖଣ୍ଡେ–ଏ ହେଉଛି ସାଧାରଣ ଓଡ଼ିଆର ଦୈନନ୍ଦିନ ପୋଷାକ । ବନ୍ଧୁବାସ ଘରକୁ ଗଲେ କିମ୍ବା ସେହିଭଳି ବିଶେଷ ଅବସରରେ କାନ୍ଧରେ ଉତ୍ତରୀୟ ଖଣ୍ଡେ ଅଧିକ ପକାଯାଏ । ମୁସଲମାନ-/ ମରହଟ୍ଟାମାନଙ୍କ କଲ୍ୟାଣରୁ ଓଡ଼ିଆମାନେ ଉର୍ଦ୍ଧ୍ୱାଙ୍ଗ ଆବୃତ କରିବାକୁ ଶିଖିଛନ୍ତି ଚପ୍‌କନ୍‌-/ ମିରଜାଇ ପ୍ରଭୃତି ଦ୍ୱାରା । ଧୋତି ଗାମୁଛା ପିନ୍ଧି ଓଡ଼ିଆମାନେ ଚାରିଆଡ଼େ କ୍ଷେପି ଯାଉଥିଲେ । ଗାମୁଛାର ବ୍ୟବହାର ବହୁମୁଖୀ, କେତେବେଳେ କାନ୍ଧରେ, କେବେ ଅଣ୍ଟାରେ ତ ଆଉ କେବେ ମୁଣ୍ଡରେ । ଓଡ଼ିଆଙ୍କ ପାଠ କହିଛି

 

ମୁଣ୍ଡରେ ଗାମୁଛା ପାଦରେ ତେଲ ।

ବଇଦ ସାଙ୍ଗରେ କରିବୁ ଗେଲ ।।

 

ପାଇକଚ୍ଛାମାରି ଧୋତିପିନ୍ଧି ଓଡ଼ିଆ ପାଇକମାନେ ମହାମହା ଯୁଦ୍ଧ ଜିଣି ଘରକୁ ଫେରୁଥିଲେ । ପାଇକମାନଙ୍କ ସହିତ ଏହି ଧରଣର ଧୋତି ପିନ୍ଧାର ସମ୍ପର୍କ ରହିଥିବାରୁ ଏହାକୁ ‘ପାଇକଚ୍ଛା’ କୁହାଯାଉଥିଲା । ସିଲେଇ କରାଯାଇଥିବା ପୋଷାକ ପିନ୍ଧିବାର ରୀତି ଖୁବ୍‌ ନଥିଲା । ଉର୍ଦ୍ଧ୍ୱାଙ୍ଗର ଆବରଣ ହିସାବରେ ଗନ୍ତା, ଅଙ୍ଗୀ, ମିରଜାଇ ପ୍ରଭୃତିର ନାମ ଶୁଣିବାକୁ ମିଳେ । ତାହା ନିଶ୍ଚୟ ବହୁ ପରବର୍ତ୍ତୀ କାଳର । ପ୍ରାଚୀନ ଚିତ୍ର, ଖୋଦିତ ମୂର୍ତ୍ତିରୁ ସାଧାରଣ ଓଡ଼ିଆ ଓ ରାଜ ପୁରୁଷମାନଙ୍କ ପୋଷାକ ପରିଚ୍ଛଦର ଯେଉଁ ନମୁନା ଦେଖିବାକୁ ମିଳେ, ତହିଁରେ ନିମ୍ନାଙ୍ଗରେ ଧୋତି ରହିଛି । ଊର୍ଦ୍ଧ୍ୱାଙ୍ଗ ଅନାବୃତ୍ତ, କେବଳ ଉତ୍ତରୀୟକୁ ଛାଡ଼ି ।

 

ସେହିଭଳି ନାରୀର ପୋଷାକ, ଚିତ୍ର ବା ମୂର୍ତ୍ତିରେ ଆମେ ଉର୍ଦ୍ଧ୍ୱାଙ୍ଗ ଅନାବୃତ୍ତ କିମ୍ବା ବକ୍ଷବନ୍ଧନୀ ଦ୍ୱାରା ଆବୃତ୍ତ ସ୍ୱଚ୍ଛ ବସନାବୃତ୍ତା–ଦୁଇ ଶ୍ରେଣୀର ନାରୀ ଦେଖିବାକୁ ପାଉଁ । ପରିହିତ ଶାଢ଼ିଦ୍ୱାରା ବକ୍ଷାବୃତ୍ତାନାରୀ ମଧ୍ୟ ଦେଖିବାକୁ ମିଳନ୍ତି । ପ୍ରାଚୀନ ଓଡ଼ିଆ କାବ୍ୟରେ ବକ୍ଷାବରଣ ରୂପେ ଅଭିଜାତ ପରିବାର ନାରୀମାନେ କାଁଚୁଲୀର ବ୍ୟବହାର କରୁଥିବା ବର୍ଣ୍ଣିତ ହୋଇଛି । (ଦେଖାଯାଇପାରେ :–ସାରଳା ଦାସଙ୍କ ମହାଭାରତ, ବଳରାମ ଦାସଙ୍କ ଲକ୍ଷ୍ମୀପୁରାଣ, ଉପେନ୍ଦ୍ରଭଞ୍ଜଙ୍କ ଲାବଣ୍ୟବତୀ ପ୍ରଭୃତି) ତେବେ ଓଡ଼ିଆ ନାରୀମାନେ ଦେଶୀୟ ତନ୍ତୀ ପ୍ରସ୍ତୁତ ଷୋଳହାତୀ ଶାଢ଼ି ଦ୍ୱାରା ଉର୍ଦ୍ଧ୍ୱାଙ୍ଗଙ୍କୁ ଆବୃତ୍ତ କରି ରଖୁଥିଲେ । ସ୍ମରଣ କରାଯାଇପାରେ ଫକୀରମୋହନଙ୍କ ଚମ୍ପାର ରୂପ ବର୍ଣ୍ଣନାରେ ‘ଷୋଳହାତୀ ଶାଢ଼ି ବିସ୍ତୃତ କଚ୍ଛେ’ ଇତ୍ୟାଦିକୁ । ଶାଢ଼ିରେ ଶାଳୀନତା ତଥା ସମ୍ଭ୍ରମର ଏକ ଯୁଗ୍ମ ରୂପ ଫୁଟି ଉଠୁଥିଲା । ଊନବିଂଶ ଶତକର ଦ୍ୱିତୀୟାର୍ଦ୍ଧରେ ସୁଦ୍ଧା ଓଡ଼ିଆ ନାରୀ ଶାଢ଼ି ତଳେ କିଛି ପିନ୍ଧୁ ନଥିଲେ ବୋଲି ଫକୀର ମୋହନ ତାଙ୍କ ଆତ୍ମଚରିତରେ ଲେଖିଛନ୍ତି । ଶାଢ଼ି ତଳେ ଖଣ୍ଡିଏ ସିଲେଇ କରା ଜାମା ପିନ୍ଧିଲେ ନାରୀ ସୌନ୍ଦର୍ଯ୍ୟ ବୃଦ୍ଧି ଓ ସମ୍ମାନ ରକ୍ଷା ହେବ-ଏହି ଧରଣର ଏକ ପ୍ରସ୍ତାବ ଦେଇ ଫକୀରମୋହନ ସେ ସମୟରେ ସମାଜପତିମାନଙ୍କ ବିଦ୍ରୂପର ଶିକାର ହୋଇଥିଲେ । ‘ସ୍ତ୍ରୀମାନେ ଅଙ୍ଗୀ ପିନ୍ଧିବେ’ ଏହି ପ୍ରସ୍ତାବଟି ହିଁ ସେମାନଙ୍କ ହାସ୍ୟୋଦ୍ରକ କରାଇଥିଲା । (ଆତ୍ମଚରିତ :–ପୃ : ୮୭)

 

ଏହି ଭୂଖଣ୍ଡର ଜଳବାୟୁ ଏହାର ପ୍ରାକୃତିକ ପରିବେଶ ପ୍ରଭୃତି ସ୍ଥାନୀୟ ଅଧିବାସୀଙ୍କ ପ୍ରକୃତି, ରୁଚି, ଖାଦ୍ୟପେୟ, ପୋଷାକ ପରିଚ୍ଛଦକୁ ନିୟନ୍ତ୍ରିତ କରିଥିଲା । ଓଡ଼ିଆର ପ୍ରକୃତି ଭଳି ତା’ର ପୋଷାକ ମଧ୍ୟ ସରଳ, ସୁକର, ସ୍ୱଚ୍ଛନ୍ଦ ଓ ସ୍ୱଳ୍ପବ୍ୟୟ ସମ୍ପନ୍ନ ତଥା ରୁଚିକର । ଏଥିରୁ ଓଡ଼ିଆର ପ୍ରକୃତିଗତ ସାରଲ୍ୟର ସ୍ୱରୂପଟି ଫୁଟି ବାହାରୁଥିଲା । କାଳର ଗତିରେ ଏହା ରୂପ ବଦଳାଇବାରେ ଲାଗିଛି । ଯବନମାନଙ୍କଠୁ ଆମେ ଗ୍ରହଣ କଲୁଁ ଚପ୍‌କନ୍‌, ଅଚକନ୍‌ ଆଦି । ମରହଟ୍ଟାମାନେ ଦେଲେ ମିରଜାଇ, ଆଉ ଇଂରେଜମାନେ ଆମକୁ ଯାହା ଦେଲେ, ତାହା ହୋଇଛି ବର୍ତ୍ତମାନ ଆମର ତଥାକଥିତ ଜାତୀୟ ପୋଷାକ । ଏହାକୁ ନ ଧରିଲେ ସଭାସମିତିରେ ବସିବାକୁ ଜାଗାଟିଏ ମିଳୁନାହିଁ । ଗୋଟିଏ ସମୟରେ ଓଡ଼ିଆ କାନ୍ଧରେ ଉତ୍ତରୀୟ ଚଦର ଖଣ୍ଡିଏ ପକାଇ ଗୋଟିଏ ସେକେଣ୍ଡରେ ବାହାରକୁ ବାହାରିବା ପାଇଁ ପ୍ରସ୍ତୁତ ହୋଇ ଯାଉଥିଲା । ଆଉ ଆଜି ନାରୀ ତ ନାରୀ- ପୁରୁଷଟିଏ ମଧ୍ୟ ଜୋତା, ମୋଜା, ପ୍ୟାଣ୍ଟ ସାର୍ଟ, କୋଟ ନେକ୍‌ଟାଇ ପିନ୍ଧି ଘରୁ ବାହାରିଲା, ବେଳକୁ ଘଣ୍ଟାଏ ସମୟ ନେଉଛି ! ସଂସ୍କୃତି ପରିବର୍ତ୍ତନ ଏହିଭଳି ।

 

ଚରିତ୍ର ନଥିଲେ ସବୁ ଅସାର :–ପରିଚ୍ଛଦ ସହିତ ଏଠାର ଲୋକ ଚରିତ୍ର ମଧ୍ୟ ବଦଳୁଛି । ତା’ ସହିତ ବଦଳୁଛି ଆମର ଚିନ୍ତାର ଦିଗନ୍ତ । ବିଶ୍ୱ ସଂସ୍କୃତିର ଏକ ଅଂଶ ହୋଇଯିବା ଫଳରେ ଓଡ଼ିଆ ସଂସ୍କୃତି ତା’ର ନିଜସ୍ୱ ସ୍ୱରୂପ ହରାଇଛି । ଓଡ଼ିଆମାନେ ଥିଲେ ପ୍ରକୃତିରେ ସ୍ୱାଭିମାନୀ, ସମ୍ମାନ ଉପରକୁ ଆଞ୍ଚ ଆସିଲେ ଏମାନେ କଥା କଥାରେ ପାଇକଚ୍ଛା ଭିଡ଼ି ଯୁଦ୍ଧ କ୍ଷେତ୍ରକୁ ଡେଇଁ ପଡ଼ୁଥିଲେ । ଜୀବନକୁ ମଧ୍ୟ ପରବାୟ କରୁନଥିଲେ । କିମ୍ବଦନ୍ତୀ ଲୋକକଥା ଏଭଳିକି ଇତିହାସରେ ମଧ୍ୟ ଅନେକ ଦୃଷ୍ଟାନ୍ତ ମିଳିବ । ଏହି ଗ୍ରନ୍ଥର ଅନ୍ୟତ୍ର ପ୍ରତାପରୁଦ୍ର ପୁତ୍ର ବୀରଭଦ୍ରଙ୍କ କାହାଣୀ ଉଦ୍ଧାର କରାଯାଉଛି । ସେ ଦିନ ସେ ଓଡ଼ିଆ ଜାତିର ସମ୍ମାନ ରକ୍ଷା କରିଥିଲେ ନିଜ ହାତରେ ନିଜର ଜୀବନ ନେଇ ।

 

ଏ କେବଳ ଏକ ଦୃଷ୍ଟାନ୍ତ ମାତ୍ର । ଇତିହାସ ଖୋଜିଲେ ଏହିଭଳି କାହାଣୀ ଅସଂଖ୍ୟ ମିଳିବ । ୧୮୧୭ରେ ଗଜପତିଙ୍କ ସେନାପତି ବକ୍‌ସିଜଗବନ୍ଧୁଙ୍କ ରୋଡ଼ଙ୍ଗ ଜମିଦାରିକୁ କଲେକ୍ଟରଙ୍କ ବଙ୍ଗୀୟ ଦେୱାନ୍‌ କୃଷ୍ଣଚନ୍ଦ୍ର ସିଂ କିପରି ପ୍ରତାରଣା କରି ନିଜ ନାମରେ କରିନେଲେ, ବକ୍‌ସିଙ୍କଠାରୁ ଖଜଣା ନେଇ ତାକୁ ସରକାରଙ୍କ ପାଖରେ ଦାଖଲ ନକରି କିଲ୍ଲାକୁ ନିଲାମରେ ଉଠାଇଲେ, ଏବଂ ବେନାମିରେ ତାକୁ ନିଜର କରି ନେଲେ ଇତିହାସରେ ତାହା ଲିପିବଦ୍ଧ ହୋଇଛି-। ସରକାରଙ୍କ ବନ୍ଦୋବସ୍ତ ଅଫିସର ଇୱେର (Ewer) ସାହେବ ଲେଖିଛନ୍ତି ଯେ, ବକ୍‌ସି ଯଦି ଥରେ ମାତ୍ର କଲେକ୍ଟରଙ୍କ ଇଜଲାସ୍‌ରେ ଠିଆ ହୋଇ ପ୍ରକୃତ କଥାଟିକୁ କହି ତାଙ୍କଠାରୁ ପ୍ରତିକାର ଲୋଡ଼ିଥାଆ’ନ୍ତେ ତେବେ କିଲ୍ଲା କେବେହେଲେ ହାତଛଡ଼ା ହୋଇ ନଥାନ୍ତା । ମାତ୍ର ଲକ୍ଷେ ରାଜାଙ୍କ ମଉଡ଼ମଣି ଓଡ଼ିଶା ଗତପତିଙ୍କ ବକ୍‌ସି ଯିବେ, ଗୋଟିଏ ତୁଚ୍ଛ ଚାକିରିଆ ଫିରିଙ୍ଗିର ଇଜ୍‌ଲାସରୁ ନ୍ୟାୟ ମାଗିବାକୁ, ପୁଣି ଯେଉଁ ଅପରାଧ ସେ କରି ନାହାନ୍ତି, ସେଥିପାଇଁ ! କିଲ୍ଲା ତାଙ୍କର ଥିଲା, ତାଙ୍କର ହିଁ ରହିବ । କିଏ ସେଠି ପଶିପାରିବ ? ବକ୍‌ସି ଗଲେ ନାହିଁ । କିମ୍ବା କୃଷ୍ଣଚନ୍ଦ୍ର ମଧ୍ୟ ତାଙ୍କ ଜୀବିତାବସ୍ଥାରେ କିଲ୍ଲାର ଦଖଲ ନେଇ ପାରିଲେ ନାହିଁ । ଏହାକୁ ଆମେ ଏବେ ଯାହା କହୁଁ, ଓଡ଼ିଆ ପାଇକ ଏହିଭଳି ଥିଲେ । ଯୁଦ୍ଧକ୍ଷେତ୍ରରେ ପ୍ରାଣ ଦେଉଥିଲେ । ମାତ୍ର ଶତ୍ରୁକୁ ପୃଷ୍ଠ ପ୍ରଦର୍ଶନ କରୁ ନଥିଲେ । ବାଉଁଶ ଠେଙ୍ଗାରେ ସାମ୍ରାଜ୍ୟକୁ କେବଳ ସୁରକ୍ଷା ଦେଉ ନଥିଲେ । ସାମ୍ରାଜ୍ୟ ବିସ୍ତାର ମଧ୍ୟ କରୁଥିଲେ । ପାଇକମାନଙ୍କ ବେଶଥିଲା ସେମାନଙ୍କ ପ୍ରକୃତି ଅନୁସାରୀ । ‘ପାଇକଖେଦା’ରେ ତାହାର ବର୍ଣ୍ଣନା ଏହିଭଳି :–

 

ବାମେ ଯମଦାଢ଼ ଡାହାଣେ ତୋ’ ତା’ର କାତି,

କର୍ଣ୍ଣରେ କୁଣ୍ଡଳ ଭାଇ ଭୈରବ ମୂରତି ।।

ଦୁର୍ଗା ଦେଲେ କାଛଟା କାଳିକା ଦେଲେ କାଳୀ,

ମାଟି ପିଣ୍ଡରେ ମାଟିଭାଇ ହୋଇ ଅଛି ବୋଳି ।।

ଇଶ୍ୱରଙ୍କ ସିଂହ ଦଣ୍ଡାରୁ ଆଡ଼୍‌ବଦ୍ଧ ହୋଇ,

ବାଓନର ମାଳା ବହିଲୁ ତହିଁ ଭାଇ ।।

ବାସୁକୀ ବୋଲିଣ ଯେ ଅଟଇ ଏକ ନାଗ,

ସେ ଆସି ମଥାରେ ମୋର ହୋଇଅଛି ପାଗ ।।

 

ପାଇକମାନଙ୍କ ବେଶଭୂଷା ସମ୍ପର୍କରେ ଡଃ ତ୍ରିନାଥ ପଟ୍ଟନାୟକ ଲେଖିଛନ୍ତି, ‘‘ଶାନ୍ତି ସମୟରେ ପାଇକମାନେ ଫରିକଚ୍ଛା ମାରି ଲୁଗା ପିନ୍ଧୁଥିଲେ । ଦେହରେ ଅଙ୍ଗୀ, ମୁଣ୍ଡରେ ପଗଡ଼ି ବା ଟୋପି, ମଥାରେ ସିନ୍ଦୂର କଲି ବଡ଼ ବଡ଼ ମୁଚ୍ଛ ଓ ଦାଢ଼ି । ହାତରେ ଛାତିଏ ଉଚ୍ଚର ଠେଙ୍ଗା । ଯୁଦ୍ଧ ସମୟରେ ମୁଣ୍ଡରେ ବାଘ ଚମଡ଼ାର ଟୋପି । ଶରୀରରେ ଶିକୁଳିବନ୍ଧା ଧାତୁର ବର୍ମ ବ୍ୟବହାର କରୁଥିଲେ । ସେମାନେ ଦେହରେ ହଳଦିଆ ମାଟି ଓ ମୁହଁରେ ସିନ୍ଦୂର ବୋଳି ଯୁଦ୍ଧରେ ଯୋଗ ଦେଉଥିଲେ । ପାଇକମାନେ ପାଦରେ ଚମଡ଼ା ନିର୍ମିତ ଯୋତା ପିନ୍ଧୁଥିଲେ ।’’ (ଓଡ଼ିଆ ପାଇକ :–ବାଲିଯାତ୍ରା କଟକ ଉତ୍ସବ ସ୍ମରଣିକା :–୨୦୦୩) ଡଃ ପଟ୍ଟନାୟକ ପାଇକମାନେ ଅଙ୍ଗୀ ପିନ୍ଧୁଥିବାର କଥା କହିଛନ୍ତି । ମାତ୍ର ମନ୍ଦିର ଗାତ୍ରରେ ସୈନ୍ୟ ବାହିନୀର ଯେଉଁ ରୂପ ଆମେ ଦେଖୁଁ, ତର୍ହିରେ ସେମାନଙ୍କ ଉର୍ଦ୍ଧ୍ୱାଙ୍ଗ ନଗ୍ନ କିମ୍ବା ସାଞ୍ଜୁ ଦ୍ୱାରା ଆବୃତ ଥିବାର ଦେଖାଯାଉଛି । ଅଙ୍ଗୀ କଥାଟି କେଉଁ ସୂତ୍ରରୁ ଆସିଲା, ତାହା ଜାଣି ହେଉନାହିଁ ।

 

ସଙ୍ଗୀତ ଓ ନୃତ୍ୟ :–କଳା କ୍ଷେତ୍ର ଉତ୍କଳରେ ସଙ୍ଗୀତ ଏବଂ ନୃତ୍ୟ ହେଉଛି ଜୀବନ ଚର୍ଯ୍ୟାର ଏକ ଅଙ୍ଗ । ଶ୍ରମରେ ସଙ୍ଗୀତ, ଦିନଚର୍ଯ୍ୟାରେ ସଙ୍ଗୀତ- ସଙ୍ଗୀତ ହିଁ ସତେ ଯେପରି ଓଡ଼ିଆର ଜୀବନ ବେଦ ହୋଇ ପଡ଼ିଛି । ଓଡ଼ିଆ ଘରଣୀର ପୁରାଣ ପାଠ କାନ୍ଦଣା, ଶିଶୁ ମନୋରଞ୍ଜନ ନିମନ୍ତେ ଉଦ୍ଦିଷ୍ଟ ଗୀତରେ ସଙ୍ଗୀତର ଝଙ୍କାର ଶୁଣାଯାଏ । ଗ୍ରାମ ଚଉପାଢ଼ିରେ ଏକଦା ପ୍ରାଚୀନ କାବ୍ୟରୁ ଛାନ୍ଦ, ଚଉପଦୀ ଇତ୍ୟାଦି ଗାନ କରାଯାଇ ସେ ସବୁର ଆଲୋଚନା ମଧ୍ୟ କରାଯାଉଥିଲା ।

 

ଓଡ଼ିଶାର ସଂଖ୍ୟା ଗରିଷ୍ଠ ଆଦିବାସୀମାନେ ସଙ୍ଗୀତ ନୃତ୍ୟକୁ ଜୀବନର ଏକ ଅଙ୍ଗ ରୂପରେ ଗ୍ରହଣ କରିନେଇଛନ୍ତି । ସେମାନଙ୍କ ଜନ୍ମରେ ସଙ୍ଗୀତ, କର୍ମରେ ସଙ୍ଗୀତ, ଉତ୍ସବରେ ସଙ୍ଗୀତ ବ୍ୟସନରେ ସଙ୍ଗୀତ, ନୃତ୍ୟରେ ବି ସଙ୍ଗୀତ- ସଙ୍ଗୀତମୟ ଜୀବନ ହିଁ ସେମାନଙ୍କର ଶ୍ରେଷ୍ଠ ପରିଚୟ । ନୃତ୍ୟ ମଧ୍ୟ ସେହିଭଳି । ନୃତ୍ୟରେ ହୁଏତ ଲାଳିତ୍ୟର କିଛି ଅଭାବ ଥାଏ । ତେବେ ତାଳ ଓ ଛନ୍ଦ ପ୍ରତି ବିଶେଷ ଧ୍ୟାନ ଦିଆଯାଏ । ସଙ୍ଗୀତରେ ପ୍ରକୃତି, ପ୍ରେମ, ସୁଖ, ଦୁଃଖ, ଆଶା ଆକାଂକ୍ଷା, ବିରହ ମିଳନ ଇତ୍ୟାଦିର ବିବରଣୀ ସ୍ଥାନ ପାଇଥାଏ ଏବଂ ଭାବ ଦୃଷ୍ଟିରୁ ଏ ସବୁ ଯେ ସଭ୍ୟଜଗତର କୃତ୍ରିମ ସଙ୍ଗୀତଠାରୁ କୌଣସି ଗୁଣରେ ନ୍ୟୂନ ନୁହେଁ ଏହା ନ କହିଲେ ମଧ୍ୟ ଚଳିବ ।

 

ସେମାନଙ୍କ ପୂର୍ବରାଗର ଗାନଗୁଡ଼ିକ କିଛି କମ୍‌ ରୋମାଣ୍ଟିକ୍‌ ନୁହେଁ । ପ୍ରେମିକ ଆଖିରେ ପ୍ରେମିକା ହିଁ ହେଉଛି ସୌନ୍ଦର୍ଯ୍ୟର ଶେଷ ବିନ୍ଦୁ । ପର୍ବ ସମୟରେ ଦୀର୍ଘ କାଳ ଧରି ସଙ୍ଗୀତ ଓ ନୃତ୍ୟ ମଧ୍ୟରେ ସେମାନେ ଜୀବନର ଯନ୍ତ୍ରଣାକୁ ଫୁଙ୍କି ଉଡ଼ାଇ ଦିଅନ୍ତି । ଏମାନଙ୍କ ସଙ୍ଗୀତ ଓ ନୃତ୍ୟର ଅବଶ୍ୟ କୌଣସି ବ୍ୟାକରଣ ନାହିଁ । ପ୍ରକୃତି ହେଉଛି ଏମାନଙ୍କ ଗୁରୁ ଏବଂ ଶାସ୍ତ୍ର-ସବୁ କିଛି । ପବନର ସାଇଁ ସାଇଁ, ବର୍ଷାର ଝାଇଁ ଝାଇଁ, ନଦୀର କୁଳୁ କୁଳୁ, କୋଇଲିର କୁହୁ କୁହୁ ପ୍ରତ୍ୟେକଙ୍କଠାରୁ ଏମାନେ ସଙ୍ଗୀତ ପାଠ ନିଅନ୍ତି । ପ୍ରକୃତି ହିଁ ସେମାନଙ୍କୁ ଶିଖାଏ ନୃତ୍ୟର ଛନ୍ଦ । ମୟୂରର ନାଚ, ସର୍ପର ଦୋଳନ, ହସ୍ତୀର ଗମନ, ବ୍ୟାଘ୍ରର ଉଲ୍ଲମ୍ଫନ, ଏବଂ କୁରଙ୍ଗର ଲାସ୍ୟ-ବଣ ଜଙ୍ଗଲରେ ଗୁରୁର ଅଭାବ ନାହିଁ । ଶିଖିବା ପାଇଁ ଏମାନଙ୍କଠାରେ ଆଗ୍ରହ ମଧ୍ୟ ପ୍ରଚୁର । ଏହି ଭଳି ଯୁଗ ଯୁଗ ଧରି ଚାଲିଛି ସେମାନଙ୍କ ନୃତ୍ୟଗୀତ ଶିକ୍ଷା ।

 

ଓଡ଼ିଶାର ଗ୍ରାମୀଣ ଜନତା ଅବସର ବିନୋଦନ ନିମନ୍ତେ ନୃତ୍ୟଗୀତ ଆୟୋଜନ କରିଥାଆନ୍ତି । ଗ୍ରାମାଞ୍ଚଳରେ ଏହାର ଅଭାବ ନାହିଁ । ପଶ୍ଚିମ ଓଡ଼ିଶାର ଡାଲ୍‌ଖାଇ, ରସର୍‌କେଲି, କରମା ନାଚ, ଉପକୂଳ ଅଞ୍ଚଳର ଦଣ୍ଡନାଟ, ଚଇତି ଘୋଡ଼ା, କେଳା-କେଲୁଣୀ, ଚଢ଼େୟା ଚଢ଼େୟାଣୀ, ଶବର ଶବରୁଣୀ ନାଚ, ନଉଡ଼ି ଖେଳ, ସୁଆଙ୍ଗ, ପାଲା, ଦାସ କାଠିଆ, ଗୋଟିପୁଅ ନାଚ ପ୍ରଭୃତିରେ ଆମେ ଗ୍ରାମୀଣ ଜନତାର ଅକପଟ ହୃଦୟର ଅନାବିଳ ପ୍ରକାଶ ଦେଖିପାରିବା । ଏହାଛଡ଼ା ଭାରତ ଲୀଳା, ରାସଲୀଳା, ରାମଲୀଳା, ଦେଶୀଆ ନାଟ, ରାଧାପ୍ରେମ ଲୀଳା, ପ୍ରହ୍ଲାଦ ନାଟକ, ଯାତ୍ରା, ରାବଣ ଛାୟା, ଛଉନାଚ, କଣ୍ଢେଇ ନାଚ ପ୍ରଭୃତି ଲୋକନାଟ୍ୟର ବହୁ ବିଭାଗରେ ମଧ୍ୟ ନୃତ୍ୟ ଓ ସଙ୍ଗୀତର ଗୁରୁତ୍ୱ ରହିଛି ।

 

ଏକଦା ଉତ୍କଳର ଶିଷ୍ଟମଣ୍ଡଳ କଳାର ଏହି ବିଭାଗ ପ୍ରତି ଅନୁରକ୍ତ ଥିଲେ । ଦେବତାମାନେ ମଧ୍ୟ ନୃତ୍ୟ ସଙ୍ଗୀତରେ ଆନନ୍ଦ ଉପଭୋଗ କରିବାର ବ୍ୟବସ୍ଥା କରାଯାଇଥିଲା । ଯବନମାନେ ଏଠାକୁ ପ୍ରବେଶ କଲା ପରେ (୧୫୬୮ ପରେ) ଏହାର ଅବକ୍ଷୟ ଆରମ୍ଭ ହୋଇଛି-। ସେହି ସମୟରୁ ଇଂରେଜମାନେ ଓଡ଼ିଶା ଅଧିକାର କରିବା ପର୍ଯ୍ୟନ୍ତ (୧୮୦୩ ମସିହା) ରାଜନୈତିକ ଅସ୍ଥିରତା ଥିଲା ଓଡ଼ିଶାର ନିତ୍ୟସଙ୍ଗୀ । ଧର୍ମ ନାମରେ ମଣିଷ ନାରଖାର ହେଉଥିଲା-। ଏହି ସ୍ଥିତିରେ ନୃତ୍ୟ ସଙ୍ଗୀତ ଉପେକ୍ଷିତ ହେବା ସ୍ୱାଭାବିକ । ତେବେ ଦକ୍ଷିଣ ଓଡ଼ିଶାର ପରିସ୍ଥିତି ଅଲଗା ଥିଲା । ଆକ୍ରମଣକାରୀମାନେ ମାଳ ଅଞ୍ଚଳକୁ ପ୍ରବେଶ କରିବାକୁ ଇଚ୍ଛା କରୁ ନଥିଲେ । ତେଣୁ ସ୍ଥାନୀୟ ଶାସକମାନେ ନିଜ ଇଲାକାରେ ନିରଙ୍କୁଶ ଶାସନ ଚଳାଇଥିଲେ ଏବଂ ନିୟମିତ ସଙ୍ଗୀତ ଓ ନୃତ୍ୟ ଚର୍ଚ୍ଚାକୁ ପ୍ରୋତ୍ସାହିତ କରୁଥିଲେ । କବିସୂର୍ଯ୍ୟ, ଗୋପାଳ କୃଷ୍ଣ, ଗୌରହରି, ଉପେନ୍ଦ୍ରଭଞ୍ଜ ପ୍ରମୁଖଙ୍କ ଗୀତି କବିତା, ଛାନ୍ଦ, ଜଣାଣ, ଚମ୍ପୂ, ଚଉପଦୀ ପ୍ରଭୃତି ଏହି ଅସ୍ଥିରତା ପୂର୍ଣ୍ଣ ସମୟର ସୃଷ୍ଟି । ମଧ୍ୟଯୁଗୀୟ ଓଡ଼ିଆକାବ୍ୟ ହେଉଛି ସଙ୍ଗୀତର ଆକାର । ଏ ଗୁଡ଼ିକ ରାଗ, ତାଳ, ମାନ ଏବଂ ଲୟ ସହିତ ଗାନ କରାଯାଉଥିଲା । କବିମାନେ ତେଣୁ ପ୍ରତ୍ୟେକ ଥିଲେ ଜଣେ ଜଣେ ସଙ୍ଗୀତଜ୍ଞ । ଏହି ଚର୍ଚ୍ଚାରୁ ଓଡ଼ିଶାର ଯେଉଁ ସ୍ୱତନ୍ତ୍ର ଗାୟନ ରୀତି ପ୍ରକାଶ ପାଇଥିଲା, କବିଚନ୍ଦ୍ର କାଳୀଚରଣ ତାକୁହିଁ ଓଡ଼ିଶୀ ବୋଲି କହିଛନ୍ତି । ଓଡ଼ିଶାର ଦେବ ଦେଉଳର ନଟୀ, ମାହରୀ, ଆଖଡ଼ା ପିଲା ଗୋଟିପୁଅ ପ୍ରଭୃତି ନୃତ୍ୟ ଶୈଳୀରେ ଏହାର ପ୍ରତିଫଳନ ଘଟିଲା ଏବଂ ତାହାହିଁ ହେଲା ଓଡ଼ିଶୀ । କାଳୀଚରଣଙ୍କ ଉଦ୍ୟମରେ ହିଁ ପ୍ରଥମେ ସର୍ବଭାରତୀୟ ଦରବାରରେ ଏହି ଶୈଳୀ ଶାସ୍ତ୍ରୀୟତାର ମର୍ଯ୍ୟାଦା ପାଇଥିଲା । ସେ ନଥିବାରୁ ହିଁ ଓଡ଼ିଶୀ ସଙ୍ଗୀତ ଅଦ୍ୟାବଧି ଏହି ସମ୍ମାନ ଲାଭ କରିନାହିଁ । ସେମାନେ ସ୍ୱୀକାର କରନ୍ତୁ ନା ନକରନ୍ତୁ (ପ୍ରକୃତରେ ନାମ ଓ ଖ୍ୟାତି ପାଇଯିବା ପରେ କିଏ ଅତୀତ ଆଡ଼େ ଅନାଏ ?) ଆଜି ଯେଉଁମାନେ ବିଶ୍ୱ ଦରବାରରେ ପ୍ରଖ୍ୟାତ ଓଡ଼ିଶୀ ନୃତ୍ୟଗୁରୁର ସମ୍ମାନ ପାଇ କାଳୀବାବୁଙ୍କର ନାମୋଚ୍ଚାରଣ ମାତ୍ର ନ କରି ନିଜକୁ ସ୍ୱୟମ୍ଭୂ ମନେ କରୁଛନ୍ତି ଦିନେ କାଳୀଚରଣ ହିଁ ସେମାନଙ୍କ ହାତଧରି ନୃତ୍ୟରେ ତୋରଣ ଦ୍ୱାରକୁ ନେଇ ଆସିଥିଲେ । ଏହା ଆମ ଆଖିର ଦେଖା କଥା ।

 

ସଙ୍ଗୀତ ପ୍ରସଙ୍ଗରେ ଆଲୋଚନା କରିବାକୁ ଗଲେ ପ୍ରଥମେ ନାଟ୍ୟାଚାର୍ଯ୍ୟ ଭରତଙ୍କୁ ସ୍ମରଣ କରିବାକୁ ହେବ । ଭାରତର ଗାୟନ ଶୈଳୀକୁ ସେ ଆବନ୍ତୀ, ଦାକ୍ଷିଣାତ୍ୟା, ପାଞ୍ଚାଳୀ ଓ ଉଡ଼୍ରମାଗଧୀ ନାମରେ ଚାରିଭାଗରେ ବିଭକ୍ତ କରିଥିଲେ । ଏଥିପାଇଁ ସ୍ୱତନ୍ତ୍ର ଶାସ୍ତ୍ରମାନ ରଚିତ ହୋଇଥିଲା । ଓଡ଼ିଶାରେ ସଙ୍ଗୀତ କୌମୁଦୀ, ଗୀତପ୍ରକାଶ, ସଙ୍ଗୀତ ମୁକ୍ତାବଳୀ, ସଙ୍ଗୀତ କଳ୍ପଲତା, ନାଟ୍ୟ ମନୋରମା, ସଙ୍ଗୀତ ନାରାୟଣ, ସଙ୍ଗୀତରତ୍ନ, ସଙ୍ଗୀତ ସରଣୀ, ସଙ୍ଗୀତ ଚିନ୍ତାମଣି ପ୍ରଭୃତି ବହୁ ଗ୍ରନ୍ଥ ରଚିତ ହୋଇଛି । ପଞ୍ଚଦଶ ଶତକରୁ ଏ ସବୁର ରଚନା ଆରମ୍ଭ ହୋଇଥିବାରୁ ତାହାର ବହୁ ପୂର୍ବରୁ ଏଠାରେ ସେ ସବୁ ଚର୍ଚ୍ଚା ହେଉଥିଲା ବୋଲି ଅନୁମାନ କରାଯାଇଥାଏ । ଏ ସମ୍ପର୍କରେ ଗ୍ରନ୍ଥ ସଂଖ୍ୟାର ବିପୁଳତା ଓଡ଼ିଆମାନଙ୍କ କଳାନୁରାଗର ପ୍ରମାଣ ମିଳେ ।

 

ଓଡ଼ିଶୀ ସଙ୍ଗୀତର ସ୍ୱର ପ୍ରୟୋଗର ଏକ ବିଶେଷ ଭଙ୍ଗୀ ରହିଛି । କୌଣସି ନିର୍ଦ୍ଦିଷ୍ଟ ସ୍ୱରକୁ ଉଚ୍ଚାରଣ କରିବା ପୂର୍ବରୁ ତାହାର ନିକଟବର୍ତ୍ତୀ ସ୍ୱରର ସହାୟତା ଏଥିପାଇଁ ନିଆଯାଏ ଏବଂ ତାହା ଦ୍ୱାରା ସ୍ୱର ସ୍ୱତଃ ଆନ୍ଦୋଳିତ ହୋଇ ଲାଳିତ୍ୟ ପୂର୍ଣ୍ଣ ହୁଏ । ଛାନ୍ଦଗାୟନ ରୀତି ହେଉଛି ଓଡ଼ିଶାର ନିଜସ୍ୱ, ଏଥିରେ ସଂସ୍କୃତ ଛନ୍ଦମାନ ବ୍ୟମହୃତ ହୋଇଛି ଏବଂ ଏହା ଭାବାନୁସାରୀ ମଧ୍ୟ । ଓଡ଼ିଶୀରେ ଶାସ୍ତ୍ରୀୟ ନିୟମ ପୂର୍ଣ୍ଣ ସୁରକ୍ଷିତ ବୋଲି ବିଶେଷଜ୍ଞମାନଙ୍କ ମତ । ଏହା କର୍ଣ୍ଣାଟକୀ ଦ୍ୱାରା ବିଶେଷ ଭାବରେ ପ୍ରଭାବିତ–ଏଭଳି ଏକ ମତ ମଧ୍ୟ ଶୁଣିବାକୁ ମିଳେ । ତେବେ କମ୍ପନ ଯୁକ୍ତ ସ୍ୱର ପ୍ରୟୋଗ କର୍ଣ୍ଣାଟକୀର ବିଶେଷତ୍ୱ ହୋଇଥିବାରୁ ଏବଂ ଓଡ଼ିଶୀରେ ଏହାର ଅଭାବ ଥିବାରୁ ଏହି ମତର କୌଣସି ଯଥାର୍ଥତା ନାହିଁ । ଗଞ୍ଜାମ ଓ କୋରାପୁଟ–ଏ ଉଭୟ ଜିଲ୍ଲାର ଦକ୍ଷିଣ ଭାରତ ସହିତ ସମ୍ପର୍କ ଥିବାରୁ ସେ ଅଞ୍ଚଳର କୌଣସି ଗୁରୁ ହୁଏତ ଓଡ଼ିଶୀରେ କର୍ଣ୍ଣାଟକୀୟ ପଦ୍ଧତିର ପ୍ରୟୋଗ କରି ଏହାକୁ ଏକ ଦୃଷ୍ଟାନ୍ତ ରୂପେ ଦେଖାଇଥାଇ ପାରନ୍ତି । କୋରାପୁଟ ଦେଶୀୟାନାଟର ସଙ୍ଗୀତ ବିଭାଗରେ କର୍ଣ୍ଣାଟକୀୟ ପ୍ରୟୋଗ ସ୍ପଷ୍ଟ । ତେବେ ଏହା ବ୍ୟତିକ୍ରମ । ଓଡ଼ିଶୀ ଗାୟନ ରୀତି ସହ କର୍ଣ୍ଣାଟକୀର ସମ୍ପର୍କ ଆଦୌ ନିକଟତର ନୁହେଁ ।

 

ଖାରବେଳଙ୍କ ସମୟରୁ ଏଠାରେ ନୃତ୍ୟ ସଙ୍ଗୀତାଦିର ବହୁଳ ପ୍ରସାର ଥିବା କଥା ତାଙ୍କ ହାତୀଗୁମ୍ଫା ଶିଳାଲେଖର ତୃତୀୟ ବର୍ଷର ବିବରଣୀରୁ ଜଣାଯାଏ । ରାଣୀ ଗୁମ୍ଫା, ମଞ୍ଚପୁରୀ ଗୁମ୍ଫାରେ ଗାୟକ, ନର୍ତ୍ତକମାନଙ୍କ ଉତ୍କୀର୍ଣ୍ଣ ମୂର୍ତ୍ତିରୁ ମଧ୍ୟ ଏହା ପ୍ରମାଣିତ ହୁଏ । ତତ୍ତ୍ୱଗୁମ୍ଫା, ମଞ୍ଚପୁରୀ ଗୁମ୍ଫାରେ ନର୍ତ୍ତକୀମାନଙ୍କର ମୂର୍ତ୍ତି ରହିଛି । ଏ ସବୁ ଗୁମ୍ଫାରେ ମର୍ଦ୍ଦଳ ବାଦନକାରୀ ପୁରୁଷ ମୂର୍ତ୍ତି ମଧ୍ୟ ଅଛି । ଖ୍ରୀ:ପୂ ପ୍ରଥମ ଶତକରେ ନୃତ୍ୟ ଓ ସଙ୍ଗୀତରେ ଓଡ଼ିଶା କେତେ ଦୂର ବ୍ୟୁତ୍ପତ୍ନ ଥିଲା, ତାହା ଏଥିରୁ ଜଣାଯାଏ । ଜୟଦେବ- କାଳରେ ଗାନ୍ଧର୍ବ-ବିଦ୍ୟା ସାମାଜିକ ସମ୍ମାନର ପ୍ରତୀକ ଥିଲା । ସେ ‘ଗୀତଗୋବିନ୍ଦ’ ରେ ଲେଖିଛନ୍ତି, ‘‘ଯତ୍‌ଗାନ୍ଧର୍ବ କଳାସୁ କୌଶଳ ମନୁଧ୍ୟାନଂ ଚ’’ (ଦ୍ୱାଦଶ ସର୍ଗ : ୨୧ ଶ୍ଲୋକ) ଅର୍ଥାତ୍‌ଯେଉଁମାନେ ଗାନ୍ଧର୍ବ କଳା ଭଲ ପାଆନ୍ତି, ସେଇମାନେ କେବଳ ‘ଗୀତଗୋବିନ୍ଦ’ ପଢ଼ିବା ଉଚିତ ।

 

ଓଡ଼ିଶୀ ନୃତ୍ୟର ମୂଳ ସୂତ୍ର ସମ୍ପର୍କରେ କାଳୀଚରଣ ପ୍ରାୟ ଏହି ଶ୍ଳୋକଟିକୁ ଉଚ୍ଚାରଣ କରୁଥିଲେ :–

 

‘‘ଉଠା ବଇଠା ଠିଆ, ବୁଡ଼ା ଭସା ଭଉଁରୀ ପାଲି,

 

ଓଡ଼ିଶୀ ନାଟର ଆଠ ବେଲି ।’’ ନୃତ୍ୟ ସାଧନା ନିମନ୍ତେ ଶିକ୍ଷାର୍ଥୀଙ୍କ ପାଇଁ ଏ ହେଉଛି ପ୍ରଥମ ପାଠ । ଏହା ତ୍ରିମାତ୍ରିକ ଏବଂ ଚତୁର୍ମାତ୍ରିକ-ସହଜ ତାଳ ଓ ଲୟ ଦ୍ୱାରା ସାଧିତ ହୁଏ । ଉଠା- ଶାସ୍ତ୍ରନୁସାରୀ ଉତ୍‌ପ୍ଲବନ, ବଇଠା- ବସିବାର ଭଙ୍ଗୀ, ଠିଆ-ନୃତ୍ୟାରମ୍ଭ ଏବଂ ଶେଷରେ ଠିଆ ହେବାର ବିଶେଷ ଭଙ୍ଗୀ, ଚାଲି :–ଗୀତଗାଇ ଅଭିନୟ କରିବା ସମୟରେ ତାଳଲୟ ସହ ଆଗକୁ ଆସିବାର ରୀତି, ବୁଡ଼ା :–ପାତ୍ରର ହାବଭାବ ପ୍ରଦର୍ଶନ ଶୈଳୀ, ଭସା :–ଦୁଇହାତ ତରଙ୍ଗିତ କରି ଦେହନୁଆଇଁ ନୃତ୍ୟ ଭଙ୍ଗୀ, ଭଉଁରୀ :–ଘୂରି ଘୂରି ନାଚିବା ରୀତି, ପାଲି :–ନୃତ୍ୟ ସମୟରେ ଆଗପଛ ଓ ପାର୍ଶ୍ୱ ଗମନ କ୍ରିୟା, ଏହି ନୃତ୍ୟରେ ଗୋଇଠିର ବ୍ୟବହାର ଅଧିକ ।

 

ଏଥିରେ ଉଗ୍ର ଭାବଭଙ୍ଗୀ କମ୍‌ ଏବଂ ମୁଖ୍ୟତଃ ଏହା ଏକ ଲାସ୍ୟ ନୃତ୍ୟ । ରଙ୍ଗ ପ୍ରବେଶ ସମୟରେ ଏଥିରେ ପାତ୍ର ତ୍ରିଭଙ୍ଗ ଠାଣିରେ ଠିଆ ହେବାର ବିଧି ରହିଛି । ଏହା ଥାଇ (ସ୍ଥାୟୀ) ନାମରେ ପରିଚିତ । ବଟୁକେଶ୍ୱର ଭୈରବଙ୍କ ଆରାଧନା ଏ ନୃତ୍ୟର ଏକ ଅଙ୍ଗ । ରଙ୍ଗ ପ୍ରବେଶ ପରେ ପାତ୍ର ଭୂମିପ୍ରଣାମ, ଗଣେଶ ପୂଜନ, ବଟୁ ନୃତ୍ୟ, ପଲ୍ଲବୀ ନୃତ୍ୟ ସାଭିନୟ ନୃତ୍ୟ ପରେ ଆନନ୍ଦ ନୃତ୍ୟ ପ୍ରଦର୍ଶନ କରନ୍ତି । ଗୀତର ପାଦଟିଏ ସାଭିନୟ ଗାନକରିବା ପରେ ଅନ୍ୟ ଚରଣ ଆରମ୍ଭ କରିବା ପୂର୍ବରୁ ମଧ୍ୟବର୍ତ୍ତୀ ସମୟରେ ନୃତ୍ୟକୁ ‘ବଟୁ ନୃତ୍ୟ’ କୁହାଯାଏ । ଓଡ଼ିଶୀ ନୃତ୍ୟ ଭାବ ପ୍ରଧାନ । ଅଭିନୟକୁ ‘ପାରିଜା’ ଓ ‘ଅବଲୟ’ କୁହାଯାଏ । ‘ବଟୁ ନୃତ୍ୟ’ରେ କିଛି ତାଣ୍ଡବ ନୃତ୍ୟର ସମ୍ମିଶ୍ରଣ ହୁଏତ ଆଖଡ଼ା ପିଲାମାନେ ଏଥିରେ ଯୋଗଦେବା ପରେ ହୋଇଛି । ପ୍ରଥମେ ଏହା ମାହାରୀ ବା ଦେବଦାସୀମାନେ କରୁଥିଲେ । ଆଫ୍‌ଗାନ୍‌ମାନେ ଏଠାକୁ ଆସିବା ପରେ ନାରୀ ସମାଜ ଅସୁରକ୍ଷିତ ହୋଇ ପଡ଼ିବାରୁ ବାହାରେ ଆସି ନୃତ୍ୟ କରିବା ସେମାନଙ୍କ ପକ୍ଷରେ ସମ୍ଭବ ହେଲା ନାହିଁ । ସେତିକିବେଳେ କିଶୋରମାନଙ୍କୁ ନାରୀ ବେଶରେ ସଜାଇ ଗୋଟିପୁଅ ନୃତ୍ୟ ସୃଷ୍ଟି ହେଲା । ଦେବଦାସୀମାନେ ଦେବସେବା ପାଇଁ ନୃତ୍ୟ କରୁଥିଲେ । ରାଜା ରାମଚନ୍ଦ୍ର ଦେବଙ୍କ ସମୟରେ ‘ଖୋରଧା ନିୟୋଗ’ ନାମରେ ନାରୀ ନୃତ୍ୟ ଦରବାରୀ ହୋଇଗଲା ।

 

ଏ ସମୟରେ ରାଜନୈତିକ ସ୍ଥିତି ଘୋର ଅସ୍ଥିରତା ପୂର୍ଣ୍ଣ ଏବଂ ଧନମାନ ଜୀବନ ଅସୁରକ୍ଷିତ ଥିଲା । ରାମଚନ୍ଦ୍ର ଦେବ ଶ୍ରୀଜୀଉଙ୍କ ସମ୍ମୁଖରେ ଗୋଟିପୁଅ ନୃତ୍ୟର ପ୍ରଚଳନ କରିଥିବାର କୁହାଯାଏ । କ୍ରମେ ଯବନମାନଙ୍କ ଅନୁକରଣରେ ଏ ଦେଶର ସାମନ୍ତମାନେ ଯେଉଁ ମଜ୍‌ଲିସ୍‌ ପ୍ରବର୍ତ୍ତନ କଲେ ଗୋଟିପୁଅ ନୃତ୍ୟ ତହିଁରେ ସ୍ଥାନ ପାଇଲା । ନୃତ୍ୟ ପରମ୍ପରା ଏଇମାନେ ହିଁ ସେ ଦୁର୍ଦ୍ଦିନରେ ବଞ୍ଚାଇ ରଖିଥିଲେ । ଆଖଡ଼ାରେ ଗୁରୁମାନେ ଏମାନଙ୍କୁ ନିୟମିତ ଶିକ୍ଷା ଦାନ କରୁଥିଲେ । ୧୮୪୦ରେ ଓଡ଼ିଶୀ ନୃତ୍ୟ ଓ ସଙ୍ଗୀତ ଚର୍ଚ୍ଚାର ମୁଖ୍ୟ କ୍ଷେତ୍ର ଗଞ୍ଜାମ ଓଡ଼ିଶାରୁ ବିଛିନ୍ନ ହୋଇ ମାଡ଼୍ରାସ୍‌ରେ ମିଶିଯିବା ଫଳରେ ଏହି କଳାର ପ୍ରଭୂତ କ୍ଷତି ହୋଇଥିଲା । ଧୀରେ ଧୀରେ ଏହା ବିସ୍ମୃତି ଗର୍ଭକୁ ଚାଲିଯିବା ଭଳି ଅବସ୍ଥା ସୃଷ୍ଟି ହେଲା । ନାନାକାରଣରୁ ସମ୍ଭ୍ରାନ୍ତ ପରିବାର ମଧ୍ୟ ଏହା ପ୍ରତି ବୀତସ୍ପୃହ ହୋଇ ପଡ଼ିଲେ । ଚର୍ଚ୍ଚାର ଅଭାବରୁ ଏହାର ଶାସ୍ତ୍ରୀୟ ଦିଗଟି ବିଶେଷରୂପେ ଅବହେଳିତ ହେଲା । ଅଶିକ୍ଷିତ ବା ଅର୍ଦ୍ଧଶିକ୍ଷିତ ବର୍ଗରେ ତଥାପି ଏହା ପେସା ରୂପେ ରହିଥିଲା । ଦକ୍ଷିଣରେ ଆନ୍ଧ୍ର ପ୍ରଭାବରେ ଚଟୁଳ ନାରୀ ନୃତ୍ୟର ପ୍ରସାର ହେବାରୁ ଶାସ୍ତ୍ରୀୟ ପରମ୍ପରାରେ ସାଧନା ନିମନ୍ତେ ଅନାଗ୍ରହ ପ୍ରକାଶ ପାଇଲା । ସଙ୍ଗୀତରେ କର୍ଣ୍ଣାଟକୀ ରୀତିର ପ୍ରବେଶ ଏହି ସମୟରେ କର୍ଣ୍ଣାଟକୀ ଗାୟନ ପଦ୍ଧତିର ସୃଷ୍ଟି ମାତ୍ର ସପ୍ତଦଶ ଶତକରେ ପଣ୍ଡିତ ଭେଙ୍କଟ ଭରବୀଙ୍କ ଦ୍ୱାରା ହୋଇଥିବା ସ୍ଥଳେ ଖ୍ରୀ:ପୂ ପ୍ରଥମ ଶତକ ବେଳକୁ ଓଡ଼ିଶୀ ସଙ୍ଗୀତ ଓ ନୃତ୍ୟର ଚର୍ଚ୍ଚା ଯେ, ଚରମ ଅବସ୍ଥାରେ ଥିଲା, ସ୍ୱୟଂ ଖାରବେଳ ତା’ର ପ୍ରମାଣ ଛାଡ଼ିଯାଇଛନ୍ତି । ଶ୍ରୀମନ୍ଦିରରେ ମଧ୍ୟ ଗଙ୍ଗରାଜତ୍ୱ କାଳରୁ ଏହାର ଚର୍ଚ୍ଚା ହେଉଥିବାର ପ୍ରମାଣ ରହିଛି ।

 

ଓଡ଼ିଶୀ ନୃତ୍ୟକୁ କେହି ଛଅ ଭାଗରେ ଏବଂ ଆଉ କେହି ସାତ ଭାଗରେ ବିଭକ୍ତ କରି ଥାଆନ୍ତି । ତାହା ହେଲା (କ) ପାତ୍ର ପ୍ରବେଶ-ଭୂମିପ୍ରଣାମ (ଖ) ଗଣେଶ ପୂଜନ (ଗ) ବଟୁ ନୃତ୍ୟ (ଘ) ପଲ୍ଲବୀ ନୃତ୍ୟ (ଙ) ସାଭିନୟ ନୃତ୍ୟ (ଚ) ପ୍ରାନ୍ତ ନୃତ୍ୟ, ଶାସ୍ତ୍ରୀୟ ନୃତ୍ୟର ସ୍ୱୀକୃତି ପାଇବା ପରେ ଉଭୟ ଦେଶ ଏବଂ ବିଦେଶରେ ଏହାର ଆଦର ବୃଦ୍ଧି ପାଇଛି । ବହୁ ଗୁରୁ ଏହାକୁ ଶିଖାଉଛନ୍ତି । ତେବେ ଶସ୍ତା ଲୋକପ୍ରିୟତା ତଥା ନୂତନତା ସୃଷ୍ଟିର କାମନାରେ ଏଥିରେ ବହୁ ପରିବର୍ତ୍ତନ ହେବା ଫଳରେ ଏହାର ଶାସ୍ତ୍ରୀୟତା ବହୁ ପରିମାଣରେ କ୍ଷୁର୍ଣ୍ଣ ହୋଇଛି ।

 

ନଦୀ ଝରଣାର କୁଳୁକୁଳୁ ତାନ ଏବଂ ତରଙ୍ଗର ଛନ୍ଦ ମଧ୍ୟରୁ ଦିନେ ହୁଏତ ଆଦିମାନବ ନୃତ୍ୟ ସଙ୍ଗୀତର ପ୍ରଥମ ପାଠ ଗ୍ରହଣ କରିଥିଲା । ସଭ୍ୟମଣିଷ ତାକୁ ଶାସ୍ତ୍ରାୟିତ କରି ଏହାର ବ୍ୟାକରଣ ପ୍ରସ୍ତୁତ କରିଛି । ସଭ୍ୟ ଜାତିର ପରିଚୟ ରୂପେ ତାକୁ ପ୍ରତିଷ୍ଠା ଦେଇ ଘୋଷଣା କରିଛି,

 

ସାହିତ୍ୟ ସଙ୍ଗୀତ କଳା ବିହୀନଃ,

 

ସାକ୍ଷାତ୍‌ ପଶୁପୁଚ୍ଛ ବିଷାଣ ହୀନଃ । ସଙ୍ଗୀତ ନୃତ୍ୟ ପ୍ରଭୃତି ସୁକୁମାର କଳା ଏହିଭଳି ସଭ୍ୟଜାତିର ପରିଚୟ ହୋଇଯାଇଛି । ଓଡ଼ିଶୀ ନୃତ୍ୟ ଓ ସଙ୍ଗୀତ ଓଡ଼ିଆ ଜାତିର ଐତିହ୍ୟ ଓ ପରମ୍ପରାର ପ୍ରତୀକ ହୋଇ ଠିଆ ହୋଇଛି । ଏହାର ମୌଳିକତା ଯେ କୌଣସି ଉପାୟରେ ରକ୍ଷା କରିବା ହେଉଛି ଆମର ଜାତୀୟ କର୍ତ୍ତବ୍ୟ ।

 

ଉପସଂହାର :–ମହାନଦୀ ଅବବାହିକାରେ ସଂସ୍କୃତିର ବୈଶିଷ୍ଟ୍ୟ କ’ଣ- ବିଶ୍ୱ ସଂସ୍କୃତିକୁ ଏହାର ଅବଦାନ କ’ଣ- ଏ ଭଳି ଗୋଟିଏ ପ୍ରଶ୍ନ ସ୍ୱତଃ ମନରେ ଦେଖାଦିଏ । ଅଧିକାଂଶ ବିଦ୍ୱାନ୍‌ଙ୍କ ମତରେ ଜଗନ୍ନାଥ ହିଁ ହେଉଛନ୍ତି, ସେଇ ବିନ୍ଦୁ, ଯାହାଙ୍କୁ କେନ୍ଦ୍ର କରି ସମଗ୍ର ଓଡ଼ିଶା ସଂସ୍କୃତି ଆବର୍ତ୍ତିତ ହେଉଛି । ତେବେ ଏହି ଜଗନ୍ନାଥ ସଂସ୍କୃତିର ରୂପ କିଭଳି ? ଜଗନ୍ନାଥ ସ୍ୱୟଂ ଏକ ସମନ୍ୱିତ ସଂସ୍କୃତିର ନାୟକ । ବିଭିନ୍ନ ସଂସ୍କୃତିର ଏକ ଫେଣ୍ଟା ଫେଣ୍ଟି କକ୍‌ଟେଲ୍‌ । ଏହି ମିଶ୍ରଣ ପୁଣି କିପରି ? କ୍ଷୀର ନୀର ନ୍ୟାୟ କିମ୍ବା ତିଳତଣ୍ଡୁଳ ନ୍ୟାୟ ? କ୍ଷୀର ନୀର ମିଶି ନିଜର ସତ୍ତା ହରାଇଲା ପରି ନା ତିଳ ତଣ୍ଡୁଳ ମିଶ୍ରଣର ବନ୍ଧୁତ୍ୱ ପୂର୍ଣ୍ଣ ସହାବସ୍ଥାନ ପରି ? ଆମ ମତରେ ସବୁଧର୍ମ ନିଜର ସ୍ୱତନ୍ତ୍ର ଅସ୍ତିତ୍ୱ ବଜାୟ ରଖି ବନ୍ଧୁତ୍ୱ ପୂର୍ଣ୍ଣ ସହାବସ୍ଥାନର ସ୍ଥିତିରେ ଶତାବ୍ଦୀ ପରେ ଶତାବ୍ଦୀ ଅତିକ୍ରମ କରି ଚାଲିଛନ୍ତି । ସହନଶୀଳତା, ଉଦାରତା ଏବଂ ବିଶ୍ୱମାନବିକତା ସହିତ ସେବା ମନୋଭାବ ହେଉଛି ଉତ୍କଳୀୟ ସଂସ୍କୃତିର ବୈଶିଷ୍ଟ୍ୟ । ସର୍ବଧର୍ମ ପ୍ରତି ସମ୍ମାନ ପ୍ରଦର୍ଶନ ଏବଂ ସହାନୁଭୂତି ଦେଖାଇବା ହେଉଛି ଏହାର ପ୍ରଧାନ ଦିଗ । ଚଣ୍ଡାଶୋକଙ୍କ ଧର୍ମାଶୋକରେ ପରିବର୍ତ୍ତନ ହେଉଛି ଏହାର ଏକ ଦୃଷ୍ଟାନ୍ତ । ଏହାକୁ ଲକ୍ଷ୍ୟ କରି ଡଃ ହରେକୃଷ୍ଣ ମହତାବ୍‌ କହିଛନ୍ତି, ‘‘ଏଥିରେ ସନ୍ଦେହ ନାହିଁ ଯେ, ଯେଉଁ ସଦାଚାର ଓ ସହନଶୀଳତା ଦ୍ୱାରା ଭାରତୀୟ ସଂସ୍କୃତିର ଭିତ୍ତି ସ୍ଥାପିତ ହୋଇଥିଲା, ତାହାର ଶୁଭାରମ୍ଭ ଏହି ଭୁବନେଶ୍ୱରରୁ ହିଁ ଆରମ୍ଭ ହୋଇଥିଲା ।’’ (ଭାରତୀୟ ସଂସ୍କୃତିକୋ ଉତ୍କଲ୍‌ କୀ ଦେନ୍‌ :–ରାଷ୍ଟ୍ରଭାଷା ରଜତ ଜୟନ୍ତୀ ଗ୍ରନ୍ଥ :–ପୃ :–୨୪୧)

 

ପଣ୍ଡିତ ନୀଳକଣ୍ଠ ଏ ସମ୍ପର୍କରେ କହନ୍ତି ଯେ, ୧୦୨୬ ଖ୍ରୀ:ଅରେ ମାମୁଦ୍‌ଙ୍କ ଦ୍ୱାରା ଗୁଜରାଟର ସୋମନାଥ ମନ୍ଦିର ଧ୍ୱଂସ ହେଲା । ସେ ସମୟରେ ଏହା ଥିଲା ଭାରତର ପ୍ରମୁଖ ହିନ୍ଦୁ ତୀର୍ଥ । ଏହା ପରେ ଦୁଇଶତାବ୍ଦୀ ଧରି ଯବନ ଆକ୍ରମଣରେ ଭାରତର ରାଜନୈତିକ ସ୍ଥିତି ଅସ୍ତବ୍ୟସ୍ତ ହେବା ସହିତ ଧର୍ମପୀଠଗୁଡ଼ିକ ବିଶେଷ ଭାବରେ କ୍ଷତିଗ୍ରସ୍ତ ହୋଇଥିଲେ । ଏ ସମୟରେ ଓଡ଼ିଶାରେ ଗଙ୍ଗ ବଂଶୀୟମାନଙ୍କ ରାଜତ୍ୱ, ଏମାନେ ଯବନ ଆକ୍ରମଣରୁ ଓଡ଼ିଶାକୁ ଯଥା ସମ୍ଭବ ନିରାପଦ ରଖିଥିଲେ । ଚୋଡ଼ଗଙ୍ଗ ଦେବଙ୍କ ସମୟରେ ଜଗନ୍ନାଥଙ୍କ ବର୍ତ୍ତମାନ ମନ୍ଦିର ନିର୍ମିତ ହେଲା । ତହିଁରେ ପୂର୍ବ ଭାରତୀୟ ଧର୍ମଧାରଣା ତଥା ବିଷ୍ଣୁ ଭକ୍ତି ପରିପୁଷ୍ଟ ହୋଇଥିଲା । ଏଣୁ ପୁରୁଷୋତ୍ତମ- ପୁରୀ ହିଁ ହେଲା ଭାରତୀୟ ସଂସ୍କୃତିର କେନ୍ଦ୍ର । ଏହାର ଭାରତବ୍ୟାପୀ ପ୍ରଭାବ ସାରା ଦେଶରେ ଆଜି ମଧ୍ୟ ରହିଛି । (ଭାରତୀୟ ସଂସ୍କୃତିକୋ ଉତ୍କଲ୍‌ କୀ ଦେନ୍‌ :–ରାଷ୍ଟ୍ରଭାଷା ରଜତ ଜୟନ୍ତୀ ଗ୍ରନ୍ଥ :–ପୃ : ୨୩୩)

 

ମୁସଲମାନମାନେ ବାରମ୍ବାର ଶ୍ରୀମନ୍ଦିର ଲୁଣ୍ଠନ କରିଛନ୍ତି । ଅନ୍ତତଃ ଥରେ ଶ୍ରୀଜୀଉଙ୍କ ବିଗ୍ରହକୁ ଅଗ୍ନିରେ ପୋଡ଼ାଯାଇଥିବା କଥା ଇତିହାସ ସମର୍ଥିତ । ହିନ୍ଦୁ ରାଜପୁତ୍‌ କେଶୋଦାସ ମାରୁ ମଧ୍ୟ ମନ୍ଦିର ଲୁଟ୍‌ରେ ସାମିଲ୍‌ ହୋଇଛି । ସାମାନ୍ୟ ଏକ ଦାରୁ ମୂର୍ତ୍ତି ପ୍ରତି ଏ ଜାତିର ଅଚଳା ଭକ୍ତି ମିଶନାରୀମାନଙ୍କୁ ଆଶ୍ଚର୍ଯ୍ୟ କରିଛି । ତେଣୁ ସେମାନେ ଜଗନ୍ନାଥଙ୍କ କୁତ୍ସାରଟନାରେ ଲାଗିଥିଲେ । ହଣ୍ଟରଙ୍କ ‘ଓଡ଼ିଶା’ ବ୍ୟତୀତ ଆମେରିକାରୁ ପ୍ରକାଶିତ ୱେବଷ୍ଟର ଡିକ୍ସନାରୀରେ ଶ୍ରୀ ଜଗନ୍ନାଥଙ୍କ ନାମରେ ଏଣୁ ତେଣୁ ପ୍ରଚାର କରାଗଲା । ଅଭିଧାନରେ ତାଙ୍କର ନାମକୁ ବିକୃତ କରାଯାଇ ଲେଖାଗଲା ‘ଜଗର୍‌ନଟ’ (Juggernaut), ଅର୍ଥ ‘ବିଶାଳକାୟ ଯାନ’ ‘ପ୍ରଚଣ୍ଡ ଶକ୍ତି’ ବା ‘ବସ୍ତୁ’ ଇତ୍ୟାଦି । ତହିଁରେ ଜଗନ୍ନାଥଙ୍କ କିମ୍ଭୂତକିମାକାର ରୂପ ବର୍ଣ୍ଣନା ସହିତ କୁତ୍ସିତ ପ୍ରଥାରେ ହିନ୍ଦୁମାନେ ଏହାର ପୂଜା କରୁଥିବାର ବର୍ଣ୍ଣନା କରାଗଲା । ପାଦ୍ରୀମାନେ ଶ୍ରୀଜଗନ୍ନାଥଙ୍କ ସମ୍ପର୍କରେ ଅନେକ ଅପମାନ ଜନକ କଥା କହିଛନ୍ତି ଓ ଲେଖିଛନ୍ତି । ଏଠାରେ ସେ ସବୁ ଆଲୋଚନା କରାଯାଉ ନାହିଁ । ଏ ସବୁ ସତ୍ତ୍ୱେ ଶ୍ରୀ ଜଗନ୍ନାଥ ନିଜସ୍ୱ ମହିମାରେ ବିଦ୍ୟମାନ ଅଛନ୍ତି ଏବଂ ସମଗ୍ର ବିଶ୍ୱକୁ ନିଜ ଉଦାରତାର ମହିମାରେ ମହିମାନ୍ୱିତ କରୁଛନ୍ତି ।

 

ଓଡ଼ିଶାର ସାଂସ୍କୃତିକ ଇତିହାସରେ ପ୍ରାଚୀ ଉପତ୍ୟକା ଏବଂ ସେଠାରେ ପ୍ରଚାରିତ ଆଧ୍ୟାତ୍ମିକ ସଂସ୍କୃତିର ଏକ ନିର୍ଦ୍ଦିଷ୍ଟ ଭୂମିକା ରହିଛି । କୋମଳକାନ୍ତ ପଦାବଳୀର ସ୍ରଷ୍ଟା ଜୟଦେବ ଏହି ଉପତ୍ୟକାର ସନ୍ତାନ । ଭୌଗୋଳିକ ଦୃଷ୍ଟିରୁ ପ୍ରାଚୀ ନଦୀ ହେଉଛି କୁଆଖାଇର ଏକ ଶାଖା । କୁଆଖାଇ କାଠଯୋଡ଼ିରୁ ତଥା କାଠଯୋଡ଼ି ମହାନଦୀରୁ ବାହାରି ଥିବାରୁ ମହାନଦୀ ସହିତ ଏହାର ସମ୍ପର୍କ ପ୍ରମାଣିତ । ନିମ୍ନ ଭୂମିରେ ପ୍ରବାହିତ ଏହି ନଦୀ ହେଉଛି ମହାନଦୀର ପ୍ରଶାଖା । ପଟୁପଡ଼ି ପ୍ରାଚୀ ନଦୀ ମୁହାଣ ଏବେ ବନ୍ଦ ହୋଇଗଲାଣି । ବର୍ତ୍ତମାନ ଏହା ଫୁଲନଖରା ପାଖରୁ ପ୍ରବାହିତ ହୋଇ କନ୍ଦଳ ତଥା କୁଶଭଦ୍ରାର ମଧ୍ୟବର୍ତ୍ତୀ ଅଞ୍ଚଳକୁ ପ୍ଲାବିତ କରୁଛି । ‘‘କପିଳ ସଂହିତା’’ (15th 16 th ଖ୍ରୀ: ଅ)ର ଉକ୍ତି ଅନୁସାରେ–

 

‘‘ଏକାମ୍ର କାନନାତ୍‌ ପୂର୍ବେ ଯୋଜନାନ୍ତେ ମହୀପତେ,

ନାମ୍ନା ପ୍ରାଚୀତି ବିଖ୍ୟାତା ସରିଦାସ୍ତେ ସାରସ୍ୱତୀ ।।

ପ୍ରାଚ୍ୟାଂ ଦିଶି ମହେଶସ୍ୟ ଯତ୍ର ସ୍ୟାତ୍‌ ସାଗରଂ ଗମା,

କ୍ରୋଶେ କ୍ରୋଶେ ତଟେ ଲିଙ୍ଗଂ ତତଃ ପ୍ରାଚୀ ସରସ୍ୱତୀ ।।

ତସ୍ୟା ସ୍ନାତ୍ୱା ମହୀପାଳ ଜ୍ୟୋତିର୍ଲୋଙ୍କ ବ୍ରଜେନ୍ନରଃ;

ସର୍ବପାପ ର୍ବିନିମୁକ୍ତଃ ସପ୍ତ ବିଂଶତି ପୁରୁଷୈଃ;

ସର୍ବ ପୁଣ୍ୟ ପ୍ରଦା ଧନ୍ୟା ବୈକୁଣ୍ଠ ଭୁବନ ପ୍ରଜା,

ସାକ୍ଷାତ୍‌ ସରସ୍ୱତୀ ପ୍ରାଚୀ ନାନ୍ୟଥା ନୃପ ସତ୍ତମ ।।

(୨୦ଅ. ୧୮-୨୧)

 

ସମୁଦାୟ ତେରଟି ଶ୍ଳୋକରେ ଏଥିରେ ପ୍ରାଚୀ ନଦୀର ମାହାତ୍ମ୍ୟ ବର୍ଣ୍ଣିତ ହୋଇଛି । ପ୍ରାଚୀ ତୀରରେ ଶିବପୀଠର ପ୍ରାଚୁର୍ଯ୍ୟ, ପୌରାଣିକ ସରସ୍ୱତୀ ନଦୀ ସହିତ ଏହାର ସାମ୍ୟ ତ୍ରିବେଣୀ ତୀର୍ଥର ମହତ୍ତ୍ୱ, ବିଭିନ୍ନ ତିଥିରେ ତହିଁରେ ସ୍ନାନ କରିବା ଫଳ ଏଥିରେ ବର୍ଣ୍ଣିତ । ଉତ୍କଳର ତୀର୍ଥ ଓ ତାହାର ମାହାତ୍ମ୍ୟ’ (ରାଷ୍ଟ୍ରଭାଷା ରଜତ ଜୟନ୍ତୀ ଗ୍ରନ୍ଥ :–ପୃ :୨୮୭)ପ୍ରବନ୍ଧରେ ଲେଖକ ବିପିନ୍‌ ବିହାରୀ ନାଥ-ପ୍ରାଚୀ ତୀର୍ଥର ମାହାତ୍ମ୍ୟ ‘କପିଳ ସଂହିତା’ରେ ଉଲ୍ଲେଖ ନାହିଁ ବୋଲି ଯାହା ଲେଖିଛନ୍ତି, ତାହା ଠିକ୍‌ ନୁହେଁ । କପିଳ ସଂହିତା ବିବରଣୀ ଅନୁସାରେ ସେତେବେଳେ ପ୍ରାଚୀ ତୀରରେ ବିଲେଶ୍ୱର, ଧମରେଶ୍ୱର ଏବଂ କପିଳେଶ୍ୱର ପ୍ରଭୃତି ପ୍ରଖ୍ୟାତ ଶୈବପୀଠ ରହିଥିଲା । କପିଳ ହୁଏତ ନିଜେ ଶୈବଥିବାରୁ ଶିବପୀଠ ସମ୍ପର୍କରେ ଏତେ ଉଚ୍ଛ୍ୱସିତ ହୋଇ ପଡ଼ିଛନ୍ତି ଏବଂ ପ୍ରାଚୀ ଉପତ୍ୟକାର ପ୍ରାଚୀନ ମାଧବ ଉପାସନା ପ୍ରସଙ୍ଗକୁ ଏଡ଼ାଇ ଯାଇଛନ୍ତି ।

ଏହି ଉପତ୍ୟକାରେ ଖ୍ରୀ:ପୂ ଷଷ୍ଠ ଶତକରେ ଜୈନଧର୍ମର ପ୍ରସାର ଥିବା ତୀର୍ଥଙ୍କର ପାର୍ଶ୍ୱନାଥଙ୍କ ଉପାସନାରୁ ପ୍ରମାଣିତ ହୁଏ । ସେଠାରେ ପୁଣି ବୌଦ୍ଧଧର୍ମର ଅସ୍ତିତ୍ୱ ପ୍ରମାଣିତ ହେଉଛି । ଆସ୍ତିକ ଜରତ୍‌କାରୁ, ଭୈରବ, ଦ୍ୱିହସ୍ତା ମହିଷ ମର୍ଦ୍ଦିନୀ ପ୍ରଭୃତିଙ୍କ ପ୍ରତିମା ମଧ୍ୟ ସେ ଅଞ୍ଚଳରେ ଉପଲବ୍ଧ, ବୌଦ୍ଧ ଧର୍ମର ଶ୍ୟାମାତାରା ବା ମହାସରସ୍ୱତୀ ଏବେ ସେଠାରେ ମଙ୍ଗଳା ରୂପରେ ପୂଜିତା । ଏ ସବୁଥିରୁ ଏହା ହିଁ ପ୍ରମାଣିତ ହେଉଛି ଯେ, ଏଠାରେ ଏକଦା ଜୈନ, ବୌଦ୍ଧ, ଶାକ୍ତ, ନାଗ, ଏବଂ ବୈଷ୍ଣବ-ଧର୍ମର ପ୍ରସାର ଘଟିଥିଲା ।

କେନ୍ଦୁଲିର ଜୟଦେବ ଯାଦୁଘରେ ଏବେ ଅଛନ୍ତି ମାଧବମୂର୍ତ୍ତି (ଲକ୍ଷ୍ମୀ-ମାଧବ) । ମାଧବ ଶାସନରେ ଉପାସିତ ହେଉଛନ୍ତି ମାଧବାନନ୍ଦ-ଚତୁର୍ଭୁଜ ଏବଂ ଶଙ୍ଖ, ଚକ୍ର, ଗଦା, ପଦ୍ମ ଧାରୀ । ସେଠାରେ ଅଛନ୍ତି ଚତୁର୍ଭୁଜା ଦୁର୍ଗା । ମନ୍ଦିର ନିର୍ମିତ ହୋଇଥିଲା ଗଙ୍ଗରାଜତ୍ୱ କାଳରେ ପ୍ରାୟ ତ୍ରୟୋଦଶ ଶତକର ମଧ୍ୟ ଭାଗରେ । ନିଆଳିଶାସନରେ ରହିଛି ଦ୍ୱାଦଶ ଶତକରେ ନିର୍ମିତ ଶୋଭନେଶ୍ୱରଙ୍କ ମନ୍ଦିର । ଏଠାରେ ଯାଦୁଘରେ ଆଠଟି ମାଧବ ମୂର୍ତ୍ତି ସଂରକ୍ଷିତ । କେନ୍ଦୁଲୀଠାରୁ ୯ କି:ମି ଦୂରରେ ଥିବା ଚୌରାଅଶୀ ଗ୍ରାମରେ ଲକ୍ଷ୍ମୀ-ନାରାୟଣ ବିଗ୍ରହ ପୂଜିତ ହେଉଛନ୍ତି । ଏଠାରେ ଅଷ୍ଟମ ଶତକରେ ନିର୍ମିତ ବାରାହୀ ମନ୍ଦିର ମଧ୍ୟ ରହିଛି ।

ପ୍ରାଚୀରେ ରହିଛି ପ୍ରସିଦ୍ଧ ପରାଶର ପୀଠ । ପ୍ରତିବର୍ଷ ମାଘମାସ ତ୍ରିବେଣୀ ଅମାବାସ୍ୟାରେ ଏହି ପବିତ୍ର ନଦୀରେ ବୁଡ଼ ପକାଇଲେ ନିଶ୍ଚିତ ମୋକ୍ଷଲାଭ ହୁଏ ବୋଲି ଲୋକ ବିଶ୍ୱାସ । ‘କପିଳ ସଂହିତା’ ହୁଏତ ଏହି ଘଟଣାକୁ ଲକ୍ଷ୍ୟ କରି ‘ସର୍ବସାପ ବିନିର୍ମୁକ୍ତଃ ସପ୍ତ ବିଂଶତି ପୁରୁଷୈଃ’ ବୋଲି କହିଛନ୍ତି । ପ୍ରାଚୀ ନଦୀ ତୀରରେ ଶଙ୍ଖ-ଚକ୍ର-ଗଦା-ପଦ୍ମଧାରୀ ଚତୁର୍ଭୁଜ ମାଧବ ମୂର୍ତ୍ତି ପୂଜିତ ହେଉଛନ୍ତି । ବ୍ୟାସପିତା ମହର୍ଷି ପରାଶର ଏଠାରେ ତପସ୍ୟା କରିଥିଲେ ଏବଂ ତାଙ୍କ ନାମାନୁସାରେ ସ୍ଥାନର ନାମ ହୋଇଛି ବୋଲି କୁହାଯାଏ । ଜୟଦେବଙ୍କ ବନ୍ଧୁଙ୍କର ନାମ ମଧ୍ୟ ପରାଶର । ସେ ଏହି ଅଞ୍ଚଳର । ତାଙ୍କ ନାମାନୁସାରେ ମଧ୍ୟ ପୀଠର ନାମ ହୋଇଥାଇପାରେ ।

ମାଧବ ଉପାସନାର ପ୍ରମୁଖ କେନ୍ଦ୍ର ଏହି ଅଞ୍ଚଳରେ ଏକଦା ଉତ୍କଳୀୟ କଳା, ସ୍ଥାପତ୍ୟ ଓ ସାହିତ୍ୟର ଶ୍ରେଷ୍ଠ ରୂପ ଦେଖିବାକୁ ମିଳିଥିଲା । ଗୋଟିଏ ଅଞ୍ଚଳରେ ବୌଦ୍ଧ, ଜୈନ, ଶୈବ, ଶାକ୍ତ ଓ ବୈଷ୍ଣବ ଧର୍ମର ଏତେ ନିଦର୍ଶନ ପ୍ରାପ୍ତି-ରୀତି ଓ ପ୍ରବୃତ୍ତିରେ ବହୁ ପାର୍ଥକ୍ୟ ରଖୁଥିବା ଏ ସବୁ ଧର୍ମ ମଧ୍ୟରେ ସମନ୍ୱୟ ସ୍ଥାପନ–ଏ ସବୁ ଏକାନ୍ତ ଦୁର୍ଲଭ ହୋଇଥିଲେ ହେଁ–ଏଠାରେ ସମ୍ଭବ ହୋଇଥିଲା କେବଳ ଜଗନ୍ନାଥ ସଂସ୍କୃତିର ଅଟଳ ପ୍ରଭାବ ଯୋଗୁଁ ।

ଶାସ୍ତ୍ରରେ ପ୍ରାଚୀ-ଉପତ୍ୟକାର ଯେଉଁ ବର୍ଣ୍ଣନା ରହିଛି, ତହିଁରେ ଏହି ସ୍ଥାନର ତୀର୍ଥତ୍ୱ ସମ୍ପର୍କରେ ବିଶେଷ ଭାବରେ କୁହାଯାଇଛି । ଏହାର କାରଣ ହେଉଛି ଦୁଇଟି ନଦୀ ଏମାନଙ୍କୁ ଗଙ୍ଗାଙ୍କର ସାକ୍ଷାତ୍‌ ଅବତାର ଭାବରେ ଗ୍ରହଣ କରାଯାଇଛି । ପ୍ରାଚୀ ଏବଂ ତାହାର ଜନନୀ କୁଶଭଦ୍ରା, ଏ ଉଭୟ ଏ ଅଞ୍ଚଳର ପବିତ୍ର ନଦୀ । ‘କୁଶଭଦ୍ରା’ ସମ୍ପର୍କରେ କପିଳ ସଂହିତା କହିନ୍ତି,

ତସ୍ୟାସୁ ତନୟା ରାଜନ୍‌ ପୁଷ୍ପ ଭଦ୍ରେତି (କୁଶଭଦ୍ରାର ବା ଶିବନାମ) ବିଶ୍ରୁତା;

ପୂର୍ବସ୍ୟାଂ ଦିଶି ସା ଖ୍ୟାତା ପୂର୍ବ ସାଗର ଗାମିନୀ ।।

ତସ୍ୟାଂ ସ୍ନାନଂ ମହୀପାଳ କାର୍ତ୍ତିକେ ସର୍ବ କାମଦମ୍‌,

ତଥା ମାଘେ ତଥା ଆଷାଢ଼େ ଫାଲୁଗୁନ ଚ ବିଶେଷତଃ ।।

(କ.ସଂ, ୨୦/୧୦-୧୧)

 

ବର୍ଷର ଅଧିକାଂଶ ମାସରେ ଏଥିରେ ସ୍ନାନ କଲେ, ସକଳ ପାପରୁ ମୁକ୍ତି ମିଳେ । ସବୁ ଇଚ୍ଛା ପୂର୍ଣ୍ଣ ହୁଏ । ସେଇ ନଦୀ ପୁଣି ‘ପୁଷ୍ପଭଦ୍ରା ନଦୀ ଯାତୁ ସା କୃଷ୍ଣା । ନାତ୍ର ସଂଶୟଃ-’’ ତତ୍ରୈବ-୨୦/୧୨) ଦାକ୍ଷିଣାତ୍ୟର କୃଷ୍ଣା ନଦୀ ତୁଲ୍ୟା ଏଇ ନଦୀ ମଧ୍ୟ ପାପନାଶିକା–ବୋଧହୁଏ ଏହା ହିଁ ହେଉଛି କପିଳଙ୍କ ବକ୍ତବ୍ୟ ।

 

ପ୍ରାଚୀ ଉପତ୍ୟକା ପ୍ରାଚୀନ ସଭ୍ୟତା ଓ ସଂସ୍କୃତିର ଏକ ପୀଠ ରୂପରେ ପ୍ରଖ୍ୟାତ । ଏହାର ସ୍ଥାପତ୍ୟ ଗଙ୍ଗ ରାଜତ୍ୱ କାଳର ହୋଇଥିଲେ ମଧ୍ୟ ଖ୍ରୀ:ପୂ ଷଷ୍ଠ ଶତକର ଜୈନ ମୂର୍ତ୍ତି ଉପଲବ୍ଧ ହେଉଥିବାରୁ ସ୍ଥାନର ପ୍ରାଚୀନ ସମୃଦ୍ଧି ପ୍ରମାଣିତ ହେଉଛି । ପୁଣି କେନ୍ଦୁଲୀର ଉତ୍ତର ଦିଗରେ ଥିବା ଏକ ମନ୍ଦିରରେ ଜାଗେଶ୍ୱରୀ ଏବଂ ପଦ୍ମାବତୀ ନାମରେ ଯେଉଁ ଦୁଇଟି ଦେବୀ ମୂର୍ତ୍ତି ରହିଛନ୍ତି ସେମାନେ ଗଙ୍ଗ ଶାସନର ପୂର୍ବବର୍ତ୍ତୀ ଅର୍ଥାତ୍‌ ସପ୍ତମ / ଅଷ୍ଟମ ଶତକର ବୋଲି ପ୍ରତ୍ନତତ୍ତ୍ୱବିତ୍‌ମାନେ କହୁଛନ୍ତି । ମୂର୍ତ୍ତିର ଗଠନ ଶୈଳୀରୁ ଏ ମୂର୍ତ୍ତି କେଶରୀ ବଂଶୀୟ ରାଜାମାନଙ୍କ ସମୟର ବୋଲି କୁହାଯାଉଛି । ଏ ସବୁ ପ୍ରମାଣର ଭିତ୍ତିରେ ଏହି ଅଞ୍ଚଳ ଏକଦା ପ୍ରାଚୀନ ଏବଂ ସମୃଦ୍ଧ ସଂସ୍କୃତିର କେନ୍ଦ୍ର ଥିଲା ବୋଲି କୁହାଯାଇପାରେ ।

 

ମହାନଦୀ ଅବବାହିକାର ସଂସ୍କୃତି ଥିଲା ମୁଖ୍ୟତଃ ଧର୍ମ ଭିତ୍ତିକ । ଆଦିବାସୀମାନଙ୍କ ପ୍ରାକୃତିକ ଶକ୍ତିର ଉପାସନା, ଦାରୁ ଉପାସନା, ଅଭିଚାର କ୍ରିୟା ସାଧନା, ଆର୍ଯ୍ୟମାନଙ୍କୁ ପ୍ରଭାବିତ କରି ସେମାନଙ୍କ ମଧ୍ୟରେ ଏ ସବୁର କ୍ରାମିକ ପ୍ରସାର ଘଟାଇଥିଲା । ବହୁ ଦେବୋପାସନା ମଧ୍ୟରୁ ସମନ୍ୱୟ ଚେତନାର ବିକାଶ ଘଟିଥିବାର ଅନୁମାନ କରାଯାଇପାରେ । କାଳକ୍ରମେ ଜାତିର ଚିନ୍ତାରୁ ଏହି ରୀତିଟି ଦେବତାର ଦର୍ଶନ ମଧ୍ୟକୁ ସଂକ୍ରମିତ ହୋଇଛି । ଜଗନ୍ନାଥ ସମନ୍ୱୟ ବାଦୀ ହୋଇଛନ୍ତି ଏବଂ ତାଙ୍କ ପ୍ରଭାବରେ ହରି-ହର ଉପାସନାର ରୀତି ସୃଷ୍ଟି ହୋଇଛି । ଏହି ସମନ୍ୱୟ ଚେତନା ହିଁ–ହୋଇଛି ଓଡ଼ିଆ ସଂସ୍କୃତିର ବିଶ୍ୱ ସଂସ୍କୃତିକୁ ଦାନ । ଜାତିର ଜୀବନରେ ମଧ୍ୟ ଏହାର ପ୍ରତିଫଳନ ଘଟିବାର ହେବାକୁ ମିଳିବ ।

 

ଅବବାହିକା ଓ ତ୍ରିକୋଣ ଭୂମିର ଜୀବନରେ ଆମେ ଦେଖିବାକୁ ପାଉ ସାରଲ୍ୟ ସହିତ ସ୍ୱାଭିମାନ, କଠୋର ପରିଶ୍ରମ ସହିତ କଠିନ ଜୀବନ ସଂଗ୍ରାମ ଏବଂ କାଳର ଚର୍ଚ୍ଚା ସହିତ କାରିଗରି ପ୍ରତି ଆକର୍ଷଣର ଏକ ସମନ୍ୱିତ ସ୍ଥିତିକୁ । ଏ ଜୀବନ ସହିତ ନଦୀର ଏକ ନିବିଡ଼ ସମ୍ପର୍କ ରହିଥିଲା ।

Image

 

Unknown

ନବମ ଅଧ୍ୟାୟ

ମହାନଦୀର ଆହ୍ୱାନ

 

ନଦୀମାତୃକ ରାଜ୍ୟର ସମାଜ ଜୀବନ ତଥା ଅର୍ଥନୀତି ନିର୍ମାଣରେ ଏହାର ନଦୀ ସମୂହର ଏକ ବିଶେଷ ଭୂମିକା ରହୁଥିଲା । ନଦୀ ଅବବାହିକା, ନଦୀତୀର ସେଇଥିପାଇଁ ହିଁ ଥିଲା ବସତି ସ୍ଥାପନ ନିମନ୍ତେ ମଣିଷର ପ୍ରଥମ ପସନ୍ଦର ସ୍ଥାନ । ଜୀବନ ପାଇଁ ଜଳର ପ୍ରୟୋଜନ ଅପରିହାର୍ଯ୍ୟ ହୋଇଥିବା ଦୃଷ୍ଟିରୁ, ଗମନାଗମନର କୌଣସି ଆଧୁନିକ ସୁବିଧା ଯେତେ ଉପଲବ୍ଧ ନଥିଲା, ସେତେବେଳେ ଜଳପଥ ଏହାର ମୁଖ୍ୟ ସାଧନ ଥିବାରୁ ତଥା ବ୍ୟବସାୟ ବାଣିଜ୍ୟ, କୃଷି ପ୍ରଭୃତିରେ ଏହାର ପ୍ରମୁଖ ଭୂମିକା ରହୁଥିବାରୁ ଏବଂ ସର୍ବୋପରି ପ୍ରଚୁର ମତ୍ସ୍ୟ ଯୋଗାଇ ଦେଇ ଖାଦ୍ୟ ସମସ୍ୟାର ଆଂଶିକ ସମାଧାନ କରି ଦେଉଥିବାରୁ ନଦୀ ତୀର ହିଁ ବସବାସ ନିମନ୍ତେ ଅଗ୍ରାଧିକାର ପାଉଥିଲା ।

 

ମହାନଦୀକୁ ଓଡ଼ିଶାର ଜୀବନରେଖା କୁହାଯାଇଥାଏ ଏବଂ ଏହାର ଯଥାର୍ଥତା ମଧ୍ୟ ରହିଛି । ରାଜ୍ୟର ଅର୍ଥନୀତି ନିର୍ଦ୍ଧାରଣ କରିବାରେ ଏହାର ଭୂମିକା ଏତେ ସ୍ପଷ୍ଟ ଯେ, ଏହି ବିଶେଷଣଟି ମହାନଦୀ ପାଇଁ ସମ୍ପୂର୍ଣ୍ଣ ଉପଯୁକ୍ତ । ଅର୍ଥନୀତି ନିର୍ଦ୍ଧାରିତ ହୁଏ ସାଧାରଣତଃ ବାଣିଜ୍ୟ ବ୍ୟବସାୟ ଏବଂ କୃଷି ଦ୍ୱାରା । ମହାନଦୀ ଏବଂ ତା’ର ଶାଖାପ୍ରଶାଖା ହିଁ ଏ ରାଜ୍ୟକୁ ଏକ କୃଷିପ୍ରଧାନ ରାଜ୍ୟରେ ପରିଣତ କରିଛି ଏବଂ ଏବେ ମଧ୍ୟ ଏହା ହିଁ ହୋଇଛି ଓଡ଼ିଆମାନଙ୍କ ପ୍ରଧାନ ଅବଲମ୍ବନ । ବାଣିଜ୍ୟ ବ୍ୟବସାୟରେ ଏହି ନଦୀର ଭୂମିକା- ଆଜି ନୁହେଁ-ମଣିଷ ଏ ବୃତ୍ତିଟିକୁ ଅବଲମ୍ବନ କଲାଦିନୁ ପ୍ରଶଂସନୀୟ ହୋଇ ରହିଛି ।

 

ମହାନଦୀ ଯେ କେବଳ ବ୍ୟବସାୟ ନିମନ୍ତେ ଏକ ସାଧନ ରୂପେ ବ୍ୟବହୃତ ହେଉଥିଲା ତାହା ନୁହେଁ । ଗୋଟିଏ ସମୟରେ ଏହା ପୃଥିବୀର ସବୁଠାରୁ ଅଧିକ ମୂଲ୍ୟବାନ୍‌ ପଣ୍ୟର ଆକର ରୂପେ କୋଶଳ ସାମ୍ରାଜ୍ୟର ତଥା ପରବର୍ତ୍ତୀ ସମୟରେ ସମ୍ବଲପୁର ରାଜ୍ୟର ଧନାଗାର (Treasury) ରୂପେ କାର୍ଯ୍ୟ କରୁଥିଲା । ସେହି ସମୟରେ ନଦୀ ଗର୍ଭରୁ ମିଳୁଥିଲା ହୀରା ଏବଂ ସୁନା । ମହାନଦୀ ଗର୍ଭରେ ଥିବା ହୀରାକୁଦ ଅଞ୍ଚଳ ହିଁ ଥିଲା ଏହି ସ୍ଥାନ । ଏହି ହୀରା ସେ କାଳରେ ସୁଦ୍ଧା ସମଗ୍ର ବିଶ୍ୱରେ ନିଜର ଗୁଣାତ୍ମକ ବୈଶିଷ୍ଟ୍ୟ ନିମନ୍ତେ ଖ୍ୟାତି ଲାଭ କରିଥିଲା । ହୁଏନ୍‌ସାଂ (ସପ୍ତମ ଶତକ)ଙ୍କ ବିବରଣୀରୁ କଳିଙ୍ଗର ହୀରା ସମ୍ପର୍କରେ ବେଶ୍‌ ପ୍ରଶଂସା ଶୁଣାଯାଏ । ରାଜ୍ୟର ବିଭିନ୍ନ ବନ୍ଦରରୁ ଏହା ପାରସ୍ୟ, ମିଶର୍‌, ରୋମ ପ୍ରଭୃତି ଦେଶକୁ ରପ୍ତାନି ହେଉଥିଲା । ଐତିହାସିକ ଗିବନ୍‌(Gibbon) ରୋମ ବଜାରରେ ଉପଲବ୍ଧ ସମ୍ବଲପୁରୀ ହୀରାର ପ୍ରଶଂସା କରିଛନ୍ତି । ବହୁ ପ୍ରାଚୀନ କାଳରୁ କୋଶଳ ଅଞ୍ଚଳର ହୀରାର ଗୁଣାତ୍ମକମାନ ସମ୍ପର୍କରେ ବିଭିନ୍ନ ଗ୍ରନ୍ଥରେ ବର୍ଣ୍ଣନା କରାଯାଇଛି । ‘ରତ୍ନପରୀକ୍ଷା’ର ଗ୍ରନ୍ଥକାର ଚଣ୍ଡେଶ୍ୱର କହନ୍ତି ।

 

‘‘କୋଶଳେ ଚ କଳିଙ୍ଗେ ଚ ମାତଙ୍ଗେ ଚ ହିମାଳୟେ,

 

ପୁଷ୍କର ଚୈବ ସୌରାଷ୍ଟ୍ରେ ବଜ୍ରସ୍ୟୋତ୍ପତ୍ତି ଭୂମୟଃ–’’ ଏଥିରେ ଯେଉଁ ଅଞ୍ଚଳ ହୀରାର ଉତ୍ପତ୍ତିସ୍ଥଳ ରୂପେ ସୂଚିତ ହୋଇଛି, ତହିଁରେ କୋଶଳ ଓ କଳିଙ୍ଗ-ଉଭୟ ରାଜ୍ୟର ନାମ ରହିଛି । କଳିଙ୍ଗର କେଉଁଠି ହୀରା ମିଳୁଥିବାର ସୂଚନା ଅନ୍ୟ କୌଣସି ସୂତ୍ରରୁ ଉପଲବ୍ଧ ହେଉନାହିଁ । ହୁଏତ ମହାନଦୀ ଅବବାହିକାର ନିମ୍ନଭୂମି କିମ୍ବା ତ୍ରିକୋଣ ଭୂମିରେ କୌଣସିଠାରେ ସେତେବେଳେ ହୀରା ମିଳୁଥିବ । କୌଟିଲ୍ୟଙ୍କ ଅର୍ଥଶାସ୍ତ୍ରର ସୂଚନା ଅନୁସାରେ ମହାକୋଶଳ (ସମ୍ବଲପୁର ଅଞ୍ଚଳ) ଥିଲା ଉଚ୍ଚମାନ ହୀରକର ଉତ୍ପତ୍ତିସ୍ଥଳ । ବରାହମିହିର ମଧ୍ୟ ନିଜର ‘ବୃହତ୍‌ସଂହିତା’ ରେ ଲେଖିଛନ୍ତି,

 

‘‘ବେଳା ତଟେ ବିଶୁଦ୍ଧଂ ଶିରୀଷ କୁସୁମୋପମଂ ଚ କୋଶଳଙ୍କ,

 

ସୌରାଷ୍ଟ୍ରକତାମ୍ରକୃଷ୍ଣଂ ସୌର୍ପରଙ୍କ ବଜ୍ରଂ–’’ (ଅଷ୍ଟମ ଅଧ୍ୟାୟ) ଅର୍ଥାତ୍‌ କୋଶଳ ଅଞ୍ଚଳର ହୀରା ଥିଲା ଶିରୀଷ ପୁଷ୍ପତୁଲ୍ୟ ଜ୍ୟୋତିମାନ୍‌ ଏବଂ ସୌରାଷ୍ଟ୍ର ଅଞ୍ଚଳର ହୀରା ଥିଲା କୃଷ୍ଣାଭ-ତାମ୍ର ବର୍ଣ୍ଣ । ଏଥିରୁ କୋଶଳୀ ହୀରାର ଉଚ୍ଚମାନ ପ୍ରମାଣିତ ହେଉଛି । ଐତିହାସିକ ଟଲେମି (ପ୍ରଥମ-ଦ୍ୱିତୀୟ ଶତକ) ସମ୍ବଳକ (ସମ୍ବଲପୁର)କୁ ହୀରା ପ୍ରସୂ ପ୍ରାସିକୀ (ପ୍ରାଚ୍ୟ ଭୂଖଣ୍ଡ) ରୂପେ ବର୍ଣ୍ଣନା କରିଛନ୍ତି । ସେଠାରେ ସପ୍ତଦଶ ଶତକ ପର୍ଯ୍ୟନ୍ତ ହୀରା ଉପଲବ୍ଧ ହେଉଥିବା କଥା ଅନ୍ୟ ସୂତ୍ରରୁ ଜଣାଯାଏ । ଟ୍ରେବାର୍ଣ୍ଣିଆର୍‌ କହନ୍ତି ଯେ, ହୀରା ହିଁ ଥିଲା ସମ୍ବଲପୁରର ଧନଶାଳୀ ହେବାର ପ୍ରଧାନ କାରଣ । ଅଷ୍ଟାଦଶ ଶତକରେ କ୍ଳାଇବ୍‌ ଟି.ମୋଟେଙ୍କୁ ସମ୍ବଲପୁର ରାଜାଙ୍କ ପାଖକୁ ହୀରା କିଣିବା ନିମନ୍ତେ ପଠାଇ ଥିଲେ ବୋଲି ସମ୍ବଲପୁର ଗେଜେଟିୟରରେ୍‌ ଓ’ମାଲି ଲେଖିଛନ୍ତି ।

 

ଅନ୍ୟ ସୂତ୍ରରୁ ମଧ୍ୟ ଏହି ତଥ୍ୟ ସମର୍ଥିତ ହୋଇଥାଏ । ଟି. ପନ୍ଥାଲା ନାମକ ଜଣେ ଶ୍ୱେତାଙ୍ଗଙ୍କ ମତରେ ୧୭୬୬ ଯାଏ, ଆକାରରେ ବୃହତ୍‌ ଓ ମାନରେ ଉକୃଷ୍ଟ ପ୍ରଚୁର ହୀରା ସମ୍ବଲପୁର ଅଞ୍ଚଳରେ ମିଳୁଥିଲା । ଜଣେ ଉତ୍ସାହୀ ହିନ୍ଦୀ ଲେଖକ ସ୍ପଷ୍ଟ ଲେଖିଛନ୍ତି, ‘‘କୋଶଲ୍‌ (ସମ୍ବଲପୁର) ୟାହାଁ କେ ହୀରେ ଅତି ଉତ୍ତମ ଔର ସର୍ବଗୁଣ ସମ୍ପନ୍ନ ହୋତେ ହୈ । କହାଯାତା ହୈ ‘କୋହିନୁର ହୀରା’ ୟହାଁ ସେ ନିକ୍‌ଲା ଥାଁ !’’ (ସରସ୍ୱତୀ :- ୩ୟ ସଂ-ପୃ : ୩୫୩) ଇଷ୍ଟଇଣ୍ଡିଆ କମ୍ପାନୀର ଡାକ୍ତର ବ୍ରୁଟନ୍‌ଙ୍କ ମତରେ ‘୧୮୦୪ରୁ ୧୮୧୮ ମଧ୍ୟରେ ହୀରାକୁଦରୁ ମିଳିଥିବା ହୀରା ମଧ୍ୟରୁ ୧୮୦୯ରେ ମରହଟ୍ଟା ସେନାପତି ଖଣ୍ଡିଏ ହୀରା ପାଇଥିଲେ । ଏହାର ଓଜନ ଥିଲା ୬୭୨ ଗ୍ରେନ୍‌ । ଆଉ ଦୁଇଖଣ୍ଡ ହୀରର ଓଜନ ଥିଲା ୩୦୮ ଗ୍ରେନ୍‌ଓ ୮୮ ଗ୍ରେନ୍‌ । ଏହି ହୀରା ରାଣୀଙ୍କ ପାଖରେ ଥିଲା । ୧୮୧୮ରେ ମିଳିଥିବା ଖଣ୍ଡିଏ ହୀରାର ଓଜନ ଥିଲା ୮୪ ଗ୍ରେନ୍‌ ଏବଂ ସେତେବେଳେ ଏହାର ମୂଲ୍ୟଥିଲା ପାଞ୍ଚ ହଜାର ଟଙ୍କା । ଏହି ହୀରାକୁ ବ୍ରିଟିଶ୍‌ ଏଜେଣ୍ଟଙ୍କ ହାତରେ ଇଂରେଜ ସରକାରଙ୍କ ନିକଟକୁ ପଠାଯାଇଥିଲା ବୋଲି ଜିଲ୍ଲା ଗେଜେଟିୟର୍‌ରେ ବର୍ଣ୍ଣିତ ହୋଇଛି । ଏଥିରୁ ଆହୁରି ଜଣାଯାଏ ଯେ, ପୃଥିବୀର ବୃହତ୍ତମ ହୀରାମାନଙ୍କ ସହ ସମ୍ବଲପୁରୀ ହୀରା ଆକାରରେ ସମାନ ଥିଲା ।

 

ଏହାଛଡ଼ା ମହାନଦୀ, ବ୍ରାହ୍ମଣୀ, ସୁବର୍ଣ୍ଣରେଖା ଓ ଇବ୍‌ ପ୍ରଭୃତି ନଦୀର ବାଲି ଧୋଇଲେ ତହିଁରୁ ସୁନା ମଧ୍ୟ ମିଳୁଥିଲା । ଏହି ସୁନା ସଂଗ୍ରହ କରି ପୂର୍ବେ ‘ଝରା’ ଜାତି ବେଶ୍‌ ଧନଶାଳୀ ହେଉଥିଲେ । ଏଭଳିକି ଜଣେ ଝରା ଛୋଟନାଗପୁର ଅଞ୍ଚଳରେ ‘ବିରୁ’ ନାମକ ଖଣ୍ଡେ ଜମିଦାରି ମଧ୍ୟ କିଣି ପାରିଥିଲେ । କାଳକ୍ରମେ ଏହା ହ୍ରାସ ପାଇ ଏବେ ଶୂନ୍ୟ ହୋଇଯାଇଛି । ଏ ବିଷୟ ସୂଚାଇ ଓ’ମାଲି ଲେଖିଛନ୍ତି, ‘ଝରାମାନେ ଦୈନିକ ଚାରିଅଣାରୁ ଅଧିକ ଆୟ କରିପାରୁ ନଥିଲେ ।ଅର୍ଥାତ୍‌ ତାଙ୍କ ସମୟକୁ ନଦୀରେ ସୁନା ପରିମାଣ ଯଥେଷ୍ଟ ହ୍ରାସ ପାଇଥିଲା । ଓଡ଼ିଶାର ଅନ୍ୟ କେଉଁ କେଉଁ ନଦୀବାଲିରୁ ମଧ୍ୟ ସୁନା ମିଳୁଥିବା ସୂଚନା ମିଳିଛି ।

 

ସମ୍ବଲପୁରର ଝରାମାନେ ରାଜ ପୃଷ୍ଠପୋଷକତାରେ ଶୀତ ଏବଂ ଗ୍ରୀଷ୍ମ କାଳରେ ହୀରା ସଂଗ୍ରହ କରୁଥିଲେ । ମହାନଦୀର ଉଭୟ ପାର୍ଶ୍ୱରେ ଥିବା ପ୍ରାୟ ତିରିଶ ଖଣ୍ଡ ଗ୍ରାମ ଏହିମାନଙ୍କ ଭରଣ ପୋଷଣ ନିମନ୍ତେ ପ୍ରଦତ୍ତ ହୋଇଥିଲା । କୁହାଯାଏ ଯେ ଦକ୍ଷିଣ ପାର୍ଶ୍ୱ ବା ବୁର୍ଲା ପାଖ ଶାଖାରୁ ବଡ଼ ବଡ଼ ହୀରା ମିଳୁଥିଲା । ହୀରାକୁଦଠାରୁ ସୋନପୁର ପର୍ଯ୍ୟନ୍ତ ନଦୀଶଯ୍ୟା ଥିଲା ହୀରା ପ୍ରାପ୍ତିର କ୍ଷେତ୍ର ।

 

ଟେବାର୍ଣ୍ଣିୟର୍‌ଙ୍କ ବିବରଣୀରୁ ଜଣାଯାଏ ଯେ, ମହାନଦୀର ଉପନଦୀ ଇବ୍‌ ହୀରା ଉତ୍ପତ୍ତିର କାରଣ ଥିଲା । ବ୍ରାହ୍ମଣୀର ଉପନଦୀ ଶଙ୍ଖ ଓ କୋଏଲର ଉତ୍ପତ୍ତି କ୍ଷେତ୍ରରୁ ଇବ୍‌ ନଦୀ ବାହାରିଛି । ହୀରାଖଣି ଏହିଠାରେ ହିଁ ଥିଲା । ନଦୀ ସ୍ରୋତରେ ହୀରା ନିମ୍ନଭୂମି ଆଡ଼କୁ ଚାଲିଯାଉଥିଲା ଏବଂ ବାଲି ସହିତ ସ୍ୱର୍ଣ୍ଣରେଣୁ ମଧ୍ୟ ବହି ଆସୁଥିଲା । ହୀରାକୁଦରେ ବାଧାପାଇ ନଦୀସ୍ରୋତ ମନ୍ଥର ହୋଇଯିବା ଫଳରେ ହୀରା ଓ ସୁନାଖଣ୍ଡିକମାନ ଏହିଠାରେ ବାଧାପାଇ ନଦୀସ୍ରୋତ ମନ୍ଥର ହୋଇଯିବା ଫଳରେ ହୀରା ଓ ସୁନାଖଣ୍ଡିକମାନ ଏହିଠାରେ ଠୁଳ ହୋଇଯାଉଥିଲା । ଝରାମାନେ ସେଇଠୁ ସଂଗ୍ରହ କରୁଥିଲେ । ପୂର୍ବେ ଏହି କାରଣରୁ ଇବ୍‌ନଦୀକୁ ହୀରା ନଦୀ ବୋଲି କୁହାଯାଉଥିଲା । ଉତ୍ପତ୍ତି ସ୍ଥଳରୁ ହୀରା ସୁନା ସରି ଯିବାରୁ ବର୍ତ୍ତମାନ ଆଉ ସେଠାରେ ତାହା ଉପଲବ୍ଧ ହେଉନାହିଁ ।

 

ସମ୍ବଲପୁରୀ ହୀରା ଥିଲା ଉଜ୍ଜ୍ୱଳ, ସ୍ୱଚ୍ଛ, ସମକୋଣୀ ଓ ବଜ୍ରତୁଲ୍ୟ ଦୃଢ଼ । କୋଣ ହୀନ କିମ୍ବା ଅସମାନ କୋଣ ଥିବା ହୀରା ଅଶୁଭସୂଚକ ବୋଲି ମନେ କରାଯାଏ । ସମ୍ବଲପୁରୀ ହୀରା ଥିଲା ସମକୋଣୀ । ତାହା ଦ୍ୱାରା ଲେଖାଯାଉଥିବା ଅକ୍ଷର ସ୍ଥାୟୀ ହେଉଥିଲା । ଲୁହାରେ ଆଘାତ କଲେ ମଧ୍ୟ ଏହା ଭାଙ୍ଗୁନଥିଲା । ଭାଙ୍ଗିବାକୁ ହେଲେ ତାକୁ ଅଣ୍ଡିରା-ଛେଳିର ରକ୍ତରେ କିଛିକ୍ଷଣ ବୁଡ଼ାଇ ରଖିବାକୁ ହେଉଥିଲା । ହୀରା ଦ୍ୱାରା ଯେ କୌଣସି ଧାତୁରେ ଛିଦ୍ର କରାଯାଇ ପାରୁଥିଲା । ହୀରା ହିଁ ଥିଲା ସମ୍ବଲପୁରର ସମୃଦ୍ଧିର କାରଣ । ଏହି କାରଣରୁ ସମ୍ବଲପୁରକୁ ‘ହୀରାଖଣ୍ଡ’ ଏବଂ ସମ୍ବଲପୁର ରାଜାଙ୍କୁ ‘ହୀରା ଖଣ୍ଡ ଚତ୍ରପତି’ ବୋଲି କୁହାଯାଉଥିଲା ।

 

ହୀରା ଓ ସୁନାଛଡ଼ା ସମ୍ବଲପୁରଠାରେ ମହାନଦୀ ଗର୍ଭରୁ ରୂପା, ପାନ୍ନା, ପଦ୍ମରାଗ, ନୀଳମଣି, ରକ୍ତମଣି, ସ୍ପଟିକ ଓ ପୋଖରାଜ ପ୍ରଭୃତି ମଧ୍ୟ ଉପଲବ୍ଧ ହେଉଥିଲା ବୋଲି ଜିଲ୍ଲା ଗେଜେଟିୟର୍‌ରେ ସୂଚୀତ ହୋଇଛି । ଐତିହାସିକ ଶିବପ୍ରସାଦ ଦାଶ ଏହା ସହିତ ଲୁହାକୁ ମଧ୍ୟ ଯୋଗ କରିଛନ୍ତି । କୋଣାର୍କରେ ବ୍ୟବହୃତ ହୋଇଥିବା ପ୍ରକାଣ୍ଡକାୟ ଲୌହ କଡ଼ିମାନ ଏଠାରୁ ଉପଲବ୍ଧ ଲୁହା ସାହାଯ୍ୟରେ ପ୍ରସ୍ତୁତ ହୋଇଥିବାର ସେ ଅନୁମାନ କରନ୍ତି ।

 

ମହାନଦୀ ଅବବାହିକା ଓ ତ୍ରିକୋଣ ଭୂମି ଅଞ୍ଚଳର ସମୃଦ୍ଧି ନିମନ୍ତେ ଏହାର ଅନ୍ୟାନ୍ୟ ସାଧନ ଗୁଡ଼ିକର ଯେଉଁ ଭୂମିକା ରହିଛି, ଏବେ ସେ ବିଷୟରେ ଆଲୋଚନା କରାଯିବ । ପ୍ରକୃତିର ଅକୃପଣ ହାତର ଦାନରେ ଓଡ଼ିଶା ଧନ୍ୟ ହୋଇଥିଲେ ମଧ୍ୟ ଦାରିଦ୍ର୍ୟ ହୋଇଛି ଏହାର ନିତ୍ୟସଙ୍ଗୀ । ବନସମ୍ପଦ, ଖଣିଜ ସମ୍ପଦ, ଜଳସମ୍ପଦ-ସବୁତ ଏ ରାଜ୍ୟରେ ରହିଛି । ମାତ୍ର କେବଳ ନିଜର ଅଯୋଗ୍ୟତା ଏବଂ ଦୃଢ଼ରାଜନୈତିକ ଇଚ୍ଛାର ଅଭାବରୁ ଓଡ଼ିଆ ଏବେ ମଧ୍ୟ ଅନଗ୍ରସର ହୋଇ ରହିଛି । ଭିକ୍ଷାଥାଳ ଧରି ଦ୍ୱାର ଦ୍ୱାର ବୁଲିଲେ ମଧ୍ୟ ତା’ ପେଟପୂରୁ ନାହିଁ । ଋଣର ବୋଝ ତଳେ ସମଗ୍ର ରାଜ୍ୟ ଚାପି ହୋଇଯିବାକୁ ବସିଲାଣି । ଧନର ପାହାଡ଼ ଉପରେ ବସି ମଧ୍ୟ ଜାତିଟା ଦରିଦ୍ର-
 

ମହାନଦୀ ଏବଂ ତା’ର ସନ୍ତାନମାନଙ୍କ ପାଇଁ ଏ ଅଞ୍ଚଳର ଅର୍ଥନୈତିକ ପ୍ରଗତି ସମ୍ଭବ ହୋଇଥିଲା । ଅର୍ଥନୀତି-ନିର୍ଦ୍ଧାରଣରେ ନଦୀର ବିଶେଷ ଭୂମିକା ରହୁଥିବାରୁ ଏହାକୁ ‘ନଦୀ-ସମ୍ପଦ’ କୁହାଯାଏ । ପ୍ରଥମତଃ ନଦୀ ହିଁ ଥିଲା ସେ କାଳରେ ଯୋଗାଯୋଗର ପ୍ରଧାନ ସାଧନ । ବିଶେଷ କରି ପ୍ରାକୃତିକ ପରିବେଶ, ଜଳବାୟୁ ଏବଂ ଭୂଭାଗର ଦୁର୍ଗମତା ପ୍ରଭୃତି ରାସ୍ତାଘାଟ ନିର୍ମାଣରେ ଯେଉଁଠି ଅସୁବିଧା ସୃଷ୍ଟି କରେ, ସେଠାରେ ନଦୀ ପଥ ହିଁ ହୋଇଯାଏ ଗମନାଗମନ ପାଇଁ ଏକମାତ୍ର ଉପାୟ । ପୁଣି ଦୁର୍ଗମ ଅରଣ୍ୟ, ଭୂସ୍ଫଳନ ଆଦି ବର୍ଷାକାଳରେ ପଥଘାଟକୁ ଦୁର୍ଲଂଘ୍ୟ କରି ଦେଉଥିଲା । ଏହାର ନିୟମିତ ରକ୍ଷଣାବେକ୍ଷଣ ମଧ୍ୟ ସମ୍ଭବ ହେଉ ନଥିଲା । ତେଣୁ ଜଳପଥ ଉପରେ ନିର୍ଭର କରିବା ଛଡ଼ା ଅନ୍ୟ ଗତି ନଥିଲା । ଘୋଡ଼ା ହାତୀ ରାଜା ଜମିଦାରମାନଙ୍କ ପରିବହନ ମାଧ୍ୟମ ହୋଇଥିବା ବେଳେ ବେପାରୀମାନେ ଏଥିପାଇଁ ଥୋରିଆ ବଳଦ ବା ଶଗଡ଼ ବ୍ୟବହାର କରୁଥିଲେ । ସାଧାରଣ ଲୋକେ ସ୍ଥଳପଥରେ ପାଦ ଉପରେ ଏବଂ ଜଳପଥରେ ଡଙ୍ଗା ଉପରେ ଏଥିପାଇଁ ନିର୍ଭର କରୁଥିଲେ । ଓଡ଼ିଶା ଏକ ନଦୀମାତୃକ ରାଜ୍ୟ ହୋଇଥିବାରୁ ଶୋଷାକ୍ତ ଉପାୟଟି ଏ ଅଞ୍ଚଳ ପାଇଁ ବେଶ୍‌ ସୁବିଧାଜନକ ମନେ ହେଉଥିଲା ।

 

କୌଣସି ଅଞ୍ଚଳର ସମୃଦ୍ଧି କେବଳ ରାଜନୈତିକ ତଥା ସାମାଜିକ କାର୍ଯ୍ୟ ଦ୍ୱାରା ହୋଇଥାଏ ତାହା ନୁହେଁ । ବରଂ ଏକ ବଳିଷ୍ଠ ଏବଂ କ୍ରିୟାଶୀଳ ଅର୍ଥନୀତି ସମାଜର ପ୍ରତ୍ୟେକ ସ୍ତରର କ୍ରୟଶକ୍ତି ବଢ଼ାଇ ଏ ଦିଗରେ ଏକ ବିଶେଷ ଭୂମିକା ଗ୍ରହଣ କରେ । ମହାନଦୀ ଏବଂ ତା’ର ଶାଖା ଉପଶାଖାଗୁଡ଼ିକ ଅତୀତରେ ଏହା ତୀରରେ ଗଢ଼ି ଉଠିଥିବା ପ୍ରତ୍ୟେକ ସଭ୍ୟତାର ଅର୍ଥନୀତିର କେନ୍ଦ୍ରବିନ୍ଦୁ ଥିଲେ । ତୀର ଏବଂ ଏହାର ଆଖପାଖ ଅଞ୍ଚଳ ପଟୁମାଟି କଲ୍ୟାଣରୁ ଥିଲା ଉର୍ବର । କାଠ, ବାଉଁଶ, ବେତ, ନଡ଼ା, ଖରି ପ୍ରଭୃତି ଘର ତିଆରି ପାଇଁ ଏବଂ ହଳଲଙ୍ଗଳ, ଆସବାବପତ୍ର, ଡଙ୍ଗା ପ୍ରଭୃତି ପାଇଁ ଭଲ କାଠ ନଦୀ ଅଞ୍ଚଳରେ ସୁଲଭରେ ମିଳୁଥିଲା । ଭାବବିନିମୟ, ସାଂସ୍କୃତିକ ଆଦାନପ୍ରଦାନ, ଉଦ୍‌ବୃତ୍ତ ପଦାର୍ଥର ରପ୍ତାନି ଏବଂ ଅଭାବୀ ପଦାର୍ଥର ଆମଦାନି ପାଇଁ ନଦୀ ଥିଲା ମାଧ୍ୟମ । ଏଇ ସବୁ ନଦୀ ବ୍ୟବସାୟର ସମୃଦ୍ଧିରେ ସାହାଯ୍ୟ କରୁଥିଲେ ତିନୋଟି ଉପାୟରେ । (କ) ଅଞ୍ଚଳ ମଧ୍ୟରେ ବାଣିଜ୍ୟର ସୁଯୋଗ ସୃଷ୍ଟି (ଖ) ପାର୍ବତୀୟ ଜନଜାତିମାନଙ୍କ ସହିତ ବାଣିଜ୍ୟ ବ୍ୟବସାୟର ମାଧ୍ୟମ (ଗ) ପଡ଼ୋଶୀ-ଅଞ୍ଚଳ ସହିତ କାରବାରର ସହାୟକ ।

 

ବହିଃଶତ୍ରୁ-ବିଶେଷ କରି ଷୋଡ଼ଶ ଶତକରେ ମୁସଲମାନ ଏବଂ ମରହଟ୍ଟାମାନଙ୍କର ଆକ୍ରମଣ ପୂର୍ବରୁ ଓଡ଼ିଶା ଆତ୍ମନିର୍ଭରଶୀଳ ଥିବାର ସୂଚନା ମିଳେ । ପ୍ରାକୃତିକ ପରିବେଶ ଏହାକୁ ଦୀର୍ଘକାଳ ଧରି ବହିରାକ୍ରମଣରୁ ସୁରକ୍ଷିତ ରଖିଥିଲା । ଦୁର୍ଗମ ଅରଣ୍ୟ, ଦୁର୍ଲଂଘ୍ୟ ପର୍ବତ ଏବଂ ସୁଗଭୀର ନଦୀ ହ୍ରଦ ମଧ୍ୟରେ ବାଟ ଖୋଜି ପାଇବା ସହଜ ନଥିଲା । ଇଂରେଜମାନେ ସ୍ଥାନୀୟ ଅଧିବାସୀ ଫତେ ମହମ୍ମଦର ସାହାଯ୍ୟ ନପାଇଥିଲେ ଓଡ଼ିଶାରେ ସହଜରେ ପଶି ପାରିଥାନ୍ତେ । କିମ୍ବା ପଶିଥିଲେ ମଧ୍ୟ ମରହଟ୍ଟାମାନଙ୍କୁ ଏତେ ସହଜରେ ପରାସ୍ତ କରିପାରି ନଥାନ୍ତେ । ପୂର୍ବରୁ ଉତ୍କଳୀୟ ଗାଁଗୁଡ଼ିକ ସ୍ୱନିର୍ଭର ଥିଲେ । ପ୍ରତି ଗାଁରେ ପ୍ରାୟ ବଢ଼େଇ, କମାର, କୁମ୍ଭାର, ଥଟ୍ଟାରୀ, ଗୁଡ଼ିଆ, ଗଉଡ଼, କେଉଟ, ତେଲୀ, ଭଣ୍ଡାରୀ ପ୍ରଭୃତି ରହୁଥିଲେ । ବେଳେ ବେଳେ ୪/୫ଟି ଗାଁକୁ ଗୋଟିଏ ଏକକ ରୂପେ ଧରି ନିଆଯାଇ ଏମାନଙ୍କ ମଧ୍ୟରୁ କୌଣସି କୌଣସି ସମ୍ପ୍ରଦାୟଙ୍କୁ ବସବାସ କରିବାକୁ ଦିଆଯାଉଥିଲା । ଲୁଗା ବୁଣା ବହୁ ପରିବାରର ନିତ୍ୟ-କର୍ମ ଥିଲା । ବିଲରୁ ଧାନ, ନଈ ପାଟରୁ ମାଛ, ବାଡ଼ିରୁ ପନିପରିବା, ଜଙ୍ଗଲରୁ ଶିକାର ଏବଂ ଜଡ଼ିବୁଟୀ ଗାଁ ଲୋକଙ୍କ ପାଇଁ ଏହା ଅପେକ୍ଷା ଅଧିକ ବା କ’ଣ ଲୋଡ଼ା ଥିଲା ? ଅର୍ଥନୈତିକ ସ୍ୱନିର୍ଭରତାର ଏଇ ଦୀର୍ଘ ରୀତିରୁ ସଂଗ୍ରହ କିମ୍ବା ସଂଚୟର ଦର୍ଶନ ଏଠାରେ ଗଢ଼ି ଉଠି ନଥିଲା । ହୁଏତ ଏହି କାରଣରୁ ଏ ଅଞ୍ଚଳରେ କୌଣସି ବ୍ୟବସାୟୀ ଗୋଷ୍ଠି ଆତ୍ମପ୍ରକାଶ କରିନଥିଲେ । ସାଧବମାନଙ୍କର ବାଣିଜ୍ୟ ବ୍ୟବସାୟ ଫଳରେ ଏଠାରେ ଦୃଢ଼ ଅର୍ଥନୈତିକ ସ୍ଥିତିର ସୃଷ୍ଟି କିମ୍ବା ସାଗର ପାରିରେ ଉପନିବେଶ ସ୍ଥାପନ ଏ ସବୁ ଅତୀତର ଇତିହାସ । ବ୍ୟବସାୟିକ-ଦର୍ଶନ ଏଠାରେ ଗଢ଼ି ନ ଉଠିବାର ଅନ୍ୟ ଏକ କାରଣ ହେଉଛି ଏହି ଅଞ୍ଚଳର ଆଦିବାସୀ ବହୁଳତା । ସେମାନେ କୌଣସି କାଳେ ସଂଗ୍ରହ/ସଂଚୟ ଦର୍ଶନ ଉପରେ ଆସ୍ଥାଶୀଳ ନୁହନ୍ତି ।

 

ତେବେ ଯେତେବେଳେ ବର୍ହିବାଣିଜ୍ୟ ଏହାର ଶୀର୍ଷ ସ୍ଥାନରେ ଥିଲା, ସେତେବେଳେ ସ୍ୱାଭାବିକ କାରଣରୁ ଅର୍ନ୍ତବାଣିଜ୍ୟ ମଧ୍ୟ ଆପେ ଆପେ ବିକାଶ ଲାଭ କରିଥିଲା । ଏଥିପାଇଁ ନଦୀ ପଥ ହିଁ ଥିଲା ପ୍ରଧାନ ଅବଲମ୍ବନ । ମୁଦ୍ରାର ବ୍ୟବହାର ସୀମିତ ଥିବାରୁ ବିନିମୟ ହିଁ ଥିଲା କ୍ରୟବିକ୍ରୟର ମାଧ୍ୟମ । କଉଡ଼ି ମଧ୍ୟ ଏଥିପାଇଁ ବ୍ୟବହାର କରାଯାଉଥିଲା । ଏହାର ବ୍ୟବହାର ଇଂରେଜ ଶାସନର ବେଶ୍ କିଛି ଦିନଯାଏ ଥିଲା ଏବଂ ପ୍ରଶାସନ କଉଡ଼ିକୁ କର ରୂପେ ଗ୍ରହଣ ନ କରିବାରୁ ହିଁ ପ୍ରଜାମାନଙ୍କ ମଧ୍ୟରେ ଅଶାନ୍ତି ସୃଷ୍ଟି ହୋଇ ବିଦ୍ରୋହର କାରଣ ହୋଇଥିଲା । କ୍ରୟବିକ୍ରୟ ପାଇଁ ସାପ୍ତାହିକ ହାଟଥିଲା । ସୌଖୀନ୍‌ ବା ବିଳାସ ଦ୍ରବ୍ୟର ବ୍ୟବହାର ଧନୀକ ଗୋଷ୍ଠୀ ମଧ୍ୟରେ ସୀମିତ ଥିଲା ।

 

ଜଳପଥରେ ରପ୍ତାନି ଦ୍ରବ୍ୟକୁ ପେଣ୍ଠ ବା ବନ୍ଦର ସ୍ଥଳକୁ ଅଣାଯାଇ ସେଠାରୁ ତାକୁ ବିଭିନ୍ନ ଆଡ଼କୁ ପଠାଇ ଦିଆଯାଉଥିଲା । ମହନଦୀ ତା’ର ଶାଖା ଉପଶାଖାଗୁଡ଼ିକ ସମଗ୍ର ରାଜ୍ୟରେ ଏଭଳି ବିଛାଇ ହୋଇ ରହିଥିଲେ ଯେ, ସୁଦୂର ପଶ୍ଚିମାଞ୍ଚଳ ସହିତ ଦକ୍ଷିଣାଞ୍ଚଳର ଯୋଗାଯୋଗରେ କୌଣସି ଅସୁବିଧା ନଥିଲା । ପରିବହନ କାର୍ଯ୍ୟ ପ୍ରାୟ ବର୍ଷସାରା ବିଭିନ୍ନ ଆକାରରେ ନୌକା ସାହାଯ୍ୟରେ ଚାଲୁଥିଲା । ଏହାର ପ୍ରଧାନ କାରଣ ଥିଲା ସେ କାଳର ନଦୀଗୁଡ଼ିକର ଗଭୀରତା ।

 

ନଦୀ ମଧ୍ୟ ଧର୍ମ ପ୍ରଚାରରେ ଏକ ବିଶେଷ ଭୂମିକା ଗ୍ରହଣ କରିଥିଲା । ସୋମବଂଶୀ ଯଯାତି କାନ୍ୟକୁବୁର ଦଶହଜାର ବେଦଜ୍ଞ ବ୍ରାହ୍ମଣ ଅଣାଇ ଯାଜପୁରଠାରେ ଯଜ୍ଞ କରିଥିଲେ ବୋଲି କୁହାଯାଉଛି । ଏହି ବ୍ରାହ୍ମଣ ଗୋଷ୍ଠୀ ସମ୍ବଲପୁରଠାରୁ ନଦୀ ପଥରେ କଟକ ଯାଏ ଆସି ସେଠାରୁ ସେହି ଜଳପଥରେ ଯାଇଥିବାର ସମ୍ଭାବନା କରାଯାଇପାରେ । ଏ ରାଜ୍ୟଥିଲା ଧର୍ମୀୟ ଉଦାରତାର ଏକ କେନ୍ଦ୍ର । ବୌଦ୍ଧ, ଜୈନ, ବୈଷ୍ଣବ, ଶୈବ, ଶାକ୍ତ, ଗାଣପତ୍ୟ ଏଭଳିକି ଏ କାଳରେ ଖ୍ରୀଷ୍ଟିଆନ୍‌ ଧର୍ମର ପ୍ରଚାରକମାନେ ମଧ୍ୟ ଏଠାକୁ ଆସିଛନ୍ତି । କହିବା ବାହୁଲ୍ୟ ଯେ, ଜଳପଥ ହିଁ ଏମାନଙ୍କର ଯାତାୟାତର ପ୍ରଧାନ ମାଧ୍ୟମ ହୋଇଥିଲା । ଇତିହାସରୁ ଏହାର କିଛି କିଛି ପ୍ରମାଣ ମଧ୍ୟ ମିଳୁଛି । ଏଭଳିକି ମହିମା ଧର୍ମର ପ୍ରବକ୍ତା ଭୀମ ଭୋଇ ଖଲିଆପାଲିରୁ ସୋନପୁର ଯାଇ ସେଠାରୁ ନଦୀ ପଥରେ ଉପକୂଳ ଅଞ୍ଚଳ ଯାଏ ଆସିଥିବାର ସମ୍ଭାବନାକୁ ଏଡ଼ାଇ ଦିଆ ଯାଇପାରିବ ନାହିଁ । ଏହି ଭଳି ଭାବରେ ଜଳପଥ ଆଉ ଧର୍ମପ୍ରଚାର ପରସ୍ପର ପ୍ରତି ନିର୍ଭରଶୀଳ ହୋଇଛନ୍ତି ।

 

ଆଦିବାସୀମାନେ ନଦୀକୁ ସମ୍ମାନ ପ୍ରଦର୍ଶନ କରୁଥିବା ପ୍ରଥାଟି ଏବେ ମଧ୍ୟ ବହୁ ଅଞ୍ଚଳରେ ରହିଛି । ସେମାନେ ଏହାକୁ ପୂଜା କରୁଥିଲେ ଏବଂ ଅତୀତରେ ଏହାର ସନ୍ତୋଷ ବିଧାନ ପାଇଁ ନରବଳି ଅର୍ପଣ କରୁଥିବାର ଦୃଷ୍ଟାନ୍ତ ମଧ୍ୟ ଅଛି । ସେମାନେ ଦେବତା ଜ୍ଞାନରେ ନଦୀକୁ ପୂଜା କରି ଏହାକୁ ଅତିକ୍ରମ କରିବାକୁ ଭୟ କରୁଥିଲେ । ନଦୀଜଳକୁ ପବିତ୍ର ଜ୍ଞାନ କରି ଏଥିରେ ମଳମୂତ୍ର ତ୍ୟାଗକୁ ନିଷେଧ କରାଯାଇଛି ଏବଂ ଯେଉଁମାନେ ଜଳରେ ମୂତ୍ର ତ୍ୟାଗ କରନ୍ତି ସେମାନେ ଆଜୀବନ ଦରିଦ୍ର ବୋଲି ଏବେ ମଧ୍ୟ ଲୋକ-ବିଶ୍ୱାସ ରହିଛି । ନଦୀର ପବିତ୍ର ଜଳରେ ସ୍ନାନ କଲେ ସକଳ ପାପରୁ ମୁକ୍ତି ମିଳିବାର ବିଶ୍ୱାସଟି ଆଦିବାସୀ ଗୋଷ୍ଠୀର ପୂର୍ବୋକ୍ତ ବିଶ୍ୱାସର ଏକ ପରିଣତି ହୋଇପାରେ ।

 

ମହାନଦୀ ଓଡ଼ିଶାର ଇତିହାସକୁ ଆଗକୁ ବଢ଼ାଇବାରେ ସହାୟକ ହୋଇଛି ଏହାର ବିକାଶରେ କେବଳ ମୂକସାକ୍ଷୀ ନ ହୋଇ ସକ୍ରିୟଭାବରେ ଅଂଶ ଗ୍ରହଣକରେ । ମହାନଦୀ ଅବବାହିକା ହେଉଛି ପ୍ରକାରାନ୍ତରେ ଏହି ନଦୀର ଦାନ । ଏହାର ଇତିହାସ ହେଉଛି ଏହି ଅଞ୍ଚଳର ଇତିହାସ । ଏହାର ମାଧ୍ୟମରେ ବାହାରର ଲୋକେ ଏଠାକୁ ଆସିଛନ୍ତି । ଏହାରି କୂଳରେ ଆର୍ଯ୍ୟ ତଥା ଅଣ-ଆର୍ଯ୍ୟ ସଭ୍ୟତାର ସମନ୍ୱୟ ହୋଇଛି । ବଡ଼ ବଡ଼ ରାଜବଂଶ ଆସିଲେ ଗଲେ । ଏହାରି ତୀରରେ ଚୈତନ୍ୟ ଦେବ ପ୍ରେମର ପ୍ରଚାର କଲେ । ଦେଶ ଭକ୍ତ ସୁରେନ୍ଦ୍ର ସାଏ ଏହାରି ତୀରରୁ ସାମ୍ରାଜ୍ୟବାଦୀ ଶକ୍ତି ବିରୁଦ୍ଧରେ ରଣହୁଙ୍କାର ସୃଷ୍ଟି କଲେ । ଏହାରି ଗର୍ଭରେ ମହାତ୍ମା ଗାନ୍ଧି ସ୍ୱାଧୀନତାର ମହାମନ୍ତ୍ର ପ୍ରଚାର କଲେ । ଏହି ଭଳି ଏ ନଦୀ ହେଲା ଇତିହାସର ଏକ ଅବିଚ୍ଛିନ୍ନ ଅଙ୍ଗ-

 

ଅରଣ୍ୟର ଆର୍ତ୍ତନାଦ:- ଓଡ଼ିଶା ଏକ ଆଦିବାସୀ ବହୁଳ ରାଜ୍ୟ ଏବଂ ଏମାନଙ୍କର ସଂଖ୍ୟା ଏଠାର ଜନସଂଖ୍ୟାର ୨୩ ଭାଗ । ଅରଣ୍ୟ ହେଉଛି ସେମାନଙ୍କର ସାମ୍ରାଜ୍ୟ । ତେବେ ବର୍ତ୍ତମାନ ବନ ସମ୍ପଦର ଦ୍ରୁତ ଅବକ୍ଷୟ ଫଳରେ ସେମାନେ ବାଧ୍ୟ ହୋଇ ଜୀବିକାର ସନ୍ଧାନରେ ସହରାଭିମୁଖୀ ହେଉଛନ୍ତି । ପୂର୍ବରୁ ଜନସଂଖ୍ୟାର ଚାପରେ ବ୍ୟତିବ୍ୟସ୍ତଥିବା ସହରଗୁଡ଼ିକ ଏହି ନୂତନ ବର୍ଦ୍ଧିତ ଚାପ ସମ୍ଭାଳିବାକୁ କେତେଦୂର ସମର୍ଥ ହେବେ, ତାହା ବିଚାର କରିବାକୁ କେହି ନାହିଁ-। ସେମାନଙ୍କର ଭିତ୍ତିଭୂମିର ବିକାଶ ଘଟାଯାଇ ପାରିଲେ, ସେମାନେ ସହର ଆଡ଼େ ମୁହାଁନ୍ତେ ନାହିଁ-। ସଭ୍ୟ ଜଗତ ଦ୍ୱାରା ବିତାଡ଼ିତ ହୋଇ ଏକଦା ସେମାନେ ବଣ ପର୍ବତକୁ ଆଶ୍ରା କରିଥିଲେ । ଏବେ ସେଠାରେ ମଧ୍ୟ ସେମାନଙ୍କ ସ୍ଥାନ ହେଉନାହିଁ । ବଣ ତ ଧ୍ୱଂସ ପାଇଲାଣି । ସେମାନେ ଖାଇବେ କ’ଣ ?

 

୧୯୮୧ର ଏକ ହିସାବ ଅନୁସାରେ ଓଡ଼ିଶାର ବନାଞ୍ଚଳର ପରିମାଣ ଥିଲା ଏହାର ଭୂଭାଗର ୩୮.୪୦ ଶତାଂଶ । ଅର୍ଥାତ୍ ଏହାର ଭୂଭାଗ ୧୫୫/୭୦୭ ବର୍ଗ କି:ମି ହୋଇଥିବା ସ୍ଥଳେ ବନାଞ୍ଚଳ ଥିଲା, ୫୯. ୯୬୩.୩୦ ବର୍ଗ କି:ମି । ଏହି ଦୁଇ ଦଶନ୍ଧିରେ ଏହାର ପରିମାଣ ପ୍ରବଳ ଭାବେ ହ୍ରାସ ପାଇଲାଣି । ସର୍ବଭାରତୀୟ ପରିମାଣ ହେଉଛି ୩୩.୩ ଭାଗ । ତେବେ ଉପଗ୍ରହ-ସର୍ବେକ୍ଷଣରୁ ଆମର ବନାଞ୍ଚଳ ୩୦ ଭାଗରୁ ମଧ୍ୟ କମି ଯାଇଥିବାର ଜଣାପଡ଼ୁଛି । ଏଠାରେ ମୁଖ୍ୟତଃ ଦକ୍ଷିଣ-ପଶ୍ଚିମ ମୌସୁମୀବାୟୁ ଦ୍ୱାରା ବର୍ଷା ହୋଇଥାଏ ଏବଂ ବାର୍ଷିକ ହାରାହାରି ବୃଷ୍ଟିପାତ ପରିମାଣ ହେଉଛି ୧୫୫ ସେ:ମି । ଏହି ବୃଷ୍ଟିପାତ ଫଳରେ ହିଁ ଓଡ଼ିଶାର ସମୃଦ୍ଧ ବନାଞ୍ଚଳର ସୃଷ୍ଟି । ଜନବସତିର ଦ୍ରୁତ ସମ୍ପ୍ରସାରଣ ବିଭିନ୍ନ ଶିଳ୍ପର ବିକାଶ ନିମନ୍ତେ ବନାଞ୍ଚଳର ବିଲୋପ ସାଧନ,ଗୃହୋପକରଣ ପ୍ରସ୍ତୁତି ନିମନ୍ତେ କାଠର ବିପୁଳ ଚାହିଦା ପୋଡ଼ୁଚାଷ ପାଇଁ ଜଙ୍ଗଲ ଧ୍ୱଂସ ଶରଣାର୍ଥୀମାନଙ୍କ ଥିଇଥାନ ନିମନ୍ତେ ଜଙ୍ଗଲ କଟାଯିବା, ଜଳଭଣ୍ଡାର ସୃଷ୍ଟି ନିମନ୍ତେ ଜଙ୍ଗଲବୁଡ଼ି ପ୍ରଭୃତି ବନ-ନଷ୍ଟ ହେବାର ଅନେକ କାରଣ ରହିଛି । ଓଡ଼ିଶାର ଜଙ୍ଗଲମାନଙ୍କରେ ଶାଳ, ପିଆଶାଳ, ସାଗୁଆନ୍‌, ଅସନ, ଶିଶୁ, କୁରୁମ, ଧଉରା, ସହ ମହୁଲ ଏବଂ ପଣସ ଗଛ ପ୍ରଚୁର ପରିମାଣରେ ଥିଲା । ଉପକୂଳବର୍ତ୍ତୀ ଅଞ୍ଚଳର ହେନ୍ତାଳ ବନ ଓ ଝାଉଁର ଅରଣ୍ୟ ମଧ୍ୟ ବାଉଁଶ ମଧ୍ୟ ରହିଛି ।

 

ଗଞ୍ଜାମ, ପୁରୀ, କଟକ, ଢେଙ୍କାନାଳ ଏବଂ ମୟୂରଭଞ୍ଜର କିଛି ଅଂଶରେ ଚିର ହରିତ୍‌ ଜାତୀୟ ଅରଣ୍ୟ ଦେଖାଯାଏ ଏବଂ ଏଥିରେ ଆମ୍ବ, ଅର୍ଜୁନ, କେନ୍ଦୁ, ଚମ୍ପା, ଅଶୋକ ଆଦି ବୃକ୍ଷ ରହିଛି । ଉତ୍ତର ପଶ୍ଚିମାଞ୍ଚଳରେ ସେହି ଭଳି ଶାଳ, ଅସନ, ବିଜା, ଧୌରା ଆଦି ବୃକ୍ଷ ସହିତ ପ୍ରଚୁର ବାଉଁଶ ମିଳେ । ପଶ୍ଚିମାଞ୍ଚଳର ଶୁଷ୍କ ଜଳବାୟୁରେ ଶାଳ, ଅସନ, ଧୌରା, କେନ୍ଦୁ ପ୍ରଭୃତି ଗଛ ଭଲ ବଢ଼େ । ସମ୍ବଲପୁର, କଳାହାଣ୍ଡି ଏବଂ ବଲାଙ୍ଗିର ପ୍ରଭୃତି ଜିଲ୍ଲାରେ ଏ ଧରଣର ଅରଣ୍ୟ ରହିଛି । ଏହାଛଡ଼ା ମହାନଦୀ, ଦେବୀ ଏବଂ ବୈତରଣୀ ପ୍ରଭୃତି ନଦୀର ମୁହାଣରେ ଶାଳ ଜଙ୍ଗଲ ସହିତ କଣ୍ଟାଗଛର ଜଙ୍ଗଲ ମଧ୍ୟ ଦେଖାଯାଏ । ଏହା ଦ୍ୱାରା ଜାଳେଣି ସମସ୍ୟାର ସମାଧାନ ହୁଏ ।

 

ସାଗୁଆନ୍‌ ହେଲା କାଠମାନଙ୍କର ରାଜା ଏବଂ ଗୋଟିଏ ସମୟରେ ରାଜ୍ୟର ପ୍ରାୟ ତିନିଶହ ବର୍ଗ ମାଇଲ୍‌ ସାଗୁଆନ୍‌ ଜଙ୍ଗଲ ଥିଲା । (୧୯୬୦) କଳାହାଣ୍ଡି, କୋରାପୁଟ ଏବଂ ବଲାଙ୍ଗିର ପ୍ରଭୃତି ଜିଲ୍ଲାରେ ଏହି ଜଙ୍ଗଲ ଥିଲା । ସେହିଭଳି ଶାଳ ଗଛ ହେଉଛି ସଳଖ ଏବଂ ଆକାରରେ ବୃହତ୍ । ଓଡ଼ିଶାର ଅଧିକାଂଶ ଜଙ୍ଗଲରେ ଏହା ଉପଲବ୍ଧ ହୁଏ । ପିଆଶାଳ, ଅସନ, କୁରୁମ, ଶିଶୁ, ମହୁଲ, ଗହ୍ନାରି, ଧଉରା, କଙ୍ଗଡ଼ା, ଜାମୁ ପ୍ରଭୃତି ବୃକ୍ଷର ଅରଣ୍ୟ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ରହିଛି ଏବଂ ତାପମାତ୍ର ହିଁ ଏ ସବୁ ଅରଣ୍ୟ ସୃଷ୍ଟିର କାରଣ ।

 

ଏହି ଅରଣ୍ୟ ଏବଂ ଅରଣ୍ୟଜାତ ଦ୍ରବ୍ୟ ଗୋଟିଏ ସମୟରେ ରାଜ୍ୟ ଅର୍ଥନୀତି ନିର୍ଦ୍ଧାରଣରେ ବିଶେଷ ଭୂମିକା ଗ୍ରହଣ କରୁଥିଲେ । ଅରଣ୍ୟଜାତ ଦ୍ରବ୍ୟ ମଧ୍ୟରେ ହାତୀଦାନ୍ତ, ପଶୁ ଚମଡ଼ା, ଶିଙ୍ଗ, ଟସର ଖୋଷା, ଲାଖ, ଝୁଣା, ବାଉଁଶ, ବେତ ପ୍ରଭୃତି ବନବାସୀମାନଙ୍କ ଜୀବନଯାପନର ମୁଖ୍ୟ ସାଧନଥିଲା । ଏଥିରୁ କିଛି ରପ୍ତାନି କରି ସରକାର ରାଜସ୍ୱ ମଧ୍ୟ ପାଉଥିଲେ-। ଅରଣ୍ୟ ହେଉଛି ବିଭିନ୍ନ ପ୍ରକାର ଔଷଧୀ ବୃକ୍ଷର ଗନ୍ତାଘର । ଅଜ୍ଞତା, ତ୍ରୁଟିପୂର୍ଣ୍ଣ ଯୋଜନାନୀତି (ଗନ୍ଧମାର୍ଦ୍ଦନ ପ୍ରସଙ୍ଗ ଏଠାରେ ସ୍ମର୍ତ୍ତବ୍ୟ) ତଥା ଅବହେଳା ହେତୁ ଏହା ବର୍ତ୍ତମାନ ଧ୍ୱଂସ ଅବସ୍ଥାରେ ପହଞ୍ଚିଯାଇଛି । ଫୁଲବାଣୀ, ମୟୂରଭଞ୍ଜ ଏବଂ କଳାହାଣ୍ଡି ଅଞ୍ଚଳରୁ ପ୍ରଚୁର ଆରାରୁଟ୍‌ ଉତ୍ପାଦିତ ହୁଏ । ପରିବାରର ନିତ୍ୟ ବ୍ୟବହାର୍ଯ୍ୟ ସୂଚୀରେ ଥିବା ତେନ୍ତୁଳି ମଧ୍ୟ ଜଙ୍ଗଲରୁ ହିଁ ମିଳେ । ଜଙ୍ଗଲରୁ ମିଳେ ପ୍ରଚୁର କୋଚିଲା ଓ ଶାଳ ମଞ୍ଜି, ଯାହା ଔଷଧ ଶିଳ୍ପ ତଥା ରାସାୟନିକ ମିଶ୍ରଣରେ ସହାୟକ-। ଏହାଛଡ଼ା ମହୁ, ମହୁଲ, ସର୍ପଗନ୍ଧା ପ୍ରଭୃତି ଦ୍ରବ୍ୟ ଅରଣ୍ୟ ହିଁ ଯୋଗାଇ ଦେଇଥାଏ ।

 

ଶିଆଳି-ଲତା (ପୁରାଣ କୁହେ, ଏହି ଲତା ତଳେ ନିଦ୍ରାଭିଭୂତ ଶ୍ରୀକୃଷ୍ଣଙ୍କର ମୃତ୍ୟୁ ହୋଇଥିଲା ଜାରା ଶବରର ଶରାଘାତରେ ।) ଓଡ଼ିଶାର ଜଙ୍ଗଲମାନଙ୍କରେ ପ୍ରାୟ ମିଳେ । ଏହାର ତନ୍ତୁ ଏବଂ ପତ୍ର ଉଭୟର ବ୍ୟବସାୟିକ ଚାହିଦା ରହିଛି । ଶାଳପତ୍ରର ଚାହିଦା ତ ପ୍ରଶ୍ନାତୀତ । ସେହିଭଳି କେନ୍ଦୁପତ୍ର ବ୍ୟବହୃତ ହୁଏ ବିଡ଼ି ତିଆରିରେ । ପଶ୍ଚିମାଞ୍ଚଳରେ ଏହାର ବିସ୍ତୃତ ଜଙ୍ଗଲ ରହିଛି । ଗଛଗୁଡ଼ିକ ବୁନ୍ଦା ଆକାରରେ ବଢ଼େ । ଓଡ଼ିଶାର ରାଜନୀତିରେ ଏହାର ଅନନ୍ୟ ଭୂମିକା କଥା ପ୍ରାୟ ସମସ୍ତେ ଜାଣନ୍ତି । ଏଥିରୁ ଆଦାୟ ହେଉଥିବା ରାଜସ୍ୱ ଆଦୌ ହେୟ ନୁହେଁ । ଓଡ଼ିଶାର ଅରଣ୍ୟରୁ ଫୁଲଝାଡ଼ୁ, ସବାଇ ଘାସ ପ୍ରଚୁର ପରିମାଣରେ ମିଳେ । କୋରାପୁଟ, କଳାହାଣ୍ଡି, ଫୁଲବାଣୀ ପ୍ରଭୃତି ଅଞ୍ଚଳରେ ଫୁଲଝାଡ଼ୁ ମିଳୁଥିବା ବେଳେ ମୟୂରଭଞ୍ଜ ଏବଂ କେନ୍ଦୁଝର ଅଞ୍ଚଳରେ ସବାଇ ଘାସ ପ୍ରଚୁର ମିଳେ । ଏହାଛଡ଼ା ଚମଡ଼ା କଷ କରିବା ନିମନ୍ତେ ସୁନାରିଛାଲ, ଖଇର, ତେଲପାଇଁ ମହୁଲ ମଞ୍ଜି ଇତ୍ୟାଦି ଜଙ୍ଗଲ ଯୋଗାଇଦିଏ ।

 

ଅରଣ୍ୟର ପଶୁପକ୍ଷୀ ହେଉଛନ୍ତି ଏହାର ଅନ୍ୟତମ ସମ୍ପଦ । ପଶୁଙ୍କ ମଧ୍ୟରେ ହାତୀ, ବଣ ମଇଁଷି, ଗୟଳ, ବାଘ, ଚିତାବାଘ, ଭାଲୁ, ନୀଳଗାଈ, ହରିଣ, ସମ୍ବର, କୃଷ୍ଣସାର ମୃଗ, ଚୌଶିଙ୍ଗା, ହେଟା ଏବଂ ବଳିଆ କୁକୁର ପ୍ରଭୃତି ଥିବା ବେଳେ ହଂସରାଳି, ପାଣି ହଂସ, ପାଣିକୁଆ, ବଡ଼କାଙ୍କ, ବଗ, ରାଣୀବଗ, ମରାଳ, ବତକ, ଶାଗୁଣା, ଚିଲ, ବାଜ, ବଣ କୁକୁଡ଼ା, ମୟୂର, କୋଚିଳା ଖାଈ-ଏମିତି ଆହୁରି ଅନେକ ଜାତିର ପକ୍ଷୀ ରହିଛନ୍ତି । ଓଡ଼ିଶାର ହାତୀର ଚର୍ଚ୍ଚା ପୁରାଣ, କାବ୍ୟ ଓ ଇତିହାସରେ ରହିଛି । ଏଠାର ସୂର୍ଯ୍ୟବଂଶୀୟ ରାଜାମାନେ ନିଜକୁ ‘ଗଜପତି’ ରୂପରେ ପରିଚିତ କରାଉଥିଲେ । କପିଳେନ୍ଦ୍ର ଦେବଙ୍କର ଦୁଇଲକ୍ଷ ହାତୀର ଏକ ବିରାଟ ବାହିନୀ ଥିବାର କୁହାଯାଉଛି-। ଅତୀତରେ ଏହି ହାତୀ ପାଇଁ ଓଡ଼ିଶା ଶତ୍ରୁ ଆକ୍ରମଣର ସମ୍ମୁଖୀନ ହେଇଥିବାର ଦୃଷ୍ଟାନ୍ତ ମଧ୍ୟ ରହିଛି । ପୁରୀର ବର୍ତ୍ତମାନ ରାଜା ‘ଗଜପତି’ ଉପାଧିଟିକୁ ଏବେ ମଧ୍ୟ ହାତଛଡ଼ା କରିନାହାନ୍ତି । ଏଠାର ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ଗଞ୍ଜାମ, ପୁରୀ ସମ୍ବଲପୁର ଜିଲ୍ଲାରେ ହାତୀ ଅଛନ୍ତି । ଜଙ୍ଗଲ ସମ୍ପଦ ଧ୍ୱଂସ ପାଇବାରୁ ଏମାନଙ୍କ ସ୍ଥିତି ବିପନ୍ନ ହୋଇପଡ଼ିଛି ଏବଂ ଏମାନେ ପ୍ରାୟ ଲୋକାଳୟକୁ ପଶି ଆସି ଧନଜୀବନ କ୍ଷୟର କାରଣ ହେଉଛନ୍ତି । ହାତୀ ଶିକାର ଉପଦ୍ରବରୁ ଏମାନଙ୍କ ଜୀବନ ମଧ୍ୟ ନିରାପଦ ନୁହେଁ । ଶିମୁଳିପାଳ ଅଭୟାରଣ୍ୟରେ ଏମାନେ ନିଃଶଙ୍କ ନୁହନ୍ତି । ଅନ୍ୟତ୍ର ଏମାନଙ୍କ ଜୀବନ ବିପଦ ସଂକୁଳ । ଫଳରେ ଏମାନଙ୍କ ସଂଖ୍ୟା କମିବାରେ ଲାଗିଛି ।

 

ବନ୍ୟ ବରାହ ବା ବାର୍‌ହା ହେଉଛି ଘୁଷୁରି ଜାତୀୟ ବନ୍ୟପ୍ରାଣୀ ବରାହ ନାମରେ ଭଗବାନ୍‌ ବିଷ୍ଣୁଙ୍କର ଗୋଟିଏ ଅବତାର ରହିଥିବାରୁ ଏହାର ମାଂସକୁ ବଡ଼ ପବିତ୍ର ମନେ କରାଯାଏ ଏବଂ ଏହାହିଁ ଏମାନଙ୍କୁ ବିପନ୍ନ କରିଛି । ଓଡ଼ିଶାର ଅରଣ୍ୟରେ ଏମାନଙ୍କ ସଂଖ୍ୟା ଖୁବ୍ ଅଳ୍ପ । ସେହିଭଳି ହରିଣ । ଭାରତର ଅରଣ୍ୟରେ ଦଶ ପ୍ରକାରର ହରିଣ ଦେଖାଯାଆନ୍ତି । ଗୋଟିଏ ସମୟରେ ଓଡ଼ିଶାରେ ଏମାନେ ପ୍ରଚୁର ସଂଖ୍ୟାରେ ଦେଖାଯାଉଥିଲେ । ବର୍ତ୍ତମାନ ଏମାନଙ୍କ ସଂଖ୍ୟା କମୁଛି । ଚିତଳ-ହରିଣ ଓଡ଼ିଶାର ପ୍ରାୟ ପ୍ରତ୍ୟେକ ଜଙ୍ଗଲରେ ଅଛନ୍ତି । ସମ୍ବର, କୁଟ୍ରା, ବାରଶିଂଗା ପ୍ରଭୃତି ହରିଣ ଜାତୀୟ ଏବଂ ଏମାନେ ଓଡ଼ିଶାର ଜଙ୍ଗଲରେ ପୂର୍ବେ ବହୁସଂଖ୍ୟାରେ ଥିଲେ । ବାରଶିଂଗା ଅଳ୍ପକେତେକ ସଂଖ୍ୟାରେ ସୁନାବେଡ଼ା ଅଞ୍ଚଳରେ ଅଛନ୍ତି । ଭାରତୀୟ ବାଇସନ୍‌-ବା ଗୟଳ-ଯାହାକୁ ଶକ୍ତି ଓ ସାହସର ପ୍ରତୀକ ବୋଲି କୁହାଯାଏ-ପ୍ରାୟ ଓଡ଼ିଶାର ପ୍ରତ୍ୟେକ ଜିଲ୍ଳାରେ ଦେଖାଯାଆନ୍ତି । ବଣମଇଁଷି ଏଠାରେ ବର୍ତ୍ତମାନ ଖୁବ୍‌ ଅଳ୍ପସଂଖ୍ୟାରେ ଅଛନ୍ତି । ଚାରିଶିଙ୍ଗା ହରିଣ ଗୋଟିଏ ସମୟରେ ଓଡ଼ିଶାରେ ପଶ୍ଚିମାଞ୍ଚଳ ଜଙ୍ଗଲରେ ପ୍ରଚୁର ସଂଖ୍ୟାରେ ଦେଖାଯାଉଥିଲେ । ମାତ୍ର ବର୍ତ୍ତମାନ ଏମାନେ କେବଳ ଢେଙ୍କାନାଳ, ପୁରୀ, ସମ୍ବଲପୁର ଜିଲ୍ଲାରେ ଖୁବ୍‌ ଅଳ୍ପ ସଂଖ୍ୟରେ ରହିଛନ୍ତି । ସେହିଭଳି କୃଷ୍ଣସାରଙ୍କ ସଂଖ୍ୟା ଦ୍ରୁତଗତିରେ କମିବାରେ ଲାଗିଛି । ସମ୍ବଲପୁର ଅଞ୍ଚଳରେ ଏମାନେ ଆଉ ପ୍ରାୟ ନାହାନ୍ତି । ନୀଳଗାଈ ଓଡ଼ିଶାର ପ୍ରାୟ ପ୍ରତ୍ୟେକ ଜିଲ୍ଲାରେ ଅଛନ୍ତି । ବାଘ, ଭାଲୁ, ଚିତା-ଏମାନଙ୍କ ପାଇଁ ସରକାର ଅଭୟାରଣ୍ୟ କରି ଦେଇଥିଲେ ମଧ୍ୟ ସେମାନେ ନିରାପଦରେ ନାହାନ୍ତି । ଜଙ୍ଗଲରାଜା ବାଘ ଏକଦା ଓଡ଼ିଶାର ବିସ୍ତୃତ ଅଞ୍ଚଳରେ ଦେଖାଯାଉଥିଲେ । ଶିମିଳିପାଳ, ସାତକୋଶିଆ ଅଭୟାରଣ୍ୟ ପ୍ରଭୃତି କୋତୋଟି ନିର୍ଦ୍ଦିଷ୍ଟ ଅଞ୍ଚଳରେ ଏମାନେ ସୀମିତ ରହିଛନ୍ତି । ଏହାଛଡ଼ା ଓଡ଼ିଶାର ଅରଣ୍ୟରେ ଠେକୁଆ, ଝିଙ୍କ, ବଜ୍ରକାପ୍ତା ପ୍ରଭୃତି ଦେଖାଯାଆନ୍ତି ।

 

୧୨୦୦ ପ୍ରକାରର ପକ୍ଷୀ ହେଉଛନ୍ତି ଏଠାର ସ୍ଥାୟୀ ବାସିନ୍ଦା ଏବଂ ପ୍ରାୟ ୧୭୫୦ ପ୍ରକାରର ପକ୍ଷୀ ହେଉଛନ୍ତି ଯାଯାବର । ଶାତଦିନ ଆସିଲେ ବାସସ୍ଥାନ ଛାଡ଼ି ଏମାନେ ତଳକୁ ଓହ୍ଲାଇ ଆସନ୍ତି ଏବଂ ମାର୍ଚ୍ଚ-ଏପ୍ରିଲ ବେଳକୁ ପୁଣି ନିଜ ସ୍ଥାନକୁ ଫେରିଯାଆନ୍ତି । ଓଡ଼ିଶାର ଚିଲିକା ହ୍ରଦ ହେଉଛି ଏମାନଙ୍କ ମୁଖ୍ୟ ବିହାର ସ୍ଥଳ । ଶୀତ ଦିନରେ ସୁଦୂର ସାଇବେରିଆରୁ ଏଠାକୁ ଲକ୍ଷ ଲକ୍ଷ ସଂଖ୍ୟାରେ ପକ୍ଷୀ ଚାଲିଆସନ୍ତି । ବିଭିନ୍ନ କାରଣରୁ ପ୍ରତ୍ୟେକ ବର୍ଷ ଏମାନଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ଚିଲିକାର ନଳବଣ କମିଯାଉଥିବାରୁ ଓ ପକ୍ଷୀଶିକାରୀମାନଙ୍କ ଉତ୍ପାତ ବଢ଼ିଯାଇଥିବାରୁ ଏମାନଙ୍କ ସଂଖ୍ୟା କମୁଛି । ଓଡ଼ିଶାରେ ଇତି ମଧ୍ୟରେ ବେଶ୍‌ କିଛି କୃତ୍ରିମ ଜଳଭଣ୍ଡାର ସୃଷ୍ଟି ହେଲାଣି । ମୁଖ୍ୟ ସ୍ଥାନରେ ଅଛି ହୀରାକୁଦ । ପ୍ରାକୃତିକ କାରଣରୁ ଏହି ଜଳଭଣ୍ଡାର ପକ୍ଷୀମାନଙ୍କର ପସନ୍ଦ ନୁହେଁ ।

 

ଗୋଟିଏ ସମୟରେ ଓଡ଼ିଶାରେ ପ୍ରଚୁର କୁମ୍ଭୀର ଦେଖାଯାଉଥିଲେ । ମହାନଦୀ, ବ୍ରାହ୍ମଣୀ, ଘଡ଼ିଆମାଳ ପ୍ରଭୃତି ନଦୀରେ ଏମାନେ ଭର୍ତ୍ତି ହୋଇଥିଲେ । ଘଡ଼ିଆଳର ବାସସ୍ଥାନ ସାଧାରଣତଃ ଥିଲା ମହାନଦୀ ଏବଂ ଏହାର ଶାଖାନଦୀଗୁଡ଼ିକ ବଉଳା, ଗୋମୁହାଁ ପ୍ରଭୃତି ଭିତରକନିକା ଅଞ୍ଚଳରେ ରହୁଥିଲେ । ଏଗୁଡ଼ିକ ୩୩' ପର୍ଯ୍ୟନ୍ତ ଦୀର୍ଘ ହୁଅନ୍ତି । ଏହାଛଡ଼ା ଓଡ଼ିଶାରେ ଥଣ୍ଟିଆ, ମାରୁଆ ଏବଂ ମାଟିଆ ପ୍ରଜାତିର କୁମ୍ଭୀର ଭିନ୍ନ ଭିନ୍ନ ଅଞ୍ଚଳରେ ଦେଖାଯାଆନ୍ତି । ଏଗୁଡ଼ିକ ୧୪'/୧୫' ପର୍ଯ୍ୟନ୍ତ ଲମ୍ବା ହୁଅନ୍ତି । କୁମ୍ଭୀର ଚମଡ଼ା ଅତ୍ୟନ୍ତ ମୂଲ୍ୟବାନ୍‌ (ଇଞ୍ଚକୁ ପ୍ରାୟ ପଚାଶ ଟଙ୍କା) ହୋଇଥିବାରୁ ଶିକାରୀମାନଙ୍କ ଆକ୍ରମଣରେ ଏମାନେ ପ୍ରାୟ ଶୂନ୍ୟ ଅବସ୍ଥାକୁ ଆସିଯାଇଥିଲେ । ବର୍ତ୍ତମାନ କୁମ୍ଭୀର ଚମଡ଼ା ରପ୍ତାନି ନିଷେଧ କରାଯାଇଛି । ଘଡ଼ିଆଳ କୁମ୍ଭୀରକୁ ଅବଲୁପ୍ତିରୁ ରକ୍ଷା କରିବା ପାଇଁ ସରକାର ଏଠାରେ ଦୁଇଟି କୁମ୍ଭୀର-ପ୍ରକଳ୍ପ ଖୋଲିଛନ୍ତି । ଗୋଟିଏ ମହାନଦୀର ସାତକୋଶିଆଗଣ୍ଡଠାରେ ୭୯୫.୫୩ କି:-ମି:- ଅଞ୍ଚଳକୁ ନେଇ ସେଠାରେ ଏହି ପ୍ରକଳ୍ପ ଗଢ଼ିଉଠିଛି । ଘଡ଼ିଆଳ-ଗବେଷଣା ଓ ସୁରକ୍ଷା ପ୍ରକଳ୍ପ ସେଠାରେ କାର୍ଯ୍ୟକାରୀ ହେଉଛି । ସେହିଭଳି ଭିତରକନିକାଠାରେ ୧୬୧.୭୬ ବର୍ଗ କି:-ମି:- ଅଞ୍ଚଳକୁ ନେଇ ଦ୍ୱିତୀୟ ପ୍ରକଳ୍ପଟି କାର୍ଯ୍ୟକାରୀ ହେଉଛି । କୁମ୍ଭୀର ଅଣ୍ଡାରୁ ଛୁଆ ଫୁଟାଇ ସେମାନଙ୍କୁ ଧ୍ୱଂସ ମୁହଁରୁ ରକ୍ଷା କରିବା ଏବଂ ବଂଶ ବୃଦ୍ଧି ନିମନ୍ତେ ନଦୀ ସମୁଦ୍ରରେ ଛାଡ଼ିଦେବା ହେଉଛି ଏହି ପ୍ରକଳ୍ପର କାର୍ଯ୍ୟ । ବନ୍ୟପ୍ରାଣୀ ସୁରକ୍ଷା ନିମନ୍ତେ ଓଡ଼ିଶାରେ ପ୍ରାୟ ୧୯ଟି ଅଭୟାରଣ୍ୟ ସ୍ଥାପିତ ହୋଇଛି । ସେଗୁଡ଼ିକ ହେଉଛି । ବାଲୁଖଣ୍ଡ (କୋଣାର୍କ), ଚନ୍ଦକା (ଡମପଡ଼ା) ନନ୍ଦନକାନନ (ଭୁବନେଶ୍ୱର), ସାତକୋଶିଆ (ଅନୁଗୁଳ), ଚିଲିକା (ଗଞ୍ଜାମ, ପୁରୀ), ଭିତର କନିକା (କଟକ), କପିଳାସ (ଢେଙ୍କାନାଳ), ସପ୍ତଶଯ୍ୟା (ଢେଙ୍କାନାଳ), କୁଳଡ଼ିହା (ବାଲେଶ୍ୱର), ଶିମିଳିପାଳ (ମୟୂରଭଞ୍ଜ), ଦେବ୍ରିଗଡ଼ (ସମ୍ବଲପୁର), ଉଷାକୋଠି (ସମ୍ବଲପୁର), ଖଲାସୁଣୀ (କୋରାପୁଟ), କର୍ଲାପାଟ (କଳାହାଣ୍ଡି), ସୁନାବେଡ଼ା, କୋଣ୍ଡାକାମବେରୁ (କୋରାପୁଟ), ବୈଶୀପାଲି (ପୁରୀ), କୋଠାଗଡ଼ି (ଫୁଲବାଣୀ) ଏବଂ ଲଖାରୁ (ଗଞ୍ଜାମ)

 

ବନ୍ୟପ୍ରାଣୀ ପ୍ରକୃତିର ଭାରସାମ୍ୟ ବଜାୟ ରଖିବାରେ ପ୍ରଧାନ ସହାୟକ । ଜଙ୍ଗଲ ଆଉ ତା’ର ବାସିନ୍ଦାମାନେ ହେଉଛନ୍ତି ପର୍ଯ୍ୟଟକମାନଙ୍କ ଆକର୍ଷଣ କେନ୍ଦ୍ର । ମାତ୍ର ମଣିଷର ସର୍ବଗ୍ରାସୀ କ୍ଷୁଧାର ଆକ୍ରମଣରୁ ଏ ଉଭୟଙ୍କୁ ରକ୍ଷା କରିବା ପ୍ରାୟ ଅସମ୍ଭବ ହୋଇପଡ଼ିଛି । ଜଙ୍ଗଲ ନଷ୍ଟ ହେବା ଫଳରେ ରାଜ୍ୟର ପାଣିପାଗ ବଦଳିଯାଉଛି । ବର୍ଷାର ଅଭାବ, ବନ୍ୟା ଓ ବାତ୍ୟାର ପ୍ରକୋପ ତଥା ମୃତ୍ତିକାକ୍ଷୟ ପ୍ରଭୃତି ହେଉଛି ଏହାର ଅବଶ୍ୟମ୍ଭାବୀ ପରିଣାମ । ଗୋଟିଏ ସମୟରେ ନଦୀମାନେ ହିଁ ଜଙ୍ଗଲ ସୃଷ୍ଟିରେ ମୁଖ୍ୟ ଭୂମିକା ଗ୍ରହଣ କରୁଥିଲେ । ନଦୀ ବାହିତ ପଟୁମାଟି କେବଳ ମହାନଦୀର ତ୍ରିକୋଣଭୂମି କରି ନଥିଲା, ଏହାର ଦୁଇପଟ ଘଞ୍ଚଅରଣ୍ୟ ସୃଷ୍ଟିର କାରଣ ମଧ୍ୟ ହୋଇଥିଲା । ସମ୍ବଲପୁର, ପୁରୀ, ବୌଦ, ସୋନପୁର, କଟକ, ଢେଙ୍କାନାଳ, ଅନୁଗୁଳ ପ୍ରଭୃତି ଜିଲ୍ଲାମାନଙ୍କର ନିବିଡ଼ ଅରଣ୍ୟ ସୃଷ୍ଟିରେ ମହାନଦୀର ଭୂମିକାକୁ ଅସ୍ୱୀକାର କରିହେବନାହିଁ । ଆଜି ନଦୀ ଶଯ୍ୟା ପୋତି ହେବାରେ ଲାଗିଛି । ବନ୍ୟାଜଳ କୂଳଲଂଘି ଅଜସ୍ର ଧନଜୀବନ କ୍ଷୟର କାରଣ ହେଉଛି । ଜଙ୍ଗଲକ୍ଷୟ ହେତୁରୁ ମୃତ୍ତିକା କ୍ଷୟ ରୋକି ହେଉନାହିଁ । ପ୍ରକୃତିର ରୂପ ବଦଳୁଛି । ପଶୁପକ୍ଷୀ ଉଦ୍‌ଭିଦ-ସମସ୍ତେ ଆଜି ବିପନ୍ନ । ଅରଣ୍ୟର ବ୍ୟାକୁଳ ଆର୍ତ୍ତନାଦ ଏ ରାଜ୍ୟର ଜନସାଧାରଣଙ୍କର କାନରେ ପଡ଼ିବ କି ?

 

ମାଟିତଳର ସମ୍ପଦ :–ଯୁଗ ଯୁଗ ଧରି ଏ ରାଜ୍ୟର ମାଟିତଳେ ପୋତା ହେଇ ରହିଛି କୁବେର ସମ୍ପଦ । ନିଜର ଅଯୋଗ୍ୟତାରୁ ଆମେ ତାହାର ବ୍ୟବହାର କରିପାରୁ ନାହୁଁ । ଓଡ଼ିଶାର ଅର୍ଥନୈତିକ ଅଭିବୃଦ୍ଧିରେ ଏହାର ଅପରିହାର୍ଯ୍ୟ ଭୂମିକା କଥା ସ୍ମରଣ କରି, ଏଠାରେ ମହାନଦୀ ଅବବାହିକାରେ ଥିବା ଖଣିଜ ସମ୍ପଦର ବିଶେଷ ଭାବରେ ଆଲୋଚନା କରାଯିବ ।

 

ଭାରତର ଅନ୍ୟାନ୍ୟ ରାଜ୍ୟ ତୁଳନାରେ ଓଡ଼ିଶା ହେଉଛି ଖଣିଜ ସମ୍ପଦ ଦୃଷ୍ଟିରୁ ଅତ୍ୟନ୍ତ ସମୃଦ୍ଧ । ୧୯୪୮ରେ ଗଡ଼ଜାତ ରାଜ୍ୟଗୁଡ଼ିକ ଓଡ଼ିଶାରେ ମିଶିଯିବା ଫଳରେ ଏଠାରେ ଖଣିଜ ସମ୍ପଦ ପରିମାଣ ଯଥେଷ୍ଟ ବୃଦ୍ଧିପାଇଛି । ଏଠାରେ ଲୁହା ପଥର, ମାଙ୍ଗାନିଜ୍‌, କ୍ରୋମାଇଟ୍, କୋଇଲା, ଚୀନାମାଟି, ଗ୍ରାଫାଇଟ୍‌, ଚୂନପଥର, ଅଭ୍ର, ଆସ୍‌ବେଷ୍ଟସ୍‌, କ୍ୱାର୍ଟଜାଇଟ୍‌, ବିଭିନ୍ନ ପ୍ରକାର ରତ୍ନ ପଥର ଏଭଳିକି ସୁନା ମଧ୍ୟ ଗଚ୍ଛିତ ରହିଛି । ଏଗୁଡ଼ିକର ସୁବିନିଯୋଗ କରାଯାଇପାରିଲେ ରାଜ୍ୟର ଅର୍ଥନୈତିକ ରୂପ ସମ୍ପୂର୍ଣ୍ଣ ବଦଳିଯାଆନ୍ତା । ତା’ ବଦଳରେ ରାଜ୍ୟର ବୃହତ୍‌ ଏବଂ କ୍ଷୁଦ୍ର ଶିଳ୍ପ ଗୋଟିକ ପରେ ଗୋଟିଏ ରୁଗ୍‌ଣ ହୋଇ ବନ୍ଦ ହେବାରେ ଲାଗିଛି । ଏଠାରୁ ଶସ୍ତାରେ ଖଣିଜ ନେଇ ଧୂର୍ତ୍ତ ବ୍ୟବସାୟୀମାନେ ଧନର ପାହାଡ଼ ଉପରେ ବସିଛନ୍ତି । ବର୍ତ୍ତମାନ ବୃହତ୍‌ ଶିଳ୍ପ କହିଲେ ଦେଖାଯାଉଛି ରାଉରକେଲାର ଲୁହା କାରଖାନାଟି । ତାହା ମଧ୍ୟ ସମ୍ପୂର୍ଣ୍ଣ ସୁସ୍ଥ ନୁହେଁ । ସିମେଣ୍ଟ କାରଖାନା, ସାର କାରଖାନା, ଆଲ୍‌ମୁନିୟମ୍‌ କାରଖାନା, କାଗଜ କଳ-ଗୋଟିକ ପରେ ଗୋଟିଏ ବନ୍ଦ ହେବାରେ ଲାଗିଛି । ତାଳଚେରର ସାର କାରଖାନା ଶେଷରେ ବନ୍ଦ ହେଲା । ଏବେ ବିକ୍ରି ହେଲା ନୟାଗଡ଼ର ଚିନିକଳ । ବରଗଡ଼ ସିମେଣ୍ଟ କାରଖାନା ହସ୍ତାନ୍ତର ହୋଇ ଯାଇଛି । ପାରାଦୀପର ଇସ୍ପାତ କାରଖାନା, ତୈଳ ବିଶୋଧନାଗାର ହୋଇନାହିଁ । ହେବାର ସମ୍ଭାବନା ଅଛି କି ? ଏହା ହିଁ ହେଉଛି ଓଡ଼ିଶାର ବର୍ତ୍ତମାନ ଶିଳ୍ପର ସ୍ଥିତି ।

 

ସରକାରୀ ହିସାବ ଅନୁସାରେ ବର୍ତ୍ତମାନ ଓଡ଼ିଶାର ପ୍ରାୟ ୨୮୯,୮୩୭ ବର୍ଗମାଇଲ୍‌ ବିଶିଷ୍ଟ ଅଞ୍ଚଳରେ ବିଭିନ୍ନ ପ୍ରକାର ଖଣିଜ ପୂର୍ଣ୍ଣ ହୋଇ ରହିଛି । ଲୁହା, ମାଙ୍ଗାନିଜ୍‌, କୋଇଲା, କ୍ରୋମାଇଟ୍‌, ଗ୍ରାଫାଇଟ୍‌, ଚୂନପଥର, ଆସ୍‌ବେଷ୍ଟସ୍‌, ଅଭ୍ର ଏସବୁ ରହିଛି । ଏହାଛଡ଼ା ଓଡ଼ିଶାର କେତେକ ଜିଲ୍ଲାରେ ବାଲଷ୍ଟ, ମୋରମ୍‌, ଘୁଟିଂ ଏବଂ ଲାଟେରାଇଟ୍‌ ପ୍ରଭୃତି ଗୌଣ ଖଣିଜ ମଧ୍ୟ ରହିଛି । ଉପଲବ୍ଧ ଖଣିଜ ସମ୍ପର୍କରେ ଅନୁସନ୍ଧାନ ଏବଂ ସର୍ବେକ୍ଷଣ ଏ ପର୍ଯ୍ୟନ୍ତ ମଧ୍ୟ ଶେଷ ହୋଇନାହିଁ । କଳାହାଣ୍ଡି, ବଲାଙ୍ଗିର ଜିଲ୍ଲାରୁ ଶହ ଶହ କୋଟି ଟଙ୍କାର ରତ୍ନ ଉତ୍ତୋଳିତ ହୋଇ ପ୍ରଶାସନର ନିର୍ଜୀବ ଆଖି ଆଗରେ ବ୍ୟକ୍ତିଗତ ମାଲିକାନାକୁ ଚାଲିଯାଉଛି । ଯାହା ହୋଇପାରନ୍ତା, ଓଡ଼ିଶାର-ବିଶେଷକରି ସେଇ ଅନୁନ୍ନତ ଅଞ୍ଚଳର ସମୃଦ୍ଧିର ପ୍ରଧାନ କାରଣ ତାହା ଏହିଭଳି ଲୁଟ୍‌ତରାଜ୍‌ରେ ଯାଉଛି । ଆଜିର ସଭ୍ୟ ଜଗତରେ ଏହିଭଳି ଦିବାଲୋକର ଲୁଟ୍‌ର ଦ୍ୱିତୀୟ ଦୃଷ୍ଟାନ୍ତ ଅଛି କି ?

 

ଏ ସମ୍ପଦ ପ୍ରକୃତିର ଦାନ ଏବଂ ଆମ ପୂର୍ବ ପୁରୁଷମାନଙ୍କ ହିତଚିନ୍ତାର ପରିଚାୟକ । ସେମାନେ ଚାହିଁଥିଲେ, ଅନ୍ତତଃ ଏହାର କିଛି ଅଂଶର ବ୍ୟବହାର କରି ନିଜେ ସୁଖ ସମୃଦ୍ଧିର ଅଧିକାରୀ ହୋଇଥାଆନ୍ତେ । ମାତ୍ର ସେମାନେ ପେଟରେ ଓଦାକନା ଦେଇ ଉତ୍ତରପୁରୁଷଙ୍କ ପାଇଁ ସଂଚୟ କରିଯାଇଛନ୍ତି ଏହି କୁବେର ଭଣ୍ଡାର । ଏହାକୁ ସୁବିନିଯୋଗ କରି ନପାରିବା ଆମର ଅପାରଗତା ନୁହେଁ କି ?

 

ଏଠାରେ ଆମେ ଉଦ୍ଧାର କରୁଛୁଁ ଅତୀତର ଜଣେ ନମସ୍ୟ ମହାପୁରୁଷଙ୍କ ଉଦାର ଦୃଷ୍ଟିର କାହାଣୀକୁ । ସେ ହେଉଛନ୍ତି ନୀଳାଦ୍ରି ସିଂ-ସୋନପୁରର ସେ କାଳର ରାଜା । ସମୟ ଉନବିଂଶ ଶତକର ଶେଷଭାଗ । ଇଂରେଜ ସରକାରଙ୍କ ପଲିଟିକାଲ୍‌ ଏଜେଣ୍ଟ ତାଙ୍କୁ କହିଥିଲେ- ମହାରାଜା, ଆପଣଙ୍କ ରାଜ୍ୟରେ ବହୁ ମୂଲ୍ୟବାନ୍‌ ଧାତୁ ଦ୍ରବ୍ୟର ଖଣି ରହିଛି । ଆମେ ଖବର ପାଇଛୁ, ଏଥିରେ ସୁନା ବି ଅଛି ।

 

ମହାରାଜା କହିଲେ- ତା’ ତ ଆମର ପୂର୍ବପୁରୁଷମାନେ ବି ଜାଣିଥିଲେ ।

 

ଏଜେଣ୍ଟ ଆଶ୍ଚର୍ଯ୍ୟ ହୋଇ କହିଲେ- ଆପଣ ତା’ର ସଦ୍‌ବ୍ୟବହାର କରୁ ନାହାନ୍ତି କାହିଁକି-? କାହିଁକି ବା ଆପଣଙ୍କର ପୂର୍ବ ପୁରୁଷମାନେ ଏହାକୁ କାମରେ ଲଗାଇ ନାହାନ୍ତି ? ଖଣିପଟ୍ଟା ଦିଅନ୍ତୁ । ବିଦେଶୀ ବ୍ୟବସାୟୀମାନେ ଆଗ୍ରହ ଦେଖାଉଛନ୍ତି । ଆପଣ ବହୁଧନ ପାଇବେ-। ସ୍ଥାନୀୟ ଲୋକେ ବି ରୋଜଗାର ପାଇବେ । ଏ ଅଞ୍ଚଳର ଉନ୍ନତି ହେବ । କହିବେ ଯଦି ମୁଁ ସବୁ ସୁବିଧା କରିଦେବି ।

 

ଉଦାସୀନ ରାଜା ମୁଣ୍ଡ ହଲାଇଲେ । ଏକାକ୍ଷର ଶବ୍ଦଟିଏ ଉଚ୍ଚାରଣ କଲେ- ‘‘ନା ।’’ ଅର୍ଥାତ୍‌ ଖଣିଖୋଳା ହେବନାହିଁ । ଏଜେଣ୍ଟ ଚକିତ ହୋଇ କାରଣ ଜାଣିବାକୁ ଚାହିଁଲେ ନୀଳାନ୍ଦ୍ରି କହିଲେ- ଖଣି ଖୋଳିତ ପରଲୋକେ ନେଇଯିବେ । ଆମ ଲୋକଙ୍କର କି ଉପକାର ହେବ ? ସୁନା ବଦଳରେ ମୁଁ ପାଇବି ରୂପା ଟଙ୍କା କେତେଟା । କେତେଦିନ ରହିବ ? ମୋ ପ୍ରଜାଙ୍କର ବିଦ୍ୟା କି ସମ୍ବଳ ନାହିଁ ଯେ, ସେମାନେ ନିଜେ ଖଣିଖୋଳି କାମରେ ଲଗାଇପାରିବେ ।

 

ଏଜେଣ୍ଟ କହିଲେ–ସେଇ କଥାତ । ସେମାନେ ପାରିବେ ନାହିଁ । ଅନ୍ୟକୁ ପଟ୍ଟା ଦେଲେ, ସେମାନେ ମାଟିତଳର ସମ୍ପଦକୁ ବାହାରକୁ ବାହାର କରିବେ ।

 

ଏହା ପରେ ନୀଳାନ୍ଦ୍ରି ରଖିଲେ ତାଙ୍କର ଐତିହାସିକ ଉକ୍ତି–‘‘ଆଜି ସେମାନେ ପାରୁ ନାହାନ୍ତି । ହୁଏତ କାଲି ପାରିବେ । ପହରି ଦିନ-ନହେଲେ ତା’ପରେ ତ କେବେ । ଶିକ୍ଷାର ବିସ୍ତାର ହେଉଛି । ଖଣିଥିଲେ, ଦିନ ଆସିବ, ଜିନିଷ ମୋ ପ୍ରଜାଙ୍କ କାମରେ ଲାଗିବ । ସେ ପର୍ଯ୍ୟନ୍ତ ତାକୁ ରଖିବାକୁ ପଡ଼ିବ । ଦେଶର ଧନ-ଭଗବାନ୍‌ ଦେଇଛନ୍ତି ପ୍ରଜାଏ ତା’ର ବ୍ୟବହାର ନଶିଖିବାଯାଏଁ, ସେ ସେମିତି ଥାଉ ।

 

ଅନ୍ୟକୁ ପଟ୍ଟା ଦେଲେ, ମୋର ଏବେ ସାମାନ୍ୟ ଲାଭ ହେବ । ଭବିଷ୍ୟତ ନଷ୍ଟ ହେବ ମୋ’ ପ୍ରଜାଙ୍କର । ମୋର ଦାୟିତ୍ୱ କେବଳ ଜଗୁଆଳର । ରାଜ୍ୟର ଭବିଷ୍ୟତ ସୁରକ୍ଷିତ ରଖିବା ମୋର ଧର୍ମ । ତା’ କେମିତି ନଷ୍ଟ ହେବାକୁ ଦେବି’’ ?

 

ନୀଳାଦ୍ରି ଇଂରେଜି ପଢ଼ି ନଥିଲେ । (ଗୋପୀନାଥ ମହାନ୍ତିଙ୍କ ଆତ୍ମଚରିତ ‘ସ୍ରୋତସ୍ୱତୀ’ରେ ବର୍ଣ୍ଣିତ ଘଟଣାର ଆଧାରରେ) ଆମର ନେତା ଆଉ ପ୍ରଶାସକମାନେ ନୀଳାଦ୍ରିଙ୍କ ପାଦତଳେ ବସି ପ୍ରଜାମଙ୍ଗଳର ଏଇ ପ୍ରଥମ ପାଠଟି ଶିଖି ପାରିଲେ ରାଜ୍ୟର ରୂପ ବଦଳି ଯାଆନ୍ତା ନାହିଁ ?

 

ଏଥର ଖଣିଜର କଥା । ଉପଲବ୍ଧ କେତୋଟି ପ୍ରମୁଖ ଖଣିଜ ପଦାର୍ଥର କଥା ଚର୍ଚ୍ଚା କରାଯାଉ । ପ୍ରଥମେ ଲୁହା ପଥର । ଏହା ଓଡ଼ିଶାର ପ୍ରଧାନ ଖଣିଜ । ଯେଉଁ ପଥରରେ ୬୦ ଭାଗରୁ ଅଧିକ ଲୁହାଥାଏ ତହିଁରୁ ଲୁହା ବାହାର କରି ନିଆଯାଏ । ଓଡ଼ିଶାର ବହୁ ସ୍ଥାନରେ ଏହା ଉପଲବ୍ଧ ହୁଏ । ସୁନ୍ଦରଗଡ଼ ବଣାଇ, କେଉଁଝର, ମୟୂରଭଞ୍ଜ ପ୍ରଭୃତି ସ୍ଥାନରୁ ଲୁହା ପଥର ଉତ୍ତୋଳିତ ହେଉଛି । ବଣାଇରେ ୧୦୦୦,୦୦୦,୦୦୦୦ ଟନ୍‌ ଲୁହା ପଥର ଗଚ୍ଛିତ ଅଛି ଏବଂ ଏହାର ଅତି ଅଳ୍ପ ଅଂଶ ରାଉରକେଲା କାରଖାନାରେ ବ୍ୟବହୃତ ହେଉଛି । କେନ୍ଦୁଝର ଓ ମୟୂରଭଞ୍ଜରେ ପ୍ରାୟ ୯୦୦ ଲକ୍ଷ ଟନ୍‌ର ଲୁହା ପଥର ରହିଛି । ଏହି ସବୁ ପଥର ଦ୍ୱାରା ଓଡ଼ିଶାରେ ଆଉ ଏକ ଇସ୍ପାତ କାରଖାନା ଅନାୟାସରେ ଚଳାଯାଇ ପାରିବ ।

 

କେନ୍ଦୁଝର, କଟକ ଜିଲ୍ଲା ଅନ୍ତର୍ଗତ ଟମକା-ଦୈତାରୀ ଲୁହା ପଥରରେ ୬୦ ଭାଗରୁ ଅଧିକ ଲୁହା ରହିଛି । ପାରାଦୀପ ବନ୍ଦର ବାଟେ ଏହି ପଥର ବିଦେଶକୁ ରପ୍ତାନି କରାଯାଉଛି । ବସ୍ତୁତଃ ଓଡ଼ିଶାରୁ ଲୁହାପଥର ନେବାକୁ ଜାପାନ ରାଜି ହେବାରୁ ତାହାରି ସୁପାରିସ୍‌ରେ ୧୯୬୦-୬୧ରେ ପାରାଦୀପଠାରେ ଏକ ବନ୍ଦର ସ୍ଥାପନ କରାଯିବାର ସିଦ୍ଧାନ୍ତ ନିଆଯାଇଥିଲା । କୋରାପୁଟ ଉମରକୋଟ ଅଞ୍ଚଳର ହୀରାପୁରଠାରେ ଲୁହା ପଥରର ସନ୍ଧାନ ମିଳିଛି । ସମ୍ୱଲପୁର ଜିଲ୍ଲାରେ ମଧ୍ୟ ପ୍ରଚୁର ଲୁହା ପଥର ରହିଛି । ଏ ସବୁର ସଦୁପଯୋଗରେ ଓଡ଼ିଶାର ଅର୍ଥନୈତିକ ରୂପ ବଦଳିଯିବ ।

 

ମାଙ୍ଗାନିଜ୍‌ ପାଇଁ ଆନ୍ତର୍ଜାତିକ କ୍ଷେତ୍ରରେ ଭାରତର ସୁନାମ ରହିଛି ଏବଂ ଏଥିରେ ସୋଭିଏଟ୍‌ ରୁଷ୍‌ ତଳକୁ ଭାରତର ସ୍ଥାନ । ଏଠାରେ ପ୍ରତିବର୍ଷ ପ୍ରାୟ ୨୦୦୦,୦୦୦୦ ଟନ୍‌ ମାଙ୍ଗାନିଜ୍‌ ଉତ୍ତୋଳିତ ହୁଏ । ମାତ୍ର ଦେଶରେ ତାହାର କ୍ଷୁଦ୍ରତମ ଅଂଶ ମାତ୍ର ଉପଯୋଗ କରାଯାଇ ପାରୁଛି । ସମଗ୍ର ଭାରତ ବର୍ଷର ମାଙ୍ଗାନିଜ୍‌ ପରିମାଣର ୧/୩ ଅଂଶ ଓଡ଼ିଶାରେ ଉପଲବ୍ଧ ହୁଏ ଏବଂ ଏହାର ୮୫ ଭାଗ ବାହାରକୁ ପଠାଯାଏ । କେନ୍ଦୁଝର, ସୁନ୍ଦରଗଡ଼, କୋରାପୁଟ, କଳାହାଣ୍ଡି, ବଲାଙ୍ଗିର ପ୍ରଭୃତି ଅଞ୍ଚଳରେ ମାଙ୍ଗାନିଜ୍‌ ମିଳେ । କେନ୍ଦୁଝର ଖଣିରୁ ଉତ୍ତୋଳିତ ମାଙ୍ଗାନିଜ୍‌ ଦ୍ୱାରା ରାଜ୍ୟର ଚାହିଦା ପୂରଣ ହୋଇପାରୁଛି ଏବଂ ଏହା ଘରୋଇ ବ୍ୟବସାୟୀଙ୍କୁ ପଟ୍ଟାଦିଆ ଯାଇଛି । କିଛି ଖଣି ଭବିଷ୍ୟତ ନିମନ୍ତେ ସୁରକ୍ଷିତ । ଜୋଡ଼ାଠାରେ ଟାଟା ଦ୍ୱାରା ଫେରୋମାଙ୍ଗାନିଜ୍‌ର ଏକ ଖଣି କାରଖାନା ଖୋଲା ଯାଇଛି । ରାୟଗଡ଼ାରେ ମଧ୍ୟ ଏହାର ଏକ କାରଖାନା ଅଛି । ଅନୁମାନ କରାଯାଉଛି ଯେ, ଓଡ଼ିଶାର ପ୍ରାୟ ୧୦୦୦,୦୦୦,୦୦ ଟନ୍‌ ମାଙ୍ଗାନିଜ୍‌ ଗଚ୍ଛିତ ଅଛି । ବାଣ୍ଡେଣ୍ଡ ହେମାଟାଇଟ୍‌ କ୍ୱାର୍ଜାଇଟ୍‌ ନାମକ ଲୁହା ପଥର ସହିତ ମିଶି ମାଙ୍ଗାନିଜ୍‌ ବଡ଼ବିଲ୍‍ଠାରେ ରହିଛି । ବଣାଇର କୋଇଡ଼ାରେ ମଧ୍ୟ ଏହା ଉତ୍ତୋଳିତ ହେଉଛି । ଓଡ଼ିଶାର ଅନ୍ୟାନ୍ୟ ସ୍ଥାନରେ କେତେ ମାଙ୍ଗାନିଜ୍‌ ରହିଛି, ତାହା ଏପର୍ଯ୍ୟନ୍ତ ସ୍ଥିର କରାଯାଇ ନାହିଁ ।

ଓଡ଼ିଶାରେ କୋଇଲା ଥିବା କଥା ୧୮୩୭ରେ ଜଣାପଡ଼ିଥିଲା । ୧୯୦୯ରେ ପ୍ରଥମେ ସମ୍ୱଲପୁରଠାରେ ଏବଂ ୧୯୧୯ରେ ତାଳଚେରଠାରେ ଏହା ଉତ୍ତୋଳିତ ହୋଇଥିଲା । ସମ୍ୱଲପୁରର (ଏବେ ଝାରସୁଗୁଡ଼ା) ରାମପୁରଠାରେ ତିନୋଟି ଏବଂ ତାଳଚେରଠାରେ ଚାରୋଟି କୋଇଲା ଖଣି ରହିଛି । ବାର୍ଷିକ ୫ଲକ୍ଷ ଟନ୍‌ କୋଇଲା ଓଡ଼ିଶା ଖଣିମାନଙ୍କରୁ ଉପଲବ୍ଧ ହେଉଛି । ରାମପୁର ଖଣିରେ ପ୍ରାୟ ୬୦୦ ଗଭୀରରେ ପ୍ରାୟ ୧୦୦୦,୦୦୦,୦୦୦ ଟନ୍‌ ଏବଂ ତାଳଚେର ଖଣିରେ ପ୍ରାୟ ୧୫୦,୦୦୦,୦୦୦୦ ଟନ୍‌ କୋଇଲା ଗଚ୍ଛିତ ଥିବାର ଅନୁମାନ କରାଯାଏ । ତେବେ ଏଥିରେ ପାଣିର ମାତ୍ରା ଅଧିକ ଏବଂ ଏହାକୁ ହାଲୁକା କୋଇଲାରେ ପରିଣତ କରାଯିବାର ସମ୍ଭାବନା ନାହିଁ । ତେଣୁ ଏହା କେବଳ ରେଳଇଞ୍ଜିନ୍‌ର ଇନ୍ଧନ ରୂପେ ବ୍ୟବହୃତ ହୋଇପାରିବ । ଓଡ଼ିଶାରେ ଏ ଅବଧି ଉତ୍କୃଷ୍ଟମାନର କୋଇଲାର ସନ୍ଧାନ ମିଳିନାହିଁ ।

କ୍ରୋମାଇଟ୍‌ ଖଣି କେନ୍ଦୁଝର, ଢେଙ୍କାନାଳ ଏବଂ କଟକ ଜିଲ୍ଲାରେ ରହିଛି । କେନ୍ଦୁଝରର ବଉଳା-ନୂଆସାହି ତଥା କଟକର ସୁକିନ୍ଦାଠାରେ କ୍ରୋମାଇଟ୍‌ ବାହାର କରାଯାଉଛି । ଏହାର ମାନ ବେଶ୍ ଉଚ୍ଚ ଏବଂ ଏହାର ବ୍ୟବସାୟିକ ଉପଯୋଗିତା ରହିଛି । ସମଗ୍ର ଭାରତରେ କ୍ରୋମାଇଟ୍‌ ଉତ୍ପାଦନରେ ଓଡ଼ିଶାର ସ୍ଥାନ ପ୍ରଥମ । ଏଠାରେ ବାର୍ଷିକ ପ୍ରାୟ ୪୦,୦୦୦ ଟନ୍‌ କ୍ରୋମାଇଟ୍‌ ମିଳିଥାଏ । ଅନୁମାନ କରାଯାଉଛି ଏଠାର କ୍ରୋମାଇଟ୍‌ର ଗଚ୍ଛିତ ପରିମାଣ ପାଞ୍ଚଲକ୍ଷ ଟନ୍‌ରୁ ବେଶି-। ପରିମାଣ ଅଧିକ ମଧ୍ୟ ହୋଇପାରେ ।

ସମ୍ୱଲପୁର ତଥା ସୁନ୍ଦରଗଡ଼ରେ ଚୂନପଥର ତଥା ଡୋଲ୍‌ମାଇଟ୍‌ ପ୍ରଚୁର ପରିମାଣରେ ମିଳେ । ସମ୍ୱଲପୁର ଜିଲ୍ଲାର ଡୁଙ୍ଗରୀ ନାମକ ସ୍ଥାନରେ ୭୦୦୦,୦୦୦,୦୦ଟନ୍‌ରୁ ଅଧିକ ସିମେଣ୍ଟ ଉତ୍ପାଦନକ୍ଷମ ଚୂନପଥର ମହଜୁଦ୍‌ ରହିଥିବାର ଅନୁସନ୍ଧାନରୁ ଜଣାପଡ଼ିଛି । ସେହି ଭଳି ସୁନ୍ଦରଗଡ଼ର, ବୀରମିତ୍ରପୁର, ହାତୀବାରି ଏବଂ ଘତିତାନଗର ଖଣିରୁ ଚୂନପଥର ଉତ୍ତୋଳିତ ହୋଇ ଭିନ୍ନ ଭିନ୍ନ ଲୁହା କାରଖାନାକୁ ପଠାଯାଏ । ମାଲକାନଗିରିରେ ମଧ୍ୟ ବହୁ ପରିମାଣରେ ଚୂନପଥର ସନ୍ଧାନ ମିଳିଛି ।

ଗେନିସ୍‌ ମିଶ୍ରିତ ଗ୍ରାଫାଇଟ୍‌ ବହୁ ଖଣିରୁ ଅବ୍ୟବସ୍ଥିତ ରୂପରେ ମିଳିଥାଏ । ଏବେ ପ୍ରାୟ ୯୦୦ ଟନ୍‌ ଗ୍ରାଫାଇଟ୍‌ ବଲାଙ୍ଗୀର ସମ୍ୱଲପୁର ଏବଂ ବଲାଙ୍ଗୀର ଜିଲ୍ଲାରୁ ବାହାର କରାଯାଉଛି । ଏଥିରୁ ତାପ ସହନକ୍ଷମ ପିଆଲା ଏବଂ ପେନସିଲ୍‌ ସୀସା ପ୍ରସ୍ତୁତ କରାଯାଏ ।

ଫାୟାର୍‌-କ୍ଲେ (ତାପ ସହନକ୍ଷମ ମାଟି) ଓ ଚୀନାମାଟି ଓଡ଼ିଶାରେ ଖୁବ୍‌ କମ୍‌ ପରିମାଣରେ ମିଳେ । ସମ୍ୱଲପୁରର ବେଲପାହାଡ଼ ଏବଂ ସୁନ୍ଦରଗଡ଼ର ରାଜଗାଙ୍ଗପୁରଠାରେ ଏହା ମିଳୁଥିବାରୁ ରିଫ୍ରାକ୍ଟୋରୀ-କାରଖାନାମାନ ବସାଯାଇଛି । ଭୂବନେଶ୍ୱର ନିକଟବର୍ତ୍ତୀ ଚନ୍ଦକାଠାରେ ଚୀନାମାଟି ମିଳୁଛି । ଏଥିରୁ ବାରଙ୍ଗର ଓଡ଼ିଶା ଇଣ୍ଡଷ୍ଟ୍ରିଜ୍‌ ଦ୍ୱାରା ବାସନ କୁସନ ତଥା ଶୌଚାଳୟରେ ବ୍ୟବହୃତ ଉପକରଣମାନ ପ୍ରସ୍ତୁତ ହେଉଛି ।

 

ବକ୍ସାଇଟ୍‌ ମିଳେ ସମ୍ୱଲପୁର ଏବଂ କଳାହାଣ୍ଡି ଜିଲ୍ଲାରେ । କଳାହାଣ୍ଡିରେ ପ୍ରାୟ ୩୯୧,୦୦୦ଟନ୍‌ ତଥା ସମ୍ୱଲପୁରରେ ପ୍ରାୟ ୩୦୦,୦୦୦ ଟନ୍‌କଞ୍ଚା ବକ୍ସାଇଟ୍‌ ଗଚ୍ଛିତ ଥିବାର ଅନୁମାନ କରାଯାଏ । ଏଥିରେ ୫୫ରୁ ୬୦ ଭାଗ ଆଲୁମିନିୟମ୍‌ ବକ୍ସାଇଡ଼୍‌ ରହିଛି । ଡୁଡ଼ୁମାରୁ ପ୍ରାପ୍ତ ବିଦ୍ୟୁତ୍‌ଶକ୍ତି ସାହାଯ୍ୟରେ ସେଠାରେ ଏକ ଆଲୁନିୟମ୍‌ କାରଖାନା ବସାଯାଇପାରେ । ସେହିଭଳି କାନାଇଟ୍‌ ଢେଙ୍କାନାଳର କାମକ୍ଷାନଗର ତଥା ମୟୂରଭଞ୍ଜର କେତେକ ଅଞ୍ଚଳରେ ମିଳେ । କେନ୍ଦୁଝରର ତେଲକୋଇଠାରେ ମଧ୍ୟ ଏହା ଗଚ୍ଛିତ ରହିଛି । ଓଡ଼ିଶାର କେନ୍ଦୁଝର, କୋରାପୁଟ, ମୟୂରଭଞ୍ଜ ପ୍ରଭୃତି ଅଞ୍ଚଳର ନଈବାଲିରେ ସୁନାରେଣୁ ଅବଶ୍ୟ ରହିଛି । ମାତ୍ର ଆର୍ଥିକ ଦୃଷ୍ଟିରୁ ଏହାର ସଂଗ୍ରହ ଲାଭଜନକ ନୁହେଁ ।

 

ସୀସା ବଲାଙ୍ଗିର ଓ ମୟୂରଭଞ୍ଜର କେତେକ ଅଞ୍ଚଳରେ ମିଳେ । ଏହା ସହିତ କିଛି ପରିମାଣରେ ରୂପା ମିଶି ରହିଥାଏ । କୋରାପୁଟ, ଗଞ୍ଜାମ, କଟକ ତଥା ଢେଙ୍କାନାଳରେ ପିଗ୍‌ମେଟାଇଟ୍‌ ନାମକ ଧାତୁର ସନ୍ଧାନ ମିଳିଛି, ଯେଉଁଥିରେ ଅଭ୍ର ମିଶି ରହିଛି । ତେବେ ଆର୍ଥିକ ଦୃଷ୍ଟିରୁ ଏଥିରୁ ଅଭ୍ର ସଂଗ୍ରହ ଲାଭଜନକ ନୁହେଁ । ପୃଥିବୀରେ ଅଭ୍ର ସଂଗ୍ରହରେ ଭାରତର ସ୍ଥାନ ପ୍ରଥମ । ଓଡ଼ିଶାର କୋରାପୁଟରୁ କିଛି ଅଭ୍ର ଅବଶ୍ୟ ମିଳୁଛି । ଆଶା ଭବିଷ୍ୟତରେ ଏହି ପରିମାଣ ବଢ଼ିବ ।

 

ଓଡ଼ିଶାର ସମୁଦ୍ରତଟ ସ୍ଥିତ ମାୟାପୁରୀ ମୁହାଣ ତଥା ମହାନଦୀ ମଝିରେ ଥିବା ସମୁଦ୍ର କୂଳର ବାଲିରେ ମିଶି ରହିଥିବା ଇଲ୍‌ମେନାଇଟ୍‌ ତଥା ମୋନାଜାଇଟର ସନ୍ଧାନ ଏବେ ମିଳିଛି । ସମ୍ୱଲପୁରର ସୁନ୍ଧର ନାମକ ସ୍ଥାନରେ ଇଲ୍‌ମେନାଇଟ୍‌ ରହିଛି । ମୟୂରଭଞ୍ଜର କେତେକ ସ୍ଥାନରେ ଆଜ୍‌ବେଷ୍ଟସ୍‌ର ସନ୍ଧାନ ମିଳିଛି । ସୁନ୍ଦରଗଡ଼ର ବଣାଇ ତଥା କେନ୍ଦୁଝରରେ ମଧ୍ୟ ଏହାର ସନ୍ଧାନ ମିଳିଛି ।

 

ଏହାଛଡ଼ା ଷ୍ଟିଲ୍‌ବାଇଟ୍‌, ଫେଲ୍‌ପାର, କ୍ୱାର୍ଜ, ବେରିତ୍‌ ପାରନେଟ୍‌ ପ୍ରଭୃତି ଖଣିଜ ମଧ୍ୟ ଏଠାରେ କିଛି ରହିଛି ।

 

ବ୍ୟବସାୟିକ ସଫଳତା ମିଳିପାରୁଥିବା ପ୍ରାୟ ସବୁ ପ୍ରଧାନ ଖଣିଜ ସମ୍ପଦ ଓଡ଼ିଶାରେ ଗଚ୍ଛିତ ଥିବା ଏଥିରୁ ପ୍ରମାଣିତ ହେଉଛି ଏ ସବୁର ଯଥାର୍ଥ ଉପଯୋଗ ଏ ପର୍ଯ୍ୟନ୍ତ ହୋଇପାରି ନାହିଁ-। ସେନପୁର ମହାରାଜା ସେଦିନ ନିଜ ରାଜ୍ୟର ଗଚ୍ଛିତ ଖଣିଜକୁ ଉତ୍ତର ପିଢ଼ି ନିମନ୍ତେ ଛାଡ଼ି ଦେଇ ଘୋଷଣା କରିଥିଲେ ଯେ, ସେମାନେ ଯେଉଁଦିନ ଯୋଗ୍ୟ ହେବେ, ସେଦିନ ନିଜ ପାଇଁ ଏ ସବୁର ଉପଯୋଗ କରିବେ । ହୁଏତ ଆମେ ଏବେବି ସେଥିପାଇଁ ଯୋଗ୍ୟ ହୋଇପାରି ନାହୁଁ । ଏଥିପାଇଁ ଆହୁରି ଅପେକ୍ଷା କରିବାକୁ ହେବ ।

 

ଜଳରୁ ସମ୍ପଦ :–ଓଡ଼ିଶାର ଜଳ ସମ୍ପଦ ମଧ୍ୟରେ ପ୍ରଧାନତମ ହେଉଛି ମାଛ । ଏଥିପାଇଁ ଏ ରାଜ୍ୟକୁ ମତ୍ସ୍ୟ ଦେଶ କୁହାଯାଇଥାଏ । ଏଠାରେ ନଦୀ, ହ୍ରଦ, ଜୋର, ପୋଖରୀ, ପାଟ ଓ ସମୁଦ୍ରରୁ ପ୍ରଚୁର ମାଛ ମିଳୁଥିଲା । ତେବେ ବର୍ତ୍ତମାନ ଏହାର ପରିମାଣ ହ୍ରାସପାଇଛି । ମାଛ ଓଡ଼ିଆମାନଙ୍କ ଖାଦ୍ୟ ସୂଚୀର ମୁଖ୍ୟ ଉପାଦାନ ହୋଇଥିବାରୁ ଏଠାର ଚାହିଦା ପୂରଣ ପାଇଁ ଦୈନିକ ହଜାର ହଜାର କ୍ୟୁଇଣ୍ଟାଲ୍‌ ମାଛ ଆନ୍ଧ୍ରରୁ ଅଣାଯାଉଛି । ବର୍ତ୍ତମାନ ନଦୀ ଶଯ୍ୟାଗୁଡ଼ିକ ପୋତି ହୋଇଯିବା ଫଳରେ ଏବଂ କେତେକ ସ୍ଥାନରେ ଜଳଭଣ୍ଡାର କରି ଜଳ ଅଟକାଇ ରଖିବା ଦ୍ୱାରା ନଦୀଗର୍ଭ ବର୍ଷସାରା ଜଳପୂର୍ଣ୍ଣ ରହୁ ନାହିଁ । ପୁଣି ବିଭିନ୍ନ କାରଣରୁ ନଦୀ ପ୍ରଦୂଷିତ ରହୁଛି । ନଦୀରୁ ମାଛ ପରିମାଣ କମୁଛି । ଏଣେ ସମୁଦ୍ରରୁ ମଧ୍ୟ ଆଶାନୁରୂପ ମାଛ ଧରାଯାଇ ପାରୁନାହିଁ । ଚିଲିକା ଏକଦା ଥିଲା ମାଛ ଓ କଙ୍କଡ଼ାର ଆକର । ସେଠାରେ ତାହା ମଧ୍ୟ ଯଥେଷ୍ଟ ମିଳୁନାହିଁ । ହୀରାକୁଦଠାରେ ଜଳଭଣ୍ଡାର ହେବା ଦ୍ୱାରା ନିମ୍ନ ଅଞ୍ଚଳକୁ ମାଛ ଆସିବା ବାଧାପ୍ରାପ୍ତ ହୋଇଛି । ଜଳଭଣ୍ଡାରର ସଂଗ୍ରହ ମଧ୍ୟ ଆଶାନୁରୂପ ନୁହେଁ । ମହାନଦୀର ଶାଖାନଦୀଗୁଡ଼ିକ ଏକଦା ମାଛରେ ପୂର୍ଣ୍ଣ ଥିଲେ । ଓଡ଼ିଶାର ମଧୁରଜଳପୂର୍ଣ୍ଣ ହ୍ରଦ ଅଂଶୁପା ମଧ୍ୟ ଥିଲା ମତ୍ସ୍ୟ ଯୋଗାଣର ଅନ୍ୟତମ ଉତ୍ସ-। ଏହି ହ୍ରଦ ଏବେ ମୃତ୍ୟୁମୁଖରେ ।

 

ଅତୀତରେ ମହାନଦୀର ଅବବାହିକା ଓ ଏହାର ତ୍ରିକୋଣ ଭୂମି ଅଞ୍ଚଳ ବହୁ ଯୋର, ପାଟ, ନାଳ, ଖାଲରେ ପୂର୍ଣ୍ଣଥିଲା ଏବଂ ପ୍ରାୟ କୌଣସି ବା କୌଣସି ନଦୀ ସହିତ ଏ ସବୁର ଯୋଗଥିଲା । ବଢ଼ିପାଣିରେ ପ୍ରଚୁର ମାଛ ଆସି ଏହି ସବୁ ଖାଲୁଆ ସ୍ଥାନ, ଜଳପ୍ରଣାଳୀରେ ରହିଯାଉଥିଲେ ଏବଂ ପାଣି ଶୁଖିବାକୁ ଆରମ୍ଭ କଲେ ସହଜରେ ମତ୍ସ୍ୟ ଶିକାରୀମାନଙ୍କ କବଳରେ ପଡ଼ୁଥିଲେ । ବର୍ଷାରୁ ଶୀତଦିନ ପର୍ଯ୍ୟନ୍ତ ବିଲ ବାଡ଼ିରୁ ଯେଉଁ ମାଛ ମିଳୁଥିଲା, ତହିଁରେ ଗୃହସ୍ଥର ପୂରା ପରିବାର ନିୟମିତ ଭାବରେ ମାଛ ଖାଇବାର ସୁଯୋଗ ପାଉଥିଲେ, ପଇସାଟିଏ ଖର୍ଚ୍ଚ ନକରି-। ଏବେ ଉତ୍ପାଦନ ବୃଦ୍ଧି ପାଇଁ ବିଲରେ ରାସାୟନିକ ସାର ପ୍ରୟୋଗ ହେଉଛି । ତାହାର ବିଷାକ୍ତ ପ୍ରଭାବରେ ସେଠାରେ ପୋକଟିଏ ବଞ୍ଚିବା ଅସମ୍ଭବ ।

 

ଓଡ଼ିଶାରେ ମଧୁର ଲୁଣି ଓ ଅଳ୍ପଲୁଣି-ଏଇ ତିନିପ୍ରକାରର ମାଛ ମିଳନ୍ତି । ବୈଜ୍ଞାନିକ ଉପାୟରେ ମାଛ ଉତ୍ପାଦନକୁ ଯେ ବୃଦ୍ଧି କରାଯାଇପାରିବ, ପାରମ୍ପରିକ ଉପାୟରେ ମାଛ ଧରୁଥିବା ଆମର ଧୀବରମାନଙ୍କୁ ତାହା ଜଣାନଥିଲା । ହେକ୍‌ଟର୍‌ ପିଛା ୧୯୦/୧୫ କେଜି:- ମାଛ ପାଇ ସେମାନେ ସନ୍ତୁଷ୍ଟ ଥିଲେ । ତେବେ ସ୍ୱାଧୀନତା ପରେ ଏହି ଉତ୍ପାଦନ ପରିମାଣ ବଢ଼ାଇବା ନିମନ୍ତେ କିଛି ଉଦ୍ୟମ ହୋଇଛି । ଏହି ଲକ୍ଷ୍ୟରେ କେନ୍ଦ୍ରୀୟ ଆଭ୍ୟନ୍ତରୀଣ ମତ୍ସ୍ୟ ଗବେଷଣା ସଂସ୍ଥା (Central Inland Fisheries research station) ସ୍ଥାପିତ ହୋଇଛି କଟକଠାରେ-। ବୈଜ୍ଞାନିକ ପ୍ରଣାଳୀରେ ମାଛ ଉତ୍ପାଦନ ବଢ଼ାଇବା ଏବଂ ମାଛ ଜାଆଁଳ ପାଇଁ ଉପଯୁକ୍ତ ପରିବେଶ ସୃଷ୍ଟି କରିବା ଦିଗରେ ସାହାଯ୍ୟ କରିବା ହେଉଛି ଏହାର ଲକ୍ଷ୍ୟ । ପ୍ରଥମେ ମତ୍ସ୍ୟ ବିଭାଗ ଏଥିପାଇଁ ମହାନଦୀ, କାଠଯୋଡ଼ି, ବ୍ରାହ୍ମଣୀ ଏବଂ ଅନ୍ୟ ନଦୀମାନଙ୍କ ଉପରେ ନିର୍ଭର କରୁଥିଲେ । ନଦୀରୁ ଛୋଟ ଜାଆଁଳ ଧରାଯାଇ ପ୍ରଥମେ ବ୍ୟକ୍ତିଗତ ଦେଖାରଖାରେ କିଛି ବଡ଼ ହେବାଯାଏ ରଖାଯାଉଥିଲା ଏବଂ ତା’ ପରେ ସେଗୁଡ଼ିକୁ ହିତାଧିକାରୀମାନଙ୍କୁ ଯୋଗାଇ ଦିଆାଯାଉଥିଲା । କେବଳ କଟକ ଜିଲ୍ଲାରୁ ବାର୍ଷିକ ପ୍ରାୟ ୧୫୦୦ ଲକ୍ଷ ଜାଆଁଳ ଧରାଯାଇ ଅନ୍ୟ ଜିଲ୍ଲାମାନଙ୍କୁ ଯୋଗାଇ ଦିଆଯାଉଥିଲା । ବର୍ତ୍ତମାନ ଏହି ପରିମାଣ ବୃଦ୍ଧିପାଇଛି । ବୈଜ୍ଞାନିକ ପ୍ରଣାଳୀରେ ମାଛ ଚାଷ ପାଇଁ ଚାଷୀମାନଙ୍କୁ ପ୍ରଶିକ୍ଷଣ ମଧ୍ୟ ଦିଆ ଯାଉଛି । ଘରୋଇ ପୋଖରୀ ବ୍ୟତୀତ ଗ୍ରାମ ପଞ୍ଚାୟତ ଅଧୀନରେ ଥିବା ସର୍ବସାଧାରଣ ପୋଖରୀ ଗୁଡ଼ିକ ବି ଏଥିପାଇଁ ବ୍ୟବହାର କରାଯାଉଛି-

 

ବିଭିନ୍ନ ସ୍ଥାନରେ ଥିବା ଜଳଭଣ୍ଡାର ଗୁଡ଼ିକରେ ମାଛ ଚାଷ ପାଇଁ ବିଶ୍ୱବ୍ୟାଙ୍କ ସାହାଯ୍ୟରେ ଉଦ୍ୟମ ହୋଇଛି । ବର୍ତ୍ତମାନ ରାଜ୍ୟରେ ୩୫ଟି କୃତ୍ରିମ ଜଳଭଣ୍ଡାର ରହିଛି । ସେଥିରୁ ମହାନଦୀ ଏବଂ ତାହାର ଶାଖା ନଦୀଗୁଡ଼ିକରେ ସର୍ବାଧିକ ଏଗାରଟି ଜଳଭଣ୍ଡାର ରହିଛି । ସେଥିମଧ୍ୟରୁ କୁଆଁରିଆ, ସଇପାଲ୍‌, ସୁନ୍ଦର, ଉଟେଇ, ଡାହୁକ ଇତ୍ୟାଦିର ନାମ ଏଠାରେ ଡୁମେର ବାହାଲ୍‌, ସଇପାଲ୍‌, ସୁନ୍ଦର, ଉଟେଲ, ଡାହୁକ ଇତ୍ୟାଦିର ନାମ ଏଠାରେ ଉଲ୍ଲେଖ କରାଯାଇପାରେ-। ଏହାଛଡ଼ା ରହିଛି ନରାଜ, ଯୋବ୍ରା ଏବଂ ବିରୂପା ଆନିକଟର ଜଳଭଣ୍ଡାର । ଏଥିପାଇଁ ଏକ ପ୍ରସ୍ତୁତ କରାଯାଇ ମାଛ ଚାଷର ଉନ୍ନତି ତଥା ମତ୍ସ୍ୟ ଜୀବମାନଙ୍କ ଆର୍ଥିକ ପ୍ରଗତି ନିମନ୍ତେ ଉଦ୍ୟମ କରାଯାଉଛି । ମହାନଦୀ ମୁହାଣରୁ ଇଲିସି, ଚିଙ୍ଗୁଡ଼ି, ତଥା ଅନ୍ୟାନ୍ୟ ଖାଦ୍ୟୋପଯୋଗୀ ସାମୁଦ୍ରିକ ମାଛ ପ୍ରଚୁର ମିଳନ୍ତି । ଆବହମାନକାଳରୁ ସ୍ଥାନୀୟ ମତ୍ସ୍ୟଜୀବୀମାନେ ସେମାନଙ୍କ ପାରମ୍ପରିକ ଉପାୟରେ ଏଠାରୁ ମାଛଧରି ଆସୁଛନ୍ତି । ତେବେ ୧୯୫୫-୫୬ରୁ ମତ୍ସ୍ୟ ବିଭାଗ ମହାନଦୀ ଉନ୍ନୟନ ପ୍ରକଳ୍ପ ନାମରେ ଯୋଜନାଟିଏ ହାତକୁ ନେଇ ସ୍ଥାନୀୟ ମତ୍ସ୍ୟ ଜୀବୀମାନଙ୍କ ମାଛକୁ ଦୂରକୁ ପଠାଇବା ବ୍ୟବସ୍ଥା, ସଂରକ୍ଷଣ ନିମନ୍ତେ ବରଫ ଯୋଗାଣ ପ୍ରଭୃତି କରି ଆସୁଛନ୍ତି । କୁଜଙ୍ଗରେ ଏକ ବରଫ କଳ ବସାଯାଇଛି । ମହାନଦୀ ମୁହାଣରୁ ମୋଟର ଚାଳିତ ଡଙ୍ଗା ଦ୍ୱାରା ମାଛ ଧରାଯାଇ ଭଲଫଳ ମିଳୁଛି । ଖାଦ୍ୟୋପଯୋଗୀ ଅଳ୍ପ ଲୁଣି ମାଛର ପରିମାଣ ଚାଷ ଦ୍ୱାରା ବଢ଼ାଇବା ପାଇଁ ପାରାଦୀପର କ୍ଷୀରଗଛମାଦେଳିଠାରେ ଏକ ସଂସ୍ଥା ସ୍ଥାପିତ ହୋଇଛି । ଅଳ୍ପ ଲୁଣିପାଣିରେ ଚିଙ୍ଗୁଡ଼ି ଚାଷ ଭଲ ହେଉଥିବାରୁ ମହାନଦୀ ମୁହାଣଠାରୁ ଆରମ୍ଭ କରି ରାଜ୍ୟର ଅନ୍ୟ ଜୁଆରିଆ ନଦୀ ମୁହାଣ ତଥା ଚିଲିକାରେ ଏଥିପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଆଗ୍ରହୀ ଚାଷୀମାନଙ୍କୁ ବ୍ୟାଙ୍କ ଋଣ ତଥା ଅନୁଦାନ ଇତ୍ୟାଦି ଯୋଗାଇ ଦିଆଯାଇ ଉପଯୁକ୍ତ ପ୍ରଶିକ୍ଷଣ ମଧ୍ୟ ଦିଆଯାଉଛି । ଅଷ୍ଟମ ଯୋଜନା କାଳରେ ଏହି ପ୍ରକଳ୍ପରେ ବିଶ୍ୱବ୍ୟାଙ୍କ ଅର୍ଥରୁ ୫୬,୯୪୦୦୦- ଟଙ୍କା ଖର୍ଚ୍ଚ କରାଯିବାର ବ୍ୟବସ୍ଥା ହୋଇଥିଲା । ଉନ୍ନତ ପ୍ରଣାଳୀରେ ମାଛ ଚାଷ ଦ୍ୱାରା ଉତ୍ପାଦନ ବଢ଼ାଇ ହେକ୍ଟର ପିଛା ଦୁଇଟନ୍‌ ମାଛ ମିଳିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା । ଏହା ସହିତ ସାମୁଦ୍ରିକ ମାଛର ଉତ୍ପାଦନ ମଧ୍ୟ ବଢ଼ାଇବାକୁ ଠିକ୍‌ କରାଯାଇଥିଲା ଏବଂ ଏଥିପାଇଁ ହଜାର ହଜାର ମାଛଧରା ଲଞ୍ଚ କିଣିବା ନିମନ୍ତେ ଆଗ୍ରହୀ ବ୍ୟକ୍ତିଙ୍କୁ ଋଣ ତଥା ଅନୁଦାନ ଯୋଗାଇ ଦିଆଯାଇଥିଲା ।

 

ଓଡ଼ିଶାର ପ୍ରାୟ ୪୮୦ କି:ମି: ବେଳାଭୂମି ରହିଛି । ମଧୁର ଜଳହ୍ରଦ, ବିଲଖାଲ ପ୍ରଭୃତି ୧,୮୦,୦୦୦ ହେକ୍ଟର ଅଞ୍ଚଳରେ ରହିଛି । ନଦୀ ୧,୫୫,୪୦୦ ହେକ୍ଟର, ପୁଷ୍କରିଣୀ ୨୯,୦୦୦ ହେକ୍ଟର, ଜଳଭଣ୍ଡାର ୨,୫୬,୦୦୦ ହେକ୍ଟର ଲୁଣା ହ୍ରଦ ୨,୬୮,୦୦୦ ହେକ୍ଟର, ନଦୀ ମୁହାଣର ୮,୧୦୦ ହେକ୍ଟର ଏବଂ ନଦୀ ମୁହାଣ ୨,୯୮୮,୦୦୦ ହେକ୍ଟର ଅଞ୍ଚଳରେ ରହିଛି । ଏ ସବୁ ମାଛ ଚାଷ ପାଇଁ ଆଦର୍ଶ କ୍ଷେତ୍ର । ସାହାଯ୍ୟ ପାଇଁ ମତ୍ସ୍ୟ ବିଭାଗ ରହିଛି ଏବଂ ଗୋଷ୍ଠୀ ଉନ୍ନୟନ ବିଭାଗ ମଧ୍ୟ ମତ୍ସ୍ୟ ଚାଷ ନିମନ୍ତେ ପ୍ରୋସାହନ ଦେଉଛି । ୧୯୭୮-୭୯ରେ ରାଜ୍ୟରେ ମଧୁର ମତ୍ସ୍ୟ ଉତ୍ପାଦନ ୧୯,୦୦୦ ଟନ୍‌ ହୋଇଥିଲା । ବର୍ତ୍ତମାନ ଆମ ଏଠାରେ ୯୮ଟି ବିଭାଗୀୟ ମତ୍ସ୍ୟ ଉତ୍ପାଦନ କେନ୍ଦ୍ର ରହିଛି । ସେହିଭଳି ୧୯୭୮-୭୯ରେ ରାଜ୍ୟରେ ସରକାରୀ ତଥା ଘରୋଇ ଉଦ୍ୟମରେ ସମୁଦ୍ରରୁ ୩୨,୦୦୦ ଟନ୍‌ ମାଛ ଧରାଯାଇଥିଲା । ପାରାଦୀପ, ଚାନ୍ଦିପୁର, ଚାନ୍ଦବାଲି, ହଂସୁଆ ଏବଂ ଋଷିକୂଲ୍ୟା ଠାରେ ଦଶଟି ମୋଟରବୋଟ ରଖା ଯାଇଥିଲା । ଏହା ସତ୍ତ୍ୱେ ୧୯୮୩-୮୪ ବେଳକୁ ଲୁଣି ମାଛ ଉତ୍ପାଦନର ପରିମାଣ ୪୭,୦୦୦ ଟନ୍‌ରୁ ଅଧିକ ହୋଇପାରି ନଥିଲା ।

 

ତେବେ ପାରାଦୀପ ଅଞ୍ଚଳରେ ମାଛଚାଷର ଅନେକ ସହାୟକ ଶିଳ୍ପ ପ୍ରତିଷ୍ଠିତ ହୋଇ ରାଜ୍ୟର ଆର୍ଥିକ ପ୍ରଗତିରେ ସାହାଯ୍ୟ କରୁଛି । ପର୍ଯ୍ୟାପ୍ତ ପରିମାଣରେ ବରଫକଳ ପ୍ରତିଷ୍ଠିତ ହୋଇ ମାଛଚାଷୀମାନଙ୍କ ଚାହିଦା ମୁତାବକ ବରଫ ଯୋଗାଇ ଦିଆଯାଇ ପାରୁଛି । ଖପୁରିଆଠାରେ ଗୋଟିଏ ଜାଲ ତିଆରି କାରଖାନା ଏବଂ ଚୌଦ୍ୱାରଠାରେ ଏହାର ଆନୁଷଙ୍ଗିକ ଦଉଡ଼ି ତିଆରି କାରଖାନା ବସାଯାଇଛି । ପାରାଦୀପଠାରେ ମାଛଧରା ଡଙ୍ଗା ତିଆରି କାରଖାନା ମଧ୍ୟ ପ୍ରତିଷ୍ଠିତ ହୋଇଛି । ପାରାଦୀପ ଓ ଖପୁରିଆଠାରେ ଦୁଇଟି ଶୀତଳ ଭଣ୍ଡାର ପ୍ରତିଷ୍ଠା କରାଯାଇ ମାଛର ଦୀର୍ଘ ସଂରକ୍ଷଣ ବ୍ୟବସ୍ଥା ଦିଗରେ ପଦକ୍ଷେପ ନିଆଯାଇଛି ଏବଂ ବୈଦେଶିକ ମୁଦ୍ରା ଅର୍ଜନ ପ୍ରତି ଦୃଷ୍ଟି ରଖାଯାଇଛି । କେବଳ କଟକ ଜିଲ୍ଲାରେ ୧୯୯୧-୯୨ରେ ବାର୍ଷିକ ୨୦୪୩ ମେଟ୍ରିକ୍‌ଟନ୍‌ ଲୁଣି ଚିଙ୍ଗୁଡ଼ି ଏବଂ ୧୪୯୧ ମେଟ୍ରିକ୍‌ଟନ୍‌ ଅଳ୍ପ ଲୁଣି ଚିଙ୍ଗୁଡ଼ି ଧରାଯାଇ ସେଥିରୁ ୩୪୧ ମେଟ୍ରିକ୍‌ଟନ୍‌ ମାଛ ଜାପାନ ପ୍ରଭୃତି ଦେଶମାନଙ୍କୁ ପଠାଯାଇ ୫୪୦.୫୨ ଲକ୍ଷ ଟଙ୍କା ଅର୍ଜନ କରାଯାଇଥିଲା । ଏହା ହେଉଛି କେବଳ ପାରାଦୀପ ବାଟେ ପଠାଯାଇଥିବା ମାଛର ହିସାବ । ଓଡ଼ିଶା ମତ୍ସ୍ୟ ଉତ୍ପାଦନ କ୍ଷେତ୍ରରେ ଏକ ନିଅଣ୍ଟିଆ ରାଜ୍ୟ ହୋଇଥିଲେ ମଧ୍ୟ ଏହାର (ଲୁଣି ଓ ମଧୁର ମାଛ) ଉତ୍ପାଦନର ପ୍ରାୟ ୪୦ ଭାଗ ବାହାରକୁ ପଠାଯାଇଥାଏ । ଚିଙ୍ଗୁଡ଼ିମାଛ ବିଦେଶକୁ ପଠାଯାଇ ତହିଁରୁ ବୈଦେଶିକ ମୁଦ୍ରା ଅର୍ଜନ କରାଯାଉଛି ।

 

ଓଡ଼ିଶାର ନଦୀ–ବିଶେଷତଃ ମହାନଦୀର ଜଳସମ୍ପଦର ଯଥାଯଥ ବିନିଯୋଗ ହୋଇପାରିଲେ, ନଦୀଗୁଡ଼ିକୁ ଅନ୍ତତଃ ପ୍ରଦୂଷଣ ମୁକ୍ତ ରଖାଯାଇପାରିଲେ, ଏହାର ମତ୍ସ୍ୟ ସମ୍ପଦର ଯଥାଯଥ ବିକାଶ ଘଟି ଏଠାର ଅର୍ଥନୈତିକ ସ୍ଥିତିର ଉନ୍ନତି ହୋଇ ପାରନ୍ତା । ସରକାର ଯେଉଁ ସବୁ ପଦକ୍ଷେପ ମତ୍ସ୍ୟ-ସମ୍ପଦର ଅଭିବୃଦ୍ଧି ପାଇଁ ନେଇଛନ୍ତି, ତାହା ସବୁ ସରକାରୀ ହିସାବ ପତ୍ରରେ ମିଳିବ । ତେବେ ମତ୍ସ୍ୟ ଦେଶ ଓଡ଼ିଶା ଯେ, ଏ କ୍ଷେତ୍ରରେ ଏକ ନିଅଣ୍ଟିଆ ରାଜ୍ୟ ହୋଇ ରହିଯାଇଛି, ଏହା ହୋଇଛି ବାସ୍ତବ ସତ୍ୟ ।

 

ଜଳସମ୍ପଦର ସୁବିନିଯୋଗ :–ଉତ୍ପାଦନ ବଢ଼ାଇବା ପାଇଁ ଫସଲର ଲୋଡ଼ା ଉପଯୁକ୍ତ ସମୟରେ ଜଳ । ପୂର୍ବକାଳରେ ରାଜା ମହାରାଜାମାନେ ଏଥିପାଇଁ ବିଶାଳ ଜଳାଶୟମାନ ଖୋଳାଉଥିଲେ । ଜଳ ସେଚନ ନିମନ୍ତେ ସାମ୍ପ୍ରତିକ କାଳରେ ଯେଉଁ ଆଧୁନିକ ବ୍ୟବସ୍ଥାମାନ ଉପଲବ୍ଧ ହେଉଛି ସେ କାଳରେ ତାହା ନଥିଲା । ଲୋକେ ପ୍ରକୃତି ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ଥିଲେ । ୧୮୬୬ ମସିହାରେ ଓଡ଼ିଶାରେ ନ’ଅଙ୍କ ଦୁର୍ଭିକ୍ଷ ହେଲା । ପ୍ରକୃତିର ରୁଦ୍ରରୋଷରେ ଓଡ଼ିଶାର ଜନସଂଖ୍ୟା ୩୦ଲକ୍ଷରୁ ପ୍ରାୟ ଏକ ତୃତୀୟାଂଶ ଅର୍ଥାତ୍‌ ଦଶଲକ୍ଷ ମହାପ୍ରାଣୀ ଚିରକାଳ ପାଇଁ ମହାନିଦ୍ରାରେ ଶୋଇଗଲେ । ଏତେବେଳକୁ ଓଡ଼ିଶାରେ ବ୍ରିଟିଶ ରାଜତ୍ୱ ତାହାର ହୀରକ ଜୟନ୍ତୀ ପାଳନ କରିସାରିଥିଲେ ହେଁ ଲୋକଙ୍କ ସ୍ୱାର୍ଥ ରକ୍ଷା ନିମନ୍ତେ ପ୍ରକୃତରେ କିଛି କରିନଥିଲେ । କମିଶନ୍‌ ଅନୁସନ୍ଧାନ କମିଟିମାନ ଯଥାରୀତି ବସି ସରକାରୀ ଶାସନ ନୀତିର କଠୋର ସମାଲେଚନା କଲେ । ପ୍ରତିକାର ନିମନ୍ତେ ନଦୀ ବନ୍ଧ, ରାସ୍ତାଘାଟ ଓ ରେଳପଥ ପ୍ରଭୃତି ନିର୍ମାଣ ଦ୍ୱାରା ପରିବହନର ସୁବ୍ୟବସ୍ଥା କରିବା ପାଇଁ ସୁପାରିଶ୍‌ କଲେ । ତେଣୁ ଏଠାରେ ୧୮୬୭ ମସିହା ପରେ ଜଳସେଚନ, ବନ୍ୟା ନିୟନ୍ତ୍ରଣ, ଗମନାଗମନ ଓ ପରିବହନ ସୁବିଧା ପାଇଁ କେତେକ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଥିଲା । ଊନବିଂଶ ଶତାଦ୍ଦୀ ଶେଷବେଳକୁ ନରାଜ, ଜୋବ୍ରା ଓ ବିରୂପାର ଆନିକଟ, ମହାନଦୀ ଓ ବ୍ରାହ୍ମଣୀକୁ ଯୋଗ କରୁଥିବା ହାଇଲେଭେଲ୍‌ କେନାଲ୍‌ କଟକରୁ ମାର୍ଶାଘାଇ ପର୍ଯ୍ୟନ୍ତ କେନ୍ଦ୍ରାପଡ଼ା କେନାଲ୍‌, କଟକରୁ ତାଳଦଣ୍ଡା ଯାଏ ତାଳଦଣ୍ଡା କେନାଲ୍‌, ମାଛଗାଁ କେନାଲ୍‌, ପଟ୍ଟାମୁଣ୍ଡେଇ କେନାଲ୍‍ ଓ ଗୋବରୀ କେନାଲ୍‌ ପ୍ରଭୃତି ସମ୍ପୂର୍ଣ୍ଣ ହୋଇଥିଲା । ତାଳଦଣ୍ଡା ଏବଂ ମାଛଗାଁ କେନାଲ୍ ମଧ୍ୟରେ ପ୍ରାୟ ୨୦୦ ବର୍ଗ ମାଇଲ୍‌ ଅଞ୍ଚଳ ରହିଛି, ଯାହା ବନ୍ୟାଦାଉରୁ ସୁରକ୍ଷିତ ରହିଛି ।

 

ସେହିଭଳି କଟକରୁ ମାର୍ଶାଘାଇ ପର୍ଯ୍ୟନ୍ତ ମହାନଦୀର ବାମକୂଳରେ କେନ୍ଦ୍ରାପଡ଼ା କେନାଲ୍ ହିଁ ଏ ଅଞ୍ଚଳକୁ ବନ୍ୟା ଦାଉରୁ ରକ୍ଷା କରୁଛି । କେନ୍ଦ୍ରପଡ଼ା ଏବଂ ତାଳଦଣ୍ଡା କେନାଲ ମଧ୍ୟରେ ଯେଉଁ ବିରାଟ ଅଞ୍ଚଳ ରହିଛି, ତାହା ମହାନଦୀ ଏବଂ ତାହାର ଶାଖା ନଦୀର ବନ୍ୟା ଦ୍ୱାରା ଆକ୍ରାନ୍ତ ହୁଏ । କନ୍ଦରପୁର ପାଖ ଆଏତ୍‌ପୁରଠାରେ ସୁକ୍‌-ପାଇକା ମହାନଦୀରୁ ବାହାରି ପ୍ରାୟ ୩୦ କି:ମି ତଳେ ଅରାଙ୍ଗଠାରେ ପୁଣି ମହାନଦୀରେ ମିଳିତ ହୋଇଛି । ଏହି ଅଞ୍ଚଳ ଅଂଶତଃ ବନ୍ଧଦ୍ୱାରା ସୁରକ୍ଷିତ ହୋଇଥିବାରୁ ବନ୍ୟାର ପ୍ରକୋପ ଲୋକଙ୍କୁ ଭୋଗ କରିବାକୁ ହେଉଥିଲା । ତେବେ ସ୍ୱାଧୀନତା ପରେ ସେ କାଳର ମନ୍ତ୍ରୀ ରାଜକୃଷ୍ଣ ବୋଷ ‘ସୁକ୍‌-ପାଇକା’ ଜଳସେଚନ ଯୋଜନା ଦ୍ୱାରା ନଦୀ ମୁହଁକୁ ବନ୍ଧାଇ ଗୋଟିଏ କରନାଳ ଖୋଳି ଜଳ-ସେଚନର ସୁବିଧା କରି ଦେବା ଦ୍ୱାରା ଏହି ଅଞ୍ଚଳରୁ ଚିରଦିନ ନିମନ୍ତେ ବନ୍ୟା ଭୟ ଦୂର ହୋଇଛି । ମହାନଦୀ ଏବଂ ଏହାର ଶାଖା ଚିତ୍ରୋତ୍ପଳା ଦ୍ୱାରା ସୃଷ୍ଟ ତ୍ରିକୋଣ ଭୂମି ଅଞ୍ଚଳର ଲୋକେ ବନ୍ୟାର ପ୍ରକୋପରୁ ଏବେ ମଧ୍ୟ ସୁରକ୍ଷିତ ହୋଇପାରି ନାହାନ୍ତି । ଆହୁରି ତଳକୁ ଲୁଣା ଏବଂ ଚିତ୍ରୋତ୍ପଳାର ଅବବାହିକା ହେଉଛି ଅତ୍ୟନ୍ତ ଉର୍ବର । ବନ୍ଧ ଦ୍ୱାରା ଏହା ସୁରକ୍ଷିତ କେନ୍ଦ୍ରାପଡ଼ା କେନାଲ ହେବା ଦ୍ୱାରା ସୁକ୍‌ନଈ, ବାଲୁ ବିଶି, ପ୍ରଭୃତି ଅଞ୍ଚଳ ଲୁଣା ନଦୀର ବନ୍ୟାରେ କ୍ଷତିଗ୍ରସ୍ତ ହେଉଛି । ଏ ଅଞ୍ଚଳରେ ଖୁବ୍‌ କମ୍‌ ଧାନ ହୁଏ ଏବଂ ତେଣୁ ଲୋକେ ରବି ଫସଲ ଯଥା :–କୋଳଥ, ବିରି, ଜଡ଼ା ଏବଂ ହରଡ଼ ପ୍ରଭୃତି ଉପରେ ନିର୍ଭର କରନ୍ତି ।

 

ପଟ୍ଟାମୁଣ୍ଡେଇ କେନ୍ଦ୍ରାପଡ଼ା କେନାଲ ବନ୍ଧ ଦ୍ୱାରା ପଦ୍ମପୁର ସୁଙ୍ଗୁଡ଼ା, ଅସୁରେଶ୍ୱର, ଡେରାବିଶି, ଉତିକଣ ପ୍ରଭୃତି ବିସ୍ତୃତ ଅଞ୍ଚଳ ବନ୍ୟା ଦାଉରୁ ରକ୍ଷା ପାଇଛି ।

 

ଦୁର୍ଭିକ୍ଷପରେ ନରାଜଠାରେ ଆନିକଟ ତିଆରି ହୋଇଥିଲା । ଲକ୍ଷ୍ୟଥିଲା ସେଠାରେ ଜଳ ଭଣ୍ଡାର ନିର୍ମାଣ କରି, ଏହାର ପାଣିକୁ ଯଥାସମ୍ଭବ ମହାନଦୀରେ ଛାଡ଼ି କାଠଯୋଡ଼ି ଉପରୁ ଚାପ କମାଇବା । ଏହା ଦ୍ୱାରା ପୁରୀ ଜିଲ୍ଲାର ବ୍ୟାପକ ଅଞ୍ଚଳକୁ ବନ୍ୟାର ପ୍ରକୋପରୁ ରକ୍ଷା କରି ହେବା ସହିତ କେନାଲ ଦ୍ୱାରା ଜଳ ସେଚନର ସୁବିଧା ସୃଷ୍ଟି କରିବା । ସେହି ସମୟରେ ଇଷ୍ଟଇଣ୍ଡିଆ ଇରିଗେସନ୍‌ କମ୍ପାନୀ ନାମକ ଏକ ସଂସ୍ଥା ଖୋଲାଯାଇ କଲିକତାଠାରୁ ପୁରୀ ପର୍ଯ୍ୟନ୍ତ ନୌଚାଳନ, ତଥା ଜଳସେଚନର ଏକ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା । ୧୮୬୭ ବେଳକୁ ଏହା କାର୍ଯ୍ୟ ଆରମ୍ଭ କରି ୧୮୭୦ ବେଳକୁ ଲକ୍ଷ୍ୟର ସାମାନ୍ୟତମ ଅଂଶମାତ୍ର ଶେଷ କରିପାରିଥିଲା । କମ୍ପାନୀ ଆଉ ଅଧିକ କାର୍ଯ୍ୟ କରିବାକୁ ରାଜି ନ ହେବାରୁ ସରକାର ତାହାଠାରୁ ଏହାକୁ କିଣିନେଇ ଯୋଜନାରେ ବ୍ୟାପକ ପରିବର୍ତ୍ତନ ଘଟାଇଲେ ଏବଂ କାର୍ଯ୍ୟକୁ କୌଣସି ମତେ ଶେଷକଲେ । ତାଳଦଣ୍ଡା ଏବଂ ମାଛଗାଁ କେନାଲ ଏହି ପ୍ରକଳ୍ପର ଅଂଶ । ସେହିଭଳି ଚିତ୍ରୋତ୍ପଳା ଓ ବିରୂପା ମଧ୍ୟବର୍ତ୍ତୀ ଅଞ୍ଚଳରେ ଜଳସେଚନର ସୁବିଧା ପାଇଁ କେନ୍ଦ୍ରାପଡ଼ା ଓ ପଟ୍ଟାମୁଣ୍ଡାଇ କେନାଲ ଖୋଳା ଯାଇଥିଲା । କଟକ ଓ ଭଦ୍ରକ ମଧ୍ୟବର୍ତ୍ତୀ ଅଞ୍ଚଳର ଜଳସେଚନ ନିମନ୍ତେ ହାଇଲେଭେଲ୍‌ କେନାଲ ଖୋଳା ଯାଇଥିଲା ।

 

୧୮୭୪ ସୁଦ୍ଧା ଏହି କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ହୋଇଗଲା । ତେବେ ପ୍ରତ୍ୟାଶିତ ଫଳ ନମିଳିବାରୁ ତାଳଦଣ୍ଡା ଓ ମାଛଗାଁ କେନାଲକୁ ଆହୁରି ଆଗକୁ ନେବାକୁ ସ୍ଥିର କରାଯାଇଥିଲା । ମାଛଗାଁ କେନାଲ ବିରିବାଟିଠାରେ ତାଳଦଣ୍ଡାରୁ ବାହାରି କାଠଯୋଡ଼ିର ଉତ୍ତରକୂଳ ଏବଂ ଅଳକାନଦୀ ସହ ସାମନ୍ତରାଳ ଭାବେ ପ୍ରାୟ ୫୫ କି:ମି ପର୍ଯ୍ୟନ୍ତ ଯାଇଛି । ଏହା ଦ୍ୱାରା ପ୍ରାୟ ୯୭,୦୦୦ ଏକର ଜମି ଜଳସେଚିତ ହୋଇ ପାରିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା ।

 

ତାଳଦଣ୍ଡା କେନାଲ ଯୋବ୍ରାରୁ ବାହାରି ଫକୀର ପଡ଼ା ପର୍ଯ୍ୟନ୍ତ ଦକ୍ଷିଣ-ପୂର୍ବ ମୁହାଁ ହୋଇ ସୁକ୍‌-ପାଇକା ନଦୀର ଦକ୍ଷିଣ ତୀରଧରି ଜୟପୁର ବାଟେ ତାଳଦଣ୍ଡା ପର୍ଯ୍ୟନ୍ତ ଯାଇଛି । ଏହାର ଦୌର୍ଘ ହେଉଛି ପ୍ରାୟ ୮୮ କି:ମି । ଏହା ନୌଚାଳନା ନିମନ୍ତେ ସମ୍ପୂର୍ଣ୍ଣ ଉପଯୁକ୍ତ । ଦୀର୍ଘକାଳ ପର୍ଯ୍ୟନ୍ତ ଏଥିରେ ବଡ଼ ବଡ଼ ଡଙ୍ଗାରେ ମାଲ ପରିବହନ ତଥା ଡଙ୍ଗାରେ ଯାତ୍ରୀ ପରିବହନ କରାଯାଉଥିଲା । ସେ ସମୟରେ ହଁସୁଆ ଶାଖା ଦେଇ ଏହି କେନାଲ ବାଟେ ଚାନ୍ଦବାଲି ପର୍ଯ୍ୟନ୍ତ ଯିବାର ସୁବିଧା ମଧ୍ୟ ଥିଲା । ଏହା ଦ୍ୱାରା ପ୍ରାୟ ୧୦୦,୦୦୦ ଏକର ଜମିରେ ଜଳଳସେଚନ କରାଯାଇ ପାରୁଥିଲା ।

 

କେନ୍ଦ୍ରାପଡ଼ା କେନାଲ ହେଉଛି ଓଡ଼ିଶାର ପ୍ରଚୀନତମ କେନାଲ । ଜଗତ୍‌ପୁରଠାରେ ଏହା ବିରୂପାରୁ ବାହାରି ମହାନଦୀର ଉତ୍ତରକୂଳ ତଥା ଲୁଣା ନଦୀର ଧାରେ ଧାରେ ପ୍ରାୟ ୬୫ କି:ମି ପର୍ଯ୍ୟନ୍ତ ଯାଇଛି । ଏହା ଦ୍ୱାରା ମହାନଦୀ ଏବଂ ଗୋବରୀ ନଦୀର ମଧ୍ୟବର୍ତ୍ତୀ ଅଞ୍ଚଳ ଜଳସେଚିତ ହୁଏ । ଏହାର ଦକ୍ଷିଣକୂଳ ବନ୍ଧ ଯାତାୟାତ ନିମନ୍ତେ ମଧ୍ୟ ବ୍ୟବହୃତ ହୁଏ । ଏହା ଦ୍ୱାରା ପ୍ରାୟ ଲକ୍ଷେ ଦଶହଜାର ଏକର ଜଳସେଚିତ ହୁଏ ଏବଂ ଏହାର ୨୩ଟି ଶାଖା ଆହୁରି ୯୭,୦୦୦ ଜମି ସଳସେଚିତ କରିଥାଏ । ମାର୍ଶାଘାଇ ପର୍ଯ୍ୟନ୍ତ ଏଥିରେ ଡଙ୍ଗା ଚଳାଚଳ ହେଉଥିଲା ।

 

ଗୋବରୀ କେନାଲ ହେଉଛି କେନ୍ଦ୍ରାପଡ଼ା କେନାଲର ଏକ ଶାଖା । କେନ୍ଦ୍ରାପଡ଼ା କେନାଲରୁ ବାହାରି ଏହା ପୂର୍ବ ମୁହାଁ ହୋଇ ପ୍ରାୟ ୨୫ କି:ମି ଗୁଣ୍ଡକିଆ ନଦୀଯାଏ ଯାଇଛି । ଏଥିରେ ନୌକା ଚାଳନାର ବ୍ୟବସ୍ଥା ରହିଛି ଏବଂ ଆଗେ କଟକ ଚାନ୍ଦବାଲି ପରିବହନ ବ୍ୟବସ୍ଥା ଏହାର ଏକ ଅଙ୍ଗ ମଧ୍ୟ ଥିଲା । ଏହା ଦ୍ୱାରା ପ୍ରାୟ ୨୧,୦୦୦ ଏକର ଜମି ଜଳସେଚିତ ହୁଏ ଏବଂ ଏହାର ଶାଖାଗୁଡ଼ିକ ଆହୁରି ୯,୨୦୦ ଏକର ଜମିରେ ଜଳସେଚନର ଦାୟିତ୍ୱ ତୁଲାନ୍ତି । ଏହାଛଡ଼ା ପ୍ରାୟ ଦଶ କି:ମି ଲମ୍ବ ଏହାର ଏକ ପ୍ରସାରିତ ଅଂଶ ମଧ୍ୟ ରହିଛି । ଗୁଣ୍ଡକିଆ ଏବଂ ବ୍ରାହ୍ମଣୀ ନଦୀ ବାଟ ଦେଇ ଏହା ଗୋବରୀ କେନାଲ ସହିତ ଯୋଗାଯୋଗ ରକ୍ଷା କରେ । ପଟ୍ଟାମୁଣ୍ଡେଇ କେନାଲ ଏବଂ କିଛି ନଦୀରୁ ଏହା ଜଳ ସଂଗ୍ରହ କରେ ଏବଂ ଏହାଦ୍ୱାରା ଉତି କଣ ପ୍ରଗଣାଟି ଜଳସେଚିତ ହୋଇଥାଏ । ଫଳରେ ୩୨,୦୦୦ ଏକର ଜମି ଜଳସେଚନର ସୁବିଧା ପାଏ ଏବଂ ଆହୁରି ୭,୬୦୦ ଏକର ଜମି ଏହାର ଶାଖା କେନାଲ୍‌ଗୁଡ଼ିକରୁ ଜଳପାଆନ୍ତି । ଗୋଟିଏ ସମୟରେ ଏଥିରେ ବହୁ ନୌକା ଯାଆସ କରୁଥିଲା ।

 

ପଟ୍ଟାମୁଣ୍ଡେଇ କେନାଲ ମଧ୍ୟ ଜଗତ୍‌ପୁର ପାଖରୁ ବାହାରିଛି । ବିରୂପା ନଦୀର ଦକ୍ଷିଣ କୂଳେ ଇନ୍ଦୁପୁର ପର୍ଯ୍ୟନ୍ତ ଯାଇ ଏହା ଦକ୍ଷିଣ ମୁହାଁ ହୋଇଛି ଏବଂ ପ୍ରାୟ ୮୦ କି:ମି ଗତି କରିବାପରେ ଅଳାଭରଠାରେ ଗୋବରୀ-ପ୍ରସାରିତ କେନାଲ ସହ ମିଶିଯାଇଛି । ଏଥିରେ ନୌକା ଚାଳନର ସୁବିଧା ରହିଛି । ସୁଙ୍ଗୁଡ଼ା, ମରକତ ନଗର, ଚଉଦ କୁଲାଟ ପ୍ରଭୃତି ଅଞ୍ଚଳରେ ବିସ୍ତୃତ ଭୂଖଣ୍ଡ ଏହା ଦ୍ୱାରା ଜଳସେଚିତ ହୁଏ । ଏହାର ବାମକୂଳ ବିରୂପା ଏବଂ ବ୍ରାହ୍ମଣୀର ବନ୍ୟାରୁ ଗୋଟିଏ ବିସ୍ତୃତ ଅଞ୍ଚଳକୁ ରକ୍ଷା କରେ । ଏହାଦ୍ୱାରା ୫୧,୦୦୦ ଏକର ଏବଂ ଏହାର ଶାଖା କରନାଳ ଦ୍ୱାରା ଆହୁରି ୪୪,୦୦୦ ଏକର ଜମି ଜଳସେଚିତ ହୁଏ ।

 

ହାଇଲେଭଲ କେନାଲ ଦ୍ୱାରା କଲିକତାଠାରୁ ପୁରୀ ପର୍ଯ୍ୟନ୍ତ ଏକ ଜଳପଥ ଖୋଲିବାର ଯୋଜନା କରାଯାଇଥିଲା । ଏହାକୁ ତିନୋଟି ବିଭାଗରେ ବିଭକ୍ତ କରାଯାଇ କାମ ଆରମ୍ଭ ହୋଇଥିଲା । ପ୍ରଥମରେ ବିରୂପାଠାରୁ ବ୍ରାହ୍ମଣୀ ନଦୀ ପର୍ଯ୍ୟନ୍ତ ପ୍ରାୟ ୫୫ କି:ମି ଦୀର୍ଘ କେନାଲ, ଦ୍ୱିତୀୟ ବ୍ରାହ୍ମଣୀଠାରୁ ବୈତରଣୀ ପର୍ଯ୍ୟନ୍ତ ପ୍ରାୟ ୨୨ କି:ମି ଦୀର୍ଘ କେନାଲ, ଏହା ଶେଷ ହୋଇ ଏଥିରେ ଲଞ୍ଚ ଚଳାଚଳର ବ୍ୟବସ୍ଥା ମଧ୍ୟ କରାଯାଇଥିଲା । ତେବେ ଏହା ଦ୍ୱାରା ଜଳସେଚନର ଲକ୍ଷ୍ୟ ସାଧିତ ହୋଇ ପାରୁ ନଥିଲା । ରେଳଲାଇନ୍‌ ଖୋଲିଯିବା ପରେ ପରିବହନ ମାଧ୍ୟମ ରୂପେ ଏହାର ପ୍ରୟୋଜନ ମଧ୍ୟ ଶେଷ ହୋଇଛି । ପ୍ରଥମ ଭାଗ ଦ୍ୱାରା ୪୯,୦୦୦ ଏକର, ଦ୍ୱିତୀୟ ଭାଗ ଦ୍ୱାରା ୧୦,୦୦୦ ଏବଂ ଶେଷଭାଗ ଦ୍ୱାରା ୫୭,୫୦୦ ଏକର ଜମି ଜଳସେଚିତ ହୁଏ ।

 

ଯାଜପୁର କେନାଲ ମାତ୍ର ୧୧କି:ମି ଲମ୍ବ ଏବଂ ବୈତରଣୀ-ବୁଢ଼ା ନଦୀର ମୋଡ଼ରୁ ଆରମ୍ଭ ହୋଇ ପୂର୍ବମୁହାଁ ଯାଜପୁର ପର୍ଯ୍ୟନ୍ତ ଯାଇଛି । ଏଥିରେ ନୌ-ଚାଳନର ସୁବିଧା ରହିଛି । ଏହା ଦ୍ୱାରା ୭୦,୦୦୦ ଏକର ଜମି ଜଳସେଚିତ ହୋଇଥାଏ ଏବଂ ଏହା ବୈତରଣୀ ଓ ଖରସୁଆଁ ନଦୀ ମଧ୍ୟବର୍ତ୍ତୀ ଅଞ୍ଚଳକୁ ମରୁଡ଼ିରୁ ରକ୍ଷା କରେ ।

 

କୃଷି ଓଡ଼ିଶାର ମୁଖ୍ୟ ଉପଜୀବ୍ୟ ହୋଇଥିବାରୁ ଫସଲ ପାଇଁ ଏହାକୁ ଜଳସେଚନ ଉପରେ ନିର୍ଭର କରିବାକୁ ପଡ଼େ । ଓଡ଼ିଶାର ସମସ୍ତ ନଦୀ ବର୍ଷା ଉପରେ ନିର୍ଭରଶୀଳ । ଜଳର ଅପଚୟ ରୋକିବା ପାଇଁ ଏଠାରେ କେତୋଟି ବଡ଼ ବଡ଼ ନଦୀରେ ଜଳ ଭଣ୍ଡାର ନିର୍ମାଣ କରାଯାଇଛି । ସେଥିରୁ କେନାଲମାନ ଖୋଳାଯାଇ ଜଳସେଚନ ନିମନ୍ତେ ସୁବିଧା କରାଯାଇଛି ।

 

ଦକ୍ଷିଣ ଓଡ଼ିଶାର ୠଷିକୂଲ୍ୟା ବିଭାଗରେ ୧୯୦୨-୧୯୦୩ ମସିହାରେ କେନାଲ ଖୋଳା ଆରମ୍ଭ ହୋଇଥିଲା ଏବଂ ଏଥିପାଇଁ ସୋରଡ଼ା ତଥା ରସୁଲକୋଣ୍ଡା (ଭଞ୍ଜନଗର) ଠାରେ ଜଳଭଣ୍ଡାର ନିର୍ମିତ ହୋଇଥିଲା । ସେଠାରେ କେତୋଟି କେନାଲ ଖୋଳାଯାଇ ଜଳସେଚନର ସୁଯୋଗ ସୃଷ୍ଟି କରାଯାଇଛି ।

 

ମହାନଦୀ ବିଭାଗର କେନାଲ ବ୍ୟବସ୍ଥାକୁ ଦୁଇଭାଗରେ ବିଭକ୍ତ କରାଯାଇପାରେ । ପ୍ରଥମ ବିଭାଗରେ ଏହାର ତ୍ରିକୋଣଭୂମି ଅଞ୍ଚଳର କେନାଲଗୁଡ଼ିକ ଏବଂ ଅନ୍ୟ ବିଭାଗରେ ହୀରାକୁଦ ଜଳଭଣ୍ଡାରରୁ ବାହାରିଥିବା କେନାଲ ସବୁ ରହିଛି । ତ୍ରିକୋଣଭୂମି ଅଞ୍ଚଳରେ କେନାଲ ନ’ଅଙ୍କ ଦୁର୍ଭିକ୍ଷ ପରେ ଖୋଲାଯାଇ ୧୮୬୯ ମସିହାରୁ ବ୍ୟବହାରକ୍ଷମ ହୋଇଥିଲା । ସ୍ୱାଧୀନତା ପରେ ଖରିଫ୍‌ ଫସଲର ସୁରକ୍ଷା ତଥା ଜମିସବୁକୁ ଦୋଫସଲି କରିବା ପାଇଁ ଜଳସେଚନର ସୁବିଧାକୁ ବ୍ୟାପକ କରାଯାଇଥିଲା । ହୀରାକୁଦ ବନ୍ଧ ନିର୍ମାଣର ଅନ୍ୟତମ ଉଦ୍ଦେଶ୍ୟ ଥିଲା ହିଁ ଏବଂ ସେପ୍ଟେମ୍ବର ୧୯୫୬ ମସିହାରୁ ଏ ଅଞ୍ଚଳର କେନାଲରେ ଜଳଯୋଗାଣ ବ୍ୟବସ୍ଥା ଆରମ୍ଭ ହେଲା । ବର୍ଦ୍ଧିତ ନଦୀ ଜଳର ସୁବିନିଯୋଗ ନିମନ୍ତେ ନରାଜଠାରେ ମହାନଦୀରେ ଆଉ ଏକ ବନ୍ଧପକାଯାଇ ସେଠାରୁ ନୂଆ କେନାଲ ଖୋଳାଗଲା ଏବଂ ଏହାକୁ ତ୍ରିକୋଣଭୂମି-ଜଳସେଚନ ବ୍ୟବସ୍ଥା ବୋଲି କୁହାଗଲା । ଏଥିର କେନାଲ ଦ୍ୱାରା ଦେବୀ-ଦୟା ବିଭାଗ ଜଳସେଚିତ ହେଉଛି ।

 

ମହାନଦୀରେ ଯୋବ୍ରା ଏବଂ ନରାଜଠାରେ ତଥା ବିରୂପା ନଦୀରେ ଚୌଦ୍ୱାରଠାରେ ଆନିକଟ ନିର୍ମାଣ କରାଯାଇ ଜଳଭଣ୍ଡାର ସୃଷ୍ଟି କରାଯାଇଛି । ପୁରୁଣା କେନାଲଗୁଡ଼ିକର ଜଳପରିବହନ କ୍ଷମତା ବୃଦ୍ଧି କରାଯାଇଛି । ଫଳରେ ମହାନଦୀର ତ୍ରିକୋଣ ଭୂମି ଜଳସେଚନର ସମ୍ପୂର୍ଣ୍ଣ ସୁବିଧା ପାଇଛି । ଏହି କେନାଲ ବ୍ୟବସ୍ଥାକୁ ଭୌଗୋଳିକ ଦୃଷ୍ଟିରୁ ତିନିଭାଗରେ ବିଭକ୍ତ କରାଯାଇପାରେ ।

 

(କ)

ଦେବୀ-ମହାନଦୀ ବିଭାଗ-ତାଳଦଣ୍ଡା ଓ ମାଛଗାଁ କେନାଲ ଦ୍ୱାରା ଜଳସେଚିତ ।

(ଖ)

ମହାନଦୀ-ଚିତ୍ରୋତ୍ପଳା-ଳୁଣା-ବିରୂପା-ବ୍ରାହ୍ମଣୀ-ବିଭାଗ :–କେନ୍ଦ୍ରାପଡ଼ା ଓ ପଟ୍ଟାମୁଣ୍ଡାଇ କେନାଲ ଦ୍ୱାରା ଜଳସେଚିତ ।

(ଗ)

ବିରୂପା-ବ୍ରାହ୍ମଣୀ-ଦୋଆବ୍‌ ବିଭାଗ :–ହାଇଲେଭେଲ କେନାଲ ଦ୍ୱାରା ଜଳସେଚିତ ।

 

ସେହିଭଳି ଦେବୀ-ଦୟା ବିଭାଗର ନିମ୍ନ ଶାଖାଗୁଡ଼ିକ ରହିଛି ।

 

(କ)

ଦେବୀ-କୁଶଭଦ୍ରା ଅଂଶ :–କାକଟପୁର ଓ ଗୋପ ଶାଖା କେନାଲ ଦ୍ୱାରା ଜଳସେଚିତ ।

(ଖ)

କୁଶଭଦ୍ରା-ଭାର୍ଗବୀ ଅଂଶ :–ପୁରୀ ମୁଖ୍ୟ କେନାଲ ଓ ନିମାପଡ଼ା ଶାଖା କେନାଲ ଦ୍ୱାରା ଜଳସେଚିତ ।

(ଗ)

ଭାର୍ଗବୀ-ଦୟା ଅଂଶ :–କଣାସ-ସାକ୍ଷୀଗୋପାଳ ଶାଖା କେନାଲ ଦ୍ୱାରା ଜଳସେଚିତ ।

(ଘ)

ଦୟା ଏବଂ ପୂର୍ବଘାଟ ପର୍ବତମାଳାର ବର୍ହିପାର୍ଶ୍ୱ ଅଞ୍ଚଳ :–ଦୟା ପଶ୍ଚିମ କେନାଲ ଦ୍ୱାରା ଜଳସେଚିତ ।

 

ହୀରାକୁଦ ବିଭାଗରେ ମଧ୍ୟ ଜଳସେଚନର ବ୍ୟାପକ ବ୍ୟବସ୍ଥା କରାଯାଇଛି । ଅଙ୍ଗ-ମହାନଦୀର ଅବବାହିକା ବରଗଡ଼ କେନାଲ ଦ୍ୱାରା ସେଚିତ ହେଉଛି । ଏହା ହୀରାକୁଦରେ ମହାନଦୀର ଦକ୍ଷିଣ କୂଳରୁ ବାହାରିଛି । ଶାସନ କେନାଲ ଶାଖା ହେଉଛି ହୀରାକୁଦ ଜଳ ଭଣ୍ଡାରର ଅନ୍ୟତମ ପ୍ରମୁଖ କେନାଲ । ଏହାର ନିମ୍ନ ଶାଖା ସବୁ ରହିଛି । (କ) ବୁଢ଼ାନଳା ଶାଖା (ଖ) ଅତାବିରା ଶାଖା (ଗ) ବରଗଡ଼ ଶାଖା (ଘ) ୱେରା ଶାଖା (ଙ) ରେଶମ୍‌ ଶାଖା (ଚ) ରଣପୁର ଶାଖା (ଛ) ପାଜି ଶାଖା । ମହାନଦୀର ବାମକୂଳରୁ ବାହାରିଛି ବୁର୍ଲା ଏବଂ ଚିପିଲିମା ପାୱାର ପ୍ରକଳ୍ପକୁ ଜଳ ଯୋଗାଉଛି । ଏ ସମସ୍ତ କେନାଲ ହୀରାକୁଦ ଜଳ ଭଣ୍ଡାରରୁ ଜଳ ଗ୍ରହଣ କରନ୍ତି । ଜଳଭଣ୍ଡାରରେ ପ୍ରାୟ ୪୪.୭୨ ମିଲିୟନ୍‌ ଏକର ଫୁଟ ଜଳ ରହିଥାଏ ଏବଂ କେନାଲ ଦ୍ୱାରା ୬୭୮,୦୦୦ ଏକର ଜମିରେ ଜଳସେଚନ କରାଯାଏ । ଜିଲ୍ଲାରେ କେନାଲର ଦୈର୍ଘ୍ୟ ୯୪୨ କି:ମି ହେବ ।

 

ସ୍ୱାଧୀନତା ପୂର୍ବର ତ୍ରିକୋଣ ଭୂମିରେ ମାତ୍ର କେତୋଟି କେନାଲ ଦ୍ୱାରା ସୀମିତ ଅଞ୍ଚଳକୁ ଜଳ ଯୋଗାଣର ବ୍ୟବସ୍ଥା କରାଯାଇପାରିଥିଲା । ତାହା ସମ୍ଭବ ହୋଇଥିଲା ନ’ଅଙ୍କ ଦୁର୍ଭିକ୍ଷରେ ବିପୁଳ ସଂଖ୍ୟଙ୍କ ଲୋକଙ୍କ ଅପମୃତ୍ୟୁ ଯୋଗୁଁ-ଅର୍ଥାତ୍‌ ଓଡ଼ିଆମାନେ ନିଜ ପୂର୍ବପୁରୁଷଙ୍କ ଜୀବନ ବିନିମୟରେ ଏତକ ସୁବିଧା ହାସଲ କରିଥିଲେ । ସ୍ୱାଧୀନତା ପରେ କେନାଲ ବ୍ୟବସ୍ଥାକୁ ସମଗ୍ର ଓଡ଼ିଶାରେ ସଂପ୍ରସାରିତ କରାଯାଇଛି ଏବଂ ଏହାର ମୂଳରେ ରହିଛି ମହାନଦୀ, କେଉଁଠି ପ୍ରତ୍ୟକ୍ଷ ରୂପେ ଆଉ କେଉଁଠି ଅବା ପରୋକ୍ଷ ଭାବରେ । ଆଜି ଯଦି ଓଡ଼ିଶାରେ ଉତ୍ପାଦନ ବୃଦ୍ଧି ପାଇଥାଏ, ତହିଁରେ ମହାନଦୀର ଭୂମିକାକୁ ତେଣୁ ଅସ୍ୱୀକାର କରି ହେବନାହିଁ । ଯଥାର୍ଥରେ ଏହି ନଦୀ ହେଉଛି ଦରିଦ୍ର ଓଡ଼ିଶାର ଜୀବନ ରେଖା ।

 

ଶିଳ୍ପାୟନ ପାଇଁ ସ୍ୱପ୍ନ :–ମହାନଦୀକୁ କେନ୍ଦ୍ରକରି ଶିଳ୍ପକ୍ଷେତ୍ରରେ ରାଜ୍ୟକୁ ଏକ ଅଗ୍ରଣୀ ଅଞ୍ଚଳରେ ପରିଣତ କରିବା ପାଇଁ ସ୍ୱାଧୀନତା ପରେ ସ୍ୱପ୍ନ ଦେଖା ଯାଇଥିଲା । ଅତୀତରେ ରାଜ୍ୟର ଅର୍ଥାଗମର ମୁଖ୍ୟ ସାଧନ ଥିଲା ଏହାର ବାଣିଜ୍ୟ ବ୍ୟବସାୟ ବିଶେଷତଃ ନୌବାଣିଜ୍ୟ । ଏଠାରେ କୌଣସି ଭାରି ଶିଳ୍ପ ନଥିଲା । ଭାରତରେ ମଧ୍ୟ ନଥିଲା । ଇଂରେଜମାନେ ଆସିବା ପରେ ଏ ଦିଗରେ ଉଦ୍ୟମ ଆରମ୍ଭ ହୋଇ ବଙ୍ଗଦେଶ, ବିହାର, ମାନ୍ଦ୍ରାଜ୍‌, ବମ୍ବେ ପ୍ରଭୃତିଠାରେ କେତୋଟି ମାତ୍ର ଲୁହା, ଲୁଗା, କାଗଜ ପ୍ରଭୃତି ଉତ୍ପାଦନ ନିମନ୍ତେ କାରଖାନା ମାନ ବସିଥିଲା । ଓଡ଼ିଶା ରହିଯାଇଥିଲା ସେଇ କୁଟୀର ଶିଳ୍ପ ଯୁଗରେ । ବାଣିଜ୍ୟ-ବ୍ୟବସାୟ ହାତରୁ ଯାଇଥିଲା ସେଇ ଷୋଡ଼ଶ ଶତକରୁ । କୁଟୀର ଶିଳ୍ପ ବା ଯନ୍ତ୍ର ସଂସ୍କୃତି ସହିତ କେତେ ଦିନ ସଂଗ୍ରାମ କରି ପାରନ୍ତା ? ତେଣୁ ସେ ଦିଗଟି ମଧ୍ୟ ଗଲା । ଓଡ଼ିଆ ଦରିଦ୍ରରୁ ଦରିଦ୍ରତର ହୋଇଗଲା ।

 

ସ୍ୱାଧୀନତା ପରେ ରାଜ୍ୟକୁ ଶିଳ୍ପ ଦୃଷ୍ଟିରୁ ଆଗୁଆ କରିବାକୁ ଚିନ୍ତା କରାଗଲା । ଆନୁଷଙ୍ଗିକ ଉପାଦାନ ସବୁ ହାତ ପାଖରେ ରହିଥିଲା । କଞ୍ଚାମାଲ କଥା ଇତି ପୂର୍ବରୁ ଆଲୋଚିତ ହୋଇଛି । ଶିଳ୍ପ ପାଇଁ ପ୍ରୟୋଜନ ଶକ୍ତି (power) ର । ଏଠାରେ ସେଥିପାଇଁ ଭିତ୍ତିଭୂମି ରହିଥିଲା-। କେବଳ ତାହାର ଉପଯୋଗ କରାଯାଇ ପାରୁନଥିଲା । ମହାଦନୀଠାରେ ଶକ୍ତିର ଯେଉଁ ଅଫୁରନ୍ତ ଉତ୍ସ ରହିଛି, ତାହାକୁ ଠିକ୍‌ ଭାବରେ ବିନିଯୋଗ କରାଯାଇ ପାରିଲେ, ଏ କ୍ଷେତ୍ରରେ ଓଡ଼ିଶା ଏକ ବଳକା ରାଜ୍ୟରେ ପରିଣତ ହୋଇପାରିବ । ଓଡ଼ିଶାର ବାଦାମପାହାଡ଼ ଓ ଗୋରୁମହିଷାଣି ଲୁହା ଖଣିରୁ ଯେତିକି ଲୁହା ପଥର ଉତ୍ତୋଳିତ ହେଉଥିଲା, ତା’ର ପୂର୍ଣ୍ଣ ଉପଯୋଗ କରୁଥିଲା ଟାଟା ଲୁହା କାରଖାନା । ସେହିଭଳି ରାମପୁର ଓ ତାଳଚେରରୁ ଯାହା କୋଇଲା ମିଳୁଥିଲା ତାହାର ଅଧିକାଂଶ ଭାଗ ବାହାରକୁ ପଠାଇ ଦିଆଯାଉଥିଲା ଏବଂ ସାମାନ୍ୟ କିଛି ଓଡ଼ିଶାରେ ମୁଖ୍ୟତଃ ଜାଳେଣି ପାଇଁ ବ୍ୟବହୃତ ହେଉଥିଲା । ଏ ସବୁ ବ୍ୟବହାର ଓଡ଼ିଶା ପାଇଁ ହୋଇ ପାରିଲେ, ଓଡ଼ିଶାର ରୂପ ବଦଳିଯିବ-ଏହା ହିଁ ଥିଲା ଚିନ୍ତା ।

 

ସ୍ୱାଧୀନତା ପୂର୍ବରୁ ଓଡ଼ିଶାରେ ଶିଳ୍ପନାମରେ ଯାହାଥିଲା ତାହା ହେଉଛି ଆସିକାର ଚିନିକଳ । ଏହା ପ୍ରତିଷ୍ଠିତ ହୋଇଥିଲା ଫ୍ରେଡ଼୍‌ରିକ୍‌ ସିନ୍‌ଚିନ୍‌ ନାମକ ଜଣେ ଜର୍ମାନଙ୍କ ଦ୍ୱାରା ୧୮୫୪ରେ । ତାହାପରେ ବାରଙ୍ଗ କାଚ କାରଖାନା (୧୯୩୭) ଏବଂ ବ୍ରଜରାଜ ନଗରର କାଗଜକଳ (୧୯୩୯) ବିଜୁ ପଟ୍ଟନାୟକ ଚୌଦ୍ୱାରଠାରେ ଏକ ଲୁଗାକଳ (୧୯୪୯) ଏବଂ କଳିଙ୍ଗ ଟ୍ୟୁବସ୍‌ (୧୯୫୬) ନାମକ ପାଇପ୍‌ ତିଆରି କାରଖାନା ବସାଇଲେ । ସ୍ୱାଧୀନତା ପରେ ଶିଳ୍ପର ପ୍ରସାର ନିମନ୍ତେ ଉଦ୍ୟମ ଆରମ୍ଭ ହେଲା । ପ୍ରଥମ ପଞ୍ଚବାର୍ଷିକ ଯୋଜନାରେ ଯୋଡ଼ା ଏବଂ ରାୟଗଡ଼ାରେ ଫେରୋମାଙ୍ଗାନିଜ କାରଖାନା, ରାଜଗାଙ୍ଗପୁରେ ସିମେଣ୍ଟ କାରଖାନା, ଚୌଦ୍ୱାରରେ କାଗଜକଳ, ହୀରାକୁଦରେ ଆଲମୁନିୟମ୍‌ ଏବଂ କେବଲ୍‌ କାରଖାନା ବସାଇବା ନିମନ୍ତେ ଅନୁମତି ଦିଆଯାଇଥିଲା । ଏ ସବୁ କାରଖାନା ପାଇଁ ନିଜସ୍ୱ ସୂତ୍ରରୁ ଶକ୍ତି ଉତ୍ପାଦନ ନିମନ୍ତେ ମାଛକୁଣ୍ଡ ଜଳବିଦ୍ୟୁତ୍‌ପ୍ରକଳ୍ପ ଏବଂ ହୀରାକୁଦ ନଦୀଉପତ୍ୟକା-ବହୁମୁଖୀ ପ୍ରକଳ୍ପ କାର୍ଯ୍ୟ ଦ୍ୱିତୀୟ ଯୋଜନାକାଳରେ ହାତକୁ ନିଆଯିବା ପାଇଁ ସ୍ଥିର କରାଗଲା ।

 

ଏହି ସମୟରେ କ୍ଷୁଦ୍ର ଶିଳ୍ପ ପ୍ରତିଷ୍ଠା ପାଇଁ ପ୍ରୋତ୍ସାହନ ମଧ୍ୟ ଦିଆଯାଇଥିଲା । ବିଭିନ୍ନ ଶିଳ୍ପପାଇଁ କାରିଗର ସୃଷ୍ଟି କରିବା ଲକ୍ଷ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ପାଞ୍ଚଟି ଶିଳ୍ପାଞ୍ଚଳ ସୃଷ୍ଟି ନିମନ୍ତେ ନିଷ୍ପତ୍ତି ନିଆଯାଇଥିଲା ପୁଣି ଶିଳ୍ପ ପ୍ରତିଷ୍ଠାକୁ ତ୍ୱରାନ୍ୱିତ କରିବା ପାଇଁ ‘ଆଗୁଆ-ପ୍ରକଳ୍ପ’ (Pilot Project) ଯୋଜନା ନାମକ ଏକ ନୀତି ସ୍ଥିର କରାଯାଇ ସରକାର ତରଫରୁ ୯୦ ଭାଗ ମୂଳ ଧନ ଯୋଗାଇ ଦିଆଯାଇ ଛୋଟ ଛୋଟ ଶିଳ୍ପ ସଂସ୍ଥାମାନ ଖୋଲିବା ପାଇଁ ପ୍ରୋତ୍ସାହନ ଦିଆଯାଇଥିଲା । ଫଳରେ ୩୭ଟି ଛୋଟ କମ୍ପାନୀ ଗଠିତ ହୋଇ ଢଳାଲୁହା କାରଖାନା, ଯନ୍ତ୍ରପାତି ତିଆରି କାରଖାନା, ବୈଦ୍ୟୁତିକ ଉପକରଣ ପ୍ରସ୍ତୁତି କାରଖାନା ଏବଂ ବ୍ୟାଟେରୀ କାରଖାନା ପ୍ରଭୃତି ଖୋଲା ଯାଇଥିଲା । ଚମଡ଼ା କାରଖାନା, ଚୀନାମାଟିର ବାସନକୁସନ ତିଆରି କାରଖାନା ଇତ୍ୟାଦି ବୌଦ, କଟକ, ଟିଟିଲାଗଡ଼, ଝାରସୁଗୁଡ଼ା ଏବଂ କେନ୍ଦ୍ରାପଡ଼ା ପ୍ରଭୃତି ସ୍ଥାନରେ ଖୋଲିଥିଲା । ରାଜ୍ୟ ଅର୍ଥ ନିଗମ ଖୋଲାଯାଇ ଶିଳ୍ପୋଦ୍ୟାଗୀମାନଙ୍କୁ କୋହଳ ସର୍ତ୍ତରେ ଋଣ ଯୋଗାଇ ଦିଆ ଯାଇଥିଲା-। ତୃତୀୟ ଯୋଜନାରେ ଖୋଲିଲା ବରଗଡ଼ର ସିମେଣ୍ଟ କାରଖାନା, ସୁମାଣ୍ଡରେ ଲୁଣ କାରଖାନା, ଏବଂ ବଡ଼ବିଲଠାରେ ପିଗ୍‌-ଲୁହା କାରଖାନା । ଯାଜପୁରର ଫେରୋକ୍ରୋମ କାରଖାନା ମଧ୍ୟ ଏହି ସମୟର । ପ୍ରଥମ ଯୋଜନାରେ ଖୋଲାଯାଇଥିବା ରାଉରକେଲା ଇସ୍ପାତ୍‌ କାରଖାନାକୁ ଏହି ସମୟରେ ପ୍ରସାରିତ କରାଯାଇଥିଲା । ସୁନାବେଡ଼ାର ମିଗ୍‌- ବିମାନ ତିଆରି କାରଖାନା ମଧ୍ୟ ଏହି ସମୟର । ଝାରସୁଗୁଡ଼ାର ସ୍ୱିନିଂମିଲ୍‌, ରାୟଗଡ଼ାର କାଗଜକଳ, ଟିଟିଲାଗଡ଼ର ଗ୍ରାଫାଇଟ୍‌ କାରଖାନା ଏବଂ କାନ୍‌ସ ବାହାଲ୍‌ (ସୁନ୍ଦରଗଡ଼)ର ଭାରି ଯନ୍ତ୍ରପାତି କାରଖାନା କ୍ରମେ ଆରମ୍ଭ ହେଲା ।

 

ଚତୁର୍ଥ ଯୋଜନାର ଉଲ୍ଲେଖଯୋଗ୍ୟ ଶିଳ୍ପ ହେଉଛି ଥେରୁ ବାଲି (କୋରାପୁଟ)ର ଫେରୋସିଲିକନ୍‌ କାରଖାନା ଏବଂ ରାଉରକେଲାର ସାର କାରଖାନା । ତାଳଚେରଠାରେ ଏକ କୋଇଲା ଭିତ୍ତିକ ବୃହତ୍‌ ସାରକାରଖାନା ପ୍ରତିଷ୍ଠା ନିମନ୍ତେ ଉଦ୍ୟମ ଆରମ୍ଭ ହୋଇ ପଞ୍ଚମ ଯୋଜନା କାଳରେ ଏଥିରୁ ଉତ୍ପାଦନ ଆରମ୍ଭ ହୋଇଥିଲା । ଷଷ୍ଠ ଯୋଜନାରେ ହଜାରେ କୋଟି ଟଙ୍କା ବ୍ୟୟରେ ହଜାରେ ଦିନରେ ହଜାରେଟି ଶିଳ୍ପସୃଷ୍ଟି କରିବା କଥା ଚିନ୍ତା କରାଯାଇଥିଲା । ୧୯୭୭-୭୮ ବେଳକୁ ସୁନ୍ଦରଗଡ଼ ଜିଲ୍ଲାରେ ସବୁଠାରୁ ଅଧିକ ବୃହତ୍‌ ଓ ମଧ୍ୟମ ଶ୍ରେଣୀର ଶିଳ୍ପ ରହିଥିଲା । ରାଉରକେଲାର ଇସ୍ପାତ୍‌ ଏବଂ ସାର କାରଖାନା ତଥା ରାଜଗାଙ୍ଗପୁରର ସିମେଣ୍ଟ କାରଖାନା ଥିଲା ତିନୋଟି ବୃହତ୍‌ ଶିଳ୍ପ । ସମ୍ବଲପୁର ଜିଲ୍ଲାରେ ମଧ୍ୟ ସମ ପରିମାଣରେ କଳକାରଖାନା ରହିଥିଲା । ଏସବୁ ସମ୍ଭବ ହୋଇଥିଲା ହରାକୁଦଠାରୁ ମିଳୁଥିବା ବିଦ୍ୟୁତ୍‌ଶକ୍ତି ପାଇଁ-। ବ୍ରଜରାଜନଗରର କାଗଜକଳ ହୀରାକୁଦର ଆଲୁମିନିୟମ୍‌ ଏବଂ ରି-ରୋଲିଂମିଲ୍‌, ବରଗଡ଼ର ସିମେଣ୍ଟ କାରଖାନା ପ୍ରଭୃତି ଏହାର ଅନ୍ତର୍ଭୁକ୍ତ । ଚୌଦ୍ୱାରର କାଗଜକଳ ଏବଂ ଲୁଗାକଳ ଥିଲା-ତେବେ କଳିଙ୍ଗ ଟ୍ୟୁବ୍‌ସ ବନ୍ଦ ହୋଇଯାଇଥିଲା । କ୍ରମେ ରାୟଗଡ଼ାର ଚିନିକଳ, ଫେରୋମାଙ୍ଗାନିଜ୍‌ କାରଖାନା ଏବଂ ଜୋଡ଼ାର ଫେରୋମାଙ୍ଗାନିଜ୍‌ କାରଖାନା ମଧ୍ୟ ଓଡ଼ିଶାର ଶିଳ୍ପାୟନରେ ଯୋଗ ଦେଇଥିଲେ ।

 

ଏଠାରେ ଓଡ଼ିଶାର ଶିଳ୍ପସମ୍ପର୍କରେ ଯେଉଁ ସୂଚନା ଦିଆଗଲା ତାହା ହେଉଛି ୧୯୭୮-୭୯ ମସିହାର ସ୍ଥିତି । ଏହା ପରେ ଏହି ଦୀର୍ଘ ପଚିଶବର୍ଷ ମଧ୍ୟରେ କେବଳ ପାରାଦୀପର ସାରକାରଖାନାକୁ ଛାଡ଼ିଦେଲେ ଏଠାରେ ଅନ୍ୟ କୌଣସି ବଡ଼ କାରଖାନା ବସି ନାହିଁ । କେବଳ ଶୁଭଦିଆ ଯାଉଛି । ବଡ଼ କାରଖାନା ମଧ୍ୟରୁ ଅନେକ ବନ୍ଦ ହୋଇଗଲାଣି । କିଛି ହସ୍ତାନ୍ତରିତ ହେଲାଣି । ଚୌଦ୍ୱାର ଓ ବ୍ରଜରାଜ ନଗରର କାଗଜକଳ ବନ୍ଦ ହୋଇଯାଇଛି । କଳିଙ୍ଗ ଟ୍ୟୁବ୍‌, ଲୁଗାକଳର ସତ୍ତା ନାହିଁ । ବରଗଡ଼ର ସିମେଣ୍ଟ କାରଖାନା, ତାଳଚେରର ସାରକାରଖାନା ବିକ୍ରି ବା ବନ୍ଦ ହୋଇଗଲାଣି । ପାରଦୀପର ତୈଳ ବିଶୋଧନାଗାର କଥା ଅନେକ ଦିନରୁ ଶୁଣାଯାଉଛି । ବାଲେଶ୍ୱରର ଟାୟାର କାରଖାନାଟି ବ୍ୟକ୍ତିଗତ ଉଦ୍ୟମରେ ଚାଲୁଛି । ଅନୁଗୁଳର ଏକମାତ୍ର ଲାଭଦାୟକ ନାଲ୍‌କୋ ସଂସ୍ଥାର ଅଂଶଧନକୁ ପ୍ରତ୍ୟାହାର କରି ହସ୍ତାନ୍ତର କରିବାର ଉଦ୍ୟମ ସାମୟିକ ଭାବେ ବନ୍ଦ ରହିଛି । ଦାମନଯୋଡ଼ି ସଂସ୍ଥା ମଧ୍ୟ ଚାଲୁ ରହିଛି । ତେବେ ଭାରତର ଶିଳ୍ପମାନ ଚିତ୍ରରେ ଓଡ଼ିଶାର ସ୍ଥାନ ଯେ ଏବେ ମଧ୍ୟ ଦୟନୀୟ ହୋଇରହିଛି ଏହା ନ କହିଲେ ମଧ୍ୟ ଚଳିବ । ଓଡ଼ିଶା ଏକ ଶାନ୍ତ ରାଜ୍ୟ । ଏଠାରେ ମାନବ ସମ୍ବଳ ଭାରତର ଅନ୍ୟାନ୍ୟ ରାଜ୍ୟ ଅପେକ୍ଷା ଶସ୍ତା ଓ ସୁଲଭ୍ୟ । ଶିଳ୍ପ ପାଇଁ କଞ୍ଚାମାଲର ଅଭାବ ନାହିଁ । ଯୋଗାଯୋଗର ବ୍ୟବସ୍ଥା ଯେ ନିତାନ୍ତ ଖରାପ-ଏହା ମଧ୍ୟ ନୁହେଁ । ଶକ୍ତି ଯୋଗାଣ ମଧ୍ୟ ଶିଳ୍ପର ଅନୁକୂଳ । ସାର୍ଥକ ଶିଳ୍ପ ପାଇଁ ଯାହା ଯାହା ଆବଶ୍ୟକ, ସେ ସବୁ ଏଠାରେ ଉପଲବ୍ଧ ହେଉଥିବା ବେଳେ ଗୋଟିକ ପରେ ଗୋଟିଏ ସଂସ୍ଥା ଯେ ବନ୍ଦ ହେବାରେ ଲାଗିଛି, ଏହାର କାରଣ କାହାରି ଅଜ୍ଞାତ ନୁହେଁ । ପରିଚାଳନା ଗତ ତ୍ରୁଟି ସହିତ ‘ହଜାରେ ଦିନରେ ହଜାରେ ଶିଳ୍ପ ପ୍ରତିଷ୍ଠା’ ଭଳି ଉଦ୍‌ଭଟ୍ଟ କଳ୍ପନା ଓଡ଼ିଶାର ଶିଳ୍ପ ପ୍ରଗତି କ୍ଷେତ୍ରରେ ବାଧକ ସ୍ୱରୂପ ହୋଇଛି ।

 

୧୯୭୦ ମସିହା ସୁଦ୍ଧା ଏକ ଶିଳ୍ପ ସମୃଦ୍ଧ ରାଜ୍ୟରେ ପରିଣତ କରିବାର ସ୍ୱପ୍ନ ଦେଖାଯାଇଥିଲା । ଏଥିପାଇଁ ବିଭିନ୍ନ ସମୟରେ କେତେ ନିଗମ ପ୍ରଭୃତି ସ୍ଥାପିତ ହୋଇ କୋଟି କୋଟି ଟଙ୍କା ବ୍ୟୟ କରାଯାଇଛି । ଶିଳ୍ପପ୍ରତିଷ୍ଠା ହୋଇପାରୁ ନାହିଁ । ଗୋଟିକ ପରେ ଗୋଟିଏ ରୁଗ୍‌ଣ ଶିଳ୍ପ ବନ୍ଦ ହୋଇଯାଉଛି କିମ୍ବା ବିକ୍ରି ହେଉଛି । ଏବେ ବିକ୍ରି ହେଲା ଆସିକା ଓ ନୟାଗଡ଼ର ଚିନିକଳ । ଏହା ପରେ ଆହୁରି ସଂସ୍ଥା ହାତ ବଦଳ କରିବ । ଖଣିଖାଦାନ ବାହାରର ବ୍ୟବସାୟୀମାନେ ସ୍ୱଳ୍ପ ମୂଲ୍ୟରେ ପଟ୍ଟା ବା ଖରିଦ୍‌ ସୂତ୍ରରେ ଅଧିକାର କରି ନେଉଛନ୍ତି । ଶିଳ୍ପ ପ୍ରଗତି ବିଷୟ ଆଉ ଆଲୋଚନା ନ କଲେ ଭଲ ।

 

ଶିଳ୍ପ ପାଇଁ ଶକ୍ତି (Power) :–ଶକ୍ତି ହେଉଛି ଆଧୁନିକ ପ୍ରଗତିର ପରିଚାୟକ । କଳକାରଖାନା ହେଉ, ଅନୁଷ୍ଠାନ ହେଉ ବା ଘର ପରିବାର ହେଉ ଶକ୍ତିର ଅଭାବରେ ସବୁ ଅଚଳ । ଏ ଦିଗରୁ ଓଡ଼ିଶାକୁ ବଳକା ରାଜ୍ୟ ଘୋଷଣା କରାଯାଇଛି । ବିଦ୍ୟୁତ୍‌ ବଣ୍ଟନର ଦାୟିତ୍ୱ ବର୍ତ୍ତମାନ ଘରୋଇ ସଂସ୍ଥା ହାତରେ । ସରକାର ଉତ୍ପାଦିତ ଶକ୍ତିକୁ ଏ ମାନଙ୍କୁ ବିକ୍ରି କରି ଦେଇ ମହାଜନ ସାଜିଛନ୍ତି । ବଣ୍ଟନ ବ୍ୟବସ୍ଥାର ସୁଫଳ ରାଜ୍ୟର ଖାଉଟିମାନେ ପ୍ରତ୍ୟେକ ମୁହୂର୍ତ୍ତରେ ପାଉଛନ୍ତି ।

 

ଓଡ଼ିଶାରେ ଶକ୍ତି ଉତ୍ପାଦନର ଆଦ୍ୟ ଉଦ୍ୟମ ହୋଇଥିଲା ବାମଣ୍ଡାଭଳି ଏକ କ୍ଷୁଦ୍ର ଗଡ଼ଜାତ ରାଜ୍ୟରେ ବିଂଶ ଶତକର ପୂର୍ବାର୍ଦ୍ଧରେ । ବାମଣ୍ଡାରାଜା ବାସୁଦେବ ସୁଢ଼ଳ ଦେବ ନିଜ ରାଜଧାନୀ ଦେଓଗଡ଼ଠାରେ ଏକ ଡିଜେଲ ଚାଳିତ ଜେନେରେଟର୍‌ ବସାଇ ରାଜଧାନୀକୁ ଆଲୋକିତ କରାଇଥିଲେ । କାଳକ୍ରମେ ସ୍ଥାନୀୟ ଜଳପ୍ରପାତକୁ ବ୍ୟବହାର କରି ୧୨ କିଲୋୱାଟ ଶକ୍ତି ଉତ୍ପାଦନର ବ୍ୟବସ୍ଥା କରାଯାଇ ଡିଜେଲ ବ୍ୟବହାରକୁ ରହିତ କରାଯାଇଥିଲା । ଓଡ଼ିଶାରେ ଏହା ହିଁ ବୋଧହୁଏ ପ୍ରଥମ ଜଳ ବିଦ୍ୟୁତ୍‌ ପ୍ରକଳ୍ପ । ଏହାପରେ ଓଡ଼ିଶାର କିଛି ସହରରେ ଛୋଟ ଛୋଟ ଡିଜେଲ ଚାଳିତ ଜେନେରେଟର୍‌ ବସାଯାଇ ବିଦ୍ୟୁତ୍‌ ଉତ୍ପାଦନର ବ୍ୟବସ୍ଥା ହୋଇଥିଲା । ତେବେ ଏ ସବୁ ଘରୋଇ ବ୍ୟବହାରରେ ଲାଗୁଥିଲା ଏବଂ ପରିଚାଳନା ମଧ୍ୟ ଘରୋଇ ସଂସ୍ଥା ହାତରେ ଥିଲା ।

 

ସ୍ୱାଧୀନତା ପରେ ରାଜ୍ୟର ଦ୍ରୁତ ପ୍ରଗତି ନିମନ୍ତେ ଶକ୍ତି ଉତ୍ପାଦନ ଉପରେ ଗୁରୁତ୍ୱ ଦିଆଗଲା । ଗତ ଶତକରେ ରାଜ୍ୟ ସରକାର ତାଙ୍କର ପ୍ରଥମ ଥର୍ମାଲ ପାୱାର କେନ୍ଦ୍ର ସ୍ଥାପନ କଲେ ଯୋବ୍ରାଠାରେ । ଏହାର କ୍ଷମତା ଥିଲା ୭୫୦ କି:ୱା । ଏହା ପରେ ଚୌଦ୍ୱାରଠାରେ ୫୦୦୦ କି:ୱା ଶକ୍ତି ଉତ୍ପାଦନ କ୍ଷମ ଏବଂ ରାଜଗାଙ୍ଗପୁରେ ୬,୫୦୦ କି:ୱା ଶକ୍ତି ସମ୍ପନ୍ନ ଆଉ ଦୁଇଟି ଥର୍ମାଲ ଷ୍ଟେସନ ଖୋଲାଗଲା । ସ୍ଥାନୀୟ ଶିଳ୍ପ ସଂସ୍ଥାକୁ ବିଦ୍ୟୁତ୍‌ ଯୋଗାଣ ହିଁ ଥିଲା ଏହାର ଲକ୍ଷ୍ୟ ।

 

ଓଡ଼ିଶା ଏବଂ ଆନ୍ଧ୍ର ସରକାରଙ୍କ ମିଳିତ ଉଦ୍ୟମରେ ନିର୍ମିତ ମାଛକୁଣ୍ଡ ଜଳ ବିଦ୍ୟୁତ୍‌ ପ୍ରକଳ୍ପ ୧୯୫୫ରେ ବିଦ୍ୟୁତ୍‌ ଉତ୍ପାଦନ କରିବାକୁ ଆରମ୍ଭ କଲା । ଏହାର ଉତ୍ପାଦିକା ଶକ୍ତି ହେଉଛି ୧୧୪,୭୫ ମେଗାୱାଟ୍‌ ଏବଂ ଏଥିରୁ ଓଡ଼ିଶାର ଭାଗ ହେଉଛି ୩୪ ମେଗାୱାଟ୍‌ । ଏହା ଦ୍ୱାରା କୋରାପୁଟ ଜିଲ୍ଲାକୁ ଏକ ସାର୍ଥକ ଶିଳ୍ପାଞ୍ଚଳରେ ପରିଣତ କରିବାର ସ୍ୱପ୍ନ ଦେଖାଯାଇଥିଲା । ସେ ଯୁଗରେ ଶହେ କୋଟି ଟଙ୍କା ବ୍ୟୟରେ ମହାନଦୀର ହୀରାକୁଦଠାରେ ବନ୍ଧପକାଇ ବିଦ୍ୟୁତ୍‌ ଉତ୍ପାଦନ କରିବା କଥା ଚିନ୍ତା କରାଯାଇଥିଲା ସ୍ୱାଧୀନତାର ଅବ୍ୟବହିତ ପରେ । ସମ୍ବଲପୁର ଜିଲ୍ଲାର ବହୁ ଉର୍ବର ଅଞ୍ଚଳ ଜଳଭଣ୍ଡାରରେ ତଳେଇଗଲା । ବହୁ ପ୍ରାଚୀନ ଗ୍ରାମ ଏବଂ କୀର୍ତ୍ତି ସବୁ ବୁଡ଼ିଗଲା । ଏହାକୁ ବନ୍ଦ କରିବା ପାଇଁ ସେ ସମୟରେ ଦୀର୍ଘ କାଳଧରି ଆନ୍ଦୋଳନ ଚାଲିଲା ଏବଂ ଉପକୂଳ ଅଞ୍ଚଳ ସହିତ ସେ ଅଞ୍ଚଳର ଏକ ସ୍ଥାୟୀ ତିକ୍ତତା ସୃଷ୍ଟି ହେଲା । ଏକ ପ୍ରକଳ୍ପର ଲାଭ କେଉଁ ଅଞ୍ଚଳ ପାଉଛି, ସେ ଅବଶ୍ୟ ସ୍ୱତନ୍ତ୍ର କଥା । ତେବେ ନଦୀବନ୍ଧ ଦ୍ୱାରା ଉପକୂଳ ଅଞ୍ଚଳର ଭୟାବହ ବନ୍ୟା ସମସ୍ୟାର ଯେ ସ୍ଥାୟୀ ସମାଧାନ ହୋଇଯିବ ବୋଲି ଆଶା କରାଯାଉଥିଲା ତାହା ସଫଳ ହୋଇ ନାହିଁ । ୧୯୮୨, ୧୯୯୧, ୧୯୬୧–ପ୍ରଭୃତି ବର୍ଷମାନଙ୍କର ଭୀଷଣ ବନ୍ୟା ହେଉଛି ଏହାର ଦୃଷ୍ଟାନ୍ତ । ହୀରାକୁଦ ବନ୍ଧ ହେଲା ପରେ ଏ ଅଞ୍ଚଳରେ ଅନ୍ତତଃ ପାଞ୍ଚୋଟି ପ୍ରଳୟଙ୍କାରୀ ବଢ଼ି ହୋଇ କୋଟି କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି । ପଶୁ ଓ ମଣିଷ ମରିଛନ୍ତି । ସମସ୍ୟା ତା’ ସ୍ଥାନରେ ରହିଛି ।

 

ସ୍ୱାଧୀନତା ପୂର୍ବରୁ ଇଞ୍ଜିନିୟର ବିଶ୍ୱେଶ୍ୱରାୟଙ୍କ ଦ୍ୱାରା ଅନୁସନ୍ଧାନ କରାଯାଇ ହୀରାକୁଦ ବହୁମୁଖୀ ପରିଯୋଜନା ପ୍ରସ୍ତୁତ କରାଯାଇଥିଲା । ୧୯୪୬ରେ ଓଡ଼ିଶାର ତତ୍କାଳୀନ ରାଜ୍ୟପାଳ ହଥର୍ଣ୍ଣ ଲୁଇଙ୍କ ଦ୍ୱାରା ଏହାର ଶିଳ୍ପନ୍ୟାସ କରାଯାଇ ୧୯୪୮ ଏପ୍ରିଲ୍‌ ବାର ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଏହାର ପ୍ରଥମ କଂକ୍ରିଟ୍‌ ଢଳାଇ କାମର ଶୁଭାରମ୍ଭ କରାଯାଇଥିଲା । ଏହା ଦ୍ୱାରା ବନ୍ୟା ନିୟନ୍ତ୍ରଣ, ଜଳସେଚନ, ବିଦ୍ୟୁତ୍‌ ଉତ୍ପାଦନ ଏବଂ ଜଳପଥ ସୃଷ୍ଟି ପ୍ରଭୃତିର ଲକ୍ଷ୍ୟ ସ୍ତିର କରାଯାଇଥିଲା । ହୀରାକୁଦ ବନ୍ଧ ହେଉଛି ସ୍ୱାଧୀନ ଭାରତର ପ୍ରଥମ ବହୁମୁଖୀ ନନ୍ଧୀବନ୍ଧ ଯୋଜନା-। ଏଠାରେ ପୃଥିବୀର ଦ୍ୱିତୀୟ ଦୀର୍ଘତମ ମାଟିବନ୍ଧ ତଥା ଏସିଆର ବୃହତ୍ତମ ଜଳ ଭଣ୍ଡାର ରହିଛି ।

 

ପ୍ରକଳ୍ପ ପାଇଁ ବିଶ୍ୱେଶ୍ୱରରାୟଙ୍କର ପ୍ରସ୍ତାବ ଥିଲା ତ୍ରିସ୍ତରୀୟ । (୧) ହୀରାକୁଦ (୨) ଟିକରପଡ଼ା (୩) ନରାଜ । ଏହି ସବୁଠାରେ ବନ୍ଧ ନିର୍ମାଣ କରାଯିବା ନିମନ୍ତେ ସେ କହିଥିଲେ । ପ୍ରଥମ ପର୍ଯ୍ୟାୟରେ ସମ୍ବଲପୁରଠାରୁ ପନ୍ଦର କି:ମି ଉପରେ ହୀରାକୁଦଠାରେ ପାଞ୍ଚ କି:ମି ଦୀର୍ଘ ବନ୍ଧ ନିର୍ମିତ ହୋଇଥିଲା । ଏଠାର ଜଳ ଭଣ୍ଡାରରୁ ଏକ ଲକ୍ଷ ଛପନ ହଜାର ତିନି ଶହ ପଞ୍ଚାଅଶି ପୟତ୍ରିଂଶ ହେକ୍ଟର ଜମିକୁ ଖରିଫ୍‌ ଫସଲ ତଥା ଜଳଯୋଗାଇ ଦିଆଯାଇଛି । ବୁର୍ଲା ଓ ଚିପିଲିମାଠାରେ ୧୦୭.୫ ମେଗାୱାଟ କ୍ଷମତା ବିଶିଷ୍ଟ ଦୁଇଟି ଜଳବିଦ୍ୟୁତ୍‌ ଉତ୍ପାଦନ କେନ୍ଦ୍ର ସ୍ଥାପିତ ହୋଇଛି । ଏହା ଦ୍ୱାରା କଟକ ଓ ପୁରୀ ଜିଲ୍ଲା ତ୍ରିକୋଣ ଭୂମିର ୯୫୦୦ ବର୍ଗ କି:ମି ଅଞ୍ଚଳକୁ ବନ୍ୟାରୁ ରକ୍ଷା କରିବାର ଯୋଜନା କରାଯାଇଥିଲା । ତେବେ ପ୍ରକଳ୍ପର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ କାର୍ଯ୍ୟକାରୀ ହୋଇ ନାହିଁ । ମଣିଭଦ୍ରା ନଦୀ ବନ୍ଧ ଯୋଜନା ମଧ୍ୟ ପରିତ୍ୟକ୍ତ ହୋଇଛି ।

 

ହୀରାକୁଦ ବନ୍ଧ ସମୂର୍ଣ୍ଣ ହେଲା ୧୯୫୭ ଜାନୁଆରୀ ୧୩ରେ ଏବଂ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦ୍‌ଘାଟିତ ହେଲା । ୧୯୫୬ ରୁ ଏଠାରୁ ଜଳସେଚନ କାର୍ଯ୍ୟ ତଥା ବିଦ୍ୟୁତ୍‌ ଉତ୍ପାଦନ ଆରମ୍ଭ ହୋଇଛି ଏବଂ ୧୯୬୦ ରୁ ଏହା ପୂର୍ଣ୍ଣ ରୂପରେ କାର୍ଯ୍ୟକାରୀ ହୋଇଛି । ହୀରାକୁଦର ଫାଟକଯୁକ୍ତ ବନ୍ଧର ଦୀର୍ଘତା ୪.୮ କି:ମି ୨୧କି:ମି ଆଡ଼ିବନ୍ଧ ଦ୍ୱାରା ମହାନଦୀ ପାଣିକୁ ଅଟକାଯାଇଛି । ଏହି ଭଳି ବନ୍ଧର ମୋଟ ଲମ୍ବ ୨୫.୮ କି:ମି । ଏହା ପୃଥିବୀର ୨ୟ ଦୀର୍ଘତମ ମାଟି ବନ୍ଧ ଏବଂ ଲମ୍‌ଡ଼ୁଙ୍ଗୁରି ପାହାଡ଼ରୁ ଚାନ୍ଦିଲି ଡ଼ୁଙ୍ଗୁରି ପାହାଡ଼ ପର୍ଯ୍ୟନ୍ତ ବ୍ୟାପିଛି । ଏଥିରେ ବ୍ୟୟ କରାଯାଇଛି ୧୦୦.୨ କୋଟି ଟଙ୍କା ।

 

ଅଧିକ ଶକ୍ତି ଉତ୍ପାଦନର ଲକ୍ଷ୍ୟ ନେଇ ତାଳଚେରଠାରେ ୨୫୦ ମେ:-ୱା:- କ୍ଷମତା ବିଶିଷ୍ଟ ଏକ ଥର୍ମାଲ ଷ୍ଟେସନ୍‌ ୧୯୬୧ ମସିହାରେ ସ୍ଥାପିତ ହେବାର ଯୋଜନା କରାଗଲା ଏବଂ ଏଥିରୁ ଉତ୍ପାଦନ ଆରମ୍ଭ ହେଲା ୧୯୬୭ରୁ । ଠିକ୍‌ ଏଇ ସମୟରେ ବାଲି ମେଳା ପ୍ରକଳ୍ପର କାମ ଆରମ୍ଭ ହୋଇଥିଲା ଏବଂ ଶକ୍ତି ମିଳିଲା ୧୯୭୩ରୁ । ଏହାର ଉତ୍ପାଦନ କ୍ଷମତା ହେଉଛି ୩୬୦ ମେ:ୱା । ଏହି ଭଳି ରାଜ୍ୟର ଶକ୍ତିର ପରିମାଣ ହେଲା ମୋଟା (କ) ହୀରାକୁଦ ୩୦୭.୫ ମେ:ୱା (ଖ) ବାଲିମେଳା :–୩୬୦ ମେ:ୱା (ଗ) ତାଳଚେର ତାପଜ :–୨୫୦ ମେ:ୱା (ଘ) ମାଛକୁଣ୍ଡ :–୩୪ ମେ:ୱା ଇତିମଧ୍ୟରେ ଝାରସୁଗୁଡ଼ାର ଇବ୍‌ଠାରେ ଆଉ ଗୋଟିଏ ଉଚ୍ଚ ଶକ୍ତି ସମ୍ପଦ ତାପଜ କେନ୍ଦ୍ରସ୍ଥାପିତ ହୋଇଛି ।

 

୧୯୫୦ରେ ଶକ୍ତି ଉତ୍ପାଦନ ପରିମାଣ ଥିଲା କେବଳ ୯.୬ ମେ:ୱା ପ୍ରଥମ ଯୋଜନା ଶେଷ ବେଳକୁ ଏହା ହୋଇଥିଲା ୩୨ ମେ:ୱା ଦ୍ୱିତୀୟ ଯୋଜନାରେ ଏହା ୨୭୦ ମେ:ୱାକୁ ବୃଦ୍ଧି ପାଇଲା । ତୃତୀୟ ଯୋଜନାରେ ଏହା ୩୧୦ ମେ:ୱାକୁ ବୃଦ୍ଧି ପାଇଲା । ଚତୁର୍ଥ-ପଞ୍ଚମ ଯୋଜନାରେ ଏହା ହେଲା ୯୧୪ ମେ:ୱା । ୧୯୮୮-୮୯ରେ ଉପର କୋଲାବ୍‌ ବିଦ୍ୟୁତ୍‌ ପ୍ରକଳ୍ପର ଦୁଇଟି ୟୁନିଟରୁ ୧୬୦ ମେ:ୱା ଶକ୍ତି ଉତ୍ପାଦିତ ହେବା ଫଳରେ ମୋଟ ପରିମାଣ ହେଲା ୧୩୯୪ ମେ:ୱା । ଏ ମଧ୍ୟରେ ତାଳଚେର, ହୀରାକୁଦ, ରେଙ୍ଗାଲୀ, ଇବ୍‌, ଉପରକୋଲାବ୍‌ ପ୍ରଭୃତି ଉତ୍ପାଦନ କେନ୍ଦ୍ରର ଶକ୍ତି ବୃଦ୍ଧି କରାଯିବା ଫଳରେ ବିଦ୍ୟୁତ୍‌ଶକ୍ତିର ପରିମାଣ ଅନେକ ବୃଦ୍ଧି ପାଇଛି ।

 

ବିଦ୍ୟୁତ୍‌ ଶକ୍ତିର ଘରୋଇ ବ୍ୟବହାର, କଳକାରଖାନା ପାଇଁ ବ୍ୟବହାର, ରେଳ ଚଳାଚଳ ପାଇଁ ବ୍ୟବହାର ପରେ ଉଠାଜଳସେଚନ ପାଇଁ ଏହା ବ୍ୟବହୃତ ହୋଇ କୃଷି ଉତ୍ପାଦନ ବୃଦ୍ଧିରେ ସହାୟକ ହେଉଛି । ସ୍ୱାଧୀନତା ପୂର୍ବରୁ ଏବଂ ପରେ ମୁଖ୍ୟତଃ କେନାଲ ଦ୍ୱାରା ବିଭିନ୍ନ ଅଞ୍ଚଳକୁ ଜଳ ପଠାଯାଇ କୃଷି ବ୍ୟବସ୍ଥାର ଉନ୍ନତି କରାଯାଉଥିଲା । ହୀରାକୁଦ ଜଳ ଭଣ୍ଡାର ହେଲାପରେ ସମ୍ବଲପୁର ଜିଲ୍ଲା ଏହି ସୁଯୋଗ ଲାଭ କଲା ଏବଂ ଏହା ଦ୍ୱାରା ଜିଲ୍ଲାର ବିସ୍ତୃତ ଉଷର ଅଞ୍ଚଳକୁ ଶସ୍ୟଶ୍ୟାମଳା କରାଯାଇ ପାରିଛି । ଏହାର ସଦ୍‌ବ୍ୟବହାର କରି ବରଗଡ଼ ଅଞ୍ଚଳ ରାଜ୍ୟର ‘ଭାତହାଣ୍ଡି’ରେ ପରିଣତ ହୋଇଛି । ତେବେ ଯେଉଁ ଅଞ୍ଚଳକୁ ବିଭିନ୍ନ କାରଣରୁ କେନାଲ ଯାଇ ପାରିନାହିଁ କିମ୍ବା ଯିବାର ସମ୍ଭାବନା ନାହିଁ, ସେଠାରେ ଉଠା-ଜଳସେଚନ ପ୍ରକଳ୍ପ ଦ୍ୱାରା ଭୂଗର୍ଭରୁ ଜଳ ଉତ୍ତୋଳନ କରାଯାଇ ଜଳସେଚନର ବ୍ୟବସ୍ଥା କରାଯାଉଛି । ଏଥିପାଇଁ ବିଦ୍ୟୁତ୍‌ ଶକ୍ତିର ବ୍ୟବହାର ଅପରିହାର୍ଯ୍ୟ ହେଉଛି । ୧୯୮୯ ମସିହା ସୁଦ୍ଧା ରାଜ୍ୟର ପ୍ରାୟ ୪୫,୯୨୨ଟି ଏହିଭଳି ପ୍ରକଳ୍ପ କାର୍ଯ୍ୟକାରୀ ହେଉଥିଲା । ବର୍ତ୍ତମାନ ଏହି ସଂଖ୍ୟା ଆହୁରି ଅଧିକ ହେଲାଣି ।

 

ଓଡ଼ିଶା ବିଭିନ୍ନ ସୂତ୍ରରୁ ଶକ୍ତି ସଂଗ୍ରହ କରି ଏ ଦିଗରେ ଆତ୍ମନିର୍ଭର ହୋଇପାରିଛି ଏବଂ ବଳକା ଅନ୍ୟ ରାଜ୍ୟମାନଙ୍କୁ ବିକ୍ରି କରିପାରୁଛି । ତେବେ ଗୋଟିଏ ସମୟରେ ହୀରାକୁଦ ଜଳ ବିଦ୍ୟୁତ୍‌ କେନ୍ଦ୍ର ହିଁ ଥିଲା ରାଜ୍ୟର ଏକମାତ୍ର ଶକ୍ତି-ଉତ୍ପାଦନର କ୍ଷେତ୍ର । ରାଜ୍ୟକୁ ଶିଳ୍ପାୟିତ କରି ଭାରତ ଶିଳ୍ପମାନଚିତ୍ରରେ ଏହାକୁ ସ୍ଥାନ ଦେବା ନିମନ୍ତେ ଯେତେବେଳେ ଉଦ୍ୟମ ଆରମ୍ଭ ହୋଇଥିଲା, ସେତେବେଳେ ହୀରାକୁଦ ଉତ୍ପାଦିତ ଶକ୍ତି ହିଁ ଥିଲା ଓଡ଼ିଶାର ଏକମାତ୍ର ସମ୍ବଳ । ରାଉରକେଲା, ହୀରାକୁଦ, ବରଗଡ଼, ବ୍ରଜରାଜ ନଗର, ରାଜଗାଙ୍ଗପୁର ଏଭଳିକି ଉପକୂଳବର୍ତ୍ତୀ ଅଞ୍ଚଳର ଚୌଦ୍ୱାର ଇତ୍ୟାଦିଠାରେ ଯେଉଁ ଶିଳ୍ପ ସବୁ ମୁଣ୍ଡଟେକି ଥିଲା ତାହାର ମୂଳରେ ଥିଲା ହୀରାକୁଦର ଶକ୍ତି । ଏଣୁ ଓଡ଼ିଶାର ଅର୍ଥନୈତିକ ପ୍ରଗତିର ମୂଳ କାରଣ ଯେ ମହାନଦୀ-ଏହା ନ କହିଲେ ମଧ୍ୟ ଚଳିବ ।

 

ଓଡ଼ିଶା ବର୍ତ୍ତମାନ ଏଠାରୁ କେତୋଟି ପଦାର୍ଥ ବିଦେଶକୁ ରପ୍ତାନି କରି କିଛି ବୈଦେଶିକ ମୁଦ୍ରା ଅର୍ଜନ କରୁଛି । ଏଠାରୁ ରପ୍ତାନି ଦ୍ରବ୍ୟ ମଧ୍ୟରେ ରହିଛି ସିମେଣ୍ଟ, ମୁଗ, ବିରି, ଚମଡ଼ା, ଝୋଟ, ଲୁହା, ଇସ୍ପାତ ଖଣ୍ଡ, ମାଙ୍ଗାନିଜ୍‌ ଓ ଲୁହାପଥର, ଚୂନପଥର, କିଛି ଯନ୍ତ୍ରପାତି, ରାସାୟନିକ ପଦାର୍ଥ, କୃଷି ତଥା ବନଜାତ କିଛି ଦ୍ରବ୍ୟ, ସମୁଦ୍ର ଜାତ ଦ୍ରବ୍ୟ, ସମୁଦ୍ର ଜାତ ଦ୍ରବ୍ୟ, ହସ୍ତତନ୍ତ ପ୍ରସ୍ତୁତ ସାମଗ୍ରୀ ଏବଂ ହସ୍ତ ପ୍ରସ୍ତୁତ ବିଭିନ୍ନ ପ୍ରକାରର ଶିଳ୍ପ ଦ୍ରବ୍ୟ । ଧୀରେ ଧୀରେ ରପ୍ତାନୀର ପରିମାଣ ବଢ଼ିବାରେ ଲାଗିଛି । ଏଠାରେ ହସ୍ତ ପ୍ରସ୍ତୁତ ଦ୍ରବ୍ୟମାନଙ୍କ ମଧ୍ୟରେ ପିପିଲିର ଚାନ୍ଦୁଆ, ଛତା ଓ ଅନ୍ୟାନ୍ୟ ଉପକରଣ, ଶିଙ୍ଗକାମ, ତାରକସି କାମ, ହସ୍ତ ତନ୍ତ ପ୍ରସ୍ତୁତ ଟସର ଓ ରେଶମ ଲୁଗା ପ୍ରଭୃତି ବିଦେଶରେ ଆଦୃତ ମଧ୍ୟ ହେଉଛି । କହିବା ବାହୁଲ୍ୟ ଯେ, ଏହି ସବୁ ଦ୍ରବ୍ୟରୁ ଅଧିକାଂଶ ମହାନଦୀ ଅବବାହିକା କିମ୍ବା ତ୍ରିକୋଣ ଭୂମିରେ ହିଁ ପ୍ରସ୍ତୁତ ହେଉଛି ।

 

ରପ୍ତାନୀ ଦ୍ରବ୍ୟ ମଧ୍ୟରେ ବହୁ ପରିମାଣରେ ବୈଦେଶିକ ମୁଦ୍ରା ଅର୍ଜନ କରି ପାରୁଥିବାରୁ ଚିଙ୍ଗୁଡ଼ିମାଛର ଏକ ବିଶେଷ ସ୍ଥାନ ରହିଛି । ଏହି ଚିଙ୍ଗୁଡ଼ି ସମୁଦ୍ରରୁ, ଚିଲିକାରୁ ପୁଣି ମହାନଦୀ ମୁହାଣରୁ ଧରାପଡ଼ନ୍ତି । ବର୍ତ୍ତମାନ ଅବଶ୍ୟ କୃତିମ ଉପାୟରେ ମଧ୍ୟ ଏହାର ଉତ୍ପାଦନ ବଢ଼ା ଯାଇପାରୁଛି ।

 

ଏହି ଅଧ୍ୟାୟରେ ମୁଖ୍ୟତଃ ରାଜ୍ୟର ଶିଳ୍ପ ଏବଂ ଶକ୍ତିର ସ୍ଥିତି ସମ୍ପର୍କରେ ଆଲୋଚନା କରାଯାଇଛି । ଶିଳ୍ପ କ୍ଷେତ୍ରରେ ଓଡ଼ିଶାର ଅନଗ୍ରସରତା ଏକ ପ୍ରମାଣିତ ବ୍ୟାପାର । ପରିଚାଳନା ଗତ ତ୍ରୁଟିରୁ ଏଠାରେ ଶିଳ୍ପ ସଂସ୍ଥାମାନ ଗଢ଼ାଯାଇ ପୁଣି ଅଚିରେ ଭାଙ୍ଗିଯାଇଛି । ଓଡ଼ିଶା ପୂର୍ବ ଭଳି ଅନଗ୍ରସର ହୋଇ ରହିଯାଇଛି । ଏ ସମ୍ପର୍କରେ ମତ ଦେଇ ଓଡ଼ିଶାର ବିଶିଷ୍ଟ ଅର୍ଥନୀତିଜ୍ଞ ଡଃ ବିଦ୍ୟାଧର ମିଶ୍ର ଲେଖିଛନ୍ତି, ‘‘ଓଡ଼ିଶାର ପୂର୍ବତନ ଗଡ଼ଜାତ ଅଞ୍ଚଳମାନଙ୍କରେ ଉପକୂଳ ଅଞ୍ଚଳମାନଙ୍କ ପରି ଉର୍ବର ଜମି ନଥିଲା । କିନ୍ତୁ ଭୂମି ତଳେ ଖଣିଜ ସମ୍ପଦ ଏବଂ ଭୂମି ଉପରେ ବନ୍ୟ ସମ୍ପଦ ସେଗୁଡ଼ିକରେ ପ୍ରଚୁର ଭାବରେ ଥିଲା । ସେଗୁଡ଼ିକର ସଦୁପଯୋଗ ହୋଇଥିଲେ, ସେ ସବୁ ଅଞ୍ଚଳ ଶିଳ୍ପ ସମୃଦ୍ଧ ହୋଇଥାଆନ୍ତା ଏବଂ ସେ ଅଞ୍ଚଳର ସାଧାରଣ ଲୋକଙ୍କ ଅବସ୍ଥା ସ୍ୱଚ୍ଛଳ ହୋଇଥାଆନ୍ତା । ବିଗତ ଚାଳିଶ ବର୍ଷରେ ଉଭୟ ମୋଗଲ ବନ୍ଦୀ ଓ ଗଡ଼ଜାତ ଅଞ୍ଚଳରେ ଲୋକଙ୍କ ଦ୍ୱାରା ବନ ସମ୍ପଦର ବହୁ ଅବକ୍ଷୟ ଘଟିଛି, ମାତ୍ର ଭୂମିତଳ ଖଣିଜ ପଦାର୍ଥର ସଦୁପଯୋଗ ହୋଇପାରି ନାହିଁ । ସମଗ୍ର ରାଜ୍ୟର ଭବିଷ୍ୟତ୍‌ ସମୃଦ୍ଧି ଏଇ ଦୁଇପ୍ରକାର ସମ୍ବଳର ସଦୁପଯୋଗ ଉପରେ ନିର୍ଭର କରେ ।’’ (ବିଂଶ ଶତାବ୍ଦୀର ଓଡ଼ିଶା-ମୋ ଅନୁଭୂତି :–ପୃ : ୧୩୧-୧୩୨) ଡଃ ମିଶ୍ର ଠିକ୍‌ ଲକ୍ଷ୍ୟ କରିଛନ୍ତି । ଉପରୋକ୍ତ ଦୁଇ ଦ୍ରବ୍ୟ-ଯାହା ରାଜ୍ୟର ସମୃଦ୍ଧିର କାରଣ-ତାକୁ ଆମେ ଉପଯୋଗ କରୁଛୁ । ମାତ୍ର ସଦୁପଯୋଗ କରିପାରୁ ନାହୁଁ । ଅଯୋଗ୍ୟ ସନ୍ତାନ ପିତୃ ଅର୍ଜିତ ସମ୍ପତ୍ତିର ପ୍ରକୃତ ମୂଲ୍ୟ ନ ବୁଝି ତାକୁ ବିକି ଭାଙ୍ଗି ଚଳିଲା ଭଳି ଆଜି ହୋଇଛି ଆମର ଅବସ୍ଥା । ଗଚ୍ଛିତ ସମ୍ପତ୍ତି ଶେଷ ହେବାକୁ ବିଶେଷ ବିଳମ୍ବ ହେବନାହିଁ । ତାହା ପରେ ଓଡ଼ିଶା ଯେଉଁ ତିମିରେକୁ ସେଇ ତିମିରେ-ଯୁଗ ଯୁଗକୁ ପର ନିର୍ଭର ହୋଇ ରହିଥିବ ।

 

ଉପସଂହାର :–ରାଜ୍ୟର ସାମାଜିକ-ଅର୍ଥନୈତିକ ପୃଷ୍ଠଭୂମି ପ୍ରସ୍ତୁତିରେ ମହାନଦୀର ଭୂମିକା ହିଁ ମୁଖ୍ୟତଃ ଏ ଅଧ୍ୟାୟରେ ବର୍ଣ୍ଣିତ ହୋଇଛି । ଏହାର ସମ୍ପଦ-ବିଶେଷତଃ ଅରଣ୍ୟ ସମ୍ପଦ ତଥା ଜଳ ସମ୍ପଦ ହେଉଛି ମହାନଦୀ ଏବଂ ତା’ର ଶାଖା ଉପଶାଖାର ଦାନ । ଏହାକୁ ଯଥାର୍ଥ ଭାବରେ ଉପଯୋଗ କରି, ନବ-ଓଡ଼ିଶା ନିର୍ମାଣ କରିବା ହୋଇଥାଆନ୍ତା ଆମର ଏକମାତ୍ର କର୍ତ୍ତବ୍ୟ-। ମାତ୍ର ଏ ପର୍ଯ୍ୟନ୍ତ ଆମେ ତହିଁରେ ଅସଫଳ ରହିଛୁଁ । ତଥାପି ଗତ ଶହେ ବର୍ଷ ମଧ୍ୟରେ ଅନ୍ତତଃ ସ୍ୱାଧୀନତା ପରେ ଓଡ଼ିଶାର ଯେତିକି ପ୍ରଗତି ହୋଇଛି, ତାହା ମୂଳରେ ରହିଛି ଏହି ନଦୀ । ଏହା ପୁଣି ଓଡ଼ିଶାର ଶିଳ୍ପ, ସଂସ୍କୃତି, ସଭ୍ୟତା ଏବଂ ଜୀବନ ନିର୍ମାଣରେ ଏକ ବିଶେଷ ଭୂମିକା ଗ୍ରହଣ କରିଛି । ପ୍ରକୃତିର ନିର୍ମମ ବ୍ୟବସ୍ଥା ଦ୍ୱାରା ଆବହମାନ କାଳରୁ ଏହି ରାଜ୍ୟ ବଢ଼ି, ମରୁଡ଼ି ଏବଂ ବାତ୍ୟା ନାମରେ ତିନୋଟି ଜାତ-ଶତ୍ରୁର ହାତଧରି ବାଟ ଚାଲୁଛି । ଏ ଭଳି କୌଣସି ସମୟ ନାହିଁ, ଯେତେବେଳେ କି ଏଇ ତିନୋଟିରୁ ଗୋଟିଏ ଆମ ସାଙ୍ଗରେ ନାହାନ୍ତି । ବହୁ ଆୟାସରେ ଯେତିକି ପ୍ରଗତି ହେଉଛି, ଏଇମାନଙ୍କ କଲ୍ୟାଣରୁ ତାହା ଗୋଟିଏ ମୁହୂର୍ତ୍ତରେ ବିଫଳ ହୋଇ ରାଜ୍ୟକୁ ପୁନର୍ବାର ଭିକ୍ଷାପାତ୍ର ହାତରେ ଧରାଇ ଠିଆ କରାଇ ଦେଉଛି ।

 

ଜଳକୁ ନିୟନ୍ତ୍ରଣ କରି ତଥା ଜଳଭଣ୍ଡାରରେ ଉଦ୍‌ବୃତ୍ତ ଜଳକୁ ସଂଚୟ କରି ପ୍ରଥମେ ବନ୍ୟା ନିୟନ୍ତ୍ରଣ ଏବଂ ପରେ ଅଭାବ ସମୟରେ ଜଳର ବ୍ୟବହାର କରି କୃଷି ବ୍ୟବସ୍ଥାର ଉନ୍ନତି କରଣ–ନିମନ୍ତେ ଅନେକ ଯୋଜନା କରାଯାଇଛି । ମାତ୍ର ବନ୍ୟା ନିୟନ୍ତ୍ରିତ ହୋଇନାହିଁ । ତେବେ ନିୟମିତ ଜଳ ସେଚନର ସୁବିଧା ଉପଲବ୍ଧ ହେବାରୁ କୃଷି ବ୍ୟବସ୍ଥାରେ ବ୍ୟାପକ ଉନ୍ନତି ହୋଇଛି । ଖାଦ୍ୟ ଶସ୍ୟ ଉତ୍ପାଦନ ବହୁଗୁଣିତ ହୋଇଛି । ମରୁଡ଼ି ସମ୍ପୂର୍ଣ୍ଣ ଭାବରେ ଉନ୍ମଳିତ ହୋଇଛି–ଏହା କୁହାନଯାଇ ବରଂ କୁହାଯାଇପାରିବ ଯେ, ଏହାର ଉତ୍କଟତା ବହୁ ପରିମାଣରେ ଦୂର ହୋଇଛି । କଳାହାଣ୍ଡି, ବଲାଙ୍ଗିର ଜିଲ୍ଲାର ଯେଉଁ ଅଞ୍ଚଳ ସ୍ଥାୟୀ ମରୁଡ଼ିର ଗ୍ରାସରେ ରହୁଛି, ସେଠାକୁ ଏହି ନଦୀର ହାତ ପହଞ୍ଚିପାରୁ ନାହିଁ । ଅତୀତରେ ଦକ୍ଷିଣାପଥର ଏଇ ଊଷର ଭୂମିକୁ ଶସ୍ୟ ଶ୍ୟାମଳା କରିବା ପାଇଁ ଆବିର୍ଭୁତ ହୋଇଥିଲେ ମହର୍ଷି ସୁକାନ୍ତି । ହୁଏତ ସୂଚିତ ଅଞ୍ଚଳ ଏହିଭଳି ଆଉ ଜଣେ ସୁକାନ୍ତିଙ୍କର ଆତ୍ମପ୍ରକାଶକୁ ବ୍ୟାକୁଳ ହୋଇ ଅପେକ୍ଷା କରିଛି ।

 

ଶିଳ୍ପ କ୍ଷେତ୍ରରେ ଓଡ଼ିଶା ଭାରତର ଅନ୍ୟାନ୍ୟ ରାଜ୍ୟମାନଙ୍କ ତୁଳନାରେ ବହୁ ପଛରେ ପଡ଼ିଛି । ଏ ରାଜ୍ୟରେ ଶିଳ୍ପ ନିମନ୍ତେ ଆବଶ୍ୟକ ଭିତ୍ତି ଭୂମିର ଅଭାବ ନାହିଁ । କେବଳ ଦକ୍ଷ-ପରିଚାଳନାର ଅଭାବରୁ ଶିଳ୍ପ ସବୁ ଅଙ୍କୁରାବସ୍ଥାରେ ହିଁ ଗୋଟିକ ପରେ ଗୋଟିଏ ମଉଳି ଯାଉଛନ୍ତି-। ଏ ଅବସ୍ଥା କେବେ ଦୂର ହେବ, ତାହା କହି ହେଉନାହିଁ । ତେବେ ଉଦ୍ୟମ ଚାଲୁ ରଖିବାକୁ ହେବ । ପ୍ରଗତିର ଶିଳ୍ପ ହେଉଛି ଦକ୍ଷିଣ ବାହୁ । ତାହା ପୂର୍ଣ୍ଣରୂପରେ ସଚଳ ନହେବା ପର୍ଯ୍ୟନ୍ତ ରାଜ୍ୟର ଅର୍ଥନୈତିକ ଦୃଢ଼ତା ଆସିବା ସମ୍ଭବ ନୁହେଁ ।

 

ଶିଳ୍ପ ପାଇଁ ପ୍ରୟୋଜନ ଶକ୍ତିର । ଆଜି ଯଦି ଶକ୍ତି ଉତ୍ପାଦନ କ୍ଷେତ୍ରରେ ଓଡ଼ିଶା ଏକ ବଳକା ରାଜ୍ୟ ହୋଇଥାଏ, ତେବେ ଏହା ପଛରେ ମହାନଦୀର ଅବଦାନକୁ ଅସ୍ୱୀକାର କରିହେବନାହିଁ । ହୀରାକୁଦ ଜଳ ବିଦ୍ୟୁତ୍‌ କେନ୍ଦ୍ର ହେଉଛି ରାଜ୍ୟର ପ୍ରଥମ ଉଦ୍ୟମ ଯାହାକୁ କେନ୍ଦ୍ରକରି ଏ ଅଞ୍ଚଳକୁ ଶିଳ୍ପାୟିତ କରିବାର ସ୍ୱପ୍ନ ଦେଖାଯାଇଥିଲା । ମହାନଦୀ ହିଁ ଆଲୋକର ଉଜ୍ଜ୍ୱଳ ବର୍ତ୍ତିକା ହାତରେ ଧରି ଚିର ଅନ୍ଧକାର ପ୍ରପୀଡ଼ିତ ଏ ରାଜ୍ୟର ଘରେ ଘରେ ଆଲୋକର ବାର୍ତ୍ତା ପହଞ୍ଚାଇ ଦେବା ନିମନ୍ତେ ଆଗେଇ ଆସିଥିଲା । ଆଜି ଓଡ଼ିଶାର ସାମାଜିକ ଜୀବନରେ ଯେତିକି ପରିବର୍ତ୍ତନ ହୋଇଛି, ତହିଁରେ ମହାନଦୀର ଅଗ୍ରଣୀ ଭୂମିକାକୁ ଅସ୍ୱୀକାର କରିହେବ ନାହିଁ-

 

ଶିଳ୍ପକ୍ଷେତ୍ରର ପ୍ରଗତି ରାଜ୍ୟର ସାମାଜିକ ଦୃଷ୍ଟି କୋଣକୁ ବଦଳାଇ ଦେଇଛି । ଆଧ୍ୟାତ୍ମିକତାର ଶାନ୍ତ ଏବଂ ନିରୁଦବିଗ୍ନ ପରିବେଶରୁ ଓଡ଼ିଶା ଆଜି ବୈଷୟିକ-ପ୍ରଗତିର ଚିର ଅଶାନ୍ତି ଏବଂ ପ୍ରତିଦ୍ୱନ୍ଦ୍ୱିତା ମୂଳକ କ୍ଷେତ୍ରରେ ଦଣ୍ଡାୟମାନ ହୋଇଛି । ଏକ ଅବିଚ୍ଛିନ୍ନ ଅଙ୍ଗ ହେବା ନିମନ୍ତେ ପରିବର୍ତ୍ତନର ସ୍ରୋତରେ ନିଜକୁ ଭସାଇ ଦେଇଛି । ଏହା ଦ୍ୱାରା ଭଲ ହେଉଛି କିମ୍ବା ମନ୍ଦ ହେଉଛି ସେ କଥା ବିଚାର କରି ଆଉ ଲାଭ ନାହିଁ । ସମାଜର ପରିବର୍ତ୍ତନକୁ ଅବଶ୍ୟ ସ୍ୱୀକାର କରି ନେବାକୁ ହେବ ।

 

ଗୋଟିଏ ସମୟରେ ମହାନଦୀକୁ କେନ୍ଦ୍ର କରି ଏ ରାଜ୍ୟରେ ସଭ୍ୟତା ଓ ସଂସ୍କୃତିର ପ୍ରସାର ଘଟିଥିଲା । ଜନବସତି ଗଢ଼ି ଉଠିଥିଲା ଏହାରି କୂଳରେ । ସାମ୍ରାଜ୍ୟ ବିସ୍ତାର ଘଟିଥିଲା ଏହାରି ତୀରରେ । ଗମନାଗମନର ଏକମାତ୍ର ମାଧ୍ୟମ ଥିଲା ଏଇ ନଦୀ । ବାଣିଜ୍ୟ ବ୍ୟବସାୟର ପ୍ରସାର ଘଟୁଥିଲା ଏହାରି ସାହାଯ୍ୟରେ । ଗୋଟିଏ କଥାରେ ଓଡ଼ିଆମାନଙ୍କ ଜୀବନକୁ ରୂପ ଦେଉଥିଲା ଏହି ନଦୀ । ଆଜିମଧ୍ୟ ଏ ରାଜ୍ୟର ପ୍ରତ୍ୟେକ କ୍ଷେତ୍ରରେ ନଦୀସତ୍ତାର ପ୍ରତ୍ୟେକ ବିନ୍ଦୁ ଉପରେ ଆଖି ପକାଇଲେ ଏହାର ଅସ୍ତିତ୍ୱକୁ ମର୍ମେ ମର୍ମେ ଅନୁଭବ କରିହୁଏ । କେତୋଟି ଶୁଷ୍କ ପରି ସଂଖ୍ୟାର ହିସାବ ଦ୍ୱାରା ଓଡ଼ିଆ ଜୀବନରେ ଏହାର ଗୁରୁତ୍ୱକୁ ବୁଝାଇ ହେବ ନାହିଁ । ବରଂ ଏହାର ଜୀବନରେ ଏହାର ସର୍ବ ବ୍ୟାପକତାକୁ ମାନ୍ୟତା ଦେଇ କୁହାଯାଇ ପାରିବ ଯେ, ଏହି ନଦୀ ହେଉଛି ଓଡ଼ିଶାର ଅସ୍ତିତ୍ୱ । ଯେ ପର୍ଯ୍ୟନ୍ତ ଏହାର ଅମୃତ ନିସ୍ୟନ୍ଦିନୀ ଜଳଧାରା ଓଡ଼ିଆର ପ୍ରାଣକେନ୍ଦ୍ରକୁ ଛୁଇଁ ପ୍ରବାହିତ ହେଉଥିବ, ସେ ପର୍ଯ୍ୟନ୍ତ ମହାକାଳର ଶତପ୍ରତିକୂଳତାର ବଜ୍ର ନିନାଦ ମଧ୍ୟରେ ବି ଓଡ଼ିଆ ଜାତି ତିଷ୍ଠି ରହିଥିବ । ପ୍ରକୃତିର ଶତ ରୁଦ୍ରତାଣ୍ଡବ, କାଳର ଭ୍ରୁକୁଟୀ ତୁଲ୍ୟ ପ୍ରଳୟଙ୍କରୀ ବନ୍ୟାର ପ୍ରଚଣ୍ଡ ଜଳୋଚ୍ଛ୍ୱାସ ଏହାର ଅସ୍ତିତ୍ୱକୁ ଦୋହଲାଇ ଦେଇପାରିବ ନାହିଁ । ତେବେ ପ୍ରକୃତି ବିରୋଧରେ ସଂଗ୍ରାମ ଚଳାଇଯିବାକୁ ହେବ । ସଂଗ୍ରାମର ଅନ୍ୟନାମ ହେଉଛି ଜୀବନ । ଏହାହିଁ ହେଉଛି ମହାନଦୀର ବାର୍ତ୍ତା-ତା’ର ଆହ୍ୱାନ ।

Image

 

Unknown

ଦଶମ ଅଧ୍ୟାୟ

ଶେଷକଥା

 

ମଧ୍ୟପ୍ରଦେଶର (ଏବେ ଛତିଶଗଡ଼) ଛାତି ଚିରି ନିମ୍ନମାଳଭୂମିର ଭୂମିକା ସୁଜଳା ସୁଫଳା କରିବାର ସଂକଳ୍ପ ନେଇ ସାଗର ଅଭିମୁଖରେ ଦିନେ ବହି ଆସିଥିଲା, ଯେଉଁ କ୍ଷୁଦ୍ର କ୍ଷୀଣ ଧାରାଟିଏ କାଳକ୍ରମେ ଜଳ ସମ୍ପଦରେ ଫୁଲିଉଠି ସେଇ ହେଲା କେବଳ ନଦୀ ନୁହେଁ-ମହାନଦୀ-ମହାଋଷି ସୁକାନ୍ତିଙ୍କର ତନୟା । କ୍ରମେ ଦୁଇତୀରରେ ତା’ର ଜନବସତି ଗଢ଼ିଉଠିଲା । ନିବିଡ଼ ଅରଣ୍ୟ, ତୁଙ୍ଗ ଦୁର୍ଲ୍ଲଂଘ୍ୟ ପର୍ବତମାଳା ଅତିକ୍ରମ କରିସାରିବା ପରେ ସେଇ ନଦୀ ଶେଷରେ ସାଗର ବକ୍ଷରେ ନିଜର ସତ୍ତା ହରାଇଛି । ଦୁଇତୀରରେ ଯେଉଁ ଜନବସତି ଗଢ଼ି ଉଠିଲା କାଳକ୍ରମେ ତାହାହିଁ ପରିଚିତ ହେଲା ଓଡ଼୍ରଦେଶ ବା ଓଡ଼ିଶା ନାମରେ ।

 

ତୀରର ଜନପଦକୁ ନଦୀ ଯୋଗାଇ ଦେଲା ଖାଦ୍ୟ, ବସ୍ତ୍ର, ଅର୍ଥ ଏବଂ ଜାତି ହିସାବରେ ଏକ ସ୍ୱତନ୍ତ୍ର ପରିଚୟ । ନଦୀତୀରର ସଂଘର୍ଷ ରତ ଜୀବନରୁ ସୃଷ୍ଟି ହେଲା ଏକ ଦୁର୍ଦ୍ଧଷ ସଂଗ୍ରାମୀ ଜାତି, ଇତିହାସରେ ଯେଉଁମାନେ କେତେବେଳେ ହେଲେ ସାହସୀ, ସ୍ୱାଭିମାନୀ, ଉଦାର, ସମନ୍ୱୟବାଦୀ ତ ଆଉ କେତେବେଳେ ହେଲେ ଲୋକମୁଖରେ ସ୍ତ୍ରୀ ସ୍ୱଭାବ ସମ୍ପନ୍ନ, ଆଳସ୍ୟ ପରାୟଣ ଉଚ୍ଚାକାଂକ୍ଷାହୀନ ଏବଂ ଭୀରୁ । ନଦୀ ହିଁ ସେମାନଙ୍କୁ ଶିଖାଇଲା ନୌବାଣିଜ୍ୟର ପ୍ରଥମ ପାଠ । ଆଗେ ନିକଟରେ ନିଜ ନିଜ ଅଞ୍ଚଳରେ ପରେ ଆଉ ଟିକିଏ ଦୂରକୁ । ଆହୁରି ଦୂରରେ ଅନ୍ୟ ରାଜ୍ୟ ସହିତ । ଶେଷକୁ ଯାଇ ସମୁଦ୍ରରେ । ପାଲଟଣା ବୋଇତ ଭାସିଲା କାହିଁ ଚୀନ, ରୋମ୍‌, ଆଫ୍ରିକା, ଜାଭା, ସୁମାତ୍ରା, ବୋର୍ଣ୍ଣିଓ ଏବଂ ସିଂହଳ ଉପକଣ୍ଠରେ ନଙ୍ଗର ପକାଇଲା । ପୂର୍ବ ଭାରତୀୟ ଦ୍ୱୀପ, ଉପଦ୍ୱୀପରେ କ୍ରମେ ପ୍ରତିଷ୍ଠିତ ହେଲା କଳିଙ୍ଗର ଉପନିବେଶ ମାଳା ସୁବର୍ଣ୍ଣ ଭୂମି, ଶ୍ୟାମଦେଶ, ବ୍ରହ୍ମଦେଶ, କମ୍ବୋଜ ଏବଂ ତାମ୍ରପର୍ଣ୍ଣା ପ୍ରଭୃତି ଦୂରଦେଶ ସହିତ କଳିଙ୍ଗର ବାଣିଜ୍ୟିକ ସମ୍ପର୍କ କେବଳ ନୁହେଁ, ରାଜନୈତିକ ସମ୍ପର୍କ ମଧ୍ୟ ସ୍ଥାପିତ ହେଲା । କଳିଙ୍ଗ ରାଜକୁମାର ବିଜୟ ସିଂହ ସିଂହଳରେ ଯାଇ ରାଜପଣ କଲେ । ଆଜି ବାଲି ଦ୍ୱୀପ, ଶ୍ୟାମଦେଶ, ଇଣ୍ଡୋନେସିଆ ଜାଭା ପ୍ରଭୃତିରେ ଭାରତୀୟ ସଂସ୍କୃତିର ଯେଉଁ ଅବଶେଷ ରହିଛି, ସେ ଦେଶରେ ରାମାୟଣର ଯେଉଁ ପ୍ରଚାର ଏବେ ମଧ୍ୟ ଚାଲିଛି ହୁଏତ ସେଦିନ କଳିଙ୍ଗର ସାଧବମାନେ ହିଁ ତା’ର ପ୍ରଥମ ମଞ୍ଜିଟି ସେଠି ପୋତି ଦେଇ ଆସିଥିଲେ । ପୂର୍ବ ଉପକୂଳରେ ଯେଉଁ ସାଗରରେ କଳିଙ୍ଗର ପୋତ ମାଳ ମାଳ ହୋଇ ଭାସୁଥିଲା ଏବଂ ଯାହାର ଉପକୂଳ ଗୋଆଠାରୁ ମେଦିନୀପୁର ପର୍ଯ୍ୟନ୍ତ ଲମ୍ବିଥିଲା, ସେଇ ପୂର୍ବ ସାଗରର ନାମ ଏଇମାତ୍ର ସେଦିନ ପର୍ଯ୍ୟନ୍ତ ଥିଲା କଳିଙ୍ଗ ସାଗର । କଳିକତାରେ ଉପନିବେଶର ଭିତ୍ତିସ୍ଥାପନ କରିବା ପରେ ଇଂରେଜମାନେ ତାର ନୂତନ ନାମକରଣ କଲେ ‘ବେ ଅଫ୍‌ବେଙ୍ଗଲ’ (Bay of Bengal) ଅର୍ଥାତ୍‌ ବଙ୍ଗୋପସାଗର । ଗୋଟିଏ ସମୃଦ୍ଧ ରାଜ୍ୟର ନାମ ଚିରକାଳ ପାଇଁ ଇତିହାସ ବକ୍ଷରୁ ଲିଭିଗଲା । ନୂଆ ଉପନିବେଶରେ ସେତେବେଳେ ଚନ୍ଦ୍ରଉଦିଆ ଜଳୁଛି । ନୂଆ ସଂସ୍କୃତିର ସମ୍ପର୍କରେ ଆସି ବଙ୍ଗଦେଶ ଆକାଶରେ ଭାସୁଛି । ମୋଗଲ, ମରହଟ୍ଟାର ନିତ୍ୟ ଅତ୍ୟାଚାରରେ ଜର୍ଜରିତ ଓଡ଼ିଆ ଜାତି ସେତେବେଳେ ବଞ୍ଚିବାର ସଂଗ୍ରାମରେ ମୁହୂର୍ତ୍ତ ଗଣୁଛି ।

 

କଳିଙ୍ଗର ବିଧିବଦ୍ଧ ଇତିହାସ ମିଳୁଛି ଅଶୋକଙ୍କର କୁଖ୍ୟାତ କଳିଙ୍ଗ ବିଜୟ ଘଟଣାରୁ । ସେତେବେଳେ ଅର୍ଥାତ୍‌ ଖ୍ରୀ:ପୂ ତୃତୀୟ ଶତକ ବେଳକୁ କଳିଙ୍ଗ ଏକ ପ୍ରତିଷ୍ଠିତ ସାମ୍ରାଜ୍ୟ । ଯେଉଁ ରାଜ୍ୟ ଜୟ କରିବାକୁ ତାଙ୍କର ପିତାମହ ଚନ୍ଦ୍ରଗୁପ୍ତ କିମ୍ବା ପିତା ବିମ୍ବିସାର ସାହସ କରି ନଥିଲେ, କେବଳ ଏହାର ବିପୁଳ ଐଶ୍ୱର୍ଯ୍ୟର ଆକର୍ଷଣରେ ଚଣ୍ଡାଶୋକ ସେଇ ରାଜ୍ୟ ଅଧିକାର କଲେ । ତାଙ୍କ ଜୀବନର ଚମତ୍କାରୀ ଘଟଣାଟି ଘଟିଲା ଏହି ପବିତ୍ର ଭୂମିରେ । ଦେଢ଼ଲକ୍ଷ କଳିଙ୍ଗ ବୀର ପ୍ରାଣ ଦେଲେ । ଚଣ୍ଡାଶୋକ ପରିବର୍ତ୍ତିତ ହେଲେ ଧର୍ମାଶୋକରେ । ଇତିହାସରେ ଏଭଳି ଘଟଣାର ନଜିର କେଉଁଠି ଥିବାର ଆମକୁ ଜଣା ନାହିଁ । ମନୁ ଏହି ଅଞ୍ଚଳକୁ ବ୍ରାତ୍ୟ ଦେଶର ସୂଚୀରେ ରଖି ଦେଇଥିଲେ ମଧ୍ୟ ମହାଭାରତର କାଳକୁ ଏଠାରେ ଏକ ଉନ୍ନତ ସଭ୍ୟତା ପ୍ରତିଷ୍ଠିତ ହୋଇ ସାରିଲାଣି । ଉତ୍ତର ଭାରତର ଆର୍ଯ୍ୟ ରାଜାମାନେ କଳିଙ୍ଗ ରାଜବଂଶ ସହିତ ବୈବାହିକ ସମ୍ପର୍କ ସ୍ଥାପନ କରୁଥିବାର ଘଟଣା ଯେତେବେଳେ ମହାଭାରତରେ ବର୍ଣ୍ଣିତ ହୋଇଛି କଳିଙ୍ଗ ରାଜ ମହାଭାରତର ଯୁଦ୍ଧରେ ଯୋଗଦେଇ ନିଜ ବୀରତ୍ୱ ଦେଖାଇ ପାଣ୍ଡବ ସେନାକୁ ଅସ୍ତବ୍ୟସ୍ତ କରୁଥିବା ବର୍ଣ୍ଣନା ଯେତେବେଳେ ମିଳୁଛି, ସେତେବେଳକୁ ଏଇ ରାଜ୍ୟର ଗୌରବ ଯେ, ଆର୍ଯ୍ୟ ଭାରତରେ ପ୍ରତିଷ୍ଠିତ ଥିଲା ଏହା ବିଶ୍ୱାସ କରିବାକୁ ହେଉଛି । ଅଶୋକଙ୍କ ସମୟକୁ କଳିଙ୍ଗ ରାଜ୍ୟ ଯେ, ନୌବାଣିଜ୍ୟରେ ସୁଦକ୍ଷ ହୋଇ ଉଠିଥିଲା ଏହା ମଧ୍ୟ ଇତିହାସର ସତ୍ୟ ।

 

ଖାରବେଳଙ୍କ ଦୁଷ୍ପ୍ରତିରୋଧ୍ୟ ନୌବହର ପୂର୍ବସାଗରରେ ଭାସୁଥିବା ଦାକ୍ଷିଣାତ୍ୟରେ ଚୋଳ, ଚେର, ପାଣ୍ଡ୍ୟ, ଏବଂ ତାମ୍ରପର୍ଣ୍ଣୀ (ସିଂହଳ) ରାଜ୍ୟମାନଙ୍କର ନୌଭେଳା ସହିତ ପ୍ରତିଦ୍ୱନ୍ଦ୍ୱିତାରେ ଅବତୀର୍ଣ୍ଣ ହୋଇ ତହିଁରେ ସଫଳତା ଲାଭ କରୁଥିଲେ । ଅଶୋକଙ୍କ ଦୁହିତା ସଂଘମିତ୍ରା ଓ ପୁତ୍ର ମହେନ୍ଦ୍ର କଳିଙ୍ଗ ଉପକୂଳର ବନ୍ଦର (ତାମ୍ର ଲିପ୍ତ-କାହରି କାହାରି ମତରେ ଦନ୍ତପୁର)ରୁ ପବିତ୍ର ବୁଦ୍ଧଦନ୍ତ ଧରି ସିଂହଳ ଯାତ୍ରା କରିଥିବା ବିବରଣୀରୁ ରାଜ୍ୟର ବିକଶିତ ନୌବାଣିଜ୍ୟ ସମ୍ପର୍କରେ ପ୍ରମାଣ ମିଳୁଛି । ଟଲେମି (ପ୍ରଥମ ଶତକର ଗ୍ରୀକ୍‌ ଐତିହାସିକ) କଳିଙ୍ଗ ଉପକୂଳରେ ପାଲୁର ତାମ୍ରଲିପ୍ତ ପିଥୁଣ୍ଡ ବନ୍ଦରରେ ନାମ ଉଲ୍ଲେଖ କରିଥିବାବେଳେ ସପ୍ତମ ଶତାବ୍ଦୀର ମଧ୍ୟଭାଗରେ ଚୀନ୍‌ ପରିବ୍ରାଜକ ହୁଏନ୍‌ସାଂ ଚଳିତତାଳୋ ବନ୍ଦରର ମହତ୍ତ୍ୱ ଘୋଷଣା କରିଛନ୍ତି । ଦନ୍ତପୁର, କଳିଙ୍ଗନଗର, ଗଞ୍ଜାମ, ଚିଲିକା, ପ୍ରଭୃତି ସ୍ଥାନରେ ମଧ୍ୟ ସେ ସମୟରେ ବନ୍ଦର ଥିବାର ଜଣାଯାଉଛି । ଖାରବେଳଙ୍କ ବୈବାହିକ ସୁଦୂର ପାରସ୍ୟ ଉପକୂଳ ପର୍ଯ୍ୟନ୍ତ ଯାଉଥିବାର ତଥା ପଞ୍ଚମ ଶତକରେ ଚୀନ୍‌ ସମ୍ରାଟଙ୍କ ସହ କଳିଙ୍ଗ ରାଜାଙ୍କର ଉପଢ଼ୌକନ ବିନିମୟ ହେଉଥିବା କଥା ମଧ୍ୟ ବୌଦ୍ଧ ସାହିତ୍ୟରେ ରହିଛି ।

 

ସ୍ଥାନାନ୍ତର ଯାତ୍ରା ନିମନ୍ତେ କଳିଙ୍ଗୀମାନେ ସ୍ଥଳପଥ ଅପେକ୍ଷା ଜଳପଥକୁ ଅଧିକ ପସନ୍ଦ କରୁଥିଲେ । ରାସ୍ତାଘାଟ ତ ବିଶେଷ ନଥିଲା । ଯାହା ବା ଥିଲା, ସେ ସବୁ ବିଶେଷ ଭାବରେ ଦୁର୍ଗମ ଥିଲା । ଚୋର ଡକାୟତ ଥିଲେ, ହିଂସ୍ରଜନ୍ତୁ ଥିଲେ । ଜଳପଥରେ ଅନ୍ତତଃ ଏ ସବୁ ଉପଦ୍ରବ ନଥିଲା-। ତେଣୁ ଜଳପଥ ହିଁ ଥିଲା ରାଜ୍ୟବାସୀଙ୍କ ପ୍ରଥମ ପସନ୍ଦ । ସମ୍ବଲପୁରଠାରୁ ଉପକୂଳବର୍ତ୍ତୀ ଅଂଚଳ ସହିତ ଯୋଗାଯୋଗ ରକ୍ଷାରେ ମହାନଦୀ ଥିଲା ଏକ ଅପରିହାର୍ଯ୍ୟ ଆବଶ୍ୟକତା, ଏହି ପଥରେ ହିଁ ସୋମବଂଶୀ ଯଯାତି ତାଙ୍କର ସାମ୍ରାଜ୍ୟକୁ ଯାଜପୁର ଯାଏ ବିସ୍ତାର କରିଥିଲେ । ମହାନଦୀ ଓ ତା’ର ଶାଖା ପ୍ରଶାଖାମାନଙ୍କ ସାହାଯ୍ୟରେ ସମ୍ବଲପୁରର ପଣ୍ୟ ସୁଦୂର ଗଞ୍ଜାମରେ ପହଞ୍ଚି ଯାଇ ପାରୁଥିଲା । ପୁରୀ ସହିତ ସମ୍ବଲପୁର ଅଞ୍ଚଳର ମଧ୍ୟ ପ୍ରତ୍ୟେକ୍ଷ ଯୋଗାଯୋଗ ରହୁଥିଲା । ଦଶପଲ୍ଲା ଜଙ୍ଗଲରୁ ପ୍ରତିବର୍ଷ ଶ୍ରୀଜୀଉଙ୍କ ରଥ ନିମନ୍ତେ କାଠ ଆସେ । ବହୁ କାଳରୁ ଗଜପତିଙ୍କ ସହିତ ଦଶପଲ୍ଲା ରାଜାଙ୍କର ଏହିଭଳି ଏକ ସ୍ୱତନ୍ତ୍ର ବୁଝାମଣା ହୋଇଛି । ରଥଯାତ୍ରା ପାଇଁ କାଠ ପଠାଇ ଦଶପଲ୍ଲା ରାଜା ଗଜପତି ବଂଶ ପ୍ରତି ନିଜର ଆନୁଗତ୍ୟ ପ୍ରଦର୍ଶିତ କରନ୍ତି । ଏବେ ମଧ୍ୟ ସେହି ବ୍ୟବସ୍ଥା ଚାଲୁ ରହିଛି । ତେବେ କାଠ ଆସୁଛି ଟ୍ରକ୍‌ ଯୋଗେ, ସ୍ଥଳପଥରେ । ସେ କାଳରେ କାଠ ସବୁ ଆସୁଥିଲା ଭେଳାରେ, ମହାନଦୀରେ ଭାସି ଭାସି । ଏହି ଘଟଣାକୁ ସ୍ମରଣ କରି କବି ପଣ୍ଡିତ ଗଦାଧର ମିଶ୍ର ତାଙ୍କର ‘ମହାନଦୀ’ (୧୯୫୮) କାବ୍ୟରେ ଲେଖିଛନ୍ତି–

 

 

 

 

 

ଦଶପଲ୍ଲା ରାଜ୍ୟ ଭିତରେ ଗମନ, ଜାଣି ତୋର ମହାପ୍ରଭୁ ଭକ୍ତିମନ ।

ଲଗାଇଲା ତୋତେ ବେଠିଆ କାମରେ, ଦଶପଲ୍ଲା ପ୍ରତିବର୍ଷ ବର୍ଷାବାରେ ।

ଭେଳା ବାନ୍ଧି ଯେତେ ରଥ କାଠମାନ, ତୋହରି ପ୍ରବାହେ କରି ଭାସମାନ

(ପୃ ୫୫. ୨ୟ ସଂ)

 

କୋଠଭେଳା ମହାନଦୀରେ ଆସୁଥିଲା ନରାଜ ପର୍ଯ୍ୟନ୍ତ ସେଠାରୁ କାଠଯୋଡ଼ି ବାଟେ କୁଆଖାଇ ଏବଂ ତହିଁରୁ ଭାର୍ଗବୀ ସ୍ରୋତରେ ଭାସି ଭାସି ଶେଷର ମାଳତୀ ପାଟପୁରେ ପହଞ୍ଚୁଥିଲା-। ସେଠାରୁ ଶଗଡ଼ ଯୋଗେ କାଠ ଯାଉଥିଲା ପୁରୀ । କବିଙ୍କ ବର୍ଣ୍ଣନା ଅନୁସାରେ ଦୀର୍ଘକାଳ ଧରି ଏହି ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ଏବଂ ଏଥିରେ ପୁରୀରେ ଠିକ୍‌ ସମୟରେ କାଠ ପହଁଞ୍ଚିବାରେ କେବେ କୌଣସି ଅସୁବିଧା ହୋଇଥିବାର ଜଣାଯାଏ ନାହିଁ ।

 

କବିକଣ୍ଠେ ମହାନଦୀ :–ଓଡ଼ିଶାର ଜୀବନ ରେଖା ରୂପରେ ପରିଚିତ ଏଇ ନଦୀ ରାଜ୍ୟର ଅର୍ଥନୈତିକ ପ୍ରଗତି ପ୍ରତିଷ୍ଠାରେ ଯେଉଁ ଅନନ୍ୟ ଭୂମିକା ଗ୍ରହଣ କରିଛି ତାହା ଯଥା ସ୍ଥାନରେ ଲିପିବଦ୍ଧ ହୋଇଛି । କବି ଗଙ୍ଗାଧର ମେହେର ତାଙ୍କର କାଳଜୟୀ କୀର୍ତ୍ତି ତପସ୍ୱିନୀର ଚତୁର୍ଥ ସର୍ଗରେ ନିର୍ବାସିତା ସୀତାଙ୍କର ବାଲ୍ମୀକି ଆଶ୍ରମରେ ପ୍ରଥମ-ସକାଳ ବର୍ଣ୍ଣନା ପ୍ରସଙ୍ଗରେ ନିକଟବର୍ତ୍ତୀ ତମସା ନଦୀକୁ ସୀତା ସ୍ନାନପାଇଁ ଯାଇଥିବାର ବର୍ଣ୍ଣନା କରିଛନ୍ତି । ତମସାର ଶୀତଳ ଜଳର ସ୍ପର୍ଶରେ ସୀତାଙ୍କ ହୃଦୟର ଶୋକ ବହୁ ପରିମାଣରେ କମିଯାଇଛି । କୃତଜ୍ଞ ସୀତା ତେଣୁ ତମସାଙ୍କୁ ପ୍ରଶଂସା କରି କହିଛନ୍ତି–

 

ସୀତା ବୋଇଲେ ପନୀର ମଧୁର ସ୍ୱଚ୍ଛଏ ନୀର

ନୀର ନୁହଁ ଜନନୀର କ୍ଷୀର ପ୍ରତ୍ୟକ୍ଷେ

ଗିରି ସ୍ତନୁ ବିନିଃସ୍ତୂତ ହୋଇ ଆସୁଛି ଅମୃତ-

ଧାରା ପରି ସୀତା ମୃତ କଳପା ଲକ୍ଷେ

ଓହୋ, ତୁତ ମୋ’ ମା ଏ ଦେଶେ

 

ମୋ’ ଦୁଃଖେ ବିଦୀର୍ଣ୍ଣବକ୍ଷା ତମସା ବେଶେ (୧୭ଶ ପଦ / ଗ୍ରନ୍ଥାବଳୀ) ଲକ୍ଷ୍ୟ ତମସା ହେଲେ ମଧ୍ୟ ପ୍ରକୃତରେ ମହାନଦୀ ହିଁ କବିଙ୍କରେ ଲେଖନୀର ଏଠାରେ ପ୍ରମୂର୍ତ୍ତ ହୋଇଛନ୍ତି । ଗଙ୍ଗାଧରଙ୍କର ମହାନଦୀ ପ୍ରୀତି ଏକ ପ୍ରମାଣ ସିଦ୍ଧ ବ୍ୟାପର । ସୁଯୋଗ ପାଇବାମାତ୍ରେ କିମ୍ବା ସୁଯୋଗ ସୃଷ୍ଟି କରି କବି ମହାନଦୀ ପ୍ରସଙ୍ଗକୁ ଚାଲି ଆସନ୍ତି । ଏଠାରେ ତେଣୁ ତମସା ବେଶରେ ମହାନଦୀହିଁ କବିଙ୍କ ଆଖି ଆଗକୁ ଆସିଥିବାର ବିଶ୍ୱାସ କରାଯାଉଛି, ସୀତାଙ୍କ ପାଇଁ ତମସାର ଭୂମିକା ଯାହା ଓଡ଼ିଆଙ୍କ ପାଇଁ ମହାନଦୀର ଭୂମିକା ଠିକ୍‌ ସେଇଆ, ସତେ ଯେପରି ଓଡ଼ିଆମାନଙ୍କ ଦୁଃଖରେ ବିଚଳିତ ହୃଦୟା ହୋଇ ମହାନଦୀ ତା’ର ଅମୃତୋପମ କ୍ଷୀର ସଦୃଶ ନୀର ଦ୍ୱାରା ମୁମୂର୍ଷ ଓଡ଼ିଆଙ୍କ ଦେହରେ ପ୍ରାଣସଞ୍ଚାର କରିଛି । ତାରି ଫଳଫୁଲ, ଶସ୍ୟ ସମ୍ଭାରରେ ଓଡ଼ିଆ ଶରୀରର ପ୍ରତିଟି ରକ୍ତ କଣିକା ଗଠିତ ହୋଇଛି । ମହାନଦୀ ତେଣୁ ନିର୍ଜୀବ ଏକ ପ୍ରାକୃତିକ ସତ୍ତା ନୁହେଁ ଓଡ଼ିଆମାନଙ୍କର ମାଆ ।

 

କେବଳ ଗଙ୍ଗାଧର କାହିଁକି, ବିଭିନ୍ନ ସମୟରେ ଅନ୍ୟକବିମାନେ ମଧ୍ୟ ମହାନଦୀର ଯଶୋଗାନରୁ ବିରତ ରହିନାହାନ୍ତି । ସେମାନେ ତାକୁ କୃତଜ୍ଞତା ଜଣାଇଛନ୍ତି, ମନଖୋଲି ପ୍ରଶଂସା କରିଛନ୍ତି ସ୍ରୁତିଗାନ କରି । କବିବର ରାଧାନାଥ ରାୟ ଉତ୍କଳର ଗଙ୍ଗା ମହାନଦୀ ଭାରତୀୟ ଦରବାରରେ ତା’ର ଉପଯୁକ୍ତ ସ୍ଥାନ ପାଉ ନଥିବାରୁ କ୍ଷୋଭ ପ୍ରକାଶ କରି ଲେଖିଛନ୍ତି–

 

‘‘କ୍ଷୁଦ୍ର ସିପ୍ରା ସ୍ରୋତ ବିଖ୍ୟାତ ଜଗତେ, ମହାନଦୀ ନାମ ରହିଲା ଗୁପତେ-’’

 

ସିପ୍ରା ହେଉଛି ମଧ୍ୟପ୍ରଦେଶର ଉଜ୍ଜୟିନୀ ନିକଟସ୍ଥ ଏକ ସାଧାରଣ ନଦୀ । ମହାନଦୀ ତୁଲ୍ୟ ଏହାର ବିସ୍ତାର ନାହିଁ, କିମ୍ବା ରାଜ୍ୟର ପ୍ରଗତିରେ ତାହାର ଭୂମିକା ମଧ୍ୟ ସେଭଳି କିଛି ଉଲ୍ଲେଖ ଯୋଗ୍ୟ ନୁହେଁ । ତେବେ ଏହାର ତୀରରେ ଅଛନ୍ତି ‘ମହାକାଳ’ କାବ୍ୟଶାସ୍ତ୍ରରେ ସ୍ଥାନ ପାଇ ଯେ କି ବହୁକାଳରୁ ଭାରତରେ ଖ୍ୟାତ ହୋଇଛନ୍ତି । କାଳିଦାସଙ୍କ ଖଣ୍ଡକାବ୍ୟ ‘ମେଘଦୂତ’ ମଧ୍ୟ ମହାକାଳଙ୍କ ମହିମା ବର୍ଣ୍ଣନା କରି ତାକୁ ଭାରତରେ ଚିରକାଳ ନିମନ୍ତେ ପ୍ରତିଷ୍ଠା କରି ଦେଇଛନ୍ତି । ମହାକାଳଙ୍କ କୃପାରୁ ସିପ୍ରା ଏକ ପ୍ରସିଦ୍ଧ ତୀର୍ଥର ମର୍ଯ୍ୟାଦା ଲାଭ କରନ୍ତି କୁସୁମ ପରଶେ ପଟ୍ଟ ନିସ୍ତରେ’ ନ୍ୟାୟରେ । ଏହି କାରଣରୁ ଏଠାରେ ବିଶ୍ୱ ପ୍ରସିଦ୍ଧ ମହାକୁମ୍ଭର ଆୟୋଜନ ମଧ୍ୟ ନିୟମିତ ବ୍ୟବଧାନରେ କରାଯାଇଥାଏ । ତୀର୍ଥତ୍ୱ ଯଦି ପ୍ରସିଦ୍ଧ ଲାଭର ପ୍ରଧାନ କାରଣ ହୋଇଥାଏ ଏବଂ ଦେବାଳୟ ଯଦି ସ୍ଥାନକୁ ତୀର୍ଥତ୍ୱର ମୁକୁଟ ପିନ୍ଧାଇ ଥାଏ, ତେବେ ମହାନଦୀ ତୀରରେ ତ କିଛି କମ୍‌ ତୀର୍ଥ ନାହିଁ । ମଧ୍ୟପ୍ରଦେଶର (ଛତିଶଗଡ଼) ଶବରି-ନାରାୟଣ ରାଜିମକୁ ବାଦ୍‌ ଦେଲେ ମଧ୍ୟ ଓଡ଼ିଶାର ସମ୍ବଲପୁର, ହୁମା, ସୋନପୁର, କଣ୍ଟିଲୋ, ବଡ଼ମ୍ବା, ବାଙ୍କି-ତୀର୍ଥତ୍ୱର ମହିମାରେ ଏମାନେ ଅନ୍ୟ କେଉଁ ଅଞ୍ଚଳରେ ତୀର୍ଥଠାରୁ ନ୍ୟୂନ ? ଏଠାରେ ଦେବତାମାନଙ୍କ ମଧ୍ୟରେ ଶିବ ଅଛନ୍ତି, ଶକ୍ତି ଅଛନ୍ତି, ପୁଣି ବିଷ୍ଣୁ ମଧ୍ୟ ଅଛନ୍ତି । ଏହି ସବୁ ଦେବତାଙ୍କ ମହିମା ଅନ୍ୟ ପ୍ରାନ୍ତର ଦେବତାଙ୍କ ମହିମାଠାରୁ କିଭଳି କମ୍‌ ?

 

ସମ୍ବଲପୁର ସହରର ଅଦୂରରେ ରହିଛି ମହାନଦୀ ଗର୍ଭରେ ପବିତ୍ର ରାମେଶ୍ୱର ତୀର୍ଥ । ଏଠାରେ ଏକ କ୍ଷୁଦ୍ର ଶୈଳ ଉପରେ ଅଛି ରାମ-ପାଦଚିହ୍ନ । ଅଛି ପୁଣି ମହାନଦୀର ପାପକ୍ଷୟ ଘାଟ-ଯେଉଁଠି ସ୍ନାନ କରି ଅନଙ୍ଗଭୀମ ଦୁରାରୋଗ୍ୟ ବ୍ୟାଧିରୁ ଆରୋଗ୍ୟ ଲାଭ କରିଥିଲେ । ନଦୀର ଉତ୍ପତ୍ତିସ୍ଥଳ ସିହାଓ୍ୱାଠାରେ ପୁଣି ରାମାୟଣ ପ୍ରସିଦ୍ଧ ବିଭାଣ୍ଡକ ମୁନିଙ୍କ ଆଶ୍ରମ ଥିବାର କୁହାଯାଉଛି । ଏସବୁ ସତ୍ତ୍ୱେ ମହାନଦୀର ତୀର୍ଥତ୍ୱ ଯଦି ସର୍ବଭାରତୀୟ ଦରବାରରେ ସ୍ୱୀକୃତ ହୋଇ ପାରିଲା ନାହିଁ, ତେବେ ଦୋଷ ତା’ର ନୁହେଁ, ଦୋଷୀ ତା’ର ସନ୍ତାନମାନେ । ଏମାନେ ହିଁ ତା’ର ମହିମାର କଥା ବାହାରେ ଯଥାଯଥ ଭାବରେ ପ୍ରଚାର କରିନାହାନ୍ତି । ଜଣେ କାଳିଦାସ-ସିପ୍ରା ଓ ମହାକାଳଙ୍କୁ ନେଇ ସର୍ବଭାରତୀୟ ଦରବାରରେ ବସାଇ ଦେଇଛନ୍ତି । ଦୁଃଖିନୀ ଓଡ଼ିଶାରେ କାଳିଦାସଙ୍କର ଅଭାବ ରହିନାହିଁ । ତେବେ ସମସ୍ତଙ୍କ ଦୃଷ୍ଟି କେନ୍ଦ୍ରୀଭୂତ ହୋଇଛି ବିଶ୍ୱଦେବ ଜଗନ୍ନାଥଙ୍କ ଉପରେ । ଖ୍ୟାତି ପ୍ରତିପତ୍ତି-ଯାହା ପାଇବାର କଥା-ଏକମାତ୍ର ସେହି ପାଇଛନ୍ତି । ଅନ୍ୟମାନେ ଏକତ୍ର ଭାବରେ ଆଞ୍ଚଳିକ ଦେବତା ହୋଇ ରହି ଯାଇଛନ୍ତି । ମହାନଦୀ କ୍ଷେତ୍ରରେ ତାହାହିଁ ହୋଇଛି ।

 

ରାୟପୁର ଜିଲ୍ଲାର ହିନ୍ଦୀ କବି ଲୋଚନ ପ୍ରସାଦ ପାଣ୍ଡେୟ ଏହି ପବିତ୍ର ନଦୀକୁ ନେଇ ନିଜ ମାତୃଭାଷାରେ ଖଣ୍ଡିଏ କାବ୍ୟ ରଚନା କରିଛନ୍ତି । ବାମଣ୍ଡାର ରାଜକବି ବାସୁଦେବ ସୁଢ଼ଳ ଦେବ ମହାନଦୀକୁ ନେଇ ଚିତ୍ରୋତ୍ପଳା କାବ୍ୟ କୋମ୍‌ନାର କବି ଗଦାଧର ମିଶ୍ର ଏହାକୁ ଅବଲମ୍ବନ କରି ‘ମହାନଦୀ’ କାବ୍ୟ ରଚନା କରିଛନ୍ତି । ଗୁଣମୁଗ୍ଧ ଗଙ୍ଗାଧର ମହାନଦୀକୁ ନେଇ ସ୍ୱତନ୍ତ୍ର କାବ୍ୟ ରଚନା କରି ନାହାନ୍ତି ସତ, ତେବେ ତାଙ୍କଭଳି ମହାନଦୀକୁ ଏତେ ଭଲ ପାଉଥିବା କବି ଓଡ଼ିଶାରେ ବୋଧହୁଏ ଅନ୍ୟ କେହି ନାହାନ୍ତି । ‘ତପସ୍ୱିନୀ’ କାବ୍ୟରେ ସେ ମହାନଦୀକୁ ଏଭଳି ପରିଚିତ କରାଇଛନ୍ତି–

 

ତା’ପରେ ଉଭା ଏକ ନବରଙ୍ଗିଣୀ, ସ୍ୱଚ୍ଛ ଉଜ୍ଜ୍ୱଳ କାନ୍ତି ମଞ୍ଜୁ ଅଙ୍ଗିନୀ

ଗଳା ଶୋଭିତ ଗିରି ମଲ୍ଲିକାମାଳେ, ମଧୁକେ ମନୋହର ଲଲାମ ଭାଲେ ।।

କର୍ଣ୍ଣ ଭୂଷଣ ଜମ୍ବୁ ନୀଳରତନ, ଶୁକ୍ତି କରିଛି କଟିଭୂଷା ରଚନ ।।

କାନନବାସି ମୁନି ମନମୋହିନୀ, ଚାରୁ କୁଟିଳ ନୀଳବେଣୀ ଶୋଭିନୀ ।।

ତୋ’ ଶୁଭ ଦୃଷ୍ଟି ପାତ ଲଭିଲା ଯେଣୁ, ମୋ’ ବାଲି ହୋଇଅଛି ସୁବର୍ଣ୍ଣରେଣୁ ।।

କ୍ରୀଡ଼ାରେ ରଞ୍ଜିବାରୁ ତୋ ଦିବା ନେତ୍ର, ମୋ ଉର କରିଦେଲୁ ହୀରକକ୍ଷେତ୍ର

ଥାଉଁ ଗିରୀନ୍ଦ୍ର ସୂତା ଶ୍ରୀ ବିଷ୍ଣୁ ପଦୀ, ତୋ’ ଦତ୍ତ ଉପାଧିରେ ମୁଁ ‘ମହାନଦୀ’ ।।

(ଗ୍ରନ୍ଥାବଳୀ ପୃ : ୧୦୮-୧୦୯)

 

ସୀତାଙ୍କ ଦର୍ଶନ ପ୍ରାର୍ଥିନୀମାନଙ୍କ ମଧ୍ୟରେ ଅଛନ୍ତି ମହାନଦୀ । ତାଙ୍କର ବର୍ଣ୍ଣନା ପ୍ରସଙ୍ଗରେ କବି-ଏହାଙ୍କର ପ୍ରାକୃତିକ ଭୌଗୋଳିକ, ତଥା ଭୂତାତ୍ତ୍ୱିକ ବୈଶିଷ୍ଟ୍ୟର ଯେଉଁ ବର୍ଣ୍ଣନା ଉପସ୍ଥାପିତ କରିଛନ୍ତି, ତହିଁରୁ ମହାନଦୀକୁ ତାଙ୍କ ଭଳି ଅନ୍ୟ କେହି ଏତେ ଅନ୍ତରଙ୍ଗ ଭାବରେ ଅନୁଭବ କରିଥିବାର କହି ହେବନାହିଁ ।

 

‘ଉତ୍କଳ ଲକ୍ଷ୍ମୀ’ରେ ଗଙ୍ଗା ଓ ମହାନଦୀଙ୍କ ମଧ୍ୟରେ ସାମ୍ୟ କଳ୍ପନା କରି କବି ଲେଖିଛନ୍ତି–

 

ସେ ବିଶ୍ୱପାବନ ବିଶ୍ୱନାଥଙ୍କର ଗମନକୁ ଅନୁସରି

ଜାହ୍ନବୀ ଆସିଲେ କଇତବ ବେଶେ ଚିତ୍ରୋତ୍ପଳା ନାମଧରି ।

ମହାନଦୀର ନୈସର୍ଗିକ ବର୍ଣ୍ଣନା ଦେଇ କବି ଆହୁରି ଲେଖିଛନ୍ତି-

 

ହୀରକ ମଣ୍ଡିତ-ବେଣୀ, ଚିତ୍ରୋତ୍ପଳା ଯହିଁଥିଲା ଅଗ୍ରଗଣ୍ୟା,

ଅମର ଭୁବନେ ନର୍ତ୍ତକୀ ମଣ୍ଡଳେ ଉର୍ବଶୀ ଯେସନ ଧନ୍ୟା ।

(ତତ୍ରୈବ :–ପୃ : ୩୩)

 

ମହାଦନୀ ପ୍ରତି କବିଙ୍କର ଶ୍ରଦ୍ଧା ଓ ସମ୍ମାନର ଚରମ କାବ୍ୟିକ ଅଭିବ୍ୟକ୍ତି ଦେଖିବାକୁ ମିଳେ ଏହି ବର୍ଣ୍ଣନାରୁ ।

 

କିନ୍ତୁ ସେ ଧବଳବେଣୀ ବୃଦ୍ଧାରେ ଗଣିତା,

ଏ ସୁରମ୍ୟ ନୀଳବେଣୀ ମାନସ ରଞ୍ଜିତା ।।

ଦିଗ୍‌ଗଜ ପରାଏ କେତେ ପ୍ରକାଣ୍ଡ ଉପଳ,

ମହାନଦୀ ଜଳେ ହେଉଛନ୍ତି ନିମଜ୍ଜିତ ।।

 

ଗଙ୍ଗା ଓ ମହାନଦୀ ମଧ୍ୟରେ ଏକ ତୁଳନାତ୍ମକ ଚିତ୍ର ପ୍ରଦାନ କରି କବି ମହାନଦୀକୁ ‘ସୁରମ୍ୟ ନୀଳବେଣୀ’ରେ ସୁଶୋଭିତା କରାଇ ଗଙ୍ଗାକୁ ଧବଳବେଣୀ ବୃଦ୍ଧା’ ରୂପେ କଳ୍ପନା କରିଛନ୍ତି-। ଉଭୟଙ୍କର ଜଳର ବର୍ଣ୍ଣକୁ ନେଇ ଏଠାରେ ତୁଳନାର ଅବତାରଣା କରାଯାଇଛି । କବିମାନସର ସ୍ୱରୂପ ମହାନଦୀ ପ୍ରତି ତାଙ୍କର ପକ୍ଷପାତିତାରୁ ଏଠାରେ ସ୍ପଷ୍ଟ ଭାଷାରେ ରୂପାୟିତ ହୋଇଛି । ଗଙ୍ଗାଧର ମହାନଦୀ ପ୍ରେମୀ ଥିଲେ ।

 

ରୋମାଣ୍ଟିକ କବି ମାୟାଧର ମାନସିଂ ‘ମହାନଦୀରେ ଜ୍ୟୋସ୍ନା ବିହାର’ କବିତାରେ ସମୃଦ୍ଧ ଉତ୍କଳର ଅତୀତର ମୂକସାକ୍ଷୀ ରୂପେ ମହାନଦୀର ଭୂମିକା କଳନା କରୁ କରୁ ଉଲ୍ଲସିତ ହୋଇ ପଡ଼ିଛନ୍ତି । ଜ୍ୟୋସ୍ନାଲୋକରେ ମହାନଦୀ ବକ୍ଷରେ ନୌଚାଳନ କରୁ କରୁ ତାଙ୍କର ମନେ ପଡ଼ିଯାଉଛି, ଉତ୍କଳ ଇତିହାସର ସେଇ ସବୁ ହୀରକ ମଣ୍ଡିତ ଦିନଗୁଡ଼ିକ ଯାହାର ସାକ୍ଷୀ କେବଳ ଏହି ମହାନଦୀ । କବି ତାହାରି ସ୍ମୃତିଚାରଣ କରୁ କରୁ ଲେଖିଛନ୍ତି-

 

ବନ୍ଧୁହେ ପାଇଛ ଆଜି ଏ ଆକାଶ ତଳେ,

ମୋ’ ଜାତି ଅତୀତ ସାକ୍ଷୀ ଏ ନଦୀ ପୁଳିନେ ।

ଜ୍ୟୋସ୍ନାର ଏ ମହାଭୋଜ୍ୟେ-ଏ ତରଣୀ ପରେ ।’’

 

ବାମଣ୍ଡା ରାଜ କବି ବାସୁଦେବ ସୁଢ଼ଳଦେବ (୧୮୫୦-୧୯୦୩) ଥିଲେ ଆଉ ଜଣେ ମହାନଦୀ ଭକ୍ତ । ସେ ‘ଚିତ୍ରୋତ୍ପଳା’ ନାମକ କାବ୍ୟ ଲେଖିଛନ୍ତି । ମହାନଦୀର ପ୍ରାକୃତିକ ସୌନ୍ଦର୍ଯ୍ୟ ବର୍ଣ୍ଣନା କରି ସେ ଲେଖିଛନ୍ତି–

 

କାହିଁ ହ୍ରଦାକାର କାହିଁ ସର୍ପାକାର କାହିଁ ରମ୍ୟ କଚ୍ଛାକାର

ଉପଳ ମାଳରେ ଭୂଷିତ ହୋଇଲେ କାହିଁ ସୌମ୍ୟଉରସ୍ଥଳ

ନିର୍ମଳ ଶୀତଳ ପ୍ରବାହ ମୂର୍ଦ୍ଧନା ସୁପୂଜିତ ରକ୍ତ କାୟା

ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ସମଲାଇ ମହାମାୟା ।

(ପୃ:- ୧୮-୧୯)

 

ବହୁ କବି ଭାବୁକ ପୁରାଣ ପ୍ରସିଦ୍ଧ ଏହି ନଦୀ ଓ ତା’ର ଶାଖା ପ୍ରଶାଖାମାନଙ୍କ ସମ୍ପର୍କରେ ଉଚ୍ଛ୍ୱସିତ ମନ୍ତବ୍ୟମାନ ଦେଇ ପ୍ରମାଣିତ କରିଛନ୍ତି ଯେ, ଉତ୍କଳର ଅସ୍ତିତ୍ୱ ସହିତ ଏହାର ଅନ୍ତରଙ୍ଗ ସମ୍ପର୍କ ରହିଛି । ଏହି ବିଦ୍ୱାନମାନଙ୍କ ମଧ୍ୟରେ ଅଛନ୍ତି ପଣ୍ଡିତ କୁଳମଣି ଦାଶ, ଶଶିଭୂଷଣ ରାୟ, ବାସୁଦେବ ସୁଢ଼ଳଦେବ, ପଣ୍ଡିତ ଗଦାଧର ମିଶ୍ର ପ୍ରଭୃତି । ପ୍ରାସଙ୍ଗିକ ରୂପରେ ମଧ୍ୟ ବହୁ ଓଡ଼ିଆ, ଅଣ ଓଡ଼ିଆ ଲେଖକଙ୍କ ରଚନାରେ ଏହି ନଦୀର ପ୍ରସଙ୍ଗ ଆସିଛି । ମହାନଦୀକୁ ବାଦ୍‌ଦେଇ ଯେ ଓଡ଼ିଶା ତଥା ଓଡ଼ିଆମାନଙ୍କ ସମ୍ପର୍କରେ ଆଲୋଚନା ପୂର୍ଣ୍ଣାଙ୍ଗ ହେବ ନାହିଁ–ଏସବୁଥିରୁ ଏହାହିଁ ପ୍ରମାଣିତ ହେଉଛି ।

 

ମହାନଦୀ ଯେଉଁମାନଙ୍କୁ ମୁଗ୍ଧ କରିଥିବାର ଲିଖିତ ବିବରଣୀ ମିଳୁଛି ସେମାନଙ୍କ ମଧ୍ୟରେ ପ୍ରଥମେ ସ୍ମୃତିକୁ ଆସନ୍ତି କବିବର ରାଧାନାଥଙ୍କ ପୁତ୍ର ଶଶିଭୂଷଣ ରାୟ । ଯଦିଓ ସେ ସ୍ୱୟଂ କବି ନଥିଲେ, ତେବେ ତାଙ୍କର ସ୍ୱଭାବଟି ଥିଲା କବିସୁଲଭ । ତାଙ୍କର ଭ୍ରମଣ କାହାଣୀଗୁଡ଼ିକ, ଚିନ୍ତା ଦ୍ୟୋତକ ପ୍ରବନ୍ଧାବଳୀ-ସବୁଥିରେ କବିତ୍ୱର ଅପୂର୍ବଛଟା ପ୍ରକାଶ ପାଇଥିବାର ଦେଖିବାକୁ ମିଳେ । ତାଙ୍କର ଅନ୍ତତଃ ଦୁଇଟି ଭ୍ରମଣ କାହାଣୀର ପ୍ରାଣ କେନ୍ଦ୍ର ହେଉଛି ମହାନଦୀ । ପ୍ରଥମଟି ହେଉଛି ‘କଳିଙ୍ଗ ଯାତ୍ରା’ ଓଡ଼ିଆରେ ଏବଂ ଦ୍ୱିତୀୟଟି ହେଉଛି Mahanadi Rambles ଇଂରାଜୀରେ । ଇଂରାଜୀ ରଚନାଟି ଏପର୍ଯ୍ୟନ୍ତ ମଧ୍ୟ ପୁସ୍ତକାକାରରେ ପ୍ରକାଶିତ ହୋଇନାହିଁ । ସେଥିରେ ମହାନଦୀର ଯେଉଁ କବିତ୍ୱପୂର୍ଣ୍ଣ ବର୍ଣ୍ଣନା ରହିଛି ଏବଂ ଉନବିଂଶ ଶତକର ଶେଷପାଦରେ ଓଡ଼ିଶାର ଗଡ଼ଜାତ ରାଜ୍ୟ ସମୂହର ସାମାଜିକ, ଅର୍ଥନୈତିକ, ଐତିହାସିକ ଏବଂ ନୃତାତ୍ତ୍ୱିକ ସ୍ଥିତିର ଯେଉଁ ବିଶ୍ଳେଷଣ ରହିଛି, ତାହା ସମଗ୍ର ରଚନାଟିକୁ ଏକସ୍ଥାୟୀ କୀର୍ତ୍ତିର ମର୍ଯ୍ୟାଦା ଦେଇଛି । ତଳେ ତାହାର ପ୍ରାସଙ୍ଗିକ ଅଂଶର ଉଦ୍ଧାର ଓ ବିଶ୍ଳେଷଣ କରାଯାଉଛି ।

 

ଡିସେମ୍ବର ତିନି ତାରିଖ ୧୮୯୪ ମସିହାରେ ବୌଦ ସୋନପୁର ପରିଭ୍ରମଣ ଉଦ୍ଦେଶ୍ୟରେ ସେ କଟକ ଛାଡ଼ନ୍ତି ଏବଂ ସେଇଦିନ କାଠଯୋଡ଼ି ପାରି ହୋଇ କ୍ରମେ ପଟିଆ, ଖୋର୍ଦ୍ଧା, ବାଙ୍କି, ବୈଦ୍ୟେଶ୍ୱର, କଣ୍ଟିଲୋ, ଖଣ୍ଡପଡ଼ା, ଦଶପଲ୍ଲା, ବୌଦ ଦେଇ ଶେଷରେ ସୋନପୁରରେ ପହଞ୍ଚନ୍ତି । ଏହି ଦୀର୍ଘ ପଥ ସେ ଶଗଡ଼ରେ ଅତିକ୍ରମ କରନ୍ତି ଏବଂ ଠିକ୍‌ ମାସକ ପରେ ଜାନୁୟାରୀ ୪ ତାରିଖ ୧୮୯୫ ଦିନ ସେ କଟକ ଫେରି ଆସନ୍ତି । ବାଙ୍କି ପାଖରୁ ସୋନପୁର ପର୍ଯ୍ୟନ୍ତ ରାସ୍ତା ସେ ପ୍ରାୟ ମହାନଦୀର ପାଖେ ପାଖେ ଅତିକ୍ରମ କରିଛନ୍ତି ଏବଂ ଭିନ୍ନଭିନ୍ନ ସ୍ଥାନରେ ବିଭିନ୍ନ ସମୟରେ ମହନଦୀର ଭୀମକାନ୍ତ ସୌନ୍ଦର୍ଯ୍ୟରେ ଅଭିଭୂତ ହୋଇଛି । ବାଟରେ ଅରଣ୍ୟ ବ୍ୟାଘ୍ରକୁ ଖୁବ୍‌ପାଖରୁ ଦେଖି ସେ ନିଜର ଜୀବନ ସାର୍ଥକ ହୋଇଗଲା ବୋଲି ଯେଉଁଭଳି ଲେଖିଛନ୍ତି, ସାତକୋଶିଆଗଣ୍ଡଠାରେ ପ୍ରକୃତିର ଭୟଙ୍କର ତଥା ରୋମାଞ୍ଚକାରୀ ସୌନ୍ଦର୍ଯ୍ୟ ଦର୍ଶନ ତାଙ୍କୁ ସେଇଭଳି ମୂହ୍ୟମାନ କରିଥିବାର ମଧ୍ୟ ବର୍ଣ୍ଣନା କରିଛନ୍ତି ।

 

କାଠଯୋଡ଼ି ଅତିକ୍ରମ କରିବାପରେ ପଟିଆ ଦହ (ହ୍ରଦ) ନିକଟରେ ସେ ଦେଖିବାକୁ ପାଉଛନ୍ତି ଗଙ୍ଗ ବଂଶର ଆଦି ପୁରୁଷ ଚୁଡ଼ଙ୍ଗଦେବ (ଚୋଡ଼ଗଙ୍ଗଦେବ)ଙ୍କ ଦ୍ୱାରା ପ୍ରତିଷ୍ଠିତ ଚୁଡ଼ଙ୍ଗ ଗଡ଼ର ଧ୍ୱଂସାବଶେଷ । ଗଡ଼ର ଶେଷ ସନ୍ତକ ରୂପେ ତଥାପି ରହିଥିଲା ଦୁଇ ପ୍ରସ୍ଥର ପାଚେରି ତଥା ଗଡ଼ଖାଇର ଭଗ୍ନାଂଶ । ବାଙ୍କିଠାରେ ପହଞ୍ଚି ସେ ପ୍ରଥମେ ମହାନଦୀର ଦର୍ଶନ କରିଛନ୍ତି ଏବଂ ଓଡ଼ିଶାର ପ୍ରାଣସତ୍ତା ରୂପେ ମହାନଦୀର ଭୂମିକା ତାଙ୍କୁ ଏତେ ମୁଗ୍ଧ କରିଛି ଯେ ସେ ମହାନଦୀକୁ Father of waters in Orissa' ବୋଲି କହିଛନ୍ତି ।

 

ମହାନଦୀ କୂଳରେ ଥିବା ପଦ୍ମାବତୀ, କଣ୍ଟିଲୋ, ବେଲପଡ଼ା ପ୍ରଭୃତି ବାଣିଜ୍ୟ ପେଣ୍ଠ ଗୁଡ଼ିକର ଭୌଗୋଳିକ ଅବସ୍ଥିତି, ସେଠାର ବ୍ୟବସାୟ, ଜୀବନ ଶୈଳୀ, ଉପରେ ମହାନଦୀର ପ୍ରଭାବ, ଅର୍ଥନୈତିକ ସ୍ଥିତି ତଥା ନୌକା ଯୋଗେ ପଣ୍ୟ ତଥା ଯାତ୍ରୀ ପରିବହନ ବ୍ୟବସ୍ଥା ସମ୍ପର୍କରେ ବିସ୍ତୃତ ବର୍ଣ୍ଣନା ଦେଇଛନ୍ତି । ବିଶେଷକରି କଣ୍ଟିଲୋ ଓ ବେଲପଡ଼ାର କଂସା ପିତ୍ତଳର କାମ ତାଙ୍କୁ ଏତେ ମୁଗ୍ଧ କରିଛି ଯେ ସେ ଓଡ଼ିଆମାନଙ୍କର ଏ କ୍ଷେତ୍ରରେ କାରିଗରୀ ଦକ୍ଷତା ବିଶ୍ୱର ଯେ କୌଣସି ସଭ୍ୟ ଦେଶର କାରିଗରୀ ଦକ୍ଷତାର ସମକକ୍ଷ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।

 

ଓଡ଼ିଶାର ଗଡ଼ଜାତ ରାଜ୍ୟ ସମୂହର ପ୍ରାକୃତିକ ସୌନ୍ଦର୍ଯ୍ୟ ସମ୍ପର୍କରେ ତାଙ୍କର ମନ୍ତବ୍ୟ The Garjatas include the whole of highlands in Orissa, where the hills are cled in perrinial vendure and the wooded valleys creamed with feathery foliage all round the year. ସବୁଜ ସୁଷମା ମଣ୍ଡିତ ଓଡ଼ିଶାର ଗଡ଼ଜାତ ତାଙ୍କ ମତରେ ଓଡ଼ିଶାର ଶ୍ରୀ ଓ ସମ୍ପଦର ଆକାର ବିଶେଷ । ଏହାପରେ ସେ ମହାନଦୀ କୂଳରେ ଅବସ୍ଥିତ କଣ୍ଟିଲୋର ନୀଳମାଧବ ମନ୍ଦିର ଓ ଦଶପଲ୍ଲାର ବଡ଼ମୂଳଘାଟି ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ଏ ସମ୍ପର୍କରେ ତାଙ୍କର ମନ୍ତବ୍ୟ ଯଥାସ୍ଥାନରେ ଉଦ୍ଧୃତ ହୋଇଛି ।

 

ଗଡ଼ଜାତ ଗୁଡ଼ିକ ମୁଖ୍ୟତଃ ଆଦିବାସୀ ବହୁଳ ଅଞ୍ଚଳ । ଲେଖକ ଯାତ୍ରା ପଥରେ ସେମାନଙ୍କର ଜୀବନ ଶୈଳୀକୁ କୌତୁହଳର ସହିତ ନିରୀକ୍ଷଣ କରିଛନ୍ତି । ଦଶପଲ୍ଲା, ବୌଦ ଏବଂ ସୋନପୁରର ଆଦିବାସୀମାନଙ୍କ ମଧ୍ୟରେ କନ୍ଧମାନେ ହେଉଛନ୍ତି ସଂଖ୍ୟ ଗରିଷ୍ଠ । କନ୍ଧମାନଙ୍କ ସମ୍ପର୍କରେ ମନ୍ତବ୍ୟ ଦେଇ ସେ ଲେଖିଛନ୍ତି–‘‘The Konds are believed to be the direct descendants of the aboriginal inhabitants of the country, Their mountain haunts are admirably suited for defence even though they are yet to adopt modern fire anms. They manage their battle-axes, bows and arrows with an adroitness and physical courage that make them indeed formidable. Their only employment are agriculture and noisy disputes' Iron firmness is the prominent charateristic of the tribe-" ମହାନଦୀ ଅବବାହିକାର ଏହି ଆଦିମ ଗୋଷ୍ଠୀ ଲୌହ କଠିନ ଦୃଢ଼ତା ନେଇ ଚଳପ୍ରଚଳ ହେଉଥିଲେ ମଧ୍ୟ ବ୍ୟବହାରରେ ଅତ୍ୟନ୍ତ ସରଳ, ପ୍ରକୃତିରେ ନିରୀହ ଏବଂ ଅତିଥି ପରାୟଣ ବୋଲି ଲେଖକ ଲକ୍ଷ୍ୟ କରିଛନ୍ତି । ହାତରେ ବାଉଁଶ କାଣ୍ଡ ଖଣ୍ଡେ ଥିଲେ, କନ୍ଧ କିଶୋର ମହାବଳ ବାଘକୁ ମଧ୍ୟ ଭୟ କରେ ନାହିଁ ବୋଲି ତାଙ୍କର ଦୃଢ଼ ବିଶ୍ୱାସ ହୋଇଛି । ଜୀବନ ସେଠାରେ ସଂଗ୍ରାମଶୀଳ–ପ୍ରକୃତି ସହିତ, ବନ୍ୟଜନ୍ତୁମାନଙ୍କ ସହିତ ଏବଂ ଅବଶ୍ୟ ରାଜ କର୍ମଚାରୀମାନଙ୍କ ସହିତ । ତଥାପି ତାହାରି ଭିତରେ ସେମାନଙ୍କର ଚିନ୍ତାଶୂନ୍ୟ ନିଃଶଙ୍କ ଜୀବନ ଯାତ୍ରା । ସେମାନଙ୍କ ମଧ୍ୟରେ ଦୁଇଟି ନିଷ୍ଠୁର ପ୍ରଥା ପ୍ରଚଳିତ ଥିଲା । ପ୍ରଥମଟି ହେଉଛି ନୃଶଂସ ନରବଳି ପ୍ରଥା । ଅଧିକ ଫସଲ ଉତ୍ପାଦନ ନିମନ୍ତେ ଭୂମି ଦେବତାଙ୍କୁ ନର ବଳି ଦେବା ଥିଲା ସେମାନଙ୍କର ସାମାଜିକ ପ୍ରଥା । ତା’ ସହିତ କନ୍ୟା ସନ୍ତାନକୁ ସେମାନେ ହତ୍ୟା କରୁଥିବା କଥା ମଧ୍ୟ ଲେଖକ ଶୁଣିଥିଲେ । ବହୁ କଷ୍ଟରେ ଇଂରେଜ ସରକାର ୧୮୩୬ ମସିହାରେ ଏହି ଘୃଣ୍ୟ ପ୍ରଥାକୁ ଚିରକାଳ ନିମନ୍ତେ ବନ୍ଦ କରି ଦେଇଛନ୍ତି ।

 

କନ୍ଧ ସମାଜର ପ୍ରକୃତ କର୍ତ୍ତା ହେଉଛି ଏହାର ମୁଖିଆ ସର୍ଦ୍ଦାର । ଅନ୍ୟମାନେ ତା’ର ନିର୍ଦ୍ଦେଶ ମାନିବାକୁ ବାଧ୍ୟ । ବସ୍ତୁତଃ ତା’ର ଇଚ୍ଛା ହିଁ ହେଉଛି ସେମାନଙ୍କ ସମାଜ ପାଇଁ ଆଇନ୍‌ । ତାହା ଉପରେ ଆଉ କାହାରି କଥା ଚଳେ ନାହିଁ । ସମାଜକୁ ଶୃଙ୍ଖଳିତ କରି ରଖିବା ପାଇଁ କନ୍ଧସମାଜ ନିର୍ବିକାର ଭାବରେ ଏହି କଠୋର ଆଇନ୍‌କୁ ମାନି ନେଇଥିଲେ ବୋଲି ଲେଖକ ବିଶ୍ୱାସ କରିଛନ୍ତି । ଏହାପରେ ଲେଖକ ବୌଦ ଯିବା ବାଟରେ ଶାକ୍ୟସିଂହ ନାମକ ଗୋଟିଏ ଗାଁ’ରେ ପହଞ୍ଚି ଏହାର ନାମକରଣ ସମ୍ପର୍କିତ ତଥ୍ୟ ଉଦ୍‌ଘାଟନ କରିବାକୁ ଉଦ୍ୟମ କରିଛନ୍ତି । ସେ ସମସ୍ତ ବିବରଣୀ ଏହି ପୁସ୍ତକରେ ଅନ୍ୟତ୍ର ଉଦ୍ଧୃତ ହୋଇଛି । ସୋନପୁରରେ ପହଞ୍ଚି ରାୟ ମହାଶୟଙ୍କର ଗଡ଼ଜାତ ଭ୍ରମଣ ଶେଷ ହୋଇଛି ଏବଂ ସେ କଟକ ଫେରି ଆସିଛନ୍ତି । ଆଜିଠାରୁ ଶତାଧିକ ବର୍ଷ ତଳେ ମହାନଦୀ ଅବବାହିକାର ସାମୂହିକ ଜୀବନର ଏକ ସ୍ପଷ୍ଟ ଚିତ୍ର ଏହି ରଚନାରୁ ମିଳୁଥିବାରୁ ଏଠାରେ ତାହାର ନିର୍ବାଚିତ ଅଂଶମାତ୍ର ଉଦ୍ଧାର କରାଗଲା ।

 

ରଚନାଟି ପ୍ରକାଶ ପାଇଥିଲା ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦର ତ୍ରୈମାସିକ ମୁଖ୍ୟପତ୍ରର ସମୁଦାୟ ଛଅଟି ସଂଖ୍ୟାରେ । Vol. 14, N.4 Oct-Nov 90 ରୁ vol. 16 No.1 jan-March-92)

 

ମହାନଦୀ ସୁଖରେ, ଦୁଃଖରେ :–ପୁରାଣ ଇତିହାସରେ ଏହି ନଦୀ ସମ୍ପର୍କରେ ଯଥେଷ୍ଟ ସୂଚନା ମିଳୁଥିଲେ ମଧ୍ୟ, ଏବଂ ଓଡ଼ିଶାର ଜୀବନ ଧାରା ପାଇଁ ଏହା ଅପରିହାର୍ଯ୍ୟ ମନେ ହେଉଥିଲେ ବି ଇଂରେଜମାନେ ଆସିବା ପରେ ହିଁ ଏହା ସମ୍ପର୍କରେ ଯଥାର୍ଥରେ ଅନୁସନ୍ଧାନ ଆରମ୍ଭ କରିଥିଲେ । ନଦୀ ଉପତ୍ୟକା ଏବଂ ମହାନଦୀ ସମ୍ପର୍କରେ ପ୍ରଥମେ ସର୍ଭେ କରିଥିଲେ କ୍ୟାପଟେନ୍‌ ଜେ.ସି ହାରିସ୍‌ (Capt J.C. Harris) ସେ ବୈଦ୍ୟେଶ୍ୱର ପର୍ଯ୍ୟନ୍ତ ନୌକା ଯାତ୍ରା କରି ଜଳପଥର ଆକଳନ କରିଥିଲେ । ତାଙ୍କ ମତରେ ସମ୍ବଲପୁରଠାରୁ ତଳମୁଣ୍ଡକୁ ମହାନଦୀ ଯେତିକି ସୁନାବ୍ୟା ଥିଲା, ଉପରମୁଣ୍ଡର ଅବସ୍ଥା ଥିଲା ସେତିକି ଖରାପ । ଛତିଶଗଡ଼ରେ ନଦୀ ଶଯ୍ୟା ବହୁ ପ୍ରତିବନ୍ଧକ ପୂର୍ଣ୍ଣ ହୋଇଥିବାରୁ ସେଠାରେ ଏହା ପରିବହନ ନିମନ୍ତେ ସମ୍ପୂର୍ଣ୍ଣ ଅନୁପଯୁକ୍ତ ଥିଲା । ଏହି କାରଣରୁ ସେ ଅଞ୍ଚଳରେ ଖାଦ୍ୟ ଶସ୍ୟର ମୂଲ୍ୟ ବେଶ୍‌ ଶସ୍ତା ଥିଲା । ଟଙ୍କାର ପାଞ୍ଚମହଣ ଗହମ କିମ୍ବା ଚଣା ମିଳିଯାଉଥିଲା ।

 

ଏହାପରେ ସର୍ବେକ୍ଷଣ କଲେ ମାଇକ (Meik) ନାମକ ଆଉ ଜଣେ ସାହେବ । ସେ ନଦୀ ପଥରେ କେତେଥର ଯାତ୍ରା କରିବା ପରେ ମତ ପ୍ରକାଶ କଲେ, ନଦୀ ଶଯ୍ୟାର ପଥର ଢୋଲପୁରଠାରୁ ଆରମ୍ଭ କରି ବୌଦ ପର୍ଯ୍ୟନ୍ତ ପ୍ରାୟ ୧୪/୧୫ ମାଇଲ ଯାଏ ବିସ୍ତୃତ ଥିଲା । ବୌଦରୁ ସୋନପୁର ପର୍ଯ୍ୟନ୍ତ ନଦୀରେ ପଥରେ ନଥିଲା । ସେଇଠୁ ପଦ୍ମପୁର ପର୍ଯ୍ୟନ୍ତ ପ୍ରାୟ ୧୫ ମାଇଲ ନଦୀ ଶଯ୍ୟା ପ୍ରସ୍ତର ପୂର୍ଣ୍ଣ ଥିଲା ଏବଂ ସମ୍ବଲପୁର ଉପରମୁଣ୍ଡକୁ ଆହୁରି ୩୦ ମାଇଲ ଏହିଭଳି ମୋଟ ୫୫ ମାଇଲ ପର୍ଯ୍ୟନ୍ତ ଏହି ଅସୁବିଧା ଥିଲା । ମାଇକ୍‌ ଆହୁରି ଲେଖିଛନ୍ତି ନଦୀ ଶଯ୍ୟାର ଅକର୍ମ ଶିଳାକୁ ଛାଡ଼ିଦେଲେ, ନଦୀର ଦୁଇ ତୀରରେ ଯେଉଁ ଘନ ଅରଣ୍ୟ ରହିଥିଲା ସେ ସବୁ ମଧ୍ୟ ଜଳପଥକୁ ଦୁର୍ଗମ ଏବଂ ବିପଦ ପୂର୍ଣ୍ଣ କରିବାର ପ୍ରଧାନ କାରଣ ଥିଲା । ସମ୍ବଲପୁର ପାଖ ହୀରାକୁଦଠାରେ ଅବସ୍ଥାଥିଲା ଅତ୍ୟନ୍ତ ଶୋଚନୀୟ ।

 

ଯେତେ ଦୁର୍ଗମ, ଯେତେ ବିପଦପୂର୍ଣ୍ଣ ହେଲେ ମଧ୍ୟ ତୀରବାସୀ ଲୋକେ ଅଟକି ରହି ନାହାନ୍ତି । ବାରମ୍ବାର ମହାନଦୀକୁ ଜୟ କରିବା ନିମନ୍ତେ ସେମାନଙ୍କର ଅଭିଯାନ ଚାଲିଛି । ମହାନଦୀ ହେଉଛି ଓଡ଼ିଶା ଇତିହାସର ମୂକସାକ୍ଷୀ । ସାମ୍ରାଜ୍ୟ ଗଢ଼ା ଯାଇଛି ପୁଣି ଭାଙ୍ଗିଛି ମଧ୍ୟ ଏହାରି ଆଖି ଆଗରେ । ମାଳଭୂମିରେ ଏହା ରୁଦ୍ରରୂପରେ ସବୁ କିଛି ଧ୍ୱଂସ କରିବାର କାମନାରେ ଯେମିତି ସଂହାର ରୂପିଣୀ ହୋଇଛି ସମତଳ ଅଞ୍ଚଳରେ ସେଇ ପୁଣି ହୋଇଛି ନିଦ୍ରାତୁର ଶାନ୍ତ ସରଳ ନିରୀହ ଶିଶୁଟିଏ ଭଳି । ଆମକୁ ଖାଦ୍ୟ ଯୋଗାଇଛି, ଶକ୍ତି ଦେଇଛି, ପୁଣି ରୁଦ୍ରରୂପରେ ଓଡ଼ିଶାକୁ ମହାଶ୍ମଶାନରେ ପରିଣତ କରିଛି ମଧ୍ୟ । ଭୌଗୋଳିକ ସୂଚନାରୁ ଜଣାଯାଏ ଯେ, ୧୮୦୬ ମସିହାରୁ ୧୮୬୩ ମସିହା ମଧ୍ୟରେ ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ୧୩ ଥର ୧୮୭୦ ମସିହାରୁ ୧୯୦୦ ମସିହା ପର୍ଯ୍ୟନ୍ତ ୧୫ଥର ୧୯୦୫ ମସିହାରୁ ୧୯୫୦ ମସିହା ପର୍ଯ୍ୟନ୍ତ ୧୪ଥର ଏବଂ ୧୯୫୫ ମସିହାରୁ ୧୯୯୧ ପର୍ଯ୍ୟନ୍ତ ପ୍ରାୟ ୧୦ଥରରୁ ଅଧିକ ବଡ଼ ବନ୍ୟା ହୋଇଛି । ଅନ୍ୟ ଏକ ତଥ୍ୟାନୁସାରେ ୧୮୦୩ ରୁ ୧୩ ଥର ବଡ଼ ବଢ଼ି ଏବଂ ୧୮୭୦ ରୁ ୧୯୦୦-ଏଇ ୩୦ ବର୍ଷରେ ୧୫ ଥର ବଡ଼ ବଢ଼ି ହୋଇଛି । ୧୯୨୦ ଏବଂ ୧୯୨୫ରେ ମଧ୍ୟ ଏଇଭଳି ବଢ଼ି ହୋଇଥିଲା । ୧୯୫୫ ଏବଂ ୧୯୮୨ରେ ଦୁଇଥର ଦଳେଇଘାଇ ଭାଙ୍ଗିଛି । ୧୯୯୧ରେ ମଧ୍ୟ ଏହିଭଳି ବଢ଼ି ହୋଇଥିଲା । ଏହାଦ୍ୱାରା ରାଜ୍ୟରେ ଯେଉଁ ଆର୍ଥିକ କ୍ଷତି ହୋଇଛି ତାହା ଭାଷାରେ ପ୍ରକାଶ କରାଯାଇପାରିବ ନାହିଁ । ଦୀରାକୁଦ ବନ୍ଧ ହେଲାପରେ ମଧ୍ୟ ଏହି ୫୦ ବର୍ଷ ମଧ୍ୟରେ ପ୍ରାୟ ୧୧/୧୨ ଥର ବଡ଼ ବଢ଼ି ହେଲାଣି । ଏହାହିଁ ହୋଇଛି ତେଣୁ ଓଡ଼ିଶାର ପ୍ରଗତିର ମୁଖ୍ୟ ବାଧକ । ହୋୟାଂହୋ ନଦୀକୁ ଚୀନ୍‌ର ଦୁଃଖ ବୋଲି କୁହାଯାଏ । ମିଶରକୁ କହାଯାଏ ନୀଳ ନଦୀର ଦାନ ବୋଲି । ଆମେ ଓଡ଼ିଶାକୁ ମହାନଦୀର ଦାନ ବୋଲି କହିବା କିମ୍ବା ମହାନଦୀକୁ ଓଡ଼ିଶାର ଦୁଃଖ ବୋଲି କହିବା ?

 

ଇଂରେଜମାନେ ଓଡ଼ିଶାର ପ୍ରଭୁ ହୋଇ ବସିବାପରେ ଏଠାରେ ବନ୍ୟା ସମସ୍ୟା ଓ ତାହାର ସ୍ଥାୟୀ ପ୍ରତିକ୍ରିୟା ନିମନ୍ତେ ଚିନ୍ତା କରାଯାଏ । ୧୮୪୭ରେ ମୋଫାତ୍‌ ମିଲସ୍‌ ଏହାର ପ୍ରତିକାର ନିମନ୍ତେ ଉଦ୍‌ବେଗ ପ୍ରକାଶ କରି ବଙ୍ଗ ସରକାରଙ୍କୁ ପତ୍ର ଲେଖନ୍ତି । କାରଣ ସେତେବେଳେ ଓଡ଼ିଶା ବଙ୍ଗଦେଶ ସହିତ ମିଶି ରହିଥିଲା । ୧୮୫୫ରେ ଏକ ପ୍ରଳୟଙ୍କରୀ ବନ୍ୟା ହେବାରୁ ଲେଫ୍ଟନାଣ୍ଟ ଜେ.ସି ହାରିସ୍‌ (Lt. J.C. Harri's) ଏବଂ ଜେ.ପି ବିଡ଼ଇ (J.P. Bidoe) ସରାକାରଙ୍କୁ ଏ ସମ୍ପର୍କରେ ବିସ୍ତୁତ ବିବରଣୀମାନ ପ୍ରଦାନ କରନ୍ତି । ହାରିସ୍‌ ମଧ୍ୟ ଏହି ସମୟରେ ମହାନଦୀର ଗୋଟିଏ ସର୍ବେକ୍ଷଣ ବିବରଣୀ ପ୍ରସ୍ତୁତ କରି ସରକାରଙ୍କ ଠାରେ ଦାଖଲ କରିନ୍ତି ।

 

ରିପୋର୍ଟରେ କୁହାଗଲା ଯେ, ନଦୀର ଧାରଣା କ୍ଷମତା ଅପେକ୍ଷା ଅଧିକ ପାଣି ବର୍ଷା ଦିନରେ ଚାଲି ଆସିବାରୁ ବନ୍ୟା ସମସ୍ୟା ଏତେ ଉତ୍କଟ ହେଉଛି । ନଦୀର ଉପର ମୁଣ୍ଡରେ ବନ୍ଧ ପକାଯାଇ ପାଣିକୁ ଅଟକାଇ ତିରୋଟ ସମୟରେ ଛଡ଼ାଗଲେ ସମସ୍ୟାର ସମାଧାନ ହୋଇଯିବ ବୋଲି ରିପୋର୍ଟରେ କୁହାଯାଏ । ସରକାର ଏ ଦିଗରେ କୌଣସି ପ୍ରତିକାର କରିବା ପୂର୍ବରୁ ୧୮୫୭ରେ ପୁଣି ଆସେ ପ୍ରବଳ ବନ୍ୟା । ସାର୍‌ ଆର୍ଥର କଟନ୍‌ (Arthur Cotton) ବନ୍ୟା ସମସ୍ୟାର ସମୀକ୍ଷା ନିମନ୍ତେ ଆସି ବ୍ୟାପାରଟିକୁ ଗଭୀର ଭାବରେ ଅନୁଧ୍ୟାନ କରନ୍ତି ଏବଂ ନିମ୍ନଲିଖିତ ପ୍ରସ୍ତାବ ମାନ ଦିଅନ୍ତି ।

 

(କ)

ମହାନଦୀ, ବ୍ରାହ୍ମଣୀ ଏବଂ ବୈତରଣୀ ପ୍ରଭୃତି ବଡ଼ ନଦୀମାନଙ୍କରେ ତୁରନ୍ତ ଆନିକଟ୍ ନିର୍ମାଣ କରାଯାଉ ।

(ଖ)

ଜଳସେଚନ ଏବଂ ନୌପରିବହନ ନିମନ୍ତେ ମହାନଦୀରୁ କେନାଲ ଖୋଲାଯାଉ

(ଗ)

ଅତ୍ୟଧିକ ବନ୍ୟା ଜଳକୁ କେନାଲ ଦ୍ୱାରା ନିଷ୍କାସନ କରାଯାଉ ।

(ଘ)

ନଦୀ କୂଳର ବନ୍ଧମାନଙ୍କୁ ଅଧିକ ସୁଦୃଢ଼ କରାଯାଉ ।

(ଙ)

କଲିକତା ସହିତ ପୁରୀ ଜଳପଥରେ ଯୋଗାଯୋଗ ପାଇଁ ଗୋଟିଏ ହାଇଲେଭେଲ୍‌ କେନାଲ ଖୋଲାଯାଉ ।

 

କଟନ୍‌ଙ୍କ ପ୍ରସ୍ତାବ ଗ୍ରହଣ କରି ନିଆଯାଇ ୧୮୬୦ରେ ଏହାକୁ ରୂପ ଦେବା ପାଇଁ ପୂର୍ବଭାରତୀୟ ଜଳସେଚନ ଓ କେନାଲ କମ୍ପାନୀ ନାମକ ଗୋଟିଏ ସଂସ୍ଥା ଗଠନ କରାଗଲା । କମ୍ପାନୀ ଯୋଜନାଟିକୁ ସଫଳ କରିବା ପାଇଁ କାମ ଆରମ୍ଭ କଲେ । କାମ କିଛି ବାଟ ଆଗେଇ ଯିବା ପରେ କମ୍ପାନୀ ଗୁରୁତର ଆର୍ଥିକ ସଂକଟରେ ପଡ଼ିବାରୁ ୧୮୬୯ ମସିହାରେ ପ୍ରାଦେଶିକ ସରକାର ଏହାକୁ କିଣିନେଲେ । କିଛି କାମ ଏହା ଭିତରେ ହୋଇଯାଇଥିଲା । ମହାନଦୀର ଯୋବ୍ରାଠାରୁ ତାଳଦଣ୍ଡା କେନାଲ ଏବଂ ତାଳଦଣ୍ଡା କେନାଲର ବିରିବାଟିଠାରୁ ମାଛଗାଁ କେନାଲ ଖୋଲା ସରିଥିଲା ତେବେ ହାଇଲେଭେଲ୍‌ କେନାଲଟି ସମ୍ପୂର୍ଣ୍ଣ ହୋଇ ପାରିଲା ନାହିଁ । ନରାଜ ଏବଂ ଯୋବ୍ରାର ଆନିକଟ୍‌ ଅବଶ୍ୟ ସମ୍ପୂର୍ଣ୍ଣ ହୋଇଥିଲା ।

 

ବନ୍ୟା ଆସୁଥିଲା ଯାଉଥିଲା । ପ୍ରକୋପ କମିବାର କିଛି ଲକ୍ଷଣ ଦେଖାଯାଉ ନଥିଲା ଧନଜୀବନର କ୍ଷୟକ୍ଷତି ଯାହା ହେବାର ହେଉଥିଲା । ଜଣାଯାଉଥିଲା, ଏହି ପ୍ରାକୃତିକ ବିପଦରୁ ରକ୍ଷା ପାଇବା ସତେ ଯେମିତି ଓଡ଼ିଶାର ଭାଗ୍ୟରେ ନାହିଁ । ଏହାପରେ ୬୦ବର୍ଷ ପର୍ଯ୍ୟନ୍ତ ବନ୍ୟା ସମ୍ପର୍କରେ ବିଶେଷ କିଛି ଚିନ୍ତା କରାଯାଇଥିବାର ଲକ୍ଷ୍ୟ କରାଯାଏ ନାହିଁ । ଧୈର୍ଯ୍ୟଶୀଳ ବୋଲି ଓଡ଼ିଆମାନଙ୍କର ଖ୍ୟାତି ଥିଲା । ଏବେ ବି ଅଛି । ସେତେବେଳେ ଓଡ଼ିଶାରେ ପ୍ରତିବାଦ ପାଇଁ ଚତୁର୍ଥ ସ୍ତମ୍ଭଟି ପ୍ରଭାବଶାଳୀ ନଥିବାରୁ ସ୍ଥିତି ପୂର୍ବଭଳି ରହିଲା ।

 

୧୯୨୭ରେ ସରକାର ବନ୍ୟା ନିୟନ୍ତ୍ରଣ ସମ୍ପର୍କରେ ପୁଣି ଚିନ୍ତା କଲେ । ଓଡ଼ିଶା ସେତେବେଳେ ବଙ୍ଗଳାରୁ ଆସି ବିହାର ସହିତ ଗୁନ୍ଥା ହୋଇଛି । ସରକାର କେତେ ଜଣ ବିଶେଷଜ୍ଞଙ୍କୁ ନେଇ ପରାମର୍ଶ ଦେବାପାଇଁ ଗୋଟିଏ କମିଟି ଗଢ଼ିଲେ । ଏଥିରେ ରହିଲେ ବଙ୍ଗ ସରକାରଙ୍କର ଚିଫ୍‌ ଇଞ୍ଜିନିୟର୍‌ ଆଡାମସ୍‌ ଉଇଲିୟମସ୍‌ (Adams William) ଭାରତ ସରକାରଙ୍କ ପରାମର୍ଶ ଦାତା ଇଞ୍ଜିନିୟର ଡି.ବି. ହାରିସ୍‌ (D.B. Harris) ଓ ବିହାର ଓଡ଼ିଶା ଚିଫ୍‌ଇଞ୍ଜିନିୟର୍‌ ବିଷ୍ଣୁସ୍ୱରୂପ । ଏହି କମିଟି ଅନେକ ବିଚାରବିମର୍ଶ ପରେ ଜଳଭଣ୍ଡାର ନିର୍ମାଣ କରି ତହିଁରେ ଉଦ୍‌ବୃତ୍ତ ଜଳସଂଚୟ ଏବଂ ତିରୋଟ ସମୟରେ ତାହାର ବ୍ୟବହାର ବ୍ୟବସ୍ଥା ବିରୁଦ୍ଧରେ ଦୃଢ଼ମତ ଦେଲେ । ସେମାନେ ଆହୁରି ପରାମର୍ଶ ଦେଲେ, ଯେତେ ବନ୍ଧବାଡ଼ ରହିଛି ସବୁକୁ ଭାଙ୍ଗି ଦିଆଯାଉ ଏବଂ ନୂଆ ବନ୍ଧ ପକାଯାଉ । ଏହା ଦ୍ୱାରା ବନ୍ୟାର ପ୍ରକୋପ ନିଶ୍ଚୟ ହ୍ରାସ ପାଇଯିବ ।

 

ସରକାର ଏହି ପ୍ରସ୍ତାବକୁ ଗ୍ରହଣ କରି ନଥିଲେ । ପୁଣି କିଛିଦିନ ବିତିଗଲା । ୧୯୩୭ ମସିହାରେ ଓଡ଼ିଶାରେ କଂଗ୍ରେସ ମନ୍ତ୍ରୀ ମଣ୍ଡଳ ଗଢ଼ିଲା । ବିଶ୍ୱନାଥ ଦାଶ ଥିଲେ ଓଡ଼ିଶାର ପ୍ରଧାନମନ୍ତ୍ରୀ । ବନ୍ୟା ନିୟନ୍ତ୍ରଣ ନିମନ୍ତେ ସରକାର ସେତେବେଳର ପ୍ରଖ୍ୟାତ ଇଞ୍ଜିନିୟର ଏବଂ ବନ୍ୟା ବିଶେଷଜ୍ଞ ଏମ୍‌ ବିଶ୍ୱେଶ୍ୱରାୟଙ୍କ ସଙ୍ଗେ ପରାମର୍ଶ କଲେ । ୧୯୩୯ରେ ବିଶ୍ୱେଶ୍ୱରାୟଙ୍କ ପରାମର୍ଶ ମିଳିଲା । ସେ ପ୍ରସ୍ତାବ ଦେଲେ, ମହାନଦୀର ଉପରମୁଣ୍ଡରେ ସ୍ଥାନ ନିର୍ବାଚନ କରାଯାଇ ଗୋଟିଏ ସ୍ଥାୟୀ ବନ୍ଧ ନିର୍ମାଣ କରାଯାଉ । ପ୍ରସ୍ତାବଟି ଶୀତଳ ଭଣ୍ଡାରରେ ସ୍ଥାନ ପାଇଲା । ୧୯୪୫ରେ କେନ୍ଦ୍ର ଜଳପଥ, ଜଳସେଚନ ଓ ନୌପରିବହନ କମିଶନର ଚେୟାରମ୍ୟାନ୍‌ ଏ.ଏନ୍‌. ଖୋସଲାଙ୍କର ପରାମର୍ଶ ଏଥିପାଇଁ ମଗାଗଲା । ତାଙ୍କର ମତ ଥିଲା ଯେ, ବନ୍ୟା ନିୟନ୍ତ୍ରଣ ନିମନ୍ତେ ଆମେରିକାର ଟେନେସୀ ଉପତ୍ୟକା ବହୁମୁଖୀ ଜଳ ନିୟନ୍ତ୍ରଣ ପ୍ରକଳ୍ପ ପରି ଓଡ଼ିଶାରେ ମଧ୍ୟ ମହାନଦୀରେ ତିନୋଟି ସ୍ଥାନରେ ବନ୍ଧ ନିର୍ମାଣ କରାଯାଉ । (୧) ହୀରାକୁଦ (୨) ଟିକରପଡ଼ା (୩) ନରାଜ, ତିନି ସ୍ଥାନରେ ଜଳଭଣ୍ଡାର ସୃଷ୍ଟି କରାଯାଇ ତହିଁରୁ ଜଳସେଚନ ମତ୍ସ୍ୟଚାଷ ତଥା ନଦୀ ବନ୍ଧ ଦ୍ୱାରା ବିଦ୍ୟୁତ୍ ଉତ୍ପାଦନ ଓ ନଦୀରେ ନୌଚାଳନାର ସୁଯୋଗ ସୃଷ୍ଟି ପ୍ରଭୃତି ଏହି ଯୋଜନାର ଅନ୍ତର୍ଭୁକ୍ତ ଥିଲା । ଖୋସଲାଙ୍କ ପ୍ରସ୍ତାବ ବିଶ୍ୱେଶ୍ୱରାୟଙ୍କ ପ୍ରସ୍ତାବର ଆଧାରରେ ହିଁ ଦିଆଯାଇଥିଲା ।

 

୧୯୪୭ ମସିହା ମେ’ ୨୯ ତାରିଖରେ ଏ ସମ୍ପର୍କରେ ‘ସମାଜ’ରେ ଯେଉଁ ସମ୍ବାଦଟି ପ୍ରକାଶ ପାଇଥିଲା ତାହା ଏହିଭଳି କେନ୍ଦ୍ରସରକାରଙ୍କ ‘‘ସ୍ପେଶାଲ ୱାଟରୱେଜ ଏଣ୍ଡ ନାଭିଗେସନ୍‌ କମିଶନ୍‌’’ ମହାନଦୀ ଯୋଜନା ସମ୍ପର୍କରେ ଭାରତ ସରକାରଙ୍କୁ ଯେଉଁ ରିପୋର୍ଟ ଦେଇଛନ୍ତି, ସେଥିରେ ସେମାନେ ସୁପାରିଶ୍‌ କରିଛନ୍ତି, ମହାନଦୀର ହୀରାକୁଦଠାରେ ଏକ ଜଳ ଭଣ୍ଡାର କରି ସେଥିରେ ପ୍ରାୟ ୫୦ ଲକ୍ଷ ଘନଫୁଟ ଜଳ ରଖିବାକୁ ହେବ । ଏହି ଯୋଜନା କାର୍ଯ୍ୟକାରୀ କରିବା ଉଚିତ ବୋଲି ଉକ୍ତ କମିଶନ୍‌ ସୁପାରିଶ କରିଛନ୍ତି । ସମ୍ବଲପୁରଠାରୁ ୯ ମାଇଲ୍‌ ଦୂରରେ ହୀରାକୁଦଠାରେ ମହାନଦୀରେ ଗୋଟିଏ ବନ୍ଧ କରିବାକୁ ହେବ । ଏହି ଯୋଜନା ସମ୍ପୂର୍ଣ୍ଣ ହେଲେ ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳରେ ବନ୍ୟା ବିପଦ ମଧ୍ୟ ଅନେକ ପରିମାଣରେ ଦୂର ହେବ ଓ ମହାନଦୀରେ ନୌକାଚାଳନ ବ୍ୟବସ୍ଥା ଅଧିକ ସୁବିଧାଜନକ ହୋଇଯିବ । ଏହି ଯୋଜନା କାର୍ଯ୍ୟକାରୀ ହେଲେ ଜଳସେଚନ ପାଇଁ ଅନେକ କେନାଲ ଫିଟାଯାଇ ପାରିବ ଓ ହଜାର ହଜାର ଏକର ଜମି ଏହା ଫଳରେ ଚାଷୋପଯୋଗୀ ହୋଇପାରିବ ।

 

ବନ୍ଧ ନିର୍ମାଣ ଆରମ୍ଭ ହେଲା । ସେତେବେଳେ ବନ୍ଧର ସମ୍ଭାବ୍ୟ ବ୍ୟୟ ଅଟକଳ କରାଯାଇଥିଲା ୧୦୦କୋଟି ଟଙ୍କା । ଏତେ ଗୁଡ଼ିଏ ଟଙ୍କାର ଋଣ ଭାର ଦରିଦ୍ର ଓଡ଼ିଶା ବହନ କରି ପାରିବ ନାହିଁ ବୋଲି ପ୍ରଶାସନ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇ ଦିଆଯାଇଥିଲା । ତେବେ ସେ ଏହାର ସପକ୍ଷରେ ଥିବାରୁ ଯୋଜନାଟି ରୂପାୟିତ ହେଲା । ପଶ୍ଚିମ ଓଡ଼ିଶାର ବହୁ ଅଞ୍ଚଳ ଏହାଦ୍ୱାରା ବୁଡ଼ିଯିବାର ସମ୍ଭାବନା ଥିବାରୁ ସେତେବେଳେ ଏହା ବିରୁଦ୍ଧରେ ପ୍ରଚଣ୍ଡ ଜନ ଆନ୍ଦୋଳନ ମୁଣ୍ଡ ଟେକିଥିଲା । ଏହା ସତ୍ୟ ଯେ, ଜଳ ଭଣ୍ଡାରରେ ସେ ଅଞ୍ଚଳର ବହୁ ଗ୍ରାମ ଉର୍ବର ଚାଷଜମି ଏବଂ ଐତିହାସିକ କୀର୍ତ୍ତି ଚିରଦିନ ପାଇଁ ବୁଡ଼ି ଯାଇଛି । ପୁରୁଷ ପୁରୁଷ ଭିଟାମାଟି ଛାଡ଼ି ଉଦ୍‌ବାସ୍ତୁ ରୂପରେ ନୂଆ ସ୍ଥାନରେ ଘର ବାନ୍ଧିବା ଯେ କେଡ଼େ ବେଦନା ଦାୟକ ତାହା କେବଳ ଅନୁଭବୀ ହିଁ କହିପାରିବେ । ଆଜି ବନ୍ଧ ହେବାର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ ସେ ସମୟର ଲୋକେ ଏହି ଦୁଃଖକୁ ଭୁଲି ପାରି ନାହାନ୍ତି । ଯେଉଁମାନେ ୧୯୫୦ ପରେ ଜନ୍ମ ହୋଇଛନ୍ତି, ସେମାନେ ବା କିପରି ଏ ଦୁଃଖ ବୁଝିବେ ?

 

ତେବେ ହୀରାକୁଦ ବନ୍ଧ ଯୋଜନାର ପ୍ରତ୍ୟକ୍ଷ ଫଳ ଯାହା, ମୁଖ୍ୟତଃ ପଶ୍ଚିମ ଓଡ଼ିଶା ହିଁ ପାଇଛି ବା ପାଉଛି । ଜଳସେଚନର ବ୍ୟାପକ ସୁବିଧା ଫଳରେ ସେ ଅଞ୍ଚଳର ଊଷର ମରୁ ‘ଭାତହାଣ୍ଡି’ରେ ପରିଣତ ହୋଇଛି । ବିଦ୍ୟୁତ୍‌ ଶକ୍ତିର ସୁଲଭତା ସେ ଅଞ୍ଚଳର ବହୁ କାରଖାନା ପ୍ରତିଷ୍ଠାର ବାଟ ଖୋଲି ଯାଇଛି । ତୁଳନାରେ ନଦୀ ବନ୍ଧ ହେବା ପରେ ମଧ୍ୟ ଉପକୂଳ ଅଞ୍ଚଳର ବନ୍ୟା ସମସ୍ୟା ଦୂର ହୋଇନାହିଁ । ବରଂ ନଦୀଶଯ୍ୟା ପୋତି ହୋଇଯିବାରୁ ବନ୍ୟାର ଭୟାବହତା ବୃଦ୍ଧି ପାଇବାରେ ଲାଗିଛି । ବିଶେଷ କରି କଟକ ସହରଟି ଯେହେତୁ ଦୁଇ ନଦୀ ଶଯ୍ୟାର ମଧ୍ୟବର୍ତ୍ତୀ ନିମ୍ନ ଭୂମିରେ ଅବସ୍ଥିତ ଏବଂ ତିନିଆଡ଼ୁ ଜଳ ଦ୍ୱାରା ପରିବୃତ୍ତ-ତେଣୁ ପ୍ରତି ମୁହୂର୍ତ୍ତରେ ଏହାର ସ୍ଥିତି ପ୍ରତି ବିପଦର ଆଶଙ୍କା ରହିଛି । ନଦୀରେ ବନ୍ୟାଜଳ ଆସିଗଲେ ଏବେ ମଧ୍ୟ କଟକ ବାସୀଙ୍କ ହୃଦ୍‌ସ୍ପନ୍ଦନ ବଢ଼ିଯାଏ ।

 

ଖୋସଲା କମିଶନ୍‌ ଟିକରପଡ଼ା ଓ ନରାଜଠାରେ ଆଉ ଦୁଇଟି ବନ୍ଧ ପକାଇବା କଥା କହିଥିଲେ । ମୃତ୍ୟୁ ପୂର୍ବରୁ ସେ କାଳର ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଟିକରପଡ଼ା ବନ୍ଧ ଯୋଜନାର ଶୁଭ ମଧ୍ୟ ଦେଇଥିଲେ । ସେ ଅଞ୍ଚଳବାସୀଙ୍କର ଦୃଢ଼ ପ୍ରତିବାଦ ତଥା ବନ୍ଧ ନିର୍ମାଣର ବିପୁଳ ବ୍ୟୟଭାର ସମ୍ଭାଳିବାକୁ ସରକାରଙ୍କ ପାଖରେ ଅର୍ଥାଭାବ ହେତୁ ସେହି ଯୋଜନା ପରିତ୍ୟକ୍ତ ହୋଇଛି । ମଣିଭଦ୍ରାଠାରେ ମହାନଦୀରେ ବନ୍ଧ ପକାଇବା ପାଇଁ ଯୋଜନା କରାଯାଇଥିବା କଥା ଶୁଣିବାକୁ ମିଳିଥିଲା । ମାତ୍ର ତାହା ମଧ୍ୟ ବିବାଦ ଭିତରେ ପଶି ଯାଉଛି । ନରାଜ ଆନିକଟ ଉପରେ ଘେରିବନ୍ଧ ପକାଯାଇ ସେଠାରେ ଜଳ ଭଣ୍ଡାରଟିଏ ସୃଷ୍ଟି କରାଯାଇଛି । ଖୋସଲା ଯାହା ପରାମର୍ଶ ଦେଇଥିଲେ, ଏହା ସେ ଅନୁସାରେ ହୋଇନାହିଁ । ଏହା ଏକ ସ୍ୱତନ୍ତ୍ର ଯୋଜନା । ଏହାଦ୍ୱାରା ଜଳସେଚନ ପାଇଁ ଜଳ ମିଳୁଛି ସତ୍ୟ, ମାତ୍ର ବନ୍ୟା ସମସ୍ୟାଟି ପୂର୍ବଭଳି ରହି ଯାଇଛି ।

 

ଯୋଜନା କାଳରେ ବନ୍ଧହେବା ଦ୍ୱାରା ନଦୀଟି ବର୍ଷସାରା ସୁନାବ୍ୟା ହୋଇ ରହିବ ଏବଂ ଏହାଦ୍ୱାରା ନୌଯାତ୍ରା ତଥା ପଣ୍ୟ ପରିବହନ ଅଧିକ ସୁଗମ ଓ ଶସ୍ତା ହେବ ବୋଲି ସ୍ୱପ୍ନ ଦେଖାଯାଇଥିଲା । ମାତ୍ର ସଡ଼କ ତଥା ରେଳପଥ କ୍ଷେତ୍ରରେ ଯଥେଷ୍ଟ ପ୍ରଗତି ହୋଇଥିବାରୁ ଏବଂ ତାହା ଦ୍ୱାରା ଯାତ୍ରୀ ତଥା ପଣ୍ୟ ପରିବହନ ନିମନ୍ତେ ସମୟ ଖୁବ୍‌କମ୍‌ଲାଗୁଥିବାରୁ ତଥା ସ୍ଥଳପଥ ଯାତ୍ରା ଜଳପଥ ଯାତ୍ରାଠାରୁ ଅଧିକ ସୁବିଧା ଜନକ ହୋଇଥିବାରୁ ଏହି ସ୍ୱପ୍ନ ସଫଳ ହୋଇପାରିନାହିଁ-। ଏହାତ ହେବାର ଥିଲା । କେବଳ କିଛି ଦୂର ଦୃଷ୍ଟିର ଅଭାବ ହିଁ ଏଭଳି ଚିନ୍ତାର ଜନକ ।

 

ହୀରାକୁଦ ବନ୍ଧ ଉନ୍ମୋଚିତ ହେବାର ଇତିମଧ୍ୟରେ ପ୍ରାୟ ଅର୍ଦ୍ଧ ଶତାବ୍ଦୀ ସମୟ ଅତିକ୍ରାନ୍ତ ହେବାକୁ ଯାଉଛି । କେମିତି ଅଛି ଜଳଭଣ୍ଡାରର ସ୍ୱାସ୍ଥ୍ୟ ଏହି ପ୍ରଶ୍ନ ପ୍ରାୟ ଗଣମାଧ୍ୟମଗୁଡ଼ିକରେ ଚର୍ଚ୍ଚିତ ହେଉଛି । ମନେରଖିବାକୁ ହେବ ଯେ, ଜଳଭଣ୍ଡାର ହେଉଛି ଏହି ବହୁମୁଖୀ-ପ୍ରକଳ୍ପର କେନ୍ଦ୍ର-ତାହାର ହୃଦୟ କହିଲେ ଚଳେ । ଏହା ଠିକ୍‌ ଥିଲେ ବିଦ୍ୟୁତ୍‌ ଉତ୍ପାଦିତ ହେବ, ଜଳସେଚନ ପାଇଁ ଜଳ ମିଳିବ ଏବଂ ବନ୍ୟା ମଧ୍ୟ ନିୟନ୍ତ୍ରିତ ହୋଇ ପାରିବ । ଏହାର ଅବସ୍ଥା ବିପର୍ଯ୍ୟୟ ଘଟିଲେ, ତେଣୁ ଚିନ୍ତା ହେବା ସ୍ୱାଭାବିକ । ଏ ସମ୍ପର୍କରେ ‘ସମାଜ’ର ୧୫.୬.୨୦୦୪ ସଂଖ୍ୟାରେ ‘ଦ୍ରୁତମୃତିକାକ୍ଷୟ ଯୋଗୁଁ ଜଳଭଣ୍ଡାରର ଜଳଧାରଣ କ୍ଷମତା ହ୍ରାସ’ ଶିରୋନାମାରେ ଏକ ବିବରଣୀ ପ୍ରକାଶ ପାଇଛି । ଏଠାରେ ତାହାର ସାରାଂଶ ଉଦ୍ଧାର କରାଯାଉଛି । ରିପୋର୍ଟ ଅନୁସାରେ ଜଳଭଣ୍ଡାର ଉପକଣ୍ଠରେ ଦ୍ରୁତ ଶିଳ୍ପାୟନ ଜନିତ ଜଙ୍ଗଲ ବିନାଶ, ଖରିଖାଦାନକ୍ୱାରୀର ଦ୍ରୁତ ସମ୍ପ୍ରସାରଣ ଜନିତ ମୃତ୍ତିକାକ୍ଷୟ ଉଦ୍‌ବେଗ ଜନକ ଅବସ୍ଥାରେ ପହଞ୍ଚିଛି । ୧୯୫୬-୫୭ ମସିହାରେ ବନ୍ଧ ପ୍ରତିଷ୍ଠା ସମୟରେ ୪୦୦ ଏକର ସଂରକ୍ଷିତ ଜଙ୍ଗଲ ଓ ୫୧,୦୦୦ ଏକର ଗ୍ରାମ୍ୟ ଜଙ୍ଗଲ ନଷ୍ଟ ହୋଇଥିଲା । ପରେ ଭରଣା ଜଙ୍ଗଲ ସୃଷ୍ଟି କରା ନଯାଇ ସେହି ଅଞ୍ଚଳରେ ଶିଳ୍ପୋଦ୍ୟୋଗମାନ ଗଢ଼ିଉଠିବାରୁ ଅଧିକ ଜଙ୍ଗଲ ହ୍ରାସ ପାଉଚି । ଏଣେ ଗଭୀର କୋଇଲା ଖଣି ମଧ୍ୟ ଜଙ୍ଗଲର କ୍ଷତି କରୁଛି । ପୁଣି ଖୋଲାମୁହଁ କୋଇଲା ଖଣିର ସମ୍ପ୍ରସାରଣ ଘଟୁଥିବାରୁ ବିସ୍ତୃତ ଅଞ୍ଚଳ ଜଙ୍ଗଲ ଶୂନ୍ୟ ହେବାରେ ଲାଗିଛି ।

 

ଏହାଛଡ଼ା ଓପିଜିସି ଦ୍ୱାରା ବନହରପାଲିଠାରେ ପ୍ରତିଷ୍ଠିତ ଇବ୍‌ ତାପଜ ବିଦ୍ୟୁତ୍‌ ଉତ୍ପାଦନ ପ୍ରକଳ୍ପ ପାଇଁ କଲୋନୀ, ରାସ୍ତାଘାଟ ନିର୍ମାଣ ହେତୁ ଜଙ୍ଗଲ କମିଛି । ପୁଣି ପାଉଁଶ ପୋଖରୀ ନିର୍ମାଣ ମୃତ୍ତିକାକ୍ଷୟକୁ ବଢ଼ାଉଛି । ବେଲପାହାଡ଼ ରିଫ୍ରାକ୍ଟୋରୀ ଡୋଲୋମାଇଟ୍‌ ପ୍ଳାଣ୍ଟ ଏବଂ ଛୋଟବଡ଼ ଶିଳ୍ପ ସଂସ୍ଥା ଗଢ଼ିଉଠିବା ଦ୍ୱାରା ବନ ସମ୍ପଦ ଦ୍ରୁତଗତିରେ ହ୍ରାସ ପାଇଛି । ଜଳ ଭଣ୍ଡାର କୂଳରୁ ନିୟମିତ ଭାବେ ପଥର ଉଠାଯାଉଥିବାରୁ ଏହା ଦ୍ୱାରା ମଧ୍ୟ ମୃତ୍ତିକାକ୍ଷୟ ବୃଦ୍ଧିପାଉଛି-। ଇବ୍‌ ଉପତ୍ୟକାର ୨୦୩ ବର୍ଗ କି:ମି ବ୍ୟାସାର୍ଦ୍ଧ ପରିମିତ ଜଙ୍ଗଲ ମଧ୍ୟରୁ ଇତିମଧ୍ୟରେ ଷାଠିଏରୁ ସତୁରୀ ଭାଗ ଜଙ୍ଗଲ ନଷ୍ଟ ହୋଇସାରିଲାଣି । ହୀରାକୁଦ ବନ୍ଧ ଅଞ୍ଚଳ ଅର୍ଥାତ୍‌ ମୋଟ ଅବବାହିକା ଅଞ୍ଚଳର ଶତକଡ଼ା ୧୧.୨୪ ଭାଗରେ ମୃତ୍ତିକାକ୍ଷୟ ପାଇଁ ପଦକ୍ଷେପ ନିଆଯାଇ ମାଟି ସମତଳ, ବୃକ୍ଷରୋପଣ, ଚାରଣ ଭୂମିର ବିକାଶ, ଜଳ ଅମଳ ପ୍ରକଳ୍ପ ନିର୍ମାଣ, ପଟୁ ଅବରୋଧ ବନ୍ଧ ନିର୍ମାଣ ଆଦି କାର୍ଯ୍ୟ ହାତକୁ ନିଆଯାଇଛି ସତ, ହେଲେ କଳକାରଖାନାର ଅବାଧ ନିର୍ମାଣ ହେତୁ ଏହା ସଫଳ ହେଉନାହିଁ । ୧୯୯୧ର ସର୍ବେକ୍ଷଣ ହିସାବରେ ମହାନଦୀ ଅବବାହିକାରେ ପ୍ରତିବର୍ଷ ୧୨.୪୦ ନିୟୁତ ଟନ୍‌ ମୃତ୍ତିକା ଧୋଇ ହୋଇ ଯାଉଥିବା ବେଳେ ଏଥିରୁ ଶତକଡ଼ା ୩୮.୬୩ ଭାଗ ଅର୍ଥାତ୍‌ ୪.୯୮ ନିୟୁତ ଟନ୍‌ ମୃତ୍ତିକା ବହିଯିବା ବାଟରେ ସ୍ରୋତରେ ଜମା ହୋଇ ଅବଶିଷ୍ଟ ୭.୯୨ ନିୟୁତ ଟନ୍‌ ମାଟି ଜଳଭଣ୍ଡାର ଭିତରକୁ ପଶି ପଟୁ ଆକାରରେ ଜମା ହେଉଛି ।

 

ଶିଳ୍ପ ପ୍ରତିଷ୍ଠା, ଗୃହ ନିର୍ମାଣ ଆଦି ହେଉଛି ଜଙ୍ଗଲ ଧ୍ୱଂସର କାରଣ । ପଟୁ ଅବରୋଧକାରୀ ବନ୍ଧ ସ୍ରୋତରେ ପଟୁ ପଡ଼ିବା ରୋକିବା ଓ ମୃତ୍ତିକା ସଂରକ୍ଷଣ ନିମନ୍ତେ କାର୍ଯ୍ୟ କରେ । ଏଥିପାଇଁ ଯେତିକି କାର୍ଯ୍ୟ ବା ହେଉଛି ଉପଯୁକ୍ତ ରକ୍ଷଣାବେକ୍ଷଣର ଅଭାବରୁ ତହିଁରୁ ସୁଫଳ ମିଳୁନାହିଁ । ବୃକ୍ଷରୋପଣ ଦ୍ୱାରା ଭରଣା ଜଙ୍ଗଲ ସୃଷ୍ଟି ନିମନ୍ତେ ଉଦ୍ୟମ ନ ହେବାରୁ ପରିବେଶ ମଧ୍ୟ ପ୍ରଦୂଷିତ ହେଉଛି । ଏଣେ ବନ୍ଧ ଅବବାହିକାରେ ମୃତ୍ତିକାକ୍ଷୟ ବଢ଼ି ଚାଲିଛି । ଏହି ପ୍ରକ୍ରିୟା ଯଦି ଚାଲୁ ରହେ, ତେବେ ଏସିଆର ଏହି ବୃହତ୍ତମ ବନ୍ଧ ଯୋଜନାର ଲକ୍ଷ୍ୟ ପୂରଣ ନ ହୋଇ ଏହା ଦେଶ ତଥା ଜାତି ପାଇଁ ଘୋର କ୍ଷତିକାରକ ହେବ ।

 

ବିବରଣୀର ଏହି ତଥ୍ୟ ପ୍ରକୃତରେ ଉଦ୍‌ବେଗ ଜନକ । ହୀରାକୁଦ ବନ୍ଧ ପଚାଶ ବର୍ଷ କାର୍ଯ୍ୟକ୍ଷମ ରହିବା କଥା ମାତ୍ର ବର୍ତ୍ତମାନଠାରୁ ଅବସ୍ଥା ଯଦି ଏହି ଭଳି ଚିନ୍ତାଜନକ ହୋଇଉଠେ, ଏବଂ ଏହି ପ୍ରକ୍ରିୟା ଯଦି ଚାଲୁ ରହେ, ତେବେ ନିର୍ଦ୍ଧାରିତ ସମୟର ବହୁ ପୂର୍ବରୁ ଏହାର ଯେ ଅପମୃତ୍ୟୁ ଘଟିଯିବ, ଏଥିରେ ସନ୍ଦେହ ନାହିଁ । ଏହା ହେବ ଓଡ଼ିଶାର ଚରମ ଦୁର୍ଦ୍ଦିନ ।

 

ରିପୋର୍ଟରେ ଦ୍ରୁତ ଜଙ୍ଗଲ କ୍ଷୟକୁ ମୃତ୍ତିକାକ୍ଷୟର ପ୍ରଧାନ କାରଣ ରୂପେ ଚିହ୍ନିତ କରାଯାଇଛି ଏବଂ ବନ୍ଧ ଅଞ୍ଚଳରେ କଳକାରଖାନାର ପ୍ରସାରଣକୁ ଜଙ୍ଗଲ କ୍ଷୟର କାରଣ ବୋଲି ଦର୍ଶାଯାଉଛି । ଏହା ମଧ୍ୟ କୌଣସି ଆକସ୍ମିକ ଘଟଣା ନୁହେଁ । ବରଂ ରାଜ୍ୟର ଦ୍ରୁତ ଶିଳ୍ପାୟନ ହିଁ ଥିଲା ବନ୍ଧ ଯୋଜନାର ଅନ୍ୟତମ ପ୍ରଧାନ ଲକ୍ଷ୍ୟ । ଶିଳ୍ପ ପ୍ରତିଷ୍ଠାନମାନ ଗଢ଼ି ଉଠିବାରେ ତେଣୁ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ । ଏହା ସହିତ ସମ୍ପର୍କ ରହୁଛି, ଜନସଂଖ୍ୟା ବୃଦ୍ଧି ଜନିତ ବେକାରୀର । ଏହା ଉପରେ ପ୍ରତିବନ୍ଧକ ଲଗାଇ ଦେଲେ, ପରିସ୍ଥିତି ଆହୁରି ଭୟଙ୍କର ହୋଇ ଉଠିବ । ତେଣୁ କଳକାରଖାନାର ପ୍ରତିଷ୍ଠାକୁ ରୋକିବା ଉଚିତ ହେବନାହିଁ । ତେବେ ଏହାର ବିକଳ୍ପ ଚିନ୍ତା କରିବାକୁ ହେବ । ଏହା ସେମିତି କିଛି କଠିନ କାର୍ଯ୍ୟ ମଧ୍ୟ ନୁହେଁ । ଜଳଭଣ୍ଡାର ପାଇଁ ସ୍ଥାୟୀ ବିପଦ ସୃଷ୍ଟି କରୁଥିବା କୌଣସି କଳକାରଖାନା-ଏହି ଅଞ୍ଚଳରେ ସ୍ଥାପିତ ନହେଲେ, ପରିସ୍ଥିତିରେ ନିଶ୍ଚୟ ଉନ୍ନତି ଘଟିବ ।

 

ନୂଆ ଜଙ୍ଗଲ ସୃଷ୍ଟି ପାଇଁ ଗୋଟିଏ ପ୍ରସ୍ତାବ ଏଠାରେ ରଖାଯାଇଛି । ଏଥି ନିମନ୍ତେ ବନବିଭାଗଠାରୁ ଆରମ୍ଭ କରି ଅନ୍ୟ କେତେକ ସରକାରୀ ତଥା ସ୍ୱୟଂସେବୀ ସଂସ୍ଥା ଉଦ୍ୟମ କରିଚାଲିଛନ୍ତି । ପ୍ରତିବର୍ଷ ଲକ୍ଷ ଲକ୍ଷ ଗଛ ଲଗାଯାଉଥିବାର ବିବରଣୀ ପଢ଼ିବାକୁ ମିଳୁଛି । ସରକାର ବନ ମହୋତ୍ସବ କରି ନୂଆ ଜଙ୍ଗଲ ସୃଷ୍ଟି ନିମନ୍ତେ ପ୍ରୋତ୍ସାହନ ଦେଉଛନ୍ତି । ସରକାରୀ ହିସାବରେ ଯେତିକି ଗଛ ଲଗାଯାଇଥିବାର ହିସାବ ଦେଖାଯାଉଛି, ତାହା ଠିକ୍‌ ହୋଇଥିଲେ କେବଳ ଓଡ଼ିଶା କାହିଁକି ସାରା ଭାରତ ଏବେ ଏକ ନିଘଞ୍ଚ ଅରଣ୍ୟରେ ପରିଣତ ହୋଇସାରନ୍ତାଣି । ମାତ୍ର ଏହା ହେଉନାହିଁ; କାହିଁକି ହେଉନାହିଁ, ଏ କଥା ସମସ୍ତେ ଜାଣନ୍ତି । ସେ ସବୁ ଏଠାରେ ଆଲୋଚିତ ନ ହେଲେ ଭଲ ।

 

ସେହିଭଳି ମୃତ୍ତିକା କ୍ଷୟ ରୋକିବା ନିମନ୍ତେ ଏହି ବିବରଣୀରେ ଅନ୍ୟ ଯେଉଁ ପ୍ରସ୍ତାବ ସବୁ ରଖାଯାଇଛି ସେ ସବୁକୁ ମଧ୍ୟ ଯେ କୌଣସି ମତେ କାର୍ଯ୍ୟକାରୀ କରିବାକୁ ହେବ । ମନେରଖିବାକୁ ହେବ, ହୀରାକୁଦ ବନ୍ଧ କେବଳ ଏକ ନିଷ୍‌ପ୍ରାଣ ବନ୍ଧ ନୁହେଁ । ଏହା ସହିତ ଜଡ଼ିତ ରହିଛି ସମଗ୍ର ଓଡ଼ିଶାର ସ୍ୱପ୍ନ ସତ୍ତା ଆଉ ଭବିଷ୍ୟତ । ବନ୍ଧର ତଥା ଜଳଭଣ୍ଡାରର ସୁରକ୍ଷା କଥା ଚିନ୍ତା କଲାବେଳେ-ଏହି ସବୁ ବିଷୟ ମଧ୍ୟ ସବୁବେଳେ ମନରେ ରଖିବାକୁ ହେବ । ଏଥିରେ ସାମାନ୍ୟତମ ବ୍ୟତିକ୍ରମ ଘଟିଗଲେ, ଆମକୁ ଆମର ଜୀବଦ୍ଦଶାରେ ବନ୍ଧର ଶବବାହକ ହେବାକୁ ପଡ଼ିବ । ଜଗନ୍ନାଥ କରନ୍ତୁ, ସେ ଦିନ କେବେ ନ ଆସୁ ।

 

ଭଣ୍ଡାର କୁବେରର ଜୀବନ ଭିକ୍ଷାଶୀର :–ଓଡ଼ିଶା ପ୍ରକୃତରେ ବର୍ତ୍ତମାନ ଅତ୍ୟନ୍ତ ଦୟନୀୟ ସ୍ଥିତିରେ ପହଞ୍ଚି ଯାଇଛି । ଏବେ ଏହା ମୁଣ୍ଡ ଉପରେ ୩୦୦୦ କୋଟି ଉର୍ଦ୍ଧ୍ୱ-ଟଙ୍କାର ଋଣ ବୋଝ ରହିଛି । ଅର୍ଥାତ୍‌ ପ୍ରତ୍ୟେକ ଓଡ଼ିଆ ଶିଶୁ ଜନ୍ମ ହେଉଛି ୫୬୩୭ ଟଙ୍କାର ଦୁର୍ବହ ଋଣ ମୁଣ୍ଡରେ ମୁଣ୍ଡାଇ । ଓଡ଼ିଶାର ମୁଣ୍ଡପିଛା ଜାତୀୟ ଆୟ-ସର୍ବଭାରତୀୟ ବାର୍ଷିକ ମୁଣ୍ଡପିଛା ଆୟର ଅଧାରୁ ମଧ୍ୟ କମ୍‌ । ପ୍ରଗତି ଯାହା ଯେମିତି ହେଉଛି ତାକୁ ସମ୍ପୂର୍ଣ୍ଣ ଗ୍ରାସ କରି ଆମକୁ ପୂର୍ବସ୍ଥିତିଠାରୁ ଅଧିକ ଖରାପ ସ୍ଥିତିରେ ପହଞ୍ଚାଇ ଦେବା ପାଇଁ ଅଛନ୍ତି ଆମର ସ୍ଥାୟୀବନ୍ଧୁ ବନ୍ୟା, ବାତ୍ୟା ଆଉ ମରୁଡ଼ି । ଏମାନେ ହେଉଛନ୍ତି ଆରବ କାହାଣୀର ସେଇ ଦୁର୍ଦ୍ଦାନ୍ତ ନରହନ୍ତା ରାକ୍ଷସ ଯିଏ କି ଥରେ କାନ୍ଧରେ ବସିଲେ ଆଉ ଓହ୍ଲାଏ ନାହିଁ । ବଞ୍ଚିଥିବା ପର୍ଯ୍ୟନ୍ତ ତାକୁ କାନ୍ଧରେ ଧରି ଚାଲିବାକୁ ହୁଏ ।

 

ହୀରାକୁଦ ବନ୍ଧ ଯୋଜନା ଓଡ଼ିଶାର ମାନଚିତ୍ରକୁ ବଦଳାଇ ଦେବ ବୋଲି ସ୍ୱପ୍ନ ଦେଖାଯାଇଥିଲା । ଜଳସେଚନର ବ୍ୟାପକ ସୁବିଧା ଏହାର ଖାଦ୍ୟଶସ୍ୟ ଉତ୍ପାଦନକୁ ବହୁ ଗୁଣିତ କରାଇବାରୁ ଓଡ଼ିଶାରେ ଅନାହାରରେ ଆଉ କେହି ମରିବେ ନାହିଁ । ଶକ୍ତିର ସୁଲଭ ଉପଲବ୍ଧି ରାଜ୍ୟକୁ ଦ୍ରୁତ ଶିଳ୍ପାୟନ ପଥରେ ଆଗେଇ ଦେବା ସହିତ ବେକାରୀ ସମସ୍ୟାର ଏକ ସନ୍ତୋଷ ଜନକ ସମାଧାନ କରିପାରିବ । ସମଗ୍ର ଭାରତରେ ଓଡ଼ିଶାତୁଲ୍ୟ ଖଣିଜ ସମ୍ପଦ ଆଉ ଅନ୍ୟ କୌଣସି ରାଜ୍ୟରେ ନଥିବାରୁ ଏ ସବୁର ସୁବିନିଯୋଗ ନିମନ୍ତେ ପ୍ରଚୁର ସୁଯୋଗ ସୃଷ୍ଟି ହେବ । ବାହାରୁ ପୁଞ୍ଜି ଓଡ଼ିଶାକୁ ବହି ଆସି ଏଠାରେ ମୁଣ୍ଡ ପିଛା ଆୟ ଜାତୀୟ ଆୟର ହାରକୁ ମଧ୍ୟ ପଛରେ ପକାଇଦେବ । ଏସବୁ ମଧ୍ୟ ସେଇ ସ୍ୱପ୍ନ ଶୃଙ୍ଖଳାର ଅନ୍ତର୍ଗତ ଥିଲା ।

 

ଓଡ଼ିଶା ଦେଶର ୪.୭୪ ଭାଗ ଭୂମି ତଥା ଲୋକସଂଖ୍ୟାର ୩.୭୪ ଭାଗର ଅଧିକାରୀ-। ଖଣିଜ ସମ୍ପଦରେ ଦେଶର ସବୁଠାରୁ ଅଧିକ ଧନୀ ରାଜ୍ୟ । ଦେଶର ୨୧ ଭାଗ ଖଣିଜ ଏଇଠାରେ ହିଁ ରହିଛି । ବଡ଼ ବଡ଼ ନଦୀ ଥିବାରୁ ଦେଶର ଜଳ ସମ୍ପଦର ୧୨ ଭାଗ ଓଡ଼ିଶାର-। ୪୮୦ କି.ମି. ଦୀର୍ଘ ଉପକୂଳରେ ୮ ଭାଗ ସାମୁଦ୍ରିକ ସମ୍ପଦ ରହିଛି । ବନସମ୍ପଦ ମଧ୍ୟ ୧୬ ଭାଗ-। ଉଭୟ ବାହ୍ୟ ଓ ଭୂତକ ଜଳସ୍ତର ଏଠାରେ ଉତ୍ସାହଜନକ । ରାଜ୍ୟର ଶିଳ୍ପାୟନ ନିମନ୍ତେ ଅତୀତରେ ଯେଉଁ ସ୍ୱପ୍ନ ଦେଖା ଦେଇଥିଲା ତାହା ନିତାନ୍ତ ଅମୂଳକ ନଥିଲା । ବଳକା ବିଦ୍ୟୁତ୍‌ଶକ୍ତି, ଅନୁଗତ, ଜଟିଳତାମୁକ୍ତ ଏବଂ ପରିଶ୍ରମୀ ଶ୍ରମିକ, ପ୍ରଚୁର କଞ୍ଜାମାଲ, ପରିବହନର ଅନୁକୂଳ ସୁବିଧା-ସାର୍ଥକ ଶିଳ୍ପ ନିମନ୍ତେ ଯେଉଁ ଉପାଦାନ ସବୁ ଆବଶ୍ୟକ ସବୁ ଏଠାରେ ଉପଲବ୍ଧ । ଉଭୟ କୃଷି ଏବଂ ଶିଳ୍ପ ଏହାକୁ ନେଇ ଏକ ସମୃଦ୍ଧ ଓଡ଼ିଶା ଗଠନର ସ୍ୱପ୍ନ ତେଣୁ ଭିତ୍ତିହୀନ ନୁହେଁ ।

 

ସ୍ୱାଧୀନତା ପରେ ରାଜ୍ୟରେ ଯେ ପ୍ରଗତି ଆଦୌ ହୋଇନାହିଁ ଏହା ନୁହେଁ । ଲୋକଙ୍କର ଅବସ୍ଥା ମଧ୍ୟ ବଦଳିଛି । ସ୍ୱାସ୍ଥ୍ୟ, ଶିକ୍ଷା, ଗମନାଗମନ, ବ୍ୟବସାୟ ବାଣିଜ୍ୟ, ଜୀବନଧାରଣର ମାନ, ଘରଦ୍ୱାର, କୋଠାବାଡ଼ି, ଏହି ପଚାଶବର୍ଷ ମଧ୍ୟରେ ଯଥେଷ୍ଟ ବଢ଼ିଛି । ତଥାପି ଓଡ଼ିଆ ଭିକ୍ଷାଥାଳି ଧରି ଦ୍ୱାରଦ୍ୱାର ବୁଲି ଭାରତର ଅନ୍ୟାନ୍ୟ ପ୍ରାନ୍ତର ଲୋକଙ୍କ ଦ୍ୱାରା ଉପହସିତ ହେଉଛି । ଖଣିଜ ସମ୍ପଦର ଯେଉଁ ପାହାଡ଼ ପ୍ରକୃତି ତା’ ପାଇଁ ମହଜୁତ୍‌ କରି ରଖିଛି, ସେ ହୋଇଛି କେବଳ ଏହାର ରକ୍ଷକ ମାତ୍ର । ଜନସଂଖ୍ୟା ବଢ଼ୁଛି । ଶିଳ୍ପଅନୁଷ୍ଠାନରେ ତାଲା ପଡ଼ୁଛି । ତିନିଶ୍ରେଣୀର ଲୋକଙ୍କ ପାରସ୍ପରିକ ବୁଝାମଣାରେ ଦୁର୍ନୀତି ବଢ଼ୁଛି ।

 

ଓଡ଼ିଶା ଏକ କୃଷିପ୍ରଧାନ ରାଜ୍ୟ ହୋଇଥିବାରୁ ଏହାର ଅଧିକ କର୍ମ ଶକ୍ତି ଏହି କ୍ଷେତ୍ରରେ ହିଁ ନିୟୋଜିତ । ଏଠାରୁ ତାହାର ବାର୍ଷିକ ଆୟ ହାରାହାରି ୨୫୦୦କୋଟି ଟଙ୍କା ଯାହା ଅନ୍ୟ କେତେକ ପ୍ରଦେଶ ତୁଳନାରେ ଯଥେଷ୍ଟ କମ୍‌ । ରାଜ୍ୟରେ କୁଟୀର ଶିଳ୍ପ ପାଇଁ ସୁଯୋଗ ଥାଇ ମଧ୍ୟ ଆମକୁ ଏବେ ବାର୍ଷିକ ପ୍ରାୟ ୭୦୦୦ କୋଟି ଟଙ୍କାର ବିଭିନ୍ନ ଶିଳ୍ପଜାତ ଦ୍ରବ୍ୟ ଅନ୍ୟ ରାଜ୍ୟରୁ ଆମଦାନି କରିବାକୁ ପଡ଼ୁଛି । ସରକାରୀ ହିସାବରେ ରାଜ୍ୟର ପ୍ରାୟ ୫୫.୬୧ ଭାଗ ଲୋକ ଏବେ ବି ଦାରିଦ୍ର୍ୟର ସୀମାରେଖା ତଳେ ରହିଛନ୍ତି । ପେଟ ପୋଷିବା ପାଇଁ ଲୋକେ ସୁରତ ଯାଉଛନ୍ତି, କାଶ୍ମୀର ଯାଉଛନ୍ତି, ହିମାଚଳପ୍ରଦେଶ ଧାଉଁଛନ୍ତି ଆହୁରି ବିଦେଶର ବହୁ ଅଞ୍ଚଳକୁ ମଧ୍ୟ ଯାଉଛନ୍ତି ।

 

ପ୍ରକୃତିର ନିୟମିତ ପ୍ରତିକୂଳତା ସହିତ ଲୋକଙ୍କର ଉଦ୍ୟମ ହୀନତାକୁ ଏଠାରେ ଅନଗ୍ରସରତାର ମୁଖ୍ୟ କାରଣ ବୋଲି କୁହାଯାଇ ପାରେ । ଲଙ୍କା ମରିଚ ମୁଠାଏ ପାଇଁ ପରହାତକୁ ଅନାଇ ବସିଥିବା ଲୋକ ପ୍ରଗତିର ସ୍ୱାଦ ଚାଖିବ କ’ଣ ? ୧୯୯୯ରେ ଏଠାରେ ଭୟଙ୍କର ବାତ୍ୟା ହେଲା । ୨୦୦୨ରେ ଗୁଜରାଟରେ ହେଲା ପ୍ରଚଣ୍ଡ ଭୂମିକମ୍ପ । ପ୍ରଳୟ ସୃଷ୍ଟିରେ କେହି କାହାରିକୁ କମ୍‌ ନୁହେଁ । ତେବେ ବର୍ତ୍ତମାନ ଦୁଇ ରାଜ୍ୟର ସ୍ଥିତିକୁ ଦେଖିଲେ ଆମ ଆମର ତ୍ରୁଟି ସହଜରେ ବୁଝି ପାରିବା ।

 

ଆମ ଜନସଂଖ୍ୟାର ଶତକଡ଼ା ୮୭ଭାଗ ଗ୍ରାମାଞ୍ଚଳରେ ବାସ କରନ୍ତି ଏବଂ ଏମାନଙ୍କର ଅଧିକାଂଶ ସମୟ ଚାଷବାସରେ ବିତେ । ଅବସର ବିତେ ଆଳସ୍ୟରେ । ଦେଶରେ କୃଷିକ୍ଷେତ୍ରରେ ନିଯୁକ୍ତ ଲୋକସଂଖ୍ୟା ହେଉଛି ଏଠାରେ ମୋଟ ଜନସଂଖ୍ୟାରେ ୭୪ ଭାଗ । ମହାରାଷ୍ଟ୍ର, ଗୁଜରାଟ, ପଞ୍ଜାବ, ହରିୟାନା ପ୍ରଭୃତି ରାଜ୍ୟ ତୁଳନାରେ ଓଡ଼ିଶା ଏବେ ମଧ୍ୟ ଏକ ଗ୍ରାମାଞ୍ଚଳ ହୋଇ ରହିଛି । ଦେଶରେ ଆଦିବାସୀ, ହରିଜନଙ୍କ ସଂଖ୍ୟା ମୋଟ ଜନସଂଖ୍ୟାର ୨୩ଭାଗ ହୋଇଥିଲା ବେଳେ ଓଡ଼ିଶାରେ ଏହା ହେଉଛି ୪୨ ଭାଗ । ସେମାନେ ଏବେ ମଧ୍ୟ ଅନୁନ୍ନତ ଅବସ୍ଥାରେ ବଣଜଙ୍ଗଲରେ ଅଛନ୍ତି । ପ୍ରଗତିର ଦ୍ୱାର ଏବେ ବି ଏମାନଙ୍କ ପାଇଁ ରୁଦ୍ଧ ରହିଛି । ମୁଣ୍ଡପିଛା ଆୟର ଜାତୀୟ ହାର ୨୨୯୨ ଟଙ୍କା ହୋଇଥିବାବେଳେ ଓଡ଼ିଶାରେ ଏହା ହେଉଛି ୧୫୭୮ ଟଙ୍କା ।

 

ପ୍ରଗତି ସାଧାରଣତଃ ପରିବହନ ବ୍ୟବସ୍ଥା, ଶକ୍ତି, ଜଳସେଚନ, ଅର୍ଥ ବ୍ୟବସ୍ଥା, ଯୋଗାଯୋଗ, ମାନବ ସମ୍ୱଳ ଏବଂ ସ୍ୱାସ୍ଥ୍ୟ ଉପରେ ନିର୍ଭରଶୀଳ । ଏଥିରୁ ପ୍ରଥମ ପାଞ୍ଚଟି ଅର୍ଥନୈତିକ ପ୍ରଗତି ନିମନ୍ତେ ଦାୟୀ ହୋଇଥିବାବେଳେ ଶେଷ ଦୁଇଟି ସାମାଜିକ ପ୍ରଗତିର କାରଣ-। ସ୍ୱାଧିନତା ପରେ ରାଜ୍ୟର ଅର୍ଥନୈତିକ ପ୍ରଗତି ପ୍ରୟୋଜନ ତୁଳନାରେ ଯଥେଷ୍ଟ କମ୍‌ ହୋଇଛି । ଦେଶର ବିକାଶଶୀଳ ପନ୍ଦରଟି ରାଜ୍ୟର ସୂଚୀରେ ଓଡ଼ିଶାର ସ୍ଥାନ ୧୪ରେ ରହିଛି । ପଛରେ ଅଛି କେବଳ ବିହାର । ଯେ କୌଣସି ଉନ୍ନୟନମୂଳକ ପ୍ରକଳ୍ପ କାର୍ଯ୍ୟକାରୀ କରାଇ ଦେଶ ବା ରାଜ୍ୟକୁ ପ୍ରଗତିପଥରେ ଆଗେଇ ନେବା ପାଇଁ ଦରକାର ପ୍ରଚୁର ବିଦ୍ୟୁତ୍‌ ଶକ୍ତି । ଏହି ଶକ୍ତି ଉତ୍ପାଦନ କ୍ଷେତ୍ରରେ ଓଡ଼ିଶା ଏକ ବଳକା ରାଜ୍ୟ ହେବାର ପ୍ରଧାନ କାରଣ ହେଉଛି ଏହାର ବ୍ୟବହାର ନିମନ୍ତେ ରାଜ୍ୟର ଅକ୍ଷମତା । ଠିକ୍‌ ଏହି କାରଣରୁ ଅତୀତରେ ଏଠାରେ ଅନାହାର ଜନିତ ସମସ୍ୟା ଥିଲେ ମଧ୍ୟ ଏହାକୁ ଏକ ବଳଜା ରାଜ୍ୟ ରୂପରେ ଗ୍ରହଣ କରିନିଆ ଯାଇଥିଲା । ଉତ୍ପାଦିତ ଶକ୍ତିର ସୁବିନିଯୋଗ ନିମନ୍ତେ ଏଠାରେ ଯଥାଯଥ ଭିତ୍ତିଭୂମି ଆହୁରି ସୃଷ୍ଟି କରାଯାଇ ପାରି ନଥିବାରୁ ହିଁ ଏହି ଭଳି ଅବସ୍ଥା ହୋଇଛି । ବିଦ୍ୟୁତ୍‌ ଉତ୍ପାଦନ ନିମନ୍ତେ ମୁଖ୍ୟତଃ ମହାନଦୀ ଉପରେ ନିର୍ଭର କରାଯାଇଥାଏ । ଜଳବିଦ୍ୟୁତ୍ ହେଉ ବା ତାପଜ ବିଦ୍ୟୁତ୍ ହେଉ ଉତ୍ପାଦନ ପାଇଁ ପ୍ରଥମେ ଆବଶ୍ୟକ ଜଳ ଏବଂ ଏଥିପାଇଁ ମହାନଦୀ ଏବଂ ତା’ର ଶାଖା ପ୍ରଶାଖାମାନଙ୍କ ଉପରେ ହିଁ ନିର୍ଭର କରାଯାଇଥାଏ । ଭବିଷ୍ୟତରେ ମଧ୍ୟ ଏହି ନିର୍ଭରତା ରହିବ । ଓଡ଼ିଶାର ପ୍ରଥମ ତାପଜ ବିଦ୍ୟୁତ୍ କେନ୍ଦ୍ର ଚୌଦ୍ୱାରଠାରେ ସ୍ଥାପିତ ହୋଇଛି ଏବଂ କଟକକୁ ବିଦ୍ୟୁତ୍‌ ଯୋଗାଇ ଦେବା ପାଇଁ ଆଠ ମେ:ୱା କ୍ଷମତା ବିଶିଷ୍ଟ ଏହି ପ୍ରକଳ୍ପଟି ସ୍ଥାପିତ ହୋଇଛି । ଏଥିପାଇଁ ମହାନଦୀ ହିଁ ପାଣି ଯୋଗାଇ ଦେଉଛି । ମହାନଦୀର ଉପନଦୀ ଇବ୍‌ ଉପତ୍ୟକାରେ ଯେଉଁ ତାପଜ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରଟି ଅଛି ଏହାର ବର୍ତ୍ତମାନ ଉତ୍ପାଦନ କ୍ଷମତା ହେଉଛି ୪୨୦ ମେ:ୱା ବିଦ୍ୟୁତ୍‌ ଶକ୍ତି ଏବଂ ସମ୍ପ୍ରସାରଣ କରାଗଲେ ଏହାର କ୍ଷମତା ଆହୁରି ୫୦୦ ମେ:ୱା ବଢ଼ିଯିବ ।

 

ଏହାଛଡ଼ା ହୀରାକୁଦ ଜଳଭଣ୍ଡାର ଚାରିପଟେ ପ୍ରଚୁର କୋଇଲା ଗଚ୍ଛିତ ଥିବାର ଜଣା ଯାଇଛି । ଜଳର ସୁଲଭତା ହେତୁରୁ ଅନେକେ ସେଠାରେ ତାପଜ ବିଦ୍ୟୁତ୍‌କେନ୍ଦ୍ର ସ୍ଥାପନ କରିବା ପାଇଁ ଆଗ୍ରହୀ । ଭବିଷ୍ୟତରେ ଆହୁରି ଅନେକ କ୍ଷୁଦ୍ର ଜଳବିଦ୍ୟୁତ୍‌ ପ୍ରକଳ୍ପ କାର୍ଯ୍ୟକାରୀ ହେବାର ଯୋଜନା ରହିଛି । ସେଗୁଡ଼ିକ ଭିତରେ ଅଛି ବିରୂପା କ୍ଷୁଦ୍ର ଜଳବିଦ୍ୟୁତ୍ ପ୍ରକଳ୍ପ (ଉତ୍ପାଦନ କ୍ଷମତା ୧୦ ମେ:ୱା) ବରଗଡ଼ ମୁଖ୍ୟ କେନାଲ ପ୍ରକଳ୍ପ (୧୦ ମେ:ୱା.) ଶାସନ ମୁଖ୍ୟ କେନାଲ ପ୍ରକଳ୍ପ (୨ ମେ:ୱା) ଅନ୍ଧାରବାଞ୍ଜି ପ୍ରକଳ୍ପ (୫୦୦ କି:ୱା.) ପୁରୀ ମୁଖ୍ୟ କେନାଲ ପ୍ରକଳ୍ପ (୩୦୦ କି:ୱା.) ପ୍ରଭୃତି । ହିର୍ମା ଗୋପାଳପୁର ପ୍ରଭୃତି ସ୍ଥାପନରେ ତାପଜ ବିଦ୍ୟୁତ୍‌ କେନ୍ଦ୍ରମାନ ସ୍ଥାପନ କରାଯିବାର ଚିନ୍ତା ରହିଛି । କହିବା ବାହୁଲ୍ୟ ଯେ, ଏଥିପାଇଁ ପ୍ରୟୋଜନୀୟ ପାଣି ମହାନଦୀ କିମ୍ବା ତା’ର ଶାଖା ପ୍ରଶାଖାମାନେ ହିଁ ଯୋଗାଇବେ । ଏହି ନଦୀ ଉପରେ ରାଜ୍ୟର ନିର୍ଭରତା କେତେ ଅଧିକ ତାହା ଏହି ଗୋଟିଏ ଘଟଣାରୁ ପ୍ରମାଣିତ ହେବ । ରାଜ୍ୟ ପ୍ରଗତିର ଚାବିକାଠି ହେଉଛି ଏହି ନଦୀ ।

 

ମାତୃରୂପିଣୀ ଏହି ନଦୀ ଆଜି କିନ୍ତୁ ନିଜ ପାଇଁ ସୁରକ୍ଷା ମାଗୁଛି । ମଣିଷର ଅବିଚାରିତ କର୍ମର ପରିଣାମ ସ୍ୱରୂପ ଏହାର ଜଳ ବିଷାକ୍ତ ଏବଂ ପ୍ରଦୂଷିତ । ତା’ ସହିତ ବିପନ୍ନ ରାଜ୍ୟର ସ୍ୱାସ୍ଥ୍ୟ-। ଅନୁକୂଳ ପରିବେଶ ସୃଷ୍ଟି କରି ନଦୀ ଯେଉଁ ଘଞ୍ଚ ଅରଣ୍ୟ ସୃଷ୍ଟି କରିଥିଲା ତାହା ଦ୍ରୁତ ଅବଲୁପ୍ତ । ଫଳରେ ଜଙ୍ଗଲ ଉପରେ ନିର୍ଭରଶୀଳ ଜୀବଜନ୍ତୁଙ୍କର ସ୍ଥିତି ବିପନ୍ନ । ରାଜ୍ୟର ଯେଉଁ ଆଦିବାସୀ ଗୋଷ୍ଠୀ ଏହାକୁ ଅବଲମ୍ବନ କରି ଜୀବିକା ନିର୍ବାହ କରୁଥିଲେ ସେମାନେ ବିପର୍ଯ୍ୟସ୍ତ । ଏଣେ ଜଙ୍ଗଲ ଧ୍ୱଂସ ହେବାରୁ ବୃଷ୍ଟିର ପରିମାଣ ଉଦ୍‌ବେଗ ଜନକ ଭାବରେ ହ୍ରାସ ପାଉଛି । ଅନିଶ୍ଚିତ ପାଣିପାଗ ଭିତରେ ରାଜ୍ୟର ପରିବେଶ ବିଗିଡ଼ିବାରେ ଲାଗିଛି । ଏହାର ସିଧାସଳଖ ପ୍ରଭାବ ପଡ଼ୁଛି ରାଜ୍ୟ ବାସୀଙ୍କର ସ୍ୱାସ୍ଥ୍ୟ ଉପରେ । ନଦୀ ଶଯ୍ୟା ପୋତି ହୋଇ ପଡ଼ିବାରୁ ଏବଂ ସ୍ଥାନେ ସ୍ଥାନେ ଏହାକୁ ପୋତିଦେବାରୁ ଏହା ଆଉ ପୂର୍ବଭଳି ଜଳଧାରଣ କ୍ଷମ ହୋଇ ରହୁନାହିଁ । ବନ୍ୟାର ସମ୍ଭାବନା ବଢ଼ିଚାଲିଛି । କେବଳ ବର୍ଷା ଦିନକୁ ଛାଡ଼ିଦେଲେ ବର୍ଷର ଅଧିକାଂଶ ସମୟ କେତେକ ସ୍ଥାନ ବ୍ୟତୀତ ନଦୀ ଶଯ୍ୟା ଶୁଖିଲା ପଡ଼ୁଛି । କ୍ରମଶଃ ନଦୀ ଆମ ପାଇଁ ସମ୍ପଦ ନହୋଇ ବିପଦ ହେବାରେ ଲାଗିଛି । ଖୁବ୍‌ଶୀଘ୍ର ଏହାର ପ୍ରତିକାର କରା ନଗଲେ ରାଜ୍ୟର ସ୍ଥିତି ବିପନ୍ନ ହୋଇପଡ଼ିବ-

 

ଚାଷ ଅଛି ଯାହାର :–ଭାରତୀୟ ଅର୍ଥନୀତି ମୂଳତଃ କୃଷିନିର୍ଭର । ଜନସଂଖ୍ୟାର ପ୍ରାୟ ୭୦ ଭାଗ ଜୀବିକା ପାଇଁ ଏହା ଉପରେ ନିର୍ଭର କରିଥାଆନ୍ତି । ଓଡ଼ିଶାର ସ୍ଥିତି ମଧ୍ୟ ଅନୁରୂପ । କେବଳ ଏଠାରେ କୃଷି ନିର୍ଭର ଜନସଂଖ୍ୟା କିଛି ଅଧିକ । ଧାନ ହେଉଛି ଏଠାର ମୁଖ୍ୟ ଫସଲ । ନଦୀ ବାହିତ ପଟୁ ଏହାର ଉପକୂଳଅଞ୍ଚଳକୁ ତଥା ନଦୀ ଉପତ୍ୟକାଗୁଡ଼ିକୁ ବେଶ୍‌ ଉର୍ବର କରିଥାଏ-। ଧାନ ବ୍ୟତୀତ ଅନ୍ୟାନ୍ୟ କିଛି ଶସ୍ୟ ମଧ୍ୟ ଏଠାରେ ଉତ୍ପାଦିତ ହୁଏ । ଏଥିରେ ରାଜ୍ୟର ପ୍ରାୟ ଦୁଇତୃତୀୟାଂଶ ଲୋକ ନିଯୁକ୍ତ ରହିଥିଲେ ହେଁ ଉତ୍ପାଦନ ଆଶାନୁରୂପ ହୁଏନାହିଁ, ଉତ୍ପାଦନ ବଢ଼ାଇବା ପାଇଁ ଯେଉଁସବୁ ପଦକ୍ଷେପମାନ ନିଆଯିବା କଥା ବିଭିନ୍ନ କାରଣରୁ ତାହା ନିଆଯାଇ ନପାରିବାରୁ ଏକଦା ବଳକା ପ୍ରଦେଶ ରୂପେ ଚିହ୍ନିତ ଏହି ରାଜ୍ୟ ଖାଦ୍ୟ ଶସ୍ୟ ନିମନ୍ତେ କ୍ରମଶଃ ପର ନିର୍ଭର ହୋଇ ପଡ଼ୁଛି । ଓଡ଼ିଶାର ଚାଷ ଏବେ ମଧ୍ୟ ପାରମ୍ପରିକ । ଏଠାରେ ସାଧାରଣତଃ ଧାନ, ମାଣ୍ଡିଆ, ଗହମ, ବାଜରା, କିଛି ଡାଲି ଜାତୀୟ ଶସ୍ୟ ଏବଂ କିଛି ତୈଳବୀଜ–ଏହି ତିନିପ୍ରକାରର ଶସ୍ୟ ହିଁ ଉତ୍ପନ୍ନ ହୁଏ ।

 

କଦଳୀ ଆମ୍ବ, ଅମୃତଭଣ୍ଡା, ଲେମ୍ବୁ, ସପୁରୀ, ପଣସ, ସପେଟା, ପ୍ରଭୃତି ଫଳ ଧାନ, ମାଣ୍ଡିଆ ଇତ୍ୟାଦିଠାରୁ ଲାଭ ଦାୟକ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ବ୍ୟାବସାୟିକ ଭିତ୍ତିରେ ଏ ସବୁର ଚାଷ ନିମନ୍ତେ ଏଠାରେ ଉଦ୍ୟମ ହୋଇନାହିଁ । ଏ ସବୁ ବାହାରୁ ଆମଦାନି କରାଯାଉଛି । ରାଜ୍ୟରେ ଫୁଲ ଚାହିଦା ପ୍ରଦିଦିନ ବଢ଼ିଚାଲିଥିବାରୁ ବର୍ତ୍ତମାନ ପାଇଁ ଏହା ଏକ ଲାଭଦାୟକ ଚାଷ ହେବ । ମାତ୍ର ଏଥିପ୍ରତି କାହାରି ଦୃଷ୍ଟି ପଡ଼ିନାହିଁ । ଫୁଲ ବି ବାହାରୁ ଅଣାଯାଉଛି । ଝୋଟ, ଆଖୁ, ଧୂଆଁପତ୍ର, କପା, ହଳଦି, ସୋରିଷ, ଧନିଆ, ଜିରା, କୌଣସିଟିରେ ଓଡ଼ିଶା ସ୍ୱନିର୍ଭର ନୁହେଁ । ଚା, କଫି, ରବର ପ୍ରଭୃତି ତ ଏ ରାଜ୍ୟର ନୁହେଁ । ପାରମ୍ପରିକ ଫସଲ ଅପେକ୍ଷା ଏ ସବୁ ଅଧିକ ଅର୍ଥକାରୀ । ମାତ୍ର ଓଡ଼ିଶା ଏଥିପାଇଁ ବାହାର ଉପରେ ନିର୍ଭରଶୀଳ ।

 

ଓଡ଼ିଶାରେ ଅଧିକାଂଶ ଚାଷଜମି ଏକ ଫସଲୀ । ଏହାଦ୍ୱାରା ଜମିର ଉର୍ବରତା କମିଯାଏ-। ଆବଶ୍ୟକତା ଅନୁସାରେ ଉର୍ବରକ ପ୍ରୟୋଗପାଇଁ ଓଡ଼ିଆ ଚାଷୀର ଅଣ୍ଟାରେ ଦମ୍ଭ ନଥାଏ । ସାମାଜିକ କାରଣରୁ ଏଠାରେ ଜମିଗୁଡ଼ିକ ଛୋଟ ଛୋଟ ଖଣ୍ଡରେ ବିଭକ୍ତ ଏବଂ ଚାଷୀ ଅଧିକାଂଶ କ୍ଷେତ୍ରରେ ମାଲିକ ହୋଇ ନଥିବାରୁ ଜମିର ଉନ୍ନତି ନିମନ୍ତେ ବୀତସ୍ପୃହ ହୋଇଥାଆନ୍ତି । ରାସାୟନିକ ଖତସାର ବ୍ୟବହାର ଓଡ଼ିଶାରେ ଖୁବ୍‌ କମ୍ ହୁଏ । ୧୯୯୫-୯୬ର ଏକ ହିସାବ ଅନୁସାରେ ଏଠାରେ ହେକ୍ଟର ପିଛା ମାତ୍ର ୨୨.୫ କେଜି ସାର ବ୍ୟବହାର କରାଯାଇଥିବାବେଳେ, ସେତେବେଳେ ପଞ୍ଜାବରେ ଏହା ଥିଲା ୧୭୪.୭ କେଜି । ଦୁଇବର୍ଷ ମଧ୍ୟରେ ଏଠାରେ ଏଥିରେ ମୋଟେ ୧୨ କେଜି ବୃଦ୍ଧି ହୋଇଥିଲା । ଏବେ ଅବଶ୍ୟ ପୁଣି ପ୍ରାକୃତିକ ଖତସାର ବ୍ୟବହାର କଥା କୁହାଗଲାଣି ।

 

ଉତ୍ପାଦନ ନିର୍ଭରଶୀଳ ଅନୁକୂଳ ପାଣି ପାଗ ଉପରେ । ଏଠାରେ ୭୦ ଭାଗ ଜମି ଏବେ ବି ତ ବର୍ଷା ଉପରେ ନିର୍ଭର କରେ । ବୃଷ୍ଟିପାତର ପରିମାଣ ପ୍ରତ୍ୟେକ ବର୍ଷ ସମାନ ନୁହେଁ କିମ୍ବା ଏହାର ବଣ୍ଟନ ସମାନୁପାତିକ ମଧ୍ୟ ନୁହେଁ । କେତେବେଳେ ବର୍ଷା ଅଭାବରୁ ମରୁଡ଼ି ତ ଆଉ କେତେବେଳେ ଅତି ବୃଷ୍ଟି ହେତୁ ବନ୍ୟା । ପରିଣାମ ଉଭୟ କ୍ଷେତ୍ରରେ ସମାନ ।

 

ଏଠାରେ ୩୦.୫ ଭାଗ ଜମି ଜଳସେଚିତ । ଉଠାଜଳସେଚନ ପ୍ରକଳ୍ପଗୁଡ଼ିକ ଯଥାରୀତି କାର୍ଯ୍ୟକାରୀ ହେଉନଥିବାର ସ୍ୱର ବହୁ ସମୟରେ ଉଠୁଛି । ଏ ଭଳି ସ୍ଥିତିରେ ଚାଷୀ ବର୍ଷାନିର୍ଭର ହୋଇ ଗୋଟିଏ ମାତ୍ର ଫସଲ ଉଠାଇପାରୁଛି । ଯଦିଓ ରାଜ୍ୟରେ ଦୀର୍ଘକାଳ ଧରି ଗୋଟିଏ କୃଷି ବିଶ୍ୱ ବିଦ୍ୟାଳୟ ରହିଛି ଏବଂ ଗୋଟିଏ କେନ୍ଦ୍ରୀୟ ଧାନଗବେଷଣା କେନ୍ଦ୍ର ରହିଛି, ଉଭୟ ହିତାଧିକାରୀ ଏବଂ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଯୋଗାଯୋଗର ଅଭାବରୁ ଓଡ଼ିଶାର କୃଷକମାନେ ଏଥିରୁ କୌଣସି ଲାଭ ପାଇପାରୁ ନାହାନ୍ତି ।

 

ଶିଳ୍ପାୟନ ପଥରେ :–ଓଡ଼ିଶାର ବିକାଶ ପାଇଁ ଏହାର ଶିଳ୍ପକ୍ଷେତ୍ରରେ ସମୁଚିତ ବିକାଶ ସାଧନ ଏକାନ୍ତ ଆବଶ୍ୟକ । ଭାରତର ଅନ୍ୟାନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାର ଏହି କ୍ଷେତ୍ରଟି ହେଉଛି ସର୍ବାଧିକ ଦୁର୍ବଳ ଓ ଅବହେଳିତ । ସ୍ୱାଧୀନତା ପ୍ରାପ୍ତି ବେଳକୁ ଏହାର ଆର୍ଥିକ ସ୍ଥିତି ଭଲ ନ ଥିଲା । କୌଣସି ବୃହତ୍‌ ଶିଳ୍ପସଂସ୍ଥା ମଧ୍ୟ ନଥିଲା । ବଡ଼ ଶିଳ୍ପ ପାଇଁ ଆବଶ୍ୟକ ଭିତ୍ତିଭୂମି ଏଠାରେ ଥିଲେ ମଧ୍ୟ ଏହାର ଶୈଳ୍ପିକ ପ୍ରଗତି ଆଶାନୁରୂପ ହୋଇପାରିନାହିଁ ।

 

ଇଂରେଜ ସାମ୍ରାଜ୍ୟର ଅନ୍ତର୍ଭୁକ୍ତ ହେବା ପୂର୍ବରୁ ଓଡ଼ିଶା ଦୀର୍ଘକାଳ ଆଫଗାନ ମୋଗଲ ଏବଂ ମରହଟ୍ଟାମାନଙ୍କ ଅଧିକାରରେ ରହିଥିବାରୁ ଏହାର ଅର୍ଥନୀତି ପ୍ରାୟ ବିଧ୍ୱସ୍ତ ଅବସ୍ଥାରେ ଥିଲା-। ଇଂରେଜମାନେ ବହୁ ବିଳମ୍ବରେ ଏହାକୁ ଅଧିକାର କଲେ ଏବଂ ଆଧୁନିକ ପ୍ରଗତି କ୍ଷେତ୍ରରେ ଓଡ଼ିଶା ବହୁ ପଛରେ ପଡ଼ିରହିଲା । ବହିରାଗତ ଜାତିମାନଙ୍କର ଶୋଷଣ ମନୋବୃତ୍ତି ଏବଂ ଓଡ଼ିଆମାନଙ୍କର ଉଦାସୀନତା ମଧ୍ୟ ଏହାର ପ୍ରଗତିରେ ବାଧକ ସ୍ୱରୂପ ହୋଇଥିଲା । ସ୍ୱତନ୍ତ୍ର ପ୍ରଦେଶ ହେବାପରେ ସୁଦ୍ଧା ରାଜନୈତିକ ଅସ୍ଥିରତା କାରଣରୁ ଶିଳ୍ପ କ୍ଷେତ୍ରଟି ପୂର୍ବଭଳି ଅବହେଳିତ ରହିଆସିଛି ।

 

ସ୍ୱାଧୀନତା ପରେ ଏଠାରେ ଶିଳ୍ପ ପ୍ରତିଷ୍ଠା ନିମନ୍ତେ ଉଦ୍ୟମ ଅବ୍ୟାହତ ରହିଥିଲେ ମଧ୍ୟ ଆଶାନୁରୂପ ପ୍ରଗତି ହୋଇ ନାହିଁ । ଶିଳ୍ପର ପ୍ରସାର ଦ୍ୱାରା ଏଠାରେ ଖଣିଜସମ୍ପଦର ଯଥାଯଥ ବ୍ୟବହାର କରାଯାଇ ପାରିଲେ, କ୍ରମ ବର୍ଦ୍ଧମାନ ବେକାର ସମସ୍ୟାର ସମାଧାନ ହୋଇ ପାରିବ ଏବଂ ରାଜ୍ୟର ଅର୍ଥନୀତି ମଧ୍ୟ ଦୃଢ଼ ହୋଇ ପାରିବ । ଖଣିଜ ସମ୍ପଦ ରାଜ୍ୟର ସ୍ୱାର୍ଥରେ ବ୍ୟବହୃତ ହୋଇପାରିଲେ ଅନ୍ତତଃ ରାଜ୍ୟବାସୀ ଏହାର ସୁଫଳ ପାଇ ପାରିବେ । ସ୍ୱାଧୀନତା ପରେ ରାଜ୍ୟକୁ ଶିଳ୍ପ କ୍ଷେତ୍ରରେ ପ୍ରଗତିଶୀଳ କରାଇବା ନିମନ୍ତେ ଉଦ୍ୟମ ଆରମ୍ଭ ହୋଇ ସପ୍ତମ ଯୋଜନା ଶେଷ ବେଳକୁ ଏଠାରେ ୨୩୧ଟି ବୃହତ୍ ଏବଂ ମଧ୍ୟମ ଧରଣର ଶିଳ୍ପ ପ୍ରତିଷ୍ଠିତ ହୋଇଥିଲା । ତାହାର ପରବର୍ତ୍ତୀ ପାଞ୍ଚବର୍ଷ (୧୯୯୦-୯୫)ରେ ଏଥିରେ ଆହୁରି ୫୫ଟି ଶିଳ୍ପ ଯୁକ୍ତ ହୋଇଥିଲା ।

 

ବୃହତ୍ ଶିଳ୍ପ ମଧ୍ୟରେ ଏଠାରେ ରହିଛି ଇସ୍ପାତ, ଆଲୁମିନିୟମ୍, ଆଲୁମିନା ସିମେଣ୍ଟ, ଫେରୋ ଆଲୟ, (ମାଙ୍ଗାନିଜ, କ୍ରୋମାଇଟ୍‌ ସିଲିକନ୍‌) ଏବଂ ସାର କାରଖାନା । ସେହିଭଳି ମଧ୍ୟମ ଏବଂ କ୍ଷୁଦ୍ର ଶିଳ୍ପ ମଧ୍ୟରେ ରହିଛି କାର୍ପାସ, ସେରାମିକ୍, କାଚ, ଚିନି, କାଗଜ, ରସାୟନ, ସୋଡ଼ା, ଲୁଣ ପ୍ରଭୃତିର କାରଖାନା । ଏଠାରେ ସାତଟି ସରକାରୀ, ୩୨ଟି ବୃହତ୍ ଭାରି ଶିଳ୍ପ, ୬୧ଟି ବଡ଼ ଶିଳ୍ପ ଏବଂ ୧୨୧ଟି ମଧ୍ୟମ ଧରଣର ଶିଳ୍ପ ରହିଛି ଏହାଛଡ଼ା ଅନେକ କ୍ଷୁଦ୍ର ଏବଂ କୁଟୀର ଶିଳ୍ପ ସଂସ୍ଥା ମଧ୍ୟ ରହିଛି । ସମ୍ପ୍ରତି ଏଠାରେ ଏରୋନଟିକ୍ସ ପ୍ଲାଷ୍ଟିକ୍ ଇଲୋକ୍ଟ୍ରୋନକ୍ସ ତଥା କମ୍ପ୍ୟୁଟର ସାଜସରଞ୍ଜାମ ପ୍ରସ୍ତୁତ ନିମନ୍ତେ କାରଖାନାମାନ ସ୍ଥାପିତ ହୋଇଛି । ଏହାଦ୍ୱାରା ରାଜ୍ୟର ବେକାର ସମସ୍ୟାର କିଛି ସମାଧାନ ହୋଇପାରିବ ବୋଲି ଆଶା କରାଯାଉଛି ।

 

ସ୍ୱାଧୀନତା ପୂର୍ବରୁ ଓଡ଼ିଶାର ଲୁହାପଥର ଜାମ୍‌ସେଦପୁରଠାରେ ଟାଟା ପ୍ରତିଷ୍ଠିତ ଲୁହା କାରଖାନାକୁ ଯୋଗାଇ ଦିଆଯାଇଥିଲା । ପରେ ଓଡ଼ିଶାର ପ୍ରଥମ ଲୁହା କାରଖାନା ହିନ୍ଦୁସ୍ତାନ ଷ୍ଟିଲ୍ ଜର୍ମାନୀ ସହଯୋଗିତାରେ ରାଉରକେଲାଠାରେ ପ୍ରତିଷ୍ଠିତ ହୋଇଛି । ଏଥିପାଇଁ ପାଖରୁ ଲୁହାପଥର, ଚୂନପଥର ଏବଂ ଡୋଲମାଇଟ୍‌ ପ୍ରଭୃତି ଉପଲବ୍ଧ ହେଉଛି । ହୀରାକୁଦରୁ ମିଳୁଛି ବିଦ୍ୟୁତ୍ ଶକ୍ତି । କୁଶଳୀ ଏବଂ ଅଣକୁଶଳୀ କାରିଗରର ଅଭାବ ରହିନାହିଁ । ଏହା ଏକ ଲାଭ ଦାୟକ ସଂସ୍ଥା, ଯାଜପୁର ଜିଲ୍ଲାର ଡୁବୁରୀଠାରେ ନୀଳାଚଳ ଇସ୍ପାତ ନିଗମ ନାମକ ଅନ୍ୟ ଏକ ଇସ୍ପାତ କାରଖାନା ମଧ୍ୟ ପ୍ରତିଷ୍ଠିତ ହୋଇଛି । କଞ୍ଚାମାଲ ପ୍ରଚୁର ପରିମାଣରେ ଗଚ୍ଛିତ ରହିଥିବାରୁ ଏଠାରେ ଦୈତାରୀ, ଗୋପାଳପୁର, ପାରାଦୀପଠାରେ ଇସ୍ପାତ କାରଖାନା ମାନ ପ୍ରତିଷ୍ଠା କରାଯିବାର ଯୋଜନା ଏ ପର୍ଯ୍ୟନ୍ତ କାଗଜପତ୍ରରେ ହିଁ ରହିଛି ।

 

ଓଡ଼ିଶାରେ ଆଲୁମିନିୟମ୍‌ ପଥର ବକ୍‌ସାଇଟ୍ ପ୍ରଚୁର ପରିମାଣରେ ରହିଥିଲେ ମଧ୍ୟ ଦୀର୍ଘକାଳ ଏହାକୁ ବିନିଯୋଗ କରିବା ପାଇଁ କୌଣସି ବ୍ୟବସ୍ଥା କରାଯାଇନଥିଲା । ହୀରାକୁଦଠାରେ ଗୋଟିଏ ଛୋଟ ଧରଣର ଆଲୁମିନା କାରଖାନା ପ୍ରତିଷ୍ଠା କରାଯାଇ ଆଲୁମିନିୟମ ପଥର ବାହାରକୁ ପଠାଯାଉଥିଲା । ତେବେ ଇତି ମଧ୍ୟରେ ଅନୁଗୁଳ ଏବଂ ଦାମନଯୋଡ଼ିଠାରେ ଦୁଇଟି କାରଖାନା ପ୍ରତିଷ୍ଠିତ ହୋଇଛି ଏବଂ ଅନୁଗୁଳ ସ୍ଥିତ ନାଲ୍‌କୋର ନିଜସ୍ୱ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରରୁ ଏଥିପାଇଁ ଶକ୍ତି ଉପଲବ୍ଧ ହେଉଛି । ଅନୁଗୁଳଠାରେ ପ୍ରତିଷ୍ଠିତ ନାଲକୋ କାରଖାନା ହେଉଛି ଏସିଆର ସର୍ବବୃହତ୍‌ କାରଖାନା ଏବଂ ଏଥିରୁ ବାର୍ଷିକ ୪ଲକ୍ଷ ଟନ୍‌ ଆଲୁମିନା ଏବଂ ୧.୩୮ ଟନ୍‌ ଆଲୁମିନିୟମ୍‌ ଉତ୍ପାଦିତ ହେଉଛି ।

 

ମାଙ୍ଗାନିଜ କ୍ରୋମାଇଟ୍‌ ଏବଂ ସିଲିକନ୍‌ରୁ ଫେରୋ ଆଲଏଜ୍‌ ପ୍ରସ୍ତୁତ ହୋଇ ବିଦେଶକୁ ରପ୍ତାନି ହେଉଛି ତଥା ସ୍ଥାନୀୟ ପ୍ରୟୋଜନରେ ମଧ୍ୟ ଲାଗୁଛି । ଯୋଡ଼ା ଏବଂ ରାୟଗଡ଼ା ଠାରେ ଫୋରୋ ମାଙ୍ଗାନିଜ କାରଖାନା ପ୍ରତିଷ୍ଠିତ ହୋଇଛି । ଯାଜପୁର ଠାରେ ଫେରୋ-କ୍ରୋମ କାରଖାନା ତଥା ଚୌଦ୍ୱାରଠାରେ ଚାର୍ଜକ୍ରୋମ କାରଖାନା ପ୍ରତିଷ୍ଠିତ ହୋଇଛି । ରାୟଗଡ଼ାର ଥେରୁବାଲିରେ ଚାଲୁଛି ଫେରୋ-ସିଲିକନ୍ କାରଖାନା । ଏଥିପାଇଁ ପ୍ରଚୁର କଞ୍ଚାମାଲ୍ ଓଡ଼ିଶାରେ ରହିଛି । ପାଖରୁ ବିଦ୍ୟୁତ୍ ଶକ୍ତି ମିଳିପାରୁଛି । ଇସ୍ପାତ ଶିଳ୍ପରେ ରେଳବାଇରେ ତଥା ଉଡ଼ାଜାହାଜ ନିର୍ମାଣରେ ଏହାର ଉପଯୋଗ କରାଯାଇ ଉଦ୍‌ବୃତ୍ତ ମାଲ୍‌କୁ ବିଦେଶ ପଠାଯାଉଛି ।

 

ସିମେଣ୍ଟ ପାଇଁ ଚୂନପଥର ଓ ଡୋଲୋମାଇଟ୍‌ ପ୍ରଚୁର ପରିମାଣରେ ଆବଶ୍ୟକ ହୁଏ ଏବଂ ଏହା ପଶ୍ଚିମ ଓଡ଼ିଶାରେ ଉପଲବ୍ଧ । ରାଜଗାଙ୍ଗପୁର, ବରଗଡ଼, ରାଉରକେଲା ଏବଂ ହୀରାକୁଦଠାରେ ଏହି କାରଣରୁ ସିମେଣ୍ଟ କାରଖାନାମାନ ସ୍ଥାପନ କରାଯାଇଛି । ସେହିଭଳି ବାରଙ୍ଗ, ଲାଠିକଟା, କାନ୍‌ସବାହାଲ, ବେଲପାହାଡ଼, ଏବଂ ରାଜଗାଙ୍ଗପୁର ପ୍ରଭୃତି ସ୍ଥାନରେ ରିଫ୍ରାକ୍ଟୋରୀ ଏବଂ ସେରାମିକ୍ କାରଖାନାମାନ ବସାଯାଇଛି । ବାରଙ୍ଗର କାଚ କାରଖାନା ସ୍ୱାଧିନତା ପୂର୍ବର । ତାଳଚେର, ରାଉରକେଲା, ପାରାଦ୍ୱୀପ ପ୍ରଭୃତି ଠାରେ ସାର କାରଖାନା ବସାଯାଇଛି । ଏଥିରୁ ଉତ୍ପାଦିତ ସାରର ପରିମାଣ ରାଜ୍ୟର ଚାହିଦା ମେଣ୍ଟାଇବା ପାଇଁ ଯଥେଷ୍ଟ ନୁହେଁ । ଇତି ମଧ୍ୟରେ ତାଳଚେର କାରଖାନାଟି ବନ୍ଦ ହୋଇଯିବାରୁ ଅବସ୍ଥା ଆହୁରି ଖରାପ ହୋଇଛି । ଚିନି କାରଖାନା ରହିଛି ଆସ୍କା, ରାୟଗଡ଼ା, ନୟାଗଡ଼, ବରଗଡ଼ ଏବଂ ବଡ଼ମ୍ବାଠାରେ । ଏହାଛଡ଼ା ନରବରଙ୍ଗପୁର ଧରମଗଡ଼ ଏବଂ ଦେଓଗାଁ ଠାରେ ମଧ୍ୟ ଛୋଟ ଛୋଟ କାରଖାନା ମାନ ରହିଛି ।

 

କାଗଜ ପାଇଁ ପ୍ରୟୋଜନୀୟ କଞ୍ଚାମାଲ ହେଲା ବାଉଁଶ-ଯାହା ଓଡ଼ିଶାରେ ରହିଛି, ତେଣୁ ଗୋଟିଏ ସମୟରେ ବ୍ରଜରାଜନଗର, ରାୟଗଡ଼ା, ଚୌଦ୍ୱାରଠାରେ ତିନୋଟି କାଗଜ କଳ ଚାଲୁଥିଲା । ଇତିମଧ୍ୟରେ କୋରାପୁଟଠାରେ ଆଉ ଗୋଟିଏ କଳ ମଧ୍ୟ ସ୍ଥାପିତ ହୋଇଛି । ତେବେ ଚୌଦ୍ୱାର ଓ ବ୍ରଜରାଜନଗର କାରଖାନା ଦୁଇଟି ବନ୍ଦ ହୋଇଯାଇଛି । ଓଡ଼ିଶାର ଏକମାତ୍ର ଲୁଗାକଳ ଯାହା ଚୌଦ୍ୱାରଠାରେ ଥିଲା ତାହା ଅନେକ ଦିନରୁ ବନ୍ଦ ହୋଇ ଯାଇଛି । ଏବେ କେତୋଟି ସମବାୟ ସୂତା କଳ ଏଠାରେ ଚାଲୁଛି । ବରଗଡ଼ ତିର୍ତ୍ତୋଲ (ବନ୍ଦ) ଝାରସୁଗୁଡ଼ା (ବନ୍ଦ) ଆଠଗଡ଼ ଏବଂ ଗୋବିନ୍ଦପୁରଠାରେ ଏସବୁ ରହିଛି ।

 

ଏହାଛଡ଼ା ଓଡ଼ିଶାର କ୍ଷୁଦ୍ର କୁଟୀରଶିଳ୍ପ ମଧ୍ୟରେ ଭଟିମୁଣ୍ଡା ଓ କଣ୍ଟିଲୋର କଂସା ପିତ୍ତଳ ବାସନ, ପୁରୀର ପଥରକାମ, କଟକ ଓ ପାରଳାଖେମୁଣ୍ଡିର ଶିଘଂକାମ ପ୍ରଭୃତି ରହିଛି । ମୋଟାମୋଟି ଭାବରେ ଏହାହିଁ ହେଉଛି ଓଡ଼ିଶାର ଶିଳ୍ପର ସ୍ଥିତି ।

 

ଶିଳ୍ପ କ୍ଷେତ୍ରରେ ଓଡ଼ିଶା ଯେ ବହୁ ପଛରେ ରହିଛି, ଏହା ଜଣାଶୁଣା । ବଡ଼ ଶିଳ୍ପ ଅପେକ୍ଷା ଓଡ଼ିଶାରେ କ୍ଷୁଦ୍ର ଶିଳ୍ପ ଏବଂ କୁଟୀର ଶିଳ୍ପର ପ୍ରସାର ଅଧିକ । ହିସାବରୁ ଜଣା ପଡ଼ିଛି ଯେ, ୧୯୮୮-୮୯ ସୁଦ୍ଧା ଏଠାରେ ୩୨,୮୨୦ଟି କ୍ଷୁଦ୍ର ଶିଳ୍ପ ୟୁନିଟ୍ କାର୍ଯ୍ୟକାରୀ ହେଉଥିଲା । ଏଥିରେ ୩୮୬ କୋଟି ଟଙ୍କା ଖଟାଯାଇ ପ୍ରାୟ ୨,୫,୨୩୭ ଜଣଙ୍କର ନିଯୁକ୍ତି ବ୍ୟବସ୍ଥାର କରାଯାଇ ପାରିଥିଲା । ତେବେ ଶିଳ୍ପ କ୍ଷେତ୍ରରେ ଭାରତର ୧୫ଟି ରାଜ୍ୟ ମଧ୍ୟରେ ଓଡ଼ିଶାର ସ୍ଥାନ ହେଉଛି ୧୪ । ଦେଶର ଶିଳ୍ପ ମାନଚିତ୍ରରେ ଏକ ସମ୍ମାନଜନକସ୍ଥାନ ପାଇବା ଏବେ ମଧ୍ୟ ଓଡ଼ିଶା ପାଇଁ ଏକ ସ୍ୱପ୍ନ ହୋଇ ରହିଛି ।

 

ଦେଶର ପ୍ରଗତି ନିମନ୍ତେ ଭାରୀ ଶିଳ୍ପର ଏକ ପ୍ରମୁଖ ଭୂମିକା ରହିଥାଏ ବୋଲି ଅର୍ଥନୀତିଜ୍ଞମାନେ କହନ୍ତି । ମାତ୍ର ତାହାର ଅନ୍ଧକାର ଦିଗ ମଧ୍ୟ ରହିଛି । ଶିଳ୍ପ ସମାଜକୁ ଘୋର ନୈରାଶ୍ୟ ମଧ୍ୟକୁ ଟାଣି ନିଏ । ଆର୍ଥନୀତିକ ପ୍ରଗତି ହାସଲ କରିବା ସହିତ ଦେଶରେ ହତ୍ୟା, ଲୁଟତରାଜ, ଧର୍ଷଣ, ଗୁଣ୍ଡାମି, ଚୋରି, ଠକାମି, ଡକାୟତି ଇତ୍ୟାଦି ବୃଦ୍ଧିପାଏ । ନୈତିକତା ହୋଇଯାଏ ଏକ ଉପେକ୍ଷିତ ଏବଂ ଉପହସିତ ଇଲାକା । ଶିଳ୍ପୋନ୍ନତ ଦେଶଗୁଡ଼ିକର ଇତିହାସ ବାରମ୍ବାର ଏହି ପରିଣାମ ଆମ ଆଗରେ ଉପସ୍ଥାପିତ କରେ । ସ୍ୱାଧୀନତା ପରେ ଦେଶରେ ଯେତିକି ପ୍ରଗତି ହୋଇଛି ତା’ ସହିତ ପ୍ରତିଦ୍ୱନ୍ଦ୍ୱିତା କରି ବଣିକ ସଂସ୍କୃତିର ଅବଦାନ ସ୍ୱରୂପ ଏଠାରେ ଅରାଜକତା ବଢ଼ି ଚାଲିଛି । ଉଦାରୀକରଣ, ଜଗତୀକରଣ ନାମରେ ଦେଶ ବର୍ତ୍ତମାନ କେଉଁ ବିପଜ୍ଜନକ ବିନ୍ଦୁରେ ଆସି ଠିଆ ହୋଇଛି, ତାହା ଆମେ ଦେଖୁଛୁଁ ।

 

ଏଇ ସ୍ଥିତିରେ ଆମେ ବାରମ୍ବାର ଗାନ୍ଧିଜୀଙ୍କୁ ସ୍ମରଣ କରିଥାଉଁ ଯେ କି ପ୍ରଗତି ନାମରେ ଶିଳ୍ପ ସଂସ୍କୃତିର ଅବାଧ ପ୍ରସାରକୁ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଆପତ୍ତି ଜଣାଇଥିଲେ । ସେ ବାରମ୍ବାର କହୁଥିଲେ ଯେ, ଭାରତ ହେଉଛି ଏକ ଜନବହୁଳ ରାଷ୍ଟ୍ର । ଏହାର ବିପୁଳ ମାନବ ସମ୍ବଳକୁ ଯଥୋଚିତ ଭାବରେ ବ୍ୟବହାର କରିବାକୁ ହେଲେ ଆମକୁ ପ୍ରଥମେ ଯନ୍ତ୍ରସଂସ୍କୃତିର ପ୍ରସାରକୁ ରୋକିବାକୁ ହେବ । ଯନ୍ତ୍ର ଯଦି ମଣିଷର କାମ କରିଦିଏ, ତେବେ କର୍ମର ଅଭାବରେ ମଣିଷ ପ୍ରତିକ୍ରିୟାଶୀଳ ହୋଇପଡ଼ି ସମାଜ ଜୀବନରେ ନାନା ପ୍ରକାର ବିଭ୍ରାଟ ସୃଷ୍ଟି କରିବ । ଗାନ୍ଧିଜୀ ଦ୍ରଷ୍ଟା ଥିଲେ । ତାଙ୍କର ସେଇ ଭବିଷ୍ୟତ ବାଣୀ କେତେ ଅଭ୍ରାନ୍ତ ତାହା ଆମେ ଆଜିର ଏଇ ନୈରାଜ୍ୟକୁ ଦେଖିଲେ ହୃଦୟଙ୍ଗମ କରିପାରିବା ।

 

ତେବେ ଗାନ୍ଧି ପ୍ରଗତିର ରଥକୁ ସମ୍ପୂର୍ଣ୍ଣ ରୂପେ ରୋକିଦେବାକୁ ଚାହୁଁ ନଥିଲେ । ତାଙ୍କର ପ୍ରସ୍ତାବ ଥିଲା ଦେଶରେ ବଡ଼ ବଡ଼ ଶିଳ୍ପମାନ ସ୍ଥାପନ ନ କରି କ୍ଷୁଦ୍ର ଶିଳ୍ପର ପ୍ରତିଷ୍ଠା ଉପରେ ଗୁରୁତ୍ୱ ଦେବାକୁ । କୁଟୀର ଶିଳ୍ପର ପ୍ରସାର ଦ୍ୱାରା ଦେଶରେ ବିପୁଳ କର୍ମ ନିଯୁକ୍ତିର ସୁଯୋଗ ସୃଷ୍ଟି କରିବାକୁ ତାଙ୍କର କାର୍ଯ୍ୟକାରୀ ହୋଇଥିଲେ ଦେଶରେ ଶିଳ୍ପସଂସ୍କୃତିର ଚାକଚକ୍ୟ ଆସିନଥାନ୍ତା ସତ୍ୟ, ତେବେ ଦେଶରେ ଶାନ୍ତି ନିଶ୍ଚୟ ବଜାୟ ରହିଥାଆନ୍ତା । କଳକାରଖାନା ସଂସ୍କୃତିର କଳାଧୂଆଁରେ ସମଗ୍ର ଦେଶ ଆଚ୍ଛାଦିତ ହୋଇ ଆଜି ଯେ ହଜାର ସମସ୍ୟା ସୃଷ୍ଟି କରୁଛି, ସେଥିରୁ ଦେଶ ଅନ୍ତତଃ ରକ୍ଷା ପାଇଯାଆନ୍ତା । ଗାନ୍ଧିଜୀତ ଅନେକ କଥା କହିଥିଲେ, ଧନର ସୁଷମ ବଣ୍ଟନ ପାଇଁ ତାଙ୍କର ନ୍ୟାସୀ ତତ୍ତ୍ୱ (Theory of trusteeship)କୁ ଆମେ ବାଚାଳର ପ୍ରଳାପ ବୋଲି ଭାବି ଅଳିଆ ଗଦାକୁ ଫୋପାଡ଼ି ଦେଲୁଁ । ତେବେ ବେଳେବେଳେ ମନେହୁଏ, ଯଦି ତାହା ସମ୍ଭବପର ହୋଇଥାନ୍ତା, ତେବେ ଆଜି ଆମ ଚାରିପାଖରେ ବିଚ୍ଛିନ୍ନତାବାଦୀମାନଙ୍କର ଏ ଯେଉଁ ତାଣ୍ଡବ ଚାଲିଛି, ତହିଁରୁ ଆମେ ଅନ୍ତତଃ ମୁକ୍ତି ପାଇପାରି ଥାଆନ୍ତେ ତ । ପ୍ରଗତି ନାମରେ ଧ୍ୱଂସର ଏ ଯେଉଁ ରୁଦ୍ରଲୀଳା ଚାଲିଛି, ଦେଶ ସେଥିରୁ ମୁକ୍ତ ଥାଆନ୍ତା ତ ।

 

ଓଡ଼ିଶାରେ ପ୍ରଥମ ଇସ୍ପାତ କାରଖାନାର ଶୁଭ ଉନ୍ମୋଚନ ଅବସରରେ (୧୯୫୭) ସେତେବେଳର ପ୍ରଧାନମନ୍ତ୍ରୀ ନେହେରୁ ରାଉରକେଲାଠାରେ କହିଥିଲେ The big industries, the power houses, the research centres are like the temples of modern India ଏହି ଆବେଗ ପ୍ରବଣ ମନ୍ତବ୍ୟର ଆଧୁନିକ ଭାରତର ତଥାକଥିତ ମନ୍ଦିରଗୁଡ଼ିକରେ କେଉଁ ଦେବତା କେଉଁ ଉପଚାରରେ ପୂଜିତ ହେଉଛନ୍ତି, ତାହା ଆମର ଚିନ୍ତା କରିବାର କୌଣସି ପ୍ରୟୋଜନ ନାହିଁ । କାରଣ ପ୍ରଗତିର ରଥ ଯେଉଁ ବେଗରେ ଛୁଟି ଚାଲିଛି, ତହିଁରେ ଯେ, ସେଇ ପଥରେ କୌଣସି ପ୍ରତିବନ୍ଧକ ସୃଷ୍ଟି କରିବାକୁ ଚାହିଁବ, ସେ ନିଜେ ହିଁ ଗତିର ବେଗରେ ଚୂର୍ଣ୍ଣବିଚୂର୍ଣ୍ଣ ହୋଇଯିବ । ସ୍ରୋତର ପ୍ରବଳ ଶକ୍ତିକୁ ରୋକିବା ସମ୍ଭବ ନୁହେଁ ।

 

ଉପସଂହାର :–ମହାନଦୀ ସମ୍ପର୍କରେ ଅନୁଧ୍ୟାନ କରିବାକୁ ଯାଇ ପ୍ରସ୍ତୁତ ପୁସ୍ତକରେ ଓଡ଼ିଶାର ଏକ ପୂର୍ଣ୍ଣାଙ୍ଗ ଚିତ୍ର ଉପସ୍ଥାପନ କରିବାକୁ ଚେଷ୍ଟା କରାଯାଇଛି, ଅତୀତ ଓ ବର୍ତ୍ତମାନର ସମ୍ପୂର୍ଣ୍ଣ ସ୍ଥିତିକୁ ଏକାଠି କରି ଏହି ଚିତ୍ର ପ୍ରସ୍ତୁତ ହୋଇଛି । ଏଥିରେ ଓଡ଼ିଶାର ସୃଷ୍ଟି, ଏହାର ଭାଷା, ଲିପି, ସମାଜ କଳା ସ୍ଥାପତ୍ୟ, ସଙ୍ଗୀତ ନୃତ୍ୟ, ତୀର୍ଥ କ୍ଷେତ୍ର, ବାଣିଜ୍ୟ ବ୍ୟବସାୟ, ଶିଳ୍ପ, ଜନଜାତି, ରାଜବଂଶ, ସେ କାଳର ଜନଜୀବନ, ବୈଦେଶିକ ଆକ୍ରମଣ, ଇଂରେଜ ଶାସନରେ ଓଡ଼ିଶା, ଏବଂ ଶେଷରେ ଏହାର ସାମ୍ପ୍ରତିକ ସ୍ଥିତି ସମ୍ପର୍କରେ ସବିଶେଷ ଆଲୋଚନା କରାଯାଇଛି । ବିଭିନ୍ନ ଯୁଗରେ ଓଡ଼ିଶାର ରାଜନୈତିକ, ଅର୍ଥନୈତିକ ଏବଂ ସାମାଜିକ ସ୍ଥିତ ବିଶ୍ଳେଷଣ କରାଯିବା ନିମନ୍ତେ ମଧ୍ୟ ଏଥିରେ ଉଦ୍ୟମ କରାଯାଇଛି ।

 

ପୁରାତତ୍ତ୍ୱବିତ୍‌ମାନେ ଓଡ଼ିଶାକୁ ମହାନଦୀର ଦାନ ବୋଲି କହିଥାଆନ୍ତି । ଓଡ଼ିଶାର ଚିତ୍ର ଦେଖୁଥିଲାବେଳେ, ଓଡ଼ିଶା ସମ୍ପର୍କରେ ଆଲୋଚନା କରୁଥିବାବେଳେ ଏହି ଉକ୍ତିର ସାରବତ୍ତା ପ୍ରତ୍ୟେକ ମୁହୂର୍ତ୍ତରେ ଅନୁଭବ କରିହୁଏ । କାରଣ ସମ୍ବଲପୁର ଜିଲ୍ଲାରେ ଓଡ଼ିଶାରେ ପ୍ରବେଶ କରିବା ପରେ ମହାନଦୀ ଏବଂ ତା’ର ଶାଖାନଦୀ ଉପନଦୀମାନେ ହିଁ ଓଡ଼ିଶାର ଭୌଗୋଳିକ ରୂପ (Topography) ନିର୍ମାଣରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବାର ଦେଖାଯାଉଛି । ଅନ୍ୟ ଅର୍ଥରେ କରିବାକୁ ଗଲେ, ଯଦି ମହାନଦୀ ନଥାନ୍ତା, ତେବେ ଓଡ଼ିଶା ମଧ୍ୟ ନଥାନ୍ତା, କିମ୍ବା ଥିଲେ ତାହା ରୂପ ହୋଇଥାଆନ୍ତା ସମ୍ପୂର୍ଣ୍ଣ ଅନ୍ୟପ୍ରକାରର । ଉପର ମୁଣ୍ଡର ନରାଜ ପର୍ଯ୍ୟନ୍ତ ମହାନଦୀ ପ୍ରବାହିତ ହୋଇଛି ମାଳଭୂମିରେ । ସେଇଠୁ ତାହା ସମତଳ ଭୂମିରେ ପ୍ରବେଶ କରିଛି । ମାଳଭୂମିର ରୁକ୍ଷ କଙ୍କରିଳ ଏବଂ କର୍କଶ ରୂପକୁ ସବୁଜଶ୍ରୀ ମଣ୍ଡିତ କରିବା ପଛରେ ରହିଛି ମହାନଦୀର ବିପୁଳ ଅବଦାନ । ସେଦିନ ସୁକାନ୍ତି ମହର୍ଷିଙ୍କର ଅଦମ୍ୟ ଇଚ୍ଛାରେ ଦକ୍ଷିଣାପଥର ଏକ ମରୁ ଅଞ୍ଚଳକୁ ଶ୍ୟାମଳିମାରେ ଭରି ଦେବା ପାଇଁ ଦେବୀଗଙ୍ଗା ମହାନଦୀ ରୂପରେ ଆତ୍ମପ୍ରକାଶ କରି କହିଥିଲେ ।

 

ସ୍ୱନାମ୍ନା ଚାତ୍ର ବିଖ୍ୟାତଂ ନ ଗଚ୍ଛାମି ଦ୍ୱିଜୋତ୍ତମ ।

ମହାନଦୀତି ବିଖ୍ୟାତଂ ଗମିଷ୍ୟାମିତ୍ର ସର୍ବଦା ।।

(କପିଳସଂହିତା-୨ୟଅ ୩୨-୩୯)

ଅର୍ଥାତ୍ ଅନନ୍ତର ସୁକାନ୍ତିଙ୍କୁ କହିଲେ ଏ ଗିର,

ହୋଇନାହିଁ ମୋର ନାମ ଖ୍ୟାତ ଜଗତରେ ।।

ମହାନଦୀ ନାମେ ମୁହିଁ ରହିବି ଉତ୍କଳେ,

ଯେତେକାଳ ଏ ଦେଶରେ ଥିବେ ଜୀବଗଣ ।।

(ଅନୁ :–ଗୋପୀନାଥ ମହାପାତ୍ର କାଳତୀର୍ଥ; :–୧୯୨୩)

 

ସିହାୱା ପର୍ବତରୁ ପୂର୍ବସାଗର ଗାମିନୀ ହୋଇ ମହାନଦୀ ନାମରେ ଗଙ୍ଗା ଉତ୍କଳରେ ବହିଯିବେ ବୋଲି ସେଦିନ ସୁକାନ୍ତିଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ତାଙ୍କର ସେଇ ପ୍ରତିଶ୍ରୁତି ହେଉଛି ଆଜିର ଉତ୍କଳ ।

 

ଏହା ପୂର୍ବରୁ ଗୋଟିଏ ପ୍ରଶ୍ନ ଉଠାଯାଇଛି । ମହାନଦୀକୁ ପ୍ରକୃତରେ ଓଡ଼ିଶାର ଦୁଃଖ ବୋଲି କହିବା ଉଚିତ ହେବ କି ? ଏହାର ଏକ ଯଥାର୍ଥ ଉତ୍ତର ଦେବା ସମ୍ଭବ ନୁହେଁ । ନଦୀ ହେଉଛି ଗୋଟିଏ ଅଞ୍ଚଳର ସୁଖ ସମୃଦ୍ଧିର ପ୍ରତୀକ । ତେଣୁ ତ ଆଚାର୍ଯ୍ୟ ଚାଣକ୍ୟ ନଦୀହୀନ ଦେଶରେ ବସତି ସ୍ଥାପନ କରିବା ଉଚିତ ନୁହେଁ ବୋଲି କହିଥିଲେ । ଜୀବନ ପାଇଁ ଜଳର ଅପରିହାର୍ଯ୍ୟତାକୁ ଉପଲବ୍ଧି କରି ପୃଥିବୀର ବଡ଼ବଡ଼ ସଭ୍ୟତା ନଦୀ ଉପତ୍ୟକାରେ ହିଁ ପ୍ରତିଷ୍ଠିତ ହୋଇଥିଲା । ଦୁଃଖ ହେଉଛି ସୁଖର ଅନ୍ୟପଟ । ଗୋଟିଏ ଅଛିତ ଅନ୍ୟଟି ମଧ୍ୟ ଅଛି । ଅବିମିଶ୍ର ସୁଖ ଜୀବନରେ କିମ୍ବା ଜଗତରେ ଉପଲବ୍ଧ ନୁହେଁ । ମହାନଦୀ ଦ୍ୱାରା ଏ ରାଜ୍ୟରେ ଯେଉଁ କ୍ଷୟ କ୍ଷତି ହେଉଛି, ତାକୁ ତେଣୁ ଜାଗତିକ ନିୟମର ଏକ ଅପରିବର୍ତ୍ତନୀୟ ବ୍ୟବସ୍ଥା ରୂପରେ ଗ୍ରହଣ କରିନେବାକୁ ହେବ । ପ୍ରକୃତିକୁ ନିୟନ୍ତ୍ରଣ କରି ତାକୁ ନିଜ କାର୍ଯ୍ୟରେ ଲଗାଇବା ପାଇଁ ସ୍ରଷ୍ଟା ମଣିଷକୁ ବୁଦ୍ଧି ଦେଇଛନ୍ତି । ସେଇ ବୁଦ୍ଧିର ପ୍ରୟୋଗ କରି ସେ ଆଜି ମଙ୍ଗଳ ଗ୍ରହ ଅଭିଯାନ କରିବାକୁ ପ୍ରସ୍ତୁତ ହେଲାଣି । ଆଦିମାନବ ପ୍ରଥମେ କାଠଖଣ୍ଡିଏ ନଦୀରେ ଭସାଇ ନଦୀ ଅଭିଯାନରେ ବାହାରି ପଡ଼ି ତହିଁରେ ସଫଳତା ପାଇଥିଲା । ଆଜି ଏକବିଂଶ ଶତାବ୍ଦୀରେ ଶିଳ୍ପ ସଂସ୍କୃତିର ଅହଙ୍କାରରେ ତାହା ହେବ, ତା’ର ଶକ୍ତି ଓ ସାମର୍ଥ୍ୟର ପ୍ରଚଣ୍ଡ ଅପମାନ । ମହାନଦୀକୁ ନିୟନ୍ତ୍ରଣ କରି ନପାରି ତାକୁ ଯଦି ଆମେ ନିଜର ପ୍ରୟୋଜନରେ ବ୍ୟବହାର କରି ନପାରି ତାକୁ ତେବେ ସେ ଦୋଷ ତାର ନୁହେଁ, ତାହା ଆମ ଅସାମର୍ଥ୍ୟର ।

 

ଏଇ ନଦୀ ପାଇଁ ରାଜ୍ୟର ଯେଉଁ ପ୍ରଗତି ହୋଇଛି ବା ହେଉଛି ସେ କଥା ଭୁଲିଗଲେ ଚଳିବ ନାହିଁ । ଅନ୍ତତଃ ମହାନଦୀର ଭୂମିକାକୁ ଏଇ ଭଳି ଦାର୍ଶନିକ ଦୃଷ୍ଟିରୁ ଦେଖିବାକୁ ହେବ । ମଣିଷର ସର୍ବନିମ୍ନ ପ୍ରୟୋଜନ ଆହାର, ବସ୍ତ୍ର ଓ ବାସଗୃହ-ଏ ତିନୋଟି ପାଇଁ ଓଡ଼ିଶାବାସୀ ଅତୀତରୁ ବର୍ତ୍ତମାନ ପର୍ଯ୍ୟନ୍ତ ମହାନଦୀ ଉପରେ ଯେଉଁ ଭଳି ଭାବରେ ନିର୍ଭର କରି ଆସୁଛନ୍ତି ସେ କଥାକୁ ସବୁବେଳେ ମନେ ରଖିବାକୁ ହେବ । ଆମେ ଶିଳ୍ପ ପ୍ରଗତିର କଥା କହୁଛୁଁ ଏବଂ ଶିଳ୍ପମାନଚିତ୍ରରେ ଓଡ଼ିଶା ସମ୍ମାନ ଜନକ ସ୍ଥାନ ପାଇନାହିଁ ବୋଲି କ୍ଷୋଭ ପ୍ରକାଶ କରୁଛୁଁ । ତେବେ ଯେତିକି ଶିଳ୍ପ ଓଡ଼ିଶାରେ ପ୍ରତିଷ୍ଠିତ ହୋଇ ପାରିଛି, ସେଥିପାଇଁ ମହାନଦୀର ଅବଦାନ କେତେ ଏ କଥା ସ୍ମରଣ କରୁଛୁ ତ ? ହୀରାକୁଦ ବିଦ୍ୟୁତ୍‍ ପ୍ରକଳ୍ପରୁ ଯଦି ବିଦ୍ୟୁତ୍ ଉତ୍ପାଦନ ବନ୍ଦ ହୋଇଯାଏ ତେବେ ଶିଳ୍ପ କଥା ପଛକୁ ଥାଉ ଓଡ଼ିଶାର ସାଧାରଣ ଜୀବନଯାତ୍ରା କିଭଳି ଅଚଳ ହୋଇ ପଡ଼ିବ, ଏକଥା କେବେ ଭାବିଛୁଁ କି ? ଜଳ ଯୋଗାଣ ଯଦି ବନ୍ଦ ହୋଇଯାଏ ତେବେ ରାଜ୍ୟର କୃଷି ବ୍ୟବସ୍ଥା କିଭଳି ଭୁଶୁଡ଼ି ପଡ଼ିବ, ତାହା ଚିନ୍ତା କରି ଦେଖିଛୁଁ କି ? ଓଡ଼ିଶାରେ ବର୍ତ୍ତମାନ ଜାଲ ଭଳି ବିଛେଇ ହୋଇ ପଡ଼ିଛି ଯେତେ କେନାଲ କରନାଳ ପ୍ରତ୍ୟେକର ଶିରାରେ କାହାର ଜଳ ପ୍ରବାହିତ ହେଉଛି ଏକଥା କେବେ ମନେପଡ଼ୁଛି କି ?

 

ଓଡ଼ିଶା ଦିନେ ଥିଲା ପ୍ରକୃତିର ସୁରମ୍ୟ ନନ୍ଦନ କାନନ । ଏହାର ଗିରିବନ, ହ୍ରଦ ଝରଣା, ପଶୁପକ୍ଷୀ, ଫୁଲଫଳ, ସବୁ ଦିନେ ଏହାକୁ ଦେବତାର ବାସଭୂମି ରୂପେ ପରିଚିତି ଦେଇଥିଲା । ପ୍ରକୃତିର ଯେଉଁ ବିଚିତ୍ର ରୂପ ଓଡ଼ିଶାରେ ଦେଖିବାକୁ ମିଳୁଥିଲା, ତାହା ଅତ୍ୟନ୍ତ ସୁଲଭ ନଥିଲା ବୋଲି ବହୁ ବିଦେଶୀ ପର୍ଯ୍ୟଟକ ମୁକ୍ତ କଣ୍ଠରେ ସ୍ୱୀକାର କରିଥିଲେ । ବିଶେଷରେ ଏହାର ନିଘଞ୍ଚ ଅରଣ୍ୟ ଥିଲା ପ୍ରକୃତିର ଅବାଧ ଲୀଳାସ୍ଥଳ । ଏହି ଆରଣ୍ୟ ପ୍ରକୃତିର ସୃଷ୍ଟି ପଛରେ ମହାନଦୀର ଯେଉଁ ଅନନ୍ୟ ଭୂମିକା ସେ କଥାକୁ କିଏ ଅସ୍ୱୀକାର କରିବ ? ଦିନେ ମହାନଦୀର ଦୁଇ ତୀର ଥିଲା ଘଞ୍ଚ ଅରଣ୍ୟ ପୂର୍ଣ୍ଣ । ମୂଲ୍ୟବାନ ବନସ୍ପତି ସବୁ ସଗର୍ବରେ ଆକାଶର ସୀମା କଳିବାକୁ ସତେ ଯେମିତି ମଥାଟେକି ଦଣ୍ଡାୟମାନ ରହିଥିଲେ । ପ୍ରକୃତିର ଭାରସାମ୍ୟ ବଜାୟ ରଖିବାକୁ ଏଇ ଅରଣ୍ୟରେ ପୂର୍ଣ୍ଣଥିଲେ ବହୁ ଜୀବଜନ୍ତୁ । ହିଂସ୍ର ଥିଲେ, ଅହିଂସ୍ର ବି ଥିଲେ । ଶୁଣାଯାଏ ସାତକୋଶିଆ ଗଣ୍ଡରେ ନଦୀଗର୍ଭ ଯେମିତି କୁମ୍ଭୀର ସଙ୍କୁଳ ଥିଲା ନଦୀତୀରରେ ଅରଣ୍ୟ ସେମିତି ବହୁ ହିଂସ୍ରଜନ୍ତୁ ପୂର୍ଣ୍ଣ ଥିଲା । ନଦୀକୂଳର ବାଘ, ଆଉ ପାଣିର କୁମ୍ଭୀର ନୌଯାତ୍ରୀ ନାବିକମାନଙ୍କୁ ସଦାସନ୍ତ୍ରସ୍ତ କରି ରଖିଥିଲେ । ତଥାପି ସେମାନେ ଥିଲେ । ନିଜର ନିରାପତ୍ତା ପାଇଁ ନିଜର ସର୍ବଗ୍ରାସୀ କ୍ଷୁଧା ମେଣ୍ଟାଇବା ପାଇଁ ମଣିଷ ନିର୍ବିକାର ଚିତ୍ତରେ ସେମାନଙ୍କୁ ହତ୍ୟାକଲା । ତା’ପରେ ପ୍ରଗତି ନାମରେ ଲୁଟକଲା ତୀରରଅରଣ୍ୟକୁ । ଫଳରେ ପରିବେଶ ବଦଳିଯାଇ ବହୁ ଗୁରୁତର ସମସ୍ୟା ସୃଷ୍ଟି ହେଲା ବା ହେଉଛି । ରାଜ୍ୟର ପାଣିପାଗ ବଦଳି ଗଲା । ଉତ୍ତାପ ବଢ଼ିଲା । ବର୍ଷାର ଅଭାବରେ ମରୁଡ଼ି ହେଲା । ଅସୀମ ବର୍ଷା ଫଳରେ ବନ୍ୟା ମାଡ଼ିଆସିଲା । ବଣଜଙ୍ଗଲ ନଷ୍ଟ ହେବାରୁ ବାତ୍ୟାର ପ୍ରକୋପ ଅସହ୍ୟ ହେଲା । ପାଣିପାଗ ପରିବର୍ତ୍ତନର ପ୍ରତ୍ୟେକ୍ଷ ପ୍ରଭାବ ମଣିଷର ସ୍ୱାସ୍ଥ୍ୟ ଉପରେ ପଡ଼ିଲା । ଏ ସବୁକୁ ଆମେ ଭୁଲିଯିବା ? ଭୁଲିଯିବା ଏସବୁ ସହିତ ମହାନଦୀର ପ୍ରତ୍ୟେକ୍ଷ ସମ୍ପର୍କକୁ ?

 

ପ୍ରକୃତିର ଭାରସାମ୍ୟ ବଜାୟ ରଖିବାକୁ ଜୀବଜନ୍ତୁ ମାନଙ୍କର ସୃଷ୍ଟି । ଏମାନେ ଦିନେ ଥିଲେ । ଆଜି ନାହାନ୍ତି ବା ଅଭୟାରଣ୍ୟର ସୀମାବଦ୍ଧ କ୍ଷେତ୍ରରେ ଗୃହବନ୍ଦୀର ଜୀବନ ଯାପନ କରୁଛନ୍ତି । ସେଠାରେ ମଧ୍ୟ ସେମାନେ ନିରାପଦ ନୁହନ୍ତି । ଆଇନ୍‍ ସତ୍ତ୍ୱେ ସେମାନଙ୍କର ନିର୍ବିଚାର ହତ୍ୟା ଚାଲିଛି । ବାସସ୍ଥାନ ଚ୍ୟୁତ ହୋଇ ସେମାନେ ବାରମ୍ବାର ଲୋକାଳୟକୁ ପଶିଆସି ସେଠାରେ ନାନାପ୍ରକାର ଉତ୍ପାତ ସୃଷ୍ଟି କରୁଛନ୍ତି । ଜନବସତିର ଚାପରେ ସେମାନଙ୍କର ବାସସ୍ଥାନ ନଷ୍ଟ ହେଇଛି-। ସେମାନେ ତେବେ ଯିବେ କୁଆଡ଼େ ? ମହାନଦୀର ସାତ କୋଶିଆରେ ବହୁ କାଳରୁ ପୁତ୍ର ପ୍ରପୌତ୍ର କ୍ରମେ ବାସ କରି ଆସୁଥିଲେ ଯେଉଁ କୁମ୍ଭୀର କୁଳ ସେମାନଙ୍କୁ ଆମେ ସବଂଶେ ନିପାତ କଲୁ । ସେମାନଙ୍କୁ ଖୋଜିଲା ବେଳକୁ ଆଉ ସେମାନେ ନଥିଲେ । କୁମ୍ଭୀର ବଞ୍ଚାଇବା ପାଇଁ ତା’ର ଅଣ୍ଡାଟିଏ ପାଇଁ ଆମକୁ ସୁଦୂର ନେପାଳ ପର୍ଯ୍ୟନ୍ତ ଦୌଡ଼ିବାକୁ ପଡ଼ିଲା । ବାଘ, ଭାଲୁ, ହାତୀ, ଗୟଳ, ବଣମଇଁଷି ଯେଉଁମାନେ ସବୁ ଦିନେ ଥିଲେ ଅରଣ୍ୟର ଅଳଙ୍କାର ହୋଇ, ଦିନେ ସେମାନେ ମଧ୍ୟ ଅଦୃଶ୍ୟ ହେବେ । ମହାନଦୀ କଲ୍ୟାଣରୁ ଦିନେ ଏମାନେ ଅବାଧରେ ତା’ର ତୀରରେ ବସବାସ କରୁଥିଲେ । ଆଜି ମହାନଦୀ ଯେତେବେଳେ ନିଜେ ବିପନ୍ନ ସେତେବଳେ ସେମାନଙ୍କୁ ବା ସୁରକ୍ଷା ଦେବ କିଏ ?

 

ନଦୀଶଯ୍ୟା ସବୁ ଦ୍ରୁତ ଗତିରେ ପୋତି ହୋଇ ପଡ଼ୁଥିବାରୁ ବନ୍ୟାର ପ୍ରକୋପ ଦିନକୁ ଦିନ ବଢ଼ିବାରେ ଲାଗିଛି । କାହିଁକି ନଦୀ ଶଯ୍ୟା ପୋତିହେଉଛି, ଏ ପ୍ରଶ୍ନର ଉତ୍ତର ହେଉଛି ନଦୀର ତଟବର୍ତ୍ତୀ ଅଞ୍ଚଳରେ ମୃତ୍ତିକାକ୍ଷୟ । ନଦୀ ପ୍ରଦୂଷଣ ବର୍ତ୍ତମାନ ଏକ ଗୁରୁତର ସଙ୍କଟ ରୂପେ ଦେଖାଦେଇ ସମାଜକୁ ରୁଗ୍‍ଣ କରି ଦେଉଛି । ବନ୍ୟା ମଣିଷର ବହୁକ୍ଷତି କରୁଛି ସତ୍ୟ, ତେବେ ଏହାର ମଧ୍ୟ ଏକ ଆଲୋକିତ ଦିଗ ରହିଛି । ଅଭିଜ୍ଞ ଚାଷୀମାନଙ୍କଠୁଁ ଶୁଣିବାକୁ ମିଳେ ଯେ, ବନ୍ୟାପରେ ସେମାନେ ତିନିବର୍ଷର ଫସଲ ଗୋଟିଏ ବର୍ଷରେ ଅମଳ କରନ୍ତି । ହୁଏତ ଏଥିରେ କିଛି ଅତିଶୟୋକ୍ତି ଥାଇପାରେ । ତେବେ ଅଧିକ ଫସଲ ଅମଳ କରିବା କଥାଟି ସତ୍ୟ । ପୁଣି ବନ୍ୟାଜଳ ଦୁଇ ତୀରର ଆବର୍ଜନାକୁ ସଫା କରି ଦେଇ ଗ୍ରାମାଞ୍ଚଳର ଯେଉଁ ମହାନ ଉପକାରଟି କରେ, ସେ କଥା ମଧ୍ୟ ଭୁଲିଗଲେ ଚଳିବ ନାହିଁ । ପ୍ରତ୍ୟେକ ଘଟଣାର ଦୁଇଟି ଦିଗ ଥାଏ । ବିଚାର କରିବାକୁ ବସି କେବଳ ଗୋଟିଏ ଦିଗକୁ ଧରି ବସିଲେ ତାହା ପକ୍ଷପାତ ହିଁ ହୁଏ ।

 

ପ୍ରଦୂଷିତ ନଦୀଜଳର ସମସ୍ୟା କେବଳ ମହାନଦୀକୁ ନେଇ ହେଉ ନାହିଁ । ଭାରତର ପ୍ରଖ୍ୟାତ ନଦୀ ଗଙ୍ଗା, ଯମୁନା ପ୍ରଭୃତିର ସାମ୍ପ୍ରତିକ ଅବସ୍ଥାକୁ ଦେଖିଲେ ମଧ୍ୟ ଏହାର ସତ୍ୟତା ଉପଲବ୍ଧି କରିହେବ । ବୈଷ୍ଣବ ସାହିତ୍ୟରେ ଯେଉଁ ଯମୁନାର ନୀଳଜଳ ବେଣୀର ଭୁରିଭୁରି ବର୍ଣ୍ଣନା ରହିଛି ତା’ର ଶୁଭ୍ରଛାୟା ଦେଖୁନାହିଁ । ମଥୁରା, ଆଗ୍ରା, ଦିଲ୍ଲୀ ଯେଉଁଠିକି ଗଲେ ତରଳ ଆଲକାତରା ଭଳି ତାହାର ପ୍ରଦୂଷିତ ଜଳ ହିଁ ଦେଖାଯିବ । ଏ ଏକ ଦୃଷ୍ଟାନ୍ତ ମାତ୍ର । ଆଜି ଭାରତର ଅଧିକାଂଶ ନଦୀର ଏଇ ଦୁରବସ୍ଥା । ବର୍ଦ୍ଧିତ ଜନସଂଖ୍ୟା ଜନିତ ବିପୁଳ ପରିମାଣର ବର୍ଜ୍ୟବସ୍ତୁର ନଦୀରେ ଅବାଧ ନିଷ୍କାସନ, କଳକାରଖାନାର ଉଦ୍‍ବୃତ୍ତ ଆବର୍ଜନାର ଯଥେଷ୍ଟ ନିକ୍ଷେପଣ ନଦୀ ଶଯ୍ୟା କ୍ରମଶଃ ପୋତି ହୋଇ ପଡ଼ିବା ଏବଂ ସେଥିରେ ବିଭିନ୍ନ ସ୍ଥାନରେ ବନ୍ଧବାଡ଼ ନିର୍ମାଣ କରା ଯିବା ଫଳରେ ନଦୀସ୍ରୋତରେ କ୍ଷୀଣତା ପ୍ରଭୃତି ବହୁ କାରଣ ଏହାର ଥାଇପାରେ । ପବିତ୍ର ଗଙ୍ଗାନଦୀ ମଧ୍ୟ ଆଜି ଏକ ଜାତୀୟ ସମସ୍ୟା ରୁପରେ ଉଭା ହୋଇଛି । ଗଙ୍ଗାର ସେଇ ପାପନାଶିନୀ ଶକ୍ତି ଉପରେ ପ୍ରଶ୍ନ ଚିହ୍ନ ଲାଗି ଯାଇଛି ।

 

ମହାନଦୀ ମଧ୍ୟ ଏହାର ବ୍ୟତିକ୍ରମ ନୁହେଁ । ସମ୍ବଲପୁରଠାରୁ ଏହାର ଜଳ ପ୍ରଦୂଷିତ ହେଉଛି । ଓଡ଼ିଶାର ପ୍ରଖ୍ୟାତ ସାହିତ୍ୟିକ ତଥା ରାଜନୀତିଜ୍ଞ ସ୍ୱର୍ଗତଃ ଶ୍ରଦ୍ଧାକର ସୂପକାର ଯଥାର୍ଥରେ କହିଛନ୍ତି ମହାନଦୀ ହେଉଛି ଏହି ଅଞ୍ଚଳର ମାଆ ତେବେ ପ୍ରଦୂଷଣ କାରଣରୁ ଏବେ ଏହାର ଜଳ ଆଉ ବ୍ୟବହାର ଯୋଗ୍ୟ ହୋଇ ରହିନାହିଁ । କଟକ ପାଖରେ ଉଭୟ ମହାନଦୀ ଓ ତାର ଶାଖା କାଠଯୋଡ଼ିର ଅବସ୍ଥା ଅତ୍ୟନ୍ତ ଶୋଚନୀୟ, ଚୌଦ୍ୱାରଠାରେ ଥିବା ବିଭିନ୍ନ କାରଖାନାର ବିଶେଷ କରି କାଗଜ କଳଟିର (ଏବେ ବନ୍ଦ) ବିଷାକ୍ତ ବର୍ଜ୍ୟ କଠିନ ଓ ତରଳ ବସ୍ତୁକୁ ନିର୍ବିକାର ଭାବରେ ମହାନଦୀରେ ପକାଇ ଦିଆ ଯିବା ଫଳରେ ଏହାର ଜଳ ପ୍ରଦୂଷିତ ହୋଇ କଟକ ସହର ଓ ଏହାର ନିମ୍ନରେ ଥିବା ଗ୍ରାମ / ସହରର ସ୍ୱାସ୍ଥ୍ୟ ପାଇଁ ଉଦ୍‍ବେଗର କାରଣ ହୋଇଛି । କଟକ ବଡ଼ ଡାକ୍ତରଖାନାରେ ଟନ୍‍ଟନ୍‍ ବର୍ଜ୍ୟବସ୍ତୁ କାଠଯୋଡ଼ିରେ ବିସର୍ଜିତ ହେଉଛି । କଟକ ସହରର ଆବର୍ଜନା ନିଷ୍କାସନ ପାଇଁ କାଠଯୋଡ଼ି ହିଁ ହୋଇଛି ଏକ ଡଷ୍ଟବିନ୍ । ଏ ସବୁ ଆବର୍ଜନାରେ କ’ଣ ଥିବ ଏବଂ ମଣିଷ ପାଇଁ ସେ ସବୁ କିଭଳି ହାନି କାରକ ତାହା ବୁଝାଇ କହିବା ଆବଶ୍ୟକ ନାହିଁ ।

 

ଏଥିପାଇଁ ସରକାର ଆଇନ୍‌ କରିଛନ୍ତି ଏବଂ ନିୟମ ଠିକ୍‌ ଭାବରେ ପାଳିତ ହେଉଛି କିମ୍ବା ନାହିଁ, ସେ ସବୁ ତନଖି ଦେଖିବା ନିମନ୍ତେ କର୍ମଚାରୀ ମଧ୍ୟ ଅଛନ୍ତି । ଏହା ସତ୍ତ୍ୱେ ସ୍ଥିତିରେ କୌଣସି ପରିବର୍ତ୍ତନ ହେଉନାହିଁ । ନିକଟ ଅତୀତରେ କଟକ ତଳେ କାଠଯୋଡ଼ି ତୀରରେ ବାସ କରୁଥିବା କେତୋଟି ଗ୍ରାମର ଗ୍ରାମବାସୀ ପ୍ରଦୂଷିତ ନଦୀଜଳ ବ୍ୟବହାର କରିବା ଦ୍ୱାରା ସେମାନଙ୍କର ଯେଉଁ କ୍ଷତି ହେଉଛି, ଗଣମାଧ୍ୟମ ଦ୍ୱାରା ସେଥିପ୍ରତି ସରକାରଙ୍କର ଦୃଷ୍ଟି ଆକର୍ଷଣ କରିଛନ୍ତି ।

 

ପ୍ରତିକାର ହୁଏତ ଏ ମଧ୍ୟରେ କିଛି ହୋଇଛି । ମାତ୍ର ମଣିଷ ନିଜର ଅଭ୍ୟାସ ନ ବଦଳାଇବା ପର୍ଯ୍ୟନ୍ତ ସ୍ଥିତିରେ ଯେ ବିଶେଷ କୌଣସି ପରିବର୍ତ୍ତନ ହେବ ନାହିଁ ଏହା ଜଣା କଥା । ଆଜିର ବ୍ୟକ୍ତିକୈନ୍ଦ୍ରିକ ମଣିଷ ଏକଥା ବୁଝିଲେ ସିନା ।

 

ନଦୀର ପ୍ରଦୂଷଣ ରୋକିବା ନିମନ୍ତେ ଯେଉଁ ମାନବ ସମ୍ବଳ ଓ ଅର୍ଥ ବ୍ୟୟ କରାଯାଇଛି ସ୍ୱାଭାବିକ ପରିସ୍ଥିତିରେ ତହିଁରେ ଦେଶ ପାଇଁ ଅନେକ କିଛି କରାଯାଇପାରନ୍ତା । ମନୁଷ୍ୟକୃତ ଏହି ଅପରାଧ ପାଇଁ ନଦୀକୁ କେଉଁ ଭଳି ଦୋଷ ଦିଆଯିବ ? ମହାନଦୀରେ ବାର୍ଷିକ ହାରାହାରି ଯେଉଁ ଏକଲକ୍ଷ କ୍ୟୁସେକ ଜଳ ନିଷ୍କାସିତ ହେଉଛି ତାହା ଯଦି ପ୍ରଦୂଷଣ ମୁକ୍ତ ରହି ପାରନ୍ତା ତାହା ହେଲେ ତା’ର ଉତ୍କଳ ଗଙ୍ଗା ନାମଟି ଯଥାର୍ଥରେ ସାର୍ଥକ ହୁଅନ୍ତା ।

 

ମହାନଦୀ ହେଉଛି ଓଡ଼ିଆ ସଂସ୍କୃତିର ନିର୍ଣ୍ଣାୟକ । ପ୍ରତ୍ୟେକ ଧର୍ମବିଶ୍ୱାସୀ ଓଡ଼ିଆ ଏବେ ମଧ୍ୟ ଏହାକୁ ଦେବୀ ଜ୍ଞାନରେ ପୂଜା କରନ୍ତି । ଆଗକାଳରେ ମହାନଦୀତୀରର କନ୍ୟା ବିବାହ କରି ଅନ୍ୟତ୍ର ଯିବାବେଳେ ବାପାବୋଉଙ୍କ ଉଦ୍ଦେଶ୍ୟରେ ବାହୁନୁଥିଲା–‘‘ଏକା ମହାନଦୀ ସହସ୍ର କୋଶ ଲୋ-ବୋଉ’’ । ଲୋକ ସଂସ୍କୃତି ସହିତ ଏହି ନଦୀଟି କିଭଳି କ୍ଷୀରନୀର ନ୍ୟାୟରେ ମିଶିଯାଇଥିଲା, ଏହା ହେଉଛି ତାହାର ଏକ କ୍ଷୁଦ୍ର ଦୃଷ୍ଟାନ୍ତ ମାତ୍ର । ମହାନଦୀ ନାମ ଉଚ୍ଚାରଣରେ ଓଡ଼ିଆମାନଙ୍କର ଦେହରେ ପ୍ରଚଣ୍ଡ ଶିହରଣ ସୃଷ୍ଟି ହୁଏ ଏବଂ ବିସ୍ମୟ ପୁଲକ ସମ୍ମାନ ଆତଙ୍କ ଏବଂ ପ୍ରେମ ପ୍ରଭୃତି ବିଚିତ୍ର ଭାବ ରାଜିର ଯୁଗପତ୍‍ ପ୍ରକାଶ ଘଟେ । ନଦୀପାର ହେଉଥିବା ସମୟରେ ନୌ ଯାତ୍ରୀମାନେ ମହାନଦୀର ଜୟଗାନ କରି ତାକୁ ଯେଉଁ ବିପୁଳ ଶ୍ରଦ୍ଧା ପ୍ରଦର୍ଶନ କରନ୍ତି, ତହିଁରୁ ସେମାନଙ୍କ ପାଇଁ ମହାନଦୀ ଏକ ନିଷ୍ପ୍ରାଣ ଜଳାଧାର ମାତ୍ର ନହୋଇ ଦିବ୍ୟଶକ୍ତିର ଅଧିକାରିଣୀ କୌଣସି ସ୍ୱର୍ଗୀୟ ଦେବୀର ଭୂମିକାରେ ଅଧିଷ୍ଠିତ ଏହି କଥା ସ୍ପଷ୍ଟ ଜଣାଯାଇଥାଏ ।

 

ଅତୀତରେ ଅନେକ ସ୍ମରଣୀୟ ଐତିହାସିକ ଘଟଣାର ମୂକ ସାକ୍ଷୀରୂପେ ମହାନଦୀ ରାଜନୈତିକ ଓଡ଼ିଶାର ଉତ୍ଥାନ ଦେଖିଛି । ଭାଗ୍ୟ ବିପର୍ଯ୍ୟୟ ମଧ୍ୟ ନିଭେଇଛି । ଆମର ଅଯୋଗ୍ୟତାରୁ ଏହା ଆଶୀର୍ବାଦ ବଦଳରେ ଅଭିଶାପରେ ପରିଣତ ହେଉଥବାରୁ ଅପବାଦ ମଧ୍ୟ ସହ୍ୟ କରୁଛି । ଏହାର ବନ୍ୟାକୁ କୌଣସି ମତେ ନିୟନ୍ତ୍ରଣ କରାଯାଇ ପାରିଲେ ଏହା ଯେ ଓଡ଼ିଆମାନଙ୍କ ପାଇଁ ଯଥାର୍ଥରେ ଏକ ଆଶୀର୍ବାଦରେ ପରିଣତ ହୁଅନ୍ତା ଏବଂ ମହାନଦୀ ମଧ୍ୟ ଦାନବୀ ଭୂମିକାରୁ ଦେବୀସ୍ତରକୁ ଓହ୍ଲାଇ ଆସନ୍ତା, ଏଥିରେ ସନ୍ଦେହ ନାହିଁ ।

 

ମହାନଦୀ ଓଡ଼ିଆଙ୍କ ପାଇଁ କେବଳ ଭୌଗୋଳିକ ନାମମାତ୍ର ନୁହେଁ । ସେ ଆମର ମାଆ । ପାଠ କହୁଛି କୁପୁତ୍ର ସମ୍ଭବ ହୋଇପାରେ ମାତ୍ର କୁମାତା କଦାପି ନୁହେଁ । ରାଜ୍ୟର ସମୃଦ୍ଧିର ଚାବିକାଠି ଏବେ ମଧ୍ୟ ଆମର ଏଇ ମାଆର ଅଞ୍ଚଳରେ ବନ୍ଧା ହୋଇଛି । ଆମକୁ ତାକୁ ଖୋଲି ଆଣିବାକୁ ପଡ଼ିବ । ପ୍ରକୃତିର ରହସ୍ୟମୟ ଗନ୍ତାଘର ଖୋଲି ତହିଁରେ ଯେଉଁ ଅପୂର୍ବ ମଣିମୁକ୍ତାର ସମ୍ଭାର ଗଚ୍ଛିତ ରହିଛି, ତା’ ପାଖରେ ଆମକୁ ପହଞ୍ଚିବାକୁ ପଡ଼ିବ । ଓଡ଼ିଶାକୁ କୃଷି ଓ ଶିଳ୍ପକ୍ଷେତ୍ରରେ ସମୃଦ୍ଧ କରିବାକୁ ହେଲେ ଆମକୁ ପ୍ରଥମେ ମହାନଦୀର ନଷ୍ଟ ହେଉଥିବା ବିପୁଳ ଜଳସମ୍ପଦକୁ କାମରେ ଲଗାଇବାକୁ ପଡ଼ିବ । ତାହା ହେଲେ ହିଁ ବର୍ତ୍ତମାନ ଅଭିଶାପ ରୂପରେ ଗଣ୍ୟ ହେଉଥିବା ଏହି ନଦୀ ପ୍ରକୃତରେ ଆମ ପାଇଁ ଆଶୀର୍ବାଦରେ ପରିଣତ ହେବ । ଧ୍ୱଂସ ମଧ୍ୟରୁ ନୂତନ ସୃଷ୍ଟିର ସମ୍ଭାବନା ଆତ୍ମପ୍ରକାଶ କରେ । ଆମର ପ୍ରୟୋଗ କୌଶଳ ହିଁ ଆମ ପାଇଁ ନଦୀର ଭୂମିକା ନିର୍ଦ୍ଧାରଣ କରିବ । ମହାନଦୀ ପ୍ରକୃତରେ ହେଉଛି ଓଡ଼ିଶାର ଜୀବନ ରେଖା । ଓଡ଼ିଶାର ଜୀବନଧାରା ତାକୁ ହିଁ ଧରି ଆବହମାନ କାଳରୁ ବହି ଚାଲିଛି । ଯେ ପର୍ଯ୍ୟନ୍ତ ନଦୀ ଅଛି, ଓଡ଼ିଆମାନେ ମଧ୍ୟ ଅଛନ୍ତି । ମହାମନା ଦୀନବନ୍ଧୁ ଆଣ୍ଡ୍ରୁଜ ଓଡ଼ିଶା ପାଇଁ ମହାନଦୀର ଅବଦାନକୁ ଲକ୍ଷ୍ୟ କରି ଯଥାର୍ଥରେ କହିଥିଲେ Orissa is Mahanadi, Mahanadi is Orissa ପ୍ରକୃତରେ ମହାନଦୀକୁ ବାଦ୍ ଦେଇ ଓଡ଼ିଶାର ଅସ୍ତିତ୍ୱ କାହିଁ ?

Image

 

ପରିଶିଷ୍ଟ

 

‘ମହାନଦୀ’ ଉପରେ ଏଯାବତ୍ରଚିତ ପୁସ୍ତକ ସୂଚୀ

 

୧.

ଅଚ୍ୟୁତାନନ୍ଦ ଦାସ :–ଚିତ୍ରୋତ୍ପଳା ମାହାତ୍ମ୍ୟ

୨.

ବାସୁଦେବ ସୁଢ଼ଳଦେବ :–ଚିତ୍ରୋତ୍ପଳା

୩.

ଲୋଚନ ପ୍ରସାଦ ପାଣ୍ଡେୟ :–ମହାନଦୀ (ହିନ୍ଦୀ)

୪.

ଗଦାଧର ମିଶ୍ର :–ମହାନଦୀ

୫.

ଶଶିଭୂଷଣ ରାୟ :–Mahanadi Rambles (English)

୬.

ଡକ୍ଟର ଏନ୍. କେ. ମହାଳିକ :–Mahanadi Delta (English)

୭.

ଡକ୍ଟର ବସନ୍ତ କୁମାର ବେହୁରା :–ମହାନଦୀ ବକ୍ଷରେ ଦଶଦିନ

 

କାବ୍ୟ କବିତା, ଗଳ୍ପ ଉପନ୍ୟାସରେ ମହାନଦୀ

 

୧.

ଗଙ୍ଗାଧର ମେହେର :–ତପସ୍ୱିନୀ, ଉତ୍କଳଲକ୍ଷ୍ମୀ

୨.

ରାଧାନାଥ ରାୟ :–ଚିଲିକା

୩.

ଦେବାନନ୍ଦ ସେନାପତି :–ମହାନଦୀ କହେ ମରମ କଥା (୧୯୭୪)

୪.

ମାୟାଧର ମାନସିଂହ :–ମହାନଦୀରେ ଜ୍ୟୋତ୍ସ୍ନା ବିହାର

୫.

ଉମାମାନ୍ତ ନନ୍ଦ :–ମହାନଦୀ (୧୯୯୭)

୬.

ବଳରାମ ପଟ୍ଟନାୟକ :–ମହାନଦୀର ଢେଉ (ଉପନ୍ୟାସ, ୧୯୮୫)

୭.

କପିଳ ସଂହିତା :–ଓଡ଼ିଆ ଅନୁବାଦ :–ଗୋପୀନାଥ ମହାପାତ୍ର (୧୯୨୩)

 

(ଏ ସୂଚୀ ପ୍ରସ୍ତୁତିରେ ଛତିଆର ପୁସ୍ତକପ୍ରେମୀ ଶ୍ରୀ ସୁବ୍ରତ ଷଣ୍ଢଙ୍କର ସହାୟତା ନିମନ୍ତେ ଏହି ଲେଖକ କୃତଜ୍ଞ)

Image